Unknown

 

 

 

 

 

 

 

 

 

 

 

ପାଶ୍ଚାତ୍ୟ ସ୍ମୃତି

ଗୋକୁଳାନନ୍ଦ ମହାପାତ୍ର

 

Dedicated to Dr. Orrie M. Friedman Director, Collaborative Research, Inc. Waltham, Massachusetts, U.S.A. and to his wife Mrs. L. Friedman as a token of happy remembrance of my research work in his Brandie’s University laboratory during my two years’ stay in the United States of America.

 

—Author

Image

 

Copy right

 

The Copy right of this book “PaschatyaSmruti” or “Memories of the West” is reserved by Mrs. Kumudini Mahapatra, wife of the author.

Image

 

—ପଦେଅଧେ—

 

ଭ୍ରମଣକାହାଣୀ ଭାବରେ ଲୋକପ୍ରିୟତା ହାସଲ କରିଥିବା “ନୀଳଚକ୍ରବାଳ ସେପାରେ” ଲେଖିସାରିବା ପରେ ‘ପାଶ୍ଚାତ୍ୟ ସ୍ମୃତି’ର ସୃଷ୍ଟି । ‘ନୀଳ ଚକ୍ରବାଳ ସେପାରେ’ ଯେଉଁଠୁ ଶେଷ ହୋଇଛି, ସେଠୁ ଆରମ୍ଭ ହୋଇଛି ‘ପାଶ୍ଚାତ୍ୟ ସ୍ମୃତି’ । ମୋର ଆମେରିକା ତଥା ଇଉରୋପର ବିଭିନ୍ନ ଦେଶର ଭ୍ରମଣ କାହାଣୀ ଯେତେବେଳେ ଲେଖିବାକୁ ଆରମ୍ଭ କଲି, ଭାବିଥିଲି ଭ୍ରମଣ କାହାଣୀଟି “ନୀଳଚକ୍ରବାଳ ସେପାରେ” ପୁସ୍ତକରେ ଶେଷ ହୋଇଯିବ । କିନ୍ତୁ ଅବସ୍ଥା ତା ହେଲାନି । ଆମେରିକା ଭଳି ଉନ୍ନତ ଓ ଧନଶାଳୀ ରାଷ୍ଟ୍ର ଓ ଇଉରୋପର ବିଭିନ୍ନ ବିଜ୍ଞନୋନ୍ନତ ଦେଶ ଭ୍ରମଣ କରିବାଦ୍ଵାରା ମୋର ଯେଉଁ ଅନୁଭୂତି ଅର୍ଜିତ ହେଲା, ତାକୁ ଖଣ୍ଡିଏ ବହିରେ ପ୍ରକାଶ କରିବା ଅସମ୍ଭବ ଦେଖି ‘ନୀଳଚକ୍ରବାଳ ସେପାରେ’ ପୁସ୍ତକଟିରେ ମୋର ଭ୍ରମଣ ଅନୁଭୂତିର ଅଧାଅଧି ବର୍ଣ୍ଣନା କରି ବନ୍ଦ କରିଦେବାକୁ ବାଧ୍ୟ ହେଲି । ବହିର କଳେବର ବୃଦ୍ଧି ଦୃଷ୍ଟିରୁ ଖାଲି ନୁହେଁ, ବହିର ମୂଲ୍ୟ ଦୃଷ୍ଟିରୁ ଏହା କରିବା ବାଞ୍ଛନୀୟ ବୋଲି ଅନୁଭବ କଲି । ଠିକ୍ କଲି, ‘ନୀଳଚକ୍ରବାଳ ସେପାରେ’ ଯଦି ଲୋକପ୍ରିୟ ହୁଏ, ତେବେ ମୋର ବାକିତକ ଭ୍ରମଣ ଅନୁଭୂତିକୁ ଆଉ ଏକ ପୁସ୍ତକରେ ପ୍ରକାଶ କରିବି ।

 

‘ନୀଳଚକ୍ରବାଳ ସେପାରେ’ ପୁସ୍ତକର ଲୋକପ୍ରିୟତା ମୋତେ ମୋର ବାକିତକ ଭ୍ରମଣ ଅନୁଭୂତିକୁ ଲିପିବଦ୍ଧ କରିବା ପାଇଁ ବାଧ୍ୟ କଲା । ଫଳରେ ‘ନୀଳଚକ୍ରବାଳ ସେପାରେ’ ଯେଉଁଠାରୁ ଶେଷ ହୋଇଛି, ସେହିଠାରୁ ଆରମ୍ଭ କରି ଲେଖିଲି ‘ପାଶ୍ଚାତ୍ୟ ସ୍ମୃତି’ । ଏଥିରେ ଆମେରିକା ଭ୍ରମଣର ଅନୁଭୂତି ମଧ୍ୟ କିଛି ବର୍ଣ୍ଣିତ ହୋଇଛି । କାରଣ ମୋର ସମସ୍ତ ଆମେରିକା ଭ୍ରମଣର ଅନୁଭୂତିକୁ ‘ନୀଳଚକ୍ରବାଳ ସେପାରେ’ ପୁସ୍ତକରେ ଦେଇପାରିଲି ନାହିଁ । ବିଶେଷତଃ ଆମର ନାଏଗ୍ରା ଜଳପ୍ରପାତ, ଚିକାଗୋ, ପିଟସ୍‌ବଗ ଆଦି ସହରର ଭ୍ରମଣବୃତ୍ତାନ୍ତ ଓ ଅଭିଜ୍ଞତା ‘ନୀଳଚକ୍ରବାଳ ସେପାରେ’ ପୁସ୍ତକରେ ଦେଇପାରି ନ ଥିବାରୁ ଏହି ‘ପାଶ୍ଚାତ୍ୟ ସ୍ମୃତି’ରେ ଦେଲି । ସେଥି ସହ ଆମେରିକାରୁ ଭାରତ ଅଭିମୁଖେ ପ୍ରତ୍ୟାବର୍ତ୍ତନ ବେଳେ ଆମର ଯେଉଁସବୁ ଅନୁଭୂତି, ଆମେରିକା ଛାଡ଼ିବା ପୂର୍ବରୁ ନିଉଜେରସିରେ ଆମର ମାର୍କିନ ବନ୍ଧୁଙ୍କ ଘରେ ଅବସ୍ଥାନ ଆଦିର ବର୍ଣ୍ଣନା ଦିଆଯାଇଛି ଏହି ପୁସ୍ତକରେ । ଆମେରିକା ଛାଡ଼ିଲାବେଳେ ଆମେ ଆମେରିକାରୁ କଅଣ କଅଣ ଶିଖିଲୁ, କି କି ଜ୍ଞାନ ଅର୍ଜନ କଲୁଁ, ଆମ ଲୋକଙ୍କ ପାଇଁ କି ଅନୁଭୂତି ଆମେ ସଙ୍ଗରେ ବୋହିଆଣିଲୁଁ, ସେସବୁର ଏକ ସମାଲୋଚନାମୂଳକ ଆଲୋଚନା “ଆମେରିକା ଆବିଷ୍କାର” ଅଧ୍ୟାୟରେ ବର୍ଣ୍ଣିତ ହୋଇଛି । ଏହି ଅଧ୍ୟାୟରେ ଆମେରିକାର ସବୁ ଦୋଷ ଗୁଣ ବର୍ଣ୍ଣିତ ହୋଇଛି । ପୃଥିବୀର ସବୁଠାରୁ ଅଧିକ ଧନଶାଳୀ ନିଉୟର୍କ ନଗରୀକୁ ମାର୍କିନ ପତ୍ରିକା ନିଉଜଉଇକ ଯାହା କହେ, “ନିଉୟକର ପ୍ରତି ଆଠ ଜଣରେ ଜଣେ ସ୍ଲମରେ ବାସକରେ । ତାର ସେ ଘରେ ଆଲୋକ ନାହିଁ କି ବିଶୁଦ୍ଧ ବାୟୁ ନାହିଁ । ମୂଷାଲଣ୍ଡି ସହିତ ନିଜ ଜୀବନକୁ ମିଶାଇ ଗୋଟିଏ ଗୋଟିଏ କୋଠରୀରେ ଆଠ ଦଶ ଜଣ ବ୍ୟକ୍ତି ମୁଣ୍ଡ ଗୁଞ୍ଜିବା ଦେଖିଲେ କିଏ କହିବ, ନିଉୟର୍କ ନଗରୀ ପୃଥିବୀର ସବୁଠାରୁ ଧନଶାଳୀ ନଗରୀ ବୋଲି !” —ସେହିଭଳି ତୀବ୍ର ଉକ୍ତି ଆମେରିକା ଆବିଷ୍କାର ଅଧ୍ୟାୟରେ ପାଠକ-ପାଠିକାମାନେ ପଢ଼ିବାକୁ ପାଇବେ ।

 

ଧନଶାଳୀ ଆମେରିକାର ଦୋଷଦୁର୍ବଳତାକୁ ଘୋଡ଼ାଇବାକୁ ନ ଯାଇ ଆମେରିକା ଡିମୋକ୍ରେଟିକ୍‌ ନ୍ୟାସନାଲ କମିଟି ମୁକ୍ତକଣ୍ଠରେ ଯାହା ସ୍ଵୀକାର କରେ, “ଦେଢ଼ କୋଟି ଆମେରିକାନ୍ ସ୍ଲମରେ ବାସ କରନ୍ତି, ଦେଢ଼ କୋଟି ଏମିତି ଘରେ ବାସ କରନ୍ତି ଯାହାକୁ କି ଘର ନ କହିଲେ ଚଳିବ, ସତୁରି ଲକ୍ଷ ଘର ଆମେରିକାର ବିଭିନ୍ନ ସହରରେ ଅଛି, ଯାହା କି ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ଓ ଏଥିରେ ହାରାହାରି ସାଢ଼େ ତିନି କୋଟି ଆମେରିକାନ ବସବାସ କରୁଛନ୍ତି” –ତା ବି ପାଇବେ ସେହି ଅଧ୍ୟାୟରେ । ଆମେରିକା ଆବିଷ୍କାର ଅଧ୍ୟାୟରେ ଆମେରିକାର ବହୁ ଦୋଷଦୁର୍ବଳତାକୁ ଦେଖାଇ ଦିଆଯାଇଛି ସେଥି.

Image

 

ସୂଚୀପତ୍ର

 

୧.

ସ୍ଵଦେଶ ପ୍ରତ୍ୟାବର୍ତ୍ତନ

୨.

ନାଏଗ୍ରା ଜଳପ୍ରପାତ ଓ ଚିକାଗୋ ପରିଦର୍ଶନ

୩.

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

୪.

ଉଡ଼୍‌ୱାର୍ଡଙ୍କ ସେମିନାରରେ କେତୋଟି ସନ୍ଧ୍ୟା

୫.

ବିଦାୟର ଶେଷ ପର୍ବ

୬.

ବୋଷ୍ଟନରୁ ଶେଷ ବିଦାୟ

୭.

ଆମେରିକା ଆବିଷ୍କାର

୮.

ଲଣ୍ଡନ ଅଭିମୁଖେ

୯.

ପାରିସ୍‍ ଅଭିମୁଖେ

୧୦.

ଇଉରୋପର ଶ୍ରେଷ୍ଠ ଅବସର ବିନୋଦନ କେନ୍ଦ୍ର-ଜେନିଭା

୧୧.

ଇଉରୋପର ଏକ ଶ୍ରେଷ୍ଠ ନଗରୀ ମିଉନିକ୍

୧୨.

ଇତିହାସ ପ୍ରସିଦ୍ଧ ନଗରୀ ରୋମ୍

୧୩.

ରୋମ୍‌ରୁ ବମ୍ବେ

୧୪.

ଆମ ପାଶ୍ଚାତ୍ୟ ଭ୍ରମଣର ପରିସମାପ୍ତି

Image

 

(ଏକ)

Unknown

ସ୍ଵଦେଶ ପ୍ରତ୍ୟାବର୍ତ୍ତନ

 

ଯୁକ୍ତରାଷ୍ଟ୍ରରେ ଦୁଇ ବର୍ଷରୁ କିଛି ଅଧିକ କାଳ ଅବସ୍ଥାନ କରିସାରି ସ୍ଵଦେଶକୁ ଫେରିଆସିବା ପାଇଁ ମନସ୍ଥ କଲୁଁ । ଇଚ୍ଛା କରିଥିଲେ ଆହୁରି ଗୋଟାଏ କି ଦୁଇଟା ବର୍ଷ ରହିପାରିଥାନ୍ତୁ । କିନ୍ତୁ ଘରେ ମା, ଭାଉଜଙ୍କ ଦେହ ବାରମ୍ବାର ଖରାପ ହେବାରୁ ଯୁକ୍ତରାଷ୍ଟ୍ରରେ ଆଉ ଅଧିକ କାଳ କଟାଇବା ଉଚିତ ମନେ କଲୁନି । ଅଧ୍ୟାପକ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ସାଙ୍ଗସାଥୀ, ସାଇପଡ଼ିଶା ସମସ୍ତଙ୍କୁ ଜଣାଇଦେଲୁ ଆମ ସ୍ଵଦେଶ ବାହୁଡ଼ା କଥା । କେତେ ଲୋକ କେତେ ଭାବରେ ଦୁଃଖ କଲେ ଆମ ଫେରିଆସିବା କଥା ଶୁଣି । ଦୁଇବର୍ଷ ଅବସ୍ଥାନ ଭିତରେ ଆମେ ୱାଲଥାମ୍ ସହର ଭିତରେ ଅତି ପରିଚିତ ହୋଇଯାଇଥିଲୁଁ । ବହୁ ମାର୍କିନ ପରିବାର ସହିତ ଆମର ବନ୍ଧୁତା ବେଶ୍ ଘନିଷ୍ଠ ହୋଇଯାଇଥିଲା । ୱାଲଥାମ୍ ସହରଟି ଭିତରେ ପିଲାଛୁଆ ଧରି ଆମେ ଗୋଟିଏମାତ୍ର ଭାରତୀୟ ପରିବାର ଅବସ୍ଥାନ କରୁଥିବାରୁ ଦୋକାନ, ବଜାର, ରାସ୍ତାଘାଟ ସବୁଠି ଆମେ ବାରିହୋଇ ପଡ଼ୁଥାଉଁ । ଆମ ସହିତ ଆଳାପ ପରିଚୟ ପାଇଁ ବହୁ ମାର୍କିନ ପରିବାର ବେଶ୍ ଲାଳାୟିତ ଥିବା ଭଳି ଜଣାପଡ଼ୁଥାଏ । ସତେ ଯେମିତି ଆମେ ସେହି ସହରଟିରେ ଗୋଟିଏ ଅତି ମାନ୍ୟଗଣ୍ୟ ପରିବାର । ଆମ ସ୍ଵଦେଶ ବାହୁଡ଼ା କଥା ଶୁଣି ଅନ୍ୟମାନେ ଯେତେ ଦୁଃଖ କଲେ, ସବୁଠାରୁ ଅଧିକ ଦୁଃଖ କଲେ ଆମ ଘରର ମାଲିକାଣୀ, ମିସେସ୍ ଗୁଲୋଟି । ଆମ ପରିବାରକୁ ସେ ନିଜ ପୁତ୍ର-କନ୍ୟା ପରିବାରଠାରୁ ଅଧିକ ଭଲ ପାଉଥିଲେ । ତେଣୁ ଯେଉଁଦିନଠାରୁ ଆମ ସ୍ଵଦେଶ ବାହୁଡ଼ା କଥା ତାଙ୍କ କାନରେ ପଡ଼ିଲା, ସେହି ଦିନଠାରୁ ସତେ ଯେମିତି ତାଙ୍କ ମନର ସୁଖ ମନରେ ମରିଗଲା । ଆମ ଘରକୁ ଆସିଲେ ସର୍ବଦା ମୁହଁ ଶୁଖାଇ କଥାବାର୍ତ୍ତା କରନ୍ତି । ଆମ ଘରର ମାଲିକାଣୀ ଆମେରିକାନ ହେଲେହେଁ ପ୍ରକୃତରେ ସେ ଜଣେ ଇଟାଲୀୟାଣୀ । ପ୍ରାୟ ଅର୍ଦ୍ଧଶତାଦ୍ଦୀତଳେ ଇଟାଲୀରୁ ଆମେରିକା ଆସି ଜଣେ ଇଟାଲୀୟଙ୍କୁ ବିବାହ କରି ଘରସଂସାର ଆରମ୍ଭ କରିଥିଲେ । ଆଠଗୋଟି ପୁଅ ଓ ପାଞ୍ଚଗୋଟି କନ୍ୟାର ଜନକ-ଜନନୀ ତଥା ସେହି ସହରର ଏକ ଅବସ୍ଥାପନ୍ନ ପରିବାର ଭାବରେ ସେମାନେ ପ୍ରସିଦ୍ଧ । ସ୍ଵାମୀ, ସ୍ତ୍ରୀ ଉଭୟେ ବାର୍ଦ୍ଧକ୍ୟର ଶେଷ ପର୍ଯ୍ୟାୟରେ ପଦାର୍ପଣ କରିଥିଲେହେଁ ସେମାନଙ୍କ କାର୍ଯ୍ୟଦକ୍ଷତା ଦେଖିଲେ ବିସ୍ମିତ ହେବାକୁ ପଡ଼େ । ୫ । ୭ ଗୋଟି ଏପାର୍ଟମେଣ୍ଟ [ବାସଗୃହ]ର ମାଲିକ ଥିବାରୁ ଘରଭଡ଼ା ବାବଦ ଭଲ ଆୟ ହୁଏ । ଏତେଗୁଡ଼ିଏ ସନ୍ତାନର ଜନକ-ଜନନୀ ହେଲେହେଁ ସାମାଜିକ ରୀତି ଅନୁସାରେ କେହି ତାଙ୍କ ପାଖରେ ନ ଥାନ୍ତି । ଯେ ଯେଝା ସଂସାର କରି ସେମାନଙ୍କଠାରୁ ବିଚ୍ଛିନ୍ନ । ବନ୍ଧୁବାନ୍ଧବ ଘରକୁ ଆସିଲା ଭଳି ପୁତ୍ର-କନ୍ୟାମାନେ ବେଳେ ବେଳେ ବାପା ମା’ଙ୍କ ନିକଟକୁ ଆସି ଦେଖାକରି ଯାଆନ୍ତି-। ବାପା,ମା କାହାରି ଦେହପା ଖରାପ ହେଲେ ସମସ୍ତେ ଆସି ସେବା ଶୁଶ୍ରୂଷା କରନ୍ତି । ବଡ଼ ବିଚିତ୍ର ସାମାଜିକ ପ୍ରଥା, ବାପ, ମାଙ୍କ ପାଖକୁ ପୁଅ-ବୋହୁ ଅପେକ୍ଷା ଝିଅଜୋଇଁ ବେଶି ଆସନ୍ତି-। ବାପ, ମା ଘରେ ପୁଅ ଅପେକ୍ଷା ଝିଅର ଅଧିକାର ବେଶି ଥିଲା ଭଳି ଜଣାପଡ଼େ । ଆମ ଘରର ମାଲିକାଣୀ କେଜାଣି କାହିଁକି ଆମ ସମସ୍ତଙ୍କୁ ଅତି ଭଲ ପାଉଥିଲେ ଆମ ଘରର ଭଲମନ୍ଦ ବୁଝିବା, ତାଙ୍କ ଘରର ଭଲମନ୍ଦ ଆମ ଘରେ କହିବା ତାଙ୍କର ଯେମିତି ଏକ ନିତ୍ୟନୈମିତ୍ତିକ ଅଭ୍ୟାସ-। ଆମ ଘରେ କିଛି ଗୋଟାଏ ଭଲ ଜିନିଷ ରନ୍ଧାହେଲେ ସେ ଆସି ଖାଇଦେଇ ଯିବେ । ଦରକାର ପଡ଼ିଲେ ଯଦି ଆସି ନ ପାରିବେ, ସହିତ ଅବଶ୍ୟ ଆମେରିକାର ଭଲ ଗୁଣ, ସୁନ୍ଦର ସୁନ୍ଦର କୀର୍ତ୍ତିକୁ ଆମ ଲୋକ ସମ୍ମୁଖକୁ ଅଣାଯାଇଛି, ଯାହାକୁ ଆମ ସମସ୍ତଙ୍କର ଜାଣିବା କଥା ।

 

‘ପାଶ୍ଚାତ୍ୟ ସ୍ମୃତି’ର ପ୍ରାୟ ଅଧେ ବର୍ଣ୍ଣନା ଇଉରୋପର ବିଭିନ୍ନ ସହରରେ ଆମ ଅନୁଭୂତି ସଂପର୍କରେ ହିଁ ହୋଇଛି । ଆମେରିକାରୁ ଭାରତ ଫେରିବା ବାଟରେ ଆମେ ଯେଉଁ କେତେ ଦିନ ଇଉରୋପର ଶ୍ରେଷ୍ଠତମ ନଗରୀ ଲଣ୍ଡନ, କେମ୍ବ୍ରିଜ, ପ୍ୟାରିସ୍‌, ଜେନିଭା, ମିଉନିକ୍‍, ରୋମ ଆଦି ବୁଲିଥିଲୁ, ସେସବୁର ଭ୍ରମଣକାହାଣୀ ବର୍ଣ୍ଣିତ ହୋଇଛି ‘ପାଶ୍ଚାତ୍ୟ ସ୍ମୃତି’ର ବାକି ଅଧକ ଭାଗରେ । ଭ୍ରମଣକାହାଣୀ ବ୍ୟତୀତ ଏହିସବୁ ସହର ଥିବା ରାଜ୍ୟର ବର୍ଣ୍ଣନା, ସମାଲୋଚନାମୂଳକ ମୂଲ୍ୟ ନିରୂପଣ (Critical appreciation) ଆଦି ଏମିତି ଭାବରେ ଦିଆଯାଇଛି ଯେ କେହି ଭ୍ରମଣକାହାଣୀ ପଢ଼ି ମନରେ ଆନନ୍ଦ ପାଇବା ବ୍ୟତୀତ ସେହି ସବୁ ରାଜ୍ୟ ଓ ସହର ସଂପର୍କରେ ନାନା ଭୌଗୋଳିକ ତଥା ଐତିହାସିକ ତଥ୍ୟ ଆହରଣ କରିପାରିବ ।

 

ଆଧୁନିକ ଭ୍ରମଣକାହାଣୀ କେବଳ ଭ୍ରମଣ ଅନୁଭୂତିର ବର୍ଣ୍ଣନ ହେବା ଉଚିତ୍ ନୁହେଁ । କେବଳ ଭ୍ରମଣ ଅନୁଭୂତି ପାଠକର ମନକୁ ଅଧିକ ଆନନ୍ଦ ଦେଇପାରେ, କିନ୍ତୁ ଜ୍ଞାନପିପାସୁ ମନକୁ ଅଧିକ କିଛି ଖାଦ୍ୟ ଯୋଗାଇ ପାରେନି । ଭ୍ରମଣକାହାଣୀ ସହିତ ନାନା ଭୌଗୋଳିକ ତଥ୍ୟ ଓ ବର୍ଣ୍ଣନ ସଙ୍ଗେ ସଙ୍ଗେ ସେସବୁ ଦେଶ ତଥା ସମାଜ ଓ ସହରର ସମାଲୋଚନାମୂଳକ ମୂଲ୍ୟ ନିରୂପଣ ଦିଆଗଲେ ଏହା ପାଠକର ଜ୍ଞାନପିପାସୁ ମନକୁ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ନାନା ଖାଦ୍ୟ ଯୋଗାଇପାରେ । ଅବଶ୍ୟ ଦୁଇଟିର ସମନ୍ଵୟ ଉପରେ ଲେଖାର ବାହାଦୁରି ନିର୍ଭର କରେ । ଭ୍ରମଣକାହାଣୀ ସହିତ ଭୌଗୋଳିକା ଓ ଐତିହାସିକ ତଥା କାଳର ସମନ୍ଵୟ ଯଦି ଯଥାର୍ଥ ଭାବରେ ହୋଇ ନ ପାରେ, ତେବେ ପାଣି ଓ ତେଲ ପରସ୍ପର ସହିତ ନ ମିଳିଲା ପରି ଅଲଗା ଅଲଗା ରହିଯାଇପାରେ । ସେପରି କ୍ଷେତ୍ରରେ ଲେଖାର ତାତ୍ପର୍ଯ୍ୟ ନଷ୍ଟ ହୋଇଯାଏ ଓ ତାହା ଭ୍ରମଣକାହାଣୀ ହୁଏନି କି ତାକୁ ଭୂଗୋଳ ବା ଇତିହାସ କହି ହୁଏନି । ‘ପାଶ୍ଚାତ୍ୟ ସ୍ମୃତି’ରେ ଏହି ନୂଆ ଧରଣର ଲେଖା ଦେବାକୁ ଚେଷ୍ଟା କରାଯାଇଛି । କିନ୍ତୁ ପ୍ରକୃତରେ ଏହା କୃତକାର୍ଯ୍ୟ ହୋଇଛି କି ନାହିଁ, ପାଠକ-ପାଠିକାମାନେ ଠିକ୍ କରିବେ । ସୃଷ୍ଟିରେ ସିନା ଲେଖକର ଅଧିକାର, ସୃଷ୍ଟିଟି ଆଦୃତ ହେବା ନ ହେବାରେ ତା ହାତ ନାହିଁ ।

 

‘ପାଶ୍ଚାତ୍ୟ ସ୍ମୃତି’ର କେତେକ ଅଂଶ ‘ସମାଜ’, ‘କଳିଙ୍ଗ’ ଆଦି ପତ୍ରପତ୍ରିକାରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିଲା । ସେଗୁଡ଼ିକୁ ଏହି ପୁସ୍ତକରେ ସନ୍ନିବେଶିତ କରିବାକୁ ଅନୁମତି ଦେଇଥିବାରୁ ଉକ୍ତ ପତ୍ରିକାଦ୍ଵୟର ସଂପାଦକଙ୍କଠାରେ କୃତଜ୍ଞତା ଜ୍ଞାପନ କରୁଛି ।

 

ଇଉରୋପ ଭ୍ରମଣବେଳେ ଆମେ ବିଭିନ୍ନ ଦେଶ ବୁଲି ବୁଲି ସେସବୁ ଦେଶର ନାନା ବିଶେଷତ୍ଵ ଜାଣିବାକୁ ସୁବିଧା ପାଇଛୁଁ । ପ୍ରତ୍ୟେକ ଦେଶର ବିଶେଷତ୍ଵକୁ ଯଥାର୍ଥ ଭାବରେ ଏହି ପୁସ୍ତକରେ ସନ୍ନିବେଶିତ କରିବାକୁ ଭୁଲିନି । ଆମ ଇଉରୋପ ଭ୍ରମଣ ଆଗରୁ ବହୁ ଇଉରୋପ ଅନୁଭୂତି ବିଭିନ୍ନ ଲୋକଙ୍କଦ୍ଵାରା ଆମ ଭାଷାରେ ପ୍ରକାଶ ପାଇଛି । ତେବେ ‘ପାଶ୍ଚାତ୍ୟ ସ୍ମୃତି’ର ଲେଖା ଅନେକାଂଶରେ ଗତାନୁଗତିକ ଭ୍ରମଣକାହାଣୀଠାରୁ ଅଲଗା । ପାଠକ-ପାଠିକାମାନେ ପୁସ୍ତକଟିକୁ ପଢ଼ିଲେ ସେ ସଂପର୍କରେ ଜାଣିପାରିବେ ।

 

‘ପାଶ୍ଚାତ୍ୟ ସ୍ମୃତି’ ଏକାଧାରରେ ଆମର ଆମେରିକା ତଥା ଇଉରୋପର ଅନୁଭୂତି ନେଇ ରୂପ ପାଇଛି । ‘ନୀଳଚକ୍ରବାଳ ସେପାରେ’ର ପରିପୂରକ ଭାବରେ ଏହା କାର୍ଯ୍ୟ କରିବ । ଆମେରିକା ଅନୁଭୂତିର ଯେଉଁ ଅଂଶ ‘ନୀଳଚକ୍ରବାଳ ସେପାରେ’ ପୁସ୍ତକରେ ଦିଆଯାଇ ପାରିନି, ସେତକ ଦିଆଯାଇଛି ଏଥିରେ (‘ପାଶ୍ଚାତ୍ୟ ସ୍ମୃତି’ରେ) । ତା ଛଡ଼ା ଆମର ଇଉରୋପ ଅନୁଭୂତି ଏହାର ସ୍ଵାତନ୍ତ୍ର ।

 

ଆମର ଆମେରିକା ତଥା ଇଉରୋପ ଅନୁଭୂତି ଯେଉଁ ଦୁଇ ଖଣ୍ଡରେ ପ୍ରକାଶିତ ହେବାର ଯୋଜନା ଥିଲା, ତାହା ଏହି ‘ପାଶ୍ଚାତ୍ୟ ସ୍ମୃତି’ରେ ଶେଷ ହେଲା । ଏହି ପୁସ୍ତକଟି ‘ନୀଳଚକ୍ରବାଳ ସେପାରେ’ ଭଳି ଆମେରିକା ତଥା ଇଉରୋପର ବିଭିନ୍ନ ରାଷ୍ଟ୍ରକୁ ସେମାନଙ୍କର ପ୍ରକୃତ ମୂଲ୍ୟ ଦେଇ ଯଦି ଆମ ଦେଶବାସୀଙ୍କ ସମ୍ମୁଖରେ ଠିଆ କରାଇପାରେ, ତେବେ ମୁଁ ମୋର ଶ୍ରମ ସାର୍ଥକ ହେଲା ବୋଲି ମଣିବି ।

 

ଏହି ବହିରେ ବହୁ ଦର୍ଶନୀୟ ସ୍ଥାନର ଫଟୋଚିତ୍ର ସନ୍ନିବେଶିତ ହୋଇଅଛି । ଏଥିପାଇଁ ପ୍ରକାଶକ ଦାସ ବ୍ରଦର୍ସ ବହୁ ଅର୍ଥ ବ୍ୟୟ କରି ବହିଟିର ଅଙ୍ଗସଜ୍ଜା ଅତ୍ୟନ୍ତ ଶୋଭନୀୟ କରିଥିବା ହେତୁ ମୁଁ ତାଙ୍କ ନିକଟରେ କୃତଜ୍ଞ । ଇତି ।

 

ବିନୀତ

 

ଦୋଳମୁଣ୍ଡାଇ

ଶ୍ରୀ ଗୋକୁଳାନନ୍ଦ ମହାପାତ୍ର

ତା ୩୦ । ୮ ।୧୯୬୭

ଅଧ୍ୟାପକ, ରେଭେନ୍‌ସା କଲେଜ, କଟକ

Image

 

ସଦେଶ ପ୍ରତ୍ୟାବର୍ତ୍ତନ

 

ପଠାଇଦେଲେ ଖାଇବେ । ଆମେରିକାନମାନେ ଯଦିଚ ଆମଠାରୁ ଯଥେଷ୍ଟ ଅଲଗା ଭାବରେ ରାନ୍ଧି ଖାଆନ୍ତି, ଲଙ୍କା, ମସଲା, ହଳଦୀ ଆଦିର ପାଖ ମାଡ଼ନ୍ତି ନାହିଁ, ତଥାପି ସେ ଆମ ଦେଶ ରନ୍ଧାକୁ ଏତେ ପସନ୍ଦ କରନ୍ତି ଯେ ଲଙ୍କା, ମସଲା ଆଦି ପଡ଼ିଥିଲେହେଁ ସେ ନଖାଇ ରହିପାରନ୍ତି ନାହିଁ । ଦୁଇ ବର୍ଷରୁ ଅଧିକ କାଳ ଯାହାଙ୍କ ସହିତ ଏତେ ଘନିଷ୍ଠ ସମ୍ପର୍କ, ଆମ ଆସିବା ଖବର ଶୁଣି ସେ ଦୁଃଖ କରିବେ ନାହିଁ ତ ଆଉ କ’ଣ ? ଆମେ ଯେଉଁଦିନ ଆମ ଫେରିବା ପଥରେ ୱାଲଥାମ୍ ସହର ଛାଡ଼ିଲୁ, ସେଦିନ ତାଙ୍କ କ୍ରନ୍ଦନ ଏବେ ବି ସୁଦ୍ଧା ଆମ ଆଖିଆଗରେ ନାଚୁଛି । ବିବାହ ପରେ କୌଣସି ଝିଅ ବାପ ମା’ଙ୍କୁ ଛାଡ଼ି ଗଲାବେଳେ ମଧ୍ୟ ମା’ କି ଝିଅ ଆଖିରୁ ଏତେ ଲୁହ ଝରିବ ନାହିଁ । ତାଙ୍କର ଆମ ପ୍ରତି ଏତେ ମମତା ଯେ, ଆମେ ଏକ ବର୍ଷରୁ ଊର୍ଦ୍ଧ୍ୱକାଳ ଆମେରିକା ଛାଡ଼ି ଆସିଥିଲେହେଁ ସେ ଏବେ ବି ପ୍ରତି ପନ୍ଦର ଦିନରେ ଥରେ ଲେଖାଏଁ ଆମ ପାଖକୁ ଚିଠି ପଠାଉଅଛନ୍ତି ।

 

ଆମ ଆସିବା ଖବର ଶୁଣି ଅଧ୍ୟାପକ ଫ୍ରିଡ଼୍‌ମେନ, ଯାହାଙ୍କ ସହିତ ମୁଁ ଗବେଷଣା କରୁଥିଲି, ସେ ବି ଭାରି ମନଦୁଃଖ କରିଥିଲେ । ଦୁଇ ବର୍ଷରୁ ଅଧିକ କାଳ ଆମର ନିତିଦିନ ସମ୍ପର୍କ ଏତେ ସହଜରେ ଛାଡ଼ିହୁଏ ? ଅଧ୍ୟାପକଙ୍କ ସ୍ତ୍ରୀ ମିସେସ୍ ଲରେଲ୍ ଫ୍ରିଡ଼୍‌ମେନ ଅଧ୍ୟାପକଙ୍କଠାରୁ କମ୍ ଦୁଃଖ ପ୍ରକାଶ କରି ନ ଥିଲେ ଆମ ଭାରତ ଫେରିବା କଥା ଶୁଣି । ଆମ ପରିବାର ସହିତ ଘନିଷ୍ଠ ବନ୍ଧନରେ ବାନ୍ଧି ହୋଇଥିବା ବହୁ ଆମେରିକାନ ପରିବାର ଆମର ସ୍ଵଦେଶ ବାହୁଡ଼ା ଖବରରେ ବ୍ୟଥିତ ହୋଇଥିଲେ । ଆମ ସ୍ଵଦେଶ ବାହୁଡ଼ା ଖବରରେ ସେମାନେ କେତେ ଦୁଃଖୀ, ଆମକୁ ଜଣାଇବା ପାଇଁ ମିସେସ୍ ଲୁଡ଼ର, ମିସେସ୍ ଟାରଲିନ୍, ମିସେସ୍ କର୍ ନେଲି, ମିସେସ୍ ଲଣ୍ଡ୍ରି ଆଦି ବହୁ ପରିବାର ଆମ ଘରକୁ ଦୌଡ଼ି ଆସିଥିଲେ । ସେମାନଙ୍କର ସବୁବେଳେ ଆମକୁ ଉପଦେଶ ଯେ, ଭାରତକୁ ଫେରି ପୁଣି କିଛିଦିନ ପରେ ଆମ ପରିବାରର ଅନ୍ୟମାନଙ୍କୁ ନେଇ ଆମେରିକା ଫେରିଯିବା ପାଇଁ । ତା’ଛଡ଼ା ଆମ ପାଖପଡ଼ିଶା ଲୋକଙ୍କର ମଧ୍ୟ ସେଇଆ ଆଶା । ସତେ ଯେମିତି ଆମ ସାଙ୍ଗସାଥି ଛାଡ଼ିବାକୁ ଆମେରିକାର କେହି ରାଜି ନୁହନ୍ତି । ଆମେ ମଧ୍ୟ ସେମାନଙ୍କ ମିଳାମିଶା ଓ ବ୍ୟବହାରରେ ଏତେ ମଜ୍ଜି ଯାଇଥାଉ ଯେ, ସେମାନଙ୍କୁ ଛାଡ଼ି ଚାଲିଯିବା କଥା ଭାବିଲାବେଳକୁ ମନଟା କେମିତି କେମିତି ହୋଇ ଯାଉଥାଏ ।

 

ଖାଲି ସ୍ଵଦେଶ ପ୍ରତ୍ୟାବର୍ତ୍ତନ କଥା ଠିକ୍ କରିଦେଲେ ଯେ ସ୍ଵଦେଶକୁ ଚାଲିଆସି ହେବ, ତା’ ନୁହେଁ । ସେଥିପାଇଁ ନାନା ବନ୍ଦୋବସ୍ତ କରିବାକୁ ପଡ଼ିବ । ଆମେ ଆମେରିକା ଗଲାବେଳେ ଭାରତରୁ ଆମେରିକା ପର୍ଯ୍ୟନ୍ତ ସମସ୍ତ ରାସ୍ତା ପୂରାପୂରି ଉଡ଼ାଜାହାଜରେ ଯାଇଥିଲୁ । କିନ୍ତୁ ଫେରିଲାବେଳେ ଆଉ ଉଡ଼ାଜାହାଜରେ ନ ଆସି ପାଣିଜାହାଜରେ ଆସିବା ପାଇଁ ଠିକ୍ କଲୁ । ପୃଥିବୀର ଗୋଟିଏ ପାଖରୁ ଆଉ ଏକ ପାଖକୁ ହଜାର ହଜାର ମାଇଲ ଅତିକ୍ରମ କଲୁ । ପାଣିଜାହାଜରେ ଯଦି ନ ଯାଉ, ତେବେ ପାଣିଜାହାଜ ଅଭିଜ୍ଞତାଟି ଆମର ବାଦ୍‌ ପଡ଼ିଯିବ । ଏହି ଆଶଙ୍କାରେ ଆମେ ପାଣିଜାହାଜରେ ଟିକଟ କାଟିବା ପାଇଁ ମନସ୍ଥ କରିଥିଲୁ । ଆମେରିକାଠାରୁ ଭାରତ ପର୍ଯ୍ୟନ୍ତ ସମସ୍ତ ରାସ୍ତାଟି ପାଣିଜାହାଜରେ ଅତିକ୍ରମ କଲେ ଖର୍ଚ୍ଚ ଟିକିଏ କମ୍‌ପଡ଼ିବ, ତା ଛଡ଼ା ସମୁଦ୍ରଯାତ୍ରା ଅଭିଜ୍ଞତାଟା ହୋଇଯିବ । ଟିକଟ କାଟିବା ପାଇଁ ସିଧାସଳଖ ଜାହାଜ କୋମ୍ପାନୀ ପାଖକୁ ପ୍ରାୟ କେହି ଯାଆନ୍ତି ନାହିଁ, ଭିନ୍ନ ଭିନ୍ନ ପାଣିଜାହାଜ କୋମ୍ପାନୀର ଏଜେଣ୍ଟମାନେ ଅଛନ୍ତି, ସେମାନଙ୍କ ଜରିଆରେ ଟିକଟ କାଟିବା କଥା । ଆମେରିକାର ଏକ ବଡ଼ ଟିକଟକଟା ଏଜେଣ୍ଟ ଆମେରିକାନ୍‌ ଏକ୍‌ସପ୍ରେସ କୋମ୍ପାନୀର କର୍ମକର୍ତ୍ତାମାନଙ୍କୁ ଆମ ପାଇଁ ଟିକଟ କାଟିବା ପାଇଁ ଲେଖିଲି । ଟିକଟ କାଟିବା ପୂର୍ବରୁ ଆମ ଯାତ୍ରାର ଟିକିନିଖି ବିବରଣୀ ଜାଣିବା ପାଇଁ ସେମାନେ ମୋତେ ସେମାନଙ୍କ ନିକଟବର୍ତ୍ତୀ ବୋଷ୍ଟନ ଅଫିସକୁ ଯିବା ପାଇଁ ନିମନ୍ତ୍ରଣ କଲେ । ଯିବା ପୂର୍ବରୁ ଟେଲିଫୋନରେ ଏକ ନିର୍ଦ୍ଧାରିତ ସମୟ ଠିକ୍‌ କରି ସେମାନଙ୍କ ଅଫିସକୁ ଗଲି । ଅଫିସଟି ଆମ ବସାଠାରୁ ସାତ ଆଠ ମାଇଲ ଦୂରରେ ବୋଷ୍ଟନ ସହରର କେନ୍ଦ୍ରାଞ୍ଚଳରେ ଅବସ୍ଥିତ । ଆମେରିକାନ ଏକ୍‌ସପ୍ରେସ କୋମ୍ପାନୀର ବୋଷ୍ଟନ ଅଫିସ ନିୟୁୟର୍କ ଅଫିସ ଭଳି ବିଶେଷ ବଡ଼ ନ ହେଲେହେଁ ବହୁ ପୁରୁଷ ଓ ମହିଳା କର୍ମଚାରୀରେ ପୂର୍ଣ୍ଣ । ଅଫିସ୍‌ର ଯେଉଁ କର୍ମଚାରୀଙ୍କ ସହିତ ଯିବା ପୂର୍ବରୁ ଟେଲିଫୋନରେ କଥାବାର୍ତ୍ତା କରିଥିଲି, ତାଙ୍କପାଖକୁ ଯାଇ ମୋ ପରିଚୟ ଦେଲି । ସଙ୍ଗେ ସଙ୍ଗେ ଆମ ଜାହାଜଯାତ୍ରା ସମ୍ବନ୍ଧରେ ଆଲୋଚନା ଆରମ୍ଭ ହୋଇଗଲା । ଆମେରିକାରୁ ଭାରତକୁ କୌଣସି ଯାତ୍ରୀବାହୀ ଜାହାଜ ସିଧାସଳଖ ଯାଉ ନ ଥିବାରୁ ଆମକୁ ଦୁଇଥରରେ ଆମ ସ୍ଵଦେଶଯାତ୍ରା ସମ୍ପାଦନ କରିବାକୁ ପଡ଼ିବ । ପ୍ରଥମ ଥରରେ ଆମେରିକାରୁ ଇଉରୋପ ଯିବାକୁ ପଡ଼ିବ ଓ ଦ୍ଵିତୀୟ ଥରରେ ଇଉରୋପରୁ ଭାରତ ଅଭିମୁଖେ ଜାହାଜ ଧରିବାକୁ ପଡ଼ିବ । ଆମେରିକାରୁ ଇଉରୋପକୁ ଯିବା ପାଇଁ ବିଭିନ୍ନ କୋମ୍ପାନୀର ବହୁତଗୁଡ଼ିଏ ଯାତ୍ରୀବାହୀ ପାଣିଜାହାଜ ଅଛି । ସେଗୁଡ଼ିକ ପ୍ରଧାନତଃ ନିଉୟର୍କ ବନ୍ଦରରୁ ବାହାରି ଇଂଲଣ୍ଡର ସାଉଦମ୍ପଟନ, ଲଣ୍ଡନ, ଲିଭରପୁଲ, ଫ୍ରାନ୍‌ସର ମାର୍ସେ, ଇଟାଲୀର ଜେନୋଆ, ନେପଲସ ଆଦି ବନ୍ଦରକୁ ଯାଏ । ପୁଣି ସେହିସବୁ ବନ୍ଦରରୁ ଯାତ୍ରୀ ନେଇ ଆମେରିକା ଅଭିମୁଖେ ଆସେ । ଆଟଲାଣ୍ଟିକ ମହାସାଗର ଅତିକ୍ରମ କରି ଆମେରିକାରୁ ଇଉରୋପ ଯିବାକୁ ପ୍ରାୟ ୬ । ୭ ଦିନ ସମୟ ଲାଗେ ଓ ସେହିଭଳି ଫେରିବାକୁ ମଧ୍ୟ ୬ । ୭ ଦିନ । ଏହିଭଳି ଭାବରେ ଦେଖିବାକୁ ଗଲେ ପ୍ରାୟ ପ୍ରତି ପନ୍ଦର ଦିନରେ ଏହି ଜାହାଜଗୁଡ଼ିକ ନିଉୟର୍କ ବନ୍ଦରରୁ ନିଜ ନିଜ ଯାତ୍ରା ଆରମ୍ଭ କରିଥାନ୍ତି । ପୃଥିବୀର ସବୁଠାରୁ ଗହଳିପୂର୍ଣ୍ଣ ସମୁଦ୍ରପଥ ହେଉଛି ଏହି ବାଟଟି । ଏହି ତିନି ହଜାର ମାଇଲବ୍ୟାପୀ ପଥଟି ପାଇଁ ବିଭିନ୍ନ କୋମ୍ପାନୀର ଏତେଗୁଡ଼ିଏ ଜାହାଜ ଅଛି ଯେ ପ୍ରତିଦିନ ଗୋଟାଏ କିମ୍ବା ଦୁଇଟି ଜାହାଜ ନିଉୟର୍କ ବନ୍ଦର ଛାଡ଼େ ବା ନିଉୟର୍କ ବନ୍ଦରରେ ପହଞ୍ଚେ । ଗୋଟିଏ ଗୋଟିଏ ଜାହାଜରେ ଏକ ସଙ୍ଗରେ ହଜାର ହଜାର ଲୋକ ଯା’ଆସ କରୁଥିବାରୁ ଆମେରିକା ଓ ଇଉରୋପ ମଧ୍ୟରେ ଯାତ୍ରୀ ଚଳାଚଳ କେତେ ଏଥିରୁ ସହଜରେ ଅନୁମେୟ ।

 

ଏହି ରାସ୍ତାରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଏତେ ବଡ଼ ଯେ ଏମିତି ବଡ଼ ଜାହାଜ ପୃଥିବୀର ଅନ୍ୟ କୌଣସି ଅଞ୍ଚଳରେ ଚାଲିବାର ଦେଖାଯାଏ ନାହିଁ । ପୃଥିବୀର ବୃହତ୍ତମ ଯାତ୍ରୀବାହୀ ଜଳଜାହାଜ ହେଲା କୁଇନ୍‌ ଏଲିଜାବେଥ୍‌ ଓ କୁଇନ୍‌ମେରୀ । ଏହି ଜାହାଜ ଦୁଇଟି ଏଡ଼େ ବିରାଟ ଯେ ନ ଦେଖିଲେ ସହଜରେ ଧାରଣା କରି ହେବ ନାହିଁ । ଏହି ଜାହାଜ ଭିତରେ ଏତେ ଯାତ୍ରୀ ଯାଇପାରନ୍ତି ଯେ ଏହି ଜାହାଜ ଗଲାବେଳେ ସମୁଦ୍ରରେ ଗୋଟିଏ ଛୋଟ ସହର ଭାସି କରି ଗଲା ଭଳି ଦିଶେ । ସାଧାରଣ ସହରର ଯାବତୀୟ ସୁବିଧା, ଯଥା-ସନ୍ତରଣ ପୁଷ୍କରିଣୀ, ଖେଳଜାଗା, ସିନେମାଘର, ନାଚଘର ଆଦି ଯାବତୀୟ ସୁବିଧା ଏଥିରେ ଥାଏ । ଜାହାଜର ରନ୍ଧାଘର ଓ ଖାଇବାଘର ଦେଖିଲେ ଯେକୌଣସି ବଡ଼ ହୋଟେଲ ବା ରେଷ୍ଟୁରାଣ୍ଟ ତା ଆଗରେ ହାର ମାନିଯିବ । ପ୍ରତି ଦିନ ହଜାର ହଜାର ଯାତ୍ରୀଙ୍କୁ ଦିନକୁ ୩ । ୪ବେଳା ଖାଦ୍ୟ ଖାଇବାକୁ ଦିଆ ଯାଉଥିବାର ଦେଖିଲେ ଯେତେ ବଡ଼ ରେଷ୍ଟୁରାଣ୍ଟ ହେଲେ ବି ତା ପାସଙ୍ଗରେ ପଡ଼ିବନି । ଜାହାଜ ଭିତରେ ଯାତ୍ରୀମାନଙ୍କ ରହିବା ପାଇଁ ୩ ।୪ ମହଲା ଘର । ଜାହାଜଟାଯାକ ଶୀତତାପ ନିୟନ୍ତ୍ରିତ । ଗରମ ବା ଶୀତଦିନେ ଗଲେ ବାହାରର ଗରମ ବା ଶୀତ ଯାତ୍ରୀମାନଙ୍କୁ ବାଧେ ନାହିଁ ।

 

କୁଇନ୍‌ ମେରୀ ଓ କୁଇନ୍‌ ଏଲିଜାବେଥ ଜାହାଜଦ୍ଵୟ ଭିତରେ ବଡ଼ ହେଲା କୁଇନ୍‌ ଏଲିଜାବେଥ୍‌ । ଏ ଦୁଇଟିଯାକ ଜାହାଜର ମାଲିକ ହେଲେ ଇଂଲଣ୍ଡର ବିଖ୍ୟାତ କୁନାଡ୍‌ ହ୍ଵାଇଟ୍‌ଷ୍ଟାର ଲାଇନ୍‌ କୋମ୍ପାନୀ । କୁଇନ୍‌ ଏଲିଜାବେଥ ଜାହାଜଟିର ଲମ୍ବ ହେଲା ୧୦୩୧ ଫୁଟ । ଏହା ସମୁଦ୍ରରେ ୮୫୦୦୦ ଟନ୍‌ ଓଜନର ଜଳକୁ ଅପସାରିତ କରିପାରୁଥିବାରୁ ଏହା ସେହି ଓଜନ ପାଖାପାଖି ପଦାର୍ଥବହନ କରିପାରେ । ଏହି ଜାହାଜକୁ ଚଳାଇବା ପାଇଁ ୧୫୮,୦୦୦ ଅଶ୍ଵଶକ୍ତିଯୁକ୍ତ ଇଞ୍ଜିନ ଲାଗିଛି । ଏହା ଘଣ୍ଟାକୁ ୨୮ ନଟ୍ ବେଗରେ ଯାଇପାରେ । ଏଥିରେ ଅଢ଼େଇ ହଜାର ଯାତ୍ରୀ ଓ ହଜାରରୁ ଊର୍ଦ୍ଧ୍ୱ ଜାହାଜ କର୍ମଚାରୀ ଯିବା ପାଇଁ ସୁବିଧା ରହିଛି । ଏହା ୧୯୩୬ ମସିହାଠାରୁ ଏକ ଯାତ୍ରୀବାହୀ ଜାହାଜ ଭାବରେ ଇଂଲଣ୍ଡର ସାଉଦମ୍ପଟନ୍ ଓ ଯୁକ୍ତରାଷ୍ଟ୍ରର ନିଉୟର୍କ ବନ୍ଦର ମଧ୍ୟରେ ଯା’ ଆସ କରୁଛି । ଦ୍ୱିତୀୟ ମହାସମରବେଳେ ଏହା ସୈନ୍ୟମାନଙ୍କୁ ବୋହିବା ଦିଗରେ ବ୍ୟବହୃତ ହେଉଥିଲା । ମାର୍କିନ ସୈନ୍ୟମାନଙ୍କୁ ଇଉରୋପରୁ ଆଣିବା ପାଇଁ ଏହା କୁଇନ୍‌ମେରୀ ସହିତ ବିଶେଷ ଭାବରେ ବ୍ୟବହୃତ ହୋଇଥିଲା । ଗତ ମହାସମରବେଳେ ଏହି ଜାହାଜ ଥର ଥରକେ ପନ୍ଦର ହଜାର ସୈନ୍ୟଙ୍କୁ ଆଟଲାଣ୍ଟିକର ଗୋଟିଏ ପାଖରୁ ଅନ୍ୟପାଖକୁ ନେଇପାରିଛି । ଯୁଦ୍ଧ ପରେ ୧୯୪୬ ମସିହାଠାରୁ ଏହା ପୁନର୍ବାର ଏକ ଯାତ୍ରୀବାହୀ ଜାହାଜ ଭାବରେ କାମ ଆରମ୍ଭ କରିଛି । ଷଷ୍ଠ ଜର୍ଜଙ୍କ ପତ୍ନୀ ଏଲିଜାବେଥ୍‌ଙ୍କ ନାମାନୁସାରେ ଏହା ନାମିତ ।

 

କୁଇନ୍‌ ଏଲିଜାବେଥ୍‌ ତଳକୁ ହେଉଛି କୁଇନ୍‌ମେରୀର ସ୍ଥାନ । ଏହା ପୃଥିବୀରେ ଦ୍ଵିତୀୟ ବୃହତ୍ତମ ଯାତ୍ରୀବାହୀ ଜଳଜାହାଜ । ଏହା ଆକାରରେ କୁଇନ୍‌ ଏଲିଜାବେଥ୍‌ଠାରୁ କିଞ୍ଚିତ୍‌ ଛୋଟ । ଏହାର ଲମ୍ବା ଏକ ହଜାର ଊଣେଇଶ ଫୁଟ, କୁଇନ୍‌ ଏଲିଜାବେଥଠାରୁ ମୋଟେ୧୨ ଫୁଟ କମ୍‌ । ଏହା ସମୁଦ୍ର ଭିତରେ ଏକାଅଶୀ ହଜାର ଦୁଇ ଶହ ପଇଁତିରିଶ ଟନ୍‌ ଜଳ ଅପସାରଣ କରିପାରେ । ଏହାକୁ ଚଳାଇବା ପାଇଁ ଯେଉଁ ଇଞ୍ଜିନ ବ୍ୟବହୃତ ହୁଏ, ସେହି ଇଞ୍ଜିନଟି ୧୫୮,୦୦୦ ଅଶ୍ଵଶକ୍ତିଯୁକ୍ତ । ଏହା ଘଣ୍ଟାକୁ ୨୯ ନଟ୍‌ ବେଗରେ ଯାଏ । ଏହି ଜାହାଜଟି ତିଆରି ହୋଇଥିଲା ୧୯୩୪ ମସିହାରେ । ଏହା ଏକ ଯାତ୍ରୀବାହୀ ଜାହାଜ ଭାବରେ ସର୍ବପ୍ରଥମ ୧୯୩୬ ମସିହାରେ ଇଂଲଣ୍ଡରୁ ନିଉୟର୍କ ଅଭିମୁଖେ ଯାତ୍ରା କରିଥିଲା । ଏହା ଏତେ ବଡ଼ଯେ ଏଥିରେ ଦୁଇ ହଜାରରୁ ଅଧିକ ଯାତ୍ରୀ ଓ ହଜାରକରୁ ଊର୍ଦ୍ଧ୍ଵ ଜାହାଜ କର୍ମଚାରୀ ଖୁବ୍‌ ସୁବିଧାରେ ଯାଇପାରନ୍ତି । ୧୯୩୬ ମସିହାରେ ଏହା ପୃଥିବୀର ଦ୍ରୁତତମ ଜାହାଜ ଭାବରେ ଖ୍ୟାତି ଲଭିଥିଲା । ଗତ ଦ୍ଵିତୀୟ ମହାସମର ବେଳେ ଏହି ଜାହାଜଟି ସୈନ୍ୟମାନଙ୍କୁ ନେବା ଆଣିବା ଦିଗରେ ବ୍ୟବହୃତ ହୋଇଥିଲା-। ଏହା ଯୁଦ୍ଧ ସମୟରେ ପ୍ରାୟ ଦଶ ଲକ୍ଷ ମାଇଲ ଭ୍ରମଣ କରି ୩୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିଥିଲା । ୧୯୪୨ ମସିହାରେ ଏଣ୍ଟିଏୟାର କ୍ରେଫ୍‌ଟ ଯୁଦ୍ଧଜାହାଜ କୁରାକୁଆ ସହିତ ଏହାର ଆଟଲାଣ୍ଟିକ ମହାସାଗରରେ ସଂଘର୍ଷ ହେବା ଫଳରେ କୁରାକୋଆ ଏହାର ବହୁ ଯାତ୍ରୀ ସହିତ ଧ୍ଵଂସପ୍ରାପ୍ତ ହୋଇଥିଲା । ୧୯୪୭ ମସିହାଠାରୁ ଏହା ପୁନର୍ବାର ଏକ ଯାତ୍ରୀବାହୀ ଜାହାଜ ଭାବରେ ଇଂଲଣ୍ଡର ସାଉଦମ୍ପଟନ୍ ଓ ନିଉୟର୍କ ଭିତରେ ଯା’ଆସ କରୁଛି । ଇଂଲଣ୍ଡର ତତ୍‌କାଳୀନ ମହାରାଣୀ ପଞ୍ଚମ ଜର୍ଜଙ୍କ ସ୍ତ୍ରୀ କୁଇନ୍‌ ମେରୀଙ୍କ ନାମାନୁସାରେ ଏହା ନାମିତ ।

 

ଏ ଦୁଇଟି ଜାହାଜକୁ ଛାଡ଼ି ଆହୁରି କେତୋଟି ବଡ଼ ବଡ଼ ଜାହାଜ ଏଇ ପଥରେ ଯାତାୟାତ କରେ । ସେସବୁ ମଧ୍ୟରେ ଜଳଜାହାଜ “ଫ୍ରାନ୍‌ସ” ଓ “ଇଉନାଇଟେଡ଼ ଷ୍ଟେଟ୍‌ସ” ପ୍ରସିଦ୍ଧ-। କୁଇନ୍‌ ଏଲିଜାବେଥ୍‌ ଓ କୁଇନ୍‌ ମେରୀ ତଳକୁ ଏ ଦୁଇଟିର ସ୍ଥାନ । ସେଗୁଡ଼ିକର ଭିତର ସାଜସଜ୍ଜା କୁଇନ୍‌ ଏଲିଜାବେଥ୍‌ ଓ କୁଇନ୍ ମେରୀ ଭଳି । ଏଇ ଚାରୋଟି ବଡ଼ ବଡ଼ ଜାହାଜକୁ ଛାଡ଼ି ଆହୁରି ବହୁ ଅପେକ୍ଷାକୃତ ଛୋଟ ଜାହାଜ ଅଛି । ସେସବୁ ଭିତରେ ମାରିଟାନିଆ, ଲିଓନର୍ଡ଼-ଡା-ଭିନ୍‌ସି ଆଦି ପ୍ରସିଦ୍ଧ । ଆଟଲାଣ୍ଟିକ ମହାସାଗର ଲାଇନ୍‌ ଭଳି ଇଂଲଣ୍ଡ ଓ ଭାରତ, ଅଷ୍ଟ୍ରେଲିଆ କିମ୍ବା ଯୁକ୍ତରାଷ୍ଟ୍ର ଓ ଅଷ୍ଟ୍ରେଲିଆ ବା ଜାପାନ ଭିତରେ ଏତେ ବଡ଼ ବଡ଼ ଯାତ୍ରୀବାହୀ ଜାହାଜ ଯାଆସ କରେ ନାହିଁ । ତେଣୁ ସୁଖସୁବିଧା ପୂର୍ଣ୍ଣ ସମୁଦ୍ରପୋତ ଓ ଯାତ୍ରାପାଇଁ ଏହି ଆଟଲାଣ୍ଟିକ ଲାଇନ୍‌ ପୃଥିବୀପ୍ରସିଦ୍ଧ ।

 

ଆମେରିକାରୁ ଭାରତ ଯିବାକୁ ହେଲେ ପ୍ରଥମେ ଆମେରିକାରୁ ୟୁରୋପ ଯିବା କଥା ଉପରେ କୁହାଯାଇଛି । ତତ୍ପରେ ୟୁରୋପରୁ ବମ୍ବେ କିମ୍ବା ଭାରତର ଅନ୍ୟ କୌଣସି ବନ୍ଦରକୁ ଯିବା କଥା । ୟୁରୋପରୁ ବମ୍ବେ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଅଭିମୁଖେ ବହୁ ଯାତ୍ରୀବାହୀ ଜାହାଜ ଯିବା-ଆସିବା କରେ । କିନ୍ତୁ ଏଇ ଜାହାଜଗୁଡ଼ିକ ଆଟଲାଣ୍ଟିକ ଲାଇନର ଜାହାଜ ତୁଳନାରେ ଅପେକ୍ଷାକୃତ ଛୋଟ । ଏଇସବୁ ଜାହାଜ ସାଧାରଣତଃ ଲଣ୍ଡନ, ମାସେ, ଜେନୋଆ, ନେପ୍‌ଲସ୍‌ ଆଦି ବନ୍ଦରରୁ ବାହାରି ସୁଏଜ କେନାଲ, ଲୋହିତ ସାଗର ଦେଇ ଏଡ଼େ ନ୍‌ବନ୍ଦର, ବମ୍ବେ, କୋଚିନ, କଲମ୍ବୋ ବନ୍ଦର ଦେଇ ଅଷ୍ଟ୍ରେଲିଆ ବା ସିଙ୍ଗାପୁର ମଧ୍ୟରେ ଯିବା-ଆସିବା କରେ ।

 

ଆମେରିକାନ ଏକସ୍‌ପ୍ରେସ କମ୍ପାନୀର ଆନୁକୁଲ୍ୟରେ ଆମର ଯାତ୍ରା ତାରିଖ ନିର୍ଦ୍ଦିଷ୍ଟ ହୋଇଗଲା ଓ ସେହି ଅନୁସାରେ ବିଭିନ୍ନ ଜାହାଜରେ ଆମ ସିଟ ମଧ୍ୟ ରିଜର୍ଭ ହେଲା । ଅଗଷ୍ଟ ମାସ ୮ ତାରିଖ ଦିନ ନିଉୟର୍କରୁ କୁଇନ ମେରୀ ଜାହାଜରେ ଯାଇ ବିଲାତର ସାଉଦାମ୍ପଟନ ବନ୍ଦରରେ ସେହି ମାସ ୧୩ ତାରିଖରେ ପହଞ୍ଚିବାର କଥା ହେଲା । ବିଲାତ ଓ ୟୁରୋପରେ ପ୍ରାୟ ୧୭ । ୧୮ ଦିନ ବୁଲାବୁଲି କରି ଲଣ୍ଡନ ବନ୍ଦରରୁ ‘ହିମାଳୟ’ ନାମକ ଜାହାଜରେ ସେପ୍‌ଟେମ୍ବର ପହିଲା ତାରିଖ ଦିନ ବସି ଜିବ୍ରାଲଟର, ସୁଏଜ, ଏଡ଼େନ ଆଦି ବନ୍ଦର ଦେଇ ସେପ୍‌ଟେମ୍ବର ମାସ ୧୪ ତାରିଖ ଦିନ ବମ୍ବେରେ ପହଞ୍ଚିବା କଥା ଠିକ୍‌ ହେଲା । ଆମ ଚାରି ଜଣଙ୍କ ପାଇଁ ଉଭୟ ଜାହାଜରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର କେବିନ ବନ୍ଦୋବସ୍ତ କରାଗଲା । କେବିନ୍‌ଟି ଭିତରେ ଆମ ପରିବାର ଛଡ଼ା ଅନ୍ୟମାନେ କେହି ରହିପାହିବେ ନାହିଁ । ପରିବାର ସହ ଭ୍ରମଣ କଲେ ସେହି ଗୋଟିଏ ସୁବିଧା । ଏକା ଏକା ଭ୍ରମଣ କରିଥିଲେ ଅନ୍ୟମାନଙ୍କ ସହ ମିଶିକରି କେବିନରେ ରହିବା କଥା । ଆମ ପରିବାର ପାଇଁ ସ୍ୱତନ୍ତ୍ର କେବିନ ଥିବାରୁ ଚଳିବାରେ ବହୁ ସୁବିଧା ହେବାର ଆଶା ଥାଏ ।

 

ଆମେରିକାରୁ ବମ୍ବେ ପର୍ଯ୍ୟନ୍ତ ଯିବା କଥାଟା ସ୍ଥିର ହୋଇଯିବା ପରେ ଆମେ ଆମ ଯିବା ପାଇଁ ଯୋଗାଡ଼ କରିବାରେ ଲାଗିପଡ଼ିଲୁ । ଦୁଇ ବର୍ଷରୁ କିଛି ଅଧିକ କାଳ ଆମେରିକାରେ ରହିଯିବା ଫଳରେ ଆମର ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ସେଗୁଡ଼ିକୁ ସଙ୍ଗରେ କେମିତି ନେଇ ଦେଶକୁ ଫେରିଆସିବୁଁ, ସେଇ ଥାଏ ଆମର ପ୍ରଧାନ ଚିନ୍ତା । ସ୍ତ୍ରୀଙ୍କର ନାନାଦି ଘରକରଣା ଜିନିଷ, ପିଲାମାନଙ୍କର ବହୁ ଖେଳନା ଓ ପୋଷାକପତ୍ର, ମୋର ନାନାଦି ଯନ୍ତ୍ରପାତି ମିଶି ଏତେ ହୋଇଯାଇଥାଏ ଯେ ସବୁଗୁଡ଼ାକ ଜିନିଷ ନେଇ ଆମେ ଭାରତ ଆସି ପାରିବୁଁ କି କଅଣ ଆମର ସନ୍ଦେହ ଥାଏ । ଜିନିଷଗୁଡ଼ିକ ସହିତ ଆମ୍ଭମାନଙ୍କର ସମ୍ପର୍କ ଏତେ ବଢ଼ି ଯାଇଥାଏ ଯେ କୌଣସି ଗୋଟିକୁ ଛାଡ଼ିବାକୁ କାହାରି ଇଚ୍ଛା ନ ଥାଏ । ତେଣୁ ବାଧ୍ୟହୋଇ ସବୁଗୁଡିକୁ ଆଣିବା ପାଇଁ ଠିକ୍‌କଲୁ । ପାଣିଜାହାଜରେ ଆସିଲେ ମଧ୍ୟ ଆମର ସମସ୍ତ ଜିନିଷକୁ ସଙ୍ଗରେ ଆଣିବା ଅସମ୍ଭବ । ଆମେ ବାଟରେ ଇଉରୋପ ଭ୍ରମଣ କରିବା ଠିକ୍‌ କରିଥିବାରୁ ସଙ୍ଗରେ ଏତେଗୁଡ଼ାଏ ଜିନିଷ ନେଲେ ବୁଲାବୁଲିରେ ଅସୁବିଧା ହେବ ବୋଲି ସେଗୁଡ଼ିକୁ ଅଲଗା ଅନ୍ୟ ଜାହାଜରେ ପଠାଇବାର ବନ୍ଦୋବସ୍ତ କରିବା ଠିକ୍‌କଲୁଁ । କେବଳ କେତେକ ଆବଶ୍ୟକୀୟ ପୋଷାକପତ୍ର କ୍ୟାମେରା, ସିନେମା କ୍ୟାମେରା ଆଦି ଛଡ଼ା ଅନ୍ୟ ସବୁ ଜିନିଷକୁ ଅନ୍ୟତ୍ର ପଠାଇବା ପାଇଁ ଯୋଗାଡ଼ କଲୁଁ । ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଜିନିଷପାତି ବାକ୍‌ସ ଭିତରେ ପ୍ୟାକ୍‌କରି ପାଣିଜାହାଜରେ ପଠାଇଦେବା ପାଇଁ ବିଭିନ୍ନ କମ୍ପାନୀ ଆମେରିକାରେ ଅଛନ୍ତି । ସେହିସବୁ କମ୍ପାନୀ ଭିତରୁ ଗୋଟିଏ ବାଛି ସେମାନଙ୍କ ସାହାଯ୍ୟରେ ଜିନିଷପତ୍ର ଆଦିକୁ ପ୍ୟାକ୍‌କରି ପଠାଇବା ଦରକାର । ବହୁ ବନ୍ଧୁ ଓ ସାଙ୍ଗ ସାଥୀଙ୍କୁ ପଚାରି ଆମ ଘରଠାରୁ ସାତ ଆଠ ମାଇଲ ଦୂର କେମ୍ବ୍ରିଜ ସହରସ୍ଥ (ହାର୍‌ଭାର୍ଡ ବିଶ୍ୱବିଦ୍ୟାଳୟ ନିକଟବର୍ତ୍ତୀ) ଗୋଟିଏ କମ୍ପାନୀକୁ ଠିକ୍‌କଲୁଁ । ଫୋନ କରିଦେବା ମାତ୍ରକେ ସେମାନେ ଆସି ଆମ ଘରେ ପହଞ୍ଚିଗଲେ । ଆମ ଜିନିଷପାତି ଦେଖି ସଙ୍ଗେ ସଙ୍ଗେ ରାଜି ହୋଇଗଲେ ସେଗୁଡ଼ିକୁ ପ୍ୟାକ୍‌କରି ଭାରତ ପଠାଇବାର ଦାୟିତ୍ୱ ବହନ କରିବେ ବୋଲି । ଜିନିଷପତ୍ରଗୁଡ଼ିକରୁ ଅଧିକାଂଶ ଆମ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ହୋଇଥିବାରୁ ଆମେ ଆମେରିକା ଛାଡ଼ିବା ସାତ ଆଠଦିନ ପୂର୍ବରୁ ସେମାନେ ଆସି ଜିନିଷପାତି ଆମ ଘରୁ ନେଇଯିବେ ବୋଲି କହିଦେଇ ଗଲେ । ଆମେ ଅଗଷ୍ଟ ମାସ ୮ ତାରିଖରେ ଆମେରିକା ଛାଡ଼ୁଥିବାରୁ ସେମାନେ ଜୁଲାଇ ମାସ ଶେଷ ସପ୍ତାହ ବେଳକୁ ଜିନିଷପତ୍ର ପଠାଇବାର ବନ୍ଦୋବସ୍ତ କରିବେ ବୋଲି ଜଣାଇ ଦେଇ ଚାଲିଗଲେ । ଯାହାହେଉ, ଜିନିଷପତ୍ର ପଠାଇ ବାର ଏକ ବଡ଼ ଚିନ୍ତା ଆମର ଦୂର ହେଲା ।

Image

 

(ଦୁଇ)

Unknown

ନାଏଗ୍ରା ଜଳପ୍ରପାତ ଓ ଚିକାଗୋ ପରିଦର୍ଶନ

 

ଜାହାଜରେ ସିଟ୍‌ ରିଜର୍ଭ ହୋଇଯିବା ପରେ ପରେ ଆମେ ଆମେରିକାରେ ବାକିଥିବା ଦର୍ଶନୀୟ ସ୍ଥାନଗୁଡ଼ିକ ଦେଖିବା ପ୍ରୋଗ୍ରାମ ତିଆରିରେ ଲାଗିପଡ଼ିଲୁ । ଆମେରିକାରେ ଇତିମଧ୍ୟରେ ଆମେ ବହୁତ ସ୍ଥାନ ବୁଲି ସାରିଲୁଣି । ନାଏଗ୍ରା ଜଳପ୍ରପାତର ପ୍ରସିଦ୍ଧି ଆମକୁ ଏତେ ଆକୃଷ୍ଟ କରିଥାଏ ଯେ ଏହି ଦର୍ଶନୀୟ ସ୍ଥାନଟିକୁ ଆମେ ସବା ଶେଷରେ ଦେଖିବା ପାଇଁ ରଖିଥାଉଁ । ସେଥି ସହିତ ସୁପ୍ରସିଦ୍ଧ ଚିକାଗୋ ସହର, ଯୁକ୍ତରାଷ୍ଟ୍ରର ଇସ୍ପାତ ନଗରୀ ପିଟ୍‌ସବର୍ଗ ସହର ଦେଖାଏହି ନାଏଗ୍ରା ଜଳପ୍ରପାତର ପ୍ରୋଗ୍ରାମ ସହିତ ସାମିଲ କରି ଦେଇଥାଉଁ । ଏଣୁ ଠିକ୍‌କଲୁଁ, ଥରେ ଘରୁ ବାହାରି ନାଏଗ୍ରା ଜଳପ୍ରପାତ, ବଫେଲୋ ସହର, କ୍ଲିଭଲେଣ୍ଡ, ଚିକାଗୋ, ପିଟ୍‌ସବର୍ଗ ଆଦି ସହର ଦେଖି ନିଉୟର୍କ ଦେଇ ଆମ ବାସସ୍ଥାନକୁ ଫେରି ଆସିବୁଁ । କିନ୍ତୁ କେବେ ଏହି ପ୍ରୋଗ୍ରାମଟା କାର୍ଯ୍ୟକାରୀ କରିବୁଁ, ସେହି ତାରିଖ ଠିକ୍‌ କରିବା ହେଲା ବଡ଼ କଥା । ଚିକାଗୋ ବୋଷ୍ଟନଠାରୁ ପ୍ରାୟ ହଜାରେ ମାଇଲ ଦୂର । ଏହି ବିଭିନ୍ନ ସହର ପରିଦର୍ଶନ କରି ଆମ ବାସସ୍ଥାନକୁ ଫେରିଆସିଲା ବେଳକୁ ଆମକୁ ଅନ୍ୟୂନ୍ୟ ତିନି ହଜାର ମାଇଲରୁ କମ୍‌ ଭ୍ରମଣ କରିବାକୁ ପଡ଼ିବନି ଓ ସେଥିପାଇଁ ଦଶ ବାର ଦିନରୁ କମ୍ ସମୟ ଲାଗିବ ନାହିଁ । ତା ଛଡ଼ା ଏତେଗୁଡ଼ାଏ ସ୍ଥାନ ଭ୍ରମଣ ପାଇଁ ନିଜ କାର୍‌ ନେଇ ଗଲେ ନିଜେ କାର୍‌ ଚଳାଇ ଚଳାଇ ଏତେ ହାଲିଆ ହୋଇପଡ଼ିବ ଯେ ସ୍ଥାନ ଦେଖିବାରେ ସ୍ପୃହା ରହିବ ନାହିଁ । ଯେହେତୁ ସ୍ଥାନ ବୁଲିବା ଓ ଦେଖିବା ଆମର ପ୍ରଧାନ ଉଦ୍ଦେଶ୍ୟ, ତେଣୁ ନିଜେ କାର୍‌ ଚଳାଇ ଯିବାକୁ ଆମେ ପସନ୍ଦ କଲୁନି । ତା’ ଛଡ଼ା ସେକେଣ୍ଡହାଣ୍ଡ ଗାଡ଼ିରେ ଏତେ ଦୂର ସ୍ଥାନ ଛୁଆପିଲା ନେଇ ଯିବା ବିଶେଷ ନିରାପଦ ନୁହେଁ ଭାବି ନିଜ କାର୍‌ ନେବା ଆଶାଟାକୁ ପରିତ୍ୟାଗ କଲୁଁ । ତେବେ ଠିକ୍‌ ହେଲା ବସ୍‌ରେ ବୁଲି ବୁଲି ସ୍ଥାନଗୁଡ଼ିକ ଦେଖିବା ଓ ଉପଭୋଗ କରିବା । ଅବଶ୍ୟ ସେଥିପାଇଁ ଅନେକ ବ୍ୟୟ କରିବାକୁ ପଡ଼ିବ । ନିଜ କାର୍‌ରେ ଯାଇଥିଲେ ଅନେକ କମ୍‌ ଖର୍ଚ୍ଚ ପଡ଼ିଥାନ୍ତା । ନାନା ଦିଗରୁ ଭାବି ଆଲୋଚନା କରି ବସ୍‌ରେ ଯିବା ଆମ ପକ୍ଷରେ ଭଲ ହେବ ବୋଲି ଠିକ୍‌କଲୁଁ ।

 

ଆମେରିକାରେ ବସ୍‌କମ୍ପାନୀ ବଡ଼ ବିଚିତ୍ର । ଯେଉଁ ବସ୍‌ କମ୍ପାନୀଗୁଡ଼ିକର ବସ୍‌ ଦେଶସାରା ଯିବା-ଆସିବା କରେ, ସେମାନଙ୍କ ବିରାଟତା ଦେଖିଲେ ସ୍ତବଧ୍‌ନ ହୋଇ ରହି ହେବନି-। ଯୁକ୍ତରାଷ୍ଟ୍ର ଆମେରିକା ଆକାରରେ ଆମ ଦେଶଠାରୁ ଢେର୍‌ଗୁଣ ବଡ଼ । ପୂର୍ବ-ପଶ୍ଚିମର ଲମ୍ବ ତିନିହଜାର ମାଇଲରୁ ଅଧିକ, ଉତ୍ତର-ଦକ୍ଷିଣ ପନ୍ଦର ଶହ ମାଇଲରୁ କମ୍‌ ନୁହେଁ । ଏଡ଼େ ବଡ଼ ଦେଶରେ ଶହ ଶହ ବଡ଼ ବଡ଼ ନଗର ନଗରୀ ରହିଛି । ଗୋଟିଏ ଗୋଟିଏ ବସ୍‌ କମ୍ପାନୀର ବସ୍‌ ଯୁକ୍ତରାଷ୍ଟର ପ୍ରତ୍ୟେକ ଛୋଟବଡ଼ ନଗର ନଗରୀକୁ ଯାତାୟାତ କରେ, ପୁଣି ପ୍ରତିଦିନ ଏକାଧିକ ଥର । ଏମିତି ବଡ଼ ବଡ଼ କମ୍ପାନୀ ଭିତରୁ ଆମେ ଦୁଇଟି ସହିତ ବେଶ୍‌ ପରିଚିତ । ଗୋଟିଏ ହେଉଛି ଗ୍ରେ-ହାଉଣ୍ଡ ବସ୍‌ କମ୍ପାନୀ ଓ ଅନ୍ୟଟି ଟ୍ରେଲ୍‌ୱେଜ୍ ବସ୍ କମ୍ପାନୀ । ଏ ଦୁଇଟା ଛଡ଼ା ଅନ୍ୟାନ୍ୟ ବହୁ କମ୍ପାନୀ ଆମେରିକାରେ ଅଛି । ସବୁ କମ୍ପାନୀ ଭିତରେ ଗ୍ରେ-ହାଉଣ୍ଡ ବସ୍‌ କମ୍ପାନୀ ବଡ଼ । ଏହା ମଧ୍ୟ ପୃଥିବୀର ବୃହତ୍ତମ ବସ୍ କମ୍ପାନୀ । ଏହି କମ୍ପାନୀର ବସ୍‌ଗୁଡ଼ିକ ଦିନକୁ ସର୍ବମୋଟ ଦଶ ଲକ୍ଷ ମାଇଲରୁ ଅଧିକ ରାସ୍ତା ଅତିକ୍ରମ କରେ । ଏହି ଗୋଟିଏ କମ୍ପାନୀ ଅଧୀନରେ କେତେ ହଜାର ବସ୍‌ ଯେ ଅଛି, ତା କଳନା କରିବା କାଠିକର ପାଠ । ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ କାନାଡ଼ା, ମେକ୍‌ସିକୋ ଆଦି ଦେଶକୁ ମଧ୍ୟ ଏହି କମ୍ପାନୀର ବସ୍‌ ଯାତାୟାତ କରେ । ପୁଣି ବିଭିନ୍ନ ସହରକୁ ଏହି କମ୍ପାନୀର ବସ୍‌ ଦିନକୁ ଏକାଧିକ ଥର ଯିବା-ଆସିବା କରେ । ଯେତେ ଦୂର ସ୍ଥାନ ହେଲେ ବି ଏହି କମ୍ପାନୀ ସେହି ନିୟମରୁ କେବେ ବିଚ୍ୟୁତ ହୁଏନି । ଗୋଟିଏ ଉଦାହରଣ ଦେଲେ ଏହା ସୁସ୍ପଷ୍ଟ ହେବ । ବୋଷ୍ଟନରୁ ଲସ୍‌ ଏଞ୍ଜେଲ୍‌ସ ତିନି ହଜାର ମାଇଲରୁ ଅଧିକ ଦୂର । ଲସ୍‌ ଏଞ୍ଜେଲ୍‌ସରେ ପହଞ୍ଚିବାକୁ ତିନି ଦିନରୁ କମ୍‌ ସମୟ ଲାଗେ ନାହିଁ । ଏହା ସତ୍ତ୍ୱେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାବେଳେ ଦୁଇଟି ବସ୍‌ ବୋଷ୍ଟ୍‌ନରୁ ଲସ୍‌ ଏଞ୍ଜେଲସ୍‌ ଅଭିମୁଖେ ଯାତାୟାତ କରେ । ଲସ ଏଞ୍ଜେଲସ୍‌ରୁ ସେହିଭଳି ଦୁଇଟି ବସ୍‌ ପ୍ରତିଦିନ ବୋଷ୍ଟନ ଅଭିମୁଖେ ରମାନା ହୁଏ । ବୋଷ୍ଟନ୍‌ରୁ ବାହାରି ଲସ୍‌ ଏଞ୍ଜେଲସ୍‌ ପହଞ୍ଚିବା ଭିତରେ ବୋଷ୍ଟନ୍‌ରୁ ଅନ୍ୟୂନ ଆଠଗୋଟି ବସ୍‌ ଲସ୍‌ ଏଞ୍ଜେଲ୍‌ସ ଅଭିମୁଖେ ବାହାରି ଯାଇଥିବ । ସେହିଭଳି ଲସ୍‌ ଏଞ୍ଜେଲସ୍‌ରୁ ବୋଷ୍ଟନ ଅଭିମୁଖେ ଅନ୍ୟୂନ ଆଠଗୋଟି ବସ୍‌ ବାହାରି ସାରିଥିବ । ଗୋଟିଏ କମ୍ପାନୀ ଯଦି ଗୋଟିଏ ସହର ପାଇଁ ଅନ୍ୟୂନ ଷୋଳଗୋଟି ବସ୍‌ ରଖିଥିବ, ତେବେ ଆମେରିକାର ହଜାର ହଜାର ଛୋଟ ବଡ଼ ସହର ପାଇଁ ସେହି କମ୍ପାନୀଟି କେତେ ବସ୍‌ ଯେ ଚଳାଇଥିବ, ନ କହିଲେହେଁ ସମସ୍ତେ ଧାରଣା କରି ପାରୁଥିବେ-

 

ପୁନଶ୍ଚ ବସ୍‌ଗୁଡ଼ିକ ଆମ ଦେଶ ବସ୍‌ଭଳି ଛୋଟ ନୁହେଁ । ଗ୍ରେ-ହାଉଣ୍ଡ କମ୍ପାନୀର ‘‘ସିନିକ୍‌ କ୍ରୁଇଜାର’’ ବସ୍‌ ପୃଥିବୀପ୍ରସିଦ୍ଧ । ଏମିତି ଆରାମଦାୟକ ବସ୍‌ ପୃଥିବୀର ଅନ୍ୟ କୌଣସି ଦେଶରେ ପାଇବା କଷ୍ଟକର । ବସ୍‌ଗୁଡ଼ାକ ଅତି ପ୍ରକାଣ୍ଡ, ସିଟ୍‌ଗୁଡ଼ିକ ବେଶ୍‌ ଛଡ଼ା ଛଡ଼ା ଓ ବଡ଼ । ଚାଖଣ୍ଡେ ମୋଟ ରବର ଗଦି ପଡ଼ିଛି, ଘଣ୍ଟା ଘଣ୍ଟା ଧରି ବସିଲେ ମଧ୍ୟ ଟିକିଏ ବି କଷ୍ଟ ଲାଗିବନି । ବସ୍‌ଗୁଡ଼ିକ ଏଡ଼େ ବିରାଟ ଯେ ଦୁଇ ଦୁଇଟି ଇଞ୍ଜିନ୍‌ ସାହାଯ୍ୟରେ ଚଳେ । ଗୋଟିଏ ଇଞ୍ଜିନ୍‌ବସ୍‌ର ଆଗ ପାଖରେ ତ ଆଉ ଗୋଟିଏ ପଛ ପାଖରେ ଥାଏ । ବସ୍‌ଗୁଡ଼ିକ ସାଧାରଣତଃ ଡିଜେଲ ଚାଳିତ-। ବସ୍‌ ଭିତର ପୂରାପୂରି ବାୟୁତାପ ନିୟନ୍ତ୍ରିତ (Air Conditioned) । ଗ୍ରୀଷ୍ମଦିନେ ବେଶ୍ ଥଣ୍ଡା, ଶୀତଦିନେ ବେଶ୍‌ଉଷୁମ । ଝାଡା, ପରିସ୍ରା ଫେରିବା ପାଇଁ ବସ୍ ଭିତରେ ବାଥରୁମ୍‌ବା ପାଇଖାନା ଅଛି । ଆମେରିକାର ଏହି ବସ୍‌ରେ ଚଢ଼ିବା ପୂର୍ବରୁ ବସ୍ ଭିତରେ ପାଇଖାନା ଥାଇପାରେ ବୋଲି ଆମର କାହାରି ଧାରଣା ନ ଥିଲା । ଏମିତି କି ବସ୍‌ ଭିତରେ ଯେ ପାଇଖାନା କରାଯାଇ ପାରିବ, ସେ ଧାରଣା ବି ଆମର ନ ଥିଲା । ବସ୍‌ଗୁଡ଼ିକର ସିଟ୍‌ ଖୁବ୍‌ ଉଚ୍ଚରେ-। ବସ୍‌ର ପାଖଗୁଡ଼ିକରେ ଈଷତ୍‌ ନୀଳ-ସବୁଜ ରଙ୍ଗର ବିରାଟ ବିରାଟ କାଚ ଦିଆଯାଇ ଏମିତି ସୁନ୍ଦର କରାଯାଇଛି ଯେ ଗାଡ଼ି ଭିତରେ ବସି ବାହାରକୁ ଅନାଇଲେ ବାହାରର ଦୃଶ୍ୟ ଅତୀବ ସୁନ୍ଦର ଦିଶେ-। ବିଶେଷତଃ ଗ୍ରେ-ହାଉଣ୍ଡ କମ୍ପାନୀର ସିନିକ୍‌କ୍ରୁ-ଇଜର ଏଥିପାଇଁ ଜଗତ୍‌ ବିଖ୍ୟାତ । ଏହି ସିନିକ୍‌କ୍ରୁ-ଇଜର ଭିତରୁ କେତେକର ଛାତର କିଛି ଅଂଶରେ ବି ମେଘୁଆ କାଚ ଲାଗିଛି । ଏ ବସରେ ଗଲେ ଖାଲି ଚାରିଆଡ଼ର ଦୃଶ୍ୟ ଯେ ଦେଖିହେବ ତା ନୁହେଁ, ଉପର ଆକାଶର ଦୃଶ୍ୟ ବି ଉପଭୋଗ କରିହେବ । ବସ୍‌ ଭିତର ସିଟ୍‌ଗୁଡ଼ିକ ବ୍ୟବସ୍ଥା ମଧ୍ୟ ଅତି ଉଚ୍ଚକୋଟୀର । ଉଡ଼ାଜାହାଜ ର ସିଟ୍‌ରେ ବସି ଗଲେ ଯେମିତି ଆରାମ ଲାଗେ, ଏ ସେମିତି । ପୁଣି ଉଡ଼ାଜାହାଜ ସିଟ୍‌ ଭଳି ଯଦି ଆଉଜିଯିବ, ତେବେ ସିଟ୍‌ ଲମ୍ବିଯିବ । ଏହି ସିଟ୍‌ଗୁଡ଼ିକ ଏମିତି ଯେ ଏହା ଚାରୋଟି ଅବସ୍ଥାନରେ ରହିପାରେ-। ଯା’ର ଯେଉଁ ଅବସ୍ଥାନରେ ବସିବାକୁ ଇଚ୍ଛା ହେବ, ସେ ସେଭଳି ଅବସ୍ଥାନରେ ବସିପାରିବ । ସିନିକ୍‌ କ୍ରୁଇଜ୍‍ର ଇଜର ଭିତର ଏଡ଼େ ଆରାମ୍‌ଦାୟକ ଯେ ନିଜ କାର୍‌ରେ ଗଲେ ବି ଏତେ ଆରାମରେ ଯାଇ ହେବନି କି ଚତୁଃପାର୍ଶ୍ୱସ୍ଥ ଦୃଶ୍ୟ ଏମିତି ଭାବରେ ଉପଭୋଗ କରି ହେବନି-। ଗ୍ରେ-ହାଉଣ୍ଡ ବସ୍‌ଭଳି ଟ୍ରେଲ୍‌ୱେଜ ବସ୍‌ଗୁଡ଼ିକ ମଧ୍ୟ ଖୁବ୍‌ ଉନ୍ନତ ଓ ଏ କମ୍ପାନୀଟି ମଧ୍ୟ ଖୁବ୍‌ ବିରାଟ ।

 

ଆମେରିକାର ବସ୍‌ଗୁଡ଼ିକରେ ଯେମିତି ବିଶେଷତ୍ଵ ଅଛି, ବସ୍‌ ଷ୍ଟେସନ୍‍ଗୁଡ଼ିକର ବିଶେଷତ୍ଵ କିଛି କମ୍‌ ନୁହେଁ । ପ୍ରତ୍ୟେକ କମ୍ପାନୀର ବିଭିନ୍ନ ସହରରେ ଅଲଗା ଅଲଗା ବସ୍‌ ଷ୍ଟେସନ୍‍-। ବସ୍‌ ଷ୍ଟେସନ୍‍ଗୁଡ଼ିକୁ ସଂପୃକ୍ତ କମ୍ପାନୀମାନେ ତିଆରି କରିଥାନ୍ତି । ଗୋଟିଏ ଗୋଟିଏ ବସ୍‌ ଷ୍ଟେସନ୍‍ ଏଡ଼େ ବିରାଟ ଯେ ନ ଦେଖିଲେ ସହଜରେ ଧାରଣା କରି ହେବନାହିଁ । ଚିକାକୋ,ଫିଲାଡେନ୍‌ଫିଆ ଆଦି ବଡ଼ ବଡ଼ ସହରର ଗ୍ରେ-ହାଉଣ୍ଡ କମ୍ପାନୀର ବସ୍‌ ଷ୍ଟେସନ୍‍ ଭୂଇଁ ଉପରେ ନ ହୋଇ ଭୂଇଁ ତଳେ ତିଆରି ହୋଇଛି । ବଡ଼ ଅଦ୍ଭୁତ ବସ୍‌ ଷ୍ଟେସନ୍‍ । ବସ୍ ଏହି ସହରକୁ ଆସିବା ପୂର୍ବରୁ ଭୂଇଁ ଉପରେ ଆସୁଥିବ । ସହର ଭିତରେ କିଛି ଦୂର ଗଲାପରେ ବସ୍‌ ଷ୍ଟେସନ୍‍ ପଡ଼ିବ । ଭୂଇଁତଳେ କି ବିରାଟ ବସ୍‌ ଷ୍ଟେସନ୍‍ । ଶତ ଶତ ପ୍ରତିପ୍ରଭ ବିଦ୍ୟୁତ୍‌ବତୀ ଦ୍ଵାରା ଚାରିଆଡ଼ ଉଦ୍ଭାସିତ, ଭୂମି ତଳର ଅନ୍ଧକାର ଉଭେଇଯାଇ କେଉଁଆଡ଼େ ରହିଛି ଜାଣି ହେବନି । ଦିନ ରାତି ଚବିଶ ଘଣ୍ଟା ଏଠି ବତୀ ଜଳୁଛି । ବତୀ ନ ଥିଲେ ଦୁମୁଦୁମିଆ ଦିନବେଳେ ମଧ୍ୟ ଅନ୍ଧକାର ରାତିର ଘନ ଅନ୍ଧାର ଏଠାରେ ବିରାଜୁଥାଆନ୍ତା । ଭୂଇଁତଳ ଷ୍ଟେସନରୁ ଉପରକୁ ଆସିବା ପାଇଁ ଲିଫ୍‌ଟ ଓ ଗତିଶୀଳ ପାହାଚର ବନ୍ଦୋବସ୍ତ । ସ୍ଥାନେ ସ୍ଥାନେ ଲିଫ୍‌ଟ ଲାଗିଛି, କିନ୍ତୁ ବହୁସ୍ଥାନରେ ଗତିଶୀଳ ପାହାଚ । ବଡ଼ ସୁନ୍ଦର ସେ ଗତିଶୀଳ ପାହାଚ । ତଳୁ ଉପରକୁ ଯିବାପାଇଁ ଓ ଉପରୁ ତଳକୁ ଆସିବା ପାଇଁ ଅଲଗା ଅଲଗା ପାହାଚ । ଦୁଇଟିଯାକ ବିପରୀତ ଦିଗକୁ ଗତି କରୁଛନ୍ତି । ଯା’ର ଯେଉଁଆଡ଼କୁ ଯିବା କଥା, ସେହି ପାହାଚରେ ଗୋଡ଼ ଦେଲାକ୍ଷଣି ଅଳ୍ପ ସମୟ ମଧ୍ୟରେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିଯିବ । ବସ୍‌ ଷ୍ଟେସନ୍‍ମାନଙ୍କରେ ରେଷ୍ଟୁରାଣ୍ଟ, ଦୋକାନ ପତ୍ର ଭର୍‌ତି । ତା ଛଡ଼ା ଲୋକଙ୍କୁ ନାନା ପ୍ରକାର ପାନୀୟ, ଖାଦ୍ୟ, ଜଳଖିଆ ଆଦି ବିକିବା ପାଇଁ ଅଟୋମେଟିକ ଯନ୍ତ୍ରମାନ ବସିଛି । ବସ୍‌ ଷ୍ଟେସନ୍‍ଗୁଡ଼ିକ ବିରାଟ ବିରାଟ ହେଲେ ହେଁ ପୂରାପୂରି ଶୀତତାପ ନିୟନ୍ତ୍ରିତ । ଆମ ଦେଶର ବସ୍‌ ଷ୍ଟେସନ୍‍କୁ ତୁଳନା କଲେ ଆକାଶ ପାତାଳ ପ୍ରଭେଦ ।

 

ଗ୍ରେ-ହାଉଣ୍ଡ ବସ୍‌ କମ୍ପାନୀର ଯେମିତି ବସ୍‌ଷ୍ଟାଣ୍ଡ ରହିଛି, ସେମିତି ଟ୍ରେଲ୍‌ୱେଜ୍‌ ଆଦି ବସ୍‌ କମ୍ପାନୀର ମଧ୍ୟ ନିଜ ନିଜ ଷ୍ଟାଣ୍ଡମାନ ରହିଛି । ଯେଉଁ କମ୍ପାନୀର ବସ୍, ସେହି କମ୍ପାନୀର ବସ୍‌ଷ୍ଟାଣ୍ଡରେ ରହିବ । କିନ୍ତୁ ନିଉୟର୍କରେ ଏହି ବ୍ୟବସ୍ଥା ଅଲଗା । ନିଉୟର୍କରେ ସବୁ କମ୍ପାନୀର ବସ୍‌ ରହିବା ପାଇଁ ବିରାଟ ବସ୍‌ ଷ୍ଟେସନ୍‍ଟିଏ ଅଛି । ଏହି ବସ୍‌ ଷ୍ଟେସନ୍‍ଟିର ମାଲିକ କୌଣସି ଗୋଟିଏ ବସ୍‌ କମ୍ପାନୀ ନୁହେଁ, ଏହାର ମାଲିକ ହେଉଛି ‘‘ନିଉୟର୍କ ପୋର୍ଟ ଅଥରଟି’’ । ଏହି ବସ୍‌ ଷ୍ଟେସନ୍‍ଟି ପୃଥିବୀର ବୃହତ୍ତମ ବସ୍‌ ଷ୍ଟେସନ୍‍ । ଏହା ଭୂମି ଉପରକୁ ସାତ ଆଠ ତାଲା ତ ଭୂମି ତଳକୁ ତିନିତାଲା ଲମ୍ବ ଓସାରରେ ଏଡ଼େ ବିରାଟ ଯେ ଦେଖିଲେ ତାଟଙ୍ଗା ନ ହୋଇ ରହି ହେବନି-। ଏହାର ବିଭିନ୍ନ ତାଲାରେ ବିଭିନ୍ନ କମ୍ପାନୀର ଅଫିସ ଓ ବସ୍‌ଷ୍ଟାଣ୍ଡ ଅଛି । କେତେ କମ୍ପାନୀର ବସ୍‌ଷ୍ଟାଣ୍ଡ ଭୂମି ତଳେ ତ, କେତେ କମ୍ପାନୀର ବସ୍‌ଷ୍ଟାଣ୍ଡ ସାତ ଆଠ ମହଲା ଉପରେ । ସାତ ଆଠ ମହଲା ଉପରେ ବସ୍‌ଗୁଡ଼ିକ ରହିଛି । ଯାତ୍ରୀମାନେ ଲିଫ୍‌ଟରେ ବା ଗତିଶୀଳ ପାହାଚ ଦେଇ ବସ୍‌ଠାକୁ ଯାଉଛନ୍ତି । ସେଠାରେ ବସି ନିଜ ଗନ୍ତବ୍ୟ ସ୍ଥାନକୁ ଯିବେ । ଏହି ସାତ ଆଠ ତାଲା ଉଚ୍ଚା ବସ୍‌ଷ୍ଟାଣ୍ଡରୁ ବସ୍‌ ବାହାରି ଏକ ସ୍ପାଇରେଲ୍‌ ରାସ୍ତା ଦେଇ ତଳକୁ ଆସୁଛି ଓ ସେଠାରୁ ଅନ୍ୟତ୍ର ଯାଉଛି । ସାତ ଆଠ ତାଲା ଉଚ୍ଚା ବସ୍‌ଷ୍ଟାଣ୍ଡରୁ ବସ୍‌ ସେହି ସର୍ପିଳ ରାସ୍ତା ଦେଇ ତଳକୁ ଆସିଲାବେଳେ ବଡ଼ ସୁନ୍ଦର ଦିଶେ । ଏହି ବସ୍‌ଷ୍ଟାଣ୍ଡର ଆଉ ଏକ ବିଶେଷତ୍ଵ ହେଉଛି ଯେ ଏଥିରୁ ପ୍ରତି ମିନିଟରେ ଏକାଧିକ ମଟର ଗାଡ଼ି କୌଣସି ନା କୌଣସି ସ୍ଥାନକୁ ରମାନା ହେଉଛି ବା ଆସି ଏଠାରେ ପହଞ୍ଚୁଛି । ଏହି ବସ୍‌ ଷ୍ଟେସନ୍‍ଟି ନିଉୟର୍କର ସୁପ୍ରସିଦ୍ଧ ଅଷ୍ଟମ ଏଭିନିଉରେ, ଲିଙ୍କନ ସୁଡ଼ଙ୍ଗକୁ ଲାଗି ଗଢ଼ି ଉଠିଛି । ନିଉୟର୍କର ସୁପ୍ରସିଦ୍ଧ ଟାଇମ୍‌ସ୍କୋୟାରଠାରୁ ବେଶି ଦୂର ନୁହେଁ-। ବସ୍‌ ଷ୍ଟେସନ୍‍ଟି ଏଡ଼େ ବିରାଟ ହେଲେ କ’ଣ ହେବ, ପୂରାପୂରି ବାୟୁତାପ ନିୟନ୍ତ୍ରିତ । ଦୋକାନ, ବଜାର, ରେଷ୍ଟୁରାଣ୍ଟ ଆଦିରେ ବିଭିନ୍ନ ମହଲା ପୂରିଯାଇଛି । ସେଥି ସହିତ ଯାତ୍ରୀମାନଙ୍କ ପାଇଁ ବିଶ୍ରାମକକ୍ଷ, ଗାଧୁଆଘର, ପାଇଖାନା, ରୂପ ପ୍ରସାଧନୀ କକ୍ଷ ସବୁ କିଛି ରହିଛି । ଯାତ୍ରୀମାନେ ଯଦି ସେମାନଙ୍କ ଜିନିଷପାତି କିଛି ସମୟ ପାଇଁ ରଖିଦେଇ ଅନ୍ୟ କେଉଁଠିକି ଯିବେ, ତେବେ ସେଥିପାଇଁ ଅଟୋମେଟିକ୍‌ ଲକର୍‌ର ବନ୍ଦୋବସ୍ତ ଅଛି । ଏହି ଅଟୋମେଟିକ୍‌ ଲକର୍‌ ବନ୍ଦୋବସ୍ତ ଆମେରିକାରେ ନୂଆ ନ ହେଲେହେଁ ଆମକୁ ନୂଆ । ଏହା ଯାତ୍ରୀମାନଙ୍କ ପାଇଁ ଭାରି ସୁବିଧା । କି ରେଳଷ୍ଟେସନ, କି ବସ୍‌ ଷ୍ଟେସନ୍‍ ସବୁଆଡ଼େ ଏହି ବନ୍ଦୋବସ୍ତର ପ୍ରଚଳନ । ମନେକର ଜଣେ ଲୋକ ଗୋଟିଏ ବସ୍‌ ଷ୍ଟେସନ୍‍ରେ ପହଞ୍ଚିଲା । ତା ହାତରେ ଖଣ୍ଡିଏ ସୁଟ୍‌କେଶ ଅଛି । ସେ କିଛି ସମୟ ପାଇଁ ଷ୍ଟେସନ ବାହାରକୁ ଯିବ । ସୁଟ୍‌କେଶଟି କେଉଁଠି ଥୋଇବ ? ସଙ୍ଗରେ ନେଲେ ଭାରି ଅସୁବିଧା । ସେ କ’ଣ କରିବ ନା ଏହି ଲକର୍‌ରେ ସୁଟ୍‌କେଶ ଆଦି ଥୋଇ ତାଲା ପକାଇ ନିଜ କାମରେ ଯିବ । ଫେରିଆସି ଲକର୍‌ରୁ ଜିନିଷ ଧରି ପୁଣି ବସ୍‌ରେ ନିଜ ଗନ୍ତବ୍ୟ ପଥରେ ଯିବ । ଏହି ବନ୍ଦୋବସ୍ତ ଯୋଗୁଁ ତା’କୁ ତା’ ଜିନିଷପାତି ଧରି ବୁଲିବାକୁ ପଡ଼ିବନି । ଏହି ଲକର୍‌ ପଦ୍ଧତି ଅତି ସୁବିଧାଜନକ ଓ ଅଟୋମେଟିକ୍‌ । ଚବିଶ୍‌ଘଣ୍ଟା ରଖିବା ପାଇଁ ମାତ୍ର, ପଚିଶ ସେଣ୍ଟ୍‌ ପଇସା ଲାଗେ । ଲକର୍‌ଗୁଡ଼ିକ ଖୋଲା ପଡ଼ିଥାଏ । ଯେ ବ୍ୟବହାର କରିବାକୁ ଚାହିଁବ ଲକର୍‌ରେ ଆଗେ ଜିନିଷ ଥୋଇ କବାଟ ବନ୍ଦ କରିବ । ତା’ପରେ ଚାବି ଉପରେ ଥିବା ଗୋଟିଏ କଣାରେ ୨୫ ସେଣ୍ଟ୍‌ର ଗୋଟିଏ ମୁଦ୍ରା ପକାଇ ଚାବିଟିକୁ କାଢ଼ି ଆଣିଲେ ଚାବିକାଠିଟି ବାହାରି ଆସିବ ଓ ସଙ୍ଗେ ସଙ୍ଗେ ଲକର୍‌ ମନକୁମନ ବନ୍ଦ ହୋଇଯିବ । ଅନ୍ୟ କେହି ସେହି ଲକର୍‌କୁ ତୁମ ଅନୁପସ୍ଥିତିରେ ଖୋଲି ପାରିବନି କି ଭାଙ୍ଗି ପାରିବନି । ୨୪ ଘଣ୍ଟାରୁ ଅଧିକ ସମୟ ଯଦି ରଖିଲ, ତେବେ ତୁମେ ମଧ୍ୟ ତୁମ ଚାବିରେ ଏହାକୁ ଖୋଲି ଆଉ ପାରିବନି । ପୁଣି ପଚିଶି ସେଣ୍ଟ୍‌ ପଇସା ପକାଇ ଯଦି ଖୋଲିବ, ତେବେ ଖୋଲିଯିବ । ବଡ଼ ଅଦ୍ଭୁତ ବନ୍ଦୋବସ୍ତ । ଦେଖିଲେ ଭାରି ଆଶ୍ଚର୍ଯ୍ୟ ଲାଗିବ । ଲକର୍‌ଗୁଡ଼ିକ ପୂରାପୂରି ଇସ୍ପାତ୍‌ରେ ତିଆରି ହୋଇଥିବାରୁ ଚୋରି ବା ଡକାୟତିର ଭୟ ନାହିଁ । ଆମେରିକାର ଯେଉଁ ଷ୍ଟେସନକୁ ଯିବ, ସେଠି ଏହି ଲକର୍‌ରୁ ଗୁଡ଼ାଏ ଦେଖିବାକୁ ପାଇବ ।

 

ନିଉୟର୍କ ପୋର୍ଟ ଅଥରିଟି ବସ୍‌ ଷ୍ଟେସନ୍‍ଟି ଏଡ଼େ ବିରାଟ ଯେ ଏହାର ସବା ଉପର ମହଲାର ଛାତ ଉପରେ ଏକ ଅତି ପ୍ରଶସ୍ତ ସ୍ଥାନ ଅଛି, ଯେଉଁ ସ୍ଥାନରେ ହେଲିକପ୍‌ଟରମାନ ସ୍ଵଚ୍ଛନ୍ଦରେ ଅବତରଣ କରିପାରେ । ନିଉୟର୍କ ସହରରେ ଏହି ଛାତ ଏକ ପ୍ରସିଦ୍ଧ ହେଲିପୋର୍ଟ)ହେଲିକପ୍‌ଟର ଓହ୍ଲାଇବା ବା ଉଠିବା ସ୍ଥାନ)ଭାବରେ ବ୍ୟବହୃତ ହୁଏ । ନିଉୟର୍କର ଲାଗୁଆଡ଼ିଆ, ଆଇଡ଼ଲୱାଇଲ୍‌ଡ଼ ଆନ୍ତର୍ଜାତିକ ଉଡ଼ାଜାହାଜଘାଟୀ (ବର୍ତ୍ତମାନ ନାମ ଜନ୍‌କେନେଡ଼ି ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟୀ), ଓ ନିକଟସ୍ଥ ନିଉଆର୍କ ଉଡ଼ାଜାହାଜଘାଟୀରୁ ଯାତ୍ରୀମାନେ ହେଲିକପ୍‌ଟରରେ ଆସି ଏହି ହେଲିପୋର୍ଟରେ ଅବତରଣ କରି ନିଉୟର୍କ ସହରର ବିଭିନ୍ନ ସ୍ଥାନକୁ ଯାଆନ୍ତି । ନିଉୟର୍କର ବିଭିନ୍ନ ଉଡ଼ାଜାହାଜଘାଟୀରୁ ସହର ଭିତରକୁ ଆସିବାକୁ ଏହା ସବୁଠାରୁ ସୁବିଧାଜନକ ବାଟ ଓ ଖୁବ୍‌ କମ୍‌ ସମୟ ଲାଗେ । ମଟରରେ ବା ବସ୍‌ରେ ଆସିଲେ ଢେର୍‌ ଅଧିକ ବିଳମ୍ବ ହୁଏ । ଏଥିପାଇଁ ବହୁ ଯାତ୍ରୀ ଏହି ହେଲିପୋର୍ଟରେ ଓହ୍ଲାଇ ନିଉୟର୍କ ସହର ଭିତରକୁ ଯିବା ଆସିବା କରନ୍ତି ।

 

ନାଏଗ୍ରା ଜଳପ୍ରପାତ, ଚିକାଗୋ ଆଦି ସ୍ଥାନ ଆଡ଼େ ଯିବା ପାଇଁ ତାରିଖ ଧାର୍ଯ୍ୟ ହୋଇଗଲା । ଜୁନ୍‌ମାସ ଦ୍ଵିତୀୟ ସପ୍ତାହରେ ୱାଲ୍‌ଥାମ୍‌ ଛାଡ଼ିବା କଥା । ହାର୍‌ଭାର୍ଡ଼ ବିଶ୍ୱବିଦ୍ୟାଳୟର କନ୍‌ଭୋକେସନ୍‌ ଶେଷ ନ ହେଲା ପର୍ଯ୍ୟନ୍ତ ଆମେ ୱାଲ୍‌ଥାମ୍‌ ଛାଡ଼ି ପାରୁନୁ । ଆମର ଶେଷ ବର୍ଷ ବୋଲି ହାର୍‌ଭାର୍ଡ଼ର କନ୍‌ଭୋକେସନ୍‌ ନ ଦେଖିଲେ ନ ହୁଏ । ଏଥିପୂର୍ବରୁ ଆମେ ଦୁଇ ଥର ବ୍ରେଣ୍ଡାଇସ୍ ବିଶ୍ଵବିଦ୍ୟାଳୟର କନ୍‌ଭୋକେସନ୍ ଦେଖିଥିବାରୁ ହାର୍‌ଭାର୍ଡ଼ କନ୍‌ଭୋକେସନ୍ ଦେଖି ନ ଥାଉଁ । ତେଣୁ ଏହି ବର୍ଷ ଦେଖିବା ପାଇଁ ଠିକ୍ କରିଥାଉଁ । ପୁଣି ଆମ ଓଡ଼ିଶାର ଡାକ୍ତରାଣୀ ଶ୍ରୀମତୀ ଲୀଳାବତୀ ପଟ୍ଟନାୟକ ହାର୍‌ଭାର୍ଡ଼ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍‌ଥ୍‌ରୁ ଗୋଟାଏ ବର୍ଷ ଶିକ୍ଷା ଲାଭକରି ସେହି କନ୍‌ଭୋକେସନରେ ଡିଗ୍ରୀ ନେଉଥିବାରୁ ଆମକୁ ଅନୁରୋଧ କରିଥାନ୍ତି କନ୍‌ଭୋକେସନ୍‌ ଦେଖିଯିବା ପାଇଁ । ଖାଲି ଅନୁରୋଧ କରି ନ ଥାନ୍ତି, ଆମ ପାଇଁ ଦୁଇଟି ଟିକଟ୍ ମଧ୍ୟ ଯୋଗାଡ଼ କରି ଘରେ ଦେଇ ଯାଇଥାନ୍ତି । ଡାକ୍ତରାଣୀ ଲୀଳାବତୀ ପଟ୍ଟନାୟକ ଓଡ଼ିଶାର ଲୋକ ହେଲେହେଁ ତାଙ୍କ ସହିତ ଆମର ପ୍ରଥମ ପରିଚୟ ହୁଏ ଏହି ଆମେରିକାରେ । ସେ ୧୯୬୨ ମସିହା ସେପ୍‌ଟେମ୍ବର ମାସରେ ଫୋର୍ଡ ଫାଉଣ୍ଡେସନ ବୃତ୍ତି ପାଇ ଆମେରିକାକୁ ଉଚ୍ଚଶିକ୍ଷା ନିମିତ୍ତ ଯାଇଥିଲେ । ସେ ଆମେରିକାରେ ପହଞ୍ଚିବା ପୂର୍ବରୁ ଲଣ୍ଡନଠାରେ କେତେକ ଓଡ଼ିଆ ଭଦ୍ରଲୋକ ଓ ଭଦ୍ରମହିଳାଙ୍କୁ ଭେଟି ଆମେରିକାରେ ଆମ ଠିକଣା ସେମାନଙ୍କଠାରୁ ନେଇ ଆସିଥାନ୍ତି । ସେ ପ୍ରଥମେ ଆମେରିକାରେ ପହଞ୍ଚି ଖଣ୍ଡିଏ ପତ୍ରଦ୍ଵାରା ଆମକୁ ଜଣାଇଲେ ତାଙ୍କ ଆସିବା କଥା ଓ ସେ ଆସି ବୋଷ୍ଟନର କେଉଁ ହଷ୍ଟେଲରେ ଅଛନ୍ତି, ତା ମଧ୍ୟ ଆମକୁ ଜଣାଇଥାନ୍ତି । ବୋଷ୍ଟନରେ ଓଡ଼ିଆଙ୍କ ସଂଖ୍ୟା ଖୁବ୍‌କମ୍‌ । ପୁଣି ସ୍ତ୍ରୀଲୋକଟିଏ ପାଇବା ଅତୀବ କଷ୍ଟକର । ତେବେ ଓଡ଼ିଆ ସ୍ତ୍ରୀଲୋକଟିଏ ଆସି ବୋଷ୍ଟନରେ ପହଞ୍ଚିବାରୁ ସ୍ତ୍ରୀଙ୍କ ଆନନ୍ଦର ସୀମା ରହିଲାନି । ତେଣୁ ମିସ୍ ପଟ୍ଟନାୟକଙ୍କ ଚିଠି ପାଇ ଆମେ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ତାଙ୍କୁ ଭେଟିବାକୁ ଗଲୁ । ମିସ୍ ପଟ୍ଟନାୟକ ଅବସ୍ଥାନ କରୁଥାନ୍ତି ବୋଷ୍ଟନ୍‌ର ଇଣ୍ଟର ନ୍ୟାସନାଲ ଷ୍ଟୁଡ଼େଣ୍ଟସ୍ ହଷ୍ଟେଲରେ । ତେଣୁ ଖୋଜି ଖୋଜି ତାଙ୍କ ହଷ୍ଟେଲରେ ଆମେ ସମସ୍ତେ ଯାଇ ହାଜର । ମିସ୍ ପଟ୍ଟନାୟକଙ୍କୁ ଭେଟି ସ୍ତ୍ରୀ ସମେତ ଆମେ ସମସ୍ତେ ଯେ କେତେ ଖୁସି ହେଲୁ, ତା’ର କଳନା ନାହିଁ । ମିସ୍ ପଟ୍ଟନାୟକ ସହିତ ଆସିଥାନ୍ତି ଆଉ ଜଣେ ଭାରତୀୟ ମହିଳା ମିସେସ୍ ମାଲହୋତ୍ରା । ସେ ଦିଲ୍ଲୀର ଜଣେ ଡାକ୍ତରାଣୀ । ତାଙ୍କ ସହିତ କଥାବାର୍ତ୍ତା ହେଲାରୁ ଜାଣିଲୁ ସେ ଭାରତର ଜଣେ ବିଖ୍ୟାତ ବୈଜ୍ଞାନିକ ଓ ଭାରତୀୟ ବିଜ୍ଞାନ କଂଗ୍ରେସର ଭୂତପୂର୍ବ ସଭାପତି ଡକ୍‌ଟର ସୁନ୍ଦରଲାଲ୍ ହୋରାଙ୍କ ଝିଅ । ମିସେସ୍ ମାଲହୋତ୍ରା ପଞ୍ଜାବର ଅଧିବାସିନୀ ହେଲେହେଁ ବଙ୍ଗଳା ଭାଷା ବେଶ୍ କହି ପାରୁଥାନ୍ତି । କାହିଁକି ନା ତାଙ୍କ ବାପା ଡକ୍ଟର ହୋରା ବହୁଦିନ ଧରି ବଙ୍ଗ ସରକାରଙ୍କ ଅଧୀନରେ ଚାକିରି କରୁଥିବାରୁ ସେ ପିଲାଟି ଦିନରୁ କଲିକତାରେ ବଢ଼ି ଆସିଛନ୍ତି । ଦୁଇ ଜଣଙ୍କ ସହିତ ଖାଲି ପରିଚୟ ଯେ ହେଲା ତା ନୁହେଁ, ଅଳ୍ପ କିଛି ସମୟ ମଧ୍ୟରେ ଘନିଷ୍ଠତା ହୋଇଗଲା । ଆମ ବସା ସେମାନଙ୍କ ହଷ୍ଟେଲଠାରୁ ମୋଟେ ୭ । ୮ ମାଇଲ ଦୂର । ଯେତେଦିନ ସେମାନେ ବୋଷ୍ଟନ୍‌ରେ ରହିଲେ, ପ୍ରତି ମାସରେ ସେମାନେ ଆମ ଘରକୁ ଆସନ୍ତି ଓ ଆମେ ମଧ୍ୟ ସେମାନଙ୍କ ହଷ୍ଟେଲକୁ ଯାଉଁ । ଆମ ଘରେ ପିଲାଙ୍କ ଜନ୍ମଦିନଠାରୁ ଆରମ୍ଭ କରି ଯେତେ ପର୍ବ ପର୍ବାଣି, ଭୋଜି, ଭାତ, ଖିଆପିଆ ଆଦି ହୁଏ, ସେଥିରେ ଆଗ ଡକରା ହୋଇ ଆସନ୍ତି ସେ ଦୁଇ ଜଣ । ସେ ଦୁହେଁ ଓ ଅନ୍ୟ ତିନି ଜଣ ଭାରତୀୟ ଛାତ୍ର ଡିଗ୍ରୀ ନେଉଥିବାରୁ ହାର୍‌ଭାର୍ଡ଼ କନ୍‌ଭୋକେସନକୁ ନ ଯାଇ ଆମର ଗତି ନାହିଁ । ତେଣୁ କଥା ହେଲା ହାର୍‌ଭାର୍ଡ଼ କନ୍‌ଭୋକେସନ୍ ଯେଉଁଦିନ ଶେଷ ହେବ, ତହିଁ ପରଦିନ ଆମେ ଆମ ଭ୍ରମଣ ପ୍ରୋଗ୍ରାମରେ ବାହାରି ପଡ଼ିବୁଁ । ସେହି ଅନୁସାରେ ଆଗ ସାତଦିନଠାରୁ ଗ୍ରେ-ହାଉଣ୍ଡ ବସ୍ କମ୍ପାନୀର ବସ୍‌ରେ ଆମ ପରିବାର ପାଇଁ ସିଟ୍ ରିଜର୍ଭ କରିନେଲୁଁ । ଆମ ପ୍ରୋଗ୍ରାମ ହେଲା, ୱାଲ୍ ଥାମ୍‌ରୁ ଯାଇ ଆମେ ପ୍ରଥମେ ପହଞ୍ଚିବୁ ନାଏଗ୍ରା ଜଳପ୍ରପାତଠାରେ । ସେଠାରେ ତିନି ଦିନ ରହି ସେଠାରୁ ଯିବୁ ବଫେଲୋ ସହର ଅଭିମୁଖେ । ବଫେଲୋରୁ କ୍ଲିଭ୍‌ଲାଣ୍ଡ । କ୍ଲିଭଲାଣ୍ଡରୁ ଟଲିଡ଼େ ଦେଇ ଚିକାଗୋ । ବଫେଲୋ ସହରରେ ଦିନ ବେଳାଟାଏ ରହି କ୍ଲିଭ୍‌ଲାଣ୍ଡ ଯିବୁଁ । ସେଠାରେ ଅଳ୍ପ କିଛି ବୁଲାବୁଲି କରି ଚିକାଗୋ ଚାଲିଯିବୁଁ । ଚିକାଗୋରେ ରହିବୁ ତିନି ଦିନ । ସେଠାରୁ ଫେରିବୁ ପିଟସବର୍ଗ ସହରକୁ । ସେଠାରେ ଦିନଟାଏ ରହି ଫେରିବୁ ଫିଲାଡେଲଫିଆ ଦେଇ ନିଉୟର୍କ । ନିଉୟର୍କରେ ଓଳିଟାଏ ରହି ଫେରିଆସିବୁ ୱାଲ୍‌ଥାମ୍‌ର ଆମ ଘରକୁ । ଆମର ଏହି ପ୍ରୋଗ୍ରାମ ଗ୍ରେ-ହାଉଣ୍ଡ କମ୍ପାନୀକୁ ଜଣାଇଦେଇ ସେଇ ଅନୁସାରେ ଫେରନ୍ତା ଟିକଟ ଆମ ପରିବାର ପାଇଁ କାଟିନେଲୁ । ନାଏଗ୍ରା ଫଲ୍‌ସ, ବଫେଲା, ପିଟ୍‌ସବର୍ଗ ଆଦି ସହରର ହୋଟେଲଗୁଡ଼ିକୁ ଲେଖାଲେଖି କରି ହୋଟେଲମାନଙ୍କରେ ଆମ ପରିବାର ପାଇଁ ଦୁଇଟାଲେଖାଏଁ ରୁମ୍ ରିଜର୍ଭ କରିନେଲୁଁ । ଚିକାଗୋରେ ଆମ ଛାତ୍ର ରମେଶଚନ୍ଦ୍ର ମିଶ୍ର ଓ ତୁଷାରରଞ୍ଜନ ଦତ୍ତ ଥିବାରୁ ସେମାନେ ଆମକୁ ଚିଠି ଲେଖି ବାରମ୍ବାର ଜଣାଇଥାନ୍ତି ଆମେ ଚିକାଗୋ ରହଣି କାଳରେ ଯେମିତି ସେମାନଙ୍କର ଅତିଥି ହେଉଁ । ରମେଶଚନ୍ଦ୍ର ମିଶ୍ର ରେଭେନ୍‌ସା କଲେଜର ପୂଜ୍ୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡକ୍ଟର ବ୍ରହ୍ମାନନ୍ଦ ମିଶ୍ରଙ୍କ ପୁତ୍ର, ପିଏଇଚ୍‌. ଡି. କରିବା ପାଇଁ ଚିକାଗୋ ବିଶ୍ୱବିଦ୍ୟାଳୟକୁ ଆସିଥାଆନ୍ତି ଓ ତୁଷାରରଞ୍ଜନ ଦତ୍ତ ବହୁଦିନ ତଳେ ରେଭେନ୍‌ସା କଲେଜରେ ପଢ଼ୁଥିଲେ । ପିଏଇଚ୍.ଡ଼ି.କରିବା ପାଇଁ ଚିକାଗୋ ବିଶ୍ଵବିଦ୍ୟାଳୟକୁ ଆସିଥିଲେ, ସେତେବେଳକୁ ସେ ପିଏଇଚ୍.ଡ଼ି. କରିସାରି ଚିକାଗୋରେ ଚାକିରି କରୁଥାନ୍ତି । ଆମେ ସେମାନଙ୍କ ନିମନ୍ତ୍ରଣ ରକ୍ଷାକରି ଚିକାଗୋ ବୁଲିବାର ସମସ୍ତ ପ୍ରୋଗ୍ରାମ ସେମାନଙ୍କ ଉପରେ ଛାଡ଼ି ଦେଇଥାଉଁ । ତିନି ଦିନ ଭିତରେ ଚିକାଗୋ ସହରର କେଉଁ କେଉଁ ଦର୍ଶନୀୟ ପଦାର୍ଥ ଆମର ଦେଖିବା ଦରକାର, ସେମାନେ ସବୁ ଠିକ୍ ଠାକ୍ କରି ଆମକୁ ଚିଠିଦ୍ଵାରା ଜଣାଇ ଦେଇଥାନ୍ତି ଓ ଆମ ପହଞ୍ଚିବା ଦିନକୁ ଅପେକ୍ଷା କରିଥାନ୍ତି ।

 

ହାର୍‌ଭାର୍ଡ ବିଶ୍ୱବିଦ୍ୟାଳୟ କନ୍‌ଭୋକେସନ୍

 

ଚାହୁଁ ଚାହୁଁ ହାର୍‌ଭାର୍ଡ ବିଶ୍ଵବିଦ୍ୟାଳୟ କନ୍‌ଭୋକସନ୍ ଦିନ ଚାଲିଆସିଲା । ଆମେ ସେହିଦିନ ସକାଳୁଁ ଜଳଖିଆ ଖାଇ ବାହାରି ପଡ଼ିଲୁଁ । କନ୍‌ଭୋକେସନ୍ ସକାଳ ନଅଟାବେଳେ ଆରମ୍ଭ ହେବା କଥା । ଆମେ କାର୍‌ରେ ଯାଇ କାର୍‌କୁ ହାର୍‌ଭାର୍ଡ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌ଭିତରେ ଥିବା ଅକ୍‌ସଫୋର୍ଡ଼ ଷ୍ଟ୍ରୀଟ୍‌ରେ ପାର୍କ କରାଇ କନ୍‌ଭୋକେସନ୍ ପେଣ୍ଡାଲଠାକୁ ବାହାରିଲୁଁ । ଆମେ ଗେଟ୍ ପାଖରେ ପହଞ୍ଚିଲାବେଳକୁ ବିରାଟ କ୍ୟୁ (ବା)ଲାଇନ୍ । ଆମ ସାଙ୍ଗରେ ପୁଣି ପିଲା ଥାନ୍ତି । ଆମ ଦେଶର କନ୍‌ଭୋକେସନ୍‌କୁ ସିନା ପିଲା ଯିବା ମନା; କିନ୍ତୁ ହାର୍‌ଭାର୍ଡ଼ କିମ୍ବା ବ୍ରେଣ୍ଡାଇସ୍ କନ୍‌ଭୋକେସନ୍‌ରେ ପିଲାଙ୍କୁ ମନା ନାହିଁ । ଆମେ ଯେତେ ଯେଉଁଠି କନ୍‌ଭୋକେସନ୍ ଦେଖିଛୁଁ, ଆମ ପିଲାମାନେ କୌଣସିଟିରୁ ବଞ୍ଚିତ ହୋଇ ନାହାନ୍ତି । ଲାଇନ୍‌ରେ ଯାଇ ଆମେ ଯଥା ସ୍ଥାନରେ ପହଞ୍ଚି ଆମ ପାଇଁ ନିର୍ଦ୍ଦିଷ୍ଟ ଥିବା ଆସନରେ ବସିଲୁ । କନ୍‌ଭୋକେସନ୍‌ର ଚଳଚିତ୍ର ଉଠାଇବା ପାଇଁ ମୁଁ ସାଙ୍ଗରେ ଚଳଚ୍ଚିତ୍ର କ୍ୟାମେରା ନେଇଥାଏଁ । କିନ୍ତୁ ସେଠି ଯାଇ ଦେଖୁଁ ତ କନ୍‌ଭୋକେସନ୍‌ର ଚିତ୍ର କି ଚଳଚିତ୍ର ଉଠାଇବା ବିଲ୍‌କୁଲ ମନା । କନ୍‌ଭୋକେସନ୍ ଆରମ୍ଭ ପୂର୍ବରୁ ଚିତ୍ର ଉଠାଇ ହେବ, କନ୍‌ଭୋକେସନ୍ ପରେ ଉଠାଇ ହେବ; କିନ୍ତୁ କନ୍‌ଭୋକେସନ୍ ଚାଲିଥିଲାବେଳେ ଏକବାରେ ମନା-। ପୋଲିସ ଅଫିସରମାନେ ଠାଆକୁ ଠାଆ ଠିଆ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ଏହି ଆଇନ୍ କାନୁନ୍ ରକ୍ଷା ହେଉଛି କି ନାହିଁ, ତଦାରଖ କରୁଥାନ୍ତି । ଲକ୍ଷ୍ୟ କଲି, କେତେଜଣ ମାର୍କିନ୍ ଭଦ୍ରଲୋକ ଓ ଭଦ୍ରମହିଳା ଚିତ୍ର ଉଠାଇଲାବେଳକୁ ସେମାନେ ଆସି ମନା କରୁଥାନ୍ତି-। କନ୍‌ଭୋକେସନ୍ ହେଉଥାଏ ହାର୍‌ଭାର୍ଡ଼ ବିଶ୍ୱବିଦ୍ୟାଳୟର ଚାପେଲ ଓ ଲାଇବ୍ରେରୀ ସାମନାରେ ଥିବା ବଗିଚା ଭିତରେ । ଅତିଥି, ନିମନ୍ତ୍ରିତ ଭଦ୍ରବ୍ୟକ୍ତି, ଛାତ୍ରମାନଙ୍କଦ୍ଵାରା ସେ ବଗିଚାଟି ଭରପୂର-। ସୌଭାଗ୍ୟବଶତଃ ଆମେ ପେଣ୍ଡାଲଠାରୁ ବେଶି ଦୂରରେ ନ ଥାଉଁ । ଛାତ୍ରମାନଙ୍କ ଡିଗ୍ରୀ ନେବା ବ୍ୟତୀତ ଯୁକ୍ତରାଷ୍ଟ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନସୂଚକ ଡିଗ୍ରୀ ଦିଆଯାଉଥାଏ-। ଆମେରିକାର ପରରାଷ୍ଟ୍ର ସଚିବ ଡିନ୍‌ରସ୍କଙ୍କଠାରୁ ଆରମ୍ଭ କରି ଜାତିସଂଘ ଜେନେରାଲ ସେକ୍ରେଟାରୀ ଉ-ଥାଣ୍ଟଙ୍କ ପର୍ଯ୍ୟନ୍ତ ରାଷ୍ଟ୍ରନୀତିଜ୍ଞମାନେ, ଇଂଲଣ୍ଡରୁ ନିମନ୍ତ୍ରିତ ହୋଇ କେମ୍ବ୍ରିଜ୍‌ର ବିଖ୍ୟାତ ଅଧ୍ୟାପକ ନୋବେଲ ପୁରସ୍କାରପ୍ରାପ୍ତ ସାର୍ ଆଲେକ୍‌ଜାଣ୍ଡର ଟଡ଼୍ ପର୍ଯ୍ୟନ୍ତ ବହୁ ବୈଜ୍ଞାନିକ ଦେଶ ଭିତରୁ ଓ ଦେଶ ବାହାରୁ ନିମନ୍ତ୍ରିତ ହୋଇ ଏହି କନ୍‌ଭୋକେସନ୍‌ରେ ସମ୍ମାନସୂଚକ ଡିଗ୍ରୀ ନେଉଥାନ୍ତି । ଏହିସବୁ ବଡ଼ ବଡ଼ ଲୋକଙ୍କୁ ଡିଗ୍ରୀ ନେଉଥିବାର ଦେଖି ଆମ ହାର୍‌ଭାର୍ଡ଼ କନ୍‌ଭୋକେସନ୍ ଦେଖା ସାର୍ଥକ ହେଲା ଭାବି ଖୁସି ହେଉଥାଉଁ । କିନ୍ତୁ ମନରେ ସର୍ବଦା ଦୁଃଖ ଯେ ଏଠି ଫଟୋ ଉଠାଇବା ପାଇଁ ସ୍ଵାଧୀନତା ନଥିବାରୁ । ଯେତେବେଳେ ଏତେ ମନ କରି ଚଳଚିତ୍ର କ୍ୟାମେରା ଘରୁ ଆଣିଛି, ଫଟୋ ନ ଉଠାଇ ଆମେ ଯାଉଛୁଁ ବା କେମିତି ? ଦେଖିଲି ପୋଲିସ ଅଫିସରଙ୍କ ଆଖି ଉପରୁ ଯଦି ଚାଲିଯାଇ ଅନ୍ୟ କେଉଁଠି ଠିଆ ହୋଇ ଫଟୋ ଉଠାଏ, ତେବେ ଫଟୋ ଉଠାଇପାରିବି । ଏହା ଭାବି ଠିକ୍ କନ୍‌ଭୋକେସନ୍ ଆରମ୍ଭ ହେଲାବେଳକୁ ମୁଁ ସ୍ତ୍ରୀଙ୍କୁ ଏକାକୀ ବସାଇ ଦେଇ ମୋ ବସିବା ସ୍ଥାନରୁ ଉଠିଆସିଲି । କିଛି ଦୂରରେ ଲୋକଙ୍କ ଗହଳି ଭିତରେ ପଶି ପୋଲିସ ଆଢ଼ୁଆଳରେ ରହି ତରତରରେ ଫଟୋ ଉଠାଇଲି । ସେହି ତରତର ଭିତରେ ଯଦିଚ ଚଳଚିତ୍ର ଉଠିଲା, କିନ୍ତୁ ମନ ମୁତାବକ ହେଲା ନାହିଁ । ଚଳଚିତ୍ର ଉଠା ଏତେ ତରତରରେ ହେଲା ଯେ ଆଶାମୁତାବକ ଉପଭୋଗ୍ୟ ହେଲାନି । କନ୍‌ଭୋକେସନ୍ ପରେ ମିସ୍ ପଟ୍ଟନାୟକ, ମିସେସ୍ ମାଲହୋତ୍ରା ଓ ଅନ୍ୟାନ୍ୟ ଭାରତୀୟ ଛାତ୍ର ଓ ସେମାନଙ୍କ ଅଧ୍ୟାପକଙ୍କର ମଧ୍ୟ ଏକ ଫଟୋ ଉଠାଇଲି । କନ୍‌ଭୋକେସନ୍ ପରେ ଆମ୍ଭମାନଙ୍କୁ ଖାଇବାକୁ ଦିଆଗଲା, ସାମାନ୍ୟ ଜଳଖିଆ, ଚା, କଫି ଆଦି । ଆମେ କିଛି ନ ଖାଇ ସେମାନଙ୍କଠାରୁ ବିଦାୟ ନେଇ ଚାଲି ଆସିଲୁ ଆମ ଯାତ୍ରା ଲାଗି ବାକିଥିବା ନାନା ପ୍ରସ୍ତୁତି ପାଇଁ ।

 

ନାଏଗ୍ରା ଜଳପ୍ରପାତ ଅଭିମୁଖେ

 

ତହିଁ ପରଦିନ ସନ୍ଧ୍ୟାବେଳେ ଆମର ୱାଲ୍‌ଥାମ୍ ଛାଡ଼ି ନାଏଗ୍ରା ଜଳପ୍ରପାତ ଅଭିମୁଖେ ରମାନା ହେବା କଥା । ଗ୍ରେ-ହାଉଣ୍ଡ ବସ୍ ଷ୍ଟେସନ ଆମ ବସାଠାରୁ ମାଇଲିଏ ପାଖାପାଖି ଦୂର । ବସ୍ ଷ୍ଟେସନକୁ ଆମେ କେମିତି ଯିବୁଁ, ସେହି ହେଲା କଥା । ନିଜ ଗାଡ଼ିତ ନେଇ ବସ୍ ଷ୍ଟେସନକୁ ଯାଇପାରିବୁ, ଗଲେ ଗାଡ଼ିକୁ ଆଣିବ କିଏ ? ସେଥିପାଇଁ ଟାକ୍‌ସିକୁ ଡାକିବାକୁ ଯାଉଛି, ଆମ ଘରର ମାଲିକାଣୀଙ୍କ ସାନ ଝିଅ ଲୁସି ଆସି ଅନୁରୋଧ କଲା ଯେ, ଆମେ ଯଦି କିଛି ମନେ ନ କରୁଁ ତେବେ ସେ ତା ଗାଡ଼ିରେ ଆମକୁ ନେଇ ବସ୍ ଷ୍ଟେସନରେ ଛାଡ଼ିଦେଇ ଆସିବ । ଆମ ଘରର ମାଲିକାଣୀ ମିସେସ୍ ଗୁଲୋଟିଙ୍କ ସହିତ ଆମ ପରିବାରର ଯେଉଁ ସମ୍ପର୍କ, ଲୁସି ସହିତ ଆମ ସମ୍ପର୍କ ତା’ଠରୁ କିଛି କମ୍ ନୁହେଁ । ଲୁସିର ସ୍ଵାମୀ ଆମ କଲେଜର ପ୍ରଧାନ ମେକାନିକ୍, ନାନାପ୍ରକାର ଜଟିଳ ଯନ୍ତ୍ରପାତି ସଜାଡ଼ିବାରେ ବେଶ୍ ଧୁରନ୍ଧର । ଲୁସିର ଭାରତୀୟଙ୍କ ପ୍ରତି ବେଶ୍ ଶ୍ରଦ୍ଧା । ତାର ସୂଚନା ଆମେ ପାଇଥିଲୁ । ଆମେ ସେହି ଘର ଭଡ଼ା ନେଲା ଦିନଠାରୁ । ଲୁସି ଉଚ୍ଚଶିକ୍ଷିତା ନ ହେଲେହେଁ ବେଶ୍ ଆଧୁନିକା । ପୋଷାକପତ୍ରରେ ଚାକଚକ୍ୟ ଓ ଆଧୁନିକତା ବେଶ୍ ପ୍ରସ୍ଫୁଟିତ । ଯୌବନର ପ୍ରଥମ ପାଦ ଅତିକ୍ରମ କରିଥିଲେହେଁ ସୌନ୍ଦର୍ଯ୍ୟ ଯେମିତି ମଉଳିବାକୁ ନାରାଜ । ସ୍ଵାମୀଙ୍କ ମଟରଗାଡ଼ି ବ୍ୟତୀତ ନିଜର ଗୋଟିଏ ବିରାଟ ମଟରଗାଡ଼ି । ଆମେରିକାର ସବୁ ଟିକିନିଖି କଥା ତାକୁ ମାଲୁମ । ଯେ କୌଣସି ଖବର ଚାହିଁବ, ସବୁ ସାଙ୍ଗେ ସାଙ୍ଗେ ସେ ଦେଇପାରିବ । ଲୁସିର ନାନାପ୍ରକାର ସୁଗୁଣ ହେତୁ ଆମ ପରିବାର ସହିତ ତାର ଆଳାପ ବେଶୀ । ତେଣୁ ଏତେ ଜଣାଶୁଣା, ହିତାକାଙ୍‌କ୍ଷିଣୀଙ୍କର ଅନୁରୋଧକୁ ଏଡ଼ି ଦେଉଛି ବା କିଏ ? ସଙ୍ଗେ ସଙ୍ଗେ ରାଜି ହୋଇଗଲୁଁ ।

 

ଆମେ ଘରଦ୍ଵାର ବନ୍ଦ କରି, ସୁଟ୍‌କେଶ୍ ଧରି ତଳକୁ ଆସିଛୁଁ କି ନାହିଁ, ସେ ତା ନିଜ ମୋଟରଗାଡ଼ି ଆଣି ଆମ ଦୁଆରେ ଠିଆ କରାଇ ଦେଲାଣି । ଗାଡ଼ିରେ ସେ ପୁଣି ଏକା ନୁହେଁ, ସଙ୍ଗରେ ଭାଉଜ । କ’ଣ ନା ଉଭୟଙ୍କ ଇଚ୍ଛା ଆମକୁ ବାଟୋଇ ଦେବା ପାଇଁ ବସ୍ ଷ୍ଟେସନକୁ ଯିବେ-। କାଳ ବିଳମ୍ବ ନ କରି ଆମେ ଗାଡ଼ିରେ ବସିଲୁଁ । ଗାଡ଼ି ଆମ ଚାର୍ଲସ୍ ଷ୍ଟ୍ରିଟ୍ ଛାଡ଼ି ରିଭର୍‌ସାଇଡ଼୍ ବସ୍ ଷ୍ଟେସନ ଅଭିମୁଖେ ମୁହାଁଇଲା ।

 

ବାଟରେ ଯାଉଁ ଯାଉଁ ଆମ ଯାତ୍ରାର ପ୍ରୋଗ୍ରାମ କଥା ପଡ଼ିଲା । ଆମେ କେଉଁ କେଉଁ ସ୍ଥାନକୁ ଯାଉଛୁଁ, କେଉଁଠି କେତେଦିନ ଲେଖାଏଁ ରହିବୁ ଶୁଣି ସେ ଦୁହେଁ ଖୁସି ହୋଇଗଲେ । ଆମ ଯାତ୍ରାର ପ୍ରୋଗ୍ରାମ ଶୁଣୁ ଶୁଣୁ ଲୁସି ଭାବପ୍ରବଣ ହୋଇ କହି ପକାଇଲା, “ଆପଣମାନେ ବିଦେଶୀ ହୋଇ ଆମ ଦେଶର ଲାନା ବିଷୟ ଦେଖିବା ପାଇଁ ଯେଡ଼େ ଆଗ୍ରହ ଦେଖାଉଅଛନ୍ତି, ଆମେ ଏ ଦେଶର ଲୋକ ହୋଇ ମଧ୍ୟ ସେସବୁ ଦେଖିବାକୁ ସୁଯୋଗ ପାଉନୁଁ ।” କଥା କହିଲାବେଳେ ତା’ର ଲୀଳାଲୋଳ ନୟନ ବେଶ୍ ନାଚି ଉଠୁଥାଏ ମନମତାଣିଆ ଢଙ୍ଗରେ ।

 

“ଆପଣମାନେ ତ ଆମଭଳି ଅଦିନିଆ ହୋଇ ନାହାନ୍ତି ? ଆଜି ନ ଦେଖିଲେ ଆଉ ଦିନେ ଦେଖିବେ । ଆମେ ତ ଏ ଦେଶ ଛାଡ଼ିଲେ ଆଉ ସେସବୁ ଦେଖିପାରିବୁନି । ତେଣୁ ବର୍ତ୍ତମାନ ନ ଦେଖିବୁ ତ ଆଉ କେବେ ଦେଖିବୁ ?” —ଉତ୍ତର ଦେଲି ।

 

ସ୍ତ୍ରୀ କହିଲେ, “ଆମେ ତ ଖାଲି ସେସବୁ ଦେଖିବାକୁ ଯାଉନୁ ଲୁସି, ସେଗୁଡ଼ିକର ଜୀବନ୍ତ ଚିତ୍ର ଆମ ଚଳଚିତ୍ର କ୍ୟାମେରାରେ ଲିପିବଦ୍ଧ ନ କରି କ’ଣ ଛାଡ଼ୁଛୁଁ ? ଆମେ ଏ ଦେଶରୁ ଫେରିଗଲେ ଆମ ଦେଶର ଲୋକଙ୍କୁ ଆମେରିକା ସମ୍ପର୍କରେ, ଆପଣମାନଙ୍କ ସମ୍ପର୍କରେ ଆଉ କ’ଣ ଦେଖାଇବୁଁ କହିଲେ ?”

 

“ଆଁ, ଚଳଚିତ୍ର ଆପଣମାନେ ଉଠାଉଛନ୍ତି ?” ଶୁଣି ନଣନ୍ଦ ଭାଉଜ ଉଭୟେ ଚମକି ପଡ଼ିଲେ । “ତା’ ହେଲେ ଆପଣମାନେ ଫେରିଲେ ନାଏଗ୍ରା ଜଳପ୍ରପାତ, ଚିକାଗୋ, ପିଟସବର୍ଗ ଆଦିର ଚଳଚିତ୍ର ଯେମିତି ଆମକୁ ଦେଖାଇବାକୁ ନ ଭୁଲନ୍ତି ।” ଲୁସି ତାର ଚୂର୍ଣ୍ଣ କୁନ୍ତଳକୁ ସଜାଡ଼ୁ ସଜାଡ଼ୁ ଆମକୁ ଅନୁରୋଧ କଲା । ସେଥି ସହିତ ଯୋଗ ଦେଲେ ତା ଭାଉଜ ।

 

“ଏ ତ ଆମର ସୌଭାଗ୍ୟ । ଆମ ଭ୍ରମଣର ଦୃଶ୍ୟ ନ ଦେଖାଇ ଆମେ କ’ଣ ଆପଣମାନଙ୍କୁ ଛାଡ଼ି ଦେଉଛୁଁ !” ଲୁସିର ଭାଉଜ ଆଡ଼କୁ ଅନାଇ କହିଲି, “ଆପଣମାନେ ଆମକୁ ଡାକି ଆପଣଙ୍କ ରଙ୍ଗୀନ୍ ଟେଲଭିଜନ୍‌ର କେତେ ଡ୍ରାମା, କେତେ ନାଚ, କେତେ ଦୃଶ୍ୟ ଦେଖାଇ ନାହାନ୍ତି କହିଲେ ? ଆପଣଙ୍କ ଦୟାରୁ ସିନା ଆମେ ରଙ୍ଗୀନ୍ ଟେଲିଭିଜନ୍ ପ୍ରୋଗ୍ରାମ ଦେଖିବାର ସୁଯୋଗ ପାଇଛୁଁ ! ଆପଣମାନେ ସେ ସୁବିଧା ଟିକକ ଦେଇ ନ ଥିଲେ ଆମେ କେତେ ବଡ଼ ଅଭିଜ୍ଞତାରୁ ବଞ୍ଚିତ ହୋଇଥାନ୍ତୁ କହିଲେ ? ତା ଛଡ଼ା ଟେଲିଭିଜନ୍ ଦେଖୁଁ ଦେଖୁଁ ଆପଣମାନଙ୍କର ରାତ୍ରିଭୋଜନ ପର ଆତିଥ୍ୟ କଥା ବି ଭୁଲିବାର ନୁହେଁ । ଆମ ପାଇଁ ଆପଣ ଏତେ କରିଛନ୍ତି, ଆପଣମାନଙ୍କୁ ଆମେ ଆମ ଭ୍ରମଣର ଚଳଚିତ୍ର ଦେଖାଇବୁନି ?”

 

ଆମେ ଏମିତି ଭାବରେ କଥାବାର୍ତ୍ତା ହେଉଛୁ, ଆମ କାର୍ ଯାଇ ବସ୍ ଷ୍ଟେସନରେ ପହଞ୍ଚିଗଲା । ଆମେ କାର୍‌ରୁ ଓହ୍ଲାଇ ଆମ ବସ୍ ଆସିବା କେତେ ଡେରି ଅଛି ପଚାରି ବୁଝିଲୁ । ଆମର ଲସ୍ ଏଞ୍ଜେଲସ୍ ବସ୍‌ରେ ନାଏଗ୍ରା ଜଳପ୍ରପାତ ଅଭିମୁଖେ ଯିବା ପାଇଁ ସିଟ୍ ରିଜର୍ଭ ହୋଇଥାଏ । ବସ୍ ଆସିବା ଆହୁରି ଅଧଘଣ୍ଟାଏ ବାକି ଶୁଣି ଲୁସି ଆଦିଙ୍କୁ ଆମ ପାଇଁ ନ ଅଟକି ଫେରିଯିବା ପାଇଁ ଅନୁରୋଧ କଲୁଁ । ଆମ ଅନୁରୋଧକୁ ନ ଏଡ଼ି ସେମାନଙ୍କ ଅନିଚ୍ଛାସତ୍ତ୍ୱେ ସେମାନେ ଆମଠାରୁ ବିଦାୟ ନେଲେ ।

 

ଯଥା ସମୟରେ ଲସ୍ ଏଞ୍ଜେଲସ୍ ଗାଡ଼ି ଆସି ବସ୍ ଷ୍ଟେସନରେ ପହଞ୍ଜିଲା । ଗ୍ରେହାଉଣ୍ଡ କମ୍ପାନୀର ବିରାଟ ସିନିକ୍ କ୍ରୁଇଜର ବସ୍ । ବସ୍‌ଗୁଡ଼ିକ ଆକାରରେ ଅତି ବିରାଟ । ଆମ ଦେଶ ବସ୍ ତୁଳନାରେ ଖୁବ୍ ଉଚ୍ଚ । ସିଟ୍‌ଗୁଡ଼ିକ ଉଡ଼ାଜାହାଜ ସିଟ୍ ଭଳି ଅତ୍ୟନ୍ତ ଆରାମଦାୟକ । ସିଟ୍‌ଗୁଡ଼ିକରେ ମୋଟା ମୋଟା ‘ଡନ୍‌ଲୋପ୍ ପିଲୋ’ ଗଦି ପଡ଼ିଛି । ଆମେ ଆମ ଜିନିଷପତ୍ର ଆଦି ବସ୍‌ର ତଳ ଅଂଶରେ ଥିବା କୋଠରୀରେ ଥୋଇ ଦେଇ ବସ୍ ଭିତରକୁ ଗଲୁଁ । ଆମେରିକାର ବସ୍‌ଗୁଡ଼ିକରେ ଜିନିଷପତ୍ର ଆମ ଦେଶର ବସ୍ ଭଳି ବସ୍ ଉପରେ ନ ରଖି ବସ୍ ତଳେ ଥିବା କୋଠରୀରେ ରଖନ୍ତି । ବସ୍ ତଳେ ଏତେ ବିରାଟ ବିରାଟ କୋଠରୀ ଥାଏ ଯେ ସେଥିରେ ଏକ ସଙ୍ଗେ ବହୁ ଲୋକଙ୍କ ଜିନିଷପତ୍ର ରହିପାରିବ । ଆମେ ଜିନିଷପତ୍ର ରଖି ଆମ ସିଟ୍‌ରେ ବସିବା ପାଇଁ ଗଲୁଁ । ଅଳ୍ପ କିଛି ସମୟ ପରେ ବସ୍ ନାଏଗ୍ରା ଜଳପ୍ରପାତ ଅଭିମୁଖେ ଛାଡ଼ିଲା । ସନ୍ଧ୍ୟା ଆଗତ ପ୍ରାୟ । ବସ ରିଭର୍‌ ସାଇଡ଼୍ ଷ୍ଟେସନ ଛାଡ଼ି ମାସାଚିଉସେଟସ୍ ରାଜ୍ୟର ସୁବିଖ୍ୟାତ ହାଇୱେ ମାସଟର୍ଣ୍ଣ ପାଇକରେ ନାଏଗ୍ରା ଜଳପ୍ରପାତ ଅଭିମୁଖେ ମୁହାଁଇଲା । ଲକ୍ଷ୍ୟ କଲୁଁ ଦୂର ଦିଗ୍‌ବଳୟ ଆଡ଼ୁ ସନ୍ଧ୍ୟାରାଣୀ ଅନ୍ଧାର ପସରା ମେଲି ଧାଇଁ ଆସୁଥାଏ ପୃଥିବୀକୁ ଘୋଡ଼ାଇ ପକାଇବା ପାଇଁ ।

 

ଚାହୁଁ ଚାହୁଁ ମାସଟର୍ଣ୍ଣ ପାଇକ୍ ଘନ ଅନ୍ଧାରରେ ଛାଇ ହୋଇଗଲା । ଠାଏ ଠାଏ ରାସ୍ତା କଡ଼ରେ ଗ୍ୟାସଷ୍ଟେସନ, ରେଷ୍ଟୁରାଣ୍ଟ, ହୋଟେଲ, ମୋଟେଲ ଆଦି ପଡ଼ୁଥିବାରୁ ସେହି ସ୍ଥାନଗୁଡ଼ିକ ଦିନ ଭଳି ଆଲୋକିତ ଦିଶୁଥାଏ । ରାସ୍ତା କଡ଼ରେ କେତେ ହୋଟେଲ, ମୋଟେଲ ଯେ ପଡ଼ୁଥାଏ, ତାର କଳନା ନାହିଁ । ହୋଟେଲଗୁଡ଼ିକ କେତେ ବିଚିତ୍ର ଧରଣର । ଆଧୁନିକତା ଓ ଚାକଚକ୍ୟରେ ବଳିଯିବା ତ ଦୂରର କଥା, କେଉଁଠି ସେମିତି ହୋଟେଲ ଅଛି କି ନାହିଁ ସନ୍ଦେହ । ଆମେରିକାରେ ଏତେ ଦିନ ରହିବା ପରେ ଏହି ହୋଟେଲ, ମୋଟେଲଗୁଡ଼ିକର ଆବ୍‌ହାୱା ଓ ବାତାବରଣ ସହିତ ବେଶ୍ ପରିଚିତ ହୋଇଯାଇଥାଉଁ । ତେଣୁ ଏହି ଚାକଚକ୍ୟଭରା, ସୁଖସୁବିଧାପୂର୍ଣ୍ଣ, ଅତ୍ୟାଧୁନିକ ଏହି ରାସ୍ତା କଡ଼ର ମୋଟେଲଗୁଡ଼ିକରେ କେତେ କ’ଣ ଯେ ଚାଲିଥିବ, ଭାବିବାକୁ ମୋର ଧୈର୍ଯ୍ୟ ରହିଲା ନାହିଁ । କିନ୍ତୁ ପିଲାମାନେ ମୋଟେଲ ପରେ ମୋଟେଲ ଦେଖି ମୋହିତ ହୋଇ ପଡ଼ୁଥାନ୍ତି । କିଏ କେତେ ରଙ୍ଗ ଢଙ୍ଗରେ ତିଆରି, କାହାର ଆଲୋକସଜ୍ଜା କେତେ ରଙ୍ଗର, କାହା ଆଗରେ ରଙ୍ଗୀନ୍ ଜଳର ଝରଣା ତ କାହାର କାହାର ନାଇଟ୍ କ୍ଳବ୍‌ର ନାଚ ଝରକା ଦେଇ ବାହାରକୁ ଫୁଟି ଦିଶୁଛି । ପିଲାମାନେ କାହିଁକି ଯିଏ ସେହି ରାସ୍ତାରେ ଯିବ, ରାସ୍ତା ପାଖରେ ଏହିସବୁ ଦୃଶ୍ୟ ଦେଖି ବିଭୋର ନ ହୋଇ ରହି ପାରିବ ନାହିଁ । ମାର୍କିନ୍ ଜୀବନର ଏତାଦୃଶ ଉପଭୋଗ କରି ଦେଖିଲେ ସ୍ଵର୍ଗସୁଖକୁ ବା ସେ ତୁଚ୍ଛ ମନେ ନ କରିବ କାହିଁକି ? ପିଲାମାନେ ଗୋଟିଏ ମୋଟେଲ ପରେ ଆଉ ଗୋଟିଏ ମୋଟେଲ ଦେଖି କେଉଁ ମୋଟେଲଟା ସୁନ୍ଦର, କେଉଁ ମୋଟେଲଟା ବଡ଼ ଆଲୋଚନା କରୁଁ କରୁଁ ଆନନ୍ଦିତ ହୋଇ ପଡ଼ୁଥାନ୍ତି । କିନ୍ତୁ ବସା ଛାଡ଼ିଲାବେଳେ ସାନ୍ଧ୍ୟ ଭୋଜନର ଆଧିକ୍ୟ ହେତୁ ମୋ ଆଖି ନିଦରେ ପୂରି ଉଠୁଥାଏ; କିନ୍ତୁ ସ୍ତ୍ରୀଙ୍କୁ ନିଦ ମାଡ଼ୁ ନ ଥାଏ । ସେ ପିଲାମାନଙ୍କ ସହିତ ରାସ୍ତା ଦୁଇ କଡ଼ର ସୌନ୍ଦର୍ଯ୍ୟ ଦେଖିବାରେ ବ୍ୟସ୍ତ । ଆମ ବସ୍ ମାସ୍‌ଟର୍ଣ୍ଣ ପାଇକ୍‌ରେ ମାସାଚିଉସେଟ୍‌ସ୍ ରାଜ୍ୟର ଏକ ପ୍ରଧାନ ସହର ସ୍ପ୍ରିଙ୍ଗ୍ ଫିଲଡ଼୍ ଦେଇ ରାତି ବାରଟା ସମୟରେ ନିଉୟର୍କ ରାଜ୍ୟର ରାଜଧାନୀ ଅଲ୍‌ବାନୀରେ ପହଞ୍ଚିବ ବୋଲି ଜଣାଇ ଦିଆଯାଇଥାଏ ।

 

ସ୍ପ୍ରିଂଫିଲ୍‌ଡ ମାସାଚିଉସେଟ୍‌ସ ରାଜ୍ୟର ଏକ ବଡ଼ ସହର । ଲୋକସଂଖ୍ୟା ଦୁଇଲକ୍ଷ ପାଖାପାଖି । ସହରଟି ହଜାର ହଜାର କଳକାରଖାନାରେ ପୂର୍ଣ୍ଣ । ପୃଥିବୀର ସବୁଠାରୁ ପୁରୁଣା ମଟରଗାଡ଼ି କାରଖାନା ଏହି ସହରରେ ଅଛି । ନାନାପ୍ରକାର ମିଉଜିୟମ୍, କଲେଜ ଓ ଐତିହାସିକ ପ୍ରାସାଦରେ ଏହି ସହରଟି ପୂର୍ଣ୍ଣ । ସ୍ପ୍ରିଂଫିଲଡ଼ରେ ପହଞ୍ଚିବା ପୂର୍ବରୁ ବାଟରେ ପଡ଼ିଲା ଆମେରିକାର ଏକ ସୁପ୍ରସିଦ୍ଧ ଗ୍ରାମ-ଷ୍ଟର ବ୍ରିଜ୍ । ଏହି ଗ୍ରାମଟି ଦେଖିବା, ପାଇଁ ଆମେରିକାର ଚାରିଆଡ଼ୁ ଶହ ଶହ ଦର୍ଶକ ପ୍ରତିଦିନ ଆସନ୍ତି । ଏହି ଗ୍ରାମଟି ଆଜକୁ ପ୍ରାୟ ଶହେ ବର୍ଷ ତଳେ ଏକ କୃଷିପ୍ରଧାନ ଗ୍ରାମ ଥିଲା । ସେ ଯୁଗର ଚାଷୀମାନେ କେମିତି ଆଧୁନିକ ସଭ୍ୟତାଠାରୁ ଦୂରରେ ରହି ଲଙ୍ଗଳରେ ହଳ କରୁଥିଲେ, କମାରଶାଳରେ ଲୁହା ଜିନିଷ ତିଆରି କରୁଥିଲେ, ବଢ଼େଇଶାଳରେ ହାତରେ କାଠ ଚିରି ଆସବାବ୍‌ପତ୍ର ତିଆରି କରୁଥିଲେ, ସେସବୁର ଜୀବନ୍ତ ଚିତ୍ର ଆଜିକାଲି ମଧ୍ୟ ସେଠି ଦେଖିବାକୁ ମିଳେ । ଘୋଡ଼ା ଓ ବଳଦମାନେ ଗାଡ଼ି ଟାଣି କେମିତି ମାଲ୍ ବୋହୁଥିଲେ, ସେସବୁ ସେଇମିତି ଭାବରେ ଟଣାଯାଉଛି । ମାର୍କିନ୍ ଲୋକମାନେ ଯେଉଁମାନେ ଆଧୁନିକ ସଭ୍ୟତା ଯୋଗୁଁ ସେ ଯୁଗର ଚଳଣିକୁ ଭୁଲିଗଲେଣି, ସେମାନଙ୍କ ପାଇଁ ଏ ଗୋଟିଏ ବଡ଼ ତୀର୍ଥ । ବଡ଼ ଖୁସି ଲାଗେ ଏହି ଷ୍ଟର ବ୍ରିଜ୍ ଗାଁକୁ ଗଲେ । ମାର୍କିନ୍ ଦର୍ଶକମାନେ ବଢ଼େଇକୁ ବଢ଼େଇ କାରଖାନାରେ ହାତରେ କାମ କରିବା ଦେଖି ଅତି ଖୁସି ହୁଅନ୍ତି । କମାର କେମିତି ଶାଳ କରୁଛି, କୁମ୍ଭାର କେମିତି ମାଟି ହାଣ୍ଡି ଗଢ଼ୁଛି, ଚାଷୀ କେମିତି ଲଙ୍ଗଳରେ ଭୂଇଁ ଚଷୁଛି ଦେଖି କେତେ ଯେ ଆଶ୍ଚର୍ଯ୍ୟ ହୁଅନ୍ତି ତାର କଳନା ନାହିଁ । ଏହି ଗାଁଟି ମାର୍କିନ୍ ଅଧିବାସୀମାନଙ୍କଠାରେ ଏତେ ପ୍ରିୟ ଯେ ଜଣକା ତେର ଟଙ୍କା ଲେଖାଏଁ ଟିକଟ କାଟି ଏହି ଦୁଇ ଶହ ଏକର ପରିମିତ ଗାଁର ଶତାଦ୍ଦୀ ତଳର ଜୀବନଯାପନପ୍ରଣାଳୀ ଦେଖିବାକୁ ଧାଇଁଆସନ୍ତି । ସେହି ଗାଁଟି ସିନା ମାର୍କିନ ଲୋକଙ୍କୁ ଭଲ ଲାଗେ, ଆମକୁ ଭଲ ଲାଗିବ କୁଆଡ଼ୁ ? ଆମର ଗ୍ରାମ୍ୟ ଜୀବନ ଯେ ତା’ଠାରୁ ପୂରାତନ, ଏ କଥା କ’ଣ ମାର୍କିନ ଲୋକେ ଜାଣିଛନ୍ତି ? ମନେ ଅଛି, ଆମେ ଥରେ ଆମ ପରିବାରର ହିତାକାଙ୍‌କ୍ଷୀ ମିସେସ୍ ଲୁଡ଼ର ଓ ତାଙ୍କ ଦୁଇ ଝିଅ ହୋପ ଓ ଫେଥ ସହିତ ନିକଟବର୍ତ୍ତୀ ଉର୍ଷ୍ଟର ସହର ବୁଲି ଯାଇଥିଲୁଁ । ଉର୍ଷ୍ଟରରେ ଏକ ପ୍ରସିଦ୍ଧ ମିଉଜିୟମ୍ ଅଛି । ସେହି ମିଉଜିୟମ୍‌ଟିରେ ଆମେରିକାରେ ପୂରାତନ କାଳରେ ଲୋକେ କେମିତି ଚଳୁଥିଲେ, ସେସବୁର ବିଭିନ୍ନ ମଡ଼େଲ ରହିଛି । ମିସେସ୍ ଲୁଡ଼ର ବଡ଼ ଆଗ୍ରହୀ ହୋଇ ସେଗୁଡ଼ିକ ସ୍ତ୍ରୀଙ୍କୁ ଦେଖାଉଥାନ୍ତି । ଶହେ ଦେଢ଼ ଶହ ବର୍ଷ ତଳେ ଆମେରିକାର ଲୋକେ କେମିତି ରାତିରେ ଡିବିରି ଜାଳୁଥିଲେ, ଲଣ୍ଠନ ଜାଳୁଥିଲେ, ହେମଦସ୍ତାରେ ଚାଉଳ କୁଟୁଥିଲେ, ଶିଳରେ ମସଲା ବାଟୁଥିଲେ, ଲଙ୍ଗଳ ସାହାଯ୍ୟରେ ଚାଷ କରୁଥିଲେ, ଅରଟରେ ସୂତା କାଟୁଥିଲେ, ସେହିସବୁ ମଡ଼େଲ ସ୍ତ୍ରୀଙ୍କୁ ଦେଖାଇ ତାଙ୍କ ଦେଶର ପୂରାତନ ଚଳଣି କଥା ବଖାଣୁଥାନ୍ତି । ଏଭଳି ଦୁଷ୍ପ୍ରାପ୍ୟ ଜିନିଷଗୁଡ଼ିକୁ ସାଇତି ରଖିଥିବାରୁ ସେ ମିଉଜିୟମ୍‌ଟିକୁ ପ୍ରଶଂସା ନ କରି ରହିପାରୁ ନ ଥାନ୍ତି । କିନ୍ତୁ ମିସେସ୍ ଲୁଡ଼ର ଯେତେବେଳେ ସ୍ତ୍ରୀଙ୍କ ପାଖରୁ ଶୁଣିଲେ ଯେ ତାଙ୍କର ଯାହା ମିଉଜିୟମ୍‌ରେ ଅଛି, ସେସବୁର ଚଳଣି ଭାରତବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଛି ଓ ସ୍ତ୍ରୀ ନିଜେ ଆମେରିକା ଆସିବା ପୂର୍ବରୁ ଏହିସବୁ ଚଳଣି ସହିତ ଖୁବ୍ ଅଭ୍ୟସ୍ତ ଥିଲେ, ତାଙ୍କ ବିସ୍ମୟର ସୀମା ରହିଲାନି । ସେ ହଠାତ୍ ଠିକ୍ କରିପାରିଲେନି ସେ ଯାହା ସ୍ଵୀଙ୍କଠାରୁ ଶୁଣୁଥିଲେ ତାହା ବାସ୍ତବ କି କଳ୍ପନା । ତାଙ୍କ ବିସ୍ମୟକୁ ଦୂର କରିବା ପାଇଁ କହିଥିଲି, “ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ମିସେସ୍ ଲୁଡ଼ର ! ଆପଣଙ୍କର ଯାହା ଅତୀତ, ଆମର ତାହା ବର୍ତ୍ତମାନ; ଆପଣଙ୍କର ଯାହା ବର୍ତ୍ତମାନ, ଆମର ତାହା ଭବିଷ୍ୟତ୍ ।” ଷ୍ଟାର୍ ବ୍ରିଜ୍ ଗ୍ରାମ ଦେଇ ଆମ ବସ୍ ଗଲାବେଳେ ମୋର ସେହିସବୁ ଅନୁଭୂତି କଥା ମନେ ପଡ଼ି ଯାଉଥାଏ । ଅତୀତର ଅଗୌରବ, ଅନାଧୁନିକତାର ରୂପ ଆଙ୍କିବା ପାଇଁ ମାର୍କିନ ଜାତି କେଡ଼େ ଗୌରବ ଅନୁଭବ ନ କରୁଛି, ଅଥଚ ଆମେ ଆମ ଅତୀତର ଗୌରବକୁ ସ୍ମରଣ କରିବାକୁ ପରାଙ୍‌ମୁଖ । ତା ନ ହୋଇଥିଲେ ଆମ ଦେଶର ଅତୀତଗୌରବ କ’ଣ ଏତେ ଅବହେଳିତ ହୋଇପଡ଼ିଥାନ୍ତା ?

 

ଏହିଭଳି କେତେ କ’ଣ ମୁଁ ଭାବିଯାଉଛି, କେତେବେଳୁଁ ମୋ ଆଖି ଲାଗିଗଲାଣି, ମୋତେ ଜଣା ନାହିଁ । ହଠାତ୍ ଲୋକ କୋଳାହଳ ଓ ଆଲୋକମାଳାର ତୀବ୍ର ଝଲକରେ ମୋ ନିଦ ଭାଜିଗଲା । ଦେଖିଲି, ଆମ ବସ୍ ଏକ ଜନଗହଳି ସହର ଭିତର ଦେଇ ଛୁଟି ଚାଲିଛି । ଘଡ଼ିକୁ ଅନାଇ ଅନୁମାନ କରିନେଲି ଏହି ସହର ହେଉଛି ନିଉୟର୍କ ରାଜ୍ୟର ରାଜଧାନୀ ଅଲବାନୀ । ଲକ୍ଷ୍ୟ କଲି ପାଖ ସିଟ୍‌ରେ ସ୍ତ୍ରୀ ଓ ପିଲାମାନେ ନିଦ୍ରା ଦେବୀଙ୍କ କ୍ରୋଡ଼ରେ ବେଶ୍ ଆରାମରେ ଆଶ୍ରୟ ନେଇଛନ୍ତି । ମୁଁ ଆଖି ମଳି ଏହି ଐତିହାସିକ ସହରର ରାତ୍ରି ସୌନ୍ଦର୍ଯ୍ୟ ଉପଲବ୍‌ଧି କରିବାକୁ ଚେଷ୍ଟା କଲି । ରାତ୍ରର ମଧ୍ୟମ ପ୍ରହର ଅତିକ୍ରମ କରିଯାଇଥିଲେହେଁ ସହରର ଲୋକ ଚଳପ୍ରଚଳ, ଦୋକାନପତ୍ର ଆଦି ଖୋଲା ଥିବା ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲିନି । ଅଲବାନୀ ସହର ଆମେରିକାର ସବୁଠାରୁ ଧନଶାଳୀ ରାଜ୍ୟର କେବଳ ରାଜଧାନୀ ନୁହେଁ, ନିଉୟର୍କ ରାଜ୍ୟର ଏକ ଶିଳ୍ପପ୍ରଧାନ ସହର । ଏହି ସହରଟି ହଡ୍‌ସନ୍ ନଦୀକୂଳରେ ଅବସ୍ଥିତ, ଯେଉଁ ନଦୀ କୂଳରେ ମହାନଗରୀ ନିଉୟର୍କ ଗଢ଼ିଉଠିଛି । ହଡ଼୍‌ସନ ନଦୀକୁ ଖୋଳାଯାଇ ଅଲବାନୀକୁ ଏକ ନଦୀ ବନ୍ଦର ଭାବରେ ଉପଯୋଗୀ କରାଯାଇଛି । ହଡ୍‌ସନ ନଦୀ କୂଳେ କୂଳେ ଏହାର ମାଇଲିଏ ଲମ୍ବ ଡକ୍ ଅଞ୍ଚଳ ଦେଖିଲେ ଏହି ନଦୀ ବନ୍ଦରର ବିରାଟତ୍ଵ ବେଶ୍ ଅନୁଭବ କରିହୁଏ । ପୃଥିବୀର ବୃହତ୍ତମ ଶସ୍ୟ ଉତ୍ତୋଳକ ଯନ୍ତ୍ର ଏଠାରେ କାର୍ଯ୍ୟ କରୁଛି ବୋଲି ଏହି ବନ୍ଦର ପ୍ରସିଦ୍ଧ ।

 

ଅଲବାନୀ ଏକ ଆଧୁନିକ ସହର ହେଲେହେଁ ଏହାର ପ୍ରତିଷ୍ଠା ହୋଇଥିଲା ଆଜକୁ ପ୍ରାୟ ୩୦୦ ବର୍ଷରୁ ଊର୍ଦ୍ଧ୍ଵ ବର୍ଷ ତଳେ । ହେନେରୀ ହଡ଼ସନ୍ ଯାହାଙ୍କ ନାମାନୁସାରେ ହଡ଼ସନ୍ ନଦୀ ନାମିତ ହୋଇଛି, ସେ ୧୬୦୯ ମସିହାରେ ହଡ଼ସନ୍ ନଦୀର ମୁହାଣରୁ ନୌକା ଚଳାଇ ଏହି ସହର ପର୍ଯ୍ୟନ୍ତ ଆସିଥିଲେ । ଏହାର ଚାରି ବର୍ଷ ପରେ ଓଲନ୍ଦାଜମାନେ ଆସି ଏଠାରେ ବସତି ସ୍ଥାପନ କରିଥିଲେ । ଯୁକ୍ତରାଷ୍ଟ୍ରର ସର୍ବପ୍ରଥମ ମ୍ୟୁନିସିପାଲିଟି ଏହି ସହରରେ ପ୍ରତିଷ୍ଠିତ ହୋଇଥିଲା ୧୬୮୬ ମସିହାରେ । ସେହି ଦୃଷ୍ଟିରୁ ଯୁକ୍ତରାଷ୍ଟ୍ରର ପ୍ରାଚୀନତମ ସହର ହେଉଛି ଅଲବାନୀ । ୧୭୫୦ ମସିହା ବେଳକୁ ଏହା ଏକ ପ୍ରଧାନ ବାଣିଜ୍ୟ କେନ୍ଦ୍ରରେ ପରିଣତ ହୋଇଥିଲା । ୧୮୦୭ ମସିହାରେ ରବର୍ଟ ଫୁଲଟନ ସର୍ବପ୍ରଥମ ବାଷ୍ପୀୟ ବୋଟ ତିଆରି କରି ଅଲବାନୀଠାରୁ ନିଉୟର୍କ ନଗରୀର ପାଖ ଜେରସିସିଟି ପର୍ଯ୍ୟନ୍ତ ଚଳାଇଥିଲେ । ୧୮୨୫ ମସିହାଠାରୁ ହଡ଼ସନ୍ ନଦୀରୁ ଏହି ହ୍ରଦ ପର୍ଯ୍ୟନ୍ତ ଯେଉଁ କେନାଲ ଖୋଳାଯାଇଛି, ସେହି କେନାଲ ଯୋଗୁଁ ଅଲବାନୀ ସହରର ବାଣିଜ୍ୟ ଗୁରୁତ୍ଵ ଆଗ ଅପେକ୍ଷା ଢେର ବଢ଼ି ଯାଇଛି ।

 

ଅଲବାନୀ ସହର ନିଉୟର୍କ ରାଜ୍ୟର ଏକ ଶିକ୍ଷାକେନ୍ଦ୍ର ଭାବରେ ପ୍ରସିଦ୍ଧ । ଏଠାରେ ନିଉୟର୍କ ଷ୍ଟେଟ୍ କଲେଜ ଫର୍ ଟିଚରସ୍ ଅବସ୍ଥିତ । ଏଠାର ଆଇନ କଲେଜ, ଫର୍ମାସୀ କଲେଜ, ମେଡ଼ିକାଲ କଲେଜ, ଇଉନିୟନ ବିଶ୍ଵବିଦ୍ୟାଳୟ, ସେଣ୍ଟ ରୋଜ କଲେଜ ବେଶ୍ ପ୍ରସିଦ୍ଧ ।

 

ଅଲବାନୀ ସହରର ସବୁଠାରୁ ଦର୍ଶନୀୟ ବସ୍ତୁ ହେଉଛି ନିଉୟର୍କ ରାଜ୍ୟର ଷ୍ଟେଟ୍ କ୍ୟାପିଟାଲ ପ୍ରାସାଦ । ଏହି ବିରାଟ ପ୍ରାସାଦଟି ଗୋଟାସାରା ଶଙ୍ଖମଲମଲ ପଥରରେ ତିଆରି । ଏହାକୁ ତିଆରି କରିବା ପାଇଁ ସାଢ଼େ ବାର କୋଟି ଟଙ୍କା ବ୍ୟୟିତ ହୋଇଛି । ଗଭର୍ଣ୍ଣରଙ୍କ ଅଫିସ ଓ କକ୍ଷ ଏଡ଼େ ସୁନ୍ଦର କାରୁକାର୍ଯ୍ୟରେ ପୂର୍ଣ୍ଣ ଯେ ନ ଦେଖିବା ଲୋକକୁ ବର୍ଣ୍ଣନା କରି ବୁଝାଇ ହେବନି । ରାତିରେ ନାନାପ୍ରକାର ଆଲୋକ ଦିଆଯାଇ ଏହି ସାରା ପ୍ରାସାଦଟିକୁ ଆଲୋକିତ କରାଯାଇଥାଏ । ଆମ ବସ୍ ଯେତେବେଳେ ଗ୍ରେହାଉଣ୍ଡ ବସ୍‌ ଷ୍ଟେସନ୍‍ ଅଭିମୁଖେ ଯାଉଥିଲା, ଏହି ଆଲୋକିତ ପ୍ରାସାଦଟିର ସୌନ୍ଦର୍ଯ୍ୟ ଦେଖି ଆମେ ମୁଗ୍‌ଧ ହୋଇ ପଡ଼ିଥିଲୁ । ସ୍ତ୍ରୀଙ୍କର ଚନ୍ଦ୍ରାଜଡ଼ିତ ନୟନ ଏହି ପ୍ରାସାଦର ସୌନ୍ଦର୍ଯ୍ୟରେ ବିସ୍ଫାରିତ ହୋଇ ଯାଇଥିଲା । ତାଙ୍କ ନିଦ ପୂରାପୂରି ଛାଡ଼ିଯିବାରୁ ସେ ଉଠିବସି ପଚାରିଲେ, “ଆମେ କ’ଣ ନିଉୟର୍କ ରାଜ୍ୟର ରାଜଧାନୀରେ ପହଞ୍ଚିଗଲେ ?” ଉତ୍ତର ଦେଲି, “ହଁ, ଆଖି ଆଗରେ ଆମର ଏ ହେଉଛି ନିଉୟର୍କ ରାଜ୍ୟର କ୍ୟାପିଟାଲ ପ୍ରାସାଦ ।”

 

ତତ୍ପରେ ସେ ପଚାରିଲେ, “ଏହା ପରେ କେଉଁ ସହର ପଡ଼ିବ ?”

 

ଉତ୍ତର ଦେଲି, “ଉଟିକା” ।

 

“ଉଟିକା ? ଯେଉଁଠି କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଅଛି ?”

 

“ନାହିଁ, କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଉଟିକାରେ ନାହିଁ । ଏହା ଅଛି ଇଥାକା ସହରରେ । ବହୁ ଲୋକ ତୁମ ଭଳି ଉଟିକା—ଇଥାକା ଭିତରେ ଭୁଲ କରନ୍ତି । ଏମିତିକି କେତେକ ଆମେରିକାନ୍ ମଧ୍ୟ । ଇଥାକା ସହର ଉଟିକା ସହରଠାରୁ ପ୍ରାୟ ଦେଢ଼ ଶହ ମାଇଲ ଦକ୍ଷିଣ-ପଶ୍ଚିମକୁ ଅବସ୍ଥିତ ।

 

“ଆମ ବସ୍ କ’ଣ ଇଥାକା ସହର ଦେଇ ଯିବନି ?”

 

ମୁଣ୍ଡ ହଲାଇ ମନା କଲି । “ଆମେ ଉଟିକାରୁ ସିଧା ସଳଖ ସିରାକ୍ୟୁସ୍ ଦେଇ ବଫେଲୋ ସହରକୁ ଚାଲିଯିବା । ଆମ ରାସ୍ତାର ଢେରୁ ଦକ୍ଷିଣକୁ ଇଥାକା ସହର ରହିଯିବ ।”

 

“ତା ହେଲେ କ’ଣ ଫେରିଲାବେଳେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଦେଖିବା ?”

 

“ନା, ଆମେ ତ ଆଉ ଏ ବାଟରେ ଫେରିବା ନାହିଁ, କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଦେଖିବା କିମିତି ?”

 

“କ’ଣ ଏତେ ବଡ଼ ବିଶ୍ୱବିଦ୍ୟାଳୟଟା ଅଦେଖା ରହିଯିବ ! କର୍ଣ୍ଣେଲ ବିଶ୍ଵବିଦ୍ୟାଳୟର ଯେଉଁ ଅପୂର୍ବ ପ୍ରସିଦ୍ଧି, ସେଥିରେ ଏହାକୁ ନ ଦେଖିବା କେମିତି ?”

 

“ଆଉ କେବେ ପଛେ ଏ ଆଡ଼କୁ ଆସିବା । ଏଥର କିନ୍ତୁ ହେବନି । ଆମେରିକାର ପୁରୁଣା ବିଶ୍ୱବିଦ୍ୟାଳୟମାନଙ୍କ ଭିତରୁ ଏହା ଗୋଟିଏ ହୋଇଥିବାରୁ ଏହାକୁ ନ ଦେଖିବା ବା କେମିତି ? କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ଆଜକୁ ପ୍ରାୟ ଶହେ ବର୍ଷ ତଳେ, ୧୮୬୫ ମସିହାରେ । କାୟୁଗା ହ୍ରଦ କୂଳରେ ଏକ ପାହାଡ଼ ଉପରେ ୧୩,୦୦୦ ଏକର ପରିମିତ ସ୍ଥାନରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଟିର ପ୍ରସିଦ୍ଧି ପୃଥିବୀର ସବୁ କୋଣକୁ ଖେଳିଯାଇଛି । ଏହି ବିଶ୍ୱବିଦ୍ୟାଳୟ କେମ୍ପସ୍ ଭିତରେ ପ୍ରାୟ ପନ୍ଦରଗୋଟି କଲେଜରେ ଦଶ ହଜାରରୁ ଅଧିକ ଛାତ୍ର ଅଧ୍ୟୟନ କରୁଅଛନ୍ତି । ତେଣୁ ଏଭଳି ଏକ ବଡ଼ ଅନୁଷ୍ଠାନକୁ ଆମେ ବାଦ୍ ବା ଦେବା କେମିତି ?”

 

ଆଲବନୀରେ ବସ୍ କିଛି ସମୟ ରହି ଛାଡ଼ିଲା ଉଟିକା ସହର ଅଭିମୁଖେ । ଉଟିକା ସହର ଆଲବନୀଠାରୁ ପ୍ରାୟ ଶହେ ମାଇଲ ଦୂର । ରାତି ଅଢ଼େଇଟା ବେଳକୁ ଆମ ବସ୍ ସେଠି ପହଞ୍ଚିଯିବ ବୋଲି ଆଶା । ଆଲ୍‌ବନୀ ସହର ଛାଡ଼ିବା ପରେ ଆମେ ଆମେରିକାର ସୁବିଖ୍ୟାତ ନିଉୟର୍କ ଷ୍ଟେଟ ଥ୍ରୁୱେରେ ଉଟିକା ସହର ଅଭିମୁଖେ ଆଗେଇଲୁଁ । ଠାଏ ଠାଏ ହୋଟେଲ ଓ ମୋଟେଲର ଆଲୋକମାଳାକୁ ଛାଡ଼ି ସାରା ହାଇୱେଟି ଘନ ଅନ୍ଧକାରରେ ମଜ୍ଜି ଯାଇଥାଏ । ଘନ ଅନ୍ଧକାରର ନକ୍ଷତ୍ରଖଚିତ ଆକାଶକୁ ଅନାଉଁ ଅନାଉଁ ମୋ ଆଖି ବୁଜି ହୋଇ ଆସିଲା । ସ୍ତ୍ରୀ ମୋ ଆଗରୁ ନିଦ୍ରାଦେବୀଙ୍କ କ୍ରୋଡ଼ରେ ଆଶ୍ରୟ ନେଇ ସାରିଲେଣି ।

 

ଉଟିକା ସହରରେ ପହଞ୍ଚିଲା ବେଳକୁ ରାତ୍ରି ସାଢ଼େ ଦୁଇଟା । ଉଟିକା ସହରରେ ପହଞ୍ଚିଲାବେଳକୁ ସ୍ତ୍ରୀଙ୍କ ନିଦ ଭାଜିଗଲାଣି । ସେ ମୋତେ ହଲାଇଦେଲେ । ମୁଁ ଆଖି ମଳି ମଳି ନିଦରୁ ଉଠିଲି । ରାତ୍ରର ଶେଷ ପ୍ରହର ପାଖେଇ ଆସୁଥିଲେହେଁ ସହରଟି ଦୋକାନପତ୍ରର ଆଲୋକ ମାଳାରେ ଉଦ୍‌ଭାସିତ । ଠାଏ ଠାଏ ଲୋକଗହଳି ଜଣା ପଡ଼ୁଥାଏ । ଉଟିକା ସହର ଆମେରିକାର ଏକ ପୁରୁଣା ସହର । ଆଜକୁ ପ୍ରାୟ ଅଢ଼େଇଶହ ବର୍ଷ ତଳେ ଏହି ସହରର ସୃଷ୍ଟି । ଏରି କେନାଲ ସୃଷ୍ଟିର ପରଠାରୁ ଏହି ସହରଟିର ଅଭିବୃଦ୍ଧି ଆଶାତୀତ ଭାବରେ ହୋଇଛି । ଉଟିକା ସହର ନାନା ପ୍ରକାର ଶିଳ୍ପ କାରଖାନା, ବ୍ୟବସାୟ ବାଣିଜ୍ୟ ପାଇଁ ପ୍ରସିଦ୍ଧ । ଶହ ଶହ କମ୍ପାନୀଙ୍କର ନାନା ଜାତିର କଳକାରଖାନା ଏହି ସହରରେ ପୁରି ରହିଛି । ଏହି ସହରଟିର ଲୋକସଂଖ୍ୟା ଆମ କଟକ ସହରଠାରୁ କିଛି କମ୍ ହେଲେହେଁ ଏଠାରେ ଏକାଧିକ ବିଶ୍ୱବିଦ୍ୟାଳୟ ଭଳି କଲେଜ ଓ ଇନ୍‌ଷ୍ଟିଚିଉଟ୍‌ମାନ ରହିଛି ।

 

ଉଟିକା ସହର ଛାଡୁ ଛାଡ଼ୁ ରାତି ତିନିଟା । ଉଟିକା ବସ୍ ଷ୍ଟେସନ ଛାଡ଼ିଲା ବେଳକୁ ସ୍ତ୍ରୀ ପଚାରିଲେ,“ଏହା ପରେ କେଉଁ ସହର ପଡ଼ିବ ?”

 

ଉତ୍ତର ଦେଲି—ସିରକ୍ୟୁସ ସହର ।”

 

“ସିରାକ୍ୟୁସ ପରେ ?”

 

“ରୋଚେଷ୍ଟର ସହର ।”

 

“ତୁମେ ପରା କହୁଥିଲ ବାଟରେ କର୍ଣ୍ଣିଙ୍ଗ ସହର ପଡ଼ିବ ବୋଲି ! କାହିଁ କେଉଁଠି ତ ଜଣା ପଡ଼ୁନାହିଁ ? କର୍ଣ୍ଣିଙ୍ଗ ସହରରେ ପୃଥିବୀର ବୃହତ୍ତମ କର୍ଣ୍ଣିଙ୍ଗ କାଚ କାରଖାନା ଦେଖିବା ବାସନା ରହିଗଲା ଯେ !”

 

“ଆମେ ଅନ୍ୟ ବସରେ ଆସିଥିଲେ କର୍ଣ୍ଣିଙ୍ଗ ସହର ପଡ଼ିଥାନ୍ତା । କିନ୍ତୁ ଆମେ ବର୍ତ୍ତମାନ ଯେଉଁ ରାସ୍ତାରେ ଯାଉଛେ ସେ ରାସ୍ତାରେ କର୍ଣ୍ଣିଙ୍ଗ ସହର ପଡ଼ିବନି । ସିରାକ୍ୟୁସ ସହରର ଦକ୍ଷିଣ-ପଶ୍ଚିମକୁ କର୍ଣ୍ଣିଙ୍ଗ ସହର ରହିଗଲା । ସିରାକ୍ୟୁସରୁ ଏହି ବସ୍ ବଦଳାଇ କର୍ଣ୍ଣିଙ୍ଗ ଯାଇ ହେବ । ସିରାକ୍ୟୁସ ସହରରୁ କର୍ଣ୍ଣିଙ୍ଗ ସହର ମୋଟେ ୬୦ । ୭୦ ମାଇଲ ଦୂର । ଆମେ ଯଦି ରୋଚେଷ୍ଟର ବସରେ ନ ଆସି ଏହା ପର ବସରେ ଆସିଥାନ୍ତେ, ତେବେ ସେହି ବସରେ ଆମେ କର୍ଣ୍ଣିଙ୍ଗ ଆସି ପାରିଥାନ୍ତେ । ତୁମ ଭଳି କର୍ଣ୍ଣିଙ୍ଗ କାଚକାରଖାନା ଦେଖିବା ମୋର ମଧ୍ୟ ବାସନା ଥିଲା । କିନ୍ତୁ ଆମର ଏହି ପ୍ରୋଗ୍ରାମ ଭିତରେ ତାହା ଦେଖିବା ସମ୍ଭବ ହେବ ନାହିଁ । ମୁଁ ଭାବୁଛି, ଆଉ କେବେ ପ୍ରୋଗ୍ରାମ କରି ଇଥାକା ଓ କର୍ଣ୍ଣିଙ୍ଗ ସହର ଦେଖିବାର ବନ୍ଦୋବସ୍ତ କରିବା ଥରକରେ ଉଭୟଟି ଭଲ ଭାବରେ ଦେଖି ହେବ । ଇଥାକା ସହରଠାରୁ କର୍ଣ୍ଣିଙ୍ଗ ସହର ମୋଟେ ୩୦/୩୫ ମାଇଲ ଦୂର । କର୍ଣ୍ଣିଙ୍ଗର ଯେଉଁ ବିରାଟ କାଚ କାରଖାନା, ଯା’ର ପ୍ରସିଦ୍ଧି ଆଜି ସାରା ପୃଥିବୀକୁ ଛାଇଯାଇଛି, ତାକୁ ନ ଦେଖିବ କିଏ ? ପୃଥିବୀର ବୃହତ୍ତମ କାଚ ଉତ୍ପାଦନକାରୀ ‘କର୍ଣ୍ଣିଙ୍ଗ ଗ୍ଲାସ ୱାର୍କସ’ର ବୃହତ୍ତମ କାରଖାନା ଏହି ସହରରେ ଅବସ୍ଥିତ । ଏହି କାରଖାନାକୁ ଛାଡ଼ି ଏହି କମ୍ପାନୀର ଆହୁରି ବହୁତ କାଚ କାରଖାନା ସାରା ଯୁକ୍ତରାଷ୍ଟ୍ରରେ ବିଞ୍ଛାଡ଼ି ହୋଇ ପଡ଼ିଛି । କିନ୍ତୁ କର୍ଣ୍ଣିଙ୍ଗ ସହରର କାଚ କାରଖାନା ଭଳି କୌଣସିଟି ଏତେ ବଡ଼ ନୁହେଁ କି ଏତେ ପ୍ରକାରର କାଚ ଜିନିଷ ତିଆରି ହୁଏନି । କାଚସୂତା, କାଚଲୁଗା ଠାରୁ ଆରମ୍ଭ କରି କାଚପ୍ଲେଟ, କାଚ ସାଜସରଞ୍ଜାମ, କାଚ ବାସନ କୁସନ, ବୈଜ୍ଞାନିକ ଯନ୍ତ୍ରପାତି ପାଇଁ ନାନାଦି କାଚସାମଗ୍ରୀ ପର୍ଯ୍ୟନ୍ତ ସବୁ ପ୍ରକାର କାଚ ଜିନିଷ ଏଠି ତିଆରି ହୁଏ ।”

 

“ଏହି କାରଖାନାରୁ ପରା ଏବେ ଅଭଙ୍ଗା କାଚ ନାମରେ ଏକ ପ୍ରକାର ନୂଆ କାଚରୁ କାଚ ପ୍ଲେଟ, ଥାଳିଆ, କପ ଆଦି ବାହାରିଛି । ସେଦିନ ଆମେ ବୋଷ୍ଟନର ସେହି ଦୋକାନରେ ଏହି ଅଭଙ୍ଗା କାଚ ଜିନିଷ ଦେଖୁ ନ ଥିଲେ କି ?”

 

“ଠିକ୍ ମନେ ରଖିଛ । କାଚ ଶିଳ୍ପର ଉତ୍ତରୋତ୍ତର ଉନ୍ନତିରେ କର୍ଣ୍ଣିଙ୍ଗ କାରଖାନାର ଏହା ଏକ ବିରାଟ ପଦକ୍ଷେପ । ଭଙ୍ଗପ୍ରବଣ କାଚକୁ ଅଭଙ୍ଗା କାଚରେ ପରିଣତ କରିବା ବା ସେଥିରୁ କାଚଲୁଗା, କାଚସୂତା ଆଦି ତିଆରି କରି ନାନା କାମରେ ଲଗାଇବା କାଚ ଶିଳ୍ପ ବିଜ୍ଞାନର କମ୍ ପରକାଷ୍ଠା ଦେଖାଉନି ।”

 

“ମୋର ଭାରି ଇଚ୍ଛା ଥିଲା, କର୍ଣ୍ଣିଙ୍ଗ କାରଖାନାକୁ ଯାଇ କାଚସୂତା, ଅଭଙ୍ଗାକାଚ ଆଦି କେମିତି ତିଆରି ହେଉଛି ଦେଖିବା ପାଇଁ । ଯାହା ହେଉ ଆମେରିକା ଛାଡ଼ିବା ପୂର୍ବରୁ ଯେମିତି ସେହି କାରଖାନାଟି ଦେଖାହୁଏ ।” ସ୍ତ୍ରୀ କହିଲେ ।

 

କର୍ଣ୍ଣିଙ୍ଗ କାଚ କାରଖାନା ସଂପର୍କରେ ଆମେ କଥାବାର୍ତ୍ତା ହେଉଛୁ–କେତେବେଳୁ ମୋତେ ରାତ୍ରର ଶେଷ ପ୍ରହରର ନିଦ ମାଡ଼ି ଆସିଲାଣି ଖିଆଲ ନାହିଁ । ସ୍ତ୍ରୀ ମଧ୍ୟ ଢୁଳାଉ ଢୁଳାଉ ବସର ଝରକା ଉପରେ ମୁଣ୍ଡ ଦେଇ ଶୋଇପଡ଼ିଲେ ।

 

ସିରାକ୍ୟୁସ ସହରର ଜନକୋଳାହଳରେ ମୁଁ ଉଠି ପଡ଼ିଲି । ଘଡ଼ିକୁ ଅନାଇ ଦେଖିଲି, ରାତ୍ରି ସାଢ଼େ ତିନି । ରାତ୍ରିର ଶେଷ ପ୍ରହର । ଆମ ବିରାଟ ‘ସିନିକ୍ କ୍ରୁଇଜର’ ବସ୍ ସିରାକ୍ୟୁସ୍ ସହର ଦେଇ ଧାଇଁ ଚାଲିଛି ଗ୍ରେ ହାଉଣ୍ଡ୍ ବସ୍ ଷ୍ଟେସନ ଅଭିମୁଖେ । ସହରର ଆଲୋକମାଳା, ଲୋକକୋଳାହଳ ବେଶ୍ ସୂଚାଉଥାଏ ସହରର କର୍ମତତ୍ପରତା । ଷ୍ଟେସନରେ ବସ୍ ରହିଲା ବେଳକୁ ସ୍ତ୍ରୀ ଆଖି ମଳି ମଳି ନିଦରୁ ଉଠିଲେ । ପିଲା ଦୁଇଟି ଗାଢ଼ ନିଦରେ ଶୋଇ ପଡ଼ିଥାନ୍ତି । ଆମ ବସରୁ କେତେ ଯାତ୍ରୀ ସିରାକ୍ୟୁସ ଷ୍ଟେସନରେ ଓହ୍ଲାଇଲେ, ଆହୁରି କେତେକ ଚଢ଼ିଲେ ମଧ୍ୟ । ତଥାପି ବସ୍‌ର ବହୁ ସିଟ୍ ଖାଲି ଥାଏ ।

 

ସିରାକ୍ୟୁସ ସହରର ନାମକରଣ ହୋଇଛି ଇଉରୋପର ସିସିଲି ରାଜ୍ୟର ରାଜଧାନୀ ସିରାକ୍ୟୁସ ଅନୁକରଣରେ । ଇଉରୋପର ସୁବିଖ୍ୟାତ ପୂରା କାଳର ବୈଜ୍ଞାନିକ ଆରକ୍‌ମିଡ଼ିସଙ୍କ ପାଇଁ ସିରାକ୍ୟୁସ ସହର ପ୍ରସିଦ୍ଧ । ସେହି ସହର ଅନୁକରଣରେ ଏହି ସହର ନିର୍ମିତ ହୋଇଥିବାରୁ ଏହାର ପ୍ରାଧାନ୍ୟ କିଛି କମ୍ ନୁହେଁ । ନିଉୟର୍କ ରାଜ୍ୟଟି ଏମିତି ଏକ ରାଜ୍ୟ, ଯେଉଁ ରାଜ୍ୟର ବିଭିନ୍ନ ସହରର ନାମକରଣ ପୃଥିବୀର ବହୁ ରାଜ୍ୟର ବଡ଼ ବଡ଼ ସହର ନାମାନୁକରଣରେ ହୋଇଛି । ଏହି ରାଜ୍ୟର ଉତ୍ତର ପଟେ ‘ବୋମ୍ବେ’ ଓ ଦକ୍ଷିଣ ପଟରେ ‘ଦିଲ୍ଲୀ’ ନାମକ ସହର ଦ୍ୱୟ ଅବସ୍ଥିତ । ତା ଛଡ଼ା ରୋମ, ଟ୍ରୟ, ଜେନିଭା, ୱାଟରଲୁ, ମେକ୍‌ସିକୋ, ମାଡ୍ରିଡ଼, ବର୍ଲିନ, ଗ୍ରିନ୍ଉଇଚ ଆଦି ଶହ ଶହ ଇଉରୋପୀୟ ନାମ ଥିବା ଟାଉନ୍ ଓ ଗ୍ରାମ ରହିଛି ।

 

ସିରାକ୍ୟୁସ ଏକ ଜନବହୁଳ ସହର । ଏହାର ଲୋକସଂଖ୍ୟା ଦୁଇ ଲକ୍ଷରୁ କିଛି ବେଶି । ଏହି ସହରଟିର ପ୍ରତିଷ୍ଠା ହୋଇଥିଲା ଆଜକୁ ପ୍ରାୟ ୩୦୦ବର୍ଷ ତଳେ । ଏହି ସହର ନିକଟରେ ଥିବା ‘ଲବଣ ଜଳ ଝରଣା’ ପୃଥିବୀ ପ୍ରସିଦ୍ଧ । ଏହି ଲବଣ ଜଳ ଝରଣା ପାଇଁ ଏହି ସହରର ପ୍ରତିଷ୍ଠା-। ଏହି ଲବଣ ଜଳରୁ ଲବଣ ତିଆରି କରିବା ପାଇଁ ୧୮୦୫ ମସିହାରେ ଏଠାରେ ଗୋଟିଏ କାରଖାନା ବସିଥିଲା । କେମିଷ୍ଟ୍ରୀ ବହିରେ ପଢ଼ୁଥିବା ସଲଭେ ପ୍ରୋସେସ୍ କମ୍ପାନୀଦ୍ୱାରା ପ୍ରତିଷ୍ଠିତ, ସୋଡ଼ା, ତୀକ୍ଷ୍ମକ୍ଷାର ଆଦି ତିଆରି କାରଖାନା ପାଇଁ ଏହି ସହରଟି ପ୍ରସିଦ୍ଧ । ଏହି ସଲଭେ ପ୍ରୋସେସ ନାମାନୁସାରେ ଏହା ନିକଟରେ ଏକ ‘ସଲଭେ’ ନାମକ ସହର ପ୍ରତିଷ୍ଠିତ ହୋଇଛି-। ସିରାକ୍ୟୁସ ସହରକୁ ଲାଗି ସିବଭେନିଆ କମ୍ପାନୀର ବିରାଟ ପୃଥିବୀର ବୃହତ୍ତମ ଇଲେକ୍‌ଟ୍ରନିକ୍‌ସ କାରଖାନା ଅବସ୍ଥିତ । ତା ଛଡ଼ା ୱେଷ୍ଟର୍ଣ୍ଣଇଲେକ୍‌ଟ୍ରିକ୍‌, ଜେନେରାଲ ମୋଟରସ୍, ଜେନେରାଲ ଇଲେକ୍‌ଟ୍ରିକ୍‌ର ବିରାଟ ବିରାଟ କାରଖାନା ଏହି ସହରକୁ ଲାଗି ଗଢ଼ିଉଠିଛି ।

 

ସିରାକ୍ୟୁସ ବିଶ୍ୱବିଦ୍ୟାଳୟ ଏହାର ଡାକ୍ତରୀ ବିଭାଗ, ଆଇନ୍ ବିଭାଗ, ବନ୍ୟ ବିଭାଗର ଶିକ୍ଷା ପାଇଁ ପ୍ରସିଦ୍ଧ । ଏହାର ବିଜ୍ଞାନ ବିଭାଗ ନିଉୟର୍କ ରାଜ୍ୟ ଭିତରେ ଏକ ଉନ୍ନତ ବିଭାଗ ଭାବରେ ଗଣାଯାଏ । ନିଉୟର୍କ ରାଜ୍ୟମେଳା ପ୍ରତିବର୍ଷ ଏଠି ହୁଏ ଓ ଏହା ଏ ଅଞ୍ଚଳରେ ଏକ ପ୍ରସିଦ୍ଧ ମେଳା । ସିରାକ୍ୟୁସ ସହର ଓ ବିଶ୍ୱବିଦ୍ୟାଳୟ ଭିତରେ ବହୁ ଦର୍ଶନୀୟ ମିଉଜିୟମ୍ ରହିଛି । ହେଲେ ସମୟ ଅଭାବରୁ ସେଗୁଡ଼ିକୁ ଦେଖିବାର ସୁବିଧା ପାଇଲୁନି ।

 

ସିରାକ୍ୟୁସ ସହରର ପ୍ରାଧାନ୍ୟ କଥା କହିଲା ବେଳେ ଅଳ୍ପଦିନ ତଳେ ଏଠା ବିଶ୍ୱବିଦ୍ୟାଳୟରେ ଘଟି ଯାଇଥିବା ଏକ ମଜାକଥା ସ୍ତ୍ରୀଙ୍କୁ ନ କହି ରହି ପାରିଲିନି । ଆମେରିକାରେ ଆଧୁନିକ ଚିତ୍ରକଳା ବା ‘Modern Painting’ ନାମରେ ଯେଉଁ ପାଗଳାମି ଚାଲିଛି, ଏହା ତାହାର ଏକ ଜୀବନ୍ତ ସାକ୍ଷୀ କହିଲେ ଅତ୍ୟୁକ୍ତି ହେବନି । ପୃଥିବୀର ବିଭିନ୍ନ ଦେଶ ଭଳି ଆମେରିକାରେ ଆଧୁନିକ ଚିତ୍ରକଳା ବେଶ ଉପରକୁ ଉଠିଛି । ଆଧୁନିକତା ନାଁରେ ଯେତେ ଅବୋଧ୍ୟ, ଯେତେ ଅସୁନ୍ଦର, ଯେତେ ଆବୁରୁ ଜାବୁରୁ ଚିତ୍ର ସେସବୁର ସମାବେଶ ଓ କାଟତି ଆମେରିକାରେ ବେଶ୍‌ । କବିତା ଭଳି ଚିତ୍ର ଯେତେ ଅବୋଧ୍ୟ ଓ ଅସୁନ୍ଦର ହେବ ତାର ଚିତ୍ରକଳାର ମାନ ସେତେ ଉଚ୍ଚରେ ବୋଲି ବହୁ ଆଧୁନିକ ଚିତ୍ରକଳାପ୍ରେମୀ ମତ ଦିଅନ୍ତି । ଆଧୁନିକ ଚିତ୍ରକଳା ନାଁରେ ଆମେରିକାରେ ଯେଉଁ ଭଣ୍ଡାମି ଚାଲିଛି, ଯେ କେହି ଲୋକ ଶୁଣିଲେ ନହସି ରହିପାରିବନି । ସିରାକ୍ୟୁସ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟାଳୟ ଦୁଆର ମୁହଁରେ କେତୋଟି ଟିଣ ଚଦର ନାନା ପ୍ରକାର ରଙ୍ଗରେ ଚିତ୍ରିତ ହୋଇ ଥୁଆ ହୋଇଥିଲା । ଉପରକୁ ଏକ ଅତି ଆଧୁନିକ ଚିତ୍ରକଳା ଥୁଆ ହେଲା ଭଳି ଦିଶୁଥାଏ । ନିକଟବର୍ତ୍ତୀ ରାସ୍ତାରେ ଯେଉଁମାନେ ଯାଉଥିଲେ, ଏହି ତଥାକଥିତ ଆଧୁନିକ ଚିତ୍ରକଳାକୁ ନ ଦେଖି ଯାଇପାରୁ ନ ଥିଲେ । ଚାହୁଁ ଚାହୁଁ ଅଳ୍ପ କିଛି ସମୟ ଭିତରେ ଏହି ଚିତ୍ରକଳାକୁ ଦେଖିବା ପାଇଁ ସେଠାରେ ବହୁ ଲୋକ ଜମିଗଲେ । ଚିତ୍ରକଳାକୁ କିଏ କେତେ ଭାବରେ ବ୍ୟାଖ୍ୟା କଲେ, ପ୍ରଶଂସା କଲେ ତାର କଳନା ନାହିଁ । ଆହୁରି କେତେକ ଆଧୁନିକ ଚିତ୍ରପ୍ରେମୀ ଆସିଲେ, ସେମାନେ ଏହାକୁ କିଣିନେବା ପାଇଁ ବିଭିନ୍ନ ଦର ହାଙ୍କିଲେ । ଦର ନେଇ ପ୍ରତିଯୋଗିତା ଚାଲିଲା । ଚାହୁଁ ଚାହୁଁ ଅଳ୍ପ ସମୟ ଭିତରେ ଜଣେ ଜଣେ ଗ୍ରାହକ ବାହାରି ପଡ଼ିଲେ, ଯେଉଁମାନେ କି ଗୋଟିଏ ଗୋଟିଏ ଚିତ୍ରକୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇ ଖରିଦ୍ କରିବାକୁ ତିଆର । କିଏ କହୁଛି, ଏ ଚିତ୍ର ଆମେରିକାର ଅମୁକ ଆଧୁନିକ ଚିତ୍ରକାରର ଚିତ୍ରଠାରୁ ସୁନ୍ଦର । କିଏ କହୁଛି, ସମୁକ ବଡ଼ ଚିତ୍ରକଳାକାର ଏମିତି ଚିତ୍ର ଆଙ୍କିବାକୁ ଅକ୍ଷମ । ଲୋକମାନଙ୍କ ଭିତରେ ଚିତ୍ରକଳାର ବ୍ୟାଖ୍ୟା, ସୌନ୍ଦର୍ଯ୍ୟ, ମୂଲ୍ୟ ନେଇ ନାନା ଆଲୋଚନା ଚାଲିଥିଲାବେଳେ ବିଶ୍ଵବିଦ୍ୟାଳୟର ମୂଲିଆମାନେ ଆସି ଏଗୁଡ଼ିକୁ ଗୋଟାଇ ଗୋଟିଏ ଗାଡ଼ିରେ ଥୋଇ ଅଳିଆ ଗଦାରେ ଫୋପାଡ଼ି ଦେଇ ଆସିବା ପାଇଁ ପହଞ୍ଚିଗଲେ । ସେମାନେ ଯେତେବେଳେ ଏଗୁଡ଼ିକୁ ଗୋଟାଇ ଅଳିଆଗଦା ଆଡ଼େ ବାହାରିଲେ କଳାପ୍ରେମୀମାନେ ଏସବୁ କାଣ୍ଡ ଦେଖି ତାଟଙ୍ଗା । ବୁଝୁ ବୁଝୁ ଜଣା ପଡ଼ିଲା ଯେ କଳାପ୍ରେମୀମାନେ ଯାହାକୁ ଶ୍ରେଷ୍ଠ କଳା କହି ଏତେ ଭିଡ଼ ଜମାଇଥିଲେ, ସେଗୁଡ଼ିକ କୌଣସି କଳାକାରଦ୍ଵାରା ସୃଷ୍ଟି ନୁହେଁ । ପୂର୍ବଦିନ କାର୍ଯ୍ୟାଳୟର ବିଭିନ୍ନ ଯନ୍ତ୍ରପାତି ରଙ୍ଗ ହେଉଥିଲା ବେଳେ ଏହି ଟିଣ ଚଦର ଉପରେ ଥୋଇ ସେଗୁଡ଼ିକ ରଙ୍ଗ କରା ହୋଇଥିବାରୁ ରଙ୍ଗ ଛିଟିକା ଲାଗି ଟିଣ ଚାଦର ଏମିତି ଚିତ୍ରିତ ହୋଇଯାଇଛି । କଳାପ୍ରେମୀମାନେ ଯେତେବେଳେ ସେହି ଚିତ୍ର କଳାଗୁଡ଼ିକର ଇତିହାସ ଶୁଣିଲେ, ନିଜ କାନମୁଣ୍ଡା ଆଉଁସି ଯେଝା ଘରକୁ ଗଲେ । ଆଧୁନିକ ଚିତ୍ର ନାଁରେ ଆମେରିକାରେ ଯେ କେବଳ ଏମିତି ପାଗଳାମି ଚାଲିଛି ତା ନୁହେଁ, ସାରା ପୃଥିବୀର ବିଭିନ୍ନ ଦେଶରେ ଏଥିରୁ ଅଳ୍ପ ବହୁତେ ଦେଖିବାକୁ ମିଳେ । ସ୍ତ୍ରୀଙ୍କୁ କହିଲି—ଏଇ ହେଉଛି ସେହି ବିଶ୍ୱବିଦ୍ୟାଳୟ, ଆଧୁନିକ ଚିତ୍ରକଳା ନାଁରେ ଏଇଠି ଏମିତି ପାଗଳାମି ଚାଲିଥିଲା ଏଇ ଅଳ୍ପ କିଛି ଦିନ ତଳେ ।

 

ସିରାକ୍ୟୁସରୁ ବସ୍ ଛାଡ଼ିଲା ବେଳକୁ ପାହାନ୍ତିଆ ହୋଇ ଆସିଲାଣି । ନିଉୟର୍କ ଷ୍ଟେଟ୍ ଥ୍ରୁୱେରେ ପୁଣି ଆମ ବସ୍ ଚାଲିଲା ନିଉୟର୍କ ରାଜ୍ୟର ଆଉ ଏକ ପ୍ରଧାନ ସହର ରୋଚେଷ୍ଟର ଅଭିମୁଖେ । ରୋଚେଷ୍ଟର ସହର ଖାଲି ଯେ ଯୁକ୍ତରାଷ୍ଟ୍ରରେ ପ୍ରସିଦ୍ଧ ତା ନୁହେଁ, ଏହା ସାରା ପୃଥିବୀରେ ପ୍ରସିଦ୍ଧ । ପୃଥିବୀର ବୃହତ୍ତମ ଫଟୋ ବ୍ୟବସାୟୀ ଇଷ୍ଟମେନ୍ କୋଡ଼ାକ୍ କମ୍ପାନୀର ପ୍ରଧାନ ବ୍ୟବସାୟସ୍ଥଳୀ ଭାବରେ ଏହା ପୃଥିବୀର ସବୁ ଫଟୋ ବ୍ୟବସାୟୀଙ୍କଠାରେ ପରିଚିତ । ସିରାକ୍ୟୁସଠାରୁ ମୋଟେ ୮୬ ମାଇଲ ଦୂର । ସକାଳ ସାତଟା ସୁଦ୍ଧା ଆମ ବସ୍ ସେଠାରେ ପହଞ୍ଚିଯିବ ବୋଲି ଆଶା । ରୋଚେଷ୍ଟର ସହର ନିଉୟର୍କ ରାଜ୍ୟର ଏକ ବଡ଼ ସହର । ଲୋକସଂଖ୍ୟା ୩ ଲକ୍ଷରୁ କିଛି ଅଧିକ । ସହରଟିର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ । ଶହଶହ ଉଦ୍ୟାନ, ପାର୍କ, ଫୁଲ ବଗିଚାରେ ସହରଟି ପୂରିଯାଇଛି । ସେଥିପାଇଁ ଏହି ସହରଟିର ଆଉ ଏକ ନାମ ହେଉଛି ‘ପୁଷ୍ପନଗରୀ’ ବା ‘Flower City’ । ଫୁଲଗଛ ଚାରା ଉତ୍ପାଦନ ଓ ବିକ୍ରୀ ପାଇଁ ଏହି ସହରଟି ସାରା ଆମେରିକାରେ ପ୍ରସିଦ୍ଧ । ପୃଥିବୀର ବୃହତ୍ତମ କେମେରା ଓ ଫିଲ୍ମ ଉତ୍ପାଦନକାରୀ କେନ୍ଦ୍ର ଭାବରେ ଏହାକୁ ବଳିଗଲା ଭଳି ସହର ଆଉ କେଉଁଠି ନାହିଁ । ଏହାର ସେହି ଖ୍ୟାତି ଇଷ୍ଟମେନ୍ କୋଡ଼ାକ କମ୍ପାନୀ ଯୋଗୁଁ । ଇଷ୍ଟମେନ୍ କୋଡ଼ାକ କମ୍ପାନୀର ବିରାଟ କାରଖାନା ଓ ଅଫିସ ସହରର ଉତ୍ତର ପଟେ ଥିବା କୋଡ଼ାକ୍‌ପାର୍କ ଅଞ୍ଚଳରେ ଅବସ୍ଥିତ । ରୋଚେଷ୍ଟରର ସୁପ୍ରସିଦ୍ଧ ଜେନେସି ନଦୀ ଏହି ପାର୍କ ନିକଟରେ ବହିଯାଉଛି । କୋଡ଼ାକ କମ୍ପାନୀର କେମେରା ତିଆରି କାରଖାନା ଏହାଠାରୁ କିଛି ଦୂରରେ ଅବସ୍ଥିତ ।

 

କୋଡ଼ାକ କମ୍ପାନୀର ଜନ୍ମ ଆମେରିକାରେ ନୁହେଁ । ଏହାର ପ୍ରକୃତ ଜନ୍ମ ହେଉଛି ଇଉରୋପର ହଲାଣ୍ଡ ଦେଶରେ । ଏକ ଛୋଟ ଫଟୋଗ୍ରାଫି କମ୍ପାନୀ ଭାବରେ ଏହାର ଆରମ୍ଭ । ଜର୍ଜ ଇଷ୍ଟମେନ୍‌ ହେଉଛନ୍ତି ଜଣେ ମାର୍କିନ୍‌ ଅଧିବାସୀ । ତାଙ୍କ ଘର ହେଉଛି ଏହି ରୋଚେଷ୍ଟର ସହରରେ । ପିଲାଦିନୁ ଫଟୋଗ୍ରାଫି ଓ କେମେରା ପ୍ରତି ତାଙ୍କର ବଡ଼ ଆକର୍ଷଣ । ସେ ସବୁଠାରୁ ସରଳ ଓ ଶସ୍ତା ବାକ୍‌ସ କେମେରା ଉଦ୍ଭାବନ କରି ଲୋକପ୍ରିୟ ହୋଇଥିଲେ । ଜର୍ଜ ଇଷ୍ଟମେନ୍ ଓ କୋଡ଼ାକ କମ୍ପାନୀ ଉଭୟଙ୍କ ସହଯୋଗରେ ଏହି ବିରାଟ କମ୍ପାନୀର ସୃଷ୍ଟି । ଜର୍ଜ ଇଷ୍ଟମେନ୍ ତ ରୋଚେଷ୍ଟରର ଲୋକ, ତେଣୁ ତାଙ୍କ ସହଯୋଗରେ ପରିଚାଳିତ ଏହି କମ୍ପାନୀର ପ୍ରଧାନ କାରଖାନା ଓ କାର୍ଯ୍ୟାଳୟ ପ୍ରତିଷ୍ଠିତ ହେଲା ଏଇ ରୋଚେଷ୍ଟର ସହରରେ । କାଳକ୍ରମେ ଏହା ବଢ଼ି ବଢ଼ି ପୃଥିବୀର ବୃହତ୍ତମ ଫଟୋ ବ୍ୟବସାୟୀ ଭାବରେ ପ୍ରସିଦ୍ଧି ଲାଭ କରିଛି । ଫଟୋଗ୍ରାଫି ଜିନିଷ ଛଡ଼ା ନାନା ପ୍ରକାର ରାସାୟନିକ ପଦାର୍ଥ ଉତ୍ପାଦନରେ ଏହା ପୃଥିବୀରେ ଅଗ୍ରଗଣ୍ୟ । ଆଜି ଏହି କାରଖାନାରୁ ନାନା ପ୍ରକାର ରଙ୍ଗୀନ ଫିଲ୍ମ, ରଙ୍ଗୀନ ଚିତ୍ର ଓ ଚଳଚିତ୍ର ପାଇଁ ଯେତେ ପ୍ରକାର ରଙ୍ଗୀନ୍‌ ଫିଲ୍‌ମ ଓ ରଙ୍ଗୀନ ଛାପା କାଗଜ ତିଆରି ହେଉଛି । ପୃଥିବୀର ଆଉ କୌଣସି କାରଖାନାରେ ସେତେ ତିଆରି ହେଉନି । ଆମ ଦେଶରେ ଯେଉଁସବୁ ରଙ୍ଗୀନ୍ ଚଳଚିତ୍ର ତିଆରି ହେଉଛି ସେହି ଚଳଚିତ୍ରରୁ ଅଧିକାଂଶ ଏହି କାମ୍ପନୀଦ୍ଵାରା ତିଆରି । ଆମ ଦେଶର ଯେଉଁ‘ଇଷ୍ଟମେନ୍ କଲର’ ରଙ୍ଗୀନ୍ ଚଳଚିତ୍ରସବୁ ତିଆରି ହେଉଛି ସେହି ଫିଲ୍‌ମଗୁଡ଼ିକର ଜନ୍ମ ଏହି କାରଖାନାରୁ । ସ୍ତ୍ରୀଙ୍କୁ ରୋଚେଷ୍ଟର ସହରର ମାହାତ୍ମ୍ୟ ଏମିତି ଭାବରେ ବୁଝାଇ ଚାଲିଛି, ଆମ ବସ୍ ରୋଚେଷ୍ଟର ସହରର ପାଖେଇ ଆସିଲା । କେତେବେଳୁଁ ପୂର୍ବ ଦିଗରେ ସିନ୍ଦୁରା ଫାଟି ଫରଚା ହୋଇଗଲାଣି ମୋର ସେଆଡ଼କୁ ଖିଆଲ ନାହିଁ । ସୂର୍ଯ୍ୟ ଯେମିତି ଠିକ୍ ଉଇଁବା ଉପରେ । ପିଲାମାନେ ନିଦରୁ ଉଠିପଡ଼ିଲେ । ପରିସ୍ରା କରାଇବା ପାଇଁ ସ୍ତ୍ରୀ ସେମାନଙ୍କୁ ବସ୍ ଭିତରେ ଥିବା ବାଥ୍‌ରୁମ୍‌କୁ ନେଇଗଲେ । ବାଥ୍‌ରୁମ୍‌ରେ ଦାନ୍ତ ଘଷାଘଷି କାମ ମଧ୍ୟ ତୁଟାଇ ଦେବାକୁ ପଡ଼ିଲା । ବଡ଼ ଆଶ୍ଚର୍ଯ୍ୟର କଥା ଆମ ଛଡ଼ା ଆଉ କେହି ଦାନ୍ତ ଘଷିବାର ନାଁ ଧରିଲେ ନାହିଁ । ରୋଚେଷ୍ଟର ବସ୍ ଷ୍ଟେସନରେ ପ୍ରାତଃଭୋଜନ କରିବା କଥା । ଚାହୁଁଚାହୁଁ ବସ୍ ରୋଚେଷ୍ଟର ସହର ଭିତରେ ପ୍ରବେଶ କଲା । ସହରର ସୌନ୍ଦର୍ଯ୍ୟରେ ଆମେ ମୋହିତ ହୋଇପଡ଼ିଲୁ । ପୁଷ୍ପଭରା ସହରର ସୌନ୍ଦର୍ଯ୍ୟକୁ ଶତଗୁଣିତ କରୁଥାଏ ଉଇଁ ଆସୁଥିବା ସୂର୍ଯ୍ୟଙ୍କର ସୁନେଲି କିରଣ । ମନେ ହେଉଥାଏ ସତେ ଯେମିତି ରୋଚେଷ୍ଟର ସହରର ଘର, ବାଡ଼ି ବଗିଚା, ଗଛ ସବୁ କିଛି ସୁନାରେ ତିଆରି ।

 

ବସ୍ ଷ୍ଟେସନକୁ ଯିବା ପୂର୍ବରୁ ବାଟରେ ପଡ଼ିଲା ଜର୍ଜ ଇଷ୍ଟମେନଙ୍କ ବାସଭବନ । ଇଷ୍ଟମେନଙ୍କ ମୃତ୍ୟୁ ପରେ ଏହା ଏକ ବିରାଟ ଫଟୋଗ୍ରାଫି ମିଉଜିୟମରେ ପରିଣତ ହୋଇଛି । ଏଠାରେ ଫଟୋଗ୍ରାଫି ଚଳଚିତ୍ର, ରଙ୍ଗୀନ ଚଳଚିତ୍ର, ଫଟୋଗ୍ରାଫି ପ୍ରୋସେସିଂ ଆଦିର ଜୀବନ୍ତ ଚିତ୍ର ଲୋକମାନଙ୍କୁ ଦେଖାଇ ବୁଝାଇ ଦିଆଯାଏ ନାନା ପ୍ରକାର ଅଟୋମେଟିକ ମଡ଼େଲ ସାହାଯ୍ୟରେ ।

 

ଯିବାକୁ ଭାରି ଇଚ୍ଛା ଥିଲେହେଁ ନାଏଗ୍ରା ଜଳପ୍ରପାତର ଅଶ୍ରୁତ ଡାକ ଆମକୁ ଏଠାରେ ରହିବାକୁ ଦେଲାନି ।

 

ସହରର ସୌନ୍ଦର୍ଯ୍ୟରେ ଆତ୍ମହରା ହୋଇପଡ଼ିଲୁଁ । ସହରରେ ଜର୍ଜ ଇଷ୍ଟମେନ୍‌ଙ୍କ ବହୁ ଅକ୍ଷୟ କୀର୍ତ୍ତି ଚାରିଆଡ଼େ ଜାଜ୍ଜ୍ୱଲ୍ୟମାନ । ସତେ ଯେମିତି ରୋଚେଷ୍ଟର କହିଲାକ୍ଷଣି ଇଷ୍ଟମେନଙ୍କ କୀର୍ତ୍ତିକୁ ହିଁ ବୁଝାଉଛି । ରୋଚେଷ୍ଟର ଖାଲି କେବଳ ଇଷ୍ଟମେନ କୋଡ଼ାକ୍ କମ୍ପାନୀ ପାଇଁ ପ୍ରସିଦ୍ଧ ନୁହେଁ, ବାଉସ ଏଣ୍ଟ ଲୋମ୍ବ ଆଦି ପ୍ରସିଦ୍ଧ ବୈଜ୍ଞାନିକ ଯନ୍ତ୍ରପାତି କମ୍ପାନୀର କାରଖାନା ଏହି ସହରରେ ଅବସ୍ଥିତ । ବାଉସ୍ ଏଣ୍ଟ ଲୋମ୍ବ ପୃଥିବୀରେ ଏତେ ପ୍ରସିଦ୍ଧ କମ୍ପାନୀ ଯେ ଏହାର ସୂକ୍ଷ୍ମ ବୈଜ୍ଞାନିକ ଯନ୍ତ୍ରପାତି ପୃଥିବୀର ବହୁ ଛୋଟ ବଡ଼ ଗବେଷଣାଗାରରେ ଦେଖିବାକୁ ମିଳେ ।

 

ରୋଚେଷ୍ଟର ସହର ରୋଚେଷ୍ଟର ବିଶ୍ୱବିଦ୍ୟାଳୟ ରୋଚେଷ୍ଟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍‌ନୋଲୋଜି ପାଇଁ ପ୍ରସିଦ୍ଧ । ଆମ ପରିବାରରର ଜନୈକା ପରିଚିତା ବ୍ରେଣ୍ଡାଇସ୍ ବିଶ୍ଵବିଦ୍ୟାଳୟରୁ ପି; ଏଚ୍‌; ଡ଼ି. ଉପାଧି ପାଇଥିବା ଭାରତୀୟ ଝିଅ ସୁଦେଶ ଓ ତାଙ୍କ ସ୍ଵାମୀ ଏଇ ବିଶ୍ଵବିଦ୍ୟାଳୟରେ କାମ କରୁଥିଲେ । ଦେଖିବାକୁ ଆମର ଇଛା ଥିଲେହେଁ ସେମାନଙ୍କୁ ପୂର୍ବରୁ ଲେଖି ନ ଥିବାରୁ ସେମାନଙ୍କ ସହିତ ଭେଟ ହେବାର ସମ୍ଭାବନା ନ ଥାଏ ।

 

ରୋଚେଷ୍ଟରରେ କିଛି ସମୟ ବସ୍ ରହିଲା ପରେ ଏହା ଚାଲିଲା ବଫେଲୋ ସହର ଅଭିମୁଖେ । ରୋଚେଷ୍ଟରରୁ ନାଏଗ୍ରା ଜଳପ୍ରପାତ ଠାକୁ ଯିବା ପାଇଁ ସିଧାସଳଖ ରାସ୍ତା ଅଛି । କିନ୍ତୁ ଆମ ବସ୍ ଲସ୍ ଏନଜେଲେସ୍ ଯାଉଥିବାରୁ ଏହା ଆମକୁ ନାଏଗ୍ରା ଜଳପ୍ରପାତକୁ ନ ନେଇ ବଫେଲୋ ସହରଠାରେ ଓହ୍ଲାଇଦେଇ ଲସ୍ ଏନଜେଲେସ୍ ଅଭିମୁଖେ ଚାଲିଯିବ । ବଫେଲୋଠାରୁ ଆଉ ଏକ ବସ୍ ଧରି ଯିବାକୁ ହେବ ନାଏଗ୍ରା ଫଲ୍‌ସ ଅଭିମୁଖେ । ରୋଚେଷ୍ଟର ସହରଠାରୁ ବଫେଲୋ ସହର ପ୍ରାୟ ୭୦ ମାଇଲି ଦୂର । ଦିନ ନ’ଟା ସୁଦ୍ଧା ବଫେଲୋରେ ପହଞ୍ଚିବା ଆଶା ।

 

ବଫେଲୋ ସହର ନିଉୟର୍କ ରାଜ୍ୟର ଦ୍ଵିତୀୟ ବୃହତ୍ତମ ସହର । ଏହାର ସ୍ଥାନ ନିଉୟର୍କ ନଗରୀ ତଳକୁ । ଲୋକସଂଖ୍ୟା ୫ ଲକ୍ଷରୁ କିଛି ବେଶି । ଆମେରିକାର ବଡ଼ ବଡ଼ ଶିଳ୍ପନଗରୀ ଭିତରୁ ଏହା ଗୋଟିଏ ଓ ଏହା ମାର୍କିନ୍‌ ଜାତିର ଏକାଦଶ ବୃହତ୍ତମ ଶିଳ୍ପନଗରୀ । ଏହି ସହରଟି ନିଉୟର୍କ ରାଜ୍ୟର ହେଲେହେଁ ଏହା କାନାଡ଼ା ରାଜ୍ୟକୁ ଲାଗିଛି ପିସ୍ ବ୍ରିଜ୍ (ଶାନ୍ତିପୋଲ) ନାମକ ଏକ ପୋଲ ଦେଇ । ଆମେରିକାର ସୁବିଖ୍ୟାତ ପଞ୍ଚହ୍ରଦ ଭିତରୁ ଗୋଟିଏ ଏରି ହ୍ରଦ କୂଳରେ ଏହା ଅବସ୍ଥିତ । ଏହା ମଧ୍ୟ ଆମେରିକାର ଏକ ପ୍ରସିଦ୍ଧ ବନ୍ଦର । ଏଠାରୁ ବଡ଼ ବଡ଼ ଜାହାଜ ପଶ୍ଚିମରେ ଚିକାଗୋ, ମିଲୱାକି, ଡେଟ୍ରଇଟ୍, କ୍ଲିଭଲାଣ୍ଡ ପର୍ଯ୍ୟନ୍ତ ଯାଏ । ପୁର୍ବରେ ମଣ୍ଟ୍ରିଆନ୍ ଓ ଆଟଲାଣ୍ଟିକ୍ ମହାସାଗରକୁଳସ୍ଥ ବଡ଼ ବଡ଼ ବନ୍ଦରକୁ ଯିବା ଆସିବା କରେ । ଆମେରିକାର ବିରାଟ ବିରାଟ କୃଷିକ୍ଷେତ୍ର ଏହା ନିକଟରେ ଥିବାରୁ ଗହମାଦି ଶସ୍ୟ ରପ୍ତାନୀର ପ୍ରଧାନ କେନ୍ଦ୍ର ଭାବରେ ଏହା ପରିଚିତ । ସହରଟି ମଧ୍ୟ ପ୍ରଧାନ ଶିଳ୍ପକେନ୍ଦ୍ର । ଶହ ଶହ ପ୍ରକାର ଶିଳ୍ପ କାରଖାନାରେ ସହରଟି ପୁରି ଉଠିଛି । ବଫେଲୋ ଶିଳ୍ପବହୁଳ ସହର ହେଲେହେଁ ଏଥିରେ ଅସଂଖ୍ୟ ପାର୍କ ଓ ଉଦ୍ୟାନ ଅଛି । ଏରି ହ୍ରଦ କୂଳରେ ବହୁ ବିଚ୍ ରହିଛି । ଗ୍ରୀଷ୍ମଦିନେ ଏଠି ଜନସମାଗମର ଭିଡ଼ ଖୁବ୍ ପ୍ରବଳ ହୁଏ । ବଫେଲୋ ସହରରେ ବଫେଲୋ ବିଶ୍ଵବିଦ୍ୟାଳୟ ବ୍ୟତୀତ ବହୁ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ରହିଛି । ଅସଂଖ୍ୟ ମିଉଜିୟମ, ଆର୍ଟ ଗ୍ୟାଲେରୀ, ଚିଡ଼ିଆଖାନା ଆଦିରେ ସହରଟି ଭରପୁର ।

 

ବଫେଲୋ ସହରରେ ଆମ ବସ୍ ପହଞ୍ଚିଲାବେଳକୁ ସକାଳ ନ’ଟା ହୋଇଗଲାଣି । ବସରୁ ଓହ୍ଲାଇ ବସ୍ ଷ୍ଟେସନରେ କିଛି ସମୟ ଅପେକ୍ଷା କରିବା ପରେ ନାଏଗ୍ରା ଫଲ୍‍ସ ସହରକୁ ଯିବା ପାଇଁ ବସ୍ ଆସିଲା । ବଫେଲୋଠାରୁ ନାଏଗ୍ରା ଫଲ୍‍ସ ସହର ମୋଟେ କୋଡ଼ିଏ ମାଇଲ ଦୂର । ଆମେରିକାରେ ନାଏଗ୍ରା ସହର ଦୁଇଟି । ଗୋଟିଏ ହେଉଛି କାନାଡ଼ାରେ ଓ ଅନ୍ୟଟି ଯୁକ୍ତରାଷ୍ଟ୍ରରେ । ଦୁଇଟିଯାକ ସହର ଯଥାକ୍ରମେ କାନାଡ଼ିଆନ୍‌ ପ୍ରପାତ ଓ ଆମେରିକାନ୍‌ ପ୍ରପାତକୁ ଲାଗି ଗଢ଼ିଉଠିଛି ଓ ନାଏଗ୍ରା ନଦୀର ଦୁଇ ପାର୍ଶ୍ୱରେ ବିଦ୍ୟମାନ । ସବିଖ୍ୟାତ ରେନ୍‌ବୋ ବ୍ରିଜ୍‌ଦ୍ୱାରା ଏ ଦୁଇଟିଯାକ ସହର ପରସ୍ପର ସହିତ ସଂପୃକ୍ତ । ଆମର ଆମେରିକାନ ପାଖ ନାଏଗ୍ରା ଫଲ୍‍ସ ସହରରେ ରହିବା ପାଇଁ ହୋଟେଲ ରିଜର୍ଭ ହୋଇଥାଏ । ଦିନକ ପାଇଁ କାନାଡ଼ିଆନ୍ ନାଏଗ୍ରା ଫଲ୍‍ସ ସହରକୁ ଯାଇ ବୁଲି ଆସିବା ଠିକ୍ ହୋଇଥାଏ । ସକାଳ ଦଶଟା ସୁଦ୍ଧା ନାଏଗ୍ରା ଫଲ୍‍ସ ସହରରେ ପହଞ୍ଚିବୁ ବୋଲି ଆମକୁ ଜଣାଇ ଦିଆଗଲା ।

 

ନାଏଗ୍ରା ଫଲ୍‍ସ ସହରରେ ବସ୍ ପ୍ରବେଶ କରିବା ପୂର୍ବରୁ ଆମେ ନାଏଗ୍ରା ପ୍ରପାତର ଘୋର ଘର୍ଘର ଶବ୍ଦ ଶୁଣିବାକୁ ପାଇଲୁ । ଜଳପ୍ରପାତରୁ ଉତଥିତ ଅସଂଖ୍ୟ ଜଳକଣା ଆକାଶରେ କୁଣ୍ଡଳୀକୃତ ମେଘ ସଦୃଶ ଦୂରକୁ ପ୍ରତୀୟମାନ ହେଉଥାଏ । ବସରେ ଗଲାବେଳେ ଚକ୍ରବାଳରେ ଏହି ଦୃଶ୍ୟକୁ ଆମର ସହଯାତ୍ରୀ ଓ ସହଯାତ୍ରୀଣୀମାନେ ଆମକୁ ଦେଖାଇ ଦେଉଥାନ୍ତି ।

 

ନାଏଗ୍ରା ଫଲ୍‍ସ ବସ ଷ୍ଟେସନରେ ଓହ୍ଲାଇ ଗୋଟିଏ ଟ୍ୟାକ୍‍ସି କରି ଆମ ପାଇଁ ନିର୍ଦ୍ଦିଷ୍ଟ ଥିବା ହୋଟେଲକୁ ଗଲୁଁ । ହୋଟେଲରେ ପହଞ୍ଚିଲା କ୍ଷଣି ହୋଟେଲର ସ୍ୱାଗତକାରିଣୀ ଆମକୁ ପାଛୋଟି ନେଇଗଲେ, ସତେ ଯେମିତି ଆମେ ସେମାନଙ୍କର ଅତି ପରିଚିତ ବନ୍ଧୁ, ବହୁଦିନ ହେଲା ସେମାନଙ୍କ ଦୁଆରକୁ ଆସିନୁ । ଅଫିସରେ ପହଞ୍ଚିଲାକ୍ଷଣି ସଙ୍ଗେ ସଙ୍ଗେ ଆମ ପାଇଁ ନିର୍ଦ୍ଧିଷ୍ଟ କୋଠରୀକୁ ଘେନିଗଲେ । ଆମ ପାଇଁ ବିରାଟ ବିରାଟ ଦୁଇଟି ଶୟନ କୋଠରୀ । ସେଥି ସହିତ ବାଥରୁମ ଲାଗି ରହିଛି । କୋଠରୀ ଦୁଇଟିର ସାଜସଜ୍ଜା, ଆସବାପତ୍ର ଅତି ଉଚ୍ଚକୋଟୀର । ହୋଟେଲଟି ଆମେରିକାନ ଫସଲଠାରୁ ଅଳ୍ପ ଦୂରରେ । ତିନି ମହଲାରୁ ନାଏଗ୍ରା ଫଲ୍‍ସର ଅବଜର୍‌ଭେସନ ଟାୱାର ବେଶ ସ୍ପଷ୍ଟ ଦେଖାଯାଉଥାଏ ।

 

ହୋଟେଲରେ ସ୍ନାନାଦି ନିତ୍ୟକର୍ମ ଶେଷକରି ନିକଟବର୍ତ୍ତୀ ରେଷ୍ଟୁରେଣ୍ଟକୁ ଗଲୁ ଖାଇବା ପାଇଁ । ରେଷ୍ଟୁରେଣ୍ଟରେ ଆମେରିକା ରୀତିରେ ଖାଇବା ହେଲେହେଁ ପରିଚାରିକା ଆମ ବରାଦ ମୁତାବକ କୁକୁଡ଼ା ଅଣ୍ତା ଆମଲେଟ, କୁକୁଡ଼ା ମାଂସ ରୋଷ୍ଟ, ଫ୍ରେଞ୍ଚ ପ୍ରାଏଡ଼ ପଟାଟୋ, ସାଲାଡ଼, ଟୋଷ୍ଟ, କିଛି ସିଝା ତରକାରି ଆଣି ଆମ ଟେବଲ ଉପରେ ଥୋଇଦେଇଗଲା । ଘରୁ ବାହାରକୁ ଗଲେ ଆମର କେତୋଟି ଧରାବନ୍ଧା ଖାଦ୍ୟ ଥାଏ । ସେହି ଖାଦ୍ୟଠାରୁ ବାହାରକୁ ଆମେ ପ୍ରାୟ ଯାଉନି । ଠାଏ ଠାଏ କୁକୁଡ଼ା ଅଣ୍ଡା ଆମଲେଟ କରିବାକୁ ଅସୁବିଧା ହେଲେ କୁକୁଡ଼ା ଅଣ୍ଡା ପୋଚ କି ସ୍କ୍ରେମ୍ବଲ୍‌ଡ ଅଣ୍ଡାର ବରାଦ ଦେଉ । ତେଣୁ ଉଦର ପୂରଣରେ ଅସୁବିଧା ହୁଏନି । କାଳେ କେଉଁଠାରେ ଗୋମାଂସ କିମ୍ବା ଘୁଷୁରି ମାଂସର ପରଷ । ଭୁଲରେ ହୋଇଯିବ, ଆମେ ସେ ଆଡ଼କୁ ନଜର ଦେଇ ରୋଷ୍ଟେଡ଼ ଚିକ୍‌ନ ଠାରୁ ଦୂରକୁ ଯାଉନି । ବେଳେ ବେଳେ ପରିଚାରିକାମାନେ ଆମ ଖାଦ୍ୟତାଲିକା ଦେଖି ତଟସ୍ଥ ହୁଅନ୍ତି । ଅନ୍ୟମାନେ ରୋଷ୍ଟେଡ଼ ବିଫ (ଗୋମାଂସ), ବେକନ, ଷ୍ଟିକ ଖାଉଥିଲାବେଳେ ଆମର ତଥାକଥିତ ନିରାମିଷ ଖାଦ୍ୟ ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହିପାରନ୍ତିନି ।

 

ନାଏଗ୍ରା ଜଳପ୍ରପାତର ଦୁଇଟିଯାକ ଅଂଶରେ (ଆମେରିକାନ ଓ କାନାଡ଼ିଆନ) ବହୁ ଦେଖିବାର ଜିନିଷ ରହିଛି । ୱାଲଥାମ ସହର ଛାଡ଼ିବା ପୂର୍ବରୁ ଆମେ ସେ ସବୁ କାହାପରେ କାହାକୁ ଦେଖିବୁ ଏକ ପ୍ରୋଗ୍ରାମ କରିଥାଉଁ । ହୋଟେଲରୁ ବାହାରିଲାବେଳେ ଆମେ ସେହି ପ୍ରୋଗ୍ରାମଟି ସଙ୍ଗରେ ନେବାକୁ ଭୁଲି ନ ଥାଉଁ । ହୋଟେଲରୁ ବାହାରି ପ୍ରଥମେ ପ୍ରସପେକ୍ଟ ଏଭିନିଉ ଦେଇ ଆମେରିକାନ ଫଲ୍‌ସ ନିକଟକୁ ଗଲୁ । ନାଏଗ୍ରା ନଦୀ କୂଳରେ ନାଏଗ୍ରା ଜଳ ପ୍ରପାତକୁ ଭଲ ଭାବରେ ଦେଖିବା ପାଇଁ ପ୍ରସପେକ୍ଟ ପଏଣ୍ଟ ଅବଜରଭେସନ ଟାୱାରକୁ ଡାହାଣ ପାଖରେ ରଖି ଆମେ ଆମେରିକାନ ଫଲ୍‍ସର ଖୁବ ପାଖେଇ ଆସିଲୁ । କି ମନୋରମ ସେ ଦୃଶ୍ୟ !! ନାଏଗ୍ରା ନଦୀର ଅତି ସ୍ୱଚ୍ଛ ନୀର ଏକ ଭୀମ କରାଳ ରୂପରେ ତଳକୁ ଖସିପଡ଼ୁଛି କାଳଭୈରବ ଶଦ୍ଦରେ । ସେହି ଦୃଶ୍ୟକୁ ଦେଖି ଆମେ ଚକିତ ହୋଇପଡ଼ିଲୁଁ । ଜଳପ୍ରପାତର ତଳୁ ଉପରକୁ ଉଠୁଥିବା ଜଳକଣା ମେଘ ସଦୃଶ ଉପରକୁ ଉଠୁଥାଏ । ଜଳପ୍ରପାତ ତଳୁ ବହି ଯାଉଥିବା ନାଏଗ୍ରା ନଦୀର ଜଲ ଫେନିଳପୂର୍ଣ୍ଣ ଶ୍ୱେତ ଶୁଭ ରୂପରେ ଅନିର୍ବଚନୀୟ ଶୋଭା ଧାରଣା କରିଥାଏ । ଦେଖିଲେ ଯେ କୌଣସି ଲୋକର ମନ ଆନନ୍ଦରେ ଉଛୁଳି ଉଠିବ । ନାଏଗ୍ରା ଜଳପ୍ରପାତର ସେହି ସୌନ୍ଦର୍ଯକୁ ସବୁଦିନ ସକାଳେ ବାନ୍ଧିରଖିବା ପାଇଁ ଆମ ହାତରେ ଥିବା କ୍ୟାମେରାରେ ଆବଦ୍ଧ କରିବାକୁ ଭୁଲିଲୁନି ।

 

ନାଏଗ୍ରା ଜଳପ୍ରପାତର ସେହିଠାରୁ ଗୋଟିଏ ଛୋଟ ରେଳଗାଡ଼ି ସଦୃଶ ଡବାକୁ ଡବା ଲାଗିଥିବା ରେଳଗାଡ଼ିଟିଏ ନାଏଗ୍ରା ନଦୀର ମଧ୍ୟ ଭାଗରେ ଗୋଟ ଆୟଲାଣ୍ତକୁ ଯାଏ । ତେଣୁ ଆମେ ସେଠୁ ଗୋଟ୍‌ ଆୟଲାଣ୍ତକୁ ଯିବା ପାଇଁ ଟିକଟ କରି ସେହି ଗାଡ଼ିରେ ବସିଲୁଁ । ଗାଡ଼ିରେ ବସିବା ପାଇଁ ପିଲାମାନଙ୍କର ବିଶେଷତଃ ପୁଅ ବାବୁଲିର କି ଖୁସି !! ଏହି ରେଳଗାଡ଼ିଟି ଗୋଟ୍‌ ଆୟଲାଣ୍ତର ନାନା ପ୍ରକାର ମନୋରମ ଦୃଶ୍ୟ ଭିତରେ ବୁଲାଇ ବୁଲାଇ ଆମକୁ ଗୋଟ୍‌ ଆୟଲାଣ୍ତର ଆର ପାଖରେ ଥିବା କାନାଡ଼ିଆନ୍‌ ଫଲ୍‌ସ ପାଖକୁ ନେଲା । ଆମେ ଗାଡ଼ିରୁ ଓହ୍ଲାଇ କାନାଡ଼ିଆନ୍‌ ଫଲ୍‌ସ ନିକଟକୁ ଗଲୁଁ । ଗୋଟ୍‌ ଆୟଲାଣ୍ତରୁ କାନାଡ଼ିଆନ୍‌ ଫଲ୍‌ସର ଦୃଶ୍ୟ ଅତି ମନୋରମ । ଆମେ ସେଠାକୁ ଗଲାବେଳେ ଗୋଟିଏ ଭାରତୀୟ ପରିବାର ସହିତ ଦେଖାହେଲା । ସେମାନେ ବମ୍ବେ ପ୍ରଦେଶର ଲୋକ । ଚେହେରାରୁ ମହାରାଷ୍ଟ୍ରର ଲୋକ ଭଳି ଜଣା ପଡ଼ୁଥାନ୍ତି । ସେମାନେ ଆମ ଭଳି ଆମେରିକାରେ ରହିଥାନ୍ତି । ଅଳ୍ପ କେଇଦିନ ପରେ ଭାରତ ଫେରିବେ ବୋଲି ନାଏଗ୍ରା ଫଲ୍‌ସ ପରିଦର୍ଶନରେ ଆସିଥାନ୍ତି । ସେମାନଙ୍କ ସହିତ କିଛି ସମୟ କଥାଭାଷା ପରେ ଆମେ କାନାଡ଼ିଆନ୍‌ ଫଲ୍‌ସ ଦେଖି ଫେରିଲୁଁ । ଗୋଟ୍‌ ଆୟଲାଣ୍ଡରୁ ବିଦାୟ ନେବା ପୂର୍ବରୁ ଗୋଟ୍‍ଆୟଲାଣ୍ଡର ସବୁଠୁ ଚିତ୍ତାକର୍ଷକ ଅଂଶ କେଭ୍‌ ଅଫ୍‌ ଡି ଉଇଣ୍ଡସ (Cave of the Winds) ଦେଖିବାକୁ ଭୁଲିଲୁନି ।

 

କେଭ ଅଫ୍‍ ଦି ଉଇଣ୍ତସ୍‌ ନାଏଗ୍ରା ଫଲ୍‍ସର ଏକ ଦର୍ଶନୀୟ ବସ୍ତୁ । ଯେଉଁମାନେ ନାଏଗ୍ରା ଫଲ୍‌ସ ଦେଖିବାକୁ ଯାଆନ୍ତି, କେହି ଏହାକୁ ନଦେଖି ଫେରନ୍ତିନି । ଗୋଟ୍‍ଆୟଲାଣ୍ଡରୁ ଭୂଇଁକୁ ଫୁଟାଇ ବିରାଟ ସୁଡ଼ଙ୍ଗ କରାଯାଇ ଆମେରିକାନ୍‌ ଫଲ୍‌ସର ଠିକ୍‌ ତଳକୁ ସୁଡ଼ଙ୍ଗଟିକୁ ନିଆଯାଇଛି । ଠିକ୍‌ ଜଳପ୍ରପାତର ତଳେ ଜଳପ୍ରପାତର ଯେଉଁ ଭୀମ କରାଳ ଦୃଶ୍ୟ, ତାକୁ ଦର୍ଶକମାନଙ୍କୁ ଦେଖାଇବା ପାଇଁ ଏହି ସୁଡ଼ଙ୍ଗର ସୃଷ୍ଟି । ଏହି ସ୍ଥାନଟି ଏତେ ଭୟସଙ୍କୁଳ ଯେ ଛୋଟ ଛୋଟ ପିଲାମାନଙ୍କୁ ଦେଖିବା ପାଇଁ ଛଡ଼ା ଯାଏନି । ପୁଅ ବାବୁଲିକୁ କର୍ତ୍ତୁପକ୍ଷମାନେ ନ ଛାଡ଼ିବାରୁ ସ୍ତ୍ରୀ ଝିଅ ଓ ବାବୁଲି ପାଇଁ ଅଟକି ରହିଲେ । ମୁଁ ଏକା ଗଲି । ଟିକଟ କାଟିବାକୁ ପଡ଼ିଲା ୬ ଟଙ୍କା ଦେଇ । ଲୁଗାପଟା ଜଳପ୍ରପାତର ଜଳକଣାରେ ଓଦା ହୋଇଯିବ ବୋଲି ସେମାନେ ହଳଦିଆ ରଙ୍ଗର ଏକ ରବର ପୋଷାକୁ ଦେଲେ, ପିନ୍ଧ ଆମ ଦେହସାରାକୁ ଘୋଡ଼ାଇ ରଖିବା ପାଇଁ । ଅନ୍ୟାନ୍ୟ ବହୁ ଯୁବକ ଯୁବତୀଙ୍କ ମେଳରେ ଲିଫ୍‌ଟ ସାହାଯ୍ୟରେ ଭୂଇଁ ତଳକୁ ଗଲି । ସେମାନଙ୍କ ଚେହେରା ଓ ହାତ ଛନ୍ଦାଛନ୍ଦିରୁ ଜଣା ଯାଉଥାଏ ସେମାନଙ୍କ ଭିତରୁ ଢେର ନବବିବାହିତ ଦମ୍ପତି । ମଧୁର ମଧୁଶଯ୍ୟାର ମିଳନ ମୁହୂର୍ତ୍ତ ଉପଭୋଗ କରିବା ପାଇଁ ସେମାନଙ୍କ ଭିତରୁ ଏଠାକୁ କେତେକ ଦୌଡ଼ି ଆସିଥାନ୍ତି । ସେଠାରୁ ମୁଁ ସେମାନଙ୍କ ମେଳରେ ଏକ ସୁଡ଼ଙ୍ଗ ଦେଇ ଠିକ୍‌ ନଈତଳେ ଜଳପ୍ରପାତ ନିକଟରେ ପହଞ୍ଚିଲା । ପାଣି ଯେଉଁଠାରେ ପଡ଼ୁଛି ସେଠାରେ କାଠର ପାହାଚ ହୋଇଛି-। ଆମ ସମସ୍ତଙ୍କୁ ଜଣେ ଗାଇଡ୍‌ ଜଳପ୍ରପାତର ଠିକ୍‌ ତଳକୁ ନେଇଗଲେ । ଜଳପ୍ରପାତର ଠିକ୍‌ ତଳେ ଯେଉଁ ହରିକେନ୍‌ ଡେକ୍‌ ଥାଏ ସେହି ଡେକ୍‌ଠାରେ ପହଞ୍ଚିଲାବେଳକୁ ଏକ ଅପୂର୍ବ ଅନୁଭୂତିରେ ମୋ ଦେହ ଶୀତେଇ ଉଠିଲା । କି ଭୀମ କରାଳ ସେ ଦୃଶ୍ୟ !! ଆମ ମୁଣ୍ଡଠାରୁ ମାତ୍ର ୨/୩ ଫୁଟ ଦୂରରେ ନାଏଗ୍ରା ନଦୀର ବିରାଟ ଜଳରାଶି ୧୬୬ ଫୁଟ ଉଚ୍ଚରୁ ତଳକୁ ଖସିପଡ଼ୁଛି-। ସେଥିରୁ ଉତ୍‌ଥିତ ବିରାଟ ଜଳକଣା ଭିତରେ ରହି ଆମକୁ ଏମିତି ଭୟ ଲାଗୁଥାଏ ଯେ ପ୍ରଳୟର ପହିଲି ସଙ୍କେତ ପରି ବୋଧ ହେଉଥାଏ । ପାଣି ଛିଟିକି ଆମ ମୁହଁ, ନାକ ସବୁ ବନ୍ଦହୋଇ ଯାଉଥାଏ । ଜଳକଣା ସଙ୍ଗେ ଝଡ଼ ବତାସ ସବୁକିଛିର ଉତ୍ପାତ ସେଇଠି । ଜଳପ୍ରପାତର ଉପରକୁ ଅନାଇଲେ ଦିଶୁଥାଏ ସତେ ଯେମିତି ପ୍ରପାତଟା ଖସିପଡ଼ି ଆମ ଘରକୁ ମାଡ଼ି ଆସୁଛି । ହରିକେନ୍‌ ଡେକ୍‌ରୁ ଯେଉଁ ଆଡ଼କୁ ଅନାଇବ, ଶତ ଇନ୍ଦ୍ରଧନୁର ଅପୂର୍ବ ଶୋଭାରେ ବିଭୋର ହୋଇ ପଡ଼ିବ-। ଆମେରିକାନ୍‌ ଯୁବକ ଯୁବତୀମାନେ ହରିକେନ୍‌ ଡେକ୍‌ରେ ଏତେ ବିଭୋର ହୋଇ ପଡ଼ୁଥାନ୍ତି ଯେ ପରସ୍ପରକୁ କୁଣ୍ଢାକୁଣ୍ଢି ନ ହୋଇ ରହି ପାରୁ ନ ଥାନ୍ତି । କିନ୍ତୁ ଉପରେ ଆମ ପିଲାପିଲିଙ୍କ କାନ୍ଦଣା କହିଲେ ନ ସରେ । ଫେରି ଆସି ଶୁଣିଲି ଆମେ ଯେତେବେଳେ ହରିକେନ୍‌ ଡେକ୍‌ରେ ଏପାଖ ସେପାଖ ହେଉଥାଉଁ ସ୍ତ୍ରୀ ଓ ପିଲାମାନେ ଜଳପ୍ରପାତର ଉପରେ ଠିଆ ହୋଇ ଆମକୁ ଲକ୍ଷ୍ୟ କରୁଥାନ୍ତି । ଆମେ ସବୁ ହଳଦିଆ ପୋଷାକ ପିନ୍ଧି ସେହି ଡେକ୍‌ ଉପରେ ଯେମିତି ଏପାଖ ସେପାଖ ହେଉଥାଉଁ । ମତେ ଏପରି ବିପଦସଙ୍କୁଳ ସ୍ଥାନରେ ଦେଖି ସ୍ତ୍ରୀ ଓ ପିଲାମାନେ ଯେ ଭୟରେ ଇତସ୍ତତଃ ହୋଇପଡ଼ୁଥିଲେ, ମୁଁ କିମିତି ନିରାପଦରେ ଫେରିଆସିବି ସେଥିପାଇଁ କେତେ ଠାକୁର ଠାକୁରାଣୀଙ୍କୁ ଡାକିଛନ୍ତି ସେ କଥା ପରେ ଶୁଣିବାକୁ ପାଇଲି । ଏହି ହେଲା ଆମ ଓଡ଼ିଆ ଘରଣୀଙ୍କ ସାହସିକତା ! ଶହ ଶହ ମାର୍କିନ ଯୁବକ ଯୁବତୀ ଯାଇ ସେଠି ଆନନ୍ଦରେ ଉଲୁମି ଉଠୁଥିଲାବେଳେ ଆମ ସ୍ତ୍ରୀଲୋକେ ଭୟରେ ଜୁଡ଼ୁସୁଡ଼ୁ ହେବା ଆମ ସାହାସିକତାର କେତେ ଅଭାବ, ମୁଁ ସେହିଦିନ ହୋଟେଲକୁ ଫେରିଲା ପରେ ସ୍ତ୍ରୀଙ୍କ କଥାରୁ ଜାଣିଲି । ସେ ଆହୁରି କହୁଥିଲେ, ଯଦି ସେ ଜାଣିଥାନ୍ତେ ଯେ କେଭ୍‌ ଅଫ୍‍ ଡି ଉଇଣ୍ଡସ୍‌ ଏତେ ବିପଦସଙ୍କୁଳ ସ୍ଥାନ ତେବେ ସେ ମତେ ସେଠାକୁ ଦେଖିବାକୁ ଛାଡ଼ି ନ ଥାନ୍ତେ । ସେ ମଧ୍ୟ ଆହୁରି ସୂଚାଇବାକୁ ଭୁଲି ନ ଥିଲେ ଯେ ସେ ଯଦି ମୋ ସହିତ ଯାଇଥାନ୍ତେ ତେବେ ହରିକେନ ଡେକ୍‍ ଉପରେ ତାଙ୍କ ଜୀବନବାୟୁ ଉଡ଼ିଯାଇ ଥାଆନ୍ତା-। ମନେ ମନେ ଭାବିଲି, ଧନ୍ୟ ଆମ ସ୍ତ୍ରୀ ଜାତି !! ଧନ୍ୟ ସେମାନଙ୍କ ସାହସିକତା !!

 

କେଭ୍‍ ଅଫ୍‍ ଦି ଉଇଣ୍ତସରୁ ଫେରି ଆମେ ପୁଣି ସେହି ଟ୍ରେନରେ ଗୋଟ୍‍ଆୟଲାଣ୍ତର ବିଭିନ୍ନ ସ୍ଥାନ ବୁଲି ‘‘ପ୍ରସପେକ୍ଟ ପଏଣ୍ଟ ଅବଜର୍‌ଭେସନ’’ ଟାୱାର ନିକଟକୁ ଫେରିଆସିଲୁ । ଏଥର ଆମେ ନଦୀ ଆରପାଖ କାନାଡ଼ାକୁ ଯିବାକୁ ବାହାରିଲୁଁ । କାନାଡ଼ାକୁ ଯିବା ପୁର୍ବରୁ ନିକଟବର୍ତ୍ତୀ ପ୍ରସପେକ୍ଟ ପାର୍କରେ ମଧ୍ୟାହ୍ନ ଭୋଜନ ସମାପ୍ତ କରିବା ଠିକ୍‌ ହେଲା । ଆମ ମଧ୍ୟାହ୍ନ ଭୋଜନ ପାଇଁ ସ୍ତ୍ରୀ ହୋଟେଲରୁ ଖାଦ୍ୟପଦାର୍ଥ ସଙ୍ଗରେ ଧରି ଆସିଥିଲେ । କେକ, ବିସ୍କୁଟ, ସେଓ, କଦଳୀ, ଅଙ୍ଗୁର, କୋକାକୋଲା ଆଦିର ସଦ୍‍ବ୍ୟବହାର କରି ସେଦିନର ମଧ୍ୟାହ୍ନ ଭୋଜନ ଶେଷ କରିବାକୁ ପଡ଼ିଲା । ବେଶି ପେଟପୂରା ଖାଇଦେଲେ ଆମ ଯିବାଆସିବା ଓ ବୁଲାବୁଲିରେ ବ୍ୟାଘାତ ଘଟିବ ବୋଲି ଆମେ ଏହି ସ୍ଵଳ୍ପାହାର କରିବା ପାଇଁ ଆଗରୁ ଠିକ କରିଥିଲୁଁ ।

 

ଏଥର ଆମେ ଚାଲିଲୁଁ ନିକଟବର୍ତ୍ତୀ ‘ରେନବୋ ପୋଲ’ ଅଭିମୁଖେ । ଏହି ପୋଲଟି ନାଏଗ୍ରା ନଦୀ ଉପରେ ଅବସ୍ଥିତ । ଏହି ପୋଲଟି ଯୁକ୍ତରାଷ୍ଟ୍ର ସହିତ କାନାଡ଼ାକୁ ସଂଯୁକ୍ତ କରୁଛି । ବଡ଼ ବିଚିତ୍ର ଏଇ ପୋଲଟି । ଏହି ପୋଲର ଅଧା ଯୁକ୍ତରାଷ୍ଟ୍ର ସରକାରଙ୍କର ଓ ଅନ୍ୟ ଅଧକ କାନାଡ଼ା ସରକାରଙ୍କର । ପୋଲର ଠିକ ମଝିରେ ଦୁଇଟି ପତାକା ଉଡ଼ୁଛି, ପାଖକୁ ପାଖ ଲଗାଲଗି ହୋଇ । ଏପାଖ ପତାକା ଯୁକ୍ତରାଷ୍ଟ୍ରର, ସେପାଖ ପତାକା କାନାଡ଼ାର । ପୋଲର ଦୁଇପାଖରେ ଦୁଇ ସରକାରଙ୍କର ପାସପୋର୍ଟ ଓ ଭିସା ଅଫିସ । କାନାଡ଼ାକୁ ଯିବାକୁ ହେଲେ ଯୁକ୍ତରାଷ୍ଟ୍ରର ଅଫିସ୍‌ଦେଇ ଯିବାକୁ ହୁଏ । ସେଠାରେ ପାସପୋର୍ଟ, ଭିସା ଆଦି ଦେଖାଇଲେ ସେମାନେ ଆରପାଖକୁ ଛାଡନ୍ତି । ସେମାନେ ଯିବାକୁ ଅନୁମତି ଦେଲେ ପୋଲ ଟପି କାନାଡ଼ା ଅଫିସକୁ ଯିବାକୁ ପଡ଼େ । ଯୁକ୍ତରାଷ୍ଟ୍ର ସରକାର ଆମକୁ ଯେଉଁ ଅନୁମତି ଦେଲେ ସେଥିରେ ଆମେ ଚବିଶ ଘଣ୍ଟା ଭିତରେ କାନାଡ଼ାରୁ ଫେରି ଆସିବାର କଥା । ନ ଆସିଲେ ବହୁତ ଗୋଳମାଳ ହେବ । ସେହି ଅନୁମତିପତ୍ର ନେଇ ପୋଲ ଆରପାଖକୁ ଗଲୁ ଓ ସେଠାରେ ଥିବା କାନାଡ଼ା ଅଫିସରେ ଆମ କାଗଜପତ୍ର ଦେଖାଇ କାନାଡ଼ାରେ ଦିନଟିଏ ରହିବା ପାଇଁ ଅନୁମତି ପାଇଲୁ । କାନାଡ଼ା ପାସପୋର୍ଟ, ଭିସା ଅଫିସରୁ କାମ ତୁଟାଇ ସିଧାସଳଖ ଚାଲିଲୁଁ ନିକଟବର୍ତ୍ତୀ ‘କୁଇନ ଭିକ୍ଟୋରିଆ’ ଉଦ୍ୟାନ ଅଭିମୁଖେ । ସେହି ଉଦ୍ୟାନରୁ ଆମେରିକାନ ଫଲ୍‍ସ ଅତି ସୁନ୍ଦର ଦିଶେ । ଆମେରିକାନ୍‌ ଫଲସ୍‌ର ଠିକ ସାମନା ସାମନି ହେଉଛି ଏହି ମହାରାଣୀ ଭିକ୍ଟୋରିଆ ଉଦ୍ୟାନ । ଅସଂଖ୍ୟ ଜାତିର ପତ୍ର ପୁଷ୍ପରେ ଉଦ୍ୟାନଟି ପୁରିଯାଇଛି । ପତ୍ର ପୁଷ୍ପରେ ଏମିତି ନିଘଞ୍ଚ କୁଞ୍ଜ ହୋଇଛି ଯେ ଜଣେ ସେଠି ବସିଲେ ଭୋକଶୋଷ ଭୁଲିଯିବ । ମନେହେବ ସତେ ଯେମିତି ସେ ସ୍ଵର୍ଗର ନନ୍ଦନକାନନରେ ବସିଛି । ଏହି ଉଦ୍ୟାନଟି ଆକାରରେ ବେଶ୍‌ ବିରାଟ । ପ୍ରାୟ ୧୯୬ ଏକର ପରିମିତ ସ୍ଥାନ ଦଖଲ କରିଛି । ନାଏଗ୍ରା ନଦୀର କୂଳେ କୂଳେ ଏହା ଲମ୍ବ ଯାଇଛି । ଉଦ୍ୟାନ ଭିତରେ ବହୁ ରେଷ୍ଟୁରାଣ୍ଟ ଅଛି । ସ୍ଥାନେ ସ୍ଥାନେ ଥଣ୍ଡା ପିଇବା ପାଣିର ପାଇପ୍‌ ମଧ୍ୟ ଅଛି । ଉଦ୍ୟାନରେ କିଛି ସମୟ ପୁଷ୍ପରେଣୁ ସମାକୀର୍ଣ୍ଣ ସ୍ନିଗଧ ସମୀରଣ ସେବନ କରି କାନାଡ଼ାର ‘ହର୍ସସୁ’ ଫଲ୍‌ସ ଦେଖିବା ଉଦ୍ଦେଶ୍ୟରେ ଆଗେଇଲୁଁ । ହର୍ସସୁ ଫଲ୍‌ସ ପାଖରେ ଦିଶୁଥିଲେ ହେଁ ନଇ କୂଳେ କୂଳେ ଢେର୍‌ବାଟ ଚାଲିବାକୁ ପଡ଼ିଲା । ଆମେ ହର୍ସସୁ ଫଲ୍‍ସକୁ ଅନାଇ ସେଇଆଡ଼େ ଚାଲିଛୁ ପୁଅ ବାବୁଲି ପାଟିକରି ଉଠିଲା-ବାପା ! ଘୋଡ଼ା ଗାଡ଼ି !! ବାପା ! ଘୋଡ଼ା ଗାଡ଼ି !! ଆମେ ଡାହାଣ ପାଖକୁ ଅନାଇଦେଲାବେଳକୁ କେତେଗୁଡ଼ିଏ ଘୋଡ଼ା ଗାଡ଼ି ଧାଡ଼ି ବାନ୍ଧି ଠିଆହୋଇ ରହିଛି । କେତେ ଆମେରିକାନ୍‌ ଯୁବକ ଯୁବତୀ ସେହି ଘୋଡ଼ାଗାଡ଼ିରେ ଯେ ବୁଲିବାକୁ ଯାଉଥାନ୍ତି, ତା’ର ଇୟତ୍ତା ନାହିଁ । ପୁଅ ଝୁଙ୍କ ଧରିଲା ସେ ଘୋଡ଼ାଗାଡ଼ିରେ ବୁଲିଯିବ । ବୁଲିଗଲେ ଆମର ଅନ୍ୟାନ୍ୟ ଜିନିଷ ଦେଖିବାକୁ ବେଳ ହେବନି । ତେଣୁ କୌଣସି ପ୍ରକାରେ ବୁଝାବୁଝି କରି ତାକୁ ସେଥିରୁ ନିବାର୍ତ୍ତାଇଲୁ-। ମଟରଗାଡ଼ି ଦେଶରେ ସିନା ଘୋଡ଼ାଗାଡ଼ିରେ ଚଢ଼ିବା ପାଇଁ ଲୋକେ ରଙ୍କ ରଙ୍କ, କିନ୍ତୁ ଆମେ ତ ଘୋଡ଼ାଗାଡ଼ି ଦେଶର ଲୋକ, ଆମେ ସେଥିପାଇଁ ରଙ୍କ ରଙ୍କ ହେବୁ କାହିଁକି ? ଲକ୍ଷ୍ୟ କଲୁ ଆମେରିକାନ୍‌ ସାହେବ ଓ ମେମ୍‌ମାନେ ଘୋଡ଼ା ଗାଡ଼ିରେ ଚଢ଼ିବା ପାଇଁ କି ରଙ୍କ ରଙ୍କ, ଥରେ ବୁଲିଆସିଲେ ସେମାନଙ୍କ ମନରେ କି ଅପୂର୍ବ ତୃପ୍ତି !

 

ସେଠୁଁ ଚାଲି ଚାଲି ଯାଇ ‘ହର୍ସସୁ’ ଫଲ୍‌ସ ନିକଟରେ ପହଞ୍ଚିଲୁ । କି ସୁନ୍ଦର ସେ ଜଳପ୍ରପାତ ! ଆମେରିକାନ୍‌ ଫଲ୍‌ସ ତା ତୁଳନାରେ କିଛି ନୁହେଁ । ଜଳପ୍ରପାତରୁ ଉତ୍‌ଥିତ ଜଳକଣା ମେଘ ରୂପରେ ଉପରକୁ ଉଠିଗଲା ଭଳି ଦିଶୁଥାଏ । ମନେ ହେବ ସତେ ଯେମିତି ମେଘର ସୃଷ୍ଟି ହୋଇଛି ଏହି ଜଳପ୍ରପାତରୁ । ଆକାଶରେ ଅଗଣିତ ଜଳକଣା ଥିବାରୁ ଇନ୍ଦ୍ରଧନୁ ସୃଷ୍ଟି ହୋଇ ଦର୍ଶକମନଙ୍କୁ ବିଭୋର କରି ପକାଉଥାଏ । ‘ହର୍ସସୁ’ ଫଲ୍‌ସଠାରେ କିଛି ସମୟ ବସିଲୁଁ । ଯେତେ ବସି ଦେଖିଲେ ମଧ୍ୟ ଆହୁରି ବସି ଦେଖିବାକୁ ମନ ହେଉଥାଏ ।

 

‘ହର୍ଷସୁ’ ଫଲ୍‌ସଠାରେ ଆଉ ଏକ ଦର୍ଶନୀୟ ସ୍ଥାନ ହେଉଛି ‘ସିଗ୍ରାମ ଟାୱାର’ । ଜଳପ୍ରପାତଠାରୁ ପାଞ୍ଚଶ ଫୁଟ ଉପରକୁ ଏହି ଟାୱାରଟି ଉଠିଛି । ଟାୱାର ଉପରେ ବିରାଟ ପର୍ଯ୍ୟବେକ୍ଷଣ କକ୍ଷ । ସେହି କକ୍ଷରୁ ଠିଆ ହୋଇ ଅନାଇଲେ ପ୍ରାୟ ୫୦୦୦ ବର୍ଗମାଇଲ ପରିମିତ ସ୍ଥାନ ପରିଷ୍କାର ଦିଶେ । ପରିଷ୍କାର ଦିନରେ ଅନାଇଲେ ସେହି ଟାୱାର ଉପରୁ କାନାଡ଼ର ଟରଣ୍ଟୋ ଓ ହାମିଲ୍‌ଟନ୍‌ ସହର ଦିଶେ । ଟାୱାର ଉପରକୁ ଯିବା ପାଇଁ ଲିଫ୍‌ଟ ଲାଗିଛି । ଟାୱାର ତଳେ ଏକ ବିରାଟ ହସ୍ତକର୍ମ ଶିଳ୍ପ ଦୋକାନ । ଦେଶ ବିଦେଶର ଶହ ଶହ ହସ୍ତତିଆରି ଜିନିଷ ବିଚିତ୍ର ହେଉଛି ।

 

ସିଗ୍ରାମ ଟାୱାରଠାରେ ପହଞ୍ଚି ଚାରିଆଡ଼େ ବୁଲି ନାନା ଆଡ଼କୁ ଲକ୍ଷ୍ୟ କଲୁଁ । ବାଇନୋକ୍ୟୁଲାର ସାହାଯ୍ୟରେ ଦେଖିଲୁ । ଏ ପାଖରେ ଏହି ହ୍ରଦକୁଳସ୍ଥ ବଫେଲୋ ସହର ଓ ସେପାଖରେ କାନାଡ଼ାର ଅଣ୍ଟେରିଓ ହ୍ରଦକୂଳସ୍ଥ ଟରଣ୍ଟୋ ସହର ବେଶ ଦିଶୁଥାଏ । ଏହାର ତଳ ତାଲାରେ ଆଉ ଏକ କକ୍ଷ ଅଛି ଯେଉଁ କକ୍ଷର କାଚ ଏମିତି ଭାବରେ ରଙ୍ଗାଯାଇଛି ଯେ ଏହି କକ୍ଷରେ ବସି କାଚ ଦେଇ ଦୂର ଜିନିଷର ଫଟୋ ଉଠାଇଲେ ଫଟୋ ବେଶ୍‌ ସୁନ୍ଦର ଉଠେ । ସେହି କକ୍ଷରେ କାନ୍ଥରେ ଏମିତି ଆଲୋକ ତଡିତ୍‌ କେସ୍‌ ଲାଗିଛି ଯେ ସେ କେସ୍‌କୁ ଅନାଇଲେ ତାହା ନିର୍ଦ୍ଦେଶ ଦେବ, କେଉଁ ଭାବରେ ଫଟୋ ଉଠାଇଲେ ଫଟୋ ସୁନ୍ଦର ଦିଶିବ । ବଡ଼ ଅଦ୍ଭୁତ ବନ୍ଦୋବସ୍ତ । ଟାୱାର ଉପରକୁ ଆମେରିକାନ୍‌ ଓ କାନାଡ଼ିଆନ୍‌ ଫଲ୍‌ସ ଅତି ସୁନ୍ଦର ଦିଶେ । ଆମେ ସେଠାରେ କେତେଗୁଡ଼ିଏ ଫଟୋ ଉଠାଇ କିଛି ସମୟ ବୁଲାବୁଲି କଲୁଁ । ନାଏଗ୍ରା ଜଳପ୍ରପାତର ସ୍ମୃତିକୁ ସବୁଦିନ ପାଇଁ ବଞ୍ଚାଇ ରଖିବା ପାଇଁ କେତେ ଗୋଟିଏ ସ୍ମୃତି ଚିହ୍ନ ଓ ଫଟୋକାର୍ଡ଼ କିଣିଲୁଁ । କିଛି ସମୟ ପରେ ସେଠାରୁ ଫେରି ନାଏଗ୍ରା ଜଳପ୍ରପାତର ସାନ୍ଧ୍ୟକାଳୀନ ରଙ୍ଗୀନ୍‌ଦୃଶ୍ୟ ଦେଖିବା ପାଇଁ ନାଏଗ୍ରା ନଦୀକୂଳକୁ ଆସିଲୁଁ । ସନ୍ଧ୍ୟା ହେବାକୁ କିଛି ସମୟ ବାକି ଥିବାରୁ ନିକଟସ୍ଥ ଏକ ରେଷ୍ଟୁରାଣ୍ଟ୍‌ରେ ପଶିଲୁଁ । ସେଠାରେ ନାନା ଜାତିର ନିରାମିଷ ଖାଦ୍ୟ ଓ ଅଣ୍ଡା ସିଝା କେତୋଟି ଖାଇ ନଦୀକୂଳକୁ ଫେରିଆସିଲୁଁ ।

 

ନାଏଗ୍ରା ଜଳପ୍ରପାତର ସାନ୍ଧ୍ୟକାଳୀନ ଦୃଶ୍ୟ

 

ସନ୍ଧ୍ୟା ହେବାର ଠିକ ପରେ ପରେ ଆରମ୍ଭ ହୋଇଗଲା ଜଳପ୍ରପାତଦ୍ୱୟରେ ବର୍ଣ୍ଣାଲୋକର ବିଭିନ୍ନ ଖେଳ । ନଦୀକୂଳରେ ଥିବା ଏକ ପ୍ରାସାଦ ଉପରୁ ଅତି ଶକ୍ତିଶାଳୀ ରଙ୍ଗୀନ୍‌ ବିଦ୍ୟୁତ ବତୀ ସାହାଯ୍ୟରେ ରଙ୍ଗୀନ୍‌ଆଲୋକ ପକାଯାଉଥାଏ ଜଳପ୍ରପାତର ସେହି ଗତିଶୀଳ ଜଳରାଶି ଉପରେ । କି ସୁନ୍ଦର ସେ ଆଲୋକପତନପ୍ରଣାଳୀ ! କେତେବେଳେ ଜଳପ୍ରପାତଦ୍ୱୟ ସ୍ୱର୍ଣ୍ଣ ରଙ୍ଗରେ ରଞିତ ହୋଇଯାଇଛି ତ କେତେବେଳେ ନୀଳ, ଲୋହିତ, ହରିତ ରଙ୍ଗରେ ଉଲୁସି ଉଠୁଛି । କେତେବେଳେ ଜଳପ୍ରପାତର ଜଳରାଶି ଏକ ସାଙ୍ଗରେ ଇନ୍ଦ୍ରଧନୁର ସପ୍ତ ରଙ୍ଗରେ ରଞ୍ଜିତ ହୋଇଉଠୁଛି । ଜଳପ୍ରପାତର ସେହି ଆଲୋକରଞ୍ଜନ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଲା । ହଜାର ହଜାର ଆବାଳ-ବୃଦ୍ଧ ବନିତା ନଦୀକୂଳରେ ବସି ନାଏଗ୍ରା ଜଳପ୍ରପାତଦ୍ୱୟର ସେହି ଅପୂର୍ବ ଶୋଭା ଦେଖୁଥାନ୍ତି । ଜଳପ୍ରପାତରେ ସେହି ଆଲୋକସଜ୍ଜା ଆମେରିକାନ୍‌ ପାଖରୁ ବିଶେଷ ଭଲ ଦିଶେନି । କାନାଡ଼ା ପାର୍ଶ୍ଵରୁ ଭଲ ଦିଶେ ବୋଲି ବହୁ ଲୋକଙ୍କ ସମାଗମ ଏଇଠି । ଆଲୋକ ଖେଳ ସରିବା ପରେ ଆମେ ପ୍ରାୟ ରାତି ଦଶଟାରେ କାନାଡ଼ା ପାର୍ଶ୍ଵରୁ ବିଦାୟ ନେଇ ଆମେରିକାନ୍‌ ପାର୍ଶ୍ଵରେ ଥିବା ଆମ ହୋଟେଲକୁ ଫେରିଆସିଲୁଁ । ଦିନସାରା ବୁଲି ବୁଲି ଏତେ ହାଲିଆ ହୋଇ ପଡ଼ି ଥିଲୁଁ ଯେ ନିକଟସ୍ଥ ରେଷ୍ଟୁରାଣ୍ଟ୍‌ର ରାତ୍ରି ଭୋଜନ ସମାପ୍ତ କରି ହୋଟେଲର ଦୁଗ୍‌ଧଫେନନିଭ ପଲଙ୍କ ଉପରେ ପଡ଼ୁ ପଡ଼ୁ ନିଦ୍ରାଦେବୀଙ୍କ କ୍ରୋଡ଼ରେ କେତେବେଳେ ଯେ ଆଶ୍ରୟ ନେଲୁଁ ଆମକୁ ଜଣା ନାହିଁ ।

 

ତହିଁ ପରଦିନ ସକାଳୁ ଉଠିଲାକ୍ଷଣି ପୂର୍ବ ଦିନ ଭଳି ସେହି ଥକ୍‌କା କୁଆଡ଼େ ମେଣ୍ଟି ଯାଇଥାଏ । ସଅଳ ସଅଳ ପ୍ରାତଃଭୋଜନ ଶେଷ କରି ନାଏଗ୍ରା ଫଲ୍‌ସ ଆଡ଼େ ବାହାରି ପଡ଼ିଲୁଁ । ପୂର୍ବଦିନ ଭଳି ସେଦିନର ପ୍ରୋଗ୍ରାମ ମଧ୍ୟ ଖବ୍‌ଭିଡ଼ । କାନାଡ଼ା ପାଖର ଦର୍ଶନୀୟ ସ୍ଥାନ ଦେଖିଦେଇ ଆସିଥିବାରୁ ଆଉ ସେ ଆଡ଼କୁ ଯିବା ଦରକାର ନାହିଁ ।

 

ଏଥର ଆମେ ସିଧାସଳଖ ଚାଲିଲୁ ଆମେରିକାନ୍‌ ପାଖର ପ୍ରସପେକଟ୍‌ ପଏଣ୍ଟ ଅବ୍‌ଜର୍‌ଭେସନ ଟାୱାର ନିକଟକୁ । ତା ଉପରକୁ ଯାଇ ନାଏଗ୍ରା ଅଞ୍ଚଳର ସବୁ ଆଡ଼ ଦେଖିବା ଆମର ଲକ୍ଷ୍ୟ । ତା ଭିତରକୁ ଯିବାକୁ ହେଲେ ଟିକଟ କାଟିବାକୁ ପଡ଼େ । ଆମେ ଟିକଟ କାଟି ଭିତରକୁ ପଶି ଏକ ପ୍ରକାଣ୍ଡ ଲିଫ୍‌ଟ ସାହାଯ୍ୟରେ ଉପରକୁ ଗଲୁ । ଏହି ଟାୱାରଟିର ଉଚ୍ଚତା ସହିତ ପ୍ରାୟ ୨୮୧ ଫୁଟ । ଗୋଟିଏ ୨୮ ତାଲା କୋଠାର ଉଚ୍ଚତା ସହିତ ପ୍ରାୟ ସମାନ । ତଳୁ ଉପରକୁ, ଉପରୁ ତଳକୁ ହେବା ପାଇଁ ଦୁଇ ଦୁଇଟା ଲିଫ୍‌ଟ ଲାଗିଛି । ଏହି ଟାୱାରଟି ପୂରାପୂରି ଲୁହା, କାଚ ଓ ଆଲୁମିନିୟମ୍‌ରେ ତିଆରି ହୋଇଛି । ନଦୀକୂଳର ପାହାଡ଼ର ଏକ ପାର୍ଶ୍ଵରୁ ଉଠିଥିବାରୁ ଏହି ସ୍ଥାନରୁ ଜଳପ୍ରପାତର ଦୃଶ୍ୟ ବେଶ୍‌ ମନୋରମ ଦିଶେ । ଲିଫ୍‌ଟ ମଧ୍ୟ ପାହାଡ଼ର ତଳ ପର୍ଯ୍ୟନ୍ତ ଯାଏ । ପାହାଡ଼ର ତଳକୁ ଗଲେ ସେଠି ପଡ଼େ ଜଳପ୍ରପାତ ନିକଟକୁ ଯାଉଥିବା ବୋଟ୍‌ର ଷ୍ଟେସନ ।

 

ଅବ୍‌ଜର୍‌ଭେସନ୍‌ ଟାୱାର ଉପରୁ ନାଏଗ୍ରାର ଦୃଶ୍ୟ ଦେଖିସାରି ଆମେ ଗଲୁ ସେହି ଟାୱାର ତଳକୁ ଲିଫ୍‌ଟ ସାହାଯ୍ୟରେ । ସେଠାରେ ଓହ୍ଲାଇ ନଦୀଘାଟରେ ଥିବା ବୋଟ୍‌ପାଖକୁ ଗଲୁଁ-। ସେଠାରୁ ସେହି ବୋଟ୍‌ରେ ଯାଇ ନାଏଗ୍ରା ଜଳପ୍ରପାତ ପଡ଼ୁଥିବା ଜଳ ନିକଟକୁ ଯାଇ ବୁଲିଆସିବା ହେଲା ଆମର ଉଦ୍ଦେଶ୍ୟ । ଆମେ ଯେଉଁ ବୋଟ୍‌ରେ ଯିବୁ ସେହି ବୋଟ୍‌ର ନାଁ ହେଉଛି ‘ମେଡ଼ ଅଫ୍‌ଦି ମିଷ୍ଟ’ (Maid of the Mist) । ଏହି ବୋଟ୍‌ରେ ଯିବା ପାଇଁ ଟିକେଟ କାଟିବାକୁ ପଡ଼େ-। ଜଣକା ଟଙ୍କାଏ ଚାରିଅଣାର ଟିକେଟ୍‌ । ଟିକେଟ କାଟି ବୋଟ୍‌ଭିତରକୁ ପଶିଲାକ୍ଷଣି ବୋଟ୍‌ଚାଳକ ଆମ ଚାରିଜଣଙ୍କୁ କଳାରଙ୍ଗର ଗୋଟିଏ ଗୋଟିଏ ରବର ପୋଷାକ ପରିଧାନ କରିବାକୁ ଦେଲେ-। କ’ଣ ନା ଏହି ରବର ପୋଷାକ ପରିଧାନ ନ କଲେ ବୋଟ୍‌ ଯେତେବେଳେ ଜଳପ୍ରପାତର ଖୁବ ନିକଟ ହୋଇଯିବ ଜଳକଣାରେ ଆମ ଦେହ ହାତ, ଲୁଗାପଟା ସବୁ ଓଦା ହୋଇଯିବ-। ଏହି ପୋଷାକ କେଭ୍‌ ଅଫ୍‌ଦି ଉଇଣ୍ଡସ୍‌ ପୋଷାକ ଭଳି; କେବଳ ତଫାତ୍‌ ହେଉଛି ସେ ପୋଷାକ ହଳଦିଆ ରଙ୍ଗର, ଏ ପୋଷାକ କଳା ରଙ୍ଗର । ଏଠି ମଧ୍ୟ ବହୁ ଯୁବକ-ଯୁବତୀ, ନବପରିଣୀତ-। ଦମ୍ପତିଙ୍କ ଭିଡ଼ । ନାଏଗ୍ରା ଜଳପ୍ରପାତ ଦେଖିବାକୁ ଯେ ଆସୁଛି, ସେ ଏହି ବୋଟ୍‌ଚଢ଼ାଟାକୁ ପ୍ରୋଗ୍ରାମ ଭିତରୁ ବାଦ୍‌ଦେଇ ପାରୁନି । ପୋଷାକଗୁଡ଼ିକ ମୁଣ୍ଡଠାରୁ ଗୋ଼ଡ ପର୍ଯ୍ୟନ୍ତ ଢାଙ୍କି ରଖିଥାଏ-। କେବଳ ମୁହଁକୁ ଛାଡ଼ି । ଆମେ ସବୁ ନୌକାର ଡକ୍‌ରେ ବସିସାରିଛୁ କି ନାହିଁ ନୌକା ଛାଡ଼ିଲା-। ନୌକା ଆମେରିକାନ୍‌ କୂଳରୁ ଯାଇ ପୁଣି କାନାଡ଼ା ପାଖ କୂଳରେ ଲାଗିଲା-। ସେଠାରେ ମଧ୍ୟ କେତେକ ଯାତ୍ରୀ ଚଢ଼ିଲେ । ସମସ୍ତଙ୍କୁ ନେଇ ବୋଟ୍‌ ଚାଲିଲା ପ୍ରଥମେ ଆମେରିକାନ୍‌ ଫଲ୍‌ସ ପାଖକୁ । ଜଳପ୍ରପାତର ପାଣି ଠିକ୍‌ ଯେଉଁଠି ପଡ଼ୁଛି, ନୌକା ତାରି ପାଖ ଦେଇ ଗଲା-। ଜଳକଣାରେ ଆମ ଆଖି, ମୁହଁ ସବୁ ପୋତି ହୋଇପଡ଼ିଲା । ସେହି ଜଳକଣା ଭିତରେ ଆମେ ଦେଖିଲୁ ଶତ ଇନ୍ଦ୍ରଧନୁର ତାଣ୍ଡବ ନୃତ୍ୟ । ବଡ଼ ଭଲ ଲାଗିଲା ଆମ ସମସ୍ତଙ୍କୁ-। ସ୍ତ୍ରୀ ଟିକିଏ ଭୟରେ ଶଙ୍କିତ ହେଲା ଭଳି ଜଣା ପଡ଼ୁଥାନ୍ତି । ତାଙ୍କ ଭୟ ବେଶୀ ବଢ଼ି ଯାଇଥାଏ ସଙ୍ଗରେ ପିଲା ଯୋଡ଼ିଏ ଥିବାରୁ । କିନ୍ତୁ ଆମେରିକାନ୍‌ ଯୁବକ-ଯୁବତୀଙ୍କ ହସ ଖୁସି ଦେଖିବାର କଥା-। ସେମାନେ ଯେ ଆନନ୍ଦରେ ଉଲୁସି ଉଠୁଥାନ୍ତି, ସେମାନଙ୍କ ମୁହଁ ଆଖିକୁ ଅନାଇଲେ ଯେ କେହି ଧାରଣ କରିପାରିବେ ।

 

ଆମେରିକାନ୍‌ ଫଲ୍‌ସ ଦେଖିସାରି ଆମ ବୋଟ୍‌ ଚାଲିଲା କାନାଡ଼ିଆନ୍‌ ‘ହର୍ସସୁ’ ଫଲ୍‌ସ ପାଖକୁ । ଦୂରରୁ ନଦୀ ଭିତରେ ପ୍ରପାତଟି ଅତି ସୁନ୍ଦର ଦିଶୁଥାଏ । ସେଠାରେ ଅହରହ ପାଣି ପଡ଼ି ପଡ଼ି ବିରାଟ ଗଣ୍ଡ ହେଲା ଭଳି ଜଣା ପଡ଼ୁଥାଏ । ପାଣି ଉପରେ ଫେଣ ଭାସି ଭାସି ଓ ଫେଣଗୁଡ଼ିକ ଏପଟ ସେପଟ ହୋଇ ଏମିତି ଭାବରେ ଉଦବେଳିତ ଓ ଭଉଁରୀ ଖେଳୁଥାଏ ଯେ ଦୂରକୁ ଅତି ଭୟଙ୍କର ଦିଶୁଥାଏ । ଆମ ବୋଟ୍‌ ସେହି ପ୍ରକାଣ୍ଡ ପ୍ରକାଣ୍ଡ ଭଉଁରୀ ଭିତର ଦେଇ ପ୍ରପାତର ଖୁବ ପାଖକୁ ଯାଇ ଫେରିଆସିବ । ଚାହୁଁ ଚାହୁଁ ଡିଜେଲ ଇଞ୍ଜିନ ପରିଚାଳିତ ଆମର ବୋଟ୍‌ଟି ‘ହର୍ସସୁ’ ପ୍ରପାତର ପାଖେଇ ଆସିଲା । ଭଉଁରୀ ଓ ଉଦବେଳିତ ଫେନିଳ ଜଳରାଶି ଭିତରେ ପଡ଼ି ବୋଟ୍‌ଟି ଏମିତି ଭାବରେ ଦୋହଲିବାକୁ ଲାଗିଲା ଯେ ଆମେ ଥୟ ହୋଇ ବସିପାରିଲୁ ନାହିଁ । ମାର୍କିନ ଯୁବକ-ଯୁବତୀମାନେ ନିଜ ନିଜ ଉପରେ ପଡ଼ି ପରସ୍ପରକୁ କୁଣ୍ଢାଇ ଧରିଥାନ୍ତି । ଜଣା ପଡ଼ୁଥାଏ ସେମାନଙ୍କୁ ବଡ଼ ଆନନ୍ଦଦାୟକ ବୋଧ ହେଉଥାଏ ଏ ଅନୁଭୂତିଟି । ବୋଟ୍‌ଟି ଯେତେ ପ୍ରପାତର ପାଖକୁ ପାଖକୁ ଯାଉଥାଏ ସେତେ ଜୋରରେ ଉଦବେଳିତ ହେଉଥାଏ, ସେମାନଙ୍କ ଭିତରେ ହସ ଓ ଆନନ୍ଦର ଢେଉ ସେତେ ମାତ୍ରାରେ ଖେଳୁଥାଏ । କିନ୍ତୁ ଆମ ଭିତରେ ଠିକ୍‌ ଓଲଟା-। ସ୍ତ୍ରୀ ଭୟରେ ଶଙ୍କିଯାଇ ତାଙ୍କ ଦେହରୁ ଶ୍ରମଝାଳ ବାହାରିବା ଉପରେ । ଆମେ ବୋଟ୍‌ର ଡ୍ରାଇଭରଠାରୁ ଅଳ୍ପ ଦୂରରେ ବସିଥାଉ । ମାର୍କିନ ଯୁବକ-ଯୁବତୀମାନେ ଡ୍ରାଇଭରକୁ ଉତ୍ସାହିତ କରୁଥାନ୍ତି ପ୍ରପାତର ଆହୁରି ନିକଟକୁ ବୋଟ୍‌କୁ ନେବା ପାଇଁ । କିନ୍ତୁ ସ୍ତ୍ରୀ ଏଣେ ଆମ ଭିତରେ କହୁଥାନ୍ତି ବୋଟ୍‌ ଆଉ ଅଧିକ ପାଖକୁ ନ ଯାଇ ଏଥର ଫେରିଯିବା ଦରକାର । କିନ୍ତୁ ସେମାନଙ୍କ ନିର୍ଦ୍ଦେଶକ୍ରମେ ବୋଟ୍‌ ଆଗଉଥାଏ । ବୋଟ୍‌ ପ୍ରପାତର ଏତେ ପାଖେଇ ଆସିଲା ଯେ ଜଳକଣାରେ ଆମେ ପୋତି ହୋଇଗଲୁଁ ବୋଲି ଅନୁଭବ କଲୁଁ । ବୋଟ୍‌ ଏମିତି ଭାବରେ ଏପଟ ସେପଟ ଦୋହଳୁ ଥାଏ ଯେ ଆମର ମନେ ହେଉଥାଏ ବୋଟ୍‌ଟି ଯେ କୌଣସି ମୁହୂର୍ତ୍ତ ରେ ସେହି ଆବର୍ତ୍ତ ଭିତରେ ପଡ଼ିନିଶ୍ଚିହ୍ନ ହୋଇ ଯାଇପାରେ । ବୋଟ୍‌ ଭିତରେ ଶତ ଝଡ଼ ବତାସର ତାଣ୍ଡବ ନୃତ୍ୟ ଓ ଜଳକଣାର ଅବିରତ ବର୍ଷଣ ଭିତରେ ଆମେ ପୂରାପୂରି ଅନ୍ଧ ପାଲଟି ଯାଇଥାଉଁ । ବେଳେ ବେଳେ ଆଖି ମେଲି ଚାହିଁଲାବେଳକୁ ଆମକୁ ଜଣା ଯାଉଥାଏ ଶତ ଇନ୍ଦ୍ରଧନୁର ଶତ ଇନ୍ଦ୍ରଧନୁର ସାତରଙ୍ଗୀ ରୂପରେ ତାଣ୍ଡବ ନୃତ୍ୟ । ତଥାପି ବି ବୋଟ୍‌ ପ୍ରପାତ ଆଡ଼କୁ ଆଗେଇବାରୁ ବିରତ ହୋଇ ନ ଥାଏ । ମାର୍କିନ ଯୁବକ-ଯୁବତୀମାନେ ଚାଳକକୁ ଆହୁରି ଉତ୍ସାହିତ କରୁଥାନ୍ତି ଆହୁରି ପାଖକୁ ନେବା ପାଇଁ-। ବୋଟ୍‌ର ଅବସ୍ଥା ଏମିତି ଅସମ୍ଭାଳ ହୋଇ ପଡ଼ିଲା ଣି ଆମ ଧୈର୍ଯ୍ୟଚ୍ୟୁତ ଘଟିବା ଉପରେ-। ବୋଟ୍‌ଟି ଏତେ ଜୋରରେ ଦୋହଲିବାକୁ ଆରମ୍ଭ କଲା ଯେ ନୌକା ଭିତରର ସମସ୍ତେ ଭୟଭୀତ ହୋଇପଡ଼ିଲେ । ଏକ ବିରାଟ ଆବର୍ତ୍ତରେ ପଡ଼ି ନୌକା ଉଦ୍‌ବେଳିତ ହେବାକୁ ଲାଗିଲା ଠିକ ପ୍ରଳୟର ପୂର୍ବାଭାସ ଭଳି । ଚାଳକ ଆଉ ଆଗକୁ ନ ଯାଇ ହଠାତ୍‌ ନୌକାର ମୁଖ ବଦଳାଇଦେଲେ-। ନୌକା ଜଳପ୍ରପାତ ଆଉ ପାଖକୁ ନ ଯାଇ ପ୍ରପାତଠାରୁ ଫେରିଆସିଲା । ମନ ଭିତରେ ଆମର ଆନନ୍ଦର କି ଢେଉ ! ସ୍ତ୍ରୀଙ୍କ ମନର ଭୟ ପାଣି ଫୋଟକା ଭଳି ମିଳାଇଗଲା । ଓଃ କି ଅନୁଭୂତି ସେ-! ବିରାଟ ‘ହର୍ସସୁ’ ପ୍ରପାତର ଅତି ନିକଟରେ ପ୍ରକୃତିର କି ତାଣ୍ଡବ ନୃତ୍ୟ ! ଗୋଟା ସାରା ଆମେ ଓଦାହୋଇ ଜୁଡ଼ୁବୁଡ଼ୁ ହୋଇ ଗଲୁଣି । ରବର ପୋଷାକ ପିନ୍ଧିଥିବାରୁ ଭିତରର ପୋଷାକପାତ୍ର କିଛି ହୋଇ ନଥାଏ । ଅଳ୍ପ ସମୟ ପରେ ବୋଟ୍‌ଟି କାନାଡ଼ାର ପାର୍ଶ୍ଵରେ କାନାଡ଼ାର ଯାତ୍ରୀଙ୍କୁ ଓହ୍ଲାଇଦେଇ ଆମକୁ ପହଞ୍ଚାଇଦେଲା ଆମେରିକାନ୍‌ ଘାଟରେ । ଆମେ ରବର ପୋଷାକପତ୍ର ଓହ୍ଲାଇଦେଇ ନୌକା ଭିତରୁ ବାହାରି ଆସିଲୁ । ସ୍ତ୍ରୀଙ୍କ ମୁହଁରେ ଶାନ୍ତିର ଅପୂର୍ବ ହସ ଦେଖି ତନ୍ମୟ ହୋଇପଡ଼ିଲି । ସତେ ଯେମିତି ଆମେ ମୃତ୍ୟୁର କରାଳ କବଳରୁ ଫେରିଆସିଛୁ ନିଜ ନିଜର ଜୀବନ ନେଇ ! ନୌକାରୁ ଓହ୍ଲାଇ ଆମେ କେତୋଟି ଫଟୋ ଉଠାଇବା ପାଇଁ ଆମେରିକାନ୍‌ ଫଲ୍‌ସ ପାଖକୁ ଗଲୁ । ଯାଉଁ ଯାଉଁ ଜନୈକ ବୃଦ୍ଧ ଓ ବୃଦ୍ଧାଙ୍କ ଅନୁରୋଧକ୍ରମେ ଅଟକିଗଲୁଁ । ବୃଦ୍ଧ ଓ ବୃଦ୍ଧାଙ୍କ ଘର ଭାର୍‌ଜିନିଆ ରାଜ୍ୟରେ । ନାଏଗ୍ରା ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେମାନେ ହଜାର ହଜାର ମାଇଲ ଧାଇଁ ଆସିଥାନ୍ତି । ବୃଦ୍ଧଙ୍କୁ ବର୍ଷ ସତୁରିରୁ କମ୍‌ ହେବନି-। ବୃଦ୍ଧାଙ୍କୁ ଷାଠିଏ ପାଖାପାଖି । ବୃଦ୍ଧଙ୍କ ହାତରେ ଗୋଟିଏ ପୋଲାରଏଡ୍‌ କାମେରା । କାମେରାରେ ପୁଣି ପୂରାଯାଇଛି ନୁଆ ହୋଇ ବଜାରକୁ ଆସିଥିବା ରଙ୍ଗୀନ ପୋଲାରଏଡ୍‌ ଫିଲ୍ମ, ଯେଉଁ ଫିଲ୍ମର ରୂପ ଓ କାର୍ଯ୍ୟକାରିତା ଦେଖିବାକୁ ଆମର ବହୁ ଦିନରୁ ଆକାଂକ୍ଷା ଥିଲା । ଏହି ରଙ୍ଗୀନ ଫିଲ୍ମ ମୋତେ ମାସେ ତଳେ ଆମେରିକାର ବଜାରକୁ ଆସିଥାଏ । ଆମର ପୋଲାରଏଡ୍‌ କାମେରା ନଥିବାରୁ ଆମେ ଏହି ଫିଲ୍ମ ବ୍ୟବହାର କରିପାରୁ ନ ଥାଉଁ । ତା ଛଡ଼ା ଏ ଫିଲ୍ମର ଦାମ୍‌ ଏତେ ଯେ କିଣିବାକୁ ଇଚ୍ଛା ହେଉ ନ ଥାଏ ।

 

ପୋଲାରଏଡ଼୍‍ କାମେରା-ବିଜ୍ଞାନର ଅଭିନବ ସୃଷ୍ଟି

 

ଆମ ହାତରେ କାମେରା ଦେଖି ଭଦ୍ରଲୋକ ଜଣକ ଆମପାଖକୁ ଆସିଲେ । ସେ ଆସି ଆମକୁ ଅନୁରୋଧ କଲେ ତାଙ୍କ କାମେରାରେ ନାଏଗ୍ରା ଜଳପ୍ରପାତକୁ ପଛରେ ରଖି ବୃଦ୍ଧ ଓ ବୃଦ୍ଧାଙ୍କର ଗୋଟିଏ ରଙ୍ଗୀନ ଚିତ୍ର ଉଠାଇଦେବା ପାଇଁ । ଆମେ ଏଥି ପୂର୍ବରୁ ପୋଲାରଏଡ଼୍‍ କାମେରା ଦେଖିଥିଲୁ ବୋଷ୍ଟନର ପବ୍ଲିକ ଗାର୍ଡ଼ନରେ ଦିନେ ବସିଥିଲା ବେଳେ । ଜନୈକା ମାର୍କିନ ଯୁବତୀ ଆସି ଆମକୁ ଅନୁରୋଧ କଲେ ଆମ ଝିଅ ଟୁନୁର ସେ ଗୋଟିଏ ଫଟୋ ଉଠାଇବେ ବୋଲି । ଯୁବତୀଙ୍କର ଏତାଦୃଶ ଅନୁରୋଧକୁ ଏଡ଼ିଦେଇ ପାରିଲୁନି । ନିକଟସ୍ଥ ଏକ କାରୁକାର୍ଯ୍ୟ ଖଚିତ ଗମ୍ବୁଜ ତଳେ ଝିଅକୁ ବସାଇ ତାଙ୍କ ପୋଲାରଏଡ଼୍‍ କାମେରାରେ ସେ ଫଟୋ ଉଠାଇଲେ । ଫଟୋ ଉଠାଇସାରି ଆମ ନିକଟକୁ ଆସି ଆମ ସାମନାର ଫଟୋ ଖୋଲିଲେ । କି ଆଶ୍ଚର୍ଯ୍ୟ ! ମାତ୍ର ଦଶ ସେକେଣ୍ତ ଭିତରେ କାମେରା ଭିତରୁ ଝିଅର ଏକ ପରିଷ୍କାର ଚିତ୍ର ବାହାରି ଆସିଲା । ସେଥି ସହିତ ଫଟୋର ନେଗେଟିଭି‌ଟି ମଧ୍ୟ । ଝିଅଟି ସେହି ଫଟୋଟିକୁ ଆମକୁ ଉପହାର ଦେଇ ଆମଠାରୁ ବିଦାୟ ହୋଇଗଲେ ।

 

ଏହି ଘଟଣାଟି ଆମେ ଆମେରିକାରେ ପହଞ୍ଚିବାର ଅଳ୍ପ କେଇଦିନ ଭିତରେ ଘଟିଥିଲା । ସେହି ଦିନଠାରୁ ପୋଲାରଏଡ଼୍‍ କାମେରା ପ୍ରତି ଆମର ଆକର୍ଷଣ ବଢ଼ିଯାଇଥାଏ । ଆମେରିକାର ବହୁ ଲୋକଙ୍କ ହାତରେ ଦେଖିବ ସେଇ କାମେରା । ଫଟୋ ଉଠାଇ ଧୋଇବାକୁ ଦେଇ ଅପେକ୍ଷା କରିବାକୁ ଧୈର୍ଯ୍ୟ କାହାର ? ସଙ୍ଗେ ସଙ୍ଗେ ଫଟୋ ଉଠାଇଲେ, ଦେଖିଲେ ଫଟୋଟି କେମିତି ହୋଇଛି ।

 

ଏହି ପୋଲାରଏଡ଼୍‍ କାମେରାର ଉତ୍ପତ୍ତି ଆମେ ରହୁଥିବା ସହର ନିକଟବର୍ତ୍ତୀ କେମ୍ବ୍ରିଜ ସହରରେ । ଏହି କାମେରା ଓ ଫିଲ୍‌ମ ତିଆରି କରି ବିରାଟ ବ୍ୟବସାୟ ଅନୁଷ୍ଠାନ ପୋଲାରଏଡ଼୍‍ କର୍ପୋରେସନ ଗଢ଼ି ଉଠିଛି କେମ୍ବ୍ରିଜ ସହରରେ । ପୋଲାରଏଡ଼୍‍ କର୍ପୋରେସନ ବିରାଟ ଫିଲ୍‌ମ ଓ କାମେରା ତିଆରି କାରଖାନା ପ୍ରତିଷ୍ଠା କରାଯାଇଛି ଆମେ ରହୁଥିବା ୱାଲଥାମ୍‌ ସହରରେ । ଏହି ସ୍ଥାନରୁ ପୋଲାରଏଡ଼୍‍ କାମେରା ଓ ଫିଲ୍‌ମ ସାରା ଯୁକ୍ତରାଷ୍ଟ୍ରକୁ ଯୋଗାଯାଏ । ଆମେ ରହୁଥିବା ସହରରେ ବହୁ ଲୋକଙ୍କ ଘରେ ଏହି କେମେରାର ବ୍ୟବହାର । ଏହି କେମେରାର ତିଆରି ଓ ଫଟୋଉଠା କୌଶଳ ଅନ୍ୟ କେମେରାଠାରୁ ଢେର ପୃଥକ୍‌ । ଏହି କେମେରାର ଫିଲ୍‌ମର ଉଦ୍ଭାବକ ଭାବରେ ଡକ୍ଟର ଲେଣ୍ଡ ପୃଥିବୀ ପ୍ରସିଦ୍ଧ । ସେ ଏହି ପୋଲାରଏଡ଼୍‍ କର୍ପୋରେସନର ପ୍ରେସିଡ଼େଣ୍ଟ । ତାଙ୍କରି ନାମାନୁସାରେ ପୋଲାରଏଡ଼୍‍ କେମେରାର ନାମ ହେଉଛି “ଟେନ୍‌ ସେକେଣ୍ଡ ପୋଲାରଏଡ଼୍‍ଲେଣ୍ଡ କେମେରା”, ଯାହାର ଅର୍ଥ ହେଉଛି ଲେଣ୍ଡଙ୍କ ତିଆରି ପୋଲାରଏଡ଼୍‍ କେମେରା, ଯେଉଁଥିରେ ଛବି ତିଆରି ହେବା ପାଇଁ ଦଶ ସେକେଣ୍ଡରୁ ବେଶି ସମୟ ଲାଗେନି । ସାଧାରଣ କେମେରା ଭଳି ଏଥିରେ ଯେ କୌଣସି ବସ୍ତୁର ଫଟୋ ଉଠାଯାଇପାରେ । ଏହା ଦେଖିବାକୁ ସାଧାରଣତଃ ଫୋଲ୍‌ଡ଼ିଂ କେମେରା ଭଳି । ଫଟୋ ଉଠାଇବାର ଦଶ ସେକେଣ୍ଡ ପରେ କେମେରାର ପଛ ପାଖ ଖୋଲିବାକୁ ପଡ଼େ । ପ୍ରଥମେ ଫଟୋର ନେଗେଟିଭ୍‍ ବାହାରି ଆସେ । ଏହା ଦେଖିବାକୁ ଅବିକଳ ଅନ୍ୟାନ୍ୟ ନେଗେଟିଭ୍‍ ଭଳି । ନେଗେଟିଭ୍‍ କୁ ଲାଗି ପଜିଟିଭ ପ୍ରିଣ୍ଟ ଥାଏ-। ଏହାକୁ ଟାଣିଆଣିଲେ ବାହାରିଆସେ । ବଡ଼ ପରିଷ୍କାର ଓ ସୁନ୍ଦର ସେ ଛବି । ଦେଖିଲେ କେହି କହିବନି ଏହା ସାଧାରଣ କେମେରାରେ ଉଠାହୋଇ ପ୍ରିଣ୍ଟ ହୋଇ ଆସିଥିବା ଛବି ନୁହେଁ ବୋଲି-। ପୋଲାରଏଡ଼୍‍ ପ୍ରିଣ୍ଟ ଓ ସାଧାରଣ ପ୍ରିଣ୍ଟ ଭିତରେ ଦେଖିବାକୁ କିଛି ପାର୍ଥକ୍ୟ ନାହିଁ-। ଏହି କେମେରାର ବିଶେଷତ୍ଵ ଗୋଟିଏ ଫଟୋ ଉଠାଇବା, ଫଟୋକୁ ବାହାର କରିବ, ତା ପରେ ପାଇଁ ଆଉ ଗୋଟିଏ ଫଟୋ ଉଠାଇ ହେବ । ଏକା ଥରକେ ସାଧାରଣ କେମେରା ଭଳି ଲାଗ ଲାଗ ଏକାଧିକ ଫଟୋ ଉଠାଇ ହେବନି ।

 

ଏହି କାମେରାରେ ସାଧାରଣ ଫିଲ୍ମ ପୂରାଇ ଫଟୋ ଉଠାଇ ହେବନି । ପୋଲାରଏଡ୍‌କେମେରା ପାଇଁ ଫିଲ୍ମ ସ୍ଵତନ୍ତ୍ର । ଏହି ଫିଲ୍ମରେ ନେଗେଟିଭ୍‍ ସହିତ ପଜିଟିଭ ଲାଗି କରି ରହିଥାଏ । ନେଗେଟିଭ୍‍ ରେ ଏମିତି ରସାୟନିକ ପଦାର୍ଥମାନ ଦିଆଯାଇଥାଏ, ଯା ଫଳରେ କେମେରାରୁ ଲେନ୍‌ସ ଦେଇ ପ୍ରତିଛବି ଏହି ନେଗେଟିଭ୍‌ ଉପରେ ପଡ଼ିଲେ ପ୍ରତିଛବି ଅନୁଯାୟୀ ନେଗେଟିଭ୍‌ର ରୌପ୍ୟ ଲବଣ ବିଜାରିତ (Reduced) ହୋଇ ରୌପ୍ୟ କଣିକାରେ ପରିଣତ ହୁଏ । ଫଳରେ ନେଗେଟିଭ୍‍ ଭିତରେ ଏକ ପ୍ରତିଛବି ସୃଷ୍ଟି ହୁଏ । ଏହି ନେଗେଟିଭ୍‌ ପ୍ରକୃତ ଛବିର ଓଲଟା । ଏହି ନେଗେଟିଭ୍‍ ଦେଇ ଆଲୋକ ଯାଇ ପଜିଟିଭ କାଗଜର ଉପରେ ପଡ଼େ; ଫଳରେ ଫଟୋଉଠା ପ୍ରିଣ୍ଟ ଭଳି ବସ୍ତୁର ଏକ ପ୍ରତିଛବି ଏହି ପ୍ରିଣ୍ଟ ଉପରେ ଛାପି ହୋଇଯାଏ । ଏହି ସମସ୍ତ କାମ ହେବା ପାଇଁ ମୋଟେ ଦଶ ସେକେଣ୍ଡ ସମୟ ନିଏ । ତେଣୁ ଏହି କେମେରାରୁ ଫଟୋ ଉଠାଇବାର ଦଶ ସେକେଣ୍ଡ ଭିତରେ ପ୍ରିଣ୍ଟ ଓ ନେଗେଟିଭ୍‍ ବାହାର କରାଯାଏ । ଏହିସବୁ ଯେଉଁ ଫଟୋ ଉଠେ, ସେଗୁଡ଼ିକ ହେଲା କଳା ଧଳା ଫଟୋ ।

 

୧୯୬୩ ମସିହାର ବସନ୍ତ କାଳରେ ପୋଲାରଏଡ଼୍‍ କର୍‌ପୋରେସନ୍‌ ଦୁଇ ତିନି ବଷର ପ୍ରଗାଢ଼ ଗବେଷଣା ଫଳରେ ରଙ୍ଗୀନ ଫଟୋ ଉଠାଇବା କୌଶଳ କୃତିତ୍ଵ ସହକାରେ ହାସଲ କରିଥିବା ବାର୍ତ୍ତା ସାରା ଯୁକ୍ତରାଷ୍ଟ୍ରରେ ପ୍ରଚାର କରିଦେଲା । ପ୍ରଚାର କରିଦେବାର ଅଳ୍ପ କେତେଦିନ ଭିତରେ ବଜାରରେ ବିକ୍ରି ହେବାକୁ ଲାଗିଲା ପୋଲାରଏଡ୍‌ରଙ୍ଗୀନ ଫିଲ୍ମ । ସାରା ଯୁକ୍ତରାଷ୍ଟ୍ରରେ ଏହି ରଙ୍ଗୀନ ଫିଲ୍ମ ଚାଞ୍ଚଲ୍ୟ ଖେଳାଇଦେଲା । ଲୋକେ ପାଗଳ ହୋଇଉଠିଲେ ଏହି ରଙ୍ଗୀନ ଫିଲ୍ମ ନେଇ ଫଟୋ ଉଠାଇବା ପାଇଁ । ଏହି ରଙ୍ଗୀନ ଚିତ୍ର ଉଠିବା ପାଇଁ ଦଶ ସେକେଣ୍ଡ ସମୟ ପରିବର୍ତ୍ତରେ ୫୦ ସେକେଣ୍ଡ ସମୟ ନିଏ । ଫଟୋ ଉଠାଇବାର ପଚାଶ ସେକେଣ୍ଡ ପରେ କେମେରାର ପଛ ଖୋଲିଲେ ପ୍ରଥମେ ରଙ୍ଗୀନ ନେଗେଟିଭ୍‍ , ପରେ ପ୍ରାକୃତିକ ବର୍ଣ୍ଣଯୁକ୍ତ ରଙ୍ଗୀନ ପ୍ରିଣ୍ଟ ବାହାରିଆସେ । ବିଜ୍ଞାନ ଜଗତରେ କି ବିରାଟ କୃତିତ୍ୱ ! ସାରା ପୃଥିବୀରେ ଏହି ରଙ୍ଗୀନ୍‌ ପୋଲାରଏଡ଼୍‍ ଫିଲ୍ମ ସର୍ବପ୍ରଥମ । ରଙ୍ଗୀନ୍‌ ଚିତ୍ର ପ୍ରାୟ ସବୁ ଦେଶରେ ଉଠାଇ ହେଉଥିଲାହେଁ ରଙ୍ଗୀନ୍‌ ପୋଲାରଏଡ଼୍‍ ଫିଲ୍ମ ଅନ୍ୟ ସବୁ ଦେଶରେ ଅଜଣା । ଆମର ଭାରି ଇଚ୍ଛା ହେଉଥାଏ ଏହି ରଙ୍ଗୀନ୍‌ ଫିଲ୍ମରେ ଫଟୋ ଉଠାଇବା ପାଇଁ; କିନ୍ତୁ ସୁବିଧା ଜୁଟୁ ନ ଥାଏ । ହଠାତ୍‌ଏମିତି ଅପ୍ରତ୍ୟାଶିତ ଭାବରେ ଏ ସୁଯୋଗ ଜୁଟିଯିବ ବୋଲି କିଏ ଆଶା କରିଥିଲା ?

 

ବୃଦ୍ଧଙ୍କ ରଙ୍ଗୀନ୍‌ ପୋଲାରଏଡ଼୍‍ ଫିଲ୍ମ ନାଁ ଶୁଣି ଚମକି ପଡ଼ିଲା । ତାଙ୍କ ଅନୁରୋଧକୁ ରକ୍ଷା କରିବାକୁ ସୌଭାଗ୍ୟ ମଣି ହଁ ଭରିଲି । ଏହି କେମେରାକୁ କେମିତି ବ୍ୟବହାର କରିବାକୁ ହୁଏ ସେ ମୋତେ ବତାଇ ଦେଇ ବୃଦ୍ଧ ଓ ବୃଦ୍ଧା ନାଏଗ୍ରା ପ୍ରପାତକୁ ପଛରେ ରଖି ଠିଆ ହେଲେ । ମୁଁ ଫଟୋ ଉଠାଇ ସାରିବା କ୍ଷଣି ମୋ ପାଖକୁ ଆସି ମିନିଟକ ପରେ କେମେରା ଖୋଲିଲେ । ନେଗେଟିଭ୍‌ ପରେ ବାହାରି ଆସିଲା ବୃଦ୍ଧ ଓ ବୃଦ୍ଧାଙ୍କର ଏକ ସୁନ୍ଦର ରଙ୍ଗୀନ ଛବି । ପଶ୍ଚାଦ୍‌ଭାଗରେ ନାଏଗ୍ରାର ନୀଳ ଜଳରାଶି ସହିତ ସ୍ଥାନେ ସ୍ଥାନେ ଶ୍ଵେତ ଧବଳ ଫେନରାଶି ଚିତ୍ରଟିକୁ ଅତି ଉଚ୍ଚକୋଟିର କରିଥାଏ । ବୃଦ୍ଧ ଚିତ୍ରଟିକୁ ଦେଖି ଏତେ ଖୁସି ହୋଇପଡ଼ିଲେ ଯେ ମୋତେ କୁଣ୍ଢାଇ ପକାଇଲେ । ତା ପରେ ଅନୁରୋଧ କଲେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ଆମ ଦଳର ଦୁଇଟି ରଙ୍ଗୀନ୍‌ ଫଟୋ ଉଠାଇବେ । ଗୋଟିଏ ସେ ନିଜେ ରଖିବେ ଓ ଅନ୍ୟଟି ଆମକୁ ଉପହାର ଦେବେ । ଫଟୋ ଦୁଇଟି ଅତି ସୁନ୍ଦର ଉଠିଲା । ସେ ଗୋଟିଏ ଆମକୁ ଦେଇ ଆମଠାରୁ ବିଦାୟ ନେଇ ଗଲେ । ଆମେ ଫଟୋଟି ନେଇ ଧନ୍ୟବାଦ ଜଣାଇ ସେମାନଙ୍କଠାରୁ ବିଦାୟ ନେଲୁଁ ।

 

ନାଏଗ୍ରା ଜଳପ୍ରପାତର ଅନ୍ୟତମ ଦର୍ଶନୀୟ ସ୍ଥାନ ହେଲା ‘‘ହୁଇର୍‌ଲ୍‌ ପୁଲ ରେପିଡ଼ସ୍‌ ଓ ଗ୍ରେଟ୍‌ ଗର୍ଜ୍ଜ’’ । ଏ ସ୍ଥାନକୁ ଯିବା ପାଇଁ ରାସ୍ତା କାନାଡ଼ା ଦେଇ ଯାଇଛି । ଏହା ନାଏଗ୍ରା ଜଳପ୍ରପାତଠାରୁ ୬/୭ ମାଇଲ ଦୂର । ଏଠାରେ ଅଧମାଇଲ ଭିତରେ ନାଏଗ୍ରା ଜଳ ପ୍ରାୟ ୫୦ଫୁଟ ତଳକୁ ଖସି ଆସିଥିବାରୁ ନଦୀର ପ୍ରଖର ସ୍ରୋତ ଏହି ଗର୍ଜ୍ଜଠାରେ ବାଧା ପାଇ ଡାହାଣ ଆଡ଼କୁ ଗତି କରିଛି । ତେଣୁ ଏଠାରେ ଏକ ପ୍ରକାଣ୍ଡ ଗଣ୍ଡ ହୋଇଯାଇଛି । ଏହି ଗଣ୍ଡରେ ବିରାଟ ବିରାଟ ଭଉଁରୀ ଓ ଆବର୍ତ୍ତମାଳାର ଅହରହ ନତ୍ୟ ଅତି ଚମତ୍କାର । ଏହି ଗଣ୍ଡର ମଧ୍ୟସ୍ଥଳକୁ ଯାଇ ଜଳର ଖୁବ ନିକଟରେ ଏହି ଭଉଁରୀ ଆଦିକୁ ଦେଖିବା ପାଇଁ ତାରଝୁଲା ଏକ ପ୍ରକାର ଯାନ ଅଛି । ଏହାକୁ କହନ୍ତି ‘‘ସ୍ପେନିସ୍‌ ଏରୋ କାର୍‍’’ । ଦୁଇ ପାଖରୁ ଦୁଇଟି ବଡ଼ ବଡ଼ ଖମ୍ବ ଉପରେ ମୋଟା ମୋଟା ତାର ଝୁଲାଯାଇ ତା’ର ଉପରେ ଏହି କାରକୁ ବିଦ୍ୟୁତ ଶକ୍ତି ସାହାଯ୍ୟରେ ଚଳାଯାଏ । ଏହି କାରରେ ଦର୍ଶକମାନେ ବସି ୬୦ ଏକର ପରିମିତ ଏହି ହୁଇର୍‌ଲ୍‌ ପୁଲ ଗଣ୍ଡ ଉପରେ ଝୁଲି ଝୁଲି ଗଣ୍ଡର ଅପୂର୍ବ ଭୀମ ଭୈରବ ଦୃଶ୍ୟ ଦେଖିପାରନ୍ତି । ଅତି ଅପୂର୍ବ ଅନୁଭୂତି ସେ, ଭାଷାରେ ବର୍ଣ୍ଣନା କରି ହେବ ନାହିଁ । ଏହି ଏରୋ କାରରେ ଯିବା ପାଇଁ ଟିକଟ କରିବାକୁ ପଡ଼େ ।

Unknown

 

ନାଏଗ୍ରାର ଏହିସବୁ ହେଲା ଦର୍ଶନୀୟ ସ୍ଥାନ । ଏସବୁ ଦେଖିସାରି ଅମେ ଏଥର ହୋଟଲକୁ ଫେରିଆସିଲୁଁ । ଆସିବା ପୁର୍ବରୁ ନାଏଗ୍ରା ଫଲ୍‌ସ ନିକଟବର୍ତ୍ତୀ ବଜାରରୁ ନାଏଗ୍ରାର ନାନା ସ୍ମୃତି ଚିହ୍ନ କିଣିଲୁ । ହୋଟେଲ କ୍ଲିଫ୍‌ଟନଠାରେ ନାଏଗ୍ରା ଜଳପ୍ରପାତର ଏକ ଜୀବନ୍ତତିରୂପ ‘ନାଏଗ୍ରାରାମା’ ଦେଖି ହୋଟେଲକୁ ଫେରିଲୁଁ । ତହିଁ ପରଦିନ ଆମର ନାଏଗ୍ରା ଫଲ୍‌ସରୁ ବିଦାୟ ନେଇ ବଫେଲୋ ସହର ଅଭିମୁଖେ ଯିବା କଥା ।

 

ନାଏଗ୍ରା ଜଳପ୍ରପାତଠାରୁ ବିଦାୟ

 

ଯଥା ସମୟରେ ଆମେ ନାଏଗ୍ରା ଫଲ୍‌ସ ସହର ଛାଡ଼ିଲୁଁ । ବାଟରେ ବସ୍‌ରେ ଗଲାବେଳେ ରାସ୍ତା ଦୁଇ ପାଖରେ ବଡ଼ ବଡ଼ ବିଦ୍ୟୁତ୍‌ରାସାୟନିକ ଓ ବିଦ୍ୟୁତ୍‌ଧାତବ କାରଖାନାମାନ ପଡ଼ିଲା । କି ବିରାଟ ବିରାଟ ସେହି କାରଖାନାଗୁଡ଼ିକ ! ନାଏଗ୍ରା ଜଳପ୍ରପାତ ପୂର୍ବରୁ ନାଏଗ୍ରା ନଦୀରୁ ଜଳକୁ ବିରାଟ ସୁଡ଼ଙ୍ଗ ଭିତର ଦେଇ ‘ନାଏଗ୍ରା ଫଲ୍‌ସ’ ସହର ତଳେ ନିଆଯାଇ ‘ରେନ୍‌ବୋ ବ୍ରିଜ’ର ଟିକିଏ ତଳକୁ ଛାଡ଼ି ଦିଆଯାଇଛି । ଏହି ହାଇଡ଼୍ରୋଲିକ କେନାଲ ମୁହଁରେ ନାଏଗ୍ରା ଜଳ ବିଦ୍ୟୁତ ଷ୍ଟେସନ ଅବସ୍ଥିତ । ଏଠାରେ ଯାହା ବିଦ୍ୟୁତ ଶକ୍ତି ଉତ୍ପାଦିତ ହୁଏ, ତାହା ଆମେରିକାନ ନାଏଗ୍ରା ଫଲ୍‌ସ ସହରର ବିଭିନ୍ନ କଳାକାରଖାନାମାନଙ୍କୁ ଯୋଗାଯାଏ । ଏଠାରେ ଉତ୍ପନ୍ନ ହେଉଥିବା ବିଦ୍ୟୁତ ଶକ୍ତିର ପରିମାଣ କିଛି କମ୍‌ନୁହେଁ ।

 

ନାଏଗ୍ରା ନଦୀ ଏରି ହ୍ରଦକୁ ଅଣ୍ଟେରିଓ ହ୍ରଦ ସହିତ ସଂଯୁକ୍ତ କରୁଛି । ଏହି ନଦୀଟି ବିଶେଷ ଲମ୍ୱ ନୁହେଁ । ନଦୀଟି ନାଏଗ୍ରା ଫଲ୍‌ସ ସହରଠାରେ ଏକ ଫାଟ ଦେଇ ଗତି କରୁଥିବାରୁ ଉଚ୍ଚରୁ ନୀଚକୁ ଆସି ଏହି ପ୍ରାକୃତିକ ପ୍ରପାତଟି ସୃଷ୍ଟି କରିଛି । ଅଣ୍ଟେରିଓ ହ୍ରଦଠାରୁ ପ୍ରାୟ ତିନି ଶହ ଫୁଟ ଉଚ୍ଚରେ ଏରି ହ୍ରଦ ଅବସ୍ଥିତ । ନାଏଗ୍ରା ନଦୀ ଉଚ୍ଚରୁ ନୀଚକୁ ଯାଉଥିବାରୁ ଏହାର ସ୍ରୋତ ପ୍ରଖର । ଅଣ୍ଟେରିଓ ହ୍ରଦଠାରୁ ଏରି ହ୍ରଦ ବେଶି ଦୂର ନୁହେଁ । ନାଏଗ୍ରା ଯୋଜକ ଏ ଦୁଇ ବିରାଟ ହ୍ରଦକୁ ସଂଯୁକ୍ତ କରୁଛି । ଅଣ୍ଟେରିଓ ହ୍ରଦରୁ ସେଣ୍ଟ୍‌ଲରେନସ ନଦୀଟି ବାହାରି ଆଟଲାଣ୍ଟିକ ମହାସାଗରରେ ପଡ଼ି ଥିବାରୁ ବଡ଼ ବଡ଼ ସମୁଦ୍ର ପୋତ ସେଣ୍ଟ୍‌ଲରେନ୍‌ସ ନଦୀ ଦେଇ ନଦୀକୂଳରେ ଥିବା କାନାଡ଼ାର ବିଖ୍ୟାତ ସହର ମଣ୍ଟ୍ରି ଅଲ ପର୍ଯ୍ୟନ୍ତ ଆସେ । ପୂର୍ବ କାନାଡ଼ାର ସମସ୍ତ ପଣ୍ୟଦ୍ରବ୍ୟ ଏହି ନଦୀ ଦେଇ ଯା ଆସ କରୁଥିବାରୁ ଏହି ନଦୀର ଗୁରୁତ୍ଵ ଖୁବ ବେଶି । ଅଣ୍ଟେରିଓ ହ୍ରଦକୁ ଯଦି କୌଣସି ଉପାୟରେ ଏରି ହ୍ରଦ ସହିତ ସଂଯୁକ୍ତ କରାଯାଇପାରନ୍ତା, ତେବେ ବଡ଼ ବଡ଼ ସମୁଦ୍ରପୋତ ଯେଉଁଗୁଡ଼ିକ ମଣ୍ଟ୍ରିଅଲ ପର୍ଯ୍ୟନ୍ତ ଆସେ, ସେଗୁଡ଼ିକ ଡେଟ୍ରୟଟ୍‌, ଚିକାଗୋ, ମିଲୱାକି ଆଦି ଯୁକ୍ତରାଷ୍ଟ୍ରର ବାଣିଜ୍ୟ ଓ ଶିଳ୍ପକେନ୍ଦ୍ରମାନଙ୍କୁ ଯାଇପାରନ୍ତା । ଫଳରେ ଯୁକ୍ତରାଷ୍ଟ୍ର ଓ କାନାଡ଼ାର ପଣ୍ୟଦ୍ରବ୍ୟ ନେବା ଆଣିବାରେ ଖୁବ୍‌ ସୁବିଧା ହୁଅନ୍ତା । ଏହି ଅସୁବିଧାକୁ ଦୂର କରିବା ପାଇଁ ନାଏଗ୍ରା ଜଳପ୍ରପାତଠାରୁ ଆଠ ମାଇଲ ଦୂରରେ ୱେଲେଣ୍ତ-ସିପ୍‌ କେନାଲ ନାମକ ଏକ କେନାଲ ନାଏଗ୍ରା ଯୋଜନାକୁ ଚିରି ଖୋଳାଯାଇଛି । ଏହି କେନାଲ ଏରି ହ୍ରଦକୁ ସିଧାସଳଖ ଅଣ୍ଟେରିଓ ହ୍ରଦ ସହିତ ସଂଯୁକ୍ତ କରୁଛି । ଏହି କେନାଲର ଏରି ହ୍ରଦ ପାଖ ମୁଣ୍ତ ଅଣ୍ଟେରିଓ ହ୍ରଦ ପାଖ ମୁଣ୍ତଠାରୁ ୩୬୩ ଫୁଟ ଉଚ୍ଚା । ତେଣୁ ଆଠଗୋଟି ଲକ ସାହାଯ୍ୟରେ ଏହି କେନାଲଟି ନିୟନ୍ତ୍ରିତ ହେଉଛି । ଏହି ଲକ୍‌ମାନଙ୍କ ସାହାଯ୍ୟରେ ମଣ୍ଟ୍ରିଅଲରୁ ଆସୁଥିବା ବଡ଼ ବଡ଼ ସମୁଦ୍ରପୋତମାନ ଅଣ୍ଟେରିଓ ହ୍ରଦରୁ ଏରି ହ୍ରଦକୁ ଯାଏ । ସେଠାରୁ ଏରି ହ୍ରଦ ଅତିକ୍ରମ କରି, ଡେଟ୍ରଇଟ ବନ୍ଦର ଓ ନଦୀ ଦେଇ ସେଣ୍ଟ୍‌ବ୍ଲେଆର ହ୍ରଦ ଓ ସେଠାରୁ ସେଣ୍ଟ୍‌ବ୍ଲେଆର ନଦୀ ଦେଇ ହୁରନ୍‌ ହ୍ରଦ ଓ ସେଠାରୁ ମିଚିଗାନ ଓ ସୁପିରିଅର ହ୍ରଦକୁ ଯାଇ ଚିକାଗୋ, ମିଲୱାକି ଆଦି ହ୍ରଦକୂଳ ବଡ଼ ବଡ଼ ଶିଳ୍ପ ଓ ବାଣିଜ୍ୟକେନ୍ଦ୍ରରେ ପହଞ୍ଚିପାରେ । ଏହି କେନାଲଟି ହେବା ଯୋଗୁଁ ଯୁକ୍ତରାଷ୍ଟ୍ର ଓ କାନାଡ଼ାର ଏହି ଶିଳ୍ପକେନ୍ଦ୍ରମାନଙ୍କରୁ ଶିଳ୍ପଜାତ ପଦାର୍ଥ ରପ୍ତାନି ଆଶାତୀତ ପରିଣାମରେ ବୃଦ୍ଧି ପାଇଛି ।

 

ବଫେଲୋ ସହର ପରିକ୍ରମା

 

ପ୍ରାୟ ସକାଳ ଦଶଟା ସୁଦ୍ଧା ଆମେ ବଫେଲୋ ସହରରେ ପହଞ୍ଚିଗଲୁଁ । ସେହି ଦିନ ସନ୍ଧ୍ୟାରେ ଆମକୁ ବଫେଲୋ ସହର ଛାଡ଼ିବାକୁ ପଡ଼ୁଥିବାରୁ ବସ୍‌ଷ୍ଟେସନର ଲକରମାନଙ୍କରେ ଆମ ଜିନିଷପତ୍ର ରଖିଦେଇ ବଫେଲୋ ସହରକୁ ବୁଲିବାକୁ ଗଲୁଁ ।

 

ନିଉୟର୍କ ରାଜ୍ୟରେ ବଫେଲୋ ହେଲା ଦ୍ୱିତୀୟ ବୃହତ୍ତମ ସହର । ଏହାର ଲୋକସଂଖ୍ୟା ପାଞ୍ଚ ଲକ୍ଷରୁ କିଛି ଅଧିକ । ଏହା ଏକ ପ୍ରଧାନ ଶିଳ୍ପକେନ୍ଦ୍ର । ସାରା ଯୁକ୍ତରାଷ୍ଟ୍ରରେ ଏହା ଏକାଦଶ ସ୍ଥାନ ଅଧିକାର କରିଛି । ଏହା ଏରି ହ୍ରଦ କୂଳରେ ଅବସ୍ଥିତ ଏକ ପ୍ରସିଦ୍ଧ ବନ୍ଦର ମଧ୍ୟ-

 

ବଫେଲୋ ରେଳ ଷ୍ଟେସନ ଯୁକ୍ତରାଷ୍ଟ୍ରର ଏକ ବୃହତ୍ତମ ରେଳ ଷ୍ଟେସନ । ଯୁକ୍ତରାଷ୍ଟ୍ରର ଶସ୍ୟ ଉତ୍ପାଦନ କେନ୍ଦ୍ରମାନଙ୍କର ଦ୍ଵାର ଭାବରେ ଏଠାରୁ ଅପର୍ଯ୍ୟାପ୍ତ ପରିମାଣର ଶସ୍ୟ ଜଳପଥ ବାଟେ ବିଦେଶକୁ ଓ ଯୁକ୍ତରାଷ୍ଟ୍ରର ଅନ୍ୟ ସ୍ଥାନମାନଙ୍କୁ ଯାଏ । ଯୁକ୍ତରାଷ୍ଟ୍ରର ବୃହତ୍ତମ ଗହମ ରପ୍ତାନି କେନ୍ଦ୍ର ଭାବରେ ଏହି ସହରଟି ପ୍ରସିଦ୍ଧ । ରପ୍ତାନି ପାଇଁ ଏଠାରେ ଛଅ କୋଟି ବୁସେଲ ଗହମ ଗଚ୍ଛିତ ହେବା ପାଇଁ ଭଣ୍ଡାରମାନ ଅଛି । ତ।’ ଛଡ଼ା ଅସଂଖ୍ୟ କଳକାରଖାନାରେ ଏହି ସହରଟି ପୂରିଯାଇଛି-। ଏରି ହ୍ରଦ କୂଳରେ ବିଚ୍‌ ଜୀବନ ଉପଭୋଗ ପାଇଁ ବହୁ ଜନଗହଳି ବିଚ୍‌ ଅଛି ।

 

ବଫେଲୋ ବିଶ୍ୱବିଦ୍ୟାଳୟ ଏହି ସହରରେ ଅବସ୍ଥିତ । ଏହା ଛଡ଼ା ବହୁ କଲେଜ ଏହି ସହରରେ ଅଛି । ଏହି ସହର ନାନା ପ୍ରକାର ପାର୍କ, ଉଦ୍ୟାନରେ ପୂରି ରହିଛି । ବଫେଲୋର ବିଜ୍ଞାନ ମିଉଜିଅମ୍‌ ଏକ ଦେଖିବାର ଜିନିଷ । ଏହି ମିଉଜିଅମ୍‌ରେ ଜୀବବିଜ୍ଞାନ, ଭୂବିଜ୍ଞାନ, ପଦାର୍ଥ ଓ ରସାୟନ ବିଜ୍ଞାନ ସମ୍ବନ୍ଧୀୟ ବହୁ ଦର୍ଶନୀୟ ଜିନିଷ ରହିଛି । ବଫେଲୋ ସହର ପରିକ୍ରମା କରି ବଫେଲୋର ଏକ ରେଷ୍ଟୁରାଣ୍ଟରେ ମଧ୍ୟାହ୍ନ ଭୋଜନ ସାଙ୍ଗ କରି ବଫେଲୋ ବସ୍‌ ଷ୍ଟେସନକୁ ଫେରିଆସିଲୁ । ସେହି ଦିନ ଚାରିଟା ବେଳକୁ ଆମେ ବଫେଲୋରୁ ଚିକାଗୋ ଅଭିମୁଖେ ରମାନ ହେବା କଥା ।

 

ଆମ ପାଇଁ ଯେଉଁ ବସ୍‌ରେ ସିଟ୍‌ରିଜର୍ଭ ହୋଇଥିଲା, ତାହା ବଫେଲୋରୁ ସିଧାସଳଖ ଚିକାଗୋ ଯାଏ ନାହିଁ । ଏହି ବସ ବଫେଲୋରୁ ମିଜୋରୀ ରାଜ୍ୟସ୍ଥ ସେଣ୍ଟ୍‌ ଲୁଇ ସହରକୁ ଯାଏ । ଏହା ଓହାଇ ଓ ରାଜ୍ୟର କ୍ଲିଭଲେଣ୍ଡ ସହର ଦେଇ ଯାଉଥିବାରୁ ଆମକୁ ସେହି ବସରେ କ୍ଲିଭଲେଣ୍ଡ ପର୍ଯ୍ୟନ୍ତ ଯିବାକୁ ପଡ଼ିବ । କ୍ଲିଭଲେଣ୍ଡରୁ ଆମେ ସିଧାସଳଖ ବସରେ ଚିକାଗୋକୁ ଯିବୁ ବୋଲି ଆମକୁ ଜଣାଇ ଦିଆ ଯାଇଥାଏ ।

 

ବଫେଲୋରୁ କ୍ଳିଭଲେଣ୍ତରେ ପହଞ୍ଚିଥିଲା ବେଳକୁ ପ୍ରାୟ ରାତି ବାରଟା । ଆମେ ବସରୁ ଓହ୍ଲାଇପଡ଼ି ବସ୍‌ଷ୍ଟେସନରେ ଚିକାଗୋ ବସ୍‌ ଅପେକ୍ଷାରେ ରହିଲୁଁ । କ୍ଲିଭଲେଣ୍ତସ୍ଥ ଗ୍ରେ-ହାଉଣ୍ତ ବସ ଷ୍ଟେସନଟି ଅତି ବିରାଟ । ନାନା ପ୍ରକାର ଦୋକାନ, ରେଷ୍ଟୁରାଣ୍ଟରେ ଷ୍ଟେସନଟି ପୂରିଯାଇଛି । ଲୋକମାନଙ୍କୁ ଖାଦ୍ୟ, ପାନୀୟ, ମିଠାଇ, ସିଗାରେଟ ଆଦି ବିକିବା ପାଇଁ ବିରାଟ ବିରାଟ ଯନ୍ତ୍ରମାନ ଧାଡ଼ି ଧାଡ଼ି ହୋଇ ବସିଥିବାର ଦେଖିଲୁ । ପଇସା ପକାଇ ଦେଇ ସେ କୌଣସି ଖାଦ୍ୟପଦାର୍ଥ ଏହି ଯନ୍ତ୍ରରୁ କିଣିହେବ । ଅଦ୍ଭୁତ ବିକ୍ରୟ କେନ୍ଦ୍ର । ଦୋକାନୀ ବୋଲି କେହି ନାହିଁ, କିନ୍ତୁ ଦୋକାନର ବେଶ୍‌ ବିକ୍ରୟ ଚାଲିଛି ।

 

କ୍ଲିଭଲେଣ୍ଡ ସହରଟି ଓହାଇଓ ରାଜ୍ୟର ବୃହତ୍ତମ ସହର । ଏହାର ଲୋକସଂଖ୍ୟା ପ୍ରାୟ ନଅ ଲକ୍ଷ ହେବ । ସହରଟି ଏରି ହ୍ରଦ କୂଳରେ ଗଢ଼ିଉଠିଛି । ଏହି ସହରଟି ବହୁ କଲେଜ ଓ ବିଶ୍ଵବିଦ୍ୟାଳୟରେ ପୂରିଯାଇଛି । ଅସଂଖ୍ୟ ଦର୍ଶନୀୟ ପଦାର୍ଥ ଏହି ସହରଟିରେ ଅଛି । କ୍ଲିଭଲେଣ୍ଡର ଆଟ ମିଉଜିୟମ୍‌, ମିଉଜିୟମ୍‌ ଅଫ୍‌ ନେଚୁରେଲଷ୍ଟ୍ରି, ଅକୁଏରିୟମ୍‌ ଚିଡ଼ିଆଖାନା, ସ୍ୱାସ୍ଥ୍ୟ ମିଉଜିୟମ୍‌, ଟରମିଲେ ଟାୱାର, ଅଫିସ କେନ୍ଦ୍ରମାନ ସେଥି ଭିତରୁ ପ୍ରସିଦ୍ଧ । ବିଚ୍‌ଜୀବନ ଉପଭୋଗ ପାଇଁ ଢେର ବିଚ୍‌ ଏରି ହ୍ରଦକୂଳରେ କ୍ଲିଭଲେଣ୍ଡ ସହରକୁ ଲାଗି ଅଛି । କ୍ଲିଭଲେଣ୍ଡର ଅର୍‌କାଷ୍ଟ୍ରା ଅତି ପ୍ରସିଦ୍ଧ । ରାତି ହୋଇଥିବାରୁ କିଛି ଦେଖିବାକୁ ଯାଇ ପାରିଲୁନି । ଅପେକ୍ଷା କରି ରହିଲୁ ଚିକାଗୋ ବସ୍‌ ପାଇଁ । ପିଲାମାନେ ଅପେକ୍ଷା କରିଥିବା କକ୍ଷର ଗଦିଦିଆ ଚୌକିରେ କେତେବେଳୁ ଶୋଇ ପଡ଼ିଲେଣି ।

 

ଚିକାଗୋ ଅଭିମୁଖେ

 

ଚିକାଗୋ ବସ୍‌ ଆସିବାକ୍ଷଣି ଆମକୁ ଜଣାଇ ଦିଆଗଲା । ଆମେ ପିଲାପିଲିଙ୍କୁ ଧରି ଚିକାଗୋ ବସ୍‌ରେ ବସିଲୁଁ । ଏରି ହ୍ରଦ କୂଳ ଦେଇ ବସ୍‌ ଚାଲିଲା ଚିକାଗୋ ସହର ଅଭିମୁଖେ । କ୍ଲିଭ୍‌ଲେଣ୍ତରୁ ଯାଇ ଆମ ବସ୍‌ ରହିଲା ଓହାଇଓ ରାଜ୍ୟର ଅନ୍ୟତମ ପ୍ରଧାନ ସହର ଟଲିଡ଼ୋ ସହରରେ । ଟଲିଡ଼ୋ ଶିଳ୍ପକାରଖାନାପୂର୍ଣ୍ଣ ଓହାଇଓ ରାଜ୍ୟର ଏକ ପ୍ରଧାନ ଶିଳ୍ପ ନଗରୀ । ଏହାର ଲୋକସଂଖ୍ୟା ତିନି ଲକ୍ଷରୁ କିଛି ଅଧିକ । ଟଲିଡ଼ୋ ମଧ୍ୟ ଏରି ହ୍ରଦ କୂଳରେ । ଏହାର ବନ୍ଦର ବର୍ଷର ସବୁଦିନେ ଖୁବ୍‌ ଗହଳି ଥାଏ । ବହୁ ଜିନିଷପତ୍ର, ପଣ୍ୟଦ୍ରବ୍ୟ, କଞ୍ଚାମାଲ, ଶସ୍ୟ ଆଦି ଏହି ସହର ଦେଇ ରପ୍ତାନି ଆମଦାନୀ ହୁଏ । ଟଲିଡ଼ୋର ପ୍ରାଧାନ୍ୟ ବଢ଼ିଯାଇଛି ଏହା ମମି ନାମକ ଏକ ନଦୀମୁହାଣରେ ଗଢ଼ି ଉଠିଥିବାରୁ । ଏଠାରେ ମଧ୍ୟ ବହୁ ପେଟ୍ରୋଲିୟମ୍‌ ରିଫାଇନେରୀ ଅଛି । ଦେଶର ବିଭିନ୍ନ ପେଟ୍ରୋଲିୟମ ଖଣିମାନଙ୍କରୁ କଞ୍ଚା ପେଟ୍ରୋଲିୟମ ବଡ଼ ବଡ଼ ପାଇପ ଲାଇନ ଭିତରେ ଆସି ଏଠାରେ ଶୋଧିତ ହୁଏ । ଷ୍ଟାଣ୍ଡାର୍ଡ଼ ଅୟେଲ କମ୍ପାନୀ ଗଲ୍‌ଫ ଓ ସାନ ଅୟେଲ କମ୍ପାନୀମାନଙ୍କର ବିରାଟ ବିରାଟ ଶୋଧନାଗାର ଏହି ସହରର ଗୁରୁତ୍ଵ ଖୁବ୍‌ ବଢ଼ାଇ ଦେଇଛି । ଏଠାରେ ଟଲିଡ଼ୋ ବିଶ୍ଵ ବିଦ୍ୟାଳୟ, ଚିଡ଼ିଆଖାନା, ଯାଦୁଘର ଓ ବହୁ କଲେଜ ଓ ଶିକ୍ଷା କେନ୍ଦ୍ରମାନ ଅଛି ।

 

ବସ ଷ୍ଟେସନରୁ ବସ ଛାଡ଼ିବା ବେଳ ହେଲା । ସ୍ତ୍ରୀ କହିଲେ, ତୁମେ ପରା କାଚ ସୂତା, କାଚ ଲୁଗା ତିଆରି କାରଖାନା କର୍ଣ୍ଣିଙ୍ଗକୁ ଯିବା ପାଇଁ କହୁଥିଲା । ଏହି ସହରରେ ଆଉଏନ୍‌ସ-କର୍ଣ୍ଣିଙ୍ଗ୍‌ ପରିଚାଳିତ ବିରାଟ କାଚ ସୂତା ଓ କାଚ ଲୁଗା ତିଆରି କାରଖାନାମାନ ଅଛି, ତୁମେ ଜାଣିଛ-?”

 

‘‘ଆଁ, ଏଠାରେ ବି କାଚ ସୂତା ତିଆରି ହୁଏ ?” ସ୍ତ୍ରୀ ଚମକି ପଡ଼ିଲେ । ଆଉଏନସ-କର୍ଣ୍ଣିଙ୍ଗ୍‌ ଛଡ଼ା ଆହୁରି ବହୁ କମ୍ପାନୀ ଏଠାରେ କରଚ ତିଆରି ସୂତା ଓ କାଚ ଲଗା ତିଆରି କରନ୍ତି । ଏହି ସହର ସେଥିପାଇଁ ପ୍ରସିଦ୍ଧ । ଆମ ଦେଶରେ ଯେଉଁ ଜିପ୍‌ଗାଡ଼ି ମାନ ଦେଖାଯାଏ, ସେହି ଉଇଲି ମଟର କାରଖାନା ଏଠାରେ ଅଛି । ଏତଦ୍‌ବ୍ୟତୀତ ପ୍ରାୟ ପାଞ୍ଚ ଶହ ପର୍ଯ୍ୟନ୍ତ ବଡ଼ ବଡ଼ କମ୍ପାନୀର ନାନା ଜାତିର କାରଖାନାମାନ ଏଠି ରହିଅଛି ।’’

 

‘‘ଆଁ ! ମୁଁ ଭାବୁଥିଲି ଏ ସହରଟି ଛୋଟକାଟିଆ ସହରଟିଏ ! ଏଠାରେ ଏତେଗୁଡ଼ିଏ କାରଖାନା ଅଛି ?’’

 

‘‘ତୁମେ ଜାଣି ପାରୁ ନାହଁ, ଆମେ ଆମେରିକାର ସର୍ବପ୍ରଧାନ ଶିଳ୍ପ ଅଞ୍ଚଲ ଦେଇ ଗତି କରୁଛେଁ । ଆମେରିକାର ଯେତେ ବଡ଼ ବଡ଼ କମ୍ପାନୀ ଦେଖିବ ସେମାନଙ୍କର ଶିଳ୍ପକେନ୍ଦ୍ର ଓ କଳକାରଖାନାମାନ ଏହି ପଞ୍ଚ-ହ୍ରଦକୁ ଘେରି କରି ରହିଥିବାର ଦେଖିବ । ବଫେଲୋ, କ୍ଲିଭଲେଣ୍ଡ, ଟଲିଡ଼ୋ, ଡ୍ରେଟ୍ରୟଟ୍‌, ଚିକାଗୋ, ମିରୱାକି ଆଦି ବଡ଼ ବଡ଼ ସହର ଓ ଏତଦ୍‌ବ୍ୟତୀତ ଶହ ଶହ ଛୋଟ ସହରରେ ଆମେରିକାର ଅସଂଖ୍ୟ କଳକାରଖାନା ରହିଛି ।’’

 

“ଥରେ କହୁଥିଲ ପରା, ସବୁ ବଡ଼ ବଡ଼ ମଟରଗାଡ଼ି କାରଖାନା ଏହି ଅଞ୍ଚଲରେ ପଡ଼ିବ-। ଆମେ କ’ଣ ସେହି କାରଖାନାମାନ ଦେଇ ଯିବା ?” ସ୍ତ୍ରୀ ପଚାରିଲେ ।

 

‘‘ଆମେରିକାର ଯେତେ ମଟରଗାଡ଼ି ତିଆରି ହୁଏ, ସେହିସବୁ ଗାଡ଼ିର ଉତ୍ପାଦନ କେନ୍ଦ୍ର ହେଲା ଡେଟ୍ରୟଟ । ଏହି ସହରଟି ମିଚିଗାନ ରାଜ୍ୟରେ । ଏଠାରୁ ମୋଟେ ୪୦/୫୦ ମାଇଲ ଦୂର-। ଏହି ହ୍ରଦ କୂଳେ କୂଳେ ଟଲିଡ଼େଠାରେ ଉତ୍ତରକୁ ଗଲେ ଡେଟ୍ରୟଟ ନଦୀ ପଡ଼ିବ । ଏରି ନଦୀଟି ଏରି ହ୍ରଦକୁ ସେପଟ ବ୍ଲେଆର ହ୍ରଦ ସହିତ ସଂଯୁକ୍ତ କରୁଛି । ସେହି ୨୭ ମାଇଲ ଲମ୍ୱ ଡେଟ୍ରୟଟ ନଦୀ କୂଳରେ ଏହି ବିରାଟ ଡେଟ୍ରୟଟ ସହର ଗଢ଼ି ଉଠିଛି । ଏହି ସହରର ଲୋକସଂଖ୍ୟା ପ୍ରାୟ ୧୭ ଲକ୍ଷ । ଏହା ଯୁକ୍ତରାଷ୍ଟ୍ରର ପଞ୍ଚମ ବୃହତ୍ତମ ସହର; କିନ୍ତୁ ଶିଳ୍ପ ଉତ୍ପାଦନ ଦୃଷ୍ଟିରୁ ତୃତୀୟ ବୃହତ୍ତମ ସହର । ଏହି ସହରଟି ଉନବିଂଶ ଶତାଦ୍ଦୀ ପ୍ରାରମ୍ଭରୁ ଏକ ଜାହାଜ ତିଆରି କେନ୍ଦ୍ର ଭାବରେ ଗଢ଼ି ଉଠିଥିଲା; କିନ୍ତୁ ଏହା ଏବେ ପୃଥିବୀର ବୃହତ୍ତମ ମଟରଗାଡ଼ି ତିଆରି କେନ୍ଦ୍ର ହୋଇଛି-। ଡେଟ୍ରୟଟ ସହରରେ ଯେତେ ମଟରଗାଡ଼ି ତିଆରି ହୁଏ, ପୃଥିବୀର ଅନ୍ୟ କୌଣସି ସହରରେ ଏତେ ତିଆରି ହୁଏନି ।’’

 

“ଏଠାରେ କ’ଣ ସବୁ ବଡ଼ ବଡ଼ କମ୍ପାନୀମାନଙ୍କର ମଟରଗାଡ଼ି କାରଖାନା ଅଛି ?’’

 

‘‘ହଁ, ପ୍ରାୟ ସବୁ କମ୍ପାନୀର । ଫୋର୍ଡ଼, ଲିଙ୍କନ୍‍, ମରକୁରୀ, କେଡିଲକ୍‌, କଣ୍ଟିନେଣ୍ଟାଲ, ତ୍ରାଏସଲର, ସେବି, ପ୍ଳିମଥ ଗାଡ଼ି ଆଦି ଏଠି ତିଆରି ହୁଏ । ତା ଛଡ଼ା ବହୁ ଟ୍ରକ୍‌ ଓ ବସ୍‌ ତିଆରି କାରଖାନାମାନ ଏଠାରେ ଅଛି ।’’

 

‘‘ଆମେରିକାନମାନଙ୍କ ଅତିପ୍ରିୟ ଚେଭରଲେଟ୍‌ ଗାଡ଼ି କଥା ତ କହିଲନି, ସେ ଗାଡ଼ି କ’ଣ ଏଠି ତିଆରି ହୁଏନି ?”

 

‘‘ନା, ଚେଭରଲେଟ୍‌, ବୁଇକ୍‌ଆଦି ବିଖ୍ୟାତ ମଟରଗାଡ଼ି ତିଆରି ହୁଏ ଡେଟ୍ରୟଟ୍‌ ସହରଠାରୁ ୬୦ ମାଇଲ ଦୂର ଫ୍ଲିଣ୍ଟ ସହରରେ । ମଟରଗାଡ଼ି ତିଆରିରେ ଏହି ଫ୍ଲିଣ୍ଟ ସହରଟି ସାରା ଯୁକ୍ତରାଷ୍ଟ୍ରରେ ଦ୍ଵିତୀୟ ବୃହତ୍ତମ ସହର । ଏ ଦୁଇଟି ସହର ଛଡ଼ା ଫୋର୍ଡ଼, ଜେନେରାଲ ମୋଟରର୍ସ ତ୍ରାଏସଲର ଆଦି ବଡ଼ ବଡ଼ ମଟରଗାଡ଼ି ନିର୍ମାତା କମ୍ପାନୀମାନଙ୍କର ଅପର୍ଯ୍ୟାପ୍ତ କାରଖାନା ମିଚିଗାନ୍‌ ରାଜ୍ୟର ଡିଅରବର୍ଣ୍ଣ, ପ୍ଳିମଥ, ପୋଣ୍ଟିଏକ, ଜେକ୍‌ସନ୍‌, ଲନସିଙ୍ଗ ଆଦି ସହରରେ ଏମିତି ଭାବରେ ଖେଳାଇ ହୋଇ ପଡ଼ିଛି ଯେ ଦେଖିଲେ ଏହି ମିଛିଗାନ୍‌ରାଜ୍ୟର ଗୁରୁତ୍ଵ ବେଶ ଉପଲବଧି କରିହୁଏ । ଫୋର୍ଡ଼ ମଟର କମ୍ପାନୀର ବିରାଟ ମଟର ତିଆରି କାରଖାନା ରିଭର ରାଉଜେ ପ୍ଳେଣ୍ଟ ମିଚିଗାନ୍‌ ସହରର ଡିଅରବର୍ଣ୍ଣ ସହରରେ ଅବସ୍ଥିତ । ଏହି କାରଖାନାଟି ପ୍ରାୟ ବାରଶହ ଏକର ପରିମିତ ଜମି ଉପରେ ଅବସ୍ଥିତ । ଏଠାରେ ପ୍ରାୟ ୪୦,୦୦୦ ଶ୍ରମିକ କାମ କରନ୍ତି । ଫୋର୍ଡ ମଟରଗାଡ଼ିର ଇଞ୍ଜିନ, ବଡି, କାଚ ଝରକା ଆଦି ସବୁ ଏଠି ତିଆରି ହୁଏ । ମଟରଗାଡ଼ିର ବିଭିନ୍ନ ଅଂଶ ୧୬୨୦ ଫୁଟ ଲମ୍ବବିଶିଷ୍ଟ ଏକ ଲାଇନ ଉପରେ ଯୋଡ଼ା ଯୋଡ଼ି ହୁଏ-। ଏହି ଲାଇନଟି ମିନିଟକୁ ସାଢ଼େ ତେଇଶ ଫୁଟ ବେଗରେ ଗତି କରେ । ପ୍ରତି ୫୫ ସେକେଣ୍ଡରେ ଗୋଟିଏ ଗୋଟିଏ ମଟରଗାଡ଼ି ଏହାର ଶେଷ ମୁଣ୍ଡରୁ ପୂରା ଭାବରେ ଫିଟ୍‌ଫାଟ୍‌ ହୋଇ ବାହାରିଯାଏ । ଏହି ଲାଇନର ପ୍ରଥମ ମୁଣ୍ଡରୁ ଫ୍ରେମ୍‌ ଥୁଆ ହୁଏ । ଏହା ଧୀରେ ଧୀରେ କେତେବେଳେ ଆଗକୁ ଯାଉଥାଏ, ଏହାର ବିଭିନ୍ନ ଅଂଶ ଯୋଡ଼ା ହେଉଥାଏ । ଏହା ପୂରା ମଟରଗାଡ଼ି ହୋଇ ବାହାରିଗଲାବେଳକୁ ମୋତେ ଏକ ଘଣ୍ଟା ଦଶମିନିଟ୍‌ ସମୟ ଲାଗେ-। ଏହି କାରଖାନାଟି ଏମିତି ଅଟୋମେଟିକ୍‌ ହୋଇଛି ଯେ ଏହା ଦେଖିବାର କଥା । ଆମେରିକାର ଯେତେ ବଡ଼ ବଡ଼ ଅଟୋମେଟିକ୍‌ ମଟରଗାଡ଼ି କାରଖାନା ଅଛି ଏହା ତା ଭିତରୁ ଗୋଟିଏ । ଫୋର୍ଡ଼ ମଟର କମ୍ପାନୀର ପିତା ହେନେରୀ ଫୋର୍ଡ଼ ଏହି ସହରରେ ଜାତ ହୋଇଥିବାରୁ ସେ ଏଇଠି ତାଙ୍କର କାରଖାନା ବସାଇଥିଲେ ।’’

 

‘‘ଫୋର୍ଡ଼ ମଟର କମ୍ପାନୀର ସେହି କାରଖାନା ଆମେ ଦେଖନ୍ତେ ନାହିଁ ?” ସ୍ତ୍ରୀ ପଚାରିଲେ

 

‘‘ଏହି ସହରଟି ଡେଟ୍ରୟଟ୍ ସହରର ଉପକଣ୍ଠରେ ଅବସ୍ଥିତ । ଆମେ ତ ଡେଟ୍ରୟଟ୍‌ ଯାଉ ନାହେଁ, ତେଣୁ ଡିଅରବର୍ଣ୍ଣ ଦେଖିବା କେମିତି ? ଥାଉ, ଆଉ କେବେ— ।’’

 

“କହୁଥିଲ, ଆମେରିକାର ସବୁଠାରୁ ବଡ଼ କେଲଗ କମ୍ପାନୀର ମୁଢି, କର୍ଣ୍ଣପ୍ଲାସ୍କ ଆଦି ଖାଦ୍ୟପଦାର୍ଥର କାରଖାନା ବାଟରେ ପଡ଼ିବ ?”

 

‘‘ଓଃ, ବେଟଲିତ୍ରିକ୍‌ ସହର ପୃଥିବୀର ଶସ୍ୟତିଆରି ଖାଦ୍ୟପଦାର୍ଥର ବୃହତ୍ତମ ଉତ୍ପାଦନ କେନ୍ଦ୍ର । କେଲଗ୍‌ର କାରଖାନା ବ୍ୟତୀତ ନବିସ୍‌କୋ କମ୍ପାନୀର ବିସ୍କୁଟ କାରଖାନା (ଯେଉଁ ବିସ୍କୁଟ ଆମ ଘରେ ବେଶି ଚଳେ), ଜେନେରାଲ ଫୁଡ଼ସ୍‌ କର୍ପୋରେସନର ନାନାଦି କାରଖାନା (ଯେଉଁ କମ୍ପାନୀ ତୁମର ଅତି ପ୍ରିୟ କୁଲଏଡ଼୍‍ ତିଆରି କରେ) ଏଠି ଅବସ୍ଥିତ । ଆମେ ଯଦି ଡେଟ୍ରୟଟ ବାଟଟା ନେଇଥାନ୍ତେ ଚିକାଗୋ ଯିବା ପାଇଁ, ତେବେ ଏସବୁ ସହର ବାଟରେ ପଡ଼ିଥାନ୍ତା । ତା’ ଛଡ଼ା ଆନ୍‌ ଆରବୋର୍‌ ସହରଟିକୁ ମଧ୍ୟ ଦେଖିଥାନ୍ତେ । ସେଠାରେ ଯେଉଁ ମିଚିଗାନ୍‌ ବିଶ୍ଵବିଦ୍ୟାଳୟ ଅଛି, ସେଠି ଆମ ଓଡିଶାରୁ କେତେ ଲୋକ ନାହାନ୍ତି ? କିନ୍ତୁ ଆମେ ପରା ଚିକାଗୋରେ ଶୀଘ୍ର ପହଞ୍ଚିଯିବା ପାଇଁ ଏହି ବାଟଟିକୁ ନେଲେ । ତା ନ କରି ଆମେ ନାଏଗ୍ରା ଫଲ୍‌ସଠାରୁ କାନାଡ଼ା ଦେଇ ସିଧା ଡେଟ୍ରୟଟକୁ ଆସି, ବେଟଲିତ୍ରିକ୍‌, ଆନ ଆରବର୍‌, ସାଉଥ ବେଣ୍ଡ ଆଦି ସହର ଦେଇ ଚିକାଗୋକୁ ଯାଇଥାନ୍ତେ । ଇଣ୍ଡିଆନା ରାଜ୍ୟର ସାଉଥ୍‌ ବେଣ୍ଡ ସହରରେ ପଡ଼ିଥାନ୍ତା ଷ୍ଟୁଡିବେକର ମଟର କମ୍ପାନୀର ବିରାଟ କାରଖାନା ।’’

 

‘‘ହେଉ ଆସିଲାବେଳକୁ ଏ ବାଟେ’’

 

‘‘ଆମେ ତ ଆଉ ଏ ବାଟେ ଫେରିବା ନାହିଁ । ଆମେ ପରା ଚିକାଗୋରୁ ଫେରୁଛେ ପିଟସବର୍ଗ ଦେଇ । ଆଉ ଇଆଡ଼େ କେବେ ଆସିଲେ ସେସବୁ ଦେଖା ହେବ ।’’

 

ଆମେ ଏମିତି କଥାବାର୍ତ୍ତା ହେଉଛୁଁ, କେତେବେଳୁ ବସ ଟଲିଡ଼ୋ ଷ୍ଟେସନ ଛାଡ଼ିଦେଲାଣି ଆମର ଖିଆଲ ନାହିଁ । ଓହାଇଓ ରାଜ୍ୟର ପ୍ରଧାନ ହାଇୱେ ଓହାଇଓ ଟର୍ଣ୍ଣ ପାର୍କ ଦେଇ ଆମ ବସ୍‌ ଛୁଟି ଚାଲିଥାଏ । ରାତ୍ରିର ଶେଷ ପ୍ରହର ପ୍ରାୟ ହୋଇଗଲାଣି । ଅନ୍ଧାର ଭିତରେ ଦୁଇ ପାଖର କୃଷିକ୍ଷେତ୍ର ଅସ୍ପଷ୍ଟ ଦିଶୁଥାଏ । ସ୍ଥାନେ ସ୍ଥାନେ ଗାଁ । ଗାଁମାନଙ୍କରେ ଯାହା କିଛି ବିଜୁଳି ଆଲୋକ ଦିଶୁଥାଏ । ବାକି ସବୁଆଡ଼ ଅନ୍ଧାର । ସେହି ଅନ୍ଧାରକୁ ଅନାଇ ଅନାଇ ସିନିକ୍‌ କ୍ରୁଇଜରର ଝରକାକୁ ମୁଣ୍ଡ ଦେଇ ମୁଁ ଶୋଇପଡ଼ିଲି । ସ୍ତ୍ରୀ ପାଖ ସିଟ୍‌ରେ ପଡ଼ିଗଲେ । ସାମନା ଆଗ ସିଟ୍‌ ଦୁଇଟିରେ ପିଲା ଦୁଇଟି ନିଦ୍ରାଦେବୀଙ୍କ କୋଳରେ କେତେବେଳୁ ଆଶ୍ରୟ ନେଇ ସାରିଥାନ୍ତି ।

 

ଚାରିଆଡ଼େ ଫସରା ପଡ଼ି ସକାଳ ହୋଇଗଲାଣି । ହଠାତ୍‌ ମୋ ନିଦ ଭାଙ୍ଗିଗଲା । ଅନାଇ ଦେଖେ ତ ଆମ ବସ୍‌ ଛୁଟି ଚାଲିଛି ଇଣ୍ଡିଆନା ରାଜ୍ୟର କୃଷିକ୍ଷେତ୍ର ଭିତରେ । ଚିକାଗୋ ସହରରେ ପହଞ୍ଚିବା ପୂର୍ବରୁ ଆମକୁ ଇଣ୍ଡିଆନା ରାଜ୍ୟ ଦେଇ ଯିବାକୁ ପଡ଼ିବ । ଇଣ୍ଡିଆନା ଟ୍ରଙ୍କ ରୋଡ଼ରେ ଆମ ବସ୍‌ ବେଶ୍‌ ଦ୍ରୁତ ଗତିରେ ଚାଲିଥାଏ । ସକାଳ ହେବାକ୍ଷଣି ଆମେ ବାହାରିଗଲୁ ବସର ବାଥ୍‌ରୁମକୁ ସକାଳ ଦାନ୍ତଘଷା, ନିତ୍ୟକର୍ମ ଆଦି ଶେଷ କରିବୁ ବୋଲି । ବସ୍‌ ଭିତରର ଅନ୍ୟ କେହି ଯାତ୍ରୀ ଦାନ୍ତ ଘଷିବାର ନାଁ ଗନ୍ଧ ଧରୁ ନ ଥାନ୍ତି । ସଙ୍ଗରେ ଆଣିଥିବା ଜଳଖିଆ ଓ ଫଳ ଖାଇ ପ୍ରାତଃଭୋଜନ ପହିଲି ଅଧ୍ୟାୟ ଶେଷ କଲୁ ସେହି ବସ୍‌ ଭିତରେ ।

 

ଇଣ୍ଡିଆନା ଏକ କୃଷିପ୍ରଧାନ ଦେଶ । ବିରାଟ ବିରାଟ କୃଷିକ୍ଷେତ୍ର ରାସ୍ତାର ଦୁଇ ପାଖରେ ରହିଛି । ଆମ ଦେଶର ଚାଷୀ ଓ ଆମେରିକାର ଚାଷୀଙ୍କ ଭିତରେ ପ୍ରଭେଦ ଢେର୍‌ । ଆମର ଚାଷପ୍ରଣାଳୀ, ଚାଷୀର ଅବସ୍ଥା, ଚାଷୀର ଚାଷ ପ୍ରତି ଅନୁରୋଧ ଆଦି ଦୃଷ୍ଟିରୁ ଦେଖିଲେ ଆକାଶ ପାତାଳ ପ୍ରଭେଦ । ପୃଥିବୀର ଶସ୍ୟବହୁଳ ବୃହତ୍ତମ ରାଷ୍ଟ୍ର ହେଲା ଆମେରିକା । ପୃଥିବୀର ଶସ୍ୟ-ଅଭାବୀ ଶସ୍ୟ ଅନାଟନର ବୃହତ୍ତମ ରାଷ୍ଟ୍ରହେଲା ଆମ ଦେଶ । ଆମ ଦେଶର ଶତକରା ସର୍ବାଧିକ ଲୋକ ଚାଷ କରୁଥିଲାବେଳେ ଯୁକ୍ତରାଷ୍ଟ୍ରର ଶତକରା ନ୍ୟୂନତମ ଲୋକ ଚାଷ କରନ୍ତି । ଶତକରା ନବେ ଭାଗ ଲୋକ ଆମ ଦେଶରେ ଚାଷୀ; ତଥାପି ଆମ ଦେଶର ଲୋକଙ୍କୁ ଦୁଇ ବେଳା ପେଟପୂରା ଖାଇବାକୁ ମିଳେନି । କିନ୍ତୁ ଯୁକ୍ତରାଷ୍ଟ୍ରରେ ଶତକରା ମୋଟେ ଦଶ ଭାଗ ଲୋକ ଚାଷ କରନ୍ତି । ଏତେ କମ୍‌ଲୋକ ଚାଷକରି ମଧ୍ୟ କୃଷି ଉତ୍ପାଦନ ଏତେ ବେଶୀ ହୁଏ ଯେ ଏ ଦେଶର ଲୋକେ ଖାଇପିଇ ସାରିଲା ପରେ ବି ଢେର୍‌ ବଳେ । ଦାନ ଖଇରାତ କରି ବହୁ ଦେଶର ଲୋକଙ୍କୁ ଧାନ, ଗହମ ଆଦି ବାଣ୍ଟନ୍ତି । ତଥାପି ଏତେ ବଳେ ଯେ ଶେଷରେ ପୋତି ପକାଇ ବା ସମୁଦ୍ରରେ ଫୋପାଡ଼ିଦେଇ ନଷ୍ଟ କରିଦିଅନ୍ତି । ପୂରାପୂରି ଯନ୍ତ୍ର ସାହାଯ୍ୟରେ ଅତ୍ୟଧିକ କୃତିମ ସାର ଦେଇ ଚାଷ କରୁଥିବାରୁ ସେ ଦେଶର ଉତ୍ପାଦନ ଏତେ ଅଧିକ । ପାଞ୍ଚ ହଜାର ବର୍ଷ ତଳର ଚାଷପଦ୍ଧତି ସଙ୍ଗେ ସଙ୍ଗେ ସାର ବ୍ୟବହାର ନ କରି ଆମ ଦେଶରେ ଚାଷ କରିବା କି ମୂର୍ଖତା ଓ ସେଭଳି ସ୍ଥଳେ ଦେଶର ଚାହିଦା ମେଣ୍ଟାଇଲା ଭଳି ଉତ୍ପାଦନ କରିବା ଯେ କି ଆକାଶ କୁସୁମ, ତାହା ସମସ୍ତେ ଧାରଣା କରିବା ଉଚିତ । ଇଣ୍ଡିଆନ ରାଜ୍ୟର କୃଷିକ୍ଷେତ୍ର ଦେଖି ଚମକିତ ହେଲୁଁ । ଚାଷ କରିବା ପାଇଁ ଯନ୍ତ୍ରମାନ ଠାଆକୁ ଠାଆ ବ୍ୟବହୃତ ହେଉଥିବାର ଦେଖିଲୁଁ । କେଉଁଠି ବଳଦଟିଏ କି ଘୋଡ଼ାଟିଏ ଯୋଚା ହୋଇ ଚାଷ ପାଇଁ ବ୍ୟବହୃତ ହେଉଥିବାର ଦେଖିଲୁନି ।

 

ଠିକ୍‌ ଦିନ ନଅଟାବେଳକୁ ଆମେ ଚିକାଗୋ ନଗରୀର ଖୁବ୍‌ ପାଖେଇ ଆସିଲୁଁ । ଦୂରରୁ ଆମକୁ ଚିକାଗୋ ନଗରୀର ଆକାଶଚୁମ୍ବୀ ପ୍ରାସାଦମାନ ଦୂର ଦିଗବଳୟରେ ବେଶ୍‌ ପରିଷ୍କାର ଦିଶୁଥାଏ । ରାସ୍ତାଗୁଡିକ ବେଶ୍‌ ଗହଳି ଜଣା ପଡ଼ୁଥାଏ । ରାସ୍ତାର ଦୁଇ ପାଖରେ ଆଉ କୃଷି କ୍ଷେତ୍ରମାନ ନ ପଡ଼ି ବଡ଼ ବଡ଼ କଳକାରଖାନ ପଡ଼ି ଚିକାଗୋ ନଗରୀର ଶିଳ୍ପପ୍ରାଧାନ୍ୟ ସୂଚାଉଥାଏ । ଚାହୁଁ ଚାହୁଁ ଚିକାଗୋ ବିଶ୍ଵବିଦ୍ୟାଳୟ ପାର ହୋଇ ଆମ ବସ ଚିକାଗୋ ନଗରୀର ଗ୍ରେହାଉଣ୍ଡ ବସ୍‍ଷ୍ଟାଣ୍ଡ ଆଡ଼େ ଧାବମାନ ହେଲା । ଓଡ଼ିଶାର ଛାତ୍ର ରମେଶଚନ୍ଦ୍ର ମିଶ୍ର ଓ ତୁଷାର ରଞ୍ଜନ ଦତ୍ତଙ୍କ ଅନୁରୋଧକ୍ରମେ ଆମେ ଚିକାଗୋ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ହଷ୍ଟେଲରେ ଅବସ୍ଥାନ କରିବା କଥା । ତେବେ ଗ୍ରେହାଉଣ୍ଡ ବସ୍‌ଷ୍ଟେସନକୁ ଛାତ୍ରଦୁଇଜଣଙ୍କୁ ଆସିବା ଲାଗି ଅନୁରୋଧ କରିଥିବାରୁ ଆମେ ଏଠାରେ ନ ଓହ୍ଲାଇ ଚିକାଗୋ ନଗରୀର କେନ୍ଦ୍ରସ୍ଥଳୀ ଗ୍ରେହାଉଣ୍ଡ ବସ୍‌ ଷ୍ଟେସନକୁ ଗଲୁଁ । ଚିକାଗୋ ବସ୍‌ ଷ୍ଟେସନ ମଧ୍ୟ ଭୂମିତଳେ ଅବସ୍ଥିତ । ବସ୍‌ ଷ୍ଟେସନରୁ ବାହାରି ଏକ୍‌ସେଲେଟର (ଗତିଶୀଳ ପାହାଚ) ସାହାଯ୍ୟରେ ଉପରକୁ ଆସିଲାକ୍ଷଣି ତୁଷାର ଓ ରମେଶ ଆମକୁ ଅପେକ୍ଷା କରିଥିବାର ଦେଖିଲୁଁ । ସେମାନଙ୍କୁ ଦେଖି ଆମେ ସମସ୍ତେ ଖୁସି ହୋଇଗଲୁଁ । ଓଡ଼ିଶାଠାରୁ ହଜାର ହଜାର ମାଇଲ ଦୂରରେ ନିଜ ଭାଷା/ଭାଷୀ ଲୋକଙ୍କୁ ଦେଖିଲେ ମନ କି ଆନନ୍ଦରେ ନାଚି ଉଠେ, ଆମେ ସେତିକିବେଳେ ଅନୁଭବ କଲୁଁ ।

 

ସେମାନଙ୍କ ସହିତ ଆମେ ବସ୍‌ ଷ୍ଟେସନ୍‍ରୁ ବାହାରି ଭୂଇଁ ତଳ ରେଳଗାଡ଼ି ଯୋଗେ ବିଶ୍ୱବିଦ୍ୟାଳୟ କେମ୍ପସ୍‌କୁ ଗଲୁ । ଚିକାଗୋ ଭୂଇଁତଳ ରେଳଗାଡ଼ିରେ ଆମ ବେଷ୍ଟନ୍‌ ଭୂଇଁତଳ ରେଳଗାଡ଼ି ଭଳି । ଏହା ଡାଉନ୍‌ଟାଉନ୍‌ ଭିତରେ ପୂରାପୂରି ଭୂଇଁ ତଳେ । ଡାଉନ୍‌ଟାଉନରୁ ବାହାରେ ପୁଣି ଭୂଇଁ ଉପରେ । ଭୂଇଁତଳ ଷ୍ଟେସନରେ ସିନା ବସିଥିଲୁଁ, କିନ୍ତୁ ଚିକାଗୋ ବିଶ୍ଵବିଦ୍ୟାଳୟ ଷ୍ଟେସନ୍‍ଠାରେ ଓହ୍ଲାଇଲାବେଳକୁ ଭୂଇଁ ଉପରେ । ଷ୍ଟେସନଠାରୁ ଚିକାଗୋ ବିଶ୍ୱବିଦ୍ୟାଳୟର ଆନ୍ତଜାତିକ ଛାତ୍ରାବାସ ବେଶି ଦୂର ନୁହେଁ । ଷ୍ଟେସନରୁ ଆମେ ସମସ୍ତେ ଚାଲି ଚାଲି ଗଲୁଁ ।

 

ଚିକାଗୋ ପରିକ୍ରମା

 

ହଷ୍ଟେଲରେ ସ୍ନାନ, ଆହାରାଦି ଶେଷ କରି ବାହାରି ପଡ଼ିଲୁ ଚିକାଗୋ ବିଶ୍ୱବିଦ୍ୟାଳୟ ପରିଦର୍ଶନ ଅଭିମୁଖେ ।

 

ଚିକାଗୋ ବିଶ୍ୱବିଦ୍ୟାଳୟ ଚିକାଗୋ ନଗରୀର ଦକ୍ଷିଣ ଅଂଶରେ ଅବସ୍ଥିତ । ଆମେରିକାର ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଭିତରୁ ଏହା ଗୋଟିଏ । ଏହାର ଆୟତନ ପ୍ରାୟ ୧୧୦ ଏକର ପରିମିତ ସ୍ଥାନକୁ ଦଖଲ କରି ରହିଅଛି । ଏହି ବିଶ୍ୱବିଦ୍ୟାଳୟଟି ଆମେରିକାର ସୁବିଖ୍ୟାତ କୋଟିପତି ରକ୍‌ଫେଲର ବଂଶର ଉପରେ ପ୍ରତିଷ୍ଠିତ ହୋଇଥିଲା । ଏହା ୧୮୯୧ ମସିହାର କଥା-। ଏବେ ବି ଏହା ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଉପରେ ଚାଲେ । ଆମେରିକାର ଯେଉଁସବୁ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଦାତବ୍ୟ ପାଣ୍ଠି ବଳରେ ଚାଲେ, ସେଥି ଭିତରୁ ଚିକାଗୋ ବିଶ୍ୱବିଦ୍ୟାଳୟ ଦାତବ୍ୟ ପାଣ୍ଠିର ପରିଣାମ ତିନି ଶହ କୋଟି ଟଙ୍କା ଓ ସେ ଦୃଷ୍ଟିରୁ ଏହାର ସ୍ଥାନ ଆମେରିକାର ସବୁ ବିଶ୍ଵବିଦ୍ୟାଳୟ ଭିତରେ ଚତୁର୍ଥ । ଏହା ଉପରକୁ ରହିଲା ଯଥାକ୍ରମେ ହାର୍‌ଭାର୍ଡ, ୟେଲ୍‌ ଓ କଲମ୍ବିଆ । ହାର୍‌ଭାର୍ଡ ବିଶ୍ଵବିଦ୍ୟାଳୟର ଦାତବ୍ୟ ପାଣ୍ଠି ସର୍ବାଧିକ । ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରାସାଦଗୁଡ଼ିକ ମୋଟାମୋଟି ନୂଆ, ପୁରୁଣା ଉଭୟ ଶ୍ରେଣୀର । ପୁରୁଣା ଗୋଥିକ ରୀତିରେ ତିଆରି ୮୫ଗୋଟି ପ୍ରାସାଦ ଏହି ପୁରୁଣା ଶ୍ରେଣୀର ଅନ୍ତର୍ଗତ । ନୂଆ ଶୈଳୀରେ ଏହାର ଆଇନ୍‌କଲେଜ, ନାନାଦି ଆକାଶଚୁମ୍ବୀ ହଷ୍ଟେଲମାନ ତିଆରି । ବିଶ୍ଵବିଦ୍ୟାଳୟ ଭିତରେ ରକ୍‌ଫେଲର ମେମୋରିଆଲ୍‌ ଚାପେସ୍‌ସବୁଠାରୁ ସୁନ୍ଦର । ଏହାର ଗମ୍ବୁଜ ଉପରେ ୭୨ ଗୋଟି ଘଣ୍ଟାଯୁକ୍ତ ଗୋଟିଏ କାରିସନ୍‌ ଅବସ୍ଥିତ । ଦ୍ଵିତୀୟ ମହାସମର ସମୟରେ ଏହି ବିଶ୍ଵବିଦ୍ୟାଳୟର ଗବେଷଣାଗାର ପରମାଣୁ ବୋମାର ଗବେଷଣା ଦିଗରେ ଯଥେଷ୍ଟ କାମ କରିଥିଲା । ଏହିଠାରେ ସର୍ବପ୍ରଥମେ ଚେନ୍‌ପ୍ରକ୍ରିୟା ସଫଳତାର ସହିତ କାମ କରଯାଇଥିଲା । ଯେଉଁ ଗବେଷଣା ଗାରରେ ଚେନ୍‌ପ୍ରକ୍ରିୟା ସର୍ବପ୍ରଥମ ସମ୍ପାଦିତ ହୋଇଥିଲା, ସେହି ଗବେଷଣାଗାରଟି ପରେ ନାମିତ ହୋଇଛି ଫେରମି ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ନିଉକ୍ଳିଅର ଫିଜିକ୍‌ସ ଭାବରେ । ପୃଥିବୀର ଏହି ଜାତୀୟ ଅନୁଷ୍ଠାନ ଭିତରେ ଏହା ଏକ ଶୀର୍ଷସ୍ଥାନ ଅଧିକାର କରିଛି । ଏହି ବିଶ୍ଵବିଦ୍ୟାଳୟରେ ଥିବା ୪୬୦ ମିଲିୟନ ଭଲ୍‌ଟଯୁକ୍ତ ସାଇକ୍ଳୋଟ୍ରୋନ୍‌ ପୃଥିବୀ ପ୍ରସିଦ୍ଧ ।

 

ଆନ୍ତର୍ଜାତିକ ଛାତ୍ରାବାସରୁ ବାହାରି ଆମେ ପ୍ରଥମେ ଯାଇ ପହଞ୍ଚିଲୁ ବିଶ୍ୱବିଦ୍ୟାଳୟର ରସାୟନାଗାରରେ । ଗ୍ରୀଷ୍ମାବିକାଶ ଯୋଗୁଁ ବିଶ୍ୱବିଦ୍ୟାଳୟର ଛାତ୍ରାକୋଳାହଳ ସେତେ ନ ଥାଏ । ଅଳ୍ପ କେତେକ ଛାତ୍ରଛାତ୍ରୀ ଗବେଷଣାଗାରମାନଙ୍କରେ ଗବେଷଣା କରୁଥାନ୍ତି । ସେଠାରୁ ଆମେ ଉଭିଦ ବିଜ୍ଞାନ ଗବେଷଣାଗାର ଆଦି ଦେଇ ଆସିଲୁ ପଦାର୍ଥ ବିଜ୍ଞାନଗାରର ସେରମି ଇନ୍‌ଷ୍ଟିଚିଉଟ୍‌ ଆଡ଼େ । ସେରମି ଇନ୍‌ଷ୍ଟିଚିଉଟ୍‌ର ସମ୍ମୁଖରେ ଏକ ତାମ୍ର ଫଳକରେ ଲେଖା ହୋଇଥିଲା—

 

On December 2, 1942

Man achieved here The First Self Sustaining

Chain reaction and thereby initiated the

Controlled release of Nuclear Energy.

 

THE UNIVERSITY OF CHICAGO

 

ବିଜ୍ଞାନର ଏକ ଶ୍ରେଷ୍ଠତମ ଉଦ୍ଭାବନ ପରମାଣୁ ବୋମାର ସର୍ବପ୍ରଥମ ଆରମ୍ଭ ଏହି ସ୍ଥାନରେ ହୋଇଥିବାରୁ ଏହି ସ୍ଥାନର ଗୁରୁତ୍ଵ ଉପଲବ୍‌ଧି କରି ଏହି ତାମ୍ରଫଳକ ତଳେ ଆମ ସମ୍ମାନର ଶ୍ରେଷ୍ଠ ଅର୍ଘ୍ୟ ଅଜାଡ଼ିଦେଲୁଁ । ସେଠାରୁ ଗଲୁ ବିଶ୍ଵବିଦ୍ୟାଳୟର ଆଡ଼ମିନଷ୍ଟ୍ରେସନ ବ୍ଲକ ଓ କଳା ବିଭାଗ ଆଡ଼େ । ସାରା ବିଶ୍ଵବିଦ୍ୟାଳୟ ଭିତରେ ଆମକୁ ବିଶେଷ ଭଲ ଲାଗୁଥିଲା ରକ୍‌ଫେଲ୍‌ର ମୋମୋରିୟାଲ ଚପେଲଟି । ଅତି ସୁନ୍ଦର ସେହି ଗୀର୍ଜାଟିର ଗଠନଚାତୁରୀ । ବିଶ୍ଵବିଦ୍ୟାଳୟରେ ବୁଲି ବୁଲି ଆମେ ଶେଷରେ ଚାଲିଆସିଲୁ ବିଶ୍ଵବିଦ୍ୟାଳୟର ଗୋଟିଏ ମୁଣ୍ଡକୁ । ସେହିଠାରୁ ଆରମ୍ଭ ହୋଇଛି ଏକ ବିରାଟ ପଡ଼ିଆ । ଲମ୍ବି ଯାଇଛି ବିଶ୍ଵବିଦ୍ୟାଳୟ ଶେଷ ସୀମା ପର୍ଯ୍ୟନ୍ତ । ଶୁଣିଲୁ ଏହି ପଡ଼ିଆଟି ଅତି କୁଖ୍ୟାତ ପଡ଼ିଆ । ଏଠାରେ ଯେଉଁସବୁ ଅସମାଜିକ କାର୍ଯ୍ୟ ଚାଲେ, ଶୁଣିଲେ ମଣିଷ କାନରେ ହାତ ଦେବ । ଆମେରିକା ଭଳି ସଭ୍ୟ, ଶିକ୍ଷିତ ରାଜ୍ୟରେ ଚିକାଗୋ ଭଳି ଏତେ ବଡ଼ ବିଖ୍ୟାତ ବିଶ୍ଵବିଦ୍ୟାଳୟର ସୀମା ଭିତରେ ଏଭଳି କାମ ଯେ ହୋଇପାରେ, ସହଜରେ ବିଶ୍ଵାସ ଆସିଲାନି । ସନ୍ଧ୍ୟା ପରେ ଏହି ପଡ଼ିଆ ଦେଇ ଯିବା ସମ୍ଭବପର ନୁହେଁ ବୋଲି ଶୁଣିଲୁ । ଡକାୟତ ଓ ଚୋରମାନେ ଆସି ଛୁରା ବା ବନ୍ଧୁକ ଦେଖାଇ ତୁମକୁ ଅଟକାଇବେ; ତୁମ ପାଖରେ ଟଙ୍କା ପଇସା, ଗହଣା ଗାଣ୍ଠି, ଦାମିକା ଜିନିଷ ଯଦି ଥାଏ, ତେବେ ଆଖି ପିଛୁଳାକେ ଛଡ଼ାଇ ନେଇ ଅନ୍ତର୍ଦ୍ଧାନ ହୋଇଯିବେ । ଆମେରିକା ଆସିବା ପୂର୍ବରୁ ଆମେ ଚିକାଗୋ ବିଶ୍ଵବିଦ୍ୟାଳୟର ଏହି କୁପ୍ରସିଦ୍ଧି ଶୁଣିଥିଲୁ, ଆହୁରି ଶୁଣିଥିଲୁ ଚିକାଗୋ ବିଶ୍ଵବିଦ୍ୟାଳୟର ଛାତ୍ରମାନେ ଏହିଭଳି ଅସମାଜିକ କାର୍ଯ୍ୟରେ ବେଳେ ବେଳେ ଲିପ୍ତ ବୋଲି । କିନ୍ତୁ ପ୍ରକୃତ କଥା କ’ଣ ଆମେ ସେଇଠି ଜାଣିଲୁ । ସେହି ପଡ଼ିଆର ଆର ପାଖଟି ଚିକାଗୋର ବିରାଟ ନିଗ୍ରୋବସିତ ଅଞ୍ଚଳ । ଏହି ନିଗ୍ରୋମାନଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ । ସେମାନେ ବେଳେବେଳେ ଏହି ଡକାୟତି ବେଉସା ଅବଲମ୍ବନ କରିଥାନ୍ତି । ଚିକାଗୋ ବିଶ୍ୱବିଦ୍ୟାଳୟର ଏହି କୁଖ୍ୟାତିକୁ ଆଲୋଚନାକୁ ନେବା ପୂର୍ବରୁ ଚିକାଗୋ ସହରର କୁଖ୍ୟାତି ସମ୍ବନ୍ଧରେ ଆମର କିଛି ଜାଣିବା ଦରକାର ।

 

ଚିକାଗୋ ସହର ଯୁକ୍ତରାଷ୍ଟ୍ର ଆମେରିକାର ଇଲିନୟ ରାଜ୍ୟ ଅନ୍ତଗତ ଓ ଏହା ଆମେରିକାର ମଧ୍ୟଭାଗ ଅଞ୍ଚଳର ବୃହତ୍ତମ ସହର । ଏହାର ଲୋକସଂଖ୍ୟା ପ୍ରାୟ ତିରିଶ ଲକ୍ଷରୁ ଅଧିକ । ବହୁଦିନ ଧରି ଏହା ଯୁକ୍ତରାଷ୍ଟ୍ରର ଦ୍ଵିତୀୟ ବୃହତ୍ତମ ସହର ଥିଲା । ଲୋକସଂଖ୍ୟା ଦୃଷ୍ଟିରୁ ଏହାର ସ୍ଥାନ ଥିଲା ନିଉୟର୍କ ନଗରୀର ପରେ । କିନ୍ତୁ ଗତ କେତେ ବର୍ଷ ଭିତରେ ଏହାର ସ୍ଥାନ ତୃତୀୟକୁ ଖସିଯାଇଛି । ଆମେରିକାର ଦ୍ଵିତୀୟ ବୃହତ୍ତମ ସହର ବର୍ତ୍ତମାନ ହେଉଛି ଲସ୍‌ଏନ୍‌ଜେଲସ୍‌ । ଚିକାଗୋ ସହରର ଅନ୍ୟ ନାମ ହେଉଛି ପବନ ଆନ୍ଦୋଳିତ ସହର । ଏହା ଆମେରିକାର ସୁବିଖ୍ୟାତ ପଞ୍ଚହ୍ରଦ ଭିତରୁ ମିଚିଗାନ ହ୍ରଦକୂଳରେ ଅବସ୍ଥିତ ଥିବାରୁ ଚିକାଗୋ ସହରର ପ୍ରାୟ ୩୦ ମାଇଲ ସୀମା ଏହି ହ୍ରଦକୂଳରେ ଅବସ୍ଥିତ । ତେଣୁ ସଦାସର୍ବଦା ସୁଶୀତଳ ଥଣ୍ଡା ପବନ ଏହି ସହରରେ ପ୍ରବାହିତ ହେଉଥିବାରୁ ସହରର ଅନ୍ୟତମ ନାମକରଣ ‘Windy City’ ହେବା ସ୍ଵାଭାବିକ ।

 

ଚିକାଗୋର ଲୋକସଂଖ୍ୟା ସିନା ୩୫ ଲକ୍ଷରୁ କିଛି ଅଧିକ; କିନ୍ତୁ ବୃହତ୍ତର ଚିକାଗୋର ଲୋକସଂଖ୍ୟା ୬୨ ଲକ୍ଷରୁ ବେଶି । ଯୁକ୍ତରାଷ୍ଟ୍ରର ବୃହତ୍ତମ ରେଳପଥର କେନ୍ଦ୍ର ଭାବରେ ଏହି ସହର ପ୍ରସିଦ୍ଧ । ଏହି ସହର ଭିତରେ ଛଅଗୋଟି ରେଳ ଷ୍ଟେସନ ଅବସ୍ଥିତ । ପ୍ରାୟ ୪୧ଗୋଟି ବିଭିନ୍ନ ରେଳଲାଇନ୍‌ର ଏହା ହେଉଛି କେନ୍ଦ୍ର । ଏହି ସହରରୁ ବା ସହରକୁ ପ୍ରତିଦିନ ୧୭୦୦ ପାସେଞ୍ଜର ଟ୍ରେନ୍‌ ଯାତାୟାତ କରେ । ଆମ ହାବଡା ଷ୍ଟେସନ ଭଳି ସବୁ ରେଳଲାଇନ୍‌ର ଶେଷମୁଣ୍ଡ ହେଉଛି ଏହି ଚିକାଗୋ ଷ୍ଟେସନ ।

 

ଚିକାଗୋ ସହର ଚିକାଗୋ ନଦୀର ଦୁଇଟି ଧାରର କୂଳରେ ଅବସ୍ଥିତ । ଏହି ନଦୀର ବିଶେଷତ୍ଵ ହେଉଛି ଯେ ଏହି ନଦୀର ସ୍ରୋତ ନଦୀର ନିମ୍ନ ଆଡ଼କୁ ଗତି ନ କରି ନଦୀର ଉପର ଆଡ଼କୁ ଗତି କରେ । ଏକ ବିରାଟ ଇଞ୍ଜିନିଅରିଂ କୌଶଳ ସାହାଯ୍ୟରେ ନଦୀର ସ୍ରୋତକୁ ଏମିତି ବଦଳାଇ ବିପରୀତଗାମୀ କରି ଦିଆଯାଇଛି ଯେ ଏହା ସମସ୍ତଙ୍କର ଦେଖିବାର କଥା ।

 

ଚିକାଗୋ ସହର ସର୍ବପ୍ରଥେମ ପ୍ରତିଷ୍ଠିତ ହୋଇଥିଲା ୧୬୭୩ ମସିହାରେ ଜୋଲିୟେଟ୍‌ ଓ ମାରକୁଏଟ୍‌ଙ୍କ ଦ୍ଵାରା । ପରେ ପରେ ଜିନ୍‌ବେପଟିଷ୍ଟ, ଜନ୍‌କେନଜି ଆଦି ଏହି ସହରର ପ୍ରଭୂତ ଉନ୍ନତି ସାଧନ କରିଥିଲେ । ସେତେବେଳେ ଏହା ଏକ ଅତି ଛୋଟ ସହର ଭାବରେ ଗଢ଼ି ଉଠିଥିଲେ । ଆଧୁନିକ ଚିକାଗୋ ସହର ପ୍ରତିଷ୍ଠିତ ହେଲା ୧୮୩୦ ମସିହାରେ । ୧୮୭୧ ମସିହାରେ ଏକ ବିରାଟ ଅଗ୍ନିଦାହ ଫଳରେ ସହରଟି ପୋଡ଼ି ପାଉଁଶ ହୋଇ ଯାଇଥିଲା । ଏହାପରେ ପୁଣି ନିର୍ମିତ ହୋଇ ଆଧୁନିକ ଅବସ୍ଥାକୁ ଆସିଛି ।

 

ଚିକାଗୋ ସହରଟି ମିଚିଗାନ ହ୍ରଦକୂଳରେ ଅବସ୍ଥିତ ଥିବାରୁ ଏହାର ବଡ଼ ବଡ଼ ରାସ୍ତା, ଚିତ୍ତ-ବିନୋଦନ କେନ୍ଦ୍ର, ଆକାଶଚୁମ୍ବୀ ପ୍ରସାଦ, ବହୁ ଦର୍ଶନୀୟ ସ୍ଥାନ ଏହି ହ୍ରଦକୂଳରେ ଅବସ୍ଥିତ । ସହରରେ ଦୁଇ ଶହ ପର୍ଯ୍ୟନ୍ତ ବଡ଼ ବଡ଼ ପାର୍କ ଓ ଉଦ୍ୟାନ ରହିଛି । ସେହିପରି ପାର୍କ ମଧ୍ୟରେ ଗ୍ରେଣ୍ଟ ପାର୍କ, ବରନ୍‌ହମ୍‌ ପାର୍କ, ଲିଙ୍କନ ପାର୍କ, ୱାସିଂଟନ ପାର୍କ, ମାରକୁଏଟ୍‌ ପାର୍କ ଆଦି ପ୍ରସିଦ୍ଧ ।

 

ଚିକାଗୋ ସହର ଆମେରିକାର ଏକ ପ୍ରସିଦ୍ଧ ଶିକ୍ଷାକେନ୍ଦ୍ର ଭାବରେ ପରିଚିତ । ଚିକାଗୋ ବିଶ୍ଵବିଦ୍ୟାଳୟ ବ୍ୟତୀତ ଲୟଲ୍‌ ବିଶ୍ଵବିଦ୍ୟାଳୟ, ଡିପଲ୍‌ ବିଶ୍ଵବିଦ୍ୟାଳୟ, ରୁଜଭେଲଟ୍‌ ବିଶ୍ଵବିଦ୍ୟାଳୟ, ଇଲିନୟ ଇନଷ୍ଟିଚିଉଟ୍‌ ଅଫ୍‌ ଟେକୋନ୍‌ଲଜି, ଇଲିନୟ ବିଶ୍ୱବିଦ୍ୟାଳୟ, ମେଡ଼ିକାଲ କଲେଜ, ଦନ୍ତ ଚିକିତ୍ସା କଲେଜ, ଫର୍ମାସୀ କଲେଜ ଆଦି ଏଠାରେ ଅବସ୍ଥିତ । ତା’ଛଡ଼ା ଏହି ସହରରେ ନର୍ଥ-ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ଆଇନ୍‌କଲେଜ, ମେଡ଼ିକାଲ କଲେଜ ଓ ଅନ୍ୟାନ୍ୟ କଲେଜ ଆଦି ଅବସ୍ଥିତ । ଏସବୁ ବ୍ୟତୀତ ଏହି ସହରରେ ବହୁ କଲେଜ ଓ ପଲିଟେକ୍‌ନିକ୍‌ ଅନୁଷ୍ଠାନମାନ ରହିଛି ।

 

ଚିକାଗୋ ସହର ପଶୁ ବ୍ୟବସାୟୀ ପାଇଁ ପୃଥିବୀ ପ୍ରସିଦ୍ଧ । ଆମେରିକାର ୨୬ଗୋଟି ରାଜ୍ୟରୁ ପ୍ରତିବର୍ଷ ଦେଢ଼କୋଟିରୁ ଊର୍ଦ୍ଧ୍ଵ ପଶୁ ଏଠାକୁ ବିକ୍ରୟ ପାଇଁ ଆସନ୍ତି । ଏହାର ପଶୁ ହାଟ ଏଡ଼େ ବିରାଟ ଯେ ନ ଦେଖିଲେ ଧାରଣା କରି ହେବ ନାହିଁ । ଅଧିକାଂଶ ପଶୁ ଏଠାରେ ହଣା ହୋଇ ସେମାନଙ୍କ ମାଂସ ବିଭିନ୍ନ ସ୍ଥାନକୁ ବିକ୍ରୟ ପାଇଁ ପ୍ରେରିତ ହୁଏ । ସେଥିପାଇଁ ଚିକାଗୋର ମାଂସ ବଜାର ପୃଥିବୀର ବୃହତ୍ତମ ମାଂସ ବଜାର ଅଟେ । ଏହି ବଜାର ଗୋରୁ, ଘୁଷୁରି, ମେଣ୍ଢା ମାଂସରେ ପୂର୍ଣ୍ଣ ।

 

ଚିକାଗୋ ସହର କୃଷି ଓ ଫାର୍ମଜାତ ପଦାର୍ଥ ପାଇଁ ଯେତିକି ବିଖ୍ୟାତ, ଶିଳ୍ପଜାତ ପଦାର୍ଥ ପାଇଁ ତା’ଠାରୁ ଅଧିକ ବିଖ୍ୟାତ । ଆମେରିକାର ସବୁ ବଡ଼ ବଡ଼ କମ୍ପାନୀ, ବ୍ୟବସାୟୀ, ଶିଳ୍ପପତିମାନଙ୍କର କଳକାରଖାନା ଏହି ସହର ଓ ଏହାର ଆଖପାଖରେ ଅଛି । ଯୁକ୍ତରାଷ୍ଟ୍ରର ଇଲେକ୍‌ଟ୍ରନିକ ଶିଳ୍ପର କେନ୍ଦ୍ର ଭାବରେ ଏହି ସହରଟି ପ୍ରସିଦ୍ଧ । ଦେଶର ଶିଳ୍ପଜାତ ତଥା କୃଷିଜାତ ପଦାର୍ଥର ରପ୍ତାନି କେନ୍ଦ୍ର ଭାବରେ ଚିକାଗୋ ବନ୍ଦର ପୃଥିବୀପ୍ରସିଦ୍ଧ ।

 

ଚିକାଗୋ ସହରର ସୁଖ୍ୟାତି ସଙ୍ଗେ ସଙ୍ଗେ ଏହାର କୁଖ୍ୟାତି ମଧ୍ୟ ପୃଥିବୀପ୍ରସିଦ୍ଧ । ଆମେରିକାର ସବୁ ସହର ତୁଳନାରେ ଏହାର କୁଖ୍ୟାତି ସର୍ବାଧିକ । ବଡ଼ ବଡ଼ ଚୋର, ଡକାୟତ ଦଳ, କଳାବଜାରୀ, ଚୋରା ବ୍ୟବସାୟୀଙ୍କ ଆଡ଼୍‍ଡା ଚିକାଗୋ ସହରରେ ଖୁବ୍‌ ବେଶି । ନାରୀଧର୍ଷଣ, ନାରୀହରଣ, ବେଶ୍ୟାବୃତ୍ତିରେ ଏହି ସହରର ସମକକ୍ଷ ହେଲା ଭଳି ସହର ଯୁକ୍ତରାଷ୍ଟ୍ରରେ କମ୍‌ । ୧୯୨୦ ମସିହାରେ ଏଠାରେ ଏହିସବୁ ଅସାମାଜିକ କ୍ରିୟା ତଥା ଅସାମାଜିକ ଲୋକଙ୍କ ସମାଗମ ଏତେ ବେଶି ଥିଲା ଯେ ଚିକାଗୋର କୁଖ୍ୟାତି ଏହାର ସୁଖ୍ୟାତିକୁ ଟପି ଯାଇଥିଲା । ସେହି ସମୟରେ ଅଲକେପନ୍‌, ବିଗ୍‌ଜିମ, କଲୋସିମୋ ଆଦି ଚୋରା ବ୍ୟବସାୟୀମାନେ ବେଆଇନ୍‌ ମଦ କାରବାରରେ ଏଠାରେ ଏତେ କୁଖ୍ୟାତି ଅର୍ଜନ କରିଥିଲେ ଯେ ଚିକାଗୋର ଇତିହାସ ସବୁଦିନ ପାଇଁ ସେମାନଙ୍କଦ୍ଵାରା କଳଙ୍କିତ ହୋଇ ଯାଇଥିଲା । ଏହି କୁଖ୍ୟାତି ଗୁଣ୍ଡାଦଳକୁ ଆୟତ୍ତକୁ ଆଣିବା ପାଇଁ ଯୁକ୍ତରାଷ୍ଟ୍ରର କେନ୍ଦ୍ର ଓ ରାଜ୍ୟସ୍ତରୀୟ ଆଇନକୁ ବଦଳାଇବାକୁ ପଡ଼ିଥିଲା । ନାନା ରାଜନୈତିକ ଦଳ ସହିତ କୁ-ସମ୍ୱନ୍ଧ ରଖି ସେମାନେ ସବୁ ପ୍ରକାର ଆଇନ କାନୁନ୍‌କୁ ଏମିତି ଦଳି ଚକଟି ଦେଉଥିଲେ ଯେ ସେମାନଙ୍କ ନାଁ ଶୁଣିଲେ ଲୋକଙ୍କ ଲୋମମୂଳ ଭୟରେ ଟାଙ୍କୁରି ଉଠୁଥିଲା । ସେମାନେ ବେଆଇନ ମଦ କାରବାର ସଙ୍ଗେ ସଙ୍ଗେ ଡକାୟତି, ନାରୀହରଣ, ନାରୀଧର୍ଷଣରେ ଏତେ ସିଦ୍ଧହସ୍ତ ଥିଲେ ଯେ ଚିକାଗୋର ପ୍ରତି ବସ୍ତି, ଗଳିକନ୍ଦିରେ ସେ ସମୟରେ ଆଧୁନିକ ଶସ୍ତା ହିନ୍ଦୀ ଅପରାଧୀମୂଳକ ଚଳଚିତ୍ରର ଜୀବନ୍ତ ଅଭିନୟ ପ୍ରତିଦିନ ହେଉଥିଲା କହିଲେ ଅତ୍ୟୁକ୍ତି ହେବନି । ଏମିତି କୌଣସି ପାପ କର୍ମ ନାହିଁ ଯାହା ସେଠି ହେଉ ନ ଥିଲା । ଯାର କଳ୍ପନା ମଣିଷ ମନକୁ ଛୁଇଁ ନ ଥିଲା ଅର୍ଥାତ ମଣିଷ ଯେତେପ୍ରକାର ପାପକର୍ମ, ଅସମାଜିକ କ୍ରିୟା କଳ୍ପନା କରିପାରେ, ସେସବୁ ହେଉଥିଲା ସେ ସମୟରେ ଚିକାଗୋର ପ୍ରାୟ ଅଧିକାଂଶ ଗଳିକନ୍ଦିରେ । ବେଆଇନ ମଦ କାରବାର ସହିତ ଏସବୁ ଥିଲା ଆନୁସଙ୍ଗିକ କାର୍ଯ୍ୟ । ଚିକାଗୋର ସେହି କୁଖ୍ୟାତି ଡକାୟତ ଦଳ ଆଜି ନ ଥିଲେହେଁ ତାଙ୍କ ବଦଳରେ ଯେଉଁମାନେ ଏହିସବୁ ବେଆଇନ କାର୍ଯ୍ୟ କରନ୍ତି ସେମାନଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ ବା ସେମାନେ ଏସବୁ କାମରେ କମ୍‌ ଧୁରନ୍ଧର ନୁହନ୍ତି । ଏବେ ମଧ୍ୟ ଆମେରିକାର ସବୁ ସହର ତୁଳନାରେ ଚିକାଗୋ ଅସାମାଜିକ ଘଟଣା ମକଦ୍ଦମା ଅତି ଉଚ୍ଚରେ । ଚିକାଗୋ ସହରର କୁ-ପ୍ରଭାବ ଏହାର ବିଶ୍ୱବିଦ୍ୟାଳୟ କେମ୍ପସରେ ପଡ଼ିବାରେ ବିଚିତ୍ରତା କଅଣ ଅଛି ? ଚିକାଗୋ ବିଶ୍ଵବିଦ୍ୟାଳୟର କେତେକ ଛାତ୍ର ବେଳେ ବେଳେ ଏହିସବୁ ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ରହି ଛାତ୍ର ସମାଜର ସୁନାମକୁ ଚିରଦିନ ପାଇଁ କଳଙ୍କିତ ନ କରି ଛାଡ଼ି ନାହାନ୍ତି ।

 

ରମେଶ ଓ ତୁଷାରଠାରୁ ଏହି ପଡ଼ିଆର ଅସଂଖ୍ୟା ଅସାମାଜିକ କାର୍ଯ୍ୟ ଓ ଘଟଣା ଶୁଣି ଆମେ ଯେ ଚକିତ ହେଲୁଁ ତା ନୁହେଁ, ଏହି ପଡ଼ିଆ ପ୍ରତି ଆମ ମନ ଘୃଣାରେ ପୂରିଗଲା । ସଭ୍ୟଜଗତର ମଉଡ଼ମଣି ଭାବରେ ଦାବି କରୁଥିବା ଆମେରିକାର ଏକ ବିଶ୍ଵ ବିଦ୍ୟାଳୟ କେମ୍ପସ ଭିତରେ ଏଡ଼େ ଜଘନ୍ୟ କାମ ଯେ ହୋଇପାରେ, ସାରା ଯୁକ୍ତରାଷ୍ଟ୍ର ସେଥିପାଇଁ ଲଜ୍ଜିତ ହେବା ଉଚିତ ।

 

ବିଶ୍ୱବିଦ୍ୟାଳୟ କେମ୍ପସର ଏତେ କୁନାମ ଶୁଣି ଆମର ଆଉ ସେଠି ରହିବାକୁ ଇଚ୍ଛା ହେଲା ନାହିଁ । ଆମେ କେମ୍ପସରୁ ବାହାରି ଚାଲିଲୁଁ ଚିକାଗୋର ଅନ୍ୟତମ ଦର୍ଶନୀୟ ସ୍ଥାନ ‘ମିଉଜିୟମ ଅଫ୍‌ ସାଇନ୍‌ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌’ ଦେଖିବା ପାଇଁ । ଏହି ବିରାଟ ଅନୁଷ୍ଠାନଟି ମିଚିଗାନ ହ୍ରଦକୂଳରେ ଅବସ୍ଥିତ । ବିଶ୍ଵବିଦ୍ୟାଳୟ କେମ୍ପସଠାରୁ ବେଶି ଦୂର ନୁହେଁ । ଏଥିରେ ପ୍ରାୟୋଗିକ ବିଜ୍ଞାନ, ଇଞ୍ଜିନିଅରିଂ ବିଜ୍ଞାନ, ଶିଳ୍ପ ବିଜ୍ଞାନ ଆଦିର ଏତେ ଦର୍ଶନୀୟ ବସ୍ତୁ ଓ ଯନ୍ତ୍ରପାତି, ମେସିନ, କଳକବ୍‌ଜା ଆଦି ପୂରିରହିଛି ଯେ ଥରେ ଦେଖିଲେ ଏହି ବିରାଟ ଅନୁଷ୍ଠାନଟିକୁ ଭୁଲିହେବନି । ଏଠାରେ ଗୋଟିଏ କୋଇଲାଖଣିର ଏମିତି ମଡ଼େଲ ଅଛି, ଯା ଭିତରକୁ ଗଲେ କୋଇଲାଖଣିର ଏମିତି ମଡ଼େଲ ଅଛି, ଯା ଭିତରକୁ ଗଲେ କୋଇଲାଖଣିର ପ୍ରକୃତ କାମ କେମିତି ଚାଲେ ଦେଖି ଜାଣିହେବ । ଗତ ଦ୍ଵିତୀୟ ମହାସମର ସମୟରେ ଧରା ହୋଇଥିବା ବିଖ୍ୟାତ ଜର୍ମାନ ବୁଡ଼ାଜାହାଜ ଇଉ ୫୦୫ର କାର୍ଯ୍ୟ ସାଧାରଣ ଲୋକଙ୍କୁ ଦେଖାଇବା ପାଇଁ ବନ୍ଦୋବସ୍ତ ରହିଛି । ଏହି ମିଉଜିୟମଟି ବୁଲି ଫେରିଲାବେଳକୁ ପ୍ରାୟ ବେଳବୁଡ଼ ହୋଇଗଲାଣି । ଆମେ ସେଠୁ ବାହାରି ‘ଲେକ୍‌ସୋର୍‌ ଡ୍ରାଇଭ’ ରାସ୍ତା ଦେଇ ହ୍ରଦକୂଳରେ ଥିବା ବିଚ୍‍କୁ ଗଲୁ । କୂଳରେ ବହୁ ମାର୍କିନ ଯୁବକ ଯୁବତୀ ସେମାନଙ୍କ ଅର୍ଦ୍ଧ ଉଲଗ୍ନ ବିଚ୍‌ ପୋଷାକରେ ବିଚ୍‌ଜୀବନ ଉପଭୋଗରେ ବ୍ୟସ୍ତ । ଜନୈକ ମାର୍କିନ ସୁନ୍ଦରୀ ରମଣୀ ତାଙ୍କର ଛ’ ମାସର ଛୋଟ ଝିଅଟିକୁ ସେହି ବିଚ୍‌କୂଳରେ ଖେଳାଉଥିଲେ । ଛୋଟ ଝିଅଟିକୁ ଦେଖି ପୁଅ ବାବୁଲି ଅତି ଖୁସି ହୋଇଗଲା । ସେ ତା ପାଖକୁ ଦୌଡ଼ିଗଲା ତା ସହିତ ଖେଳିବା ପାଇଁ । ବାବୁଲିର ସେହି ଛୋଟ ଝିଅଟି ପ୍ରତି ଏତାଦୃଶ ଆକର୍ଷଣ ବେଶ୍‌ ଚିତ୍ତାକର୍ଷକ ହୋଇଥିଲା । ଆମକୁ ଯେତିକି ଆନନ୍ଦ ଦେଇଥିଲା, ତା’ଠାରୁ ଅଧିକ ଆନନ୍ଦ ଦେଇଥିଲା ସେହି ମାର୍କିନ ଯୁବତୀଟିକୁ । ଆମ ସହିତ ପରିଚିତ ହେବା ପାଇଁ ଯୁବତୀଟି ଆମକୁ ନିକଟକୁ ଡାକିଲେ । ତାଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ସେହି ବିଚରେ ଆମେ କିଛି ସମୟ ବସିଲୁ । ପୁଅ ବାବୁଲି ସେହି ଝିଅଟି ସହିତ କିଛି ସମୟ ଖେଳିଲା । କିଛି ସମୟ ବସିଲା ପରେ ସେହି ମାର୍କିନ ଯୁବତୀ ଓ ତାର ଝିଅଟିର ଚଳଚିତ୍ର ଉଠାଇ ତାଙ୍କୁ ଧନ୍ୟବାଦ ଜଣାଇ ବିଦାୟ ନେଲୁ-। ହ୍ରଦକୂଳରେ ଜଳରାଶି କି ପରିଷ୍କାର ! ହ୍ରଦଟି ଏକ ବିରାଟ ସମୁଦ୍ର ଭଳି ଜଣା ଯାଉଥିଲେହେଁ ପାଣି ବେଶ୍‌ ମଧୁର, ଲୁଣର ଟିକିଏ ବି ଅଂଶ ନାହିଁ । ତୁଷାରରଞ୍ଜନ ପାଖରୁ ଶୁଣିଲୁ ଏହି ହ୍ରଦରେ ଖୁବ୍‌ ଭଲ ମାଛ ଅଛନ୍ତି । ରୋହି, ଭାକୁଡ଼ଠାରୁ ଆରମ୍ଭ କରି ପୋହଳା ଓ ଚୂନାମାଛ ପର୍ଯ୍ୟନ୍ତ । ଆମେ ଆମେରିକାର ମିଠାପାଣିର ମାଛ କେବେ ଖାଇ ନ ଥିବାରୁ ବରାଦ କଲୁଁ ତୁଷାରରଞ୍ଜନଙ୍କୁ କିଛି ପୋହଳା ଓ ଚୂନାମାଛ ଆଣିବା ପାଇଁ । ସନ୍ଧ୍ୟା ସୁଦ୍ଧା ଏହି ମିଚିଗାନ ହ୍ରଦର କିଛି ମାଛ ଆଣି ଆମଠାରେ ପହଞ୍ଚାଇବ ବୋଲି କହି ଆମଠାରୁ ବିଦାୟ ନେଲା ତୁଷାର ।

 

ଚିକାଗୋ ବିଶ୍ଵବିଦ୍ୟାଳୟ ନିକଟବର୍ତ୍ତୀ ଏକ ସୁପର ମାର୍କେଟ ଓ ବିଶ୍ଵବିଦ୍ୟାଳୟର ସତର ଅଠର ତାଲା ଉଚ୍ଚ ହଷ୍ଟେଲମାନ ଦେଖି ସନ୍ଧ୍ୟା ସୁଦ୍ଧା ଆନ୍ତର୍ଜାତିକ ହଷ୍ଟେଲକୁ ଫେରିଆସିଲୁଁ । ଆମ ପହଞ୍ଚିବାର ପ୍ରାୟ ଅଧଘଣ୍ଟାକ ଭିତରେ ତୁଷାରରଞ୍ଜନ କିଛି ତଟକା ପୋହଳା ମାଛ ଧରି ଆମଠାରେ ହାଜର । ଭାରତ ଛାଡ଼ିବା ଦିନଠାରୁ ଆମେ ପୋହଳାମାଛ କେବେ ଖାଇ ନ ଥିଲୁ । ତେଣୁ ଏ ତଟକା ମାଛ ଦେଖି ଖୁସି ହୋଇଗଲୁ । ସ୍ତ୍ରୀ ସଙ୍ଗେ ସଙ୍ଗେ ମାଛ କେଲାଇ ହଷ୍ଟେଲର ରୋଷାଇ ଘରେ ମାଛ ଭାଜିବସିଲେ । ସେଦିନ ନାନା ଗପସପ, ଖିଆପିଆ ଭିତରେ ଆମେ ଏତେ ମଜ୍ଜି ଯାଇଥିଲୁଁ ଯେ ଖିଆପିଆ କାମ ଶେଷ ହେଉ ହେଉ ରାତି ପ୍ରାୟ ଦଶଟା ହୋଇଗଲା । ତହିଁ ପରଦିନ ପ୍ରୋଗାମ ଠିକ୍‌କରି ତୁଷାର ଓ ରମେଶ ଆମଠାରୁ ବିଦାୟ ନେଲେ ।

 

ସକାଳୁଁ ସକାଳୁଁ ପ୍ରାତଃକର୍ମ ଖିଆପିଆ ଶେଷକରି ବାହାରି ପଡ଼ିଲୁଁ । ରମେଶର ଜନୈକ ଭାରତୀୟ ବନ୍ଧୁ ଆମକୁ ବୁଲାଇନେବା ପାଇଁ ତାଙ୍କ ନିଜ ମୋଟରଗାଡ଼ି ଆଣି ହଷ୍ଟେଲ ଦୁଆରମୁହଁରେ ହାଜର । ଆମେ କାଳବିଳମ୍ବ ନ କରି ସମସ୍ତେ କାର୍‌ରେ ବସିଲୁଁ । ଏଥର ରମେଶର ନିର୍ଦ୍ଦେଶକ୍ରମେ ଆମ ଗାଡ଼ି ଚାଲିଲା ରୁଜ୍‌ଭେଲଟ୍‌ ରୋଡ଼ରେ ଥିବା ଚିକାଗୋର ସୁବିଖ୍ୟାତ ଏଡଲର୍‌ ପ୍ଲେନିଟେରିୟମ୍‍ ତଥା ଏଷ୍ଟ୍ରୋନୋମିକାଲ ମିଉଜିଅମ୍‌ ଆଡ଼େ ।

 

ଏଡ଼ଲର୍‌ ପ୍ଲେନିଟେରିୟମ୍‌ ସାରା ଯୁକ୍ତରାଷ୍ଟ୍ରରେ ଅତି ବିଖ୍ୟାତ । ଏହା ଏକ ବିରାଟ ତମ୍ବା ତିଆରି ଡୋମଯୁକ୍ତ ପ୍ରାସାଦରେ ଅବସ୍ଥିତ । ପ୍ଲେନିଟେରିୟମ୍‌ପ୍ରାସାଦ ଠିକ୍‌ ହ୍ରଦକୂଳରେ ଗଢ଼ିଉଠିଛି । ଏଷ୍ଟ୍ରୋନୋମିକାଲ ମିଉଜିୟମ୍‌ରେ ବହୁତ ଦେଖିବାର ଜିନିଷ ଅଛି । ସେସବୁ ଦେଖିସାରି ପ୍ଲେନିଟେରିୟମ୍‌ର ଗୋଟିଏ ସୋ ଦେଖିବା ପାଇଁ ଟିକେଟ କାଟି ଭିତରକୁ ପଶିଲୁଁ ।

 

ଏଡ଼ଲର୍‌ ପ୍ଲେନିଟେରିୟମ୍‌ ଭିତରକୁ ପଶିବା ପୂର୍ବରୁ ପ୍ଲେନିଟେରିୟମ୍‌ଠାରୁ ଅଳ୍ପ ଦୂରରେ ହ୍ରଦକୂଳରେ ଏକ ଉଡ଼ାଜାହାଜ ପଡ଼ିଆ ଦେଖିଲୁ । ଉଡ଼ାଜାହାଜ ପଡ଼ିଆରେ ଛୋଟ ଛୋଟ ଉଡ଼ାଜାହାଜ ଓ ହେଲିକପ୍‌ଟର ଓହ୍ଲାଉଥିବାର ଓ ଉଠୁଥିବାର ଦେଖିଲୁ । ଏହା ହେଉଛି ଏକ ଘରୋଇ ଉଡ଼ାଜାହାଜ ପଡ଼ିଆ । ଏଠାରେ ଆମେରିକାର ବ୍ୟକ୍ତିବିଶେଷମାନେ ପାଖଆଖକୁ ଯିବାଆସିବା କରିବା ପାଇଁ ଯେଉଁ ଛୋଟ ଛୋଟ ଉଡ଼ାଜାହାଜ ଓ ହେଲିକପ୍‌ଟରମାନ ରଖିଥାନ୍ତି, ସେସବୁ ଏଠାରେ ଓହ୍ଲାଏ । ଆମ ଦେଶରେ ଯେମିତି ବ୍ୟକ୍ତିବିଶେଷଙ୍କର ମଟରଗାଡ଼ି ଅଛି, କଟକରୁ ପୁରୀ କି ଭୁବନେଶ୍ଵର ଗଲେ ମଟରଗାଡ଼ିରେ କାମ ଚଳିଯାଏ, ସେହିଭଳି ଆମେରିକାର ବହୁ ଲୋକଙ୍କର ଛୋଟ ଛୋଟ ଉଡ଼ାଜାହାଜମାନ ଅଛି । ଆଖପାଖ ସହରକୁ ଯିବାକୁ ହେଲେ ଏହି ଉଡ଼ାଜାହାଜରେ ଚଢ଼ି ଘରୁ ବାହାରି ଆସିଲେ । ଚିକାଗୋ ସହର ଭିତରେ ଓହ୍ଲାଇ ଉଡ଼ାଜାହାଜ ଘାଟିରେ ଜାହାଜକୁ ରଖିଦେଇ କାମରେ ବାହାରିଗଲେ । ଫେରିଲାବେଳେ ଏଠାରୁ ଉଡ଼ାଜାହାଜ ଧରି ଘରକୁ ଫେରିଲେ । କି ଅଦ୍ଭୁତ ବନ୍ଦୋବସ୍ତ ! ଆମେ ନିଜ ନିଜ ଯିବାଆସିବା ପାଇଁ ଉଡ଼ାଜାହାଜ, ହେଲିକପ୍‌ଟର ଆଦି ରଖିଲେଣି । ଏସବୁ ହେଲା ସାଧାରଣ ଲୋକଙ୍କର ବ୍ୟବହାର ପାଇଁ । ଆମେରିକାର ବଡ଼ ବଡ଼ ଶିଳ୍ପପତି ଓ ଧନୀ ଲୋକମାନେ ନିଜ ନିଜ ବ୍ୟବହାର ପାଇଁ ଯେଉଁ ବିରାଟ ବିରାଟ ଜେଟ୍‌ ଉଡ଼ାଜାହାଜ ରଖିଛନ୍ତି, ସେ କଥା ଶୁଣିଲେ ବିସ୍ମୟାଭିଭୂତ ହେବାକୁ ପଡ଼େ । ହଲିଉଡ଼ର ବିଖ୍ୟାତ ଚଳଚିତ୍ରତାରକା ଓ ଗାୟକ ଫ୍ରଙ୍କ୍‌ସିନାଟ୍ରା ନିଜ ବ୍ୟବହାର ପାଇଁ ଯେଉଁ ବିରାଟ ଜେଟ୍‌ବିମାନ ରଖିଛନ୍ତି ସେଥିରେ ତାଙ୍କର ଶୟନ କକ୍ଷ, ବିଳାସ କକ୍ଷ, ଅଫିସରୁମ, ବୈଠକଖାନା, ଘର, ଗାଧୁଆଘର, ପାଇଖାନା, ରୋଷାଇ ଘର ଆଦିର ବନ୍ଦୋବସ୍ତ କଥା ଶୁଣିଲେ ମଣିଷ ସହଜରେ ବିଶ୍ଵାସ କରିପାରିବନି ଯେ ଗୋଟିଏ ଉଡ଼ାଜାହାଜ ଭିତରେ ଏତେ ପ୍ରକାର ଘର ଓ ସାଜ ସରଞ୍ଜାମ ଥାଇପାରେ ବୋଲି ।

 

ପ୍ଲେନିଟେରିୟମ୍‌ର ଏକ ସୋ ଦେଖିସାରି ଆମେ ଚାଲିଲୁ ନିକଟବର୍ତ୍ତୀ ଚିକାଗୋର ନାଚୁରାଲ ହିଷ୍ଟ୍ରି ମିଉଜିୟମ୍‌ ଦେଖିବା ପାଇଁ । ଏହା ମଧ୍ୟ ସେହି ରୁଜ୍‌ଭେଲଟ୍‌ ରୋଡ଼ ଉପରେ ଅବସ୍ଥିତ । ପ୍ରାକୃତିକ ବିଜ୍ଞାନରେ ଏହା ପୃଥିବୀର ଏକ ଶ୍ରେଷ୍ଠ ଜାଦୁଘର କହିଲେ ଅତ୍ୟୁକ୍ତି ହେବନି । ଆମେ ଆମେରିକା ଓ ଇଉରୋପରେ ଏହି ଜାତୀୟ ଯାଦୁଘର ଢେର ଦେଖିଛୁ । କିନ୍ତୁ କେହି ଏହା ସହିତ ତୁଳନୀୟ ହୋଇପାରିବେ ନାହିଁ । ମଣିଷ ଜାତିର କ୍ରମୋନ୍ନତି ସମ୍ବନ୍ଧୀୟ ମୂର୍ତ୍ତିଗୁଡ଼ିକ ଏଡ଼େ ସୁନ୍ଦର ଯେ ଏଗୁଡ଼ିକ ଗୋଟିକ ପରେ ଗୋଟିଏ ଦେଖିଲେ ମଣିଷ ଜାତି ଆଦିମ କାଳରୁ କିଭଳି ବିଭିନ୍ନ ସ୍ତର ଦେଇ ଆଧୁନିକ ପର୍ଯ୍ୟନ୍ତ ଆସିପାରିଛି, ସେ ସମ୍ବନ୍ଧରେ ସ୍ପଷ୍ଟ ଧାରଣା କରିହେବ । ଉଲ୍‍କାପିଣ୍ଡ, ମଣି, ମୁକ୍ତା, ଆଦି ସଂଗୃହିତ ହୋଇ ଏଠାରେ ଯେମିତି ଭାବରେ ରଖାଯାଇଛି ଦେଖିବାର କଥା । ମିସରର ମାମି ଆଦି ଦେଖିବାର ସୌଭାଗ୍ୟ ଆମେ ସେଇଠି ପାଇଲୁ । ଶୁଣିଲୁ ଏହି ମିଉଜିୟମ୍‌ଟି ଏଡ଼େ ବିରାଟ ଯେ ଏହାକୁ ପୂରା ଭାବରେ ଦେଖିବା ପାଇଁ ମାସ ମାସ ବିତିଯିବ-

 

ପ୍ରାକୃତିକ ବିଜ୍ଞାନର ଏହି ବିରାଟ ମିଉଜିୟମ୍‌ ଦେଖିସାରି ଆମେ ଚାଲିଲୁ ନିକଟବର୍ତ୍ତୀ ଏକୁଆରିୟମ୍‌ ଦେଖି । ଏହା ମଧ୍ୟ ସାରା ଆମେରିକାରେ ଏକ ପ୍ରସିଦ୍ଧ ଏକୁଆରିୟମ୍‌ । ମିଚିଗାନ ହ୍ରଦକୂଳରେ ଏହି ବିରାଟ ଏକୁଆରିୟମ୍‌ ଗଢ଼ିଉଠିଛି । ଏଠାରେ ପ୍ରାୟ ୧୦,୦୦୦ ଜାତିର ବିଭିନ୍ନ ଜଳଜ ପ୍ରାଣୀ ଜୀବନ୍ତ ଅବସ୍ଥାରେ ଅଛନ୍ତି । ଏଠାରେ ଏତେପ୍ରକାର ମାଛ ଅଛନ୍ତି ଯେ ସହଜରେ କଳନା କରିହେବନି । ବହୁତଗୁଡ଼ିଏ ରଙ୍ଗୀନ ମାଛର ରଙ୍ଗୀନ ଫଟୋ ଉଠାଇଲୁ । ଏହି ରଙ୍ଗୀନ ମାଛଗୁଡ଼ିକ ଏଡ଼େ ସୁନ୍ଦର ଯେ ସେଗୁଡ଼ିକୁ ଦେଖି ଛାଡ଼ିଯିବାକୁ ମନ ହେଉ ନ ଥାଏ ।

 

ଏକୁଆରିୟମ୍‌ରୁ ବାହାରି ଚିକାଗୋ ପବ୍ଲିକ ଲାଇବ୍ରେରୀ ଦେଇ ଆମେ ପୃଥିବୀର ଦ୍ଵିତୀୟ ବୃହତ୍ତମ ପ୍ରାସାଦ ମାରଚେନ୍‌ଡାଇଜ ମାର୍ଟଠାକୁ ଗଲୁଁ । ଏହା ଚିକାଗୋ ନଦୀର ଉତ୍ତର ପାର୍ଶ୍ଵରେ ଅବସ୍ଥିତ । ଏହା ମଧ୍ୟ ଏକ ଅଫିସ ଭାବରେ ବ୍ୟବହୃତ ହେଉଛି । ପୃଥିବୀର ବୃହତ୍ତମ ପ୍ରାସାଦ ନ ହେଲେହେଁ ଦ୍ଵିତୀୟ ବୃହତ୍ତମ ପ୍ରାସାଦ ଭାବରେ ଏହାର ସ୍ଥାନ ପେଣ୍ଟାଗନ ପ୍ରାସାଦର ଠିକ୍‌ ପରେ । ଚିକାଗୋର ବଡ଼ ବଡ଼ ଆକାଶଚୁମ୍ବୀ ପ୍ରାସାଦମାନ ଏହି ଅଞ୍ଚଳରେ ଅବସ୍ଥିତ । ସେହିସବୁ ପ୍ରାସାଦ ମଧ୍ୟରେ କେମ୍ପର ଇନ୍‌ସୁରାନ୍‌ସ ପ୍ରାସାଦ, ପ୍ରୁଡ଼େନ୍‌ସିଆଲ ବିଲଡ଼ିଂ, ଚିକାଗୋ ବୋର୍ଡ଼ ଅଫ୍‌ ଟ୍ରେଡ଼୍‍ ଖୁବ ଉଚ୍ଚା । ସେଗୁଡ଼ିକର ଉଚ୍ଚତା ୫୦୦ ଫୁଟଠାରୁ ୬୦୦ ଫୁଟ ଭିତରେ । ଚିକାଗୋ ବୋର୍ଡ ଅଫ୍‌ ଟ୍ରେଡ଼୍‍ବିଲଡିଂ ଉପରେ ଶସ୍ୟର ଦେବୀ ସିରେସଙ୍କର ୩୧ ଫୁଟ ଉଚ୍ଚା ଦେଢ଼ ଶହ ମହଣ ଓଜନର ଆଲୁମିନିୟମ ତିଆରି ଏକ ବିରାଟ ମୂର୍ତ୍ତି ଅଛି । ଏହିଠାରୁ ଅଳ୍ପ ଦୂରରେ ଚିକାଗୋର ବିଖ୍ୟାତ ଅରକେଷ୍ଟ୍ରା ହଲ । ଏଠାରେ ବିଶ୍ଵବିଖ୍ୟାତ ଚିକାଗୋ ସିମ୍‌ଫୋନି ଅରକେଷ୍ଟ୍ରା ପ୍ରଦର୍ଶିତ ହୁଏ ।

 

ଏସବୁ ଦର୍ଶନୀୟ ସ୍ଥାନ ଦେଖିସାରି ଆମେ ଚାଲିଲୁ ଚିକାଗୋର ବଜାର ଦେଖି । ନିଉୟର୍କ ଭଳି ବିରାଟ ବିରାଟ ଡିପାର୍ଟମେଣ୍ଟାଲ ଷ୍ଟୋର, ଦୋକାନ ଆଦି ଦେଖି ଆମ ଆଖି ଖୋସି ହୋଇଗଲା । ଚିକାଗୋର ଏହି ଡାଉନ୍‌ଟାଉନ୍‌ଅଞ୍ଚଳ ଦେଖିବାକୁ ଅବିକଳ ନିଉୟର୍କର ଡାଉନ୍‌ଟାଉନ୍‌ ଅଞ୍ଚଳ ଭଳି । ରାସ୍ତାଗୁଡ଼ିକର ନାମକରଣ କରା ନ ହୋଇ ନମ୍ବର କରାଯାଇଛି ଠିକ୍‌ ନିଉୟର୍କ ଭଳି ।

 

ଚିକାଗୋ ସହରରେ ପାର୍କ, କୃତିମ ଝରଣା ଆଦି ଅପର୍ଯ୍ୟାପ୍ତ । ଆମେ ବହୁ ସ୍ଥାନରୁ ସେଗୁଡ଼ିକର ଫଟୋ ଉଠାଇ ଚିକାଗୋ ନଦୀ ଦେଖିବାକୁ ଗଲୁ । ଚିକାଗୋ ନଦୀ ଉପରେ ଠାଆକୁ ଠାଆ ପୋଲ ଜାଲ ଛନ୍ଦିଲା ଭଳି ଘେରିରହିଛି । ଏହି ପୋଲର ତଳେ ନଦୀ କୂଳେ କୂଳେ ବଡ଼ ବଡ଼ ରାସ୍ତା ଓ ହାଇୱେମାନ ଯାଇଛି । ପୋଲ ଉପରୁ ସେଗୁଡ଼ିକର ସୌନ୍ଦର୍ଯ୍ୟ ଅପରିସୀମ ।

 

ଚିକାଗୋର ନାନାଦି ଦର୍ଶନୀୟ ସ୍ଥାନ ଦେଖିସାରି ଇଲିନୟ ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଟେକ୍‌ନୋଲଜି ଦେଖିବାକୁ ଗଲୁଁ । ବହୁ ଆକାଶଚୁମ୍ବୀ ବହୁତଳ ପ୍ରାସାଦରେ ଏହି ଇନ୍‌ଷ୍ଟିଚିଉଟ୍‌ କେମ୍ପସଟି ପୂରିଯାଇଛି । ବଜାରର ଲୋକଗହଳି ଏଠି ବିଶେଷ ନାହିଁ । ଚିକାଗୋ ବିଶ୍ଵବିଦ୍ୟାଳୟ କେମ୍ପସ ଭଳି ଏତେ ନିଛାଟିଆ ନୁହେଁ । ଚିକାଗୋ ସହରର ନାନା ଦର୍ଶନୀୟ ସସ୍ଥାନ ବୁଲୁ ବୁଲୁ ଆମେ ଏତେ ହଳିଆ ହୋଇ ପଡ଼ିଥାଉ ଯେ ସନ୍ଧ୍ୟା ହେଲାବେଳକୁ ଆମେ ବସାକୁ ନ ଫେରି ଆଉ ବୁଲି ପାରିଲୁନି । ଆମେ ସେହିଦିନ ସନ୍ଧ୍ୟାବେଳେ ଚିକାଗୋ ସହରରୁ ବିଦାୟ ନେବୁ ବୋଲି ଠିକ୍‌ ହୋଇଥିବାରୁ ସଅଳ ସଅଳ ଇଲିନୟ ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଟେକ୍‌ନୋଲଜିରୁ ବାହାରି ଆସିଲୁ ।

 

ଯଥା ସମୟରେ ଗ୍ରେହାଉଣ୍ଡ ବସ୍‌ ଷ୍ଟେସନ୍‍ରେ ପହଞ୍ଚିଲୁ । ଚିକାଗୋରୁ ଆମର ପିଟସବର୍ଗ ଯିବା କଥା । ଆମର ଜନୈକ ବଙ୍ଗାଳୀ ବନ୍ଧୁ ଚକ୍ରବର୍ତ୍ତୀ ପିଟସବର୍ଗ ରେ ଥାନ୍ତି । ଆମେ ସମସ୍ତେ ତାଙ୍କ ବସାରେ ଅତିଥି ହେବୁ ବୋଲି ଠିକ୍‌ ହୋଇଥାଏ । ପିଟସବର୍ଗ ଗ୍ରେହାଉଣ୍ଡ ବସ୍‌ ଷ୍ଟେସନ୍‍କୁ ଆସି ସେ ଆମକୁ ତାଙ୍କ ବସାକୁ ନେଇଯିବେ ବୋଲି ଜଣାଇ ଦେଇଥାନ୍ତି ।

 

ପିଟସବର୍ଗ ସହର ଅଭିମୁଖେ

 

ଯଥା ସମୟରେ ଆମ ବସ୍‌ ଚିକାଗୋ ଛାଡ଼ିଲା । ତହିଁ ପରଦିନ ସକାଳେ ଆମେ ପିଟସବର୍ଗ ରେ ପହଞ୍ଚିବା କଥା । ବସ ଛାଡ଼ିବାକୁ ଅଳ୍ପ ସମୟ ଥାଏ, ଆମ ବସରେ ଜନୈକ କଂଗ୍ରେସ ପୋଷାକ ଓ ଟୋପିପିନ୍ଧା ଦକ୍ଷିଣ-ଭାରତୀୟ ପଶିଲେ । ସେ ଆମ ପରିବାରକୁ ଦେଖି ଆମ ପାଖରେ ଆସି ବସିଲେ । ତାଙ୍କ ସହିତ ଆଲୋଚନାରୁ ଜଣାପଡ଼ିଲା , ସେ ଜଣେ କଂଗ୍ରେସକର୍ମ୍ମୀ । ଦକ୍ଷିଣ-ଭାରତର ହାଇଦ୍ରାବାଦଠାରେ ତାଙ୍କର ଗୋଟିଏ ଆଶ୍ରମ ଓ ଆଶ୍ରମ ସ୍କୁଲ ଅଛି । କ୍ଲିଭଲାଣ୍ଡରେ ସୋସିଓଲୋଜିରେ ହେଉଥିବା ଏକ ସେମିନାର୍‌ରେ ଦୁଇ ମାସ ଲାଗି ଯୋଗଦେବା ପାଇଁ ଭାରତରୁ ଆସିଥିବା ୫୫ ଜଣିଆ ପ୍ରତିନିଧି ଦଳର ଏକ ସଭ୍ୟ ଭାବରେ ସେ ଆସିଥାନ୍ତି । ଚିକାଗୋ ଦେଖିବାକୁ ଆସିଥିଲେ, କ୍ଲିଭଲାଣ୍ଡ ଫେରି ଯାଉଛନ୍ତି । ଭଦ୍ରଲୋକଟି ଦେଖିବାକୁ ନିପଟ କଳା, ଯେ କେହି ଲୋକ ଭାବିବ ସେ ନିଗ୍ରୋ ବୋଲି, କିନ୍ତୁ କଂଗ୍ରେସୀ ପୋଷାକ ଓ ଗାନ୍ଧିଟୋପି ତାଙ୍କୁ ଭାରତୀୟ ବୋଲି ଚିହ୍ନାଇ ଦେଉଥାଏ । ଭଦ୍ରଲୋକଙ୍କ ସହିତ ଆମ ଦେଶ ସଂପର୍କରେ ନାନା ଆଲୋଚନା ଚାଲିଲା । ସେ ଏ ଦେଶରେ କେମିତି ଅନୁଭବ କରୁଛନ୍ତି ପଚାରିଲା-। ଖାଦ୍ୟ ପାନୀୟ ନେଇ ବଡ଼ ହଇରାଣ ହେଉଥିବା କଥା ସେ କହିଲେ । ଆଉ ମାସେ ଭିତରେ ସେ ଭାରତ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାଇଲେ । ଆମେ ମଧ୍ୟ ଆଉ ଅଳ୍ପ ଦିନ ଭିତରେ ଭାରତ ଫେରୁଛୁ ବୋଲି ତାଙ୍କୁ ଜଣାଇଦେଲୁଁ । ଭାରତକୁ ଫେରିଲେ ସେ ଆମକୁ କଟକରେ ଆସି ଦେଖା କରିବେ ବୋଲି ଆମ କଟକ ବସା ଠିକଣା ନେଲେ ।

 

ଯଥା ସମୟରେ ବସ୍‌ ପିଟସବର୍ଗ ରେ ପହଞ୍ଚିଲା । ଗ୍ରେହାଉଣ୍ଡ ବସ୍‌ ଷ୍ଟେସନ୍‍ରେ ଓହ୍ଲାଇଲା ବେଳକୁ ବନ୍ଧୁ ସୁରଜିତ ଚକ୍ରବର୍ତ୍ତୀ ଷ୍ଟେସନରେ ଆସି ହାଜର । ବନ୍ଧୁ ବହୁଦିନ ଧରି ବ୍ରେଣ୍ଡାଇସ ବିଶ୍ଵବିଦ୍ୟାଳୟରେ ଗବେଷଣା କରୁଥିଲେ । ତାଙ୍କ ସହିତ ଆମ ପରିଚୟ ସେହିଠାରୁ । ସେ ପିଟସବର୍ଗ ରେ ଗବେଷଣା କରୁଥିବାରୁ ଆମ ପିଟସବର୍ଗ ପରିଦର୍ଶନରେ ବହୁ ସାହାଯ୍ୟ କରିବା ଆଶାରେ ଆମେ ଏହି ବିରାଟ ସହରକୁ ଆସିଥିଲୁ ।

 

ଟ୍ୟାକ୍‌ସି କରି ବନ୍ଧୁଙ୍କ ବସାକୁ ଗଲୁ । ବନ୍ଧୁଙ୍କ ବସାରେ ଆଉ ଦୁଇ ତିନି ଜଣ ବଙ୍ଗାଳୀ ଭଦ୍ରଲୋକ, ପୂରାପୂରି ଗୋଟିଏ ବଙ୍ଗାଳୀ ମେସ୍‌ କରିଥାଆନ୍ତି । ଭାତ, ଡାଲି, ତରକାରୀ, ମାଛ ଝୋଳ ଇତ୍ୟାଦି କରି ପୂରାପୂରି ଭାରତୀୟ ଢଙ୍ଗରେ ଖାଉଥାନ୍ତି । ଆମେ ବନ୍ଧୁଙ୍କ ବସାରେ ପହଞ୍ଚିଲାବେଳକୁ ରନ୍ଧାରନ୍ଧି ଶେଷ ହେବା ଉପରେ । ଅନ୍ୟ ବନ୍ଧୁମାନେ ମିଳିମିଶି ଆମ ପାଇଁ ରନ୍ଧାରନ୍ଧି କରିଥାନ୍ତି । ବସାରେ ପହଞ୍ଚି ସ୍ନାନ କର୍ମ୍ମ ଆଦି ଶେଷକରି ଭାରତୀୟ ଢଙ୍ଗରେ ପେଟେ ଲେଖାଏଁ ଭୋଜନ କଲୁ । ତା ପରେ ବାହାରି ପଡ଼ିଲୁ ପିଟସବର୍ଗ ସହର ପରିକ୍ରମା ପାଇଁ ।

 

ପିଟ୍‌ସବର୍ଗ ସହର ପେନିସିଲଭେନିଆ ରାଜ୍ୟର ଏକ ପ୍ରଧାନ ସହର, ଲୋକସଂଖ୍ୟା ୬ ଲକ୍ଷରୁ କିଛି ଅଧିକ । ଏଲିଘେନି ଓ ମନନ୍‌ଗା ହେଲା ନଦୀଦ୍ଵୟର ମିଳନସ୍ଥଳରେ ଥିବା ତ୍ରିକୋଣଭୂମି ଉପରେ ଏହି ସହରଟି ଅବସ୍ଥିତ । ଏହା ସ୍ଵର୍ଣ୍ଣପ୍ରସୂ ତ୍ରିକୋଣ ଭୂମି ଭାବରେ ପରିଚିତ । କାରଣ ଏହି ଅଂଶରେ ପିଟସବର୍ଗ ନଗରୀର ବାଣିଜ୍ୟକେନ୍ଦ୍ର ଅବସ୍ଥିତ । ଏହି ଦୁଇଟିଯାକ ନଦୀ ଏହିଠାରେ ମିଳିତ ହୋଇ ଓହାଇଓ ନଦୀ ଭାବରେ ପ୍ରବାହିତ ହୋଇଅଛି । ଏହା ମଧ୍ୟ ଏକ ବଡ଼ ନଦୀବନ୍ଦର । ଏହି ବନ୍ଦର ଦେଇ ଯେତେ ମାଲପତ୍ର ଯିବାଆସିବା କରେ, ତାହା ପାନାମା କେନାଲ ଦେଇ ଯାଉଥିବା ମାଲପତ୍ରଠାରୁ ଢେର ଅଧିକ । ଆମେରିକାର ଲୌହ ଓ ଇସ୍ପାତ ଉତ୍ପାଦନକାରୀ କଳକାରଖାନାର କେନ୍ଦ୍ରସ୍ଥଳୀ ଭାବରେ ଏହା ସୁପରିଚିତ । ପୃଥିବୀର ବୃହତ୍ତମ ଲୁହା ଓ ଇସ୍ପାତ ଉତ୍ପାଦନକାରୀ କେନ୍ଦ୍ର ଭାବରେ ଏହି ସହରଟି ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି । ଏହି ସହରରେ ଯେତେ ଲୁହା ତିଆରି ହୁଏ ତାହା ସାରା ଯୁକ୍ତରାଷ୍ଟ୍ର ଉତ୍ପାଦନର ଏକପଞ୍ଚମାଂଶ ଓ ଯେତେକ ଇସ୍ପାତ ତିଆରି ହୁଏ ତାହା ସାରା ଯୁକ୍ତରାଷ୍ଟ୍ର ଉତ୍ପାଦନର ଏକଚତୁର୍ଥାଂଶ । ଏହିସବୁ ଲୁହା ଓ ଇସ୍ପାତ କଳକାରଖାନା ଚାରିଆଡ଼େ ଖେଳାଇ ହୋଇ ପଡ଼ିଥିବାରୁ ଏହି ସହରର ଅନ୍ୟ ନାଁ ହେଉଛି ଧୂମ୍ରପୂର୍ଣ୍ଣ ସହର ବା Smoke city । ଇଉ.ଏସ୍‌.ଷ୍ଟିଲ କର୍‌ପୋରେସନର କର୍ତ୍ତୃତ୍ଵାଧିନରେ ଏହିସବୁ କଳକାରଖାନା ପରିଚାଳିତ । ଲୁହା ଇସ୍ପାତ ବ୍ୟତୀତ ବଡ଼ ବଡ଼ କାଚ କାରଖାନା ଏଠି ଅଛି । ସାରା ଯୁକ୍ତରାଷ୍ଟ୍ରରେ ଯେତେ କାଚ ଉତ୍ପାଦିତ ହୁଏ, ତହିଁର ଏକ ଚତୁର୍ଥାଂଶ କେବଳ ଏହି ସହରରେ ଉତ୍ପାଦିତ ହୁଏ । ପିଟସ୍‍ବର୍ଗ ପ୍ଲେଟ ଗ୍ଲାସ କମ୍ପାନୀର ବିରାଟ ବିରାଟ କାରଖାନା ଏହି ସହରରେ ଅବସ୍ଥିତ । ତା ଛଡ଼ା ୱେଷ୍ଟିଙ୍ଗ ହାଉସ୍‌ ଇଲେକ୍‌ଟ୍ରିକ କମ୍ପାନୀ, ଆଲୁମିନିୟମ କର୍‌ପୋରେସନ ଅଫ୍‌ ଆମେରିକା (ଆଲକୋଆ), କପ୍‌ପରସ କମ୍ପାନୀ ଆଦି ବଡ଼ ବଡ଼ କମ୍ପାନୀଙ୍କର ବହୁ କଳକାରଖାନା ଏହି ସହରରେ ରହିଛି । ମୋଟାମୋଟି କହିବାକୁ ଗଲେ ପିଟସବର୍ଗ ସହର ଯୁକ୍ତରାଷ୍ଟ୍ରର ଏକ ପ୍ରଧାନ ଶିଳ୍ପନଗରୀ ।

 

ଏହା ବ୍ୟତୀତ ଶିକ୍ଷା ଓ ବୈଜ୍ଞାନିକ ଗବେଷଣାର ଏକ କେନ୍ଦ୍ର ଭାବରେ ଏହି ସହରଟି ପ୍ରସିଦ୍ଧ । ପିଟସବର୍ଗ ବିଶ୍ଵବିଦ୍ୟାଳୟ, କାର୍‌ନେଗୀ ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଟେକ୍‌ନୋଲଜି, ମେଲନ ଇନଷ୍ଟିଚିଉଟ୍‌ ଓ ଅନ୍ୟାନ୍ୟ ବହୁ ବିଶ୍ଵବିଦ୍ୟାଳୟ ଓ କଲେଜ ଆଦି ଥିବାରୁ ଏହି ସହରଟି ଏକ ପ୍ରଧାନ ଶିକ୍ଷାକେନ୍ଦ୍ର ଭାବରେ ପସିଦ୍ଧି ଲାଭ କରିବା ସ୍ଵାଭାବିକ । ବନ୍ଧୁ ଚକ୍ରବର୍ତ୍ତୀ ପିଟସବର୍ଗ ବିଶ୍ଵବିଦ୍ୟାଳୟରେ ରସାୟନ ବିଜ୍ଞାନରେ ଗବେଷଣା କରନ୍ତି । ତେଣୁ ବନ୍ଧୁଙ୍କ ସହିତ ଆମେ ଚାଲିଲୁଁ ପିଟସବର୍ଗ ବିଶ୍ୱବିଦ୍ୟାଳୟ ପରିଦର୍ଶନ ଉଦ୍ଦେଶ୍ୟରେ । ବିଶ୍ୱବିଦ୍ୟାଳୟରେ ପହଞ୍ଚିଲା ପୂର୍ବରୁ ବାଟରେ ପଡ଼ିଲା ସୁବିଖ୍ୟାତ ଗବେଷଣାକେନ୍ଦ୍ର ମେଲନ୍‌ ଇନଷ୍ଟିଚିଉଟ୍‌ । ଯୁକ୍ତରାଷ୍ଟ୍ରର ବହୁ ଅର୍ଥ ମେଲନ୍‌ ପରିବାର ଜରିଆରେ ଏଇ ପିଟସବର୍ଗ ସହରରେ ଖଟା ହୋଇଥିବାରୁ ଏହି ସହରରେ ମେଲନ୍‌ ପରିବାରର ଗୁରୁତ୍ଵ ଖୁବ୍‌ବେଶି । ସେହି ପରିବାର ଆକନୁଲ୍ୟରେ ଏଇ ବିରାଟ ବ୍ୟବସାୟ ମୂଳକ ଗବେଷଣାନୁଷ୍ଠାନ ପ୍ରତିଷ୍ଠିତ ।

 

ପିଟସବର୍ଗ ବିଶ୍ଵବିଦ୍ୟାଳୟ ହତା ଭିତରେ ପହଞ୍ଚି ଏହାର ବିରାଟ ଆକାଶଚୁମ୍ବୀ ପ୍ରାସାଦ ‘କେଥେଡେଲ ଅଫ୍‌ ଲରନିଙ୍ଗ’ ର ବିରାଟତାରେ ସ୍ତବଧ ହୋଇପଡ଼ିଲୁ । ପିଟସବର୍ଗ ବିଶ୍ଵବିଦ୍ୟାଳୟର ଅଫିସ ଓ କ୍ଲାସରୁମ୍‌ଗୁଡ଼ିକ ଏହି ବିରାଟ ପ୍ରାସାଦରେ ଅବସ୍ଥିତ । ଏହି ପ୍ରସାଦଟି ୪୨ତାଲା । ପୃଥିବୀରେ ଯେତେ ବିଶ୍ଵବିଦ୍ୟାଳୟ ଅଛି, ମସ୍କୋ ବିଶ୍ଵବିଦ୍ୟାଳୟକୁ ଛାଡ଼ି ଉଚ୍ଚତାରେ ଏହାର ସମକକ୍ଷ ହେବା ପାଇଁ କୌଣସି ବିଶ୍ଵବିଦ୍ୟାଳୟ ନାହିଁ । କେତେକ ବିଜ୍ଞାନଗାର ବ୍ୟତୀତ ବିଶ୍ଵବିଦ୍ୟାଳୟର ପ୍ରାୟ ସବୁ ଅଂଶ ଏହି ବିରାଟ ପ୍ରାସାଦଟି ଭିତରେ ରହିଛି । କେଥେଡ୍ରେଲ ଅଫ୍‌ ଲରନିଙ୍ଗ୍‌ ଭିତରକୁ ପଶି ଲିଫ୍‌ଟ ସାହାଯ୍ୟରେ ଏହାର ଶୀର୍ଷସ୍ଥାନକୁ ଗଲୁଁ । ସେଠାରୁ ପିଟସବର୍ଗ ସହରର ଦୃଶ୍ୟ ଅତୀବ ମନୋରମ । ଏହି ପ୍ରାସାଦର ବିଶେଷତ୍ଵ ହେଉଛି ଏହାରି ଭିତରେ ଅଠରଗୋଟି କକ୍ଷ ରହିଛି, ପ୍ରତ୍ୟେକ କକ୍ଷ ଗୋଟିଏ ଗୋଟିଏ ଦେଶ ଓ ଜାତିର ପ୍ରତୀକ ଭାବରେ ପରିଚିତ ଓ ଏହି କକ୍ଷଟି ଗୋଟିଏ ଗୋଟିଏ ଦେଶର ରୀତିରେ ତିଆରି ।

 

କେଥେଡ୍ରେଲ ଅଫ୍‌ ଲରନିଙ୍ଗ୍‌ ଦେଖିସାରି ଆମେ ଚାଲିଲୁ ନିକଟବର୍ତ୍ତୀ କାରନେଗୀ ମିଉଜିୟମ୍‌ ଦେଖି । ଏହା ବିଶ୍ଵବିଦ୍ୟାଳୟ କେମ୍ପସ୍‍କୁ ଲାଗି ପ୍ରତିଷ୍ଠିତ । ଏହି ମିଉଜିୟମ୍‌ ଆମେରିକାର ବିଶିଷ୍ଟ କୋଟିପତି କାରନେଗୀ ଦାନରେ ପ୍ରତିଷ୍ଠିତ । ଆମେରିକାରେ ଯେତେ କୋଟିପତି ବ୍ୟବସାୟ କରିଛନ୍ତି, ଜନବତ୍ସଳ ଭାବରେ କେହି କାରନେଗୀଙ୍କୁ ଟପି ପାରି ନାହାନ୍ତି । କାରନେଗୀ ପ୍ରକୃତିରେ ହେଉଛନ୍ତି ସ୍କଟ୍‍ଲାଣ୍ଡ ଦେଶର ଲୋକ । ତାଙ୍କ ପୂରା ନାମ ହେଉଛି ଏଣ୍ଡ୍ରୁ କାରନେଗୀ । ସେ ୧୮୩୫ ମସିହାରେ ସ୍କଟ୍‌ଲାଣ୍ଡର ଜନ୍ମଗ୍ରହଣ କରିଥିଲେ । ରୋଜଗାର କରି ପେଟ ପୋଷିବା ପାଇଁ ଆମେରିକା ପଳାଇ ଆସିଥିଲେ । ସେ ଆସି ପିଟସବର୍ଗ ସହରରେ ଟେଲିଗ୍ରାଫ୍‌ଅପରେଟର ଭାବରେ କାମ କଲେ । ଆମେରିକାର ଗୃହଯୁଧ୍ୟ ସମୟରେ ପିଟସବର୍ଗ ଡିଭିଜନ୍‌ର ଟେଲିଗ୍ରାଫ୍‌ ସୁପରିଣ୍ଟେଣ୍ଡେଣ୍ଟ ଥିଲେ । ସେ ଏହିଠାରେ ପ୍ରଥମେ ଏକ ଲୁହା କାରଖାନା ବସାଇଥିଲେ ଓ ବିସିମର ପଦ୍ଧତିରେ ଇସ୍ପାତ ତିଆରି କରିବା ପ୍ରଣାଳୀ ଏହିଠାରେ ପ୍ରବର୍ତ୍ତନ କରାଇଥିଲେ । ତାଙ୍କ ଦେଖାଦେଖିରେ ଏଠି ବହୁତଗୁଡ଼ିଏ ଲୁହା ଓ ଇସ୍ପାତ କାରଖାନ । ବସିଲା । କିଛିଦିନ ପରେ ସବୁଗୁଡ଼ିକୁ ନିଜ ପରିଚାଳନାଧୀନକୁ ଆଣି ୧୮୮୯ ମସିହାରେ କାରନେଗୀ ଷ୍ଟିଲ କମ୍ପାନୀ ପ୍ରତିଷ୍ଠା କଲେ । ଏହା ୧୯୦୧ ମସିହାରେ ପୃଥିବୀର ବୃହତ୍ତମ ଇଉ.ଏସ.ଷ୍ଟିଲ କର୍‌ପୋରେସନ୍‌ରେ ମିଶିଗଲା । ୧୯୦୧ ମସିହାରେ କାର୍‌ନେଗୀ ବ୍ୟବସାୟରୁ ଅବସର ନେଲେ-। ସେହି ବର୍ଷ ସେ ତାଙ୍କର ଲାଭ୍ୟାଂଶ ଭାବରେ ପାଇଲେ ପ୍ରାୟ ଦେଢ଼ଶହ କୋଟି ଟଙ୍କା-। ସେହିଦିନଠାରୁ ତାଙ୍କ ବାର୍ଷିକ ଲାଭ୍ୟାଂଶ ବଢ଼ି ଚାଲିଲା । ତାଙ୍କ ଲାଭ୍ୟାଂଶର ଏକ ପ୍ରଧାନ ଅଂଶ ସେ ନାନା ଅନୁଷ୍ଠାନକୁ ଦାନ ସୂତ୍ରରେ ପ୍ରଦାନ କରୁଥିଲେ । କାର୍‌ନେଗୀଙ୍କ ଦାନ ପୃଥିବୀ ପ୍ରସିଦ୍ଧ-। ସେ ପୃଥିବୀର ବହୁ ଦେଶକୁ ଦାନ କରିଛନ୍ତି । ବିଶେଷତଃ ବୈଜ୍ଞାନିକ ଗବେଷଣା ପାଇଁ ତାଙ୍କ ଦାନ ଅତୁଳନୀୟ । ତାଙ୍କର ଦାନରେ ଦୁଇଟି ପ୍ରଧାନ ଦାତବ୍ୟ ଅନୁଷ୍ଠାନ ପରିଚାଳିତ ଗୋଟିଏ ହେଉଛି କାର୍‌ନେଗୀ ଶାନ୍ତି ପାଣ୍ଠି ଓ ଅନ୍ୟଟି କାର୍‌ନେଗୀ ଟ୍ରଷ୍ଟ । କୋଟି କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ କାର୍‌ନେଗୀ ମିଉଜିୟମ୍‌ ଓ କାର୍‌ନେଗୀ ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଟେକ୍‌ନୋଲଜି ପୃଥିବୀ ପ୍ରସିଦ୍ଧ-। ଶତାଧିକ ଲୋକହିତକର ଅନୁଷ୍ଠାନ ପ୍ରତିଷ୍ଠା କରି, ବହୁ ଦେଶର ଶିକ୍ଷା, ଶିଳ୍ପ, ବିଜ୍ଞାନ ଗବେଷଣାରେ ସାହାଯ୍ୟ କରି ଏଣ୍ଡ୍ରୁ କାର୍‌ନେଗୀ ୧୯୧୯ ମସିହାରେ ମାସାଚ୍ୟୁସେଟ୍‌ସ୍‌ ରାଜ୍ୟର ଲିନକ୍‌ସ୍‌ ସହରରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଏହି ଜନବତ୍ସଳ କୋଟିପତି ମାସାଚ୍ୟୁସେଟ୍‌ସ୍‌ ରାଜ୍ୟରେ ଆମେ ଅବସ୍ଥାନ କରୁଥିବା ସହରଠାରୁ ଅଳ୍ପ ଦୂରରେ ଦେହତ୍ୟାଗ କରିଥିବାରୁ ଏହାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଉତ୍ସୁକ ହୋଇପଡ଼ିଲୁ ।

 

କାର୍‌ନେଗୀ ମିଉଜିୟମ୍‌ ଭିତରେ ଏତେ ଦେଖିବାର ଜିନିଷ ଅଛି ଯେ ଭାଷାରେ ବର୍ଣ୍ଣନା କଲେ ଶେଷ ହେବନି । ମିଉଜିୟମ୍‌ଟି ଏତେ ବିରାଟ ଯେ ମାସେ ଖଣ୍ଡେ ଦେଖିଲେ ମଧ୍ୟ ଶେଷ ହେବ ନାହିଁ । ତେବେ ଆମ ହାତରେ ଏଥିପାଇଁ ଯେଉଁ ଦୁଇ ଘଣ୍ଟା ସମୟ ଥିଲା, ସେଥିରେ କେତେ ବା ଦେଖି ହେବ ? ତେବେ ତରତର କରି ଆମେ ମିଉଜିୟମ୍‌ର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଘୁରିଆସିଲୁ । କେଉଁ କେଉଁ ଅଂଶ ଭଲ ଭାବରେ ଦେଖିବାର କଥା, ବନ୍ଧୁ ଚକ୍ରବର୍ତ୍ତୀ ଆମକୁ ସୁଚାଇ ଦେଉଥାନ୍ତି । ଏହି ଯାଦୁଘରେ ପ୍ରାୟ ୫୦ ଲକ୍ଷ ପର୍ଯ୍ୟନ୍ତ ପ୍ରାକୃତିକ ବିଭବର ବହୁ ସଂଗୃହିତ ପଦାର୍ଥମାନ ରହିଛି ।

 

କାର୍‌ନେଗୀ ମିଉଜିୟମ୍‌ ଦେଖିସାରି ଆମେ ଚାଲିଲୁ ପିଟସବର୍ଗର ସୁବିଖ୍ୟାତ କାର୍‌ନେଗୀ ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଟେକ୍‌ନୋଲଜି ଦେଖିବା ପାଇଁ । ମିଉଜିୟମ୍‌ଠାରୁ ଅଳ୍ପ ଦୂରରେ ଏହି ଇନ୍‌ଷ୍ଟିଚିଉଟ୍‌ ଅବସ୍ଥିତ । ଖୁବ୍‌ବିରାଟ ଏହାର କେମ୍ପସ । ଏହାର ସୂକ୍ଷ୍ମ ଚାରୁକଳା ବିଭାଗ, ଆର୍ଟ ଗେଲେରୀ ଓ କାର୍‌ନେଗୀ ପୁସ୍ତକାଗାର ଅତି ପ୍ରସିଦ୍ଧ । କାର୍‌ନେଗୀ ଇନ୍‌ଷ୍ଟିଚିଉଟ୍‌ଟି ଏତେ ପ୍ରସିଦ୍ଧ ଯେ ଅଧା ବୁଲିସାରିଲା ବେଳକୁ ସ୍ତ୍ରୀ ଥକି ପଡ଼ିଲେ । ସ୍ତ୍ରୀଙ୍କ ସହିତ ଝିଅ ଟୁନୁବି । କିନ୍ତୁ ପୁଅ ବାବୁଲି ମୋଟେ ଥକିବାକୁ ନାହିଁ । ତେଣୁ କାର୍‌ନେଗୀ ଇନ୍‌ଷ୍ଟିଚିଉଟ୍‌ର ଏକ ବେଞ୍ଚରେ ସ୍ତ୍ରୀ ଓ ଝିଅ ଆମ ସହିତ ନ ବୁଲି ବସିଲେ । ଆମେ ପୁଅ ବାବୁଲିକୁ ସାଙ୍ଗରେ ନେଇ ଚାରିଆଡ଼ ବୁଲି ଆସିଲୁଁ । ବୁଲିସାରି ସେମାନଙ୍କୁ ଧରି ସେଠାରୁ ଫେରିଲୁ ।

 

କାର୍‌ନେଗୀ ଇନ୍‌ଷ୍ଟିଚିଉଟ୍‌ରୁ ବାହାରି ଆମେ ଚାଲିଲୁଁ ସିଭିକ୍‌ ଅଡିଟୋରିୟମ୍‌ ଦେଖି । ଆମେରିକାନ୍‌ ଇଞ୍ଜିନିଅରିଂ ବିଜ୍ଞାନର ଏହା ଏକ ସାର୍ଥକ ସୃଷ୍ଟି । ଏଗାର କୋଟି ଟଙ୍କା ବ୍ୟୟରେ ଏହି ବିରାଟ ପ୍ରେକ୍ଷାଳୟଟି ତିଆରି ହୋଇଛି । ଏହି ପ୍ରାସାଦରେ ଯେଉଁ ଡୋମ୍‌ ଅଛି ତାହା ପୃଥିବୀର ବୃହତ୍ତମ ଚର୍ଚ୍ଚ ରୋମର ସେଣ୍ଟ୍‌ପିଟରସ ଗିର୍ଜାରେ ଥିବା ପ୍ରକାଣ୍ଡ ଡୋମ୍‌ର ତିନି ଗୁଣ ଓ ଏହି ଡୋମ୍‌ଟି ଗୋଟା ସାରା ଷ୍ଟେନ୍‌ଲେସ ଷ୍ଟିଲରେ ତିଆରି ହୋଇଛି । ଏହି ଡୋମ୍‍ଟିକୁ ମଧ୍ୟ ପୂରା ଭାବରେ ଦରକାର ପଡ଼ିଲେ ଖସାଇ ଦିଆଯାଇପାରେ । ତେଣୁ ଅବସ୍ଥା ବିଶେଷରେ ଏହି ଅଡିଟୋରିୟମଟି ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇପାରେ । ଥିଏଟର, ବକ୍ତୁତା, ମିଟିଂ, ଖେଳ, କସରତ ସବୁ ପାଇଁ ଏହା ବ୍ୟବହୃତ ହେବାର ଦେଖାଯାଏ ।

 

ଏହା ବ୍ୟତୀତ ପିଟସବର୍ଗ ସହରର ବୁହଲ୍‌ ପ୍ଲେନିଟୋରିୟମ୍‌ ଅତି ପ୍ରସିଦ୍ଧ । ଆମେରିକାରେ ଥିବା ଛଅଗୋଟି ପ୍ଲେନିଟୋରିୟମ ଭିତରୁ ଏହା ଗୋଟିଏ । ଆମେ ଚିକାଗୋର ପ୍ଲେନିଟୋରିୟମ୍‌ ଏହି ଦୁଇ ତିନି ଦିନ ତଳେ ଦେଖିଥିବାରୁ ଆଉ ଏ ପ୍ଲେନିଟୋରିୟମ୍‌ ଦେଖିବାକୁ ଗଲୁନି । ପ୍ଲେନିଟୋରିୟମ୍‌ ପରିବର୍ତ୍ତନରେ ଆମେ ପିଟସବର୍ଗର ଅତି ପ୍ରସିଦ୍ଧ ଷ୍ଟେନଲେସ୍‌ ଷ୍ଟିଲରେ ତିଆରି ଆକାଶଚୁମ୍ବ ବହୁତଳ ପ୍ରାସାଦ ଦେଖିବାକୁ ଗଲୁଁ । ବିସ୍ମୟବିସ୍ଫାରିତ ନେତ୍ରରେ ସେହି ବହୁତଳ ପ୍ରାସାଦକୁ ଅନାଇ ରହିଲୁ । କି ଆଶ୍ଚର୍ଯ୍ୟ, ଏହି କୋଡ଼ିଏ ତାଲା ବିଶିଷ୍ଟ ପ୍ରାସାଦଟି ଗୋଟା ସାରା ଷ୍ଟେନଲେସ୍‌ ଷ୍ଟିଲରେ ତିଆରି । ଷ୍ଟେନ୍‌ଲେସ୍‌ ଷ୍ଟିଲରେ ତିଆରି ପ୍ରାସାଦ ଆମଠାରେ ପୂରାପୂରି ଅପରିଚିତ ନୁହେଁ । ମୁଁ ଯେଉଁ ବ୍ରେଣ୍ଡାଇସ ବିଶ୍ଵବିଦ୍ୟାଳୟରେ ଗବେଷଣା କରୁଥିଲି, ସେହି ବିଶ୍ଵବିଦ୍ୟାଳୟର ଆମ ଗବେଷଣାଗାରର ଏକ ଅଂଶ ଏହି ଷ୍ଟେନ୍‌ଲେସ୍‌ ଷ୍ଟିଲରେ ତିଆରି । କିନ୍ତୁ ଆମର ସେ ପ୍ରାସାଦଟି ମୋଟେ ତିନିତାଲା । ଏଠି କୋଡ଼ିଏ ତାଲା ପ୍ରକାଣ୍ଡ ପ୍ରାସାଦ ଷ୍ଟେନ୍‌ଲେସ୍‌ ଷ୍ଟିଲରୁ ତିଆରି ହୋଇଥିବାରୁ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲୁନି । ଯେଉଁ ଷ୍ଟେନ୍‌ଲେସ୍‌ ଷ୍ଟିଲରୁ ତିଆରି ତାଟିଆର ଦାମ୍‌ ଆମ ଦେଶରେ ଦଶ ଟଙ୍କା, ସେହି ଷ୍ଟନ୍‌ଲେସ୍‌ ଷ୍ଟିଲରୁ ତିଆରି ଏହି ବଂଶତଳ ପ୍ରାସାଦର ମୂଲ୍ୟ ଯେ କେତେ ହୋଇଥିବ, ଭାବି କଳନା କରି ପାରିଲୁନି । ଧନ୍ୟ ଏ କୁବେର ଦେଶ, ଧନ୍ୟ ତାର ଧନ ସମ୍ପତ୍ତି ! ଏହି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପ୍ରାସାଦଠାରୁ ଅଳ୍ପ ଦୂରରେ ଆଲୁମିନିୟମରୁ ତିଆରି ଦୁଇଟି ପ୍ରାସାଦ ବନ୍ଧୁ ଚକ୍ରବର୍ତ୍ତୀ ଦେଖାଇଦେଲେ । ଏହି ପ୍ରାସାଦଗୁଡ଼ିକୁ ଦେଖି ମନେ ମନେ ଭାବିଲି, ଆମ ଦେଶର ଲୋକେ କାଦୁଅ, ବାଉଁଶ, କୁଟାରୁ ତିଆରି ଘର କରୁଥିବା ସ୍ଥଳେ ଏ ଦେଶର ଲୋକେ ପକ୍‌କା, କଂକ୍ରିଟ ଘରକୁ ଛାଡ଼ି ଷ୍ଟେନ୍‌ଲେସ ଷ୍ଟିଲ ଓ ଆଲୁମିନିୟମରୁ ତିଆରି ଘର ଏପରିକି ବହୁତଳ ପ୍ରାସାଦମାନ ତିଆରି କଲେଣି ।

 

ପିଟସବର୍ଗ ସହର ଯେଉଁ ଲୁହା ଓ ଇସ୍ପାତ ତିଆରି ପାଇଁ ପ୍ରସିଦ୍ଧ, ସେହି ଲୁହା ଓ ଇସ୍ପାତ ତିଆରି କାରଖାନା ଦେଖିବାର ବାସନା ଆମର ଥିଲା । ଇଉ. ଏସ୍‌. ଷ୍ଟିଲ କର୍‌ପୋରେସନ୍‌ ଦ୍ୱାରା ଲୋକମାନଙ୍କୁ ଏହି କାରଖାନାମାନ ବୁଲାଇ ଦେଖାଇବାର ବନ୍ଦୋବସ୍ତ ଅଛି । କିନ୍ତୁ ଆମେ ପିଟସବର୍ଗ ସହର ପରିକ୍ରମା ଶେଷ କରୁ କରୁ ଏତେ ଡେରି ହୋଇଗଲା ଯେ ଲୁହା କାରଖାନା ଆଉ କ’ଣ ଦେଖିବୁ ? ଆମ ଦେଶର ଟାଟାନଗର ଓ ରାଉରକେଲା କାରଖାନା ତ ଦେଖା ହୋଇଛି, ଆଉ ଏଠି ଦେଖିବୁ କଣ ? ଦୂରକୁ ତ ପୁଣି ସେମାନଙ୍କ ବ୍ଲାଷ୍ଟ ଫର୍ଣ୍ଣେସ ଦିଶୁଛି, ଆଉ ଅଧିକ କଣ ଦେଖିବୁଁ ? ବନ୍ଧୁଙ୍କ ବସାକୁ ଫେରିଆସିବା ପଥରେ ପିଟସବର୍ଗ ଦେଇ ବହି ଯାଉଥିବା ମନୋଗେହେଲ ଓ ଏଲିଘେନି ନଦୀ ଦ୍ୱୟ ଓ ତା ଉପରେ ଥିବା ବିରାଟ ବିରାଟ ପୋଲ ଦେଖି ଆଶ୍ଚର୍ଯ୍ୟ ହେଲୁ । ମୋଟାମୋଟି କହିବାକୁ ଗଲେ ପିଟସବର୍ଗ ସହର ଦେଖି ଆମେ ଏତେ ମୁଗ୍‍ଧ ହେଲୁ ଯେ ତାହା ଭାଷାରେ ବର୍ଣ୍ଣନା କରିହେବନି ।

 

ସନ୍ଧ୍ୟାବେଳେ ଆମର ପିଟସବର୍ଗ ଛାଡ଼ିବା କଥା । ବନ୍ଧୁଙ୍କ ବସାରେ ସାନ୍ଧ୍ୟ ଭୋଜନ ଶେଷ କରି ବସ ଷ୍ଟେସନ ଅଭିମୁଖେ ରମାନା ହେଲୁ । ବନ୍ଧୁ ଚକ୍ରବର୍ତ୍ତୀ ଓ ତାଙ୍କର ଜନୈକ ବନ୍ଧୁ ଆମକୁ ବାଟୋଇ ଦେବା ପାଇଁ ବସ ଷ୍ଟେସନକୁ ଆସିଲେ । ସେମାନଙ୍କଠାରୁ ବିଦାୟ ନେଇ ଗ୍ରେ-ହାଉଣ୍ଡ ବସ ପିଟସବର୍ଗ ରୁ ଫିଲଡେଲଫିଆ, ନିଉୟର୍କ ଦେଇ ବେଷ୍ଟନ୍‌ ଫେରିଆସିଲୁ ।

 

ଅଦିନିଆ ଝଡ଼

 

ଜୁଲାଇ ମାସ ୧୫ ତାରିଖ ୧୯୬୩ ମସିହା । ଅଗଷ୍ଟ ମାସ ପାଞ୍ଚ ତାରିଖରେ ବୋଷ୍ଟନ ଛାଡ଼ି ନିଉୟର୍କ ଯାଇ ଆଠ ତାରିଖ ଦିନ କୁଇନ୍‌ମେରୀ ଜାହାଜ ଧରିବୁଁ ବୋଲି ଠିକ୍‌ ହୋଇଥିବାରୁ ଜାହାଜ କମ୍ପାନୀର ସମସ୍ତ ବାବଦ ଟିକଟ ଟଙ୍କା ଚୁକ୍ତି କରିବା ଦରକାର । ତେଣୁ ସେହିଦିନ ସଅଲ ଯାଇ ଆମେରିକାନ୍‌ ଏକ୍‌ସପ୍ରେସ କମ୍ପାନୀକୁ ତାର ପ୍ରାପ୍ୟ ପୂରାଭାବରେ ଦେଇଆସିଲି । ପାଣି ଜାହାଜରେ ନିଉୟର୍କରୁ ବମ୍ବେ ପର୍ଯ୍ୟନ୍ତ ଆମ ଚାରି ଜଣଙ୍କ ଟିକଟ ପଡ଼ିଲା ସାତ ହଜାରରୁ କିଛି ଊର୍ଦ୍ଧ୍ୱ ଟଙ୍କା । ପିଲା ଦୁହିଁଙ୍କର ଅଧା ଟିକଟ ପଡ଼ିବାରୁ ଟିକିଏ କମ ପଡ଼ିଲା , ନୋହିଲେ ଟିକେଟ ବାବଦ ଆହୁରି ଅଧିକ ଟଙ୍କା ପଡ଼ିଥାନ୍ତା । ଟଙ୍କା ଦେଇ ଆସିବାର ପରଦିନ ଆମ ଘରଠାରୁ ୧୦/୧୨ ମାଇଲ ଦୂର ମାସାଚ୍ୟୁସେଟସ୍‌ ରାଜ୍ୟର କଙ୍କଡ଼ ସହରଠାରେ ଫ୍ରେଣ୍ଡସ୍‌ ସୋସାଇଟି ତରଫରୁ ଗୋଟିଏ ମିଟିଂ ଥାଏ । ସେହି ମିଟିଂକୁ ଆମେ ଯିବୁ ଓ ଆମ ସହିତ ଆମ ପରିବାରର ଅତି ପରିଚିତ ଓ ଘନିଷ୍ଠ ମିସେସ୍‌ ଗ୍ରେସ୍‌ଲୁଡର ନାମକ ଜନୈକ ଆମେରିକାନ୍‌ ମହିଳା ଆମ କାରରେ ସେହି ମିଟିଂକୁ ଯିବା କଥା ଠିକ୍‍ ହୋଇଥାଏ । ମିସେସ୍‌ଲୁଡରଙ୍କ ସ୍ଵାମୀ କାର୍ଯ୍ୟୋପଲକ୍ଷେ ତାଙ୍କ କର ନେଇ ଅନ୍ୟତ୍ର ଯାଇଥିବାରୁ ଭଦ୍ରମହିଳା ଜଣଙ୍କ ଆମ କାର୍‌ରେ ସେହି ମିଟିଂକୁ ଯିବାକୁ ଠିକ କରିଥାନ୍ତି ।

 

ବୋଷ୍ଟନର ଆମେରିକାନ୍ ଏକ୍‌ସପ୍ରେସ୍‌ କମ୍ପାନୀର ଅଫିସରୁ ଫେରି ସନ୍ଧ୍ୟାବେଳେ ମୋତେ କେମିତି ଜ୍ୱର ଜ୍ୱର ଲାଗିଲା । ଏଥିପୂର୍ବରୁ ବଡ଼ ଝିଅକୁ ହାଡ଼ଫୁଟି ହୋଇଯାଇଥିବାରୁ ମୋତେ ଜ୍ଵର ହେବା ଦେଖି କେମିତି କେମିତି ସନ୍ଦେହ ଲାଗିଲା । ମନେ ମନେ ଭୟ ହେଲା, ମୋତେ ଆଉ ହାଡ଼ଫୁଟି ଧରିଲା କି ? ହାଡ଼ଫୁଟି ବା ପାଣିବସନ୍ତ (Chicken pox) ଏମିତି ଗୋଟାଏ ସଂକ୍ରାମକ ରୋଗ ଯେ, ଘର ଭିତରେ ଜଣକୁ ହେଲେ ଅନ୍ୟମାନଙ୍କୁ ନ ଧରି ସହଜେ ଛାଡ଼େ ନାହିଁ । ଅବଶ୍ୟ ଏହି ରୋଗର ଗୋଟାଏ ଗୁଣ ହେଉଛି ଯେ ଜଣକୁ ଯଦି ଏ ରୋଗ କେବେ ହୋଇଥାଏ, ତେବେ ଜୀବନକାଳ ଭିତରେ ଆଉ ତାକୁ ପ୍ରାୟ ଏ ରୋଗ ଧରେନି । କିନ୍ତୁ ଦୁଃଖର କଥା, ଭାରତରେ ଥିଲାବେଳେ ଏ ରୋଗ କେବେ ଆମ ଘରେ ପଶି ନ ଥିଲା । ମୁଁ କି ସ୍ତ୍ରୀ କି ପିଲାମାନେ କେବେ ଏହି ରୋଗରେ ଆକ୍ରାନ୍ତ ହୋଇ ନ ଥିଲୁଁ । ତେଣୁ ଆମ ମନରେ ବିଶେଷ ଭୟ ହେବା ସ୍ଵାଭାବିକ ।

 

ବଡ଼ ଅଦ୍ଭୁତ କଥା, ଏ ରୋଗରୁ ରକ୍ଷା ପାଇବା ପାଇଁ କିଛି ପ୍ରତିଷେଧକ ହାଡ଼ଫୁଟି ପାଇଁ ନାହିଁ । ଆମେରିକାରେ ବସନ୍ତ ରୋଗ ମୂଳରୁ ନାହିଁ କହିଲେ ଚଳେ । ଗୋବୀଜ ଟୀକା ପିଲାଦିନରୁ ପ୍ରତ୍ୟକଙ୍କୁ ଦିଆଇ ଏ ରୋଗକୁ ସେ ଦେଶରେ ସମୂଳେ ଦୂର କରାଯାଇଛି । ବସନ୍ତ ଭଳି ମିଳିମିଳା ରୋଗର ଏକ ପ୍ରତିଷେଧକ ଆବିଷ୍କୃତ ହୋଇ ତାର ମଧ୍ୟ ପ୍ରଚଳନ ଆମେରିକା ଦେଶରେ ହେଲାଣି-। ତେଣୁ ମିଳିମିଳା କାହାରି ଘରେ ହେଲେ ବା ସାଇପଡ଼ିଶାରେ ଦେଖାଦେଲେ ପ୍ରତିଷେଧକ ନେଇ ଲୋକେ ସେ ରୋଗ ଆକ୍ରମଣରୁ ରକ୍ଷା ପାଇ ଯାଉଛନ୍ତି । କିନ୍ତୁ ହାଡ଼ଫୁଟି ପାଇଁ କେଉଁଠି କିଛି ନାହିଁ-। ବଡ଼ ଝିଅକୁ ଯେତେବେଳେ ହେଲା, ଆମେ ଯାଇ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଲୁ । ଏହି ରୋଗର କୌଣସି ପ୍ରତିଷେଧକ ନ ଥିବାରୁ ରୋଗ ଆକ୍ରମଣରୁ ଆମକୁ ରକ୍ଷା କରିବା ପାଇଁ ଡାକ୍ତର ତାଙ୍କର ଅକ୍ଷମତା ଜଣାଇଥିଲେ । ଅଣନ୍ୟୋପାୟ ହୋଇ ଆମେ ଆମ ଭାଗ୍ୟ ଉପରେ ନିର୍ଭର କରି ରହିଥାଉଁ । ଆମର ବେଶୀ ଭୟ ଯେ ଏଭଳି ସମୟରେ ଆମକୁ ଯଦି ହାଡ଼ଫୁଟି ଧରେ ଓ ଜଣକ ପରେ ଜଣକୁ ହୁଏ, ତେବେ ଆମର ଆମେରିକା ଛାଡ଼ିବା ଯଥା ସମୟରେ ନ ହୋଇପାରେ-

 

ମୋତେ ଯେଉଁଦିନ ଜ୍ଵର ହେଲା, ଆମର ପୁଞ୍ଜୀଭୂତ ସନ୍ଦେହ ଆହୁରି ଦୃଢୀଭୂତ ହେଲା-। ବଡ଼ ସନ୍ଦେହ-ସନ୍ଦିଗ୍‌ଧ ଚିତ୍ତରେ ରାତିଟି କଟିଲା । ସକାଳୁ ଉଠି ସାଙ୍ଗେ ସାଙ୍ଗେ ଜ୍ୱରମାପକ ଯନ୍ତ୍ରରେ ନୀଜ ଶରୀରର ଉତ୍ତାପ ମାପିନେଲି । ବଡ଼ ଆଶ୍ଚର୍ଯ୍ୟ କଥା, ଦେହରେ ଟିକିଏ ବି ଜ୍ଵର ନାହିଁ । ମନ ବଡ଼ ଖୁସି ହୋଇଗଲା । ମନେ ମନେ ଭାବିଲି, ଯାହାହେଉ ମୋତେ ହାଡ଼ଫୁଟି ହେଲାନି । ଜ୍ଵର ହାଡ଼ଫୁଟି ଯୋଗୁଁ ହୋଇଥିଲେ ଏତେ ଶୀଘ୍ର କ’ଣ ଛାଡ଼ି ଯାଇଥାନ୍ତା ? ବୋଧହୁଏ ଆଉ କିଛି ଜ୍ଵର । ଘରର ସମସ୍ତଙ୍କ ମନରେ ଆନନ୍ଦ ।

 

ସଅଳ ସଅଳ ନିତ୍ୟକର୍ମ ଶେଷ କରି ମିଟିଂ ଅଭିମୁଖେ ବାହାରି ପଡ଼ିଲୁ, ପୂର୍ବ ସିଦ୍ଧାନ୍ତ ଅନୁଯାୟୀ ମିସେସ୍‌ ଲୁଡ଼ରଙ୍କୁ ତାଙ୍କ ଘରଠାରୁ ସଙ୍ଗରେ ନେଲୁଁ । ଗଲାବେଳେ କିଛି ଖରାପ ଲାଗୁ ନ ଥାଏ । ଭଲରେ ଭଲରେ ଯାଇ ମିଟିଂରେ ପହଞ୍ଚିଗଲୁଁ । ଆମ ସମସ୍ତଙ୍କର ସେଠାରେ ମଧ୍ୟାହ୍ନ ଭୋଜନ ପାଇଁ ନାନା ପ୍ରକାର ବନ୍ଦୋବସ୍ତ ହୋଇଥାଏ । ମିଟିଂରେ କିଛି ସମୟ ବସିଛି କି ନାହିଁ ଦେହ ପୁଣି କେମିତି କେମିତି ଲାଗିଲା । ମିଟିଂରେ ବସିବାକୁ ମୋଟେ ଭଲ ଲାଗିଲାନି । ବାଧ୍ୟହୋଇ ସମସ୍ତଙ୍କଠାରୁ ବିଦାୟ ନେଇ ଘର ଅଭିମୁଖେ ବାହୁଡ଼ି ଆସିଲୁ । ମିସେସ୍‌ ଲୁଡ଼ର ମିଟିଂ ଶେଷ ପରେ ଅନ୍ୟ କାହା କାରରେ ଆସିବେ ବୋଲି ଆମକୁ ଜଣାଇ ଆମଠାରୁ ବିଦାୟ ନେଇ ରହିଲେ । ଦେହ ଏତେ ଖରାପ ଲାଗୁଥାଏ ଯେ ମନରେ ଭୟ ହେଉଥାଏ, ଏତେଗୁଡ଼ାଏ ବାଟ କାର୍‌ ଚଳାଇ ଯାଇପାରିବି ତ ? ବାଟରେ ଆସିଲାବେଳେ ଷ୍ଟିଅରିଂ ଚଲାଉ ଚଲାଉ ହଠାତ୍‌ ଡାହାଣ ହାତ ପାପୁଲିରେ ସାମାନ୍ୟ ବ୍ୟଥା ଅନୁଭବ କଲି । ପରୀକ୍ଷା କରି ଦେଖିଲାରୁ ହାଡ଼ଫୁଟିର ପ୍ରଥମ ଦୂତ ହାଡ଼ଫୁଟିର ଦୁଃସମ୍ବାଦ ନେଇ ଆସି ହାଜର । ପାଖରେ ସ୍ତ୍ରୀ ବସିଥାନ୍ତି । ହାଡ଼ଫୁଟି ମୋତେ ହେବା କଥା କହିଲି । ସେ ଶୁଣି ହଠାତ୍‌ ବିଶ୍ଵାସ କଲେନି । କିନ୍ତୁ ହାଡ଼ଫୁଟିର ଦୂତକୁ ଦେଖିଲେ କାହାର ବା ବିଶ୍ଵାସ ନ ହେବ ? ଘରେ ପହଞ୍ଚିଲା ବେଳକୁ ମୋ ଦେହ ସାରା ୪/୫ଟି ହାଡ଼ଫୁଟି ଗୋଟି ବାହାରି ସାରିଲେଣି । କୌଣସି ପ୍ରକାରରେ ଘରେ ପହଞ୍ଚି କାର ଥୋଇଦେଇ ବିଛଣା ଧରିଲି । ପନ୍ଦର ଦିନ କାଳ ଶୋଇବା ଘରୁ ଅନ୍ୟ ଘରକୁ ଯାଇନି । ଆମ ଘରେ ଏହି ଯେଉଁ ଅଦିନିଆ ଝଡ଼ ବୋହିଗଲା ସେ ଆମର କେତେ ପ୍ରୋଗ୍ରାମ୍‌କୁ ଯେ ଓଲଟ ପାଲଟ କରି ଦେଇଥିଲା, ତାର ଇୟତ୍ତା ନାହିଁ ।

Image

 

Unknown

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

 

ଦିନେ ଦୁଇ ଦିନ ପରେ ମୋତେ ଭୀଷଣ ଭାବରେ ହାଡ଼ଫୁଟି ହେଲା । ଏତେ ଜୋରରେ ହେଲା ଯେ ଦେଖିଲେ ବସନ୍ତ ହେଲା ଭଳି ଜଣା ପଡ଼ିବ । ମୋର ଏଭଳି ଭୀଷଣ ହାଡ଼ଫୁଟି ହୋଇଥିବାରୁ ମୁଁ ବାହାରକୁ ବାହାରୁ ନ ଥାଏ । ମୋତେ ଯଦି କେହି ଦେଖା କରିବାକୁ ଆସିବା ପାଇଁ କହନ୍ତି, ତେବେ ଆମେ ମନା କରୁଥାଉଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଓ ପଥ୍ୟର ବ୍ୟବସ୍ଥା କରାଗଲା ।

 

ଏହି ସମୟରେ ଓଡ଼ିଶାର ରେଭେନ୍‌ସା କଲେଜରୁ ଚିଠି ପାଇଲି ଯେ ମୋର ଜନୈକ ଛାତ୍ର ତଥା ବନ୍ଧୁ ଡକ୍ଟର ଭାସ୍କରଚନ୍ଦ୍ର ଦାଶ ଉଚ୍ଚତମ ଗବେଷଣା ପାଇଁ ନିଯୁକ୍ତି ପାଇ ଦିନେ ଦୁଇଦିନ ଭିତରେ ଆସି ବୋଷ୍ଟନର ଲୋଗନ ଏୟାରପୋର୍ଟରେ ପହଞ୍ଚୁଛନ୍ତି । ମୋତେ ଚିଠି ଲେଖିଥାନ୍ତି ଓ ତାର କରିଥାନ୍ତି ତାଙ୍କୁ ଯାଇ ଏୟାରପୋର୍ଟରୁ ଘେନି ଆସିବା ପାଇଁ । ମୋର ଏ ଯେଉଁ ଅବସ୍ଥା, ବାହାରକୁ ବାହାରିବା ଅନୁଚିତ । ତେଣୁ ଏୟାରପୋର୍ଟକୁ ଯାଇ ତାଙ୍କୁ ଆଣିବ ବା କିଏ ? ସେଥିପାଇଁ କାହାକୁ ବା ଅନୁରୋଧ କରିବି ? ଆମର ଏହି ଅସୁବିଧା କଥାଟାକୁ ସ୍ତ୍ରୀ ଫୋନ୍‌ରେ ମିସେସ୍‌ ଲୁଡ଼ରଙ୍କୁ ଜଣାଇ ଦେଲେ । ସୌଭାଗ୍ୟବଶତଃ ସେହିଦିନ ମିସେସ୍‌ ଲୁଡ଼ରଙ୍କ ସ୍ଵାମୀ ପ୍ରଫେସର ଲୁଡ଼ର ଘରକୁ ଫେରି ଆସିଥାନ୍ତି । ସେ ସଙ୍ଗେ ସଙ୍ଗେ ତାଙ୍କ ସ୍ଵାମୀଙ୍କୁ ପଚାରି ଆମକୁ ଫୋନ୍‌ କଲେ ଯେ ସେ ଓ ତାଙ୍କ ସ୍ଵାମୀ ସେମାନଙ୍କ ଗାଡ଼ି ନେଇ ବୋଷ୍ଟନର ଲୋଗନ ଏୟାରପୋର୍ଟକୁ ଯିବେ ଡକ୍ଟର ଦାଶଙ୍କୁ ଆଣିବା ପାଇଁ । ସ୍ତ୍ରୀ ଓ ଆମ ପିଲାମାନେ ସେମାନଙ୍କ ସଙ୍ଗରେ ଯିବେ ଡକ୍ଟର ଦାଶଙ୍କୁ ଚିହ୍ନାଇ ଦେବାପାଇଁ । ସେମାନଙ୍କ ଆଶଙ୍କା, ସେମାନେ ଏକାଏକା ଗଲେ ନବାଗତ ଭଦ୍ରଲୋକ କାଳେ ସେମାନଙ୍କ ସଙ୍ଗରେ ଆସିବାକୁ ପଶ୍ଚାତପଦ ହେବେ । ଯାହାହେଉ, ମିସେସ୍‌ଲୁଡ଼ରଙ୍କ ଏହି ସାହାଯ୍ୟ ଆମର ଏକ ଦୁଶ୍ଚିନ୍ତା ଦୂର କଲା ।

 

ମିସେସ୍‌ ଲୁଡ଼ର ଯେ ଖାଲି ଆମକୁ ଏହି କାର୍ଯ୍ୟରେ ସାହାଯ୍ୟ କରିଛନ୍ତି ତା ନୁହେଁ, ଆମ ଆମେରିକାରେ ପହଞ୍ଚିବା ଦିନଠାରୁ ସେ ଓ ତାଙ୍କ ପରିବାର ଆମକୁ ଯେଭଳି ଭାବରେ ସାହାଯ୍ୟ କରି ଆସିଅଛନ୍ତି, ଭୁଲିବାର ନୁହେଁ । ମିସେସ୍‌ ଲୁଡ଼ରଙ୍କ ସହିତ ଆମର ସର୍ବପ୍ରଥମ ପରିଚୟ ହୁଏ ୧୯୬୧ ମସିହାରେ, ଆମେ ଆମେରିକାରେ ପହଞ୍ଚିବାର ପ୍ରାୟ ଚାରି ପାଞ୍ଚ ମାସ ପରେ । ତାଙ୍କ ସହିତ ଦେଖା ସର୍ବପ୍ରଥମେ ଆମ କଲେଜରେ । ମୋର ଜନୈକ ଆମେରିକାନ୍‌ ବନ୍ଧୁ ତାଙ୍କୁ ଆଣି ମୋ ସହିତ ପରିଚୟ କରାଇ ଦିଅନ୍ତି । ଭଦ୍ରମହିଳା ଉଚ୍ଚଶିକ୍ଷିତା, ସ୍ଵାମୀ ତାଙ୍କର ବୋଷ୍ଟନର ସୁବିଖ୍ୟାତ ନର୍ଥ ଇଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟର ରସାୟନାଧ୍ୟାପକ । ରସାୟନ ବିଜ୍ଞାନ ଓ ଅନ୍ୟ ବିଷୟରେ ବହୁ ଉପାଦେୟ ପୁସ୍ତକ ଲେଖି ଖ୍ୟାତି ଲଭିଛନ୍ତି । ଏହି ଲୁଡ଼ର ଦମ୍ପତିଙ୍କର ସନ୍ତାନସନ୍ତତି ଭିତରେ ମାତ୍ର ଦୁଇଟି ଝିଅ, ଜଣକ ନାମ ହୋପ୍‌ ଓ ଅନ୍ୟଟି ନାମ ଫେଥ୍‌ । ବଡ଼ ହେଉଛି ହୋପ୍‌, କଲେଜର ଉପର କ୍ଲାସରେ ପଢ଼େ; ଫେଥ ହେଉଛି ସାନ, ସ୍କୁଲରେ ପଢ଼େ । ମୁଁ ଯେଉଁ ବିଶ୍ଵବିଦ୍ୟାଳୟରେ ଗବେଷଣା କରୁଥିଲି, ସେହି ବିଶ୍ଵବିଦ୍ୟାଳୟ ହତାକୁ ଲାଗି ସେମାନଙ୍କର ଲକ୍ଷାଧିକ ଟଙ୍କାର ବାସଭବନ । ଘର ଭିତର ଓ ବାହାର ସାଜସଜ୍ଜା ଅତୀବ ମନୋରମ ।

 

୧୯୬୧ ମସିହାର ଆମେରିକାରେ ଏକ ବିଶିଷ୍ଟ ପର୍ବ ‘‘ଧନ୍ୟବାଦଜ୍ଞାପନ ଦିବସ’’ (Thanksgiving day) ଉପଲକ୍ଷେ ନୂତନ ଅତିଥି ସନ୍ଧାନରେ ମିସେସ୍‌ ଲୁଡ଼ର ଆମ କଲେଜକୁ ଆସିଥାନ୍ତି । ଏହି ଧନ୍ୟବାଦଜ୍ଞାପନ ଦିବସ ଆମେରିକାରେ ଏକ ବଡ଼ ସାମାଜିକ ପର୍ବ-। ଏହି ଦିବସରେ ଆମେରିକାନମାନେ ନିଜ ନିଜ ବନ୍ଧୁବାନ୍ଧବ, ସାଙ୍ଗସାଥି ବ୍ୟତୀତ ବହୁ ନୂତନ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରନ୍ତି । ଏହି ପର୍ବଦିନ ପ୍ରତ୍ୟେକ ଆମେରିକାନ ଘରେ ଟର୍କି ନାମକ କୁକୁଡ଼ା ଜାତୀୟ ଏକ ପକ୍ଷୀର ତରକାରୀ ହୁଏ ଓ ଅତିଥିମାନଙ୍କୁ ଏହି ତରକାରୀ ଖାଇବାକୁ ଦିଆଯାଏ । ଏହି ପର୍ବରେ ଟର୍କି ହେଲା ପ୍ରଧାନ ଖାଦ୍ୟ । ମିସେସ୍‌ ଲୁଡ଼ର ମୋତେ ଦେଖି ଖାଲି ଆମ ପରିବାରକୁ ଯେ ନିମନ୍ତ୍ରଣ କଲେ ସେହି ପର୍ବପାଇଁ, ତା ନୁହେଁ, ଦୁଇ ଦିନ ପରେ ଏକ ମଧ୍ୟାହ୍ନ ଭୋଜନକୁ ମୋତେ ଓ ମୋର ସେହି ଆମେରିକାନ୍‌ ବନ୍ଧୁଙ୍କୁ ନିମନ୍ତ୍ରଣ କଲେ । ଏହିଭଳି ଭାବରେ ଧୀରେ ଧୀରେ ମିସେସ୍‌ ଲୁଡ଼ର ଆମ ପରିବାର ସହିତ ପରିଚିତ ହୋଇଗଲେ ଓ ଏହି ପରିଚୟ ଅଳ୍ପଦିନ ଭିତରେ ଏତେ ଘନିଷ୍ଠତାରେ ପରିଣତ ହେଲା ଯା ଫଳରେ ତାଙ୍କ ପରିବାର ଓ ଆମ ପରିବାର ଭିତରେ ହେଲା କ୍ଷୀରନୀର ସମ୍ବନ୍ଧ । ‘‘ଧନ୍ୟବାଦ ଜ୍ଞାପନ ଦିବସ’’ ଦିନ ଆମେ ଯେ ଖାଲି ନିମନ୍ତ୍ରିତ ହୋଇଥିଲୁ ତା ନୁହେଁ, ଅନ୍ତତଃ ଆମେ ଯେମିତି ପୂରା ଗୋଟାଏ ଦିନ ତାଙ୍କ ଘରେ ଟଙ୍କାର ଅନ୍ୟାନ୍ୟ ବନ୍ଧୁ ବାନ୍ଧବ ମାନଙ୍କ ସହିତ କଟାଉ, ସେଥିପାଇଁ ତାଙ୍କର ଥିଲା ସ୍ନେହମିଶା ତାଗିଦ୍‌-

 

‘ଧନ୍ୟବାଦ ଜ୍ଞାପନ ଦିବସ’ ଦିନ ଆମେ ସମେତ ବହୁ ଇଂରେଜ, ଆମେରିକାନ ଇହୁଦୀ ପରିବାର ତାଙ୍କ ଘରେ ଏକତ୍ର ହୋଇଥିଲେ । ସମସ୍ତଙ୍କ କୌତୁହଳତାର କେନ୍ଦ୍ର ହୋଇପଡ଼ି ଥାଉ ଆମେ । ବିଶେଷତଃ ସ୍ତ୍ରୀଙ୍କର ଭାରତୀୟ ରୀତିରେ ଶାଢ଼ିପିନ୍ଧା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନେ ବେଶି କୌତୁହଳୀ । କେତେପ୍ରକାର ପ୍ରଶ୍ନବାଣରେ ସ୍ତ୍ରୀଙ୍କୁ ଅସ୍ଥିର କରି ପକାଉଥାନ୍ତି । ସେମାନଙ୍କ ପ୍ରଶ୍ନର ଯଥାଯଥ ଉତ୍ତର ଦେବାକୁ ବେଳେ ବେଳେ ସ୍ତ୍ରୀଙ୍କୁ ମୋ ସାହାଯ୍ୟ ଲୋଡ଼ିବାକୁ ପଡ଼ୁଥାଏ । ଭାରତ ବିଷୟରେ, ଭାରତର ସମାଜ, ଧର୍ମ୍ମ, ରୀତିନୀତି ଜାଣିବାକୁ କି ଅଲୌକିକ କୌତୁହଳ ? ସେମାନଙ୍କ କୌତୁହଳତା ଦେଖିଲେ ମନେହେବ ସତେ ଯେମିତି ଆମେରିକାନମାନଙ୍କ ପକ୍ଷରେ ଭାରତ ହେଉଛି ସର୍ବ ପ୍ରଧାନ ଦେଶ, ନ ହେଲେ ସେମାନେ ଭାରତ ବିଷୟରେ ଏତେକଥା ଜାଣିବାପାଇଁ କୌତୁହଳୀ ହୁଅନ୍ତେ କାହିଁକି ? ସ୍ତ୍ରୀଙ୍କର ଶାଢ଼ିପିନ୍ଧାଠାରୁ ଆରମ୍ଭ କରି ବ୍ଲାଉଜ ପିନ୍ଧା, ହାତରେ ଗହଣା ଲଗା, ମୁଣ୍ଡରେ ଖୋସା ପାରିବା, ଖୋସାରେ ନାନାଜାତିର ଗହଣା ଲଗାଇବା, କପାଳର ଓ ମୁଣ୍ଡର ସୁନ୍ଥାରେ ସିନ୍ଦୁର ଲଗାଇବା ପର୍ଯ୍ୟନ୍ତ ସବୁ ବିଷୟରେ ସେମାନଙ୍କର ପ୍ରଶ୍ନ ପରେ ପ୍ରଶ୍ନ । ଚିଡ଼ିଆଖାନାରେ ନୂଆ ଜୀବଟିଏ ଦେଖିଲେ ମଧ୍ୟ କେହି ଏତେପ୍ରକାର ପ୍ରଶ୍ନ ପଚାରିବ ନାହିଁ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୋଜନବେଳେ, ଚା’ପାନବେଳେ ସବୁବେଳେ ସମସ୍ତଙ୍କ ମୁଖରେ ଖାଲି ପ୍ରଶ୍ନ । ସତେ ଯେମିତ ଆମର ଲୁଗାପିନ୍ଧା, ଗହଣାଗାଣ୍ଠି ସେମାନଙ୍କୁ ଭାରି ଅଡ଼ୁଆ ଅଡ଼ୁଆ ଲାଗୁଥାଏ । ପୁଣି କିଏ କିଏ ଥାନ୍ତି, ଏସବୁ ପୋଷାକପତ୍ର ସହିତ ଆମ ଧର୍ମର ସମ୍ପର୍କ ପଚାରିବାକୁ ଭୁଲି ନ ଥାନ୍ତି । ସେଦିନର ଆତିଥ୍ୟରେ ଆମେ ଏତେ ପ୍ରୀତ ହୋଇ ପଡ଼ିଥିଲୁ ଯେ ଲୁଡ଼ର ପରିବାର ସହିତ ଏହି ଉତ୍ସବଟି ଆମକୁ ଏକ ସ୍ନେହବନ୍ଧନରେ ଜଡ଼ିତ କରି ରଖିଥିଲା ।

 

ମିସେସ୍ ଲୁଡ଼ର ସେହିଦିନଠାରୁ ଆମ ପରିବାର ସହିତ ଏମିତିଭାବରେ ସଂପୃକ୍ତ ହୋଇ ପଡ଼ିଲେ ଯେ ପ୍ରତି ସପ୍ତାହରେ ସେ ଆମ ପରିବାରକୁ ନ ଦେଖିଲେ ନ ହୁଏ । ପ୍ରତି ଦୁଇ ତିନି ଦିନରେ ଫୋନରେ ଆମ ହାଲଚାଲ ନ ବୁଝିଲେ ସତେ ଯେମିତ ତାଙ୍କୁ ନିଦ ହୁଏ ନାହିଁ । ଲୁଡ଼ର ଦମ୍ପତି ଯେଉଁ ବଡ଼ ବଡ଼ ସଭା ସମିତିକୁ ଯାଆନ୍ତି, ଆମକୁ ସେ ଖାଲି ସଙ୍ଗରେ ନିଅନ୍ତି, ତା ନୁହେଁ; ଆମେ କେଉଁଠି ବକ୍ତୃତା ଦେବୁ, ଆମେ କେଉଁ ଆଲୋଚନାରେ ଭାଗ ନେବୁଁ, ସେସବୁ ଆଗରୁ ଠିକ୍ କରିଥାନ୍ତି । ପ୍ରତି ମାସରେ ଶନିବାର, ରବିବାର ଦେଖି ଏହିଭଳି ବହୁ ସଭା-ସମିତିକୁ ଡାକନ୍ତି । ଆମେ ଭାରତ ବିଷୟରେ କେତେ ଜାଗାରେ କେତେ ଯେ ବକ୍ତୃତା ଦେଇଛୁଁ, ତା’ର ଇୟତ୍ତା ନାହିଁ । ପ୍ରତି ସଭାସମିତିରେ ସେ ଆମକୁ ସଭାସମିତିର ଅନ୍ୟାନ୍ୟ ଶ୍ରୋତା ଓ ମେମ୍ବରମାନଙ୍କ ସହିତ ପରିଚିତ କରାଇ ଦିଅନ୍ତି । ଖାଲି ସେତିକି ନୁହେଁ, ଆମ ସହରଠାରୁ ଅଳ୍ପ ଦୂରରେ ବଡ଼ ବଡ଼ ସେଓ, ନାସପାତି ବଗିଚାକୁ ନେଇ ଭଲ ଭଲ ସେଓ, ନାସପାତି ଶସ୍ତାରେ କିଣାଇ ଦେବାଠାରୁ, କେଉଁଠି ତଟକା କୁକୁଡ଼ା ମାଂସ, ଅଣ୍ଡା ଆଦି ଶସ୍ତାରେ ମିଳେ, ସେ ସବୁର ଟିକିନିଖି ଖବର ଆମକୁ ଦେଉଥାନ୍ତି । ଗ୍ରୀଷ୍ମ ଋତୁରେ କେତେଥର ତାଙ୍କ ପରିବାର ସହିତ ଆମ ପରିବାର ବଣଭୋଜୀ ଉଦ୍ଦେଶ୍ୟରେ ବହୁ ଦୂର ସ୍ଥାନକୁ ଯାଇଛୁଁ, ସେହି ସୁଯୋଗ ନେଇ ଆମେ କେତେ ନୂଆ ନୂଆ ସହର, ବଜାର, ଯାଦୁଘର ଓ ବିଜ୍ଞାନାଗାର ଆଦି ଦେଖିଛୁଁ । ବଣଭେଜୀଗୁଡ଼ିକୁ ଆମୋଦଜନକ କରିବାପାଇଁ ତାଙ୍କ ପରିବାର ଏତେ ଯତ୍ନ ନିଅନ୍ତି ଯେ କହିହେବ ନାହିଁ । ବଣଭୋଜୀ ପାଇଁ ମଧ୍ୟାହ୍ନ ଭୋଜନ ଆଦିର ଭାର ମିସେସ୍ ଲୁଡ଼ର ହସି ହସି ନିଅନ୍ତି । ସ୍ତ୍ରୀଙ୍କ ଉପରକୁ ଛାଡ଼ିଦେବାପାଇଁ କେବେ ରାଜି ହୁଅନ୍ତି ନାହିଁ । ତାଙ୍କର ସବୁବେଳେ ଧାରଣା ଯେ ତାଙ୍କ ଘରେ ହେଉ ବା ଘର ବାହାରେ ହେଉ, ଆମେ ତାଙ୍କ ପରିବାର ସହିତ ଗଲେ ସବୁବେଳେ ତାଙ୍କର ଅତିଥି । କେତେ ବିଭିନ୍ନ ପ୍ରକାର ଖାଦ୍ୟ ସେ ତିଆରି କରି ନେଇଥାନ୍ତି ଓ ଆମ ସମସ୍ତଙ୍କୁ ଏତେ ଆହ୍ଲାଦରେ ୟା’କୁ ଖାଅ, ତାକୁ ଖାଅ କହି ବିଭିନ୍ନ ଖାଦ୍ୟ ଖୁଆନ୍ତି ଯେ ନିଜର କୌଣସି ଆତ୍ମୀୟ ଲୋକ ବି ଆମକୁ ଏମିତି ଖୁଆଇବାର ଆମର ମନେ ନାହିଁ । ଆମେ ଯେଉଁଦିନ ୱାଲ୍‌ଥାମ ଛାଡ଼ି ଭାରତ ଆସିବା ବାଟରେ ନିଉୟର୍କ ଗଲୁଁ, ସେ ଦିନ ସେ ଦୁଃଖରେ ଏତେ ମ୍ରୀୟମାଣ ହୋଇ ପଡ଼ିଥିଲେ ଯେ ଆମ ବିଦାୟକାଳୀନ ଦୃଶ୍ୟକୁ ଦେଖିବେ ନାହିଁ ବୋଲି ସେହିଦିନ ସକାଳୁ ଆସି ଆମକୁ ଦେଖାକରି ଆମଠାରୁ ବିଦାୟ ନେଇ ଯାଇଥିଲେ । ସେହି ସକାଳର କରୁଣ ଦୃଶ୍ୟ ଓ ତାଙ୍କ ମଳିନ ମୁଖ ଏବେ ବି ସୁଦ୍ଧା ଆମର ମନରେ ନାଚୁଛି ।

 

ମିସେସ୍ ଲୁଡ଼ର ଓ ତାଙ୍କ ପରିବାରର ଏଭଳି ଥରକୁ ଥର ସାହାଯ୍ୟ ପାଇଁ ଆମେ ତାଙ୍କଠାରେ କେତେ କୃତଜ୍ଞ, ତାହା ଭାଷାରେ ବର୍ଣ୍ଣନା କରି ହେବ ନାହିଁ । ହାଡ଼ଫୁଟିରେ ମୁଁ ପଡ଼ିଥିଲାବେଳେ, ଆମେ ଆମର ବହୁ ଆମେରିକାନ ଓ ଭାରତୀୟ ବନ୍ଧୁଙ୍କୁ ଆମ ଘରକୁ ଆସିବାକୁ ବାରଣ କରିଥାଉଁ, କିନ୍ତୁ ମିସେସ୍ ଲୁଡ଼ରଙ୍କୁ ମନା କରିବାକୁ ଶକ୍ତି କାହାର ? ସେ ମୋତେ ଏକାଧିକ ଥର ଦେଖିବାକୁ ଆସିଛନ୍ତି ଓ ପ୍ରତିଥର ଆମ ପରିବାରକୁ ଥରକୁ ଥର ସାନ୍ତ୍ୱନା ଦେଇ ଯାଇଅଛନ୍ତି ।

 

ଯଦିଚ ପନ୍ଦର ଦିନ ପରେ ମୁଁ ଭଲ ହୋଇ ଉଠିଲି, ମୋ ପରେ ପରେ ଛୋଟପୁଅ ବାବୁଲି ରୋଗାକ୍ରାନ୍ତ ହେଲା । ଅବସ୍ଥା ଏଭଳି ହେଲା, ଆମ ଆମେରିକା ଛାଡ଼ିବା ଅସମ୍ଭବ ହୋଇପଡ଼ିଲା । ଆମେ ଅନନ୍ୟୋପାୟ ହୋଇ କୁଇନ୍‌ମେରୀ ଜାହାଜରେ ଆମପାଇଁ ରିଜର୍ଭ ହୋଇଥିବା ସ୍ଥାନ ପ୍ରତ୍ୟାଖାନ କରିବାକୁ ବାଧ୍ୟ ହେଲୁଁ । ଥରେ ପାଣି ଜାହାଜରେ ସ୍ଥାନ ଛାଡ଼ିଲେ ଛମାସ ଭିତରେ ଆଉ ଥରେ ସ୍ଥାନ ପାଇବା ଅସମ୍ଭବ । ପ୍ରତିଦିନ ଏକାଧିକବାର ଅବସ୍ଥା ଜାଣିବା ପାଇଁ ଆମେରିକାନ ଏକ୍‍ସପ୍ରେସ କୋମ୍ପାନୀକୁ ଫୋନ କଲେହେଁ ପ୍ରତିଥର ନାଁ ଛଡ଼ା ହଁ ର ମଧୁର ସ୍ଵର ଶୁଣିବାକୁ ମିଳିଲାନି ।

 

ବୋଷ୍ଟନରୁ ନିଉୟର୍କ ସବୁବେଳେ ଆମପାଇଁ ଫୋନ ଚାଲୁଥାଏ, ବିଭିନ୍ନ କାହାଜ କୋମ୍ପାନୀ ଓ ଆମ ଏଜେଣ୍ଟ ଆମେରିକାନ ଏକ୍‌ସପ୍ରେସ କମ୍ପାନୀ ଭିତରେ । କିନ୍ତୁ ଆସନ୍ତା ଛ’ମାସ ପାଇଁ ଜାହାଜଗୁଡ଼ିକରେ ଏମିତି ଭିଡ଼ ଯେ କେଉଁ ଜାହାଜରେ ସିଟ୍ ମିଳିବାର ଆଶା ନ ଥାଏ । ଅଳ୍ପଦିନ ପରେ ପୁଅ ବାବୁଲି ଭଲ ହୋଇଗଲା । କିନ୍ତୁ ଠିକ୍ ଏହାପରେ ସ୍ତ୍ରୀ ରୋଗରେ ପଡ଼ିଲେ । ଜଣକ ପରେ ଜଣକୁ ଏ ରୋଗ ହେବା ଦେଖି ଆମେ କେବ ଆମେରିକାରୁ ବିଦାୟ ନେବୁଁ ଠିକ୍ କରିବା ଆମ ପକ୍ଷରେ ଅସମ୍ଭବ ହୋଇ ପଡ଼ିଲା । ପାଣି ଜାହାଜରେ ଯିବା ଆଶା ନ ଥିବାରୁ ଉଡ଼ାଜାହାଜରେ ସ୍ଵଦେଶକୁ ଫେରିବା ଠିକ୍ କଲୁଁ । କିନ୍ତୁ ଥରକୁ ଥର ଜଣ ପରେ ଜଣକୁ ହାଡ଼ଫୁଟି ହେଉଥିବାରୁ ଆମ ଛାଡ଼ିବା ଦିନ ଘୁଞ୍ଚି ଘୁଞ୍ଚି ଯାଉଥାଏ, ଠିକ୍ ‘ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି’ ରୀତିର । ଆମ ପରିବାରର ଶେଷ ରୋଗୀ ସ୍ତ୍ରୀ ହୋଇ ଥିବାରୁ ବୈଜ୍ଞାନିକ ନିୟମ ଅନୁଯାୟୀ ସ୍ତ୍ରୀ ସଂକ୍ରମଣ ମୁକ୍ତ ହେବା ପରେ ଆମେ ବୋଷ୍ଟନ ଛାଡ଼ିବା ଠିକ୍ କଲୁଁ ।

 

ଅଗଷ୍ଟ ମାସ ତା୩୦ରିଖ ଦିନ ଉପରଓଳି ଆମେ ବୋଷ୍ଟନ ଛାଡ଼ି ନିଉୟର୍କ ଅଭିମୁଖେ ଯିବାପାଇଁ ଆମ ଟ୍ରାଭଲିଂ ଏଜେଣ୍ଟ ଆମେରିକାନ୍ ଏକ୍‌ସପ୍ରେସ କୋମ୍ପାନୀକୁ ଜଣାଇ ଦେଲୁଁ ଓ ସେହି ଅନୁସାରେ ଉଡ଼ାଜାହାଜରେ ଆମ ପରିବାର ପାଇଁ ସିଟ ରିଜର୍ଭ ପାଇଁ ନିର୍ଦ୍ଦେଶ ଦେଲୁଁ । ଅଗଷ୍ଟ ମାସ ତା୩୦ରିଖ ଠାରୁ ସେପ୍‌ଟେମ୍ବର ମାସ ତା୧୯ ରିଖ ପର୍ଯ୍ୟନ୍ତ ଆମ ପରିବାରର ସମସ୍ତଙ୍କ ପାଇଁ ଜୀବନ ବୀମା, ସ୍ୱାସ୍ଥ୍ୟ ବିମା, ଦୁର୍ଘଟନା ବିମା ଆଦି କରିବାକୁ ପଡ଼ିଲା । ଯେଉଁମାନେ ପିଲାଛୁଆ ନେଇ ହଜାର ହଜାର ମାଇଲ ଉଡ଼ାଜାହାଜରେ ଭ୍ରମଣ କରନ୍ତି ଓ ସହରରୁ ସହର ବୁଲି ଭ୍ରମଣ ଅଭିଜ୍ଞତା ଅର୍ଜ୍ଜନ କରନ୍ତି, ସେମାନଙ୍କ ପକ୍ଷରେ ଏହି ବୀମା କରିବା ଦରକାର । କାରଣ ବାଟରେ ଯଦି କିଛି ବିପଦ ଆପଦ ପଡ଼େ, ତେବେ ବିଦେଶରେ ସାହା ହେବ କିଏ ? ତେଣୁ ଆମେ ପ୍ରତ୍ୟେକଙ୍କ ଜୀବନକୁ ଲକ୍ଷେ ଟଙ୍କା ହିସାବରେ ବୀମା କଲୁ ।

 

ବାଟରେ କାହାର ଦେହ ଖରାପ ହେଲେ କି କିଛି ଦୁର୍ଘଟନା ଘଟିଲେ ଆମ ବୀମା କମ୍ପାନୀ ସେ ସବୁର ତଦ୍‌ବିର କରିବେ । ଆମେରିକାନ୍ ଏକ୍‌ସପ୍ରେସ ମାରଫତ୍‌ରେ ଏସବୁ କରାଗଲା । ବୋଷ୍ଟନରୁ ପୁଣି ସିଧାସଳଖ ଆମେରିକା ଛାଡ଼ିବାରେ ଆହୁରି ଟିକିଏ ଅସୁବିଧା । ବୋଷ୍ଟନରୁ ସିଧାସଳଖ ଇଂଲଣ୍ଡ ଅଭିମୁଖେ ଆସିବାକୁ ଇଚ୍ଛା ଥିଲେ ହେଁ ଆମର ବଶିଷ୍ଟ ଆମେରିକାନ ବନ୍ଧୁ ନିଉ ଜେରସିର ଡୋନର ପରିବାରଙ୍କ ତାଗିଦମିଶା ଅନୁରୋଧକୁ ଅବଜ୍ଞା କରିପାରୁ ନ ଥାଇଁ । ସେମାନଙ୍କ ଅନୁରୋଧ ଆମେ ଆମେରିକା ଛାଡ଼ିବା ପୂର୍ବରୁ ତାଙ୍କ ଘରେ ଅନ୍ତତଃ ପକ୍ଷେ ୪/୫ ଦିନ କଟାଇ ଭାରତ ଅଭିମୁଖେ ଫେରିବୁଁ । ତା’ ଯଦି ଅମେ ନ କରୁଁ ସେମାନଙ୍କ ମନ ବିଶେଷ ଭାବରେ କଷ୍ଟ ହେବବୋଲି ଦିନେ ସନ୍ଧ୍ୟାବେଳେ ଆମକୁ ଟେଲିଫୋନ ଯୋଗେ ସେମାନେ ଜଣାଇ ଦେଲେ । ଅନୁରୋଧ ପୁଣି ମିସେସ ଡୋନରଙ୍କର, ଯା’କୁ କି ଏଡ଼ିବାର ଶକ୍ତି ଆମ କାହାର ନଥିଲା, ତା ଛଡ଼ା ଝିଅର ସାଙ୍ଗ ଲିଜା‌ର ମଧ୍ୟ ଅଳି । ତେଣୁ ଏ ସବୁକୁ କଟାଇ ଅମେରିକା ଛାଡ଼ିବା ପାଇଁ ଆମ କାହାରି ମନ ହେଲାନି । ତେଣୁ ସେହି ଅନୁସାରେ ଯିବା ପ୍ରୋଗ୍ରାମ ବଦଳିଲା । କଥା ହେଲା ଆମେ ବୋଷ୍ଟନ ଉଡ଼ାଜାହାଜ ଘାଟିରୁ ନିଉଜେରସି ରାଜ୍ୟସ୍ଥ ନିଉଆର୍କ ଉଡ଼ାଜାହାଜ ଘାଟିରୁ ଉଡ଼ାଜାହାଜରେ ଯିବୁଁ । ସେଠାରେ ବନ୍ଧୁଙ୍କ ଘରେ ୪/୫ ଦିନ ରହି ନିଉୟର୍କ ନିଉଜେରସି ଆଦି ୪/୫ ଦିନ ବୁଲାବୁଲି କରି ଶେଷରେ ନିଉୟର୍କ ଉଡ଼ାଜାହାଜ ଘାଟିରୁ ଏୟାର ଇଣ୍ଡିଆ ଉଡ଼ାଜାହାଜରେ ଆମେରିକା ଛାଡ଼ି ଲଣ୍ଡନ ଅଭିମୁଖେ ରମାନା ହେବୁ । ବୋଷ୍ଟନ ଛାଡ଼ିବା ତାରିଖ ଧାର୍ଯ୍ୟ ହେଲା ଅଗଷ୍ଟମାସ ୩୦ ତାରିଖ ଶୁକ୍ରବାର । ନିଉୟର୍କ ଛାଡ଼ିବା ତାରିଖ ହେଲା ସେପ୍‌ଟେମ୍ବର ମାସ ୩ ଜାରିଖ ମଙ୍ଗଳବାର । ୩୦ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ କାଳ ଆମ ରହଣି ହେବ ବନ୍ଧୁ ଡୋନରଙ୍କ ଘରେ ନିଉଜେରସି ରାଜ୍ୟରେ । ଆମ ବସାଠାରୁ ଅଢ଼େଇଶହ ମାଇଲ ଦୂରରେ ରହିଲେ ମଧ୍ୟ ଡୋନର ପରିବାର ସହିତ ଆମ ପରିବାରର ଥିଲା କ୍ଷୀରନୀର ସମ୍ବନ୍ଧ ।

 

ଡୋନର ପରିବାରର ଅନୁରୋଧ ସହିତ ସୁଲତାନ ପରିବାରର ଅନୁରୋଧ ଆମକୁ ସିଧାସଳଖ ଆମେରିକା ଛାଡ଼ିବାକୁ ଦେଲାନି । ଆମର ଭାରତ ବାହୁଡ଼ା ପଥରେ ଡୋନର ପରିବାର ତଥା ସୁଲତାନ୍ ପରିବାରରେ ଦିନ କଟାଇବା ପାଇଁ ସ୍ଥିର ହେଲା । ସୁଲତାନ ପରିବାର ହେଉଛି ମିସେସ୍ ଡୋନରଙ୍କ ବାପା ମାଙ୍କ ପରିବାର । ସେମାନେ ନିଉୟର୍କ ସହରକୁ ଲାଗିଥିବା ଜେରସିସିଟିରେ ଅବସ୍ଥାନ କରନ୍ତି । ଭାରତ ଆସି ବା ପୂର୍ବରୁ ସେମାନଙ୍କ ପରିବାର ସହିତ କିଛିଦିନ କଟାଇବା ପାଇଁ ସେମାନଙ୍କର ଭାରି ଜିଦ । ବିଶେଷତଃ ମିମେସ ଡୋନରଙ୍କ ମା ମିସେସ ସୁଲତାନଙ୍କ ସ୍ନେହମିଶା ଅନୁରୋଧକୁ ଏଡ଼ିବା ସମ୍ଭବପର ନୁହେଁ । ଆମେ ଯେତେବେଳେ ସବୁଦିନ ପାଇଁ ଆମେରିକା ଛାଡ଼ୁଛୁଁ ଓ ଆଉଥରେ ଆମେରିକା ଆସିବା ଆମ ପକ୍ଷରେ ସମ୍ଭବପର ହୋଇପାରେ କି ନାହିଁ, ସୁଲତାନ ଓ ଡୋନର ପରିବାରର ନିମନ୍ତ୍ରଣକୁ ଆମେ ସହଜରେ ଏଡ଼ିପାରୁଛୁ ବା କିପରି ? ଆମ ତିନି ପରିବାର ଭିତରେ ଏ ଯେଉଁ ଘନିଷ୍ଠତା, ଆମେ ଯଦି ଭାରତ ଛାଡ଼ିବା ପୂର୍ବରୁ ସେମାନଙ୍କ ଘରେ ଶେଷ ଅତିଥ୍ୟ ଗ୍ରହଣ ନ କରୁ ତେବେ ସେମାନେ ଯେ ଖାଲି ବ୍ୟଥିତ ହେବେ ତା ନୁହେଁ, ଆମ ମନରେ ମଧ୍ୟ କମ୍ ଦୁଃଖ ହେବନି ।

Image

 

ଉଡ଼୍‌ୱାର୍ଡ଼ଙ୍କ ସେମିନାରରେ କେତୋଟି ସନ୍ଧ୍ୟା

 

ଆମେରିକା ଛାଡ଼ିବା ପୂର୍ବରୁ ଯେଉଁ କେତୋଟି ସ୍ମୃତି ମନରେ ଧରି ଭାରତକୁ ଫେରିଲୁଁ, ସେହି ସବୁ ଅମୂଲ୍ୟ ସ୍ମୃତି ଭିତରୁ ‘‘ଉଡ଼୍‌ୱାର୍ଡ଼ଙ୍କ ସେମିନାରରେ କେତୋଟି ସନ୍ଧ୍ୟା’’ ଗୋଟିଏ । ଏହି ସେମିନାରରେ ଯୋଗଦେବା ଭାରତର କାହିଁକି ପୃଥିବୀର ଯେ କୌଣସି ରସାୟନବିତ୍ ପକ୍ଷରେ କମ୍ ଗୌରବର କଥା ନୁହେଁ ।

 

ଜୈବ ରସାୟନବିତ୍ ବିଶେଷତଃ ଜୈବ ସଂଶ୍ଳେଷଣବିତ୍ ଭାବରେ ହାର୍‌ଭାର୍ଡ଼ ବିଶ୍ଵବିଦ୍ୟାଳୟର ‘ଡୋନର’ ବିଜ୍ଞାନ ଅଧ୍ୟାପକ ରବର୍ଟ ବର୍ଣ୍ଣସ୍ ଉଡ଼ୱାର୍ଡ଼ଙ୍କ ପ୍ରସିଦ୍ଧି ସାରା ପୃଥିବୀରେ ଅଦ୍ଵିତୀୟ । ୧୯୧୭ ମସିହାରେ ଆମେରିକାର ସବୁଠାରୁ ପୁରୁଣା ସହର ମାସାଚିଉସେଟସ ରାଜ୍ୟର ରାଜଧାନୀ ବୋଷ୍ଟନ ସହରରେ ବବ୍ [ରବର୍ଟର ଡାକ ନାମ] ଉଡ଼ୱାର୍ଡ଼ଙ୍କ ଜନ୍ମ । ଆମେରିକାର ଏହି ଐତିହାସିକ-ତଥ୍ୟପୂର୍ଣ୍ଣ ନଗରୀରେ ବବ୍ ଜନ୍ମଲାଭ କରି ଆମେରିକାର ପୂରାତନ ଐତିହ୍ୟ ସହିତ ନିଜକୁ ପୂରା ଭାବରେ ମିଶାଇ ଦେବାର ସୌଭାଗ୍ୟ ଲାଭ କରିଥିଲେ । ତୁଳସୀ ଦୁଇପତ୍ରରୁ ବାସେ ଭଳି ପିଲାଟି ଦିନରୁ ବବ୍‌ଙ୍କ ବିରାଟ ମେଧାଶକ୍ତି ଓ ବିଚକ୍ଷଣ ବୁଦ୍ଧିମତାର ଯଥେଷ୍ଟ ପ୍ରମାଣ ମିଳିଥିଲା । ତାଙ୍କର ଶିକ୍ଷକମାନେ ସ୍କୁଲ ଅବସ୍ଥାରେ ଲକ୍ଷ୍ୟ କରିଥିଲେ ଯେ ଏହି ବାଳକ ଦିନେ ସାରା ଯୁକ୍ତରାଷ୍ଟ୍ରର ମୁଖୋଜ୍ଵଳ କରିବ । ବାସ୍ତବିକ ସେଇଆ ହେଲା । ଆମେରିକାର ଶ୍ରେଷ୍ଠତମ ଇନ୍‌ଜିନିଆରିଂ ଅନୁଷ୍ଠାନ ମାସାଚିଉସେଟସ ଇନ୍‌ଷ୍ଟିଚିଉଟ ଅଫ୍‍ ଟେକ୍‌ନୋଲଜି [ସଂକ୍ଷେପରେ ଏମ. ଆଇ. ଟି] ରୁ ଡକ୍ଟରେଟ୍‌ ଉପାଧି ଲାଭ କରି ଉଡ଼ୱାର୍ଡ଼ ଆମେରିକାର ସୁପ୍ରସିଦ୍ଧ ହାରଭାର୍ଡ଼ ବିଶ୍ଵବିଦ୍ୟାଳୟରେ ପ୍ରବେଶ କଲେ ଏବେ ସାଧାରଣ ଇନ୍‌ଷ୍ଟ୍ରକ୍‌ଟର (ଲେକ୍‍ଚରର) ଭାବରେ । ଏହି ଇନ୍‌ଷ୍ଟ୍ରକ୍‌ଟର ପଦବୀରେ ଥିବାବେଳେ ସେ ନିଜ ସହକର୍ମୀ ଡୋଅରିଂଙ୍କ ସହଯୋଗରେ ମେଲେରିଆ ରୋଗର ଯମ କୁଇନାଇନ୍‌କୁ କୃତ୍ରିମ ଉପାୟରେ ସଂଶ୍ଳେଷଣ କରିଥିଲେ । ସେ କଥା ଆଜକୁ ପ୍ରାୟ କୋଡ଼ିଏ ବର୍ଷ ତଳର କଥା । ଦ୍ଵିତୀୟ ମହାସମର ଶେଷ ହୋଇ ନ ଥାଏ । ୧୯୪୪ ମସିହାରେ ସେ ଯେତେବେଳେ ତାଙ୍କ କୁଇନାଇନ୍ ସଂଶ୍ଳେଷଣ ପଦ୍ଧତି ବୈଜ୍ଞାନିକ ପତ୍ରପତ୍ରିକାରେ ପ୍ରକାଶ କରନ୍ତି, ଏହି ସଂଶ୍ଳେଷଣ ନେଇ ସାରା ପୃଥିବୀରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ସେତେବେଳକୁ ବବ୍‌ଙ୍କୁ ମାତ୍ର ସତେଇଶ ବର୍ଷ ବୟସ । ଏତେ ଅଳ୍ପ ବୟସର ଟୋକାଟିଏ ଏଡ଼େ ପ୍ରକାଣ୍ଡ ସଂଶ୍ଳେଷଣ ଯେ ସାଧନ କରିପାରେ, ତାହା ଏହି ଯୁବକ ବୈଜ୍ଞାନିକଙ୍କ ଉଜ୍ଜ୍ଵଳ ଭବିଷ୍ୟତର କମ ପ୍ରମାଣ ଦେଲାନାହିଁ । ଜୈବ ସଂଶ୍ଳେଷଣରେ ପ୍ରସିଦ୍ଧି ଲାଭ କରିଥିବା ଇଂରେଜ ବୈଜ୍ଞାନିକ ରବିନ୍‍ସନ, ସୁଇଜରଲାଣ୍ଡର ବୈଜ୍ଞାନିକ ରୁଜିସ୍କା, ଅଦି ପ୍ରତିଷ୍ଠିତ ବୈଜ୍ଞାନିକମାନେ ଏହି ଯୁବକ ବୈଜ୍ଞାନିକଙ୍କ ଉଜ୍ଜ୍ଵଳ ଭବିଷ୍ୟତ ସମ୍ପର୍କରେ ଟିପ୍‌ପଣୀ ନ ଦେଇ ରହି ପାରିଲେନି ।

 

ଧୀରେ ଧୀରେ ଉଡ଼ୱାର୍ଡ଼ଙ୍କ ଗବେଷଣାଗାରରୁ ଆହୁରି ଜଟିଳ ରାସାୟନିକ ପଦାର୍ଥମାନଙ୍କର ସଂଶ୍ଳେଷଣ ପ୍ରକାଶପାଇଲା । ୧୯୫୧ମସିହାରେ ସର୍ବଜନବିଦିତ ବହୁମୂଲ୍ୟ ପ୍ରାକୃତିକ ଭେଷଜ କର୍ଟିସୋନ, ୧୯୫୫ ମସିହାରେ ପ୍ରକୃତିରେ ପରିଦୃଷ୍ଟ ବଶିଷ୍ଟ, ଉପାକ୍ଷାର (Alkaloid) ଷ୍ଟ୍ରିଚ୍‌ନିନ୍‌, ୧୯୫୮ରେ ଉଦ୍ଭିଦର ସବୁଜ କଣା କ୍ଲୋରୋଫିଲ୍ ୧୯୬୨ ମସିହାରେ ସବୁଠାରୁ ଶକ୍ତିଶାଳୀ ଏଣ୍ଟିବୟୋଟିକସ ଟେଟ୍ରାସାଇକ୍ଳିନ୍‌ର ସଂଶ୍ଳେଷଣ ଜୈବରସାୟନର ଉତ୍ତରୋତ୍ତର ପ୍ରଗତିରେ ଗୋଟିଏ ଗୋଟିଏ ମାଇଲ ଖୁଣ୍ଟି କହିଲେ ଅତ୍ୟୁକ୍ତି ହେବନି ।

 

ସାରା ହାରଭାର୍ଡ଼ ବିଶ୍ଵବିଦ୍ୟାଳୟରେ ବବ୍ ଉଡ଼ୱାର୍ଡ଼ ଯେମିତି ପ୍ରସିଦ୍ଧ ବୈଜ୍ଞାନିକ, ଗବେଷକ ତଥା ଛାତ୍ରମାନଙ୍କଠାରେ ସେମିତ ପ୍ରିୟ ମଧ୍ୟ । ହାରଭାର୍ଡ଼ ବିଶ୍ଵବିଦ୍ୟାଳୟର ରସାୟନ ବିଭାଗ ସାରା ଯୁକ୍ତରାଷ୍ଟ୍ରରେ ପ୍ରସିଦ୍ଧ । ଉଡ଼ୱାର୍ଡ଼ଙ୍କ ବ୍ୟତୀତ ଲୁଇ ଫିଜର, ବାଟଲେଟ୍ ଆଦି ବୈଜ୍ଞାନିକମାନେ ନିଜ ନିଜ ମୌଳିକ ଗବେଷଣା ଫଳରେ ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିଛନ୍ତି । ଏହିସବୁ ରସାୟନବିତ୍‌ଙ୍କ ଯୋଗୁଁ ହାରଭାର୍ଡ଼ ବିଶ୍ଵବିଦ୍ୟାଳୟର ସାନ୍ଧ୍ୟ ସେମିନାର (ଗବେଷଣାତ୍ମକ ଆଲେଚନା) ଅତି ଉଚ୍ଚକୋଟୀର । ହାରଭାର୍ଡ଼ ବିଶ୍ଵବିଦ୍ୟାଳୟର ରସାୟନ ବିଭାଗ ସେମିନାରରେ ଯୋଗ ଦେବାପାଇଁ ଏହା ଚାରିପାଖରେ ଥିବା ଟଫ୍‌ଟ୍‌ ବିଶ୍ଵବିଦ୍ୟାଳୟ, ବୋଷ୍ଟନ୍ ବିଶ୍ଵବିଦ୍ୟାଳୟ, ଏମ:ଆଇ:ଟି:,ନର୍ଥ ଇଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟ, ବୋଷ୍ଟନ୍ କଲେଜ ବ୍ରେଣ୍ଡାଇସ ବିଶ୍ଵବିଦ୍ୟାଳୟର ବହୁ ଗବେଷଣା ଛାତ୍ର ଏଠାରେ ଏକତ୍ରିତ ହୁଅନ୍ତି । ହାରଭାର୍ଡ଼ ଜୈବ ରସାୟନ ସେମିନାର ବ୍ୟତୀତ ଉଡ଼ୱାର୍ଡ଼ ତାଙ୍କ ଛାତ୍ରମାନଙ୍କୁ ନେଇ ଆଉ ଏକ ସେମିନାର କରନ୍ତି ପ୍ରତି ପନ୍ଦର ଦିନରେ ଥରେ । ଏହା ସାଧାରଣତଃ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୁଏ । ପ୍ରତିବର୍ଷ ଅକ୍ଟୋବର ମାସଠାରୁ ଅପ୍ରେଲ ମାସ ପର୍ଯ୍ୟନ୍ତ ଏଇ ସେମିନାର ରାତିମତ ବସେ । ହାରଭାର୍ଡ଼ ସେମିନାରଠାରୁ ଉଡ଼ୱାର୍ଡ଼ଙ୍କ ସେମିନାର ଅତ୍ୟଧିକ ଶିକ୍ଷଣୀୟ ହୁଏ ବୋଲି ଅନେକଙ୍କ ଧାରଣା । ସେଥିପାଇଁ ବହୁ ଗବେଷକ ହାରଭାର୍ଡ଼ ସେମିନାରକୁ ବାଦ ଦେଇ ମଧ୍ୟ ଉଡ଼ୱାର୍ଡ଼ଙ୍କ ସେମିନାରକୁ ବାଦ ଦେଇ ପାରନ୍ତିନି । ଏହି ସେମିନାର ସାଧାରଣତଃ ସନ୍ଧ୍ୟା ଆଠଟାରୁ ବସି ରାତ୍ରି ଗୋଟାଏ ଦୁଇଟା ପର୍ଯ୍ୟନ୍ତ ଚାଲେ । ପ୍ରତ୍ୟେକ ସେମିନାରରେ ଉଡ଼ୱାର୍ଡ଼ ନିଜେ ଉପସ୍ଥିତ ରହନ୍ତି ଓ ସେମିନାରର ଶେଷ ପର୍ଯ୍ୟନ୍ତ ବସିଥାନ୍ତି । ଅନେକ ସମୟରେ ଏମିତି ହୋଇଥାଏ ଯେ ଉଡ଼ୱାର୍ଡ଼ଙ୍କ ବହୁ ଛାତ୍ର ସେମିନାରର ଶେଷ ପର୍ଯ୍ୟନ୍ତ ନରହି ସେମିନାରର ପ୍ରଧାନ ବିଷୟ ଅଲୋଚନା ପରେ ପରେ ଚାଲିଯାଇଥାନ୍ତି, ସେମିନାରର ଅନ୍ୟାନ୍ୟ ଆଲୋଚନା ଶେଷ ପର୍ଯ୍ୟନ୍ତ ଅନେକ ରହନ୍ତିନି । କିନ୍ତୁ ଉଡ଼ୱାର୍ଡ଼ କେବେ ସେମିନାର ଶେଷ ହେବା ପୂର୍ବରୁ ଚାଲି ଯାଇଥିବା ଦେଖାଯାଇନି । ଉଡ଼ୱାର୍ଡ଼ଙ୍କ ସେମିନାରରେ ତାଙ୍କର ଛାତ୍ରମାନେ ପୂର୍ବରୁ ନିର୍ଦ୍ଦିଷ୍ଟ ହୋଇଥିବା ବିଷୟ ଉପରେ ସାଧାରଣତଃ ଆଲୋଚନା ଆରମ୍ଭ କରନ୍ତି । ଉଡ଼ୱାର୍ଡ଼ଙ୍କ ବହୁପୂରାତନ ଓ ପ୍ରାକ୍ତନ ଛାତ୍ର ଏଇ ପ୍ରଧାନ ଆଲୋଚନାରେ ଭାଗ ନିଅନ୍ତି । ପ୍ରଧାନ ଆଲୋଚନା ପରେ ଯେଉଁ ସମାଲୋଚନା ଆରମ୍ଭ ହୁଏ, ସେଥିରେ ନିଜେ ଉଡ଼ୱାର୍ଡ଼ ପ୍ରଧାନ ଅଂଶ ଗ୍ରହଣ କରନ୍ତି । ବେଳେ ବେଳେ ସେ ଏମିତ ସୁନ୍ଦର ସୁନ୍ଦର ଓ ବୃଦ୍ଧି ଉଦ୍ରେକକାରୀ ପ୍ରଶ୍ନ ପଚାରିନ୍ତି ଯେ ତାଙ୍କ ନିଜ ଛାତ୍ର ତଥା ଦର୍ଶକ ଓ ଶ୍ରୋତାମାନଙ୍କ ବୁଦ୍ଧି ବଣା ହୋଇଯାଏ । ବେଳେ ବେଳେ ଆଲୋଚନା ବେଳେ ସେ ଏମିତି ହାସ୍ୟରସାତ୍ମକ କଥା କହନ୍ତି ଯେ ହସି ହସି ପେଟ ଫାଟିଯାଏ । ଆସନ୍ତା ସେମିନାର ପର୍ଯ୍ୟନ୍ତ ଚିନ୍ତା କରିବାପାଇଁ ସେ ଏମିତ ପ୍ରୋବ୍ଲେମ ସେମିନାର ଶେଷରେ ଦିଅନ୍ତି ଯା’କୁ ଭାବୁ ଭାବୁ ଓ ସମାଧାନ ଚିନ୍ତା କରୁ କରୁ ପନ୍ଦର ଦିନ ସହଜରେ କଟିଯାଏ । ଏହି ପନ୍ଦର ଦିନପରେ ସେ ନିଜେ ତାର ଉତ୍ତର ଦିଅନ୍ତି, ସେମିନାରରେ ।

 

ଆମେରିକାରେ ପହଞ୍ଚିବାର ପ୍ରାୟ ୨/୩ ମାସ ପରେ ଉଡ଼ୱାର୍ଡ଼ଙ୍କୁ ମୁଁ ପ୍ରଥମେ ଦେଖେ ବୋଷ୍ଟନ୍‌ସ୍ଥିତ ହାରଭାର୍ଡ଼ ମେଡ଼ିକାଲ ସ୍କୁଲର ଏକ ସେମିନାରରେ । ୧୯୬୧ ମସିହା ଶେଷ ଆଡ଼କୁ ଏହି ସେମିନାର ଅନୁଷ୍ଠତ ହୁଏ । ସେଥିରେ ବକ୍ତୃତା ଦେବା ପାଇଁ ନିମନ୍ତ୍ରିତ ହୋଇ ଇଂଲଣ୍ଡରୁ ଆସିଥାନ୍ତି ବିଖ୍ୟାତ ଜୈବ ରସାୟନବିତ୍ ବାର୍ଟନ୍ । ବକ୍ତୃତା କକ୍ଷରେ ବୋଷ୍ଟନ କେମ୍ବ୍ରିଜର ବଡ଼ ବଡ଼ ବୈଜ୍ଞନିକମାନେ ଏକତ୍ରିତ ହୋଇଥାନ୍ତି । ମୋର କେତେଜଣ ମାର୍କିନ୍ ତଥା ଭାରତୀୟ ବନ୍ଧୁଙ୍କ ସାହାଯ୍ୟରେ ମୁଁ ସର୍ବପ୍ରଥମେ ଚିହ୍ନେ ଉଡ଼ୱାର୍ଡ଼, ଫିଜର, ମିସେସ ଫିଜର, ବାର୍ଟଲେଟ୍ ଆଇଜାକ ଅସିମୋଭ ଆଦି ବୈଜ୍ଞାନିକମାନଙ୍କୁ । ଉଡ଼ୱାର୍ଡ଼ଙ୍କୁ ଆଉ ଥରେ ଦେଖେଁ ହାରଭାର୍ଡ଼ ବିଶ୍ଵବିଦ୍ୟାଳୟର ଏକ ସମ୍ବର୍ଦ୍ଧନା ସଭାରେ । ହାରଭାର୍ଡ଼ ତରଫରୁ ଏକ ସମ୍ବର୍ଦ୍ଧନା ଦିଆଯାଉଥାଏ, କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ବାରକ୍ଳେ କେମ୍ପସର ବିଖ୍ୟାତ ରସାୟନ୍‌ବିତ୍ ମେଲଭିନ୍ କେଲଭିନ୍‍ଙ୍କୁ ୧୯୬୨ ମସିହା ଜାନୁୟାରୀ ମାସରେ, ସେ ୧୯୬୧ ମସିହାର ରସାୟନ ବିଭାଗରେ ନୋବେଲ ପୁରସ୍କାର ପାଇଥିବାରୁ ।

 

ଉଡ଼ୱାର୍ଡ଼ ସେମିନାରରେ ଯୋଗଦେବା ପୂର୍ବରୁ ଉଡ଼ୱାର୍ଡ଼ଙ୍କ ସର୍ବପ୍ରଥମ ବକ୍ତୃତା ଶୁଣିଲୁ ପୋଲାରଏଡ୍ କରପୋରେସନର ବକ୍ତୃତା କକ୍ଷରେ । ନିକଟରେ ପ୍ରକାଶ ପାଇଥିବା ଉଡ଼ୱାର୍ଡ଼ଙ୍କ ଗବେଷଣା ପ୍ରସୂତ ଟେଟ୍ରାସାଇକ୍ଳିନ୍‌ର ସଂଶ୍ଲେଷଣ ଉପରେ ସେ ବକ୍ତୃତା ଦେଉଥାନ୍ତି । ପୋଲାରଏଡ୍ କରପୋରେସନର ବକ୍ତୃତା କକ୍ଷ ହେଉଛି କେମ୍ବ୍ରିଜ ସହରରେ, ହାରଭାର୍ଡ଼ ତଥା ଏମ.ଆଇ.ଟି.ଅନୁଷ୍ଠାନଠାରୁ ଅଳ୍ପ ଦୂରରେ । ଆମ ବିଶ୍ଵବିଦ୍ୟାଳୟରୁ ପୁଅ ଝିଅ ମିଳି ଚାରୋଟି ଗାଡ଼ିରେ ଏକ ବଡ଼ ଦଳ ଯାଇଥାଉଁ ସେଇ ବକ୍ତୃତାକୁ ।

 

ଏକ ଅତି ବିଚକ୍ଷଣ ବକ୍ତା ଓ ଗବେଷକଭାବରେ ଉଡ଼ୱାର୍ଡ଼ଙ୍କ ପରିଚୟ ପାଇଲି ସେ ଦିନ । ଯେଉଁମାନେ ଉଡ଼ୱାର୍ଡ଼କୁ ଚିହ୍ନି ନଥାନ୍ତି, ଉଡ଼ୱାର୍ଡ଼କୁ ଚିହ୍ନିବା ପାଇଁ ଏକ ସହଜ ଉପାୟ ମାର୍କିନ ଛାତ୍ରଙ୍କ ମଧ୍ୟରେ ପ୍ରଚଳିତ । ସେହି ସହଜ ଉପାୟ ହେଉଛି–ଯେଉଁ ବୈଜ୍ଞାନିକ ବ୍ଲାକବୋର୍ଡ଼ରେ ବେନ୍‌ଜିନ୍‌ ଷ୍ଟ୍ରକ୍‌ରେ ସୂଚାଇବା ପାଇଁ ବିନା ସ୍କେଲ ସାହାଯ୍ୟରେ ଏକ ଛଅକୋଣିଆ ସମବାହୁ କ୍ଷେତ୍ର ଅତି ନିର୍ଭୁଲଭାବରେ ଟାଣିପାରନ୍ତି, ସେହି ବୈଜ୍ଞାନିକ ଉଡ଼ୱାର୍ଡ଼ଙ୍କ ଛଡ଼ା ଆଉ କେହି ହୋଇ ନ ପାରେ । ବାସ୍ତବିକ ସେ ସହଜ ଉପାୟଟି ଉଡ଼ୱାର୍ଡ଼ଙ୍କ ପ୍ରତି ଯେ ପ୍ରଯୁଜ୍ୟ ଏହା ମୁଁ ସେଦିନ ଉପଲବ୍‌ଧ କଲି । ମୁଁ ଏତେ ବୈଜ୍ଞାନିକଙ୍କୁ ବ୍ଲାକବୋର୍ଡ଼ରେ ବେନ୍‌ଜିନର ଛଅବାହୁ ବିଶିଷ୍ଟ ଷ୍ଟ୍ରକ୍‌ଚର ଟାଣିବା ଦେଖିଛି, କିନ୍ତୁ କେହି ଉଡ଼ୱାର୍ଡ଼ଙ୍କ ଭଳି ଟାଣିପାରନ୍ତିନି । ଉଡ଼ୱାର୍ଡ଼ ଖାଲିହାତରେ ବେନ୍‍ଜିନ ଷ୍ଟ୍ରକ୍‌ଚର ଟାଣିଦେବେ, ତୁମେ ସ୍କେଲ ନେଇ ମାପ, ଦେଖିବ ଏହାର ଛଅଟିଯାକ ବାହୁ ପରସ୍ପର ସହିତ ସମାନ, ଟିକିଏ ବି କମ୍ ବେଶି ହେବନି । ଛଅଟିଯାକ କୋଣ ମାପ, ଦେଖିବ ପୂରାପୂରି ସମାନ । ବଡ଼ ବଚିତ୍ର, ସେ ବ୍ଲାକବୋର୍ଡ଼ରେ ଚକ୍ ଦିଅନ୍ତି, ଏକା ଥରକେ ଛଅକୋଣିଆ କ୍ଷେତ୍ରଟି ଆଙ୍କି ଦିଅନ୍ତି, ଦେଖିବ ରସାୟନ ବହିର ବେନ୍‌ଜିନ୍ ଚିତ୍ର ଏଡ଼େ ସୁନ୍ଦର ଓ ନିର୍ଭୁଲ ହେବନି । ଏହା ହେଉଛି ବବ୍‌ଙ୍କର ଆଉ ଏକ କୃତୀ । ମୁଁ ଜାଣେନା ଆଉ କୌଣସି ବୈଜ୍ଞାନକଙ୍କ ସେମିତି କୃତୀ ଅଛି କି ନାହିଁ l

 

୧୯୬୨ ମସିହା ଅକ୍ଟୋବର ମାସଠାରୁ ମୁଁ ଉଡ଼ୱାର୍ଡ଼ଙ୍କ ସେମିନାରରେ ଯୋଗଦେଲି । ୧୯୬୧ ମସିହା ଶୀତଋତୁବେଳକୁ ମୁଁ ମୋ ନିଜ କାର୍ ଚଳାଇବା ଶିଖି ନ ଥିବାରୁ ଓ ପିଲାପିଲି ଆମେରିକା ଜଳବାୟୁ ସହିତ ଭଲଭାବରେ ପରିଚିତ ହୋଇ ନ ଥିବାରୁ ଉଡ଼ୱାର୍ଡ଼ଙ୍କ ୧୯୬୧ ମସିହା ସେମିନାରଗୁଡ଼ିକ ଛାଡ଼ିବାକୁ ବାଧ୍ୟ ହେଲି । ପୁଣି ସେତେବେଳେ ଶୀତଦିନ । ଚାରିଆଡ଼େ ବରଫ ପାହାଡ଼ ଭଳି ଗଦା ହୋଇଥାଏ । ସେଥିରେ ରାତି ଆଠଟାଠାରୁ ରାତି ଗୋଟାଏ ଦୁଇଟା ପର୍ଯ୍ୟନ୍ତ ଘର ବାହାରେ ରହିବାକୁ ଭଲ ଲାଗୁ ନ ଥାଏ ।

 

୧୯୬୨ ମସିହାରେ ମୁଁ ଉଡ଼ୱାର୍ଡ଼ଙ୍କର କେତୋଟି ସେମିନାରରେ ଯୋଗଦେଇଛି । ପ୍ରତ୍ୟେକ ମୋ ମନ ଉପରେ ଏକ ବିରାଟ ପ୍ରଭାବ ପକାଇଛି । ରସାୟନ ବିଭାଗରେ ଗବେଷଣା କରୁଥିବା ମୋର ଯଦି କେହି ବନ୍ଧୁ ଆମେରିକାର ଅନ୍ୟ ସହରରୁ ଆମ ସହରକୁ ଅସନ୍ତି, ତେବେ ମୁଁ ସେମାଙ୍କୁ ଅନୁରୋଧ ତଥା ତାଗିଦ୍ କରେ, ‘‘ତୁମେ ବୋଷ୍ଟନ କି କେମ୍ବ୍ରିଜର ଆଉ କିଛି ଦେଖ ବା ନ ଦେଖ, ଉଡ଼ୱାର୍ଡ଼ଙ୍କ ସେମିନାରକୁ ବାଦ୍‌ ଦିଅନି ।”

 

ଉଡ଼ୱାର୍ଡ଼ଙ୍କ ସେମିନାର ସାଧାରଣତଃ ପ୍ରତିଷ୍ଠିତ ହୁଏ ହାରଭଡ଼୍‍ ବିଶ୍ଵବିଦ୍ୟାଳୟ ରସାୟନ ବିଭାଗର ମାଲିନ କ୍ରଡ଼ଟ୍‌ଲେବୋରେ ଟରୀର ତଳମହଲାରେ ଥିବା ଏକ ଛୋଟ ଲେକ୍‌ଚର ଥିଏଟରରେ । ସେ ଲେକ୍‍ଚର ଥିଏଟରର ବଡ଼ ବିଚିତ୍ର ବ୍ଲାକବୋର୍ଡ଼, ସୁଇଚ ଟିପିଲେ ବ୍ଲାକ୍ ବୋଡ଼୍ ଦୁଇଟି ଉପର ତଳ ହୁଏ । ଆମ କଲେଜ ଭଳି ଉପରତଳ ଟାଣିବାକୁ ପଡ଼େନି । ସେମିତି ବ୍ଲାକ୍ ବୋଡ଼ ଆମେରିକାରେ ଖୁବ ଲୋକପ୍ରିୟ ।

 

ଥରେ ଏହି ସେମିନରରେ ଯୋଗଦେଉଥିବାବେଳେ ଗୋଟିଏ ଘଟଣା ଘଟିଥିଲା, ଯାହାକି ଏବେ ବି ସୁଦ୍ଧା ମୋ ମନରୁ ଲିଭିନି । ୧୯୬୨ ମସିହା ଡିସେମ୍ବର ମାସ । ଠିକ୍ ସନ୍ଧ୍ୟା ସାତଟାବେଳେ ଘରୁ ବାହାରିଲି । ଚାରିଆଡ଼େ ବେଶ ତୁଷାରପାତ ହେଉଥାଏ । ମୋ ସହିତ କାର୍‌ରେ ଯିବାପାଇଁ ଆମ ଗବେଷଣାଗାରର ଗବେଷକ ତୁର୍କୀ ଯୁବତୀ କୁମାରୀ ଫର୍ଚ୍ଚୁନା କୋହେନ ଆସିଥାଏ । ତାର ଭାରି ଇଚ୍ଛା, ସେ ବି ଯୋଗଦେବ ସେହି ସେମିନାରରେ । ରାତ୍ରି ଭୋଜନ ଶେଷକରି ଆମେ ବାହାରିଲୁ । ଏହି ଖରାପ ପାଗରେ ମୁଁ ଘରଛାଡ଼ି ସାତ ଆଠମାଇଲ ଦୂର ଏହି ବରଫପାତ ବେଳେ ଯେମିତି ନଯାଏ ସ୍ତ୍ରୀଙ୍କର ସେଇଟା ଇଚ୍ଛା । ଯେତେବେଳେ ଆଉ ଜଣେ ଝିଅ ମୋ ସହିତ ସେମିନାରକୁ ଯିବ ବୋଲି ଆସି ସାରିଲାଣି, ନଗଲେ ସେ ଝିଅଟି କ’ଣ ଭାବିବ ? ବଡ଼ ଅନିଚ୍ଛା ସତ୍ତ୍ୱେ ଫର୍ଚ୍ଚୁନା ଓ ମୁଁ କାର୍‌ରେ ହାରଭାଡ଼୍ ଅଭିମୁଖେ ବାହାରିଲୁଁ । ତଳ ମହଲା ପର୍ଯ୍ୟନ୍ତ ଆସି ସ୍ତ୍ରୀ ଆମ ଦୁହିଁଙ୍କ ବିଦାୟ ହେଲେ ।

 

କହି ଦେଇ ଆସିଥାଏ ଫେରୁ ଫେରୁ ରାତି ଗୋଟାଏ ବା ଦୁଇଟା ହୋଇଯିବ । ଭାରି ଶୀତ ହୋଉଥାଏ । ହାରଭାଡ଼୍ ବିଶ୍ଵବିଦ୍ୟାଳୟକୁ ପଶି ରସାୟନ ବିଭାଗର ପଛପାଖରେ ଥିବା ପାର୍କିଙ୍ଗ ଜାଗାମାନଙ୍କରେ ଗାଡ଼ି ରଖିଦେଇ କେମିତି ରସୟନାଗାର ଭିତରକୁ ପଶିଯିବୁ, ସେଇଥାଏ ଇଚ୍ଛା । ବିଭିନ୍ନ ଗାଡ଼ି ରଖିବାପାଇଁ ଚିହ୍ନଥିବା ଗୋଟିଏ ପାର୍କିଙ୍ଗ ଜାଗାରେ ଗାଡ଼ି ଥୋଇଦେଇ ଗାଡ଼ି ବନ୍ଦକରି ମୁଁ ଆଉ ଫର୍ଚ୍ଚୁନା ପଳାଇ ଆସୁଛୁ, ମୋର ଜଣେ ମାର୍କିନ ବନ୍ଧୁ ମୋତେ ପଛରୁ ଡାକି କହିଲେ—

 

ଡକ୍ଟର ମହାପାତ୍ର, ତୁମେ ଯେଉଁଠି ଗାଡ଼ି ଠିଆକରାଇଛ ସେ ଜାଗା ଉଡ଼୍‌ୱାଡ଼୍‌ଙ୍କ ପାର୍କିଙ୍ଗ ଯାଗା । ସେ ଆସିଲେ କ’ଣ ଭାବିବେ କୁହତ ? ବରଂ ଗାଡ଼ିଟାକୁ ନେଇ ଅନ୍ୟ କାହା ଯାଗାରେ ରଖି ଦିଅ ।

 

ବନ୍ଧୁଙ୍କଠାରୁ ଏହା ଉଡ଼୍‌ୱାର୍ଡ଼ଙ୍କ ପାର୍କିଙ୍ଗ୍‌ ଯାଗା ଶୁଣି ଚମକି ପଡ଼ିଲି । ତରତର ହୋଇ ଗାଡ଼ି ଖୋଲି ଗାଡ଼ି ଭିତରକୁ ପଶି ଗାଡ଼ି ଷ୍ଟାର୍ଟ ଦେଇଛି କି ନାଇଁ, ହଠାତ୍ ଉଡ଼୍‌ୱାର୍ଡ଼ ତାଙ୍କ ଗାଡ଼ିରେ ପହଞ୍ଚିଗଲେ । ମୁଁ ଯେଉଁ ସ୍ଥାନରୁ ଗାଡ଼ି ନେଇ ପାର୍କିଙ୍ଗ କରିବି ବୋଲି ବାହାରୁଛି, ସେଠି ସେ ତାଙ୍କ ଗାଡ଼ି ଠିଆ କରାଇ ଗାଡ଼ିରୁ ବାହାରି ଆସିଲେ । ମୁଁ ଆଉ ଯିବି କ’ଣ, ଲଜ୍ଜାରେ ଗାଡ଼ି ବନ୍ଦ କରି ଗାଡ଼ିରୁ ବାହାରି ଅସିଲି । ବଡ଼ ଲଜ୍ଜା ଲାଗୁଥାଏ, ଏତେ ଯାଗା ପଡ଼ି ଥାଉଁ ଥାଉଁ ମୁଁ ଉଡ଼୍‌ୱାର୍ଡ଼ଙ୍କ ଜାଗାରେ ଗାଡ଼ି ଠିଆ କଲି, କେମିତି ? ନିଜକୁ ମୁଁ ଏତେ ଦୋଷୀ ମଣୁଥାଏ ଯେ ସେଦିନ ସେମିନାରକୁ ମୁଁ ବିଶେଷ ଭାବରେ ଉପଭୋଗ କରିପାରିଲିନି । ରାତି ଦୁଇଟାବେଳେ କୁମାରୀ ଫର୍ଚ୍ଚୁନାକୁ ତା’ ବସାରେ ଛାଡ଼ି ଘରକୁ ଆସିଲା ପର୍ଯ୍ୟନ୍ତ ମୋ ମନରୁ ସେହି ଦୋଷୀଭାବ ପୂରାପୂରି ଉଭେଇ ନଥାଏ ।

 

ଏହାଛଡ଼ା ଉଡ଼ୱାର୍ଡ଼ଙ୍କ ସେମିନାରରେ ଆଉ ବହୁବାର ଯୋଗ ଦେଇଛି । ଆଉକେବେ ଏମିତି ଭୁଲ ହୋଇନି ।

 

ଆମେରିକାରେ ଥିଲାବେଳେ ମୁଁ ବହୁ ନୋବେଲ ପୁରସ୍କାର ବଜେତାଙ୍କୁ ଦେଖିଛି । ମୋ ରହଣୀକାଳ ଭିତରେ ଉଡ଼ୱାର୍ଡ଼ ନୋବେଲ ପୁରସ୍କାର ପାଇ ନ ଥିଲେହେଁ, ସେ ମୋ ମନ ଉପରେ ଯେଉଁ ପ୍ରଭାବ ପକାଇଥିଲେ, ସେମିତି ଆଉ କେହି ପକାଇ ପାରି ନ ଥିଲେ । ମୁଁ ସେତେବେଳେ କହୁଥିଲି ଯେ ଏହି ବିଚକ୍ଷଣ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବା ଆଉ ବେଣି ଡେରି ନୁହେଁ । ସତକୁ ସତ ବର୍ଷ ସେଇଆ ହେଲା । ସେ ନୋବେଲ ପୁରସ୍କାର ପାଇଲେ । ରବର୍ଟ ବର୍ଣ୍ଣସ ଉଡ଼ୱାର୍ଡ଼ ଜୈବ ସଂଶ୍ଳେଷଣ ଜଗତର ଖାଲି ଏକ ଉଜ୍ଜ୍ୱଳ ତାରକା ନୁହଁନ୍ତି, ସାରା ମାର୍କିନ୍ ଜାତିର ଏକ ବିରାଟ ଗୌରବ ।

Image

 

Unknown

ବିଦାୟର ଶେଷ ପର୍ବ

 

ଆମେରିକାରୁ ଆମ ବିଦାୟ ନେବା ତାରିଖ ଯେତେ ପାଖେଇ ଆସୁଥାଏ, ଅମ ସାଙ୍ଗ ସାଥି, ସାଇ ପଡ଼ିଶା ସମସ୍ତଙ୍କ ମନରେ ଆଶୁ ବିଚ୍ଛେଦର ସମ୍ଭାବନାରେ ସରାଗ କି ସୁଖ ସେତିକି କମି କମି ଯାଉଥାଏ । ସେତେବେଳକୁ ଆମ ପରିବାରର ସମସ୍ତେ ଭଳ ହୋଇ ଗଲେଣି । ତେଣୁ ସମସ୍ତଙ୍କ ଘରକୁ ଯାଇ ସେମାନଙ୍କଠାରୁ ବିଦାୟ ନେବା କଥା । ବହୁ ଆମେରିକାନ୍ ବନ୍ଧୁଙ୍କ ଘରୁ ବିଦାୟ ନିମନ୍ତ୍ରଣ ଆସିଲା । ତେଣୁ ଗୋଟିକ ପରେ ଗୋଟିଏ ନିମନ୍ତ୍ରଣ ରକ୍ଷା କରିବା ଠିକ୍ କଲୁ । ଆମେ ସବୁଦିନ ପାଇଁ ଅମେରିକାରୁ ଚାଲି ଆସୁଥିବାରୁ ଆମକୁ ମନେ ରଖିବା ପାଇଁ ସେମାନଙ୍କୁ କେତେଗୁଡ଼ିଏ ବିଦାୟକାଳିନ ଉପହାର ଦେବା କଥା । କଟକରୁ କେତେକ ବନ୍ଧୁଙ୍କୁ ଲେଖି କେତେ ଗୁଡ଼ିଏ ରୂପା ତାରକସୀ କାମ, ଶିଙ୍ଗ ହାତକାମ, କୁମ୍ଭ ବିଛଣା ଚଦର ଆଦି ମଗାଇ ନେଇଥାଉ । ତେଣୁ ଆମ ପରିବାରର ବିଶିଷ୍ଟ ବନ୍ଧୁ ମିଷ୍ଟର ମିସେସ୍ ଟାରଲିନ୍, ମିଷ୍ଟର ମିସେସ୍ ଲୁଡର୍, ମିଷ୍ଟର ମିସେସ୍ ଲିଉଇସ୍, ମିଷ୍ଟର ମିସେସ୍ ଲଣ୍ଡ୍ରି, ମିଷ୍ଟର, ମିସେସ୍ ରାଣ୍ଡେଲ, ମିସେସ୍ କନ୍ ହୋଲ୍, ପୃଥିବୀର ବିଶିଷ୍ଟ ବୈଜ୍ଞାନିକ ଔପନ୍ୟାସିକ ଡକ୍ଟର ଅସିମୋଭ ଓ ଆହୁରି କେତେକ ସ୍ଥାନୀୟ ବନ୍ଧୁଙ୍କୁ ଉପହାର ଦେବାପାଇଁ ଠିକ୍ କରିଥାଉଁ । ଉପହାର ଦେଲାବେଳେ ସମସ୍ତଙ୍କର ନିମନ୍ତ୍ରଣ, ଆମେ ଯେମିତି ଯିବା ପୂର୍ବରୁ ସେମାନଙ୍କ ଘରେ ଆତିଥ୍ୟ ଗ୍ରହଣ କରୁଁ ।

 

ଝିଅର ସାଙ୍ଗ ଆମ ସାଙ୍ଗଠାରୁ ଢେର ଅଧିକ । ସ୍କୁଲ ଗ୍ରୀଷ୍ମାବକାଶ ପାଇଁ ଛୁଟି ହେବା ପୂର୍ବରୁ ଝିଅ ଯେତେବଳେ କ୍ଲାସରେ ପ୍ରକାଶ କଲା ଯେ ଆମ ସମସ୍ତଙ୍କର ଆମେରିକା ଛାଡ଼ି ଭାରତ ଚାଲିଯିବା କଥା, ସେତେବେଳେ ତାଙ୍କ କ୍ଲାସ ଓ ସ୍କୁଲରେ ଏହା ଏକ ତାର ବାର୍ତ୍ତା ଭଳି ଖେଳିଗଲା । ସ୍କୁଲ ଛୁଟି ପରଠାରୁ ତା ସାଥିମାନେ ଆମ ଘରକୁ ଧାଡ଼ି ଲଗିଲେ ଝିଅଠାରୁ ବିଦାୟ ନେବା ପାଇଁ । ସମସ୍ତଙ୍କର ଏକାନ୍ତ ଅନୁରୋଧ ଭାରତ ଗଲେ ଆମକୁ ଯେମିତି ନ ଭୁଲ । ସପ୍ତାହରେ ସେମାନେ ଖଣ୍ଡିଏ ଖଣ୍ଡିଏ ଯେମିତି ଚିଠି ପାଆନ୍ତି, ସେଥିପାଇଁ ଏକାନ୍ତ ଅନୁରୋଧ । ଆମେ ଭାରତରେ ପହଞ୍ଚିଲାବେଳକୁ ସେମାନେ ଯେ କେତେ ଚିଠି ଦେଇଥିବେ, ତାର କଳନା ନାହିଁ ବୋଲି କହିଥାନ୍ତି । ଆମେ ୱାଲଥାମ୍ ଛାଡ଼ିବା ପର୍ଯ୍ୟନ୍ତ ଝିଅମାନେ ପ୍ରତିଦିନ ଆମ ଘରକୁ ଆସୁଥାନ୍ତି । ସବୁବେଳେ ସେମାନଙ୍କର ସ୍ନେହ ଅନୁରୋଧ ସେମାନଙ୍କୁ ଯେମିତ ନ ଭୁଲୁଁ । ସେମାନଙ୍କ ଭିତରୁ କେତେକ ଝିଅ ଟୁନୁକୁ ବିଦାୟକାଳୀନ ଭୋଜନ ପାଇଁ ସେମାନଙ୍କ ଘରକୁ ନିମନ୍ତ୍ରଣ କଲେ ।

 

ୱାଲାଥାମରୁ ବିଦାୟ ନେବା ଶେଷଦିନ ପର୍ଯ୍ୟନ୍ତ ଏହି ବିଦାୟ କାଳୀନ ଆତିଥ୍ୟ ଗ୍ରହଣ କରିବାକୁ ପଡ଼ୁଥାଏ । ଅଳ୍ପ କେତୋଟି ଦିନ ଭିତରେ ଆମକୁ ଏତେ ଆତିଥ୍ୟ ସ୍ଵିକାର କରିବାକୁ ପଡ଼ିଲା ଯେ ଆମେ ଅତିଥି ସତ୍କାରକ ହୋଇ ସେମାନଙ୍କ ଭିତରୁ ଅନେକଙ୍କୁ ଅତିଥି ଭାବରେ ପାଇବାର ସୁବିଧା ପାଇଲୁନି । ଆମେତ କାହା ଘରେ ଅତିଥି, ଆମ ଘରକୁ ଅତିଥି କରି ଆମେ କାହାକୁ ନିମନ୍ତ୍ରଣ କରି ପାରୁଛୁଁ ? ଆମେ ୱାଲଥାମ୍‌ରୁ ବିଦାୟ ନେଲାବେଳ ବିଦାୟ କାଳୀନ ଅତିଥି ସତ୍କାରତାକୁ ଯେମିତି ଭାବରେ କରିବୁଁ ବୋଲି ଠିକ୍ କରିଥିଲୁଁ, ଆମ ଘରେ ସେହି ଅଦିନିଆ ଝଡ଼ର ଆବିର୍ଭାବ ହେତୁ ଆମର ସବୁ ପ୍ରୋଗ୍ରାମ ଓଲଟ ପାଲଟ ହୋଇଗଲା । ଏତେ ଅଳ୍ପ ସମୟ ଭିତରେ ଆମେ ସେମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସହିତ ଆମ ଘରେ ବସି ବିଦାୟ କାଳୀନ ଭୋଜନ କରିବା ସମ୍ଭବ ହେଲା ନାହିଁ । ଯା କିଛି ଆମେ ଯାଇଁ ସେମାନଙ୍କ ଘରେ ଖାଇ ଏହି ପର୍ବଟିକୁ ଏକ ପାଖିଆ ଭାବରେ ସମାପ୍ତ କଲୁଁ । ଦିନେ ଦିନେ କରି ଆମର ସବୁ ଆମେରିକାନ୍‌ ବନ୍ଧୁଙ୍କ ଘରକୁ ଯିବାକୁ ପଡ଼ିଲା । ଆମେ ସେମାନଙ୍କଠାରୁ ଏଥି ପୂର୍ବରୁ ଉପହାରମାନ ପଠାଇ ଦେଇ ଥାଉଁ । ସେମାନେ ମଧ୍ୟ ଏହି ସମୟରେ ଆମକୁ ଓ ପିଲାମାନଙ୍କୁ ନାନା ଉପହାର ଦେଲେ । ଅବସ୍ଥା ଏମିତ ହେଲା ଯେ ଶେଷ ଆଡ଼କୁ ଯେଉଁ ସବୁ ଉପହାର ପାଇଲୁ ଆମ ଜିନିଷ ପତ୍ର ସବୁ ପଠାହୋଇ ସାରିଥିବାରୁ ଓ ଆମେ ଉଡ଼ାଜାହାଜରେ ଆସୁଥିବାରୁ ସେଗୁଡ଼ିକ ଆଣି ନପାରି ସେମାନଙ୍କ ମଧ୍ୟରେ ବାଣ୍ଟିଦେବା ଛଡ଼ା ଅନ୍ୟ ଉପାୟ ପାଇଲୁନି । ଏମିତି ଭାବରେ ଆମେ କେତେ ଭଲ ଭଲ ଉପହାର ଯେ ବାଣ୍ଟିଦେଲୁ ତାର କଳନା ନାହିଁ । ଆମେରିକାନ ବନ୍ଧୁଙ୍କ ବ୍ୟତୀତ ଭାରତୀୟ ବନ୍ଧୁଙ୍କ ଆମନ୍ତ୍ରଣ ମଧ୍ୟ କମ୍ ନୁହେଁ । ସେମାନଙ୍କ ଭିତରୁ ଅନେକେ ଆମେରିକାରେ ଘର ଦ୍ଵାର କରି ରହିଗଲେଣି । ସେମାନଙ୍କ ନିମନ୍ତ୍ରଣ ରକ୍ଷା ନକଲେ ନଚଳେ । ୱାଲଥାମ ଛାଡ଼ିବା ଆଠ ଦଶଦିନ ଆଗରୁ ଆମେ ଏତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲୁ ଯେ କହିଲେ ସରିବ ନାହିଁ । ତା ଭିତରେ ପୁଣି ସ୍ତ୍ରୀଙ୍କର ଓ ପିଲାମାନଙ୍କର ଫରମାସ, ଆମେ ଆମେରିକା ଛାଡ଼ି ଚାଲି ଯାଉଥିବାରୁ ଆଉ ତ କେବେ ସିନେମା ଦେଖି ପାରିବୁ ନାହିଁ । ତେଣୁ ଶେଷ ସିନେମା ଦେଖା ଯାଉ । ତା ଛଡ଼ା ଝିଅ ଯେତେବେଳେ ହାଡ଼ ଫୁଟିରେ ପଡ଼ିଥିଲା, ସେତେବେଳେ ବୋଷ୍ଟନରେ ରିଲିଜ ହେଲା ଯୁଗାନ୍ତକାରୀ ଚଳଚିତ୍ର କ୍ଲିଓପାଟ୍ରା । କ୍ଲିଓପାଟ୍ରା ଭଳି ଫିଲ୍ମ ପୃଥିବୀର ଇତିହାସରେ ବିରଳ । ଏତେ ବ୍ୟୟ ସାପେକ୍ଷ ଫିଲ୍ମ ଫିଲ୍ମ ଇତିହାସରେ କେବେ ଏଥିପୂର୍ବରୁ ତିଆର ହୋଇ ନ ଥିଲା । ଏଲିଜାବେଥ୍‌ ଟେଲର୍, ବର୍ଟନ ଆଦିଙ୍କର ଅଭିନୟ ଏତେ ଉଚ୍ଚକୋଟୀର ହୋଇଥାଏ ଯେ ଆମେ ଠିକ୍ କରିଥାଉଁ ବୋଷ୍ଟନରେ ରିଲିଜ୍ ହେଲେ ଆମେ ସମସ୍ତେ ନିଶ୍ଚୟ ଦେଖିବୁ । କିନ୍ତୁ ଏମିତ ବେଳରେ ରିଲିଜ ହେଲା ଯେତେବେଳେ ଘରେ ଝିଅ ବେମାର, କିଛି ଦିନ ଭିତରେ ମୁଁ ପୁଣି ବେମାର ପଡ଼ିବି କି କଣ ଠିକ୍ ନାହିଁ, ତେଣୁ ମନେ ହେଲା ଆଉ ବୋଧେ ଏ ଚଳଚିତ୍ର ଦେଖା ହୋଇ ପାରିବ ନାହିଁ । ଏହି ଭୟରେ ମୁଁ ଦିନେ ଏକୁଟିଆ ଯାଇ କ୍ଲିଓପାଟ୍ରା ଦେଖି ଆସିଲି । ବଡ଼ ଅଦ୍ଭୁତ ସେ ଫିଲ୍ମଟି । ଏଲିଜାବେଥ୍‌ ଟେଲର୍‌ଙ୍କ ଅଭିନୟ, ଫିଲ୍ମର ଉଚ୍ଚକୋଟୀର ଫଟୋଗ୍ରାଫି, ମନମତାଣିଆ ଗୀତ ଓ ନାଚ ଫିଲ୍ମଟିକୁ ଏତେ ଲୋକ ପ୍ରିୟ କରିଥାଏ, କ୍ଲିଓପାଟ୍ରା ଫିଲ୍ମ ନା ଶୁଣିଲାକ୍ଷଣି ମାର୍କିନ ଲୋକେ ପାଗଳ ହୋଇ ଉଠୁଥାନ୍ତି । ଶୁଭ କି ଅଶୁଭ ମୁହୂର୍ତ୍ତରେ ଫିଲ୍ମଟି ଆରମ୍ଭ ହୋଇଥିଲା କେଜାଣି ଏହି ଫିଲ୍ମ, ଶେଷହେଲାବେଳକୁ କେତେ ଲୋକଙ୍କର ଭାଗ୍ୟରେ ବିରାଟ ପରିବର୍ତ୍ତନ ଟାଣି ହୋଇ ଯାଇଥାଏ । ଏହି ଫିଲ୍ମର ନିର୍ମାତା ପୃଥିବୀର ବୃହତ୍ତମ ଚଳଚିତ୍ର କମ୍ପାନୀ ଟୁଏନ୍‌ଟିଏଥ୍ ସେନଚୁରୀ ଫକ୍‌ସ’ର ଚେୟାରମେନ୍ ଏହି ଫିଲ୍ମରେ ଏତେ ଗୁଡ଼ିଏ ଅର୍ଥବ୍ୟୟ କରିଥିଲେ ବୋଲି ଚେୟାରମେନ୍ ପଦରୁ ତଡ଼ା ଖାଇ ତାଙ୍କ ଜାଗାରେ ତାଙ୍କ ସହକାରୀ ଚେୟାର-ମେନ୍‌ ହେଲେ । ଏଲିଜାବେଥ୍ ଟେଲର୍‌ ତାଙ୍କ ସ୍ଵାମୀଙ୍କୁ ଛାଡ଼ପତ୍ର ଦେଇ ଏଣ୍ଟୋନି ଭୂମିକାରେ ଅଭିନୟ କରୁଥିବା ବର୍ଟନ୍‌ଙ୍କ ପ୍ରେମରେ ପଡ଼ିଲେ ଓ ବର୍ଟନ ତାଙ୍କ ସ୍ତ୍ରୀକୁ ପରିତ୍ୟାଗ କରି ଲିଜ୍ ଟେଲର୍‌ଙ୍କ ପାଣି ଗ୍ରହଣ କଲେ । ଚଳଚିତ୍ରର ପ୍ରେମ ସୂଚକ ଅଭିନୟ ଯେ ଜୀବନର ପ୍ରକୃତ ଅଭିନୟ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇପାରେ ଏହା ତାହାର ହେଲା ଏକ ଜ୍ଵଳନ୍ତ ନମୂନା । ଚାରିଘଣ୍ଟା ବ୍ୟାପୀ ଏହି ଚଳଚିତ୍ରରେ ସିଜର ଓ କ୍ଲିଓପାଟ୍ରାଙ୍କ ପ୍ରେମ ଓ ସିଜରଙ୍କ ହତ୍ୟାପରେ ଏଣ୍ଟୋନି ଓ କ୍ଲିଓପାଟ୍ରାଙ୍କ ପ୍ରେମ ମୂଳକ ଅଭିନୟ ଦେଖିଲେ ଏଲିଜାବେଥ୍‌ଙ୍କ ଅଭିନୟ କୁଶଳତାକୁ ପ୍ରଶଂସା ନ କରି ରହି ହେବନି । ଆମ ଦେଶରେ ଫିଲ୍ମ ଗୁଡ଼ିକ ୩୫ ମିଲିମିଟର ଓସାର ଫିଲ୍ମ ଉପରେ ତିଆରି ହେଉଥିଲାବେଳେ ଏହି ଫିଲ୍ମ ସତୁରୀ ମିଲିମିଟର ଫିଲ୍ମ ଉପରେ ତିଆରି ହୋଇଥାଏ । ଫିଲ୍ମ ଜଗତରେ ସିନେମେସିଏକପ୍ ଭଳି ଏହା ଏକ ନୂତନ ପଦକ୍ଷେପ । ତେଣୁ ଏହି ସବୁ ଦୃଷ୍ଟିରୁ ଆଲୋଚନା କରି ଏହି ଫିଲ୍ମଟି ନ ଦେଖି ମୁଁ ରହି ପାରିଲି ନାହିଁ ।

 

ଆମ ପରିବାରରେ ସମସ୍ତ ଭଲ ହେଲା ପରେ କଥା ଉଠିଲା ଆମେରିକା ଛାଡ଼ିବା ପୂର୍ବରୁ ସେମାନେ କ୍ଲିଓପାଟ୍ରାଙ୍କ ଫିଲ୍ମ ନ ଦେଖି ଯିବେନି । ତେଣେ ବୋଷ୍ଟନ୍‌ର ସିନେମା ନ ଦେଖିଲେ ନ ହୁଏ । ଆମ ହାତରେ ଏତେ କମ୍ ସମୟ ଓ ବିଭିନ୍ନ ମାର୍କିନ ବନ୍ଧୁଙ୍କ ଘରେ ଏତେ ଆତିଥ୍ୟ ସ୍ଵୀକାର କରିବାର ଏତେ ନିର୍ବନ୍ଧ ଥାଏ ଯେ ଆମେ ଗୋଟିଏ ଦିନରୁ ଅଧିକ ଏହି ଫିଲ୍ମ ଦେଖା ପାଇଁ ଦେଇପାରୁ ନଥାଉ । ତେଣୁ କଥାହେଲା କ୍ଲିଓପାଟ୍ରା ଓ ସିନେରାମା ଭିତରୁ ଗୋଟିଏ ଦେଖିବାକୁ ହେବ, କିନ୍ତୁ କାହାକୁ ଦେଖିବା ସେହି ହେଲା କଥା । କ୍ଲିଓପାଟ୍ରା ଭବିଷ୍ୟତରେ ଆମ ଦେଶକୁ ଯାଇପାରେ । କିନ୍ତୁ ସିନେରାମା ତ ଆମ ଦେଶକୁ ଯିବନି, ତେଣୁ ଏହାକୁ ଦେଖିବାହିଁ ସ୍ଥିରହେଲା । ତା ଛଡ଼ା ବୋଷ୍ଟନର ସିନେରାମା ହାଉସରେ ‘How west was won’ ନାମକ ଏକ ଚମତ୍କାର ଫିଲ୍ମ ପଡ଼ିଥାଏ । ତେଣୁ ଆମେରିକା ଛାଡ଼ିବା ପୂର୍ବରୁ ଆମର ଏହି ସିନେରାମା ଦେଖିବାର ପ୍ରୋଗ୍ରାମଟିହିଁ ରହିଲା । କାରଣ ଏହି ହେବ ଆମ ଶେଷ ସିନେରମା ଦର୍ଶନ । ଭାରତକୁ ଗଲେ ଆଉ ସିନେରାମା ଦର୍ଶନ ଜୀବନରେ ଘଟିବ ନାହିଁ । କାରଣ ଭାରତରେ ସିନେରାମା ହାଉସ ନାହିଁ । ତେଣୁ ସେହି ଦିନଟିକୁ ଅପେକ୍ଷା କରି ରହିଲୁଁ ।

 

ସିନେରାମା ଦର୍ଶନ

 

ୱାଲଥାମ୍ ଛାଡ଼ିବାର ଶେଷ ଶନିବାର ‘ମାଟିନ୍ ସୋ’ ରେ ବୋଷ୍ଟନ ସିନେରାମା ଦେଖିବା ପାଇଁ ପ୍ରୋଗ୍ରାମ କଲୁ । ସେହିଦିନ ସନ୍ଧ୍ୟାବେଳେ ଜନୈକ ମାର୍କିନ ବନ୍ଧୁଙ୍କ ଘରେ ନିମନ୍ତ୍ରଣ ଥାଏ । ଫୋନରେ ଆମ ସିନେରାମା ଯିବା କଥା ଜଣାଇ ତାଙ୍କ ଘରକୁ ଯିବାରେ କିଛି ବିଳମ୍ବ ହେଲେ ମନେ କରିବେନି ବୋଲି ଅନୁରୋଧ ଜଣାଇ ଦିନ ୧୦ଟା ବେଳେ ଆମେ ବୋଷ୍ଟନ ଅଭିମୁଖେ ବାହାରି ପଡ଼ିଲୁ । କାରଣ ସାହେବମାନଙ୍କ ଘରେ ସମୟାନୁବର୍ତ୍ତିତା ଗୋଟିଏ ବଡ଼ କଥା-। ସେମାନେ ଯେଉଁ ସମୟକୁ ନିମନ୍ତ୍ରଣ କରିଥିବେ, ଯଦି ଟିକିଏ ଡେରି ହୋଇଗଲା ସେମାନେ କିଛି କହିବେନି ସତ, କିନ୍ତୁ ମନେ ମନେ ଅପମାନିତ ମନେ କରିବେ ଓ ସେମାନଙ୍କ ମନରେ ସରାଗତା ସେତେ ରହିବ ନାହିଁ । ତେଣୁ ମାର୍କିନ ପରିବାରରେ ସମୟାନୁବର୍ତ୍ତିତା ଗୋଟିଏ ବଡ଼ କଥା-। ତାକୁ ଭାଙ୍ଗିଲେ ସେମାନେ ଟିକିଏ ଖରାପ ଧାରଣା କରନ୍ତି । ଆମର ଅମେରିକା ରହଣୀ ଭିତରେ ଯଦି କିଛି ଗୋଟିଏ ଗୁଣ ଆମ ପରିବାର ହାସଲ କରିପାରିଥାଏ, ତେବେ ତାହା ହେଉଛି ସମୟାନୁବର୍ତ୍ତିତା । କୌଣସି କାରଣ ବଶତଃ ଯଦି ଅତିଥି ସତ୍କାରକଙ୍କ ଘରକୁ ଆସିବାରେ ଡେରି ହେବ ବୋଲି ଜାଣି ପାରିଛ, ତେବେ ଆଗତୁରା ଖବର ପଠାଇ ଦେଲେ କିଛି କ୍ଷତି ନାହିଁ । କେତେ ସମୟ ଡେରି ହେବ, ଠିକ୍ କେତେବେଳେ ପହଞ୍ଚିବ, ଜଣାଇ ଦେଲେ ସେମାନେ କିଛି ଭାବନ୍ତି ନାହିଁ-। ତୁମେ କିଛି ଜଣାଇବ ନାହିଁ, ଅଥଚ ଏଣେ ଡେରି କରି ମନ ଇଚ୍ଛାରେ ଯାଇ ପହଞ୍ଚିବ, ଏ ଦୋଷ ମାର୍ଜ୍ଜନୀୟ ନୁହେଁ ।

 

ଅମେରିକା ପରିବାରରେ ଆଉ ଗୋଟିଏ ନୂଆ କଥା ଶିଖିଲୁଁ ଯେ, ସେମାନେ କାହା ଘରକୁ ବୁଲିଗଲେ, ଆଗତୁରା ଖବର ନ ଦେଇ ଯାଆନ୍ତି ନାହିଁ । ମନେକର ସେମାନେ ତୁମ ଘରକୁ ବୁଲି ଆସିବେ, ଆଗେ ଫୋନରେ ପଚାରିବେ ତୁମେ ଅମୁକ ଦିନ ଏତେଟାବେଳେ କାର୍ଯ୍ୟମୁକ୍ତ ଅଛ କି ନାହିଁ । ସେମାନେ ତୁମ ଘରକୁ ବୁଲି ଆସିବେ, ତୁମର କିଛି ଅସୁବିଧା ହେବ କି ନାହିଁ, ଇତ୍ୟାଦି ବୁଝି ଠିକ୍ ଟାଇମ୍ ଦେଇଥିବା ସମୟକୁ ଆସି ପହଞ୍ଚିଯିବେ । ଆମ ଦେଶରେ ଯେମିତ ନ କହି ନ ବୁଝି ହଠାତ୍ ଦିନେ ତୁମ ଦୁଆରେ ତୁମ ବନ୍ଧୁ ବାନ୍ଧବ ଆସି ହାଜର, ସେମିତି ଆମେରିକାରେ ଦେଖିବନି । ତୁମେ ଯଦି କୌଣସି ଆମେରିକାନ୍ ପରିବାରକୁ ନ କହି ହଠାତ୍ ତା ଦୁଆରେ ପହଞ୍ଚିଗଲ, ତେବେ ସେମାନେ ଖରାପ ଭାବିବେ । ଅବଶ୍ୟ ଏଇ କଥାଟା ଘର ପାଖ ସାଇପଡ଼ିଶା ପାଇଁ ଅନେକ ସମୟରେ ପ୍ରାଯୁଜ୍ୟ ନୁହେଁ । ପାଖ ସାଇପଡ଼ିଶା ଘରକୁ ବୁଲାବୁଲି ପାଇଁ ଯିବା ଆସିବାରେ ସେମିତ ନିୟମ, କଟକଣା ନାହିଁ । ଏ ପୁଣି ଏମିତି ସେମାନଙ୍କର ଅସ୍ଥି ମଜ୍ଜାଗତ ହୋଇ ଗଲାଣି ଯେ ପୁଅ ଯଦି ବାପ ଘରକୁ ବୁଲିଯିବ, କି ବାପ ଯଦି ପୁଅଘରକୁ ଆସିବ, ମା ଯଦି ଝିଅଜୋଇଁ ଘରକୁ ଆସିବ, କି ଝିଅ ମା ଘରକୁ ଯିବ, ତେବେ ଏମିତି ଆଗତୁରା ଜଣାଇ ଯାଆସ କରନ୍ତି ।

 

ସେଇଟା ମଧ୍ୟ ଅନେକ ଦିଗରୁ ଦେଖିଲେ ଭଲ । ମନେକର ଜଣେ ଲୋକ ତୁମ ଘରକୁ ଆସିବ, କଥାବାର୍ତ୍ତା, ହସଖୁସି ପାଇଁ । ଯଦି ନ କହି ଆସେ, ତେବେ ହୁଏତ ତୁମେ ସେତେବେଳକୁ ଅନ୍ୟ କେଉଁଠିକି ବାହାରୁଥିବ, ବା ତୁମର କିଛି ଜରୁରୀ କାମ ଥିବ, ଯା ପାଇଁ କି ହୁଏତ ତୁମେ ସେ ଲୋକ ସହିତ କଥାବାର୍ତ୍ତା କରିବାକୁ ଭଲ ପାଇବନି, ଅଥଚ ଉପରେ ଉପରେ ଭଦ୍ରାମୀ ଖାତିରିରେ ତା ସହିତ କଥାବାର୍ତ୍ତା କରିବାକୁ ବାଧ୍ୟ ହେବ, ତେଣୁ ସେଭଳି ପରିସ୍ଥିତିରେ ନପକାଇ ତୁମ ସମୟ ଓ ସୁବିଧା ଜାଣି ଆସିଲେ କେତେ ସୁବିଧା ହେବ ? ଏହି ପଦ୍ଧତିଟି ଆମ ଦେଶରେ ମଧ୍ୟ ଅନୁସୃତ ହେବା ବାଞ୍ଛନୀୟ । ନ କହି, ନ ପଚାରି ହଠାତ୍ ଚାଲି ଆସିଲେ ଅତିଥି ମତ୍କାରକକୁ କି ଅସୁବିଧାରେ ପଡ଼ିବାକୁ ହୁଏ, ଅତିଥି ଭାବରେ ଆସୁଥିବା ଲୋକମାନେ ହୃଦୟଙ୍ଗମ କରିବା ଉଚିତ । ଆଗରୁ ଖବର ଦେଇ, ସମୟ ଠିକ୍ କରି ଆସିଲେ ଉଭୟ ଅତିଥି ଓ ସତ୍କାରକଙ୍କ ଖାଲି ସୁବିଧା ଯେ ହୁଏ, ତା ନୁହେଁ, ସେମାନେ ସେଇ ସମୟ ଭିତରେ କିଛି କାମ ଦାମ ନ ରଖି ମନଖୋଲା କଥାବାର୍ତ୍ତା କରିବା ପାଇଁ ପ୍ରସ୍ତୁତ ହୋଇ ଥାଆନ୍ତି ।

 

ସେମାନଙ୍କର ଏମିତି ସାମାଜିକ ନିୟମ ଯୋଗୁଁ ଆମେ ସିନେରାମାରୁ ଫେରି ତାଙ୍କ ଘରେ ପହଞ୍ଚିବାକୁ ଡେରି ହେବ ବୋଲି ଫୋନରେ ଜଣାଇ ତାଙ୍କ ଅନୁମତି ନେଲୁ । ସେଦିନ ଟିକଏ ସଅଳ ସଅଳ ଆମେ ବୋଷ୍ଟନ ଅଭିମୁଖେ ବାହାରି ପଡ଼ିଲୁଁ । ବୋଷ୍ଟନରେ କେଉଁଠି ରେଷ୍ଟୁରାଣ୍ଟରେ ମଧ୍ୟାହ୍ନ ଭୋଜନ କରିବୁ, ନ କରିବୁ ସେଥିପାଇଁ ଆମେ ମଧ୍ୟାହ୍ନ ଭୋଜନ ପାଇଁ ସବୁକିଛି ତିଆରି କରି ସଙ୍ଗରେ ନେଲୁଁ । ସେ ଦିନର ପ୍ରୋଗ୍ରାମ ଭିତରେ ସିନେରାମା ଦେଖିବା ବ୍ୟତୀତ ଜୋର୍ଡ଼ାନ୍ ମାରସ ଆଦି ବଡ଼ ବଡ଼ ଦୋକାନରୁ ନାନା ଜିନିଷ ଖରିଦ କରିବା ଆମର ଇଚ୍ଛା ଥାଏ । ମଧ୍ୟାହ୍ନ ଭୋଜନ ପାଇଁ ସବୁ ଖାଦ୍ୟ ପାନୀୟ ଆଦି ମଟରରେ ରଖି ଆମେ ବୋଷ୍ଟନ ଅଭିମୁଖେ ବାହାରି ପଡ଼ିଲୁ । ସଙ୍ଗରେ କଟକରୁ ନୂଆ ହୋଇ ବ୍ରେଣ୍ଡାଇସ୍ ବିଶ୍ଵବିଦ୍ୟାଳୟରେ ଯୋଗ ଦେଇଥିବା ଛାତ୍ର ତଥା ବନ୍ଧୁ ଡକ୍ଟର ଭାସ୍କରଚନ୍ଦ୍ର ଦାଶ ମଧ୍ୟ ଗଲେ । ସେ ଏଥିପୂର୍ବରୁ ସିନେରାମା କେବେ ଦେଖି ନଥିବାରୁ ତାଙ୍କର ଭାରି ଆଗ୍ରହ ସିନେରାମା ଦେଖିବା ପାଇଁ । ସେଥି ସହିତ ବୋଷ୍ଟନ ବଜାର ପରିକ୍ରମା ଓ ବୋଷ୍ଟନ ପବ୍ଲିକ୍ ଗାର୍ଡନ୍‌ରେ ଆମର ବଣ ଭୋଜି ତାଙ୍କୁ ଆକୃଷ୍ଟ କରିଥାଏ ।

 

ଯଥା ସମୟରେ ବୋଷ୍ଟନର କେନ୍ଦ୍ରସ୍ଥଳୀ ବୋଷ୍ଟନ ପବ୍ଲିକ୍ ଗାର୍ଡ଼ନ୍‌ରେ ପହଞ୍ଚିଗଲୁ । ସୌଭାଗ୍ୟବଶତଃ ବଇଲଷ୍ଟନ୍‌ଷ୍ଟ୍ରିଟ୍ ଓ ଏରଲିଙ୍ଗଟନ୍ ଷ୍ଟ୍ରିଟର କୋଣରେ ବୋଷ୍ଟନ ପବ୍ଲିକ ଗାର୍ଡ଼ନକୁ ଲାଗି ଗୋଟିଏ ପାର୍କିଙ୍କ ଜାଗା ପାଇଗଲୁ । ମୋଟର ପାର୍କ କରିବା ପାଇଁ ଯେଉଁ ଚିନ୍ତା ମୂଳରୁ ଥିଲା, ତାହା ସଙ୍ଗେ ସଙ୍ଗେ ଦୂର ହୋଇଗଲା । ଅମେରିକାରେ ମଟର ଚଳାଇବା ଯେତିକି ସୁଖ ଦାୟକ, ମଟରକୁ ସହର ଭିତରେ ରଖିବା ପାଇଁ ଗୋଟିଏ ପାର୍କିଙ୍ଗ ଯାଗା ପାଇବା ତାଠାରୁ ଅଧିକ ଦୁଃଖଦାୟକ । ବଡ଼ ବଡ଼ ସହରରେ ଗୋଟିଏ ପାର୍କିଙ୍ଗ ଯାଗା ପାଇଗଲେ, କେତେ ଯେ ଆନନ୍ଦ ଲାଗେ, ତାହା ସେସବୁ ଦେଶର ମଟର ଚାଳକମାନେ ହିଁ ଜାଣନ୍ତି ।

 

ଯଥା ସ୍ଥାନରେ ମଟର ଗାଡ଼ିକୁ ଥୋଇ, ମୋଟର ଭିତରେ ଆମ ଖାଦ୍ୟ ପଦାର୍ଥ ରଖି ଆମେ ଚାଲିଲୁ ବୋଷ୍ଟନ ସିନେରାମା ଗୃହକୁ ଟିକଟ୍ ଖରିଦ ପାଇଁ । ସିନେରମା ଆରମ୍ଭ ହେବ ଦିନ ଦୁଇଟା ବେଳକୁ । ତେଣୁ ଆଗରୁ ଟିକେଟ କାଟିଆଣିଲେ ଭଲ । କଥା ହୋଇଥାଏ ଟିକେଟ୍ କାଟି ସାରି ଆମେ ବିଭିନ୍ନ ଦୋକାନ ବଜାର ବୁଲିବୁଁ । ଦିନ ଗୋଟାକ ବେଳେ ମଟର ଗାଡ଼ିଠାକୁ ଫେରି ଗାଡ଼ିରୁ ଖାଦ୍ୟ ନେଇ ପବ୍ଲିକ୍ ଗାର୍ଡ଼ନରେ ଖିଆ ପିଆ କରିବୁଁ । ତା’ ପରେ ଠିକ୍ ଦୁଇଟା ବେଳକୁ ସିନେରାମା ଗୃହରେ ପହଞ୍ଚି ସିନେରାମା ଦେଖି ସାଢ଼େ ପାଞ୍ଚଟାରେ ବୋଷ୍ଟନ୍ ଛାଡ଼ିବୁ ।

 

ବୋଷ୍ଟନ୍‌ ସିନେରମା ୱାସିଙ୍ଗ୍‌ଟନ୍ ଷ୍ଟ୍ରୀଟ୍‌ରେ, ଆମ ମଟର ରଖିଥିବା ସ୍ଥାନଠାରୁ ବେଶି ଦୂରରେ ନୁହେଁ । ଗଲାବେଳେ ବନ୍ଧୁ ଭାସ୍କର ବୋଷ୍ଟନ୍‌ର କୋଠାବାଡ଼ି, ଗାଡ଼ି ଆଦି ଦେଖି ଚକିତ ହେଉଥାନ୍ତି । ବାସ୍ତବିକ ଯେଉଁମାନେ ନୂଆ କରି ଆମେରିକା ଆସନ୍ତି, ସେମାନଙ୍କ ପକ୍ଷରେ ଆମେରିକାର ସବୁ କିଛି ବିସ୍ମୟ ସୃଷ୍ଟିକାରୀ, ସେ ପରିସ୍ଥିତିରେ ବୋଷ୍ଟନ ତାଙ୍କର ବିସ୍ମୟ ସୃଷ୍ଟି କରିବ ବା କାହିଁକି ?

 

ଚଳଚିତ୍ର ଇତିହାସରେ ସିନେରାମା ଏକ ନୂତନ ତଥା ସାର୍ଥକ ସୃଷ୍ଟି । ସିନେମାଠାରୁ ସିନେରାମା ଢେର ତଫାତ୍ । ଆମ ଦେଶରେ ସିନେମା ଘର ଢେରଥିଲେ ହେଁ ସିନେରାମା ଘର ଗୋଟାଏ ସୁଦ୍ଧା ନାହିଁ । ସିନେରାମା ଫିଲ୍ମ ତିଆରି ଯେମିତି ଖର୍ଚ୍ଚାନ୍ତ ଜନକ ସିନେରାମା ଘର ତିଆରି ତା’ଠାରୁ ଅଧିକ ବ୍ୟୟ ସାପେକ୍ଷ । ଆମେରିକା ବା ଇଉରୋପର ବିଭିନ୍ନ ସହରରେ ସିନେମା ଘର ଶହ ଶହ ଥିବା ସ୍ଥଳେ ସିନେରାମା ଘର ଖୁବ୍ କମ୍ । ବୋଷ୍ଟନ ଓ ଏହାର ଆଖ ପାଖ ଅଞ୍ଚଳରେ ଶହ ଶହ ସିନେମା ଘର ଥିଲାବେଳେ ସିନେରମା ଘର ମାତ୍ର ଗୋଟିଏ । ବୋଷ୍ଟନ ଭଳି ସିନେରାମା ଘର ନିଉୟର୍କରେ ଗୋଟିଏ, ଚିକାଗୋରେ ଗୋଟିଏ, ଲଣ୍ଡନରେ ଗୋଟିଏ ତ ପାରିସ୍‍ରେ ଗୋଟିଏ । ସେଥିରେ ପୁଣି ଆମେରିକାର କି ଇଉରୋପର ସବୁ ସହରରେ ସିନେରାମା ଘର ନାହିଁ ।

 

ସିନେମା ଓ ସିନେରାମା ଭିତରେ ପାର୍ଥକ୍ୟ ଢେର ଅଛି । ସିନେରାମା ସୃଷ୍ଟି ହେଲା ଦିନଠାରୁ ସିନେମାରେ ନାନା ନାଟକ ଅଭିନୀତ ହେଉଥିଲାବେଳେ ସିନେରାମାରେ କେବଳ ଦୃଶ୍ୟାବଳୀ ଦର୍ଶାଯାଇଥାଏ । ଅବଶ୍ୟ ଏହି ଅଳ୍ପ ଦିନ ଭିତରେ ସିନେରାମାକୁ ନାନା ନାଟକ ଅଭିନୀତ ଦେବା ପାଇଁ ଆସିଛି । ସେ ଦିନ ବୋଷ୍ଟନ ସିନେରାମାରେ ଅଭିନୀତ ହେଉଥିବା ‘How west was won’ ଗୋଟିଏ ନାଟକ, ସାଧାରଣ ସିନେରାମା ଚିତ୍ର ଭଳି ଦୃଶ୍ୟାବଳୀର ସମଷ୍ଟି ନୁହେଁ । ଏଥିରେ ହଲିଉଡ଼ର ୫୫ ଜଣ ବିଖ୍ୟାତ ଚିତ୍ର ତାରକା ଅଭିନୟ କରୁଥାଆନ୍ତି ଓ ଏହା ସୁବିଖ୍ୟାତ ଏମ୍.ଜି.ଏମ୍ ସିନେମା କୋମ୍ପାନୀ ଦ୍ଵାରା ସିନେରାମା ପଦ୍ଧତିରେ ତିଆରି ହୋଇଥାଏ । ସିନେରାମା ପଦ୍ଧତିରେ ତିଆରି ହୋଇଥିବା ସାମାନ୍ୟ କେଇ ଗୋଟି ନାଟକ ଭିତରୁ ଏହା ଗୋଟିଏ-

 

ସିନେରାମା କଅଣ, ସିନେମାଠାରୁ ଏହା କେଉଁ ଗୁଣରେ ପୃଥକ୍ ସ୍ତ୍ରୀ ଓ ପିଲାମାନଙ୍କୁ ବୁଝାଇଲି । ଚଳଚିତ୍ରରେ ଦେଖୁଥିବା ଦୃଶ୍ୟ ଓ ସିନେରାମାରେ ଦେଖୁଥିବା ଦୃଶ୍ୟ ଭିତରେ ଢେର ପାର୍ଥକ୍ୟ । ସିନେରାମାରେ ଦିଶୁଥିବା ଦୃଶ୍ୟ ଅତ୍ୟନ୍ତ ଜୀବନ୍ତ ଦିଶେ । ସିନେରାମାରେ କୌଣସି ଦୃଶ୍ୟ ଦେଖିଲେ ଏହା ଏତେ ଜୀବନ୍ତ ଜଣାପଡ଼େ, ଦର୍ଶକ କ୍ଷଣକପାଇଁ ଭୁଲିଯାଏ ଯେ ସେ ପ୍ରକୃତ ଦୃଶ୍ୟ ଦେଖୁଛି ବୋଲି । ମନେକର ଜଣେ ଲୋକ ଉଡ଼ାଜାହାଜରେ ବସି ଆକାଶରୁ ପୃଥିବୀର ଦୃଶ୍ୟ ଦେଖୁଛି; ଉଡ଼ାଜାହାଜର ଗତି ସଙ୍ଗେ ସଙ୍ଗେ ଦୃଶ୍ୟ ବଦଳି ଚାଲିଛି । ସେହି ଚିତ୍ରକୁ ଯଦି ସିନେମାରେ ଦେଖିବ, ତେବେ ଦେଖିବ ରୂପେଲି ପରଦା ଉପରେ ଦୃଶ୍ୟ ପରେ ଦୃଶ୍ୟର ଚିତ୍ର । ଉଡ଼ାଜାହାଜରୁ ଥାଇ ଚଳଚିତ୍ର ଉଠାଇଲେ ଯେମିତି ଦିଶିବ, ଏ ଚିତ୍ର ସେମିତି । କିନ୍ତୁ ସେଇ ଦୃଶ୍ୟକୁ ଯଦି ସିନେରାମାରେ ଦେଖିବ, ତେବେ ଦୃଶ୍ୟର ଜୀବନ୍ତତାରେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବ ନାହିଁ । ସିନେରାମାର ରୂପେଲି ପରଦା ଉପରେ ତୁମେ ଦେଖିବ ଚିତ୍ର, କିନ୍ତୁ ତୁମକୁ ବୋଧ ହେବ, ତୁମେ ଯେମିତି ଉଡ଼ାଜାହାଜରେ ବସି ଦୃଶ୍ୟ ପରେ ଦୃଶ୍ୟ ଦେଖି ଦେଖି ଉଡ଼ିଚାଲିଛ । ତୁମର ଗୋଟା ସାରା ପ୍ରେକ୍ଷାଳୟଟି ଯେମିତି ଆକାଶରେ ଉଡ଼ି ଚାଲିଛି ସେମିତି ଅନୁଭବ କରିବ । ତୁମେ ଚାରିଆଡ଼କୁ ଚାହିଁ ପରଦାକୁ ଚାହିଁଲେ ତୁମେ ବୋଧ କରିବ, ତୁମ ପ୍ରେକ୍ଷାଳୟଟି ଗତିଶୀଳ ହୋଇ ଉଠିଛି । ସିନେରାମାରେ ଏହି ଯେଉଁ ଅନୁଭୂତି ପାଇବ, କୌଣସି ସିନେମା ବା ସିନେମାସ୍କୋପ୍ ଦେଖିଲେ ସେଭଳି ଅନୁଭୂତି ହେବନି । ରେଳଗାଡ଼ିରେ ଥାଇ, ନୌକାରେ ବସି, ଜାହାଜରେ ବସି ଗତିଶୀଳ ଅବସ୍ଥାରେ କୌଣସି ଦୃଶ୍ୟ ଦେଖିଲେ ଯେମିତି ଅନୁଭୂତି ହେବ, କେମେରାରେ ସେହି ଦୃଶ୍ୟ ଉଠ ହୋଇ ସିନେରାମା ଗୃହରେ ତାହା ଦର୍ଶାଗଲେ, ତୁମେ ଠିକ୍ ସେହି ସବୁ ଯାନରେ ବସି ଗତିଶୀଳ ଅବସ୍ଥାରେ ଦୃଶ୍ୟ ଦେଖୁଛ ବୋଲି ଅନୁଭବ କରିବ । ସେହି ସବୁ ଦୃଶ୍ୟ ଦେଖୁ ଦେଖୁ ତୁମେ କେତେବେଳେ ଅନୁଭବ କରିବ ତୁମେ ରେଲଗାଡ଼ିରେ ବସି ଯାଉଛ ତ, କେତେବେଳେ ଭାବିବ ନୌକାରେ ବସି ଯାଉଛ, ପୁଣି କେତେବେଳେ ଭାବିବ ଜାହାଜରେ ବସି ଯାଉଛ ବୋଲି । ଖାଲି ତୁମେ ଏକା ଭାବିବ ନାହିଁ, ପ୍ରେକ୍ଷାଳୟରେ ବସିଥିବା ସବୁ ଦର୍ଶକ ଅନୁଭବ କରିବେ ଓ ସାରା ପ୍ରେକ୍ଷାଳୟଟି ଗତିଶୀଳ ହେଲା ଭଳି ତୁମକୁ ଦିଶିବ ।

 

ଅବଶ୍ୟ ସିନେରାମାରେ ଏହା କେମିତି ସମ୍ଭବପର ହୁଏ, ବୁଝାଇବା କଷ୍ଟକର । ତେବେ ସିନେରାମାର ମୂଳ ପଦ୍ଧତି ହେଉଛି ଯେ ଏଥିରେ ତିନୋଟି ପ୍ରକ୍ଷେପକ ଯନ୍ତ୍ର, ସିନେରାମା ଗୃହର ତିନୋଟି ଅଲଗା ଅଲଗା ସ୍ଥାନରେ ରଖାଯାଇଥାଏ । ସିନେମାରେ ଯେମିତି ଗୋଟିଏ ପ୍ରକ୍ଷେପକ ଯନ୍ତ୍ରରୁ ଚିତ୍ର ଆସେ, ଏଠାରେ ଗୋଟିଏ ସ୍ଥାନରେ ତିନୋଟି ପ୍ରକ୍ଷେପକ ଯନ୍ତ୍ରରୁ ଚିତ୍ର ଆସେ । ସେହିଭଳି ପରଦାଟି ମଧ୍ୟ ତିନି ଭାଗରେ ବିଭକ୍ତ । ତିନୋଟି ପ୍ରକ୍ଷେପକ ଯନ୍ତ୍ରରୁ ଆସୁଥିବା ଚିତ୍ର ଏହି ପରଦାର ବିଭିନ୍ନ ଅଂଶରେ ଏମିତି ଭାବରେ ପଡ଼େ ଯେ, ଚିତ୍ରଟି ଗୋଟିଏ ଚିତ୍ର ଭଳି ଜଣାପଡ଼େ ଓ ସେଥି ସହ ସିନେରାମାର ପ୍ରଭାବ ଦର୍ଶକମାନଙ୍କୁ ବୋଧ ହୁଏ । ସିନେରାମା ପାଇଁ ବ୍ୟବହୃତ ହେଉଥିବା କେମେରା ମଧ୍ୟ ଅଲଗା । ସିନେମାରେ ଚିତ୍ର ଉଠାଇବା ପାଇଁ ଯେମିତି ଗୋଟିଏ କେମେରା ବ୍ୟବହୃତ ହୁଏ, ସିନେରାମା ଚଳଚିତ୍ର ଉଠାହେଲା ବେଳେ ତିନୋଟି ସିନେରାମା କେମେରା ଏକସଙ୍ଗରେ ବ୍ୟବହୃତ ହୋଇଥାଏ । ଗୋଟାଏ ଦୃଶ୍ୟକୁ ତନୋଟି ଅଲଗା ଅଲଗା ଭାଗରେ ବିଭକ୍ତ କରି ସିନେରାମାର ଅଲଗା ଅଲଗା କ୍ୟାମେରା ସାହାଯ୍ୟରେ ତିନୋଟି ଅଲଗା ଅଲଗା ଫିଲ୍ମ ଉପରେ ଲିପିବଦ୍ଧ କରାଯାଏ | ଏହି ଫିଲ୍ମକୁ ତିନୋଟି ଅଲଗା ଅଲଗା ପ୍ରକ୍ଷେପକ ଯନ୍ତ୍ରରେ ପୂରାଇ ପରଦା ଉପରେ ପକାଇଲେ ଏହି ତିନୋଟି ଚିତ୍ର ପରଦାର ଅଲଗା ଅଲଗା ସ୍ଥାନରେ ପଡ଼ି ସମ୍ମିଳିତ ଭାବରେ ଉଠାହୋଇଥିବା ଦୃଶ୍ୟର ପୁନରୁତ୍‌ପାଦନ କରେ । ଏହି ନୂତନ ପଦ୍ଧତି ଫଳରେହିଁ ସିନେରାମାର ଅପୂର୍ବ ପ୍ରଭାବ ସୃଷ୍ଟି କରିବା ସମ୍ଭବପର ହୁଏ । ସିନେରାମା ମୂଖ୍ୟତଃ ଦୃଶ୍ୟଗୁଡ଼ିକ ପାଇଁ ବ୍ୟହୃତ ହେଉଥିବାରୁ ଏହାର ଚିତ୍ର ପ୍ରାକୃତିକ ବର୍ଣ୍ଣ ଯୁକ୍ତ ହୋଇଥାଏ ।

 

ସିନେରାମା ହଲ ଭିତରକୁ ପଶିବା ପୂର୍ବରୁ ପିଲାମାନଙ୍କୁ ଓ ଭାସ୍କରକୁ ନେଇ ଆଗେ ସିନେରାମାର ମୂଳ ପଦ୍ଧତିଟି ବୁଝାଇ ଦେଲି । ତା ପରେ ସିନେରାମା ଗୃହର ବିଭିନ୍ନ ସ୍ଥାନରେ ଥିବା ତିନୋଟି ଅଲଗା ଅଲଗା ପ୍ରକ୍ଷେପକ ଗୃହ ଦେଖାଇ ଦେଲି ଓ ସେଥିରେ ପ୍ରକ୍ଷେପକ ଯନ୍ତ୍ରମାନ ଦେଖାଇ ଦେଲି । ପ୍ରେକ୍ଷାଳୟରେ ଥିବା ବିରାଟ ଲମ୍ବାଳିଆ ପରଦାଟି କେମିତି ତିନି ସମାନ ଭାଗରେ ବିଭକ୍ତ ହୋଇ ବିଭିନ୍ନ ପ୍ରକ୍ଷେପକ ଯନ୍ତ୍ରରୁ ପଡ଼ୁଥିବା ଛବିକୁ ପ୍ରତିଫଳିତ କରେ ଓ ସେହି ସବୁର ପ୍ରତିଫଳିନ ମିଳିତ ହୋଇ ଦର୍ଶକକୁ ଗୋଟିଏ ଦୃଶ୍ୟର ଧାରଣା ତଥା ଗତିଶୀଳ ପ୍ରେକ୍ଷାଳୟର ଧାରଣା ଦିଏ ବୁଝାଇ ଦେଲି । ସିନେରାମା ଆରମ୍ଭ ହେଲାକ୍ଷଣି ସେମାନେ ବୁଝାଇ ଥିବା ଅନୁସାରେ ପରଦା ଉପରେ ଦୃଶ୍ୟ ଦେଖି ବଡ଼ ଭ୍ରମ କରି ପକାଇଲେ ଯେ ଆମ ପ୍ରେକ୍ଷାଳୟଟି ରୀତିମତ ଗତି କରି ଚାଲିଛି ବୋଲି ।

 

ସିନେରାମାର ସେ ଦିନ ନାଟକଟି ଆଉ ଏକ କାରଣରୁ ଖୁବ୍ ହୃଦୟ ଗ୍ରାହୀ ହୋଇଥିଲା-। ସେଦିନ ଗୋଟିଏ ମଜା ଘଟଣା ଘଟିଲା, ଯା ପାଇଁକି ସିନେରାମାକୁ ସହଜରେ ଭୁଲିବାର ନୁହେଁ । ସିନେରାମାରେ ସେ ଦିନ ଜଣେ ବଡ଼ ଚିତ୍ର ତାରକା ଅଭିନୟ କରୁଥିଲେ । ସେ ଚିତ୍ର ତାରକା ଆମ ଟେଲିଭିଜନରେ ନାନା ନାଟକରେ ଅଭିନୟ କରନ୍ତି । ପ୍ରତି ସପ୍ତାହର ଶୁକ୍ରବାର ଦିନ ସନ୍ଧ୍ୟାରେ ଗୋଟିଏ ନାଟକ ହୁଏ । ଯେଉଁ ନାଟକରେ ସେହି ଚିତ୍ରତାରକା ଗ୍ରେଣ୍ଡପା ନାମକ ଏକ ପ୍ରଧାନ ଭୂମିକାରେ ସବୁଥର ଅଭିନୟ କରନ୍ତି । ସେହି ଚିତ୍ରତାରକାଙ୍କ ଅଭିନୟ ପୁଅ ବାବୁଲିର ଅତିପ୍ରିୟ-। ଶୁକ୍ରବାର ଦିନ ସେ ସେହି ନାଟକ ନ ଦେଖି ଶୋଇବାକୁ ଯାଏନି । ସିନେରାମାର ସେହି ନାଟକରେ ସେହି ଚିତ୍ରତାରକାଙ୍କ ମୃତ୍ୟୁ ହେଲା । ପୁଅ ସଙ୍ଗେ ସଙ୍ଗେ ସଙ୍ଗେ ବ୍ୟସ୍ତ ହୋଇ ପଡ଼ିଲା ଯେ ଆମ ଟେଲିଭିନର ସେହି ନାଟକର ଅବସ୍ଥା କଅଣ ହେବ ? ଆଉ ସେତ ତାର ସେହି ପ୍ରିୟ ତାରକାକୁ ଟେଲିଭିଜନରେ ଦେଖିବାକୁ ପାଇବନି । ସେଥିପାଇଁ ତା ମନ ଭାରି ଖରାପ । ସେତିକିବେଳୁଁ ସେ ଖାଲି କହିବାକୁ ଲାଗିଲା ଯେ ‘ଗ୍ରେଣ୍ଡପା’ ମରିଗଲା । ଆଉ ତାଙ୍କୁ ଟେଲିଭିଜନରେ ଦେଖି ହେବ ନାହିଁ । ପିଲାଟିର ସରଳ ବିଶ୍ଵାସରେ ଆଘାତ ଦେବାକୁ ଇଚ୍ଛା ହେଲାନି । ସେ କଅଣ ଜାଣୁଛି ଚଳଚିତ୍ରର ମୃତ୍ୟୁ ପ୍ରକୃତ ମୃତ୍ୟୁ ନୁହେଁ ।

 

ପ୍ରାୟ ଦିନ ପାଞ୍ଚଟାବେଳକୁ ସିନେରାମା ଭାଙ୍ଗିଲା । ନାଟକଟି ବେଶ ଉପଭୋଗ୍ୟ ହେଲା ଆମ ସମସ୍ତଙ୍କର । ତା ଛଡ଼ା ନାଟକରେ ପଡ଼ୁଥିବା ଦୃଶ୍ୟଗୁଡ଼ିକ ଅତି ଜୀବନ୍ତ । ବନ୍ଧୁ ଭାସ୍କର ମତ ଦେଲେ, ସେ ଜୀବନରେ ଏକ ବିରାଟ ଅନୁଭୂତି ଅର୍ଜନ କଲେ । କେବଳ ତାଙ୍କର ବାକି ରହିଲା କ୍ଳିଓପାଟ୍ରା ଦେଖା । ସେତକ ଦେଖି ଦେଲେ ତାଙ୍କ ଜୀବନରେ ଏକ ବିରାଟ ଅବଶୋଷ ମେଣ୍ଟିଯିବ । ଆମେରିକାରେ ପହଞ୍ଚିବା ଦିନଠାରୁ ‘କ୍ଳିଓପାଟ୍ରା’ ଫିଲ୍ମ କେମିତି ତିଆରି ହେଲା ସେ ସମ୍ବନ୍ଧରେ ଛାପା ହେଇଥିବା ଏକ ପେନ୍‍ଗୁଇନ୍ ବହି ପଢ଼ି ପଢ଼ି ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେଣି, କେମିତି ସେ ଚଳଚିତ୍ର ଦେଖିବେ । ଆମେ ଶୀଘ୍ର ୱାଲଥାମ୍ ଛାଡ଼ୁଥିବାରୁ ଆମ ପରେ ସେ କେବେ ଏଠାକୁ ଆସି କ୍ଳିଓପାଟ୍ରା ଦେଖି ଯିବେ ବୋଲି ମନକୁ ମନ ଅଶ୍ଵାସନା ଦେଲେ ।

 

ମାର୍କିନ ପରିବାରରେ ଅତିଥ୍ୟ ଗ୍ରହଣ

 

ବୋଷ୍ଟନରୁ ସିଧାସଳଖ ଫେରିଲୁ ଆମର ମାର୍କିନ ବନ୍ଧୁ ଟାର୍‌ଲିନଙ୍କ ଘରକୁ ସାନ୍ଧ୍ୟ ଭୋଜନ କରିବା ପାଇଁ । ତାଙ୍କ ଘର ବୋଷ୍ଟନରୁ ଫେରିବା ବାଟରେ ନିଉଟନ୍‌ ଭିଲେରେ । ବନ୍ଧୁ ଟାରଲିନ୍ ବ୍ରେଣ୍ଡାଇସ୍ ବିଶ୍ଵବିଦ୍ୟାଳୟର ଲାଇବ୍ରେରିୟାନ । ଖୁବ୍ ଉଚ୍ଚ ଶିକ୍ଷିତ । ତାଙ୍କ ସ୍ତ୍ରୀ ମଧ୍ୟ ଏମ୍.ଏ.ପାସ କରିଥାନ୍ତି । ଟାରଲିନ୍ ଦମ୍ପତିଙ୍କର ଦୁଇଟି ମାତ୍ର ସନ୍ତାନ । ସେମାନଙ୍କ ସହିତ ଆମର ପରିଚୟ ହୁଏ, ଆମେ ଅମେରିକାରେ ପହଞ୍ଚିବାର ଠିକ୍ ପରେ ପରେ । ଆମେ ଏପାର୍ଟମେଣ୍ଟ ପାଇବା ପୂର୍ବରୁ ଅଳ୍ପ ଦିନ ପାଇ ଯେଉଁ ମିସେସ୍‌ଲୁଇସଙ୍କ ଘର ଭଡ଼ା ନେଇ ରହିଥିଲୁ, ତାଙ୍କର ଆଉ ଏକ ଏପାର୍ଟମେଣ୍ଟ ଭଡ଼ାନେଇ ଏହି ଟାରଲିନ୍ ପରିବାର ରହୁଥିଲେ । ଆମେ ଥାଉଁ ତୃତୀୟତାଲାରେ, ଟାରଲିନ ପରିବାର ଥାନ୍ତି ପ୍ରଥମ ତାଲାରେ, ଘରର ମାଲିକ୍ ମିସେସ୍ ଓ ମିଷ୍ଟର ଲୁଇସ ଓ ତାଙ୍କ ପରିବାର ରହୁଥାନ୍ତି ଦ୍ଵିତୀୟ ମହଲାରେ । ଆମେ ପ୍ରାୟ ତିନି ସପ୍ତାହ ସେଠାରେ ଥିଲୁଁ । ସେହି ସମୟ ମଧ୍ୟରେ ଆମର ପରିଚୟ ଟାରଲିନ୍ ପରିବାର ସହିତ । ସ୍ତ୍ରୀ ଆମେରିକାରେ ପହଞ୍ଚି ଯେତେବେଳେ ଇଂରେଜରେ କଥାବାର୍ତ୍ତା ବୁଝି ପାରୁ ନଥାନ୍ତି କି କହି ପାରୁ ନଥାନ୍ତି, ସ୍ତ୍ରୀଙ୍କ ଟିଉଟଉର ହିସାବରେ ମିସେସ୍ ଟାରଲିନ୍ ଆଗଭର ହୋଇ ଆପେ ଆପେ ବାହାରି ଆସିଥିଲେ । ତାଙ୍କ ସହିତ ମିସେସ୍‌ ଲୁଇସ୍ ବି । ବଡ଼ ବିଚିତ୍ର । ଦୁଇ ଜଣ ଯାକ ସ୍କୁଲରେ ଶିକ୍ଷୟତ୍ରୀକାମ କରନ୍ତି । ମିସେସ୍‌ ଲୁଇସ୍‌ ଉଦ୍ଭିଦ ବିଜ୍ଞାନରେ ଏମ୍.ଏସ୍.ସି ପାସ୍ । ସେ ଦୁହେଁ ଯେଉଁ ସବୁ ନୂତନ ଉପାୟରେ ସ୍ତ୍ରୀଙ୍କୁ ଇଂରେଜୀ ଭାଷା ଶିକ୍ଷା ଦେଲେ, ତାହା ବାସ୍ତବିକ ଶିକ୍ଷଣୀୟ । ଝିଅକୁ ମଧ୍ୟ ଇଂରେଜୀ ଶିକ୍ଷା ଦେବାରେ ସେମାନେ କମ୍ କଷ୍ଟ କରି ନାହାନ୍ତି । ଆମେ ଯେତେବେଳେ ନୂଆ ଏପାର୍ଟମେଣ୍ଟ ପାଇ ସେହି ବସାରୁ ଚାଲିଗଲୁଁ, ମିସେସ୍ ଟାରଲିନ୍ ଶନିବାର, ରବିବାର ଆମ ବସାକୁ ଯାଇ ଝିଅକୁ ପଢ଼ାଇ ଦେଇ ଆସନ୍ତି । ମିସେସ୍ ଟାରଲିନଙ୍କ ସ୍ଵତଃ ପ୍ରବୃତ୍ତ ଚେଷ୍ଟାରେ ଝିଅ ଓ ସ୍ତ୍ରୀ ଅଳ୍ପ କେଇ ଦିନ ଭିତରେ ଇଂରେଜି କହି ପାରିଲେ ଓ ବୁଝି ପାରିଲେ ।

 

ତେଣୁ ଏହି ପରିବାର ସହିତ ଆମର ଖୁବ୍ ଗାଢ଼ ସୌହାର୍ଦ୍ୟ ଥିଲା । ତେଣୁ ଆମେରିକା ଛାଡ଼ିବା ପୂର୍ବରୁ ଆମେ ତାଙ୍କ ଘରେ ଆତିଥ୍ୟ ରକ୍ଷା ନ କରୁଛୁ ବା କେମିତି ? ଆମେ ଯାଇ ତାଙ୍କ ଦୁଆରେ ପହଞ୍ଚିଲା କ୍ଷଣି ମିସେସ୍ ଓ ମିଷ୍ଟର ଟାରଲିନ୍ ଆମ କାର ପାଖକୁ ଧାଇଁ ଆସିଲେ । ଆମ ସମସ୍ତଙ୍କୁ ସାଦର ସମ୍ଭାଷଣ ଜଣାଇ ତାଙ୍କ ନୂଆ ଘରକୁ ପାଛୋଟି ନେଲେ । କିଛି ସମୟ ତାଙ୍କ ବୈଠକ୍ ଖାନାରେ ବସିଲା ପରେ ଡାଇନିଙ୍ଗ୍ ରୁମକୁ ଡାକରା ପଡ଼ିଲା । ଭାସ୍କର ସମେତ ଆମ ପରିବାର ଓ ତାଙ୍କ ପରିବାର ଡିନର ଟେବୁଲ ଚାରିପାଖରେ ଘେରି ବସିଲୁଁ । ମାର୍କିନ୍ ପରିବାରରେ ଡିନର ଖାଇବା ଭାସ୍କର ପକ୍ଷେ ଏହା ସର୍ବ ପ୍ରଥମ । ତେଣୁ ବାଟରେ ଆସିଲା ସମୟରେ ଖାଇବାବେଳେ କି କି ଆଦବ କାଏଦା ମାନିବାକୁ ପଡ଼େ, ତାକୁ ବୁଝାଇ ଦେଇଥାଏ । ତେଣୁ ଆଦବ କାଏଦା ମାନି ଚଳିବାରେ ଭାସ୍କରର କିଛି ଅସୁବିଧା ହେଲାନି ।

 

ମାର୍କିନ ପରିବାରରେ ଡିନର ପାଇଁ ନିମନ୍ତ୍ରଣ ପାଇଲେ ଖାଲି ଡିନ୍‌ର ଖିଆ ଯାଏ ନାହିଁ । ସାଧାରଣତଃ ଡିନର ପରେ ସପର ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ । ସେମାନେ ଡିନର୍ ପରେ ସହଜରେ ବିଦାୟ ଦିଅନ୍ତି ନାହିଁ । ଡିନର ପରେ ଗପ ସପ, ହସ ଖୁସି, କଥାବର୍ତ୍ତା ଚାଲେ । ପ୍ରାୟ ରାତି ଦଶଟାକୁ ସପର ଖାଇବାକୁ ଦେଇ ବିଦାୟ ଦିଅନ୍ତି । ଡିନର୍‌ରେ ସାଧାରଣତଃ ଚାରୋଟି କୋର୍ସ ଖାଇବାକୁ ଦେଇ ସପରରେ କେକ, ଫ୍ରୁଟ୍ ସାଲାଡ଼, ଆଇସକ୍ରିମ ଆଦି ଖାଇବାକୁ ଦିଅନ୍ତି । ଆମର କୁକୁଡ଼ା ମାଂସ ଛଡ଼ା ଅନ୍ୟ ମାଂସ ଚଳେନି ବୋଲି ମିସେସ୍ ଟାରଲିନ୍ ସେ ଦିନ ଡିନରରେ ଆମ ପାଇଁ ବିରାଟ ବିରାଟ କୁକୁଡ଼ାକୁ ରୋଷ୍ଟିଙ୍ଗ୍ କରିଥାଆନ୍ତି । ଭାସ୍କର ଅଳ୍ପଦିନ ହେଲା ଆସି ଥିବାରୁ ରୋଷ୍ଟେଡ଼ କୁକୁଡ଼ାକୁ କେମିତି ଖାଇବାକୁ ହୁଏ ଜାଣିନ ଥାଏ । ଆମେ କେମିତି ଖାଉଛୁ ଲକ୍ଷ୍ୟ କରି ସେ ଠିକ୍ ସେଇ ରୀତିରେ ଖାଉଥାଏ । ଭାସ୍କର ସେମାନଙ୍କ ଖାଇବା ରୀତିରେ ଅନଭ୍ୟସ୍ତ ବୋଲ ମିସେସ୍ ଟାରଲିନ୍‍ଙ୍କ ତୀକ୍ଷ୍‌ଣ ଦୃଷ୍ଟି ସଙ୍ଗେ ସଙ୍ଗେ ଆବିଷ୍କାର କରି ପାରିଥିଲା । ତେଣୁ କାଳେ ଭାସ୍କରର ଖାଇବାରେ ଅସୁବିଧା ହେବ ସେ ଭାସ୍କରକୁ ଅନୁରୋଧ କଲେ, ତା ସୁବିଧା ମୁତାବକ ଯେ କୌଣସି ରୀତିରେ ଖାଇବା ପାଇଁ । ଅବଶ୍ୟ ସେ ଦିଗରେ ଆମେରିକାନମାନେ ଇଂରେଜମାନଙ୍କ ଭଳି ରକ୍ଷଣଶୀଳ ନୁହନ୍ତି । ଇଂରେଜମାନେ ଏତେ ରକ୍ଷଣଶୀଳ ଯେ ଡିନରଟେବୁଲ ଉପରକୁ ଆସିଲାବେଳେ ଯଦି ଉପଯୁକ୍ତ ପୋଷାକ କେହି ପିନ୍ଧିନଥାଏ, ତେବେ ସେମାନେ ଅପମାନିତ ବୋଧ କରନ୍ତି । ଇଂଲଣ୍ଡର କେତେକ ବଡ଼ ବଡ଼ ହୋଟେଲ ଏତେ ରକ୍ଷଣଶୀଳ ଯେ ଉପଯୁକ୍ତ ଡିନର ପୋଷାକ ପିନ୍ଧିନଥିଲେ ସେମାନେ ଡିନର ପାଇଁ ହୋଟେଲ ଭିତରକୁ ପଶିବାକୁ ଦିଅନ୍ତି ନାହିଁ । ଇଂରେଜମାନଙ୍କର ସମାଜ ଏତେ ରକ୍ଷଣଶୀଳ ବୋଲି ସେ ଭଳି ସମାଜରେ ଆମ ଚଳିବା ଅତୀବ କଷ୍ଟକର । ସୌଭାଗ୍ୟ ବଶତଃ ଆମେରିକାନମାନେ ମୋଟେ ରକ୍ଷଣଶୀଳ ନୁହନ୍ତି । ଡିନର ପାଇଁ ସେମିତି କିଛି ବିଧିବଦ୍ଧ ପୋଷାକ ନ ପିନ୍ଧିଲେ ସେମାନେ କିଛି ମନେ କରନ୍ତିନି । ଖାଇବା ଟେବୁଲ ଉପରେ କଣ୍ଟା, ଚାମଚ, ଛୁରୀର ବ୍ୟବହାରରେ କିଛି ବ୍ୟତିକ୍ରମ ଘଟିଲେ ମଧ୍ୟ ସେମାନେ କିଛି ଭାବନ୍ତି ନାହିଁ ।

 

ଆମେରିକାରେ ପହଞ୍ଚିବା ଅଳ୍ପ କେଇ ଦିନ ଭିତରେ ଆମେ ସେମାନଙ୍କର ଏହି ଅରକ୍ଷଣଶୀଳତାର ପ୍ରକୃଷ୍ଟ ପରିଚୟ ପାଇଥିଲୁଁ । ଆମେ ଆମେରିକାରେ ପହଞ୍ଚିବାର ପ୍ରାୟ ସପ୍ତାହେ ଦୁଇସପ୍ତାହ ଭିତରେ ଏକ ନିମନ୍ତ୍ରଣ ପାଇଲୁଁ ମିସେସ୍ ରୁବିୟାନସ୍‌ଙ୍କ ଘରୁ । ମିସେସ୍ ରୁବିୟାନସ୍ ଆମ ବିଶ୍ଵବିଦ୍ୟାଳୟ ଅଫିସରେ ଜନୈକ ସେକ୍ରେଟେରୀ । ସେ ଦିନେ ଆମ ପରିବାର ସମେତ ବୀରେନ୍ଦ୍ରକୁ ନିମନ୍ତ୍ରଣ କରିଥାନ୍ତି ସାନ୍ଧ୍ୟଭୋଜନ ପାଇଁ । ଭାସ୍କର ଯେମିତି ଅସୁବିଧାରେ ପଡ଼ିଥିଲା, ଆମେ ଠିକ୍‌ ସେହିଭଳି ଅସୁବିଧାରେ ପଡ଼ିଥିଲୁଁ ସେଦିନ । ମିସେସ୍ ରୁବିୟାନ୍‍ସ ସେ ଦିନ ତାଙ୍କର ଅନ୍ୟାନ୍ୟ ବହୁ ବନ୍ଧୁ ଓ ବନ୍ଧୁ ପତ୍ନୀଙ୍କୁ ନିମନ୍ତ୍ରଣ କରିଥାନ୍ତି । ଆମେ ସେ ଦିନ ସେହି ଡିନରରେ ହୋଇ ଥାଉ ପ୍ରଧାନ ଅତିଥି । ଭାରତ ନେଇ ନାନା ପ୍ରକାର କଥାବାର୍ତ୍ତା ପରେ ଆସେ ସମସ୍ତେ ଡିନର ଟେବୁଲକୁ ଗଲୁଁ । ଆମର କାଳେ ତାଙ୍କ ରୀତିରେ କଣ୍ଟା ଚାମଚ ଧରି ଖାଇବାରେ ଅସୁବିଧା ହେବ ଆମକୁ ଅନୁରୋଧ କଲେ କିଛି ନଭାବି ଭାରତୀୟ ରୀତିରେ ଖାଇବା ପାଇଁ । ଅବଶ୍ୟ ଆମେ ସେତେବେଳକୁ ଆମେରିକାନ ଢଙ୍ଗରେ କଣ୍ଟା ଚାମଚରେ ଖାଇବା ଅଭ୍ୟାସ କରି ନେଲୁଣି । ସେଦିନ ଭଦ୍ରମହିଳା ଆମ ସମ୍ମାନାର୍ଥେ ଭରତୀୟ ରୀତିରେ ଭାତ ଓ କୁକୁଡ଼ା ମାଂସର ଝୋଳ କରିଥାନ୍ତି । ଆମ ଦେଶ ରୀତିରେ ମସଲା ଦିଆଯାଇ ଝୋଳ ହୋଇଥାଏ । ଅନ୍ୟ ଅତିଥିମାନେ ବେଶ୍ ଆଦରର ସହିତ ଭାରତୀୟ ରନ୍ଧା ଖାଉଥାନ୍ତି ଓ ଆମ ଦେଶର ରନ୍ଧା ରୀତିକୁ ପ୍ରଶଂସା ନିକରି ଛାଡ଼ୁନଥାନ୍ତି । ସେହି ଦିନଠାରୁ ଆମେ ପୂରାପୂରି ଅବଗତ ହୋଇ ଯାଇଥିଲୁ ଆମେରିକାନମାନଙ୍କ ଅରକ୍ଷଣଶୀଳତା ବିଷୟରେ ।

 

ମିସେସ୍ ଟାରଲିନ୍‌ଙ୍କ ଘରୁ ସେ ଦିନ ଡିନର ଓ ସପର ଖାଇ ଫେରିଲାବେଳକୁ ରାତି ଏଗାରଟା । ଆସିଲାବେଳେ ପୁଣି କେତେ ଉପହାର, ଆମ ଉପହାରର ପ୍ରତ୍ୟୁପହାର । ମିଷ୍ଟର ଓ ମିସେସ୍ ଟାରଲିନଙ୍କୁ ଅଶେଷ ଧନ୍ୟବାଦ ଜଣାଇ ତାଙ୍କଘରୁ ଫେରିଲୁ । ବାଟରେ ଆସିଲାବେଳେ ଭାସ୍କର ପଚାରିଲା ‘‘ଡିନର ଖାଇବାକୁ ଗଲେ ଏତେ ଡେରିରେ ଫେରିବାକୁ ପଡ଼େ ? ମୁଁ କହିଲି, “ଏ ତ ଡିନର ! ଏଥିରେ ସଅଳ ସଅଳ ଫେରିବା କଥା । ଥରେ ଯଦି ସେମାନଙ୍କ ପୋଷ୍ଟ ଡିନର ପାର୍ଟିକୁ ଯିବ, ତେବେ ଫେରିଲାବେଳକୁ ରାତି ଦୁଇଟା ।”

 

ଭାସ୍କର ଆମେରିକା ଆସିବା କିଛି ଦିନ ପୂର୍ବରୁ ଦିନେ ମୋ ଅଧ୍ୟାପକ ଡକ୍ଟର ଫ୍ରିଡ଼ମ୍ୟାନ୍ ଆମକୁ ତାଙ୍କ ଘରେ ଏକ ପୋଷ୍ଟଡିନର ନିମନ୍ତ୍ରଣରେ ଯୋଗ ଦେବା ପାଇଁ ଅନୁରୋଧ କରିଥାନ୍ତି । ଆମ ଛଡ଼ା ଆମ ଡିପାର୍ଟମେଣ୍ଟର ଅନ୍ୟ ପୋଷ୍ଟଡକ ପରିବାର ଓ ସେଥିସହ ତାଙ୍କର କେତେକ ଅନ୍ତରଙ୍ଗ ଅଧ୍ୟାପକ ବନ୍ଧୁ ମଧ୍ୟ ନିମନ୍ତ୍ରିତ ହୋଇ ଯୋଗ ଦେଇଥାନ୍ତି । ଆମେରିକାନ ପରିବାରରେ ଡିନରଖିଆ ଯାଏ ସନ୍ଧ୍ୟା ଛଟାରେ । ଆମ ନିମନ୍ତ୍ରଣ ସମୟ ରାତ୍ର ଆଠଟା ହୋଇଥିବାରୁ ଏହାକୁ ପୋଷ୍ଟ ଡିନର ନିମନ୍ତ୍ରଣ ବୋଲି ଜାଣି ଥାଉଁ । ତେଣୁ ଡିନର ଖାଇ ସାରି ସେଠାକୁ ଯିବା କଥା । ପୋଷ୍ଟଡିନର ନିମନ୍ତ୍ରଣକୁ ସାଧାରଣତଃ ପିଲାପିଲି ନେଇ ଯିବା କଥା ନୁହେଁ କିନ୍ତୁ ଆମେ ଭାରତୀୟ ହୋଇଥିବାରୁ ଓ ଆମ ପିଲାମାନେ ବେବୀସିଟର ପାଖରେ ରହିବା ପାଇଁ ଅଭ୍ୟସ୍ତ ହୋଇ ନ ଥିବାରୁ ମିସେସ୍ ଫ୍ରିଡ଼ମେନ୍ ଆମ ପୂରା ପରିବାରକୁ ନିମନ୍ତ୍ରଣ କରିଥାନ୍ତି ।

 

ସେ ଦିନ ଭୟାନକ ତୁଷାରପାତ ହେଉଥାଏ । ସେହି ତୁଷାରପାତବେଳେ ଗାଡ଼ି ଚଳାଇ ଠିକ୍ ଆଠଟାବେଳକୁ ଆମେ ତାଙ୍କ ଘରେ ପହଞ୍ଚିଗଲୁଁ । ମିସେସ୍ ଫ୍ରିଡ଼ମେନ୍ ପିଲାମାନଙ୍କ ଖେଳିବା ଓ ଖେଳିସାରି ଶୋଇବା ପାଇଁ ନାନା ବନ୍ଦୋବସ୍ତ କରିଥାନ୍ତି । ଆମେ ସମସ୍ତେ ତାଙ୍କ ଡ୍ରଇଁ ରୁମରେ ବସିଲୁଁ । ଧୀରେ ଧୀରେ ଅନ୍ୟାନ୍ୟ ନିମନ୍ତ୍ରିତ ବ୍ୟକ୍ତିମାନେ ଆସି ପହଞ୍ଚି ଗଲେ । ପିଲମାନଙ୍କୁ ନେଇ ଡକ୍ଟର ଫ୍ରିଡ଼ମାନ୍ ଓ ତାଙ୍କ ମିସେସ୍ ନାନାପ୍ରକାର ଖେଳରେ ଲଗାଇ ଦେଲେ । ଆମେ ତାଙ୍କ ବୈଠିକ୍ ଖାନାରେ ବସି ଗପ ସପରେ ଲାଗିଗଲୁ ।

 

ପୋଷ୍ଟ ଡିନର ନିମନ୍ତ୍ରଣରେ ପରଶାଯାଏ ମଦ । କେବଳ ମଦ ପିଇବାହିଁ ହେଉଛି ସେଥିର ରୀତି । ମଦ ସଙ୍ଗେ ସଙ୍ଗେ ନାନା ପ୍ରକାର ଚାଟ । ମିସେସ୍ ଫ୍ରିଡ଼ମାନଙ୍କ ବାପା ବୋଷ୍ଟନରେ ଜଣେ ଧନୀ ଲୋକ । ସେ ଦିନ ପାର୍ଟିପାଇଁ ସେ ତାଙ୍କ ବାପାଙ୍କ ଘରକୁ ଯାଇ ତାଙ୍କ ସେଲର୍‌ରୁ ଅତି ଦାମିକା ଓ ସାଧାରଣରେ ବିରଳ ପୁରୁଣା ସ୍କଚ୍‌ହୁଇସ୍କି ଆଣିଥାନ୍ତି । ଡକ୍ଟର ଫ୍ରିଡ଼୍‌ମାନ୍ ନିଜେ ପରଶୁଥାନ୍ତି ଅତିଥିମାନଙ୍କୁ ସେହି ମଦ । ଆମକୁ ଯାଚିଲାରୁ ଆମେ ଆମ ଅକ୍ଷମତା ଜଣାଇ ଫଳ ରସ ପାଇଁ ବରାଦ କଲୁ । ସେ ଫଳରସ ଜିଞ୍ଜର ଏଲ୍ ଦେବେ ବୋଲି କହିବାରୁ ଆମେ ତାଙ୍କୁ ମନା କଲୁ । କାରଣ ସେଥିରେ ଏଲ୍‌ ଶବ୍ଦ ବ୍ୟବହୃତ ହୋଇଥିବାରୁ ଆମର ଗ୍ରହଣ ଯୋଗ୍ୟ ନୁହେଁ । ଶେଷରେ ଆମେ କମଳା ଲେମ୍ବୁ ରସହିଁ ପାନ କଲୁଁ । ପିଇବାରେ ଆମର ଏତେ ନୈଷ୍ଠିକତା ଦେଖି ସେ ଯେ ଖାଲି ଆଶ୍ଚର୍ଯ୍ୟ ହେଲେ ତା ନୁହେଁ, ସେଠାରେ ସମବେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଡକ୍ଟର ଫ୍ରିଡ଼ମାନ୍ ସେତିକିବେଳେ ଗୋଟିଏ ଘଟଣା ବର୍ଣ୍ଣନା ନ କରି ରହିପାରିଲେନି । ସେ କହିଲେ କିଛି ବର୍ଷ ତଳେ ତାଙ୍କଠାକୁ ସର୍ବ ପ୍ରଥମେ ଜଣେ ଭାରତୀୟ ପୋଷ୍ଟଡକ୍ ହୋଇ ଆସିଥିଲେ । ଏହି ଭଲ ଦିନେ ତାଙ୍କ ଘରକୁ ନିମନ୍ତ୍ରିତ ହୋଇ ସେ ଆସିଥିଲେ ପୋଷ୍ଟ ଡିନ୍‌ର ପାଇଁ । କିନ୍ତୁ ସେ ଭଦ୍ରଲୋକ ସେତେବେଳକୁ ମଦ ଛୁଇଁବାକୁ ଧର୍ମ ବିରୋଧୀ ବୋଲି ଭାବୁଥିଲେ । ତେଣୁ ତାଙ୍କ ଘରେ ମଦ ଖାଇଲେନି । କିନ୍ତୁ କିଛିଦନ ଆମେରିକାରେ ରହିବାପରେ ସେ ଏତେ ମଦପିଇବାରେ ଅଭ୍ୟସ୍ତ ହୋଇ ପଡ଼ିଲେ ଯେ ବହୁ ଆମେରିକାନ୍‍ଙ୍କୁ ସେ ଏଦିଗରେ ବଳିଗଲେ । ସେହି ଘଟଣାଟିର ତାତ୍ପର୍ଯ୍ୟ ହୃଦୟଙ୍ଗମ କରି ଡକ୍ଟର ଫ୍ରିଡ଼ମାନ୍‌ଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଲି, ଯେ ମୋ ପକ୍ଷରେ ସେ ଭଳି ଅବସ୍ଥା ହେବା ସମ୍ଭବ ପର ନୁହେଁ । କାରଣ ମଦକୁ ଆମେ ଧର୍ମ୍ମବିରୋଧୀ ବୋଲି ଦେଖୁନି, ଏହାକୁ ଆମେ ଦେଖୁ ମାନବକିତା ବିରୋଧୀ ଭାବରେ । ତେଣୁ ଆମର ସେ ଭଳି ଭୁଲ ହେବା ସମ୍ଭବପର ନୁହେଁ ।

 

ସେଦିନ ଆମେ ଡକ୍ଟର ଫ୍ରିଡ଼ମାନ୍‌ଙ୍କ ଘରୁ ଫେରୁ ଫେରୁ ରାତ୍ରି ଦୁଇଟା । ରାତି ଦୁଇଟାବେଳେ ନିଉଟନ୍‍ର ସେହି ନିଛାଟିଆ ରାସ୍ତା ଦେଇ ଫେରିଲାବେଳେ ବଡ଼ ଭୟ ହେଉଥାଏ ।

 

ଭାସ୍କର ଆମଠାରୁ ସେହି ସବୁ କଥା ଶୁଣି ଶୁଣି ଧୀରେ ଧୀରେ ମାର୍କିନ୍ ପରିବାରର ରୀତିନୀତି ସହିତ ପରିଚିତ ହେବାକୁ ଲାଗିଲା । ଆମର ଯେତେ ଯେଉଁଠି ମାର୍କିନ ବନ୍ଧୁ ସାଙ୍ଗ ସାଥୀ ଥିଲେ ସମସ୍ତଙ୍କ ସହିତ ତାକୁ ପରିଚିତ କରାଇ ଦେଲୁ, ଯେମିତି ଆମେ ଚାଲିଗଲା ପରେ ଭାସ୍କରର ଏକାଟିଆ ଚଳିବାରେ କିଛି ଅସୁବିଧା ନ ହୁଏ ।

 

ଚାହୁଁ ଚାହୁଁ ୱାଲଥାମ୍ ଛାଡ଼ିବା ଦିନ ପାଖେଇ ଆସିଲା । ଆମ ଜିନିଷ ପତ୍ର ସବୁ ବନ୍ଧାବନ୍ଧି କରି ସେଗୁଡ଼ିକୁ ଭାରତ ପଠାଇ ଦେବା ଉଦ୍ଦେଶ୍ୟରେ କେମ୍ବ୍ରିଜସ୍ଥ ଆମ ଏଜେଣ୍ଟ ୱେଟମୋର କୋମ୍ପାନୀକୁ ଦେଇ ଦେଲୁଁ । ସେ କୋମ୍ପାନୀ ସେଗୁଡ଼ିକୁ ଭଲ ଭାବରେ ପେକ କରି ପାଣି ଜାହାଜରେ କଲିକତା ବନ୍ଦର ଅଭିମୁଖେ ପଠାଇ ଦେବା କଥା । ସଙ୍ଗରେ ନେବା ପାଇଁ ମୋଟେ ପାଞ୍ଚଟି ସୁଟକେଶ୍ ରଖି ବାକି ସମସ୍ତ ଜିନିଷ ଆମ ଘରୁ ବାହାରି ଗଲା ।

 

ଇତି ମଧ୍ୟରେ ଆମ ଇଉରୋପ ଭ୍ରମଣରେ ପ୍ରୋଗ୍ରାମ୍ ଠିକ୍ ହୋଇ ଯାଇଥାଏ । ୱାଲଥାମ୍ ସିନା ଆମେ ଅଗଷ୍ଟ ମାସ ୩୦ ତାରିଖ ଦିନ ଛାଡ଼ିବୁ, କିନ୍ତୁ ପ୍ରକୃତରେ ଆମେ ଆମେରିକା ଛାଡ଼ିବୁ ସେପେ୍‌ଟମ୍ବର ମାସ ତା୩0 ତାରିଖ ଦିନ । ଆମେ ସେ ଦିନ ନିଉୟର୍କରୁ ଏଆର ଇଣ୍ଡିଆ ଇଣ୍ଟର ନ୍ୟାସନ୍ୟାଲ କମ୍ପାନୀର ବୋଇଙ୍ଗ୍ ଜେଟ୍ ବିମାନରେ ରମାନା ହେବୁ ଲଣ୍ଡନ ଅଭିମୁଖେ । ଲଣ୍ଡନରେ ଚାରିଦିନ ରହି ସେଠାରୁ ଯିବୁଁ ପାରିସ୍‍, ପାରିସ୍‍ରେ ତିନିଦିନ ରହି ସେଠାରୁ ଯିବୁଁ ସୁଇଜରଲାଣ୍ଡ ରାଜ୍ୟର ଜେନିଭା । ଜେନିଭାରେ ଦୁଇଦିନ ରହି ସେଠାରୁ ଯିବୁଁ ଜର୍ମାନୀର ମିଉନିକ୍ ସହରକୁ, ମିଉନିକ୍ ରେ ଦୁଇ ଦିନ ରହି ସେଠାରୁ ଆସିବୁ ରୋମ୍ । ରୋମ୍‌ରେ ତିନିଦିନ ରହି ସେଠାରୁ ସିଧା ରମାନା ହେବୁ ବମ୍ବେ ଅଭିମୁଖେ । ଆମେ ଇଉରୋପର ଏହି ସବୁ ସହର ଭ୍ରମଣ କରିବୁଁ ପୂରାପୂରି ଉଡ଼ାଜାହାଜରେ । ଯେଉଁ ଯେଉଁ ସହରରେ ରହିବୁଁ ହୋଟେଲରେ ସ୍ଥାନ ରିଜର୍ଭ ପାଇଁ ସେହି ସେହି ସହରର ହୋଟେଲକୁ ଚିଠି ଲେଖିଦେଲୁଁ ।

 

ଆମେ ୱାଲଥାମ୍‌ ଛାଡ଼ିବା ତିନି ଚାରି ଦିନ ଥାଏ, ଆମ ପ୍ରୋଗ୍ରାମ ଅନୁଯାୟୀ ଲଣ୍ଡନ ଛଡ଼ା ଅନ୍ୟ ସବୁ ସ୍ଥାନରେ ଆମ ପରିବାର ପାଇଁ ହୋଟେଲ ରିଜର୍ଭ ହୋଇଥିବା ଖବର ଚାଲି ଆସିଲା । ଲଣ୍ଡନରେ ଆମପାଇଁ ହୋଟେଲ ରିଜର୍ଭ କରିବା ଦାୟିତ୍ୱ ନେଇଥାଆନ୍ତି ଲଣ୍ଡନରେ ଥିବା ଆମର ଅନ୍ତରଙ୍ଗ ବନ୍ଧୁ ଶ୍ରୀଯୁକ୍ତ ହରିହର ପଟ୍ଟନାୟକ । ଆମେ ଭାରତ ଛାଡ଼ିବା ପ୍ରାୟ ଦଶମାସ ପରେ ସେ କଲମ୍ବୋ ଯୋଜନା ଅନ୍ତର୍ଭୁକ୍ତ ବୃତ୍ତିପାଇ ଉଦ୍ଭିଦ ବିଜ୍ଞାନରେ ପି:ଏଇଚ:ଡ଼ି:କରିବା ପାଇଁ ଲଣ୍ଡନ ଆସିଥାନ୍ତି ଓ ଲଣ୍ଡନରେ ୱେଷ୍ଟଫିଲଡ଼ କଲେଜରେ ଗବେଷଣା କରୁଥାନ୍ତି । ଆମେ ଯେଉଁ ଚାରିଦିନ ଲଣ୍ଡନରେ ରହିବୁଁ, ଲଣ୍ଡନର କେଉଁ ହୋଟେଲରେ ରହିବୁଁ ଲଣ୍ଡନର କଅଣ କଅଣ ଦେଖିବୁଁ, ସେ ସବୁର ପ୍ରୋଗ୍ରାମ ଆମେ ଛାଡ଼ି ଦେଇ ଥାଉଁ ହରିବାବୁଙ୍କ ଉପରେ । ସେ ଆମ ପାଇଁ ହୋଟେଲ ଆଦି ସମସ୍ତ ବନ୍ଦୋବସ୍ତ କରିବେ ବୋଲି ଆମଠାକୁ ଲେଖିଦେଇଥାନ୍ତି ଓ ଆମ ସହିତ ପୁରୀ ପଣ୍ଡାଙ୍କ ଭଳି ସବୁ ଦାୟିତ୍ୱ ନେବେ ବୋଲି କହିଥାନ୍ତି ।

 

ଆମେ ଯେତେବେଳେ ଆମେରିକା ଛାଡ଼ିବାର ପ୍ରୋଗ୍ରାମରେ ବ୍ୟସ୍ତ; ସେତେବେଳେ ଆମ ଓଡ଼ିଶାର ଦୁଇଜଣ ଅଧ୍ୟାପକ ଆମେରିକାରେ ପହଞ୍ଚିଲେ ଉଚ୍ଚଶିକ୍ଷା ପାଇଁ । ସେ ଦୁଇଜଣଯାକ ମୋର ଛାତ୍ର ତଥା ବନ୍ଧୁ । ପ୍ରଥମ ଜଣକ ହେଉଛନ୍ତି ପ୍ରଶାନ୍ତଚନ୍ଦ୍ର ମିଶ୍ର, ବୋଷ୍ଟନ୍‌ର ନର୍ଥ ଇଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ପି:ଏଇଚ:ଡ଼ି:କରିବା ପାଇଁ ଆସିଥାନ୍ତି । ଅନ୍ୟ ଜଣଙ୍କ ହେଉଛନ୍ତି ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି । ପ୍ରାଣୀ ବିଜ୍ଞାନରେ ପି.ଏଇଚ.ଡ଼ି ପାଇଁ ମିଚିଗାନ ବିଶ୍ଵବିଦ୍ୟାଳୟକୁ ଯାଇଥାନ୍ତି । ପ୍ରିୟମ୍ବଦା ହରିବାରୁଙ୍କର ଭାଣିଜି । ହିରିବାବୁ ପ୍ରିୟମ୍ବଦା ଆମେରିକା ଯିବା କଥା ଲଣ୍ଡନରୁ ମୋ ପାଖକୁ ଲେଖିଥାନ୍ତି । ତେବେ ପ୍ରଶାନ୍ତ ବୋଷ୍ଟନ ଆସୁଥିବାରୁ ଆମେ ଆମେରିକା ଛାଡ଼ିବା ପୂର୍ବରୁ ତା ସହିତ ଦେଖା ହେବାର ସମ୍ଭାବନା ଥାଏ । କିନ୍ତୁ ପ୍ରିୟମ୍ବଦା ନିଉୟର୍କ ବନ୍ଦରରୁ ସିଧା ସଳଖ ମିଚିଗାନ୍‌ ଯାଉଥିବାରୁ ତା ସହିତ ଆମର ଦେଖା ହେବାର ସମ୍ଭାବନା ନ ଥାଏ ।

 

ହଠାତ୍ ଦିନେ ଚିଠି ପାଇଲି ପ୍ରଶାନ୍ତ ଲେଖିଥାଏ ସେ ବୋଷ୍ଟନ ଆସୁଛି ବୋଲି । ଆମ ବସାରେ ରହିବ ବୋଲି ଚିଠି ଦେଇଥାଏ । ପ୍ରଶାନ୍ତର ଚିଠି ପାଇ ଭାରି ଖୁସି ହେଲୁ । ଏତେ ଦିନ ପରେ ଆଉ ଜଣେ ଓଡ଼ିଆଙ୍କୁ ସେଠି ଦେଖିବା ଆଶାରେ ଉତ୍‌ଫୁଲ ହୋଇ ଉଠିଲୁ ।

 

ଚିଠି ଅନୁଯାୟୀ ପ୍ରଶାନ୍ତ ଆସି ବ୍ରେଣ୍ଡାଇସ ବିଶ୍ଵବିଦ୍ୟାଳୟରେ ପହଞ୍ଚିଲା । ଭାସ୍କର, ପ୍ରଶାନ୍ତକୁ ସଙ୍ଗରେ ଧରି ବସାକୁ ଫେରିଲି । ସେତେବେଳକୁ ଆମର ସବୁ ଜିନିଷ ପତ୍ର ପାଣି ଜାହାଜରେ ପଠାଇ ଦିଆ ଗଲାଣି । ତେବେ ଭାରତୀୟ ଢଙ୍ଗରେ ରନ୍ଧା ରନ୍ଧି କରି ଆପ୍ୟାୟିତ କଲୁ-। ପ୍ରଶାନ୍ତ ସେତେବେଳେ କନେକଟିକଟ୍ ରାଜ୍ୟର ୟେଲ୍ ବିଶ୍ଵବିଦ୍ୟାଳୟରେ ଫୁଲ ବ୍ରାଇଟ ଟ୍ରାଭେଲିଂ ଫେଲୋସିପ୍ ପାଇଁ ଆସିଥିବାରୁ ପ୍ରୋଗ୍ରାମ ଅନୁଯାୟୀ ପ୍ରାଥମିକ ଟ୍ରେନିଂ ନେଉଥାଏ-। ଫୁଲବ୍ରାଇଟ୍ ଫେଲେସିପର ଏହା ଏକ ପ୍ରଚାର ମୂଳକ ପ୍ରୋଗ୍ରାମ । ବିଦେଶରୁ ଆସିଥିବା ଯୁବକ ଯୁବତୀମାନଙ୍କୁ ଆମେରିକାର ଭଲ ଗୁଣ ଗୁଡ଼ିକୁ ଦେଖାଇ ଆମେରିକା ପ୍ରତି ସେମାନଙ୍କୁ ଅନୁରକ୍ତ କରିବା ପାଇଁ ଏହା ଏକ ପ୍ରଚେଷ୍ଟା । ଯେଉଁମାନେ ତ ଆମେରିକା ଆସୁଛନ୍ତି ସେମାନେ ଆମେରିକାରେ ସବୁ କିଛି ସଂସ୍ପର୍ଶରେ ଆସି ଏଠାର ଭଲ ମନ୍ଦ ନିଜେ ଦେଖି ଅନୁଭବ କରିବେ-। ସେମାନଙ୍କୁ ମୂଳରୁ ଆମେରିକାର ଭଲଗୁଣଗୁଡ଼ିକୁ ଦେଖାଇ ସେମାନଙ୍କ ମନକୁ ଆମେରିକା ଆଡ଼କୁ ପ୍ରଭାବିତ କରିବା କ’ଣ ଦରକାର ? ଯୁବକ ଯୁବତୀମାନଙ୍କର ସ୍ଵାଧୀନ ମତକୁ ସମ୍ମାନ ଦେଖାଇ ଆମେରିକା ସଂପର୍କରେ ସେମାନଙ୍କର ସ୍ଵାଧୀନ ମତ ପୋଷଣ କରିବାକୁ ସୁବିଧା ଦେବାରେ ଫୁଲ ବ୍ରାଇଟ୍ କର୍ମକର୍ତ୍ତାଙ୍କର କ’ଣ ଭରସା ନାହିଁ ?

 

ପ୍ରଶାନ୍ତ ୱାଲଥାମରେ ଦୁଇଦିନ ରହିବା ଭିତରେ ସେ ସର୍ବଦା ବ୍ୟସ୍ତ ଥିଲା ନିଜ ପାଇଁ ଗୋଟିଏ ଭଲ ରହିବା ସ୍ଥାନ ଖୋଜିବାରେ । ତା ଛଡ଼ା ସେ ଟାଫ୍‌ଟ ଓ ନର୍ଥ ଇଷ୍ଟର୍ଣ୍ଣ ଦୁଇଟି ବିଶ୍ଵବିଦ୍ୟାଳୟରେ ସ୍ଥାନ ପାଇଥିବାରୁ କେଉଁଠି ଯୋଗ ଦେବ ଠିକ୍ କରିବା ପାଇଁ ବୋଷ୍ଟନ ଦୌଡ଼ି ଅସିଥିଲା । ଅବଶ୍ୟ ସେ ରହିବା ଭିତରେ ସୋମନାଥ, ଭାସ୍କର, ଆଦିଙ୍କ ସହିତ ଏକ ଭୋଜି ବ୍ୟବସ୍ଥା କରିଯାଇଥିଲା ଆମ ଘରେ । କେମ୍ବ୍ରିଜରୁ ଅଣା ଯାଇଥିବା ଏକ ବିରାଟ ରୋହିମାଛ ସଙ୍ଗେ ପଲାଉ ଆଦିର ଯାକ ଯମକ ସେ ଦିନର ଭୋଜିକୁ ବେଶ ଉପଭୋଗ୍ୟ କରିଥିଲା । ବୋଷ୍ଟନରେ ରହିବାର ସବୁ ଠିକ୍ ଠାକ୍ କରି ପ୍ରଶାନ୍ତ ଫେରିଗଲା ୟେଲ୍ ବିଶ୍ଵବିଦ୍ୟାଳୟକୁ ଅମେ ୱାଲଥାନ୍ ଛାଡ଼ିବାର ଠିକ୍ ତିନିଦିନ ପୂର୍ବରୁ ।

 

ୱାଲଥାମ ଛାଡ଼ିବା ଦିନ ଏତେ ଶୀଘ୍ର ପାଖେଇ ଆସିବ ବୋଲି ଆମର ଧାରଣା ନଥିଲା-। ଦିନଗୁଡ଼ିକ ୨୪ ଘଣ୍ଟା ପରିବର୍ତ୍ତେ ବାରଶଘଣ୍ଟା ହେଲା ଭଳି ଆମକୁ ଜଣା ପଡ଼ୁଥାଏ । ଅମେରିକା ଛାଡ଼ିବା ପୂର୍ବରୁ ହଇଜା ଆଦି ପ୍ରତିଶେଧକ ବ୍ୟବସ୍ଥା ନେଇ ନେବା ଦରକାର । କାରଣ ଆମେ ଇଉରୋପର ଏତେଗୁଡ଼ିଏ ସହର ପରିଭ୍ରମଣ କରୁଥିବାରୁ କେଉଁଠି କଅଣ ଘଟିପାରେ, ସେହି ଆଶଙ୍କାରେ ଆମେ ସମସ୍ତେ ହଇଜା ପ୍ରତିଷେଧକ ଇନ୍‌ଜେକସନ୍ ନେଇ ନେଲୁଁ । ବସନ୍ତ ଟୀକା ନେବା ଦରକାର ପଡ଼ିଲା ନି, କାରଣ ଆମେ ଭାରତ ଛାଡ଼ିଲାବେଳେ ଟୀକା ନେଇଥିବାର ତିନିବର୍ଷ ପୁରି ନ ଥାଏ ବୋଲି । କି ଭାରତୀୟ, କି ମାର୍କିନ୍ ସବୁ ବନ୍ଧୁ ବାନ୍ଧିବୀଙ୍କ ଠାରୁ ସେମାନଙ୍କ ଘରକୁ ଆଉ ଥରେ ଥରେ ଯାଇ ଶେଷ ବିଦାୟ ନେଇ ଆସିଲୁ । ଆମେ ୱାଲଥାମ ଛାଡ଼ିବା ଦିନ ସେମାନଙ୍କ ଭିତରୁ ଅନେକ ଆମ ଘରଠାକୁ ଆସି ଆମକୁ ବିଦାୟ ଦେବେ ବୋଲି ଜଣାଇଥାନ୍ତି-। ଅଧ୍ୟାପକ ଫ୍ରିଡ଼ମାନ୍ ଓ ତାଙ୍କ ପରିବାର ଆମେ ଆମେରିକା ଛାଡ଼ିଲାବେଳକୁ ବହୁଦୂର ସ୍ଥାନକୁ ଚାଲିଯିବେ ବୋଲି ଆଗରୁ ଆମକୁ ବିଦାୟ ଦେଇ ଯାଇଥାନ୍ତି ।

Image

 

Unknown

ବୋଷ୍ଟନରୁ ଶେଷ ବିଦାୟ

 

ଅଗଷ୍ଟମାସ ତା୩୦ରିଖ ଶୁକ୍ରବାର ୧୯୬୩ ମସିହା । ଓ୍ୱାଲଥାମ୍ ତଥା ବୋଷ୍ଟନରୁ ବିଦାୟ ନେବା ତାରିଖ । ମିସେସ୍ ଲୁଡ଼ର, ମିସେସ୍ ଟାରଲିନ୍‌ ପ୍ରଭୃତି ବହୁ ପରିବାର ଆମକୁ ଶେଷ ଦିନ ବିଦାୟ ଦେବା ପାଇଁ ସହର ବାହାରକୁ ଯାଇ ନଥାନ୍ତି ।

 

ସେହି ଦିନ ସକାଳୁ ଉଠିଲାବେଳକୁ ଆମ ମନଟା କେମିତି କେମିତି ଲାଗୁଥାଏ । ବର୍ଷ ବର୍ଷ ଧରି ଯେଉଁ ସହରରେ ଆମେ ବସବାସ କରି ଆସୁଥିଲୁ, ନିଜ ସାଙ୍ଗସାଥି ବା ସାଇପଡ଼ିଶା ଭଳି ଯେଉଁମାନଙ୍କୁ ଧରି ଏତେ ଦିନ କାଳ ଚଳି ଆସୁଥିଲୁ, ସବୁ ଆଜିଠାରୁ ଶେଷ ହୋଇଯିବ । ବର୍ଷ ବର୍ଷର ମୋହ, ମମତା, ସ୍ନେହ ସବୁ କାଟି ପୁଣି ବିଦାୟ ଦେବାକୁ ପଡ଼ିବ ଭାବିଲାବେଳକୁ ମନଟା ଦୁଃଖରେ ପୂରି ଯାଉଥାଏ । ଦେଶକୁ ଫେରିବୁ ବୋଲି ଗତ କେତେ ଦିନର ଯେଉଁ ସୁଖ, ଏହି ବିଦାୟ କାଳୀନ ଦୁଃଖରେ ସେହି ମନସୁଖ ଟିକକ କେଉଁଆଡ଼େ ଉଭେଇଗଲା । ଆମେରିକା ଆମ ନିଜ ଦେଶ ନ ହେଲେ ହେଁ, ଅମ ସାଇ ପଡ଼ିଶାମାନେ ଭାରତୀୟ ନ ହୋଇ ଆମେରିକାନ୍‌ ହେଲେ ହେଁ ସେମାନଙ୍କୁ ଛାଡ଼ିଲାବେଳକୁ ଆମ ମନରେ ଅଶେଷ ଦୁଃଖ । ଠିକ୍‌ ଭାରତରୁ କଟକ ଛାଡ଼ି ଆମେରିକା ଗଲା ବେଳକୁ ଆମ ମନ ଯେମିତି ଭାବରେ କଷ୍ଟ ହୋଇ ଥିଲା ଏ କଷ୍ଟ ଠିକ୍ ସେହିଭଳି । ଅବଶ୍ୟ ପରିମାଣରେ ଯା କିଛି ତାରତମ୍ୟ ଥିଲା ।

 

ୱାଲଥାମ୍‍ରୁ ଆମେ ବୋଷ୍ଟନର ଉଡ଼ାଜାହାଜ ଘାଟିକୁ ଯିବୁ । ସେଠାରୁ ଆମେ ଉଡ଼ାଜାହାଜରେ ନିଉଜେରସି ଅଭିମୁଖେ ଯାଇ ନିଉଆର୍କ ଉଡ଼ାଜାହାଜ ଘାଟିରେ ଓହ୍ଲାଇବୁ । ନିଉଜେରସିର ନିଉଆର୍କ ଉଡ଼ାଜାହାଜ ଘାଟିରୁ ଆମକୁ ନେବା ପାଇଁ ଆସିଥିବେ ମିସେସ୍ ଡୋନ୍‌ର-। ନିଉଆର୍କରୁ ଆମେ ନିଉଜେରସି ରାଜ୍ୟସ୍ଥ ଫୋର୍ଡ ସହରକୁ ଯାଇ ମିସେସ୍ ଡୋନ୍‌ରଙ୍କ ଘରେ ଅଗଷ୍ଟ ମାସ ୩0 ତାରିଖ ଠାରୁ ସେପ୍‌ଟେମ୍ବର ମାସ ତିନି ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବୁ-। ଏହି ସମୟ ଭିତରେ ଆମେ ନିଉୟର୍କ ସହରର ଥିଏଟର, ସିନେମା ଆଦି ଶେଷଥର ପାଇଁ ଦେଖିନେବା କଥା । ସେପ୍‌ଟେମ୍ବର ମାସ ୩ତାରିଖରେ ନିଉୟର୍କ ଛାଡ଼ି ଆଟଲାଣ୍ଟିକ ମହାସାଗର ଅତିକ୍ରମ କରି ଲଣ୍ଡନ ଅଭିମୁଖରେ ରମାନା ହେବୁ ।

 

ବୋଷ୍ଟନର ଲୋଗନ ଉଡ଼ାଜାହାଜ ଘାଟିକୁ ଯିବୁଁ ଦିନ ଦୁଇଟାରେ, ଦିନ ତିନିଟାରେ ଲୋଗନ ଉଡ଼ାଜାହାଜ ଘାଟି ଛାଡ଼ିବା ଠିକ୍‌ ହୋଇଥାଏ । ଲୋଗନ ଉଡ଼ାଜାହାଜ ଘାଟିରୁ ପ୍ରତି ଘଣ୍ଟାରେ ନିଉୟର୍କ ତଥା ନିଉଜେରସି ରାଜ୍ୟ ଅଭିମୁଖେ ଉଡ଼ାଜାହାଜ ଛାଡ଼ୁଥାଏ । ତେଣୁ ଅନ୍ୟାନ୍ୟ ଉଡ଼ାଜାହାଜ ଭଳି ଏଥିରେ ସିଟ୍‌ ରିଜର୍ଭ କରିବା ଦରକାର ନାହିଁ । ତେଣୁ ନିଉଆର୍କ ଯିବା ପାଇଁ ଆମେ ସିଟ୍ ରିଜର୍ଭ କରି ନଥିଲୁ ।

 

ସକାଳୁ ଉଠି ପ୍ରାତଃକର୍ମ ଶେଷ କରି କଲେଜକୁ ଗଲି । କଲେଜର ସାଙ୍ଗ ସାଥୀ, ଅଧ୍ୟାପକ ବୃନ୍ଦ, ସମସ୍ତଙ୍କଠାରୁ ଶେଷ ବିଦାୟ ନେବା କଥା । କଲେଜର ବହୁ ବନ୍ଧୁ ଓ ବାନ୍ଧବୀ ଦୁଇ ଦିନ ଆଗରୁ ଘରକୁ ଆସି ସ୍ତ୍ରୀ ଓ ପିଲାମାନଙ୍କଠାରୁ ବିଦାୟ ନେଇ ଗଲେଣି । ଶେଷ ଦିନ ମୋର ସେମାନଙ୍କ ଠାରୁ ବିଦାୟ ନେବା କଥା ।

 

ନିଜ ମୋଟରଗାଡ଼ିକୁ ଦୁଇ ଦିନ ପୂର୍ବରୁ ବିଦାୟ ଦେଇଥିବାରୁ ବନ୍ଧୁ ଦାସଗୁପ୍ତ ଆମ ବସାଠାରୁ ୯।୧0 ମାଇଲ ଦୂର ବୋଷ୍ଟନର ଲୋଗନ୍‌ ଏଆରପୋର୍ଟକୁ ଆମକୁ ତାଙ୍କ ଗାଡ଼ିରେ ନେବା କଥା । ସଙ୍ଗରେ ବନ୍ଧୁ ଭାସ୍କର ଉଡ଼ାଜାହାଜ ଘାଟିକୁ ଯିବେ ବୋଲି ଠିକ୍ ହୋଇଥାଏ । କେମ୍ବ୍ରିଜରୁ ଅନ୍ୟତମ ବନ୍ଧୁ ସୋମନାଥ ମଧ୍ୟ ଆମକୁ ବାଟୋଇ ଦେବାପାଇଁ ଲୋଗନ୍ ଉଡ଼ାଜହାଜ ଘାଟିକୁ ଆସିବ ବୋଲି କହିଥାଏ । କଲେଜ କାମ ଶେଷ କରି ଓ କଲେଜର ସମସ୍ତଙ୍କଠାରୁ ବିଦାୟ ନେଇ ସଅଳ ସଅଳ ବାହାରି ଆସିଲି । କାରଣ ଘରେ ଯିବା ପର୍ଯ୍ୟନ୍ତ ଢେର କାମ ବାକିଥାଏ । ଆମେରିକାରେ ଏତେ ଦିନ ଧରି ସାହେବ ମେମ୍‌ଙ୍କ ସଙ୍ଗେ ଚଳିଲେ ମଧ୍ୟ ଆମ ଓଡ଼ିଆ ଘରର ଢଙ୍ଗ ଢାଙ୍ଗ ବେଶି ଛାଡ଼ି ନ ଥାଉ । ତେଣୁ ପୁରୀ, ଯାଜପୁର ଗଲାଭଳି ଆମ ଓଡ଼ିଆ ଘରେ ଯେମିତି ଶେଷ ଥର ପାଇଁ ବନ୍ଧା ବନ୍ଧି ଚାଲିଥାଏ, ସେ ସବୁ ଆଉ ଯାଉଛି କୁଆଡ଼େ ? ଅବଶ୍ୟ ଅନେକେ ଟିକିଏ ଆଶ୍ଚର୍ଯ୍ୟ ହୋଇ ପାରନ୍ତି ଓ ହେବା ମଧ୍ୟ ସ୍ଵାଭାବିକ, ଆମେ ଏତେ ଦିନ ଧରି ଆମେରିକାନ୍‌ଙ୍କ ସଙ୍ଗେ ଚଳି ଆମ ଓଡ଼ିଆ ଗୁଣ ନହରାଇ ସେଗୁଡ଼ିକ ରଖିପାରିଥିଲୁ ସେମିତି ? ଅବଶ୍ୟ ଏହାର ଉତ୍ତର ଦେବା ଦରକାର ପଡ଼ିବନାହିଁ । ଯେଉଁମାନେ ମୋର ପୂର୍ବଲେଖାଗୁଡ଼ିକ ପଢ଼ିଥିବେ, ସେମାନେ ଜାଣିଥିବେ ଯେ ଆମେ ଗୋଟିଏ ପରିବାର ଏତେଦିନ ଧରି ଆମେରିକାରେ ରହିଲୁ । କିନ୍ତୁ ଆମେରିକାରେ ଯେଉଁ କ୍ୱାଟରରେ ରହୁଥିଲୁଁ, ସେହି କ୍ଵାଟରଟିକୁ ପୂରାପୂରି ଭାରତର ଏକ କଲୋନିରେ ପରିଣତ କରି ନେଇଥିଲୁଁ । ସେହି କଲୋନି ବାହାରେ ଆମେ ପୂରାପୂରି ଆମେରିକାନ୍‌ଙ୍କ ଭଳି ହେଲେ ହେଁ କଲୋନି ଭିତରକୁ ଚାଲି ଆସିଲା କ୍ଷଣି ଆମର ପୂରାପୂରି ଭାରତୀୟ ଢଙ୍ଗ । ଘରଭିତରେ ପୂରାପୂରି ଭାରତୀୟ ଖାଦ୍ୟ, ଭାରତୀୟ ପାନୀୟ, ଭାରତୀୟ ପୋଷାକ ପରିଚ୍ଛଦ, ସବୁକିଛି ଭାରତୀୟ ।

 

ଯଥା ସମୟରେ ବନ୍ଧୁ ଦାସଗୁପ୍ତ ତାଙ୍କ ମୋଟର ଗାଡ଼ି ନେଇ ଆମ ଘରଠାରେ ପହଞ୍ଚି ଗଲେ । ଆମେ ଆମର ସୁଟକେଶ ଜିନିଷ ପତ୍ର ଆଦି ଘରୁ ଆଣି କାରରେ ଥୋଇଲୁ । ଆମ ଯିବା ଦେଖି ଆମ ଘର ଦୁଆରେ ବହୁ ଲୋକ ଜମା ହୋଇଗଲେ । ଯେଉଁ ବନ୍ଧୁ ଓ ବାନ୍ଧବୀମାନେ ଆମେ ଗଲାବେଳକୁ ଆମ ଘରଠାକୁ ଆସି ବିଦାୟ ଦେବେ ବୋଲି କହିଥିଲେ ସେମାନେ ସମସ୍ତେ ଆସି ହାଜର । ଝିଅ ଟୁନୁର ବହୁ ସାଙ୍ଗ ଆମ ଘର ଆଗରେ ଗହଳି କରି ଦେଇଥାନ୍ତି । ଟୁନୁକୁ ବିଦାୟ ଦେବା କଥା ଭାବି ଭାବି କେତେ ଝିଅ କାନ୍ଦିବାକୁ ଆରମ୍ଭ କରି ଦେଇଥାନ୍ତି । ଆମ ଘରର ମାଲିକାଣୀ ମିସେସ୍ ଗୁଲେଟି, ତାଙ୍କ ଝିଅ, ତାଙ୍କ ବୋହୂ କାନ୍ଦି କାନ୍ଦି ସ୍ତ୍ରୀଙ୍କୁ କୁଣ୍ଡେଇ ଧରି ଥାଆନ୍ତି । ସେଦିନର ବିଦାୟକାଳୀନ ଦୃଶ୍ୟ ଏବେବି ଆମ ସ୍ମୃତିପଟରୁ ଲିଭିନି । ବୃଦ୍ଧା ମିସେସ୍ ଗୁଲୋଟି ଯେମିତି ଭାବରେ ଆଖିରୁ ଲୁହ ଗଡ଼ାଇ କାନ୍ଦୁଥାନ୍ତି, ଦେଖିବାର କଥା । ଆମ ଦେଶରେ ବିବାହ ପରେ ଝିଅ ଶ୍ଵଶୁର ଘରକୁ ଗଲେବି ଘରେ ଏତେ କାନ୍ଦନ୍ତି ନାହିଁ । ସେହି କନ୍ଦାକନ୍ଦି ଦୃଶ୍ୟ ଦେଖିଲେ ଯେ କେହି ଲୋକର ଆଖି ଓଦା ହୋଇଯିବ । ଝିଅ ବିଦା ହେଉଥିଲେ ଯେମିତି ବହୁ ଲୋକ ଜମା ହୋଇଥାନ୍ତି ଏଠି ଠିକ ସେମିତି ।

 

ସମସ୍ତଙ୍କଠାରୁ ବିଦାୟ ନେଇ କାରରେ ବସିଲୁଁ । ୱାଲଥାମ ସହିତ ଦୁଇ ବର୍ଷରୁ କିଛି ଅଧିକ ସମୟର ସଂପର୍କ ଛିନ୍ନ କରି ଆମେ ଆଗେଇ ଚାଲିଲୁ ବୋଷ୍ଟନର ଲୋଗନ ଉଡ଼ାଜାହାଜ ଘାଟି ଅଭିମୁଖେ । ଦିନ ତିନିଟାବେଳେ ଆମ ଉଡ଼ାଜାହାଜ ଲୋଗନ୍‌ ଉଡ଼ାଜାହାଜ ଘାଟି ଛାଡ଼ିବ ନିଉଜେରସିର ନିଉଆର୍କ ଘାଟି ଅଭିମୁଖେ । ଅନାଉଁ ଅନାଉଁ ଆମ ଗାଡ଼ି ମେନ୍ ଷ୍ଟ୍ରୀଟ୍ ଧରିଲା, ଓ୍ୱାଲଥାମର ଆମ ବସା, ସୁପରମାର୍କେଟ, ମୋଡ଼ିଷ୍ଟ୍ରୀଟ୍, ବେଙ୍କ ସ୍କୋୟାର, ସେଣ୍ଟ୍ରାଲ ସ୍କୋୟାର ଆଦିକୁ ପଛରେ ପକାଇଦେଇ । ଦୁଇବର୍ଷର ସାଙ୍ଗ ସାଥୀ, ସାଇପଡ଼ିଶା କୁଆଡ଼େ ଅଦୃଶ୍ୟ ହୋଇଗଲେ, କେବଳ ୱାଲଥାମର ଇତିହାସରେ ଏକ ଅଦୃଶ୍ୟ କାଳିରେ ଲେଖି ହୋଇ ରହିଲା, ଆମ ପରିବାରର ଆମେରକା ଅବସ୍ଥିତି କଥା । ଦିନ ଯେତେ ଚାଲିଯାଉଥିବ, ୱାଲଥାମର ଲୋକେ ସେତେ ଭୁଲି ଯାଉଥିବେ ଏହି ଭାରତୀୟ ପରିବାରଙ୍କ କଥା ।

 

ଆମ କାର୍ ଛୁଟି ଚାଲିଥାଏ ୱାଟରଟାଉନ୍ ଦେଇ । ଜୀବନର ଅତି ପ୍ରିୟ ଏହି ସହରଟି ତାଠାରୁ ପ୍ରିୟ ଏହି ଚିରପରିଚିତ ରାସ୍ତାଟି ସୋଲଡର୍ ଫିଲ୍‌ଡ଼ ରୋଡ଼ । ଡାହାଣ ପାଖରେ ବିରାଜୁଥାଏ ଟେଲିଭିଜନ ଷ୍ଟେସନ, ସ୍କେଟିଙ୍ଗ କ୍ଲବ, ବାମ ପାଖରେ ଆମ ଚିରପରିଚିତ ପିଲାଙ୍କ ଖେଳା ଖେଳି ପାର୍କ । ଏହି ପାର୍କରେ ଆମର କେତେ ଶନିବାର, ରବିବାର ଯେ କଟିଛି, ତାର ଇୟତା ନାହିଁ । ଆଜି ସେହି ପାଶ୍ଚାତ୍ୟର ସ୍ମୃତିକୁ ପଛକୁ ପକାଇ ଦେଇ ଆମେ ଫେରି ଚାଲିଛୁ ଆମର ବାସସ୍ଥାନ ଭାରତବର୍ଷକୁ । ଆମର ଆମେରିକାରେ ଦୁଇବର୍ଷର ଅବସ୍ଥାନ କେବଳ ଅତୀତ ଇତିହାସର ବିଷୟ ବସ୍ତୁ ହୋଇ ରହିବ । ଲକ୍ଷ୍ୟକଲି ସ୍ତ୍ରୀଙ୍କର ଓଦା ଆଖିପତା ସେ ପର୍ଯ୍ୟନ୍ତ ଶୁଖି ନଥାଏ ।

 

ଯଥା ସମୟରେ ଲୋଗନ୍ ଏୟାର ପୋର୍ଟରେ ଆମେ ଯାଇ ପହଞ୍ଚିଲୁ । ଆମ ଉଡ଼ାଜାହାଜ ଛାଡ଼ିବାକୁ ଆଉ ମୋଟେ ଦଶମିନିଟ୍ ବାକି ବନ୍ଧୁ ସୋମନାଥ ଆମ ଆଗରୁ ଏୟାରପୋର୍ଟରେ ପହଞ୍ଚି ଆମ ଜାହାଜ ଆଦି ଠିକଣା କରି ଗେଟ୍ ପାଖରେ ଆମକୁ ଅପେକ୍ଷା କରି ଥାଆନ୍ତି । ଆମେ ପହଞ୍ଚିଛୁ କି ନାହିଁ ଜିନିଷ ପତ୍ର ଉଡ଼ାଜାହାଜକୁ ଉଠାଇଦେଇ ସୋମନାଥ, ଭାସ୍କର, ଦାଶଗୁପ୍ତଙ୍କଠାରୁ ବିଦାୟନେଇ ଜାହାଜରେ ଚଢ଼ିଲୁ । ଇଷ୍ଟର୍ଣ୍ଣ ଏୟାର ଲାଇନ୍‍ସର ଏକ ବିରାଟ ଟର୍ବୋପ୍ରପ ଜେଟ୍‌ଜାହାଜ । ଦେଖିବାକୁ ଖୁବ୍ ବିରାଟ । ଯାତ୍ରୀରେ ଜାହାଜଟି ପ୍ରାୟ ପୂରିଗଲାଣି । ଆମେ ଚାରିଜଣ ବସିଗଲେ ପୂର୍ଣ୍ଣ ହୋଇଯିବ । ଆମେ ବନ୍ଧୁମାନଙ୍କଠାରୁ ବିଦାୟ ନେଉଛୁ, ତେଣେ ଜାହାଜ କର୍ମକର୍ତ୍ତାମାନେ ଆମକୁ ହାତଠାରି ଡାକୁଥାନ୍ତି ଶୀଘ୍ର ଉଡ଼ାଜାହାଜ ଭିତରକୁ ପଶିବା ପାଇଁ । ପୁଣି ବଡ଼ ବିଚିତ୍ର ବ୍ୟବସ୍ଥା । ଆଗେ ଜାହାଜରେ ବସ, ପରେ ଟିକଟ ଦେଖାଇବ କି କାଟିବ ।

 

ଆମେ ଚାରିଜଣ ଯାକ ଠିକ୍‌ଯାଇ ଜାହାଜରେ ପଶିଛୁ, ଜାହାଜର ପ୍ରୋପେଲର୍‌ ଘୁରିବାକୁ ଲାଗିଲା । ଆମେ ଆମ ସିଟରେ ବସିଛୁ କି ନାହିଁ ଜାହାଜ ଗତିଶୀଳ ହେଲା ଭଳି ବୋଧ ହେଲା । ଆମେ ସଙ୍ଗେ ସଙ୍ଗେ ବସି ଦେହକୁ ବେଲ୍‌ଟରେ ବାନ୍ଧିଛୁ କି ନାହିଁ, ଜାହାଜ ଖୁବ୍ ବେଗରେ ରନ୍‌ୱେ ଉପରେ ଗତି କରିବାକୁ ଲାଗିଲା, ଆକାଶକୁ ଉଠିବାର ଠିକ୍‌ ପୂର୍ବାଭାସ ।

 

ଉଡ଼ାଜାହାଜ ଭିତରେ ଲକ୍ଷ୍ୟ କଲୁ ଲୋକମାନେ ଜାହାଜରେ ବସି ପଇସା ଦେଇ ଟିକଟ କାଟୁଛନ୍ତି । ଆମ ଦେଶରେ ଯେମିତି ଆଗେ ବସରେ ବସନ୍ତି, ବସ ଚାଲିଲେ ଲୋକେ କଣ୍ଡକ୍‍ଟରକୁ ପଇସା ଦେଇ ଟିକଟ କାଟନ୍ତି, ଏଠି ପ୍ରାୟ ଠିକ୍ ସେହିପରି । ଶୁଣିଲୁ ଇଷ୍ଟର୍ଣ୍ଣ ଏୟାର ଲାଇନ୍‍ସର ଏହି କାହାଜ ପ୍ରତି ଘଣ୍ଟାରେ ନିଉୟର୍କ ବା ନିଉଜେରସି ଅଭିମୁଖେ ଯାଏ । ତେଣୁ ସେ ସବୁ ସ୍ଥାନକୁ ଯିବାକୁ ହେଲେ ସିଟ୍‌ ରିଜର୍ଭ କରିବା ଦରକାର ନାହିଁ । ସଙ୍ଗେ ସଙ୍ଗେ ଯିବ, ଜାହାଜରେ ବସିବ, ପରେ ପଇସା ଦେଇ ଟିକଟ କାଟିବ । ଆମେରିକାରେ ଉଡ଼ାଜାହାଜ କେତେ ଲୋକ ପ୍ରିୟ, ଏହିଥିରୁ ସ୍ପଷ୍ଟ ଧାରଣା କରିହେବ ।

 

ନିଉଆର୍କ ଉଡ଼ାଜାହାଜ ଘାଟିରେ ପହଞ୍ଚିବାକୁ ପଇଁଚାଳିଶ ମିନିଟରୁ ଅଧିକ ସମୟ ଲାଗିବ ନାହିଁ । ଚାହୁଁ ଚାହୁଁ ଆମ ଜାହାଜ ଉପରକୁ ଉଠି ମେଘର ବହୁ ଉପରକୁ ଉଠିଗଲା । ଆମ ତଳେ ରହିଗଲା ଆକାଶର ବିରାଟ ଖଣ୍ଡି ଖଣ୍ଡିକିଆ ମେଘରାଶି । ମେଘ ଉପରେ ଗଲାବେଳକୁ ମେଘ ଅତୀବ ସୁନ୍ଦର ଦିଶୁଥାଏ, ଆମକୁ ଦିଶୁଥାଏ ବିରାଟ ବିରାଟ ତୁଳାଗଦା ଭଳି । ଏହି ମେଘରାଶି ଉପରେ ସୂର୍ଯ୍ୟରଶ୍ମି ପଡ଼ି, ମେଘଗୁଡ଼ିକ ଏଡ଼େ ଉଜ୍ଜ୍ଵଳ ଦିଶୁଥାଏ ଯେ ଆମ ତଳେ ଧଳା ତୁଳାରୁ ତିଆରି ବିରାଟ ବିରାଟ ଉଜ୍ଜଳ ପର୍ବତ ରହିଲା ଭଳି ମନେ ହେଉଥାଏ ।

 

ଇଷ୍ଟର୍ଣ୍ଣ ଏୟାର ଲାଇନ୍‌ସ୍‌ର ସେହି, ଜେଟ୍‌ ଜାହାଜରେ ଆମେ ମେଘର ବହୁ ଉପରେ ଉଡ଼ି ଉଡ଼ି ନିମ୍ନସ୍ଥ ତୁଳାରାଶି ପରି ଗଦା ଗଦା ହୋଇଥିବା ମେଘର ଶୁଭ୍ର ରଜତ ସୌନ୍ଦର୍ଯ୍ୟରେ ଯେତିକି ମୁଗ୍‌ଧ ହେଉଥାଉଁ, ଆମ ମୁଣ୍ଡ ଉପରେ ଥିବା ଅକାଶର ଘନ ନୀଳିମାରେ କମ ଆନନ୍ଦିତ ହେଉନଥାଉଁ । ଜାହାଜ ଭିତରେ ପ୍ରାୟ ଶତାଧିକ ଯାତ୍ରୀ । ପୁରୁଷ ଯେତିକି ସ୍ତ୍ରୀ ମଧ୍ୟ ସେତିକି । ଉଡ଼ାଜାହାଜର ଧାଡ଼ି ଧାଡ଼ି ହୋଇ ପଡ଼ିଥିବା ତିନି ତିନିଟିଆ ସିଟ୍‌ଭିତରୁ ସ୍ତ୍ରୀ, ପୁଅ ଓ ଝିଅ ଗୋଟିଏ ପାଖରେ ବସିଥାନ୍ତି । ମୁଁ ବସିଥାଏ ସେହି ଧାଡ଼ିର ଆରପାଖକୁ । ମୋ ପାଖକୁ ଲାଗିଥିବା ସିଟ୍‌ ଦୁଇଟିରେ ବସିଥାନ୍ତି, ଦୁଇଜଣ ମାର୍କିନ୍ ଯୁବତୀ । ଦୁଇଜଣଯାକ ଯୁବତୀ ପଦବାଚ୍ୟ ହେଲେ ହେଁ ସେମାନଙ୍କ ଭିତରୁ ଜନୈକ ବିଗତ ଯୌବନା, ଅର୍ଥାତ୍ ଯୌବନ ଠିକ୍ ଯିବାକୁ ବସିଥିଲେହେଁ ସେ କୌଣସି ପ୍ରକାରେ ଯୌବନକୁ ଟାଣି ଓଟାରି ଧରି ଥାଆନ୍ତି । ସତେ ଯେମିତି ସେ ଯୌବନକୁ ଛାଡ଼ି ପୌଢ଼ତ୍ଵକୁ ଯିବାକୁ ନାରାଜ । ମୋ ସିଟ୍‌କୁ ଲାଗି ଯେ ବସିଥାନ୍ତି, ସେ ପୂରାପୂରି ଯୁବତୀ, ବୟସ କୋଡ଼ିଏ ବାଇଶ ଭିତରେ । ବିବାହିତା କି ଅବିବାହିତା ସହଜରେ କହି ହେବନାହିଁ । ତେବେ ଆମେରିକାରେ ଥିଲାବେଳେ କୌଣସି ଅଚିହ୍ନା ଯୁବତୀ ବିବାହିତା କି ଅବିବାହିତା ଜାଣିବା ପାଇଁ ମୁଁ ଯେଉଁ ଫରମୁଲ୍ଲା ଆବିଷ୍କାର କରିଥିଲି, ସେହି ଫରମୁଲ୍ଲା ବ୍ୟବହାର କଲେ ଯୁବତୀଟି ବିବାହିତା ହେବା କଥା ।

 

ଆମେରିକାର ଝିଅମାନେ ଯେତିକି ସୁନ୍ଦରୀ, ସେମାନେ ସେତେ ଅଳ୍ପ ବୟସରୁ ବିବାହ କରିଥାନ୍ତି । କାରଣ ଯେଉଁମାନେ ଯେତେ ସୁନ୍ଦର, ସେମାନଙ୍କର ପୁରୁଷ ବନ୍ଧୁ ସେତେ ବେଶି । ସେହି ପୁରୁଷ ବନ୍ଧୁମାନଙ୍କ ଭିତରୁ ସେମାନେ ସେତେ ଶୀଘ୍ର ସାଙ୍ଗ ବାଛି ପାରନ୍ତି ବାହା ହେବାପାଇଁ-। ଥରେ ବିଭାହେବା ପାଇଁ ପୁରୁଷ ବନ୍ଧୁ ଠିକ୍‌ ହୋଇଗଲେ, ସେମାନଙ୍କ ସୌନ୍ଦର୍ଯ୍ୟ ସେମାନଙ୍କ ପୁରୁଷ ବନ୍ଧୁଙ୍କୁ ଏତେ ଜୋରରେ ଆକୃଷ୍ଟ କରେ ଯେ ସେମାନେ ବିବାହ ନ ହୋଇ ରହି ପାରନ୍ତି ନାହିଁ । ତେଣୁ ଆମେରିକାରେ ଯେତେ ସୁନ୍ଦର ଝିଅ ଦେଖିବ, ସେ ସେତେ ଅଳ୍ପ ବୟସରୁ ବିବାହ କରି ସାରିଥିବ । ଆଜିକାଲି ଏମିତି ହେଲାଣି ଯେ ସେଠାକାର ଝିଅମାନେ ଚଉଦ ପନ୍ଦର ବୟସରୁ ମଧ୍ୟ ବିବାହ କରି ଯାଉଛନ୍ତି । ଏମିତିକି ମେଟ୍ରିକ ପାସ୍‌କରି କଲେଜକୁ ଯିବା ପୂର୍ବରୁ କେତେକଙ୍କର ପିଲା ହୋଇ ଯାଉଛି । ଯେଉଁମାନେ କଲେଜରେ ପଢ଼ିଲା ପର୍ଯ୍ୟନ୍ତ ବିବାହ କରି ନାହାନ୍ତି, ସେମାନେ ସୌନ୍ଦର୍ଯ୍ୟର ମାପ କାଠିରେ ଯେ ଟିକିଏ ତଳେ ଏହା ନିଃସନ୍ଦେହରେ କୁହାଯାଇ ପାରେ-। ଯେଉଁମାନେ ବହୁ ବର୍ଷ ପର୍ଯ୍ୟନ୍ତ ଅବିବାହିତା ରହି ଯାଉଛନ୍ତି, ସେମାନେ ଏହି ମାପ କାଠିରେ ଯେ ସବା ତଳେ ଏହା କେହି ଅସ୍ୱୀକାର କରିବେନି । ମୋର ଏହି ଫରମୁଲ୍ଲା ଆମେରିକାର ବହୁ ଯୁବତୀଙ୍କ ପ୍ରତି ପ୍ରୟୋଗ କରି ଦେଖିଛି ଯେ, ଫରମୁଲ୍ଲା ଶତକଡ଼ା ନବେରୁ କମ୍ ଠିକ୍ ନୁହେଁ-। ତେଣୁ ମୋତେ ଲାଗିକରି ବସିଥିବା ଯୁବତୀଟି ଯେ ନିଶ୍ଚୟ ସୁନ୍ଦରୀ, ବିବାହିତା, ତେଣୁ ଏଥିରେ ଦ୍ଵିଧା କରିବାର କିଛି ନାହିଁ ।

 

ଆମେରିକାର ଯେଉଁ ଝିଅମାନେ ଅପେକ୍ଷାକୃତ ଅଧିକ ସୁନ୍ଦରୀ ଓ ବିବାହିତା ସେମାନଙ୍କର ଟିକିଏ ସୌନ୍ଦର୍ଯ୍ୟ ଗଉଁ ଥାଏ । ପ୍ରଥମତଃ ସେମାନେ ମିଳାମିଶା କଥାବାର୍ତ୍ତା କରିବାକୁ ଆଗଭର ହୋଇ ବାହାରି ଆସନ୍ତି ନାହିଁ । ତୁମେ ଯଦି ଟିକିଏ ଆଗେଇ ଯାଇ କଥାବାର୍ତ୍ତା ଆରମ୍ଭ କରିଦେବ ତେବେ ସେମାନେ ତୁମ ସାଙ୍ଗରେ ବେଶ୍‌ ମିଳିଯିବେ । ଆଉ ଗଉଁ ଫଉଁ କିଛି ରହିବ ନାହିଁ । ହସ ଖୁସି କରି ଏମିତି କଥାବାର୍ତ୍ତା ଆରମ୍ଭ କରିଦେବେ, ଯେମିତି ସେମାନେ ତୁମର ଅତି ଜଣା ଲୋକ । ଅବଶ୍ୟ ଆମ ଦେଶର ସୁନ୍ଦରୀ ସ୍ତ୍ରୀମାନଙ୍କର ସେମିତି ଗଉଁ ଯେ ନ ଥାଏ ତା ନୁହେଁ-। ତେବେ ତଫାତ୍ ହେଉଛି ଯେ ସେ ଦେଶର ଗଉଁ ସଙ୍ଗେ ସଙ୍ଗେ ଉଭେଇ ଯାଏ, କିନ୍ତୁ ଆମ ଦେଶର ସୁନ୍ଦରୀ ସ୍ତ୍ରୀମାନଙ୍କର ନ୍ୟୂନ ମନୋଭାବ ଯୋଗୁଁ ବେଳେ ବେଳେ ସେହି ଗଉଁ ଏତେ ପରିମାଣରେ ରହିଯାଏ ଯେ ସେମାନଙ୍କ ସାଂସାରିକ ଚଳାଚଳିରେ ବେଳେବେଳେ ଏହା ବିରାଟ ଅସୁବିଧାମାନ ସୃଷ୍ଟି କରେ ।

 

ଉଡ଼ାଜାହାଜ ଛାଡ଼ିବାର କିଛି ସମୟ ପରେ ବୟସ୍କା ସ୍ତ୍ରୀ ଲୋକଟି ଆମ ସହିତ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ମୋତେ ପଚାରିଲେ, “ଆପଣ କଅଣ ନିଉୟର୍କ ଯିବେ ?”

 

ଉତ୍ତର ଦେଲି, ‘‘ନାଇଁ, ଆମେ ଯିବୁ ନିଉଆର୍କ । ଏ ଜାହାଜ ତ ନିଉୟର୍କ ଯାଉନି । ଏହାର ଏଇ ଫ୍ଲାଇଟ୍‌ଟା କେବଳ ବୋଷ୍ଟନ ଆଉ ନିଉଆର୍କ ଭିତରେ ।’’

 

‘‘ଓଃ ଏ ତାହାହେଲେ ନିଉୟର୍କ ଦେଇ ନିଉଆର୍କ ଯାଉନି । ମୋର ଧାରଣା ଥିଲା ଏହା ନିଉୟର୍କର ଲାଗୁଆଡ଼ିଆ ଏୟାରପୋର୍ଟ ଦେଇ ନିଉଆର୍କ ଯିବ ।”

 

“ନାଇଁ ଲୁସି, ସେ ଯାହା କହୁଛନ୍ତି ସତ । ଏ ଫ୍ଲାଇଟଟା ସିଧା ସଳଖ ନିଉଆର୍କ ଯାଉଛି-।” ଅନ୍ୟ ଯୁବତୀଟି ମୋତେ ସମର୍ଥନ କରି କହିଲେ ।

 

‘‘ସେମାନେ ଯେଉଁ ସବୁ ବସିଛନ୍ତି, ସେମାନେ କଅଣ ଆପଣଙ୍କ ପରିବାରର ଲୋକ ?’’ ବୟସ୍କା ଜଣକ ପଚାରିଲେ ।

 

“ହଁ” ।

 

‘‘ଆପଣମାନେ କଅଣ ଭାରତବର୍ଷର ଲୋକ ?” ସେ ପୁଣି ପଚାରିଲେ ।

 

“ହଁ” । ଉତ୍ତର ଦେଲି ।

 

‘‘ଆପଣମାନେ କଅଣ ବୋଷ୍ଟନରେ କାମ କରନ୍ତି ?”

 

“କରୁଥିଲି, କିନ୍ତୁ ବର୍ତ୍ତମାନ ଆଉ କରୁନି । ଆମେ ବର୍ତ୍ତମାନ ଭାରତବର୍ଷକୁ ଫେରି ଯାଉଛୁ ।”

 

“ଆପଣମାନେ ବୋଷ୍ଟନରେ କେଉଁଠି ଥିଲେ ?”

 

“ଆମେ ଥିଲୁ ବୋଷ୍ଟନ ସହର ଉପକଣ୍ଠରେ ଥିବା ୱାଲଥାମ୍‌ ସହରରେ ।”

 

“କଅଣ ବିଶ୍ଵବିଦ୍ୟାଳୟରେ କାମ କରୁଥିଲେ ?”

 

“ହଁ ।”

 

ଏତେ ସମୟ ପର୍ଯ୍ୟନ୍ତ ମୋ ନିକରେ ବସିଥିବା ଯୁବତୀଟି ଗାମ୍ଭୀର୍ଯ୍ୟ ରକ୍ଷାକରି ଆମ କଥାବାର୍ତ୍ତା ଶୁଣୁଥିଲେ । ମୋ ଉତ୍ତରରେ ସେ ହଠାତ୍ କଅଣ ଭାବିଲେ କେଜାଣି, ପଚାରି ପକାଇଲେ “ଆପଣ କ’ଣ ବ୍ରେଣ୍ଡାଇସ ବିଶ୍ଵବିଦ୍ୟାଳୟରେ କାମ କରୁଥିଲେ ?”

 

“ହଁ”, ଉତ୍ତର ଦେଲି ସିନା, ଯୁବତୀଟିର ପ୍ରଶ୍ନରେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନାଇ ରହିଲି-। “ଆପଣ କ’ଣ ମୋତେ ସେଠି କେବେ ଦେଖିଛନ୍ତି କି ? ନ ହେଲେ ଆପଣ ଜାଣିଲେ କେମିତି ?’’ ପଚାରିଲି ।

 

ନିଜର କୃତିତ୍ଵରେ ଆହ୍ଲାଦିତ ହେଲାଭଳି ଭଙ୍ଗୀକରି କହିଲେ, “ନାଇଁ ମୁଁ କେବେ ବ୍ରୋଣ୍ଡାଇସ ଯାଇନାହିଁ । ତେବେ ବ୍ରୋଣ୍ଡାଇସ ନାମ ଶୁଣିଛି । ଓ୍ୱାଲଥାମ୍‌ ସହରରେ ବ୍ରାଣ୍ଡାଇସ୍ ବିଶ୍ଵବିଦ୍ୟାଳୟ ବୋଲି ଆମେ ଜାଣୁଁ । ବ୍ରାଣ୍ଡାଇସ୍ ମଧ୍ୟ ଏକ ଖୁବ୍ ଭଲ ବିଶ୍ଵବିଦ୍ୟାଳୟ । ନୁହେଁ ?”

 

ଯୁବତୀଟି ଯେତେବେଳେ ମୋ ସହିତ କଥାବାର୍ତ୍ତା କରୁଥାନ୍ତି, ହଠାତ୍ ବୟସ୍କା ଜଣକ କହିଲେ, “କ୍ଷମା କରିବେ, ଆମେମାନେ ଏତେ ସମୟ କଥାବାର୍ତ୍ତା କରି ସାରିଲେଣି ଅଥଚ ଆମେ କେହି କାହାର ନାମ କି ପରିଚୟ ଜାଣି ନାହାନ୍ତି । ଶିଷ୍ଟାଚାର ବହିର୍ଭୂତ ହୋଇ ପଡ଼ିଲେଣି ଆମେ । ମୋ ନାମ ହେଉଛି ଲୁସି ସିମ୍ପସନ୍‌, ମୁଁ ନିଉଜେରସି ରାଜ୍ୟସ୍ଥ ନିଉ ବ୍ରାନ୍‌ସଉଇକ୍‌ରେ ଜଣେ ସ୍କୁଲ ଶିକ୍ଷୟତ୍ରୀ । ସେ ହେଉଛନ୍ତି ଜୁଡ଼ି ଜାଣ୍ଡ, ସେ ମଧ୍ୟ ସେହି ହାଇସ୍କୁଲରେ ଶିକ୍ଷୟତ୍ରୀ । ଏତକ କହି ଭଦ୍ର ମହିଳାଟି ମୋ ସହିତ ହ୍ୟାଣ୍ଡସେକ୍‌ କରିବାକୁ ହାତ ବଢ଼ାଇଦେଲେ । ତାଙ୍କ ସହିତ କର ମର୍ଦ୍ଦନ କରି ମୋ ନିକଟସ୍ଥ ଯୁବତୀଟି ସହିତ ହ୍ୟାଣ୍ଡସାକ୍ କରୁ କରୁ ହସି ହସି କହିଲି, “କ୍ଷମା କରିବେ ମୁଁ ଚିତ୍ରତାରକା ଜୁଡ଼ି ଗାରଲଣ୍ଡଙ୍କ ସହିତ ହ୍ୟାଣ୍ଡସେକ୍ କରୁନାହିଁ ତ ?

 

“ନା, ନା ମୁଁ ଜୁଡ଼ି ଗାରଲାଣ୍ଡ ନୁହେଁ, ମୁଁ ଜୁଡ଼ି ଗାରଲାଣ୍ଡ ନୁହେଁ । ମୋ ହାତ ଭିତରେ ତାଙ୍କ ନରମା ଫୁଲିଲା ଫୁଲିଲା ହାତ ପାପୁଲିଟି ରଖି ମୁଣ୍ଡ ହଲାଇ ଅସ୍ଵୀକାର କଲେ ।

 

‘‘ଜାଣ୍ଡ, ଗାରଲାଣ୍ଡ, ଭିତରେ ବେଶି ତଫାତ ନାହିଁ । ଦୁଇଟିର ଶେଷ ଅକ୍ଷରଟି ଯେ ସମାନ ।

 

“ଆପଣ ନିଶ୍ଚୟ ଇହୁଦୀ ? ନୁହେଁ ?” । ପଚାରିଲି

ଯୁବତୀଟି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ‘‘ଆପଣ କେମିତି ଜାଣିଲେ ?”

‘‘ମୁଁ ବ୍ରାଣ୍ଡାଇସ୍ ବିଶ୍ଵ ବିଦ୍ୟାଳୟରେ କାମ କରୁଛି ବୋଲି ଅପଣ ଯେମିତି ଜାଣିଲେ ଠିକ୍‌ ସେହିଭଳି ।

ଯୁବତୀଟିଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନି । ସେ ମୋତେ ପୂର୍ବଭଳି ଅନାଇ ରହିଲେ । କହିଲି “ମୁଁ ପରା ଇହୁଦୀ ବିଶ୍ଵବିଦ୍ୟାଳୟରେ କାମ କରୁଥିଲି । ମୋର କେତେକ ଇହୁଦୀ ବନ୍ଧୁ ଓ ବାନ୍ଧବୀଙ୍କର ସେହି ପଦତି ଥିବାରୁ ଆପଣଙ୍କୁ ଜାଣିବାରେ କଷ୍ଟ କୁଆଡ଼ୁ ହେବ ? ଦେଖନ୍ତୁ ଆପଣମାନେ ମୋ ସହିତ କଥାବାର୍ତ୍ତା କରୁ କରୁ ଯେମିତି ଶିଷ୍ଟାଚାର ହୁଡ଼ି ଯାଇଥିଲେ, ମୁଁ ମଧ୍ୟ ଆପଣମାନଙ୍କ ସହିତ କଥାବାର୍ତ୍ତା କରୁ କରୁ ନିଜକୁ ଏତେ ଭୁଲି ଗଲିଣି ଯେ ମୁଁ ମଧ୍ୟ ଶିଷ୍ଟାଚାରକୁ ହୁଡ଼ି ସାରିଲିଣି । ମୁଁ ମୋ ପରିବାରର ଅନ୍ୟମାନଙ୍କୁ ଏତେ ସମୟ ପର୍ଯ୍ୟନ୍ତ ଆପଣମାନଙ୍କୁ ଚିହ୍ନାଇ ଦେଇନାହିଁ । କ୍ଷମା କରିବେ ମୋର ଏହି ତ୍ରୁଟି ପାଇଁ ।” ଏତକ କହି ସ୍ତ୍ରୀ, ପୁଅ, ଝିଅ ସମସ୍ତଙ୍କୁ ସେମାନଙ୍କ ସହିତ ପରିଚୟ କରାଇ ଦେଲି । ପ୍ରତ୍ୟେକ ପ୍ରତ୍ୟେକଙ୍କ ସହିତ ହେଣ୍ଡସ୍ୟାକ କରି ନିଜ ନିଜ ସିଟରେ ଯାଇ ବସିଲେ । ସେହି ଉଡନ୍ତା ଉଡ଼ାଜାହାଜ ଭିତରେ ଆମ ମଧ୍ୟରେ ସେହି ଚିହ୍ନା ପରିଚୟ ପର୍ବଟା ବେଶ ମଧୁର ଭାବରେ ସମାପ୍ତ ହେଲା । ଯୁବତୀଟି ପୁଅ ବାବୁଲିକୁ କିଛି ସମୟ କୋଡ଼ରେ ବସାଇ ଚକଲେଟ୍‌ ଓ ଚୁଇଂଗମ୍‌ ହେଣ୍ଡ ବେଗରୁ ବାହାର କରି ତାକୁ ଦେଇ ଓ ତା ଅପା ପାଇଁ ଆଉ କିଛି ଦେଇ ତା ସିଟରେ ନେଇ ବସାଇ ଦେଇ ଆସିଲେ ।

ଚିହ୍ନା ପରିଚୟ ପର୍ବ ଶେଷ ହେବାପରେ ଆମ ପରସ୍ପର ଭିତରେ ନାନାଦି ଭାବ ବିନିମୟ ହେଲା । ବେଳେ ବେଳେ ଆମର ଏହି କଥାବାର୍ତ୍ତା ବେଳେ ସ୍ତ୍ରୀ ମଧ୍ୟ ପାଖ ସିଟରୁ ଥାଇ କଥାରେ ଯୋଗ ଦେଉଥାନ୍ତି । ଆମେ ନିଉଜେରସିରେ ଯାଇ କେଉଁଠି ରହିବୁଁ କେତେଦିନ ରହିବୁଁ ସେ ସବୁର ଠିକଣା ସେମାନେ ନେଲେ । ଆମ ଅତିଥି ସତ୍କାରକଙ୍କ ଘର ସେମାନଙ୍କ ଘରଠାରୁ ବେଶି ଦୂର ନୁହେଁ ବୋଲି ଭାରତ ଫେରିବା ପୂର୍ବରୁ ସେମାନେ ଆମକୁ ନିଶ୍ଚୟ ସାକ୍ଷାତ କରିବେ ବୋଲି ଜଣାଇଲେ । କଥାବାର୍ତ୍ତା ଭିତରେ ମୁଁ ଯେତେବେଳେ ଜାଣିଲି ଯେ ସେମାନେ ବୋଷ୍ଟନକୁ ଯାଉଥିଲେ ତୀର୍ଥ କରିବା ଉଦ୍ଦେଶ୍ୟରେ ମୋର କୌତୁହଳତା ଆହୁରି ବଢ଼ିଗଲା । ମାସାଚିଉସେଟ୍‌ସ ରାଜ୍ୟ ଓ ବୋଷ୍ଟନ ଆମେରିକା ଲୋକଙ୍କ ଏକ ତୀର୍ଥ ଭୂମି ବୋଲି ଜାଣିଥିଲେ ହେଁ ଏଠାରେ ଏତେ ଐତିହାସିକବସ୍ତୁ ରହିଛି ଯେ ସେମାନେ କେଉଁଠାକୁ ଯାଇଥିଲେ, ଜାଣିବା ଦୂରୁହ ହୋଇ ପଡ଼ିଲା । ତେଣୁ ପଚାରିଲି, “ଆପଣମାନେ ବୋଷ୍ଟନର କେଉଁ ସ୍ଥାନକୁ ଯାଇଥିଲେ-?”

ଯୁବତୀଟି ଏଥର ଆଗଭର ହୋଇ କହିଲା, “ଆମେ ଆଗରୁ ବୋଷ୍ଟନ ଦେଖିଥିଲୁଁ । ଏଥର ଆମେ ଯାଇଥିଲୁଁ ବୋଷ୍ଟନ ନିକଟବର୍ତ୍ତୀ ସାଉଥ ସଡ୍‌ବରୀ ଅଭିମୁଖେ ।”

“ସାଉଥ ସଡବରୀ ? ତାହାହେଲେ ନିଶ୍ଚୟ ଆପଣମାନେ ସାଉଥ ସଡ୍‌ବରୀର ‘ୱେ-ସାଇଡ୍‌ ଇନ୍‌’ ଦେଖିବାକୁ ଯାଇଥିବେ ।” ପଚାରିଲି ।

‘ଠିକ୍‌ ଧରିଛନ୍ତି ଆପଣ ?’ ଜୁଡି ଉତ୍ତର ଦେଲେ । ‘ଅନେକ ଦିନ ଧରି ଆମେ ‘ୱେ ସାଇଡ ଇନ୍‌’ ଦେଖିବାକୁ ଇଚ୍ଛା କରିଥିଲୁ । କିନ୍ତୁ ନାନା କାର୍ଯ୍ୟ ଯୋଗୁଁ ଆମେ ଆସି ପାରୁ ନଥିଲୁ । ଏଥର ଗ୍ରୀଷ୍ମ ଛୁଟିରେ ଠିକ୍‌ କଲୁ, ‘ୱେ ସାଇଡ ଇନ୍‌’ ନିଶ୍ଚୟ ଦେଖିବୁ । ସେଥିପାଇଁ ଆମର ଏଠାକୁ ଆଗମନ । ଆମେ ବୋଷ୍ଟନରୁ ୱେ ସାଇଡ୍‌ଇନ୍‌ ଦେଖିବାକୁ ଗଲା ବେଳକୁ ଆମେ ତ ୱାଲଥାମ୍‌ ଦେଇ ଯାଇଥିଲୁଁ ।

 

ତା ହେଲେ ଆପଣ ନିଶ୍ଚୟ ଆମ ଘର ପାଖ ଦେଇ ଯାଇଥିବେ । ଆପଣମାନେ ଯେଉଁ ରୁଟ୍‌ଦେଇ ଯାଇଥିବେ, ସେହି ରୁଟ୍‌ ପାଖରେ ଆମ ଏପାର୍ଟମେଣ୍ଟ ।

 

ଆପଣମାନେ ନିଶ୍ଚୟ ‘ୱେ-ସାଇଡ୍‌ଇନ୍‌’ ଦେଖିଥିବେ ।

 

ଆପଣମାନେ ନିଉବ୍ରାନ୍‌ସ ଉଇକ୍‌ରୁ ଆସି ‘ୱେ-ସାଇଡ୍‌ଇନ୍‌’ ଦେଖିଲେ ଆମେ ୱେ-ସାଇଡ୍‌-ଇନ୍‌ ପାଖରେ ରହି କ’ଣ ଦେଖିନଥିବୁଁ । ସ୍ତ୍ରୀ ଉତ୍ତର ଦେଲେ ।”

 

“ସେଇଟା କଅଣ ସବୁବେଳେ ଠିକ୍‌ କି ? Nearer the Church, farther from God, ବୋଲି ପରା କେତେକ କହନ୍ତି ।

 

“ସେଇଟା ସବୁବେଳେ ଠିକ୍‌ ନୁହେଁ । “ୱେ-ସାଇଡ୍‌-ଇନ” ଆପଣମାନଙ୍କୁ ଅଢ଼େଇ ଶହ ମାଇଲ ଦୂର କିନ୍ତୁ ଆମକୁ ଦଶ ମାଇଲ ବି ନୁହେଁ । ସ୍ତ୍ରୀ କହିଲେ ।

 

“ବାସ୍ତବିକ୍‌ ବଡ଼ ଅଦ୍ଭୁତ ଯାଗା ସେହି ସ୍ଥାନଟି । ‘ୱେ-ସାଇଡ-ଇନ୍‌, ନିକଟକୁ ଚାଲିଗଲେ, କବିଶ୍ରେଷ୍ଠ ଲଙ୍ଗଫେଲୋଙ୍କ ସେହି ଟେଲସ୍‌ ଅଫ୍‌ ୱେ-ସାଇଡ୍‌ ଇନ କଥା ମନେ ପଡ଼ିଯାଏ ।

 

ମିସେସ୍‌ ସିମ୍‌ସନ୍‌ ଏତେବେଳେ ପର୍ଯ୍ୟନ୍ତ ଚୁପ୍‌ହୋଇ ବସିଥିଲେ ।

 

‘Tales of way-side in’ କଥା ପଡ଼ିଲା କ୍ଷଣି ତାଙ୍କ ପାଟିରୁ ଲଙ୍ଗ୍‌ଫେଲୋଙ୍କ ପଲ୍‌ରିଭିୟରସ ରାଇଡ୍‌ କବିତା ବାହାରି ପଡ଼ିଲା ।’

 

A hurry of hoofs in village street

A shape in the moonlight, a bulk in the dark

Aad beneath, from the pebble, in passing a spark

Struck out by a steed flying fearless and fleet

That was all ! And yet, through the gloom and the light .

The fate of a nation was riding the night.’

 

ମିସେସ୍‌ ସିମ୍ପସନଙ୍କ ସେ ପଂକ୍ତିଟି ଶୁଣି ମିସେସ୍‌ ଜାଣ୍ଡ ସେହି କବିତାରୁ ଆଉ ଗୋଟିଏ ପଂକ୍ତି ମନରୁ ଉଦ୍ଧାର ନକରି ରହି ପାରିଲେନି !

 

“He said to his friend,” If the British march

By land or sea from the town tonight .

Hang a lantern aloft the belfry arch

Of the North church town as a signal light

One if by land and two if by sea

And I on the opposite shore will be

Ready to ride and spread the alarm

Through every Middlesex village and farm

For the Country folk to be up and to arm.

 

ମିସେସ୍‌ଜାଣ୍ଡଙ୍କ ପଲ ରିଭିୟରସ ରାଇଡ଼୍‍ କବିତାରୁ ପଂକ୍ତି ଉଦ୍ଧାର କରିବା ଶୁଣି ମୋର ମଧ୍ୟ ସେହି କବିତାରୁ କିଛି ଉଦ୍ଧାର କରିବାକୁ ମନ ହେଲା । କିନ୍ତୁ ପ୍ରଥମ କେଇ ଲାଇନ ବ୍ୟତୀତ ବେଶି କିଛି ମନେ ପଡ଼ିଲା ନି ।

 

Listen, my children and you shall hear

Of the midnight ride of Paul Revere.

On the Eighteenth of April in seventy five

Hardly a man is now alive

Who remembers that famous day and year

 

ସେଥିରୁ ଆଉ ବିଶେଷ ମନେ ନ ପଡ଼ିବାରୁ ତାଙ୍କର ଅନ୍ୟ ବିଶିଷ୍ଟ କବିତା A Psalm of Lifeର କେତୋଟି ପଂକ୍ତି ମନେ ପଡ଼ିଗଲା । କହିଲି “ଆପଣମାନେ ତାଙ୍କର ଅନ୍ୟ କବିତା “AP salm of Life” ନିଶ୍ଚୟ ପଢ଼ିଛନ୍ତି ।

 

Lives of greatmen all reminds us.

We can make our lives Sublime.

And departing leave behind us.

Foot prints on the sands of time.

Foot prints that perhaps another

Sailing o’ver lifes solemn main.

A forlorn and ship wrecked brother

Seeing shall take heart again.

 

ପଂକ୍ତି କେତୋଟି ଶୁଣି ନିଜକୁ ସମ୍ଭାଳି ପାରିଲେନି ମିସେସ ଜାଣ୍ଡ । ସଙ୍ଗେ ସଙ୍ଗେ ତାଙ୍କ ପାଟିରୁ ବାହାରି ପଡ଼ିଲା ସେହି କବିତାର ଅନ୍ୟ ପଂକ୍ତି କେତୋଟି—

 

“Let us then be up and doing.

With a heart for any fate.

Still achieving and still pursuing.

Learn to labour and to wait”.

 

ପଂକ୍ତି କେତୋଟି ଉଦ୍ଧାର କରିସାରି ଅତି ଖୁସିହୋଇ କହି ପକାଇଲେ “ଆପଣ ଜାଣି ନାହାନ୍ତି ଡକ୍ଟର ମହାପାତ୍ର, ଏହା ହେଉଛି ମୋର ଅତି ପ୍ରିୟ କବିତା । ମନେ ମନେ ଏଇ କବିତାକୁ ଆବୃତି କରି ମୁଁ କେତେ ଆନନ୍ଦ ପାଏଁ । ମୋର ଅତି ପ୍ରିୟ କବିତାଟିକୁ ମନେ ପକାଇ ଦେଇଥିବାରୁ ମୁଁ ଆପଣଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ ।”

 

ଏତେଗୁଡ଼ିଏ କବିତା ଆବୃତି ପରେ ମିସେସ ଜାଣ୍ଡଙ୍କୁ ଲକ୍ଷ କରି କହିଲି, “ଯା ହେଉ ଆପଣମାନଙ୍କ ଦେଶରେ ଐତିହାସିକ ସ୍ମୃତି ଚିହ୍ନଗୁଡ଼ିକୁ ଯେମିତି ସାଇତି ରଖାହୁଏ ତାହା ବାସ୍ତବିକ୍‌ ସମସ୍ତଙ୍କର ଅନୁକରଣୀୟ । ଆମ ଦେଶ ଆପଣମାନଙ୍କ ଦେଶ ତୁଳନାରେ ଢେର ପୁରୁଣା ହେଲେ ହେଁ ଆମେ ଆମ ଐତିହାସିକ ସ୍ମୃତିଗୁଡ଼ିକୁ ଏମିତି ଭାବରେ ସାଇତି ରଖି ପାରିନୁ ।

 

ସେଥିପାଇଁ ଆମେ ଧନ୍ୟବାଦ ଦେଉଁ ଆମ ଦେଶର ବିଶିଷ୍ଟ ଶିଳ୍ପପତି ହେନେରୀ ଫୋର୍ଡକୁ । ତାଙ୍କରି ସୁଦୟାରୁ ଆଜି ୱେ-ସାଇଡ୍‌-ଇନ ଏତେ ପ୍ରସିଦ୍ଧ ଲାଭ କରିଛି । ‘ଫୋର୍ଡ ଫାଉଣ୍ଡେସନ୍‌ ଗ୍ରାଣ୍ଡରୁ ଆଜି ସେହି ସ୍ଥାନଟି କମ୍‌ ସାହାଯ୍ୟ ପାଉନି ।’

 

“ସାରା ମାର୍କିନ ଜାତିର ଅର୍ଥ ଆଜି ସେଠି ଠୁଳ ହେବା କଥା । ଆମେରିକାର ସ୍ଵାଧୀନତା ସଂଗ୍ରାମରେ ୱେ-ସାଇଡ୍‍-ଇନର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ତାକୁ ମାର୍କିନ ଦେଶର ପ୍ରତ୍ୟେକ ଯୁବକ ଯୁବତୀଙ୍କ ମନରେ ପ୍ରଜ୍ଜ୍ଵଳିତ କରି ରଖିବା ପାଇଁ ଆଜି ସାରା ଦେଶର ଅର୍ଥ ଏଠି ଲୋଟିବାର କଥା ମିସେସ୍‌ ଜାଣ୍ଡ ।

 

‘ୱେ-ସାଇଡ୍‌-ଇନ୍‌’ର ଆବହାୱା କି ସୁନ୍ଦର କୁହନ୍ତୁ ତ ? ସ୍ତ୍ରୀ ମିସେସ୍‌ ସିମ୍ପସନ୍‌ଙ୍କୁ ଲକ୍ଷ୍ୟ କରି କହିଲେ “ସେଠି ପହଞ୍ଚିଗଲେ, ଆମେରିକା ସ୍ଵାଧୀନତା ସଂଗ୍ରାମର ଟିକି ନିଖି କଥା ସବୁ ମନେ ପଡ଼ିଯାଏ । କବିଶ୍ରେଷ୍ଠ ହେନେରୀ ୱାଡ଼ସୱାର୍ଥ ଲଙ୍ଗଫେଲୋ କିଭଳି ଏହି ‘ଇନ୍‌’ ସହିତ ସଂଶ୍ଳିଷ୍ଟ ଥିଲେ, ଇନ୍‌ରେ ଥିବା ଲଙ୍ଗଫେଲୋଙ୍କ ଚେମ୍ବର ଦେଖିଲେ ମନେପଡ଼େ । ଏହି ‘ଇନ୍‌’ଟି ଖାଲି ମାର୍କିନ୍‌ ସ୍ଵାଧୀନତା ସଂଗ୍ରାମ ପାଇଁ ପ୍ରସିଦ୍ଧ ନୁହେଁ, ମାର୍କିନ୍‌ ଜାତିର ଶ୍ରେଷ୍ଠ କବି ଲଙ୍ଗଫେଲୋଙ୍କ ସହିତ ଏହି ‘ଇନ୍‌’ଟି ସଂଶ୍ଳିଷ୍ଟ ବୋଲି ଏହାର ଗୁରୁତ୍ଵ ବଢ଼ି ଯାଇଛି ।

 

“ଆମ ଦେଶରେ ସ୍ଵାଧୀନତା ସଂଗ୍ରାମବେଳେ ଆମ ଜାତିର ପିତା ଜର୍ଜ ୱାସିଙ୍ଗଟନ୍‌ ବି ଏହି ଇନ୍‌ରେ କେତେଥର ଆଶ୍ରୟ ନେଇଛନ୍ତି । ସେହି ସ୍ଥାନର ଯୋଦ୍ଧାମାନେ ସେହି ଇନ୍‌ଠାରୁ ବାହାରି କଙ୍କଡ଼ ଯୁଦ୍ଧ ଭୂମିକୁ ଯାଇ ବ୍ରିଟିଶ୍‌ମାନଙ୍କ ସହିତ ଓଲଡ୍‌ନର୍ଥ ବ୍ରିଜ୍‌ଠାରେ ଯୁଦ୍ଧ କରିଥିଲେ । ମିସେସ୍‌ ସିମ୍ପସନ୍‌ କହିଲେ ।

 

ମିସେସ୍‌ ଜାଣ୍ଡ ପଚାରିଲେ, “ଆପଣମାନେ ଆମ ଦେଶର ଆଉ କେଉଁ ଐତିହାସିକ ସ୍ଥାନମାନ ଦେଖିଛନ୍ତି ।

 

“ପ୍ଲିମଥ୍‌ ବନ୍ଦରର୍‌ ପ୍ଲିମଥ ପଥରଠାରୁ ଆରମ୍ଭ କରି ମେଫ୍ଲାୱାର ଜାହାଜ, କେପ୍‌କଡ଼ର ପ୍ରଭିନସଟାଉନ୍‌ସ୍ଥିତ ପିଲଗ୍ରିମ୍‌ଟାୱାର, ବୋଷ୍ଟନର ପଲ ରିଭିଅରଙ୍କ ଘର, କଙ୍କଡ ସ୍ଥିତ ଓଲଡ୍‌ନର୍ଥ ବ୍ରିଜ, ଚାର୍ଲସ୍‌ ଟାଉନସ୍ଥିତ ବନକର ହିଲ ମନୁମେଣ୍ଟ, ଲୋକସଙ୍ଗଟନ୍‌ର ସେହି ଯୁଦ୍ଧ ଭୂମି, ମେଡ୍‌ଫୋର୍ଡର ସେହି ଗଳି, କେମ୍ବ୍ରିଜସ୍ଥ ଲଙ୍ଗ ଫେଲୋଙ୍କ ବାସ ଭବନ, ୱାଟରଟାଉନ୍‌ସ୍ଥିତ ଲଙ୍ଗଫେଲୋଙ୍କ ସମାଧି ମନ୍ଦିର ପର୍ଯ୍ୟନ୍ତ ସବୁ କିଛି ନ ଦେଖି ଛାଡ଼ିନୁ ।” ଉତ୍ତର ଦେଲି ।

 

ଆମ ବର୍ଣ୍ଣନା ଶୁଣି ମିସେସ୍‌ ଜାଣ୍ଡ ପାଟି କରିଉଠିଲେ “ଆଲୋ ବାପ, ଆପଣମାନେ ଆମଠାରୁ ଢେର ଅଧିକ ଦେଖିଛନ୍ତି । ଆପଣମାନେ ଯେତେ ଦେଖିଛନ୍ତି, ଆମେତ ସେତେ ଦେଖିନୁଁ-।”

 

କଥାବାର୍ତ୍ତା ହେଉ ହେଉ କେତେବେଳେ ଆମେ ନିଉଆର୍କ ଉଡ଼ାଜାହାଜ ଘାଟି ପାଖେଇ ଆସିଲୁଣି ଜଣାନାହିଁ । ହଠାତ୍‌ ଆମ ସାମନାରେ ଯେତେବେଳେ ଉଜ୍ଜଳ ଆଲୋକରେ ଲେଖି ହୋଇଗଲା, ନିଜ ନିଜ ଦେହକୁ ବେଲ୍‌ଟରେ ବାନ୍ଧି ରଖିବା ପାଇଁ, ଆମେ ସେତେବେଳେ ପ୍ରକୃତିସ୍ଥ ହେଲୁ, ଜାଣିଲୁ ଆମ ଅବସ୍ଥାନ କେଉଁଠି ? କଥାବାର୍ତ୍ତା ବେଳେ ଆମେ ପୂରାପୂରି ଭୁଲି ଯାଇଥିଲୁ ଯେ ଆମେ ସମସ୍ତେ ଗୋଟିଏ ବିରାଟ ଜେଟ୍‌ ବିମାନରେ ଉଡୁଛୁଁ ବୋଲି । ମନେ ହେଉଥାଏ, ସତେ ଯେମିତି ଆମର ସେହି ଅଧଘଣ୍ଟାଏ କାଳ ୱେ-ସାଇଡ୍‌ଇନ୍‌ରେ କଟି ଯାଇଛି ।

 

ଆମେ ଆମ ଦେହକୁ ସିଟରେ ଥିବା ବେଲ୍‌ଟରେ ବାନ୍ଧିଛୁ କି ନାହିଁ, ଉଡ଼ାଜାହାଜ ତଳକୁ ମୁହଁ କରି ନିଉଆର୍କ ଉଡ଼ାଜାହାଜ ଘାଟିରେ ଓହ୍ଲାଇବା ପାଇଁ ଉପକ୍ରମ କଲା । ଚାହୁଁ ଚାହୁଁ ଅଦୂରବର୍ତ୍ତୀ ଜେରସି ସହରର ଆକାଶଚୁମ୍ବୀ ପ୍ରସାଦମାନ ସ୍ପଷ୍ଟତର ହେବା ସଙ୍ଗେ ସଙ୍ଗେ ନିଉଜେରସିର ଅସଂଖ୍ୟ ପେଟ୍ରୋଲିୟମ ରିଫାଇନେରୀମାନ ଜାଲ ଘେରିଲା ଭଳି ଆମକୁ ବୋଧ ହେଲା । ଅନାଉଁ ଅନାଉଁ ଆମ ଜାହାଜ ନିଉଆର୍କର ଉଡ଼ାଜାହାଜ ଘାଟି ରନୱେରେ ଲାଗିଯାଇ ପଡ଼ିଆର ଗୋଟିଏ ମୁଣ୍ଡରୁ ଆରମୁଣ୍ଡକୁ ଦୌଡ଼ିବାକୁ ଲାଗିଲା । ଧୀରେ ଧୀରେ ଗତି କମାଇ ଜାହାଜଟି ଘାଟିର ଅଫିସ କକ୍ଷ ନିକଟରେ ଆସି ଠିଆ ହେଲା । ଆମେ ସମସ୍ତେ ତର ତର ହୋଇ ହେଣ୍ଡବ୍ୟାଗ୍‌ ଆଦି ଧରି ଓହ୍ଲାଇବା ଉପକ୍ରମ କଲୁଁ । ମିସେସ୍‌ ସିମ୍ପସନ୍‌ଓ ଜାଣ୍ଡ ମଧ୍ୟ ଆମ ସହିତ ଓହ୍ଲାଇଲେ । ଉଡ଼ାଜାହାଜରୁ ଓହ୍ଲାଇ ଆମେ ଆସିଲୁଁ ଜିନିଷ ପତ୍ର ଅଫିସ ପାଖକୁ । ଆମେ କିଛି ସମୟ ଅପେକ୍ଷା କରିବା ପରେ ଉଡ଼ାଜାହାଜରୁ ଆମ ସୁଟକେଶ୍‌ ଆଦି ଚାଲି ଆସିଲା । ମିସେସ୍‌ ସିମ୍ପସନ୍‌ ଓ ମିସେସ୍‌ ଜାଣ୍ଡ ସେମାନଙ୍କ ସୁଟକେଶ ଖଣ୍ଡିଏ ଖଣ୍ଡିଏ ନେଇ ଆମ ପ୍ରତ୍ୟେକଙ୍କ ସହିତ ପୁଣି ଥରେ ଥରେ ହେଣ୍ଡସେକ୍‌ କରି ବିଦାୟ ନେଲେ । ଗଲାବେଳେ ସେମାନେ ଆମକୁ ସେମାନଙ୍କ ଘର ଠିକଣା, ଟେଲିଫୋନ୍‌ ନମ୍ବର ଆଦି ନେଇଗଲେ ଓ ଆମ ଅତିଥି ସତ୍‌କାରଙ୍କର ଠିକଣା ଓ ଟେଲିଫୋନ୍‌ ନମ୍ବର ଆଦି ନେଇଗଲେ । ଆମେ ଆମେରିକା ଛାଡ଼ିବା ପୂର୍ବରୁ ସେମାନେ ଆମକୁ ନିଶ୍ଚୟ ସାକ୍ଷାତ କରିବେ ବୋଲି କହିବାକୁ ଭୁଲିଲେନି ।

 

ଆମେ ଆମ ସୁଟକେଶ ଆଦି ଧରି ଅଫିସକକ୍ଷରୁ ବାହାରିଛୁ କି ନାହିଁ ଆମ ଅତିଥିସତ୍କାରକ ମିସେସ ଡୋନର ଆସି ହାଜର । ମିସେସ ଡୋନରଙ୍କ ସହିତ ତାଙ୍କର ଦୁଇଟି ଝିଅ, ଲିଜା ଓ ଆମି । ଝିଅଦୁଇଟି ଆମ ପିଲାମାନଙ୍କୁ ଦେଖି କୁଣ୍ଢାଇ ପକାଇଲେ । ମିସେସ୍‌ ଡୋନର ମୋ ସହିତ ହେଣ୍ଡସେକ୍‌ କରି ସ୍ତ୍ରୀଙ୍କୁ କୁଣ୍ଡାଇ ପକାଇଲେ, ସତେ ଯେମିତି ବହୁ ପୂରାତନ ବନ୍ଧୁ ଦୁଇଟି ବହୁଦିନ ପରେ ପରସ୍ପରକୁ ଭେଟୁଛନ୍ତି । ଆମ ଯାତ୍ରା ଭଲରେ କଟିଲାକି କଅଣ ପଚାରି ସଙ୍ଗେ ସଙ୍ଗେ ଆମକୁ ରାସ୍ତା କଢ଼ାଇ ନେଲେ ତାଙ୍କ ମଟର ଗାଡ଼ି ପର୍ଯ୍ୟନ୍ତ । ସୁଟ୍‌କେଶଗୁଡ଼ିକୁ ତାଙ୍କ ଗାଡ଼ିର ପଛପାଖ ଟ୍ରଙ୍କରେ ରଖିଦେଇ ଆମେ ସବୁ ଭିତରେ ବସିଲୁ । ସେତେବେଳ ପର୍ଯ୍ୟନ୍ତ ପିଲା ଦୁଇଟି ଆମ ପିଲା ଦୁଇଟିକୁ ବନ୍ଧନ ମୁକ୍ତ କରି ନ ଥାନ୍ତି । ସେମିତି ହାତ ଧରା ଧରି ହୋଇ ପିଲାଏ ଗାଡ଼ିରେ ବସିଲେ । ମିସେସ୍‌ ଡୋନରଙ୍କ ବିରାଟ ଚେଭରଲେଟ୍‌ ଗାଡ଼ି । ପିଲା ଚାରୋଟିକୁ ପଛ ସିଟରେ ବସାଇ ଆମେ ତିନିଜଣ ଆଗରେ ବସିଲୁ । ଗାଡ଼ିର ଚାଳକ ସ୍ଵୟଂ ମିସେସ୍‌ ଡୋନର ମିଷ୍ଟର ଡୋନର ଏକ ଜରୁରୀ କାର୍ଯ୍ୟ ଯୋଗୁଁ ବାହାରକୁ ଚାଲିଯାଇଥିବାରୁ ସେ ଆସି ପାରିଲେନି ବୋଲି ଆମଠାରୁ କ୍ଷମା ମାଗି ନେଲେ ମିସେସ୍‌ ଡୋନର-। କି ଅଦ୍ଭୁତ ଶିଷ୍ଟାଚାର ରୀତି ? କିବା କଥା, ସ୍ଵାମୀ ଆସିଲେନି, ଉଡ଼ାଜାହାଜ ଘାଟିକୁ, ବାକି ସମସ୍ତେ ଆସିଲେ ତଥାପି କ୍ଷମା ପ୍ରାର୍ଥନା । ଧନ୍ୟ ଏ ଦେଶ, ଧନ୍ୟ ଏ ଦେଶର ଶିଷ୍ଟାଚାର ନୀତି-!

 

ଚାହୁଁ ଚାହୁଁ ଆମ ଗାଡ଼ି ଏୟାରପୋର୍ଟରୁ ବାହାରି ନିଉଜେରସି ଟର୍ଣ୍ଣ ପାଇକଦେଇ ଫୋର୍ଡ଼ସ୍‌ ସହର ଅଭିମୁଖେ ଧାବମାନ ହେଲା । ରାଜପଥର ଦୁଇ ପାଶ୍ଵରେ ପ୍ରକାଣ୍ଡ ପ୍ରକାଣ୍ଡ ପେଟ୍ରୋଲିୟମ ରିଫାଇନେରୀମାନ ଦେଖି ଆମ ଆଖି ଖୋସି ହୋଇଗଲା । ଆମେରିକାର ସବୁ ବଡ଼ ବଡ଼ ପେଟ୍ରୋଲିୟମ୍‌ କୋମ୍ପାନୀ ଯଥା... ଷ୍ଟାଣ୍ଡାର୍ଡ ଭାକ୍ୟୁମ୍‌, ଏସୋ, ସେଲ୍‌, ଗଲ୍‌ଫ; ସିଟି ସରଭିସ୍‌ ପ୍ରଭୃତିର ଅସଂଖ୍ୟ ରିଫାଇନେରୀ ରାସ୍ତାର ଦୁଇ କଡ଼ରେ ବିଦ୍ୟମାନ । ପେଟ୍ରୋଲିୟମ ଉତ୍ପାଦନରେ ଯୁକ୍ତରାଷ୍ଟ୍ର ପୃଥିବୀରେ ସବୁ ଦେଶ ତୁଳନାରେ ଅଗ୍ରଗଣ୍ୟ । ପୃଥିବୀରେ ଯେତେ ପେଟ୍ରୋଲିୟମ ଉତ୍ପାଦିତ ହୁଏ, ତହିଁର ଶତକଡ଼ା ଷାଠିଏ ଭାଗରୁ ଉର୍ଦ୍ଧ କେବଳ ଆମେରିକାରେହିଁ ଉତ୍ପାଦିତ ହୁଏ । ଆମେରିକାର ବଡ଼ ବଡ଼ ପେଟ୍ରୋଲିୟମ ଖଣି ପେନସିଲଭେନିଆ, ଓହାଇଓ, ଟେକସାସ୍‌ ନିଉ ମେକ୍‌ସିକୋ, ଆରକାନସାସ, ଓକଲାଲୋମା, କାଲିଫର୍ଣ୍ଣିଆ ଆଦି ରାଜ୍ୟରେ ଦେଖିବାକୁ ମିଳେ । କାଲିଫର୍ଣ୍ଣିଆ ରାଜ୍ୟକୁ ଛାଡ଼ି ସାରା ଯୁକ୍ତରାଷ୍ଟ୍ରର ସବୁ ପେଟ୍ରୋଲିୟମ ଖଣି ହଜାର ହଜାର ମାଇଲ ଲମ୍ବ ବିଶିଷ୍ଟ ପାଇପ ଲାଇନ ଦ୍ଵାରା ସଂଯୁକ୍ତ । ଏହି ସବୁ ପାଇପ ଲାଇନ୍‌ଦେଇ ପେଟ୍ରୋଲିୟମ୍‌ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଏ । ଏହି ସବୁ ପାଇପ ଲାଇନର ଏକ ପ୍ରଧାନ କେନ୍ଦ୍ର ହେଲା ନିଉଜେରସି । ବହୁ ପେଟ୍ରୋଲିୟମ ଏହି ପାଇପଲାଇନ ଦେଇ ଦେଶର ବିଭିନ୍ନ ସ୍ଥାନରୁ ଆସି ଏହି ନିଉଜେରସିରେ ପହଞ୍ଚେ ଓ ଏଠାରେ ବିଶୋଧିତ ହୋଇ ପେଟ୍ରୋଲ ଡିଜେଲ କିରାସିନ ତେଲ, ଲୁବ୍ରିକେଟିଙ୍ଗ ଅୟେଲ, ଭେସଲିନ୍‌ ଓ୍ୟାକ୍‌ସ ଆଦି ପଦାର୍ଥରେ ପରିଣତ ହୁଏ ଓ ସେଗୁଡ଼ିକ ଏଠାରୁ ଦେଶର ବିଭିନ୍ନ ସ୍ଥାନକୁ ଓ ଦେଶ ବାହାରକୁ ପଠାଯାଏ । ରାସ୍ତା ଦୁଇ ପାଖରେ ଗୋଟିଏ କାରଖାନା ପରେ ଗୋଟିଏ କାରଖାନା ଏହିଭଳି ବହୁ କାରଖାନା ଦେଖି ଆମ ମୁଣ୍ଡ ଘୂରିଗଲା । ବାଟରେ Humble oil and refinery Companyର କାରଖାନା ଦେଖି ପିଲାଙ୍କୁ ବତାଇ ଦେଲି, “ଏହି କାରଖାନା ଏସୋ ପାଇଁ ତେଲ ପ୍ରସ୍ତୁତ କରେ ।” ଆମ ଟେଲିଭିଜନରେ ରାତି ଦଶଟାବେଳର ଖବର ଏହି କୋମ୍ପାନୀ ଦେଉ ଥିବାରୁ ପିଲାଏ ଏହି କୋମ୍ପାନୀକୁ ଭୁଲି ନଥାନ୍ତି । ଏସୋ କୋମ୍ପାନୀର ସେହି କାରଖାନା ଦେଖି ପିଲାଏ ଖୁସି ହୋଇଗଲେ । ପେଟ୍ରୋଲିୟମ କାରବାରରେ ଯୁକ୍ତରାଷ୍ଟ୍ରର ଏହି କୋମ୍ପାନୀଗୁଡ଼ିକ ଏତେ ମୂଳଧନ ଖଟାଇଛନ୍ତି ଯେ ଶୁଣିଲେ ମଣିଷ ତାଟଙ୍ଗା ହୋଇଯିବ । ପ୍ରାୟ ସତର ଲକ୍ଷ ଲୋକ ଏହି ବ୍ୟବସାୟରେ ନିଯୁକ୍ତି ପାଇ ଜୀବିକା ଅର୍ଜନ କରନ୍ତି । ଆମେରିକାର ଯେତେ ବଡ଼ ବଡ଼ ବ୍ୟବସାୟ ଅଛି ପେଟ୍ରୋଲିୟମ୍‌ ବ୍ୟବସାୟ ସେଥି ଭିତରୁ ଗୋଟିଏ ।

 

ଆମେ ରାସ୍ତା ଦୁଇକଡ଼ର ପେଟ୍ରୋଲିୟମ ରିଫାଇନେରୀମାନ ଦେଖି ଚାଲିଛୁ, କେତେବେଳୁ ନିଉଜେରସି ଟର୍ଣ୍ଣ ପାଇକ ଛାଡ଼ି ଗାଡ଼ି ମିସେସ୍‌ ଡୋନରଙ୍କ ଫୋର୍ଡ଼ ସହର ଆଡ଼େ ମୁଁହାଇଲାଣି ଆମର ଖିଆଲ ନହିଁ । ଗାଡ଼ି ଚଳାଉ ଚଳାଉ ମିସେସ୍‌ ଡୋନର ମୋତେ ଲକ୍ଷ୍ୟ କରି କହିଲେ, ‘ଆମେ ଆମ ଘରେ ପହଞ୍ଚିଲା ବେଳକୁ ଆଲବର୍ଟ ବୋଧୁଏ ଘରକୁ ଆସି ସାରିବେଣି । ଆଲବର୍ଟ ମୋ ସହିତ ଏଆରପୋର୍ଟକୁ ଆସିବାର ଥିଲା । ହଠାତ୍‌ ଏକ ଦରକାରୀ କାମ ପଡ଼ିବାରୁ ସେ ଆସି ପାରିଲେନି । ଆଲବର୍ଟ ସହିତ ମୋ ବାପା ଓ ମା ମଧ୍ୟ ଆମ ଘରକୁ ଆସି ସାରିଥିବେ । ଆପଣମାନେ ମୋ ଭାଇକୁ ବୋଧୁଏ ଚିହ୍ନି ନାହାନ୍ତି । ଗଲାଥର ଆସିଲାବେଳେ ମୁଁ କହିଥିଲି ସେ କାଲିଫର୍ଣ୍ଣିଆରେ ଥିଲେ ବୋଲି । ଏବେ ସେ ନିଉୟର୍କକୁ ଆସି ସେଠାରେ ଡାକ୍ତରୀ ବ୍ୟବସାୟ କରୁଛନ୍ତି । ଆପଣମାନଙ୍କ ସହିତ ତାର ବୋଧହୁଏ ଦେଖା ହେବ ଏଥର । ଆପଣମାନଙ୍କୁ ଦେଖି ସେ ଭାରି ଖୁସି ହେବ ।’’

 

ମିସେସ୍‌ ଡୋନର ତାଙ୍କ ପାରିବାରିକ କଥାଗୁଡ଼ିକ ଏମିତି ଭାବରେ କହି ଯାଉଥାନ୍ତି, ଶୁଣିଲେ ଯେ କେହି ଲୋକ ଭାବିବ, ଆମେ ଯେମିତି ତାଙ୍କର ଅତି ଆତ୍ମୀୟ । ଗତଥର ଆମେ ଯେତେବେଳେ ତାଙ୍କ ଘରକୁ ଅତିଥି ହୋଇ ଆସିଥିଲୁଁ, ସେତେବେଳକାର ଗାମ୍ଭୀର୍ଯ୍ୟ ତାଙ୍କର ଆଉ ନାହିଁ । ଆମେରିକାର ପରିବାରର ବିଶେଷତ୍ଵ ହେଉଛି, ଥରେ ପରିଚିତ ହୋଇଗଲେ ସେମାନେ ଆତ୍ମୀୟ ଭଳି ଦେଖନ୍ତି । ସେମାନଙ୍କ ଘରର ଯାବତୀୟ କଥା ଏମିତି ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତି, ଯେ କେହି ଲୋକ ଶୁଣିଲେ ତାଟଙ୍ଗା ହୋଇଯିବ ।

 

ଚାହୁଁ ଚାହୁଁ ଆମ କାର ମିସେସ୍‌ ଡୋନରଙ୍କ ଘର ଆଗରେ ଆସି ଠିଆହେଲା । ଆମେ ପହଞ୍ଚିଲାବେଳକୁ ମିଷ୍ଟର ଡୋନର ଘରେ ପହଞ୍ଚି ଆମ ଅପେକ୍ଷାରେ ଥାଆନ୍ତି । ଆମ କାର ତାଙ୍କ ଦୁଆରେ ପହଞ୍ଚିଛି କି ନାହିଁ, ସେ ଘରୁ ଆମଠାକୁ ଦୌଡ଼ିଆସିଲେ । ଆମେ ମଟରରୁ ବାହାରିଲା କ୍ଷଣି ଆମ ସହିତ ହେଣ୍ଡସେକ୍‌କରି ଭଲମନ୍ଦ ଖବର କେତେ କଅଣ ପଚାରି ଗଲେ । ଲିଜା ଓ ଆମି ଝିଅ ଦୁଇଟି ଟୁନୁ ଓ ବାବୁଲିକୁ କୁଣ୍ଢାଇ ଏମିତି ଭାବରେ ଘରକୁ ନେଇ ଗଲେ, ଯେ କେହି ଲୋକ ଦେଖିଲେ କହିବ, ସେମାନେ ସତେ ଅବା କୋଟିନିଧି ପାଇଗଲେ । ଆମ ଉପସ୍ଥିତିରେ ସାରା ଗୃହଟି ଯେମିତି ଚହଟି ଉଠିଲା, ସେମିତି ଅନୁଭବ କଲେ ସେ ଦିନ ଡୋନର ପରିବାର ।

 

ସଙ୍ଗେ ସଙ୍ଗେ ଚା, ଜଳଖିଆର ବନ୍ଦୋବସ୍ତ ହୋଇଗଲା । ପୂର୍ବଭଳି ଆମେ ସମସ୍ତେ ଡାଇନିଂ ଟେବୁଲ ଚାରିପାଖରେ ଘେରି ବସିଲୁଁ । ମିସେସ୍‌ ଡୋନର ଜଳଖିଆ ବାଢ଼ି ବସିଲେ । ତାଙ୍କ ଚାଲିଚଳନରୁ ଜଣା ପଡ଼ୁଥାଏ , ସତେ ଯେମିତି ପରଶା କାମ କରିବା ପାଇଁ ତାଙ୍କର ଆଉ ଅଧିକା ହାତ ଗୋଡ଼ ବାହାରି ଆସିଛି । ଖାଉ ଖାଉ ଆମ ପ୍ରୋଗ୍ରାମ ସହିତ ସେମାନେ ପରିଚିତ ହେବାକୁ ଚେଷ୍ଟା କଲେ । ଅଗଷ୍ଟ ୩୦ ତାରିଖଠାରୁ ସେପେ୍‌ଟମ୍ବର ୩ ତାରିଖ ପର୍ଯ୍ୟନ୍ତ ଆମର ତାଙ୍କ ଘରେ ରହିବା ଠିକ୍‌ ହୋଇଥାଏ । ତା୩ରିଖ ସନ୍ଧ୍ୟାବେଳେ ନିଉୟର୍କ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିରୁ ଆମର ଆମେରିକା ଛାଡ଼ିବା କଥା । ତେଣୁ ଏହି ପାଞ୍ଚଦିନ କାଳ ଆମର ପ୍ରୋଗ୍ରାମ କେମିତି କଅଣ ତିଆରି ହୋଇଛି ଜାଣିବାକୁ ମିସେସ୍‌ ଓ ମିଷ୍ଟର ଡୋନର ଯେତେ ଆଗ୍ରହୀ, ତାଠାରୁ ଅଧିକ ଆଗ୍ରହୀ ସେମାନଙ୍କ ପିଲାମାନେ । ଆମେ ପହଞ୍ଚିବା ଖବର ଶୁଣି ସେହି ପଡ଼ାର ଆହୁରି କେତେଗୁଡ଼ିଏ ପିଲା ଆସି ଜମା ହୋଇଗଲେ । ଗତଥର ଆମର ସେମାନଙ୍କ ଘରେ ରହଣି କାଳରେ ଏହି ପଡ଼ାର ବହୁ ପିଲାଙ୍କ ସହିତ ଆମର ଘନିଷ୍ଠତା ହୋଇ ଯାଇଥିଲା । ତେଣୁ ଆମ ଆସିବା ଖବର ଶୁଣି ସେମାନେ ଆଉ କ’ଣ ସେମାନଙ୍କ ଘରେ ରହି ପାରୁଛନ୍ତି, ଆମଠାରେ ସଙ୍ଗେ ସଙ୍ଗେ ଆସି ହାଜର ।

 

ଆମର ପାଞ୍ଚଦିନ ରହଣି କାଳର ପ୍ରୋଗ୍ରାମ ଶୁଣୁ ଶୁଣୁ ଲିଜା କହିଲା, “ଡକ୍ଟର ମହାପାତ୍ର, ଆପଣ ଯେଉଁ ଦିନ ପାଇଁ ଯେଉଁ ପ୍ରୋଗ୍ରାମ କରନ୍ତୁ ପଛକେ, ଆମ ପାଇଁ ଦୁଇଟି ସକାଳ ଅଲଗା ରଖିଥିବେ । ସେପ୍‌ଟେମ୍ବର ମାସ ପହିଲା ତାରିଖ ସକାଳ ଏଗାରଟା ପୂର୍ବରୁ ଆପଣମାନେ କେଉଁଆଡ଼େ ଯାଇ ପାରିବେନି । ଆଉ ତା’ପର ଦିନ ସକାଳ ଓଳି ମଧ୍ୟ ।

 

ବଡ଼ ଆଶ୍ଚର୍ଯ୍ୟ ହୋଇ ଲିଜା ଆଡ଼କୁ ଅନାଇଲି । ଲିଜାର ସାନ ଭଉଣୀ ଆସି କହିଲା, ସେପ୍‌ଟେମ୍ବର ମାସ ପହିଲା ତାରିଖ ଦିନ ନିଉବ୍ରାନ୍‌ସ ଉଇକ୍‌ର ବିଖ୍ୟାତ ଖବର କାଗଜ ‘ଡେଲିହୋମ ନିଉଜ’ ର ସମ୍ବାଦ ଦାତା ଓ ଫଟୋଗ୍ରାଫର ଆସିବେ, ଆମ ଦୁଇ ପରିବାରର ବନ୍ଧୁ ମିଳନ ଫଟୋ ନେବା ପାଇଁ । ଆମ ଦୁଇ ପରିବାରର ବନ୍ଧୁତା ସମ୍ପର୍କରେ ଏକ ଖବର ଓ ସେଥି ସହ ଫଟୋ ପ୍ରକାଶ ପାଇବ, ସେମାନଙ୍କ କାଗଜରେ । ଡୋନାର ପରିବାରରେ ଆମ ରହଣି କାଳରେ ଖବର କାଗଜରେ ଆମ ରହିବା ବିବରଣୀ ବାହାରିବା କିଛି ନୂଆ କଥା ନୁହେଁ । ଗତଥର ସେହିଭଳି ୱାସିଙ୍ଗଟନ୍ ଫେରିବା ପଥରେ ଆମେ ଯେଉଁ ଦୁଇ ଦିନ ସେମାନଙ୍କ ଘରେ କଟାଇ ଥିଲୁଁ, ସେତେବେଳେ ଦୁଇ ଦୁଇଟା ଖବର କାଗଜରେ ଆମ ନିଉଜେରସି ରହଣୀ କଥା ବାହାରି ପଡ଼ିଥିଲା-। ଏଥର ରହଣୀବେଳେ ଫଟୋ ଆଦି ପ୍ରକାଶନର ବନ୍ଦୋବସ୍ତ ଦେଖି ଆମେ ତାଟଙ୍ଗା ନହୋଇ ରହି ପାରିଲୁନି । ତହଁ ଆରଦିନ ସେମାନଙ୍କ ବ୍ୟକ୍ତିଗତ ବିଚ୍‌ରେ ସମୟ କଟାଇବା ଠିକ୍‌ ହୋଇଥାଏ-। ଲିଜାର ଅନୁରୋଧକୁ ଖୁବ୍ ଆନନ୍ଦର ସହିତ ଗ୍ରହଣ କଲୁଁ, କାରଣ ସେହି ଅନୁରୋଧକୁ ଏଡ଼ିବାର ଶକ୍ତି ଆମର କାହାରି ନ ଥିଲା ।

 

ଯଥା ସମୟରେ ପ୍ରେସ୍‌ ସମ୍ବାଦଦାତା ଓ ଫଟୋଗ୍ରାଫରମାନେ ଆମ ଖବର ଓ ଫଟୋ ସଂଗ୍ରହ କରି ବିଦା ହୋଇଗଲେ । ଆମେ ସଙ୍ଗେ ସଙ୍ଗେ ବାହାରି ପଡ଼ିଲୁ ନିଉୟର୍କ ନଗରୀ ଅଭିମୁଖେ । ନିଉୟର୍କ ନଗରୀକୁ ଆମେ ଏଥିପୂର୍ବରୁ ଚାରି ପାଞ୍ଚଥର ଯାଇଥିଲେ ହେଁ ନିଉୟର୍କର କେତେଗୁଡ଼ିଏ ଦର୍ଶନୀୟ ଜିନିଷ ଦେଖିବା କାମର ଶେଷ ପର୍ଯ୍ୟାୟ ବାକୀ ରଖିଥାଉ । ସେଥି ଭିତରୁ ଗୋଟିଏ ହେଉଛି ଏମ୍ପୟାର ଷ୍ଟେଟ ବିଲ୍‌ଡିଂ ଉପରକୁ ଯାଇ ସେଠାରୁ ନିଉୟର୍କ ନଗରୀ ସୌନ୍ଦର୍ଯ୍ୟ ଉପଭୋଗ କରିବା ଓ ସେଥି ସହ ଫଟୋ ନେବା ଓ ଦ୍ଵିତୀୟଟି ପୃଥିବୀର ବୃହତ୍ତମ ସିନେମା ଗୃହ ରେଡ଼ିଓ ସିଟି ମିଉଜିକ୍ ହଲରେ ଗୋଟାଏ ସୋ ଦେଖିବା । ତା ଛଡ଼ା ପୃଥିବୀର ବୃହତ୍ତମ ଦୋକାନ ‘ମାସେ ଡିପାର୍ଟିମେଣ୍ଟାଲ ଷ୍ଟୋରସ୍’ ଆଦି ବହୁ ଦୋକାନ ବୁଲି ଦେଖିବା ବାକି ଥାଏ । ତେଣୁ ଆମେ ସଅଳ ସଅଳ ନିଉୟର୍କ ନଗରୀକୁ ଅଭିମୁଖେ ବାହାରି ପଡ଼ିଲୁଁ । ଫୋର୍ଡ଼ସରୁ ବସ୍ ଧରି ନିଉୟର୍କ ନଗରୀକୁ ଯିବା ଓ ସେଠାରୁ ଫେରିବା ଠିକ୍ କରିଥାଉ । ଆମକୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ନେଇ ଛାଡ଼ିଦେଇ ଆସିବା ପାଇଁ ମିସେସ୍ ଡୋନର ତାଙ୍କ କାର ବାହାର କରି ଆଣିଲେ । କଥା ହୋଇଥାଏ, ଆମେ ଫେରିଲାବେଳେ ମଧ୍ୟ ସେ ଆମକୁ ବସ୍ ଷ୍ଟାଣ୍ଡରୁ ତାଙ୍କ ଘରକୁ କାରରେ ଘେନି ଆସିବେ ।

 

ଯଥା ସମୟରେ ବସ୍ ଫୋର୍ଡ଼ସ୍ ସହର ଛାଡ଼ିଲା ନିଉୟର୍କ ନଗରୀ ଅଭିମୁଖେ । ନିଉୟର୍କ ନଗରୀ ମୋଟେ କୋଡ଼ିଏ ମାଇଲ ଦୂରରେ ଥିବାରୁ ଆମକୁ ସେଠାରେ ପହଞ୍ଚିବାକୁ ଅଧଘଣ୍ଟାଏ ସମୟରୁ ଅଧିକ ଲାଗିବନି ବୋଲି ଜାଣିଥାଉ । କିନ୍ତୁ ବେଳେ ବେଳେ ଲିଙ୍କନ୍ ସୁଡ଼ଙ୍ଗଠାରେ ବସ ଓ କାର ଗୁଡ଼ିକରେ ଏତେ ଭିଡ଼ ହୁଏ ଯେ ଲିଙ୍କନ୍ ସୁଡ଼ଙ୍ଗ ପାର ହୋଇ ନିଉୟର୍କ ନଗରୀରେ ପଶୁ ପଶୁ ଢେର ବିଳମ୍ବ ହୋଇଯାଏ ।

 

ଏଥି ପୂର୍ବରୁ ଆମେ ବହୁଥର ଲିଙ୍କନ୍ ସୁଡ଼ଙ୍ଗ, ହଲାଣ୍ଡ ସୁଡ଼ଙ୍ଗ ଦେଇ ନିଉୟର୍କ ନଗରୀକୁ ନିଉଜେରସି ଆଡ଼ୁ ପ୍ରବେଶ କରିଛୁଁ । ଥରେ ଥରେ ଏମିତି ଟ୍ରାଫିକ ଭିଡ଼ ହୋଇଛି ଯେ ଆମକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଛି । ଦିନ ଆଠଟା ନଅଟା ଓ ସନ୍ଧ୍ୟା ପାଞ୍ଚଟାରେ ଏତେ ଭିଡ଼ ହୁଏ ଯେ ସେ କଥା କହି ହେବନାହିଁ । ଏହି ସୁଡ଼ଙ୍ଗଟି ନିଉୟର୍କ ନିଉଜେରସିର ପ୍ରଧାନ ରାସ୍ତାରେ ପଡ଼ୁଥିବାରୁ ଏହି ସମୟରେ ଭିଡ଼ ହେବା ସ୍ଵାଭାବିକ । ତେବେ କିଏ ଜଣେ ଆମେ ହୁଏତ ଗଲାବେଳେ ଭିଡ଼ ନଥିବା । ନିଉଜେରିସ ଆଡ଼ୁ ନିଉୟର୍କକୁ ଯିବାପାଇଁ ହଡ଼ସନ ନଦୀ ତଳେ ବହୁତଗୁଡ଼ିଏ ସୁଡ଼ଙ୍ଗ ଥିଲେ ହେଁ, ସେଥିଭିତରୁ ଉପରୋକ୍ତ ଦୁଇଟି କେବଳ ବସ, କାର, ଟ୍ରକ ଆଦି ପାଇଁ ଉଦ୍ଧିଷ୍ଟ । ବାକିଗୁଡ଼ିକ ବିଭିନ୍ନ ରେଳ ଯାତାୟାତ ଓ ନିଉୟର୍କ ନଗରୀର ସବୱେ ବା ଭୂଇଁତଳେ ରେଳପାଇଁ ବ୍ୟବହୃତ ହୁଏ । ଏହି ଟନେଲ ଦୁଇଟି ଉତ୍କୃଷ୍ଟ ମାର୍କିନ ଇଞ୍ଜିନିଅରିଂର ଏକ ଜ୍ଵଳନ୍ତ ନମୁନା । ଲିଙ୍କନ୍ ଟନେଲ ହଡ଼ସନ୍ ନଦୀତଳେ ନିଉରର୍କକୁ ନିଉଜେରିସ ସହିତ ସଂଯୁକ୍ତ କରୁଛି । ଏହା ମଧ୍ୟ ଏକ ବିରାଟ ସୁଡ଼ଙ୍ଗ, ନଦୀ ଶର୍ଯ୍ୟାର ବହୁ ତଳେ ଏହା ରହିଛି । ଏହି ଟନେଲଟି ଦୁଇ ଭାଗରେ ବିଭକ୍ତ । ଯଥା:-ଉତ୍ତର ସୁଡ଼ଙ୍ଗ (North Tube) ଓ ଦକ୍ଷିଣ ସୁଡ଼ଙ୍ଗ (South Tube) ଦୁଇଟିଯାକ ସୁଡ଼ଙ୍ଗ ପରସ୍ପରକୁ ଲାଗି କରି ରହିଛି । ଏଥି ଭିତରୁ ଦକ୍ଷିଣ ସୁଡ଼ଙ୍ଗଟିର ଲମ୍ବ ୮୨୧୫ ଫୁଟ ଓ ଏହା ୧୯୩୬ ମସିହାରେ ତିଆରି ହୋଇଥିଲା । ଉତ୍ତର ସୁଡ଼ଙ୍ଗର ଲମ୍ବ ଟିକିଏ କମ, ୭୪୮୨ ଫୁଟ । ଏହା ୧୯୪୫ ମସିହାରେ ତିଆରି ହୋଇଥିଲା । ଏହି ପ୍ରତ୍ୟେକ ସୁଡ଼ଙ୍ଗର ବ୍ୟାସ ୩୧ ଫୁଟ । ଏହା ଭିତରେ ଥିବା ରାସ୍ତାର ଓସାର ପ୍ରାୟ ୨୨ଫୁଟ ଓ ଉଚ୍ଚତା ୧୩ ଫୁଟ । ପ୍ରତ୍ୟେକ ସୁଡ଼ଙ୍ଗରେ ବିପରୀତ ଦିଗକୁ ଯାଉଥିବା ଯାନ ଯାଇ ପାରିବାର ସୁବିଧା ଅଛି । ଦୁଇଟି ସୁଡ଼ଙ୍ଗ ଭିତରୁ ଗୋଟିଏ କାର୍ ଯିବା ଆସିବା ପାଇଁ ଓ ଅନ୍ୟଟି ବସ, ଟ୍ରକ, ଟ୍ରେଲର ଆଦି ଯିବା ଆସିବା ପାଇଁ ବ୍ୟବହୃତ ହୁଏ । ଟନେଲର ଛାତ କାଚ ତିଆରି ଟାଇଲ ଦ୍ଵାରା ଆଛାଦିତ । ତେଣୁ ଅତି ସୁନ୍ଦର ଦିଶେ । ପ୍ରକାଣ୍ଡ ପ୍ରକାଣ୍ଡ ବିଦ୍ୟୁତ୍‌ପଙ୍ଖା ବସାଯାଇ ଏହା ଅଭ୍ୟନ୍ତରସ୍ଥ ଆବଦ୍ଧ ବାୟୁକୁ ଅନବରତ ବାହାର କରାଯାଇ ଉପରୁ ବିଶୁଦ୍ଧ ଭରତି କରାଯାଉଛି । ତେଣୁ ଏହି ସୁଡ଼ଙ୍ଗ ଦେଇ ଗଲାବେଳେ କିଛି ଅସ୍ଵସ୍ତି ଲାଗେ ନାହିଁ । ଶହ ଶହ ପ୍ରତିପ୍ରତ୍ତ ବିଦ୍ୟୁତ୍ ବତୀ ଦିଆଯାଇ ଏହି ସୁଡ଼ଙ୍ଗକୁ ଦିନଭଳି ଆଲୋକିତ କରାଯାଇଛି । ଏହି ଦେଢ଼ ମାଇଲ ଲମ୍ବ ସୁଡ଼ଙ୍ଗକୁ ତିଆରି କରିବାପାଇଁ ୪୦କୋଟି ଟଙ୍କା ବ୍ୟୟିତ ହୋଇଥିଲା । ଆମେରିକାର ବିଶିଷ୍ଟ ରାଷ୍ଟ୍ରପତି ଆବ୍ରାହାମ୍ ଲିଙ୍କନଙ୍କ ନାମାନୁସାରେ ଏହା ନାମିତ ।

 

ଲିଙ୍କନ୍ ସୁଡ଼ଙ୍ଗଠାରୁ ହଲାଣ୍ଡ ସୁଡ଼ଙ୍ଗ ଆହୁରି ପୁରୁଣା । ଏହା ୧୯୨୭ ମସିହାରେ ତିଆରି ହୋଇଥିଲା । ଏହି ସୁଡ଼ଙ୍ଗଟି ନିଉୟର୍କ ନଗରୀକୁ ଜେରସି ସିଟି ସହର ସହିତ ସଂଯୁକ୍ତ କରୁଛି । ଏହା ମଧ୍ୟ ଲିଙ୍କନ୍ ସୁଡ଼ଙ୍ଗ ଭଳି ହଡ଼ସନ୍ ନଦୀ ତଳେ ରହିଛି ଓ ଏହା ଲିଙ୍କନ୍ ସୁଡ଼ଙ୍ଗର ଦକ୍ଷିଣକୁ ନଦୀର ତଳ ଆଡ଼କୁ ଅବସ୍ଥିତ । ଏହି ସୁଡ଼ଙ୍ଗକୁ ତିଆରି କରିଥିବା ବିଖ୍ୟାତ ଇଞ୍ଜିନିୟର କ୍ଲିଫୋର୍ଡ ମିଲବର୍ଣ୍ଣ ହଲାଣ୍ଡଙ୍କ ନାମାନୁସାରେ ସୁଡ଼ଙ୍ଗଟି ନିର୍ମିତ । ଏହି ସୁଡ଼ଙ୍ଗକୁ ତିଆରି କରିବା ପାଇଁ ସେ ଯେଉଁ ଅତିରିକ୍ତ ପରିଶ୍ରମ କରିଥିଲେ, ତାରି ଫଳରେ ସେ ଅକାଳ ମୃତ୍ୟୁ ବରଣ କରିଥିଲେ । ତାଙ୍କର ସେହି ସ୍ମୃତି ଚିହ୍ନ ସ୍ୱରୂପ ତାଙ୍କ କୃତ ଏହି ବିରାଟ କାର୍ଯ୍ୟଟିକୁ ତାଙ୍କର ନାଁରେ ଉତ୍ସର୍ଗ କରଯାଇଥିଲା । ଏହା ମଧ୍ୟ ଦୁଇଟି ସୁଡ଼ଙ୍ଗ ବିଶିଷ୍ଟ । କିନ୍ତୁ ଏହି ସୁଡ଼ଙ୍ଗ ଦୁଇଟି ଏକ ମୁହାଁ ରାସ୍ତା ଭାବରେ ବ୍ୟବହୃତ ହୁଏ । ନିଉୟର୍କ ନଗରୀକୁ ଗଲାବେଳେ ଯେଉଁ ସୁଡ଼ଙ୍ଗ ଦେଇ ଯିବ, ଆସିଲାବେଳେ ଅନ୍ୟ ସୁଡ଼ଙ୍ଗ ଦେଇ ଆସିବାକୁ ପଡ଼େ । ଏହି ସୁଡ଼ଙ୍ଗ ଦେଇ କେବଳ ମୋଟର ଗାଡ଼ି ଯିବା ଆଇନ୍ ଅଛି । ବସ୍, ଟ୍ରକ, ବା ଅନ୍ୟ କିଛି ଯାନ ବାହନ ପାଇଁ ଏହା ନିଷିଦ୍ଧ । ହାରାହାରି ଦିନକୁ ଷାଠିଏ ହଜାର ପର୍ଯ୍ୟନ୍ତ ମୋଟର ଗାଡ଼ି ଏହି ଟନେଲ ଦେଇ ଯିବା ଆସିବା କରେ । ଏହି ସୁଡ଼ଙ୍ଗଟିର ଲମ୍ବ ଲିଙ୍କନ୍ ସୁଡ଼ଙ୍ଗଠାରୁ କିଛି ଅଧିକ କିନ୍ତୁ ଓସାର କିଛି କମ୍ । ଏହାର ଲମ୍ବ ହେଉଛି ୮୫୫୭ ଫୁଟ ଓ ବ୍ୟାସ ସାଢ଼େ ଅଣତିରିଶ ଫୁଟ । ଏହାର ଅଭ୍ୟନ୍ତରସ୍ଥ ଆବଦ୍ଧ ବାୟୁକୁ ନିଷ୍କାସନ କରି ବିଶୁଦ୍ଧ ବାୟୁ ପୂରାଇବା ପାଇଁ ବଡ଼ ବଡ଼ ବିଦ୍ୟୁତ୍ ପଙ୍ଖାମାନ ବସିଛି । ଏହାର ଅଭ୍ୟନ୍ତର ଲିଙ୍କନ୍ ସୁଡ଼ଙ୍ଗ ଅପେକ୍ଷା ଅଧିକ ସୁନ୍ଦର । ଏହାର ଛାତ ଧଳା ଟାଇଲ ଦ୍ଵାରା ଆଚ୍ଛାଦିତ । ଲିଙ୍କନ ସୁଡ଼ଙ୍ଗ ଅପେକ୍ଷା ଏହି ସୁଡ଼ଙ୍ଗଟି ଅଧିକ ଆଲୋକିତ । ଏହି ସୁଡ଼ଙ୍ଗ ଦେଇ ଗଲେ କିଛି ଅଶ୍ଵସ୍ତି ଲାଗେନି;ମୁକ୍ତ ରାସ୍ତାରେ ଗଲାଭଳି ବେଶ୍ ଫୁର୍ତ୍ତି ଲାଗେ । ଏହି ସୁଡ଼ଙ୍ଗଟିକୁ ତିଆରି କରିବା ପାଇଁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟିତ ହୋଇଛି । ଲିଙ୍କନ ଓ ହଲାଣ୍ଡ ସୁଡ଼ଙ୍ଗ ଦେଇ ଗଲେ ଟୋଲ ବା ପଇସା ଦେବାକୁ ପଡ଼େ । ବିନା ପଇସାରେ ଏହା ଭିତରେ ଦେଇ ଯାଇ ହେବନି । ମାନହାଟ୍ଟନ ଓ କୁଇନସ ଭିତର ଦେଇ ସେହିଭଳି କାର, ବସ୍ ପାଇଁ କୁଇନ୍‌ସ ମିଡ଼ଟାଉନ ଟନେଲ ଅଛି । ନିଉୟର୍କ ନଗରୀର ନଦୀ ତଳ, ଭୂଇଁ ତଳ, କୋଠା ତଳ, ରାସ୍ତାତଳଗୁଡ଼ିକ ଏତେ ସୁଡ଼ଙ୍ଗରେ ପୁରି ରହିଛି ଯେ ନିଉୟର୍କ ନଗରୀକୁ ସୁଡ଼ଙ୍ଗ ନଗରୀ ଆଖ୍ୟା ଦେଲେ ଅତ୍ୟୁକ୍ତି ହେବନି ।

 

ଲିଙ୍କନ ସୁଡ଼ଙ୍ଗଠାରେ ଭିଡ଼ ହେବ କି କଣଅ ବାଟସାରା ଭାବି ଭାବି ଆସୁଥିଲୁ । ସେଠାରେ ଯଦି ଭିଡ଼ ହୁଏ, ତେବେ ଆମ ନିଉୟର୍କ ନଗରୀ ପରିକ୍ରମାରେ ବ୍ୟାଘାତ ଘଟିବା ଆଶଙ୍କାରେ ଆମେ ଥାଉଁ । ସୌଭାଗ୍ୟବଶତଃ ଆମେ ଲିଙ୍କନ ସୁଡ଼ଙ୍ଗ ଦ୍ଵାରା ଦେଶରେ ପହଞ୍ଚିଲା କ୍ଷଣି କିଛି ଭିଡ଼ ନାହିଁ । ମନ ଆନନ୍ଦରେ ଖୁସି ହୋଇଗଲା । ଚାହୁଁ ଚାହୁଁ ଅଳ୍ପ କେଇ ମିନିଟରେ ଆମ ବସ ଲିଙ୍କନ ସୁଡ଼ଙ୍ଗ ପାର ହୋଇ ନିଉୟର୍କ ପୋର୍ଟ ଅଥରିଟି ବସ ଟରମିନାଲରେ ଆସି ପହଞ୍ଚିଲା । ଆମେ ମନ ଖୁସିରେ ବସ୍‌ରୁ ଓହ୍ଲାଇ ଟେକସି ଧରି ସିଧା ଚାଲିଲୁ ରକେ ଫେଲର ସେଣ୍ଟାର୍ ଅଭିମୁଖେ । ସେଠାରେ ଥିବା ପୃଥିବୀର ବୃହତ୍ତମ ସିନେମା ହଲ’ ରେଡ଼ିଓ ସିଟି ମିଉଜିକ ହଲ’ ରେ ଏକ ସୋ ଦେଖିବା ଆମ ବାସନା ଥାଏ ।

 

ରକେ ଫେଲର ସେଣ୍ଟାର ସେଠାରୁ ବେଶି ଦୂର ନୁହେଁ । ଅଳ୍ପ କେଇ ମିନିଟରେ ଆମେ ସେଠାରେ ଯାଇ ପହଞ୍ଚିଗଲୁ । ପ୍ରତ୍ୟେକଙ୍କ ପାଇଁ ଖଣ୍ଡିଏ ଖଣ୍ଡିଏ ଟିକଟ କାଟି ଭିତରକୁ ପଶିଲୁ । ହଲ ଭିତରକୁ ଗଲାବେଳକୁ ସୋ ଆରମ୍ଭ ହୋଇଗଲାଣି । ଆମେରିକା ଓ ଇଉରୋପର ‘ସିନେମା ସୋ’ଦେଖା ବଡ଼ ବିଚିତ୍ର ଧରଣର । ‘ସିନେମା ସୋ’ ଆରମ୍ଭ ହେବାର ନିର୍ଦ୍ଦିଷ୍ଟ ସମୟ ଥିଲେହେଁ ବହୁ ଦର୍ଶକ ଠିକ୍ ସୋ ଆରମ୍ଭବେଳେ ପହଞ୍ଚିପାରନ୍ତି ନାହିଁ ବା ପହଞ୍ଚିବା ମଧ୍ୟ ଦରକାର ପଡ଼େ ନାହିଁ-। ଗୋଟିଏ ଗୋଟିଏ ସିନେମା ହାଉସରେ ଦିନ ୯ଟା କି ୧୨ଟା ଠାରୁ ରାତି ୯ଟା କି ୧୨ଟା ପର୍ଯ୍ୟନ୍ତ ଅନବରତ ଫିଲ୍ମ ଦେଖା ଚାଲିଥାଏ । ଗୋଟିଏ ଫିଲ୍ମ ଆରମ୍ଭ ହୁଏ, ଶେଷ ହୁଏ, ପୁଣି ଆରମ୍ଭ ହୁଏ, ଶେଷ ହୁଏ ଏହି ରାତିରେ ଚାଲେ । ଜଣେ ଯଦି ଟିକଟ କାଟି ଭିତରକୁ ପଶିଲା ତେବେ ସେ ଯଦି ବାହାରି ନ ଆସିବାକୁ ଇଚ୍ଛା କରିବ ତେବେ ତାକୁ କେହି ବାହାର କରି ଦେଇ ପାରିବ ନାହିଁ । ସେ ମନ କଲେ ଦିନ ୯ଟା କିମ୍ବା ୧୨ଟାଠାରୁ ରାତ୍ର ୯ଟା କି ୧୨ଟା ପର୍ଯ୍ୟନ୍ତ ସିନେମା ଘରେ ବସି ସେହି ଫିଲ୍ମକୁ ଏକାଧିକ ଥର ଦେଖି ପାରିବ । ଅବଶ୍ୟ ସେମିତି ଦେଖଣାହାରୀ ସେ ଦେଶରେ ବିରଳ । ଆମ ଦେଶ ହୋଇଥିଲେ ଅଲଗା କଥା ହୋଇଥାନ୍ତା-। ତେଣୁ କିଏ ଯଦି ଫିଲ୍ମ ଅଧାରେ ପହଞ୍ଚେ, ତେବେ ଫିଲ୍ମର ଶେଷ ଅଧିକ ଦେଖିସାରି ପୁଣି ମୂଳ ଅଧିକ ଦେଖି ଘରକୁ ଫେରେ । ଅବଶ୍ୟ ଏଥିରେ ଫିଲ୍ମର ଉପଭୋଗ ଢେର ଭାଙ୍ଗିଯାଏ । ତେଣୁ ଫିଲ୍ମ ଆରମ୍ଭ ହେଲା ବେଳକୁ ଦେଖାଣାହାରୀମାନେ ଯାଇ ପହଞ୍ଚିଥାନ୍ତି । ଯଦି କେହି କଦବା କେମିତି ଡେରିରେ ପହଞ୍ଚେ; ତେବେ ସେ ଆମ ଦେଶ ଭଳି ପୂରା ଫିଲ୍ମ ଦେଖାରୁ ବଞ୍ଚିତ ନ ହୋଇ ଶେଷ ଅଧକ ପରେ ପ୍ରଥମ ଅଧକ ଦେଖି, ତାର ପୂରା ଫିଲ୍ମଟି ଦେଖାହୁଏ । ଆମେ ସେଦିନ ରେଡ଼ିଓ ସିଟି ମିଉଜିକ ହଲରେ ପହଞ୍ଚିଥିଲା ବେଳକୁ ଫିଲ୍ମ ସୋ ଆରମ୍ଭ ହୋଇ ଗଲାଣି-। ତେବେ ପରେ କିଛି ଅଧିକା ସମୟ ରହି ଫିଲ୍ମର ମୂଳ ଅଂଶ ଦେଖିବୁ ବୋଲି ଠିକ୍ କରି ସିନେମାହଲ୍ ଚେୟାରରେ ବସିଲୁ ।

Unknown

 

‘ରେଡ଼ିଓ ସିଟି ମିଉଜିକ୍ ହଲ’ ରକେଫେଲର ସେଣ୍ଟର ଭିତରେ ଅବସ୍ଥିତ । ରକେଫେଲର ସେଣ୍ଟରର ରେଡ଼ିଓ ସିଟି ଅଂଶଟି ଅତି ଚମତ୍କାର । ଏହି ଅଂଶରେ ପାଞ୍ଚଗୋଟି ଅତି ଉଚ୍ଚ ପ୍ରାସାଦ ଅବସ୍ଥିତ । ସେହି ପାଞ୍ଚଗୋଟି ପ୍ରାସାଦ ଭିତରୁ ଆ-ର୍‌ସି-ଏ ବିଲ୍‌ଡିଂ ସବୁଠାରୁ ଉଚ୍ଚ ୭୦ ତାଲା । ଦ୍ଵିତୀୟରେ ଆନ୍ତର୍ଜାତିକ ପ୍ରାସାଦ, ତୃତୀୟରେ ବ୍ରିଟିଶ ଏମ୍‌ପାୟାର ବିଲ୍‌ଡିଂ, ଚର୍ତୁଥରେ ଟାଇମ ଓ ଲାଇଫ୍ ବିଲ୍‌ଡିଂ, ପଞ୍ଚମରେ ଆସୋସିଏଟେଡ଼ ପ୍ରେସ ବିଲ୍‌ଡ଼ିଂ । ରେଡ଼ିଓ ସିଟିକୁ ଲାଗି ୩୧ ତାଲା ଉଚ୍ଚ ଆର:କେ:ଓ:ପ୍ରାସାଦ ଅବସ୍ଥିତ । ଏହି ପ୍ରସାଦକୁ ଲାଗି ଆର୍‌ସି-ଏ ପ୍ରାସାଦର କଡ଼େ କଡ଼େ ରେଡ଼ିଓ ସିଟି ମିଉଜିକ ହଲ୍ ଅବସ୍ଥିତ । ପୃଥିବୀରେ ଯେତେ ସିନେମା ଘର ଅଛି, ସେଥି ଭିତରେ ଏହି ହଲଟି ବୃହତ୍ତମ । ଏକ ସଙ୍ଗରେ ଏଥିରେ ଛଅହଜାର ଦୁଇଶହ ଦର୍ଶକ ବସି ସିନେମା ଦେଖିବାର ବନ୍ଦୋବସ୍ତ ଅଛି । ପୂର୍ବ ବର୍ଷ ରକଫେଲର କେନ୍ଦ୍ର ପରିଦର୍ଶନବେଳେ ଆମେ ଏହାର ବିରାଟ ଲବିହଲ ଦେଖିଥିଲୁ । କିନ୍ତୁ ସମୟ ଅଭାବରୁ ଏହି ବିରାଟ ହଲର ସିନେମା କି ଅନ୍ୟ ଅଭିନୟ ଦେଖିପାରି ନଥିଲୁ । ତେଣୁ ଆମେରିକା ଛାଡ଼ିବା ପୂର୍ବରୁ ଏହି ସିନେମା ଘରର ଚଳଚିତ୍ର ଅଭିନୟ ଆଦି ନ ଦେଖି ଯାଉଛୁଁ ବା କେମିତି ?

 

ଆମେ ହଲ ଭିତରକୁ ପଶି ସିଟ୍‌ରେ ବସିଲାବେଳକୁ ସୋ ଆରମ୍ଭ ହୋଇ ଯାଇଥାଏ । ସେହି ଅନ୍ଧକାର ଭିତରେ ହଲର ବିରାଟତା ଲକ୍ଷ୍ୟ କରି ସ୍ତବ୍‌ଧ ହୋଇପଡ଼ିଲୁ । କଟକର ହିନ୍ଦି ସିନେମା ଘର ଭଳି ଦଶଟା ସିନେମା ଘରକୁ ଯଦି ଏକାଠି କରାଯାଏ, ତେବେ ଏହି ଗୋଟିଏ ହଲ ସହିତ ସମାନ ହେବ କି ନାହିଁ ସନ୍ଦେହ । ଆମ ଦେଶରେ ସିନେମା ଘରର ଛାତ ଯେମିତି ଟିଣ କି ଆସବେଷ୍ଟସ୍‌ରୁ ତିଆରି, ସେମିତି ଆମେରିକାର କୌଣସି ସିନେମା ଘରର ଛାତ ଆସ୍‌ବେଷ୍ଟସ ନୁହେଁ । ଛାତଗୁଡ଼ିକ ସବୁ କଂକ୍ରିଟରୁ ତିଆରି । ରେଡ଼ିଓ ସିଟି ମିଉଜିକ ହଲର ଛାତର ଉଚ୍ଚତା ପ୍ରାୟ ୧୨୫ ଫୁଟ । ସେହି ତୁଳନାରେ ଲମ୍ବ, ଚଉଡ଼ା କେତେ ହୋଇଥିବ ଅନୁମାନ କରିହେବ । ହଲ ଭିତରେ ଛାତକୁ ଅନାଇଲେ ଛାତ ଅନ୍ତତଃ ଦଶ ବାର ତାଲା କୋଠା ଉଚ୍ଚା ଥିବାର ଦିଶେ । ଅନାଇଲେ ବୋଧହେବ ଛାତକୁ ଯେମିତି ସତେ ଆଖି ପାଉନାହିଁ । ପ୍ରେକ୍ଷାଳୟର ଷ୍ଟେଜ କି ବିରାଟ-। ଚଳଚିତ୍ରର ରୁପେଲି ପରଦାର ଲମ୍ବ ଓ ଓସାର ଆମ ଦେଶର ଗୋଟିଏ ଗୋଟିଏ ସିନେମା ଘରର ଓସାର ଭଳି ବୋଧ ହେଉଥାଏ ।

 

‘ରେଡ଼ିଓ ସିଟି ମିଉଜିକ୍‍ ହଲ’ ର ବନ୍ଦୋବସ୍ତ ବଡ଼ ବିଚିତ୍ର । ଏହା ଏକାଧାରରେ ଏକ ସିନେମା ଓ ଥିଏଟର ଗୃହ । ପ୍ରତିଦିନ ଏଥିରେ ଯେଉଁ ସୋ ହୁଏ, ସେ ଗୁଡ଼ିକ ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗରେ ଚଳଚିତ୍ର ପ୍ରଦର୍ଶନ ହୁଏ । ଦ୍ଵିତୀୟ ଭାଗରେ ଅଭିନେତା ଓ ଅଭିନେତ୍ରୀମାନଙ୍କ ଦ୍ଵାରା ଅଭିନୀତ ଅଭିନୟ ପ୍ରଦର୍ଶିତ ହୁଏ । ଚଳଚିତ୍ର ଦେଖି ସାରିଲା ପରେ ଅଭିନୟ ଆରମ୍ଭ ହେଲା । ଅଭିନୟ ଆରମ୍ଭ ହେବାକ୍ଷଣି ଚଳଚିତ୍ର ଷ୍ଟେଜ ଓ ତାର ରୂପେଲି ପରଦା କୁଆଡ଼େ ଉଭେଇଗଲା, ତା ସ୍ଥାନରେ ଠିଆହେଲା ବିରାଟ ଥିଏଟର ଷ୍ଟେଜ । ଚାହୁଁ ଚାହୁଁ ଥିଏଟରର ଅର୍କେଷ୍ଟ୍ରା ଭୂଇଁ ତଳୁ ବାହାରି ଷ୍ଟେଜକୁ ଘେରି ରହିଲା । ଅର୍କେଷ୍ଟ୍ରାର ମଧୁର ସଙ୍ଗୀତ ମୂର୍ଛନା ଭିତରେ ଆରମ୍ଭ ହେଲା ଶତାଧିକ ନାନା ଆକର୍ଷଣୀୟ ପୋଷାକରେ ଆଚ୍ଛାଦିତ ସୁନ୍ଦରୀ ଅଭିନେତ୍ରୀମାନଙ୍କର ମନମତାଣୀଆ ନାଚ ଗାନ । ଚଳଚିତ୍ର ପ୍ରଦର୍ଶନ ପରେ ଏହି ସବୁ ପରିବର୍ତ୍ତନ ଆମ ଆଖି ଆଗରେ ଏମିତି ଭାବରେ ହୋଇଗଲା ଯେ ଆମକୁ ଏ ସବୁ କୁହୁକଠାରୁ ଆହୁରି ଆଶ୍ଚର୍ଯ୍ୟ ଲାଗିଲା । ଆମେ ପ୍ରକୃତରେ ବାସ୍ତବ ଅଭିନୟ ଦେଖୁଛୁ କି ସ୍ଵପ୍ନ ରାଜ୍ୟରେ ବିଚରଣ କରୁଛୁ ଭାବି ଠିକ୍ କରି ପାରିଲୁନି-। ଗୋଟିଏ ଦଳ ନାଚି ସାରିବା ପରେ ଷ୍ଟେଜଟା ପୂରାପୂରି ତଳକୁ ଚାଲି ଯାଉଥାଏ-। ଷ୍ଟେଜ ପୁଣି ଉପରକୁ ଉଠିଲା ବେଳକୁ ଆଉ ଦଳେ ନର୍ତ୍ତକୀ ଆସି ଉପସ୍ଥିତ । ବେଳେ ବେଳେ ଷ୍ଟେଜ୍ ଦୁଇ ପାଖକୁ ମଧ୍ୟ ବୁଲି ଯାଉଥାଏ । କେତେବେଳେ ଅର୍‌କେଷ୍ଟ୍ରା ଷ୍ଟେଜ୍ ଉପରକୁ ଉଠିଲାଣି ତ କେତେବେଳେ ଷ୍ଟେଜ୍‌ତଳକୁ ଚାଲିଗଲାଣି । ଅବସ୍ଥା ବିଶେଷରେ କେତେବେଳେ ଏହା ଯାଇ ଷ୍ଟେଜ ଭିତରେ ଅବସ୍ଥାନ କଲାଣି । ଅତ୍ୟାଧୁନିକ ଷ୍ଟେଜ୍‌ ଟେକନିକ୍‌ର ନାନାଦି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଦେଖି ଆମେ ଯେତିକ ଆଶ୍ଚର୍ଯ୍ୟ ହେଲୁଁ, ତାଠାରୁ ଅଧିକ ଆମୋଦ ପାଇଲୁ ସେହି ଅଭିନୟ ଗୁଡ଼ିକରୁ । ପ୍ରାୟ ଘଣ୍ଟାକରୁ ଉର୍ଦ୍ଧ୍ଵ ସେହି ଅଭିନୟ ଚାଲିଲା । ଅଭିନୟଗୁଡ଼ିକ ଏଡ଼େ ସୁନ୍ଦର ଓ ମନ ମତାଣିଆ ହୋଇଥାଏ ଯେ ସଙ୍ଗରେ ଥିବା ଚଳଚିତ୍ର କେମେରାରେ ସେହି ଅଭିନୟକୁ ଜୀବନ୍ତ ଭାବରେ ବାନ୍ଧି ରଖିବାକୁ ଇଚ୍ଛା ହେଲା । ତେଣୁ ଚଳଚିତ୍ର କେମେରାରେ ସେହି ଅଭିନୟକୁ ଉଠାଇଲି । ଥିଏଟର ଅଭିନୟ ସରିବା ପରେ ପୁଣି ଆରମ୍ଭ ହେଲା ଚଳଚିତ୍ର ଅଭିନୟ-। ପୁଣି ଥରେ ଚଳଚିତ୍ର ଅଭିନୟ କିଛି ସମୟ ଦେଖି ପୃଥିବୀର ବୃହତ୍ତମ ସିନେମା ଘରୁ ବିଦାୟ ନେଲୁ-

 

ରେଡ଼ିଓ ସିଟି ମିଉଜିକ୍‌ ହଲରୁ ବାହାରିବା ସଙ୍ଗେ ସଙ୍ଗେ ଆମ ଦୃଷ୍ଟି ପଡ଼ିଲା ଏଭିନିଉ ଅଫ୍ ଦି ଆମେରିକାନ୍ ଉପରେ ଥିବା ପ୍ରସିଦ୍ଧ ପଚାଶ ତାଲା ବିଶିଷ୍ଟ ଅତ୍ୟାଧୁନିକ ହୋଟେଲ ଆମେରିକାନ୍ । ପୃଥିବୀର ଉଚ୍ଚତମ ହୋଟେଲ ଭାବରେ ଏହାର ପ୍ରସିଦ୍ଧି ସାରା ପୃଥିବୀରେ ଖେଳି ଯାଇଛି । ପୃଥିବୀର ସବୁଠାରୁ ଅଧିକ ଆଭିଜାତ୍ୟ ପୂର୍ଣ୍ଣ ହୋଟେଲ ଓ୍ୱାଲଡ଼ଫ୍‍ ଏଷ୍ଟୋରିଆ ଠାରୁ ଏହା ତିନି ତାଲା ଅଧିକ । ଗଠନ ଚାତୁରୀରେ ଓ୍ୱାଲଡ଼ଫ୍‍ ଏଷ୍ଟୋରିଆକୁ ବଳିଯାଉଛି । ୧୯୬୨ ମସିହାରେ ଏହା ସର୍ବ ପ୍ରଥମ ଖୋଲିଲା । ତେଣୁ ଏହାର ସୌନ୍ଦର୍ଯ୍ୟ ଓ ଚାକଚକ୍ୟ ମଳିନ ପଡ଼ି ନଥାଏ, ଆମେ ଦେଖିବା ପର୍ଯ୍ୟନ୍ତ । ବହୁବାର ଆମେରିକାର ନାନାଦି ପତ୍ର ପତ୍ରିକାରେ ଏହି ନୂଆହୋଇ ଖୋଲିଥିବା ହୋଟେଲର ବିଜ୍ଞାପନ ପଢ଼ିଥିଲୁଁ । କିନ୍ତୁ ଆଖି ସାମନାରେ ଦେଖି ଚକ୍ଷୁ-କର୍ଣ୍ଣର ବିବାଦ ଭଞ୍ଜନ କଲୁଁ ।

 

ହୋଟେଲ ଆମେରିକାନର ବାହାର ଚାକଚକ୍ୟରେ ମୁଗ୍‌ଧ ହୋଇ ସେଠାରୁ ଗୋଟିଏ ଟେକ୍‌ସିରେ ପଞ୍ଚମ ଏଭିନିଉ ଦେଇ ପୃଥିବୀର ଉଚ୍ଚତମ ପ୍ରାସାଦ ଏମ୍‌ପାୟର ଷ୍ଟେଟ ବିଲିଡ଼ିଂ ଦେଖିବାକୁ ଗଲୁଁ । ବାଟରେ ଗଲାବେଳେ ପଞ୍ଚମ ଏଭିନିଉରେ ପଡ଼ିଲା ମ୍ୟାନୁଫେକ୍‌ଚରରସ୍ ହାନୋଭୋର ଟ୍ରଷ୍ଟ କମ୍ପାନୀର ବିରାଟ ପାଞ୍ଚତାଲା ପ୍ରାସାଦ । ଏହି ପ୍ରାସାଦର କାନ୍ଥଗୁଡ଼ିକ ପୂରାପୂରି କାଚରୁ ତିଆରି । ଏହି ପ୍ରସାଦର କାଚ ତିଆରି କାନ୍ଥ କଥା ଆଗରୁ ଶୁଣିଥିଲି । ସ୍ତ୍ରୀ ଓ ପିଲାମାନଙ୍କୁ ପ୍ରାସାଦଟି ଦେଖାଇ ଦେଇ ସେହି କାଚ ତିଆରି କାନ୍ଥ କଥା କହନ୍ତେ ସେମାନଙ୍କର ବିସ୍ମୟର ସୀମା ରହିଲାନି । ଏହି ପ୍ରାସାଦଟି ନିଉୟର୍କର ସୁପ୍ରସିଦ୍ଧ ପବ୍ଲିକ ପାଠାଗାର ନିକଟରେ । ଏହି ପାଠାଗାର ବିରାଟତା ସାମନାକୁ ଦେଖାଯାଉ ନ ଥିଲେ ହେଁ ଏଥି ଭିତରେ ଥିବା ୫୦ଲକ୍ଷରୁ ଉର୍ଦ୍ଧ୍ୱ ପୁସ୍ତକ ଥିବା କଥା ଶୁଣି ସ୍ତ୍ରୀ ପିଲାଏ ଚମକି ପଡ଼ିଲେ । ନିଉୟର୍କ ପବ୍ଲିକ ଲାଇବ୍ରେରୀ ପାରହେବେ । ଅଳ୍ପ ସମୟ ପରେ ପଡ଼ିଲା ପୃଥିବୀ ପ୍ରସିଦ୍ଧ ଏମ୍‌ପାୟାର ଷ୍ଟେଟ୍‌ ବିଲିଡିଂ । ଏହା ପଞ୍ଚମ ଏଭିନିଉ ଓ ୩୪ ନମ୍ବର ଷ୍ଟ୍ରୀଟର ଛକ ଉପରେ ଅବସ୍ଥିତ । ଟେକ୍‍ସିରୁ ଓହ୍ଲାଇ ଟେକ୍‌ସିବାଲାକୁ ବିଦାୟ କରି ଏହି ବିରାଟ ପ୍ରସାଦ ଭିତରକୁ ପଶିଲୁଁ । ଏହି ପ୍ରାସାଦର ଉପରକୁ ଯିବାକୁ ହେଲେ ଜଣକା ଦଶଟଙ୍କା ଟିକେଟ୍ କରିବାକୁ ପଡ଼େ । ଏମ୍‌ପାୟାର ଷ୍ଟେଟ ବିଲିଡିଂର ପ୍ରସିଦ୍ଧ ବହୁଥର ଶୁଣିଥିଲୁ, ଗତଥର ନିଉୟର୍କ ଆସିଥିଲା ବେଳେ ଆର.ସି.ଏ ବିଲିଡ଼ିଂ ଉପରକୁ ଯାଇଥିଲୁ ବୋଲି ଏହା ଉପରକୁ ଯାଇ ନଥିଲୁ । ଆମେରିକା ଛାଡ଼ିଲା ପୂର୍ବରୁ ଏହାକୁ ନିଶ୍ଚୟ ଦେଖିବୁ ବୋଲି ଠିକ୍ କରି ଥିବାରୁ ଏଠାକୁ ଆମର ଆଗମନ । ତେଣୁ ଟିକଟ କାଟିବା ପାଇଁ ଆଗେଇ ଗଲୁଁ ।

 

ଟିକେଟ କାଟିବା ପାଇଁ ବିରାଟ ଲାଇନ୍ । ଏହି ପ୍ରାସାଦକୁ ପ୍ରତିବର୍ଷ ପାଞ୍ଚ ଲକ୍ଷରୁ ଅଧିକ ଲୋକ ଦେଖୁଥିବାରୁ ବର୍ଷର ସବୁଦିନ ଏଠାରେ ଭାରି ଭିଡ଼ । ସକାଳୁ ରାତି ପର୍ଯ୍ୟନ୍ତ ଏଠି ସବୁବେଳେ ଜନ ସମାଗମ ଲାଗି ରହିଥାଏ । ଏହି ପ୍ରାସାଦଟି ଏଡ଼େ ବିରାଟ ଯେ ଏଥି ଭିତରେ ୮୦,୦୦୦ ଲୋକ ସବୁଦିନ ପାଇଁ ବସବାସ କରିପାରିଲା ଭଳି ସ୍ଥାନ ରହିଅଛି ।

 

ଏହି ବିରାଟ ପ୍ରାସାଦଟିର ମାଲିକ ହେଉଛି ଏକ କରପୋରେସନ୍ । ଏହି କରପୋରେସନ୍ ଗୋଟିଏ ବୋର୍ଡ଼୍‍ ଅଫ୍ ଡିରେକ୍ଟର ଦ୍ଵାରା ପରିଚାଳିତ । କର୍ଣ୍ଣେଳ ହେନେରୀ କ୍ରାଉନ ହେଉଛନ୍ତି ସେହି ବୋର୍ଡ଼୍‍ ଚେୟାରମେନ୍ । ତେଣୁ ଏହି ପ୍ରାସାଦର ସର୍ବମୟ କର୍ତ୍ତା ହେଲେ ସେ । ଏହି କରପୋରେସନ୍ ଅଫିସ ହେଉଛି ଏହି ପ୍ରାସାଦର ୮୬ ତାଲାରେ । କିନ୍ତୁ ତାଙ୍କ ନିଜ ବ୍ୟକ୍ତିଗତ ଅଫିସ ୮୦ତାଲାରେ ।

 

ଏମ୍‌ପାୟାର ଷ୍ଟେଟ ବିଲିଡିଂ ପୃଥିବୀର ଖାଲି ଉଚ୍ଚତମ ପ୍ରାସାଦ ନୁହେଁ, ଏହା ଆଧୁନିକ ଇନ୍‌ଜିନିଅରିଂ ବିଜ୍ଞାନରେ ଏକ ସାର୍ଥକ ସୃଷ୍ଟି । ଏହି ପ୍ରାସାଦଟିର ଉଚ୍ଚତା ୧୨୫୦ ଫୁଟ । ଏହା ଉପରେ ଯେଉଁ ଟେଲିଭିଜନ ଟାୱାର ବସିଛି, ତାହାର ଉଚ୍ଚତାକୁ ହିସାବକୁ ନେଲେ ଏହି ବିରାଟ ପ୍ରାସାଦର ଉଚ୍ଚତା ୧୪୭୨ ଫୁଟ ବୋଲି ଧରାଯାଏ ଓ ସେହି ଉଚ୍ଚତା ଯୋଗୁଁ ଏହା ପୃଥିବୀର ଉଚ୍ଛତମ ପ୍ରାସାଦ ଭାବରେ ପରିଗଣିତକ ହୁଏ । ଏହି ପ୍ରାସାଦଟି ଇଟା, ସିମେଣ୍ଟ କକ୍ରିଂଟରୁ ତିଆରି-। ଏହି ପ୍ରାସାଦରେ ଯେତିକି ଲୁହା ଓ ଇସ୍ପାତ ଲାଗିଛି, ତାର ପରିମାଣ ହେଉଛି ୬୦,୦୦୦ ଟନ-। ଏତିକି ଲୁହା ବ୍ୟବହାର କରା ଯାଇଥିଲେ ନିଉୟର୍କ ଠାରୁ ୱାସିଙ୍ଗଟନ ପର୍ଯ୍ୟନ୍ତ ଏକ ବିରାଟ ରେଳରାସ୍ତା ତିଆରି କରା ଯାଇ ପାରିଥାନ୍ତା । ଏହି ପ୍ରାସାଦର ଷଷ୍ଠ ତାଲାପାଖରୁ ବାହାର ପାଖ ଷ୍ଟେନ୍‌ଲେସ ଇସ୍ପାତ ଓ ଇଣ୍ଡିଆନ୍ ଲାଇମ ଷ୍ଟୋନ ଦ୍ଵାରା ଆଚ୍ଛାଦିତ । ଏହାର ପାଦ ଦେଶରେ ଯେଉଁ ଗୀର୍ଜା ରୀତିରେ ତିଆରି ବିରାଟ ଲବି ଅଛି, ତାହା ଇଟାଲୀ, ଫ୍ରାନ୍‌ସ, ବେଲଜିରାମ ଓ ଜର୍ମାନୀରୁ ଆନୀତ ଶଙ୍ଖମହଲ ପଥରରୁ ତିଆରି ହୋଇଛି ।

 

ଏମ୍‌ପାୟର ଷ୍ଟେଟ୍‌ବିଲଡିଂର ନାମ ହୋଇଛି । ନିଉୟର୍କ ରାଜ୍ୟରୁ । ନିଉୟର୍କ ରାଜ୍ୟର ଅନ୍ୟତମ ନାମ ହେଉଛି ଏମ୍‌ପାୟର ଷ୍ଟେଟ । ନିଉୟର୍କ ଅର୍ଥାତ ଏମ୍‌ପାୟର ଷ୍ଟେଟର ସବୁଠାରୁ ବିଖ୍ୟାତ ବିଲଡିଂ ହୋଇ ଥିବାରୁ ଏହାର ଏତାଦୃଶ ନାମକରଣ ହୋଇଥିବା ସ୍ଵାଭାବିକ ।

 

ଏମ୍‌ପାୟର ଷ୍ଟେଟ୍‌ବିଲଡିଂ ସିନା ଉପରକୁ ୧୦୨ ତାଲା । କିନ୍ତୁ ଭୂଇଁ ତଳକୁ ଆହୁରି ଦୁଇ ତାଲା ଅଛି । ଭୂଇଁଠାରୁ ୫୫ ଫୁଟ ତଳେ ଅତି ସୁଦୃଢ଼ ଗ୍ରେନାଇଟ ପଥର ଉପରେ ଏହାର ମୂଳଦୁଆ ବସିଛି । ଆକାଶଚୁମ୍ବୀ ପ୍ରାସାଦ ପାଇଁ ମାନହଟନ ଏକ ଆଦର୍ଶ ସ୍ଥାନ । ସାରା ମାନ ହଟନ୍‌ ଅଞ୍ଚଳଟି ବିରାଟ ପର୍ବତମାନ କଟାଯାଇ ତିଆରି ହୋଇଥିବାରୁ ଏହାର ତଳ କେବଳ ସୁଦୃଢ଼ ଗ୍ରେନାଇଟ ପଥର ଦ୍ଵାରା ଆଚ୍ଛାଦିତ । ଏହି ସୁଦୃଢ଼ ମୂଳଦୁଆ ଉପରେ ଯେଡ଼େ ବିରାଟ ପ୍ରସାଦ କଲେ ବି ଚିନ୍ତା ନାହିଁ । ସେଥିପାଇଁ ନିଉୟର୍କ ନଗରୀର ମାନହଟ୍ଟନ ଅଞ୍ଚଳରେ ଏହାର ଅଧିକାଂଶ ସ୍କାଏ ସ୍କ୍ରେପର ବିଦ୍ୟମାନ ।

 

ଏମ୍‌ପାୟର ଷ୍ଟେଟ ବିଲଡ଼ିଂର ପାଦ ଦେଶରୁ ୮୦ ତାଲା ପର୍ଯ୍ୟନ୍ତ ଯିବା ପାଇଁ ବିରାଟ ଲିଫ୍‌ଟମାନ ଲାଗିଛି । ଏହି ଲିଫ୍‌ଟ ଏତେ ଜୋରରେ ଯାଏ ଯେ ଏଥିରେ ଗଲେ ୮୦ ତାଲାରେ ପହଞ୍ଚିବା ପାଇଁ ମିନିଟକରୁ କମ୍‌ ସମୟ ଲାଗେ । ସେଠାରୁ ଆହୁରି ଅଲଗା ଲିଫ୍‍ଟ ଲାଗିଛି ୮୬ ତାଲାରେ ପହଞ୍ଚିବା ପାଇଁ । ୮୬ ତାଲାରେ ଏକ ବିରାଟ ପର୍ଯ୍ୟବେକ୍ଷଣାଗାର ରହିଛି । ଏହି ତାଲାର ଉଚ୍ଚତା ଭୂଇଁ ଉପରୁ ୧୦୫୦ ପୁଟ । ଏଠାରୁ ନିଉୟର୍କ ନଗରୀର ଦୃଶ୍ୟ ଅତି ଚମତ୍କାର । ଏହି ପର୍ଯ୍ୟବେକ୍ଷଣ କକ୍ଷରୁ ନିଉୟର୍କ ନଗରୀ ଅନ୍ୟାନ୍ୟ ଆକାଶଚୁମ୍ବୀ ପ୍ରସାଦ, ନଦୀ, ସମୁଦ୍ର, ରାସ୍ତାଘାଟ ଏଡ଼େ ସୁନ୍ଦର ଦିଶେ ଯେ ସେ ଗୁଡ଼ିକ ଅନାଇଲେ ମଣିଷ କ୍ଷଣିକ ପାଇଁ ବିସ୍ତୃତ ହୁଏ ନିଜର ଅବସ୍ଥାନ । ସେ ସହଜରେ ଭାବି ପାରେନି, ସେ କେଉଁଠି ଅଛି, କଅଣ ଦେଖୁଛି । ଯା ଦେଖୁଛି ସେ ସ୍ଵପ୍ନ କି ସତ୍ୟ ଭାବି ଠିକ୍‌ କରିପାରେ ନାହିଁ ।

 

୮୬ ତାଲାରେ ଥିବା ପର୍ଯ୍ୟବେକ୍ଷଣାଗାରଟିର ଚାରି ପକ୍ଷର କାଚ ଦିଆଯାଇ ଅତି ସୁନ୍ଦର କରାଯାଇଛି । ଖୁବ୍‌ ପରିଷ୍କାର ଦିନରେ ଏଠାରୁ ପ୍ରାୟ ୫୦ ମାଇଲ ଦୂର ସ୍ଥାନ ପର୍ଯ୍ୟନ୍ତ ବେଶ୍‌ ଦେଖା ହୁଏ । ଏଠାରୁ ନିଉଜେରସି, ପେନସିଲଭେନିଆ, କନେକଟିକଟ୍‌, ମାସଚିଉସେଟସ ରାଜ୍ୟର କେତେକ ଅଂଶ ଦିଶେ ।

 

ଯେଉଁମାନେ ପୃଥିବୀର ଉଚ୍ଚତମ ପ୍ରାସାଦକୁ ଆରୋହଣ କରିବାକୁ ଚାହାନ୍ତି, ସେମାନେ ଏଠାରେ ଆହୁରି ୧୬ ତାଲା ଉପରକୁ ଯାଆନ୍ତି । ସେଥିପାଇଁ ଏଠାରେ ଏଠାରେ ଲିଫ୍‌ଟ ଲାଗିଛି । ଏହି ୧୦୨ ତାଲା ଉପରେ ଆଉ ଗୋଟିଏ ପର୍ଯ୍ୟବେକ୍ଷଣାଗାର ଅଛି । ଏହି ଅଂଶ ହେଲା ଏକ ବିରାଟ ପ୍ରାସାଦର ଶୀର୍ଷତମ ସ୍ଥାନ, ଏହାର ଆଉ ଅଧିକ ଉପରକୁ ଯିବା ସମ୍ବବପର ନୁହେଁ । ପ୍ରସାଦର ଏହି ଅଂଶରୁ ୨୨୨ ଫୁଟ ଉଚ୍ଚ । ଏକ ପ୍ରକାଣ୍ଡ ଟେଲିଭିଜନ ସ୍ତମ୍ଭ ଅବସ୍ଥିତ । ଏହି ସ୍ତମ୍ଭଟି ପୁଣି ୨୨ ତାଲା ଉଚ୍ଚ । ଏହି ସ୍ତମ୍ଭ ଉପରେ ପୃଥିବୀର ସବୁଠାରୁ ଅଧିକ ଶକ୍ତିଶାଳୀ ଟେଲିଭିଜନ ଏଣ୍ଟିନା ଖଞ୍ଜା ଯାଇଛି । ଏହିଠାରୁ ନିଉୟର୍କ ସାତ ଗୋଟି ଟେଲିଭିଜନ କମ୍ପାନୀ ସେମାନଙ୍କ ଦୃଶ୍ୟାଦି ପ୍ରେରଣା କରନ୍ତି । ଏଠା ଟେଲିଭିଜନ ଦୃଶ୍ୟକୁ ଚାରୋଟି ରାଜ୍ୟର ୫ ଲକ୍ଷ ଟେଲିଭିଜନ୍‌ ସେଟ୍‌ ଗ୍ରହଣ କରେ ।

 

ପ୍ରାସାଦର ୮୬ ତାଲାରେ ଠିଆହୋଇ ଅନାଇଲେ ୯୦ ତାଲାରେ ଥିବା ଚାରୋଟି ବିରାଟ ବିରାଟ ଆଲୋକବତୀ ଦିଶେ । ଏହାକୁ କହନ୍ତି “ଫ୍ରିଡ଼ମ୍‌ଲାଇଟ୍‌ କିମ୍ବା ସ୍ଵାଧୀନ ଆଲୋକ” । ଏହା ହେଉଛି ପୃଥିବୀର ସବୁଠାରୁ ଶକ୍ତିଶାଳୀ ଆଲୋକବତୀ । ଏହି ଆଲୋକବତୀ ଅନ୍ଧକାର ରାତ୍ରିରେ ପ୍ରାୟ ୮୦ ମାଇଲ ଦୂର ପର୍ଯ୍ୟନ୍ତ ଦିଶେ । ଆକାଶରେ ଆସୁଥିବା ଉଡ଼ାଜାହାଜମାନେ ରାତିରେ ଏହି ଆଲୋକକୁ ୩୦୦ମାଇଲ ଦୂରରୁ ଦେଖିପାରନ୍ତି । ଏହି ଫ୍ରିଡ଼ମ୍‌ଲାଇଟ୍‌ ଯୋଗୁଁ ଏମ୍‌ପାୟର ବିଲଡିଂ ହେଉଛି ପୃଥିବୀର ଉଚ୍ଚତମ ଲାଇଟ ହାଉସ ବା ବତୀଘର, ଦୂର ସମୁଦ୍ରର ଜାହାଜମାନଙ୍କୁ ରାତିରେ ଆଲୋକ ଦେଖାଏ ।

 

ଏମପାୟର ଷ୍ଟେଟ ବିଲଡ଼ିଂ ସମ୍ବନ୍ଧରେ କେତେଗୁଡ଼ିଏ ଶିକ୍ଷଣୀୟ କଥା ଅଛି । ଏଥିରେ ଯେତେ ପାଣି ପାଇପ ଲାଗିଛି, ସେତକ ପାଇପ୍‌କୁ ଯଦି ଯୋଡ଼ାଯାଏ, ତେବେ ୬୦ ମାଇଲ ଲମ୍ବ ହେବ ! ଏହି ପ୍ରାସାଦ ରେ ସାଢ଼େ ଛଅ ହଜାର ଝରକା ଅଛି । ଏହି ପ୍ରାସାଦରେ ପ୍ରାୟ ୬,୦୦୦ ଲୋକ କାର୍ଯ୍ୟ କରନ୍ତି । ପ୍ରତି ମାସରେ ଏଠାରେ ୨୦୦୦,୦୦୦ କିଲୋୱାଟ ଘଣ୍ଟା ବିଦ୍ୟୁତ୍‌ଶକ୍ତି ଖରଚ ହୁଏ । ଏଥିରେ ଯେଉଁ ଲିଫ୍‌ଟମାନ ଲାଗିଛି, ସେହି ଲିଫ୍‌ଟମାନ ପ୍ରାୟ ସାତ ମାଇଲ ଲମ୍ବା । ଏହି ପ୍ରାସାଦରେ ମୋଟ ୧୮୬୦ ଟି ପାହାଚ ବସିଛି । ଏହି ପ୍ରାସାଦକୁ ଯନ୍ତ୍ର ସାହାଯ୍ୟରେ ସଫା କରିବା ପାଇଁ ୨୦୦ ମହିଳା ନିଯୁକ୍ତ ଅଟନ୍ତି । ପ୍ରତିଦିନ ହାରାହାରି ୩୫,୦୦୦ ଦର୍ଶକ ପୃଥିବୀର ଏହି ଆଶ୍ଚର୍ଯ୍ୟଟିକୁ ଦେଖିବାକୁ ଆସନ୍ତି ।

 

ଏମ୍‌ପାୟର ଷ୍ଟେଟ ବିଲ୍‌ଡିଂର ଏତାଦୃଶ ପ୍ରସିଦ୍ଧ ଆମେ ଆଗରୁ ଶୁଣିଥାଉ । ତେଣୁ ଆମେରିକା ଛାଡ଼ିବା ପୂର୍ବରୁ ଏହାକୁ ଦେଖିଲେ ନ ହୁଅ ଭାବ ଆମେ ଏଠାରେ ଆସି ପହଞ୍ଚିଲୁ । ଏହାର ରାସ୍ତାକୁ ଲାଗିଥିବା ମହଲାର ଟିକେଟ ଘରକୁ ଯାଇ ଆମ ଚାରି ଜଣଙ୍କ ପାଇଁ ଟିକଟ କାଟିଲୁ । ଟିକଟ କାଟିସାରି ଲିଫ୍‌ଟ ପାଖକୁ ଯିବା କଥା ସେଥିପାଇଁ ବିରାଟ ଲାଇନ୍‌ । ଯଦିଚ ଉପରକୁ ଯିବାପାଇଁ ଅନେକଗୁଡ଼ିଏ ଲିଫ୍‌ଟ ଲାଗିଛି, ତେବେ ଦର୍ଶକଙ୍କ ସଂଖ୍ୟା ଖୁବ୍‌ ଅଧିକ ଥିବାରୁ ଅପେକ୍ଷା କରିବାକୁ ପଡ଼ୁଥାଏ । ସୌଭାଗ୍ୟବଶତଃ ସେଦିନ ଲାଇନ୍‌ରେ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିଲାନି । ସଙ୍ଗେ ସଙ୍ଗେ ୮୦ ତାଲାକୁ ଯିବା ପାଇଁ ଲିଫ୍‌ଟ ପାଇଗଲୁ । ଲିଫ୍‌ଟରେ ଗଲାବେଳେ ପୂର୍ବଭଳି ଅନୁଭୂତି, କାନ କେମିତି ହୋଇ ଯାଉଥାଏ । ୮୦ ତାଲାରେ ପହଞ୍ଚି ସେଠାରୁ ଆଉ ଗୋଟିଏ ଲିଫ୍‌ଟରେ ୮୬ ତାଲାକୁ ଗଲୁ । ୮୬ ତାଲାରେ ଚାରିଆଡ଼େ ଦେଖିବା ପାଇଁ ବିରାଟ ପର୍ଯ୍ୟବେକ୍ଷଣାଗାର ସେଠାରୁ ନିଉୟର୍କ ନଗରୀର ସୌନ୍ଦର୍ଯ୍ୟ ଏଡ଼େ ଚମକାର ଯେ ସହଜରେ ଭୁଲି ହେବ ନାହିଁ । ପର୍ଯ୍ୟବେକ୍ଷଣାଗାରକୁ ଲାଗି ଅନେକଗୁଡ଼ିଏ ଦୋକାନ ସେଠି ଅଛି, ଛୋଟ ବଜାର ଭଳି ଦିଶୁଥାଏ । ଚା, ଜଳଖିଆଠାରୁ ଆରମ୍ଭ କରି ଆଇସ୍‌କ୍ରିମ ପର୍ଯ୍ୟନ୍ତ ସବୁ କିଛି ମିଳୁଥାଏ । ନାନା ପ୍ରକାର ରଙ୍ଗୀନ କାର୍ଡ଼, ସୋଭେନିଅର ଆଦି ବିକ୍ରୟ ହେଉଥାଏ । ପିଲାମାନଙ୍କୁ ଆଇସକ୍ରିମ୍‌ ଆଦି ଖାଇବାକୁ ଦେଇ ନାନା ପ୍ରକାର ରଙ୍ଗୀନ କାର୍ଡ଼ ଓ କେତୋଟି ସୋଭେନିଅର କିଣିଲୁ ଏହି ସୁପ୍ରସିଦ୍ଧ ପ୍ରାସାଦଟିକୁ ସବୁଦିନପାଇଁ ମନେ ରଖିବା ଲାଗି ।

 

ଏଠାରେ ଏକ ପ୍ରକାର ଯନ୍ତ୍ର ବସିଛି, ଯା କାମ ଶୁଣିଲେ ମଣିଷ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବ ନାହିଁ । ଆମେରିକାର ଯାନ୍ତ୍ରିକ ସଭ୍ୟତା ଭିତରୁ ଯେଉଁ ଜିନିଷଟି ଆମକୁ ସବୁଠାରୁ ଆଶ୍ଚର୍ଯ୍ୟନ୍ୱିତ କରିଥିଲା, ତାହା ହେଉଛି ଦୋକାନୀ ନ ଥାଇ ଦୋକାନ । ସେଠି ଭିତରୁ କେତେ ଜାତିର ଦୋକାନ କଥା ପୂର୍ବରୁ ଆଲୋଚିତ ହୋଇଛି । ସେ ସବୁ ଦୋକାନ ଛଡ଼ା ଫଟୋଉଠା ଦୋକାନ, ଶବ୍ଦ ରେକଡ଼ିଂ ଦୋକାନ ଆଦି ଢେର ରକମର ଦୋକାନ ଅଛି । ଫଟୋଉଠା ଦୋକାନରେ ଫଟୋ ଉଠାଇବା ପାଇଁ କେହି ଲୋକ ନାହିଁ, ପଇସା ପକାଇ ସେହି ଫଟୋଉଠା କୋଠରୀ ଭିତରେ ଅଳ୍ପ କିଛି ସମୟ ବସିଲେ ହଠାତ ପ୍ରଥମେ ଗୋଟିଏ ସ୍ଵୟଂନ୍ତ୍ରୀୟ ଆଲୋକ ପଡ଼ି କୋଠରୀକୁ ଆଲୋକିତ କରେ । ଏହି ଆଲୋକ ସତର୍କ କରାଇ ଦିଏ ଯେ ଏହାପରେ ସ୍ଵୟଂନ୍ତ୍ରୀୟ ଫଟୋ ଉଠିବାକୁ ଯାଇଛି । ତେଣୁ ଫଟୋ ଉଠାଇବାକୁ ଯାଉଥିବା ବ୍ୟକ୍ତିମାନେ ଇତି ମଧ୍ୟରେ ନିଜ ନିଜକୁ ସଜାଡ଼ି ନେଇ ବାସନ୍ତି । ତା’ ପରେ ଉଜ୍ଜଳ ଆଲୋକ ବିଜୁଳି ଝଲକ ଭଳି ସେହି କୋଠରି ଭିତରେ ପଡ଼େ ଓ ସେଥି ସଙ୍ଗେ ସଙ୍ଗେ ଫଟୋ ମନକୁ ମନ ଉଠିଯାଏ । ଏହି ଫଟୋଉଠା ପୁଣି ଥରକ ପାଇଁ ନୁହେଁ (୪ଥର) ଆଲୋକ ପଡ଼େ ଓ ଚାରିଥର ଫଟୋ ଉଠେ । ଜଣେ ଯଦି ଇଚ୍ଛା କରିବ, ତେବେ ଚାରୋଟି ବିଭିନ୍ନ ପୋଜରେ ମଧ୍ୟ ଫଟୋ ଉଠାଇ ପାରିବ । ଫଟୋ ଉଠା ସରିଗଲେ କୋଠରୀ ବାହାରେ ଥିବା ଏକ କାଉଣ୍ଟର ପାଖରେ ପ୍ରାୟ ଅଢ଼େଇ ମିନିଟ ଅପେକ୍ଷା କରିବାକୁ ପଡ଼ିବ । ଫଟୋ ଉଠା ହେବାର ଅଢ଼େଇ ମିନିଟ ପରେ ସେହି କାଉଣ୍ଟରରୁ ଚାରୋଟି ଫଟୋ ମନକୁ ମନ ବାହାରି ଆସିବ । ଏ ଯେଉଁ ଫଟୋ ବାହାରି ଆସେ, ତାହା ସାଧାରଣ ଫଟୋଉଠା ରୀତିରେ ଉଠିଥାଏ । ଏଗୁଡ଼ିକ ପୋଲାରଏଡ଼୍‍ ପଦ୍ଧତିରେ ଉଠା ହୋଇ ନ ଥାଏ । କାରଣ ପୋଲାରଏଡ଼ଇ ପଦ୍ଧତି ବ୍ୟବହୃତ ହୋଇଥିଲେ ଫଟୋଗୁଡ଼ିକ ଏତେ ଶସ୍ତା ହୁଅନ୍ତା ନାହିଁ । ବଡ଼ ବିଚିତ୍ର ଏ ଫଟୋଉଠା ଦୋକାନ । ଏହାର କାର୍ଯ୍ୟ ଦେଖିଲେ ନ ଦେଖିଲା ଲୋକ ଘଡ଼ିଏ ଏହାକୁ ନ ଅନାଇ ରହି ପାରିବନି । ଏହିଭଳି ସ୍ଵୟଂ ଚାଳିତ ଫଟୋ ଉଠା ଦୋକାନ ଆମେରିକାର ପ୍ରତି ସହର, ବଜାର, ଦୋକାନ, ଡିପାର୍ଟମେଣ୍ଟାଲ ଷ୍ଟୋର୍ସ, ବସଷ୍ଟାଣ୍ଡ, ରେଳଷ୍ଟେସନ ଏମିତିକି ବଡ଼ ବଡ଼ ସହରର ରାସ୍ତା ଘାଟ ଛକମାନଙ୍କରେ ଦେଖିବାକୁ ମିଳେ ।

 

ଫଟୋଉଠା ଦୋକାନଠାରୁ ଆହୁରି ଆଶ୍ଚର୍ଯ୍ୟ ହେଉଛି ଶବ୍ଦ ରେକଡ଼ିଂକରା ଦୋକାନ । ଏଠି ମଧ୍ୟ କେହି ନାହିଁ । ଯନ୍ତ୍ର ମନକୁ ମନ ସବୁ କରି ଯାଉଛି । ଫଟୋଉଠା କୋଠରୀ ଭଳି ଏଠି ଗୋଟିଏ ନିଭୃତ କୋଠରୀ ଅଛି । ସେହି କୋଠରୀ ଭିତରକୁ ଯାଇ ପଇସା ପକାଇ ଗୋଟିଏ ଯନ୍ତ୍ରକୁ ମୋଡ଼ିଦେଲେ ଗୋଟିଏ ସତର୍କ ଘଣ୍ଟି ବାଜେ । ଯେଉଁମାନେ ନିଜ କଥାବାର୍ତ୍ତା ଶବ୍ଦ ଆଦିକୁ ରେକଡ଼ିଂ କରିବାକୁ ଚାହିଁବେ, ସେମାନେ ଇତିମଧ୍ୟରେ ଗଳାକୁ ସଫାକରି ପ୍ରସ୍ତୁତ ହୋଇ ରହିବା କଥା । ତା’ ପରେ ଆଉ ଗୋଟିଏ ଶବ୍ଦ ହୁଏ, ଶବ୍ଦ ହେବ କିଛି ସମୟ ପରେ ଶବ୍ଦ ରେକଡ଼ିଂ ହେବାକୁ ଆରମ୍ଭ କରେ । ସେହି କୋଠରୀ ଭିତରେ କିଛି କଥାବାର୍ତ୍ତା ହେଲେ ବା ଗୀତ ଗାଇଲେ କି ବକ୍ତୃତା ଦେଲେ, ଏହି ଯନ୍ତ୍ର ଭିତରେ ରେକଡ଼ିଂ ହୋଇଯାଏ । ଯନ୍ତ୍ର ଭିତରେ ଥିବା ଏକ କଣାରେ ସେମାନଙ୍କ ମୁଦ୍ରାର ଆଠଣିଟିଏ ପକାଇଲେ ପ୍ରାୟ ମିନିଟକ ପାଇଁ ରେକଡ଼ିଂ ହୋଇଯାଏ । ରେକଡ଼ିଂ ସରିଗଲେ, ରେକଡ଼ିଂ କେମିତି ହୋଇଛି ଜାଣିବା ପାଇଁ ସେହି କୋଠରୀ ଭିତରେ ସେହି ରେକଡ଼ିଂଟି ପୁଣି ମନକୁ ମନ ବାଜିଯାଇ ଶୁଣାଇ ଦିଏ ରେକଡ଼ିଂ ହୋଇଥିବା କଥା ବା ଗୀତକୁ । ଆଉ କିଛି ସମୟ ଅପେକ୍ଷା କଲେ ଯନ୍ତ୍ର ବାହାରେ ଥିବା କାଉଣ୍ଟରରୁ ଗୋଟିଏ ଛୋଟ ରେକର୍ଡ଼ ବାହାରି ଆସେ । ଯେଉଁ ଶବ୍ଦ ରେକଡ଼ିଂ କରାଗଲା, ତାହା ଏହି ରେକର୍ଡ଼ରେ ଲିପିବଦ୍ଧ ହୋଇ ରହିଥାଏ । ଏହି ରେକର୍ଡ଼କୁ ନେଇ ନିଜ ଘର ଗ୍ରାମୋଫୋନରେ ବଜାଇଲେ ଯାହା ରେକଡ଼ିଂ କରାଇଥାଏ, ତାହା ସବୁ ଶୁଭେ । ବଡ଼ ବିଚିତ୍ର ବନ୍ଦୋବସ୍ତ ! ଏମିତି ଏକାଧିକ ଶବ୍ଦ ରେକଡ଼ିଂ ଯନ୍ତ୍ର ଏମ୍‌ପାୟାର ଷ୍ଟେଟ ବିଲଡ଼ିଂର ୮୬ ତାଲା ଉପରେ ରହିଛି । ୮୬ ତାଲା ଉପରେ ବୁଲୁ ବୁଲୁ ଏମିତି କେତେଗୁଡ଼ିକ ଯନ୍ତ୍ର ଦେଖି ଓ ବହୁ ମାର୍କିନ୍‌ ଯୁବକ ଯୁବତୀ ନିଜ ନିଜ କଥାବାର୍ତ୍ତା, ଗୀତ ଆଦି ରେକଡ଼ିଂ କରୁଥିବାର ଦେଖି ଆମେ ମଧ୍ୟ କିଛି ରେକଡ଼ିଂ କରିବାକୁ ଠିକ୍‌ କଲୁ । ସଙ୍ଗେ ସଙ୍ଗେ ଗୋଟିଏ ଯନ୍ତ୍ରରେ ପଇସା ପକାଇ ଆମେ ପଶିଲୁ ଓ ଆମର ନିଉୟର୍କ ଅନୁଭୂତିକୁ କଥାବାର୍ତ୍ତା ଛଳରେ ସେହି କୋଠରୀ ଭିତରେ ଓଡ଼ିଆରେ ବର୍ଣ୍ଣନା କଲୁ । ରେକଡ଼ିଂ ହୋଇଯିବା ପରେ ଆମେ ମଧ୍ୟ ସେହି କୋଠରୀରେ ଥାଇ ଶୁଣି ପାରିଲୁଁ ଆମ କଥାବାର୍ତ୍ତା । ତା’ପରେ ବାହାରୁ ଆସି ସେହି କାଉଣ୍ଟରଠାରେ ଠିଆହେଲାବେଳକୁ ହଳଦିଆ ରଙ୍ଗର ଛୋଟ ରେକର୍ଡ଼ଟିଏ ଥୁଆ ହୋଇଛି । ଏହି ରେକର୍ଡ଼ଟିକୁ ଦେଖି ପିଲାଏ ଖୁସି ହୋଇଗଲେ ଯେ ଏକ ଅମୂଲ୍ୟ ନିଧି ଭଳି ସାଇତି ରଖିଲେ । କଥା ହେଲା ମିସେସ୍‌ ଡୋନରଙ୍କ ଘରକୁ ଫେରିଗଲେ, ଏହାକୁ ଆଗ ତାଙ୍କ ଗ୍ରାମୋଫୋନରେ ବଜାଇ ଶୁଣିବା ଓ ସେମାନଙ୍କୁ ଆମ ଓଡ଼ିଆ ଭାଷାର କଥାବାର୍ତ୍ତା ଶୁଣାଇବା ।

 

ଏମ୍‌ପାୟାର ଷ୍ଟେଟ ବିଲଡ଼ିଂ ଉପରେ ଚା ଜଳଖିଆ ଆଦି ଖାଇବା ପାଇଁ ରେଷ୍ଟୁରାଣ୍ଟମାନ ରହିଛି । ଅବଶ୍ୟ ଏହି ରେଷ୍ଟୁରାଣ୍ଟମାନଙ୍କର ଦର ଟିକିଏ ଅଧିକ । ଆଇସକ୍ରିମ୍‌, ସିଗାରେଟ୍‌ ଆଦି ବିକିବା ପାଇଁ ଯନ୍ତ୍ରମାନ ବସିଛି । ଏହି ୮୬ ତାଲା ଉପରେ ଲୋକ ଗହଳି ଏତେ ଅଧିକ ଯେ କେହି ଲୋକ ଭାବିବ ଏଠାରେ ଯେମିତି ଗୋଟାଏ ହାଟ କି ମେଳା ଲାଗିଛି । ଏମ୍‌ପାୟାର ଷ୍ଟେଟ ବିଲଡ଼ିଂ ସାରା ମାର୍କିନ ଜାତିର ଗର୍ବ ଓ ଗୌରବ । ମାର୍କିନ ଜାତି ଭାବେ ଯେତେଦିନ ପର୍ଯ୍ୟନ୍ତ ୧୦୨ ତାଲାରୁ ଅଧିକ ସଂଖ୍ୟକ ତାଲା ଥିବା ପ୍ରାସାଦ ପୃଥିବୀର ଅନ୍ୟ କେଉଁଠି ତିଆରି ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ମାର୍କିନ ଜାତିର ପ୍ରାଧାନ୍ୟ ପରାହତ ହୋଇନି । ବଡ଼ ଅଦ୍ଭୁତ ଖିଆଲ ମାର୍କିନ ଜାତିର । ମାର୍କିନ ଜାତିର ଗର୍ବ ଓ ଗୌରବ ଏହି ପ୍ରସାଦକୁ ଆମେ ଏକ ସମୟରେ ପରିଦର୍ଶନ କରିଥିଲୁ ବୋଲି ସ୍ମୃତି ଚିହ୍ନ ରଖିବା ପାଇଁ ଏହି ୮୬ ତାଲାରେ ଥିବା ଦୋକାନରୁ କେତୋଟି ସ୍ମୃତି ଚିହ୍ନ ଓ ସୁନ୍ଦର ସୁନ୍ଦର ରଙ୍ଗିନ କାର୍ଡ଼ କେତୋଟି କିଣିଲୁ । ୮୬ ତାଲାଠାରୁ ଆହୁରି ଚାରି ତାଲା ଉଚ୍ଚରେ ଅର୍ଥାତ୍‌ ନବେ ତାଲାରେ ବିରାଟ ବିରାଟ ଚାରୋଟି ଆଲୋକ ବତୀ ଥୁଆ ହୋଇଛି । ଏହି ଆଲୋକ ବତୀ “Fredom Light” ଭାବରେ ପରିଚିତ-। ରାତ୍ରିରେ ଏହି ଆଲୋକ ସମୁଦ୍ର ଭିତରକୁ ପ୍ରାୟ ତିନିଶହ ମାଇଲ ଦୂର ପର୍ଯ୍ୟନ୍ତ ଦିଶେ । ଇଉରୋପରୁ ଆସୁଥିବା କେତେକ ଜାହାଜ ନିଉୟର୍କ ପୋର୍ଟରେ ପହଞ୍ଚିବା ପ୍ରାୟ ଦିନକ ଆଗରୁ ଏହି ଆଲୋକ ବତୀକୁ ଦେଖି ଜାଣିପାରେ ଯେ ମାର୍କିନ ଦେଶ ଆଉ ବେଶୀ ଦୂର ନାହିଁ-। ଆମେରିକାର ଶ୍ରେଷ୍ଠ ସାହିତ୍ୟିକ ସମ୍ମାନ ପଲଟିଜିଅର ପୁରସ୍କାର ପାଇଥିବା ଉପନ୍ୟାସ “ଏଣ୍ଡରସନ୍‌ଭିଲେ” ରେ ଲେଖକ ମେକ୍‌ନିକ୍‌ରେ କେଣ୍ଟର ଏହି ଆଲୋକ ବତୀ ପ୍ରତି ସମ୍ମାନ ଦେଖାଇ ୧୫୭ ଶବ୍ଦ ସମ୍ମିଳିତ ଯେଉଁ ଏକ ବର୍ଣ୍ଣନା ଦେଇଛନ୍ତି, ତାହା ବେଶ ହୃଦୟଗ୍ରାହୀ ।

 

୮୬ ତାଲାରୁ ୧୦୨ ତାଲାକୁ ଯିବା ପାଇଁ ଲିଫ୍‌ଟ ଲାଗିଛି । ଏଠାରେ ମଧ୍ୟ ଏକ ଅପେକ୍ଷାକୃତ ଛୋଟ ପର୍ଯ୍ୟବେକ୍ଷଣାଗାର ରହିଛି । ଏଠାରୁ ନିଉୟର୍କ ନଗରୀର ଦୃଶ୍ୟ ଅତୀବ ଚମତ୍କାର । ତଳକୁ ଅନାଇଲେ ମଟରଗାଡ଼ିଗୁଡ଼ିକ ପିଲାଙ୍କ ଖେଳନା ମଟର ଗାଡ଼ି ଭଳି ଦିଶୁଥାଏ, ଲୋକଗୁଡ଼ାକ ମୂଷା ଭଳି ସାଲୁବାଲୁ ହେଲା ଭଳି ଦିଶେ ।

 

ଏହିଠାରୁ ଅନାଇଲେ ୧୦୨ ତାଲା ଉପରେ ଥିବା ବିରାଟ ୨୨୨ ଫୁଟ ଉଚ୍ଚ ଟେଲିଭିଜନ ଖମ୍ବ ପରିଷ୍କାର ଦିଶେ । ଏହି ଖମ୍ବଟି ୨୨ତାଲା ଉଚ୍ଚା ଓ ଓଜନ ପ୍ରାୟ ୧୬ଶହ ମହଣରୁ ବେଶି । ଏହି ଟେଲିଭିଜନ ଖମ୍ବକୁ ନେଇ ଏମ୍‌ପାୟର ଷ୍ଟେଟ୍‌ବିଲିଡ଼ିଂ ପୃଥିବୀର ଉଚ୍ଚତମ ପ୍ରାସାଦ । ଟେଲିଭିଜନ ଖମ୍ବକୁ ବାଦ ଦେଲେ ଏହା ପୃଥିବୀର ଦ୍ଵିତୀୟ ଉଚ୍ଚତମ ପ୍ରାସାଦ । ଉଚ୍ଚତମ ପ୍ରାସାଦ ରହିଲା ମସ୍କୋରେ, ଏହି ଯେଉଁ ଟେଲିଭିଜନ ଏଣ୍ଟିନା ରହିଛି, ତାହା ପୃଥିବୀର ସବୁଠାରୁ ଶକ୍ତିଶାଳୀ ଟେଲିଭିଜନ ଏଣ୍ଟିନା, ଏଠାରୁ ନିଉୟର୍କର ସାତଗୋଟି ଟେଲିଭିଜନ କୋମ୍ପାନୀ ଟେଲିଭିଜନ ଚିତ୍ର ପ୍ରେରଣ କରନ୍ତି ଚାରିଆଡ଼କୁ ।

 

୧୦୨ ତାଲାରେ ଥିବା ପର୍ଯ୍ୟାବେକ୍ଷଣଗାରରେ କିଛି ସମୟ ବୁଲାବୁଲି କରି ତଳକୁ ଆସିବା ଠିକ କଲୁ । ଏଠାରେ ନିଉୟର୍କର ସୌନ୍ଦର୍ଯ୍ୟ ଏଡ଼େ ବିରାଟ ଯେ ଭାଷାରେ ବର୍ଣ୍ଣନା କରିବା କଷ୍ଟକର । ଏହିଠାରେ ଆମେ ଦକ୍ଷିଣ ଆଡ଼କୁ ଅନାଉଁ ଅନାଉଁ ଆମ ଦୃଷ୍ଟି ଗୋଚର ହେଲା କିଛି ଦୂରରେ ଥିବା ନିଉୟର୍କ ଉପସାଗର ଦୁଇ ପାଖରେ ଥିବା ଦୁଇଟି ବିରାଟ ଖମ୍ବ । ସ୍ତ୍ରୀ ଏ ଖମ୍ବ ଦୁଇଟିକୁ ଦେଖି ପଚାରିଲେ ‘ଏ ଦୁଇଟି କଣ ?’ ବାଇନୋକୁଲାରେ ପରୀକ୍ଷା କରି ତାଙ୍କୁ କହିଲି, ‘ଏ ହେଉଛି ବର୍ତ୍ତମାନ ତିଆରି ହେଉଥିବା ପୃଥିବୀର ବୃହତ୍ତମ ଝୁଲାପୋଲ । ଆଜି ପର୍ଯ୍ୟନ୍ତ ପୃଥିବୀର ବୃହତ୍ତମ ଝୁଲା ପୋଲଥିବା ସାନଫ୍ରାନମିସନେ ସହରର ଗୋଲଡ଼ନ ଗେଟ୍‌ପୋଲ । କିନ୍ତୁ ଏହାର ବୃହତ୍ତମ ଗର୍ବରୁ ଖର୍ବ କରି ସେହି ଖମ୍ବଠାରେ ତିଆରି ହେବାକୁ ଯାଉଛି ପୃଥିବୀର ବୃହତ୍ତମ ଝୁଲା ପୋଲ । ଏହା ଯେଉଁ ଦୁଇଟି ଇସ୍ପାତ ଦଉଡ଼ା ଉପରେ ଝୁଲା ହୋଇଛି, ସେହି ଇସ୍ପାତ ଦଉଡ଼ାର ଗୋଲ ପ୍ରାୟ ସାଢ଼େ ତିନିଫୁଟ ।’’

 

ଶୁଣିବାକୁ ପାଇଲୁ ଏହି ଏମ୍‌ପାୟର ଷ୍ଟେଟ ବିଲ୍‌ଡ଼ିଂ ଉପରେ ବେଳେବେଳେ ରକ୍ତ ବର୍ଣ୍ଣର ବର୍ଷା ହୁଏ । ମେଘରେ ଥିବା ବିଜୁଳି ବେଳେ ବେଳେ ଏତେ ନିକଟରେ ମାରେ ଯେ ସେହି ବିଜୁଳି ଏମ୍‌ପାୟର ଷ୍ଟେଟ ବିଲଡ଼ିଂର ଘର ଭିତରକୁ ପଶିଗଲା ଭଳି ବୋଧହୁଏ । ୧୦୨ ତାଲାରେ କିଛି ସମୟ ବୁଲାବୁଲି କରି ତଳକୁ ଆସିବା ଠିକ୍‌କଲୁ । କାରଣ ଆମର ନିଉୟର୍କ ନଗରୀର ଆହୁରି ଢେର ସ୍ଥାନ ବୁଲିବା ବାକି ଥାଏ । ତେଣୁ ଗୋଟିଏ ସ୍ଥାନରେ ଏତେ ସମୟ ରହି ହେବ କିପରି ?

 

ନିଉୟର୍କର ବିଭିନ୍ନ ଦର୍ଶନୀୟ ବସ୍ତୁ ଭିତରେ ଚାଇନା ଟାଉନ୍‌ । ଗ୍ରୀନଉଇଚ ଭିଲେଜ, ସିଟି ହଲ, ୱାସିଟନ୍‍ ସ୍କୋୟାର, ପୃଥିବୀର ବୃହତ୍ତମ ରେଳ ଷ୍ଟେସନ ଗ୍ରେଟ ସେଣ୍ଟ୍ରାଲ ଟାରମିନିସ୍‌, ପେନସିଲଭେନିଆ ଟାରମିନସ ଷ୍ଟେସନ, ନିଉୟର୍କ କଲିସିଅମ୍‌, ଫ୍ରିଡମ୍‌ଲାଣ୍ଡ, ମିଉଜିଅମ ଅଫ୍‌ ମନିଜ୍‌ ଅଫ୍‌ ଦି ୱାରଲଡ, ମିଉଜିୟମ ଅଫ୍‌ କନଟେମ୍‌ପରେରୀ କ୍ରାଫ୍‌ଟସ୍‌, ଆମେରିକାନ ମିଉଜିୟମ ଅଫ୍‍ ନେଚୁରାଲ ହିଷ୍ଟ୍ରି, ମେଟ୍ରିପଲି ଟାନ ମିଉଜିୟମ୍‌ ଅଫ୍‌ ଆର୍‌ଟସ୍‌, ଗୁଗେନ ହାଇମ ମିଉଜିୟମ, ଜିଉଇସ୍‌ ମିଉଜିୟମ ଆଦି ପ୍ରସିଦ୍ଧ । ମାନ ହଟନ୍‌ର ଦକ୍ଷିଣ ଅଂଶରେ ଚାଇନା ଟାଉନ ଅବସ୍ଥିତ । ଏଠାରେ ଚୀନାମାନଙ୍କ ଦୋକାନ, ରେଷ୍ଟୁରାଣ୍ଟ ଆଦି ବଡ଼ ଆକର୍ଷଣୀୟ । ସେହିଭଳି ଗ୍ରୀନଉଇଚ ଭିଲେଜ, ନାନା ପ୍ରକାର ଦୋକାନ ରେଷ୍ଟୁରାଣ୍ଟ, ବହି ଦୋକାନ, କିଉସିଓ ସପ, ନାଇଟ କ୍ଲବ ଆଦି ପାଇଁ ପ୍ରସିଦ୍ଧ । ସୁପ୍ରସିଦ୍ଧ ଚେରିୟେନ ଥିଏଟର ଏକ ଆକର୍ଷଣୀୟ ସ୍ଥାନ । ବ୍ରଡ଼ୱେ ବାହାରେ ଥିଲେ ହେଁ ବ୍ରଡ଼ୱେ ଭଳି ନାନା ପ୍ରକାର ସୋ, କନସର୍ଟ ଆଦି ପରିବେଷଣ କରେ । ନିଉୟର୍କର ସୁପ୍ରସିଦ୍ଧ ରାସ୍ତା ବ୍ରଡ଼ୱେର ଦକ୍ଷିଣ ଅଂଶରେ ସୁପ୍ରସିଦ୍ଧ ‘ସିଟିହଲ’ ଅବସ୍ଥିତ । ଏହି ପ୍ରାସାଦଟି ଦେଖିବାକୁ ଅତୀବ ଚମତ୍କାର । ୧୭୭୬ ମସିହା ଜୁଲାଇ ମାସ ୯ ତାରିଖ ଦିନ ଏହିଠାରେ ଆମେରିକା ସ୍ଵାଧୀନତା ଚିଠା ଜର୍ଜ ୱାସିଙ୍ଗଟନ୍‌ଙ୍କ ସାମନାରେ ଯୁକ୍ତରାଷ୍ଟ୍ରର ସୈନ୍ୟମାନଙ୍କୁ ପଢ଼ି ଶୁଣାଇ ଦିଆଯାଇଥିଲା । ସିଟି ହଲ ସାମନାରେ ନିଉୟର୍କ କରପୋରେସନ୍‌ ଅଫିସ । ତା’ଠାରୁ ଟିକିଏ ଦୂରରେ ସୁବିଖ୍ୟାତ ୱାସିଙ୍ଗଟନ ସ୍କୋୟାର ଅବସ୍ଥିତ । ୱାସିଙ୍ଗଟନ ସ୍କୋୟାରରେ ୱାସିଙ୍ଗଟନ ଆର୍ଚ୍ଚ ସବୁଠାରୁ ଦେଖିବା ଜିନିଷ । ଏହି ଆର୍ଟଟି ନାନାଦି କାରୁକାର୍ଯ୍ୟରେ ପୂରିଯାଇଛି । ଷ୍ଟାନଫୋର୍ଡ଼ ହାଇଟ୍‌ ହେଉଛନ୍ତି ଏହାର ସ୍ରଷ୍ଟା । ଏହି ଆର୍ଟଠାରୁ ଆରମ୍ଭ ନିଉୟର୍କର ସୁବିଖ୍ୟାତ ରାସ୍ତା ଫିଫର ଏଭିନିଉ । ନିଉୟର୍କ ନଗରୀର ଯେଉଁ ଦୁଇଟି ରାସ୍ତା ପୃଥିବୀ ପ୍ରସିଦ୍ଧ ସେଥିଭିତରୁ ଗୋଟିଏ ହେଉଛି ଏହି ଫିଫଥ୍‌ ଏଭିନିଉ ଓ ଅନ୍ୟଟି ବ୍ରଡ଼ୱେ । ଏହି ସ୍କୋୟାରକୁ ଲାଗି ଅବସ୍ଥିତ ନିଉୟର୍କ ବିଶ୍ଵବିଦ୍ୟାଳୟ । ପ୍ରାୟ ଶହେ ବର୍ଷ ତଳେ ଏହି ବିଶ୍ଵବିଦ୍ୟାଳୟରେ ସାମୁଏଲ ମୋର୍ସ ସର୍ବ ପ୍ରଥମ ଇଲେକ୍‌ଟ୍ରିକ ଟେଲିଗ୍ରାଫ ଉଦ୍ଭାବନ କରିଥିଲେ ଓ ଜନ ଉଇଲିୟମ ଡ୍ରେ ପର ସର୍ବ ପ୍ରଥମ ପ୍ରତିକୃତି ଆଲୋକ ଚିତ୍ର ସାହାଯ୍ୟରେ ଉଠାଇଥିଲେ । ଏହି ଦୁଇଜଣଙ୍କ ଉଦ୍ଭାବନ ସେ ଯୁଗରେ ସାରା ପୃଥିବୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ପୃଥିବୀର ବିଜ୍ଞାନ ସଭ୍ୟତାକୁ ଆଗେଇ ନେବାରେ ଏ ଦୁଇଟି ଉଦ୍ଭାବନ ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିଲେ, ତାହା ବିଜ୍ଞାନପ୍ରେମୀମାନେ ହିଁ ଜାଣନ୍ତି ।

 

ନିଉୟର୍କ ନଗରୀରେ ବ୍ରଂକ୍‌ସ ଅଞ୍ଚଳରେ ଯେଉଁ ଫ୍ରିଡମ୍‌ଲାଣ୍ଡ ଅଛି, ତାହା ଅତି ପ୍ରସିଦ୍ଧ । ଏହି ବିରାଟ ଅନୁଷ୍ଠାନଟି ୨୦୫ ଏକର ପରିମିତ ସ୍ଥାନ ଦଖଲ କରି ରହିଛି । ଏଠାରେ ମନୋରଞ୍ଜନ ପାଇଁ ଯେଉଁ ସବୁ ବ୍ୟବସ୍ଥା ରହିଛି, ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଯୁକ୍ତରାଷ୍ଟ୍ରର କ୍ରମ ଅଭିବୃଦ୍ଧିକୁ ସାଧାରଣ ଲୋକକୁ ଦେଖାଇବା ପାଇଁ ଏଠାରେ ଯେଉଁ ବନ୍ଦୋବସ୍ତ ରହିଛି ତାହା ଅତୀବ ଶିକ୍ଷଣୀୟ । ଆମେରିକାର ହୋଲିଉଡ଼ର ବିକାଶ ପ୍ରଦର୍ଶନ ପାଇଁ ଯେଉଁ ‘ହୋଲିଉଡ଼୍‍ଏରିନା’ ରହିଛି, ସେଠାରେ ଗୀତ, ନାଚର ସୁଅ ଏମିତି ଭାବରେ ଛୁଟିଛି ଯେ ଏହି ସ୍ଥାନକୁ ଗଲେ ଦେଖଣାହାରୀମାନେ ନ ନାଚି ରହିପାରନ୍ତି ନାହିଁ । ଅବଶ୍ୟ ନାଚିବା ପାଇଁ ବେଶି ପଇସା ଦେବାକୁ ପଡ଼େ ।

 

ନିଉୟର୍କର ମିଉଜିୟମଗୁଡ଼ିକ ଅତୀବ ଚମତ୍କାର । ମିଉଜିୟମ ଗୁଡ଼ିକର ଆର୍ଥିକ ସ୍ଵଚ୍ଛଳତା ଖୁବ୍‌ ଭଲ । ତେଣୁ ସେ ଗୁଡ଼ିକର ରକ୍ଷଣା ବେକ୍ଷଣରେ ପୃଥିବୀର କୌଣସି ମିଉଜିୟମ୍‌ ଏଠା ସହିତ ସମକକ୍ଷ ନୁହେଁ ।

 

ନିଉୟର୍କର ଏହି ସବୁ ଦର୍ଶନୀୟ ସ୍ଥାନ ଭିତରୁ ଅନେକଗୁଡ଼ିଏ ପୂର୍ବଥରରୁ ଦେଖିଥିବାରୁ ଆଉ ସେ ଆଡ଼କୁ ଯିବାପାଇଁ ଇଚ୍ଛା କଲୁନି । ଏମ୍‌ପାୟାର ଷ୍ଟେଟ ବିଲଡ଼ିଂରୁ ଆସିଲାବେଳେକୁ ସନ୍ଧ୍ୟା ପ୍ରାୟ ଆଗତ ପ୍ରାୟ । ମିସେସ୍‌ ଡୋନର ଆମକୁ ବସଷ୍ଟାଣ୍ଡ ପାଖରେ କାର ଧରି ଅପେକ୍ଷା କରିଥିବେ ଭାବି ଆମେ ପୋସ୍‌ ଅଥର୍ଟ ବସ୍‌ ଟାରମିନରିଟିରୁ ବସ ଧରି ନିଉୟର୍କ ନଗରୀରୁ ସେ ଦିନପାଇଁ ବିଦାୟ ନେଲୁଁ ।

 

ତହିଁ ପରଦିନ । ସେଦିନ ମଧ୍ୟ ଆମର ନିଉୟର୍କ ନଗରୀକୁ ଯିବା ପ୍ରୋଗ୍ରାମ୍‌ ଥାଏ । କାମ ଭିତରେ ହେଉଛି ଜିନିଷ କିଣା । ଭାରତକୁ ଫେରି ଯାଉଥିବାରୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଢେର ଜିନିଷ କିଣା ବାକି ଥାଏ । ନିଉୟର୍କ ନଗରୀର ପ୍ରତ୍ୟେକ ଜିନିଷ ଯୁକ୍ତରାଷ୍ଟ୍ରର ସବୁ ଅଞ୍ଚଳ ଅପେକ୍ଷା ଶସ୍ତା । ଯୁକ୍ତରାଷ୍ଟ୍ରର ଯେଉଁ ସହରରୁ ଯେଉଁ ଜିନିଷ କିଣ, ତା’ଠାରୁ ଶସ୍ତାରେ ସେହି ଜିନିଷ ପାଇବ ନିଉୟର୍କରେ । ଆମେ ଏଇ କଥା ନିଜ ଅଭିଜ୍ଞତାରୁ ଜାଣିଥିବାରୁ ଶେଷ ପର୍ଯ୍ୟନ୍ତ ପାଇଁ କେତୋଟି ଜିନିଷ କିଣିବା ବାକି ରଖିଥାଉଁ । କଥା ହୋଇଥାଏ, ମୁଁ ଓ ସ୍ତ୍ରୀ ନିଉୟର୍କ ଆସିବୁ, ପିଲାମାନଙ୍କର ଆସିବା ଦରକାର ନାହିଁ । ନିଉୟର୍କରେ ଯା ଦେଖିବାର କଥା, ସେ ସବୁତ ଦେଖି ସାରିଛୁଁ, ପିଲାମାନେ ଆସିବେ କାହିଁକି ? ପୂର୍ବଦିନ ନିଉୟର୍କ ଆସି ଗୋଟାଏ ଦିନ ରହି ବୁଲିଥିବାରୁ ପିଲାଏ ମଧ୍ୟ ଆସିବାକୁ ନାରାଜ । ତା ଛଡ଼ା ମିସେସ୍‌ ଡୋନ୍‌ରଙ୍କ ଘରେ ପଡ଼ାର ପିଲାମାନଙ୍କର ଆଡ଼୍‍ଡା ଖୁବ୍‌ବେଶି । ତେଣୁ ପିଲାମେଳ ଛାଡ଼ି ନିଉୟର୍କ ଆସୁଛି କିଏ ? ଆମ ଅନୁପସ୍ଥିତିରେ ପିଲାମାନଙ୍କ ଉପରେ ମିସେସ୍‌ ଡୋନର ଦୃଢ଼ ନଜର ଦେବାପାଇଁ କହି ଆମକୁ ନିଉୟର୍କ ନଗରୀକୁ ଯିବାପାଇଁ ବିଦାୟ ଦେଲେ । ଆମେ ଏଥର ବସ୍‌ରେ ନିଉୟର୍କ ନ ଆସି ଟ୍ରେନରେ ନିଉୟର୍କ ଆସିବା ଠିକ୍‌ କରିଥାଉଁ । ଯୁକ୍ତରାଷ୍ଟ୍ରର ରେଳଗାଡ଼ି, ରେଳପଥ, ରେଳ ଷ୍ଟେସନ ସଙ୍ଗେ ସଙ୍ଗେ ନିଉୟର୍କ ନଗରୀର ଭୂମିତଳ ରେଳ ଷ୍ଟେସନ ସଙ୍ଗେ ସଙ୍ଗେ ନିଉୟର୍କ ନଗରୀର ଭୂମିତଳ ରେଳ ଷ୍ଟେସନ ଦେଖିବା ଆମର ପ୍ରଧାନ ଉଦ୍ଦେଶ୍ୟ ଥାଏ । ତେଣୁ ସଅଳ ସଅଳ ମିସେସ୍‌ ଡୋନର ଆମକୁ କାରରେ ନେଇ ନିକଟବର୍ତ୍ତୀ ମେଚୁଟେନ୍‌ ଷ୍ଟେସନରେ ପହଞ୍ଚାଇ ଦେଲେ । କାରଣ ସେଠାରୁ ଆମେ ସିଧା ସଳଖ ଟ୍ରେନ୍‌ ପାଇଯିବୁ ନିଉୟର୍କ ନଗରୀକୁ । ସେଠାରେ ଟ୍ରେନରେ ବସିଲେ ଘଣ୍ଟାଏ ଭିତରେ ଆମେ ନିଉୟର୍କର ପେନ୍‌ସିଲଭେନିଆ ଟାରମିନସ୍‌ ଷ୍ଟେସନରେ ପହଞ୍ଚି ଯିବୁ ।

 

ଯୁକ୍ତରାଷ୍ଟ୍ରର ରେଳ ଚଳାଚଳ ଖୁବ୍‍ ଉନ୍ନତ । ଏତେ ଉନ୍ନତ ଯେ ସେ ଅବସ୍ଥାକୁ ଆସିବା ପାଇଁ ପୃଥିବୀର ବିଭିନ୍ନ ଦେଶକୁ କେତେବର୍ଷ ଯେ ଲାଗିଯିବ, ତାର କଳନା ନାହିଁ । ସାରା ଯୁକ୍ତରାଷ୍ଟ୍ରରେ ପ୍ରାୟ ଦୁଇଲକ୍ଷ ମାଇଲରୁ ଅଧିକ ରେଳ ରାସ୍ତା ଅଛି । ପ୍ରାୟ ୩୭,୦୦୦ ରେଳ ଇଞ୍ଜିନ୍‌, ୩୫,୦୦୦ ଯାତ୍ରୀ ଡବା ଓ ଅଠରଲକ୍ଷ ମାଲଗାଡ଼ି ଡବା ରହିଛି । ଏହି ଯେଉଁ ବିରାଟ ରେଳ ବିଭାଗ, ତାକୁ ବିଭିନ୍ନ କୋମ୍ପାନୀମାନେ ଚଳାନ୍ତି, ସରକାରଙ୍କର ଏଥିରେ କିଛି ନାହିଁ । ଗତ କେତେବର୍ଷ ଧରି ଯୁକ୍ତରାଷ୍ଟ୍ରରେ ମଟରଗାଡ଼ି, ବସ୍‌, ଟ୍ରକ, ଆଦିର ଅତ୍ୟଧିକ ପ୍ରଚଳନ ଫଳରେ ରେଳଗାଡ଼ି ଗୁଡ଼ିକର ଆୟ ଯଥେଷ୍ଟ ପରିମାଣରେ କମି ଆସିଛି । କେତେଗୁଡ଼ିଏ ରେଳ କୋମ୍ପାନୀ ଗତ କେତେବର୍ଷ ଧରି କ୍ଷତି ସହି ଚଳାଇ ଆସୁଛନ୍ତି । ସେଥିଯୋଗୁଁ ବର୍ଷକୁ ବର୍ଷ ବହୁ ରେଳ କୋମ୍ପାନୀ ଭାଙ୍ଗି ଯାଉଛି । କେତେ ସ୍ଥାନକୁ ରେଳପଥ ବନ୍ଦକରି ଦିଆ ଯାଉଛି । ତଥାପି ଏହି ରେଳ କୋମ୍ପାନୀ ମାନଙ୍କରେ ଯେଉଁ ଅଜସ୍ର ଅର୍ଥ ଖଟା ଯାଉଛି, ଶୁଣିଲେ ଆଖି ଖୋସି ହୋଇଯାଏ । କିନ୍ତୁ ଆଜିକାଲି ରେଳଯୋଗେ ଆଶାଜନକ ସ୍ଥାନ ପୂରଣ ନ ହେବାରୁ ରେଳ କୋମ୍ପାନୀଗୁଡ଼ାଙ୍କୁ କ୍ଷତି ସହିବାକୁ ପଡ଼ୁଛି । ଆମେରିକାରେ ବିଭିନ୍ନ କୋମ୍ପାନୀମାନଙ୍କରେ ଯେଉଁ ଅର୍ଥ ଖଟା ଯାଇଛି, ତାହାକୁ ସେଆର ମାର୍କେଟରେ ମୋଟାମୋଟି ତିନିଭାଗରେ ବିଭକ୍ତ କରାଯାଏ, ଯଥା-ରେଳୱେଜ, ଇଣ୍ଡଷ୍ଟ୍ରିଆଲ (ଏଥିରେ ବଡ଼ ବଡ଼ ଶିଳ୍ପ ଅନ୍ତର୍ଗତ) ଓ ଇଉଟିଲିଟିଜ (ବ୍ୟବହାର୍ଯ୍ୟ ପଦାର୍ଥ ଉତ୍ପାଦନ ଶିଳ୍ପ ଏଥିରେ ଅନ୍ତର୍ଗତ) । ଆମେ ଯେତେବର୍ଷ ଆମେରିକାରେ ଥିଲୁ, ସବୁବେଳେ ଏହି ପ୍ରଥମ ବିଭାଗ ସେଆରରେ ଅବନତି ଦେଖିଥିଲୁଁ । ତେଣୁ ନିଉ ଜେରସିରୁ ରେଳରେ ଯାଇ ଏଠାକାର ରେଳଗାଡ଼ି ଅବସ୍ଥା ଦେଖିବା ସଙ୍ଗେ ସଙ୍ଗେ ରେଳଗାଡ଼ିମାନଙ୍କର ସୁବିଧା, ଅସୁବିଧା, ଯାତ୍ରୀ ସମାଗମ ଆଦି ଲକ୍ଷ୍ୟ କରିବା ଆମ ଉଦ୍ଦେଶ୍ୟ ଥାଏ ।

 

ସଅଳ ସଅଳ ମିସେସ୍‌ ଡୋନର୍‌ ଆମ ଦୁହିଁଙ୍କୁ ତାଙ୍କ କାରରେ ନେଇ ମେଚୁଟେନ୍‌ ରେଳ ଷ୍ଟେସନରେ ପହଞ୍ଚାଇ ଦେଲେ । ଷ୍ଟେସନଟି ବେଶ ଛୋଟ, ଷ୍ଟେସନ ଲୋକ ସମାଗମ ହେଲାଭଳି ଦିଶୁ ନ ଥାଏ । ଜଣା ପଡ଼ୁଥାଏ ସତେ ଯେମିତି ଏହି ଷ୍ଟେସନଟି ପରିତ୍ୟକ୍ତ ଷ୍ଟେସନ । କିନ୍ତୁ ମେଚୁଟେନ୍‌ ନିଉଜେରସି ରାଜ୍ୟର ଏକ ପ୍ରସିଦ୍ଧ ଶିଳ୍ପାଞ୍ଚଳ ଯାଗା । ମେଚୁଟେନ୍‌ ସହରରେ ହଜାର ହଜାର ଆର୍ଥିକ ସ୍ଵଚ୍ଛଳ ଲୋକ ବାସ କରନ୍ତି । ନିଉୟର୍କ ନଗରୀ ଏଠାରୁ ୪୦/୪୨ ମାଇଲ ଦୂର । ଗାଡ଼ି ଠିକ୍‌ ସମୟରେ ଆସି ପହଞ୍ଚିଲା । ରେଳଗାଡ଼ି ଡିଜେଲ ଇଞ୍ଜିନ୍‌ଚାଳିତ । ମାତ୍ର ଦୁଇଟି ଡବା ଲାଗିଛି । ରେଳ ଇଞ୍ଜିନ ଡବା ସହିତ ଏମିତି ଭାବରେ ଲାଗୁଛି ଯେ କେହି ଲୋକ ଦେଖିଲେ ଭାବିବ, ଏହି ଗାଡ଼ିରେ ଇଞ୍ଜିନ୍‌ ନାହିଁ ବୋଲି । କେବଳ ରେଳ ଡବା ଦୁଇଟି ମନକୁ ମନ ଚାଲିଛି । କଲିକତା, ବମ୍ବେର ଇଲେକଟ୍ରିକ୍‌ ଟ୍ରେନ୍‌ ଯେମିତି ଦିଶେ ଏ ସେମିତି । ତଫାତ୍‌ ଏଥିରେ ଅଳ୍ପ ଅଳ୍ପ ଇଞ୍ଜିନ ଧୂଆଁ ବାହାରୁଥାଏ ଓ ଏଥିରେ ଡବା ସଂଖ୍ୟା ଇଲେକ୍‌ଟ୍ରିକ୍‌ ଟ୍ରେନର ଡବା ସଂଖ୍ୟା ତୁଳନାରେ ଢେର କମ । ଆମେରିକାରେ ରେଳଗାଡ଼ିମାନଙ୍କରେ ମୋଟାମୋଟି ଦୁଇଟି କ୍ଲାସ । ଗୋଟିକର ଭଡ଼ା ଅନ୍ୟଠାରୁ ଢେର ବେଶି । ପ୍ରଥମଟିରେ ଶୋଇକରି ଯିବାର ବନ୍ଦୋବସ୍ତ ଅଛି । ଅନ୍ୟଟିରେ ନାହିଁ । କିନ୍ତୁ ଏହି ରେଳଗାଡ଼ିଗୁଡିକରେ ଯାତ୍ରୀ ସଂଖ୍ୟା ଏତେ କମ୍‌ ଯେ ଶୋଇବା ବନ୍ଦୋବସ୍ତ ନ ଥିବା ଶ୍ରେଣୀର ଶୋଇକରି ଯାଇହେବ ।

 

ଗାଡ଼ି ଷ୍ଟେସନରେ ପହଞ୍ଚିଲା କ୍ଷଣି ମିସେସ୍‌ ଡୋନରଙ୍କ ଠାରୁ ବିଦାୟ ନେଇ ଆମେ ଗାଡ଼ିରେ ଚଢ଼ିଲୁ । ଷ୍ଟେସନରେ ଗାଡ଼ି ମୋଟେ ୩/୪ ମିନିଟ ସମୟ ରହେ । ଗାଡ଼ି ଷ୍ଟେସନ ଛାଡ଼ିଲା ପର୍ଯ୍ୟନ୍ତ ମିସେସ୍‌ ଡୋନର ଆମକୁ ଅନାଇ ଅପେକ୍ଷା କରିଥାଆନ୍ତି । ଦେଖିଲୁ ଗାଡ଼ିର ବେଗ ବେଶ୍‌ ପ୍ରଖର । ଚାହୁଁ ଚାହୁଁ ଭୀମ ବେଗରେ ଆମକୁ ନେଇ ନିଉୟର୍କ ନଗରୀ ଅଭିମୁଖେ ଛୁଟି ଚାଲିଲା । ମେଚୁଟେନ୍‌ଠାରୁ ନିଉୟର୍କ ନଗରୀ ପର୍ଯ୍ୟନ୍ତ ସ୍ଥାନ ଖାଲି ଶିଳ୍ପ କାରଖାନାରେ ପୂର୍ଣ୍ଣ । ସହର ପରେ ସହର ଖାଲି ପଡ଼ୁଥାଏ ଗାଁ କି କ୍ଷେତ କେଉଁଠି କିଛି ନାହିଁ । ସହରଗୁଡ଼ିକ ଶହ ଶହ କଳକାରଖାନାରେ ପୂରି ରହିଛି । ଆମ ଦେଶର ଧାନ କ୍ଷେତ, ବଣଜଙ୍ଗଲରେ ପଡ଼ିଥିବା ଶହ ଶହ ମାଇଲ ବ୍ୟାପୀ ରେଳପଥ କଥା ଭାବିଲ । ବେଳକୁ ଆକାଶ ପାତାଳ ପ୍ରଭେଦ ଜଣା ପଡ଼ୁଥାଏ ।

 

ଚାହୁଁ ଚାହୁଁ ନିଉୟର୍କ ନଗରୀ ପାଖେଇ ଆସିଲା । ଦୂର ଦିଗ୍‌ବଳୟରେ ନିଉୟର୍କର ଅତ୍ୟୁଚ୍ଚ ପ୍ରାସାଦମାଳା ଚିତ୍ର ପଟଭଳି ଭାସି ଉଠିଲା । ରେଳଗାଡ଼ିରୁ ନିଉୟର୍କ ନଗରୀର ଦୃଶ୍ୟ କି ମନୋରମ ? ସହଜରେ ଭୁଲି ହେବ ନାହିଁ । ଆମ ଡବା ଭିତରେ ଯାତ୍ରୀଙ୍କ ସଂଖ୍ୟା ଢେର କମ ଥିଲେହେଁ ଯେଉଁ କେତେ ଜଣ ଥାଆନ୍ତି ସେମାନଙ୍କ ଭିତରୁ ସ୍ତ୍ରୀମାନଙ୍କ ସଂଖ୍ୟା ଅପେକ୍ଷାକୃତ ବେଶୀ । ସ୍ତ୍ରୀମାନଙ୍କ ଭିତରୁ ପ୍ରାୟ ସମସ୍ତେ ବୟସ୍କା, କେତେକ ପୌଢ଼ତ୍ଵ ଓ ବାର୍ଦ୍ଧକ୍ୟରେ ପଦାର୍ପଣ କରି ସାରିଲେଣି । ସେମାନଙ୍କ ଭିତରୁ ଅଧିକାଂଶ ନିକଟବର୍ତ୍ତୀ ସ୍ଥାନରୁ ନିଉୟର୍କକୁ ଯାଉଥାନ୍ତି, ଜିନିଷ ପତ୍ର କିଣା କିଣି ପାଇଁ । ନିଉୟର୍କରେ ମୋଟର ଗାଡ଼ି ରଖିବାର ହଇରାଣକୁ ଏଡ଼ାଇବା ପାଇଁ ସେମାନେ ଏହି ଟ୍ରେନର ସାହାଯ୍ୟ ନେଇଛନ୍ତି । ଆମେ ଏଇଭଳି କଥାବାର୍ତ୍ତା ହେଉଚ୍ଛୁଁ, କେତେବେଳୁ ଆମ ଭୂମି ଉପର ଟ୍ରେନ ଭୂମି ତଳେ ହୋଇ ଗଲାଣି ଆମକୁ ଜଣା ନାହିଁ । ଆମ ସହିତ କଥାବାର୍ତ୍ତା କରୁଥିବା ମାର୍କିନ ମହିଳାଜଣକ ସୁଚାଇ ଦେଲେ ଯେ ଆମ ଗାଡ଼ି ହଡ଼ସନ୍‌ ନଦୀର ତଳେଥିବା ସୁଡ଼ଙ୍ଗ ଦେଇ ପେନସିଲଭେନିଆ ଟାରମିନସ୍‌ ଷ୍ଟେସନରେ ପହଞ୍ଚିବାକୁ ଧାଉଁଛି-

 

ଗାଡ଼ି ଯଥା ସମୟରେ ପେନସିଲ ଭେନିଆ ଟାରମିନସ ଷ୍ଟେସନରେ ପହଞ୍ଚିଲା । ବିରାଟ ଭୂଇଁ ତଳ ଷ୍ଟେସନ, ଶତ ଶତ ଆଲୋକ ବତୀରେ ଭୂଇଁ ତଳ ଷ୍ଟେସନଟି ଦିନ ଭଳି ହସି ଉଠୁଛି । ଏହି ଷ୍ଟେସନଟି ଦେଖି ହଠାତ୍‌ ମୋର ମନେ ପଡ଼ିଗଲା ବାରବର୍ଷ ତଳେ ପ୍ରକାଶ ପାଇଥିବା ମୋର ସର୍ବ ପ୍ରଥମ ବୈଜ୍ଞାନିକ ଉପନ୍ୟାସ ‘ପୃଥିବୀ ବାହାରେ ମଣିଷ’ କଥା ! ‘ପୃଥିବୀ ବାହାରେ ମଣିଷ’ ଉପନ୍ୟାସର ନାୟିକା ଲରା ପିଟସ ବର୍ଗ ସହରରୁ ଆସି ସର୍ବ ପ୍ରଥମେ ପହଞ୍ଚନ୍ତି ଏହି ଭୂମିତଳ ଷ୍ଟେସନରେ । ଏଠା ଷ୍ଟେସନର ସୌନ୍ଦର୍ଯ୍ୟରେ ମୋହିତ ହୋଇ ସେ ଆତ୍ମହରା ହୋଇ ପଡ଼ନ୍ତି ଓ ସେଠାରୁ ସେ ଯାଆନ୍ତି, କଲମ୍ବିଆ ବିଶ୍ଵବିଦ୍ୟାଳୟକୁ ପଦାର୍ଥ ବିଜ୍ଞାନରେ ଗବେଷଣା ନିମିତ୍ତ । ଗାଡ଼ିରୁ ଓହ୍ଲାଉଁ ଓହ୍ଳାଉଁ ସ୍ତ୍ରୀଙ୍କୁ ସୂଚାଇ ଦେଲି । ପେନ୍‌ସିଲଭେନିଆ ଟାରମିନସ୍‍ ଷ୍ଟେସନ ନ ଦେଖି ମୁଁ ଯେଉଁ ସବୁ କଳ୍ପନା କରିଥିଲି ତା ଠାରୁ ଏହି ଷ୍ଟେସନ ବିଶେଷ କିଛି ପ୍ରାର୍ଥକ୍ୟ ନୁହେଁ ଦେଖି ନିଜ କଳ୍ପନାକୁ ପ୍ରଶଂସା ନକରି ରହି ପାରିଲା ନାହିଁ । ତେବେ ଏତିକି ତଫାତ୍‌ ହେଉଛି ଭୂମିତଳ ଷ୍ଟେସନର ଆକାର ନେଇ ମୋର ଯା କଳ୍ପନା ଥିଲା, ବାସ୍ତବରେ ଏହା ତାଠାରୁ ଢେର ବଡ଼-। ଭୂମିତଳେ ଏତେବଡ଼ ଷ୍ଟେସନଟାଏ ଯେ ଥାଇପାରେ କଳ୍ପନା କରିବା ଅତୀବ କଷ୍ଟକର-। ଭୂମି ଉପର ଖୁବ୍‌ କମ୍‌ ଷ୍ଟେସନ ଏତେ ବଡ଼ ଥିବ । ‘ପୃଥିବୀ ବାହାରେ ମଣିଷ’ ଉପନ୍ୟାସରେ ବର୍ଣ୍ଣିତ ଷ୍ଟେସନ ବୋଲି ସ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଏହାକୁ ଆହୁରି ଭଲ ଭାବରେ ନିରୀକ୍ଷଣ କଲେ । ବହୁପ୍ରକାର ଆଲୋକ ବତୀଦ୍ଵାରା ଷ୍ଟେସନଟି ଆଲୋକିତ । ହଠାତ୍‌କରି ଗାଡ଼ିରୁ ଓହ୍ଲାଇପଡ଼ି କେହି କହିପାରିବନି ଏହା ଭୂମିତଳ କି ଭୂମି ଉପର ଷ୍ଟେସନ । ଷ୍ଟେସନରୁ ଭୂମି ଉପରୁ ଯିବାପାଇ ପାହାଚ, ଗତିଶୀଳ ପାହାଚ ଆଦି ଅଛି । ଆମେ ଗତିଶୀଳ ପାହାଚରେ ଉପରକୁ ଉଠୁ ଉଠୁ ସ୍ତ୍ରୀ ପଚାରିଲେ, ‘‘ଏତେ ବଡ଼ ଷ୍ଟେସନଟାଏ ଭୂମିତଳେ କେମିତି ତିଆରି ହୋଇଛି ବାସ୍ତବିକ୍‌ ଦେଖିବା କଥା ।’’

 

‘‘କିନ୍ତୁ ଏତ ବିଶେଷ ବଡ଼ ନୁହେଁ ? ଏହାଠାରୁ ଆହୁରି ବଡ଼ ଭୂମିତଳ ରେଳ ଷ୍ଟେସନ ତ ଏହି ସହରରେ ଅଛି ।

 

‘‘ଆ, ଆହୁରି ବଡ଼ ?

 

‘‘ହଁ ପୃଥିବୀର ବୃହତ୍ତମ ରେଳ ଷ୍ଟେସନ ହେଉଛି ଗ୍ରେଣ୍ଡେ ସେଣ୍ଟ୍ରାଲ ଟାରମିନସ ରେଳ ଷ୍ଟେସନ, ଏଠାରୁ ଅଳ୍ପ ଦୂରରେ ଅବସ୍ଥିତ । ସାତ ଆଠଟା ଛକ ପରେ ୪୨ ନମ୍ବର ଷ୍ଟ୍ରୀଟ ଓ ଲୋକସିଙ୍ଗଟନ ଏଭିନିଉ ଓ ଭେଣ୍ଡର ବିଶ୍ଵ ଭେନିଉ ଭିତରେ ପୃଥିବୀର ଏହି ବୃହତ୍ତମ ରେଳ ଷ୍ଟେସନଟି ଅବସ୍ଥିତ । ଏହି ଷ୍ଟେସନଟି ଭୂଇଁ ତଳେ ପ୍ରାୟ ୮୦ ଏକର ପରିମିତ ସ୍ଥାନ ଦଖଲ କରି ରହିଅଛି । ବୋଷ୍ଟନ ଆଡ଼ୁ ନିଉୟର୍କକୁ ଆସିଲେ ଏହି ଷ୍ଟେସନରେ ଓହ୍ଲାଇବାକୁ ପଡ଼େ । ସେହି ଷ୍ଟେସନର ଲୋକ ଗହଳି, ରେଳଗାଡ଼ିର ଯା ଆସ, ଷ୍ଟେସନ ଭିତରେ ଦୋକାନ; ବଜାର ଆଦି ଦେଖିଲେ ଯେ କେହି ଲୋକ ସ୍ତବ୍‌ଧ ହୋଇଯିବ ।

 

ଆମେ ଏମିତି କଥାବାର୍ତ୍ତା ହେଉଁ ହେଉଁ ଭୂମି ଉପରକୁ ଚାଲି ଆସିଲୁ । ଭୂମି ଉପର ଷ୍ଟେସନର ବିରାଟତା କିଛି କମ ନୁହେଁ । ସେଠାରୁ ପାହାଚ ଦେଇ ଉଠି ନିଉୟର୍କର ରାସ୍ତାକୁ ଆସିଲୁଁ-। ପେନସିଲ ଭେନିଆ ଷ୍ଟେସନରୁ ବାହାରିଲାକ୍ଷଣି ପଡ଼ିଲା ବିରାଟ ଷ୍ଟାରଲର-ହିଲଟନର ହୋଟେଲ-। ଷ୍ଟେସନର ଆର ପାଖରେ ନିଉୟର୍କର ବିରାଟ ପୋଷ୍ଟଅଫିସ । ପେନସିଲ ଭେନିଆ ଏଡ଼େ ବଡ଼ ଷ୍ଟେସନ, ଶହ ଶହ ରେଳଗାଡ଼ି ଏଠାକୁ ଯା ଆସ କରୁଛି । କିନ୍ତୁ ଉପରକୁ ଷ୍ଟେସନର କିଛି ଗୋଳମାଳ କି ଘୋ ଘା ନାହିଁ । ଷ୍ଟେସନ ପାଖ ଦେଇ ଗଲେ ବି କେହି କହି ପାରିବନି ଯେ ଏଟା ଗୋଟାଏ ବିରାଟ ରେଳଷ୍ଟେସନ ବୋଲି । ରେଳଗାଡ଼ିଗୁଡ଼ିକ କେତେ ତଳେ ଯେ ଲୁଚିଛନ୍ତି ଜାଣିବା କଷ୍ଟକର । ଧନ୍ୟ ନିଉୟର୍କ ନଗରୀ, ଧନ୍ୟ ତାର ରେଳଷ୍ଟେସନ !

 

ପେନସିଲଭେନିଆ ଷ୍ଟେସନରୁ ଆମେ ସିଧା ଚାଲିଲୁ ନିକଟବର୍ତ୍ତୀ ବୃହତ୍ତମ ଦୋକାନ ‘ମାସେ’ ଡିପାର୍ଟମେଣ୍ଟାଲ ଷ୍ଟୋର୍ସକୁ । ପୃଥିବୀର ଉଚ୍ଚତମ ପ୍ରାସାଦ ଏମ୍‌ପାୟାର ଷ୍ଟେଟ୍‌ବିଲଡ଼ିଂ ଯେଉଁ ୩୪ ନମ୍ବର ଷ୍ଟ୍ରୀଟ ଉପରେ ଅବସ୍ଥିତ ପୃଥିବୀର ଏହି ବୃହତ୍ତମ ଦୋକାନ ସେହି ଷ୍ଟ୍ରୀଟ ଉପରେ ଅବସ୍ଥିତ । କି ବିରାଟ ସେ ଦୋକାନ ! ତଳୁ ଠିଆ ହୋଇ ଉପରକୁ ଅନାଇଲା ବେଳକୁ ଆଖି ପାଉ ନଥାଏ । ଏତେ ବଡ଼ ବିରାଟ ଦୋକାନ କେମିତି ଯେ ଲୋକମାନେ କିଣାକିଣି କରିବାକୁ ଯାଆନ୍ତି ଭାବି ପାରିଲୁନି । ଏହି ପୃଥିବୀର ବୃହତ୍ତମ ଦୋକାନରେ ନ ବୁଲିଲେ ଓ ଏଠାରୁ କିଛି ନ କିଣିଲେ ଆମ ଆମେରିକା ଅନୁଭୂତି କ’ଣ ସଂପୂର୍ଣ୍ଣ ହେଉଛି ? ତେଣୁ ଦୋକାନ ପରିକ୍ରମା କରିବା ଉଦ୍ଦେଶ୍ୟରେ ଭିତରକୁ ପଶିଲୁ । ବହୁତଳ ଦୋକାନ ଭିତରେ ପ୍ରକାଣ୍ଡ ପ୍ରକାଣ୍ଡ ହଲ, ହଲଗୁଡ଼ିକ କୋଟି କୋଟି ଟଙ୍କାର ପଣ୍ୟ ଦ୍ରବ୍ୟରେ ପୂରି ଯାଇଛି । ଗୋଟିଏ ଜାତିର ଜିନିଷ ପାଇଁ ଗୋଟାଏ ଗୋଟାଏ ପ୍ରକାଣ୍ଡ ହଲ । ହଲ ଭିତରେ ବିଭନ୍ନ କମ୍ପାନୀ ପ୍ରସ୍ତୁତ, ବିଭିନ୍ନ ଡିଜାଇନର ପଦାର୍ଥମାନ ପୂରି ରହିଛି । ଯାର ଯେଉଁ ଜାତିର ଓ ଯେଉଁ ମୂଲ୍ୟର ଜିନିଷ ଦରକାର ସେ ଖରଦି କରିପାରିବ । ଏଠାରେ ପୁଣି ସବୁ ପ୍ରକାରର ଜିନିଷ ମିଳେ । ସାମାନ୍ୟ ପିନ କଣ୍ଟାଠାରୁ ଆରମ୍ଭ କରି ହଜାର ହଜାର ଟଙ୍କା ମୂଲ୍ୟର ଜିନିଷ ପାତି ପର୍ଯ୍ୟନ୍ତ ସବୁ ବିକ୍ରୟ ହେଉଛି । ମାସ ମାସ ଧରି ବୁଲିଲେ ଏହି ଦୋକାନରେ ସବୁ ଅଂଶ ଦେଖି ହେବନି । ଦୋକାନରୁ କଣ କିଣିବୁଁ, କଣ କିଣିବୁ ଭାବି ଭାବି ଗୋଟିଏ ସୁନ୍ଦର ଟାୟ୍‌ ଓ ସୁଟକେଶ କିଣି ସେଠାରୁ ଫେରିଲୁଁ ।

 

‘ମାସେ’ ଷ୍ଟୋର ଦେଖି ସାରି ଆମେ ସିଧା ଚାଲିଲୁ ଅଷ୍ଟମ ଏଭିନିଉ ଅଭିମୁଖେ । ଆମେ ଯେତେଥର ନିଉୟର୍କ ଆସିଛୁ ଅଷ୍ଟମ ଏଭିନିଉରେରେ ଦି ଥର ମୁହଁ ନ ମାରିଲେ ସ୍ତ୍ରୀଙ୍କର ନିଉୟର୍କ ବୁଲା ହୁଏନି । ଅଷ୍ଟମ ଏଭିନିଉକୁ ସ୍ତ୍ରୀମାନଙ୍କର ସ୍ଵର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ । ପୃଥିବୀରେ ଯେତେ ପ୍ରକାର କନା, କି ରେଶମ, ପଶମ; ଲାଇଲେନ, ଡେକ୍ରନ, ଅରଳନ୍‌ ଅଛି, ସେ ସବୁର ସବୁଠାରୁ ବଡ଼ ବଜାର ହେଉଛି ଏହି ଅଷ୍ଟମ ଏଭିନିଉ । ଖାଲି ବଡ଼ ବଜାର ନୁହେଁ; ଯୁକ୍ତରାଷ୍ଟ୍ରର ସବୁ ସହର ତୁଳନାରେ ଦାମ ଏଠି କମ୍‌ । ଚିକାଗୋ ଫିଲାଡେଲଫିଆ, ନିଉୟର୍କ ବୋଷ୍ଟନ ଭିତରେ ତୁଳନା କରି ଦେଖିଛୁ, ଲୁଗାପଟା କନା ଆଦିରେ ନିଉୟର୍କ ସବୁଠାରୁ ଶସ୍ତା । ବଢ଼ିଆ ଟେରଲିନ କନା ସେମାନଙ୍କ ପଇସାରେ ଗଜ ତିନିଟଙ୍କା । ଟେରଲିନ-ପଶମ କନା ତିନିଟଙ୍କା ଆଠମଣା । ଆଉ ସବୁ କନାର ମୂଲ୍ୟ ଦେଖିଲେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବନି । ଏସବୁ ପୋଷାକ ତିଆରି କନା ଏତେ ଶସ୍ତା ହୋଇପାରେ, ଆମ ଦେଶ ଭଳି ଅଭାବି ଦେଶରେ ଏହାକୁ ସ୍ଵପ୍ନ ବୋଲି ମଣିବାକୁ ହେବ ।

 

ଅଷ୍ଟମ ଏଭିନିଉରୁ କିଣାକିଣି ଶେଷ କରି ଆମେ ଚାଲିଲୁ ଟାଇମସ ସ୍ୱୋୟାର ଅଭିମୁଖେ । ସେଠାରୁ ମଧ୍ୟ କେତେ ପ୍ରକାର ଜିନିଷ ଖରିଦ କରିବା କଥା । ଟାଇମସ୍‌ ସ୍କୋୟାର ଦୋକାନ, ବଜାରରେ ନାନା ପ୍ରକାର ଜିନିଷ ଯୁକ୍ତରାଷ୍ଟ୍ରର ବହୁ ସହର ତୁଳନାରେ ଶସ୍ତା ।

 

ଟାଇମସ୍‌ ସ୍କୋୟାର ଉପରେ ନିଉୟର୍କ ଟାଇମସ୍‌ ଖବରକାଗଜର ବିରାଟ ବିଲଡ଼ିଂ । ଏହି ପ୍ରାସାଦର ଦଶତାଲା ଉପରେ ଖବର କାଗଜ ସଂକ୍ରାନ୍ତୀୟ ଗୋଟିଏ ଶିକ୍ଷଣୀୟ ମିଉଜିୟମ ଅଛି । ଏହି ବିଲଡ଼ିଂର ଉପର ଧାରରେ ପୃଥିବୀର ବଡ଼ ବଡ଼ ଘଟଣାର ଖବର ଆପେ ଆପେ ଲେଖା ହୋଇ ପାଉଥାଏ । ପ୍ରତିଦିନ ସନ୍ଧ୍ୟାବେଳେ ଟାଇମସ୍‍ ସ୍କୋୟାରରେ ଏହା ଗୋଟିଏ ବଡ଼ ଆମୋଦଜନକ ଘଟଣା । ଟାଇମସ୍‌ ସ୍କୋୟାର ଉପରେ ସନ୍ଧ୍ୟାବେଳେ କିଛି ସମୟ ଠିଆ ହୋଇଗଲେ ପୃଥିବୀର ସେ ଦିନର ସବୁ ବଡ଼ ବଡ଼ ଖବର ଇଲେକ୍‌ଟ୍ରିକାଲ ପଦ୍ଧତିରେ ଗତିଶୀଳ ଅକ୍ଷରରେ ଆପେ ଆପେ ଲେଖା ହୋଇ ଯାଉଥିବାରୁ ସେ ଖବର ସବୁ ଅକ୍ଲେଶରେ ଜାଣି ପାରିବ-। ପୃଥିବୀର ତଟକା ତଟକା ଖବର ଜାଣିବା ପାଇଁ ବହୁ ଲୋକ ସନ୍ଧ୍ୟାବେଳେ ସେଠି ଜମା ହେବା ସ୍ଵାଭାବିକ ।

 

ନିଉୟର୍କ ଟାଇମସ୍‌ ଖବର କାଗଜର ବିଲଡ଼ିଂ ଯେମିତି ବଡ଼, ସେହି ଖବର କାଗଜ ମଧ୍ୟ ସେମିତି ବଡ଼ । ଏହି କାଗଜଟି ଆମେରିକାର ଡିମୋକ୍ରେଟିକ୍‌ଦଳକୁ ସମର୍ଥନ କରେ । ଏହି କାଗଜ ଶହେ ବର୍ଷରୁ ଊର୍ଦ୍ଧ୍ଵକାଳ ହେଲା ପ୍ରକାଶିତ ହେଲାଣି । ଏହି କାଗଜ ଦିନକୁ ଛାପାଯାଏ ହାରାହାରି ଦଶଲକ୍ଷରୁ ଅଧିକ । ନିଉୟର୍କ ଟାଇମସ୍‌ ଭଳି ନିଉୟର୍କ ନଗରୀର ଆଉ ଏକ ବଡ଼ କାଗଜ ହେଲା ନିଉୟର୍କ ହେରଲଡ଼ ଟ୍ରିବିଉନ୍‌ । ଏହା ୧୯୨୪ ମସିହା ପୂର୍ବରୁ ଦୁଇଟି କାଗଜ ଥିଲା । ଗୋଟିଏ ହେଉଛି ନିଉୟର୍କ ଟ୍ରିବିଉନ୍‌ । ଏହା ୧୮୪୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଅନ୍ୟଟି ହେଉଛି ନିଉୟର୍କ ହେରଲ୍‌ଡ, ଏହା ୧୮୩୫ ମସିହାରେ ଆରମ୍ଭ ହୋଇଥିଲା । ୧୯୨୪ ମସିହାରୁ ଏହି ଦୁଇଟି କାଗଜ ମିଳିତ ହୋଇ ନିଉୟର୍କ ହେରଲ୍‌ଡ଼ ଟ୍ରିବିଉନ୍‌ ଆକାରରେ ପ୍ରକାଶ ପାଉଛି । ଏହି କାଗଜଟି ମୋଟା ମୋଟି ରିପବ୍ଲିକନ୍‌ଦଳକୁ ସମର୍ଥନ କରେ । ଏହାର ଏକ ଇଉରୋପୀୟ ସଂସ୍କରଣ ପାରିସ୍‍ ସହରରୁ ପାରିସ୍‍ ହେରଲଡ଼ ନାମରେ ପ୍ରକାଶ ପାଏ । ଏହି ଦୁଇଟି କାଗଜ ନିଉୟର୍କର ଖାଲି ବଡ଼ କାଗଜ ନୁହନ୍ତି, ସାରା ଯୁକ୍ତରାଷ୍ଟ୍ରର ବୃହତ୍ତମ ଖବରକାଗଜ ଭାବରେ ଖ୍ୟାତ-

 

ନିଉୟର୍କ କାଗଜ ଦୁଇଟି ଯେମିତି ବିରାଟ, ନିଉୟର୍କ ସହରର ସବୁ କିଛିରେ ବିରାଟତ୍ଵର ଢେର ଚାପ ଦେଖିବାକୁ ମିଳେ । ଆର୍ଥିକ ସ୍ଵଚ୍ଛଳତା ଦୃଷ୍ଟିରୁ ନିଉୟର୍କ ନଗରୀର ସମକକ୍ଷ ହେବାପାଇଁ ପୃଥିବୀର ଖୁବ୍‌ କମ ରାଷ୍ଟ୍ର ଅଛନ୍ତି । ନିଉୟର୍କ ନଗରୀର ବାର୍ଷିକ ବଜେଟ୍‌ ୧୯୪୭-୪୮ ମସିହାରେ ଥିଲା ପାଞ୍ଚଶହ କୋଟି ଟଙ୍କା, ପୃଥିବୀର କେତୋଟି ରାଷ୍ଟ୍ରର ବଜେଟ୍‌ ସେହି ପରିମାଣର ପାଖାପାଖି ? ଆମ ଅବିଭକ୍ତ ଭାରତବର୍ଷର ଆୟ ସେତେବେଳେ ଏତେ ନଥିଲା । ଗୋଟିଏ ସହରର ବଜେଟ୍‌ ଯଦି ପୃଥିବୀର ଶତକରା ୯୫ ଭାଗ ରାଷ୍ଟ୍ରକୁ ବଳିଯାଏ, ତେବେ ସେହି ସହରର ଆର୍ଥିକ ସ୍ଵଚ୍ଛଳତା କେତେ, ନ କହିଲେ ମଧ୍ୟ ସମସ୍ତେ ଅନୁମାନ କରି ପାରୁଥିବେ । ପୃଥିବୀର କୌଣସି ସହରର ଆୟ ସେହି ପରିମାଣର ପାଖାପାଖି ନୁହେଁ । କେବଳ ଏହି ସହରରେ ଯେତେ ଟେଲିଫୋନ ଅଛି, ସେତେ ଟେଲିଫୋନ ସାରା ଫ୍ରାନ୍‌ସ, କାନାଡ଼ା ଦେଶରେ ନାହିଁ । ପୃଥିବୀର ଯେଉଁଠି ଯେତେ ପୋଲିସ ଫୋର୍ସ ଅଛି, ନିଉୟର୍କ ପୋଲିସ ଫୋର୍ସର ସଂଖ୍ୟା ସର୍ବାଧିକ ।

 

ନିଉୟର୍କ ନଗରୀରେ ଇହୁଦୀଙ୍କ ସଂଖ୍ୟା ଖୁବ୍‌ ବେଶି, ପ୍ରାୟ କୋଡ଼ିଏ ଲକ୍ଷ, ନିଗ୍ରୋମାନଙ୍କ ସଂଖ୍ୟା ପ୍ରାୟ ପାଞ୍ଚଲକ୍ଷ । ନିଉୟର୍କ ନଗରୀରେ ଯେତେ ଇଟାଲୀୟ ଓ ଆୟର୍ଲଣ୍ଡୀୟ ଅଛନ୍ତି, ଇଟାଲୀ ଓ ଆୟର୍ଲଣ୍ଡର ସହର ଛଡ଼ା ଆଉ କେଉଁଠି ଏତେ ନାହାନ୍ତି ।

 

ଟାଇମସ୍‌ ସ୍କୋୟାରରେ କିଛି ସମୟ ବୁଲାବୁଲି କରି ମିସେସ୍‌ ଡୋନରଙ୍କ ଘରକୁ ଫେରିଯିବାକୁ ଠିକ୍‌ କଲୁ । ସେତେବେଳେକୁ ପ୍ରାୟ ସନ୍ଧ୍ୟା ଆଗତପ୍ରାୟ । ଟାଇମସ୍‌ ସ୍କୋୟାରରୁ ପୋର୍ଟ ଅଥରିଟି ବସ ଟାରମିନାସ୍‌ ଆଡ଼କୁ ଫେରି ଆସୁଛୁଁ ୪୨ ନମ୍ବର ଷ୍ଟ୍ରୀଟ ଉପରେ ଦେଖିଲୁ ଏକ ଗାଡ଼ିରେ ଜଳଖିଆ ବିକିଲାବାଲା କଲିକତା, ବମ୍ବେ ଆଦି ସହରରେ ଯେମିତି ଲୋକେ ଗୋଟିଏ ଗାଡ଼ିରେ ଚୁଲି ଆଦି ନେଇ ବୁଲନ୍ତି, ଜଳଖିଆ ଖାଇଲା ବାଲାଙ୍କୁ ଗରମ ଗରମ ଜଳଖିଆ ତିଆରି କରି ବିକନ୍ତି, ଏଠି ଠିକ୍‌ ସେହିପରି । ଗୋଟିଏ ଗାଡ଼ି ଧରି ସେହି ଗାଡ଼ିରେ ଚୁଲି ଆଦି ଥୋଇ ବିକିଲା ବାଲା ବେଶ୍‌ ପାଟିକରି ୪୨ ନମ୍ବର ଷ୍ଟ୍ରୀଟରେ ଚାଲିଛି । ବିକିଲା ବାଲା ଜଣକ ଆମେରିକାନ୍ ଭଳି ଜଣା ପଡ଼ୁଥାନ୍ତି । ତେବେ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନ ଥିବାର ପ୍ରମାଣ ହାବ୍‌ଭାବରୁ ଜଣା ପଡ଼ୁଥାଏ । ଚୁଲିଟିଏ ଲଗାଇ ହଟଡଗ୍‌, ହେମବର୍ଗର ଆଦି ତିଆରି କରି ଲୋକଙ୍କୁ ବିକ୍ରି କରୁଥାଏ । ଯେଉଁମାନେ ତାଠାରୁ ଜଳଖିଆ ଖାଉଥାନ୍ତି ସେମାନଙ୍କ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନ ଥିଲା ଭଳି ଜଣା ପଡ଼ୁଥାଏ । ମାର୍କିନ ସଭ୍ୟତାର ହୃତପିଣ୍ଡ ଓ ପୃଥିବୀର ସର୍ବାଧିକ ଧନଶାଳୀ ସହରରେ ଏଭଳି ଦୀନହୀନ ଜଳଖିଆ ବିକିଲା ବାଲା ଓ ଜଳଖିଆ ଖାଇଲାବାଲାଙ୍କୁ ଦେଖି ମୁଁ ଯେତିକି ଆଶ୍ଚର୍ଯ୍ୟ ହେଲି, ସେତିକି ଦୁଃଖ କଲି ମଧ୍ୟ ।

 

ଆଉ କିଛି ଦୂର ଗଲାପରେ ଦେଖିଲୁଁ, କେତେଗୁଡ଼ିଏ ପିଲା ଜୋତା ପାଲିସ କରିବା ପାଇଁ ଲୋକମାନଙ୍କୁ କାତର କଣ୍ଠରେ ଡାକୁଛନ୍ତି । କଲିକତାର ଫୁଟପାଥରେ ଯେମିତି ଜୋତା ପାଲିସ କରିବା ପାଇଁ ଜୋତା ପାଲିସକରା ପିଲାମାନେ ପାଟି ତକରାଳ କାକୁତି ମିନତି କରନ୍ତି, ଏଠି ଠିକ୍‌ ସେମିତି । ପିଲାଗୁଡ଼ିକ ମଧ୍ୟରୁ କେତେକ ନିଗ୍ରୋ ଓ ଆଉ କେତେକ ଆମେରିକାନ୍‌ ଭଳି ଜଣା ପଡ଼ୁଥାନ୍ତି । ସେମାନଙ୍କ ପୋଷାକପତ୍ର, ଚାଲିଚଳନରୁ ସେମାନଙ୍କ ଆର୍ଥିକ ସ୍ଵଚ୍ଛଳତାର ଅଭାବ ଜଣା ପଡ଼ିଥାଏ । ଅଷ୍ଟମ ଏଭିନିଉର କିଛିଦୂର ଯାଇ ଆମେ ବସ ଷ୍ଟେସନଆଡ଼କୁ ଯାଉଛୁ, ହଠାତ୍‌ ସେହି ଫୁଟପାଥ ଉପରେ ଜନୈକା ମହିଳା ଭିକ୍ଷା କରୁଥିବାରୁ ଦେଖିଲୁଁ । ଆମେରିକା ଭଳି ଏତେବଡ଼ ଧନୀ ଓ ସୂନୀ ଦେଶରେ ଏମିତି ଜଳଖିଆ ବିକିଲା ବାଲା, ଜୋତା ରଙ୍ଗ କଲାବାଲା, ଭିକ୍ଷା କଲାବାଲା ଲୋକଙ୍କୁ ଦେଖି ସ୍ତ୍ରୀ ପଚାରିଲେ—‘‘ଆମେରିକା ଭଳି ଏତେବଡ଼ ଧନୀ ଦେଶରେ ଗରିବ ଦେଶରେ ସୃତିଚିହ୍ନ ଏହିଭଳି ଭିକ୍ଷାରୁଣୀ, ଜୋତା ରଙ୍ଗ କଲାବାଲା, ଜଳଖିଆ ହକର୍‌ ଆଦି ଆସିଲେ କୁଆଡ଼ୁ ? ୟାକୁ ତ ଦେଖିଲେ କେହି କହିବେନି ଆମେରିକାରେ ଗରିବ ନାହାନ୍ତି ବୋଲି-?”

 

‘‘ସେଥର ସେଣ୍ଟ୍ରାଲ ପାର୍କରେ ଘୋଡାଗାଡ଼ି ଦେଖି କେତେ ଆଶ୍ଚର୍ଯ୍ୟ ହୋଇଥିଲ କହିଲ-? ଆମେରିକା ଲୋକଙ୍କ ଘୋଡାଗାଡ଼ି ଚଢ଼ାକୁ ରାଜାଙ୍କ ଚାଉଳ ଚୋବା ସହିତ ତୁଳନା କରିଥିଲ ପରା । କିନ୍ତୁ ଏଗୁଡ଼ିକ ଆଉ ରଜାଙ୍କ ଚାଉଳଚୋବା ନୁହେଁ । ଏଗୁଡ଼ିକ ପ୍ରକୃତରେ ଭିଖାରୀଙ୍କ ଚାଉଳଚୋବା । ଆମେରିକା ଭଳି ବିରାଟ ଧନୀ ଦେଶରେ ପେଟକୁ ଦୁଇବେଳା ପୂରାଭାବରେ ଖାଇବାକୁ ପାଉ ନ ଥିବା ଲୋକ ଯେ ଅଛନ୍ତି ଏହା ତାହାର ପ୍ରମାଣ । ତୁମେ ଆମେରିକାର ବିଭିନ୍ନ ସହରରେ ଏହିଭଳି ଭିକାରୀ ଭିକାରୁଣୀ ଯେତେ ଦେଖିଛ, ସେଥିରୁ ତୁମର କଣ ଧାରଣା ହେଉନି ଯେ ଆମେରିକାରେ ଢେର ଗରିବ ଲୋକେ ଅଛନ୍ତି ବୋଲି ।’’ ସ୍ତ୍ରୀଙ୍କୁ ଏତକ କହୁଥିଲାବେଳେ ଭାବୁଥାଏ ବାସ୍ତବିକ ଆମେରିକାରେ ବସବାସ କରୁଥିବା ବହୁଲୋକ ଏହି ନିଉୟର୍କର ହାରଲେମ ପ୍ରଭୃତି ଅଞ୍ଚଳରେ ଯେମିତି ଭାବରେ ରହନ୍ତି ଦେଖିଲେ ଯେ କେହି ଲୋକ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବନି । ନିଉୟର୍କର ଏହି ସବୁ ଆକାଶ୍ଚୁମ୍ୱୀ ପ୍ରାସାଦଠାରୁ ଅଳ୍ପ ଦୂରରେ ଶ୍ରମିକମାନଙ୍କ ପାଇଁ ଯେଉଁ ପୂତିଗନ୍ଧମୟ ସ୍ଥାନ ଅଛି, ଯାହାକୁ ସଭ୍ୟ ଭାଷାରେ କୁହାଯାଏ ସ୍ଳମ, ଦେଖିଲେ ଲୋକ ସହଜରେ ବିଶ୍ଵାସ କରି ପାରିବନି । ଗୋଟିଏ ଗୋଟିଏ ଘରେ କୋଡ଼ିଏ ପର୍ଯ୍ୟନ୍ତ ସ୍ତ୍ରୀ ପୁରୁଷ ମୁଣ୍ଡ ଗୁଞ୍ଜିବାର ଦେଖିଲେ କିଏ ଆଶ୍ଚର୍ଯ୍ୟ ନ ହେବ ? ଆମେରିକା ଆଜି ଯେଉଁ ବାହାବା ନେଉଛି ପୃଥିବୀର ସବୁଠାରୁ ସମୃଦ୍ଧିଶାଳୀ ଦେଶ ବୋଲି, ସେ ଆଡ଼କୁ ସେମାନଙ୍କ ଦୃଷ୍ଟିଥିଲେ ସେମାନେ କଅଣ ବାହାବା ନିଅନ୍ତେ । ସେ ଦେଶ ହେଉଛି ପୁଞ୍ଜିବାଦୀ ଦେଶ । ପୁଞ୍ଜିବାଦୀ ଦେଶରେ ସ୍ଳମ୍‌ର ନିରାକରଣ ହେବା ସମ୍ଭବପର ନୁହେଁ । ଗୋଟିଏ ପାଖରେ ଚାକଚକ୍ୟଭରା ଅତ୍ୟାଧୁନିକ ବାସଭବନ ସଙ୍ଗେ ଆର ପାଖରେ ଦୁଃଖ ଦାରିଦ୍ର୍ୟ ଭରା ସ୍ଳମ୍‌ନ ରହିଲେ ପୁଞ୍ଜିବାଦୀ ଅର୍ଥନୀତି ବଞ୍ଚିପାରିବିନି । ତେଣୁ ଯେତେ ଯାହା କଲେ ମଧ୍ୟ ଆମେରିକାରୁ ସ୍ଳମ ଦୂରୀଭୂତ ହୋଇ ପାରିବନି କି ବର୍ତ୍ତମାନ ଭଳି ବେକାର, ଗରୀବ, ଧନହୀନ, ଶୋଷିତ ଶ୍ରମିକ ମାନଙ୍କୁ ଉନ୍ନତ ଅବସ୍ଥାରେ ରଖି ହେବନି । ଏହା ପୂରାପୂରୀ ଅସମ୍ଭବ କାରଣ ଏହା ଏହି ପୁଞ୍ଜିବାଦୀ ଅବନୀତିର ମୂଳମନ୍ତ୍ର ।

 

ଧନ ଦୌଲତଭରା ଆମେରିକା ବର୍ତ୍ତମାନ ଦରକାର କରେ ଏକ ନୂତନ ଆଦର୍ଶକୁ ଅନୁସରଣ କଲେ ଆମେରିକାର ଏତାଦୃଶ ଶତ ଶତ ସମସ୍ୟା ଦୂରୀଭୂତ ହୋଇ ପାରିବ । ଆମେରିକା ଶିକ୍ଷା, ସଭ୍ୟତା, ବିଜ୍ଞାନ, ଇଞ୍ଜିନିଅରିଂ, ଶିଳ୍ପ ଆଦିରେ ଯେଉଁ ଶୀର୍ଷସ୍ଥାନକୁ ଉଠିଛି, ଏତିକିବେଳେ ଆମେରିକା ଯଦି ଏକ ନୂତନ ଆଦର୍ଶ ଗ୍ରହଣ ନ କରେ ତେବେ ତାର ଏହି ଶୀର୍ଷସ୍ଥାନ ବେଶିଦିନ ସ୍ଥାୟୀ ହୋଇ ରହି ପାରିବନି । ପୁଞ୍ଜିପତି ସମାଜର ସ୍ଵାର୍ଥପରତା, ମାନବତା ବିରୋଧୀ କୂଟନୀତି, ଶ୍ରମିକମାନଙ୍କୁ ତଥା ଜନ ସାଧାରଣଙ୍କୁ ଶୋଷଣ କରିବାର ହୀନ ଉପାୟ, ସର୍ବୋପରି ମାନବିକତା ବିକାଶ ଦିଗରେ ଅଦମ୍ୟ ଚେଷ୍ଟା ନ ଚାଲିଲେ, ଆମେରିକାର ଧନୀକ ସମାଜର ପତନ ଅବସ୍ୟମ୍ଭାବୀ ! ଊନବିଂଶ ଶତାଦ୍ଦୀର ଶେଷଆଡ଼କୁ ଓ ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଇଂଲଣ୍ଡର ଅବସ୍ଥା କ’ଣ ନ ଥିଲା ? ଇଂଲଣ୍ଡର ସେତେବେଳର ଆଭିଜାତ୍ୟଭରା ସମାଜ ଦେଖିଲେ ଯେ କେହି ଲୋକ ଆଶ୍ଚର୍ଯ୍ୟ ହୋଇ ଯାଉଥିଲା । କିନ୍ତୁ ଆଜି ଅଛି କଅଣ ? ବିଶାଳ ବ୍ରିଟିଶ୍‌ ସାମ୍ରାଜ୍ୟରୁ ଶୋଷିତ ହୋଇ ବହି ଆସୁଥିବା ଅସୁମାରି ଧନ ସମ୍ପଦ ଚିରକାଳ ପାଇ ଇଂଲଣ୍ଡକୁ ଧନୀଦେଶ କରି ରଖିପାରିଲାନି । ଆଜି ଇଂଲଣ୍ଡତ ପୁଣି ସାଧାରଣ ଦେଶ ଅବସ୍ଥାକୁ ଫେରି ଆସିଛି । ତାର ସେହି ବିଶାଳ ଧନରତ୍ନ, ଆଭିଜାତ୍ୟ ଓ ଚାକଚକ୍ୟଭରା ସମାଜ କି ଜୀବନ ଆଜି ନାହିଁ । ତେଣୁ ଆମେରିକା ଭାଗ୍ୟରେ ଆଜି ସେଇଆ ଯେ ନ ଅଛି, କିଏ କହିପାରିବ । ତାକୁ ବି ଦିନେ ପୃଥିବୀର ସାଧାରଣ ଦେଶ ଅବସ୍ଥାକୁ ଫେରି ଆସିବାକୁ ପଡ଼ିବ ।

 

ଆମେ ଏମିତି କଥାବାର୍ତ୍ତା ହୋଇ ବସ ଷ୍ଟାଣ୍ଡର ଟିକଟ ଘର ପର୍ଯ୍ୟନ୍ତ ଚାଲିଆସିଲୁ । ବୁଝିଲୁ ଫୋର୍ଡ଼ ଯିବା ପାଇଁ ବସ୍‌ଷ୍ଟେସନ ଛାଡ଼ିବା ଉପରେ । ଶୀଘ୍ର ଟିକେଟ କରି ନେଇ ଗତିଶୀଳ ପାହାଚରେ ବସି ଷ୍ଟେସନର ପଞ୍ଚମ ତାଲାକୁ ଯିବାକୁ ଆଗେଇଲୁ । ଆମ ବସ ଛାଡ଼ିବା ଏହି ବିରାଟ ବସ ଷ୍ଟେସନର ପଞ୍ଚମ ତାଲାରୁ । ଗତିଶୀଳ ପାହାଚରେ ପାଞ୍ଚ ତାଲା ଉପରକୁ ଉଠିଲାବେଳକୁ ସ୍ତ୍ରୀ କହିଲେ ଧନ୍ୟ ଏ ଦେଶ, ପାଞ୍ଚତାଲା ଉପରେ ବସ ଷ୍ଟେସନ । ଦଶତାଲା ଉପରେ ହେଲିକେପ୍‌ର ଷ୍ଟେସନ । କେମିତିକା ଦେଶକୁ ଆମେ ଆସିଲେ । ଏ ଦେଶର ଏଭଳି ବସ ଷ୍ଟେସନ କି ଉଡ଼ାଜାହାଜ ଷ୍ଟେସନ କଥା କହିଲେ ଆମ ଦେଶର ଲୋକେ ବିଶ୍ଵାସ କରିବେ ତ ?”

 

ନିଉ ଜେରିସ୍‌ରେ ଆମ ରହଣୀର ଚତୁର୍ଥ ଦିନ । ପୂର୍ବ ଦିନ ରାତିରୁ ମିସେସ୍‌ ଡୋନର ଆମକୁ ସେ ଦିନର ପ୍ରୋଗ୍ରାମ ଜଣାଇ ଦେଇଥାନ୍ତି । ସେ ଦିନ ସକାଳବେଳା ଆମକୁ ଯିବାକୁ ପଡ଼ିବ ଡୋନର ପରିବାରର ପ୍ରାଇଭେଟ ବିଚ୍‌କୁ । ପ୍ରାଇଭେଟ ବିଚ୍‌ ମାର୍କିନ ଆଭିଜାତ୍ୟର ଏକ ନୂତନ ସୃଷ୍ଟି-। ଆମେରିକାର ସାଧାରଣ ନଦୀ, ସମୁଦ୍ର, ହ୍ରଦ, ବଡ଼ ବଡ଼ ପୁଷ୍କରଣୀ କୂଳରେ ସର୍ବସାଧାରଣଙ୍କ ପାଇଁ ନାନା ଜାତିର ବିଚ୍‌ରେ ସାଧାରଣ ଲୋକେ ବିଚ୍‌ଜୀବନ ଉପଭୋଗ କରନ୍ତି-। ଏଭଳି ବିଚ୍‌କୁ ଯିବା ପାଇଁ କିଛି ବାଦ ବିଚାର ନାହିଁ । ଯେ ଇଛା କରିବ ସେ ଯାଇ ପାରିବ-। କିନ୍ତୁ ଆମେରିକାର ଯେଉଁମାନେ ଧନୀ ଅବସ୍ଥାପନ୍ନ ଯେଉଁମାନଙ୍କର ଆଭିଜାତ୍ୟ ଜୀବନଯାପନ ପାଇଁ ପ୍ରବଳ ଇଚ୍ଛା ଅଛି, ସେମାନେ ନିଜ ନିଜର ଘରୋଇ ବିଚ୍ ରଖିଥାନ୍ତି । ଜଣ ଜଣକା ଗୋଟିଏ ଗୋଟିଏ ବିଚ୍‌ ରଖି ନ ପାରିଲେ ମଧ୍ୟ ୪୦୦/୫୦୦ ପରିବାର ମିଶି ଚାନ୍ଦା କରି ଗୋଟିଏ ଗୋଟିଏ ହ୍ରଦ କିଣି ସେହି ହ୍ରଦ କୂଳରେ ବିଚ୍‌ କରିଛନ୍ତି । ଏହି ବିଚ୍‌ ଗୁଡ଼ିକରେ ଏହାର ସଭ୍ୟ ଥିବା ପରିବାର ଛଡ଼ା ଅନ୍ୟ କେହି ଉପଭୋଗ କରି ପାରିବେ ନାହିଁ । ଏହି ବିଚ୍‌ ଚାରିପାଖରେ ପାଚେରୀ ବା ତାର ଜାଲି ଦିଆ ବାଡ଼ ତିଆରି ହୋଇଛି, ଯେମିତିକି ଅନ୍ୟମାନେ ଆସି ପାରିବେନି-। ଯେଉଁମାନେ ବିଚ୍‍ର ସଭ୍ୟ ସେମାନଙ୍କୁ ଗୋଟାଏ ଗୋଟାଏ ଟିକଟ ଦିଆ ଯାଇଥାଏ । ଏହି ଟିକେଟ ଗେଟ୍ ପାଖରେ ଦେଖାଇଦେଲେ, ସେମାନଙ୍କୁ ଭିତରକୁ ଛଡ଼ା ଯିବ । ଏହି ବିଚ୍‌ରେ ପହରିବା, ଜଳକ୍ରୀଡ଼ା, ନୌକା ବିହାର, ଜଳ ସ୍କେଇଙ୍ଗ ପ୍ରଭୃତିର ସୁବିଧା ରହିଛି । ଯେଉଁମାନେ ଟିକିଏ ସାଧାରଣ ଲୋକଙ୍କଠାରୁ ଅଲଗା ହୋଇ ଚଳିବାର ଇଚ୍ଛା ଓ ନିଜ ନିଜର ସ୍ଵାତନ୍ତ୍ର ବଜାୟ ରଖିବାକୁ ଚେଷ୍ଟିତ ସେମାନେ ସାଧାରଣ ବିଚ୍‌କୁ ନ ଯାଇ ଏଭଳି ଘରୋଇ ବିଚ୍‌ରେ ଯୋଗ ଦିଅନ୍ତି । ଗୋଟିଏ ଗୋଟିଏ ଘରୋଇ ବିଚ୍‌ରେ ଯୋଗ ଦେବାକୁ ହେଲେ ବର୍ଷକର, ଛ ମାସ ପାଇଁ ହାରାହାରି ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଦେବାକୁ ପଡ଼େ । ଏତେ ଦେଇ ସୁଦ୍ଧା ଆମେରିକାରେ ଦିନକୁ ଦିନ ଏହି ବ୍ୟକ୍ତଗତ ବିଚ୍ ସଂଖ୍ୟା ବଢ଼ି ଚାଲିଛି । ଅଧିକରୁ ଅଧିକ ଲୋକେ ଏହି ଧରଣର ବିଚ୍ ଆଡ଼କୁ ଅଧିକ ଆକୃଷ୍ଟ ହେଉଛନ୍ତି ।

 

ସଅଳ ସଅଳ ଆମ ପରିବାର ଓ ମିସେସ ଡୋନର ଓ ତାଙ୍କ ଦୁଇ ଝିଅ ମିସେସ ଡୋନରଙ୍କ କାର୍‌ରେ ବାହାରି ପଡ଼ିଲୁ । ମିଷ୍ଟର ଡୋନର ଅଫିସ କାର୍ଯ୍ୟ ଉପଲକ୍ଷେ ଘରଠାରୁ ପ୍ରାୟ ଶହେ ମାଇଲ ଦୂରକୁ ଯିବା ପାଇଁ ସକାଳୁ ତାଙ୍କ ନିଜ କାର୍‌ରେ ଚାଲିଗଲେ । କହିଦେଇ ଗଲେ ଫେରୁ ଫେରୁ ସନ୍ଧ୍ୟା ହୋଇଯିବ । ଆମେ ଡୋନର ପରିବାରର ବିଚ୍‌କୁ ଯିବାପାଇଁ ମିସେସ୍ ଡୋନର ଆମ ପରିବାର ପାଇ ବିଚ୍ କର୍ତ୍ତୃପକ୍ଷକଙ୍କଠାରୁ ବିଶେଷ ଅନୁମତି ମଗାଇ ନେଇଥାନ୍ତି । ଡୋନର ପରିବାର ଅତିଥି ଭାବରେ ଆମର ଅନୁମତି ପାଇବାରେ ବିଶେଷ କିଛି ବାଧା ନାହିଁ । ବିଚ୍‌ରେ ପହଞ୍ଚିବାକୁ କିଛି ଅଳ୍ପ ବାଟ ଥାଏ, ଗୋଟିଏ ସ୍ଥାନରେ ମଟରଗୁଡ଼ିକ ଚେକ୍‌ ହୁଏ । କାଳେ ଅନୁମତି ନଥିବା ଲୋକ କାହା ମଟରରେ ଚାଲି ଆସିବେ, ସେଥିପାଇଁ ଏ କଟକଣା । ଆମ କାର୍‌ ଯାଇ ଠିକ୍ ଏଠାରେ ପହଞ୍ଚିଛି, ଆମ କାର୍‌କୁ ଅଟକାଇଲେ ବିଚ୍ ଜଗୁଆଳି । କ’ଣ ନା ଆମେ ବାହାରର ଲୋକ । ମିସେସ ଡୋନରଙ୍କ ପାଖରେ ଅନୁମତି ପତ୍ର ଥିଲେ ହେଁ ସେ ହଠାତ୍ ଜଗୁଆଳି ଉପରେ ରାଗି ଉଠିଲେ । ମଟରରୁ ଓହ୍ଲାଇପଡ଼ି ସେ ଜଗୁଆଳି ପାଖକୁ ଯାଇ ତାଙ୍କୁ ଅନୁମତି ପତ୍ର ଦେଖାଇବା ପରିବର୍ତ୍ତେ ତାଙ୍କୁ ଗାଳି ଦେଇ ପଚାରିଲେ, “ତୁମେ କ’ଣ ଆଜି କାଲି ଖବର କାଗଜ ପଢ଼ୁନାହଁ ? ଆଜି ସକାଳର ଖବର କାଗଜରେ ପରା ବାହାରିଛି ଆମ ଅତିଥି ଭାବରେ ଭାରତୀୟ ପରିବାର ଆମ ବିଚ୍‍କୁ ଆସିବେ । ସେଥିପାଇଁ ବିଚ୍ କର୍ତ୍ତୃପକ୍ଷ ଅନୁମତି ଦେଇଥିବା କଥା କାଗଜରେ ତ ବାହାରିଛି । ତୁମେ ଏତକ ଖବର ନ ରଖି ଆମ ଗାଡ଼ିକୁ ଅଟକାଇବା ଅର୍ଥ ଆମ ଅତିଥିଙ୍କ ପ୍ରତି ଅସମ୍ମାନ ନୁହେଁ ତ ଆଉ କ’ଣ ?

 

ମିସେସ୍ ଡୋନରଙ୍କ ବକ୍ତବ୍ୟ ଶୁଣି ଜଗୁଆଳୀ ଜଣକ ଖବର କାଗଜ ପଢ଼ିଥିବାର ଅଭିନୟ କରି ସଙ୍ଗେ ସଙ୍ଗେ କ୍ଷମା ମାଗି ଛାଡ଼ି ଦେଲେ । ମିସେସ୍ ଡୋନରଙ୍କ ସବୁବେଳେ ଇଚ୍ଛା ଯେ ତାଙ୍କ ଅତିଥିଙ୍କୁ ଅନ୍ୟମାନେ ଯଥାବିଧି ସମ୍ମାନ କରନ୍ତୁ ।

 

ଯଥା ସମୟରେ ବିଚ୍‌ରେ ପହଞ୍ଚିଲୁ । ମିସେସ୍ ଡୋନରଙ୍କ ଇଚ୍ଛା ଆମେ ସମସ୍ତେ ସେମାନଙ୍କ ହ୍ରଦରେ ସନ୍ତରଣ ଆଦି କରିବୁ । ତେଣୁ ସେ ଆମ ସମସ୍ତଙ୍କ ପାଇଁ ବିଚ୍ ପୋଷାକ ଆଣିଥାନ୍ତି । ବିଚ୍ ଗେଟ ପାରହୋଇ ଭିତରେ ପଶିଲୁ । ଆମେ ପହଞ୍ଚିଲା ବେଳକୁ ପ୍ରାୟ ୨୦୦/୩୦୦ ସରିକି ପରିବାର ଆସି ଗଲେଣି । କି ବିରାଟ ହ୍ରଦ । ହ୍ରଦ କୂଳରେ ବାଲି । ସେହି ବାଲିରେ ଛତା ଆଦି ପୋତି ବହୁ ପରିବାର ନିଜ ନିଜ ସ୍ଥାନ ବାଛି ନେଇ ସାରିଲେଣି । ଆମେ ଗୋଟିଏ ସ୍ଥାନ ବାଛି ସେଠାରେ ଛତା ପୋତି ଆମ ସ୍ଥାନ ନିର୍ଦ୍ଧିଷ୍ଟ କରିନେଲୁ । ଆମ ମଧ୍ୟାହ୍ନ ଭୋଜନ ପାଇଁ ସବୁ ପ୍ରକାର ଖାଦ୍ୟ ପାନୀୟ ଆଦି ମିସେସ୍ ଡୋନର ନେଇଥାନ୍ତି ।

 

ମିସେସ୍ ଡୋନରଙ୍କ ନିର୍ଦ୍ଦେଶରେ ପିଲାମାନେ ଯାଇ ନିକଟବର୍ତ୍ତୀ ପୋଷାକ ବଦଳ ରୁମରୁ ପୋଷାକ ବଦଳାଇ ବିଚ୍ ପୋଷାକ ପିନ୍ଧି ଆସିଲେ । ମିସେସ୍ ଡୋନର ମଧ୍ୟ ସଙ୍ଗେ ସଙ୍ଗେ ଯାଇ ବିଚ୍‍ ପୋଷାକ ପିନ୍ଧି ଆସିଲେ । କିନ୍ତୁ ସ୍ତ୍ରୀ ଆଉ ମୁଁ ପୋଷାକ ବଦଳାଇବାକୁ ନାରାଜ । ମିସେସ ଡୋନର ଭଲ ପହଁରା ଜାଣନ୍ତି । ତାଙ୍କ ଇଚ୍ଛା ସ୍ତ୍ରୀ ଯଦି ପହଁରା ଅଳ୍ପ ଅଳ୍ପ ଜାଣିଥାନ୍ତି, ତେବେ ତାଙ୍କୁ ନେଇ ହ୍ରଦର କିଛି ଭିତରକୁ ଚାଲିଯିବେ, ଥକ୍‌କି ପଡ଼ିଲେ ନୌକା ଅଛି ଘେନି ଆସିବା ପାଇଁ । ଭୟ କରିବାର କିଛି ନାହିଁ । ପିଲାମାନଙ୍କୁ ଗୋଟାଏ ସ୍ଥାନରେ ପହଁରିବା ପାଇଁ ଛାଡ଼ି ଦେଲେ । ବିଚ୍‌ରେ ଏମିତି ବନ୍ଦୋବସ୍ତ, ପାଣି ଯଥେଷ୍ଟ ଥିଲେହେଁ କେହି ବୁଡ଼ି ଯିବାର ଭୟ ନଥାଏ । ସ୍ତ୍ରୀଙ୍କୁ ବହୁ ପ୍ରକାର ଅନୁରୋଧ କଲେ । କିନ୍ତୁ ସେ ମୋଟେ ରାଜି ହେଲେ ନାହିଁ । ନିଜେ ପହଁରା ଜାଣି ନଥିବାରୁ ରାଜି ନହେବା ସ୍ଵାଭାବିକ । ସେ ବିଚ୍ ଅଫିସରୁ ତାଙ୍କ ପହଁରିବା ପାଇଁ ରବର ଟିଉବ ଆଦି ମଗାଇ ଆଣିଲେ । ତଥାପି ବି ସ୍ତ୍ରୀ ନାରାଜ । ସ୍ତ୍ରୀଙ୍କର ଗାଧୋଇବା ପାଇଁ ଯେତେ ଲଜ୍ଜ୍ୟା ନାହିଁ ସେମାନଙ୍କ ବିଚ୍ ପୋଷାକ ପିନ୍ଧିବାକୁ ବେଶି ଲାଜ ।

 

ସ୍ତ୍ରୀଙ୍କ ପରେ ଅନୁରୋଧ ମତେ । ମୋତେ ପହଁରି ଆସୁଥିଲେ ହେଁ ଆଉଜଣେ ଯୁବତୀଙ୍କ ସହ ପହଁରିବା ଆମ ସମାଜରେ କେତେ ଦୂର ଗ୍ରହଣ ଯୋଗ୍ୟ ଭାବି ମନା କରିବାକୁ ବାଧ୍ୟ ହେଲି । ମାର୍କିନ ସମାଜରେ ଏଟା କିଛି ନ ହେଲେହେଁ, ଆମ ସମାଜରେ ଏହାଯେ ମୋଟେ ଗ୍ରହଣ ଯୋଗ୍ୟ ନୁହେଁ ସେତକ ମୁଁ ଭୁଲି ନଥିଲି । ତେବେ ଆମ ଦୁହିଁଙ୍କର ଅନୁରୋଧ ରହିଲା ସେ ଯଦି ପହଁରନ୍ତି ତେବେ ଆମେ ତାଙ୍କ ପହଁରା ଦେଖିବାକୁ ପ୍ରସ୍ତୁତ । ତେଣୁ ଅଗତ୍ୟା ବାଧ୍ୟ ହୋଇ ମିସେସ ଡୋନର ପହଁରିବାକୁ ଗଲେ । ଥରକୁ ଥର ସେ ଝିଅ ଟୁନୁ ଓ ପୁଅ ବାବୁଲି, ତାଙ୍କ ଦୁଇ ଝିଅ ଓ ସେମାନଙ୍କର ଆଉ ଜଣେ ସଙ୍ଗିନୀ ସହ ପହଁରାଇ ହ୍ରଦ ଭିତରକୁ ନେଇ ଯାଉଥାନ୍ତି ଓ ଫେରାଇ ଆଣୁ ଥାଆନ୍ତି । ତା ପରେ ଜଳ ସ୍କିଇଙ୍ଗ ଆରମ୍ଭ ହେଲା । ତାଙ୍କ ଦୁଇ ଝିଅ ଲିଜା;ଆସି ସେମାନଙ୍କ ସାଙ୍ଗ ଡାଏନା ଯେଉଁ ଅଦ୍ଭୁତପୂର୍ବ ଜଳ ସ୍କିଇଙ୍ଗ ଦେଖାଇଲେ, ତାକୁ ଆମେ ଦେଖି ଅବାକ୍ । ସେମାନଙ୍କର ଜଳ ବିହାର ପ୍ରାୟ ୩/୪ ଘଣ୍ଟା ଧରି ଚାଲିଲା । ଆମେ କୂଳରେ ବସି ସବୁ ଦେଖୁଥାଉଁ । ଡୋନର ପରିବାରର ବହୁ ବନ୍ଧୁ ଓ ବାନ୍ଧବୀ ଥରକୁ ଥର ଆସି ଆମ ସହିତ ଦେଖାସାକ୍ଷାତ ହେଣ୍ଡସେକ୍ ଆଦି କରି ଯାଉଥାନ୍ତି । କେତେ କଥାବାର୍ତ୍ତା, କେତେ ପ୍ରଶ୍ନ, କେତେ ସାଦର ସମ୍ଭାଷଣ ଆମମାନଙ୍କୁ । ଏହି କଥାବାର୍ତ୍ତା ହସ ଖୁସି ଭିତରେ ୩/୪ ଘଣ୍ଟା କାଳ ଏତେ ଶୀଘ୍ର ଚାଲିଗଲା, ଆମେ ଜାଣିପାରିଲୁନି । ପ୍ରାୟ ଦିନ ୩ଟା ବେଳକୁ ଆମେ ସମସ୍ତେ ବାହୁଡ଼ିଲୁ ମିସେସ୍ ଡୋନରଙ୍କ ଘରକୁ । ପୂର୍ବ ପୋଗ୍ରାମ ଅନୁଯାୟୀ ସେଦିନ ସନ୍ଧ୍ୟାବେଳେ ସାନ୍ଧ୍ୟ ଭୋଜନ ଭାରତୀୟ ଢଙ୍ଗରେ ରନ୍ଧା ହେବା ଠିକ୍ ହୋଇଥାଏ । ଡୋନର ପରିବାର ଓ ତାଙ୍କ ଆଖପାଖ ପଡ଼ିଶା ସେଦିନ ଭାରତୀୟ ଭୋଜନ କରିବା ଠିକ୍ ହୋଇଥାଏ । ଭାରତୀୟ ରନ୍ଧାର ଦାୟିତ୍ଵ ଥାଏ ସ୍ତ୍ରୀଙ୍କ ଉପରେ । ମିସେସ୍ ଡୋନର ସ୍ତ୍ରୀଙ୍କୁ ସାହାଯ୍ୟ କରିବା ଦାୟିତ୍ଵରେ ଥାଆନ୍ତି । କି କି ଭାରତୀୟ ଖାଦ୍ୟ ରାନ୍ଧି ଭାରତୀୟ ରାନ୍ଧଣାର ପରିଚୟ ଦେବେ ସେଇ ଥାଏ ସ୍ତ୍ରୀଙ୍କର ଚିନ୍ତା । ତେବେ ସେ ବହୁତ ଚିନ୍ତା କରି ଶେଷରେ ପଲାଉ, କୁକୁଡ଼ା ମାଂସ, ଆଳୁ ଓ ଫୁଲକୋବିର ଝୋଳ, ଡାଲି, ମେଣ୍ଢାମାଂସ ଚପ୍, ବନ୍ଧାକୋବି ତରକାରୀ ଆଦି କରିବା ପାଇଁ ଠିକ କରିଥାନ୍ତି । କିନ୍ତୁ ଆମର ସବୁବେଳେ ଚିନ୍ତା ରନ୍ଧା ହେବ ସତ, ଆମେ ସିନା ପେଟେ ଲେଖାଏ ଖାଇବୁ କିନ୍ତୁ ଏ ଆମେରିକାନମାନେ ଖାଇବେତ ? ଭାରତୀୟ ରନ୍ଧା ପାଇଁ ଆବଶ୍ୟକୀୟ ମସଲାମସଲି ଆଗରୁ ମିସେସ ଡୋନର ସ୍ତ୍ରୀଙ୍କଠାରୁ ତାଲିକା ନେଇ ମରାଇ ଆଣି ରଖିଥାଆନ୍ତି । ତା ଛଡ଼ା ତାଙ୍କର ଭାରି ଇଚ୍ଛା ସେ ଯେମିତି ଭାରତୀୟ ରାନ୍ଧଣା ଶିଖିବେ । ସେଥିପାଇଁ ଭାରତୀୟ ରନ୍ଧାପାଇଁ ତାଙ୍କର ଭାରି ଝୁଙ୍କ । ସବୁ ଠିକ୍‌ଠାକ କରି ସ୍ତ୍ରୀ ଯେତେବେଳେ ରାନ୍ଧିବା ପାଇଁ ରୋଷେଇ ଘରେ ପଶିଲେ, ମିସେସ ଡୋନର ଖଣ୍ଡିଏ ଖାତା ନେଇ ତାଙ୍କଠାରେ ହାଜର । ସ୍ତ୍ରୀ ଯାହା ଯାହା ରାନ୍ଧିଲେ, ସେ ସବୁର ରନ୍ଧା ପ୍ରଣାଳୀ ଲେଖି ନେଲେ ଓ ନିଜେ ଦେଖି ଶିଖିବାକୁ ଚେଷ୍ଟା କଲେ । ପ୍ରାୟ ଦୁଇ ଘଣ୍ଟା ଭିତରେ ରନ୍ଧା ସବୁ ଠିକ୍‌ଠାକ୍‍ ହୋଇଗଲା । ରନ୍ଧା ଶିଖୁ ଶିଖୁ ସେ ବେଳେ ବେଳେ ମନ୍ତବ୍ୟ ଦେଉଥାନ୍ତି, ଭାରତୀୟ ରନ୍ଧା ଅତୀବ ଜଟିଳ ଓ ସମୟ ସାପେକ୍ଷ । ସେମାନଙ୍କ ରନ୍ଧାଭଳି ସରଳ ନୁହେଁ । ସେଥିରେ ଗୋଟିକ ପରେ ଗୋଟିଏ କାମ ଏତେ ବେଶି ଯେ ସେ ଗୁଡ଼ିକୁ ମନେ ରଖିବା କଷ୍ଟକର ।

 

ସାନ୍ଧ୍ୟ ଭୋଜନପାଇଁ ରନ୍ଧା ଶେଷ ହେଲାବେଳକୁ ମିଷ୍ଟର ଡୋନର ଫେରି ଆସିଥାନ୍ତି । ତାଙ୍କ ସହିତ ପଡ଼ାର ଆଉ କେତେକ ପରିବାର ଆସି ହାଜର, ଭାରତୀୟ ଭୋଜନର ଉପଭୋଗ ପାଇଁ । ସମସ୍ତେ ଖାଇବା ଟେବୁଲ ଉପରେ ଘେରି ବସିଲେ । ସ୍ତ୍ରୀ ଆଉ ମୁଁ ଭାରତୀୟ ଢଙ୍ଗରେ ସେମାନଙ୍କୁ ସବୁ ପରଶିଲୁ । ପରଶିବା ପରେ ଆମେ ମଧ୍ୟ ସେଇ ଟେବୁଲରେ ବସିଲୁଁ । ଖାଇଲାବେଳେ ସେମାନେ ଅତ୍ୟଧିକ ପ୍ରୀତ ହେଲା ଜଣା ପଡ଼ୁଥାଏ ଯେ ସେମାନେ ହାବ ଭାବରୁ ଜଣା ପଡ଼ୁଥାଏ ଯେ ସେମାନେ ଭାରତୀୟ ରନ୍ଧା ଖାଇବା ପାଇଁ ଅତ୍ୟଧିକ ଖୁସି । ସ୍ତ୍ରୀଙ୍କର ତିଆରି ପ୍ରତ୍ୟେକ ଜିନିସ ଖୁବ୍ ଆନନ୍ଦର ସହିତ ଖାଉଥାନ୍ତି ଓ ଖାଉ ଖାଉ ନାନା ଆନନ୍ଦ ଦାୟକ ମନ୍ତବ୍ୟ ଦେଉଥାନ୍ତି । ଖୁବ୍ ହସ ଖୁସି ଭିତରେ ଆମ ସମସ୍ତଙ୍କର ସାନ୍ଧ୍ୟ ଭୋଜନ ଶେଷ ହେଲା । ଖାଇ ସାରି ଧନ୍ୟବାଦ ଜଣାଇ ପଡ଼ାର ଅନ୍ୟ ପରିବାରମାନେ ଆମଠାରୁ ବିଦାୟ ନେଲେ । ଗଲାବେଳେ ସମସ୍ତଙ୍କ ମୁହଁରେ ଭାରତୀୟ ରନ୍ଧାର ଉଚ୍ଛ୍ଵସିତ ପ୍ରଶଂସା ।

 

ସେପେଟମ୍ବର ମାସ ୩ ତାରିଖ ମଙ୍ଗଳବାର । ସେହିଦିନ ରାତ୍ରିରେ ଆମର ନିଉୟର୍କ ଉଡ଼ାଜାହାଜ ଘାଟିରୁ ଆମେରିକା ଛାଡ଼ିବା କଥା । ଆମେରିକାରେ ସେଦିନ ଆମର ଶେଷ ଦିନ ବୋଲି ସକାଳୁ ଉଠିଲାବେଳକୁ ଆମକୁ କେମିତି କେମିତି ଲାଗୁଥାଏ । ଦୁଇବର୍ଷରୁ ଉର୍ଦ୍ଧ୍ଵକାଳ ଏହି ମାର୍କିନ ଜାତି ସହିତ ଆମ ପରିବାର ଜଡିତ ହୋଇ ପଡ଼ି ଥିବାରୁ ଓ ଏହି ଦେଶ ପ୍ରତି ଆମର ଏକ ଗାଢ଼ ମମତା ସୃଷ୍ଟି ହୋଇ ଯାଇଥିବାରୁ ଏହି ଦେଶ ଛାଡ଼ି ଚାଲି ଯାଉ ଥିବା କଥା ଭାବିଲାବେଳକୁ ମନ କେମିତି କେମିତି ଲାଗୁଥାଏ । ଆମେରିକାରେ ରହଣୀ କାଳ ଭିତରେ ଆମେରିକାର ପ୍ରାଚୁର୍ଯ୍ୟ ଭରା ସମାଜ ଭିତରେ ଆମେ ଏମିତି ମଜ୍ଜି ଯାଇଥାଉଁ ଯେ ଏ ସମାଜକୁ ଛାଡ଼ି ଗଲାବେଳକୁ ମନରେ କଷ୍ଟ ହେବା ସ୍ଵାଭାବିକ । ଆମେରିକାରେ ଆମର ଶେଷ ଦିନ ବୋଲି ସଅଳ ସଅଳ ଉଠି ପଡ଼ିଲୁଁ । ସେ ଦିନ ପାଇଁ ମଧ୍ୟ ଆମ ପ୍ରୋଗ୍ରାମ ଖୁବ୍ ଭିଡ଼ । ନିକଟବର୍ତ୍ତୀ କେତେ ଐତିହାସିକ ସ୍ଥାନ ଓ କଳକାରଖାନା ଦୋକାନ ବଜାର ଦେଖିବା ଆମ ପ୍ରୋଗ୍ରାମରେ ସେଦିନ ପାଇଁ ସ୍ଥାନ ପାଇଥାଏ ।

 

ନିଉ ଜେରସି ରାଜ୍ୟ ଯୁକ୍ତରାଷ୍ଟ୍ରର ଅନ୍ୟାନ୍ୟ ବହୁ ରାଜ୍ୟ ତୁଳନାରେ ଖୁବ୍ ଛୋଟ । ମେରୀଲାଣ୍ଡ, ଡିଲାୱାର, ରୋଡ ଆୟର୍ଲଣ୍ଡକୁ ଛାଡ଼ି ଦେଲେ ଯୁକ୍ତରାଷ୍ଟ୍ର ଭିତରେ ଏହାଠାରୁ ଆଉ କୌଣସି ଛୋଟ ରାଷ୍ଟ୍ର ନାହିଁ । ଏହି ରାଜ୍ୟର ଲୋକ ସଂଖ୍ୟା ୬୦ ଲକ୍ଷ ପାଖା ପାଖି ନିଉୟର୍କ ନଗରୀର ଲୋକ ସଂଖ୍ୟା ଠାରୁ ବି କମ୍ । ଏହି ରାଜ୍ୟଟି ଛୋଟ ହେଲେ କଣ ହେବ, ଏହା ଶିଳ୍ପ କାରଖାନାରେ ଆମେରିକାର ବହୁ ରାଷ୍ଟ୍ରକୁ ବଳି ଯାଇଛି । ଏହି ରାଜ୍ୟରେ ପ୍ରାୟ ପନ୍ଦର ହଜାର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କଳକାରଖାନା ରହିଛି । ସେହି ସବୁ କାରଖାନା ଭିତରେ ରାସାୟନିକ ଶିଳ୍ପ, କଳକବଜା ଯାନ ବାହାନ କାରଖାନା, ବିଭିନ୍ନ ଜାତିର ଲୁଗା ଓ ସୂତା କଳ, ତୈଳଶୋଧନ କାରଖାନା ଓ ବୈଜ୍ଞାନିକ ଯନ୍ତ୍ରପାତି କାରଖାନା ଓ ଔଷଧ କାରଖାନା ଆଦି ଅଗ୍ରଗଣ୍ୟ । ନିଉଜେରସିରେ ଯେତେ ପ୍ରକାର ବିଭିନ୍ନ ଜାତିର ଶିଳ୍ପ ଅଛି, ଯୁକ୍ତରାଷ୍ଟ୍ରର ଅନ୍ୟ କୋଣସି ରାଜ୍ୟରେ ଏତେ ପ୍ରକାରର ଶିଳ୍ପ କାରଖାନା ନାହିଁ । ପେଟ୍ରୋଲିୟମ, ତୈଳ ଶୋଧନ କାରଖାନା, ରାସାୟନିକ ଦ୍ରବ୍ୟ କାରଖାନା (ମନ ସାଣ୍ଟେ, ଫସର, ମାର୍କ, ଡୁପଣ୍ଟ, ଆଦି ଏ ଦିଗରେ ଅଗ୍ରଗଣ୍ୟ), ଔଷଧ ତିଆରି କାରଖାନା (ସିବା, ଫାଇଜର, ବ୍ରିଷ୍ଟଲ ମାୟର୍ସ ଲେଡରଲି ଖାଦ୍ୟ ପଦାର୍ଥ ଓ ପାନୀୟ ତିଆରି କାରଖାନା) (ଜେନେରାଲ ଫୁଡସ୍, କୋକୋକୋଲା, ପେପସିକୋଲା, ରୟଲ କୋଲା, କେଲଗ, ନେସକାଫେ, ଓ ଅନ୍ୟାନ୍ୟ କଫି ତିଆରି କୋମ୍ପାନୀମାନଙ୍କର କାରଖାନା) ଆଦି ଏ ଦେଶରେ ଅଛି, ଯେ ସେଗୁଡ଼ିକର ଏକ ବିସ୍ତୃତ ତାଲିକା ଦେଲେ ବହିଟି ପୁରିଯିବ ।

 

ନିଉଜେରସିର ଯେଉଁ ସହରକୁ ଯିବ, ଛୋଟ ହେଉ ବା ବଡ଼ ହେଉ ଶହ ଶହ କାରଖାନା ଦେଖି ସ୍ତମ୍ଭୀଭୂତ ହୋଇ ପଡ଼ିବ । ଆମେ ଆମେରିକାର ଏତେ ରାଜ୍ୟ ଦେଖିଛୁଁ, ନିଉଜେରସି ରାଜ୍ୟ ଭଳି ଶିଳ୍ପ କାରଖାନା ପୂର୍ଣ୍ଣ ରାଜ୍ୟ ବିରଳ । ଏଡ଼େ ଛୋଟ ରାଜ୍ୟଟିରେ କେତେ ବଡ଼ ବଡ଼ କାରଖାନା ଯେ ରହିଛି, ଦେଖିଲେ ଯେ କେହି ଲୋକ ତାଟଙ୍ଗା ହୋଇଯିବ । ଏହି ରାଜ୍ୟର ଗୁରୁତ୍ଵ ଶିଳ୍ପ କାରଖାନା ଦୃଷ୍ଟିରୁ ବଢ଼ି ଯାଇଛି, କାରଣ ଏହା ଶିଳ୍ପ ନଗରୀ ନିଉୟର୍କ ନିକଟରେ ଅବସ୍ଥିତ ଥିବାରୁ, ବହୁ କୋମ୍ପାନୀ ଓ ଶିଳ୍ପପତିମାନଙ୍କର ହେଡ଼ ଅଫିସ ନିଉୟର୍କରେ ହୋଇଥିବାରୁ ସେମାନେ ନିଉୟର୍କର ନିକଟବର୍ତ୍ତୀ ସ୍ଥାନ ନିଉଜେରସିରେ କାରଖାନା ବସାଇଛନ୍ତି, ରପ୍ତାନୀ ଦୃଷ୍ଟିରୁ ସୁବିଧା ହେବ ବୋଲି ଓ କେନ୍ଦ୍ର ଅଫିସ ନିକଟରେ ଅବସ୍ଥିତ ଥିବାରୁ ଉତ୍ପାଦନ ଓ ବଣ୍ଟନ ଦୃଷ୍ଟିରୁ ଢେର ସୁବିଧା ହେବା ଆଶାରେ । ନିଉୟର୍କ ଓ ନିଉ ଜେରସିର ଅବସ୍ଥିତି ଯେଉମାନେ ଦେଖିଛନ୍ତି ସେମାନେ ମୁକ୍ତ କଣ୍ଠରେ ସ୍ଵୀକାର କରିବେ ଯେ ଏହି ରାଜ୍ୟଟି ଶିଳ୍ପ କାରଖାନା ପାଇଁ ପ୍ରକୃତ ସ୍ଥାନ । ଏହି ରାଜ୍ୟର ମାଇଲ ମାଇଲ ବ୍ୟାପୀ ସମୁଦ୍ର ଉପକୂଳ, ଛୋଟ ବଡ଼ ବହୁ ବନ୍ଦର ଏହି ଶିଳ୍ପ ଉନ୍ନତିରେ ଯଥେଷ୍ଟ ସାହାଯ୍ୟ କରୁଛି, ଏହା ଯେ କେହି ଲୋକ ସ୍ଵୀକାର କରିବ ।

 

ନିଉଜେରସି ଯେ ଖାଲି ଶିଳ୍ପ ପ୍ରାଧାନ୍ୟ ରାଜ୍ୟ ତା ନୁହେଁ, ଏହା ମଧ୍ୟ ଏକ ଉନ୍ନତ କୃଷି କ୍ଷେତ୍ର ପୂର୍ଣ୍ଣ ରାଜ୍ୟ । ନିଉଜେରସିର କୃଷି କ୍ଷେତ୍ରଗୁଡ଼ିକ ଦେଖିବାର ଜିନିଷ । ଯାନ୍ତ୍ରିକ ପଦ୍ଧତି ପ୍ରୟୋଗରେ ଏହା ବହୁତ ରାଜ୍ୟର କୃଷିକ୍ଷେତ୍ରକୁ ବଳି ଯାଇଛି । ଏହାର କୃଷି କ୍ଷେତ୍ର ଭିତରେ ପନିପରିବା ଚାଷ ଏକ ପ୍ରଧାନ ଅଂଶ । ବିରାଟ ନିଉୟର୍କ ନଗରୀକୁ ପନିପରିବା ଯୋଗାଇବା ନିଉଜେରସି କୃଷିକ୍ଷେତ୍ର ମାନଙ୍କର ପ୍ରଧାନ ବ୍ୟବସାୟ । ପନିପରିବା ଭିତରେ ବିଲାତିବାଇଗଣ, ବାଇଗଣ, ଚିନି, ଆଳୁ, ଆସପରାଗସ, ମକା, ଫୁଲକୋବି, ଲଙ୍କା ମରିଚ, ଲେଟ୍ୟୁସ, ପିଆଜ, ରସୁଣ, ଶିମ୍ବ, ପିନାକ୍‌ ଓ ନାନା ପ୍ରକାର ଶାକ-ସବଜି ପ୍ରଧାନ । ଏହି ସବୁ ଶାକସବଜିର ବିରାଟ ବିରାଟ କୃଷି କ୍ଷେତ୍ର ଦେଖିଲେ କୃଷି ପ୍ରଧାନ ଦେଶ ଲୋକର ଆଖି ଖୋସି ହୋଇ ଯିବ । ତା’ଛଡ଼ା କୁକୁଡ଼ା ଉତ୍ପାଦନ ପାଇଁ କୁକୁଡ଼ା ଚାଷ, ଦୁଧ ଓ ମାଂସ ଉତ୍ପାଦନ ପାଇଁ ଗୋପାଳନ ଏ ରାଜ୍ୟର ଆଉ ଏକ ବଡ଼ ବ୍ୟବସାୟ । ତା’ଛଡ଼ା ନାନା ପ୍ରକାର ଫୁଲମଞ୍ଜି ଉତ୍ପାଦନ ପାଇଁ ବଡ଼ ବଡ଼ ନର୍ସରୀମାନ ଏହି ରାଜ୍ୟରେ ରହିଛି । ପୃଥିବୀର ବୃହତ୍ତମ ଗୋଲାପ ଗଛ ନର୍ସରୀ, ଯେଉଁଠାରେ ଶହ ଶହ ଜାତିର ଗୋଲାପଗଛ ଚାରା ମିଳେ ଏହି ରାଜ୍ୟରେ ଅବସ୍ଥିତ । ମାଛ ଓ ଶାମୁକା ଧରିବାରେ ଏହି ରାଜ୍ୟ ମଧ୍ୟ ଖୁବ ବିଖ୍ୟାତ । ଶହ ଶହ କୃଷି କ୍ଷେତ୍ର ଓ ଉଦ୍ୟାନରେ ପୁରିଥିବାରୁ ଏହି ରାଜ୍ୟର ଅନ୍ୟ ନାମ ସମ୍ଭବତଃ Garden State ହୋଇଥିବା ସ୍ଵାଭାବିକ ।

 

ଏହି ରାଜ୍ୟର ବୃହତ୍ତମ ସହର ହେଲା ନିଉୟର୍କ । ଏହା ନିଉୟର୍କ ନଗରୀଠାରୁ ମୋଟେ ଆଠମାଇଲ ଦୂର । ଏହା ମଧ୍ୟ ଏକ ପ୍ରଧାନ ବନ୍ଦର । ପୃଥିବୀର ବିଭିନ୍ନ ବୃହତ୍ତମ ଶିଳ୍ପ କେନ୍ଦ୍ର ଭିତରୁ ଏହା ଗୋଟିଏ । ନିଉୟର୍କ ଭଳି ନିଉବ୍ରାନସ ଉଇକ୍ ଆଉ ଏକ ଶିଳ୍ପପ୍ରଧାନ ନଗର । ପୃଥିବୀବିଖ୍ୟାତ୍ ରୁଟ୍‌ଗରସ୍ ବିଶ୍ଵବିଦ୍ୟାଳୟ ଏହି ସହରରେ ଅବସ୍ଥିତ । ନିଉଜେରସି ରାଜ୍ୟର ରାଜଧାନୀ ହେଉଛି ଟ୍ରେନ୍‌ଟାନ୍, ଏହା ମଧ୍ୟ ଏକ ଶିଳ୍ପ ପ୍ରଧାନ ନଗର । ଏହି ରାଜ୍ୟର ଅନ୍ୟାନ୍ୟ ବଡ଼ ବଡ଼ ସହର ଭିତରେ ଜେରସି ସିଟି, ଆଟଲାଣ୍ଟିକ ସିଟି, ଏଲିଜାବେଥ୍ ଆଦି ପ୍ରସିଦ୍ଧ । ଏହି ରାଜ୍ୟର ସମୁଦ୍ରକୂଳ ବିଚ୍‍ଗୁଡ଼ିକ ଅତୀବ ମନୋରମ । ଗ୍ରୀଷ୍ମ ଦିନେ ଅସଂଖ୍ୟ ଲୋକ ଏହି ବିଚ୍ ଜୀବନ ଉପଭୋଗ ପାଇଁ ଆସନ୍ତି ।

 

ଏହି ରାଜ୍ୟର ୱେଷ୍ଟ ଅରେଞ୍ଜ ଅଞ୍ଚଳରେ ବିଶ୍ଵବିଖ୍ୟାତ୍ ବୈଜ୍ଞାନିକ ଥମାସ୍ ଆଲଭା ଏଡିସନ୍‌ଙ୍କ ବାସଭବନ, ଗବେଷଣାଗାର, ପୁସ୍ତକାଗାର ଏକ ଜାତୀୟ ଯାଦୁଘର ଭାବରେ ସଂରକ୍ଷିତ ହୋଇ ରହିଛି । ଏଠାକାର ଗବେଷଣାଗାରକୁ ଏଡିସନ୍ ୧୮୧୭ ମସିହାରେ ତିଆରି କରିଥିଲେ । ଏଠାରେ ଏଡିସନ୍‌ଙ୍କ ନିଜ ଉଦ୍ଭାବିତ ଟିଣପାତ ଫନୋଗ୍ରାଫ୍, ସର୍ବ ପ୍ରଥମ ଇଲେକଟ୍ରିକ ବଲ୍‌ବ, ଇଲେକଟ୍ରିକ ଜେନେରାଟର, ଓ ସର୍ବପ୍ରଥମ ଚଳଚିତ୍ର କେମେରା ଆଜି ପର୍ଯ୍ୟନ୍ତ ସାଇତା ହୋଇ ରହିଛି ସର୍ବସାଧାରଣଙ୍କ ଦର୍ଶନ ପାଇଁ । ପୃଥିବୀର ସର୍ବପ୍ରଥମ ଚଳଚିତ୍ର ଷ୍ଟୁଡିଓ ‘ବ୍ଲେକ୍‌ମେରିଆ’ ରେ ଅତି ପୂରାକାଳର ଚଳଚିତ୍ର ପ୍ରଦର୍ଶିତ ହୁଏ । ଏହି ଗବେଷଣାଗାରଠାରୁ ଅଧମାଇଲ ଦୂରରେ ଏଡିସନ୍‍ଙ୍କ ଘର ଗ୍ଲେନ୍ ମେଣ୍ଟ ଅବସ୍ଥିତ । ୧୮୮୬ ମସିହାରୁ ମୃତ୍ୟୁପର୍ଯ୍ୟନ୍ତ ଏଡ଼ିସନ୍ ଏହି ଘରେ ବାସ କରୁଥିଲେ । ଯେଉଁ କୋଠରୀରେ ବସି ଏଡିସନ୍ ତାଙ୍କ ଇତିହାସ ପ୍ରସିଦ୍ଧ ଉଦ୍ଭାବନଗୁଡ଼ିକର ଭାବନାର ରୂପରେଖ ଦେଇଥିଲେ, ସେହି ଘର ଏବେ ବି ସାରା ଜାତିର ନମସ୍ୟ ହୋଇ ରହିଛି ।

 

ମିସେସ୍ ଡୋନର ଆମ ସମସ୍ତଙ୍କୁ ନେଇ ନିକଟବର୍ତ୍ତୀ ବହୁ ସ୍ଥାନ ଘୂରାଇ ଆଣିଲେ । ସହର ପରେ ସହର ନିଉଜେରସି ରାଜ୍ୟଟା ଖାଲି ସହରରେ ଗଢ଼ାଭଳି ଜଣା ପଡ଼ୁଥାଏ । ଆମେ ନିଉଜେରସିର ଯେଉଁ ଅଞ୍ଚଳରେ ରହୁଥିଲୁଁ, ସେହି ଅଞ୍ଚଳ ଏକ ଉନ୍ନତ ଶିଳ୍ପ ଅଞ୍ଚଳ ବୋଲି ବିଖ୍ୟାତ-। ସ୍ଥାନେ ସ୍ଥାନେ ଗୋଟିଏ ସହରରୁ ଆଉ ଏକ ସହରକୁ ଗଲାବେଳେ ବାଟରେ କେତେ ସ୍ଥାନରେ ଡ୍ରାଇଭ-ଇନ୍-ସିନେମା ଘର ପଡ଼ୁଥାଏ ।

 

ଡ୍ରାଇଭ-ଇନ୍-ସିନେମା ଆମେରିକାନ୍ ସଭ୍ୟତାର ଏକ ଅଭିନବ ସୃଷ୍ଟି । ପୃଥିବୀର ଅନ୍ୟ କୌଣସି ଦେଶରେ ଏହିଭଳି ସିନେମାର ସୃଷ୍ଟି ହୋଇଛି କି ନାହିଁ ସନ୍ଦେହ । ତେବେ ଏହାର ପ୍ରସାର ଆମେରିକାରେ ଯେମିତି ହୋଇଛି, ପୃଥିବୀର ଆଉ କୌଣସି ସ୍ଥାନରେ ସେମିତି ହୋଇ ନଥିବା ବିଶ୍ଵାସ । ଡ୍ରାଇଭ-ଇନ୍-ସିନେମା ଉପରକୁ ଯେତେ ନିରୀହ ଶୁଣା ଯାଉଥିଲେହେଁ ପ୍ରକୃତରେ ତାହା ସେତେ ନିରୀହ ନୁହେଁ । ଡ୍ରାଇଭ-ଇନ୍-ସିନେମା ନେଇ ଯୁକ୍ତରାଷ୍ଟ୍ରରେ ଯେତେ କଥା ଶୁଣାଯାଏ, ତା ଶୁଣିଲେ ଆମ ଦେଶର ଯେ କେହି ଲୋକ କାନରେ ହାତ ଦେବେ । ମୋଟାମୋଟି ଭାବରେ କହିବାକୁ ଗଲେ ଡ୍ରାଇଭ୍-ଇନ୍-ସିନେମା ହେଉଛି ଗୋଟିଏ ବିରାଟ ପଡ଼ିଆ । ପଡ଼ିଆର ଗୋଟିଏ ମୁଣ୍ଡରେ ବିରାଟ ଚଳଚିତ୍ର ପରଦା ଏକ କାଠ ପେଣ୍ଡାଲ ଉପରେ ଝୁଲା ହୋଇଥାଏ । ପଡ଼ିଆର ସ୍ଥାନେ ସ୍ଥାନେ ସଜ୍ଜିତ ହୋଇ ଧାଡ଼ି ଧାଡ଼ି ଆକାରରେ ଗୋଟିଏ ଗୋଟିଏ ଲୁହାଖୁଣ୍ଟ ପୋତା ହୋଇ ତା ଉପରେ ଗୋଟିଏ ଗୋଟିଏ ଛୋଟ ଛୋଟ ଲାଉଡ୍‌ସ୍ପିକର ରଖାହୋଇଥାଏ । ଏହି ହେଲା ଡ୍ରାଇଭ-ଇନ୍-ସିନେମାର ସିନେମାଘର । ଘର ଫର କିଛି ନାହିଁ, ଖାଲି ଗୋଟିଏ ପ୍ରାନ୍ତର ହେଉଛି ସିନେମା ଦେଖା ଯାଗା । ଏଠାକାର ସୁବିଧା ହେଉଛି ଯେ ଯେଉଁମାନେ ସିନେମା ଦେଖିଯିବେ ସେମାନେ ସିଧା ସଳଖ ସେମାନଙ୍କ ମଟରଗାଡ଼ି ଏହି ପଡ଼ିଆକୁ ନେଇଯିବେ ଓ ଗୋଟିଏ ଲାଉଡ୍ ସ୍ପିକରଠାରେ ମଟରକୁ ଠିଆ କରିବେ, ପରଦାଆଡ଼କୁ ମୁଁହ କରି । କିଛିସମୟ ପରେ ସିନେମା ଆରମ୍ଭ ହେଲେ, ସେମାନେ ଲାଉଡ୍‌ସ୍ପିକରକୁ ନିଜ ନିଜ କାର ଭିତରକୁ ଆଣି ସିନେମା ଦେଖିବେ ଓ ଉପଭୋଗ କରିବେ । ଏହି ଚଳଚିତ୍ର ପରଦାଗୁଡ଼ିକ ଏଡ଼େ ବିରାଟ ହୋଇଥାଏ ଯେ ସାରା ପଡ଼ିଆକୁ ଏହା ପରିଷ୍କାର ଦିଶେ ଓ ଲାଉଡ୍‌ସ୍ପିକରରେ ଶବ୍ଦ ବେଶ୍ ପରିଷ୍କାର ଶୁଭୁଥିବାରୁ ଏଡ଼େ ବଡ଼ ପଡ଼ିଆ ଭିତରେ ଚଳଚିତ୍ର ଉପଭୋଗରେ କିଛି ବ୍ୟାଘାତ ଘଟେନି ।

 

ଡ୍ରାଇଭ-ଇନ୍ ଶବ୍ଦର ଅର୍ଥ ହେଉଛି ଯେଉଁଠାକୁ କାର ସହିତ ଯାଇହେବ ଓ କାର୍ଯ୍ୟ ଶେଷକରି ଚାଲି ଆସିହେବ । ଡ୍ରାଇଭ-ଇନ-ସିନେମା ଭଳି ଆମେରିକାରେ ଡ୍ରାଇଭ-ଇନ୍-ବ୍ୟାଙ୍କ, ଡ୍ରାଇଭ-ଇନ୍-କେଫିଟେରିଆ ଆଦି ହେଲାଣି । ଆମେରିକା ଲୋକଙ୍କ ସହିତ ମଟରଗାଡ଼ି ଏମିତି ଭାବରେ ସଂଶିଷ୍ଟ ଯେ ସେମାନେ ଯୁଆଡ଼କୁ ଯିବେ ବିନା ମଟରଗାଡ଼ିରେ ଯିବେନି, ଦୂରକୁ ହେଉ ବା ପାଖକୁ ହେଉ । ବେଙ୍କ କିମ୍ବା କେଫିଟେରିଆକୁ ଗଲେ ବେଳେ ବେଳେ ସେମାନେ ମୋଟରଗାଡ଼ି ରଖିବାକୁ ଜାଗା ପାଆନ୍ତିନି ବୋଲି ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତାଛଡ଼ା ପୁଣି ମୋଟରଗାଡ଼ିରୁ ଓହ୍ଲାଇବା ଓ ପୁଣି ମୋଟରଗାଡ଼ିରେ ଚଢ଼ିବା କଷ୍ଟତ ଅଛି । ଏସବୁ ଅସୁବିଧାକୁ ପୂରାପୂରି ଏଡ଼ି ହେବ, ଯଦି ଡ୍ରାଇଭ-ଇନ୍-ବେଙ୍କ କି କେଫିଟେରିଆ ଆଦି ଥାଏ । ଏଥିରେ ସୁବିଧା ହେଉଛି ସିଧାସଳଖ କାରକୁ ନେଇ କାଉଣ୍ଟରକୁ ଚାଲିଗଲ, କାରରୁ ଥାଇ ଟଙ୍କା ଦେଣ ନେଣ କରି ଚାଲିଆସିଲ କି କାରରୁ ଥାଇ ଜଳଖିଆ କାଉଣ୍ଟରରୁ ନେଇ ନିଜ କାରରେ ଖାଇଦେଇ କାମ ଶେଷ କରି ଚାଲି ଆସିଲ । ଏହା ମାର୍କିନ ଜୀବନଯାତ୍ରା ପାଇଁ ବେଶ୍ ସହାୟକ । ଦିନକୁ ଦିନ ଏହିଭଳି ଡ୍ରାଇଭ-ଇନ୍-ସଂସ୍ଥା ବେଶ୍ ଲୋକପ୍ରିୟ ହେଉଛି । ଡ୍ରାଇଭ-ଇନ୍-ସିନେମାର ଲୋକପ୍ରିୟତା ଠିକ୍ ସେଥିପାଇଁ ନ ହେଲେ ହେ ଏହି ସୁବିଧା ଯେ ଏହାର ଲୋକପ୍ରିୟତା ମୂଳରେ କିଞ୍ଚିତ୍ ପରିମାଣରେ ଅଛି ଏହା କେହି ଅସ୍ଵୀକାର କରିବେନି । ଡ୍ରାଇଭ-ଇନ୍-ସିନେମାରେ ଚଳଚିତ୍ର ଦେଖିବା ଭାରି ସୁବିଧାଜନକ । ହାରାହାରି ଥରକେ ତିନି ତିନିଟା ଚଳଚିତ୍ର ଗୋଟିକ ପରେ ଗୋଟିଏ ଦେଖାଯାଏ । ଆମେରିକାର ସାଧାରଣ ସିନେମା ହାଉସରେ ଦୁଇ ଦୁଇଟା ଲେଖାଏଁ ସାଧାରଣ ଆକାରର ଫିଲ୍ମ ଦେଖା ହେଉଥିବା ସ୍ଥଳେ ଡ୍ରାଇଭ-ଇନ୍-ସିନେମାରେ ତିନିଟାରୁ କମ ଫିଲ୍ମ ଦେଖାଯାଏନି । ଡ୍ରାଇଭ-ଇନ୍-ସିନେମା ପଡ଼ିଆରେ ହେଉଥିବାରୁ ଏଗୁଡ଼ିକ ସାଧାରଣତଃ ସନ୍ଧ୍ୟା ପରେ ଅନ୍ଧାର ହୋଇଗଲେ ହୁଏ । ଦିନରେ ସୂର୍ଯ୍ୟାଲୋକ ଯୋଗୁଁ ଚଳଚିତ୍ର ଦେଖାଇବା ଅସମ୍ଭବ ।

 

ବଡ଼ ବିଚିତ୍ର ଏହି ସବୁ ସିନେମାକୁ ବୟସ୍କ ଲୋକ ଖୁବ୍ କମ୍ ଯିବାର ଦେଖାଯାଏ । ଯେଉଁମାନେ ଯାଆନ୍ତି, ସେମାନଙ୍କ ମଧ୍ୟରୁ ଯୁବକ, ଯୁବତୀ, ନବବିବାହିତା ଦମ୍ପତି, ବିଭା ହେବାକୁ ଯାଉଥିବା ତରୁଣ ତରୁଣୀ, ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡଙ୍କ ସଂଖ୍ୟା ବେଶୀ । ପିଲାଛୁଆ ପରିବାର ନେଇ ପ୍ରାୟ ସାଧାରଣ ଲୋକେ ଯାଆନ୍ତି ନାହିଁ । ତା ଛଡ଼ା ପ୍ରାୟ ଏକାକୀ କେହି ଯିବାର ଦେଖା ଯାଏନି । ଏ ସିନେମା ଦେଖିଗଲେ ଆହୁରି ଅସୁବିଧା ଯେ ଏଗୁଡ଼ିକ ଶୀତଦିନ ଛଡ଼ା ଅନ୍ୟଦିନ ସନ୍ଧ୍ୟାମାନଙ୍କରେ ହୁଏ । ଶୀତ ଦିନେ ବରଫ ପଡ଼ୁଥିବାରୁ ଏ ସିନେମା ହୁଏନି । ଶୀତଦିନ ଛଡ଼ା ଅନ୍ୟ ଦିନେ ସନ୍ଧ୍ୟା ହେଉ ହେଉ ସାତଟା ଆଠଟା ଠାରୁ ନଅଟା ଦଶଟା ବାଜିଯାଏ । ତେଣୁ ଡ୍ରାଇଭ-ଇନ୍-ସିନେମା ସରୁ ସରୁ ରାତି ବାରଟା ଗୋଟାଏ ବାଜି ଯାଉଥିବାରୁ ବହୁଲୋକେ ଏଭଳି ସିନେମାକୁ ଯାଆନ୍ତିନି ।

 

ଡ୍ରାଇଭ-ଇନ୍-ସିନେମା ପାଖଦେଇ ଗଲାବେଳେ ସ୍ତ୍ରୀ ଓ ପିଲାମାନେ ମିସେସ୍ ଡୋନରଙ୍କ ପରିବାରର ପିଲାମାନଙ୍କ ସହିତ ଏ ସିନେମା ଦେଖିବା ସମ୍ପର୍କରେ କଥାବାର୍ତ୍ତା କରୁଥାଆନ୍ତି । ସେମାନଙ୍କ କଥାବାର୍ତ୍ତା ଶୁଣି ମିସେସ୍ ଡୋନର ମୁରୁକି ମୁରୁକି ହସୁଥାଆନ୍ତି । ଡ୍ରାଇଭ-ଇନ୍-ସିନେମାକୁ ସେମାନଙ୍କ ପିଲାମାନେ ଯାଆନ୍ତି ନାହିଁ ଶୁଣି ଆମ ପିଲାମାନେ ଅଶ୍ଵସ୍ତ ହେଉଥାଆନ୍ତି । ସେମାନେ ଡ୍ରାଇଭ-ଇନ୍-ସିନେମାକୁ ମୋଟେ ପସନ୍ଦ କରନ୍ତିନି । ଏହି ସିନେମା ସମ୍ପର୍କରେ କାର ଭିତରେ ପିଲାମାନେ କଥାବାର୍ତ୍ତା ହେଉଥିଲାବେଳେ ମିସେସ୍ ଡୋନର ମୋତେ ପଚାରିଲେ “ଆପଣ କେବେ ଡ୍ରାଇଭ-ଇନ୍-ସିନେମାକୁ ଯାଇଛନ୍ତି ?”

 

ଉତ୍ତର ଦେଲି, “ହଁ, ମୁଁ ଯାଇଛି ।”

 

“ପିଲାମାନଙ୍କୁ ନେଇ ନାହାନ୍ତି ବୋଧେ ?”

 

“ନା ।”

 

“ଭଲ କରିଛନ୍ତି । ଡ୍ରାଇଭ-ଇନ୍-ସିନେମା ପିଲାଛୁଆ ପରିବାର ନେଇ ଯିବା ଜାଗା ନୁହେଁ । ଏକେତ ଫେରୁ ଫେରୁ ଢେର ଡେରି ହୋଇ ଯାଏ, ତା ଛଡ଼ା ସେଠି— ।” ଆଉ କହି ପାରିଲେନି ମିସେସ୍ ଡୋନର । କିନ୍ତୁ ସେ କଅଣ କହିବାକୁ ଚାହୁଁଥିଲେ ମୋ’ଠାରେ ଆଉ ଅଜଣା ରହିଲା ନାହିଁ ।

 

ଡ୍ରାଇଭ-ଇନ୍-ସିନେମା ଜନୈକ ମାର୍କିନ ପରିବାର ସହିତ ଦେଖିବାକୁ ଯାଇ ଯେଉଁ ଅପଦସ୍ତ ହୋଇଥିଲି, ମନେ ପକାଇ ସେହି ସିନେମା ପ୍ରତି ଶତ ଜୁହାର ଜଣାଇଲି । ଡ୍ରାଇଭ-ଇନ୍-ସିନେମାକୁ ସାଧାରଣତଃ ନବ ବିବାହିତା ଦମ୍ପତ୍ତି, ବିଭା ହେବାକୁ ଯାଉଥିବା ଯୁବକ, ଯୁବତୀ ଓ ବୟଫ୍ରେଣ୍ଡ ଗାର୍ଲ ଫ୍ରେଣ୍ଡମାନେ ଯାନ୍ତି । ପ୍ରତ୍ୟେକ ଦଳ ଦଳ ହୋଇ ଯେଝା ଯେଝା ମଟରରେ ବସି ସିନେମା ଦେଖୁଥାଆନ୍ତି । ନିଜ ନିଜ ମଟରଗାଡ଼ି ଭିତରକୁ ଲାଉଡସ୍ପିକର ଘେନି ଆସି ଥାଆନ୍ତି । ଚଳଚିତ୍ରର ଅଭିନୟ ସଙ୍ଗେ ସଙ୍ଗେ ସେମାନେ ମଟରଗାଡ଼ି ଭିତରେ ଯେଉଁ ବାସ୍ତବ ଅଭିନୟ ଆରମ୍ଭ କରନ୍ତି, ତାହା ଏତେ ବିଭତ୍ସ ଓ ଦୃଷ୍ଟିକଟୁ ହୁଏ ଯେ ଆତ୍ମସମ୍ମାନ ଥିବା ଯେ କେହି ଲୋକ ସେଠାକୁ ଆଉ କେବେ ଯିବାକୁ ମନ କରିବନି । ତୁମ ଚାରିପାଖରେ ଥିବା ଯେଉଁ ମଟରଗାଡ଼ିକୁ ଅନାଇବ ସବୁଆଡ଼େ ସେଇ କାରବାର । ଲାଜରେ ସେ ଆଡ଼କୁ ଅନାଇ ପାରିବନି । ଡ୍ରାଇଭ-ଇନ୍-ସିନେମା ସମ୍ପର୍କରେ ଜନୈକ ଭାରତୀୟ ଯୁବକଙ୍କ ଅନୁଭୂତି ଶୁଣିଲେ ଡ୍ରାଇଭ-ଇନ୍-ସିନେମା କ’ଣ ବେଶ ପରିଷ୍କାର ଧାରଣା ହୋଇଯିବ ।

 

ଥରେ ଜନୈକ ଭାରତୀୟ ଯୁବକ ଆମେରିକା ଭ୍ରମଣରେ ଏକାକୀ ଆସିଥିଲେ । ଡ୍ରାଇଭ-ଇନ-ସିନେମା ନ ଦେଖିଲେ ନ ହୁଏ । ଅନୁଭୂତିଟା ବାଦ୍ ପଡ଼ିଯିବ । ଡ୍ରାଇଭ-ଇନ-ସିନେମା ଦେଖିବା ପାଇଁ ଦିନେ ସନ୍ଧ୍ୟାବେଳେ କାର ନେଇ ଯାଇ ସିନେମା ଗେଟ ପାଖରେ ହାଜର-। ସେଦିନ ଭାରି କୁହୁଡ଼ି ହୋଇଥାଏ । ଏମିତିକି ସାମନା ଦୁଇ ତିନୋଟି ଲାଇନରୁ ଅଧିକ ଦୂରକୁ ଏହି କୁହୁଡ଼ି ଯୋଗୁଁ କିଛି ଦିଶୁ ନଥାଏ । ଭଦ୍ରଲୋକ ଯାଇ ପହଞ୍ଚିଲା ବେଳକୁ ସବୁ ଧାଡ଼ିଗୁଡ଼ିକ ପୁରିଗଲାଣି । ଆଉ ଦୁଇ ତିନୋଟି ସିଟ ବାକି ଅଛି ସବା ଶେଷ ଧାଡ଼ିରେ । ଭଦ୍ରଲୋକକୁ ଏକାକୀ ଦେଖି ଟିକେଟ ବିକ୍ରେତା ପଚାରିଲେ—“ଆପଣ କ’ଣ ଏକା ଯିବେ ?” ଭଦ୍ରଲୋକ ଉତ୍ତର ଦେଲେ-‘‘ହଁ ।’’

 

ସେ ପୁଣି ପଚାରିଲେ—“କୁହୁଡ଼ି ଯୋଗୁଁ ତ ଆପଣ କିଛି ଦେଖି ପାରିବେନି । ତା ଛଡ଼ା ଆପଣଙ୍କ ସାଥିରେ ତ କେହି ସ୍ତ୍ରୀ ବନ୍ଧୁ ନାହାନ୍ତି । ଏ ତିନିଘଣ୍ଟା କାଳ ଆପଣ କଟାଇବେ କେମିତି ? ତେଣୁ ମୁଁ ଆପଣଙ୍କୁ ଟିକେଟ ଦେବାକୁ ଭଲ ମଣୁନି ? ଆପଣ ଫେରି ଯାଆନ୍ତୁ ।”

 

ଭଦ୍ରଲୋକ ଜଣକ ଫେରିବାକୁ ଅନିଚ୍ଛୁକ । ସେ ଏତେ କଷ୍ଟ କରି ଆସିଛନ୍ତି କଅଣ ଫେରିଯିବେ ? ସେ ଦେଖିବା ପାଇଁ ଜିଦ୍‌ଧରି ବସିଲେ । ଟିକେଟ ବିକ୍ରେତା ବାଧ୍ୟହୋଇ ଟିକେଟ ଦେଲେ, କହିଲେ—“ମୁଁ ଜାଣେ ଆପଣ ନିଶ୍ଚୟ ଫେରି ଆସିବେ । ଦେଖି ପାରିବେନି । ଯାଅନ୍ତୁ ଫେରି ଆସିଲେ ଏଠାରେ ଟିକଟ ଫେରସ୍ତ ଦେଇ ପଇସା ନେଇଯିବେ ।

 

ଭଦ୍ରଲୋକ ଜଣକ ଗାଡ଼ି ନେଇ ଭିତରକୁ ଗଲେ । ପ୍ରଥମ ଦୁଇ ତିନୋଟି ଲାଇନ୍ ଛଡ଼ା ଅଧିକ ଦୂରକୁ କିଛି ଦିଶୁନି । ସେ ଯାଇ ସବା ପଛ ଲାଇନରେ ଥିବା ତାଙ୍କ ସିଟରେ ଗାଡ଼ି ଥୋଇ ସିନେମା ପରଦା ଆଡ଼କୁ ଅନାଇଲେ । ଘନ କୁହୁଡ଼ି ଯୋଗୁ କିଛି ଦିଶୁନି । କିନ୍ତୁ ତଥାପି ବି ପଡ଼ିଆଟାସାରା ଦର୍ଶକ ତଥା ସେମାନଙ୍କ କାରରେ ଭରପୁର । ସେ ହଠାତ୍ ଠିକ୍ କରି ପାରିଲେନି ଏତେ ଲୋକ ତାହା ହେଲେ କା’କୁ ଦେଖୁଛନ୍ତି । କ’ଣ ପାଇଁ ଏଠି ରୁଣ୍ଡ ହୋଇଛନ୍ତି । ଚାରି ପାଖକୁ ଅନାଇ ସେ ଅନ୍ଧକାର ଭିତରେ ଯା’ ସବୁ ଦେଖିଲେ ସେଥିରେ ସେ ସ୍ଥାନ ତ୍ୟାଗ କରିବାକୁ ବାଧ୍ୟ ହେଲେ । ଗେଟ୍ ପାଖରେ ଟିକେଟ୍ ବିକ୍ରେତା ସେହି ପରି ବସିଥାନ୍ତି । ସେ ଆସି ଟିକେଟ୍ ଫେରାଇ ଦେଇ ପଇସା ନେଉଁ ନେଉଁ ଟିକେଟ୍ ବିକ୍ରେତା କହିଲେ “ଆପଣଙ୍କୁ ଏକାକୀ ଦେଖି ମୁଁ କଅଣ କହିଥିଲି ?”

 

ଭଦ୍ରଲୋକ ଜଣକ ହସି ହସି ଉତ୍ତର ଦେଲେ “କ୍ଷମା କରିବେ ଜାଣି ନଥିଲି, ଏଟା ସିନେମା ନୁହେଁ, ଡେଟିଙ୍ଗ କରିବା ଯାଗା, ହେଉ ଧନ୍ୟବାଦ ।”

 

ସେ ବିଦାୟ ନେଇ ଆସିଲାବେଳେ, ଆଉ ଦୁଇଜଣ ଯୁବକ ଯୁବତୀ ହାତ ଛନ୍ଦା ଛନ୍ଦି ହୋଇ ଟିକଟ୍ ଘର ସମୁଖରେ ପହଞ୍ଚିଲେ । ସେ ଯେଉଁ ଟିକେଟ୍ ଫେରାଇ ଦେଇଥିଲେ, ସେହି ଟିକେଟ୍ ଦୁଇଟିକୁ ନେଇ ସେମାନେ କାରରେ ଭିତରକୁ ଚାଲିଗଲେ । ଭଦ୍ରଲୋକ ଜଣକ ବିସ୍ମୟ ବିସ୍ଫୋରିତ ନେତ୍ରରେ ସେମାନଙ୍କ କାରକୁ ଅନାଇ ଘଡ଼ିଏ କାଳ ଠିଆ ହୋଇ ରହିଲେ । ଭାବିଲେ ଧନ୍ୟ ଏ ଦେଶ ! ଧନ୍ୟ ଏ ଦେଶର ସମାଜ !

 

ଡ୍ରାଇଭ-ଇନ୍-ସିନେମାର ଏହି ସବୁ କାରବାର ଶୁଣି ମୁଁ କେବେ ସ୍ତ୍ରୀ ପିଲାଙ୍କୁ ନେଇ ସେଠାକୁ ଯିବା ପସନ୍ଦ କରିନି । ଥରେ ଯାଇ ନିଜେ ତ ଲଜ୍ଜିତ ହୋଇଛି, ଅନ୍ୟମାନଙ୍କୁ ନେଇ ଲଜ୍ଜା ଦେବା ଦରକାର କଅଣ ?

 

ଚାହୁଁ ଚାହୁଁ ଆମେ ଆମେରିକା ଛାଡ଼ିବା ବେଳ ପାଖେଇ ଆସିଲା । ଆମେରିକା ଛାଡ଼ିବା କଥା । ଦୁଇ ବର୍ଷରୁ ଉର୍ଦ୍ଧ୍ଵକାଳ, ଆମର ଆମେରିକା ସହିତ ଯେଉଁ ସମ୍ପର୍କ, ସେ ସବୁ ସମ୍ପର୍କକୁ ଛିଡ଼ାଇ ଦେଇ ସବୁଦିନ ପାଇଁ ବିଦାୟ ନେବାକୁ ପଡ଼ିବ ଏ କୁବେର ଦେଶରୁ । ୱାଲଥାମରୁ ଆମର ସମ୍ପର୍କ ଛିଡ଼ାଇ ବିଦାୟ ନେଇ ଆସିଛୁ । ଏଥର ନିଉଜେରସିରୁ ସମସ୍ତ ସମ୍ପର୍କ ଛିଡାଇ ବିଦାୟ ନେବାକୁ ପଡ଼ିବ । ନିଉଜେରସି ଛାଡ଼ିବା ଯେତେ ପାଖେଇ ଆସୁଥାଏ, ଏହି ବିଦାୟ କାଳୀନ ଦୁଃଖ କଥା ଭାବି ଭାବି ଆମେ ସେତିକି ମ୍ରିୟମାଣ ହୋଇପଡ଼ି ଥାଉ । ମିସେସ୍ ଡୋନର ଆମ ପାଇଁ ନାନା ପ୍ରକାର ଖାଦ୍ୟ ମଧ୍ୟାହ୍ନ ଭୋଜନ ପାଇଁ କରି ଥାଆନ୍ତି । ଅଟାକୁ ପାଣିରେ ଗୋଳାଇ ସେ ଏକପ୍ରକାର ଚକୁଳିପିଠା କରିଥାଆନ୍ତି । ଯାହାକୁ ସେ କହୁ ଥାଆନ୍ତି ୱାଫଲ୍, ବଡ଼ ସୁନ୍ଦର ଲାଗୁଥାଏ ଆମକୁ । ଏଥିପାଇଁ ଏକ ପ୍ରକାର ତାୱା ଅଛି । ଏହି ତାୱାକୁ ନିଆଁରେ ବସାଇ ଏଥିରେ ଅଟା ଆଣକୁ ରଖି ଉପର ଢାଙ୍କୁଣୀ ଦ୍ଵାରା ଢାଙ୍କି ଦେଲେ ଏହା ଚତରି ଯାଇ ଖୋପଖୋପ ହୋଇ ଯାଏ । ସିଦ୍ଧ ହୋଇଗଲେ ତାୱାରୁ ବାହାର କରି ଖିଆଯାଏ । ଆମେ ସମସ୍ତେ ଡିନର ଟେବୁଲ ଉପରେ ବସିଥାଉଁ, ସେ ଗୋଟିଏ ଗୋଟିଏ ତିଆରି କରି ଆମକୁ ପରଶୁ ଥାଆନ୍ତି । ବଡ଼ ଭଲ ଲାଗୁଥାଏ ଖାଇବାକୁ । ଗହମ ଚକୁଳି ବହୁତ ଦିନ ହେଲା ଖାଇ ନଥିଲୁ । ତେଣୁ ପାଟିକୁ ଭାରି ସୁଆଦ ଲାଗୁଥାଏ । ଯାଆ ବା କିଛି ସୁଆଦ ଲାଗନ୍ତା, ସେଥିରେ ମିସେସ୍ ଡୋନରଙ୍କ ସ୍ନେହ, ସୋହାଗ ସବୁ କିଛି ମିଶି ଥିବାରୁ ଏହାର ସ୍ଵାଦ କହିଲେ ନ ସରେ । ମିଷ୍ଟର ଡୋନର ସେଦିନ ଅଫିସ ଯିବା ଡେରି କରି ଦେଇ ଥାନ୍ତି ଆମ ପାଇଁ । ଦିନ ଦୁଇଟାବେଳେ ଅଫିସକୁ ଯିବେ ବୋଲି ଅଫିସ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇ ଥାଆନ୍ତି । ତାଙ୍କ ଘରେ ଆମର ଶେଷ ମଧ୍ୟାହ୍ନ ଭୋଜନ ବୋଲି ସମସ୍ତେ ଏକ ସାଙ୍ଗରେ ବସି ଖାଇବା ପାଇଁ ସେ ଏହି ବନ୍ଦୋବସ୍ତ କରି ଥାଆନ୍ତି । ଅପରାହ୍ନ ଚାରିଟାବେଳେ ଆମେ ମିସେସ୍ ଡୋନରଙ୍କ ଘର ଛାଡ଼ିବା କଥା । ତେଣୁ ମଧ୍ୟାହ୍ନ ଭୋଜନ କରି ସାରି ଆମେ ଆମ ଜିନିଷପତ୍ର ଗୋଟା ଗୋଟି କରି ସୁଟକେଶ୍ ଆଦି ସଜାଡ଼ିବାରେ ଲାଗିଗଲୁ । ମିଷ୍ଟର ଡୋନର ଠିକ୍ ଦୁଇଟା ବେଳେ ଆମ ଠାରୁ ବିଦାୟ ନେଇ ତାଙ୍କ ଅଫିସକୁ ଚାଲିଗଲେ । ମିସେସ ଡୋନର ତାଙ୍କ କାରରେ ଆମକୁ ନିଉୟର୍କ ଆନ୍ତର୍ଜାତିକ ଏୟାର ପୋର୍ଟକୁ ନେଇ ଆମକୁ ବିଦାୟ ଦେବା ଠିକ୍ ହୋଇଥାଏ ।

 

ଆମେ ଜିନିଷପତ୍ର ସଜାଡୁ ଥିଲାବେଳେ ମିସେସ୍ ଡୋନର ଆମକୁ ପୂର୍ବଦିନର ଦୁଇଟି ‘ଡେଲି ହୋମ ନିଉଜ’ ଖବର କାଗଜ ଆଣି ଦେଲେ । ଏହି ଖବର କାଗଜଟି ନିଉ ବ୍ରାନ୍‌ସଉଇକ୍‌ର ଏକ ପ୍ରଧାନ ଖବର କାଗଜ । ସେଥିରେ ଆମ ପରିବାରର ଓ ଡେନର ପରିବାରର ଏକ ମିଳିତ ଫଟୋ ପ୍ରକାଶ ପାଇଥାଏ । ସେଥି ସହ ଆମର ପରିଚୟ ଆମର ଆମେରିକା ଆସିବା କଥା, ଆମେରିକାରେ ରହଣୀ ଓ ଆମେରିକାରୁ ବିଦାୟ ନେବା କଥା ସବୁ ବର୍ଣ୍ଣନା କରା ଯାଇଥାଏ । ପୂର୍ବଥର ଆମେ ଯେତେବେଳେ ମିସେସ୍ ଡେନରଙ୍କ ଘରକୁ ଆସିଥିଲୁଁ, ସେଥିରେ ଆଉ ଦୁଇଟି ଖବର କାଗଜରେ ଆମ ଆସିବା ଖବର ବାହାରି ଥିଲା । କିନ୍ତୁ ଏଥର ଖବର ଆହୁରି ବିଶଦ ଓ ସେଥି ଆମକୁ ଫଟୋ ଆହୁରି ଚିତ୍ତାକର୍ଷକ ହୋଇଥାଏ । ମିସେସ ଡୋନର ଆମକୁ ସେହି କାଗଜର ଦୁଇଟି କପି ଦେଲେ ଭାରତ ନେବା ପାଇଁ ଓ ସେ ନିଜେ ତିନୋଟି କପି ରଖିଲେ ତାଙ୍କ ବନ୍ଧୁ ବାନ୍ଧବ ସାଙ୍ଗ ସାଥି ମାନଙ୍କୁ ଦେଖାଇବା ପାଇଁ ।

 

ନିଉୟର୍କ ନଗରୀରେ ଦୁଇଟି ଉଡ଼ାଜାହାଜ ଘାଟି । ଦୁଇଟି ଯାକ ନିଉୟର୍କ ନଗରୀର କୁଇନ୍‌ସ ଅଞ୍ଚଳରେ । ସେଥିରୁ ଗୋଟିଏ ହେଉଛି ଲାଗୁଆଡ଼ିଆ ଏୟାର ପୋର୍ଟ ଓ ଅନ୍ୟଟି ଆଇଡିଲ୍ ୱାଇଲଡ୍‌ସ୍ଥ ନିଉୟର୍କ ଇଣ୍ଟରନେସନ୍ୟାଲ ଏୟାରପୋର୍ଟ । ପ୍ରେସିଡେଣ୍ଟ କେନେଡିଙ୍କ ମୃତ୍ୟୁ ପରେ ଏହି ଉଡ଼ାଜାହାଜ ଘାଟିର ନାମ କେନେଡି ଅନ୍ତର୍ଜାତିକ ଉଡ଼ାଜାହାଜ ଘାଟି ହୋଇଛି । ଆମେ ଯେତେବେଳେ ଏହି ଉଡ଼ାଜାହାଜ ଘାଟି ଛାଡ଼ିଲୁ ସେତେବେଳକୁ ପ୍ରେସିଡେଣ୍ଟ କେନେଡି ଜୀବିତଥିବାରୁ ଏହାର ନାମ ନିଉୟର୍କ ଇଣ୍ଟର ନେସନ୍ୟାଲ ଏୟାରପୋର୍ଟ ଥିଲା । କେନେଡିଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ନାମାନୁସାରେ ଯେତେ ଯାହା ନାମକରଣ ହୋଇଛି, ସେଥି ଭିତରୁ ଦୁଇଟି ପୃଥିବୀ ପ୍ରସିଦ୍ଧ । ଗୋଟିଏ ହେଉଛି ଉଡ଼ାଜାହାଜ ଘାଟି, ଅନ୍ୟଟି ଆମେରିକାର ରକେଟ ପ୍ରେରଣ କେନ୍ଦ୍ର କେପକେନାଭେରାଲର ନାମାନ୍ତର । ଏହି କେନ୍ଦ୍ରର ନାମ ବର୍ତ୍ତମାନ ହୋଇଛି କେପ୍ କେନେଡି । ଆମେରିକାର ଲୋକପ୍ରିୟ ପ୍ରେସିଡେଣ୍ଟଙ୍କ ପ୍ରତି ଆମେରିକା ବାସୀଙ୍କ ଏହି ସମ୍ମାନ ତାଙ୍କ ବିରାଟ ଲୋକ ପ୍ରିୟତାର କମ ପରିଚୟ ଦେଉନି । ନିଉୟର୍କ ନଗରୀର ଏ ଦୁଇଟି ଉଡ଼ାଜାହାଜ ଘାଟି ଭିତରୁ ଲାଗୁଆଡ଼ିଆ ଉଡ଼ାଜାହାଜ ଘାଟି ଅପେକ୍ଷାକୃତ ଛୋଟ । ଏହା କୁଇନ୍‌ସର ଉତ୍ତର ଅଞ୍ଚଳରେ ଗ୍ରେଣ୍ଡ ସେଣ୍ଟ୍ରାଲ ପାର୍କୱେ ନିକଟରେ ଅବସ୍ଥିତ । ପ୍ରାୟ ୫୫୦ ଏକର ପରିମିତ ସ୍ଥାନ ଉପରେ ଏହି ଘାଟିଟି ପ୍ରତିଷ୍ଠା କରା ଯାଇଛି । ଆମେରିକାର ଆଭ୍ୟନ୍ତରୀଣ ସହରମାନଙ୍କ ଭିତରେ ଯା ଆସ କରୁଥିବା ଉଡ଼ାଜାହାଜଗୁଡ଼ିକ ଏହିଠାରୁ ଯା ଆସ କରେ । ଆମେରିକାରୁ ବାହାରକୁ ଯିବାପାଇଁ କୌଣସି ଜାହାଜ ଏହି ଘାଟିରୁ ଛାଡ଼େ ନାହିଁ ।

 

ନିଉୟର୍କ ଆନ୍ତର୍ଜାତିକ ଏୟାର ପୋର୍ଟ କୁଇନ୍‌ସର ଦକ୍ଷିଣଭାଗରେ ଅବସ୍ଥିତ । ସୁବିସ୍ତୀର୍ଣ୍ଣ ଆଟଲଣ୍ଟିକ ମହାସାଗରର ଧାରକୁ ଲାଗି ଜାମେଇବ ଉପସାଗର କୂଳରେ ଏହି ବିରାଟ ଉଡ଼ାଜାହାଜ ଘାଟିଟି ଗଢ଼ି ଉଠିଛି । ନିଉୟର୍କନଗରୀର କେନ୍ଦ୍ରମାନ ବୃଟନ୍ ଅଞ୍ଚଳକୁ ଏହା କାରରେ ମୋଟେ ଅଧଘଣ୍ଟାକର ବାଟ । ସୁବିଖ୍ୟାତ ସଦର୍ଣ୍ଣ ପାର୍କର ରାସ୍ତାକୁ ଲାଗି ଏହା ଅବସ୍ଥିତ । ବର୍ତ୍ତମାନ ଯେଉଁଠି ଏହି ଉଡ଼ାଜାହାଜ ଘାଟିଟି ପ୍ରତିଷ୍ଠା କରାଯାଇଛି, ସେହି ସ୍ଥାନଟି କିଛିଦିନ ପୂର୍ବେ ଜାମେଇବ ଉପସାଗରର ଏକ ଅଂଶ ଥିଲା । ଜମେଇକ ଉପସାଗର ଏହି ଅଂଶରେ ଲୁଣପାଣିକୁ କାଢ଼ି କାଦୁଅ ସବୁ ବାହାର କରି ଏହି ବିରାଟ ଉଡ଼ାଜାହାଜ ଘାଟିଟିକୁ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ କେବଳ କୋଡ଼ିଏ କୋଟି ଟଙ୍କା ବ୍ୟୟିତ ହୋଇଥିଲା । ତାପରେ ଏହି ଉଡ଼ାଜାହାଜ ଘାଟିଟିର ବିଭିନ୍ନ ଅଂଶ ପ୍ରତିଷ୍ଠା କରିବାରେ ଆହୁରି ଅଧିକ ପାଞ୍ଚ କୋଟି ଟଙ୍କା ଲାଗିଥିଲା । ଏହା ଆକାରରେ ଖୁବ୍ ବିରାଟ ଓ ପୃଥିବୀର ବୃହତ୍ତମ ଉଡ଼ାଜାହାଜ ଘାଟି ଭିତରୁ ଗୋଟିଏ । ଏହା ପ୍ରାୟ ୫୦୭୦ ଏକର ପରିମିତ ସ୍ଥାନ ଉପରେ ପ୍ରତିଷ୍ଠିତ । ନଅ ଦଶ ଗୋଟି ଲଗୁଆଡ଼ିଆ ଏୟାରପୋର୍ଟକୁ ଏକାଠି କଲେ ଯେତିକି ବଡ଼ ହେବ ଏହି ଉଡ଼ାଜାହାଜ ଘାଟିଟି ପ୍ରାୟ ସେତିକି ବଡ଼ । ଆଧୁନିକତାରେ ଏ ଉଡ଼ାଜାହାଜ ଘାଟିକୁ ବଳିଯିବାରେ ଆଉ କୌଣସି ଉଡ଼ାଜାହାଜ ଘାଟି ପୃଥିବୀରେ ନାହିଁ । ଏଠାରୁ ପ୍ରାୟ ପ୍ରତି ମିନିଟରେ ଉଡ଼ାଜାହାଜ ଛାଡ଼ୁଛି ଓ ଓହ୍ଲାଉଛି ।

 

ଏହି ଘାଟିରେ ଉଡ଼ାଜାହାଜ ମାନ ରହିବା ପାଇଁ ୩୫ ଗୋଟି ସେଡ଼୍ ଅଛି । ଏହି ଘାଟିରେ ଘରୋଇ ଉଡ଼ାଜାହାଜ ଓହ୍ଲାଇବା ଓ ରହିବା ପାଇଁ କଳ ବନ୍ଦୋବସ୍ତ ମଧ୍ୟ ରହିଛି । ଏଥି ଭିତରେ ଛ’ଟା ରନ୍‌ୱେ ରହିଛି । ୧୯୪୯ ମସିହା ସୁଦ୍ଧା ୩୩୦୦ ଗଜ, ୨୭୮୦ ଗଜ, ୨୫୦୦ ଗଜ ନିମ୍ନର ଆହୁରି ତିନୋଟି ଅଧିକା ରନ୍‌ୱେ ପ୍ରତିଷ୍ଠା କରାଯାଇଛି । ଏହି ବିରାଟ ଉଡ଼ାଜାହାଜ ଘାଟିର ବାହ୍ୟ ସାଜସଜ୍ଜା ଅତୀବ ଚମତ୍କାର । ସମୁଖ ପାଖରେ ଫୁଲବଗିଚା, କୃତ୍ରିମ ଝରଣା, ନାନା ପ୍ରକାରର ରଙ୍ଗୀନ୍ ଆଲୋକ, ମଟର ଆଦି ଠିଆ କରାଇବା ପାଇଁ ସ୍ଥାନ, ବିଭିନ୍ନ ଉଡ଼ାଜାହାଜ କୋମ୍ପାନୀମାନଙ୍କର ଅଫିସ, ରେଷ୍ଟୁରାଣ୍ଟ; ମଦ ଦୋକାନ ଆଦି ଦେଖିଲେ ଆଖି ଝଲସି ଯିବ । ନିଉୟର୍କର ଏହି ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିକୁ ପୃଥିବୀର ସୁନ୍ଦରତମ ଉଡ଼ାଜାହାଜ ଘାଟି କହିଲେ ଅତ୍ୟୁକ୍ତି ହେବନି ।

 

ଠିକ୍ ଚାରିଟାବେଳେ ଆମେ ମିସେସ୍ ଡୋନରଙ୍କ ବାସଭବନ ଛାଡ଼ିଲୁ ନିଉୟର୍କ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟି ଅଭିମୁଖେ । ମିସେସ୍ ଡୋନର ଆମକୁ ଛାଡ଼ିବା ପାଇଁ ଉଡ଼ାଜାହାଜ ଘାଟିକୁ ଯିବାକୁ ଠିକ୍ ହୋଇଥାଏ । ଲିଜା ଓ ଆମି ତାଙ୍କ ଦୁଇଟି ଝିଅ ପଡ଼ିଶା ଘରେ ରହିବେ, ତାଙ୍କ ବାପା ଅଫିସରୁ ଆସିବା ପର୍ଯ୍ୟନ୍ତ । ମିସେସ୍ ଡୋନରଙ୍କ କାରରେ ଆମ ସୁଟକେଶ୍ ଆଦି ଆଣି ରଖିଲୁ । ଲିଜା, ଆମିଓପଡ଼ାର ଆଉ ସମସ୍ତ ବାଳକ ବାଳିକା ଆମ ବିଦାୟ ବେଳେ ଆସି ହାଜର ! ବଡ଼ ଅଦ୍ଭୁତ ? ସମସ୍ତଙ୍କର ମୁହଁରେ ଲୁହ । ଲିଜା, ଆମି ଡନା, ଆଦି କାନ୍ଦରେ ଏତେ ବାଷ୍ପରୁଦ୍ଧ ହୋଇ ପଡ଼ିଥାନ୍ତି ଯେ ସେମାନଙ୍କ ମୁହରୁ କିଛି କଥା ବାହାରୁ ନଥାଏ । ପୁଅ ବାବୁଲିର ସାଙ୍ଗ ବିଲି କାନ୍ଦି କାନ୍ଦି ଆମକୁ ଛାଡ଼ି ତା ଘରକୁ ପଳାଇ ଗଲା । ମିସେସ୍ ଡୋନରଙ୍କ ଆଖି ଏ ସବୁ ଦେଖି ଛଳ ଛଳ ହୋଇଗଲା । ସ୍ତ୍ରୀଙ୍କ ଆଖିରେ ମଧ୍ୟ ଲୁହ ନ ଆସି ରହି ପାରିଲାନି । ସ୍ତ୍ରୀଙ୍କ କାନ୍ଦର ମାତ୍ରା ଯା ଟିକିଏ ବଢ଼ି ଯାଇଥାଆନ୍ତା, ମିସେସ୍ ଡୋନର ଆମ ସହିତ ଏୟାରପୋର୍ଟ ପର୍ଯ୍ୟନ୍ତ ଯାଉଥିବାରୁ ଟିକିଏ କମି ଯାଇଥାଏ । ତେବେ ଯା’ହେଉ, ଏହି କାନ୍ଦ କାନ୍ଦ ଭିତରେ ଅଳ୍ପ ବାକ୍ୟ ବିନିମୟରେ ଆମେ ସମସ୍ତଙ୍କ ଠାରୁ ବିଦାୟ ନେଇ କାରରେ ବସିଲୁ । ଆମ କାର ମିସେସ୍ ଡୋନରଙ୍କ ଘର ଛାଡ଼ି ସେହି ଅଞ୍ଚଳରୁ ଅଦୃଶ୍ୟ ହେଲା ପର୍ଯ୍ୟନ୍ତ ପଡ଼ାର ପିଲାମାନେ ଲୋତକ ପୂର୍ଣ୍ଣ ନୟନରେ ଅନାଇ ଠିଆ ହୋଇଥାନ୍ତି । ସେମାନଙ୍କର ସେହି ବିଦାୟକାଳୀନ ଲୋତକ ପୂର୍ଣ୍ଣ ମୁହଁ ମନରେ ପଡ଼ିଲେ ଏବେ ବି ଆମ ଆଖିରୁ ଲୋତକ ଝରିପଡ଼େ । ବଡ଼ ଅଦ୍ଭୁତ ଆମର ଏ ଭାରତ ମାର୍କିନ ବନ୍ଧନ । ମାତ୍ର କେଇ ଦିନର ଆଳାପରେ ଏହି ବନ୍ଧନ ଏଡ଼େ ଗାଢ଼ ହୋଇପାରେ ? ଫୋର୍ଡ ସହର ଛାଡ଼ି ନିଉଜେରସି ଟର୍ଣ୍ଣ ପାଇକରେ ଆମ ଗାଡ଼ି ପହଞ୍ଚିଲା ପର୍ଯ୍ୟନ୍ତ ସ୍ତ୍ରୀ ଓ ପିଲାମାନଙ୍କ ଆଖିରୁ ଲୋତକ ସ୍ରୋତ ଶୁଖି ନଥାଏ ।

 

ନିଉୟର୍କ ନଗରୀର ଲୋକ ଗହଳି ମାନହଟନ୍‌ ଅଞ୍ଚଳ ଭିତରେ ନ ପଶି ମାନହଟନର ଉତ୍ତର ପାର୍ଶ୍ଵ ଦେଇ ମନହଟ୍ଟନକୁ ଅତିକ୍ରମ କରିବା ପାଇଁ ମିସେସ୍ ଡୋନର ଠିକ୍ କରିଥାନ୍ତି । ମିସେସ୍ ଡୋନର ନିଉୟର୍କର ରାସ୍ତାଘାଟ ସହିତ ଏତେ ପରିଚିତ ହୋଇ ମଧ୍ୟ ସ୍ଵାମୀଙ୍କଠାରୁ ରାସ୍ତାଘାଟର ସମସ୍ତ ନିର୍ଦ୍ଦେଶ ନେଇଥାନ୍ତି । ନିଉୟର୍କର ରାସ୍ତାଘାଟ ଯେ ଦେଖିଛି ସେ ମୁକ୍ତକଣ୍ଠରେ ସ୍ଵୀକାର କରିବ ସେ (3 A) ରାସ୍ତା ଠିକଣା ଭଲ ଭାବରେ ଜାଣି ନଥିଲେ ନିଉୟର୍କ ନଗରୀ ଭିତରକୁ ପଶିବା କଷ୍ଟକର । ଟ୍ରିପ୍ଳଏ (American Automobile Association) ଆଦିଙ୍କ ଠାରୁ ନିର୍ଦ୍ଦେଶ ନ ଦେଇ ବଡ଼ ବଡ଼ ସହରକୁ ପଶିବା ଏକାନ୍ତ କଷ୍ଟ । ତା ଛଡ଼ା ଯେଉଁମାନେ ରାସ୍ତାଘାଟ ସହ ଭଲ ଭାବରେ ପରିଚିତ ହୋଇ ସାରିଲେଣି ସେମାନଙ୍କ କଥା ଅଲଗା । ନିଉୟର୍କ ପ୍ରଭୃତି ଆମେରିକାର ବଡ଼ ବଡ଼ ସହରର ରାସ୍ତାଘାଟ ସହିତ ଅଭ୍ୟସ୍ତ ନ ହୋଇ କିମ୍ବା ଅନ୍ୟ କୌଣସି ଅଭିଜ୍ଞ ସଂସ୍ଥା ବା ଲୋକଠାରୁ ନିର୍ଦ୍ଦେଶ ନ ନେଇ ଜଣେ ଲୋକ ଯଦି ହଠାତ୍ ଯେ କୌଣସି ରାସ୍ତା ଧରି ନିଉୟର୍କ ସହର ଭିତରକୁ ପଶିବାକୁ ଚେଷ୍ଟା କରିବ, ତେବେ ତାହା ପକ୍ଷରେ ପଶିବା ଅସମ୍ଭବ-। ରାସ୍ତା ନଜାଣି ସେ ଯଦି ନିଉୟର୍କ ସହର ଭିତରକୁ ପଡ଼ିଥିବା ରାସ୍ତା ଧରିନେବ, ତେବେ ନିଉୟର୍କ ନଗରୀର କିଞ୍ଚିତ ଭିତରକୁ ପଶିଯାଇ ପୁଣି ବାହାରି ଆସିବ । ନିଉୟର୍କ ନଗରୀର ପ୍ରକୃତ ଅଭ୍ୟନ୍ତରକୁ ଯାଇ ପାରିବ ନାହିଁ । ନିଉୟର୍କ ନଗରୀରେ ଏତେ ରାସ୍ତାଘାଟ ଏପାଖ ସେପାଖ ହୋଇ ରହିଛି, ଆମ ଦେଶର ଯେ କୌଣସି ମଟର ଗାଡ଼ି ଚାଳକ ପାଗଳ ହୋଇଯିବ । ଗୋଟିଏ ଗୋଟିଏ ପୋଲକୁ ଯିବା ପାଇଁ ରାସ୍ତା ଜାଣି ନ ପାରିଲେ ପୋଲ ଉପରକୁ ଉଠିବା ଅସମ୍ଭବ-। ନିଉୟର୍କରେ ଗୋଟିଏ ଗୋଟିଏ ପୋଲ ଆଖିକୁ ଦିଶୁଥିଲେ ମଧ୍ୟ ମନେ ମନେ ଭାବି ଯଦି କୌଣସି ରାସ୍ତା ଧରିବ ଓ ଭାବିବ ଯେ ଏ ରାସ୍ତା ନିଶ୍ଚୟ ପୋଲକୁ ଯାଉଥିବ, କିଛି ଦୂର ଯାଇ ଦେଖିବ ଯେ ପୋଲଟି ଅଳ୍ପ ଦୂରରେ ଅଛି, ରାସ୍ତା ଭାଙ୍ଗି ଅନ୍ୟ ଆଡେ ଚାଲି ଗଲାଣି । ଆମେରିକାର ସବୁ ବଡ଼ ବଡ଼ ସହରର ଅବସ୍ଥା ଏଇଆ । ନିଉୟର୍କ ରାଜ୍ୟରେ ରାସ୍ତାଘାଟ ଏତେ ଅପର୍ଯ୍ୟପ୍ତ ଯେ ଠିକ୍ ରୂପେ ରାସ୍ତା ଜାଣି ନ ପାରିଲେ ଯେ କୌଣସି ସହର ଭିତରକୁ ପଶିବା କଷ୍ଟକର । ମୁଁ ପ୍ରଥମେ ପ୍ରଥମେ ଯେତେବେଳେ କାର ଡ୍ରାଇଭିଂ ଶିଖିଲି, ଆମ ନିକଟବର୍ତ୍ତୀ ବୋଷ୍ଟନ କି କେମ୍ବ୍ରିଜକୁ ଯିବା ପାଇଁ କେତେଥର ଯେ ରାସ୍ତା ଭୁଲ କରି ଏପାଖ ସେପାଖ ହୋଇଛି ତାର ଇୟତ୍ତା ନାହିଁ । ଆମେରିକାର ଏତାଦୃଶ ରାସ୍ତା ଗୋଳମାଳ ହେବା ଭୟରେ ମିସେସ୍ ଡୋନର ସ୍ଵାମୀଙ୍କଠାରୁ ସବୁ ରାସ୍ତା ଘାଟର ଚିତ୍ର ଓ ନମ୍ବର ଆଦି ନେଇଥାନ୍ତି । ବାଟରେ ଯାଉ ଯାଉ ଥରକୁ ଥର କାଗଜ କାଢ଼ି ରାସ୍ତାର ନମ୍ବର ସହିତ ମିଳାଉଥାନ୍ତି । ମନରେ ବଡ଼ ଭୟ ସେ ଯଦି କେଉଁଠି ରାସ୍ତା ଗୋଳମାଳ କରି ପକାନ୍ତି, ତେବେ ଉଡ଼ାଜାହାଜ ଘାଟିରେ ପହଞ୍ଚିବାର ଆମର ଢେର ବିଳମ୍ବ ହୋଇ ଯାଇ ପାରେ-। ନିଉଜେରସି ନିଉୟର୍କ ନଗରୀକୁ ଯିବାପାଇଁ ଆମକୁ ହଡ଼ସନ୍ ନଦୀ ଅତିକ୍ରମ କରିବାକୁ ପଡ଼ିବ-। ତେଣୁ ସେ ଜର୍ଜ ୱାସିଙ୍ଗ୍‌ଟନ ପୋଲ ଦେଇ ନଦୀକୁ ଅତିକ୍ରମ କରିବା ଠିକ୍ କରିଥାନ୍ତି । ବେଳେ ବେଳେ ତାଙ୍କର ଭୟ ହେଉଥାଏ, ଟିକିଏ ଭୁଲ ହେଲେ କାଳେ ୱାସିଙ୍ଗଟନ ପୋଲ ଉପରକୁ ଉଠି ନପାରିବେ । ତା ହେଲେ ନିଉୟର୍କ ନଗରୀରେ ପଶିବା କଷ୍ଟକର ହେବ ।

 

ଯାହା ହେଉ, ମିସେସ୍ ଡୋନରଙ୍କ ସେ ଆଶଙ୍କା ସଫଳ ହେଲା ନାହିଁ । ଆମେ ଠିକ୍ ରାସ୍ତାରେ ଆସି ୱାସିଙ୍ଗଟନ ପୋଲ ଉପରେ ପହଞ୍ଚିଗଲୁ । ଆମେ ନିଉୟର୍କ ନଗରୀକୁ ପ୍ରାୟ ୪/୫ ଥର ଆସିଥିଲେହେଁ ଓ ନିଉୟର୍କ ନଗରୀକୁ ଢେରଥର ଅତିକ୍ରମ କରି ଥିଲେହେଁ ଆମେ କେବେ ୱାସିଙ୍ଗଟନ ପୋଲ ଅତିକ୍ରମ କରି ନ ଥିଲୁଁ । ସବୁବେଳେ ଆମେ ହଡ଼ସନ୍ ନଦୀ ପାର ହେଉଥିଲୁ । ନଦୀ ତଳ ଲିଙ୍କନ୍ ବା ହଲାଣ୍ଡ ସୁଢ଼ଙ୍ଗ ଦେଇ । ଏଥର ୱାସିଙ୍ଗଟନ ପୋଲକୁ ଅତିକ୍ରମ କରିବା ଦେଖି ଖୁସି ହୋଇଗଲୁ । କି ବିରାଟ ସେ ପୋଲ । ପୃଥିବୀର ଦ୍ଵିତୀୟ ବୃହତ୍ତମ ଝୁଲା ପୋଲ ଭାବରେ ପୃଥିବୀ ପ୍ରସିଦ୍ଧ । ନଈର ଦୁଇ କୂଳରେ ଦୁଇଟି ବିରାଟ ବିରାଟ ଖମ୍ବ ଉପରେ ପ୍ରକାଣ୍ଡ ପ୍ରକାଣ୍ଡ ଇସ୍ପାତ ଦଉଡ଼ି ବନ୍ଧା ଯାଇ ସେହି ଦଉଡ଼ି ଉପରେ ଏହି ବିରାଟ ପୋଲଟିକୁ ଯେମିତି ଭାବରେ ଝୁଲା ଯାଇଛି ତାହା ଦେଖିବାର ଜିନିଷ । ପୁଣି ଅଳ୍ପଦିନ ତଳେ ଏହି ପୋଲଟି ଦ୍ଵିତଳ ହୋଇଥିଲା । ପୂର୍ବରୁ ଏହି ପୋଲ ଦେଇ ଦୁଇ ପାଖକୁ ଗାଡ଼ି ଯିବା ଆସିବା କରୁଥିଲା, ଯା ଫଳରେ ପୋଲ ଉପରେ ଏତେ ଭିଡ଼ ହେଉଥିଲା ଯେ ପୋଲକୁ ଅତିକ୍ରମ କରିବା ପାଇଁ ଗାଡ଼ିଗୁଡିକୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । ଏହି ଅସୁବିଧାକୁ ଏଡ଼ିବା ପାଇଁ ୧୯୬୩ ମସିହାଠାରୁ ପୋଲଟିକୁ ଉପର ତଳ କରି ଦ୍ଵିତଳ କରାଯାଇଛି । ଏହା ଦ୍ଵାରା ୱାସିଙ୍ଗଟନ୍ ପୋଲଠାରେ ଆଉ ପୂର୍ବଭଳି ମୋଟର ଗାଡ଼ି ଭିଡ଼ ନାହିଁ । ରାସ୍ତାର ଦୁଇଆଡ଼ୁ ଆସୁଥିବା ଯାନଗୁଡ଼ିକ ଉପର ତଳ କରି ଏହି ଦୁଇ ତଳରେ ପରସ୍ପରକୁ ଅତିକ୍ରମ କରନ୍ତି । ରାସ୍ତାର ପଶ୍ଚିମଆଡ଼ୁ ଆସୁଥିବା ଯାନ ଯଦି ଉପର ପୋଲରେ ଗଲା, ତେବେ ପୂର୍ବପଟ ଯାନ ତଳ ପୋଲରେ ଯିବ । ପୋଲ ଉପରେ ଗଲାବେଳେ ମିସେସ୍ ଡୋନର କହୁଥାନ୍ତି, ଏହି ପୋଲଟି ଦ୍ଵିତଳ ହେବା ପରେ ଏହା ତାଙ୍କର ଏଠାକୁ ସର୍ବପ୍ରଥମ ଆଗମନ । ପୋଲଟି ଦ୍ଵିତଳ ହେବା ଦିନ ଠାରୁ ତାଙ୍କର ଏକ ବଡ଼ କାମନା ଥିଲା ଏହି ପୋଲକୁ କେମିତି ଦେଖିବେ । ୱାସିଙ୍ଗଟନ୍ ପୋଲକୁ ଦ୍ଵିତଳ କରିବା ପାଇଁ ଯେଉଁ କାରସାଦି କରା ଯାଇଛି, ତାହା ଅତୀବ ଚମତ୍କାର ।

 

ୱାସିଙ୍ଗଟନ ପୋଲ ଅତିକ୍ରମ କରି ଆମେ ବ୍ରଂକସରେ ପହଞ୍ଚିଲୁ । ବ୍ରଂକସରେ ପହଞ୍ଚି କିଛିଦୂର ଗଲା ପରେ ପଡ଼ିଲା ନିଉୟର୍କ ନଗରୀର ବିରାଟ ୟାଙ୍କି ଷ୍ଟାଡ଼ିୟମ । ୟାଙ୍କି ଷ୍ଟାଡ଼ିୟମର ନାମ ଏଥିପୂର୍ବରୁ ବହୁବାର ଶୁଣିଥିଲୁ । ଟେଲିଭିଜନରେ ୟାଙ୍କି ଷ୍ଟାଡ଼ିୟମର ଖେଳ ବହୁବାର ଦେଖିଥିଲୁ । ଆଖି ସାମନାରେ ବିରାଟ ୟାଙ୍କି ଷ୍ଟାଡ଼ିୟମ ଦେଖି ଏହାର ବିରାଟତାରେ ସ୍ତବ୍‌ଧ ହୋଇ ପଡ଼ିଲୁ । ନିଉୟର୍କ ୟାଙ୍କିକୁ ଖେଳ ଜଗତରେ କିଏ ନଜାଣେ । ସେମାନଙ୍କ କେନ୍ଦ୍ର ହେଲା ଏହି ଷ୍ଟାଡ଼ିୟମ । ତା ଛଡ଼ା ନିଉୟର୍କ ନଗରୀରେ ଯେତେ ବଡ଼ ବଡ଼ ଖେଳ କସରତ ହୁଏ, ସେଥିରୁ ଅଧିକାଂଶ ହୁଏ ଏହି ଷ୍ଟାଡ଼ିୟମରେ । ନିଉୟର୍କ ୟାଙ୍କି ଦଳ ବଡ଼ କୁଶଳୀ ଖେଳାଳୀ । ଥରେ ସେମାନଙ୍କ ଖେଳକୁଶଳୀତା ଯେ ଦେଖିଛି, ସେ ସେମାନଙ୍କୁ ଭୁଲିପାରିବିନି । ଟେଲିଭିଜନରେ ସେମାନଙ୍କ ଖେଳ ବହୁବାର ଦେଖି ସେମାନଙ୍କ ଖେଳ କୁଶଳୀତାର ଯଥେଷ୍ଟ ପରିଚୟ ପାଇଥିଲୁ । ବାଟରେ ଯାଉ ଯାଉ ପିଲାମାନଙ୍କୁ ଏହି ଷ୍ଟାଡ଼ିୟମ ଦେଖାଇ ଦିଅନ୍ତେ ସେମାନେ ଅତ୍ୟନ୍ତ ଖୁସି ହୋଇଗଲେ । ବ୍ରଂକସ ପାର ହୋଇ ଆମେ କୁଇନସରେ ପହଞ୍ଚିଲୁ । କୁଇନସର ଦକ୍ଷିଣ ଅଞ୍ଚଳକୁ ଜାମେଇକା ଉପସାଗର କୂଳରେ ପଡ଼ିଲା ବିରାଟ ଆଇଡ଼ଲୱାଇଲଡ଼ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟି । ଦୂରରୁ ଉଡ଼ାଜାହାଜ ଘାଟିର ବିରାଟତାରେ ଆମେ ସ୍ତବଧ ହୋଇପଡ଼ିଲୁ । ବଡ଼ ବଡ଼ ଜେଟ ଜାହାଜ ଓହ୍ଲାଇବା ଓ ଉଠିବା ଶବ୍ଦରେ ଉଡ଼ାଜାହାଜ ଘାଟିର ପାଖ ଆଖ ଅଞ୍ଚଳ ମୁଖରିତ ହୋଇ ଉଠୁଥାଏ ।

 

ନିଉୟର୍କ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିରେ ପହଞ୍ଚିଲାବେଳକୁ ସାଢ଼େ ଛ’ଟା ବାଜିଲାଣି-। ଆମ ପାଇଁ ସିଟ ରିଜର୍ଭ ହୋଇଥିଏ ଆମ ଭାରତୀୟ କୋମ୍ପାନୀ ‘ଏଆର ଇଣ୍ଡିଆ ଇଣ୍ଟର ନେସନାଲ’ ର ବିରାଟ ଜେଟ ଉଡ଼ାଜାହାଜ ବୋଇଙ୍ଗ ୭୦୭ ରେ । ବୋଷ୍ଟନରୁ ମୁଁ ଯେତେବେଳେ ସିଟ ରିଜର୍ଭ କଲି, ସେତେବେଳେ ମୁଁ ନିର୍ଦ୍ଦେଶ ଦେଇଥିଲି ଏୟାର ଇଣ୍ଡିଆ ଇଣ୍ଟର ନେସନ୍ୟାଲ ଉଡ଼ାଜାହାଜରେ ଆମେରିକା ଛାଡ଼ିବୁ ବୋଲି । ସେହି ଅନୁସାରେ ସେମାନେ ଆମ ପାଇଁ ଆମ ଭାରତୀୟ କୋମ୍ପାନୀ ଉଡ଼ାଜାହାଜରେ ସିଟ ରିଜର୍ଭ କରିଥିଲେ ।

 

ଏୟାର ଇଣ୍ଡିଆ ଇଣ୍ଟର-ନେସନ୍ୟାଲ କୋମ୍ପାନୀର ସୁନାମ ବାହାରେ ଖୁବ ବେଶି । ନିଉୟର୍କରୁ ଯେଉଁ ସବୁ ଉଡ଼ାଜାହାଜ କୋମ୍ପାନୀ ଇଉରୋପକୁ ଉଡ଼ାଜାହାଜ ଚଳାଚଳ କରନ୍ତି, ସେମାନଙ୍କ ଭିତରେ ଏୟାର ଇଣ୍ଡିଆର ସୁନାମ ଖୁବ ବେଶି । ଜେଟ୍ ଜାହାଜ ସବୁ କୋମ୍ପାନୀର ପ୍ରାୟ ସମାନ ହେଲେ ହେଁ ଏଆର ଇଣ୍ଡିଆ ଜାହାଜରେ ଯାତ୍ରୀମାନଙ୍କ ପ୍ରତି ନଜର, ଖାଦ୍ୟପେୟ ଆଦି ଉଚ୍ଚକୋଟୀର ବୋଲି ସୁନାମ ଥାଏ । ସେଥିଯୋଗୁଁ ଅନ୍ୟ ବହୁ କୋମ୍ପାନୀ ଜାହାଜରେ ସିଟ୍ ଖାଲି ରହୁଥିବା ସ୍ଥଳେ ଏୟାର ଇଣ୍ଡିଆ ଜାହାଜରେ ସିଟ୍ ସହଜରେ ମିଳେନି ବୋଲି ଶୁଣିଥିଲୁ । ଆମେ ଢେର ଦିନ ଆଗରୁ ସିଟ୍ ରିଜର୍ଭେସନ କରିଥିବାରୁ ଆମର ସିଟ୍ ପାଇବାରେ କିଛି ଅସୁବିଧା ହୋଇ ନ ଥିଲା ।

 

ନିଉୟର୍କ ଉଡ଼ାଜାହାଜ ଘାଟିରେ ବିଭିନ୍ନ କୋମ୍ପାନୀଗୁଡ଼ିକ ପର ପର ହୋଇ ଧାଡ଼ି ଧରି ରହିଛନ୍ତି । ଆମେ ‘ଏୟାର ଇଣ୍ଡିଆ’ ର ଯାତ୍ରୀ ହୋଇଥିବାରୁ ଆମର ଏୟାର ଇଣ୍ଡିଆ ଅଫିସକୁ ଯିବା ଦରକାର । ଉଡ଼ାଜାହାଜ ଘାଟି ସାମନାରେ କାରକୁ ରଖି ଜନୈକ ପୋର୍ଟରକୁ ନିର୍ଦ୍ଦେଶ ଦେଲୁଁ, ଆମ ସୁଟକେଶ୍ ଆଦିକୁ ଏୟାର ଇଣ୍ଡିଆ ଅଫିସକୁ ଘେନିଯିବା ପାଇଁ । ମିସେସ୍ ଡୋନରଙ୍କୁ ଆମେ ଅଧିକ ସମୟ ନ ଅଟକାଇ ଶୀଘ୍ର ଶୀଘ୍ର ବିଦାୟ କରିଦେଲୁ । ବଡ଼ ଦୁଃଖଦାୟକ ସେ ବିଦାୟକାଳୀନ ଦୃଶ୍ୟ । ମାର୍କିନ ରାତିରେ ସେ ସ୍ତ୍ରୀଙ୍କୁ ଓ ପିଲାମାନଙ୍କୁ ଚୁମ୍ବନ ଦେଇ କୋଳାକୋଳି କରି ଆମଠାରୁ ବିଦାୟ ନେଲେ । ଲକ୍ଷ୍ୟକଲି ମିସେସ୍ ଡୋନରଙ୍କ ଆଖି ଛଳଛଳ ହୋଇ ଆସିଥିଲା, ସେଥି ସହିତ ସ୍ତ୍ରୀଙ୍କ ଆଖି ମଧ୍ୟ । ମିସେସ୍ ଡୋନର କାରରେ ବସି ବଡ଼ ଦୁଃଖର ସହିତ ଆମ ଆଗରୁ ବିଦାୟ ଦେଇ ଗଲେ । ତାଙ୍କ କାର ଏୟାରପୋର୍ଟରୁ ଯାଉଥିବା ଅଗଣିତ କାର ଭିତରେ କ୍ଷଣକ ମଧ୍ୟରେ ଲୀନ ହୋଇଗଲା ।

 

ଆମେ ଆସି ଏୟାର ଇଣ୍ଡିଆ ଅଫିସରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ସାତଟା । ଆଉ ଦୁଇଘଣ୍ଟା ପରେ ଆମ ଜାହାଜ ଛାଡ଼ିବ ନିଉୟର୍କ ଉଡ଼ାଜାହାଜ ଘାଟିରୁ ଲଣ୍ଡନ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟି ଅଭିମୁଖେ । ଆମେ ସଙ୍ଗେ ସଙ୍ଗେ ଏୟାର ଇଣ୍ଡିଆ ଅଫିସ୍‌ର କର୍ମଚାରୀମାନଙ୍କ ଦ୍ଵାରା ଆମ ଜିନିଷପତ୍ର ଆଦି ଓଜନ କରାଇ ଆମ କାଗଜପତ୍ର ଟିକଟ ଆଦି ଦେଖାଇ ଉଡ଼ାଜାହାଜ ଘାଟୀର ଉପର ମହଲା ଲବୀକୁ ଏକ ଗତିଶୀଳ ପାହାଚରେ ଗଲୁଁ । ଆମ ଉଡ଼ାଜାହାଜ ବିରାଟ ଉଡ଼ାଜାହାଜ ଘାଟିର କେତେ ନମ୍ବର ପ୍ଲାଟଫର୍ମରୁ ଯିବ ସବୁ ଜାଣି ଆମେ ଗେଟ୍‌ର ନିକଟସ୍ଥ ଲବିରେ ଅପେକ୍ଷା କରି ବସିଲୁଁ । ଉଡ଼ାଜାହାଜ ଭିତରକୁ ଯିବା ବେଳ ପହଞ୍ଚିଗଲେ ଆମକୁ ଲାଉଡ଼ସ୍ପିକର ସାହାଯ୍ୟରେ ଜଣାଇ ଦିଆଯିବ ଉଡ଼ାଜାହାକୁ ଯିବାପାଇଁ । ଜିନିଷପତ୍ରଗୁଡ଼ିକ ଅନ୍ୟ ବାଟେ ଉଡ଼ାଜାହାଜକୁ ଯିବାପାଇଁ ଅଫିସରେ ଜମାଦେଇ ଆସିଥିଲୁଁ ।

 

ନିଉୟର୍କ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟି କି ବିରାଟ । ସବୁବେଳେ ଉଡ଼ାଜାହାଜର ଯିବା ଆସିବା ଲାଗି ରହିଛି । ଏତେ ବଡ଼ ଉଡ଼ାଜାହାଜ ଘାଟିକୁ ଟିକିଏ ବି ଅବସର ନାହିଁ ।

 

ଯଥା ସମୟରେ ଏୟାର ଇଣ୍ଡିଆ ଇଣ୍ଟର ନ୍ୟାସନ୍ୟାଲର ବିରାଟ ବୋଇଙ୍ଗ ୭୦୭ ଜେଟ ବିମାନ ଆସି ନିର୍ଦ୍ଧିଷ୍ଟ ପ୍ଲାଟଫର୍ମରେ ପହଞ୍ଚିଲା । ଆମେ ସମସ୍ତେ ଲାଉଡ଼ସ୍ପିକରରୁ ନିର୍ଦ୍ଦେଶ ପାଇ ଉଡ଼ାଜାହାଜକୁ ଗଲୁଁ । ଭାରତରୁ ଆମେରିକା ଆସିଥିଲାବେଳେ ଯେଉଁ ଅନୁଭୁତି, ଏ ଅନୁଭୂତି ଠିକ୍ ସେମିତି, ସେଇ ଏକା ଉଡ଼ାଜାହାଜ । ତଫାତ୍ ଥିଲା, ସେ ଥିଲା ପାନ୍ ଆମେରିକାନ୍ କୋମ୍ପାନ ଜାହାଜ, ଏ ହେଉଛି ‘ଏୟାର ଇଣ୍ଡିଆ’ କୋମ୍ପାନୀ ଜାହାଜ । ଏହି ଜେଟ୍ ଜାହାଜରେ ଆମେ ପୂର୍ବରୁ ଅଭ୍ୟସ୍ତ ଥିବାରୁ ଆମକୁ କିଛି ନୂଆ ଲାଗିଲାନି ।

 

ରାତ୍ରି ଠିକ୍ ଦଶଟାରେ ଆମ ଜାହାଜ ନିଉୟର୍କ ଉଡ଼ାଜାହାଜ ଘାଟି ଛାଡ଼ିଲା, ଲଣ୍ଡନ ଅଭିମୁଖେ । ପୂର୍ବଭଳି ସେହି ଅନୁଭୂତି, ଭାରତ ଛାଡ଼ିଲାବେଳେ ଯେଉଁ ଭୟ, ସେ ଭୟ ଆଉ ଏଥର ନଥିଲା । ଭାରତୀୟ ଶାଢ଼ି ପିନ୍ଧା ‘ଏୟାର ହୋଷ୍ଟେସ’ ଅତି ସୁନ୍ଦର ବ୍ୟବହାର କରୁଥିଲେ ହେଁ ପାନ୍ ଆମେରିକାନ୍ ହୋଷ୍ଟେସ ଭଳି ସେତେ କ୍ଷୀପ୍ର ଓ କୁଶଳୀ ନଥିଲେ । ହେଲେ ଆମ ଦେଶର ଲୋକ ବୋଲି ବେଶ୍ ଭଲ ଲାଗୁଥାଏ । ଏତେ ବଡ଼ ଉଡ଼ାଜାହାଜରେ ଆମେ ଭାରତୀୟ ଥିଲୁଁ ଅଳ୍ପ, ୭/୮ ଜଣ ଭିତରେ । ବାକି ସମସ୍ତେ ପାଶ୍ଚାତ୍ୟ ଅଧିବାସୀ । ଆମ ଜାହାଜ ପ୍ରାୟ ୪୦୦୦୦ ଫୁଟ ଉଚ୍ଚରେ ଥାଇ ଘଣ୍ଟାକୁ ୬୦୦ ମାଇଲ ପାଖାପାଖି ବେଗରେ ବିରାଟ ଆଟଲାଣ୍ଟିକ ମହାସାଗରକୁ ଅତିକ୍ରମ କରିବାକୁ ଲାଗିଲା । ସକାଳ ଆଠଟା ସୁଦ୍ଧା ଆମେ ୩୦୦୦ ମାଇଲ ଦୂରବର୍ତ୍ତୀ ଲଣ୍ଡନ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିରେ ପହଞ୍ଚିବୁ ବୋଲି ଆଶା । ଏହିଠାରେ ହେଲା ଆମ ଆମେରିକା ଅନୁଭୂତିର ଶେଷ ଜବନିକା ପତନ । ଦୁଇବର୍ଷରୁ ଉର୍ଦ୍ଧ୍ଵକାଳ ଆମେରିକାରେ ରହି ଆମେ ଆମେରିକାରୁ କି ଅନୁଭୂତି ନେଇ ଦେଶକୁ ଫେରୁଛୁଁ, ଆମେରିକାର କି କି ଦିଗନ୍ତ ଆମେ ନୂତନ ଭାବରେ ଆବିଷ୍କାର କରି ଆମ ଅଭିଜ୍ଞତାକୁ ଉନ୍ନତରୁ ଉନ୍ନତତର କରିଛୁ, ଆତ୍ମବିଶ୍ଲେଷଣ କରି ଆମର ସେଗୁଡ଼ିକୁ ନିର୍ଣ୍ଣୟ କରିବା ଦରକାର ।

Image

 

Unknown

ଆମେରିକା ଆବିଷ୍କାର

 

ଭାଇକିଙ୍ଗସ କି କଲମ୍ବସ କେମିତି ଆମେରିକା ଆବିଷ୍କାର କରିଥିଲେ କି ବାରଥଲାମିଉ ଗସନୋଲଡ଼ ଆମେରିକାର ସର୍ବପ୍ରଥମ ଶ୍ଵେତ ବାସିନ୍ଦା ପିଲଗ୍ରିମମାନଙ୍କୁ ନେଇ ଆମେରିକାରେ କେମିତି ବସତି ସ୍ଥାପନ କରାଇଥିଲେ, ସେ ଚିନ୍ତା ମୋ ମନକୁ ଯେତେ ଆଲୋଡ଼ିତ କରୁ ନଥିଲା, ତା’ଠାରୁ ଅଧିକ ଆଲୋଡ଼ିତ କରୁଥିଲା ଆମେରିକା ସମ୍ପର୍କରେ ମୋ ମନର ବିଶ୍ଳେଷଣ । ଆମେ ଆମେରିକାରେ ଦୁଇବର୍ଷରୁ ଅଧିକ କାଳ ରହିବା ଦ୍ଵାରା ଆମେରିକାର ଶିକ୍ଷା, ସ୍ୱାସ୍ଥ୍ୟ, ସଭ୍ୟତା, ସାମାଜିକ ରୀତିନୀତି, ଆର୍ଥିକ ସ୍ଵଚ୍ଛଳତା, ବ୍ୟବସାୟିକ ପ୍ରସାର, ବୈଜ୍ଞାନିକ ଉନ୍ନତି, ଶିଳ୍ପ ଉତ୍କର୍ଷ ଆଦି ସମ୍ବନ୍ଧରେ କି କି ପ୍ରତ୍ୟକ୍ଷ ଜ୍ଞାନ ଅର୍ଜ୍ଜନ କଲୁଁ, ସେହି ସବୁ ଜ୍ଞାନ ସହିତ ଆମ ଦେଶର ଅବସ୍ଥାକୁ ତୁଳନା କରି ଆମେ କି ଶିକ୍ଷା ଅର୍ଜ୍ଜନ କଲୁଁ, ଆତ୍ମ ବିଶ୍ଳେଷଣ ଦ୍ଵାରା ନିର୍ଦ୍ଧାରଣ କରିବା ଥିଲା ଆମର ପ୍ରଧାନ ଲକ୍ଷ୍ୟ । ପ୍ରକୃତରେ ତାହା ହିଁ ହେଉଛି ଆମର ଆମେରିକା ଆବିଷ୍କାର । ପୃଥିବୀର ବହୁ ଶିକ୍ଷାବିତ୍, ଧନପତି, ରାଷ୍ଟ୍ରନୀତିଜ୍ଞ, ଶାସନକର୍ତ୍ତା, ଲେଖକ, ସମାଲୋଚକ, ପୃଥିବୀର ଏହି ଧନଶାଳୀ ରାଷ୍ଟ୍ରକୁ ଯାଇ ଏହି ଦେଶ ସମ୍ପର୍କୀୟ ନାନା ନୂଆ କଥା ବିଭିନ୍ନ ଦୃଷ୍ଟିକୋଣରୁ ଆବିଷ୍କାର କରି ପୃଥିବୀର ଜ୍ଞାନଭଣ୍ଡାରକୁ କମ ସମୃଦ୍ଧ କରିଯାଇ ନାହାନ୍ତି, ତେଣୁ ସେମାନଙ୍କ ଆବିଷ୍କାର ତୁଳନାରେ ଆମର ଏହି କ୍ଷୀଣ ଉଦ୍ୟମ ଏ ଦିଗରେ ଆଉ ଯେ କିଛି ନୂତନ ଆଲୋକପାତ କରିବ, ସେଥିରେ ଆମେ ସନ୍ଧିହାନ ଥିଲେ ହେଁ, ଆମର ଏହି ଯତ୍‍କିଞ୍ଚିତ ପ୍ରଚେଷ୍ଟା ଆମ ଦେଶର ଲୋକଙ୍କଠାରେ ଆମେରିକାକୁ ତାର ଉଚିତ ମୂଲ୍ୟ ଦେଇ ଯଦି ଠିଆ କରାଇପାରେ, ତେବେ ଆମେ ଆମର ଶ୍ରମ ସାର୍ଥକ ହେଲା ବୋଲି ମଣିବୁଁ ଓ ମଣିବା ମଧ୍ୟ ସ୍ଵାଭାବିକ ।

 

ପୃଥିବୀର ସମସ୍ତେ ଜାଣନ୍ତି, ଆମେରିକା ଏକ ପୁଞ୍ଜିପତି ରାଷ୍ଟ୍ର, ବ୍ୟକ୍ତ୍ୟାୟତ୍ତ ବ୍ୟବସାୟ ବାଣିଜ୍ୟ, ମୁକ୍ତ ଅର୍ଥନୀତି ଏହାର ଅର୍ଥନୀତିକ ମେରୁଦଣ୍ଡ । ରାଷ୍ଟ୍ରାୟତ୍ତ କାରବାର, ରାଷ୍ଟ୍ରାୟତ୍ତ ବ୍ୟବସାୟ ବାଣିଜ୍ୟ, ରାଷ୍ଟ୍ରାୟତ୍ତ ଶିଳ୍ପ ଉତ୍ପାଦନ କି ରାଷ୍ଟ୍ରାୟତ୍ତ କୃଷିକୁ ଏ ଦେଶର ସରକାର କିମ୍ବା ଏହାର ଜନସାଧାରଣ ସମର୍ଥନ କରନ୍ତିନି । ଓଲଟି ସେମାନେ ଯୁକ୍ତି ବାଢ଼ନ୍ତି ଯେ ବ୍ୟକ୍ତିଗତ ପ୍ରଚେଷ୍ଟାକୁ ଜଳାଞ୍ଜଳି ଦେଇ ରାଷ୍ଟ୍ରାୟତ୍ତ କାରବାର କଲେ, ଉତ୍ପାଦନ ବାଧାପ୍ରାପ୍ତ ହୁଏ, ଫଳରେ ନା ରାଷ୍ଟ୍ରର ଲାଭ ହୁଏ, ନା ବ୍ୟକ୍ତିବିଶେଷଙ୍କର । ସେମାନଙ୍କ ମତରେ ବ୍ୟକ୍ତ୍ୟାୟତ୍ତ ପ୍ରଚେଷ୍ଟାରେ ବହୁଳ ଉତ୍ପାଦନ ସଙ୍ଗେ ପ୍ରତିଯୋଗୀତା ମୂଳକ ବ୍ୟବସ୍ୟାୟ ଚାଲିଲେ ପୁଞ୍ଜିପତି ଅର୍ଥନୀତିରେ ଦୋଷ ଦୁର୍ବଳତା ନେଇ ଲୋକେ ଯା’ ସମାଲୋଚନା କରନ୍ତି, ତାହା ରହେନି । ଅବଶ୍ୟ ଆମେରିକାନମାନଙ୍କ ଏହି ମତ ଯେ ପୂରାପୂରି ଗ୍ରହଣଯୋଗ୍ୟ, ତାହା ମୋଟେ ନୁହେଁ । ସେମାନଙ୍କ ଅର୍ଥନୀତିରେ ଯେଉଁସବୁ ଦୁର୍ବଳତା ଅଛି, ସେମାନେ ସେଗୁଡ଼ିକ ଆମ୍ଭମାନଙ୍କ ଭଳି ଦେଖନ୍ତିନି । ସେମାନେ ସାମ୍ୟବାଦୀ ଅର୍ଥନିତୀକୁ ଯେତେ ସମାଲୋଚନା ଦୃଷ୍ଟିରେ ଦେଖନ୍ତି, ସେମାନଙ୍କ ନିଜ ଅର୍ଥନିତୀକୁ ସେଇ ଦୃଷ୍ଟିରେ ଦେଖନ୍ତିନି, ଫଳରେ ସେମାନଙ୍କ ଆଖିରୁ ସେମାନଙ୍କ ଦୋଷ ଦୁର୍ବଳତା ନ ଦିଶିବା ସ୍ଵାଭାବିକ ।

 

ସେମାନେ ଆମ ଦେଶର ମିଶ୍ରିତ ଅର୍ଥନୀତି (Mixed Economy) କୁ ବେଶ୍ ସମାଲୋଚନା କରନ୍ତି । ସେମାନଙ୍କ ଦୃଷ୍ଟିରେ ମିଶ୍ରିତ ଅର୍ଥନୀତିଦ୍ଵାରା ଆମ ଦେଶର ଉନ୍ନତି ପୂରାପୂରି ସମ୍ଭବପର ନୁହେଁ । ମିଶ୍ରିତ ଅର୍ଥନୀତିରେ ଯେଉଁ ଦୋଷ ଦୁର୍ବଳତା ଅଛି, ସେମାନେ ତାକୁ ଆହୁରି ବଢ଼ାଇ ନାନାପ୍ରକାରର ଯୁକ୍ତି ବାଢ଼ନ୍ତି ଆମ ଅର୍ଥନୀତି ବିରୁଦ୍ଧରେ । ଆମ ଦେଶଭଳି ଅନୁନ୍ନତ ଦେଶ ପାଇଁ ମିଶ୍ରିତ ଅର୍ଥନୀତି ଛଡ଼ା ଅନ୍ୟ ବାଟ ଯେ ନାହିଁ ସେମାନେ ହୃଦୟଙ୍ଗମ କରିବାକୁ ଅକ୍ଷମ । ଅବଶ୍ୟ ଯେଉଁମାନେ ପ୍ରାରମ୍ଭରୁ ପୁଞ୍ଜିବାଦୀ ଅର୍ଥନୀତି ଅନୁସରଣ କରି ଆସିଅଛନ୍ତି, ଓ ଯେଉଁମାନଙ୍କର ସାମ୍ୟବାଦୀ ଅର୍ଥନୀତି ପ୍ରତି କୋକୁଆଭୟ ରହିଛି, ସେମାନେ ଏ ଦୁଇଟିର ମଝାମଝି ମିଶ୍ରିତ ଅର୍ଥନିତୀକୁ ହୃଦୟଙ୍ଗମ କରିବେ କୁଆଡ଼ୁ ?

 

ବହୁ ମାର୍ଜିନ ଭଦ୍ରଲୋକ ଓ ଭଦ୍ରମହିଳାଙ୍କ ସଙ୍ଗେ ଯୁକ୍ତିତର୍କରେ ଏହି ପ୍ରଶ୍ନ ଉଠେ । ସେମାନେ ବ୍ୟକ୍ତ୍ୟାୟତ୍ତ ଶିଳ୍ପ, ବ୍ୟକ୍ତ୍ୟାୟତ୍ତ ବ୍ୟବସାୟ ଓ କୃଷିକୁ ଏତେ ଉଚ୍ଚରେ ଟେକି ଧରନ୍ତି, ଓ ରାଷ୍ଟ୍ରାୟତ୍ତ କରିବାର ନାଁ ଶୁଣିଲେ ଏତେ ଜୋରରେ ନାସିକା କୁଞ୍ଚନ କରନ୍ତି ଯେ କେହି ଲୋକ ଦେଖିଲେ କହିବେ ଯେ ପୁଞ୍ଜିବାଦ ଆମେରିକା ଲୋକଙ୍କ ଅସ୍ଥିମଜ୍ଜାଗତ ହୋଇ ଗଲାଣି । ପୁଞ୍ଜିବାଦୀ ଅର୍ଥନୀତି ଆଡ଼କୁ ସେମାନେ ଏତେ ଆକୃଷ୍ଟ ଯେ ସାମ୍ୟବାଦୀ ଅର୍ଥନୀତି କି ମିଶ୍ରିତ ଅର୍ଥନୀତିର ଭଲଗୁଣ ଗ୍ରହଣ କରିବା ତ ଦୂରର କଥା ଶୁଣିବାକୁ ବି ନାରାଜ । ସେମାଙ୍କର ସେହି ମନୋବୃତ୍ତିକୁ ଯେତେ ସମାଲୋଚନ କଲେ ମଧ୍ୟ ସେମାନେ କିଛି ଶୁଣନ୍ତି ନାହିଁ । ଏହାକୁ ସେମାନଙ୍କର ଏକ ବଦ୍‌ପ୍ରକୃତି କହିଲେ ଅତ୍ୟୁକ୍ତି ହେବନି । ଏହି ବଦ୍‌ପ୍ରକୃତି ଯୋଗୁଁ ସେମାନେ ଆଉ ଗୋଟିଏ ଅର୍ଥନିତୀକୁ ବୁଝିବାକୁ ବି ଚେଷ୍ଟିତ ନୁହଁନ୍ତି । ଏହାଦ୍ଵାର ସେମାନେ ଗଣତାନ୍ତ୍ରିକ ଦେଶ ହୋଇ ଗଣତନ୍ତ୍ର ଠାରୁ ଦୂରେଇ ଯାଆନ୍ତି, ଏହା ଯେ କେହି ଲୋକ ହୃଦୟଙ୍ଗମ କରୁଥିଲେ ହେଁ ସେମାନେ ହୃଦୟଙ୍ଗମ କରିବାକୁ ନାରାଜ । ପ୍ରକୃତ ଗଣତାନ୍ତ୍ରିକ ଦେଶ ହେଉଛି ସେଇ, ଯେ ବିଭିନ୍ନ ମତବାଦ, ବିଭିନ୍ନ ଚିନ୍ତାଧାରା, ବିଭିନ୍ନ ନୀତିକୁ ଆଲୋଚନା, ସମାଲୋଚନା କରି ସମ୍ୟକ୍‌ଭାବରେ ପୁଷ୍ଟ ହେବାକୁ ସୁବିଧା ଦିଏ, ଗୋଟିକର ଭ୍ରମ ଧାରଣର ବଶବର୍ତ୍ତା ହୋଇ ନିଜ ଚିନ୍ତାଧାରା’ ନିଜ ନୀତି ବା ନିଜ ମତବାଦ ବିରୁଦ୍ଧ କୌଣସି ବିଷୟକୁ ତଣ୍ଟି ଚିପି ନିର୍ମୂଳ କରିବାକୁ ଚେଷ୍ଟା କରେନି । କଥାବାର୍ତ୍ତା ଛଳନାରେ ବହୁ ମାର୍ଜିନ ଭଦ୍ରଲୋକ ଭଦ୍ରମହିଳାଙ୍କୁ ଏକଥା ଚେତାଇ ଦେଲେବି ସେମାନେ କିଛି ଶୁଣିଲା ଭଳି ମନେ ହୁଏନି ।

 

କିନ୍ତୁ ଏସବୁ ସତ୍ଵେ, ଏତେ ମତାନ୍ତର ଓ ମତାନୈକ ଥାଇ ମଧ୍ୟ ଆମେରିକା ଆମ ଦେଶ ପ୍ରତି ବେଶ୍‌ ସମବେଦନାଶୀଳ । ଆମର ବହୁ ଦୁଃଖବେଳେ ସେମାନେ ଆମକୁ ସମବେଦନା ଜଣାଇ ଆସିଛନ୍ତି । ଆମ ଦେଶକୁ ଚୀନ ଆକ୍ରମଣ ବେଳେ ସେମାନଙ୍କ ସାଧାରଣ ଲୋକ ଆମ ଦେଶ ପ୍ରତି ଏତେ ସମବେଦନା ଢାଳି ଦେଇଥିଲେ ଯେ ସେକଥା କହି ହେବନି । ପ୍ରେସିଡେଣ୍ଟ କେନେଡି ଆମ ଦେଶପ୍ରତି ଯେଉଁ ଅକାତର ସାହାଯ୍ୟ ସେତେବେଳେ ଦେଲେ, ସେଇ ସାହାଯ୍ୟ ମୂଳରେ ପ୍ରେସିଡେଣ୍ଟ କି ତାଙ୍କ ସରକାରଙ୍କ ମନୋଭାବକୁ ଯେ ଖାଲି କାର୍ଯ୍ୟ କରୁଥୁଲେ ତା ନୁହେଁ, ସାରା ମାର୍ଜିନ ଜାତିର ମନୋଭାବକୁ ଯେ ବ୍ୟକ୍ତ କରି ଏହି ନୀତି ଅନୁସରଣ କଲେ, ଏହାକୁ କେହି ଅସ୍ଵୀକାର କରିବେନି । ଚୀନ ଆକ୍ରମଣ ବେଳେ ପ୍ରତ୍ୟକ ମାର୍ଜିନ ଅଧିବାସୀ ମତ ଦେଇଛି ଭାରତକୁ ଶୀଘ୍ର ସାମରିକ ସାହାଯ୍ୟ ପଠାଅ । କାରଣ ସେମାନଙ୍କ ଆଖିରେ ଭାରତ ହେଉଛି ବୃହତ୍ତମ ଗଣତାନ୍ତିକ ରାଷ୍ଟ୍ର, ତେଣୁ ଏହି ରାଷ୍ଟ୍ରକୁ ସବୁମନ୍ତେ ସାହାଯ୍ୟ ପଠାଇ ଏହାକୁ ରକ୍ଷାକଲେ ପୃଥିବୀର ଗଣତନ୍ତ୍ର ସୁରକ୍ଷିତ ହେବ ଓ ସେଥିସହ ସାମ୍ୟବାଦ ଓ ପୁଞ୍ଜିବାଦ ଭିତରେ ଭାରସାମ୍ୟ ମଧ୍ୟ ରକ୍ଷିତ ହେବ । ଆମର ଆମେରିକାରେ ଅବସ୍ଥାନ କାଳରେ ଆମେ ଆମେରିକାର ଏହି ମନୋଭାବକୁ ବେଶ୍‌ ଭଲ ଭାବରେ ଲକ୍ଷ୍ୟକରି ପାରିଥିଲୁ ।

 

ଭାରତର ନିରପେକ୍ଷ ନୀତିକୁ ବହୁ ମାର୍ଜିନ ରାଷ୍ଟ୍ରନୀତିଜ୍ଞ ସମାଲୋଚନା କଲେ ହେଁ ସାଧାରଣ ଲୋକ ବୁଝନ୍ତି, ଭାରତ ପ୍ରକୃତରେ ନିରପେକ୍ଷ । ଭାରତବାସୀମାନେ ଯୁଦ୍ଧ ଚାହାନ୍ତି ନାହିଁ, ଏହା ସେମାନଙ୍କର ବଦ୍ଧମୂଳ ଧାରଣା ହୋଇଗଲାଣି । ତେଣୁ ନିରପେକ୍ଷତା, କି ଶାନ୍ତି କଥା ପଡ଼ିଲେ ସେମାନେ ସର୍ବଦା ଭାରତ ଆଡ଼କୁ ଅନାନ୍ତି । ବଡ଼ ବିଚିତ୍ର, ପାକିସ୍ତାନ ସେମାନଙ୍କର ନାନାଦି ଯୁଦ୍ଧମେଣ୍ଟରେ ଥାଇ ମଧ୍ୟ ପାକିସ୍ତାନର ନୀତିକୁ ସାଧାରଣ ମାର୍ଜିନ ଲୋକ ବିଶେଷ ପସନ୍ଦ କରନ୍ତିନି । ଅବଶ୍ୟ ଏଭିତରେ ଆହୁରି ବଦଳି ଯାଇଛି । ଚୀନ ସହିତ ମେଣ୍ଟ ବାନ୍ଧିବା ଫଳରେ ପାକିସ୍ତାନ ଆଉ ଆମେରିକାର ଲୋକଙ୍କ ଠାରେ ପ୍ରିୟ ନୁହେଁ । ଆନ୍ତର୍ଜାତିକ କ୍ଷେତ୍ରରେ ନାନା ନୀତି ନେଇ ଭାରତ ସହିତ ସଂଘର୍ଷ ହୋଇ ମଧ୍ୟ ଆମେରିକାନମାନଙ୍କ ଆଖିରେ ଭାରତର ସ୍ଥାନ ଖୁବ୍‌ ଉଚ୍ଚରେ । ଅବଶ୍ୟ ମାର୍ଜିନ ଭାରତର ଏହି ସୁସମ୍ପର୍କ ମୂଳରେ ଡିମୋକ୍ରେଟିକ ଦଳର ବହୁ ସଦସ୍ୟଙ୍କ ଭାରତ ପ୍ରତି ଉଦାର ମନୋଭାବ, ଭୂତପୂର୍ବ ସଭାପତି କେନେଡି ଓ ତାଙ୍କ ସହକର୍ମୀ ଦଳଙ୍କ ଭାରତ ପ୍ରତି ଉଦାର ନୀତି ଯେ କାର୍ଯ୍ୟ କରୁଛି, ଏହା କେହି ଅସ୍ଵୀକାର କରିବେନି । ବହୁ ମାର୍ଜିନ ବନ୍ଧୁ ଆହୁରି ସୁଚାନ୍ତି ଯେ ରିପ୍ଳବିକାନ୍‌ଦଳ ସମୟରେ ପ୍ରେସିଡେଣ୍ଟ ଆଇଜେନ୍‌ ହାୱାର, ପରରାଷ୍ଟ୍ର ସଚିବ ଡଲେଶ୍‌ ଓ ସିନେଟର ମେକ୍‌ ଅର୍ଥୀଙ୍କ ଯୋଗୁଁ ମାର୍କିନ-ଭାରତ ସମ୍ପର୍କ ଖୁବ୍‌ ଖରାପ ହୋଇଯାଇଥିଲା ଓ ସେଥିପାଇଁ ସେମାନେ ଏହି ତିନି ଜଣଙ୍କୁ ଯେଉଁ ଭାଷାରେ ଗାଳି ଦିଅନ୍ତି, ସେ କଥା ଶୁଣିଲେ ଯେ କେହି ଭାରତୀୟ ମାର୍କିନ ଜାତି ଆଡ଼କୁ ଆକୃଷ୍ଟ ହୋଇ ପଡ଼ିବ । ଏମିତିକି ସେମାନଙ୍କ ମଧ୍ୟରୁ ଏହି ଦୋଷ ପାଇଁ ଆଇଜେନ୍‌ ହାୱାରଙ୍କ ବିରାଟ ବ୍ୟକ୍ତିତ୍ୱ ଓ ବିରାଟ ସେନାଧ୍ୟକ୍ଷ ଦକ୍ଷତାକୁ ସମାଲୋଚନା ନ କରି ଛାଡ଼ନ୍ତିନି । ଡଲେସ୍‌ଙ୍କୁ ତୃତୀୟ ଶ୍ରେଣୀର କୂଟନୀତିଜ୍ଞ ବୋଲି କହିବାକୁ ଭୁଲନ୍ତିନି । ସେମାନଙ୍କ ଭାଷାରେ ସିନେଟର ମେକ୍‌ଅର୍ଥୀ ସେମାନଙ୍କ ଜାତିର କଳଙ୍କ ।

 

ବଡ଼ ସୁଖର କଥା, ପ୍ରେସିଡେଣ୍ଟ କେନେଡି ଭାରତ ପ୍ରତି ଯେଉଁ ନୀତି ଧରି ଆସିଥିଲେ, କେନେଡ଼ିଙ୍କ ମୃତ୍ତ୍ୟୁ ପରେ ହିଁ ବର୍ତ୍ତମାନର ପ୍ରେସିଡେଣ୍ଟ ଜନ୍‌ସନ୍‌ ସେହି ନୀତି ଧରିଛନ୍ତି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କାରଣ ସେଠି ଥିଲାବେଳେ ଆମେ ଦେଖିଛୁଁ ପ୍ରେସିଡେଣ୍ଟ କେନେଡି ଭାରତ ଭାରତ ପ୍ରତି ଯେଉଁ ମନୋଭାବ ପୋଷଣ କରୁଥିଲେ, ଠିକ୍‌ ସେହି ମନୋଭାବ ପୋଷଣ କରୁଥିଲେ ତତ୍‌କାଳୀନ ଭାଇସ୍‌ ପ୍ରେସିଡେଣ୍ଟ ଜନ୍‌ସନ୍‌, ପରରାଷ୍ଟ୍ର ସଚୀବ ଡିନ୍‌ରସ୍ଵ, ଦେଶରକ୍ଷା ସଚୀବ ମେକାନାମାରା, ସିନେଟର ହ୍ୟୁବଟ ହମ୍‌ଫ୍ରେ ଆଦି ରାଷ୍ଟ୍ରନୀତିଜ୍ଞମାନେ । ବର୍ତ୍ତମାନର ଶାସକ ଭିତରେ ପ୍ରେସିଡେଣ୍ଟ ଜନ୍‌ସନ୍‌, ଭାଇସ୍‌ ପ୍ରେସିଡେଣ୍ଟ ହମ୍‌ଫ୍ରେ ଓ ରସ୍କ, ମେକେନାମାରା ଆଦି ଥିବାରୁ ସେମାନଙ୍କ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଭାରତ ପ୍ରତି ମାର୍କିନ ସଂପର୍କ ଯେ ଖୁବ୍‌ ଭଲ ରହିବ, ଏହା ନିଃସନ୍ଦେହରେ କୁହାଯାଇ ପାରେ ।

 

ଅନେକ କହିପାରନ୍ତି, ଭାରତ ପ୍ରତି ମାର୍କିନ ରାଷ୍ଟ୍ର ଯଦି ଏତେ ପ୍ରସନ୍ନ, ତେବେ ଭାରତର ବହୁ ଯୋଜନାରେ ସାହାଯ୍ୟ ଦେଲା ବେଳକୁ ମାର୍କିନ୍‌ରାଷ୍ଟ୍ର ପଛେଇ ଯାଉଛି କାହିଁକି ? ଉଦାହରଣ ସ୍ୱରୂପ ବୋକାରୋ ଷ୍ଟିଲ ପ୍ଲାଣ୍ଟ୍‌ । ଆମର ମନେ ଅଛି ଆମେ ଆମେରିକାରେ ଥିଲାବେଳେ ବୋକାରୋ କାରଖାନା ନେଇ ନାନାଦି ବାଦାନୁବାଦ ଚାଲିଥିଲା । ପ୍ରେସିଡେଣ୍ଟ କେନେଡି ଓ ତାଙ୍କ ଶାସକଦଳ ଏହା ସପକ୍ଷରେ ଥିଲେହେଁ ସିନେଟରମାନେ ଏହି ରାଷ୍ଟ୍ରାୟତ୍ତ କାରବାରକୁ ପସନ୍ଦ କରୁ ନଥିଲେ । ସିନେଟରମାନଙ୍କୁ ବୁଝାଇବା ପାଇଁ ପ୍ରେସିଡେଣ୍ଟ କେନେଡ଼ି ଯେଉଁ ସବୁ ଯୁକ୍ତି ବାଢ଼ିଥିଲେ, ଏବେ ବି ସେସବୁ ଆମ ମନରୁ ଭୁଲିନି । ସିନେଟରମାନଙ୍କ ସବୁବେଳେ ଆପତ୍ତି ଯେ ଯେଉଁଠି ବ୍ୟକ୍ତିଗତ ପରିଚାଳନାରେ ବ୍ୟବସାୟ ରହିଛି, ସେଠାରେ ରାଷ୍ଟ୍ରାୟତ୍ତ ପରିଚାଳନରେ ପ୍ରତିଷ୍ଠିତ ଆଉ ଏକ ବ୍ୟବସାୟକୁ ପ୍ରତିଷ୍ଠା କରି ବ୍ୟକ୍ତ୍ୟାୟତ୍ତ ବ୍ୟବସାୟ ସହିତ ରାଷ୍ଟ୍ରାୟତ୍ତ ବ୍ୟବସାୟକୁ ପ୍ରତିଯୋଗୀତା କରିବାରେ ସେମାନେ ସାହାଯ୍ୟ କରିବେନି । କାରଣ ଏହା ସେମାନଙ୍କ ନୀତି ବିରୁଦ୍ଧ ।

 

ବଡ଼ ଅଦ୍ଭୁତ ଏ ମାର୍କିନ ଜାତି ! ବ୍ୟକ୍ତିଗତ ବ୍ୟବସାୟ ଓ ଶିଳ୍ପ ପାଇଁ ସେମାନେ ସବୁପ୍ରକାର ସାହାଯ୍ୟ, ସହାନୁଭୂତି ଦେବାକୁ ଆଗଭର, କିନ୍ତୁ ଏହାକୁ ବିରୋଧ କରୁଥିବା ସଂସ୍ଥାକୁ ସେମାନେ ସାହାଯ୍ୟ କରିବା ତ ଦୂରର କଥା, ଆଡ଼ ଆଖିରେ ବି ଅନାଇବେ ନାହିଁ । ସେଥିପାଇଁ ଆମେରିକାରେ ଦେଖିବ ସବୁ କିଛି ଶିଳ୍ପ, ବ୍ୟବସାୟ, କୃଷି, ବ୍ୟକ୍ତିଗତ ପରିଚାଳନାଧୀନରେ । ସାଧାରାଣ ଶାସନ, ଯୁଦ୍ଧ ବିଭାଗ, ପୋଷ୍ଟ ଅଫିସ ଆଦି ସାମାନ୍ୟ କେତୋଟିକୁ ଛାଡ଼ିଦେଲେ ରାଷ୍ଟ୍ର ଅଧୀନରେ କିଛି ନାହିଁ କହିଲେ ଚଳେ । ରେଳବାଇ ବିଭାଗ, ବସ୍‌ବିଭାଗ, ବେଙ୍କ୍‌, ଜୀବନବୀମା, ଉଡ଼ାଜାହାଜ ବିଭାଗ, ବିଭିନ୍ନ ବଡ଼ ବଡ଼ ଶିଳ୍ପ ଆମ ଦେଶ ଭଳି ସରକାରୀ ବ୍ୟବସାୟ ସେ ଦେଶରେ ନାହିଁ । ଏମିତି କି ପ୍ରାଦେଶିକ ସରକାରମାନେ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପଢ଼ାବହି ବିନାମୂଲ୍ୟରେ ଯୋଗାଉଥିଲେ ମଧ୍ୟ ଖଣ୍ଡିଏ ବହି ସରକାର ନିଜେ ନ ଛାପି ବ୍ୟକ୍ତି ବିଶେଷ ଆକ୍‌ତିଆରରେ ଥିବା ପୁସ୍ତକ ପ୍ରକାଶକଙ୍କ ଠାରୁ କୋଟି କୋଟି ଟଙ୍କାର ବହି କିଣି ଆଣି ପିଲାଙ୍କ ମଧ୍ୟରେ ବାଣ୍ଟନ୍ତି । ସେ ଦେଶର ସରକାର ଇଚ୍ଛା କରିଥିଲେ ନିଜେ ବହିଛାପି ଲକ୍ଷ ଲକ୍ଷ ଟଙ୍କା ବଞ୍ଚେଇ ପାରିଥାନ୍ତେ । କିନ୍ତୁ ତାହା ସେମାନଙ୍କ ସରକାରର ନୀତି ହୋଇ ନଥିବାରୁ ସେମାନେ ତାହା କରି ନାହାନ୍ତି । ବିଭିନ୍ନ ରାଷ୍ଟ୍ରୀୟ ସରକାର ମାନଙ୍କର ଧାରଣା ଯେ ବିଭିନ୍ନ ପ୍ରକାଶକଙ୍କ ଠାରୁ ବହି କିଣିଲେ ପ୍ରତିଯୋଗିତା ଯୋଗୁଁ ବହିର ଖୁବ୍‌ ଉଚ୍ଚରେ ରହିବ, ସରକାର ନିଜେ ଛାପିଲେ ଏକଚାଟିଆ ନୀତି ଓ ମନୋଭାବ ଯୋଗୁଁ ବହିର ମାନ ଅବନତି ଆଡ଼କୁ ଗତି କରିବ ।

 

ଆମେରିକା ବିଭିନ୍ନ ନୀତି, ଆଦର୍ଶ, ପରିଚାଳନା କ୍ଷେତ୍ରରେ ଯାହା ଯାହା କରିଛି, ସେ ଯେ ସବୁ ଭଲ ଏହା କେହି ଚିନ୍ତାଶୀଳ ବ୍ୟକ୍ତି ସ୍ଵୀକାର କରିବ ନାହିଁ । ତା ଛଡ଼ା ସେଗୁଡ଼ିକ ଆମେରିକା ପକ୍ଷରେ ଭଲ ଫଳ ଦେଉଛି ବୋଲି ଯେ ସମସ୍ତଙ୍କ ପକ୍ଷରେ ଭଲ ଫଳ ଦେବ, ଏଥିରେ କୌଣସି ଯୌକ୍ତିକତା ନାହିଁ । ଆମେରିକା ଯେଉଁ ଯେଉଁ ପଦ୍ଧତି ଅନୁସରଣ କରି ଉପରକୁ ଉଠିଛି, ଆମେ ସେହି ସବୁ ପଦ୍ଧତି ସେହିଭଳି ଭାବରେ ଅନୁସରଣ କଲେ ଯେ ଆମେରିକା ଭଳି ଉପରକୁ ଉଠିଯିବୁଁ, ଏହା କହିବା ବାଚାଳତା ମାତ୍ର । ଆମେରିକା ବ୍ୟକ୍ତିଗତ ଉତ୍ପାଦନ, ଅକ୍‌ତିଆର ଓ ପରିଚାଳନାକୁ ଏତେ ଜୋର ଦେଉଥୁଲେ ହେଁ ଆମ ଦେଶରେ ସେମିତି ଜୋର ଦେବା ସମ୍ଭବପର ନୁହେଁ ବୋଲି ଆମ ଦେଶର ବହୁ ଅର୍ଥନୀତି ବିଶାରଦ ମତ ଦିଅନ୍ତି । କାରଣ ଆମେ ଯଦି ଜୋର ଦେଉଁ ଆମ ଦେଶରେ ଭଲଫଳ ଫଳିବା ପରିବର୍ତ୍ତରେ ହୁଏତ ମନ୍ଦଫଳ ହିଁ ଫଳିବ । ଆମ ଦେଶ ପାଇଁ କେଉଁ ନୀତିଟା ଅନୁସରଣୀୟ, ତାହା ଆମ ଦେଶ ପାଇଁ, ଆମ ଜଳବାୟୁ ପାଇଁ, ଆମ ଲୋକଙ୍କ ପାଇଁ ପରୀକ୍ଷା କରି ବାହାର କରିବା ବିଧେୟ । ଆମେରିକାର ପୁଞ୍ଜିଗତ ଅର୍ଥନୀତି, କି ରୁଷିଆର ସାମ୍ୟବାଦୀ ଅର୍ଥନୀତି ଆମ ଦେଶ ପାଇଁ ଗୋଟାସାରା ଭଲ ହୋଇ ନପାରେ । ସେଥିରୁ ଯେଉଁଗୁଡ଼ିକ ଆମ ଦେଶ ପାଇଁ ଉପଯୁକ୍ତ, ବିଭିନ୍ନ ଦିଗରୁ ପରୀକ୍ଷା କରି ଗ୍ରହଣ କରାଯାଇପାରେ । ତେଣୁ ଏ କ୍ଷେତ୍ରରେ ମିଶ୍ରିତ ଅର୍ଥନୀତି ଛଡ଼ା ଆମର ଅନ୍ୟ ଉପାୟ ନାହିଁ । ବହୁ ମାର୍କିନ୍‌ ବନ୍ଧୁ ଓ ବାନ୍ଧବୀଙ୍କୁ ଆମର ଏହି ନୀତିକଥା ବୁଝାଇଲାରୁ ସେମାନେ ଆମ ନିତୀକୁ ବୁଝିବାକୁ ଚେଷ୍ଟା କରନ୍ତି କିନ୍ତୁ କିଛି ମନ୍ତବ୍ୟ ଦିଅନ୍ତିନି । ସେମାନଙ୍କ ଏହିଭଳି ବୁଝାମଣା ମାର୍କିନ-ଭାରତ ସୁସମ୍ପର୍କ ରକ୍ଷା ଦିଗରେ ଯେ ପ୍ରଧାନ ସହାୟକ, ଅନ୍ୟ କେହି ସ୍ଵୀକାର କରୁ ବା ନକରୁ, ଆମେ କିନ୍ତୁ ମତ ପୋଷଣ କରିଥିଲୁଁ ।

 

ଆମେରିକାର ଶାସନନୀତି, ଅର୍ଥନୀତି ଆମ ଦେଶଠାରୁ ଅଲଗା ହୋଇଥିଲେ ହେଁ ସେଥିପ୍ରତି ବିରୁଦ୍ଧ ମତ ପୋଷଣ ନ କରି ଆମେରିକାର ବହୁ ଭଲ ରୀତିନୀତି, ଉନ୍ନୟନ କୃଷି, ଶିଳ୍ପପ୍ରସାର, ବୈଜ୍ଞାନିକ ଗବେଷଣା ଆଦିରୁ ନାନାଦି ଭଲ ଗୁଣ ଆହରଣ କରିବାକୁ ପଡ଼ିବ । ସେମାନଙ୍କର ଯେଉଁଗୁଡିକ ଦୋଷ କି ଦୁର୍ବଳତା, ତାହା ନ ସୂଚାଇଲେ ଆମେରିକାକୁ ଆମ ଲୋକେ ଠିକ୍‌ଭାବରେ ବୁଝି ପାରିବେନି । ତେଣୁ ଆମେରିକାନମାନେ କେଉଁ କେଉଁ ଦିଗରେ କି କି ଭାବରେ ଅଗ୍ରଗତି କରିଛନ୍ତି, ତାହା ଆମ ସମସ୍ତଙ୍କର ଜାଣିବା ଦରକାର । ସେହି ସବୁ ଅଗ୍ରଗତି ମୂଳରେ ଆମେରିକାର କେଉଁ ନୀତି ରହିଛି, ତାହାକୁ ଆଲୋଚନା କରି ତାହାର ଦୋଷ ଦୁର୍ବଳତା କି ବଳିଷ୍ଠତା ହୃଦୟଙ୍ଗମ କରିବା ବାଞ୍ଛନୀୟ ।

 

ପୂର୍ବରୁ ଆଲୋଚନା କରିଛି ଯୁକ୍ତରାଷ୍ଟ୍ର ଆମେରିକା ୫୦ ଗୋଟି ରାଷ୍ଟ୍ରକୁ ଘେନି ଏକ ମିଳିତ ରାଷ୍ଟ୍ର ବା ଫେଡ଼େରାଲ ୟୁନିୟନ । ଫେଡ଼େରାଲ ୟୁନିୟନର ଅର୍ଥ ହେଉଛି ରାଜ୍ୟଗୁଡ଼ିକର ଆଭ୍ୟନ୍ତରୀଣ ଶାସନ ବ୍ୟାପାରରେ ସେମାନଙ୍କର ନିଜ ନିଜ ସ୍ଵାଧୀନତା ରହିଛି, ତେବେ ବୈଦେଶିକ ବ୍ୟାପାର, ଦେଶରକ୍ଷା, ମୁଦ୍ରା ପ୍ରଚଳନ, ଡାକବିଭାଗ ଆଦି ପ୍ରଧାନ କେତୋଟି ବିଭାଗର ପରିଚାଳନା ଭାର କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ଓ କେନ୍ଦ୍ର ସରକାର ସର୍ବୋଚ୍ଚ କ୍ଷମତାର ଅଧିକାରୀ । ଏହି ୫୦ ଗୋଟି ରାଷ୍ଟ୍ର ମଧ୍ୟରୁ ୪୮ ଗୋଟି ରାଷ୍ଟ୍ର ପରସ୍ପରକୁ ଲଗାଲାଗି ହୋଇ ରହିଛନ୍ତି । ଆଉ ବାକି ଦୁଇଗୋଟି ରାଷ୍ଟ୍ର ମଧ୍ୟରୁ ଆଲାସ୍କା ରାଜ୍ୟଟି ଗୋଟିଏ ପାଖରେ କାନାଡ଼ା ଓ ଅନ୍ୟ ପାଖରେ ପ୍ରାୟ ରୁଷିଆକୁ ଲାଗିଛି । ବେରିଂପ୍ରଣାଳୀ ଦୁଇ ପରସ୍ପର ବୋରୋଧୀ ରାଷ୍ଟ୍ରକୁ ସଂଯୋଗ କରୁଛି । ଅନ୍ୟ ରାଜ୍ୟଟି ହେଲା ହାୱାଇ । ଏହା ପ୍ରଶାନ୍ତ ମହାସାଗରର ମଧ୍ୟସ୍ଥଳୀରେ ଅବସ୍ଥିତ । ତେଣୁ ଏ ଦୁଇଟି ରାଜ୍ୟକୁ ମେନ୍‌ଲାଣ୍ଡର ରାଜ୍ୟ ବୋଲି ଧରାଯାଏନି । ଅବଶ୍ୟ ଏ ଦୁଇଟି ରାଜ୍ୟର ସଂଯୋଗ ଏହି ଅଳ୍ପ କେତେ ବର୍ଷ ହେଲା ହୋଇଛି । ତା’ ପୂର୍ବରୁ ଯୁକ୍ତରାଷ୍ଟ୍ର ୪୮ ଗୋଟି ରାଜ୍ୟକୁ ଘେନି ଏକ ସମ୍ମିଳିତ ରାଷ୍ଟ୍ର ଥିଲା । ଆମେରିକାର ଏହି ରାଜ୍ୟଗୁଡ଼ିକୁ ପ୍ରଧାନତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଯଥା:-ଶିଳ୍ପପ୍ରଧାନ ରାଷ୍ଟ୍ର, କୃଷିପ୍ରଧାନ ରାଷ୍ଟ୍ର ଓ ମରୁଭୂମି ରାଜ୍ୟ । ଶିଳ୍ପପ୍ରାଧାନ ରାଜ୍ୟ ଭିତରେ ପଶ୍ଚିମ ଭାଗର କାଲିଫର୍ଣ୍ଣିଆ, ପୂର୍ବ ଭାଗର ନିଉୟର୍କ, ମାସାଚିଉସେଟସ୍‌, କନେକ୍‌ଟିକଟ୍‌, ରୋଡ୍‌ଆୟର୍ଲାଣ୍ଡ, ନିଉଜେରସି, ପେନ୍‌ସିଲ୍‌ଭେନିଆ, ମେରିଲାଣ୍ଡ, ଡିଲାୱାର, ଭାରଜିନିଆ, ୱେଷ୍ଟ ଭାରଜିନିଆ, ଟେନେସି, ଓହାଇଓ, ଇଲିନୟ, ଉଇସ୍‌କନ୍‌ସିନ୍‌, ମିଚିଗାନ୍‌ ଆଦି ପ୍ରଧାନ । ଏହି ରାଜ୍ୟଗୁଡ଼ିକ ଯୁକ୍ତରାଷ୍ଟ୍ରର ଉତ୍ତର-ପୂର୍ବ ଅଂଶ । କୃଷିପ୍ରଧାନ ରାଜ୍ୟଗୁଡ଼ିକ ଭିତରେ ମିନେସୋଟା, ଆଇଓଆ, ମିଜୋରି, ଆରକାନ୍‌ସାସ୍‌, ଲୁଇସିଆନା, ମିସିସିପି, ଆଲାବାମା, ଜର୍ଜ୍ଜିଆ, ନର୍ଥ ଓ ସାଉଥ୍‌ କ୍ୟାରୋଲାଇନ, କାନସାସ୍‌ ଓ-କଲାହୋମ ଆଦି ରାଜ୍ୟ ଅନ୍ତର୍ଗତ । ମରୁଭୂମି ଅନ୍ତର୍ଗତ ରାଜ୍ୟ ଭିତରେ ନେଭେଡା, ଏରିଜେନ, ଟେକ୍‌ସା, ନିଉମେକ୍‌ସିକୋ ଆଦି ରାଜ୍ୟ ପ୍ରଧାନ । ଶିଳ୍ପପ୍ରଧାନ ରାଜ୍ୟରେ କୃଷି ନାହିଁ, କି କୃଷିପ୍ରଧାନ ରାଜ୍ୟରେ ଶିଳ୍ପ ନାହିଁ ବା ମରୁଭୂମି ଅଞ୍ଚଳ ରାଜ୍ୟରେ ଶିଳ୍ପ କି କୃଷି କିଛି ନାହିଁ ଭାବିବା ଅନୁଚିତ । ମରୁଭୂମି ଅଞ୍ଚଳ ରାଷ୍ଟ୍ରମାନଙ୍କରେ ଏକ ସମୟରେ ଶିଳ୍ପ କି କୃଷି କିଛି ନଥିଲା । ସେଗୁଡ଼ିକ ନିହାତି ଅନୁନ୍ନତ, ଅବହେଳିତ ଅବସ୍ଥାରେ ବହୁଦିନ ଧରି ପଡ଼ି ରହିଥିଲା । କିନ୍ତୁ ଏବେ ଏଣିକି ନାନାପ୍ରକାର ନଦୀଯୋଜନା ଫଳରେ ମରୁଭୂମି ରାଜ୍ୟଗୁଡ଼ିକ ଶସ୍ୟଶ୍ୟାମଳା ହେବାକୁ ବସିଲାଣି ଓ ରାଷ୍ଟ୍ରର ସବୁଠାରୁ ଗୋପନୀୟ ଓ ଗୁରୁତ୍ଵପୂର୍ଣ୍ଣ ଶିଳ୍ପଗୁଡ଼ିକ ଏହି ସବୁ ଅଞ୍ଚଳରେ ପ୍ରତିଷ୍ଠିତ ହେଲାଣି ।

 

ଯୁକ୍ତରାଷ୍ଟ୍ର ଆମେରିକାର ଯେଭଳି ପ୍ରାକୃତିକ ବିଭବ, ପୃଥିବୀର ଅନ୍ୟ କୌଣସି ରାଷ୍ଟ୍ରର ସେମିତି ଅଛି କି ନାହିଁ ସନ୍ଦେହ । ଆକାର ତୁଳନାରେ ପୃଥିବୀର ଚତୁର୍ଥ ବୃହତ୍ତମ ରାଷ୍ଟ୍ର ହେଉଛି ଯୁକ୍ତରାଷ୍ଟ୍ର, ଯଦିଚ ପ୍ରଥମ ହେଉଛି ସୋଭିୟେଟ ରୁଷିଆ । ଯୁକ୍ତରାଷ୍ଟ୍ର ଆକାରରେ କାନାଡ଼ାଠାରୁ ଛୋଟ ହେଲେ ହେଁ, ଆକାର ତୁଳନାରେ ଆମ ଦେଶର ପ୍ରାୟ ସାଢ଼େ ତିନିଗୁଣ । ଆକାରରେ ସିନା ଯୁକ୍ତରାଷ୍ଟ୍ର ଆମ ଦେଶର ସାଢ଼େ ତିନିଗୁଣ, କିନ୍ତୁ ଲୋକସଂଖ୍ୟା ତୁଳନାରେ ଆମ ଦେଶର ଲୋକସଂଖ୍ୟା ଯୁକ୍ତରାଷ୍ଟ୍ରର ଲୋକସଂଖ୍ୟାର ପ୍ରାୟ ଅଢ଼େଇ ଗୁଣ । ଏଥିରୁ ଏହି ବିରାଟ ଦେଶର ଲୋକସଂଖ୍ୟା ସ୍ୱଳ୍ପତା ବେଶ୍‌ ପ୍ରତିୟମାନ ହୁଏ ।

 

ବର୍ତ୍ତମାନ ଏହି ବିରାଟ ଧନଶାଳୀ ରାଷ୍ଟ୍ରର ଲୋକସଂଖ୍ୟା ମୋଟେ ଅଠର କୋଟି । ଯୁକ୍ତରାଷ୍ଟ୍ର ଆମେରିକାର ଲୋକସଂଖ୍ୟା ବଢ଼ିବାରେ ଏହାର ଜନ୍ମହାର ସଙ୍ଗେ ସଙ୍ଗେ ପୃଥିବୀର ବିଭିନ୍ନ ଅଞ୍ଚଳରୁ ଏଠାକୁ ବସବାସ କରିବା ପାଇଁ ଚାଲି ଆସୁଥିବା ଲୋକଙ୍କ ସଂଖ୍ୟା କେତେକାଂଶରେ ଦାୟୀ । ଅବଶ୍ୟ ବର୍ତ୍ତମାନ ଏହି ଆଇନ୍‌ ଖୁବ୍‌ କଡ଼ା ହୋଇଛି ଯା ଫଳରେ ଆମେରିକାରେ ନାଗରିକ ଭାବରେ ରହିବା ଅଧିକାର ଖୁବ୍‌ କଷ୍ଟରେ ଦିଆଯାଉଛି । ପୂର୍ବେ ଆମେରିକାରେ ବସବାସ କରିବା ପାଇଁ ଅନୁମତି ପାଇବା ଏତେ ସହଜସାଧ୍ୟ ଥିଲା ଯେ ୧୮୨୦ ମସିହାରୁ ୧୯୫୮ ମସିହା ଭିତରେ ଆମେରିକାକୁ ବାହାରୁ ଚାରିକୋଟିରୁ ଅଧିକ ଲୋକ ଯାଇ ବସତି ସ୍ଥାପନ କରିଥିଲେ । ବର୍ତ୍ତମାନ ଏହା ଏତେ କମ୍‌ ଯେ ୧୯୫୮ ମସିହାରେ ମୋଟେ ତିନିଲକ୍ଷ ଲୋକଙ୍କୁ ବସବାସ କରିବା ପାଇଁ ଅନୁମତି ଓ ସେଥି ସହ ନାଗରୀକତ୍ଵ ଅଧିକାର ଦିଆଯାଇଥିଲା ।

 

ଆମେରିକାର ଜନସଂଖ୍ୟା ବୃଦ୍ଧିର ପ୍ରଧାନ କାରଣ ହେଉଛି ଜନ୍ମହାର ବୃଦ୍ଧି । ଏହି ଜନ୍ମହାର ବୃଦ୍ଧି ଦ୍ଵିତୀୟ ମହାସମର ପରଠାରୁ ବଢ଼ିବାରେ ଲାଗିଛି । ଆମେରିକାର ଯୁବକ ଯୁବତୀମାନେ ଅପେକ୍ଷାକୃତ କମ୍‌ ବୟସରେ ଆଜି କାଲି ବିବାହ କରୁଥୁବାରୁ ଜନ୍ମହାର ବଢ଼ି ଚାଲିବା ସ୍ଵାଭାବିକ । ଆମେରିକାର ଯୁବକ ଯୁବତୀମାନେ ଆଜିକାଲି ଯେତେ କମ୍‌ ବୟସରୁ ବିବାହ କରୁଛନ୍ତି ଆମ ଦେଶକୁ ସେମାନେ ପ୍ରାୟ ବଳିଗଲେଣି । ଏମିତିକି ପନ୍ଦର ଷୋଳ ବର୍ଷର ଝିଅ ଆଜିକାଲି ବିବାହ କରି ପୁଅ ଝିଅର ମା’ ହୋଇଯାଉଛି । ଏମିତି ଅବସ୍ତା ଆମେରିକାରେ ଆଗରୁ ନଥିଲା । ଆମେରିକାର ଜନସଂଖ୍ୟା ବୃଦ୍ଧିର ଆଉ ଏକ କାରଣ ହେଉଛି ମୃତ୍ୟୁହାର କମିଯିବା ହେତୁ-। ଆମେରିକାରେ ଆଜିକାଲି ସାଧାରଣ ରୋଗରୁ ମରିବା ପ୍ରାୟ ଦେଖାଯାଏନି । ପୂର୍ବକାଳ ଅପେକ୍ଷା ମୃତ୍ୟୁହାର ଢେର କମିଯାଇଛି । ଅବଶ୍ୟ ଏଥିପାଇଁ ବୈଜ୍ଞାନିକ ଉନ୍ନତି, ଉନ୍ନତ ଜୀବନ ଯାପନ ପ୍ରଣାଳୀ, ପୁଷ୍ଟିକର ଖାଦ୍ୟ ଅନେକାଂଶରେ ଦାୟୀ । ଏହି ମୃତ୍ୟୁହାର କମିଯିବା ଫଳରେ ବୃଦ୍ଧ ଲୋକଙ୍କ ସଂଖ୍ୟା ଆମେରିକାରେ ଢେର ବଢ଼ି ଯାଇଛି । ତଥାପି ଏସବୁ ସତ୍ଵେ ଆମେରିକାର ଜନସଂଖ୍ୟା ବୃଦ୍ଧି ମୋଟେ ବର୍ଷକୁ ଶତକରା ୧.୮ ଭାଗ, ଆମ ଦେଶର ଜନସଂଖ୍ୟା ବୃଦ୍ଧି ହାର ଠାରୁ ଢେର କମ୍ ।

 

ଆମେରିକାର ଲୋକସଂଖ୍ୟା ଅନ୍ୟ ବଡ଼ ବଡ଼ ଦେଶ ତୁଳନାରେ ଏତେ କମ୍‌ଥିବା ହେତୁ ଏହାର ବିପୁଳ ପ୍ରାକୃତିକ ସମ୍ପଦକୁ ସେମାନେ ଯେଉଁଭଳି ଭାବରେ ଉପଭୋଗ କରୁଛନ୍ତି, ପୃଥିବୀର ଅନ୍ୟ କୌଣସି ଦେଶ ପକ୍ଷରେ ତାହା ବିରଳ । ଆମେରିକାର ବିରାଟ ଅର୍ଥନୈତିକ ଅଭିବୃଦ୍ଧି, ଐଶ୍ଵର୍ଯ୍ୟ ଓ ଧନରତ୍ନ ମୂଳରେ ଏହି ବିରାଟ ପ୍ରାକୃତିକ ସମ୍ପଦ ଯେ ରହିଛି, ଏହା କେହି ଅସ୍ଵୀକାର କରିବେନି । ଆମେରିକାର ପ୍ରାକୃତିକ ସମ୍ପଦକୁ ମୋଟାମୋଟି ପାଞ୍ଚ ଭାଗରେ ବିଭକ୍ତ କରାଯାଇ ପାରେ, ଯଥା-କୃଷି ସମ୍ପଦ, ବନ୍ୟସମ୍ପଦ, ଖଣିଜ ସମ୍ପଦ, ସାଗର ସମ୍ପଦ ଓ ସହଜ ସୁଲଭ ଶକ୍ତି ।

 

ଆମେରିକାର ସମସ୍ତ ଭୂଭାଗରୁ ଶତକଡ଼ା ଚାଳିଶ ଭାଗ ଗୋଚର ଭୂମି ଓ ପଶୁମାନଙ୍କ ଲାଳନ ପାଳନ ପାଇଁ ଉଦ୍ଧିଷ୍ଟ । ଆମେରିକାର ବଡ଼ ବଡ଼ ରାଞ୍ଚ (Ranch) ଯେଉଁଠାରେ ପଶୁମାନଙ୍କୁ ଲାଳନ ପାଳନ କରାଯାଏ ଓ ବଡ଼ ବଡ଼ ଗୋପାଳନ ଫାର୍ମ ଆଦି ଏଥି ଭିତରେ ଅନ୍ତର୍ଗତ । ଶତକରା ଅଠେଇଶ ଭାଗ ଭୂମି ବନ ଆକାରରେ ସଂରକ୍ଷିତ, ବାଇଶ ଭାଗ ମୋଟେ ଚାଷ ଭୂମି ଓ ଶତକରା ଦଶ ଭାଗ ଜମି ଉପରେ ଲୋକଙ୍କ ଘରଦ୍ଵାର, ସହର ବଜାର ଓ ରାସ୍ତାଘାଟ ଆଦି ରହିଛି । ସାଧାରଣ ପାର୍କ, ନନ୍ଦନକାନନ ପାଇଁ ଲକ୍ଷ ଲକ୍ଷ ଏକର ଜମି ଛାଡ଼ି ଦିଆଯାଇଛି । ସାରା ରାଜ୍ୟର ମୋଟେ ଶତକରା ବାଇଶ ଭାଗ ଜମିରେ ଯା’ ଫଳେ, ସେତକକୁ ଖାଇ ବାକିତକକୁ ସାଇତି ରଖିବା ପାଇଁ ଆମେରିକାରେ ଯାଗା ନାହିଁ । ପ୍ରତିବର୍ଷ ସେମାନଙ୍କର ବଳିପଡ଼ୁଥିବା ଖାଦ୍ୟ ପଦାର୍ଥକୁ ସାଇତି ରଖିବା ସେ ଦେଶରେ ଗୋଟିଏ ବଡ଼ ସମସ୍ୟା । କେତେ ବା ସାଇତି ରଖିବେ ? ପ୍ରତି ବର୍ଷ ଯେ ବଳକା ଖାଦ୍ୟ ବଢ଼ି ବଢ଼ି ଚାଲିଛି । ଏହି ସମସ୍ୟାର ଆଂଶିକ ସମାଧାନ ପାଇଁ ସେମାନେ ପ୍ରତ୍ୟେକ ରାଜ୍ୟକୁ ଖାଦ୍ୟ ପଦାର୍ଥ ବାଣ୍ଟୁଛନ୍ତି ।

 

ଖାଲି ସେତିକି ନୁହେଁ, ଆମେରିକାର ମୋଟେ ଶତକରା ଦଶଭାଗ ଲୋକ ଚାଷକାମରେ ନିଯୁକ୍ତି । ବଡ଼ ଆଶ୍ଚର୍ଯ୍ୟ କଥା, ମୋଟେ ଶତକରା ଦଶ ଜଣ ଲୋକ ଏହି କୃଷି କାର୍ଯ୍ୟକରି ସାରା ଦେଶକୁ ଖାଦ୍ୟପଦାର୍ଥ ଯୋଗାଇବା ସଙ୍ଗେ ସଙ୍ଗେ ସାରା ପୃଥିବୀର ବହୁ ଖାଦ୍ୟାଭାବୀ ଦେଶକୁ ଅପର୍ଯ୍ୟାପ୍ତ ଖାଦ୍ୟ ଯୋଗାଉଛନ୍ତି । ତା ଛଡ଼ା ପ୍ରତିବର୍ଷ ଆମେରିକାରେ ଚାଲିଛି ଅଧିକ ଖାଦ୍ୟ ନ ଉପୁଯାଅ ଯୋଜନା, ଆମର ‘ଅଧିକ ଖାଦ୍ୟ ନ ଉପୁଯାଅ ଯୋଜନାଆ’ର ଠିକ୍ ବିପରୀତ । ଆମେରିକା ପ୍ରଧାନତଃ ଏକ ଶିଳ୍ପପ୍ରଧାନ ଦେଶ ହୋଇ କୃଷିରେ କେମିତି ଏଡ଼େ ଶକ୍ତିଶାଳୀ ହୋଇଛି ଆମର ବିଚାର କରିବା କଥା ।

 

ଯେଉଁମାନେ ଆମେରିକା ଯାଇଛନ୍ତି, ସେମାନେ ଗୋଟିଏ କଥା ଲକ୍ଷ୍ୟ କରିଥିବେ ସେମାନଙ୍କ କ୍ଷେତ ଜମି ଆମ ଜମି ଭଳି ଖଣ୍ଡଖଣ୍ଡକିଆ ନୁହେଁ । ଆମ ଦେଶର ଚାଷୀ, କିଏ ଅଧମାଣେ ଚଷୁଛି ତ କିଏ ଦିଚାରି ମାଣ ଚଷୁଛି କି ନାହିଁ । ବେଶି ପରିମାଣର ଜମି ଚଷୁଥିବା ଚାଷୀଙ୍କ ସଂଖ୍ୟା ଢେର କମ୍ । ଚାଷୀ ଯଦି ଚାଷ କରୁଛି, ତେବେ ଜମି ଉପରେ ମାଲିକାନା ନାହିଁ ବୋଲି ମନ ଦେଇ ଚାଷ କରି ପାରୁନି । ତା ଛଡ଼ା ଜମିକୁ ଭଲ ଭାବରେ ଚାଷ କରିବା ପାଇଁ, ଭଲ ଭଲ ଲଙ୍ଗଳ କି ଯନ୍ତ୍ରପାତି ନାହିଁ, କି ଜମିରେ ଖତ ଦେବା ପାଇଁ ତାର ସମ୍ବଳ ନାହିଁ, ଅତିବୃଷ୍ଟି ବା ଅନାବୃଷ୍ଟିରୁ କ୍ଷେତକୁ ରକ୍ଷା କରିବା ପାଇଁ ତାର ସାମର୍ଥ୍ୟ ନାହିଁ, ପୋକ କୀଟ ଯଦି ଲାଗିଲେ ତେବେ ବାର ବର୍ଷର ତପ ଶୁଖୁଆ ପୋଡ଼ାରେ ଗଲାଭଳି ତାର ସବୁଯାକ କ୍ଷେତ ଉଜୁଡ଼ିଗଲା । ଏଇ ହେଲା ଆମ ଦେଶର ଚାଷ ଓ ଚାଷୀ । ତେଣୁ ଏଭଳି ଅବସ୍ତାରେ ଆମେ ଅଧିକ ଶସ୍ୟ ଉତ୍ପାଦନ କରିପାରିବା କେମିତି ବା ଆମ ଦେଶର ଖାଦ୍ୟ ସମସ୍ୟା ସମଧାନ ହେବ କେମିତି ? କିନ୍ତୁ ଆମ ଅବସ୍ଥାର ଠିକ୍ ଓଲଟା ଆମେରିକାରେ । ଆମେରିକାରେ ଥିବା ପ୍ରାୟ ପଚାଶ ଲକ୍ଷ ଫାର୍ମ୍ମରୁ ପ୍ରାୟ ୪୦ ଲକ୍ଷ ଫାର୍ମ୍ମର ମାଲିକାନା ଫାର୍ମ୍ମ ଚାଷ କରୁଥିବା ଲୋକଙ୍କ ହାତରେ ଅଛି । ଏହି ୪୦ ଲକ୍ଷ ଫାର୍ମ୍ମର ମାଲିକ ପ୍ରାୟ ଷାଠିଏ ଲକ୍ଷ ଲୋକ । ଗୋଟିଏ ସାଧାରଣ ଆମେରିକାନ ଫାର୍ମ୍ମର ହାରାହାରି ମୂଲ୍ୟ ହେବ ଲକ୍ଷେ ଟଙ୍କାରୁ ବେଶି ଓ ସେଥିରେ ଥିବା ହାରାହାରି ଜମି ପରିମାଣ ପ୍ରାୟ ଅଢ଼େଇଶହ ଏକର ।

 

ପ୍ରତ୍ୟେକ ଚାଷୀଙ୍କର ଟ୍ରାକ୍ଟର, ବଡ଼ ବଡ଼ ମୋଟର ଗାଡ଼ି ଆଦି ରହିଛି । ତା ଛଡ଼ା ନାନାପ୍ରକାର ଚାଷ ସରଞ୍ଜାମ ଓ ଯାନ୍ତ୍ରିକ ସୁବିଧାମାନ ରହିଛି । ଏମିତି କି ଜଣେ ସାଧାରଣ ଚାଷୀଙ୍କ ଚାଷ ସରଞ୍ଜାମର ମୂଲ୍ୟ ଲକ୍ଷାଧିକ ଟଙ୍କା । ସାରା ଯୁକ୍ତରାଷ୍ଟ୍ରରେ ଥିବା ଚାଷୀଙ୍କ ଏହି ଚାଷ ସରଞ୍ଜାମର ହିସାବ କଲେ ସେଗୁଡ଼ିକର ମୂଲ୍ୟ ହଜାର ହଜାର କୋଟି ଟଙ୍କାରୁ ଅଧିକ ।

 

ଯୁକ୍ତରାଷ୍ଟ୍ରରେ କୃଷିର ଆଉ ଏକ ବିଶେଷତ୍ଵ ହେଉଛି ଯେ ଏହା ପୂରାପୂରି ଯାନ୍ତ୍ରିକ କରଣ ସଙ୍ଗେ ସଙ୍ଗେ ବ୍ୟବସାୟ ରୀତିରେ ପରିଚାଳିତ । ଚାଷରେ ଏତିକି ଟଙ୍କା ଖଟା ଗଲା, ତେଣୁ ସେହି ଅନୁପାତରେ ଏତିକି ଉତ୍ପାଦନ ହେବା ନିତାନ୍ତ ଦରକାର । ତା ଛଡ଼ା ସେ ଦେଶର କୃଷକ ଦେଖେ, ସେ ଯଦି ଟଙ୍କା କୃଷିରେ ନ ଖଟାଇ ଶିଳ୍ପରେ ଯଦି ଖଟାଇ ଥାଆନ୍ତା, ସେ ଯେତିକି ଲାଭ କରିଥାନ୍ତା କୃଷିରେ ଲାଭ ଠିକ୍ ସେହି ପରିମାଣରେ କାହିଁକି ନହେବ’ ସେଥିପାଇଁ ସେ ସର୍ବଦା ମୁଣ୍ଡ ଖେଳାଏ । ତେଣୁ ତା ଚାଷ ପଦ୍ଧତିରେ କେଉଁଠି ଗଲତି ରହି ଯାଉଛି, ସେ କେଉଁ ଅସୁବିଧାକୁ ଦୂର କରିପାରିଲେ କୃଷି ଖୁବ୍‌ ଲାଭଜନକ ହେବ, ସେ କଥା ସେ ସର୍ବଦା ବିଚାରକୁ ନିଏ । କେଉଁ କେଉଁ କୃଷିଜାତ ଦ୍ରବ୍ୟର ଚାହିଦା ଦେଶରେ କେମିତି, ତା ଅଞ୍ଚଳରେ କେମିତି, ସେ ସେଥିପ୍ରତି ନଜର ଦେଇ ସେହି ସବୁ କୃଷିଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ଲାଗିପଡ଼େ । ଆମ ଦେଶରେ ଯେମିତି ଗୋଟିଏ ଜମିରୁ ଗୋଟିଏ ଫସଲ ହାରାହାରି ଉତ୍ପାଦନ କରାଯାଏ, ସେମିତି ପ୍ରାୟ ଆମେରିକାରେ ପାଇବନି । ତା ଛଡ଼ା, ପ୍ରତ୍ୟେକ ଫାର୍ମ୍ମର ଥରକୁ ଥର ମୃତ୍ତିକା ପରୀକ୍ଷା, ବିଶେଷଜ୍ଞମାନଙ୍କ ପରାମର୍ଶରେ ବିଭିନ୍ନ ପ୍ରାକୃତିକ ଓ କୃତ୍ରିମ ସାରର ପ୍ରଚଳନ, ଉନ୍ନତ ବିହନର ବ୍ୟବହାର, ଫସଲର ରୋଗ ନିରାକରଣ ପାଇଁ ନାନାଦି ବ୍ୟବସ୍ଥା, ଅତି ବୃଷ୍ଟି କି ଅନାବୃଷ୍ଟି ଜନିତ ଚାଷ ସମସ୍ୟାକୁ ଦୂର କରିବା ପାଇଁ ନାନାଦି ବ୍ୟବସ୍ଥା ସହିତ ସେ ଦେଶର କୃଷକ ସର୍ବଦା ନିଜକୁ ସଂଶ୍ଳିଷ୍ଟ ରଖିଥାଏ । ଏମିତିକି ଫଳ ଓ ଶସ୍ୟର ଆମଦାନୀ ବଢ଼ାଇବା ପାଇଁ ହରମୋନ୍‌ସ ଆଦିର ବ୍ୟବହାରଠାରୁ ଆରମ୍ଭ କରି ବୃଷ୍ଟି ନ ହେଉଥିବା ଚାଷ ଜମିରେ ମେଘରୁ କୁତ୍ରିମ ଉପାୟରେ ବୃଷ୍ଟି କରାଇବା ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟବସ୍ଥା ଅବଲମ୍ବନ ପାଇଁ ସେମାନେ ଆଗଭର । ମୋଟା ମୋଟି କହିବାକୁ ଗଲେ ଯୁକ୍ତରାଷ୍ଟ୍ରର ଯେଉଁ ଅଳ୍ପ ସଂଖ୍ୟକ ଲୋକ ଚାଷରେ ନିଯୁକ୍ତି ଥାନ୍ତି, ସେମାନେ ଚାଷକୁ ଠିକ୍ ଏକ ଶିଳ୍ପାକାରରେ ନିୟନ୍ତ୍ରଣ କରନ୍ତି, ଯା’ ଫଳରେ ଫସଲ ହାନୀ ଆମେରିକାରେ ପ୍ରାୟ ଦେଖା ଯାଏନି । ଚାଷ ପୂରାପୂରି ବ୍ୟକ୍ତିଗତ ଭାବରେ କରାଯାଏ, ବ୍ୟକ୍ତିଗତ ପୁଞ୍ଜିଦ୍ୱାରା ସେ ଦେଶର କୃଷି ପୂରାପୂରି ପରିଚାଳିତ, ସରକାରଙ୍କର କୌଣସି ସାହାଯ୍ୟ କେବେ ନିଆ ଯାଏନି, ଚାଷୀ ନିଜ ଚାଷ ସଂପର୍କରେ ପୂରାପୂରି ଅଭିଜ୍ଞ, ତେଣୁ ଏଭଳି ପରିସ୍ଥିତିରେ ଆମେରିକାର କୃଷି ଖୁବ୍ ଉନ୍ନତ ହେବ ନାହିଁ ତ ଆଉ କ’ଣ ହେବ ? ବର୍ତ୍ତମାନ ସେ ଦେଶର କୃଷିର ପ୍ରଧାନ ସମସ୍ୟା ହେଉଛି ଅଧିକ ଉତ୍ପାଦନ । ସେମାନେ ବର୍ତ୍ତମାନ ସେମାନଙ୍କ ଜମିରେ ଏତେ ଫଳ ଫସଲ ଫଳାଉଛନ୍ତି ଯେ ସେମାନଙ୍କର ବାର୍ଷିକ ଖରଚ୍ ବାଦ୍ ଯାଇ ଢେର ବଳି ପଡ଼ୁଛି । ପ୍ରତି ବର୍ଷ ଏହି ବଳକା ଫସଲ ଏତେ ବେଶି ଯେ ସେଗୁଡ଼ିକୁ ସାଇତି ରଖିବା ପାଇଁ ସେମାନଙ୍କର ଯାଗା ନାହିଁ ଓ ଏହି ଫସଲ ଆଧିକ୍ୟ ସେମାନଙ୍କ ଦେଶରେ ଏକ ସମସ୍ୟା ହୋଇ ପଡ଼ୁଛି । ଧାନ, ଗହମ, ଯବ, ମକ୍‌କା ଠାରୁ ଆରମ୍ଭ କରି ନାନା ପ୍ରକାର ରବି ଫସଲ ଉତ୍ପାଦନରେ ସେମାନେ ପୃଥିବୀର ବହୁ ଦେଶକୁ ଟପି ଯାଇଛନ୍ତି ।

 

ଏହି ସଂପର୍କରେ ଗୋଟିଏ କଥା କହିଲେ ଅପ୍ରାସଙ୍ଗିକ ହେବ ନାହିଁ । ଆମେରିକାରେ ଅଧିକ ଜମି ଚାଷ ନ କରିବା ପାଇଁ ଏକ ସଂଘ ଅଛି । ଏହି ସଂଘ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଅଧିକ ଜମି ଚଷିବାରୁ ନିବର୍ତ୍ତାଇବା । ମନେକର ଜଣେ କୃଷକ ଶହେ ଏକର ଜମିରେ ଗହମ ଚାଷ କରୁଛି । ହିସାବ କରି ଦେଖାଗଲା ଏଇ ବର୍ଷ ଫସଲ ଶତକରା ଦଶଭାଗ ବଢ଼ିବ । ଉତ୍ପାଦନ ଯଦି ଶତକଡ଼ା ଦଶ ଭାଗ ବଢ଼ିଯାଏ ତେବେ ଗହମର ମୂଲ୍ୟ ଏକ ଦଶମାଂଶ କମିଯିବାର ଆଶଙ୍କା । ଏହି ଗହମ ମୂଲ୍ୟ କମିଗଲେ ବହୁ ଛୋଟ ଛୋଟ ଚାଷୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା । ହୁଏତ ବଡ଼ ବଡ଼ ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇ ନପାରନ୍ତି । ଏହି “ଅଧିକ ନ ଚଷ” ସଂଘରେ ବହୁ ଫାର୍ମ ମାଲିକ କୃଷକ ମେମ୍ବର । ସେମାନେ ବିଭିନ୍ନ ଚାଷୀମାନଙ୍କୁ ଯାଇ ପ୍ରବର୍ତ୍ତାଇବେ, ତୁମେ ଏବର୍ଷ ଗହମ ପାଇଁ ଯା ଚାଷ କରୁଛ, ତା’ଠାରୁ ଏକ ଦଶମାଂଶ କମାଇ ଦିଅ, ଆମେ ମାଣ ପିଛା ତୁମକୁ ଏତେ କ୍ଷତି ପୂରଣ ଦେବୁ । ତୁମେ ସେତକ ଜମିକୁ ପଡ଼ିଆ ରଖ । ଆମେ ଆମେରିକାରେ ଥିଲାବେଳେ ଦେଖିଛୁ ଯେ ଏହିଭଳି ଭାବରେ ଅର୍ଥ ପାଇ ଆମେରିକାର ବହୁ କୃଷକ କେଡିଲାକ୍ ଗାଡ଼ିଠାରୁ ଆରମ୍ଭ କରି ବହୁ ସଉଖୀନ୍‌ ମୂଲ୍ୟବାନ ପଦାର୍ଥ କ୍ରୟ କରିଥିଲେ । ବଡ଼ ବିଚିତ୍ର ବ୍ୟବସ୍ଥା-। ଆମେ ପାଟି କରୁଛୁଁ ଅଧିକ ଖାଦ୍ୟ ଉପୁଜାଅ, ଅଧିକ ଖାଦ୍ୟ ଉପୁଜାଅ, ନୋହିଲେ ଭାରତର ଗଣତନ୍ତ୍ର ଭୁଷୁଡି ପଡ଼ିବ । ତେଣେ ସେମାନେ ପାଟି କରୁଛନ୍ତି ଖାଦ୍ୟ ଉତ୍ପାଦନ କମାଅ, ଖାଦ୍ୟ ଉତ୍ପାଦନ କମାଅ, ନୋହିଲେ ଆମେରିକାର ଅର୍ଥନୀତି ଭାଙ୍ଗି ପଡ଼ିବ । ଏହି ଉଦାହରଣରୁ ଆମେରିକାର କୃଷି କେତେ ଉଚ୍ଚରେ ତାହା ସମସ୍ତେ ଧାରଣ କରି ପାରୁଥିବେ ।

 

କୃଷି ଉତ୍ପାଦନ ଭଳି ଦୁଗ୍‌ଧ ଓ ମାଂସ ଉତ୍ପାଦନରେ ସେମାନେ ପୃଥିବୀର ସବୁ ଦେଶ ଆଗରେ । ଆମେରିକାର ଲୋକସଂଖ୍ୟା ଅନୁପାତରେ ଯେତେ ଦୁଗ୍‌ଧ ଓ ମାଂସ ଉତ୍ପାଦିତ ହୁଏ, ପୃଥିବୀର କୌଣସି ଦେଶ ଆମେରିକାର ସମକକ୍ଷ ହୋଇ ପାରିବନି । ଆମ ଦେଶରେ ଯେମିତି ପ୍ରତ୍ୟେକଙ୍କ ଘରେ ଗାଈ, ଗାଈକୁ ମାଆ, ଦେବତା ବୋଲି ପୂଜା କରୁଁ, ଗାଈ ଗୋବର ସବୁଠାରୁ ପବିତ୍ର ବୋଲି ମନେ କରୁଁ, ଅଥଚ ଗାଈର ସେବା ଯେମିତି କରିବା କଥା କରି ପାରୁନି, ଯା ଫଳରେ ଆମ ଦେଶ ଗାଈ ଅଧପାଏ ଠାରୁ ଅଧ ସେରେ ପର୍ଯ୍ୟନ୍ତ ହାରାହାରି ଦୁଧ ଦିଏ, ସେମିତି ଅବସ୍ଥା ଆମେରିକାରେ ଆଶା କରିବା ବୃଥା । ଗୋପାଳନକୁ ସେମାନେ ଏକ ବ୍ୟବସାୟ ରୀତିରେ ଦେଖନ୍ତି । ଶହ ଶହ, ହଜାର ହଜାର ଗାଈ ରଖି ଲୋକେ ଦୁଗ୍‌ଧ ଉତ୍ପାଦନ ଫାର୍ମ କରନ୍ତି, ବୈଜ୍ଞାନିକ ରୀତିରେ ଗାଈମାନଙ୍କୁ ରଖାଯାଏ, ଭଲ ଖାଦ୍ୟ ପଦାର୍ଥ ଖାଇବାକୁ ଦିଆଯାଏ । ସେମାନଙ୍କୁ ଯେମିତି କିଛି ରୋଗ ନହୁଏ, ସେଥିପ୍ରତି କଡ଼ା ନଜର ଦିଅଯାଏ, ସେମାନଙ୍କ ସ୍ୱାସ୍ଥ୍ୟ ଯେମିତି ମଣିଷ ସ୍ୱାସ୍ଥ୍ୟ ଭଳି ଭଲ ରହେ, ସେଥିପ୍ରତି ଆଖି ରଖି ଫାର୍ମ୍ମ ମାଲିକ ଫାର୍ମ୍ମ ଚଳାଏ । ଫଳରେ ଗୋଟିଏ ଗାଈଠାରୁ ସେମାନେ ମହଣ ମହଣ ପର୍ଯ୍ୟନ୍ତ ଦୁଧ ପ୍ରତିଦିନ ଆମଦାନୀ କରନ୍ତି । ଯୁକ୍ତରାଷ୍ଟ୍ରର ଫାର୍ମ୍ମଗୁଡ଼ିକ ଯାନ୍ତ୍ରିକ ପଦ୍ଧତିରେ ପରିଚାଳିତ । ଗାଈମାନଙ୍କ ଖାଦ୍ୟ ଦେବାଠାରୁ ଆରମ୍ଭ କରି ଦୁଧ ଦୋହିଁବା ପର୍ଯ୍ୟନ୍ତ ସବୁ କିଛି କାମ ଯନ୍ତ୍ର ସାହାଯ୍ୟରେ ଚାଲେ । ଆଜିକାଲି ପ୍ରତ୍ୟେକ ଦୁଗ୍‌ଧ ଫାର୍ମ୍ମରେ ଏହି ଯାନ୍ତ୍ରିକ ପଦ୍ଧତି ବିନା ଫାର୍ମ୍ମ ଚଳାଇବା ସମ୍ଭବପର ନୁହେଁ । ଏହି ଦୁଗ୍‌ଧ ଉତ୍ପାଦନ ଏତେ ବେଶି ହୁଏ ଯେ ଏହି ଦୁଗ୍‌ଧ ସବୁ ବିଶୁଦ୍ଧ ଦୁଗ୍‌ଧ ଭାବରେ ଓ ଦୁଗ୍‌ଧଜାତ ପଦାର୍ଥ ଦହି, ଛେନା, ଲହୁଣୀ ଭାବରେ ସହରମାନଙ୍କୁ ଯାଇ ବିକ୍ରୟ ହୁଏ । ଲୋକମାନେ ଖାଇ ଖାଇ ଏତେ ବଳିପଡ଼େ ଯେ ସେଗୁଡ଼ିକ ଗୁଣ୍ଡ ଦୁଧରେ ପରିଣତ ହୋଇ ପୃଥିବୀର ବହୁ ଦେଶରେ ବଣ୍ଟାଯାଏ । ଆମେରିକାନ ଗୁଣ୍ଡ ଦୁଧ ଆଜି ପୃଥିବୀର ବହୁ ଗରିବ ଦେଶମାନଙ୍କରେ ବଣ୍ଟା ଯାଉଛି । ଆମେରିକାରେ ଯେଉଁ ଆବଶ୍ୟକ ପରିମାଣର ଦୁଗ୍‌ଧ ଦରକାର ତା’ ଠାରୁ ଅଧିକ ଦୁଗ୍‌ଧ ଉତ୍ପାଦିତ୍ତ ହେଉଛି, ଫଳରେ ଏହି ଭଳି ଦାନ ଦେବାଛଡ଼ା ଅନ୍ୟ ଉପାୟ ସେମାନଙ୍କର ନାହିଁ ।

 

ଦୁଗ୍‌ଧରେ ଯେମିତି ଅଧିକ ଉତ୍ପାଦନ, ମାଂସରେ ସେମିତି । ଯୁକ୍ତରାଷ୍ଟ୍ରର ଲୋକମାନେ ଜଣପିଛା ଯେତିକି ମାଂସ ଖାଆନ୍ତି, ପୃଥିବୀର ଅନ୍ୟ କୌଣସି ଦେଶର ଲୋକମାନେ ସେହି ପରିମାଣର ପାଖ ମାଡ଼ିବା ସମ୍ଭବପର ନୁହେଁ । ଯୁକ୍ତରାଷ୍ଟ୍ରରେ ସବୁଠାରୁ ବେଶି ପରିମାଣରେ ଗୋରୁ ମାଂସ ଖରଚ ହୁଏ, ତା’ ତଳକୁ ଘୁଷୁରୀ, ମେଣ୍ଢା ଓ କୁକୁଡ଼ା । ପର୍ବ ପର୍ବାଣିରେ ଟର୍କି୍‌ମାଂସର ପ୍ରଚଳନ ଅଧିକ । ଛେଳି ମାଂସର ନାମଗନ୍ଧ ସେ ଦେଶରେ ନାହିଁ । ସବୁ ପ୍ରକାର ମାଂସ ଭିତରୁ ଗୋରୁମାଂସର ମୂଲ୍ୟ ସର୍ବାଧିକ ଓ କୁକୁଡ଼ା ମାଂସ ସବୁଠାରୁ ଶସ୍ତା । ଆମେରିକାନମାନେ ବିଶେଷ କୁକୁଡ଼ା ମାଂସ ପ୍ରିୟ ନୁହନ୍ତି । ଗୋରୁ ମାଂସ ହେଲା ସେମାନଙ୍କର ସବୁଠାରୁ ପ୍ରିୟ । ଭଲ ଭଲ ଦାମୁଡ଼ି ଓ ଅଣ୍ଡିରା ବାଛୁରି ସାଧାରଣତଃ ହଣା ଯାଇ ମାଂସ ଆକାରରେ ବଜାରକୁ ଆସେ । ବେଶି ବୟସର ଗୋରୁର ମାଂସକୁ ସେମାନେ ସାଧାରଣତଃ ଖାଆନ୍ତିନି । ସେମାନଙ୍କର ଯେତେକ ଗୋସଂପଦ ଅଛି, ସେଥିରୁ ମାଇ ଅଧିକ ଗାଈ ଭାବରେ ଲାଳିତ ପାଳିତ ହୋଇ ଦୁଗ୍‌ଧ ଉତ୍ପାଦନରେ ବ୍ୟବହୃତ ହୁଅନ୍ତି । ଅଣ୍ଡିରା ଅଧକ କେବଳ ହଣା ହେବାପାଇଁ ରଖାଯାଇଥାନ୍ତି । କାରଣ ଆମ ଦେଶ ଭଳି ବଳଦ କରି ସେଗୁଡ଼ିକୁ କାମରେ ଲଗାଇବା ସେ ଦେଶରେ ନାହିଁ । ତେଣୁ ସେ ଅଧକୁ ଖାଇବା ଛଡ଼ା ଅନ୍ୟ କେଉଁଥିରେ ବ୍ୟବହାର କରିହେବ ?

 

ମାଂସ ପାଇଁ ଦରକାର ହେଉଥିବା ଏହି ଗୋରୁ, ମେଣ୍ଢା ଘୁଷୁରୀ, ଆଦିର ଉତ୍ପାଦନ ସାଧାରଣତଃ ଆମେରିକାର ପଶ୍ଚିମ ଉପକୂଳରେ ଥିବା ରାଞ୍ଚ (Ranch) ମାନଙ୍କରେ ଚାଲେ । ପଶୁମାନେ ଟିକିଏ ବଡ଼ ହୋଇଗଲେ ରାଞ୍ଚରୁ ଆସି ଆମେରିକାର ମଧ୍ୟଭାଗରେ ଥିବା ଫାର୍ମ୍ମମାନଙ୍କରେ ଲାଳିତପାଳିତ ହୋଇ ବଡ଼ ହୁଅନ୍ତି । ସେଠାରେ ସେମାନଙ୍କ ଚର୍ବି ବଢ଼ିବା ଓ ପୃଥୁଳ ମାଂସ ହେବା ପାଇଁ ମକ୍‌କା, ଯବ ଆଦି ଖାଦ୍ୟ ସେମାନଙ୍କୁ ଖାଇବାକୁ ଦିଆଯାଏ । ସେମାନଙ୍କ ଆକାର ଓ ବୟସ ସୁସ୍ଵାଦୁ ମାଂସ ଉପଯୋଗୀ ହେଲାକ୍ଷଣି ସେଗୁଡ଼ିକ ଜନବହୁଳ ପୂର୍ବ ଉପକୂଳକୁ ଅଣାଯାଇ ସେଠାରେ ହଣାଯାନ୍ତି ଓ ସେମାନଙ୍କ ମାଂସ ବଜାରକୁ ବିକ୍ରୟ ହେବା ପାଇଁ ଆସେ ।

 

ଦେଶର ବିଭିନ୍ନ ସ୍ଥାନରେ ଅସଂଖ୍ୟ କୁକୁଡ଼ା ଫାର୍ମ୍ମମାନ ରହିଛି । ସେଠାରୁ ଅପର୍ଯ୍ୟାପ୍ତ ପରିମାଣର କୁକୁଡ଼ା ଅଣ୍ଡା ଓ କୁକୁଡ଼ା ମାଂସ ବଜାରକୁ ଆସେ । କୁକୁଡ଼ା ଉତ୍ପାଦନରେ ଆମେରିକା ଏତେ ଅଗ୍ରଗତି କରିଛି ଯେ, ଆମେରିକାରୁ ଅପର୍ଯ୍ୟପ୍ତ ପରିମାଣର କୁକୁଡ଼ା ଇଂଲଣ୍ଡ ଓ ଇଉରୋପର ଅନ୍ୟାନ୍ୟ ବହୁ ଦେଶକୁ ରତ୍ପାନୀ ହୋଇ ସେ ସବୁ ଦେଶର କୁକୁଡ଼ା ମାଂସର ଦରକୁ ଢେର କମାଇ ଦେଇଛି । କିଛିବର୍ଷ ତଳେ କୁକୁଡ଼ା ମାଂସ ଇଉରୋପରେ ଦୁର୍ମୂଲ୍ୟ ମାଂସ ଭାବରେ ଧନୀ ଲୋକଙ୍କ ଖାଦ୍ୟ ସାମଗ୍ରୀ ଭାବରେ ଖ୍ୟାତି ଲଭିଥିଲା, କିନ୍ତୁ ଆଜିକାଲି ଜନସାଧାରଣଙ୍କ ଖାଦ୍ୟ ଭାବେରେ ଏହା ବ୍ୟବହୃତ ହେଲାଣି । ଅମେରିକାରେ ମାଂସର ଏତାଦୃଶ ପ୍ରାଚୁର୍ଯ୍ୟ ଯୋଗୁଁ ଆମେରିକାନମାନେ ଗୋଟିଏ ଗୋଟିଏ ବଖତ୍‌ରେ ଯେତେ ମାଂସ ଖାଆନ୍ତି, ଆମେ ଦେଖିଲେ ଆଖି ବୁଜି ପକାଇବା ।

 

ମାଂସଭଳି ମାଛର ଉତ୍ପାଦନ ମଧ୍ୟ ଅତ୍ୟନ୍ତ ବେଶି । କଡ୍, ହାଲିବୁଟ୍, ଚିଙ୍ଗୁଡ଼ି ମାଛଠାରୁ ଆରମ୍ଭ କରି ଗେଣ୍ଡା, ଶାମୁକା ପର୍ଯ୍ୟନ୍ତ ସାମୁଦ୍ରିକ ଜୀବ ଆମେରିକାମାନଙ୍କ ଅତି ପ୍ରିୟ । ଆମେରିକାରେ ଶାମୁକାର ଲୋକ ପ୍ରିୟତା ଦେଖିଲେ ଯେ କେହି ଲୋକ ତାଟଙ୍ଗା ହୋଇଯିବ । ତା’ ଛଡ଼ା ମଧୁର ପାଣି ମାଛ ଅଛି । ରୋହି, ଭାକୁଡ଼, ଛୋଟ ଛୋଟ ଚିଙ୍ଗୁଡ଼ି, ପୋହଳା ମାଛ, ଇଲିଶି ମାଛର ବ୍ୟବହାର ମଧ୍ୟ ସ୍ଥାନ ବିଶେଷରେ ଅଛି ।

 

ଧାନ, ଚାଉଳ ଗହମ ବାର୍ଲିଠାରୁ ଆରମ୍ଭ କରି ନାନାଦି ରବି ଶସ୍ୟ, ମାଛ, ମାଂସ, ଅଣ୍ଡା, ଦୁଧ, ପନିପରିବା, ଶକସବ୍‌ଜି, ଫଳମୂଳରେ ଆମେରିକା ଯେଉଁ ଶୀର୍ଷ ସ୍ଥାନକୁ ଉଠିଛୁ, ଏହା ମୂଳରେ ବ୍ୟକ୍ତିଗତ ଓ ବ୍ୟକ୍ତି ଅକ୍ତିଆର ପ୍ରଚେଷ୍ଟା ଓ ବ୍ୟବସାୟୀ ମନୋଭାବ ଯେ କାର୍ଯ୍ୟ କରୁଛି, ଏହା କେହି ଅସ୍ଵୀକାର କରିବେନି । ଆମର ଯେଉଁ ପୁରୁଣା ଶ୍ଳୋକ ଥିଲା “ବାଣିଜ୍ୟେ ବସତେ ଲକ୍ଷ୍ମୀ, ତଦ୍‌ର୍ଦ୍ଧଂ କୃଷି କର୍ମ୍ମଣୀ”, ଏହି ଶ୍ଳୋକକୁ ସେମାନେ ଭୁଲ ବୋଲି ପ୍ରମାଣ କରିବାକୁ ପ୍ରସ୍ତୁତ । କୃଷି ଉତ୍ପାଦନରେ ବାଣିଜ୍ୟ ବା ଶିଳ୍ପ ଭଳି ଯତ୍ନ ନିଆଯାଏ, ତେବେ କୃଷିରୁ ବାଣିଜ୍ୟ ବା ଶିଳ୍ପ ଭଳି ଲାଭ ହେବ । ଆମେରିକା କାହିଁକି ଓ କେମିତି ଖାଦ୍ୟପଦାର୍ଥ ଉତ୍ପାଦନରେ ଏତେ ଅଗ୍ରଗତି କରିଛି, ସେମାନଙ୍କର ଏହି ମନୋଭାବକୁ ବିଶ୍ଳେଷଣ କଲେ ସେମାନଙ୍କର ଅପୂର୍ବ କୃତକାର୍ଯ୍ୟତାର ଅସଲ ବୀଜ ଟିକକ ଆମେ ପାଇ ପାରିବା ।

 

ଆମେରିକା ଯେମିତି କୃଷି ଓ ଖାଦ୍ୟପଦାର୍ଥ ଉତ୍ପାଦନରେ ପୃଥିବୀର ଶ୍ରେଷ୍ଠ ସ୍ଥାନକୁ ଉଠିଛି, ଖଣିଜ ଉତ୍ପାଦନରେ ଆମେରିକା ସମକକ୍ଷ ହେଲାଭଳି ଦେଶ ପୃଥିବୀରେ ନାହିଁ । ଆମେରିକାରେ ପ୍ରାୟ ୮୬ ପ୍ରକାରର ଦରକାରୀ ଖଣିଜ ପଦାର୍ଥ ମିଳେ । ସେହି ସବୁ ଖଣିଜ ପଦାର୍ଥ ମଧ୍ୟରେ କୋଇଲା, ଲୁହା, ପେଟ୍ରୋଲିୟମ୍, ତମ୍ବା, ସୀସା, ଦସ୍ତା, ରୂପା, ଟଙ୍ଗ୍‌ଷ୍ଟେନ, ମଲିବ୍‌ଡିନମ୍, ସୁନା, ପାରଦ, ଗନ୍ଧକ, ପୋଟାସିୟମ ଲବଣ, ସ୍ଳେଟ୍, ଚୁନ, ଫସପେଟ୍ ପଥର ଆଦି ପ୍ରଧାନ । ଲୁହା, ପେଟ୍ରୋଲିୟମ୍, କୋଇଲା, ତମ୍ବା, ସୀସା ଓ ଦସ୍ତା ଉତ୍ପାଦନରେ ପୃଥିବୀର ବୃହତ୍ତମ ରାଷ୍ଟ୍ର ଭାବରେ ପରିଚିତ । ୧୯୫୫ ମସିହାରେ ଯୁକ୍ତରାଷ୍ଟ୍ର ହାରାହାରି ଦଶକୋଟି ଟନ୍ ଖଣିଜ ଲୁହା ଉତ୍ପାଦନ କରିଥିଲା । ପ୍ରତିବର୍ଷ ଆମେରିକାରେ ପ୍ରାୟ ପଚାଶ କୋଟି ଟନ୍ କୋଇଲା ଉତ୍ପାଦିତ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାର ପେଟ୍ରୋଲିୟମ୍ ଉତ୍ପାଦନ ମଧ୍ୟ ଖୁବ୍ ବିରାଟ । ପ୍ରତିବର୍ଷ ୨୫୦ କୋଟିରୁ ଉର୍ଦ୍ଧ୍ଵ ବେରେଲ୍ ପେଟ୍ରୋଲିୟମ୍ ଉତ୍ପାଦିତ ହୁଏ । ୧୯୫୭ ମସିହାରେ ଆମେରିକାରେ ଏଗାର ଲକ୍ଷ ମହଣ ତମ୍ବା, ୫୫ କୋଟି ଟନ୍ ସୀସା ଓ ୧୦ ଲକ୍ଷ ଟନ୍ ଦସ୍ତା ଉତ୍ପାଦିତ ହୋଇଥିଲା । ଏହିଥିରୁ ଆମେରିକାର ଖଣିଜ ସମ୍ପଦର ବିରାଟତା ସହଜରେ ଅନୁମେୟ ହୁଏ । ଆମେରିକାର ଏହି ବିରାଟ ଖଣିଜ ସମ୍ପଦ, ଶିଳ୍ପ ଉତ୍ପାଦନରେ ବ୍ୟବହୃତ ହୁଏ । ସେମାନେ ଆମ ଦେଶ ଭଳି ଖଣିଜ ପଦାର୍ଥକୁ ଖାଲି ବିକ୍ରୟ କରନ୍ତିନି । ଏହି ସବୁ ଖଣିଜ ପଦାର୍ଥରୁ ହଜାର ହଜାର ପ୍ରକାର ଶିଳ୍ପଜାତ ପଦାର୍ଥ ପ୍ରସ୍ତୁତ କରି ଆମେରିକା ବଜାରରେ ବିକ୍ରୟ କରେ । ତେଣୁ ଆମେରିକାର ଏହି ବିରାଟ ଖଣିଜ ପଦାର୍ଥ ଓ ପୂର୍ବୋକ୍ତ କୃଷିଜାତ ପଦାର୍ଥକୁ ବ୍ୟବହାର କରି ଆମେରିକାର ଶିଳ୍ପ କାରଖାନା ଯେ ଆଶାତୀତ ଭାବରେ ବୃହତ୍ ଓ ବିରାଟ ହୋଇଥିବ, ଏଥିରେ ତିଳେମାତ୍ର ସନ୍ଦେହ କରିବାର ନାହିଁ ।

 

ଅମେରିକାର ବିରାଟ ଶିଳ୍ପପ୍ରସାର ପାଇଁ ଖାଲି ଯେ ଏହି ଖଣିଜ ପଦାର୍ଥ ଓ କୃଷିଜାତ ପଦାର୍ଥ ଦାୟୀ ତା ନୁହେଁ, ସେଥିସହ ଆମେରିକାର ଯେଉଁ ପ୍ରାଚୁର୍ଯ୍ୟଭରା ପ୍ରାକୃତିକ ସମ୍ପଦ ରହିଛି, ସେହି ସମ୍ପଦ ହିଁ ଆମେରିକାର ଶିଳ୍ପ ସମୃଦ୍ଧି ମୂଳରେ ଅଦୃଶ୍ୟ ଭାବରେ କାର୍ଯ୍ୟ କରୁଛି, ଏହା କେହି ଅସ୍ଵୀକାର କରିବେନି । ଆମେରିକାର ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଭିତରେ ସୁନାବ୍ୟା ନଦନଦୀ, ଆମଦାନୀ ଓ ରପ୍ତାନି ପାଇଁ ବହୁ ଉତ୍କୃଷ୍ଟ ପ୍ରାକୃତିକ ବନ୍ଦର, ଶସ୍ତା ବିଦ୍ୟୁତ୍‌ ଉତ୍ପାଦନ ପାଇଁ ନାନା ଜଳପ୍ରପାତ ଶିଳ୍ପ କରଖାନ ପାଇଁ ଆବଶ୍ୟକୀୟ ଜଳବାୟୁ, ସୁସ୍ଥ ସବଳ କାର୍ଯ୍ୟନୁରାଗୀ ଶ୍ରମିକ ଓ ସର୍ବୋପରି କୌଣସି ଜିନିଷ ପାଇଁ ବହିର୍ଦେଶ ଉପରେ ନିର୍ଭର ନ କରିବା ସୁଯୋଗ, ଆମେରିକାର ଏହି ବିରାଟ ଶିଳ୍ପ ପ୍ରଗତି ମୂଳରେ ଯେ ରହିଛି, ଏହାକୁ ଉଡ଼ାଇ ଦେଇ ହେବନି । ସେଥିସହ ଶସ୍ତା ଜଳ ଓ ତାପ ବିଦ୍ୟୁତ୍‌ ପାଇଁ ନାନାଦି ଜଳ ଓ ତାପ ବିଦ୍ୟୁତ୍‌ଯୋଜନା, ଦେଶର ସହର, ମୋଫସଲ, ଖଣିଜାଞ୍ଚଳ, ଶିଳ୍ପାଞ୍ଚଳ ଭିତରେ ଅସଂଖ୍ୟ ଯାତାୟାତ ଉପଯୋଗୀ ରେଳପଥ, ସଡ଼କ, ଶିଳ୍ପଜ୍ଞାନକୁ ପ୍ରସାର କରିବା ଦିଗରେ ନାନାଦି ବୈଜ୍ଞାନିକ ଗବେଷଣାନୁଷ୍ଠାନ ଓ ଶିଳ୍ପଜାତ ପଦାର୍ଥକୁ ବିକ୍ରୟ କରିବା ପାଇଁ ଦେଶ ବାହାରେ ଓ ଦେଶ ଭିତରେ ବିରାଟ ବଜାର ଓ ସର୍ବୋପରି ବ୍ୟକ୍ତିଗତ ପ୍ରଚେଷ୍ଟା ଓ ଅକତିଆରରେ ଖେଳୁଥିବା ପୁଞ୍ଜି ଯେ ଏହି ଶିଳ୍ପ ପ୍ରସାରରେ ପ୍ରଧାନ ଭୂମିକାମାନ ଅଭିନୟ କରୁଛି, ଏହା ଅସ୍ଵୀକାର କରାଯାଇ ନପାରେ ।

 

ଆମେରିକାର ଶିଳ୍ପ ପ୍ରସାର ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଏହି ସବୁ କେତୋଟି ବିଷୟରେ ଆଲୋଚନା କରିବା ଏକାନ୍ତ ବିଧେୟ । ଆମେରିକାର ବିରାଟ ଆଭ୍ୟନ୍ତରୀଣ ଜଳପଥ ଭିତରେ ମିସସିପି ନଦୀ ଓ ଏହାର ବହୁ ଉପନଦୀ ଓ ଅନ୍ୟାନ୍ୟ ନଦୀମାନ ରହିଛି । ଏହି ସବୁ ନଦନଦୀ ଦେଇ ଆମେରିକାର ବିରାଟ କଞ୍ଚାମାଲ ଓ ପଣ୍ୟଦ୍ରବ୍ୟ ଯାତାୟାତ କରେ । ତା’ ଛଡ଼ା ଆମେରିକାର ଦୁଇ ତୃତୀୟାଂଶ କଞ୍ଚାମାଲ ଓ ପଣ୍ୟଦ୍ରବ୍ୟ ଉତ୍ତର ଭାଗରେ ଥିବା ବିରାଟ ପଞ୍ଚହ୍ରଦ ଦେଇ ଯା’ଆସ କରେ । ଏହି ପଞ୍ଚହ୍ରଦରୁ ଆଟଲାଣ୍ଟିକ ମହାସାଗର ଭିତରକୁ ଜାହାଜ ଯାତାୟତ ପାଇଁ ସେଣ୍ଟେଲରେନ୍‌ସ ନଦୀ ଓ ପଥ ଏକ ପ୍ରଧାନ ଭୂମିକା ଅଭିନୟ କରୁଛି । ତା’ଛଡ଼ା ଆମେରିକା ଭିତରେ ଆହୁରି ଢେର ଛୋଟ ବଡ଼ ନଦୀ ଓ କେନାଲ ଏହି ମାଲପତ୍ର ନେବା ଆଣିବାରେ ଖୁବ୍ ସାହାଯ୍ୟ କରେ ।

 

ଆମେରିକାର ସମୁଦ୍ର ଉପକୂଳର ଗୋଟିଏ ଷ୍ଟେଟରୁ ଆଉ ଏକ ଷ୍ଟେଟକୁ ଯିବାପାଇଁ ଉପକୂଳ ପଥ (Inter Coastal Sea-way) କାର୍ଯ୍ୟ କରୁଛି । ଏହି ପଥଦେଇ ଆମେରିକାର ବହୁ କଞ୍ଚାମାଲ ଓ ପଣ୍ୟଦ୍ରବ୍ୟ ଗୋଟିଏ ଉପକୂଳ ରାଜ୍ୟରୁ ଅନ୍ୟ ଏକ ଉପକୂଳ ରାଜ୍ୟକୁ ସ୍ଥାନାନ୍ତରିତ ହୁଏ । ନିଉୟର୍କ, ବଲ୍‌ଟିମୋର୍, ବୋଷ୍ଟନ୍, ସାନ୍‌ଫ୍ରାନ୍‌ସିସ୍କୋ ଆଦି ଯେଉଁ ସବୁ ବଡ଼ ବଡ଼ ପୃଥିବୀ ପ୍ରସିଦ୍ଧ ଉତ୍କୃଷ୍ଟ ପ୍ରାକୃତିକ ବନ୍ଦରମାନ ରହିଛି, ଦେଶରେ ପଣ୍ୟଦ୍ରବ୍ୟ ରପ୍ତାନୀରେ ଏଗୁଡ଼ିକ କମ୍‌ ସାହାଯ୍ୟ କରି ନାହାନ୍ତି । ଏହି ରପ୍ତାନି ବାଣିଜ୍ୟ ଦେଶକୁ ବୋହି ଆଣିଛି ବିଦେଶରୁ ଅସୁମାରି ଧନ, ଯେଉଁ ଧନ ଆମେରିକାର ଶିଳ୍ପ ପ୍ରସାରରେ ମେରୁଦଣ୍ଡ ଭାବରେ କାର୍ଯ୍ୟ କରୁଛି ।

 

ଜଳପଥରେ ରପ୍ତାନି-ଆମଦାନୀ ବ୍ୟବସ୍ଥା ସହିତ ସ୍ଥଳପଥରେ ଏହି ବ୍ୟବସ୍ଥା କମ୍ ବ୍ୟାପକ ନୁହେଁ । ଆମେରିକାର ଶିଳ୍ପ ବାଣିଜ୍ୟ ପ୍ରସାରରେ ଏହି ସ୍ଥଳପଥ, ଯାନବାହାନ ଓ ରପ୍ତାନି-ଆମଦାନୀ ବ୍ୟବସ୍ଥା କମ୍‌ କାର୍ଯ୍ୟ କରିନି । ଆମେରିକାରେ ରେଳପଥର ପ୍ରସାର ଅତ୍ୟଧିକ । ଛୋଟବଡ଼ ପ୍ରତ୍ୟେକ ସହର ଓ ବହୁ ଗ୍ରାମ ରେଳସଡ଼କ ଦ୍ୱାରା ସଂଯୁକ୍ତ । ଆମେରିକାରେ ରେଳ ଚଳାଚଳ ପୂର୍ବପରି ବ୍ୟକ୍ତିଗତ କମ୍ପାନୀମାନଙ୍କ ଦ୍ଵାରା ପରିଚାଳିତ । ଆମେରିକାରେ ଅର୍ଦ୍ଧେକରୁ ବେଶି ମାଲପତ୍ର ଏହି ରେଳରାସ୍ତା ଦେଇ ଯାତାୟତ କରେ । ବିଭିନ୍ନ ଅଲଗା ଅଲଗା କମ୍ପାନୀ ଯୁକ୍ତରାଷ୍ଟ୍ରର ଏହି ବିରାଟ ସଂସ୍ଥାକୁ ପରିଚାଳନା କରନ୍ତି । ରେଳଯୋଗେ ଯାତ୍ରୀ ଯିବା ଆସିବା ଢେର କମି ଯାଇଥିଲେ ହେଁ, ଏହି ମାଲପତ୍ର ବୁହାବୁହି ଯୋଗୁଁ ଏହି ବିରାଟ ସଂସ୍ଥାଟି ଯଥାକଥା ବଞ୍ଚି ରହିଛି-। ମାଲ ବୁହାବୁହି ନଥିଲେ ରେଳ କମ୍ପାନୀଗୁଡ଼ିକ କେଉଁଦିନରୁ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇ ସାରନ୍ତେଣି । ଏହି ରେଳ ବିଭାଗରେ ଆମେରିକାର ଯେତେ ମୂଳଧନ ଖଟା ଯାଇଛି, ସେହି ବିରାଟ ମୂଳଧନ ତୁଳନାରେ ଯାହା ଆୟ ହୁଏ, ତାହା କିଛି ନୁହେଁ । ମାର୍କିନ ସରକାରଙ୍କ ଆର୍ଥିକ ସାହାଯ୍ୟ ବେଳେ ବେଳେ ମିଳୁ ନଥିଲେ ବହୁ ରେଳଲାଇନ ବନ୍ଦ ହୋଇ ସାରନ୍ତାଣି-। ପ୍ରକାଶ ଥାଉକି ଦିନକୁ ଦିନ ଆମେରିକାର ବହୁ ରେଳ କମ୍ପାନୀ ବନ୍ଦ ହୋଇ ଯାଇଛି । ଆକାଶ ପଥ, ବସ ଓ କାର ଯୋଗେ ଲୋକମାନେ ଅପେକ୍ଷାକୃତ ଅଧିକ ଯାତାୟତ କରୁଥିବାରୁ ଆମେରିକାରେ ରେଳ ଯାତାୟତ ଅବସ୍ଥା ଏତେ କ୍ଷୀଣ ହୋଇ ପଡ଼ୁଛି । ଆମେରିକାର ରେଳପଥର ପରିମାଣ ହେଉଛି ଦୁଇ ଲକ୍ଷ ମାଇଲରୁ ଅଧିକ, ଆମ ଦେଶ ରେଳପଥର ବହୁଗୁଣ । ହେଲେ ହାରାହାରି ଆୟ ଯା ହେଉ ପଛକେ ଲାଭ ପ୍ରାୟ କିଛି ନୁହେଁ ।

 

ମାଲପତ୍ର ଓ ଯାତ୍ରୀମାନଙ୍କୁ ସ୍ଥାନାନ୍ତରୀକରଣରେ ବସ୍‌ର ଭୂମିକା ଆଜିକାଲି ଢେର ବଢ଼ି ଯାଇଛି । ଆମେରିକାରେ ବର୍ତ୍ତମାନ ଚାରିହଜାରରୁ ଉର୍ଦ୍ଧ୍ଵ ବସ କୋମ୍ପାନୀ କାର୍ଯ୍ୟ କରୁଛି । ଅଢ଼େଇ ଲକ୍ଷରୁ ଅଧିକ ବସ ପ୍ରତିଦିନ ଯାତାୟତ କରୁଛି ଆମେରିକାର ପ୍ରତି ସହର ଓ ଗ୍ରାମ ଭିତରେ । ତା’ ଛଡ଼ା ଆମେରିକାର ପ୍ରାୟ କୋଟିଏ ଛୋଟ ଛୋଟ ସ୍କୁଲ ପିଲାଙ୍କୁ ଦେଢ଼ ଲକ୍ଷ ବସ୍‌ ପ୍ରତିଦିନ ବିନା ପଇସାରେ ନେବାଆଣିବା କରୁଛି । ଆମେରିକାର ବିଭିନ୍ନ ସହରରେ ଥିବା ଭୂଇଁତଳ ରେଳ ଓ ଷ୍ଟ୍ରୀଟ୍‌ କାର୍‌ରେ ପ୍ରତିଦିନ ସାଢ଼େ ସାତ କୋଟି ଲୋକ ଯା ଆସ କରନ୍ତି । ମାଲପତ୍ର ନେବା ଆଣିବା କରିବାରେ ପ୍ରାୟ କୋଟିଏ ଟ୍ରକ୍‌ ଆମେରିକାର ଯାତାୟତ କରୁଛି ଓ ଏଥିରେ ପ୍ରାୟ ସତୁରୀ ଲକ୍ଷ ଲୋକ ନିଯୁକ୍ତି ହୋଇଛନ୍ତି । ପ୍ରତିଦିନ ଏହି ଟ୍ରକଗୁଡ଼ିକ ପ୍ରାୟ ବାରଶହ କୋଟି ମାଇଲ ରାସ୍ତା ଅତିକ୍ରମ କରନ୍ତି । ଆମେରିକାରେ ଥିବା ରାସ୍ତାର ପରିମାଣ ହେଉଛି ୩୦ ଲକ୍ଷ ମାଇଲରୁ ଅଧିକ ଓ ଏହି ରାସ୍ତା ଉପରେ ଉପରୋକ୍ତ ପରିମାଣର ବସ୍‌ ଓ ଟ୍ରକ ଯାତାୟାତ କରେ । କୃଷିଜାତ ପଦାର୍ଥଠାରୁ ଆରମ୍ଭ କରି ଶିଳ୍ପଜାତ ପଦାର୍ଥ ପର୍ଯ୍ୟନ୍ତ ସବୁପ୍ରକାର ପଦାର୍ଥ ସ୍ଥାନାନ୍ତରୀକରଣରେ ଏହି ଟ୍ରକ ଓ ବସ୍‌ର ଭୂମିକା ଖୁବ୍ ଅଧିକ । ଆମେରିକାର ଟ୍ରକଗୁଡ଼ିକ ଖୁବ୍ ବିରାଟ, ଆମ ଦେଶର ଟ୍ରକ ତୁଳନାରେ ଢେର ବଡ଼ ।

 

ଉଡ଼ାଜାହାଜ ଯୋଗେ ଯାତ୍ରୀ ଓ ମାଲ ସରବରାହ ଆମେରିକାରେ କିଛି କମ୍‌ ନୁହେଁ । ଆମେରିକାରେ ବ୍ୟକ୍ତିଗତ ପରିଚାଳନାରେ ବହୁ ଉଡ଼ାଜାହାଜ କମ୍ପୋନି ଅଛନ୍ତି । ଆମେରିକାର ଯେଉଁ ଦୁଇଟି ବୃହତ୍ତମ ଉଡ଼ାଜାହାଜ କମ୍ପୋନୀ ଅଛନ୍ତି, ପାନ ଆମେରିକାନ ଓ ଟ୍ରାନସ୍‌ ଓରଲଡ ଏୟାରଲାଇନସ୍‌, ସେମାନଙ୍କ ମୂଳଧନ ଓ ବ୍ୟବସାୟ ପ୍ରସାର ଆଗରେ ପୃଥିବୀର କୌଣସି ଉଡ଼ାଜାହାଜ କମ୍ପୋନୀ ଠିଆ ହୋଇ ପାରିବନି । ପୃଥିବୀର ସବୁ ଉଡ଼ାଜାହାଜ କମ୍ପୋନୀକୁ ଏକାଠି କଲେ ଏ ଦୁଇଟି ସହିତ ସମକକ୍ଷ ହେବେ କି ନାହିଁ ସନ୍ଦେହ । ଆମେରିକାରେ ପ୍ରାୟ ସାଢ଼େ ପାଞ୍ଚହଜାର ଉଡ଼ାଜାହାଜ ଘାଟି ରହିଛି ଓ ଏଇଥିରୁ ବର୍ଷକୁ ପ୍ରାୟ ପାଞ୍ଚ କୋଟି ଆମେରିକାନ୍‌ ଯିବା ଆସିବା କରନ୍ତି । ଆମେରିକାରେ ଏହି ଆକାଶ ଯାତ୍ରାର ପ୍ରସାର ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୯୩୫ ମସିହାରେ ମୋଟେ ସାତ ଆଠ ଲକ୍ଷ ଲୋକ ବର୍ଷକୁ ଉଡ଼ାଜାହାଜରେ ଯାଉଥିବା ସ୍ଥଳେ ବର୍ତ୍ତମାନ ଛ କୋଟିକୁ ବଢ଼ିଲାଣି । ଯାତ୍ରୀ ବ୍ୟତୀତ ବହୁ ଶିଳ୍ପଜାତ ଓ କୃଷିଜାତ ମାଲ ଉଡ଼ାଜାହାଜ ଯୋଗେ ସରବରାହ ହେଉଛି । ଆମେରିକାର ଗୋଟିଏ ସ୍ଥାନର ଫଳ ଓ ପନିପରିବା ଏହି ଉଡ଼ାଜାହାଜ ଯୋଗେ ଦେଶର ଅନ୍ୟ ସ୍ଥାନକୁ ଯାଇ ସଦ୍ୟ, ତଟକା ଅବସ୍ଥାରେ ବିକ୍ରି ହେଉଛି । ଉଡ଼ାଜାହଜରେ ହଜାର ହଜାର ମାଇଲ ବୁହାହୋଇ ମଧ୍ୟ ଏଗୁଡ଼ିକର ମୂଲ୍ୟରେ ବିଶେଷ ବୃଦ୍ଧି ଦେଖା ଯାଉନି ।

 

ଆକାଶପଥ ବ୍ୟତୀତ ରେଳ କି ବସରେ ଯାତ୍ରୀମାନଙ୍କ ଯାତାୟତ ଦିନକୁ ଦିନ କମିବାରେ ଲାଗିଛି । ଲୋକେ ଦୂର ସ୍ଥାନକୁ ଯିବାକୁ ହେଲେ ଉଡ଼ାଜାହାଜ କିମ୍ବା ନିଜ କାରରେ ଯିବାକୁ ସୁବିଧା ମଣୁଛନ୍ତି । ଉଡ଼ାଜାହାଜରେ ଗଲେ ଶୀଘ୍ର ଫେରି ଆସିବେ ନିଜ କାରରେ ଗଲେ କମ୍‌ ଖରଚ ଲାଗିବ । ବସ, ଟ୍ରେନରେ ଯିବାକୁ ବହୁ ଲୋକ ଅମଙ୍ଗ ହେଉଛନ୍ତି । ଏତେ ଖରଚ ବେଶି, ତେଣେ ସ୍ଵାଧୀନତା କମ୍‌ । ତା’ଛଡ଼ା ଉଡ଼ାଜାହାଜ କମ୍ପାନୀମାନେ ଆକାଶପଥ ଯାତାୟାତର ଟିକଟ ଏତେ କମାଇ ଦେଇଛନ୍ତି ଯେ ସେଥିସହିତ ପ୍ରତିଯୋଗିତା କରି ରେଳ ଓ ବସ୍‌ କମ୍ପାନୀଗୁଡ଼ିକ ପ୍ରାଣାନ୍ତକ ହୋଇଗଲେଣି !

 

ଦେଶର ବିସ୍ତୀର୍ଣ୍ଣ ରାଜପଥ, ସଡ଼କ, ହାଇୱେ ଆଦି ସହିତ ଏହି ସବୁ ଯାନବାହାନର ପ୍ରଚଳନ ଆମେରିକାର ଶିଳ୍ପ ପ୍ରସାରରେ ଯଥେଷ୍ଟ ସାହାର୍ଯ୍ୟ କରିଛି । ହାଇୱେଗୁଡ଼ିକ ବେଶ୍‌ ଉନ୍ନତ ଧରଣର । ଅତି ଉନ୍ନତ ଧରଣର ହାଇୱେ, ଥ୍ରୁୱେ, ପାର୍କୱେ, ବୋଲ୍‌ଭାର୍ଡ଼ ଆଦି ଯେତେ ଆମେରିକାରେ ଅଛି, ପୃଥିବୀର ଅନ୍ୟ କୌଣସି ଦେଶରେ ସେତେ ରାସ୍ତା କରିବା ତ ଦୂରର କଥା, ସେଗୁଡ଼ିକର ସ୍ଵପ୍ନ ଦେଖିବା ବି ସମ୍ଭବପର ନୁହେଁ । ଆମେରିକାର ଆକାଶ୍ଚୁମ୍ବୀ ପ୍ରାସାଦ ଆମକୁ ଯେତିକି ମୁଗ୍‌ଧ କରିଥିଲା, ତା ଠାରୁ ଅଧିକ ମୁଗ୍‌ଧ କରିଥିଲା ଆମେରିକାର ଏହି ଜାଲ ଭଳି ଖେଳାଇ ହୋଇ ପଡ଼ିଥିବା ବିସ୍ତୀର୍ଣ୍ଣ ସଡ଼କ ଓ ରାଜପଥଗୁଡ଼ିକ ।

 

ଆମେରିକାର ଶିଳ୍ପ ପ୍ରସାରରେ ଶସ୍ତା ଶକ୍ତି ଆହରଣ ଏକ ପ୍ରଧାନ ଭୂମିକା ଅଭିନୟ କରିଛି । ଏହା ଏକ ସ୍ଵତଃସିଦ୍ଧ କଥାଯେ ଶିଳ୍ପପ୍ରସାର ପାଇଁ କଞ୍ଚାମାଲ ସଙ୍ଗେ ସଙ୍ଗେ ଶସ୍ତା ଶକ୍ତି ଆବଶ୍ୟକ । କୌଣସି ଦେଶରେ ଯଦି ଶସ୍ତା ଶକ୍ତି ନଥାଏ ନଥାଏ, ତେବେ ଯେତେ ଉତ୍କୃଷ୍ଟ କଞ୍ଚାମାଲ ଥିଲେହେଁ ଶିଳ୍ପ ପ୍ରସାର ଆଶାଜନକ ଭାବରେ ବୃଦ୍ଧି ପାଇପାରେନି । ଆମେରିକାରେ ପ୍ରାକୃତିକ ଶକ୍ତିର ପ୍ରଚୁର୍ଯ୍ୟ ଏତେ ଅଧିକ ଯେ, ଯେ କେହି ଲୋକ ଦେଖିଲେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବନି ।

 

ପୃଥିବୀର ବୃହତ୍ତମ କୋଇଲା ଉତ୍ପାଦକ ଦେଶ ଭାବରେ ଯୁକ୍ତରାଷ୍ଟ୍ର ପ୍ରସିଦ୍ଧ । କୋଇଲା ତଳକୁ ପେଟ୍ରୋଲିୟମ୍ ମଧ୍ୟ ଶିଳ୍ପ ଉତ୍ପାଦନ ପାଇଁ ଏକ ପ୍ରଧାନ ଇନ୍ଧନ ଭାବରେ ବ୍ୟବହୃତ ହୁଏ । ପେଟ୍ରୋଲ ଉତ୍ପାଦନରେ ମଧ୍ୟ ଏ ଦେଶ ଅଗ୍ରଗଣ୍ୟ । ଦେଶରେ ବିଦ୍ୟୁତ୍‌ଶକ୍ତିର ଉତ୍ପାଦନ ମଧ୍ୟ ଖୁବ୍‌ ବେଶି । ଏହି କୋଇଲା ବା ପେଟ୍ରୋଲିୟମ୍ ଜାତ ପଦାର୍ଥକୁ ଦହନ କରି ସେଥିରୁ ବିଦ୍ୟୁତ୍‌ଶକ୍ତି ଆହରଣ କରାଯାଏ । ତା ଛଡ଼ା ଦେଶ ଭିତରେ ଶହ ଶହ ଛୋଟ ବଡ଼ ଜଳ ବିଦ୍ୟୁତ୍‌ଯୋଜନା ରହିଛି । ସେହି ସବୁ ଯୋଗାଣ ଭିତରେ ଟେନେସି ଉପତ୍ୟକା ଯୋଜନା, ଗ୍ରେଣ୍ଡ କୁଲି ଡାମ, ହୁଭର ଡାମ୍‌ ଆଦି ପୃଥିବୀ ପ୍ରସିଦ୍ଧ । ସାରା ଦେଶ ଭିତରେ ବର୍ତ୍ତମାନ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର କାର୍ଯ୍ୟ କରୁଛି । ୧୯୫୭ ମସିହାରେ ଏହି ବିଦ୍ୟୁତ୍‌ ଉତ୍ପାଦନର ପରିମାଣ ବାସ୍ତରୀ ହଜାର କୋଟି କିଲୋୱାଟ୍‌ ଘଣ୍ଟାକୁ ଉଠିଥିଲା । ଏହି ପରିମାଣରୁ ଶତକଡ଼ା ୨୦ ଭାଗ ଜଳବିଦ୍ୟୁତ୍‌ ଓ ବାକି ୮୦ ଭାଗ କୋଇଲା ତେଲ ଆଦିରୁ ଜାତ ତାପ ବିଦ୍ୟୁତ୍‌ । ଆମେରିକାରେ ଏହି ଉତ୍ପାଦନ କେନ୍ଦ୍ର ଭିତରୁ ଶତକଡ଼ା ୮୦ ଭାଗ ବ୍ୟକ୍ତିଗତ ପରିଚାଳନାଧୀନରେ ରହିଛି ।

 

ଆମେରିକାରେ ଯେତେ ବିଦ୍ୟୁତ୍‌ଶକ୍ତି ଉତ୍ପାଦନ ହୁଏ ତହିଁରୁ ଦୁଇ ତୃତୀୟାଂଶ ଶିଳ୍ପ ଉତ୍ପାଦନ ଦିଗରେ ବ୍ୟବହୃତ ହୁଏ, ବାକିତକ ଘରୋଇ ଓ କୃଷି ଫାର୍ମ୍ମରେ ବ୍ୟବହାର ହୁଏ । ଆମେରିକାର ଶତକଡ଼ା ୯୬ ଭାଗ ଘରକୁ ବିଦ୍ୟୁତ୍‌ଶକ୍ତି ଯୋଗାଇ ଦିଆଯାଇଛି ଓ ଲୋକମାନେ ବେଶି ପରିମାଣରେ ବିଦ୍ୟୁତ୍‌ଶକ୍ତି ବ୍ୟବହାର କରନ୍ତି । ଆମେରିକାର ପ୍ରାୟ ଶତକଡ଼ା ୯୫ ଭାଗ ଫାର୍ମ୍ମକୁ ବିଜୁଳିଶକ୍ତି ଯୋଗାଯାଇଛି ଓ ଏସବୁ ଫାର୍ମ୍ମମାନଙ୍କରେ ଫାର୍ମ୍ମର ନାନାଦି ଉତ୍ପାଦନରେ ବିଦ୍ୟୁତ୍‌ଶକ୍ତିର ବିନିଯୋଗ କରାହୁଏ । ଅମେରିକାରେ ପରମାଣୁ ଶକ୍ତିକୁ ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ ବିଶେଷ ଆଶାଜନକ ନୁହେଁ । ଯାହା କେତୋଟି ଅଛି ସେଥିରୁ ଉତ୍ପନ୍ନ ଶକ୍ତି ଅନ୍ୟାନ୍ୟ ଶକ୍ତି ତୁଳନାରେ କିଛି ନୁହେଁ । ଆମେରିକାରେ ଇଉରେନିୟମ୍‌ ଧାତୁର ପରିମାଣ ବେଶ୍ ଆଶାଜନକ । ହାରାହାରି ପ୍ରତିବର୍ଷ ଯୁକ୍ତରାଷ୍ଟ୍ରର ଏକହଜାର ଇଉରେନିୟମ୍‌ ଖଣିରୁ ତିନି ଲକ୍ଷ ଟନ୍‌ ପର୍ଯ୍ୟନ୍ତ ଇଉରେନିୟମ୍‌ ଖଣିଜ ଉତ୍ତୋଳନ କରିଥାଏ । ସେଥିରୁ ଅଧିକାଂଶ ଆଣବିକ ବୋମା ଓ ଅସ୍ତ୍ରାଦି ତିଆରିରେ ବ୍ୟବହୃତ ହେଉଥିବାରୁ ଶାନ୍ତିକାଳୀନ ବିନିଯୋଗ ଆଶାଜନକ ଭାବରେ ହୋଇନି । ତେବେ ଆଣବିକ ଶକ୍ତି ସାହାଯ୍ୟରେ ବିଦ୍ୟୁତ୍‌ ଉତ୍ପାଦନ ଆମେରିକାରେ ପ୍ରସାର ଲାଭ କରିବାର ଆଶା ଯେ ନାହିଁ ତା ନୁହେଁ ।

 

୧୯୫୭ ମସିହାଠାରୁ ଆମେରିକାରେ ଆଉ ଏକ ଶସ୍ତା ଓ ପ୍ରଚୁର ଇନ୍ଧନର ସନ୍ଧାନ ମିଳୁଛି । ତାହା ହେଉଛି ପଥର ତେଲ । ଏହା ପେଟ୍ରୋଲିୟମ୍‌ ଭଳି ଏକପ୍ରକାର ଖଣିଜ ତେଲ, ଏହା ଶିଲ୍‌ମେନାଇଟ୍ ନାମକ ଏକପ୍ରକାର ପଥରର ଶିରାପ୍ରଶିରାରେ ଗଚ୍ଛିତ । ଏହି ପଥରର ଶିରା ଦେହରୁ ସଂଗୃହୀତ ହୋଇ ଏହା ପେଟ୍ରୋଲିୟମ୍‌ ଭଳି ତୈଳଶୋଧନ କାରଖାନାରେ ଶୋଧିତ ହୋଇ ପେଟ୍ରୋଲିୟମ୍‌ଜାତ ପଦାର୍ଥ ଭଳି ବଜାରକୁ ବିକ୍ରୟ ପାଇଁ ଆସେ । କଲୋରଡୋ ରାଜ୍ୟରେ ଏହି ତେଲ ବହୁ ପରିମାଣରେ ଆହରଣ କରାଯାଏ । ହିସାବ କରାଯାଇଛି ଯେ ସାରା ପୃଥିବୀରେ ଯେତେ ପେଟ୍ରୋଲିୟମ୍‌ ଅଛି, ତାର ପାଞ୍ଚଗୁଣରୁ ଅଧିକ ତୈଳ ଏହି ପଥରରେ ସଞ୍ଚିତ ହୋଇ ରହିଛି । ଏହି ପଥର ଓ ସେଲ୍‌ରୁ ତିଆରି ପେଟ୍ରୋଲିୟମ୍ ଜାତ ପଦାର୍ଥ ବେଶ୍ ଶସ୍ତା ।

 

ନାନା ପ୍ରକାର ଶିଳ୍ପ ପ୍ରସାର ପାଇଁ ଉପରୋକ୍ତ ସୁବିଧାଗୁଡ଼ିକ ବ୍ୟତୀତ ଆମେରିକାର ବିରାଟ ସୁସ୍ଥ ସବଳ ନାଗରିକ ଉତ୍ପାଦନରେ କମ୍ ସାହାଯ୍ୟ କରିନାହାନ୍ତି । ନାନାପ୍ରକାର ଶିକ୍ଷା କ୍ଷେତ୍ରରେ ସୁଶିକ୍ଷିତ ଶ୍ରମିକ ଆମେରିକାର ଶିଳ୍ପ ପ୍ରସାରରେ ପ୍ରଧାନ ଭୂମିକା ଅଭିନୟ କରି ଆସିଛନ୍ତି-। ତା’ ଛଡ଼ା ପୋର୍ଟରିକୋ, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକା ଆଦି ଦେଶରୁ ଅସଂଖ୍ୟ ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଶ୍ରମିକ ଆମେରିକା ଶିଳ୍ପକୁ ଶସ୍ତା ଶ୍ରମିକ ଯୋଗାଇ ଆମେରିକାର ଶିଳ୍ପ ପ୍ରସାରକୁ ଆଶାତୀତ ଭାବରେ ଆଗେଇ ନେଇ ପାରିଛି ।

 

ଅତୁଳ ପ୍ରାକୃତିକ ବିଭାବର ଅଧିକାରୀ ହୋଇଥିବାରୁ ଆମେରିକା ଆରମ୍ଭରୁ ଶିଳ୍ପ ପ୍ରସାର ପ୍ରତି ଦୃଷ୍ଟି ଦେଇ ଆସିଛି । ୧୯୦୦ ମସିହାବେଳକୁ ଆମେରିକାରେ ନାନାଦି ଛୋଟ ବଡ଼ ଶିଳ୍ପ ସଂସ୍ଥାର ସଂଖ୍ୟା ଥିଲା ପ୍ରାୟ ଦଶ ଲକ୍ଷ । ବର୍ତ୍ତମାନ ଏହା ଆଠଗୁଣ ହୋଇଗଲାଣି । ଆମେରିକାରରେ ବର୍ତ୍ତମାନ ବିଭିନ୍ନ କଳକାରଖାନା, ବ୍ୟବସାୟ ଅନୁଷ୍ଠାନର ସଂଖ୍ୟା ପ୍ରାୟ କୋଟିଏ ପାଖାପାଖି ହେଲାଣି । ଏଥି ଭିତରୁ ବଡ଼ ବଡ଼ ଶିଳ୍ପ କାରଖାନାର ସଂଖ୍ୟା ତିନିଲକ୍ଷରୁ ଅଧିକ, ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ୩୩ ଲକ୍ଷ ପାଖାପାଖି ।

 

ଆମେରିକାର ଶିଳ୍ପ ଉତ୍ପାଦନରେ ଯାହା ଆୟ ହୁଏ, ତାହା ଜାତୀୟ ଆୟର ପ୍ରାୟ ଅଧାଅଧି । ଏହି ଶିଳ୍ପ ଉତ୍ପାଦନରେ ଦେଶର ଶତକଡ଼ା ୩୦ ଭାଗରୁ ଅଧିକ ଲୋକ ନିଯୁକ୍ତି । ସାରା ପୃଥିବୀରେ ଯେତେ ଶିଳ୍ପଜାତ ପଦାର୍ଥ ଉତ୍ପନ୍ନ ହୁଏ, ତା’ର ଏକ ତୃତୀୟାଂଶରୁ ଅଧିକ କେବଳ ଯୁକ୍ତରାଷ୍ଟ୍ର ଆମେରିକା ଉତ୍ପାଦନ କରେ । ଆମେରିକାର ସବୁଠାରୁ ବଡ଼ ଶିଳ୍ପ ହେଲା ମୋଟର ଗାଡ଼ି ଶିଳ୍ପ । ଏଥିରେ ପ୍ରାୟ ସାତ ହଜାର କୋଟି ଟଙ୍କାର ମୋଟରଗାଡ଼ି , ବସ, ଟ୍ରକ ଆଦି ନିର୍ମିତ ହୁଏ । ଉଡ଼ାଜାହାଜ ତିଆରି ଏ ଦେଶର ଆଉ ଗୋଟିଏ ବଡ଼ ଶିଳ୍ପ । ଆମେରିକାରେ ବର୍ଷକୁ ପ୍ରାୟ ଦଶହଜାର କୋଟି ଟଙ୍କାର ଉଡ଼ାଜାହାଜ ତିଆରି ହୁଏ । କଳକବ୍‌ଜା ତିଆରିରେ ଆମେରିକା ପୃଥିବୀରେ ଅଦ୍ଵିତୀୟ, ବାରହାଜର କୋଟି ଟଙ୍କାର କଳକବଜା ପ୍ରତିବର୍ଷ ଆମେରିକାରେ ତିଆରି ହୁଏ । ତା’ ଛଡ଼ା ଧାତୁଶିଳ୍ପ, କାପାସ ଶିଳ୍ପ, ବିଦ୍ୟୁତ୍‌ ଯନ୍ତ୍ରପାତି ଶିଳ୍ପ ଅତି ବିରାଟ । ହଜାର ହଜାର କୋଟି ଟଙ୍କାର ପଦାର୍ଥ ଏହି ସବୁ ଶିଳ୍ପ କାରଖାନାରୁ ଯେ ପ୍ରତିବର୍ଷ ଉତ୍ପାଦିତ ହୁଏ, ଏହା କେହି ଅସ୍ଵୀକାର କରିବେନି ।

 

ଆମେରିକାର ଏହି ବିରାଟ ଶିଳ୍ପ ସମ୍ପଦକୁ ଅର୍ଥ ଯୋଗାଏ ସାରା ଦେଶରେ ଥିବା ବାଇଶ ହଜାରରୁ ଉର୍ଦ୍ଧ୍ଵ ବେଙ୍କ, ବାର ହଜାରରୁ ଉର୍ଦ୍ଧ୍ଵ ଇନସୁରାନ୍‌ସ କମ୍ପାନୀ ଓ ବହୁତଗୁଡ଼ିଏ କ୍ରେଡ଼ିଟ ଅନୁଷ୍ଠାନ । ଏସବୁ ଅନୁଷ୍ଠାନ ଓ ସେଥିସହ ଯୁକ୍ତରାଷ୍ଟ୍ର ସରକାରଙ୍କ ଟ୍ରେଜେରୀ ଓ ଅନ୍ୟାନ୍ୟ ସଂସ୍ଥା ଏହି ବିରାଟ ଶିଳ୍ପ ସଂସ୍ଥାକୁ ଅର୍ଥ ଯୋଗାଏ । ଆମେରିକାର ପ୍ରାୟ ସମସ୍ତ ଶିଳ୍ପ କାରଖାନା ବ୍ୟକ୍ତିଗତ ପରିଚାଳନାଧୀନରେ । ନାନାପ୍ରକାର ଅଂଶ ଖରିଦ ବିକ୍ରି ଜରିଆରେ ଏହି ବିରାଟ କାରଖାନାଗୁଡ଼ିକର ଅର୍ଥନୀତି ଗତିଶୀଳ ଅବସ୍ଥାରେ ଥାଏ ।

 

ଆମେରିକାର ବେଙ୍କ୍‌ଗୁଡ଼ିକ ପୂରାପୂରି ବ୍ୟକ୍ତିଗତ ପରିଚାଳନଧୀନରେ ଥିଲେ ହେଁ, ଏଗୁଡ଼ିକର ପରିଚାଳନାରେ ରାଷ୍ଟ୍ର ସରକାରଙ୍କର କିଛି ଯେ କର୍ତ୍ତୃତ୍ଵ ନାହିଁ, ତା’ ନୁହେଁ । ଆମେରିକାର ଏକ ତୃତୀୟାଂଶ ବେଙ୍କ୍‌ ହେଲା ଜାତୀୟ କରଣ ବେଙ୍କ, ଏହି ବେଙ୍କ୍‌ଗୁଡ଼ିକର ପରିଚାଳନା ତଦାରଖ ଯୁକ୍ତରାଷ୍ଟ୍ର ସରକାରଙ୍କ ହସ୍ତରେ ନ୍ୟସ୍ତ । ଆମେରିକାର ବେଙ୍କ୍‌ଗୁଡ଼ିକ କାଳେ ଦେବାଳିଆ ହୋଇଯିବେ ଓ ଦେବାଳିଆ ହୋଇଗଲେ ବ୍ୟକ୍ତିଗତ ସଞ୍ଚୟକାରୀଙ୍କ ସଞ୍ଚୟ ଜମା ଉଡ଼ିଯିବ, ଏଥିପାଇଁ ଆମେରିକାର ବହୁ ବେଙ୍କ୍‌ ବଡ଼ ବଡ଼ ବୀମା କୋମ୍ପାନୀଠାରେ ସଞ୍ଚୟକାରୀଙ୍କ ସୁବିଧା ପାଇଁ ସଞ୍ଚୟ ବୀମା ହୋଇଥାଏ । ଦୁର୍ଭାଗ୍ୟବଶତଃ ଯଦି କୌଣସି ବେଙ୍କ୍‌ ଦେବାଳିଆ ହୋଇଯାଏ, ତେବେ ସଞ୍ଚୟକାରୀଙ୍କ ସଞ୍ଚୟ ଜମା ଏହି ବୀମା କମ୍ପୋନୀ ଦିଏ । ତେଣୁ ସେଭଳି କ୍ଷେତ୍ରରେ ସଞ୍ଚୟକାରୀମାନଙ୍କ ସଞ୍ଚୟ କରିବାପାଇଁ କିଛି ଭୟ ନଥାଏ । ଅବଶ୍ୟ ପ୍ରତ୍ୟେକ ସଞ୍ଚୟକାରୀଙ୍କ ସର୍ବୋଚ୍ଚ ସଞ୍ଚୟ ସୀମା ବୀମା ହୋଇଥାଏ । ତା’ ଠାରୁ ଅଧିକ କେହି ଯଦି ସେହି ବେଙ୍କ୍‌ରେ ଜମାକରେ ଓ କିଛିଦିନ ପରେ ସେ ବେଙ୍କ ଦେବାଳିଆ ହୋଇଯାଏ, ତେବେ ସଞ୍ଚୟକାରି ତା’ର ସମସ୍ତ ସଞ୍ଚୟ ଟଙ୍କା ନ ପାଇ ବୀମା ହୋଇଥିବା ସର୍ବୋଚ୍ଚ ସଞ୍ଚୟ ଜମା ମୁତାବକ ପାଏ । ବାକି ଟଙ୍କାତକ ଉଡ଼ିଯାଏ । ତେବେ ଆମେରିକାର ପ୍ରାୟ ସବୁ ବେଙ୍କ୍‌ ଦେବାଳିଆ ଅବସ୍ଥା ଆସିବାଠାରୁ ଢେର ଦୂରରେ ।

 

ଆମେରିକାର ଅର୍ଥନୀତି ବ୍ୟକ୍ତିଗତ ପରିଚାଳନାଧୀନରେ ରହିଥିଲେ ହେଁ ଏହାକୁ କେନ୍ଦ୍ରୀୟ ସରକାର ବିଭିନ୍ନ ରୀତିରେ ତଦାରଖ କରିଥାନ୍ତି । କୃଷି, ଶିଳ୍ପ, ବ୍ୟବସାୟ, ବାଣିଜ୍ୟ, ଯାନବାହାନ, ଅର୍ଥନୀତି ଆଦି ଉପରେ କେନ୍ଦ୍ର ସରକାର ସବୁବେଳେ ଦୃଷ୍ଟି ଦେଇଥାନ୍ତି, ଯେମିତିକି ବ୍ୟକ୍ତିଗତ ବ୍ୟବସାୟର ସ୍ଵାର୍ଥରକ୍ଷା ଦିଗରେ କୌଣସି ହାନି ନ ହୁଏ । ଆମେରିକା ସରକାରର ଖୋଲା ନୀତି ହେଲା ମୁକ୍ତ ଓ ବ୍ୟକ୍ତିଗତ ଅର୍ଥନୀତି । ସାରା ପୃଥିବୀରେ ଯେଉଠି ଯେଉଁ ନୀତି ଗୃହିତ ହେଲେ ହେଁ, ଆମେରିକା ସରକାର ତା’ର ନୀତିକୁ ବିନ୍ଦୁ ମାତ୍ର ଟଳିବାକୁ ନାରାଜ । ପୃଥିବୀରେ ବହୁ ଦେଶରେ ସାମ୍ୟବାଦ ଅର୍ଥନୀତି, ମିଶ୍ର ଅର୍ଥନୀତି, ସମାଜବାଦୀ ଅର୍ଥନୀତି ଆଦି ବିଭିନ୍ନ ପ୍ରକାର ଅର୍ଥନୀତି ଅନୁସୃତ ହେଉଥିବାବେଳେ ଆମେରିକା ସରକାର ସେହି ପୁଞ୍ଜିବାଦୀ ଅର୍ଥନୀତି ଅନୁସରଣ କରିଆସୁଅଛି । ଅବଶ୍ୟ ଆଗରୁ ପୁଞ୍ଜିବାଦୀ ଅର୍ଥନୀତି ବୋଇଲେ ଯା ବୁଝାଯାଉଥିଲା, ଯେଉଁ ପୁଞ୍ଜିବାଦୀ ଅର୍ଥନୀତିର ଭୟାବହ ରୂପ ଦେଖି ମହାମନିଷୀ କାର୍ଲମାର୍କସ୍‌ ତାଙ୍କର ସାମ୍ୟବାଦ ଅର୍ଥନୀତି ରଚନା କରିଥିଲେ, ସେ ପୁଞ୍ଜିବାଦୀ ଅର୍ଥନୀତି ଆଜି ଆମେରିକାରେ ନାହିଁ କହିଲେ ଚଳେ । ଶ୍ରମିକକୁ ଅଧିକ ଖଟାଇ ଅଳ୍ପ ମଜୁରୀ ଦେଇ ଅଧିକ ଲାଭ କରିବାର ନୀତି ଆଉ ଉନବିଂଶ ଶତାଦ୍ଦୀର ଶ୍ରମିକ-ମାଲିକ ତିକ୍ତ ସମ୍ପର୍କ, ଯାକୁ ଦେଖି କାର୍ଲମାକସ୍‌ ଲେଖିଥିଲେ ଦୁଇଟି ମଧ୍ୟରେ ବିବାଦ ଓ ଯୁଦ୍ଧ ଅନିବାର୍ଯ୍ୟ ଓ ଶ୍ରମିକ ସଂଖ୍ୟା ମାଲିକଙ୍କଠାରୁ ବେଶୀ ଥିବାରୁ ଶ୍ରମିକର ଜୟ, ଫଳରେ ପୁଞ୍ଜିବାଦର ବିଲୋପ ହୋଇ ସାମ୍ୟବାଦର ଜୟ ଆଦି କଳ୍ପନା ଆମେରିକାରେ ଲାଗୁ ହେଉ ନାହିଁ । ସେଠାରେ ଶ୍ରମିକ ମାଲିକ ସମ୍ପର୍କ ଆଜି ଏତେ ଉନ୍ନତ ଯେ ପୁଞ୍ଜିବାଦର ସେହି ଭୟାଭୟ ଦୃଶ୍ୟ ଆଜି ସେଠି ନାହିଁ । ଏହାଦ୍ଵାରା ମୁଁ କହିବାକୁ ଚାହୁଁନି ଯେ ପୁଞ୍ଜିବାଦ୍‌ ତା’ର ରୂପ ପୂରାପୂରି ବଦଳାଇଛି, କି ଶ୍ରମିକମାନେ ସେଠାରେ ସ୍ଵର୍ଗୀୟ ସୁଖ ଉପଭୋଗ କରୁଛନ୍ତି । ଏହା ମୋଟେ ନୁହେଁ । ପୁଞ୍ଜିବାଦର ଯେଉଁ ମୂଳ ମନ୍ତ୍ର ଶୋଷଣ, ତାହା ଅବଶ୍ୟ ସେଠି ପୂରାମାତ୍ରାରେ ବିରାଜମାନ । ତେବେ ତଫାତ୍ ହେଉଛି ଉନବିଂଶ ଶତାଦ୍ଦୀର ପୁଞ୍ଜିବାଦ ଶ୍ରମିକକୁ ଶୋଷଣ କରୁଥୁଲା, କିନ୍ତୁ ଆଜିକାର ପୁଞ୍ଜିବାଦ ଶ୍ରମିକକୁ ଅପେକ୍ଷାକୃତ ଭଲ ଅବସ୍ଥାରେ ରଖି ଶିଳ୍ପଜାତ ଦ୍ରବ୍ୟ ବ୍ୟବହାର କରୁଥୁବା ବ୍ୟବହାରକାରିମାନଙ୍କୁ ଅଲକ୍ଷିତରେ ଶୋଷଣ କରୁଛି ।

 

ଶ୍ରମିକମାନେ ଅନ୍ୟ ଦେଶ ଅପେକ୍ଷା ଢେର ଭଲ ଅବସ୍ଥାରେ ରହିଥିଲେ ହେଁ ଆମେରିକାରେ ଶ୍ରମିକ ଅଶାନ୍ତି ଯେ ନାହିଁ, ତା’ ନୁହେଁ । ଆମେ ଆମେରିକାରେ ଥିଲା ଭିତରେ କେତେ ବଡ଼ ବଡ଼ ଶିଳ୍ପ ସଂସ୍ଥାରେ ଧର୍ମଘଟ ଯେ ଚାଲିଥିଲା ତା’ର କଳନା ନାହିଁ । ଆଜି ରେଳବାଇ ଶ୍ରମିକ ଧର୍ମଘଟ କଲେ ତ, କାଲି ବନ୍ଦର ଶ୍ରମିକ ଧର୍ମଘଟ କଲେ ବା ଧର୍ମଘଟର ନୋଟିସ ଦେଲେଣି । ଏମିତି ଶ୍ରମିକ ଗୋଳମାଳ ଆମେରିକାରେ ପ୍ରାୟ ସବୁଦିନେ ଲାଗିରହିଛି । ଯେ କେହି ଲୋକ ମୁକ୍ତ କଣ୍ଠରେ ସ୍ଵୀକାର କରିବ ଯେ, ଆମେରିକାର ଶ୍ରମିକ ବେଶ୍ ଭଲ ମଜୁରି ଓ ଅନ୍ୟାନ୍ୟ ବହୁ ସୁବିଧା ପାଏ । ତଥାପି ସେଠି ଶ୍ରମିକ ଗୋଳମାଳ ଲାଗିଛି କାହିଁକି ? ଏହାର କାରଣ ହେଲା ମାର୍କିନ ଶ୍ରମିକ ଅପେକ୍ଷାକୃତ ଭଲ ଅବସ୍ଥାରେ ରହିଲେ ହେଁ ଆଦର୍ଶ ଅବସ୍ଥାରେ ରହିପାରିନି । ଆଜି ବି ଅସଂଖ୍ୟ ମାର୍କିନ୍‌ ଶ୍ରମିକ ବଡ଼ ବଡ଼ ଶିଳ୍ପ ନଗରୀ ଉପକଣ୍ଠରେ ଥିବା ଅସ୍ଵାସ୍ଥ୍ୟକର ବାସସ୍ଥାନ (Slum)ରେ ରହିବାକୁ ବାଧ୍ୟ ହୋଇଛି । ଏମିତିକି ଖୋଦ୍‌ କୁବେରପୁରୀ ନିଉୟର୍କ ନଗରୀର ଉତ୍ତର ମାନହଟ୍ଟନ୍‌ ଅଞ୍ଚଳରେ ବା ଇଷ୍ଟ ସାଇଡ଼୍‍ ଅଞ୍ଚଳରେ ଯେଉଁ ସବୁ slum ଅଛି, ଦେଖିଲେ ଯେ କେହି ଲୋକ ଲଜ୍ଜିତ ହେବ । ଆମେ ନିଉୟର୍କ ନଗରୀର ଅବସ୍ଥାନ କରୁଥୁବା ସମୟରେ ଏମିତି କେତେ slum ବୁଲି ଦେଖିଛୁ, ବିଶେଷତ ହାର୍‌ଲେମ୍‌ ଅଞ୍ଚଳରେ । ଏହି ଅଞ୍ଚଳ ହେଲା ମାନହଟ୍ଟନ୍‌ର ନିଗ୍ରୋ ଅଧ୍ୟୁଷିତ ଅଞ୍ଚଳ । ଗୋଟିଏ ଗୋଟିଏ କୋଠରୀରେ ଆଠ ଦଶ ଜଣ ପର୍ଯ୍ୟନ୍ତ ଶ୍ରମିକ ଅବସ୍ଥାନ କରୁଥୁବା ଅବସ୍ଥା ଦେଖିଲେ, ଆମ କଲିକତା slum କଥା ମନେପଡ଼େ । ସେ ଅଞ୍ଚଳରେ ସେ ଅବସ୍ଥା ଦେଖିଲେ କେହି ନିମିଷକ ପାଇଁ ଭାବିବ ନାହିଁ ଯେ ପୃଥିବୀର ସବୁଠାରୁ ଧନଶାଳି ସହରରେ ଏ ଦୃଶ୍ୟ ଦେଖୁଛି ବୋଲି । ତେଣୁ ଏ ସବୁ ଥିବାରୁ ଶ୍ରମିକ ଅଶାନ୍ତ ସେ ଦେଶରେ ନ ରହିବାବ କେମିତି ? ଧର୍ମଘଟ ଛଡ଼ା ଆଉ କେଉଁ ଉପାୟରେ ଶ୍ରମିକ ଆସନ୍ତି ବାହରକୁ ପ୍ରସ୍ପୁଟିତ ହେବ ଆଜି କାଲିକାର ଗଣତାନ୍ତ୍ରିକ ଯୁଗରେ ?

 

ଖାଲି ନିଉୟର୍କ ନଗରୀ କାହିଁକି, ଆମେରିକାର ଯେଉଁ ଶିଳ୍ପ ନଗରୀ ଦେଖିବା, କି ଫିଲ୍‌ଲେ୍‌ଫିଆ, କି ବଲ୍‌ଟିମୋର୍‌, କି ଚିକାଗୋ, କି ବଫେଲୋ, କି ଉଇଲମିଙ୍ଗ୍‌ଡନ୍‌ ସବୁଠାରେ ବଡ଼ ବଡ଼ ଆକାଶ୍ଚୁମ୍ବୀ ପ୍ରସାଦ ନିକଟରେ ହିଁ ଠିଆ ହୋଇଛି ପାରା ଭାଡ଼ି ଭଳି ତିଆରି ହୋଇଥିବା ଛୋଟ ଛୋଟ ଘରଗୁଡ଼ିଏ । ସେ ଘରେ ଅଛି ନା ଭଲ ଝରକା, ନା ଭଲ ଆଲୁଅ । ଘରର ଅବସ୍ଥା ଏମିତି ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିବ । ବସ୍ତିର ଅପରିଷ୍କାର ଅପରିଚ୍ଚନ୍ନତା ରୂପ ଦେଖିଲେ ଯେ କେହି ଲୋକ ଧୈର୍ଯ୍ୟ ଧରି ରହି ପାରିବ ନାହିଁ । ସେହି ଅଞ୍ଚଳରେ ଆମେରିକାର କୋଟି କୋଟି ଶ୍ରମିକ ତାଙ୍କ ପିଲାକବିଲାଙ୍କୁ ନେଇ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୁଅନ୍ତି, ଯେଉଁମାନଙ୍କ ପରିଶ୍ରମ ଓ ରକ୍ତର ବିନିମୟରେ ଆମେରିକାରେ ଶତ ଶତ ଆକାଶ୍ଚୁମ୍ଭୀ ପ୍ରସାଦ ତିଆରି ହୋଇଛି, ଶତ ଶତ ପୋଲ, ସୁଡ଼ଙ୍ଗ, ରାସ୍ତା ଆଦି ରୂପ ପାଇ ଆମେରିକାକୁ ସୁନ୍ଦର କରି ଗଢ଼ିଛି । ଦେଖିଲେ ଦୁଃଖ ଲାଗେ ଆଜି ସେହି କଷ୍ଟସହିଷ୍ଣୁ ଶ୍ରମିକର ବାସସ୍ଥାନର ମାନ କେତେ ତଳେ । ଏହା ଆମେରିକାର ଦୋଷ ନୁହେଁ ଦୋଷ ହେଉଛି ପୁଞ୍ଜିବାଦର । ଯେଉଁଠି ପୁଞ୍ଜିବାଦ ଜୀବନ୍ତ, ସେଠି ଏହି ଶ୍ରେଣୀ ବିଭେଦ ନ ରହିଲେ ନହୁଏ । ଉଇଲ୍‌ମିଙ୍ଗଟନ୍‌ସହରରେ ଆମେରିକାର ବିଶିଷ୍ଟ ପୁଞ୍ଜିପୁତ ଓ ଶିଳ୍ପ ମାଲିକ ଡପଣ୍ଟ୍‌ଙ୍କ ଘର ସାମନା ସାମନ୍ନି ଅସଂଖ୍ୟ slum ବିରାଜମାନ । କିନ୍ତୁ ଡୁପଣ୍ଟଙ୍କ ଘର ତିଆରି ପାଇଁ ଇଊରୋପ କେଉଁ ଦେଶରୁ ଶଙ୍ଖମଲ ପଥର ଆସିଛି ତ, ଚୀନ୍‌ର କେଉଁ ଅଞ୍ଚଳରୁ କାଠ ଆସିଛି, ଫ୍ରାନ୍‌ସର ଏକ ଦୁର୍ଗକୁ କୋଟି କୋଟି ଟଙ୍କା ବ୍ୟୟରେ ଖରିଦ୍‌ କରାଯାଇ ସ୍ଵତନ୍ତ୍ର ଜାହାଜ ଯୋଗେ ଆମେରିକା ଆଣି ଡୁପଣ୍ଟ ପ୍ରସାଦ ଭିତରେ ଠିକ୍‌ ସେହି ରୀତିରେ ଗଢ଼ାଯାଇ ଅଭିଜାତ୍ୟ, ସୌଖୀନ୍‌ର ଯେଉଁ ଅପୂର୍ବ ପରାକାଷ୍ଠା ଦର୍ଶାଯାଇଛି, ତା ଆଗରେ ଡୁପଣ୍ଟ୍‌ପ୍ରସାଦ ଠାରୁ ଅଳ୍ପ ଦୂରରେ ଡୁପଣ୍ଟ ଶିଳ୍ପ ସାମ୍ରାଜ୍ୟର ଅସଂଖ୍ୟ ପ୍ରଜା ଶ୍ରମିକମାନେ ଯେ କି କଷ୍ଟରେ ବସବାସ କରୁଛନ୍ତି, ତାହା ଅମେରିକାର ପୁଞ୍ଜିବାଦୀ ଚକ୍ଷୁରେ ଦୃଶମାନ ନୁହେଁ । ଉଇଲ୍‌ମିଙ୍ଗଟନ୍ କାହିଁକି ଆମେରିକାର ପ୍ରତି ଶିଳ୍ପ ସହରରେ ଶିଳ୍ପପତିର ପ୍ରସାଦ ସହିତ ପ୍ରସାଦ ସହିତ ଗଢ଼ିଉଠିଛି ଶ୍ରମିକର slum, ଯାହାକି ଆମେରିକାର ଶିଳ୍ପ ଇତିହାହରେ ଗୋଟିଏ ଗୋଟିଏ ଅଲିଭା କଳଙ୍କ । ଆଜି ସାରା ଆମେରିକାରେ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଲୋକ slum areaରେ ବାସକରନ୍ତି, ପ୍ରାୟ କୋଡ଼ିଏ ଲକ୍ଷ ପଖାପଖି ଘର ବାସ ଉପଯୋଗୀ ନୁହେଁ, ସହରମାନଙ୍କରେ ପ୍ରାୟ ସତୁରୀ ଲକ୍ଷ ବାସଗୃହ ପୂରାପୂରି ଭଙ୍ଗା, ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିବାର ଆଶଙ୍କା, ତଥାପି ଏହି ସବୁ ଘରେ ଶ୍ରମିକର ମୁଣ୍ଡ ଗୁଞ୍ଜିବା ଛଡ଼ା ଅନ୍ୟ ଉପାୟ ନାହିଁ । ଆମେରିକାର ପଦ୍ଧତି ପତ୍ରିକା Newsweek ଭାଷାରେ କହିବାକୁ ଗଲେ, ‘‘One out of every eight New Yorker Lives in almost incredible squalter, packed as many as ten to a ratinfested room” ଏଇ ହେଉଛି ପୃଥିବୀର ସବୁଠାରୁ ଧନଶାଳୀ ନଗରୀର କାହାଣୀ, ପୁଞ୍ଜିବାଦୀ ଅର୍ଥନୀତିର ଏହି ଅଲିଭା କଳଙ୍କ ।

 

ଆମେରିକାର ଧନର ମାତ୍ରା ଯେମିତି ଅଧିକ, ଧନହୀନତାର ମାତ୍ରା କିଛି କମ୍‌ ନୁହେଁ । ଏସବୁ ସତ୍ୱେ ଆମେରିକା ହେଲା ପୃଥିବୀର ସବୁଠାରୁ ଧନଶାଳି ରାଷ୍ଟ୍ର । ଏହି ଧନହୀନମାନଙ୍କର କାହାଣୀ ଶୁଣିଲେ ଆଖିରୁ ଲୁହ ନ ଆସି ରହିପାରିବନି । ଆମେରିକା ଏଡ଼େବଡ଼ ଶିଳ୍ପ ପ୍ରଧାନ ଦେଶ ହେଲେ ହେଁ କାମ ନ ପାଉଥିବା ଲୋକଙ୍କ ସମସ୍ୟା କିଛି କମ୍‌ ନୁହେଁ । ଆମେରିକାର ଅଠର କୋଟି ଲୋକସଂଖ୍ୟା ଭିତରୁ ଦେଢ଼ କୋଟି ହେଉଛନ୍ତି ବେକାର । ତା’ ଛଡ଼ା ଅର୍ଦ୍ଧ ବେକାର ବି ଅଛନ୍ତି । ଏମାନଙ୍କୁ ଛାଡ଼ି ଦୁଇକୋଟି ନିଗ୍ରୋଙ୍କ ଅବସ୍ଥା ଆହୁରି ଖରାପ । ଗୋଟିଏ କାରଖାନାରେ ସମାନ କାମ କରି ମଧ୍ୟ ଜଣେ ନିଗ୍ରୋ ଜଣେ ଗୋରାଠାରୁ ଢେର କମ୍‌ ଦରମା ପାଏ । ତେଣୁ ତା’ ରହିବା ପାଇଁ slum ଛଡ଼ା ଅନ୍ୟ କେଉଁଠି ସ୍ଥାନ ମିଳେନି ।

 

ନିଗ୍ରୋମାନଙ୍କ ଅବସ୍ଥା ଭଳି ଆମେରିକା ବାହାରୁ ଆସିଥିବା ଶ୍ରମିକମାନଙ୍କ ଅବସ୍ଥା ବିଶେଷ ଉନ୍ନତ ନୁହେଁ । ପର୍ଟୋରିକୋ, କିଉବା, ହାଇଟି, ଡୋମିକାନ୍‌ ରିପବ୍‌ଲିକ୍‌ ଓ ଦକ୍ଷିଣ ମଧ୍ୟ ଆମରିକାର ରାଜ୍ୟମାନଙ୍କରୁ ଆସୁଥୁବା ଶ୍ରମିକମାନଙ୍କ ଆର୍ଥିକ ଅବସ୍ଥା ବିଶେଷ ଭଲ ନୁହେଁ । ସେହିସବୁ ପଡ଼ୋଶୀ ରାଜ୍ୟରୁ ଆସୁଥୁବା ଶ୍ରମିକମାନେ ଖ୍ରୀଷ୍ଟଧର୍ମାବଲମ୍ବୀ ଓ ଦେଖିବାକୁ ଆମେରିକାନ୍‌ମାନଙ୍କ ଭଳି ଗୋରା ହୋଇଥିଲେ ହେଁ ସେମାନେ ଆର୍ଥିକ ଅନାଟନ ଭିତରେ ଚଳିବାକୁ ବାଧ୍ୟ ହୁଅନ୍ତି । ପ୍ରଥମତଃ ସେମାନଙ୍କ ପରିବାର ବଡ଼, ଦରମା ପାଆନ୍ତି ଅଳ୍ପ, ତେଣୁ slum ଛଡ଼ା ଅନ୍ୟ ବାସସ୍ଥାନ ସେମାନଙ୍କ ଭାଗ୍ୟରେ ଜୁଟିବା ସମ୍ଭବ ନୁହେଁ । ପୋର୍ଟୋରିକୋର ରାଜଧାନୀ ସାନଜୁଆନୋରୁ ଆସିଥିବା ଗୋଟିଏ ପରିବାର ସହିତ ଆମର ଜଣାଶୁଣା ଥିଲା, ତେଣୁ ଆମେ ଜାଣିଛୁ ସେମାନେ କି ଦୁଃଖରେ ଜୀବନଯାପନ କରନ୍ତି । ବଡ଼ ବଡ଼ ସହରରେ ସେମାନେ ଶ୍ରମିକ ଭାବରେ ରହିଲେ slum ଛଡ଼ା ଅନ୍ୟ କେଉଁଠି ସ୍ଥାନ ପାଇବା ସମ୍ଭବପର ନୁହେଁ । ଯେଉଁମାନେ ସୁବିଖ୍ୟାତ ମାର୍କିନ ଚଳଚିତ୍ର Westside Story ଦେଖିଥିବେ, ସେମାନଙ୍କୁ ବେଶ୍‌ ଜଣାଥିବ, ନିଉୟର୍କରେ ଏମାନଙ୍କ ଅର୍ଥନୈତିକ ଓ ସାମାଜିକ ଅବସ୍ଥା କଅଣ । ଏହି slum ଓ ସେଥିଭିତର ସାମାଜିକ ଅବସ୍ଥାର ନିଖୁଣ ଚିତ୍ର ସେହି ଚଳଚିତ୍ରରେ ଦେଖିବାକୁ ମିଳେ ।

 

ନିଗ୍ରୋ, ଆମେରିକା ବାହାରୁ ଆସିଥିବା ଶ୍ରମିକ ଓ ସର୍ବୋପରି କେତେକ ଦୁଃସ୍ଥ ଆମେରିକାନ୍‌ ପରିବାରମାନଙ୍କ କ୍ରୟ ବିକ୍ରୟ ପାଇଁ ପୁରୁଣା ପୋଷାକପତ୍ର ଦୋକାନ, ପୁରୁଣା ଆସବାବ ପତ୍ର ଦୋକାନ ଆଦି ଶହ ଶହ ଦୋକାନ ଅଛି, ଯେଉଁ ଗୁଡ଼ିକର ଗରାଖ ଗହଳି ଅବସ୍ଥା ଦେଖିଲେ ସହଜରେ ଉପଲବ୍‌ଧି କରିହୁଏ, ଆମେରିକାର ଏହି ଦୁଃସ୍ଥ ଅଧିବାସୀଙ୍କ ସଂଖ୍ୟା କେତେ-। ଅବଶ୍ୟ ଆମେରିକାର ପୂରାତନ ସାମଗ୍ରୀ ପ୍ରେମୀ (Anteique Lover) କେତେକ ଲୋକ ଅଛନ୍ତି, କିନ୍ତୁ ସେମାନଙ୍କୁ ସେଭଳି ଏକ ଦୋକାନରେ ସହଜରେ ବାରି ହେବ-। ଆମେ ଆମେରିକାର ବହୁ country store ଦେଖିଛୁଁ, ସେଠାରେ ପୁରୁଣା ଜିନିଷପାତି କିଣିବା ପାଇଁ ଲୋକଙ୍କ ବ୍ୟଗ୍ରତା ଓ ଦରଦାମ ନେଇ ଟଣାଓଟରା ବେଶ୍‌ ସୁଚାଇଦିଏ ଆମେରିକାର ଗାଉଁଲି ଲୋକଙ୍କ ଆର୍ଥିକ ଦୁଃସ୍ଥତା । ଖାଲି ସେତିକି ନୁହେଁ, ଆମେରିକାର ସ୍ଥାନେ ସ୍ଥାନେ ଯେଉଁ ସବୁ ଆମ ଚିତ୍ରବଜାର ଭଳି ଶସ୍ତା ପନିପରିବା, ମାଛ, ମାଂସ, ଫଳ, ଆଦିର ହାଟ ଓ ବଜାର ରହିଛି, ସେଠାରେ ଲୋକଙ୍କ ଗହଳି ଓ କିଣା ବିକା ଦେଖିଲେ ଆମେରିକାକୁ ନୂଆ ହେଇ ଆସିଥିବା ଯେ କେହି ଲୋକର ଆମେରିକା ସମ୍ପର୍କରେ ଧାରଣା ବଦଳି ଯିବ । ସେ ସବୁ ହାଟ ବଜାରରେ ଲୋକଙ୍କ ଚଳଣି ଓ କାରବାର ଆମ ଦେଶଭଳି । ଏଇ ହେଲା ଆମେରିକାର ଉତ୍ତର ଓ ପୂର୍ବପଟ ଶିଳ୍ପପ୍ରଧାନ ରାଜ୍ୟମାନଙ୍କରେ ଥିବା ଗରିବ ଲୋକଙ୍କର ଅବସ୍ଥା ।

 

ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣସ୍ଥ ରାଜ୍ୟମାନଙ୍କରେ ଗରିବଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ । ସେ ସବୁ ରାଜ୍ୟ ହେଲା କୃଷି ପ୍ରଧାନ ରାଜ୍ୟ । ଧାନ ହେଲା ସେମାନଙ୍କ ପ୍ରଧାନ ଫସଲ । ଧାନ କ୍ଷେତରେ କାମ କରିବା, କୃଷିରେ ନିୟୋଜିତ ହେବା ସେ ଅଞ୍ଚଳ ଶ୍ରମିକମାନଙ୍କ ପ୍ରଧାନ କାମ-। କୃଷି କ୍ଷେତରେ ନିୟୋଜିତ ହେଉଥିବାରୁ ସେମାନଙ୍କର ଆୟର ପରିମାଣ ଶିଳ୍ପରେ ନିୟୋଜିତ ଶ୍ରମିକର ଆୟ ତୁଳନାରେ ଢେର କମ୍‌ । ତେଣୁ ସେଭଳି ଲୋକଙ୍କ ପାରିବାରିକ ଅବସ୍ଥା ବିଶେଷ ଭଲ ନୁହେଁ । ଏହି ସବୁ କାରଣ ଯୋଗୁଁ ଦକ୍ଷିଣାଞ୍ଚଳର ଧନୀ ଲୋକ ଓ ଗରିବ ଲୋକଙ୍କ ସମ୍ପର୍କ ଆମ ଦେଶର ଧନୀ ଗରିବ ସମ୍ପର୍କ ଭଳି । ଜଣେ ଜଣେ ଲୋକଙ୍କ ଘରେ ଏକାଧିକ ଚାକର ଚାକରାଣି; କିନ୍ତୁ ସେଭଳି ଚାକର ଚାକରାଣୀ ବ୍ୟବସ୍ଥା ଉତ୍ତରାଞ୍ଚଳରେ ପ୍ରାୟ ସମ୍ଭବପର ନୁହେଁ-। ଆମ ଦେଶର ଆମେ ଯେମିତି ପାଣ, ବାଉରୀ ଆଦିକୁ ଖଟାଇ ସେମାନଙ୍କ ଉପରେ ଫାଇଦା ଉଠାଇ ଆମେ ଆମ ଜୀବନଧାରଣ ପ୍ରଣାଳୀକୁ ଉନ୍ନତ କରୁଛୁ, ଯୁକ୍ତରାଷ୍ଟ୍ରର ଦକ୍ଷିଣାଞ୍ଚଳରେ ପ୍ରାୟ ସେଇୟା । ସେମାନେ ନିଗ୍ରୋମାନଙ୍କୁ ଖଟାଇ ଅଳ୍ପ ବେତନ ଦେଇ ସେମାନଙ୍କ ଖଟଣି ଉପରେ ସୁବିଧା ଉପଭୋଗ କରୁଛନ୍ତି । ନିଗ୍ରୋମାନଙ୍କ ଭିତରେ ଅର୍ଥାଭାବ, ଅଶିକ୍ଷା ବେଶି, ସେମାନଙ୍କ ବାସଗୃହର ଗଠନ ଆକୃତି ଅତି ନିକୃଷ୍ଟ ଧରଣର, ଆମ ଦେଶର ପାଣ, ବାଉରୀମାନଙ୍କ ଘର ଭଳି-। ବେଳେ ବେଳେ ଗୋଟିଏ ଗୋଟିଏ ନିଗ୍ରୋ ପରିବାରର ସମସ୍ତ ପିଲାଝିଲା ଜମିଦାର ଘରେ ଅଟନ୍ତି । ବାପା କ୍ଷେତରେ କାମ କରୁଛି ତ ମା’ ଘରେ ରାନ୍ଧୁଛି ବା କାମ କରୁଛି, ଛୋଟ ଛୋଟ ପୁଅଝିଅ ବା ଯୁବତୀଝିଅମାନେ ଜମିଦାର, ଜମିଦାରଣୀଙ୍କର ବୋଲହାକ କରୁଛନ୍ତି-। ଅବଶ୍ୟ ଜମିଦାରର ଅର୍ଥ ଆମ ଦେଶ ଜମିଦାର ଭଳି ନୁହେଁ, ଜମିଦାର ବୋଇଲେ ସେ ଦେଶର ବଡ଼ ବଡ଼ ଚାଷୀଙ୍କୁ ବୁଝାଏ । ଏଭଳି ସାମାଜିକ ବ୍ୟବସ୍ଥା ହେତୁ ବେଳେବେଳେ ସୁନ୍ଦରୀ ନଗ୍ରୋ ତରୁଣୀ ଗୋରା ଯୁବକଙ୍କ ଯୌନ ଶିକାର ହୋଇଥାଏ । ଆମେରିକାର ନିଗ୍ରୋମାନଙ୍କ ଭିତରେ ବାପା ଗୋରା, ମା’ ନିଗ୍ରୋ ଔରସରୁ ବହୁ ଆମେରିକାନ ଅଛନ୍ତି । ସେମାନଙ୍କ ଭିତରୁ କେତେକ ସାହେବମାନଙ୍କ ଭଳି ଗୋରା ଦେଖାଯାଉଥୁଲେ ହେଁ ସେମାନଙ୍କୁ ନିଗ୍ରୋ କୁହାଯାଏ । ଆମେ ବହୁ ନିଗ୍ରୋ ଯୁବକ, ଯୁବତୀ ଦେଖିଛୁଁ, ଯେଉଁମାନେ ଆମେରିକାନମାନଙ୍କ ଭଳି ଗୋରା; କିନ୍ତୁ କୁଞ୍ଚୁକୁଞ୍ଚିଆ କଳା ବାଳ, ଚଉଡ଼ା ଓଠ, ଚେପ୍‌ଟା ନାକ ଆଦି ଲକ୍ଷଣରୁ ସେମାନଙ୍କୁ ନିଗ୍ରୋ ବୋଲି ଯାହା ବାରିବା କଥା ।

 

ନିଗ୍ରୋ ତରୁଣୀ ଓ ଗୋରା ତରୁଣ ଭିତରେ ସିନା ଯୌନ ସମ୍ପର୍କ ସ୍ଥାପିତ ହୋଇପାରେ; କିନ୍ତୁ ଗୋରା ଯୁବତୀ ଓ ନିଗ୍ରୋ ଯୁବକ ଭିତରେ ଯୌନ ସମ୍ପର୍କ ସ୍ଥାପିତ ହେବା ଅତିବ କଷ୍ଟକର । ଯଦି ଏମିତି କେଉଁଠି ଘଟଣା ଧରା ପଡ଼େ, ତେବେ ଦକ୍ଷିଣାଞ୍ଚଳରେ ମେଳ କରି ସେ ନିଗ୍ରୋ ଟୋକାକୁ ପିଟି ପିଟି ମାରି ପକାନ୍ତି । ଏମିତି ମାରିବାକୁ ‘ଲିଚିଙ୍ଗ’ କୁହନ୍ତି । ଲିଚିଙ୍ଗ ଗୋଟିଏ ଅତି ଜଘନ୍ୟ କାମ । ସମସ୍ତେ ମିଳିମିଶି ଏଭଳି ଜଘନ୍ୟ କାମ କରୁଥିବାରୁ ଓ ଗୋରାମାନଙ୍କ ହାତରେ ଶାସନକଳା ଥିବାରୁ ଏତେ ବଡ଼ ନରହତ୍ୟା ପ୍ରମାଣିତ ହୋଇ ପାରେନି । ଅବଶ୍ୟ ଗତ କେଇବର୍ଷ ହେଲା ଏମିତି ନରହତ୍ୟା ଶୁଣା ଯାଉନି, ତେବେ କିଏ ଜାଣେ ଆଇନର ଆଢ଼ୁଆଳରେ କେତେ କ’ଣ ହେଉ ନ ଥିବ । ଯୁକ୍ତରାଷ୍ଟ୍ରର ଦକ୍ଷିଣାଞ୍ଚଳର ଏହିଭଳି କେତେ ଦୋଷ ବଖାଣିଲେ, ଆଉ ଖଣ୍ଡିଏ ବହି ହେବ । ମାର୍କିନ ଜାତି ନିଜର ସଭ୍ୟତା, ଆର୍ଥିକ ସ୍ଵଚ୍ଛଳତା ଓ ସ୍ଵାଧିନତା ପାଇଁ ଯେତେ ଗର୍ବ କରୁ ପଛକେ, ଏସବୁ ମାର୍କିନ ଜାତିର ଗୋଟିଏ ଗୋଟିଏ କଳଙ୍କ । ଅବଶ୍ୟ ଆମେ ସେମାନଙ୍କୁ ସମାଲୋଚନା କରି ଲାଭ ନାହିଁ, କାରଣ ଆମ ଦେଶର ଅବସ୍ଥା ତା’ଠାରୁ ତ ଆହୁରି ଖରାପ । ଆମେ ସେମାନଙ୍କୁ ସମାଲୋଚନା କଲେ ଛୁଞ୍ଚି ଚାଲୁଣୀକୁ କହିଲା ଭଳି ହେବ । ତେବେ ଏଠାରେ ସେମାନଙ୍କୁ ସମାଲୋଚନ କରାଯାଉନି । ସେମାନଙ୍କ ଦେଶର ଅବସ୍ଥା ଆମ ଲୋକଙ୍କ ଅବଗତି ନିମନ୍ତେ କୁହାଯାଉଛି ।

 

ଆମେରିକାର ଏହି ଧନହୀନ ଦୂଃସ୍ଥ ପରିବାରରୁ ଆମେରିକାର ରୂପଜୀବ ଲଳନା (Street girl) ମାନଙ୍କ ଜନ୍ମ । ଏହି ଦୂଃସ୍ଥ ପରିବାରର ସୁନ୍ଦରୀ ଯୁବତୀମାନେ ବେଳେ ବେଳେ ସେମାନଙ୍କ ପୁରୁଷ ସାଙ୍ଗ (Boy Friend) ଦ୍ଵାରା ପ୍ରତାରିତ ହୋଇ ଅବୈଧ ପ୍ରଣୟର ଶିକାର ହୋଇ ବିବାହ ପୂର୍ବରୁ ସନ୍ତାନସନ୍ତତିର ମା ହୋଇଥାନ୍ତି । ଆମ ଦେଶର ସେମିତି ମା’ କୁ ଯେତେ ଘୃଣା କରନ୍ତି, ସେ ଦେଶର ସେତେ ଘୃଣା ନକଲେ ମଧ୍ୟ ସାଧାରଣ ଲୋକେ ଭଲ ଆଖିରେ ସେଭଳି ଯୁବତୀଙ୍କୁ ଦେଖନ୍ତିନି । ଆମ ଦେଶ ଭଳି ଏକ ଘରିଆ ବା ନିଁଆପାଣି ବନ୍ଧ ନକଲେ ମଧ୍ୟ ବେଳେ ବେଳେ ଏଭଳି କାମ ଯୋଗୁଁ ସେମାନେ ଲଜ୍ଜିତ ଅନୁଭବ କରିଥାନ୍ତି । ଏମିତି ଯୁବତୀକୁ ବେଳେ ବେଳେ ଯୁବକମାନେ ବିବାହ କରିବାକୁ ଆସିଥାନ୍ତି ସତ, କିନ୍ତୁ ସଦାବେଳେ ନୁହେଁ । ଯେଉଁମାନଙ୍କର ସ୍ତ୍ରୀ ମରିଯାଇଛି, ଯେଉଁମାନଙ୍କର ବିବାହ କରିବା ଦରକାର, ସେମାନଙ୍କୁ ଭଲ ଝିଅ ମିଳିବା କଷ୍ଟକର ହୋଇଥିବାରୁ ଏମିତିକା ଝିଅଙ୍କୁ ଧରିବା ଛଡ଼ା ଅନ୍ୟ ଉପାୟ ନାହିଁ । ଅବଶ୍ୟ ଯେଉଁ ଝିଅମାନେ ବିବାହ କରିବାକୁ ସୁବିଧା ପାଆନ୍ତି ନାହିଁ ବା ଟିକିଏ ଭଲ ପ୍ରକୃତିର ଝିଅ, ସେମାନେ କୁମାରୀ ଭାବରେ ରହି ସେହି ପିଲାଙ୍କୁ ଲାଳନପାଳନ କରି ପିଲାଙ୍କୁ ବଡ଼ କରନ୍ତି ଓ ଜୀବନ ଅତିବାହିତ କରନ୍ତି । ଏମିତି ଝିଅଙ୍କ ଭିତରୁ ଯେଉଁମାନେ ସୁନ୍ଦରୀ, ବିଭା ହେବାର ସୁବିଧା ପାଆନ୍ତିନି, ସେମାନେ ରୂପଜୀବି ଜୀବନ ଯାପନ ଗ୍ରହଣ କରିବାକୁ କୁଣ୍ଠାବୋଧ କରିନ୍ତିନି । ଆମେରିକା ଶ୍ରମିକ ସମାଜ ଭିତରେ ଏପରି ଅସଂଖ୍ୟ ସମସ୍ୟା ଦେଖିବାକୁ ପାଇବ ।

 

ଏହି ଶ୍ରମିକ ସମାଜ ଭିତରୁ ଯଦି କୌଣସି ସ୍ତ୍ରୀ ଅଳ୍ପ ବର୍ଷରେ ବିଧବା ହୋଇପଡ଼େ ଓ ତା’ର ପିଲାଝିଲା ଥାଏ, ତେବେ ତା ପକ୍ଷରେ ଆଉଥରେ ବିବାହ କରିବା ଏକ କଷ୍ଟକର ସମସ୍ୟା ହୋଇପଡ଼େ । ପିଲାଝିଲା ଯଦି ନଥାନ୍ତି, ତେବେ ସେଭଳି ବିଧବା ଝିଅ ପକ୍ଷରେ ବର ପାଇବା କଷ୍ଟକର ନୁହେଁ, ଯଦି ପିଲାଝିଲା ଥାନ୍ତି ତେବେ ତାହା ଏକ ସମସ୍ୟା । ବେଳେ ବେଳେ ଅବଶ୍ୟ ଏମିତି ଯୁବକ ମିଳିଯାଆନ୍ତି, ଯେଉଁମାନେ ତାକୁ ବିବାହ କରି ସ୍ତ୍ରୀର ପିଲାକୁ ନିଜର ପିଲା ଭାବେ ଗ୍ରହଣ କରି ନିଅନ୍ତି । କିନ୍ତୁ ବେଳେବେଳେ ସେମିତି ଯୁବକ ମିଳନ୍ତି ନାହିଁ । ସେ କ୍ଷେତ୍ରରେ ଯୁବତୀମାନେ ପିଲାଙ୍କୁ ଅନାଥଆଶ୍ରମକୁ ପଠାଇ ଦେଇ ଅନ୍ୟ ବିବାହ କରିଯାଆନ୍ତି । ବେଳେବେଳେ ସେମାନେ ପିଲାମାନଙ୍କୁ ଅନ୍ୟ ପରିବାରକୁ ଦାନ କରି ଦିଅନ୍ତି ମଧ୍ୟ । ଆମେରିକାରେ ଥିଲାବେଳେ ଆମର ଥରେ ଏମିତି ଅଭିଜ୍ଞତା ହୋଇଥିଲା ।

 

ଥରେ ମୁଁ, ମୋର ସ୍ତ୍ରୀ, ଝିଅପୁଅଙ୍କୁ ନେଇ ବସ୍‌ରେ ନାଏଗ୍ରା ଜଳପ୍ରପାତ ଠାରୁ ଚିକାଗୋ ସହରକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଉଥାଉ । ଆମେ ବଫେଲରୁ ବସ୍‌ ଧରିଲୁ ଚିକାଗୋ ଅଭିମୁଖେ । କ୍ଲିଭ୍‌ଲେଣ୍ଡଠାରେ ଆମର ବସ୍‌ ବଦଳାଇବା କଥା । କ୍ଲିଭ୍‌ଲେଣ୍ଡରେ ପହଞ୍ଚିଲାବେଳକୁ ରାତି ବାରଟା-। ବସରୁ ଓହ୍ଲାଇ ଆମେ କ୍ଲିଭଲେଣ୍ଡସ୍ଥିତ ଗ୍ରେ-ହାଉଣ୍ଡ ବସ ଷ୍ଟେସନ୍‌ରେ ଅପେକ୍ଷା କରି ଥାଉ ଚିକାଗୋ ବସକୁ । ଆମେ ସମସ୍ତେ ବସ ଷ୍ଟେସନରେ ବିଶ୍ରାମ କକ୍ଷରେ ବିଶ୍ରାମ କରିଥାଉଁ-। ପିଲାମାନେ ନିକଟସ୍ଥ ସୋଫାରେ ଶୋଇପଡ଼ିଥାନ୍ତି । ମୁଁ ବାଥରୁମ୍‌କୁ ଯାଇଥାଏ । ଇତି ମଧ୍ୟରେ ଜଣେ ଗୋରା ଯୁବତୀ ଆସି ସ୍ତ୍ରୀଙ୍କ ଠାରେ ହାଜର । ଯୁବତୀଟି କୋଡ଼ିଏ ଏକୋଇଶ ବର୍ଷ ବୟସର, ବେଶ୍‌ ସୁନ୍ଦରୀ । କିନ୍ତୁ ପୋଷାକ ପରିଚ୍ଛେଦରେ ଦୈନ୍ୟର ଛାପ । ସେ ଆସି ସ୍ତ୍ରୀଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଦେଇଥାନ୍ତି । ତରୁଣୀଟିର କୋଳରେ ସାତ ଆଠ ମାସର ଝିଅଟିଏ-। ତରୁଣୀଟି ସ୍ତ୍ରୀଙ୍କୁ ଅନୁରୋଧ କଲା ଯେ ସ୍ତ୍ରୀ ଯଦି ରାଜି ହୁଅନ୍ତି, ତେବେ ସେ ତାର ସାତ ଆଠ ମାସର ଝିଅଟିକୁ ଦେଇ ଦେବ । ସେ ତା ସନ୍ତାନଟିକୁ ଦେଇଦେବାକୁ ଇଚ୍ଛୁକ, କାରଣ ତା କରିପାରିଲେ ସେ ସହଜରେ ବିବାହ କରିପାରିବ । ତାକୁ ଯେଉଁମାନେ ବିବାହ କରିବାକୁ ଚାହୁଛନ୍ତି, ସେମାନେ ପିଲାଟିର ଦାୟିତ୍ଵ ନେବାକୁ ଚାହୁଁ ନାହାନ୍ତି । ତରୁଣୀଟିର କାକୁତି ମିନତୀ ସ୍ତ୍ରୀଙ୍କ ମନ ଉପରେ ବେଶ୍‌ ଚାପ ପକାଇ ପାରିଥିଲା । ତରୁଣୀଟି କୌଣସି ଏକ ମଫସଲର ଝିଅ, ତା ସ୍ଵାମୀ ତାକୁ ଛାଡ଼ି ଦେଇ କେଉଁଆଡ଼େ ଚାଲିଯାଇଛି । ତରୁଣୀଟିର ଦୁଃଖ ଦେଖି ସ୍ତ୍ରୀଙ୍କର ଭାରି ଇଚ୍ଛା ଝିଅଟିକୁ ନେଇ ନେବା ପାଇଁ । ଏହି ସମୟରେ ବାଥ୍‌ରୁମ୍‌ରୁ ଚାଲିଆସି ମୁଁ ସେମାନଙ୍କ ନିକଟରେ ବସିଲି । ଜଣେ ସାଧାରଣ ସ୍ତ୍ରୀର ଦୁଃଖ ଦେଖିଲେ ସ୍ତ୍ରୀମାନେ ଯେତେ ବ୍ୟଥିତ ହୁଅନ୍ତି, ପୁରୁଷମାନେ ସେତେ ହୁଅନ୍ତିନି । ଅବଶ୍ୟ ଏହାର କାରଣ ଢେର । ସ୍ତ୍ରୀ ମୋତେ ତାଙ୍କ ଇଚ୍ଛା ବ୍ୟକ୍ତ କରନ୍ତେ, ମୁଁ ରାଜି ହେଲିନି, ନ ହେବା ମଧ୍ୟ ସ୍ଵାଭାବିକ । କାରଣ ଆମେ ଆମ ସଂସାରର ଦାୟିତ୍ଵ ବହନ କରିସାରି ସେ ପିଲାଟିର ଦାୟିତ୍ଵ ବହନ କରିବାକୁ ଆମର ବେଳ କେଉଁଠି ? ପୁଣି କେତେବେଳେ କଣ ଅଛି । ନାନା ରୋଗ ବ୍ୟାଧି ଇତ୍ୟାଦି ତ ଅଛି ? ତା ପରେ ଆମେ ଏ ଦେଶରେ ସବୁଦିନ ପାଇଁ ରହୁଛୁଁ ବା କେମିତି ? ତରୁଣୀଟିକୁ ମୁଁ ତା ଇଛା କଥା ପଚାରିଲି । ସେ ସ୍ତ୍ରୀଙ୍କୁ ଯାହା କହିଥିଲା, ମୋତେ ଠିକ୍‌ ସେୟା କହିଲା । ତେବେ ତାର ଇଛା, ଯେ ସେ ୨/୪ ବର୍ଷରେ ଥରେ ଲେଖାଏଁ ଯାଇ ପିଲାଟିକୁ ଦେଖିଆସୁଥିବ । କିନ୍ତୁ ଆମେ ଯେତେବେଳେ କହିଲୁ ଆମେ ୩/୪ ମାସ ପରେ ଭାରତ ଫେରିଯିବୁ ଓ ଫେରିଗଲେ ସାଙ୍ଗରେ ଝିଅଟିକୁ ଭାରତକୁ ନେଇଯିବୁଁ ଓ ତା ପରେ ସେ ତାର ପିଲାଟିକୁ ଆଉ ଦେଖିବାକୁ ପାଇବନି, ସେତେବେଳେ ସେ ତା ପିଲାଟିକୁ ଆମକୁ ଦେଇ ଦେବାକୁ ଆଉ ରାଜି ହେଲାନି । କାରଣ ସେ ପିଲାଟିକୁ ଭାରତ ଛାଡ଼ିବାକୁ ନାରାଜ । ସେ ନିଜେ ଅକ୍ଷମତା ଜଣାଇ ଆମକୁ ଧନ୍ୟବାଦ ଦେଇ ଆମଠାରୁ ବିଦାୟ ନେଲା । ଗଲାବେଳେ ସେ ବଡ଼ ମ୍ଳାନ ବଦନରେ ସେ ଫେରିଗଲା । ହୁଏତ ଆଉ କେଉଁଠି ସେ ପିଲାଟିକୁ ଯାଚିଥିବ ବା କୃତ କାର୍ଯ୍ୟ ହୋଇ ପିଲାଟିକୁ ଦେଇ ଚାଲି ଯାଇଥିବ । ତରୁଣୀଟି କେଜାଣି କାହିଁକି ତା ପିଲାଟିକୁ ଅନାଥ ଆଶ୍ରମକୁ ପଠାଇବାକୁ ଅନିଛୁକ । ତରୁଣୀଟି ଚାଲିଗଲା ବେଳେ ମୁଁ ମନେ ମନେ ଭାବୁଥୁଲି, “ଧନ୍ୟ ଏହି ଧନୀକର ଦେଶ ! ଏହି ସମାଜର ଶ୍ରମିକ କନ୍ୟାର ସିନା ଏହି ଅବସ୍ଥା ! ମା ହୋଇ ନିଜର ପେଟରୁ ଜନ୍ମିତ କନ୍ୟାକୁ ହସ୍ତାନ୍ତର କରିବାକୁ ଚେଷ୍ଟା କରୁଛି ! କିନ୍ତୁ ଧନୀକ ସମାଜର ଅବସ୍ଥା ଏହାଠାରୁ ଢେର ଭଲ । ଶହ ଶହ ସ୍ଵାମୀ କିମ୍ବା ସ୍ତ୍ରୀ ନିଜର ଇଚ୍ଛା ମୁତାବକ ସ୍ତ୍ରୀ କିମ୍ବା ସ୍ଵାମୀ ଅଦଳ ବଦଳ କରୁଛନ୍ତି । ଆଜି ଯଦି ଜଣେ ସ୍ତ୍ରୀ ଅମକେଇ ସ୍ଵାମୀର, କାଲି ସେ ସ୍ଵାମୀ ବଦଳାଇ ଅନ୍ୟ ସ୍ଵାମୀ ନେଇ ଘର କଲାଣି । ସେଥିସହ ପିଲାମାନେ ମଧ୍ୟ ନୂଆ ବାପାକୁ କି ମା’କୁ ଗ୍ରହଣ କରି ନେଇ ସାରିଲେଣି । ଧନୀକ ସମାଜରେ ଏହା ସମସ୍ୟା ନ ହେଲେହେଁ ଶ୍ରମିକ ସମାଜରେ ଏହା ସମସ୍ୟା ସୃଷ୍ଟି କରିଥାଏ । ଧନୀକ କନ୍ୟାର ପାଣି ଗ୍ରହଣ ପାଇଁ ଯେତେ ଲୋକ ଆଗ୍ରହୀ, ଶ୍ରମିକ କନ୍ୟାର ପାଣି ଗ୍ରହଣ ପାଇଁ ଲୋକ ମିଳୁଛନ୍ତି କେଉଁଠି ? ଅବଶ୍ୟ ସାଧାରଣ ଯୁବକ ଯୁବତୀ ପାଇଁ ଏହା ପ୍ରଯୁଜ୍ୟ ନୁହେଁ, କିନ୍ତୁ ବିଧବା ଯୁବତୀ ଆଦିଙ୍କ ପାଇଁ ଏହା ଏକ ସମସ୍ୟା । ବିଶେଷତଃ ପରିତ୍ୟକ୍ତା, ପିଲାଛୁଆ ଥିବା ବିଧବା ଆଶାଜନକ ଭାବରେ ସୁନ୍ଦରୀ ହୋଇ ନଥିବା ଝିଅଙ୍କ ପ୍ରତି ଏହା ଏକ ଅତି ବଡ଼ ସମସ୍ୟା ।

 

ଆମେରିକା ସମାଜ ଭିତରେ ଅପରାଧମୂଳକ ଘଟଣା କିଛି କମ୍‌ ନୁହେଁ । ଆମ ଦେଶର ଗୋଟିଏ କଥା ଅଛି, ‘ଅଭାବେ ସ୍ଵଭାବ ନଷ୍ଟ’ । ଯା’ର ଅର୍ଥ ହେଉଛି ଯେ ଲୋକ ଅଭାବରେ ପଡ଼ି ନାନା କୁକାର୍ଯ୍ୟ କରିଥାଏ । ଖାଇବାକୁ ନ ପାଇ ଲୋକ ଚୋରି କରେ, ଡକାୟତି କରେ । ଏହି ଉକ୍ତିଟି ପୂରାପୂରି ସତ, ତା ନୁହେ । ଆମ ଦେଶର ଯେତେ ଚୋରି ଡକାୟତି ହୁଏ, ତା’ ଭିତରୁ ଶତକଡ଼ା ହୁଏତ ଦଶଭାଗ ଏମିତି ଚୋରି ହୋଇପାରେ, ବାକି ନେବେ ଭାଗ ବ୍ୟବସାୟମୂଳକ ଚୋରି ବା ଡକାୟତି । ଆମେରିକାରେ ଶତକଡ଼ା ଶହେ ଭାଗ ଚୋରି ଡକାୟତି ବ୍ୟବସାୟମୂଳକ । ଏହି ଚୋରି ଡକାୟତ ମୂଳରେ ସେ ଦେଶର ଅସଂଖ୍ୟ ଅପରାଧୀ ରହିଛନ୍ତି । ଏମାନେ ପ୍ରକୃତରେ ଅସମାଜିକ ବ୍ୟକ୍ତି । ଆମେରିକାରେ ନାନାପ୍ରକାର ଅପରାଧ ଏହିମାନଙ୍କ ଦ୍ଵାରା ହିଁ ସାଧିତ ହୁଏ । ଆମେରିକାରେ ସାଧାରଣ ଚୋରି, ଆମ ଦେଶର ଲାଉ ଚୋରି, କଖାରୁ ଚୋରି କି ଲୋଟା ଚୋରି ନୁହେଁ, ଯେଉଁ ଚୋରି ସାଧାରଣତଃ ଆମ ଦେଶର ଠାଉରିଆ କି ଅଫିମମାନେ କରିଥାନ୍ତି । ଯାହାକି ପ୍ରକୃତରେ ଅଭାବଗ୍ରସ୍ଥ ଚୋରି । ଖାଇବାକୁ ନ ପାଇଲେ କି ଅଫିମ କିଣିବାକୁ ପଇସା ନ ପାଇଲେ, ଏମାନେ କା ବାଡ଼ିର ଲାଉଟାଏ, କି କଖାରୁଟାଏ ଚୋରି କରନ୍ତି, କି କା ଘରଦ୍ଵାର ଖୋଲା ଅଛିତ ଲୋଟାଟାଏ କି ଲୁଗାଖଣ୍ଡିଏ ନେଇ ପଳାଇଯାନ୍ତି । କିନ୍ତୁ ଏମିତି ଚୋରି ଆମେରିକାରେ ପାଇବନି । ଆମେରିକାରରେ ଜଣେ ଲୋକ ଯଦି ଘରେ ତାଲା ନ ପକାଇ କୁଆଡ଼େ ଚାଲିଯାଏ, ତେବେ କେହି ତା ଘରେ ପଶି ଚୋରି କରିବେ ନାହିଁ । ବହୁ ଲୋକ ରାତିରେ ଦାଣ୍ଡ କବାଟ ନ ଦେଇ ଶୋଇଯାନ୍ତି-। କେବେ ସେମିତି ଲୋକଙ୍କ ଘରୁ ଚୋରି ହେବାର ଶୁଣା ଯାଇନି ।

 

ଆମେରିକାରେ ଯା’ ଚୋରି ହୁଏ ତା’ ବେଶ୍‌ ବଡ଼ ଧରଣର । ଚୋରମାନଙ୍କର ଆଖି କାହିଁକି ସାଧାରଣ ଲୋକଙ୍କର ଘର ଉପରେ ପଡ଼େନି, ତା’ର କାରଣ ହେଲା, ଲୋକେ ଘରେ ପ୍ରାୟ ପଇସାପତ୍ର ରଖନ୍ତି ନାହିଁ, ସେମାନଙ୍କର ସବୁ କାରବାର ବେଙ୍କ୍‌ରେ । ହଠାତ୍‌କା ଘର ଖୋଜି ପକାଇଲେ ପାଞ୍ଚ ଦଶ ଡଲାର୍‌ ମିଳିବ କି ନାହିଁ ସନ୍ଦେହ । ତା’ ଛଡ଼ା ଆମେରିକାନ୍‌ ସ୍ତ୍ରୀଲୋକେ ଗହଣାପତ୍ର ବ୍ୟବହାର କରନ୍ତି ନାହିଁ । ଯା ବା ଖଣ୍ଡେ ଦିଖଣ୍ଡ ଅଳଙ୍କାର ଲଗାନ୍ତି, ତା’ରୋଲ୍ଡ଼ ଗୋଲ୍ଡ଼ ବା ଦଶକେରେଟ୍‌ ସୁନା, ସେ ପୁଣି ଭରିଏ ଦି’ଭରିରୁ ଅଧିକ ନୁହେଁ । ତେଣୁ ଚୋର ଯଦି ଜଣେ ସାଧାରଣ ପରିବାରକୁ ଚୋରି କରିବା ପାଇଁ ଆସେ, ସେ କ’ଣ ଚୋରି କରିବ ? ତେଣୁ ସେ ଦେଶର ଚୋରମାନେ ସାଧାରଣ ଲୋକଙ୍କ ଘର ଉପରେ ଆଖି ନରଖି ବଡ଼ଲୋକଙ୍କ ଘର ଉପରେ ଆଖି ରଖଥିବେ ବୋଲି ହୁଏତ ଅନେକେ ଭାବୁଥୁବେ । କିନ୍ତୁ ଅବସ୍ଥା ତା’ ବି ନୁହେଁ । ବଡ଼ଲୋକଙ୍କ ଘରେ ଟଙ୍କା ପଇସା ନଥାଏ, ସବୁ ଥାଏ ବେଙ୍କ୍‌ରେ । ଯା’ କିଛି ମୂଲ୍ୟବାନ ଅଳଙ୍କାର, ଯଥା-ହୀରାବସା ହାର, କାନଫୁଲ ଆଦି ରହିବା କଥା, ବଡ଼ ବଡ଼ ଲୋକମାନେ ଏହି ସବୁ ଦାମିକା ଅଳଙ୍କାର ଘରେ ରଖନ୍ତି ନାହିଁ, ବେଙ୍କ୍‌ରେ ଥିବା ନିରାପଦ ଆଲମାରୀରେ ରଖନ୍ତି । ଯେଉଁଦିନ ପିନ୍ଧିବାକୁ ଇଛା ହେଲା ବେଙ୍କ୍‌ରୁ ଆଣି ପିନ୍ଧିଲେ, ପିନ୍ଧିସାରି ବେଙ୍କରେ ରଖିଦେଇ ଆସିଲେ । ତେଣୁ ଧନୀଲୋକଙ୍କ ଘରକୁ ଚୋର ପଶିଲେ ମଧ୍ୟ ବିଶେଷ କିଛି ପାଇବ ନାହିଁ । ଏଥିପାଇଁ ଚୋର, ଡକାୟତଙ୍କ ଆଖି ସବୁବେଳେ ବେଙ୍କ୍‌, କଳକାରଖାନା, ପୋଷ୍ଟଅଫିସ ଆଦି ଉପରେ ।

 

ସେହି ସବୁର ଚୋରି ବର୍ଷର ପ୍ରାୟ ସବୁଦିନେ ଲାଗିଥାଏ । ଚୋର ଡକାୟତମାନେ ସର୍ବଦା ଆଖି ରଖିଥାନ୍ତି, କେଉଁ କଳକାରଖାନାର ଟଙ୍କା ବେଙ୍କ୍‌ରୁ ଆସିଲା, ବେଙ୍କ୍‌ରୁ ଟଙ୍କା କାରଖାନାକୁ ନେଲାବେଳେ ଡକାୟତମାନେ ବାଟରେ ଛକିଥିବେ, ଦିନ ଦିପହରେ ଲୁଟି କରିନେବେ । ଆମେରିକାରେ ଆମେ ଥିବା ସମୟରେ ଏମିତି କେତେ ଡକାୟତି ଯେ ହୋଇଥିଲା, ତା’ର ହିସାବ ଦେବା ଆମ ପକ୍ଷରେ ଦୁରୂହ । ଥରେ ଗୋଟିଏ ପୋଷ୍ଟ ଅଫିସରୁ ଆଉ ଏକ ପୋଷ୍ଟ ଅଫିସକୁ ଟଙ୍କା ଯାଉଥାଏ । ଦିନ ଦିପହରରେ, ଶହ ଶହ ଲୋକ ଯାଉଥିବା ବିଚ୍‌ରାସ୍ତା ଉପରେ ଏମିତି ଭାବରେ ଚୋରି ହୋଇଗଲା ଯେ ଶୁଣିଲେ ମଣିଷ କାନରେ ହାତ ଦେବ । ଟଙ୍କା ବି କିଛି କମ୍‌ ନୁହେଁ । ବହୁ ଲକ୍ଷାଧିକ ଟଙ୍କା । ଡକାୟତମାନେ ଏଡ଼େ ଧୁରନ୍ଧର ଯେ ସେମାନଙ୍କୁ ଧରିବା ପାଇଁ ବହୁଦିନ ଧରି ଖୋଜା ଚାଲିଲେ ସୁଦ୍ଧା କେହି ଧରା ପଡ଼ିଲେନି ।

 

ଶୀତଦିନେ ବରଫ ବୃଷ୍ଟି ହେଲାବେଳେ ଆମେରିକାରେ ବେଙ୍କ୍‌ ଡକାୟତି ଏକ ମାମୁଲି ଘଟଣା । ଶୀତଋତୁରେ ଏମିତି କେତେ ଯେ ଡକାୟତି ହୁଏ, ତା’ର କଳନା ନାହିଁ । ଯେଉଁଦିନ ଖୁବ୍‌ ବେଶି ତୁଷାରପାତ ହୁଏ, ଘରେ ମୁଁ ବେଳେ ବେଳେ କହେଁ, ‘‘ବୋଧହୁଏ ଆଜି କେଉଁଠି ବେଙ୍କ୍‌ଡକାୟତ ହେବ ।’’ ସତକୁ ସତ ସେହିଦିନ ସନ୍ଧ୍ୟାବେଳକୁ ରେଡ଼ିଓ, ଟେଲିଭିଜନ୍‌କି ଖବରକାଗଜରେ ଜାଣିବ, ସତରେ କେଉଁଠି ବେଙ୍କ୍‌ ଡକାୟତି ହୋଇ ଯାଇଛି । ଶୀତଦିନେ ବରଫପାତ ବେଳେ କି ଠିକ୍‌ ପରେ ପରେ ବେଙ୍କ୍‌ ଡକାୟତି ହେବାର ପ୍ରଧାନ କାରଣ ହେଉଛି ଯେ ବେଳେ ବେଳେ ତୁଷାରପାତ ହେତୁ ରାସ୍ତାଘାଟ ବନ୍ଦ ହୋଇଯାଇଥାଏ । ତେଣୁ ପୋଲିସ ସାହାଯ୍ୟ ମିଳିବାରେ ସାଧାରଣତଃ ଡେରି ହୁଏ । ବେଙ୍କ୍‌ରେ ଜଗିବା ପାଇଁ ଯା’ ପୋଲିସ ଜଗୁଆଳି ଥାନ୍ତି, ତାହା ଖୁବ୍‌ ସାମାନ୍ୟ । ଏଇ ସୁବିଧା ନେଇ ହଠାତ୍‌ ଡକାୟତମାନେ ବେଙ୍କ୍‌ରେ ଆବିର୍ଭାବ ହୁଅନ୍ତି ଓ ପିସ୍ତଲ ମୁନରେ ବେଙ୍କ୍‌ କର୍ମଚାରୀମାନଙ୍କଠାରୁ ନିରାପଦ ସିନ୍ଧୁକର ଚାବି ନେଇ ଟଙ୍କା ପଇସା ନେଇ ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇଯାନ୍ତି । ଆମେରିକାର ବେଙ୍କ୍‌ଗୁଡ଼ିକରେ ଟଙ୍କା ପଇସା ଆଦି ଯେଉଁ କୋଠରୀରେ ରହେ, ସେଥି ଭିତରୁ ଅଧିକାଂଶ ଅତି ଶକ୍ତ ଇସ୍ପାତର ତିଆରି । ପୁଣି ସେହି ଭଲଟ୍‌ଗୁଡ଼ିକ ପୋଲିସ ଷ୍ଟେସନ ସହିତ ଇଲେକ୍‌ଟ୍ରିକ ଜରିଆରେ ସଂଯୁକ୍ତ । କେହି ଯଦି ଜୋର ଜବରଦସ୍ତି ଇସ୍ପାତ କୋଠରୀ ଭିତରକୁ ପଶେ, ତେବେ ପୋଲିସ ଷ୍ଟେସନରେ ମନକୁ ମନ ସତର୍କ ଘଣ୍ଟି ବାଜିଉଠେ । କିନ୍ତୁ ତୁଷାରପାତ ହେତୁ ରାସ୍ତାଘାଟ ବନ୍ଦ ଥିବାରୁ ପୋଲିସ ଦଳ ଆସୁ ଆସୁ ଡେରି ହୋଇଯାଏ । ଏହାର ଭିତରେ ଡକାୟତମାନେ ଟଙ୍କା ପଇସା ନେଇ ଚମ୍ପଟ୍‌ । ବେଳେ ବେଳେ ଏହି ଧରଣର ଚୋରି ଯୋଗୁଁ ଲୋକେ ବଡ଼ ଭୟଭୀତ ହୋଇପଡନ୍ତି, ବିଶେଷତଃ ଶୀତଦିନେ ଓ ତୁଷାରପାତ ପରେ ପରେ । ବଡ଼ ବଡ଼ ଦୋକାନ, ଡିପୋର୍ଟମେଣ୍ଟାଲ ଷ୍ଟୋର ଆଦିରେ ଏହି ଧରଣର ଡକାୟତି ଓ ଚୋରି ମଧ୍ୟ ବେଶ୍‌ ପରିମାଣରେ ଦେଖାଯାଏ ।

 

ଏଥି ସହିତ ରାଜପଥ ଡକାୟତ (Highway robbery)ଆମେରିକାରେ ବେଶ୍‌ ଦେଖାଯାଏ । ରାତିରେ ବା ନିଛାଟିଆ ଦିନ ଦିପହରେ ଡକାୟତମାନେ ବଡ଼ ବଡ଼ ରାଜପଥରେ ସାହାଯ୍ୟ ପାଇବା ଆଶାରେ ହାତ ଦେଖାଇ ଠିଆ ହୋଇଥିବେ । କେହି ଯଦି ମଟର ଅଟକାଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଇଛା ପ୍ରକାଶ କଲା, ସେମାନେ ପିସ୍ତଲ ଦେଖାଇ ତା’ ଠାରୁ ଟଙ୍କା ପଇସା ଲୁଟି ନେଇ କେଉଁଆଡ଼େ ପଳାଇବେ । ଏହିସବୁ ରାଜପଥ ଡକାୟତି ବନ୍ଦ କରିବା ପାଇଁ ରାଜପଥମାନଙ୍କରେ ପୋଲିସ ପେଟ୍ରୋଲ୍‌ କରୁଥାଏ । ନିଛାଟିଆ ରାସ୍ତାରେ ବା ରାତିରେ ମଟର ଗାଡ଼ିରେ ଯାଉଥିବାବେଳେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଗାଡ଼ି ଅଟକେଇବା, ବେଳେ ବେଳେ ବିପଦଜନକ ହୋଇପଡ଼େ ।

 

ଚୋରି ଡକାୟତି ସଙ୍ଗେ ସଙ୍ଗେ ନରହତ୍ୟା, ନାରୀଧର୍ଷଣ ସେ ଦେଶରେ ଅତି ମାମୁଲି ଘଟଣା । ବେଳେ ବେଳେ ଏମିତି ମାନସିକ ବ୍ୟାଧିଗ୍ରସ୍ତ ଲୋକ ଦେଖାଯାନ୍ତି, ଯେଉଁମାନେ ଜଣ ପରେ ଜଣ ବହୁ ଲୋକଙ୍କୁ ହତ୍ୟା କରି ଚାଲନ୍ତି, ସେମାନେ ଏମିତି ଭାବରେ ହତ୍ୟା କରନ୍ତି ଯେ, ସେମାନଙ୍କୁ ଧରିବା ପୋଲିସ୍‌ ପକ୍ଷରେ ଅତୀବ କଷ୍ଟକର ହୋଇପଡ଼େ । ଆମେ ଆମେରିକାରେ ଥିବାବେଳେ ଆମ ସହର ନିକଟବର୍ତ୍ତୀ କେମ୍ବ୍ରିଜ୍‌ ଓ ବୋଷ୍ଟନ୍‌ରେ ଏମିତି ଗୋଟିଏ ଯୁବକ ବାହାରିଲା ଯେ କି ଏହି ଦୁଇସହରର ଚାରି ପାଞ୍ଚଜଣ ଯୁବତୀଙ୍କୁ ଗୋଟିକ ପରେ ଗୋଟିଏ ହତ୍ୟା କରି ପଳାଇଲା । ସେହି ଯୁବକକୁ ଧରିବା ପୋଲିସ୍‌ ପକ୍ଷରେ ଦୁରୂହ ହୋଇ ପଡ଼ିଥିଲା । ଥରେ ଯେତେବେଳେ ଜନରବ ଉଠିଲା ଯେ ସେହି ଯୁବକ ଆମ ସହରରେ ବୁଲୁଛି, ଲୋକଙ୍କ ଆତଙ୍କ କହିଲେ ନସରେ । ସେ ଯୁବକ କେବଳ ଯୁବତୀଙ୍କୁ ହତ୍ୟା କରୁଛି ଜାଣି ସେଦିନ ବହୁ ଯୁବକ ସେମାନଙ୍କ କର୍ମ କ୍ଷେତ୍ରକୁ ନଯାଇ ସେମାନଙ୍କ ଯୁବତୀ ସ୍ତ୍ରୀଙ୍କୁ ଜଗି ରହିଲେ । ତଣ୍ଟି ଚିପି ମାରିବା, ପିସ୍ତଲରେ ହତ୍ୟା କରିବା, ଛୁରା ଭୁଷିଦେବା ଆଦି ଉପାୟରେ ଏହି ନରଘାତକମାନେ ନରହତ୍ୟା କରିଥାନ୍ତି ।

 

ଆମେରିକାରରେ ଗୁଣ୍ଡାଶ୍ରେଣୀର ଲୋକ ମଧ୍ୟ ଢେର । ଟଙ୍କା ଦେଲେ ସେମାନେ ଯା’କୁ କହିବ, ତାକୁ ହତ୍ୟା କରିଦେବେ । ଜୋର ଜବରଦସ୍ତି କା’ପିଲାକୁ ନେଇ ଲୁଚାଇ ଦେବେ, ଟଙ୍କା ଦେଲେ ଛାଡ଼ିବେ । ଟେକ୍‌ସାସ ଆଦି ରାଜ୍ୟରେ ଏଭଳି କୁକର୍ମ ବହୁ ପରିମାଣରେ ଦେଖିବାକୁ ମିଳେ । କାହାରି ଯଦି ସୁନ୍ଦରୀ ସ୍ତ୍ରୀ ଅଛି, ତେବେ ତାକୁ ଟେକି ନେଇଯାଇ ତା’ ଉପରେ ଯୌନ ଅତ୍ୟାଚାର କରିବା ଏବେ ବି ଟେକ୍‌ସାସ୍‌ ଓ ଅନ୍ୟାନ୍ୟ କେତେକ ରାଜ୍ୟରେ ହେଉଥିବାର ଶୁଣାଯାଏ । ହଠାତ ରାଗିଯାଇ ଅନ୍ୟକୁ ବାଡ଼େଇବା, ଅନ୍ୟକୁ ବନ୍ଧୁକ, ପିସ୍ତଲ ଆଦିରେ ମାରିବା ଟେକ୍‌ସାସ୍‌ ରାଜ୍ୟରେ ଏକ ମାମୁଲି ଘଟଣା । ବନ୍ଧୁକ ଓ ପିସ୍ତଲରେ ଲକ୍ଷଭେଦ କରିବାରେ ଏଡ଼େ ଧୁରନ୍ଧର ଯେ ସେମାନେ ବହୁ ଦୂରରେ ଥାଇ ମଧ୍ୟ ବନ୍ଧୁକରେ ଲକ୍ଷ୍ୟ ଭେଦ କରି ପାରନ୍ତି । ପ୍ରେସିଡେଣ୍ଟ କେନେଡ଼ିଙ୍କ ହତ୍ୟା ଏହାର ଜ୍ଵଳନ୍ତ ପ୍ରମାଣ । ଏବେବି ପୂରାକାଳର କାୟ ବୟ, ଓ ୱେଷ୍ଟର୍ଣ୍ଣ ମୁଭିର ନାୟକ ଭଳି ପିସ୍ତଲ ଚଳାଳି, ଘୋଡ଼ା ଦୌଡ଼ାଳି ସେ ରାଜ୍ୟରେ ଅଛନ୍ତି ।

 

ତା’ଛଡ଼ା ଜୁଆଖେଳ ଆଦି କୁକର୍ମ ଆମେରିକାରର ବହୁ ରାଜ୍ୟ ସହର, ହୋଟେଲମାନଙ୍କରେ ଦେଖିବାକୁ ମିଳେ । ଲାସ୍‌ଭେଗାସ୍ ଆଦି ବହୁ ସହରର କୀର୍ତ୍ତି ଶୁଣିଲେ ମଣିଷ କାନରେ ହାତ ଦେବ । ଜୁଆଖେଳ ସଙ୍ଗେ, ମଦ, ମାଇକିନିଆଙ୍କ ଯେଉଁ ଅସଦ୍‌ବ୍ୟବହାର ଯେ କେହି ବିଚାରବନ୍ତ ଲୋକ ଦେଖିବ, ଆମେରିକା ପ୍ରତି ତା’ର ଭଲ ମନୋଭାବ ବଦଳିଯିବ ।

 

ଆମେରିକାରେ ଘୁସ୍‌ କି କିଳାପୋତେଇ ଯେ ନାହିଁ ତା’ ନୁହେଁ । ଆମେରିକାରେ ବହୁ ଅଫିସର ଘୁସ୍‌ନେବାର ପ୍ରମାଣ ଅଛି । ଆମେ ଥିବା ସମୟରେ ବୋଷ୍ଟନ୍‌ରେ ତିଆରି ହୋଇଥିବା ଭୂମିତଳ ମଟର ରଖିବା ସ୍ଥାନ ତିଆରି କରୁଥିବା କଣ୍ଟ୍ରାକ୍ଟର ଠାରୁ ଆରମ୍ଭ କରି କେତେ ଅଫିସର ଯେ ଅନ୍ୟାୟ ଉତ୍କୋଚ, ଘୁସ୍‌ ଆଦି ନେଇଥିଲେ, ସେମାନଙ୍କର ଏକ ବିଚାର ଚାଲିଥିଲା । ଆମେରିକାର ରାସ୍ତାଘାଟ ତିଆଋରେ ଏମିତି ଘୁସ୍‌ନେବା ଏକ ମାମୁଲି ଘଟଣା । ମଦ, ନିଦ ହେବା ଔଷଧ ଆଦିର ବିକ୍ରୟରେ କିଳାପୋତେଇ ବେଶ୍‌ ଚାଲେ । ଆମେରିକାରେ ନିଦହେବା ଔଷଧ (Narcotics) ବିକିବା ବେଆଇନ । କିନ୍ତୁ ବହୁଲୋକ ଏହାକୁ ବ୍ୟବହାର କରନ୍ତି । ତେଣୁ ସେମାନେ କିଳାପୋତେଈ ଦରରେ କିଣି ଲୁଚା ଛପାରେ ବ୍ୟବହାର କରନ୍ତି । ଆମେରିକାରେ ମଦ ବେପାର ଖୋଲା ହେଲେହିଁ, ମଦ ଉପରେ ଟେକସ ଖୁବ୍‌ ବେଶି । ତେଣୁ ଆମେରିକାର ବଡ଼ ବଡ଼ ସହରରେ ଲୁଚାଛପା ଭାବରେ ସରକାରଙ୍କୁ ଟେକ୍‌ସ ଫାଙ୍କି ମଦ ବିକ୍ରୟ ହୁଏ । ଯେଉଁମାନେ ଏ ବ୍ୟବସାୟ ଚଳାନ୍ତି, ସେମାନେ ଖୁବ୍‌ ଲାଭ କରନ୍ତି । ଚିକାଗୋ ଆଦି ସହର ଏ ସବୁ କାମ ପାଇଁ ପ୍ରସିଦ୍ଧ । ପୋଲିସର ଆଖିରେ ଧୂଳି ଦେଇ ଲୋକେ ଏମିତ ଭାବରେ ଏ କାମ ଚଳାନ୍ତି ଯେ, ସେମାନଙ୍କୁ ଧରିବା ବେଳେ ବେଳେ କଷ୍ଟକର ହୋଇପଡ଼େ । ବେଳେ ବେଳେ ବଡ଼ ବଡ଼ ସହର ଭିତରେ ଏଭଳି କେତେକ ବେଆଇନ୍‌ ମଦ କାରଖାନା ଧରା ପଡ଼ି ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ ।

 

ତା’ ଛଡ଼ା ଆହୁରି ବହୁ ବ୍ୟବସାୟୀଙ୍କର କିଳାପୋତେଇ କାରବାର ଅଛି । କୃତ୍ରିମ ଅଭାବ ସୃଷ୍ଟି କରି ଦରଦାମ୍‌ ବେଶି କରାଇବା ରୀତି ଆମେରିକାରେ ବର୍ତ୍ତମାନ ସେତେ ନଥିଲେ ହେଁ, କିଛିବର୍ଷ ତଳେ ସେଗୁଡ଼ିକର ବହୁଳ ବ୍ୟବହାର ଥିଲା । ଅବଶ୍ୟ ଆମ ଦେଶରେ ଏହା ପ୍ରାୟ ସର୍ବତ୍ର ପ୍ରଚଳିତ । ଆମ ଦେଶର ଗାଁ ମୁଣ୍ଡର ଦୋକାନୀଠାରୁ ଆରମ୍ଭ କରି ମିଲ୍‌ମାଲିକ କୋଟିପତି ପର୍ଯ୍ୟନ୍ତ ସମସ୍ତେ ଏହି ଦରଦାମ ବେଶି କରିବାରେ ଧୁରନ୍ଧର । ସେ ଦେଶରେ କେତେକ ବ୍ୟବସାୟୀ ସୁବିଧା ସୁଯୋଗ ପାଇଲେ ଏହାର ସୁଯୋଗ ନ ନେଇ ଛାଡ଼ନ୍ତି ନାହିଁ । ଆମେରିକାରେ ଉତ୍ପାଦନର ପ୍ରାଚୁର୍ଯ୍ୟ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅତ୍ୟଧିକ ଉତ୍ପାଦନ ଯୋଗୁଁ ଆମ ଦେଶର ଏହି ହୀନ ଉପାୟଟି ସେ ଦେଶରେ ବିଶେଷ କାର୍ଯ୍ୟ କରି ପାରେ ନାହିଁ ।

 

ତା’ ଛଡ଼ା ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଠକାମୀ ସେ ଦେଶରେ କିଛି କମ୍‌ନୁହେଁ । ନିଉୟର୍କ ଆଦି ବଡ଼ ବଡ଼ ସହରରେ ଏମିତି ସବୁ ଦୋକାନ ଅଛି, ଯେଉଁଠି ଠକାମୀ ଜିନିଷମାନ ବିକ୍ରୟ ହୁଏ, ଜିନିଷପତ୍ରର ମୂଲ୍ୟ ନେଇ ବେଶ୍‌ ଦାମ କଷାକଷି ଚାଲେ । ଏମିତିକି ନିଉୟର୍କର ଟାଇମ୍‌ସ୍‌ ସ୍କୋୟରରେ ଏମିତି ବହୁ ଦୋକାନ ରହିଛି, ଯେଉଁଥିରୁ ସାବଧାନ ହୋଇ ଜିନିଷ କିଣା କଣି ନ କଲେ ଠକିଯିବାର ସମ୍ଭାବନା । ଆମେରିକାର ସେୟାର୍‌ ମାର୍କେଟ୍‌ରେ ମଧ୍ୟ ବହୁ ଠକା ଠକି ସେୟାର କିଣା ବିକା ହୁଏ । ଅବଶ୍ୟ ସେହି ସେୟାରଗୁଡ଼ିକର କିଣାବିକା ଆମେରିକାନ କି ନିଉୟର୍କ ଷ୍ଟକ୍‌ ଏକ୍‌ସ୍‌ଚେଞ୍ଜ ଜରିଆରେ ଚାଲେନି । ବହୁ ଲୋକ ଏହି ସବୁ ଠକାମୀ ସେୟାର କିଣି ହଇରାଣ ହେବାର ଦେଖାଯାଏ । ଏହିଭଳି ଭାବରେ ଦେଖିବାକୁ ଗଲେ ଆମେରିକା ଏକ ଅତି ଧନୀ ଦେଶ ହେଲେହେଁ, ସେଠାରେ ଅସାମାଜିକ କ୍ରିୟା ଓ ସେହି କାମକୁ କଲାବଲା ଲୋକଙ୍କର ମୋଟେ ଅଭାବ ନାହିଁ । ଆମ ଦେଶରେ ଯେଉଁ ପ୍ରକାର ଅସାମାଜିକ କ୍ରିୟା ଦେଖି ଯାଏ, ସେଭଳି କ୍ରିୟାର ଅଭାବ ସେ ଦେଶରେ ନାହିଁ । ବଡ଼ ସୁଖର କଥା ସେ ଦେଶରେ ଖାଦ୍ୟରେ କିଳାପୋତେଇ କି ଖାଦ୍ୟପଦାର୍ଥରେ ଭେଜାଲ ମିଶ୍ରଣ ମୋଟେ ଦେଖା ଯାଏନି । ଆମ ଦେଶରେ ଯେମିତି ଅଟା, ଚିନି ଠାରୁ ଆରମ୍ଭ କରି ଜିରା, ଧନିଆ, ଜୁଆଣୀ, ହଳଦୀଗୁଣ୍ଡ, ସୋରିଷ ତେଲ ପର୍ଯ୍ୟନ୍ତ ସବୁଥିରେ ଭେଜାଲ ଏକ ନୀତିଦିନିଆ କଥା, ସେ ଦେଶରେ ସେମିତି ନାହିଁ । ଆମଦେଶରେ ଅଟାରେ ତେନ୍ତୁଳି ମଞ୍ଜି ଗୁଣ୍ଡ, ଚିନିରେ କାଚଗୁଣ୍ଡ, ହଳଦୀ ଗୁଣ୍ଡରେ ବିଷାକ୍ତ ରଙ୍ଗୀନ୍‌ ଦ୍ରବ୍ୟ, ନଡ଼ିଆ ଓ ସୋରିଷ ତେଲରେ ଧଳା ତେଲ ଆଦି ବିଷାକ୍ତ ପଦାର୍ଥ ମିଶାଇ ଲୋକଙ୍କ ଶହେବର୍ଷର ଆୟୁଷକୁ ପଚାଶ ବର୍ଷକୁ ଟାଣି ନିଆଯାଏ, ସେମିତି ସେ ଦେଶରେ ପାଇବ ନାହିଁ । ଆମ ଦେଶରେ ଯେମିତି ଖାଣ୍ଟି ଦୁଧ କି ଖାଣ୍ଟି ଘିଅ ଆଈମା ବୁଢ଼ୀର କାହାଣୀ ଭଳି ହୋଇଗଲାଣି, ସେ ଦେଶରେ ଅବଶ୍ୟ ସେମିତି ନୁହେଁ । ଦୁଧ, ଲହୁଣୀ ତେଲ ଠାରୁ ଆରମ୍ଭ କରି ମାଛ, ମାଂସ ପର୍ଯ୍ୟନ୍ତ କେଉଁଥିରେ ଭେଜାଲର ନାମଗନ୍ଧ ନାହିଁ । ଭେଜାଲକାରୀମାନଙ୍କ ପାଇଁ ଆଇନ୍‌ ଏତେ କଡ଼ା ଓ ଦେଶରେ ଉତ୍ପାଦନ ଏତେ ବେଶି ଯେ ଭେଜାଲ କରିବା ସେତେ ସହଜ ସାଧ୍ୟ ନୁହେଁ । କିନ୍ତୁ ଆମଦେଶରେ ଉତ୍ପାଦନ ଏତେ କମ୍‌ ଓ ଭେଜାଲକାରୀଙ୍କ ପାଇଁ ଆଇନ କାନୁନ ଏତେ କୋହଳ ଯେ ଭେଜାଲ ପାଇଁ ଆମ ଦେଶ ଏକ ପ୍ରକୃଷ୍ଟ କ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନି । ଆମେରିକାରେ ସାଧାରଣ ଲୋକମାନେ ଯେମିତି ଏଭଳି ଖରାପ ଖାଦ୍ୟ ନ ପାଆନ୍ତି, ସେଥିପାଇଁ ସରକାର କଡ଼ା ଦୃଷ୍ଟି ଦେଇଥାନ୍ତି । ତା’ ଛଡ଼ା ଔଷଧପତ୍ର, ରୂପପ୍ରସାଧନୀ ଆଦିରେ ଯେମିତି କିଛି ଅପକାରୀ ପଦାର୍ଥ ନ ମିଶେ, ସେଥିପ୍ରତି ଫୁଡ୍‌ ଓ ଡ୍ରଗ୍‌ ଏଡ଼ମିନିଷ୍ଟ୍ରେସନ ବିଭାଗ (F. D. A.) କଡ଼ା ଦୃଷ୍ଟି ଦେଇଥାଏ । ଥରକୁ ଥର ଦୋକାନ, କାରଖାନା ଆଦି ଏହି ବିଭାଗର କର୍ମଚାରୀମାନେ ତଦାରଖ କରୁଥାନ୍ତି ।

 

Unknown

ପୃଥିବୀର ବୃହତ୍ତମ ବ୍ୟବସାୟୀ ରାଷ୍ଟ୍ର ଭାବରେ ଆମେରିକା ପ୍ରସିଦ୍ଧ । ପୃଥିବୀର ବୃହତ୍ତମ ଆମଦାନୀ ତଥା ରପ୍ତାନି ଦେଶ ଭାବରେ ଏହା ଖ୍ୟାତ । ସାରା ପୃଥିବୀରେ ଯେତେ ଶିଳ୍ପଜାତ ପଦାର୍ଥ ଉତ୍ପନ୍ନ ହୁଏ, ତହିଁର ଶତକଡ଼ା କୋଡିଏ ଭାଗ କେବଳ ଆମେରିକା ଉତ୍ପାଦନ କରେ । ସାରା ପୃଥିବୀରେ ଯେତେ ଜିନିଷ ବିକ୍ରୟ ହୁଏ, ତହିଁର ଶତକଡ଼ା ପନ୍ଦର ଭାଗ ଆମେରିକା କ୍ରୟ କରେ । ଆମେରିକାର ପ୍ରଧାନ ପ୍ରଧାନ ରପ୍ତାନୀ ଦ୍ରବ୍ୟ ଭିତରେ ମଟରଗାଡ଼ି , ଟ୍ରକ, ଶିଳ୍ପ କାରଖାନା ଓ କୃଷି ଯନ୍ତ୍ରପାତି, ରାସାୟନିକ ଦ୍ରବ୍ୟ, କାର୍ପାସଦ୍ରବ୍ୟ, ଦୈନିନ୍ଦିନ ବ୍ୟବହାର୍ଯ୍ୟ ବହୁ ଯନ୍ତ୍ରପାତି ଓ ଖାଦ୍ୟଶସ୍ୟ ଆଦି ପ୍ରଧାନ । ଆମେରିକାର ଏହି ରପ୍ତାନୀ ଦ୍ରବ୍ୟର ମୂଲ୍ୟ ହାରାହାରି ପ୍ରାୟ ହଜାରେ କୋଟି ଟଙ୍କା । ଆମେରିକା ଜିନିଷର ପ୍ରଧାନ ବଜାର ହେଲା କାନାଡ଼ା, ମେକ୍‌ସିକୋ, ଦକ୍ଷିଣ ଓ ମଧ୍ୟ ଆମେରିକା ଆଦି ଦେଶଗୁଡ଼ିକ । ତା’ ଛଡ଼ା ଇଉରୋପ୍‌, ଏସିଆ ଓ ଆଫ୍ରିକାର ବହୁ ଦେଶ ଆମେରିକାର ନାନା ଶିଳ୍ପଜାତ ଓ ଦ୍ରବ୍ୟ ଉପରେ ନିର୍ଭର କରନ୍ତି ।

 

ଆମେରିକାର ଆମଦାନୀ ଦ୍ରବ୍ୟ ଭିତରେ ଟିଣ, ନିକେଲ, ମାଙ୍ଗାନିଜ, କ୍ରୋମିୟମ୍‌ ଆଦି ଧାତୁ, ପଶମ, ହୀରା, ଆଦି ମୂଲ୍ୟବାନ ପଥର, ପ୍ରାକୃତିକ ରବର, ଉତ୍କଷ୍ଟ ତୁଳା, କଫି, ଚା, ପେଟ୍ରୋଲିୟମ୍, ଚିନି, ଖବରଛାପା କାଗଜ ଆଦି ପ୍ରଧାନ ।

 

ମାର୍କିନ ପୁଞ୍ଜି ଆମେରିକା ବାହାରେ ନାନାଦି ଶିଳ୍ପରେ ଯଥେଷ୍ଟ ପରିମାଣରେ ଖଟା ଯାଉଛି । କାନାଡ଼ା , ମେକ୍‌ସିକୋ, ମଧ୍ୟ ଓ ଦକ୍ଷିଣ ଆମେରିକାରେ ଏହି ପୁଞ୍ଜିର ପ୍ରାୟ ଅଧାଅଧି ଖଟା ଯାଉଛି । ଏହି ପୁଞ୍ଜିର ବାକିତକ ଇଉରୋପ, ଅଷ୍ଟ୍ରେଲିଆ, ଏସିଆ, ଆଫ୍ରିକା ଆଦିର ଦେଶମାନଙ୍କରେ ଖଟା ଯାଇଛି । ଏହି ପୁଞ୍ଜିର ପରିମାଣ ହାରାହାରି ୨୫୦୦କୋଟି ଟଙ୍କାରୁ ଅଧିକ ।

 

ଆମେରିକା ମୂଳରୁ ଏକ କୃଷିପ୍ରଧାନ ଦେଶ ଭାବରେ ଆରମ୍ଭ କରିଥିଲା । କିନ୍ତୁ ପରେ ପରେ ଏହା ଶିଳ୍ପପ୍ରଧାନ ଦେଶ ଭାବରେ ପ୍ରସିଦ୍ଧ ଲାଭ କଲା । ତେଣୁ ଶିଳ୍ପ କାରଖାନା ଅଭିବୃଦ୍ଧି ସଙ୍ଗେ ସଙ୍ଗେ ସହରମାନଙ୍କର ସଂଖ୍ୟା କମିବା ସଙ୍ଗେ ସଙ୍ଗେ ସହର ସଂଖ୍ୟା ବଢ଼ିବାରେ ଲାଗିଲା । ଆଜି ଆମେରିକାର ଅଧିକାଂଶ ନାଗରିକ ସହରରେ ବାସ କରନ୍ତି । ୧୭୯୦ ମସିହାରେ ଆମେରିକାରେ ଶତକଡ଼ା ପାଞ୍ଚଭାଗ ଲୋକ ସହରରେ ବାସ କରୁଥିଲେ ଓ ୯୫ ଭାଗ ଲୋକ ଗାଁରେ ବାସ କରୁଥିଲେ । କିନ୍ତୁ ବର୍ତ୍ତମାନ ହାରାହାରି ଶତକଡ଼ା ୭୦ ଭାଗ ଲୋକ ସହରରେ ବାସ କରୁଛନ୍ତି ଓ ୩୦ ଭାଗ ଲୋକ ଗାଁରେ ବାସ କରୁଛନ୍ତି ।

 

ଆମେରିକାର ଗାଁ ମୋଫସଲ ବୋଇଲେ ସହରର ପଖାଆଖ ଅଞ୍ଚଳ ବା କୃଷି ଆଞ୍ଚଳର ଜନବସତିକୁ ବୁଝାଏ । ଆମେରିକାର ପୂର୍ବଞ୍ଚଳରେ ସହରଗୁଡ଼ିକ ଏତେ ଲଗାଲଗି ହୋଇ ରହିଛି, ଯେ ଗୋଟିଏ ସ୍ଥାନରୁ ଆଉ ଏକ ଦୂର ସ୍ଥାନକୁ ଗଲେ କେବଳ ସହର ପରେ ସହର ଦେଇ ଯିବାକୁ ପଡ଼େ । ଆମ ଦେଶରେ ଯେମିତି ଗୋଟିଏ ସହରରୁ ଆଉ ଏକ ସହରକୁ ଗଲେ, ଗାଁ ଗଣ୍ଡା ଆଦି ଦେଇ ଯିବାକୁ ପଡ଼େ, ଆମେରିକାରେ ବହୁ ଅଞ୍ଚଳରେ ସେମିତି ନାହିଁ । ଗୋଟିଏ ଗୋଟିଏ ଅଞ୍ଚଳ ଏମିତି ଅଛି ଯେ, ଗୋଟିଏ ସହରରୁ ୮/୧୦ କୋଶ ଦୂର ଆଉ ଏକ ସହରକୁ ଯିବାକୁ ହେଲେ ସହର ପରେ ସହର କେତେଗୋଟି ସହରକୁ କେବଳ ଅତିକ୍ରମ କରିବାକୁ ପଡ଼େ । ବେଳେ ବେଳେ ଏମିତି ହୁଏ ଯେ ଗୋଟିଏ ସହର କେଉଁଠି ଶେଷ ହୋଇ ଅନ୍ୟ ସହରଟି ଆରମ୍ଭ ହେଲା ନିର୍ଣ୍ଣୟ କରି ହୁଏ ନାହିଁ । ଆମେରିକାର ବହୁ ସହର ଚାରିପାଖରେ ଘେରି ହୋଇ ରହିଥିବା ଗ୍ରାମାଞ୍ଚଳଦ୍ଵାରା ପରିବେଷ୍ଟିତ । ଏହି ସବୁ ଗ୍ରାମାଞ୍ଚଳକୁ ଗ୍ରାମ କୁହାଯିବ କି ଛୋଟ ଛୋଟ ସହର କୁହାଯିବ କହିବା କଷ୍ଟକର ।

 

ଆମ ଦେଶରେ ଯେମିତି ଓ ମୋଫସଲ ଭିତରେ ପାର୍ଥକ୍ୟ ଅନୁଭବ କରିହୁଏ, ଆମେରିକାରେ ପ୍ରାୟ ସେମିତି ନାହିଁ । ଆମ ଦେଶରେ ଗାଁ ବୋଇଲେ ଚାଳଘର, ରାସ୍ତାଘାଟ ନାହିଁ, ପିଇବା ଓ ଗାଧୋଇବା ପାଇଁ ନଈ ପୋଖରୀ, ରାସ୍ତାଘାଟରେ ଆଲୁଅର ବନ୍ଦୋବସ୍ତ ନାହିଁ, ବଡ଼ ବଡ଼ ବଜାର କି ଦୋକାନ ନାହିଁ, ସ୍କୁଲ, କଲେଜ ସ୍ଵପ୍ନ, ଆମେରିକା ମୋଫସଲରେ ସେମିତି ପାଇବ ନାହିଁ । ଆମେରିକାରେ ସହର ହେଉ ବା ମୋଫସଲ ହେଉ, ଘରଗୁଡ଼ିକ ପ୍ରାୟ ଗୋଟିଏ ଧରଣର, ସବୁ ଗାଁକୁ ଭଲ ଭଲ ପିଚୁ ରାସ୍ତା, କଂକ୍ରିଟ ରାସ୍ତା ରହିଛି, ପ୍ରତ୍ୟେକ ଘରକୁ ପାଣି ପାଇପ୍‌, ଇଲେକଟ୍ରିକ୍‌, ରାନ୍ଧିବା ପାଇଁ ଗ୍ୟାସ୍‌ ରହିଛି । ଗାଁ ହେଲେ ବି ରାସ୍ତାଘାଟରେ ଆଲୁଅ ଦିଆ ଯାଇଛି । ସ୍କୁଲ, କଲେଜ, ଡାକ୍ତରଖାନା ଆଦି ଗାଁମାନଙ୍କରେ ରହିଛି । ବଡ଼ ବଡ଼ ଦୋକାନ ନ ହେଲେ ବି ଛୋଟ ଛୋଟ ଦୋକାନ ଓ ବଜାର ରହିଛି, ଲୋକଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗେଇବା ପାଇଁ-

 

ସହର ଓ ମଫସଲ ଭିତରେ ଆଖି ଦିରିଶିଆ ତଫାତ୍‌ ହେଉଛି ଗ୍ରାମମାନଙ୍କର ବଡ଼ ବଡ଼ ଦୋକାନ ବଜାର, ଥିଏଟର୍‌, ସିନେମା, ନାଚଘର ଓ ନାନାଦି କଳକାରଖାନାର ଅଭାବ । ଆମେରିକାରେ ଯେଉଁ ଜନବସତିରେଗୁଡ଼ାଏ କଳକାରଖାନାର ଗଢ଼ି ଉଠିଛି, ସେଠାରେ ବହୁ ଶ୍ରମିକ ବସତି ରହିଛି ଓ ଏହି ଅଞ୍ଚଳକୁ କେନ୍ଦ୍ରକରି ନାନା ଦୋକାନ, ବଜାର, ସିନେମା ଆଦି ଗଢ଼ିଉଠିଥିବାର ଏହା ଶେଷରେ ଗୋଟିଏ ସହରରେ ପରିଣତ ହୋଇଛି । ଯେଉଁଠି କଳକାରଖାନା ନାହିଁ, ସେଠି ଜନବସତି ଏତେ ଗହଳି ହୋଇନି ଓ ସେହି ଅନୁପାତରେ ଦୋକାନ ବଜାର ଆଦି ବିଶେଷ ପ୍ରସାରଲାଭ କରି ନ ଥିବାରୁ ସେହି ଅଞ୍ଚଳ ସହର ହୋଇ ନ ପାରି ଗାଁ ଭାବରେ ରହିଯାଇଛି । ଏସବୁ ହେଲା ସହର ଉପକଣ୍ଠରେ ଥିବା ଗ୍ରାମାଞ୍ଚଳ ।

 

ତା’ ଛଡ଼ା ବଡ଼ ବଡ଼ କୃଷି ଅଞ୍ଚଳ ଭିତରେ ଥିବା ଅସଂଖ୍ୟ ଗ୍ରାମ ଆମେରିକାରେ ରହିଛି । ଏଗୁଡ଼ିକରେ ସାଧାରଣତଃ କୃଷିଜୀବୀମାନେ ହିଁ ରହନ୍ତି । କୃଷି ସେମାନଙ୍କର ପ୍ରଧାନ ଜୀବିକା । ଅବଶ୍ୟ ଏମାନେ ସମସ୍ତେ ଆମ ଦେଶ ତୁଳନାରେ ମୋଟା ଚାଷୀ । ଶହ ଶହ, ହଜାର ହଜାର ଏକର ଜମି ଚଷି ଏମାନେ ଚାଷୀ ବୋଲନ୍ତି । ପ୍ରତେକର ମୋଟରଗାଡ଼ି, ଟ୍ରକ୍‌, ଟ୍ରାକ୍ଟର, କଂବାଇନର୍‌ ଆଦି ରହିଛି । ଏମିତି କେତୋଟି ପରିବାର ଓ ସେମାନଙ୍କର ସାହାଯ୍ୟକାରୀ ଓ କର୍ମଚାରୀମାନେ ମିଶି ଛୋଟ ଛୋଟ ଗାଁ ସୃଷ୍ଟି କରି ରହିଥାନ୍ତି । ଏସବୁ ଗାଁର ସହରଭଳି ବହୁ ସୁବିଧା ଅଛି । ରାସ୍ତାଘାଟ, ବସ୍‌, ରେଳ ଚଳାଚଳ ପ୍ରାୟ ସବୁ ଗାଁକୁ ଅଛି । ସବୁ ଘରେ ଇଲେକ୍‌ଟ୍ରିକ୍‌ ଓ ପାଣି ପାଇପ୍‌ । ନିକଟରେ ସ୍କୁଲ ଓ ଡାକ୍ତରଖାନା ମଧ୍ୟ ରହିଛି । ପ୍ରତ୍ୟକ ଅଧିବାସୀଙ୍କର ମଟରଗାଡ଼ି ଥିବାରୁ ସେମାନେ ନିକଟବର୍ତ୍ତୀ ସହର ସହିତ ଭଲ ସମ୍ପର୍କ ରଖିଥାନ୍ତି । ମୋଟାମୋଟି କହିବାକୁ ଗଲେ ଆମେରିକାର ଯେଉଁ ଶତକଡ଼ା ୫ ଭାଗ ଲୋକ ଗାଁରେ ରହନ୍ତି, ସେମାନେ ଆମ ଦେଶର ମଫସଲ ବାସୀଙ୍କ ଭଳି ଦୈନିନ୍ଦିନ ଜୀବନ ଯାପନର ନାନା ସୁଖସୁବିଧାରୁ ବଞ୍ଚିତ ହୁଅନ୍ତୁ ନାହିଁ । ସେଥିପାଇଁ ସହରରେ କାମ କରୁଥିବା ବହୁ ଲୋକ ସହର ଉପକଣ୍ଠରେ ଥିବା ଗ୍ରାମାଞ୍ଚଳରେ ରହିବାକୁ ଅଧିକ ସୁଖ ମଣନ୍ତି । ଏମିତିକି ପ୍ରତିଦିନ ୭୦/୮୦ ମାଇଲ ବାଟ ଯା ‘ଆସ କରି ନିଜ କର୍ମକ୍ଷେତ୍ରରେ ଯୋଗ ଦିଅନ୍ତି । ଯେଉଁମାନେ ଗ୍ରାମାଞ୍ଚଳରେ ସୁସ୍ଥ ବାତାବରଣ, ଭଲ ପବନ ଓ ହାୱା, ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ରହିବାକୁ ଭଲ ପାଆନ୍ତି, ସେମାନେ ୭୦/୮୦ ମାଇଲ ଡ୍ରାଇଭ କଷ୍ଟକୁ ଭୁଲିଯାଇ ଗ୍ରାମାଞ୍ଚଳ ସୁଖକୁ ଅଧିକ ମଣି ଗ୍ରାମାଞ୍ଚଳରେ ବସବାସ କରନ୍ତି ।

 

ଆମେରିକାର ବହୁ ଛୋଟ ଛୋଟ ବଡ଼ ସହର ଉପକଣ୍ଠରେ ବହୁତ ଗ୍ରାମାଞ୍ଚଳ ରହିଛି, ଯେଉଁ ଗ୍ରାମାଞ୍ଚଳରେ ଲୋକମାନେ ରହି ସହରରେ ଚାକିରି କରି ଜୀବିକା ନିର୍ବାହ କରନ୍ତି । ଯୁକ୍ତରାଷ୍ଟ୍ରର ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳରେ ଏମିତି ସହର ଅଛି, ଯା’କୁ ଲାଗି ଗ୍ରାମାଞ୍ଚଳ ନାହିଁ, ସହର ପରେ ସହର ଲାଗି ରହି ସେହି ଅଞ୍ଚଳ ମାନ ସୃଷ୍ଟି ହୋଇଛି । ଅବଶ୍ୟ ଏହି ସହର ପରେ ସହର ଦେଇ କିଛି ଦୂର ଗଲେ, ପୁଣି ଗ୍ରାମାଞ୍ଚଳ ଦୃଷ୍ଟିଗୋଚର ହୁଏ ।

 

ଆମ ଦେଶର ଗାଁ କହିଲେ ଆମେ କ’ଣ ବୁଝୁ ? ଏକ ଅନ୍ଧାରି ମୁଲକ ତ ! ଆମ ଦେଶର ଯେଉଁ ଲୋକ-ବସତିକୁ ସଡ଼କ ଯାଇ ନାହିଁ, ରେଳଗାଡ଼ି କି ବସରେ ଯିବା ସମ୍ଭବପର ନୁହେଁ, ଗାଁରେ ଲୋକମାନଙ୍କ ଘର ଅତି ନିକୃଷ୍ଟ ଧରଣର, ପିଇବା ପାଇଁ ଭଲ ପାଣି ମିଳେଳି, ନଈ, ପୋଖରୀ, ନାଳର ପାଣି ପିଇ, ଗାଧୋଇ ଲୋକ ଚଳାଚଳ ହୁଅନ୍ତି । ସ୍କୁଲ, କଲେଜ, ଡାକ୍ତରଖାନାର ନାମଗନ୍ଧ ନାହିଁ, ସିନେମା, ଥିଏଟର, ଦୋକାନ’ ବଜାର ସ୍ଵପ୍ନ, ସେମିତି ଏକ ଅବହେଳିତ ଅଞ୍ଚଳକୁ ଆମ ଦେଶର ଭାଷାରେ ଗାଁ କୁହାଯାଏ । କିନ୍ତୁ ସେମିତି ଗାଁ ଆମେରିକାରେ ସ୍ଵପ୍ନ । ସେଠାକାର ସହର ଓ ଗ୍ରାମାଞ୍ଚଳ ଭିତରେ ଗଲାବେଳେ ଦୋକାନ, ବଜାର, ଲୋକଗହଳି, ଯାନବାହାନ ଗହଳି ଆଦି ପାର୍ଥକ୍ୟରୁ ସହର, ମଫସଲ ଆଦିର ପାର୍ଥକ୍ୟ ଯା’ କିଛି ବାରିବା କଥା । କିନ୍ତୁ ଘର ତିଆରି, ବିଦ୍ୟୁତ୍‌ ସରବରାହ, ପାଣିପାଇପ୍‌, ସ୍କୁଲ ଡାକ୍ତରଖାନା ଆଦିରେ ବିଶେଷ କିଛି ପାର୍ଥକ୍ୟ ନାହିଁ । ଏବେ ଏଣିକି ଆମେରିକାର ଗାଁ ମାନଙ୍କରେ ବହୁ କଲେଜ, ବିଶ୍ୱବିଦ୍ୟାଳୟ ଆଦି ଗଢ଼ି ଉଠିଲାଣି, ଯା ଫଳରେ ଗାଁ ସହର ଭିତରେ ଆଗରୁ ଯେଉଁ ସବୁ ପାର୍ଥକ୍ୟ ଥିଲା, ତା ଧୀରେ ଧୀରେ ମିଳାଇ ଯାଉଛି । ଆମେରିକାର ଏହି ଗାଁଗହଳିରେ ଯେଉଁ ସବୁ ବଡ଼ ବଡ଼ କଲେଜ ଗଢ଼ି ଉଠିଛି, ସେ ସବୁର ଶିକ୍ଷା’ ବାତାବରଣ, ଆଦି ଏତେ ଉନ୍ନତ ଯେ ବହୁଲୋକ ଏହି ସବୁ ଶିକ୍ଷାୟତନରେ ଶିକ୍ଷା ପାଇବା ପାଇଁ ଇଛୁକ ହେବା ସ୍ଵାଭାବିକ । ଆମଦେଶର ସାଧାରଣ ସହରରେ ଯେଉଁ ସବୁ ସୁବିଧା ଅଛି, ଯଥା ଭଲ ଭଲ ରାସ୍ତା, ରାସ୍ତାରେ ଆଲୁଅ, ପ୍ରତ୍ୟେକ ଘରକୁ ପାଣି ପାଇପ୍‌ ଯାନବାହାନ, ଇଲେକଟ୍ରିକ୍‌ଶକ୍ତି, କଲେଜ, ଡାକ୍ତରଖାନା, ଆଦି ସେସବୁ ସୁବିଧା ଆମେରିକାର ଗ୍ରାମାଞ୍ଚଳମାନଙ୍କରେ ଦେଖିବାକୁ ମିଳେ । ତେଣୁ ସେ ଦେଶର ଗ୍ରାମାଞ୍ଚଳରେ ରହିଲେ ଆମ ଦେଶଭଳି ଲୋକମାନଙ୍କୁ ଦୁଃଖକଷ୍ଟ ଭୋଗିବାକୁ ପଡ଼େନି । ବରଂ ସହରର ଯେଉଁ ସାଧାରଣ ଅଶାନ୍ତି, ତା ଠାରୁ ଦୂରରେ ରହିବାରୁ ଚଳାଚଳରେ ଅଧିକ ସୁବିଧା ହୁଏ ।

 

ଆମେ ଆମେରିକାରେ ପହଞ୍ଚିବାର କେଇଦିନ ଭିତରେ ଆମେରିକାର ଯେଉଁସବୁ ଜିନିଷ ଆମକୁ ଭଲ ଲାଗିଥିଲା, ତା’ ହେଲା ଆମେରିକାର ବଜାର, ହାଟ, ଲୋକମାନଙ୍କର ବାଡ଼ି ବଗିଚା, ଲୋକଙ୍କ ଆଚାର ବ୍ୟବହାର, ଲୋକଙ୍କର ଘର, ଦୁଆର ଆଦି । ଆମେରିକାରେ ପହଞ୍ଚବା ପୂର୍ବରୁ ଆମର ଧାରଣା ଥିଲା, ଆମେରିକା ଲୋକେ କଣ ସତରେ ବାଡ଼ି ବଗିଚା କରୁଥିବେ ? ସେମାନେ ସହର ଜୀବନ ଯାପନ ପ୍ରତି ଏତେ ଆତ୍କୃଷ୍ଟ ଥିବେ ଯେ ବାଡ଼ି ବଗିଚା ତ ଦୂରର କଥା, କା’ ଘର ଆଗରେ ଫୁଲ ବଗିଚାଟିଏ ମିଳବା ଦୁଷ୍କର । ଆମେରିକାରେ ଏତେ ସହର ଅଛି ଓ ଆମେରିକାର ଏତେ ଲୋକ ସହରରେ ବାସ କରନ୍ତି ଯେ ଆମର ଏହି ଧାରଣା ଯେ କେବେ ଅମୂଳକ ହେଇପାରେ, ଆମ ମନକୁ ଆସି ନଥିଲା । କିନ୍ତୁ ଆମେରିକାରେ ପହଞ୍ଚି କେତେ ସହର ବୁଲିବୁଲି କରିବାରୁ ଓ ସେମାନଙ୍କର ଏକ ସହରରେ ବସବାସ କରି ରହିବାରୁ ଆମର ଏହି ଧାରଣା ପ୍ରମାଦଯୁକ୍ତ ବୋଲି ଜଣା ପଡ଼ିଲା ।

 

ଆମ ଦେଶ ଲୋକଙ୍କଠାରୁ ଆମେରିକାର ଲୋକେ ଯେ ଅଧିକ ବାଡ଼ି ବଗିଚାପ୍ରିୟ ଆମେରିକାରେ ପହଞ୍ଚିବାର ଅଳ୍ପ କେଇଦିନ ଭିତରେ ଜାଣିଗଲୁ । ଆମେରିକାର ଅତି ବଡ଼ ବଡ଼ ସହରକୁ ଛାଡ଼ିଦେଲେ ବାକି ବହୁ ସହରର ଲୋକେ ସେମାନଙ୍କ ଘର ଆଗରେ ବା ପଛରେ ବାଡ଼ିବଗିଚା ରଖିଥିବା ଏକ ମାମୁଲି କଥା । କଟକ ଭଳି ବା ତା ଠାରୁ ଛୋଟ ସହରର ପ୍ରତ୍ୟେକ ଲୋକଙ୍କ ଘର ଆଗରେ କି ପଛରେ ବାଡ଼ି ବଗିଚା ନିଶ୍ଚୟ ଥିବ ନା ଥିବ । ବାଡ଼ି ବଗିଚା ପୁଣି ବିଚିତ୍ର ଧରଣର । ଘର ସାମନା ପଟରେ ବା ପଛ ପାଖରେ ହେଉ ଯେଉଁ ବାଡ଼ି କି ବଗିଚା ଥିବ ସେଥିରେ ବାଡ଼ କି ପାଚେରି କିଛି ନଥିବ । ଆମେ ଆମେରିକାରେ ପହଞ୍ଚିବାର ଅଳ୍ପ କେଇଦିନ ଭିତରେ ଯେତେବେଳେ ସେମାନଙ୍କ ଦାଣ୍ଡଦୁଆର ମୁହଁରେ ନାନା ପ୍ରକାର ଫୁଲଗଛ ଲଗା ଯାଇଥିବା ବଗିଚା ଦେଖିଲୁ ଓ ସେଗୁଡ଼ିକ ବୀନା ବାଡ଼ କି ପାଚେରୀ ଆବଦ୍ଧରେ ମେଲା ପଡ଼ି ରହିଛି, ଆମ ଦେଶରୁ ଯେ କେହିଲୋକ ତାକୁ ଦେଖିବ, ଆଶ୍ଚର୍ଯ୍ୟ ନ ହୋଇ ରହିପାରିବନି । ମନେ ମନେ ଭାବିଲୁ, ବଡ଼ ବିଚିତ୍ର ଏ ଦେଶର ବାଡ଼ି ବଗିଚା, ବାଡ଼ ନାହିଁ, କି ପାଚେରୀ ନାହିଁ, ଅଥଚ ଫୁଲଗଛ, କ୍ରୋଟନ୍‌ ଗଛଗୁଡ଼ିକ ପୁଷ୍ପପତ୍ର ସୌନ୍ଦର୍ଯ୍ୟରେ ଭରି ରହିଛି । ଆମକୁ ବି ଏସବୁ ଭାରି ଅଡ଼ୁଆ ଅଡ଼ୁଆ ଲାଗିଲା । ଭାରତରେ ଏମିତି ବଗିଚା ଆଶା କରିବା ସ୍ଵପ୍ନଛଡ଼ା ଆଉ କିଛି ହୋଇ ନପାରେ । ବାଡ଼, ପାଚେରୀ ଥାଉଁ ଥାଉଁ ଆମ ଦେଶର ତ ଗାଈ ଗୋରୁ, ଛେଳୀ, ମେଣ୍ଢାଙ୍କ ଉତ୍ପାତ କହିଲେ ନ ସରେ । ଅଥଚ ଏ ଦେଶର ବଡ଼ ପାଚେରୀର ନାଁ ଗନ୍ଧ ନାହିଁ, ତଥାପି କି ସୁନ୍ଦର ବାଡ଼ି ବଗିଚା । ଏ ସବୁ ଦେଖି ମୁଁ ଦିନେ ଭାବିଲି, “ଏମାନଙ୍କ ବାଡ଼ି ବଗିଚା ଏମିତି କିପରି ହୋଇଛି ? ବାସ୍ତବିକ ନ ହେବ କାହିଁକି ? ଯେଉଁଠି ଗାଈ, ଗୋରୁ, ଛେଳି, ମେଣ୍ଢା ନାହାନ୍ତି, ରାସ୍ତାଘାଟରେ ସେମାନେ ଚାଲବୁଲ କରୁ ନାହାନ୍ତି, ସେମାନଙ୍କ ବଗିଚାର ଗଛପତ୍ରକୁ ଖାଇଯିବ ବା କିଏ ? ଆମ ଦେଶ ଭଳି ତ ସେମାନେ ଘରେ ଗାଈ, ଗୋରୁ, ଛେଳି, ମେଣ୍ଢା, ପାଳୁ ନାହାନ୍ତି ଖାଇବାକୁ ନ ଦେଇ ଫିଟାଇ ଦେଲେ ସେମାନେ ୟା’ ଘର, ତା’ ବାଡ଼ିରେ ପଶି ଗଛପତ୍ର ଖାଇ ଯିବେ । ସେ ଦେଶରେ ଯା’ କିଛି ଗୋରୁ, ମେଣ୍ଢା ପାଳିବା କଥା, ସେମାନେ ଫାର୍ମରେ ରହିଲେ । ସାଧାରଣ ଲୋକଙ୍କ ଘରେ ତ ନାହାନ୍ତି । ତେଣୁ ସେମାନେ ଏଣେତେଣେ ବୁଲିବେ ବା କାହିଁକି ? ଗାଈ, ଛେଳି, ମେଣ୍ଢା ଯଦି ନାହାନ୍ତି, ତେବେ ବାଡ଼ି ବଗିଚାକୁ ଘେରିବା କଣ ଦରକାର ?

 

ଆମେରିକାନମାନେ ବଗିଚାର ଫଳ, ଶାଗ, ପନିପରିବାକୁ ଖଆନ୍ତୁ ବା ନ ଖାଆନ୍ତୁ, କିନ୍ତୁ ଉତ୍ପାଦନ କରିବାକୁ ଭାରି ସଉକ । ଫୁଲକୁ ବ୍ୟବହାର କରନ୍ତୁ ବା ନ କରନ୍ତୁ, ଘର ଆଗରେ ଥୋଡ଼େ ଫୁଲଗଛ ଲଗାଇଥିବେ । ଦୋକାନରୁ ପଛେ ବିଲାତି ବାଇଗଣ, ଫୁଲକୋବି, ବନ୍ଧାକୋବି କିଣି ଖାଉଥିବେ, କିନ୍ତୁ ଘର ପଛ ବାଡ଼ିରେ ନିଶ୍ଚୟ ଥୋଡ଼ାଏ ପାରିବା ଚାଷ କରିଥିବେ । ପରିବା ବେଶି ଫଳିଲେ ନେଇ ୟା’ ଘରେ ତା’ ଘରେ ବାଣ୍ଟିଦେଇ ଆସିବେ, କିନ୍ତୁ ସଉକ୍‌କରି ଯା’କୁ ଫଳାଇଥିବେ ବିକିବେନି । ବହୁ ଆମେରିକାନ୍‌ କଖାରୁ ଖାଇବାକୁ ପସନ୍ଦ କରନ୍ତିନି, କିନ୍ତୁ ବାଡ଼ି ପଟରେ କଖାରୁ ଢେର ଫଳାଇଥିବେ । ବଗିଚା କରିବା ସଉକ୍‌ ପୁଣି ଏତେ ବେଶି ଯେ, ନିଜେ ମାଟି ହାଣି ସବୁ ଲଗାଇବେ । ତା’ ଛଡ଼ା ବା କ’ଣ ଉପାୟ ଅଛି ? କୁଲି, ମୁଲିଆ ମିଳିବା କଷ୍ଟକର । ଯା’ବା କେହି ମିଳିବେ, ତାଙ୍କ ମଜୁରି ମାଲିକଙ୍କ ଦରମା ସଙ୍ଗେ ପ୍ରାୟ ସମାନ । ତେଣୁ ଏତେ ମଜୁରୀ ଦେଇ ମୁଲିଆ ରଖିବ ବା କିଏ ? ତେଣୁ ନିଜେ ଯେତେ କରି ପାରିବେ, ସେତକ କଲେ ହେଲା । ଫଳ ଫୁଲ ପାଇଁ ଗଛ ଲଗାଇବା ସଉକ ଯୋଗୁଁ ସେମାନେ ସନ୍ଧ୍ୟାବେଳେ କାମରୁ ଆସିଲେ ଖାଇପିଇ ଦେଇ କାମରେ ଲାଗିଯାନ୍ତି । ତା’ ଛଡ଼ା ଶନିବାର ରବିବାର ଦୁଇଦିନ ସପ୍ତାହରେ ଛୁଟି । ସେଥିରେ ବି କାମ କରନ୍ତି ।

 

ପ୍ରତ୍ୟେକଙ୍କ ଘରେ ଜମି ଚଷିବା ପାଇଁ ସବୁପ୍ରକାର ଯନ୍ତ୍ରପାତି । ଏମିତିକି ଢେର ଲୋକଙ୍କ ଘରେ ବଗିଚା ଚଷିବା ପାଇଁ ଛୋଟ ଛୋଟ ଟ୍ରାକ୍ଟର ଅଛି । ଘାସ କାଟିବା ପାଇଁ ବିଦ୍ୟୁତ୍‌ଚାଳିତ ନାନାପ୍ରକାରର ଯନ୍ତ୍ରପାତି । ଏସବୁ ଯନ୍ତ୍ରପାତିକୁ ଦେଖିଲେ ଚାଷ ନ କଲା ଲୋକର ବି ଚାଷ କରିବାକୁ ମନ ହେବ । ସନ୍ଧ୍ୟାବେଳେ, ଛୁଟିମାନଙ୍କରେ ସେମାନଙ୍କ ବାଡ଼ି ବଗିଚାରେ ସ୍ଵାମୀ, ସ୍ତ୍ରୀ, ପିଲାମାନେ ମିଶି କାମ କରୁଥିବା ଦେଖିଲେ ଭାରି ଖୁସି ଲାଗେ । ସେମାନଙ୍କ ଦେଶରେ ଖାଦ୍ୟ ପଦାର୍ଥ ଅପର୍ଯ୍ୟନ୍ତ ପରିମାଣରେ ଉତ୍ପାଦନ ହେଉଥିବା ସ୍ଥଳେ ଲୋକଙ୍କର ବାଡ଼ି ବଗିଚାରେ ଆହୁରି ଉତ୍ପାଦନ କରିବା ପାଇଁ ଜିଦ୍‌ ଓ ଚେଷ୍ଟା ଆଗରେ ଖାଦ୍ୟଭାବ ଘଟୁଥିବା ଆମ ଦେଶର ଲୋକଙ୍କ ବାଡ଼ି ବଗିଚା ପାଇଁ ବୀତସ୍ପୃହା ଦେଖିଲେ ଖାଲି ଯେ କ୍ଷୋଭ ଆସେ, ତା ନୁହେଁ, ଲଜ୍ଜା ମଧ୍ୟ ଆସେ ।

 

ବାଡ଼ିବଗିଚା ଯେମିତି ହାତେ ହାତେ କରନ୍ତି, ସେମାନେ ଘରର ବିଭିନ୍ନ କାମ ମଧ୍ୟ ନିଜ ହାତରେ କରିଥାନ୍ତି । ବଢ଼େଇ କାମ, କମାର କାମ, ରାଜମିସ୍ତ୍ରୀ କାମ, ଇଲେକ୍‌ଟ୍ରିସିଆନ କାମ ସବୁକାମ କିଛି କିଛି ଅଳ୍ପ ବହୁତେ ସେମାନଙ୍କୁ ଜଣା । ସବୁ କାମର ଯନ୍ତ୍ରପାତି ସେମାନଙ୍କ ଘରେ ଥାଆ । ସେମାନଙ୍କ ଘରର ଯନ୍ତ୍ରପାତି ଦେଖିଲେ ଯେ କେହି ଲୋକ କହିବ ଯେ, ତାହା ଗୋଟିଏ ମେକାନିକ୍‌ର କୋଠରି କି କଅଣ ! ନ କହିବେ ବା କାହିଁକି ? ଘରେ ଯଦି ସାମାନ୍ୟ କିଛି ଗୋଟିଏ ଜିନିଷ ଭାଙ୍ଗିଗଲା, ବଢ଼େଇଟାଏ କି ରାଜମିସ୍ତ୍ରୀଟାଏ ଡାକି ଗଲେ, ଢେର ମଜୁରୀ ନେବେ, ପୁଣି ସହଜରେ ମିଳିବ ନାହିଁ । ତେଣୁ ନିଜେ ନିଜେ କାମ କରି ଜାଣିଥିଲେ ଆଉ ଅସୁବିଧା ନାହିଁ । ପଇସାକୁ ପଇସା ବଞ୍ଚିଲା, ହାଇରଣ ହେବାକୁ ପଡ଼ିଲାନି । ଘରେ ଇଲେକ୍‌ଟ୍ରିକ୍‌ ଲାଇନ୍‌ରେ କିଛି ଅସୁବିଧା ହେଲେ, ସାଙ୍ଗେ ସାଙ୍ଗେ ଖେଳିପକାଇ ସଜାଡ଼ି ଦେବେ । ଅତି ଗୁରୁତର କିଛି ନ ଘଟିଲେ, ଯା’କୁ ସେମାନେ ନିଜେ ମରାମତି କରି ପାରିବେ ନାହିଁ, ଇଲେକ୍‌ଟ୍ରିସିଆନ୍‌, କି ବଢ଼େଇ, କମାର ଆଦିଙ୍କ ପାଖକୁ ଯିବେ, ନୋହିଲେ ନାହିଁ ।

 

ଆମେରିକା ଲୋକଙ୍କ ଘରଗୁଡ଼ିକ ପ୍ରଧାନତଃ କାଠରେ ତିଆରି । ଇଟା ପଥରରୁ ତିଆରି ଘର ଖୁବ୍‌ କମ୍‌ । ଅଫିସ, ସ୍କୁଲ, କଲେଜ, କଳକାରଖାନା, ଦୋକାନ ଆଦି ଯା’ ଇଟା, ସିମେଣ୍ଟେ, କଂକ୍ରିଟ, ପଥର ଆଦିରୁ ତିଆରି । ଘରଗୁଡ଼ିକ କାଠରେ ତିଆରି ହେଲେ ବି ତିନି ଚାରି ତାଲାରୁ କମ୍‌ ନୁହେଁ । ଘରଗୁଡ଼ିକର ବାହାର ଓ ଭିତର ଦେଖିଲେ କେହି କହିବନି ଏହା କାଠ ପଟାରୁ ତିଆରି ବୋଲି । ଆମେରିକାର ଘର କାଠ ପଟାରେ ତିଆରି ବୋଲି ସେମାନଙ୍କ ଘରକୁ ଆମ ଦେଶର ରାସ୍ତା କଡ଼ର କାଠ କେବିନ୍‌ବୋଲି ଭାବିବା ଉଚିତ ନୁହେଁ । ଆମ ଘରର ଚଟାଣ, କାନ୍ଥ ଆଦି ଯେମିତି, ସେମାନଙ୍କ ଚଟାଣ, କାନ୍ଥ ପଟାରୁ ତିଆରି ହୋଇଥିଲେ ହେଁ, ଦେଖିବାକୁ ଅବିକଳ ସେହିଭଳି । ଏମିତିକି କେତେ ଲୋକଙ୍କ ଘର ଚଟାଣ, ସିମେଣ୍ଟ୍‌, ମୋଜେଇକ୍‌ରେ ତିଆରି-। ଘରଗୁଡ଼ିକର ମୂଲ୍ୟ ମଧ୍ୟ କିଛି କମ୍‌ ନୁହେଁ । ଜଣେ ସାଧାରଣ ପରିବାର ପାଇଁ ଗୋଟିଏ ଘର କିଣିବାକୁ ହେଲେ ଲକ୍ଷେ ଟଙ୍କାରୁ କମ୍‌ରେ ମିଳିବନି । ଯେଡ଼େ ଗରିବଟିଏ ହେଲେ ବି ତା’ ଘରର ଦାମ୍‌ ୭୦/୮୦ ହଜାର ଟଙ୍କାରୁ କମ୍‌ ନୁହେଁ । ପୁଣି ଘରଗୁଡ଼ିକ ଏମିତି ଭାବରେ ତିଆରି, ଯେଡ଼େ ଗରିବଟିଏ ହେଲେ ବି ତା’ର ନିଜ ପାଇଁ ଶୋଇବା କୋଠରି, ବୈଠକଖାନା, ଖାଇବା ଘର, ହାଣ୍ଡିଶାଳ, ଗାଧୁଆଘର ଆଦି ସବୁକିଛି ଥିବ । ସେ ସବୁ ପୁଣି ବିଭିନ୍ନ ରୀତିରେ ସଜାସଜି ହୋଇଥିବ । ଆମ ଦେଶ ଭଳି ଗୋଟିଏ ଦୁଇଟି ଘରେ ଚଲିବା ଅଭ୍ୟାସ ସେମାନଙ୍କର ନାହିଁ । ଅବଶ୍ୟ ସହର ଭିତରେ ଥିବା ସ୍ଲମ୍‌ ଏହି ନିତିରୁ ବାହାର । ଆମ ଦେଶରେ ଯେମିତି ଘରେ ତିଆରି ହେଉଁ ହେଉଁ ଲୋକେ ରହିଯାନ୍ତି, ପରେ ଗାଧୁଆଘରେ, ପାଇଖାନା ଆଦି ତିଆରି କରି ଚଳନ୍ତି, ସେମିତି ଆମେରିକାରେ ପାଇବନି । ପ୍ରତ୍ୟେକ ଘରେ ସବୁ କୋଠରିଗୁଡ଼ିକ ଫିଟ୍‌ ହୋଇସାରିଲା ପରେ, ପାଣି ପାଇପ୍‌, ଗ୍ୟାସ୍‌, ଇଲେକ୍‌ଟ୍ରିକ୍‌ ଲାଇନ ଆଦି ଆସିସାରିଲା ପରେ ସେମାନେ ଯାଇ ନୂଆ ଘରକୁ ଯିବେ, ଆମଭଳି ବିକିଳିଆ ହୋଇ ଗଛ ପଡ଼ିଲା କ୍ଷଣି ଆସ୍ଥାନ ଜମାଇ ରହିବେନି ।

 

ଆମେରିକାନମାନଙ୍କ ସବୁ ଘର ଭିତରୁ ଆମର ଅଧିକ ପସନ୍ଦ ହୋଇଥିଲା ସେମାନଙ୍କର ହାଣ୍ଡିଶାଳ । ସେମାନଙ୍କର ହାଣ୍ଡିଶାଳ ଏତେ ପରିଷ୍କାର, ପରିଚ୍ଛନ ଯେ ଆମ ଦେଶର ଜଣେ ଧନୀଲୋକର ବୈଠକଖାନା ସଫାସୁତୁରାରେ ତା’ ଆଗରେ ହାର ମାନିଯିବ । ରୋଷାଇଘରେ କଳା ତ ଟିକିଏ ନାହିଁ, ଆସ୍‌ବାବ୍‌ ପତ୍ର ସବୁ ପରିଷ୍କାର ପରିଚ୍ଛନ୍ନ, ଦାଉ ଦାଉ ହୋଇ ଜଳିଉଠୁଛି । ରାନ୍ଧିବା ଚୁଲି ଗ୍ୟାସ୍‌ କିମ୍ବା ଇଲେକ୍‌ଟ୍ରିରୁ, ତେଣୁ ଧୁଆଁ ସୃଷ୍ଟି ହେବାର ଆଶଙ୍କା ନାହିଁ । ସୁଇଚ୍‌ ଟିପିଲେ ସଙ୍ଗେ ସଙ୍ଗେ ଜଳି ଉଠିଲା, ଧୁଆଁରେ ଲୁହ ଲାଳ ସମାନ କରି ରାନ୍ଧିବା ଦରକାର ନାହିଁ । ପୁଣି ସେମାନଙ୍କ ରୋଷେଇ ଘର ନାନପ୍ରକାର ଯନ୍ତ୍ରପାତିରେ ପୂର୍ଣ୍ଣ । ଅଣ୍ଡା ଫେଣ୍ଟିବା ପାଇଁ ବିଦ୍ୟୁତ୍‌ଯନ୍ତ୍ର, ମସଲା ବାଟିବା ପାଇଁ ଯନ୍ତ୍ର, ଆଳୁ ଓ ପାରିବା କାଟିବା ପାଇଁ ଯନ୍ତ୍ର, ପିଆଜ, ଲଙ୍କା ଛେଚିବା ପାଇଁ ଯନ୍ତ୍ର, ଲେମ୍ବୁରୁ ରସ ନିଗାଡ଼ିବା ପାଇଁ ଯନ୍ତ୍ର, ଟିଣ କାଟିବା ପାଇଁ ଇଲେକ୍‌ଟ୍ରିକ୍‌ ଚାଳିତ ଯନ୍ତ୍ର, ଏମିତି କେତେ ଯନ୍ତ୍ର ଯେ ଅଛି, ତା’ର କଳନା ନାହିଁ । ପୁଣି ବାସନ ମଜିବା ପାଇଁ ଯନ୍ତ୍ର ରହିଛି-। ଖାଇପିଇ ସାରି ଅଇଁଠା ବାସନକୁ ଏହି ଯନ୍ତ୍ରରେ ପକାଇ ଦେଲେ, ଏହା ମନକୁ ମନ ମଜା ହୋଇ, ସଫା ହୋଇ, ଶୁଖା ହୋଇ ବାହାରି ଆସିବ । ଅଇଁଠା ବାସନ ପାଇଁ ମାର୍କିନ ଘରଣୀର ଚିନ୍ତା ନାହିଁ । ପୁଣି ପ୍ରତ୍ୟେକଙ୍କ ରୋଷେଇ ଘରେ ରେଫ୍ରିଜେରେଟର । ସପ୍ତାହରେ ଥରେ ବଜାର କଲେ, ସାତଦିନ ପାଇଁ ସାଇତି ରଖିଲେ ରେଫ୍ରେଜେରେଟର୍‌ରୁ କାଢ଼ିଲେ, ରୋଷେଇ କଲେ-। ମାଛ, ମାଉଁସ, ଅଣ୍ଡା, ଦୁଧ ସବୁକିଛି ସାଇତି ହେବ । ଖରାପ ହୋଇଯିବା ଆଶଙ୍କା ନାହିଁ । ପୁଣି କେତେକଙ୍କ ଘରେ ଏମିତି ଅଟୋମେଟିକ୍‌ ରୋଷଇ ଯନ୍ତ୍ର ବସିଛି, ଯେଉଁଥିରେ ଭାତ, ଡାଲି, ତରକାରୀ ବସାଇ ସୁଇଚ୍‌ ଟିପିଦେଲେ, ଏହା ମନକୁ ମନ ରାନ୍ଧିହୋଇ ରହିଯିବ ଓ ଆପେ ଆପେ ଲାଇନ୍‌ କଟିଯିବ । ପୋଡ଼ିଯିବା ଆଶଙ୍କା ନାହିଁ । ଅଟୋମେଟିକ ରୋଷେଇ ଯନ୍ତ୍ର ଥିବା ଘରର ସ୍ତ୍ରୀଲୋକେ ଭାତ, ତରକାରୀ, ଡାଲି ଆଦି ବସାଇ ଦେଇ ବଜାରକୁ ବା ବୁଲିଯାଇ ପାରନ୍ତି-। ଆସିଲାବେଳକୁ ରନ୍ଧାରନ୍ଧି ହୋଇ ସବୁ ଠିକ୍‌ହୋଇ ଯାଇଥିବ ।

 

ଏ ସିନା ଗଲା ରୋଷେଇ ଘର କଥା । ସେମାନଙ୍କ ଘରେ ଏତେ ଯନ୍ତ୍ରପାତି ଯେ ନ ଦେଖିଲେ ସହଜରେ ଧାରଣା କରି ହେବନି । ମଇଳା ଲୁଗା କାଚିବା ଯନ୍ତ୍ର, ଓଦା ଲୁଗାକୁ ଶୁଖାଇବା ଯନ୍ତ୍ର, ଜୋତା ପାଲିସ୍‌କରିବା ପାଇଁ ଯନ୍ତ୍ର, ଦାନ୍ତଘଷିବା ପାଇଁ ଯନ୍ତ୍ର, ଖିଅର ହେବା ପାଇଁ ଯନ୍ତ୍ର, ଘର ଓଳାଇବା ଯନ୍ତ୍ର, ଘରକୁ ଧୋଇ ପୋଛିବା ପାଇଁ ଯନ୍ତ୍ର, ଏମିତି କେତେ ଯନ୍ତ୍ର ଯେ ଅଛି, ତା’ର କଳନା ନାହିଁ । ଏହିସବୁ ଯନ୍ତ୍ରର ସାହାର୍ଯ୍ୟ ମିଳୁଥିବାରୁ ମାର୍କିନ୍‌ ଗୃହିଣୀ ବିନା ଚାକର ଚାକରାଣୀ ସାହାଯ୍ୟରେ ଯେତେ ଘରକାମ କରିପାରେ ଓ ଘରକୁ ସଫସୁତୁରା ରଖିପାରେ, ଆମେ ଏକାଧିକ ଚାକର ଚାକରାଣୀ ରଖି ମଧ୍ୟ ସେମିତି ସଯତ୍ନରେ ରଖିପାରିବାନି ।

 

ଆମେରିକାମାନଙ୍କ ଘର, ବାଡ଼ଠାରୁ ଆମକୁ ଅଧିକ ମୁଗ୍‌ଧ କରିଥିଲା ସେମାନଙ୍କ ଦୋକାନ ବଜାର ଆଦି । ବିଶେଷତଃ ବଜାର ଓ ଦୋକାନ ଭିତରେ ସେମାନଙ୍କର ସୁପର ମାର୍କେଟ ଓ ଡିପାଟମେଣ୍ଟାଲ ଷ୍ଟୋର ଆମକୁ ଅଧିକ ଚମକୃତ କରିଥିଲା । ଆମେରିକାରେ ସୁପରମାର୍କେଟ ଧାରଣା ବେଶିଦିନ ପୁରୁଣା ନୁହେଁ । ଗତ ଦ୍ଵିତୀୟ ମହାସମର ପରେ ଏହି ସୁପର ମାର୍କେଟ ଗୁଡ଼ିକର ସୃଷ୍ଟି । ସୁପର ମାର୍କେଟ ହେଉଛି ଏମିତି ଗୋଟିଏ ବିରାଟ ଦୋକାନ ଯେଉଁ ଦୋକାନକୁ ପଶିଯାଇ ନିଜ ଦୈନନ୍ଦିନ ଜୀବନରେ ଦରକାର କରୁଥିବା ସବୁପ୍ରକାର ଆବଶ୍ୟକୀୟ ପଦାର୍ଥ ସଂଗ୍ରହ କରିଆଣି ହେବ ଓ ଦୁଆର ମୁହଁରେ ଥିବା ଲୋକ ପାଖରେ ହିସାବ କରି ପଇସା ଦେଇ ଆସିହେବ । ଏହି ସୁପରମାର୍କେଟ୍‌ରେ ପନିପରିବା, ଶାକସବ୍‌ଜି, ମାଛ, ମାଂସ, ଡାଲି ଚାଉଳ, ଅଟା ମଇଦାଠାରୁ ଆରମ୍ଭ କରି କେକ୍‌, ବିସ୍କୁଟ, ଆଇସ୍‌କ୍ରିମ, ମିଠାଇ, ରନ୍ଧାରନ୍ଧି ସରଞ୍ଜାମ, ଡେକଚି କରେଇ ଆଦି ସବୁ କିଛି ମିଳେ । ପୋଷାକ ପତ୍ର, ଲୁଗାପଟା, ସବୁ କିଛି ଏହିଠାରୁ କିଣିହେବ । ଥରେ ଗୋଟିଏ ସୁପର୍‌ମାର୍କେଟ୍‌କୁ ପଶିଗଲେ ନିଜ ଜୀବନର ଆବଶ୍ୟକୀୟ ଜିନିଷ ଏମିତ ସଜାସଜି ହୋଇ ରହିଥିବ ଯେ ତାଲିକା ନ ନେଇ ଯାଇଥିଲେ ବି ଗୋଟିଏ ଜିନିଷ ଛାଡ଼ି ଆସିବା ସମ୍ଭବପର ନୁହେଁ । ଆମ ଦେଶ ଭଳି ଏ ଦୋକାନରୁ ସେ ଦୋକାନ ବୁଲିବା ଦରକାର ନାହିଁ, ଯେତେ ମନେକରି କିଣିଲେ ବି ଗୋଟିଏ ଦୁଇଟା ଛାଡ଼ିଆସିବା ସମ୍ଭାବନା ସେମିତି ଅସୁବିଧା ସୁପରମାର୍କେଟରେ ହେବ ନାହିଁ । ଏହି ସୁପରମାର୍କେଟ ଗୁଡ଼ିକ ଆମେରିକାରେ ଏତେ ଲୋକପ୍ରିୟ ହେଉଛି ଯେ ସେଗୁଡ଼ିକର ପ୍ରସାର ଦିନକୁ ଦିନ ବଢ଼ି ଚାଲିଛି । ଆମେରିକା ଦେଖା ଦେଖିରେ ଇଉରୋପର କେତେକ ଦେଶରେ ଏହାର ପ୍ରଚଳନ ଆରମ୍ଭ ହେଲାଣି । ଆମ ଦେଶରେ ମଧ୍ୟ ଏହାର ପ୍ରଚଳନ ଆରମ୍ଭ ହେବାର କଳ୍ପନା ଜଳ୍ପନା ଚାଲିଛି । ଆମ ଦେଶରେ ଏହା ଆରମ୍ଭ ହେଲେ ବେଶ୍‌ ଲୋକପ୍ରିୟ ହେବାର ଆଶା ।

 

ସୁପର୍‌ମାର୍କେଟ ଭଳି ଆମରିକରେ ଯେଉଁ ଡିପାର୍ଟମେଣ୍ଟାଲ୍‌ ଷ୍ଟୋରମାନ ଅଛି, ସେଗୁଡ଼ିକ ଆହୁରି ଚମତ୍କାର । ଏହି ଷ୍ଟୋରଗୁଡ଼ିକ ଏମିତି ଯେ ଏହା ଭିତରକୁ ପଶିଗଲେ ପିନ୍‌ କଣ୍ଟାଠାରୁ ମଟରଗାଡ଼ି ପର୍ଯ୍ୟନ୍ତ ସବୁକିଛି କିଣିହେବ । ଖାଦ୍ୟ ପଦାର୍ଥକୁ ଛାଡ଼ି ଏମିତି କୌଣସି ଜିନିଷ ନାହିଁ, ଯାହାକୁ ଆମେ ବ୍ୟବହାର କରୁଁ, ଅଥଚ ଡିପାର୍ଟମେଣ୍ଟାଲ୍‌ ଷ୍ଟୋର୍‌ରେ ନଥିବ । ଡିପାର୍ଟମେଣ୍ଟାଲ୍‌ ଷ୍ଟୋରଗୁଡ଼ିକ ଏଡ଼େ ବିରାଟ ଯେ ଗୋଟିଏ ଗୋଟିଏ ଡିପାର୍ଟମେଣ୍ଟାଲ୍‌ ଷ୍ଟୋରରେ ସବୁ ଜିନିଷପତ୍ର ଦେଖିବାକୁ ହେଲେ ମାସ ମାସ ସମୟ ବିତିଯିବ, ତଥାପି ବି ଦେଖା ସରିବ ନାହିଁ । ଗୋଟିଏ ଗୋଟିଏ ଡିପାର୍ଟମେଣ୍ଟାଲ୍‌ ଷ୍ଟୋରରେ ଯେତେ ମୂଲ୍ୟ ଜିନିଷପାତି ଅଛି, ଆମ ଓଡ଼ିଶାଟାକୁ ବିକିଦେଲେ ବି ହୁଏତ ସେତେ ଟଙ୍କା ହେବନି । ପୃଥିବୀର ବୃହତ୍ତମ ଡିପାର୍ଟମେଣ୍ଟାଲ୍‌ ଷ୍ଟୋର “ମାସେ” ଆମେରିକାର ନିଉୟର୍କ ନଗରୀରେ ଅବସ୍ଥିତ, ପୃଥିବୀର ଉଚ୍ଚତମ ପ୍ରାସାଦ ଏମ୍ପାୟାର୍‌ଷ୍ଟେଟ୍‌ ବିଲ୍‌ଡିଙ୍ଗ୍‌ ନିକଟରେ । ଆମେରିକାରୁ ଫେରିଥିବା ଯେ କୋଣସି ଲୋକ ଯେମିତି ମାର୍କିନ୍‌ ତରୁଣୀର ପୋଷାକ ବିଶେଷତଃ ତା’ର ଗ୍ରୀଷ୍ମକାଳୀନ ପୋଷାକକୁ ଭୁଲି ପାରିବନି, ସେହିଭଳି ଆମେରିକାର ଏହି ସୁପର୍‌ ମାର୍କେଟ ଓ ଡିପାର୍ଟମେଣ୍ଟାଲ୍‌ ଷ୍ଟୋରକୁ ଭୁଲିବା କୌଣସି ମାର୍କିନ୍‌ ଫେରନ୍ତାଙ୍କ ପକ୍ଷରେ ସମ୍ଭବପର ନୁହେଁ । ଆମେରିକାର ଛୋଟ ବଡ଼ ପ୍ରତ୍ୟେକ ସହର ଓ ଏମିତିକି ଗ୍ରାମାଞ୍ଚଳରେ ଏହି ସୁପରିମାର୍କେଟ୍‌ ଓ ଡିପାର୍ଟମେଣ୍ଟାଲ୍‌ ଷ୍ଟୋରର ଲୋକପ୍ରିୟତା ଏତେ ବେଶି ଯେ କହି ହେବନି । ଆମେରିକାର ଯେଉଁଆଡ଼କୁ ଯାଅ, ଏଥିରୁ ଗୁଡ଼ିଏ ଆଖିରେ ନପଡ଼ି ରହିବନି ।

 

ଆମେରିକା ଲୋକଙ୍କ ଗୋଟିଏ ପ୍ରକୃତି, ପୁରୁଣା ଜିନିଷ ପ୍ରତି ଅତ୍ୟଧିକ ଶ୍ରଦ୍ଧା । ପୁରୁଣା ଜିନିଷ ପ୍ରତି ସେମାନଙ୍କ ଶ୍ରଦ୍ଧା ଓ ସମ୍ମାନ ଏତେ ବେଶି ଯେ ପ୍ରତ୍ୟେକ ଲୋକର ତାହା ଶିକ୍ଷଣୀୟ । ଆମେରିକାର ଠାଏ ଠାଏ ଏମିତି ଢେର ଦୋକାନ ପାଇବ ଯେଉଁଠି ନାନପ୍ରକାର ପୁରୁଣା ଜିନିଷମାନ କିଣିବା ପାଇଁ ଲୋକେ ରୁଣ୍ଡ ହୋଇଥିବେ । ଏହି ସବୁ ଦୋକାନକୁ ସେମାନେ କହନ୍ତି ‘ଏଣ୍ଟିକ୍‌ଦୋକାନ’ । ପୁରୁଣାକାଳିଆ ଚେୟାର, ଟେବୁଲ୍‌ଠାରୁ ଆରମ୍ଭ କରି ବାସନ କୁସନ, ବତୀ ପର୍ଯ୍ୟନ୍ତ ସବୁଥିରେ ପୁରୁଣା ଜିନିଷର ଛାପ ଜିନିଷର ଲୋକପ୍ରିୟତା ବଢ଼ାଇଥାଏ । ଗୋଟିଏ ନୂଆ ଟେବୁଲର ଦାମ ଯଦି ଷାଠିଏ ଟଙ୍କା ହୁଏ, ତେବେ ତାହା ଯଦି ପୁରୁଣା ଓ ଅଷାଣ୍ଡୁଆ ହୋଇଥାଏ, ତେବେ ତା’ ଦାମ ହେବ ଦୁଇଶହ ଅଢ଼େଇଶହ ଟଙ୍କା । ଗୋଟିଏ ଭଲ ନୂଆ ମଟରଗାଡ଼ିର ମୂଲ୍ୟ ପନ୍ଦର ହଜାର ଟଙ୍କା ହେଉଥିବା ସ୍ଥଳେ ଗୋଟିଏ ପୁରୁଣା ଏଣ୍ଟିକ୍‌ ମଟରଗାଡ଼ିର ଦାମ ଲକ୍ଷାଧିକ ଟଙ୍କା । ଏହି ଏଣ୍ଟିକ୍‌ ଜିନିଷକୁ କିଣି ଆମେରିକାନ୍‌ମାନେ ଯେମିତି ସେମାନଙ୍କ ଘରକୁ ସଜାନ୍ତି, ଦେଖିଲେ ଯେ କେହି ଲୋକ କାଠ ହୋଇଯିବ । ଯେଉଁ ପୁରୁଣାକାଳିଆ ଜିନିଷକୁ ଦେଖିଲେ ଆମେ ନାକଟେକୁ, ସେ ଜିନିଷକୁ ନେଇ ସେମାନେ ଏମିତି ଘରେ ସଜାଇ ରଖିଥିବେ ଯେ, ନୂଆହୋଇ ଆମେରିକାକୁ ଯାଉଥିବା ଯେ କେହି ଲୋକ ଆଶ୍ଚର୍ଯ୍ୟହୋଇ ମନକୁ ମନ ପଚାରିବ, “ ଏ ଲୋକଗୁଡ଼ାକଙ୍କର କ’ଣ ଭଲମନ୍ଦ ଜିନିଷ ପ୍ରତି ବାଛବିଚାର ନାହିଁ ଯେ ଏମିତି ପୁରୁଣାକାଳିଆ ଜିନିଷକୁ ନେଇ ଏଡ଼େ ଦାମିକା ଦାମିକା ବୈଠକଖାନାରେ ସଜାଇ ରଖିଛନ୍ତି ?” ଏହି ପୁରୁଣା ଜିନିଷ ପାଇଁ ସେମାନେ ଏତେ ପାଗଳ ଯେ, ପୁରୁଣା ଜିନିଷଟିଏ କିଣିବା ପାଇଁ ସେମାନେ ଶହ ଶହ ମାଇଲ ରାସ୍ତା ଧାଇଁ ଯାଆନ୍ତି ।

 

ଆମେରିକା ଲୋକଙ୍କଠାରୁ ଆମର ଯେ ଢେର କିଛି ଶିଖିବାର ଅଛି, ଏହା କେହି ଅସ୍ଵୀକାର କରିବେନି । ପ୍ରଥମ କଥା ହେଲା ସେମାନେ ଅତ୍ୟନ୍ତ ପରିଶ୍ରମୀ । ନିଜ କାର୍ଯ୍ୟକ୍ଷେତ୍ର ବ୍ୟତୀତ ଘରେ, ବଗିଚାରେ, ବାଡ଼ିରେ ସେମାନେ ଢେର ପରିଶ୍ରମ କରନ୍ତି । ଯେମିତି ଅଧିକ ପରିଶ୍ରମ କରନ୍ତି, ସେମିତି ଛୁଟିଦିନମାନଙ୍କରେ ମଉଜ ମଜଲିସ କରନ୍ତି ମଧ୍ୟ । ଆମେରିକାରେ ସପ୍ତାହରେ ଶନିବାର, ରବିବାର ଦୁଇଦିନ ଛୁଟି । ଦୁଇଦିନ ଯାକ ବୁଲିଯିବା, ବିଚ୍‌କୁ ଯିବା, ବଣଭୋଜି କରିବା, ହ୍ରଦ କୂଳକୁ ଯିବା ଆଦି ପ୍ରୋଗ୍ରାମ୍‌ରେ ଭରି ରଖିଥାନ୍ତି । ସପ୍ତାହ ଆରମ୍ଭ ହେବା ଦିନଠାରୁ ସେମାନଙ୍କ ପ୍ରୋଗ୍ରାମ୍‌ ତିଆରି ଚାଲେ ଛୁଟିଦିନ ଆସିବା ପର୍ଯ୍ୟନ୍ତ । ଛୁଟିଦିନ ପହଞ୍ଚିଗଲେ ବାପ, ମା, ପୁଅ, ଝିଅ, ବାହାରି ପଡ଼ିଲେ ବୁଲିଯିବା ପାଇଁ । ଦୁଇଦିନ ବୁଲାବୁଲି କରି ଆସି ପୁଣି କାମରେ ଯୋଗ ଦେଲେ, ସପ୍ତାହକର ବାକି ପାଞ୍ଚଦିନ ଖୁବ୍‌ ଖଟିଲେ । ଆମ ଦେଶରେ ଆମେ ଖୁବ୍‌ ଖଟି ଯାଣୁଛୁଁ ନା ଛୁଟିଦିନମାନଙ୍କରେ ବିଶ୍ରାମ ଉପଭୋଗ କରି ପାରୁଛୁଁ । ଆମେ ନା ୟାଡୁ, ନାଁ ସେଆଡ଼ୁ ? ଛୁଟିଦିନ ଉପଭୋଗ କରିବାକୁ ଗଲେ, ସେମାନଙ୍କ ମନ କି ଆନନ୍ଦ, ଦେହରେ କି ଅପୂର୍ବ ସ୍ଫୁର୍ତ୍ତି । ଜୀବନର ମୂଲ୍ୟ କ’ଣ ସେମାନେ ପ୍ରକୃତରେ ବୁଝୁଛନ୍ତି । କିନ୍ତୁ ଆମର କ’ଣ ? ନାନାପ୍ରକାର ଅଭାବ, ଦୁଶ୍ଚିନ୍ତା ଭିତରେ ଜୀବନ ଦୁର୍ବିହ ହୋଇ ଉଠୁଛି ଆମର । ଆମ ଦେଶର ଲୋକେ ମଣିଷର କଳେବର ନେଇ ମଣିଷ ଭାବରେ ଜିଇଁ ରହୁଛନ୍ତି କି ନାହିଁ ସନ୍ଦେହ । ଅବଶ୍ୟ ଏହା ମୂଳରେ ରହିଛି ଆମମାନଙ୍କ ଆର୍ଥିକ ଦୁଃସ୍ଥତା । ଆମର ଆର୍ଥିକ ଦୁଃସ୍ଥତା ଦୂର ହେଲେ ହୁଏତ ଆମ ଅବସ୍ଥା ଭଲ ହୋଇପାରେ ।

 

ଆମେରିକାର ଗୃହିଣୀମାନେ ସାଧାରଣତଃ ଘରସଂସାର ଚଳାନ୍ତି । ବଜାର ଯିବା, ଦୋକାନକୁ ଯିବା, ନିଜ ପାଇଁ, ସ୍ଵାମୀ ପାଇଁ, ପିଲାପିଲିଙ୍କ ପାଇଁ ଜିନିଷପତ୍ର, ପୋଷାକପତ୍ର କିଣିବା ଦାୟିତ୍ଵ ସ୍ତ୍ରୀଲୋକମାନଙ୍କର । ପୁରୁଷମାନେ କାମଦାମ କଲେ, ପଇସା ରୋଜଗାର କଲେ, ସବୁ ଆଣି ଦେଲେ ସ୍ତ୍ରୀମାନଙ୍କ ପାଖରେ । ସେମାନେ ଚଳାଇଲେ ନିତିଦିନିଆ ସଂସାର । ସ୍ଵାମୀକୁ ଟିକିଏ ହେଲେ ମୁଣ୍ଡ ଖେଳେଇବା ପାଇଁ ପଡ଼େନି ଘରକଥା ନେଇ । ସେ ଦେଶ ଲୋକଙ୍କର ଗୋଟିଏ ଭଲ ପ୍ରକୃତି ସେମାନେ ଯା’ ରୋଜଗାର କରନ୍ତି, ଘରେ ରଖନ୍ତିନି । ସବୁ କାରବାର ବେଙ୍କ୍‌ରେ । ଦରମା ଯା’ ପାଇଲେ ବେଙ୍କ୍‌ରେ ଜମା କରିଦେଲେ । ପ୍ରତିଦିନ ଯା’ ଖରଚ କରିବା ଦରକାର ବେଙ୍କ୍‌ରୁ ଆଣି ଖରଚ କଲେ । ଆମ ଦେଶର ଲୋକଙ୍କ ଭଳି ଟଙ୍କାକୁ ଘରେ ଜମାଇ ଆମେରିକାର ସବଳ ଗତିଶୀଳ ଅର୍ଥନୀତିକୁ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତିନି । ଆମ ଦେଶରେ ବେଙ୍କ୍‌ ମନୋଭାବ ଖୁବ୍‌ କମ୍‌ ଲୋକଙ୍କର । ଯାହା ରୋଜଗାର କଲେ, ଘରେ ଆଣି ସାଇତି ରଖିଲେ । ମାସ ଶେଷକୁ ଯାହା ବଳିଲା, ସେଥିରେ ଗହଣାଗାଣ୍ଠି ଖରିଦ କରି ଅର୍ଥଟାକୁ ଘରେ ଆବଦ୍ଧକରି ରଖିଦେଲେ । ଆମ ଦେଶରେ ଯେତିକି ଟଙ୍କା ସୁନା ଗହଣା ଆକାରରେ, ଘରେ ଆବଦ୍ଧ ହୋଇ ରହିଛି ସେତକ ଯଦି ବେଙ୍କ୍‌କୁ ଆସନ୍ତା, ତେବେ ଆମର ଅର୍ଥନୀତି କେତେ ଆଗେଇ ପାରନ୍ତା । ଆମର ହାରାହାରି ୩୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଏମିତି ଅବସ୍ଥାରେ ରହିଛି । ସେଗୁଡ଼ିକ ଯଦି ବାହାରକୁ ଆସୁଥାନ୍ତା, ତେବେ ଆମ ଦେଶରେ ଆହୁରି କେତେ କଳକାରଖାନା ହୋଇପାରନ୍ତା ଓ ଆହୁରି କେତେ ଲୋକ କାମଦାମ ପାଇ ପାରନ୍ତେ, ତା’ ଆମର ଚିନ୍ତା କରିବା ଉଚିତ ।

 

ଆମେରିକାରେ କେହି ଏମିତି ସୁନା ଗହଣା ଭାବରେ ଦେଶର ଅର୍ଥକୁ ଆବଦ୍ଧ କରି ରଖନ୍ତିନି । ଦେଶର ଅର୍ଥନୀତିରେ ସୁନା ଏକ ମେରୁଦଣ୍ଡ ହୋଇଥିବାରୁ ଆମେରିକା ସରକାରଙ୍କର ନିୟମ ଅନୁସାରେ କେହି ଖାଣ୍ଟି ସୁନାକୁ ଗହଣା ଭାବରେ ରଖିବା ବେଆଇନ୍‌ । ଏକେତ ସେ ଦେଶରେ ଆମ ଦେଶ ଭଳି ଗହଣା ପିନ୍ଧିବା ଅଭ୍ୟାସ ନାହିଁ, ଯା’ ବା ଅଛି ତା’ ସୁନାର ନୁହେଁ । ଆଲୁମିନିୟମ୍‌ ଉପରେ ସୁନା କଲେଇ ହୋଇଥିବା ଗହଣା ସେ ଦେଶରେ ଢେର୍‌ । ମୁଦି ଆଦି ପାଇଁ ଯଦି ସୁନା ଦରକାର ହେଲା, ତେବେ ୧୦ କ୍ୟାରେଟ୍‌ କି ୧୪ କ୍ୟାରେଟ୍‌ ସୁନା । ସେ ଦେଶରେ ଯଦି କେହି ଲୋକ ସୁନା କିଣିବାକୁ ଯିବ, ତେବେ ୧୪ କ୍ୟାରେଟ୍‌ ସୁନାରୁ ଅଧିକ ବିଶୁଦ୍ଧ ସୁନା ପାଇବନି । ୧୪ କ୍ୟାରେଟ୍‌ ସୁନାର ନାମ ହେଉଛି ସେ ଦେଶରେ ଖାଣ୍ଟି ସୁନା (Solid Gold) । ସେ ଦେଶରେ ମୁଦି, କାନଫୁଲ ଆଦି ଯା’ ଖାଣ୍ଟି ସୁନାରୁ ମିଳେ, ତାହା ହେଉଛି ଏହି ୧୪ କ୍ୟାରେଟ୍‌ ସୁନାରୁ ତିଆରି । ସେ ଦେଶରେ ଆମ ଦେଶ ଭଳି ବୋଝେ ଗହଣା ଲଗାନ୍ତିନି । ପୁଣି ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତି, ଭାରତୀୟ ସ୍ତ୍ରୀଲୋକମାନେ ସୁନାଭଳି ଏକ ଭାରି ଧାତୁରୁ ଗହଣା ତିଆରି କରି ଏତେ ବେକରେ, ହାତରେ, କାନରେ, ଅଣ୍ଟାରେ ପିନ୍ଧି ଚଳନ୍ତି କେମିତି ? ସୁନା ଏକ ଭାରୀଧାତୁ ଥିବାରୁ ସେମାନେ ସଉକ୍‌କରି ବେକରେ ଗୋଛାଏ ହାର ପିନ୍ଧିଲେ ସେ ହାରଗୁଡ଼ିକ ହାଲୁକା ଆଲୁମିନିୟମ୍‌ ଧାତୁରୁ ତିଆରି । ଏହା ଉପରେସୁନା କଲେଇ ହୋଇ ଏଡ଼େ ସୁନ୍ଦର ଦିଶୁଥାଏ ଯେ ଏହା ଆଗରେ ଖାଣ୍ଟି ସୁନା ହାର ବି ମାନିଯିବ । ସୁନା ପ୍ରତି ଲୋକଙ୍କ ଆଦର କମ୍‌ ଥିବାରୁ ଓ ସରକାରଙ୍କ ଏଥିପ୍ରତି କଡ଼ା ନିୟମ ପ୍ରଣୟନ ହୋଇଥିବାରୁ ଆମେରିକାର ଲୋକଙ୍କଠାରେ ଆମ ଦେଶ ଲୋକଙ୍କ ଭଳି ସୁନା ଗଚ୍ଛିତ ହୋଇ ରହିନି ।

 

ତା’ଛଡ଼ା ପ୍ରତ୍ୟେକ ପରିବାର ଟଙ୍କା ପଇସା ଘରେ ନ ରଖି ବେଙ୍କ୍‌ ଜରିଆରେ କାରବାର କରୁଥିବାରୁ ଲୋକଙ୍କର ସମସ୍ତ ଟଙ୍କା ବେଙ୍କ୍‌ ହାତରେ । ଏଣେ ଦେଶର ସ୍ଵର୍ଣ୍ଣଭଣ୍ଡାର ଲୋକଙ୍କଠାରେ ଲୁକ୍‌କାୟିତ ହୋଇ ରହିନି, ତେଣେ ଦେଶର ସମସ୍ତ ଧନ ବେଙ୍କ୍‌ ଦେଇ ଯା’ଆସ କରୁଛି, ତେଣୁ ସେ ପରିସ୍ଥିତିରେ ଦେଶର ଅର୍ଥନୀତି ଗତିଶୀଳ ନ ହେବ କାହିଁକି ? ସେ ଦେଶର ପ୍ରଗତିରେ ସେମାନଙ୍କ ଏହି ଗତିଶୀଳ ଅର୍ଥନୀତି ସାହାଯ୍ୟ ନ କରି କ’ଣ ଆମ ଦେଶର ଆବଦ୍ଧ ଅର୍ଥନୀତି ସାହାଯ୍ୟ କରିବ ? ଆମେରିକାନ୍‌ମାନଙ୍କ ଠାରୁ ଆମେ ଯା’ କିଛି ଶିଖୁ ବା ନ ଶିଖୁ, ଏହି କଥାଟିକୁ ଶିଖିବା ଉଚିତ । ଆମ ଦେଶର ପ୍ରତ୍ୟେକ ଲୋକ ଟଙ୍କା ପଇସା ଯଦି ବେଙ୍କ୍‌ ଜରିଆରେ କାରବାର କରୁଥାନ୍ତେ ଓ କେହି ସୁନାଗହଣା କିଣି ଘରେ ସାଇତି ରଖୁ ନଥାନ୍ତେ, ତେବେ ଆମ ଦେଶ ଯେ କେତେ ବେଗରେ ଆଗେଇ ଯାଉଥାନ୍ତା, କହି ହୁଅନ୍ତା ନାହିଁ । ସରକାରଙ୍କ ସ୍ଵର୍ଣ୍ଣ ନିୟନ୍ତ୍ରଣ ଆଇନ ସହିତ ସହଯୋଗକରି ମାର୍କିନ ଗୃହିଣୀ ଦେଶର ଯେଉଁ ପ୍ରଭୂତ ଉନ୍ନତି କରିଛି, ଆମ ଦେଶର ଗୃହିଣୀ, ମା ଓ ଭଉଣୀମାନେ ସୁନାଗହଣା ପ୍ରତି ଆକର୍ଷଣ କମାଇ ସୁନାକୁ ଘରେ ଆବଦ୍ଧ ନ କରି ବ୍ୟବସାୟ ବାଣିଜ୍ୟ କ୍ଷେନ୍ତ୍ରକୁ ଛାଡ଼ିଦେବା ଉଚିତ, ଫଳରେ ଆମର ଅର୍ଥନୈତିକ ସଂସ୍ଥା ଅଧିକ ଗତିଶୀଳ ହୋଇ ପାରନ୍ତା ଓ ଆମ ଦେଶର ନାନାଦି ଉତ୍ପାଦନ ଆଗେଇ ପାରନ୍ତା ।

 

ମାର୍କିନ ଗୃହିଣୀର ଗୁଣ ବଖାଣି ବସିଲେ ନ ସରେ । ଘରର ଯାବତୀୟ କାମଦାମଠାରୁ ବଜାରଘାଟ ପର୍ଯ୍ୟନ୍ତ ସବୁଆଡ଼େ ସେମାନଙ୍କ କାର୍ଯ୍ୟ ତତ୍ପରତା । ସ୍ଵାମୀମାନେ ରୋଜଗାର କରି ଟଙ୍କା ଆଣି ଗୃହିଣୀମାନଙ୍କ ହାତରେ ଦେଲେ । ସେମାନେ ବଜାର ଯିବା, ଦୋକାନ ଯିବା ଠାରୁ ଆରମ୍ଭ କରି ଲୁଗାପଟା କିଣିବା, ସବୁ ଜିନିଷପାତି କିଣିବା କାମ କରିଥାନ୍ତି । ଘରେ କେଉଁ ଜିନିଷ ଅଛି, କେଉଁ ଜିନିଷ ନାହିଁ, ତା’ର ହିସାବ ଗୃହିଣୀମାନଙ୍କୁ ହିଁ ଜଣା । କେଉଁ ମାସରେ କି କି ବଡ଼ ବଡ଼ ଜିନିଷ କି ଯନ୍ତ୍ରପାତି କିଣାଯିବ, ତା’ ଠିକ୍‌କରେ ଗୃହିଣୀ । ଘର ବଦଳାଇ ଆଉ ଗୋଟିଏ ଭଡ଼ା ଘରକୁ ଯିବା ଦରକାର, ଘର ମନୋନୀତ କରିବ ସ୍ତ୍ରୀ । ନୂଆ ଘରଟିଏ ଖରିଦ୍‌ କରାଯିବ, ସ୍ତ୍ରୀ ହିଁ କରିବ । ବେଂକ୍‌ରେ ଟଙ୍କା ଜମାହେବ ବା ବେଙ୍କ୍‌ରୁ ଟଙ୍କା ଆସିବ, ସେ କାମ କରିବ ଗୃହିଣୀ । ଇଲେକ୍‌ଟ୍ରିକ୍‌ ବିଲ୍‌, ଗ୍ୟାସ୍‌ ବିଲ୍‌, ପାଣି ବିଲ୍‌, ଟେଲିଫୋନ୍‌ ବିଲ୍‌ ଆଦି ଦେବା କାମ ସ୍ତ୍ରୀଲୋକେ ହିଁ କରନ୍ତି । ଏସବୁ ହେଲା ବାହାର କାମ । ଘର ଭିତର କାମ ରନ୍ଧାବଢ଼ା ଜଳଖିଆ ତିଆରି କରା, ବାସନ ମଜା, ଲୁଗାକଚା, ଲୁଗା ଇସ୍ତ୍ରୀକରା, ଘର ଓଳାଇବା ଆଦି ଯାବତୀୟ କାମ ସ୍ତ୍ରୀଲୋକେ ହିଁ କରନ୍ତି । ମୋଟ ଉପରେ ସାରା ପରିବାର ଭିତରେ ପୁରୁଷମାନେ ଅତିଥି ଭାବରେ ଚଳନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନି । ସକାଳ ହେଲା ସ୍ଵାମୀମାନେ ଖାଇପିଇ କାମକୁ ଗଲେ । ସନ୍ଧ୍ୟା ହେଲା କାମରୁ ଆସିଲେ; ପୁଣି ଖାଇପିଇ ଖେଳିଲେ; ପଢ଼ିଲେ କି ଟେଲିଭିଜନ୍‌ ଦେଖିଲେ । ସାରା ଘରଟି କେମିତି ଚଳୁଛି ତା’ର ହିସାବ ବା ଖବର ରଖିବାକୁ ସେମାନଙ୍କର ଖିଆଲ ନାହିଁ । ସ୍ତ୍ରୀମାନେ ମଧ୍ୟ ସ୍ଵାମୀମାନଙ୍କୁ ଘରର ଟିକିନିଖି କଥା ଏ ଜିନିଷ ନାହିଁ ସେ ଜିନିଷ ନାହିଁ କହି ସେମାନଙ୍କ ମନକୁ ବିବ୍ରତ କରନ୍ତିନି । ମାସ ଶେଷ ହେଲା; ଅଫିସ, କାରଖାନାରୁ ଦରମା ଆଣି ସ୍ତ୍ରୀମାନଂକ ହାତରେ ଧରାଇ ଦେଲେ; ସେମାନଂକ ସାଂସାରିକ ଦାୟିତ୍ଵ ସରିଲା ।

 

ମାର୍କିନ ଗୃହିଣୀମାନେ ପ୍ରତିଦିନ ଯେତେ କାମ କରନ୍ତି; ଦେଖିଲେ ଆମ ମାଇପେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ । ବେଳେ ବେଳେ ଘର କାମରେ ପୁରୁଷମାନେ ଯେ ସେମାନଙ୍କୁ ସାହାଯ୍ୟ ନ କରନ୍ତି, ତା ନୁହେଁ । ଶନିବାର, ରବିବାର ଦିନ ଛୁଟି ହୋଇଥିବାରୁ ଯଦି ସ୍ଵାମୀମାନେ ବାହାରକୁ ଯାଉ ନାହାନ୍ତି; ତେବେ ସ୍ତ୍ରୀକୁ ଘର କାମରେ ସାହାଯ୍ୟ କରନ୍ତି; ଦୋକାନ, ବଜାରକୁ କିଣାକିଣି କରିବା ପାଇଁ ସ୍ତ୍ରୀ ସହିତ ଯା’ନ୍ତି । ଯେଉଁ ଗୃହିଣୀମାନେ ଚାକିରି କରନ୍ତି; ସେମାନେ ଚାକିରି ବ୍ୟତୀତ ଘର କାମରେ ପୂରା ଖଟନ୍ତି । କାରଣ ସେମାନଂକ ଧାରଣା ଘରକାମ ହେଲା ସ୍ତ୍ରୀ ଲୋକଙ୍କ କାମ । ସ୍ଵାମୀଭଳି ସେମାନେ ରୋଜଗାର କଲେ ମଧ୍ୟ ଘରଚଳା ଦାୟିତ୍ଵ ସେମାନେ ବହନ କରନ୍ତି । ନିଜ ରୋଜଗାର ଓ ସ୍ଵାମୀ ରୋଜଗାରକୁ ମିଶାଇ ସେମାନେ ଘର ଚଳାନ୍ତି । ତା’ଛଡ଼ା ପୁଅ ଝିଅଙ୍କ ଦାୟିତ୍ଵ ସେମାନଙ୍କ ମୁଣ୍ଡ ଉପରେ । କେଉଁ ପୁଅ କେଉଁଠି ପଢ଼ିବ; କେଉଁ ଝିଅ କେଉଁ ସ୍କୁଲ କି କଲେଜକୁ ଯିବ; ମା’ ମାନେ ହିଁ ନେଇ ସ୍କୁଲ କଲେଜରେ ନାଁ ଲେଖାଇ ଦେଇ ଆସିବେ । ପୁଅ ଝିଅ ସ୍କୁଲରେ କେମିତି ପଢ଼ୁଛନ୍ତି; ଥରକୁ ଥର ଯାଇ ଶିକ୍ଷକଙ୍କ ସହିତ ସାକ୍ଷାତ କରି ସେମାନଂକ କ୍ରମୋନ୍ନତିର ହିସାବ ନେବା ଦାୟିତ୍ଵ ସ୍ତ୍ରୀମାନଙ୍କର । ସ୍ତ୍ରୀ ଚାକିରି କରୁ ବା ନ କରୁ; ସେ ଏଗୁଡ଼ିକ କାମର ଦାୟିତ୍ଵ ବହନ କରିବ । ଏଥିପାଇଁ ସ୍ଵାମୀକୁ ଟିକିଏ ବିବ୍ରତ ହେବାକୁ ପଡ଼ିବନି ।

 

ମାର୍କିନ ଗୃହିଣୀମାନେ ଯେତେ କାମ କରନ୍ତି; ଯେତେ ଦାୟିତ୍ଵ ବହନ କରି ସଂସାର ଚଳାନ୍ତି; ତା’ ଆମଦେଶର ନାରୀ ସମାଜ ଅନୁଧ୍ୟାନ କରିବା ଉଚିତ । ଗୋଟିଏ ସ୍ଵାଧୀନ ଦେଶରେ ଯେଉଁଠି ପୁରୁଷ ଓ ସ୍ତ୍ରୀର ଅଧିକାର ସମାନ; ସେଠାରେ ନାରୀମାନେ ସାଂସାରିକ ଦାୟିତ୍ଵ ମୁଣ୍ଡକୁ ନନେଇ ସବୁକିଛି ସ୍ଵାମୀ ଉପରେ ଲଦି ଦେଇ ସଂସାର ଦାୟିତ୍ଵଠାରୁ ଦୂରେଇ ରହିବା ଉଚିତ ନୁହେଁ-। ସ୍ଵାମୀ ଯେଉଁଠି ଅର୍ଥ ଉପାର୍ଜ୍ଜନର ଦାୟିତ୍ଵ ବହନ କରୁଛି; ସେଠି ସ୍ତ୍ରୀ ଯଦି ସଂସାର ଦାୟିତ୍ଵ ନ ନିଏ, ତେବେ ସେ ପରିବାରକୁ ସୁଖୀ ପରିବାର କହି ହେବନି । କାରଣ ଜଣେ ଲୋକ ମୁଣ୍ଡ ଉପରେ ଅର୍ଥ ଉପାର୍ଜ୍ଜନ ତଥା ସଂସାରଚଳା ଦାୟିତ୍ଵ ଲଦିଦେଲେ ସେ ବିଚରାର ଅବସ୍ଥା ଯେ କ’ଣ ହେଉଥିବ; ସମସ୍ତେ ଉପଲବ୍‌ଧି କରିବା ଉଚିତ ।

 

ପୁଣି ତା ପରେ ପୁଅ ଝିଅଙ୍କୁ ମଣିଷ କରିବା ଦାୟିତ୍ଵ ଅଛି । ମାର୍କିନ ପରିବାରରେ ସେ ଦାୟିତ୍ଵ ବି ସ୍ତ୍ରୀର । ପୁଅ କି ଝିଅ ଯଦି କୁଆଡ଼େ ବାହାରକୁ ଗଲା, ତା’ର ହିସାବ ରଖିବ ମା, ସେମାନେ ମା’ର ଅନୁମତି ନେଇ ବାହାରକୁ ଯିବେ । ପୁଅ ଝିଅଙ୍କର ଯଦି କିଛି ଅଳି, ତେବେ ସେ ଅଳି ମା ପାଖରେ । ମା’ର ଇଚ୍ଛାନୁସାରେ ସେମାନଙ୍କ ଅଳି ବା ଇଚ୍ଛା ପୂରଣ ହୁଏ । ମା ଯଦି କହିବ ନାହିଁ, ତେବେ ବାପର ଇଚ୍ଛା ଥିଲେ ବି ମା’ କଥା ହିଁ ରହିବ । ପୁଅ କି ଝିଅ ଯଦି କୌଣସି ଝିଅ କି ପୁଅ ସହିତ ଡେଟିଙ୍ଗ କରିବାକୁ ଗଲେ, ତା’ର ହିସାବ ଥିବ ମା’ ପାଖରେ । ପୁଅ କି ଝିଅ ଅମକେଇ ଦିନ କାହା ସାଙ୍ଗରେ ଡେଟିଙ୍ଗ୍‌ କରିବାକୁ ଗଲା, କେତେବେଳେ ଫେରିବ, ସେ ସବୁର ଖବର ମା ଟିକି ନିଖି କରି ରଖିଥାଏ । ବେଳେ ବେଳେ ଅବସ୍ଥା ଏମିତିହୋଇଥାଏ ଯେ, ନିଜ ପୁଅ କି ଝିଅର କେତେଜଣ ଝିଅ ବନ୍ଧୁ କି ପୁଅ ବନ୍ଧୁ ଓ ସେମାନେ କିଏ କିଏ, ବାପ ତା’ ଜାଣି ନଥାଏ । କିନ୍ତୁ ସେ ସବୁର ହିସାବ ପାଇବ ମା’ ପାଖରେ । କୌଣସି ପୁଅ କି ଝିଅର ପ୍ରକୃତି ଯଦି ଭଲ ନୁହେଁ, ତେବେ ନିଜ ଝିଅ ପୁଅକୁ ସେମିତି ପୁଅ ଝିଅ ସହିତ ନ ମିଶିବା ପାଇଁ ବା ସାବଧାନତାର ସହିତ ମିଶିବା ପାଇଁ ମା’ ଚାରିଆଡ଼ୁ ଖବର ରଖି ତାଗିଦ୍‌ କରିଥାଏ । ସେ ସବୁ କଥା ପ୍ରତି ବାପର ବେଳେ ବେଳେ ଖିଆଲ ନଥାଏ । ପୁଅ କି ଝିଅ ଯଦି ଏହି ମିଳାମିଶା ଭିତରେ କୁପଥ ଆଡ଼କୁ ଚାଲିଯିବାର ଦେଖାଯାଏ, ତେବେ ମା’ ନିଜର ବୁଦ୍ଧି ଓ ବ୍ୟକ୍ତିତ୍ଵ ବଳରେ ସେମାନଙ୍କୁ ଫେରାଇ ଆଣେ । ସେଥିପାଇଁ ପିଲାଛୁଆକୁ ମଣିଷ କରିବାରେ ମାର୍କିନ ପରିବାରରେ ଗୃହୀଣୀର ଯେତେ ଦାୟିତ୍ଵ, ଗୃହକର୍ତ୍ତାର ଦାୟିତ୍ଵ ସେତେ ନାହିଁ । ଏଥିପାଇଁ ଦେଖିବ ଆମେରିକାରେ ଯେତେ ଅସତ୍‌ ଚରିତ୍ର, ଅସାମାଜିକ ଯୁବକ ଯୁବତୀ ନାନା ପ୍ରକାର କୁକାର୍ଯ୍ୟରେ ଲିପ୍ତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମାତୃହୀନ ବା ବିମାତାର ପିଡ଼ନରେ ପୀଡ଼ିତ । ଛାଡ଼ପତ୍ର ବ୍ୟବସ୍ଥା ମାର୍କିନ ସମାଜରେ ଥିବାରୁ ବହୁ ଗୃହକର୍ତ୍ତ୍ରୀ ଓ ଗୃହସ୍ଵାମୀ ସେମାନଙ୍କ ସ୍ୱାମୀ ବା ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଦ୍ଵିତୀୟ ସ୍ଵାମୀ ବା ସ୍ତ୍ରୀ ଗ୍ରହଣ କରିଥାନ୍ତି । ସେମାନଙ୍କର ଯେଉଁ ପିଲାଛୁଆ ଥାଏ, ତାହା ଅବସ୍ଥା ବିଶେଷରେ ବାପ ମା ପାଖରେ ରହେ । ବାପ ପାଖରେ ରହିଲେ ବି ମାତାର ପୀଡ଼ନରେ ଅନେକେ ଆଶାଜନକ ଭାବରେ ଲାଳିତ ପାଳିତ ହୋଇ ପାରନ୍ତି ନାହିଁ, ତେଣୁ କୁପଥଗାମୀ ହେବାର ସମ୍ଭାବନା । ଯେଉଁ କେତେକେ ମା ପାଖରେ ରହନ୍ତି, ଦ୍ଵିତୀୟ ସ୍ଵାମୀର ପିଲାମାନଙ୍କୁ ଅବହେଳା ହେତୁ ଓ ମାର ଦ୍ଵିତୀୟ ସ୍ଵାମୀଠାରୁ ସନ୍ତାନସନ୍ତତି ହେଲେ ପ୍ରଥମ ସ୍ୱାମୀଠାରୁ ଜନ୍ମିତ ପିଲାମାନଙ୍କଠାରୁ ମା’ର ସ୍ନେହ ସୋହାଗ କମି ଆସୁଥିବାରୁ, ସେମିତି ପିଲାମଧ୍ୟ ବିପଥଗାମୀ ହେବାର ଦେଖାଯାଏ । ଆମେରିକାରେ ଯେତେ ପିଲା ଅପରାଧୀ, ଅସତ୍‌ ଚରିତ୍ର, ଯୁବତୀ ଓ ରୂପଜିବୀ ଲଳନା ଦେଖିବ ସେମାନଙ୍କ ଜୀବନକୁ ବିଶ୍ଳେଷଣ କଲେ ଏହି ସବୁ କେତେକ କାରଣ ଯେ ଏହା ମୂଳରେ ଅଛି, ବିଶ୍ଲେଷଣକାରୀ ଭଲ ଭାବରେ ଜାଣି ପାରିବ ।

 

ସାଂସାରିକ ଜୀବନ ଓ ପରିବାର ପ୍ରତି ଯଥେଷ୍ଟ ଦାୟିତ୍ଵ ବହନକରି ମାର୍କିନ ଯୁବତୀ ନିଜ ଶରୀରର ଯେତେ ଯତ୍ନ ନିଏ, ତାହା ଅନୁଧ୍ୟାନ କଲେ ଆଶ୍ଚର୍ଯ୍ୟାନ୍ଵିତ ହେବାକୁ ପଡ଼େ । ମାର୍କିନ ରମଣୀର ରୂପ ପ୍ରସାଧନୀ ହେଲା ଦୈନନ୍ଦିନ ଜୀବନର ଏକ ପ୍ରଧାନ କାମ । ସକାଳୁ ଉଠିଲେ କାମଦାମ ଶେଷ କରି ଉପରବେଳାଠାରୁ ରୂପ ସଜାଇବା ଆରମ୍ଭ । ସ୍ଵାମୀ କାର୍ଯ୍ୟରୁ ଫେରିଲା ବେଳକୁ ସ୍ତ୍ରୀ ବେଶ୍‌ ସଜାସଜି ହୋଇ ବସିଥିବ । ସାନ୍ଧ୍ୟ ଭୋଜନ ପାଇଁ ରନ୍ଧାବଢ଼ା ମଧ୍ୟ ସରିଥିବ । ଖିଆପିଆ ସାରି ସନ୍ଧ୍ୟାବେଳେ ସ୍ଵାମୀ ସ୍ତ୍ରୀ ବୁଲି ବାହାରି ଗଲେ । ସିନେମା ଗଲେ କି ଥିଏଟର ଗଲେ କି ନାଚ ଘରକୁ ଗଲେ; ପୁରୁଷର ସାଜସଜ୍ଜା ଯା’ ହେଉ ପଛକେ ସ୍ତ୍ରୀର ରୂପ ସଜ୍ଜା ବେଶ୍‌ ଉଚ୍ଚକୋଟୀର । ମାର୍କିନ ରମଣୀର ବିଶ୍ଵାସ, ପ୍ରକୃତି ଯା’କୁ ରୂପସୀ କରି ଗଢ଼ିନାହିଁ, ରୂପପ୍ରସାଧନୀ ତାକୁ ରୂପସୀ କରି ପାରିବ । ନିଜକୁ ସୁନ୍ଦର କରି ଅନ୍ୟକୁ ଦେଖାଇବା କି ନାରୀ କି ପୁରୁଷର ଅନ୍ତର୍ନିହିତ କାମ୍ୟ ହେଲେ ହେଁ ସ୍ତ୍ରୀ ଜାତି ଏଥିପ୍ରତି ବେଶି ସଜାଗ । ତେଣୁ ସବୁ ଦେଶର ସ୍ତ୍ରୀ ନିଜ ନିଜ ରୂପ ସଜାଇବାକୁ ଆଗ୍ରହାନ୍ଵିତ ।

 

ଆମ ଦେଶର ସ୍ତ୍ରୀଲୋକେ ଭଲ ଗହଣା ଲଗାଇବା, ଭଲ ଶାଢ଼ି ପିନ୍ଧିବାକୁ ଏତେ ଆଗ୍ରହାନ୍ଵିତ କାହିଁକି, କାରଣ ଏହା ପଛରେ ସେମାନଙ୍କ ସେହି ନିଜକୁ ସୁନ୍ଦର କରି ଅନ୍ୟମାନଙ୍କୁ ଦେଖାଇବାର ପ୍ରଚ୍ଛନ୍ନ ଲାଳସା ଲୁକ୍‌କାୟିତ । ମାର୍କିନ ରମଣୀ ଏଥିରୁ ବାଦ୍‌ଯାଇନି । ପୃଥିବୀର ଯେଉଁ ଦେଶର ସ୍ତ୍ରୀଲୋକମାନେ ରୂପସଜ୍ଜାର ଆଶ୍ରୟ ଯେତେ ପରିମାଣରେ ନିଅନ୍ତି, ମାର୍କିନ ଯୁବତୀ ସମସ୍ତଙ୍କ ଉପରେ କହିଲେ ଅତ୍ୟୁକ୍ତି ହେବନି । କିଛି ବର୍ଷ ତଳେ ଫରାସୀ ଯୁବତୀ ସମସ୍ତଙ୍କ ଆଗରେ ଥିଲା । କିନ୍ତୁ ମାର୍କିନ ରମଣୀ ଆଜିକାଲି ସମସ୍ତଙ୍କୁ ଟପି ଯାଇଛି । ଆମେରିକାରେ ଏହି ସୌନ୍ଦର୍ଯ୍ୟ ବ୍ୟବସାୟୀଙ୍କ କାରବାର ଏତେ ବ୍ୟାପକ ଯେ ସେଥିରୁ ମାର୍କିନ ରମଣୀର ପ୍ରସାଧନୀ ଆଗ୍ରହ କେତେ ଉଚ୍ଚରେ ବେଶ୍‌ ପ୍ରତୀୟମାନ ହୁଏ । ଇଂଲଣ୍ଡ, ଫ୍ରାନସ୍‌, ଜର୍ମ୍ମାନୀ, ରୁଷିଆ ଆଦି ଦେଶରେ ରୂପପ୍ରସାଧନୀ ବ୍ୟବହାରରେ ସ୍ତ୍ରୀ ଲୋକମାନେ ଯେତେ ଅର୍ଥ ବ୍ୟୟ କରନ୍ତି, ଆମେରିକାରେ ସେମାନଙ୍କର ଏକତ୍ରିତ ବ୍ୟୟଠାରୁ ବହୁଗୁଣରେ ଅଧିକ ବ୍ୟୟ କରିବାର ଦେଖାଯାଏ । ଆନୁମାନିକ ହିସାବରୁ ଯା’ ଜଣା ଯାଇଛି, ଗତ କିଛି ବର୍ଷ ତଳେ ଆମେରିକାର ନାରୀମାନେ ମୋଟଏ ବର୍ଷରେ ତିନି ହଜାର କୋଟି ଟଙ୍କାରୁ ଅଧିକ ଖରଚ କରିଥିଲେ । ଏବେ ନିଶ୍ଚୟ ଏହା ଢେର ବଢ଼ି ଯାଇଥିବ, କାରଣ ଆମେରିକାରେ ରୂପପ୍ରସାଧନୀ ବାବତ ଖର୍ଚ୍ଚ ବର୍ଷକୁ ବର୍ଷ ବଢ଼ି ଚାଲିଛି ।

 

ମାର୍କିନ ଲଳନାର ପ୍ରସାଧନ ସାମଗ୍ରୀକୁ ପ୍ରଧାନତଃ ଛଅଭାଗରେ ବିଭକ୍ତ କରାଯାଇପାରେ । ଯଥା:— (୧) କେଶ ବିନ୍ୟାସସାମଗ୍ରୀ, (୨) ଅତର ଓ ପର୍‌ଫ୍ୟୁମ୍‌ସ ସାମଗ୍ରୀ, (୩) ଦେହ ଗନ୍ଧାଇବାକୁ ଦୂର କଲାଭଳି ଡିଓଡ଼ରାଣ୍ଟ, (୪) ଚମକୁ ସୁନ୍ଦର ଓ ମୋଲଏମ୍‌ କରିବା ପାଇଁ କ୍ଲିନସିଙ୍ଗ୍‌କ୍ରୀମ ଓ ଲୋସନ ଓ ଟଏଲେଟ୍‌ ୱାଟର, ସର୍ବଶେଷରେ ମୁଖମଣ୍ଡଳକୁ ସୁନ୍ଦର, ଆକର୍ଷଣୀୟ ଓ ଉଜ୍ଜ୍ଵଳ କରିବା ପାଇଁ ଫେସ୍‌ ପାଉଡର ଓ କ୍ରୀମ୍‌, (୫)ଲିପ୍‌ଷ୍ଟିକ୍‌, ନଖପାଲିସ୍‌, ଫେସ୍‌ ମେକ୍‌ଅପ୍‌ ପାଉଡ଼ର, (୬)ଚକ୍ଷୁ, ଭ୍ରୂଲତା ଓ ଆଖିବାଳ ସଜାଇବା ପଦାର୍ଥ । ଏସବୁ ପ୍ରସାଧନ ସାମଗ୍ରୀ ବ୍ୟତୀତ ଶରୀର ଓ ମୁଖମଣ୍ଡଳକୁ ସୁନ୍ଦର, ସତେଜ, ହୁଷ୍ଟପୁଷ୍ଟ ରଖିବା ପାଇଁ ସେମାନେ ନାନା ଔଷଧ ସେବନ, ଜୀବସାର ଓ ଅନ୍ୟାନ୍ୟ ପଦାର୍ଥ ସେବନର ଆଶ୍ରୟ ନିଅନ୍ତି । ଏମିତିକି କାଳେ ସେମାନଙ୍କ ସୌନ୍ଦର୍ଯ୍ୟରେ ବ୍ୟାଘାତ ଘଟିବ, ସେମାନେ ଶରୀରର କେତୋଟି ବିଶିଷ୍ଟ ଅଂଶ ଯଥା:–ମୁଖମଣ୍ଡଳ, କପୋଳ, ବକ୍ଷ ଆଦିର ଇନ୍‌ସୁରାନ୍‌ସ କରିଥାନ୍ତି । ଫଳରେ ଇନ୍‌ସୁରାନ୍‌ସ କୋମ୍ପାନୀମାନେ ଇନ୍‌ସୁରାନସ କରିଥିବା ରମଣୀମାନଙ୍କର ସେହି ସବୁ ଅଂଶର ଯେମିତି ସୌନ୍ଦର୍ଯ୍ୟ ନଷ୍ଟ ନ ହୁଏ, ସେଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖିଥାନ୍ତି । ଅବଶ୍ୟ ଶେଷୋକ୍ତ ବ୍ୟବସ୍ଥାଟି ମାର୍କିନ ସମାଜର ସମସ୍ତ ନାରୀ ପ୍ରତି ପ୍ରଯୁଜ୍ୟ ନୁହେଁ । ସିନେମା ଷ୍ଟାର୍‌, ନାଇଟ୍‌କ୍ଲବ ନର୍ତ୍ତକୀ, ରୂପଜୀବି ଲଳନା ବା ସୋସାଇଟି ଗାର୍ଲମାନେ ହିଁ ଏହି ଶେଷୋକ୍ତ ବ୍ୟବସ୍ଥା ପ୍ରତି ଖୁବ୍‌ ସଜାଗ୍‌ । ସେମାନେହିଁ ସାଧାରଣତଃ ଏହି ଧରଣର ଇନ୍‌ସୁରାନ୍‌ସ କରିଥାନ୍ତି । କିନ୍ତୁ ସାଧାରଣ ମାର୍କିନ ରମଣୀ ଉପରୋକ୍ତ ଛ’ଗୋଟି ପ୍ରସାଧନ ସାମଗ୍ରୀ ପାଇଁ ବିଶେଷ ସଜାଗ ।

 

କେଶ ସଜ୍ଜା ସାମଗ୍ରୀକୁ ମାର୍କିନ୍‌ ଭାଷାରେ କୁହାଯାଏ “ହେୟାର ପ୍ରିପେୟାରେସନ୍‌ସ୍‌ ।’’ ସାଧାରଣ ବିଉଟି ସ୍ୟାଲୁନ୍‌ମାନଙ୍କରେ ମାର୍କିନ ରମଣୀମାନେ କେଶ ସଜାନ୍ତି । କେଶ ସଜାଇବା ମଧ୍ୟ ବ୍ୟୟ ସାପେକ୍ଷ । ଥରେ ଥରେ କେଶ ସଜାଇଲେ ଚାଳିଶ ପଚାଶ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ-। ଫେସ୍‌ ପାଉଡର ଶହ ଶହ ପ୍ରକାରର । ଯା’ର ଦେହର ବର୍ଣ୍ଣ ଯେପରି, ବର୍ଣ୍ଣକୁ ଖାପ ଖୁଆଇଲା ଭଳି ସେହି ରଙ୍ଗର ଫେସ୍‌ ପାଉଡର ମିଳୁଛି, ବରାତ ଦେଲେ ତିଆରି ହୋଇ ଯୋଗାଇ ଦିଆ ଯାଉଛି । ଏହି ଫେସ୍‌ ପାଉଡର ପୁଣି ଶହ ଶହ କିସମ୍‌ର । ଅତି ମୂଲ୍ୟବାନଠାରୁ ଅତି ଶସ୍ତା ପର୍ଯ୍ୟନ୍ତ ସବୁ ପ୍ରକାରର ଅଛି ।

 

ଆମେରିକାରେ ଆମେ ରହିଲା ଭିତରେ ଚକ୍ଷୁ ଓ ଭ୍ରୂଲତା ସଜାଇବା ସାମଗ୍ରୀ ବେଶ୍‌ ଲୋକପ୍ରିୟ ହୋଇ ଉଠିଥାଏ । ଆଖିପତା ଧାରରେ କଳାଗାର ଟାଣିବା, ଆଖି ଉପର ପତା ଉପରେ ନୀଳରଙ୍ଗ ଲଗାଇବା, ଆଖି ବାଳଗୁଡ଼ିକୁ କଳା ରଙ୍ଗରେ ରଙ୍ଗାଇବା, ଭ୍ରୁଲତାକୁ କଳା ରଙ୍ଗରେ ରଙ୍ଗାଇବା ଚକ୍ଷୁ ପ୍ରସାଧନୀର ବିଭିନ୍ନ ଅଙ୍ଗ । ଏହି ସବୁ ଚକ୍ଷୁ ପ୍ରସାଧନୀରେ ମେବେଲିନ୍‌, ହେଲେନା, ରୁବିନ୍‌ଷ୍ଟାଇନ୍‌ ଆଦି କମ୍ପାନୀର ସୁନାମ ଅତି ବେଶି ।

 

ନାନା ପ୍ରକାର ରାସାୟନିକ ପଦାର୍ଥ (ହରମୋନ୍‌ସ ଆଦି)ର ପ୍ରୟୋଗରେ ସ୍ତ୍ରୀ ଲୋକମାନଙ୍କର ଯୌବନାବସ୍ଥାକୁ ଦୀର୍ଘଦିନ ସ୍ଥାୟୀ କରିବା ପାଇଁ ନାନା ଗବେଷଣା ଆମେରିକାରେ ଚାଲିଛି । ସେଥିରୁ କେତେକ ମଧ୍ୟ କୃତକାର୍ଯ୍ୟ ହେଲାଣି । ଆଜିକାଲି ଏମିତି ଫେସ୍‌ଲୋସନ୍‌ ଆବିଷ୍କୃତ ହେଲାଣି, ଯା’କୁ ମୁହଁରେ ଲଗାଇଲେ ମୁହଁର ଲୋଚା କୋଚା ଦାଗ ରହେନି । ବର୍ଷର ଆଧିକ୍ୟ ହେତୁ ଯେଉଁ ଦାଗ ସ୍ତ୍ରୀ ଲୋକମାନଙ୍କ ମୁହଁରେ ଦେଖାଦିଏ, ତାହା ଏହି ଲୋସନ୍‌ ପ୍ରୟୋଗରେ ଉଭେଇଯାଏ । ଫଳରେ ଅଧିକ ବୟସର ନାରୀ ଅଳ୍ପ ବୟସର ଯୁବତୀ ଭଳି ଦେଖାଯାଏ ।

 

ବଡ଼ ବିଚିତ୍ର ସ୍ତ୍ରୀଲୋକମାନେ ଯେମିତି ଅଧିକ ରୂପ ପ୍ରସାଧନୀ ବ୍ୟବହାର କରନ୍ତି, ଏହି ରୂପ ପ୍ରସାଧନୀ ଆବିଷ୍କାରରେ ସେହିମାନେ ହିଁ ନାନା ଗବେଷଣା କରିଥାନ୍ତି । ହେଲେନା ରୁବିନଷ୍ଟାଇନ, ହେଲେନା କର୍ଟିସ୍‌ ଏଲିଜାବେଥ୍‌ ଆର୍ଡେନ ଆଦି ମାର୍କିନ ମହିଳାମାନେ ବହୁ ରୂପ ପ୍ରସାଧନୀ ସୃଷ୍ଟି କରି ଏହି ପ୍ରସାଧନୀ ବଜାରକୁ ବ୍ୟାପକ କରି ପାରିଛନ୍ତି । ଏହି ମହିଳାମାନଙ୍କ ପରିଚାଳନାରେ ଖୁବ୍‌ ବଡ଼ ବଡ଼ କୋମ୍ପାନୀ ଆମେରିକାରେ ଗଢ଼ି ଉଠିଛନ୍ତି, ଯେଉଁମାନେ ବର୍ଷକୁ କୋଟି କୋଟି ଟଙ୍କା ଆୟ କରି ମାର୍କିନ ସମାଜରେ ପ୍ରତିଷ୍ଠା ଅର୍ଜ୍ଜନ କରିଛନ୍ତି । ହେଲେନା ରୁବିନ୍‌ଷ୍ଟାଇନ୍‌ ବିଶ୍ଵବିଦ୍ୟାଳୟର ଶିକ୍ଷା ଦିଗରେ ଏତେ ଅର୍ଥ ବିଭିନ୍ନ ବିଶ୍ଵବିଦ୍ୟାଳୟକୁ ଦାନ କରିଛି ଯେ ମୁଁ ଯେଉଁ ବ୍ରେଣ୍ଡାଇସ୍‌ ବିଶ୍ଵବିଦ୍ୟାଳୟରେ ଗବେଷଣା କରୁଥିଲି ମୋ ପ୍ରଫେସର ଡକ୍ଟର ଫିଡମେନ୍‌ ହେଉଛନ୍ତି, ସେହି ବିଶ୍ଵବିଦ୍ୟାଳୟର ‘ହେଲେନା ରୁବିନ୍‌ଷ୍ଟାଇନ୍‌ ପ୍ରଫେସର ଅଫ୍‌ କେମିଷ୍ଟ୍ରି-।’ ହେଲେନା ରୁବିନ୍‌ଷ୍ଟାଇନ୍‌ କୋମ୍ପାନୀ ବିଶ୍ଵବିଦ୍ୟାଳୟକୁ ଦେଇଥିବା ଟଙ୍କାର ସୁଧରୁ ମୋ ଅଧ୍ୟାପକ ଦରମା ପାଆନ୍ତି । ସେମାନଙ୍କର ଏହି ଦାତବ୍ୟ ଅର୍ଥରୁ ସେମାନଙ୍କ ଆର୍ଥିକ ସ୍ଵଚ୍ଛଳତା କେତେ ବେଶ୍‌ ଜଣାପଡ଼େ ।

 

ବହୁବର୍ଷ ତଳେ ଆମେରିକାରେ କେବଳ ୨୫ ଓ ୫୦ ବର୍ଷ ବୟସ ଭିତରେ ଥିବା ସ୍ତ୍ରୀ ଲୋକେ ହିଁ ପ୍ରସାଧନୀ ବ୍ୟବହାର କରୁଥିଲେ । ୨୫ ବର୍ଷରୁ କମ୍‌ ତରୁଣୀମାନେ ଏଥିପ୍ରତି ବିଶେଷ ଆକୃଷ୍ଟ ନଥିଲେ, କିମ୍ବା ୫୦ ବର୍ଷରୁ ଊର୍ଦ୍ଧ୍ଵ ମହିଳାମାନେ ରୂପ ସଜାଇବା ପ୍ରତି ଆଗ୍ରହୀ ନଥିଲେ । କିନ୍ତୁ ଆଜିକାଲି ବିଭିନ୍ନ ପ୍ରସାଧନ କମ୍ପାନୀମାନଙ୍କର ରେଡ଼ିଓ, ଟେଲିଭିଜନ୍‌’ ସିନେମା, ଖବରକାଗଜ, ପତ୍ରପତ୍ରିକା ଆଦିରେ ଶହଶହ ବିଜ୍ଞାପନ ହେତୁ ଆମେରିକାର ୧୨ ବର୍ଷର ଝିଅଠାରୁ ୬୦ । ୭୦ ବର୍ଷର ବୃଦ୍ଧା ପର୍ଯ୍ୟନ୍ତ ପ୍ରସାଧନୀର ଆଶ୍ରୟ ନ ନେଇ ରହିପାରି ନାହାନ୍ତି । ଆମେରିକାରେ କିଏ ଦିନକୁ ପାଞ୍ଚଥର ଓଠରେ ଲିପ୍‌ଷ୍ଟିକ୍‌ ଲଗାଉଛି ତ କିଏ ଦିନକୁ ଥରେ ନଖରେ ନଖପାଲିସ୍‌ ଲଗାଉଛି । କିଏ ସନ୍ଧ୍ୟାବେଳେ ଗୋଟିଏ ରଙ୍ଗର ଫେସ୍‌ ପାଉଡର ଲଗାଇଲାଣି ତ ଦ୍ୱିପ୍ରହରରେ ଆଉ ଏକ ରଙ୍ଗରେ, ରାତିରେ ଶୋଇବାକୁ ଗଲାବେଳେ ଆଉ ଏକ ରଙ୍ଗର । ବର୍ଷର କେଉଁ ମାସରେ କେଉଁ ଫେସ୍‌ ପାଉଡର ବେଶି ଆକର୍ଷଣୀୟ ହେବ, କେଉଁ ରଙ୍ଗର ପୋଷାକ ସହ କେଉଁ ଲିପ୍‌ଷ୍ଟିକ ସାଜିବ, କେଉଁ ବର୍ଷର ଲଳନା କେତେ ଗାଢ଼ ବର୍ଣ୍ଣର ନଖପାଲିସ କି ଲିପ୍‌ଷ୍ଟିକ ଲଗାଇବ, କେଉଁ ନାରୀର ଆଖିର ଗଢ଼ଣକୁ କେଉଁ ଚକ୍ଷୁ ବିନ୍ୟାସ ସାମଗ୍ରୀ ସାଜିବ, ସେ ସବୁର ଟିଖିନିଖି ଜ୍ଞାନ ମାର୍କିନ ରମଣୀମାନଙ୍କର ଏତେ ଯେ ସେମାନେ ଏହାକୁ ମୁଖସ୍ତ କରି ମନେ ରଖିଛନ୍ତି କି କଣ ସନ୍ଦେହ ହେବ । ତା ଛଡ଼ା ୱେଭଲନ୍‌ ମେବେଲିନ୍‌, ରୁବିନଷ୍ଟାଇନ, ମାକ୍‌ସଫେକ୍ଟର, ଅରମର୍‌ଏଣ୍ଡ କୋମ୍ପାନୀ ଆର୍ଡେନ ଆଦିଙ୍କ ବିଜ୍ଞାପନ ସେମାନଙ୍କୁ ସେ ଦିଗରେ କମ୍‌ ସଜାଗ କରୁନି ।

 

ଆମେରିକାର ଲୋକେ ଆମ ଭାରତୀୟଙ୍କ ପ୍ରତି ବଡ଼ ସହାନଭୂତିଶୀଳ । ଗତ ଚୀନ ସହିତ ଆମର ଯୁଦ୍ଧ ହେଲାବେଳେ ସେମାନେ ଆମକୁ ଯାହା ସହାନଭୂତି ଦେଖାଇଥିଲେ, ତାହା ଭୁଲିହେବନି । ଆମେରିକାରେ ଆମେ ସେତେବେଳେ ଥିବାରୁ ଆମେ ସେଗୁଡ଼ିକୁ ବେଶ୍‌ ଲକ୍ଷ୍ୟ କରିଛୁଁ । ଆମେରିକା ଲୋକଙ୍କର ଗୋଟିଏ ଗୁଣ ଆମକୁ ଅତ୍ୟଧିକ ମୁଗ୍‌ଧ କରିଥିଲା, ତାହା ହେଉଛି ସେମାନଙ୍କ ସରଳତା । ପୋଷାକ ପତ୍ର, ଚାଲିଚଳନ, ରୀତିନୀତିରେ ସେମାନେ ଏତେ ସରଳ ଓ ରକ୍ଷଣଶୀଳତା ବିରୋଧୀ ଯେ ନୂଆ ହୋଇ ଆମେରିକାକୁ ଆସିଥିବା ଯେ କେହି ଲୋକକୁ ଏହା ମୁଗ୍‌ଧ କରିବ । ଇଂରେଜମାନେ ଏସବୁ ବିଷୟରେ ଯେତେ ରକ୍ଷଣଶୀଳ, ଆମେରିକାନ୍‌ମାନେ ଠିକ୍‌ ତା’ର ଓଲଟା । ବିଲାତର କୌଣସି ଏକ ସାନ୍ଧ୍ୟଭୋଜନରେ ଯୋଗ ଦେଲେ, ପୋଷାକପତ୍ର ପ୍ରତି ଯେଉଁ କଡ଼ା ନିୟମ ତା’ ଆମେରିକାରେ ପାଇବନି । ବିଲାତରେ ଏମିତି ହୋଇଛି ଯେ ଉପଯୁକ୍ତ ପୋଷାକ ପିନ୍ଧି ନ ଥିବା ନିମନ୍ତ୍ରିତ ବ୍ୟକ୍ତିକୁ ବି ସେମାନେ ନିମନ୍ତ୍ରଣ କରି ଡିନର ଟେବୁଲ ଉପରୁ ଖାଇବାକୁ ନଦେଇ ଫେରାଇ ଦେଇଛନ୍ତି । ଜଣେ ଇଂରେଜ ଯଦି ଆଉଜଣେ କାହାରିକୁ ତା’ ଘରକୁ ସାନ୍ଧ୍ୟଭୋଜନ ବା ଆଉ କିଛି ଭୋଜନ ପାଇଁ ନିମନ୍ତ୍ରଣ କରେ’ ସେ ଯଦି ଭଲ ପୋଷାକ ତ ପିନ୍ଧି ଆସିଲା ତେବେ ଅତିଥି ସତ୍କାରକ ଅପମାନିତ ଅନୁଭବ କରିବ । କିନ୍ତୁ ଆମେରିକାରେ ଏମିତି ଦେଖିବନି । ଲୋକମାନେ ପୋଷାକପତ୍ରରେ ସେମିତି ରକ୍ଷଣଶୀଳ ନୁହଁନ୍ତି । ସ୍କୁଲ କଲେଜକୁ ପେଣ୍ଟ ହାୱାଇନ ପିନ୍ଧି ବାହାରି ଆସିବେ । ବିଲାତ ଲୋକଙ୍କ ଭଳି ପେଣ୍ଟ୍‌, କୋଟ, ଟାଇ, ୱେଷ୍ଟକୋଟ ଆଦି ଦରକାର ନାହିଁ । କେହି ଯଦି ଖାଇବାକୁ ନିମନ୍ତ୍ରଣ କଲା ସେମିତି ନିତିଦିନିଆ ପୋଷାକରେ ଚାଲିଯିବେ । ଏମିତି ଯଦି ମନ ହେଲା, ତେବେ ଭଲ ପୋଷାକ ପିନ୍ଧିବେ ନୋହିଲେ ନାହିଁ । ଏମିତି କି ଡେଟିଙ୍ଗ ସମୟରେ ଗାର୍ଲଫ୍ରେଣ୍ଡକୁ ଧରି ଗଲାବେଳେ ମଧ୍ୟ ପୋଷାକପତ୍ରରେ ସେମିତି ଜାକଜମକ ନଥାଏ । ପୋଷାକପତ୍ର ଆଦିରେ ସେଇଠି ଜାକଜମକ ହେବା କଥା । କାରଣ ତା’ନହେଲେ କାଳେ ଗାର୍ଲଫ୍ରେଣ୍ଡ ତା’ ଆଡ଼କୁ ନଢଳି ଆଉ ଅନ୍ୟ ବୟଫ୍ରେଣ୍ଡ ଆଡ଼କୁ ଢଳିବ । ଡେଟିଙ୍ଗବେଳେ ଏତେ ବିପଦ ଆପଦର ଆଶଙ୍କା ଥାଇ ମଧ୍ୟ ସୋମାନେ ବେଳେ ବେଳେ ପୋଷାକପତ୍ର ପ୍ରତି ବିଶେଷ ନଜର ଦିଅନ୍ତିନି ।

 

ଆମ ଦେଶରେ ଓ ବିଲାତରେ ଚଳଣି ଅଛି, ଉପରିସ୍ଥ ଅଫିସର ପାଖକୁ ଯିବାକୁ ହେଲେ ଭଲ ପୋଷାକରେ ଯିବା କଥା । କିନ୍ତୁ ଆମେରିକା ଚଳନିରେ ତାହା ଦେଖିବନି । ସେମିତି ସାଧାରଣ ଆଦାବ୍‌ କାଇଦାରେ ସେମାନେ ଇଂରେଜମାନଙ୍କ ଭଳି ରକ୍ଷଣଶୀଳ ନୁହଁନ୍ତି । ଦୁଇଜଣ ଅପରିଚିତ ଲୋକ କଥାବାର୍ତ୍ତା ବେଳେ ଭାଷାରେ ଯେଉଁ ଆଦବ୍‌ କାଏଦା ଇଂରେଜ ଲୋକମାନେ ରକ୍ଷାକରି କଥାବାର୍ତ୍ତା ହୁଅନ୍ତି, ଆମେରିକାନ୍‌ମାନେ ସେଥିରୁ ବିଚ୍ୟୁତ୍‌ନହେଲେ ମଧ୍ୟ ବେଳେବେଳେ ନିୟମ ଲଘଂନ କରିବାର ଦେଖାଯାଏ । ଏମିତି ଭାବରେ ଦେଖିବାକୁ ଗଲେ, ଆମେରିକାନ୍‌ ଓ ଇଂରେଜମାନଙ୍କ ମଧ୍ୟରେ ଆଚାର ବ୍ୟବହାର, ରୀତିନୀତି, ଆଦବକାଇଦା ନେଇ ଅନେକ ପାର୍ଥକ୍ୟ ଦେଖାଯାଏ ।

 

ଇଂରେଜମାନେ ବାଟରେ, ଘାଟରେ, ବସ୍‌ରେ କି ଭୂଇଁତଳ ରେଳଗାଡ଼ିରେ ଗଲାବେଳେ ଅପରିଚିତ ବ୍ୟକ୍ତି ସହିତ କଥାବାର୍ତ୍ତା କରନ୍ତି ନାହିଁ । କିନ୍ତୁ ଆମେରିକାନ୍‌ମାନେ ମୋଟେ ତା’ ନୁହନ୍ତି । ଦୁଇଜଣ ପୂରାପୂରି ଅପରିଚିତ ହେଲେହେଁ, ବାଟରେ ଘାଟରେ, ଗାଡ଼ିରେ , ଟ୍ରେନରେ ଯେମିତି କଥାବାର୍ତ୍ତା କରନ୍ତି, ଦେଖିଲେ ଯେ ସେହି ଲୋକ ଭାବିବ, ସେମାନେ ଯେମିତି ପରସ୍ପର ବନ୍ଧୁ, କେହି କାହାରିକୁ ଅଜଣା ନୁହଁନ୍ତି । ଆମେରିକାନ୍‌ମାନେ ଇଂରେଜମାନଙ୍କଭଳି ଗଲା ଅଇଲା ବେଳେ ଚୁପ୍‌ଚାପ ବସି ରହିବାକୁ ଭଲ ପାଆନ୍ତିନାହିଁ । ଏମିତିକି ବିଦେଶରେ ମଧ୍ୟ ନୁହେଁ । ଇଂରେଜମାନେ ବିଦେଶୀଙ୍କୁ ଦେଖିଲେ ପୂରାପୂରି ମୁହଁ ବନ୍ଦକରି ବସନ୍ତି । କିନ୍ତୁ ଆମେରିକାନ୍‌ମାନେ ଓଲଟା । ସେମାନେ ଅପରିଚିତ ହେଲେବି ପାଖଲୋକସହିତ କିଛି ନା କିଛି କଥାବାର୍ତ୍ତା କରିବେ । ଇଂରେଜମାନେ ଭାରତୀୟଙ୍କୁ ଦେଖିଲେ ଉଚ୍ଚ ମନୋଭାବ (Superiority Complex) ଦେଖାଇ କଥା କହନ୍ତି, ଭାବନ୍ତି, ସେମାନେ କିଛି ବର୍ଷତଳେ ଯେମିତି ଭାରତୀୟଙ୍କ ପ୍ରଭୁ ଥିଲେ ଏବେ ବି ସେମିତି ଅଛନ୍ତି । କିନ୍ତୁ ଆମେରିକାନମାନେ କଥାବାର୍ତ୍ତା କରନ୍ତି, ଭାରତୀୟମାନଙ୍କୁ ଏକ ସ୍ଵାଧୀନରାଷ୍ଟ୍ରର ନାଗରୀକ ଭାବରେ ସମ୍ମାନ ଦେଇ । ଏହି ସବୁ ନାନା ପ୍ରକାର ଭଲଗୁଣ ନେଇ ଯେ କେହି ଭାରତୀୟ ଆମେରିକା ଯିବ ଆମେରିକାନ ଲୋକଙ୍କ ବ୍ୟବହାରରେ ମୁଗ୍‌ଧ ହୋଇ ପଡ଼ିବ ।

 

ଆମେରିକା ପୁରୁଷଙ୍କଠାରୁ ନାରୀମାନଙ୍କ ବ୍ୟବହାର ଆହୁରି ଆକର୍ଷଣୀୟ । ଗୋଟିଏ ମାର୍କିନନାରୀ ଅଜଣା ହେଲେହେଁ ତୁମ ସହିତ ଯେମିତି କଥାବାର୍ତ୍ତା କରିବ ପ୍ରଥମ କେଇ ମିନିଟ ମଧ୍ୟରେ ସେ ତୁମକୁ ନିଜର କରିନେଇ ପାରିବ । ମାର୍କିନ ପୁରୁଷ ଓ ନାରୀ କାହିଁକି ଏତେ ଅତିଥି ବତ୍ସଳ, ତାର କାରଣ ଖୋଜିବାକୁ ଯାଇ ଏତେଗୁଡ଼ିଏ ଯଥାର୍ଥ କାରଣ ପାଇଲି ଯାହାକୁ କି ସେମାନଙ୍କ ଅତିଥି ବତ୍ସଳତାର ପ୍ରଧାନ କାରଣ କହିଲେ ଅତ୍ୟୁକ୍ତି ହେବନି । ଆମେମରିକାନାନେ ସ୍ୱାଧୀନ ଜାତି, ସେମାନେ ଯେ କୌଣସି ଜାତିକୁ ସମାନ ଆସନରେ ବସାଇବାକୁ ଇଚ୍ଛୁକ । କିନ୍ତୁ ଇଂରେଜ, ଫରାସୀ ଜାତି ଅଲଗା । ସେମାନେ ଏକ ସମୟରେ ପୃଥିବୀର ବହୁ ରାଜ୍ୟର ଶାସକ ଥିବାରୁ ଅନ୍ୟମାନଙ୍କୁ ଟିକିଏ ନ୍ୟୁନ ଦୃଷ୍ଟିରେ ଦେଖନ୍ତି । ଆମେରିକାନମାନେ କେବେ ସାମ୍ରାଜ୍ୟର ଅଧିକାରୀ ନ ଥିଲେ, ତେଣୁ ସେମାନେ ବିଦେଶୀମାନଙ୍କୁ ଆଦର କରନ୍ତି । ସେମାନେ ନିଜ ଅତିଥି ବତ୍ସଳତା ଅନ୍ୟମାନଙ୍କୁ ଦେଖାଇବାକୁ ଇଚ୍ଛୁକ । ତା’ଛଡ଼ା ସେମାନଙ୍କର ଆର୍ଥିକ ଅନାଟନ ନ ଥିବାରୁ ଅତିଥିମାନଙ୍କ ପ୍ରତି ବିରକ୍ତି ମନୋଭାବ ନ ଦେଖାଇ ଆଦର ମନୋଭାବ ଦେଖାଇଥାନ୍ତି ।

 

ଆମେରିକାର ଲୋକେ ଓ ପିଲାଏ ବେଶ୍‌ ଖେଳ ପ୍ରିୟ । ନିଜେ ଖେଳିବା ଓ ଖେଳ ଦେଖି ଆନନ୍ଦ ପାଇବା ପାଇଁ ସେମାନଙ୍କର ଭାରି ଝୁଙ୍କ୍‌ । ଆମେରିକାରେ ସବୁଠାରୁ ଅତି ପ୍ରିୟ ଖେଳ ହେଲା ‘ବେସ୍‌ବଲ୍‌’ । ବେସ୍‌ବଲ ଖେଳିବା ପାଇଁ ସେମାନେ ଯେତିକି ପାଗଳ, ତାଠାରୁ ଅଧିକ ପାଗଳ ଦେଶର ଭଲ ଭଲ ବେସ୍‍ବଲ୍‍ ଖେଳାଳୀଙ୍କ ଖେଳ ଦେଖି ଆନନ୍ଦ ପାଇବା ପାଇଁ । ଆମେରିକାର ଟେଲିଭିଜନ୍‌ରେ ଏହି ଖେଳ ବରାବର ଦେଖାଯାଏ । ଏହି ବେସ୍‌ବଲ୍‌ ଖେଳାଳୀମାନେ ନାନାଦି ସ୍ଥାନରେ ଖେଳ ଖେଳି ଯାହା ରୋଜଗାର କରନ୍ତି, ତାହା ଆମର କଳ୍ପନାତୀତ । ଆମର ଓ ଇଂରେଜମାନଙ୍କ କ୍ରିକେଟ୍‌ଖେଳ ସହିତ ଏହା ତୁଳନୀୟ ।

 

ଆମେରିକାରେ ଫୁଟବଲ ଖେଳ ସେତେ ପ୍ରିୟ ନୁହେଁ । ସେମାନଙ୍କ ଫୁଟବଲ ଖେଳ ଆମଠାରୁ ଅଲଗା । ସେମାନଙ୍କ ଫୁଟ୍‌ବଲ ଖେଳକୁ ପ୍ରୋ-ଫୁଟ୍‌ବଲ ଖେଳ କହନ୍ତି । ଏଥିରେ ଫୁଟବଲ୍‌ ଗୋଡ଼ରେ ଖେଳା ନ ଯାଇ ହାତରେ ଖେଳାଯାଏ । ହାତରେ ଖେଳାଯାଏ ବୋଲି ଏହାକୁ ଯେମିତି କେହି ଆମ ଦେଶରେ ‘ଭଲିବଲ୍‌’ ଖେଳ ବୋଲି ନ ଭାବନ୍ତି । ପ୍ରୋ-ଫୁଟବଲରେ ଖେଳା ହେଉଥିବା ବଲ୍‌ ଗୋଲାକାର ନୁହେଁ, ଲମ୍ବାଳିଆ । ଦେଖିବାକୁ ଆକାରରେ ଅଛଡ଼ା ନଡ଼ିଆ ଭଳି । ଆମର ଫୁଟ୍‌ବଲ ଯେଉଁ ରୀତିରେ ଖେଳାଯାଏ, ଏହା ପ୍ରାୟ ସେଇ ରୀତିରେ ଖେଳାଯାଏ । ଏସବୁ ଛଡ଼ା ଟେନିସ୍‌, ବେଡ଼୍‍ମିଣ୍ଟନ୍‌, ହକି ଆଦିର ଖେଳ ସ୍ଥାନେ ସ୍ଥାନେ ଦେଖାଯାଏ ।

 

ଶୀତଦିନେ ଏ ସବୁ ଖେଳ ଖେଳି ହୁଏ ନାହିଁ । ଶୀତଦିନେ ସେମାନଙ୍କର ପ୍ରଧାନ ଖେଳ ହେଲା ବରଫ ଉପରେ ଖେଳିବା । ବରଫ ଉପରେ ଏକ ପ୍ରକାର ‘ବରଫ ଜୋତା’ ପିନ୍ଧି ସେମାନେ ବରଫ ଉପରେ ଖସରି ଖସରି ନାନାପ୍ରକାର ଖେଳ ଖେଳନ୍ତି । ଏହାକୁ ସେମାନେ ସ୍କେଟିଙ୍ଗ୍‌ କହନ୍ତି-। ଶୀତଦିନେ ଆମେରିକାରେ ଏହି ‘ବରଫ ସ୍କେଟିଙ୍ଗ୍‌’ କି ପିଲା, କି ଯୁବକ, କି ଯୁବତୀ, ସମସ୍ତଙ୍କର ଏକ ପ୍ରିୟ ଖେଳ । ସ୍କେଟିଙ୍ଗ୍‌ଠାରୁ ଆହୁରି ପ୍ରିୟ ହେଉଛି ‘ସ୍କିଇଙ୍ଗ୍‌’ । ଏହି ଖେଳ ଯୁକ୍ତରାଷ୍ଟ୍ରର ଉତ୍ତରାଂଶଓ କାନାଡ଼ାରେ ଅଧିକ ଖେଳାଯାଏ । ବରଫ ପଡ଼ି ଥିବା ବେଳେ ପାହାଡ଼ର ଉପର ଅଂଶରୁ ଗୋଡ଼ରେ ଦୁଇଖଣ୍ଡ ପତଳାପଟା ଲଗାଇ ହାତରେ ଖଣ୍ଡିଏ ବାଡ଼ି ସାହାଯ୍ୟରେ ତଳକୁ ଖସିଆସି ଅଦ୍ଭୁତ ପ୍ରକାର ଖେଳ ଖେଳନ୍ତି । ଏହି ଖେଳ ଖେଳିବାକୁ ଖେଳାଳୀମାନଙ୍କୁ ଯେତେ ଖୁସି ଲାଗେ, ତା’ଠାରୁ ଅଧିକ ଖୁସିଲାଗେ ଦେଖିଲା ବାଲାମାନଙ୍କୁ । ଶୀତଦିନେ ଏହି ସ୍କେଟିଙ୍ଗ୍‌ ଓ ସ୍କିଇଙ୍ଗ୍‌ ଖେଳ ଟେଲିଭିଜନ୍‌ରେ ଦେଖାଇ ଲୋକମାନଙ୍କୁ ମୁଗ୍‌ଧ କରାଯାଏ ।

 

ବକ୍‌ସିଂ ବା ମୁଷ୍ଟିଯୁଦ୍ଧ ଆମେରିକାରେ ଆଉ ଏକ ପ୍ରିୟ ଖେଳ । ଲୋକେ ଏହି ମୁଷ୍ଟିଯୁଦ୍ଧ ଦେଖିବା ପାଇଁ ପାଗଳ । ଶହ ଶହ ଟଙ୍କାର ଟିକେଟ କରି ଏଇ ଖେଳ ଦେଖିବାକୁ ଦୌଡ଼ିବେ । ଟେଲିଭିଜନ୍‌ରେ ଏ ଖେଳ ଦେଖାଗଲେ, ଲୋକେ ଟେଲିଭିଜନ୍‌ ଛାଡ଼ି ଯିବେନି । ଯେଉଁମାନେ ଏହି ମୁଷ୍ଟିଯୁଦ୍ଧରେ ଭାଗ ନିଅନ୍ତି, ସେମାନଙ୍କ ରୋଜଗାର କଥା ଶୁଣିଲେ ଆଖି ଖୋସି ହୋଇଯିବ । ଆମେରିକାର ଖେଳାଳୀ ଭିତରେ ଗୋରା-ଲୋକଙ୍କ ଅପେକ୍ଷା କଳା ନିଗ୍ରୋ ଲୋକେ ଅଧିକ ଅଗ୍ରଣୀ । ମୁଷ୍ଟିଯୁଦ୍ଧ ଭଳି ମଲ୍ଲଯୁଦ୍ଧ ସେ ଦେଶରେ ବେଶ୍‌ ଦେଖାଯାଏ ।

 

ଗଲ୍‌ଫ ଖେଳ ସେମାନଙ୍କର ଆଉ ଏକ ପ୍ରିୟ ଖେଳ । ଏ ଖେଳ ଖେଳିବା ପାଇଁ ଲୋକେ ଯେତିକି ପାଗଳ, ଏହାକୁ ଦେଖିବା ପାଇଁ ମଧ୍ୟ ଦର୍ଶକମାନେ ସେତିକି ପାଗଳ ।

 

ଆମେରିକାରେ ଘର ଭିତର ଖେଳ ଭିତରେ ବିଲିୟାଡ୍‌, ଟେବୁଲ ଟେନିସ୍‌, କେରେମ୍‌, ଲୁଡୋ, ତାଆସ, ଚେସ୍‌ ଆଦି ଅଗ୍ରଗଣ୍ୟ ।

 

ଆମେରିକାରେ ବହୁ ଧର୍ମର ଲୋକ ଦେଖିବାକୁ ମିଳନ୍ତି । କିନ୍ତୁ ଖ୍ରୀଷ୍ଟଧର୍ମର ଲୋକେ ସବୁଠାରୁ ବେଶି । କେଥେଲିକ୍‌ ଓ ପ୍ରୋଟେଷ୍ଟାଣ୍ଟ ବା ବେପି୍‌ଟଷ୍ଟ ଉଭୟ ସମ୍ପ୍ରଦାୟର ଲୋକେ ଆମେରିକାରେ ଅଛନ୍ତି । ସେହି ଅନୁସାରେ ଦୁଇପ୍ରକାର ଗିର୍ଜା ସେମାନଙ୍କ ଦେଶରେ ଦେଖାଯାଏ । କେଥେଲିକ୍‌ମାନେ ପୋପ୍‌ଙ୍କୁ ସେମାନଙ୍କ ଧର୍ମର ଗୁରୁ ବୋଲି ମାନନ୍ତି । ଖ୍ରୀଷ୍ଟାନ୍‌ମାନଙ୍କ ତଳକୁ ଇହୁଦୀମାନଙ୍କ ସଂଖ୍ୟା ଅଧିକ । ଆମେରିକାରେ ଏମାନଙ୍କ ସଂଖ୍ୟା ଦୁଇକୋଟିରୁ ବେଶି । ଆମେରିକାରେ ଯେତେ ଇହୁଦୀ ଅଛନ୍ତି, ଇହୁଦୀମାନଙ୍କ ଦେଶ ଇଜ୍‌ରାଏଲ୍‌ରେ ସେତେ ଇହୁଦୀ ନାହାନ୍ତି । ଏମାନଙ୍କ ଧର୍ମ ମନ୍ଦିର ଅଲଗା । ଏମାନଙ୍କ ବ୍ୟତୀତ ଆମେରିକାରେ ବହୁ ସାହେବ ହିନ୍ଦୁଧର୍ମାବଲମ୍ବୀ ଅଛନ୍ତି । ସେମାନେ ସାହେବ ହେଲେ ହେଁ ହିନ୍ଦୁ ଧର୍ମର ରୀତିନୀତି ମାନି ଚଳନ୍ତି । ଏମାନେ ମାଛ, ମାଂସ ଖାଆନ୍ତିନି । ହିନ୍ଦୁ ଦେବ ଦେବୀଙ୍କୁ ବିଶ୍ଵାସ କରନ୍ତି । ରାମକୃଷ୍ଣ ମିସନ୍‌କର୍ତ୍ତୃକ ପ୍ରତିଷ୍ଠିତ ବହୁ ମନ୍ଦିର ଓ ଆଶ୍ରମ ଆମେରିକାରେ ଅଛି । ସେଠାରେ ଅନେକ ସମୟରେ ହିନ୍ଦୁ ରୀତିରେ ପୂଜା ଭୋଗ ଓ ଆରାଧନା ଆଦି ହୁଏ ।

 

ଆମେରିକାରେ ଇସଲାମ୍‌ଧର୍ମୀ ଲୋକେ ମଧ୍ୟ ଅଛନ୍ତି । ବିଶେଷତଃ କଳା ନିଗ୍ରୋମାନଙ୍କ ଭିତରେ ଏମାନଙ୍କ ସଂଖ୍ୟା ବେଶି । ଏମାନଙ୍କୁ ‘Black Muslim’ ବା ‘କଳା ମୁସଲମାନ’ କୁହାଯାଏ । ଇସଲାମ୍‌ ଧର୍ମର ଉପାସନା ପାଇଁ ଦେଶର ରାଜଧାନୀ ୱାସିଙ୍ଗ୍‌ଟନ୍‌ରେ ଏକ ବଡ଼ ମସଜିଦ୍‌ ଅଛି । ଆମେରିକାରେ ଥିବା ବହୁ ଚୀନ ଓ ଜାପାନୀଙ୍କ ଭିତରେ ବୌଦ୍ଧଧର୍ମ ପ୍ରଚଳିତ ।

 

ଆମେରିକାରେ ବିଭିନ୍ନ ଧର୍ମାବଲମ୍ବୀ ଲୋକ ବହୁତ ଥିଲେହେଁ ଖ୍ରୀଷ୍ଟାନ୍‌ଧର୍ମ ହେଲା ପ୍ରଧାନ ଧର୍ମ । ତେଣୁ ଆମେରିକାର ପର୍ବପର୍ବାଣୀ ବୋଇଲେ ଏହି ଖ୍ରୀଷ୍ଟାନ୍‌ମାନଙ୍କ ପର୍ବପର୍ବାଣୀକୁ ବୁଝାଏ ।

 

ଖ୍ରୀଷ୍ଟାନ୍‌ ତଥା ଆମେରିକାନ୍‌ମାନଙ୍କ ପ୍ରଧାନ ପର୍ବ ହେଲା ଖ୍ରୀଷ୍ଟମାସ ଦିବସ୍‌, ଡିସେମ୍ବର ମାସ ୨୫ ତାରିଖ । ଏହି ଦିନ ଖ୍ରୀଷ୍ଟଧର୍ମର ପିତା ଯୀଶୁଖ୍ରୀଷ୍ଟ ଜନ୍ମ ହୋଇଥିଲେ ବୋଲି ଏହା ସେମାନଙ୍କ ଦେଶରେ ଏକ ବଡ଼ ପର୍ବଭାବରେ ପାଳିତ ହୁଏ । ଏହିଦିନ ଗୀର୍ଜାକୁ ଯିବା, ବନ୍ଧୁବାନ୍ଧବଙ୍କ ଘରକୁ ଯିବା, ନାନା ଲୋକକୁ ନାନା ଜିନିଷ ଉପହାର ଦେବା, ଭଲ ଖାଇବା, ଖୋଇବା, ନିମନ୍ତ୍ରଣ କରିବା, ଆଦି ନାନା କାମରେ ଆମେରିକାନ୍‌ମାନେ ନିଜକୁ ବ୍ୟସ୍ତରଖନ୍ତି । ସେମାନଙ୍କ ଘର, ଦୋକାନ, ବଜାର, ସଜାସଜି ଦେଖିବା ଜିନିଷ । ପିଲାମାନଙ୍କର ବିଶ୍ଵାସ ଏହି ପର୍ବର ପୂର୍ବଦିନ ରାତିରେ ପିଲାଏ ଶୋଇପଡ଼ିବା ପରେ ଏକ କାଳ୍ପନିକ ଦୂତ ସାନ୍ତାକ୍ଳସ୍‌ ଆସି ପିଲାମାନଙ୍କ ପାଇଁ ନାନା ଉପହାର ଦେଇଯାଏ । ପ୍ରକୃତ କଥା ହେଉଛି ବାପ ମା’ମାନେ ନାନାପ୍ରକାର ଉପହାର ଦ୍ରବ୍ୟ ଗୋପନରେ ଆଣି ସାନ୍ତାକ୍ଳସ୍‌ ନାଁରେ ପିଲାମାନେ ଶୋଇଥିବା ଖଟ ପାଖରେ ରଖିଦେଇଥାନ୍ତି । ପିଲା ସକାଳୁ ଉଠି ଦେଖେ ଯେ ସାନ୍ତାକ୍ଳସ୍‌ ଏହି ଉପହାର ତା’ପାଇ ଦେଇ ଯାଇଛି । ସେ ଦେଖି ଭାରି ଖୁସି ହୁଏ ଓ ନିଜ ସାଙ୍ଗସାଥିକୁ ଦେଖାଇ ଆନନ୍ଦ ଅନୁଭବ କରେ-

 

ଖ୍ରୀଷ୍ଟମାସ ତଳକୁ ସେମାନଙ୍କର ବଡ଼ ପର୍ବ ହେଲା ଇଷ୍ଟର ପର୍ବ । ଏହା ଏପ୍ରିଲ ମାସରେ ପଡ଼େ । ଏଥିରେ ନାନାପ୍ରକାର ଉତ୍ସବ ଚାରିଆଡ଼େ ହୁଏ । କେତେପ୍ରକାର ପ୍ୟାରେଡ୍‌ରେ ସେମାନଙ୍କ ସହର, ଗାଁ ମୁଖରିତ ହୋଇଉଠେ ।

 

ସାମାଜିକ ପର୍ବ ଭିତରେ “ଥେଙ୍କ୍‌ସ୍‌ ଗିଭିଙ୍ଗ୍‌ ଡେ’ ସେମାନଙ୍କର ଏକ ବିରାଟ ପର୍ବ । ଏଥିରେ ସେମାନେ ବହୁ ନୂତନ ଅତିଥିଙ୍କୁ ନିଜ ଘରକୁ ନିମନ୍ତ୍ରଣ କରନ୍ତି ଓ କୁକୁଡ଼ା ଜାତୀୟ ଟର୍କି ହେଲା ଏହି ପର୍ବରେ ପ୍ରିୟ ଖାଦ୍ୟ । ନବବର୍ଷ ସେମାନଙ୍କ ଦେଶରେ ଜାନୁୟାରୀ ପହିଲା ଦିନ ଅତି ଜାକଜମକରେ ପାଳିତ ହୁଏ । ଏହାଛଡ଼ା ଜୁଲାଇ ମାସ ୪ ତାରିଖ ସେମାନଙ୍କ ସ୍ଵାଧୀନତା ଦିବସ୍‌ । ଏହି ଦିବସ୍‌ଟି ଅତି ଯାକଯମକରେ ଦେଶସାରା ପାଳିତ ହୁଏ । ନାନାପ୍ରକାର ରୋଷଣୀ, ଆତସବାଜିରେ ସେହିଦିନ ସନ୍ଧ୍ୟା ସାରା ଦେଶରେ ହସିଉଠେ । ଏସବୁ ଛଡ଼ା ‘Mother’s day’ ‘Father’s day’ ଅତି ପ୍ରିୟ ପର୍ବଦିନ । ଏହିଦିନ ପୁଅ, ଝିଅମାନେ ନାନାପ୍ରକାର ଉପହାର ନେଇ ମା’ଓ ବାପକୁ ଭେଟି ବା ଉପହାର ଦେବାପାଇଁ ଆସନ୍ତି । ମା’ ବାପା ସେମାନଙ୍କୁ ଅତି ଆନନ୍ଦରେ ସଙ୍ଖୋଳନ୍ତି ।

 

ହାଲୋଇନ୍‌ ଦିବସ୍‌ ଆଉ ଏକ ପ୍ରିୟ ପର୍ବ । ଏଥିରେ ପିଲାମାନେ ନାନାପ୍ରକାର ମୁଖା ପିନ୍ଧି ଘରକୁ ଘର ବୁଲି ନାନା ଜିନିଷ ଉପହାର ପାଆନ୍ତି । ଯା’ ଘରକୁ ଏମାନେ ଯାନ୍ତି, ଘରର ମାଲିକର କର୍ତ୍ତବ୍ୟ ହେଲା, ଏମାନଙ୍କୁ କିଛି ଉପହାର ଦେବା । ସାଧାରଣତଃ ସନ୍ଧ୍ୟାବେଳେ ଏହି ପର୍ବ ଆରମ୍ଭ ହୁଏ । ନାନାପ୍ରକାର ମିଠାଇ ଓ ଛୋଟ ଛୋଟ ଜିନିଷ ଉପହାର ଭାବରେ ଦିଆଯାଏ । ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିଥାଏ ।

 

ରବିବାର ଦିନ ସାଧାରଣତଃ ଲୋକେ ଗୀର୍ଜ୍ଜାକୁ ଉପାସନା ପାଇଁ ଯାଆନ୍ତି । ଉପାସନା ବ୍ୟତୀତ ଛୋଟ ଛୋଟ ପିଲାମାନଙ୍କୁ ଧର୍ମଶିକ୍ଷା ଓ ନୀତିଶିକ୍ଷା ଦେବାପାଇଁ ଏକପ୍ରକାର ସ୍କୁଲ ଗୀର୍ଜ୍ଜା ଅଧୀନରେ ଥାଏ । ତା’ଛଡ଼ା ବିଭିନ୍ନ ଉତ୍ସବ ପାଇଁ ଗୀର୍ଜ୍ଜାରେ ନାନାପ୍ରକାର ବନ୍ଦୋବସ୍ତ ରହିଥାଏ । ସେମାନଙ୍କ ବିଭାଘର ସାଧାରଣତଃ ଗୀର୍ଜାରେ ହୁଏ । କଚେରୀରେ ରେଜିଷ୍ଟ୍ରେସନ ସରିଲେ ଏହି ଗୀର୍ଜ୍ଜାରେ ଧର୍ମଯାଜକ ସେମାନଙ୍କୁ ସେମାନଙ୍କ ସାମାଜିକ ରୀତି ଅନୁସାରେ ବିବାହ କରାଏ । ଗୀର୍ଜ୍ଜାରେ ବିବାହ କାମ ଶେଷ ହେଲେ ବିଭାଘର ଶେଷ ହୁଏ, ତତ୍ପରେ ସେମାନେ ବିବାହ ଭୋଜି ପାଇଁ ଅନ୍ୟତ୍ର ଯାଆନ୍ତି ।

 

ଆମେରିକାରେ ଶିକ୍ଷାର ପ୍ରସାର ଖୁବ୍‌ବେଶି । ଶହେବର୍ଷ ପୂର୍ବେ ଆମେରିକାରେ ନିରକ୍ଷରଙ୍କ ସଂଖ୍ୟା ଶତକଡ଼ା କୋଡ଼ିଏ ଥିଲା, କିନ୍ତୁ ଏବେ ଶତକଡ଼ା ଦୁଇରୁ କମ୍‌ । ସାରା ଆମେରିକାରେ ବର୍ତ୍ତମାନ ପ୍ରାୟ ଚାରିକୋଟି ଷାଠିଏ ଲକ୍ଷ ଛାତ୍ରଛାତ୍ରୀ ଅଛନ୍ତି । ଏମାନେ ସ୍କୁଲ, କଲେଜ, ଉଭୟରେ ପଢ଼ନ୍ତି । ଶିକ୍ଷା ପ୍ରଦାନ ପ୍ରଣାଳୀ ଆମର ଶିକ୍ଷା ପ୍ରଦାନ ପ୍ରଣାଳୀଠାରୁ କିଞ୍ଚିତ୍‌ ପରିମାଣରେ ପୃଥକ୍‌ ହେଲେ ହେଁ, ସେମାନଙ୍କର ପରୀକ୍ଷା ପ୍ରଣାଳୀ ଓ ପିଲାମାନଙ୍କୁ ପାସ୍‌ କରାଇବା ପ୍ରଣାଳୀ ଆମଠାରୁ ଢେର ଅଲଗା । ଆମର ଯେମିତି ମାଇନର ଶେଷରେ ସାଧାରଣ ପରୀକ୍ଷା (Public Examination) ମେଟ୍ରିକ୍ୟୁଲେସନ ଶେଷରେ ସାଧାରଣ ପରୀକ୍ଷା ଅଛି, ସେଭଳି ସାଧାରଣ ପରୀକ୍ଷା ସେମାନଙ୍କର ନାହିଁ । ଆମ ଦେଶର କ୍ଲାସ ପରୀକ୍ଷା ଭଳି ବର୍ଷ ଶେଷରେ କ୍ଲାସ ଉଠା ପରୀକ୍ଷା ସେମାନଙ୍କର ହୁଏ ନାହିଁ । ସେମାନଙ୍କର ପରୀକ୍ଷା କ୍ଲାସରେ ବର୍ଷସାରା ପ୍ରତି ପନ୍ଦର ଦିନରେ, ପ୍ରତି ମାସରେ ଏମିତି ଭାବରେ ଚାଲିଥାଏ ଯେ ସାଧାରଣ କ୍ଲାସ ପଢ଼ା ସହିତ ଏହା ମିଶିଯାଇଥାଏ । ସବୁ ପରୀକ୍ଷାର ଫଳକୁ ଦେଖି ବର୍ଷ ଶେଷରେ ପିଲାକୁ ପାସ୍‌କି ଫେଲ୍‌ କରି ଦିଆଯାଏ । ପାସ୍‌ କଲାବେଳେ ପ୍ରଥମ ଶ୍ରେଣୀ, ଦ୍ଵିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ଆଦି ଶ୍ରେଣୀ ବିଭାଗ ନ ଥାଏ । ପିଲାମାନଙ୍କ ଶିକ୍ଷା ଉପରେ ଶିକ୍ଷକମାନଙ୍କର ଦୃଷ୍ଟି ଅତ୍ୟନ୍ତ ବେଶି । କଲେଜରେ ମଧ୍ୟ ଏହିଭଳି ପରୀକ୍ଷା କରାଯାଏ ।

 

ଆମେରିକାରେ ଆଜିକାଲି ବିଜ୍ଞାନ, ଗଣିତ ଓ ବିଦେଶୀ ଭାଷା ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି । ଶିକ୍ଷାଦାନ କ୍ଷେତ୍ରରେ ଟେଲିଭିଜନ ଓ ଚଳଚିତ୍ରର ବ୍ୟାପକ ବ୍ୟବହାର କରାଯାଉଛି ।

 

ଆମେରିକାରେ ମାଧ୍ୟମିକ ଶିକ୍ଷା ପୂରାପୂରି ଅବୈତନିକ ଓ ବାଧ୍ୟତା ମୂଳକ । ଷୋହଳ କିମ୍ବା ଅଠର ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ସ୍କୁଲକୁ ଯିବାକୁ ବାଧ୍ୟ । ତଳ ସ୍କୁଲଠାରୁ ଆରମ୍ଭ କରି ମାଧ୍ୟମିକ ସ୍କୁଲ ପର୍ଯ୍ୟନ୍ତ ସବୁଗୁଡ଼ିକ ସରକାରଙ୍କ ଦ୍ଵାରା ପରିଚାଳିତ । ରାଜ୍ୟ ସରକାର ପିଲାମାନଙ୍କ ଦରମା ବ୍ୟତୀତ ବହିପତ୍ର, କାଗଜ, କଲମ, ସବୁକିଛି ମାଗଣା ଦିଅନ୍ତି ।

 

ଆମେରିକାର ମାଧ୍ୟମିକ ସ୍କୁଲରୁ ଯେତେକ ପିଲା ପାସ କରନ୍ତି, ସେଥିଭିତରୁ ପ୍ରାୟ ଅଧେ ପିଲା ବିଭିନ୍ନ କଲେଜରେ ଯୋଗ ଦିଅନ୍ତି । ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଡିଗ୍ରୀ ପ୍ରଦାନ କଳା ଭଳି ଦୁଇ ହଜାରରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟ ରହିଛି । ଏହି କଲେଜ ଗୁଡିକ ବିଶ୍ୱବିଦ୍ୟାଳୟ ଭଳି ସ୍ୱାଧୀନ ଅନୁଷ୍ଠାନ । ସେଗୁଡ଼ିକ କୌଣସି ବିଶ୍ଵବିଦ୍ୟାଳୟ ଅଧୀନରେ ନୁହନ୍ତି । ସେମାନେ ସେମାନଙ୍କ ଛାତ୍ର ଛାତ୍ରୀମାନଙ୍କୁ ଡିଗ୍ରୀ ଆଦି ଦିଅନ୍ତି । ସେ ଦେଶରେ ଥିବା ଏହିଭଳି ବହୁ କଲେଜ ଆମ ଦେଶର ସାଧାରଣ ବିଶ୍ୱବିଦ୍ୟାଳୟ ଭଳି ଗୋଟିଏ ଗୋଟିଏ ସ୍ଵାଧୀନ ସଂସ୍ଥା ।

 

କଲେଜ ଓ ବିଶ୍ଵବିଦ୍ୟାଳୟ ଭିତରୁ ଅଧିକାଂଶ ବେସରକାରୀ ପରିଚାଳିତ ଓ କେତେକ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କର ତତ୍ୱାବଧାନରେ ଥାଏ । ବେସରକାରୀ କଲେଜମାନଙ୍କରେ ପିଲାଙ୍କ କଲେଜ ଦରମା ଖୁବ୍‌ ବେଶି ଓ ସରକାରୀ କଲେଜ ବା ବିଶ୍ୱବିଦ୍ୟାଳୟମାନଙ୍କରେ ଅପେକ୍ଷାକୃତ କମ୍‌ । କଲେଜ ଜୀବନରେ ବହୁ ଛାତ୍ରଛାତ୍ରୀ ନିଜେ ରୋଜଗାର କରି ପଢ଼ନ୍ତି । ବହୁ ମେଧାବୀ ଛାତ୍ରଙ୍କୁ ବୃତ୍ତି ଦିଆଯାଏ । ଆଜିକାଲି ଉଚ୍ଚ ଶିକ୍ଷା ପାଇବା ପାଇଁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନାନାପ୍ରକାର ଋଣ ଦେବାର ବ୍ୟବସ୍ଥା ହେଲାଣି ।

 

ଦିନକୁ ଦିନ ଆମେରିକାରେ କଲେଜ ଶିକ୍ଷାପାଇଁ ପିଲାମାନଙ୍କର ଅଧିକ ଆଗ୍ରହ ପ୍ରକାଶ ପାଉଛି । ବହୁ ପିଲା କଲେଜ ଶିକ୍ଷା ପାଇବାକୁ ଇଚ୍ଛା କରୁଥିଲେ ହେଁ କଲେଜ ଅଭାବ ଯୋଗୁଁ ପାଇପାରୁ ନାହାନ୍ତି । ତେଣୁ ବର୍ତ୍ତମାନ ଆମେରିକାରେ ଏକ ସାଧାରଣ ସ୍ଲୋଗାନ ହେଉଛି, “we want more Colleges, We want more higher education.” ଅର୍ଥାତ ଆମେ ଅଧିକ କଲେଜ ତଥା ଉଚ୍ଚଶିକ୍ଷା ଚାହୁଁ ।

 

ପାଠାଗାର ଦୃଷ୍ଟିରୁ ଆମେରିକା ଢେର ଆଗେଇଛି । ଆମେରିକାରେ ସର୍ବମୋଟ ତେରହଜାର ପାଠାଗାର ରହିଛି । ଏଥିମଧ୍ୟରୁ ଅଧିକାଂଶ ଗାଁ ଗହଳି ବା ସହରର ସାଧାରଣ ପାଠାଗାର (Public Library)ସେଗୁଡ଼ିକ ସଂଖ୍ୟା ପ୍ରାୟ ଦଶହଜାର । ଏଗୁଡ଼ିକରେ ପଢ଼ାପଢ଼ି କରିବାକୁ ହେଲେ କିଛି ପଇସା ଦେବାକୁ ପଡ଼େନି । ବିଶ୍ୱବିଦ୍ୟାଳୟ ପାଠାଗାର ସଂଖ୍ୟା ପ୍ରାୟ ଚଉଦ ଶହ, ସେଥି ଭିତରେ ହାର୍‌ଭାଡ ବିଶ୍ୱବିଦ୍ୟାଳୟର ପାଠାଗାର ବୃହତ୍ତମ । ଆମେରିକାର ରାଜଧାନୀ ୱାସିଙ୍ଗଟନ ସହରରେ ଥିବା “ଲାଇବ୍ରେରୀ ଅଫ୍‍ କଂଗ୍ରେସ” ହେଉଛି ଆମେରିକାର ବୃହତ୍ତମ ପାଠାଗାର ଓ ଆମେରିକା ତଥା ୱାସିଙ୍ଗଟନର ଏକ ଦର୍ଶନୀୟ ବସ୍ତୁ ଭାବରେ ଖ୍ୟାତ । ପୃଥିବୀର ବୃହତ୍ତମ ଲାଇବ୍ରେରୀ ଭିତରୁ ଏହା ଗୋଟିଏ ।

 

ଆମେରିକାର ଲୋକମାନେ ସଙ୍ଗୀତ ପ୍ରିୟ । ପ୍ରତିବର୍ଷ ନାଟକ, ଅଭିନୟ, କଣ୍ଠସଙ୍ଗୀତ, କନସାର୍ଟରେ ଅଜସ୍ର ଅର୍ଥ ବ୍ୟୟ କରନ୍ତି । ଆମେରିକାରେ ଏଥିପାଇଁ ଗ୍ରାମୋଫନ ରେକର୍ଡର ତିଆରି ଓ ବିକ୍ରୟ ଖୁବ ଅଧିକ । ତାଛଡ଼ା ରେଡ଼ିଓ, ଟେଲିଭିଜନ କଥା ଛାଡ଼ । ଆମେରିକାରେ ପ୍ରାୟ ଏଗାର ଶହ ସିମ୍‌ଫୋନି ଅର୍‌କେଷ୍ଟ୍ରା ରହିଛି । ସଙ୍ଗୀତ ଶିକ୍ଷାପାଇଁ ବହୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ନାନାପ୍ରକାର ବ୍ୟବସ୍ଥାମାନ ରହିଅଛି ।

 

ଆମେରିକାରେ ଅପେରା କୋମ୍ପାନୀ ସଂଖ୍ୟା ଆଠ ଶହ । ଆମେରିକାର ନାଟ୍ୟଜଗତରେ ଗୀତିନାଟ୍ୟ ଏକ ଅଭିନବ ସ୍ଥାନ ଅଧିକାର କରିଅଛି ।

 

ଥିଏଟରର କେନ୍ଦ୍ର ଭାବରେ ଆମେରିକାରେ ନିଉୟର୍କ ସହର ଅତି ପ୍ରସିଦ୍ଧ । ଦେଶର ଅଧିକାଂଶ ନୂଆ ନାଟକ ପ୍ରଥମେ ନିଉୟର୍କର ସୁପ୍ରସିଦ୍ଧ ବ୍ରଡ୍‌ୱେ ରଙ୍ଗମଞ୍ଚରେ ଅଭିନୀତ ହୁଏ । ହାରାହାରି ପଚାଶରୁ ଅଧିକ ନାଟକ ପ୍ରତିବର୍ଷ ବ୍ରଡୱେରେ ଅଭିନୀତ ହେବାର ଦେଖାଯାଏ ।

 

ବ୍ରଡୱେ ବାହାରେ ଆଜିକାଲି “ଅଫ୍‌ବ୍ରଡୱେ” ଥିଏଟର ପ୍ରଚଳିତ ହେଲାଣି । ଏମାନେ ଗାଁ ଗହଳର ଛୋଟ ଛୋଟ ସହରକୁ ଯାଇ ନାଟକ ପରିବେଷଣ କରନ୍ତି । ଏଗୁଡ଼ିକର କଳାନୈପୁଣ୍ୟ କିଛି କମ୍‌ ନୁହେଁ ।

 

ତା’ଛଡ଼ା ଆମ ଦେଶର ଯାତ୍ରାବାଲା ଭଳି ଆମେରିକାରେ ବୁଲାଳି ଥିଏଟର ଶହ ଶହ ପର୍ଯ୍ୟନ୍ତ ଅଛନ୍ତି । ଏମାନେ ଦେଶସାରା ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଏମିତି ବୁଲୁଥାନ୍ତି ଓ ଅଭିନୟ ଦେଖାଉଥାନ୍ତି । ତା’ଛଡ଼ା ଦେଶର ଚାରିଆଡ଼େ ଜନସାଧାରଣଙ୍କ ଚାନ୍ଦାରେ ନିର୍ମିତ ପ୍ରାୟ ପାଞ୍ଚ ହଜାରରୁ ଅଧିକ ସାଧାରଣ ରଙ୍ଗମଞ୍ଚ ରହିଛି । ଏହା ବ୍ୟତୀତ ଆମେରିକାରେ ପ୍ରାୟ ଅଢ଼େଇ ଲକ୍ଷ ସୌଖୀନ୍‌ ନାଟ୍ୟ ସମ୍ପ୍ରଦାୟ ଅଛନ୍ତି । ଏମାନେ ନିଜନିଜ ଗାଁରେ ସହରରେ ବା ଆଖପାଖ ଗାଁ ସହରରେ ନାଟକ ଦେଖାନ୍ତି ।

 

ଏ ସବୁକୁ ଛାଡ଼ି ଆମେରିକାରେ ଚଳଚିତ୍ର ଓ ଟେଲିଭିଜନର ପ୍ରସାର ଖୁବ୍‌ବେଶି । ଆମେରିକାରେ ପ୍ରତି ତିନିଜଣରେ ଗୋଟିଏ ଟେଲିଭିଜନ୍‌ ସେଟ୍‌ ଭାବରେ ୬ କୋଟି ଟେଲିଭିଜନ୍‌ ସେଟ୍‌ ରହିଛି । ଆମେରିକାରେ ସାଧାରଣ ଚଳଚିତ୍ରର ଲୋକପ୍ରିୟତା କମୁଥିବା ସ୍ଥଳେ, ନୂଆ ନୂଆ ଧରଣର ରଙ୍ଗୀନ୍‌ ଚଳଚିତ୍ର, ନୂଆ ନୂଆ ବିଷୟବସ୍ତୁ ଓ ନୂଆ ନୂଆ ଟେକନିକ୍‌ ଯୋଗୁଁ ଏହି ଶିଳ୍ପକୁ କୌଣସି ପ୍ରକାରେ ବଞ୍ଚାଇ ରଖାଯାଇଛି । ଆମେରିକାର କୃତିତ୍ଵ ସେଦେଶ ଲୋକଙ୍କ ସମାଜ, ଚଳନରୀତି ବଖାଣି ବସିଲେ ପୋଥିଟାଏ ହେବ । ତେବେ ଏହା ସ୍ଵତସିଦ୍ଧ, ଯେଉଁମାନେ ଆମେରିକାକୁ ଯାଆନ୍ତି, ସେମାନେ ନାନା କଥା ଶିଖିବାର ସୁବିଧା ପାଆନ୍ତି ଓ ପାଇବା ମଧ୍ୟ ସ୍ଵଭାବିକ ।

Image

 

Unknown

ଲଣ୍ଡନ ଅଭିମୁଖେ

 

ଏୟାର୍‌ ଇଣ୍ଡିଆ ଇଣ୍ଟର ନ୍ୟାସନାଲର ବୋଇଙ୍ଗ ୭୦୭ ଜେଟ୍‌ଜାହାଜରେ ଆଟଲାଣ୍ଟିକ୍‌ ମହାସାଗର ଉପରେ ଉଡ଼ି ଉଡ଼ି ବିଲାତ ଅଭିମୁଖେ ରମାନା ହେଉଥିଲା ବେଳେ ଆମେରିକାର ବିଭିନ୍ନ କୃତିତ୍ଵ କଥା ଭାବୁଁଭାବୁଁ କେତେବେଳୁ ମୋ ଆଖି ଲାଗି ଗଲାଣି, ଖିଆଲ ନାହିଁ । ଏୟାର୍‌ହୋଷ୍ଟେସ୍‌ ହଲାଇ ଦେବାରୁ ହଠାତ୍‌ ମୋ ନିଦ ଭାଜିଗଲା । ଘଡ଼ିକୁ ଅନାଇ ଦେଖିଲି ରାତି ପ୍ରାୟ ବାରଟା । ଉଡ଼ାଜାହାଜ ଭିତରେ ରାତ୍ରି ଭୋଜନର ଯୋଗାଡ଼ ଚାଲିଲାଣି । ଯେଉଁମାନେ ମୋ ଭଳି ଢୁଳାଇ ପଡ଼ିଥିଲେ, ସମସ୍ତେ ଆଖି ମଳି ମଳି ଉଠି ଖାଇବା ପାଇଁ ତିଆର୍‌ । ସ୍ତ୍ରୀ ଓ ପିଲାମାନଙ୍କୁ ହଲାଇ ଦେଇ ଉଠାଇଲି । ଏୟାର୍‌ଇଣ୍ଡିଆ ଇଣ୍ଟର ନ୍ୟାସନାଲ୍‌’ର ଅପୂର୍ବ ଖ୍ୟାତି ଏହି ରାତ୍ରି ଭୋଜନ ପାଇଁ । ଉଡ଼ାଜାହାଜ ନିଉୟର୍କ ଉଡ଼ାଜାହାଜ ଘାଟି ଛାଡ଼ିଲାବେଳେ ସେମାନେ ପ୍ରଥମେ ଆମ ଯାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ସୁନ୍ଦର ଚା ପୁଡ଼ିଆ ଉପହାର ଦେଇଥିଲେ । ସେହି ଚା ପୁଡ଼ିଆରେ ଥିବା ଚା’ର ସ୍ଵାଦୁ ଏତେ ଉନ୍ନତ ଯେ ସେ କଥା କହି ହେବନି । ଅବଶ୍ୟ ଆମେ ସେ ଚା’ରସ୍ୱାଦୁ ସେଠି ବାରିପାରି ନଥିଲୁଁ, କାରଣ ବାଟରେ ଚା’ରୁ ପାନୀୟ ତିଆରି କରିବାପାଇଁ କେଉଁଠି ସୁବିଧା ମିଳି ନଥିଲା । ଘରେ ଆସି ସେହି ଚା’ରୁ ପାନୀୟ ତିଆରି କରିବାରୁ ଏହାର ଅପୂର୍ବ ସୁସ୍ଵାଦୁ ଜଣାପଡ଼ିଲା । ‘ଏୟାର ଇଣ୍ଡିଆ’ କୋମ୍ପାନୀର ଚା’ପୁଡ଼ିଆ ଉପହାର ଚା’କୁ ଭାରତ ବାହାରେ କମ୍‌ ଲୋକପ୍ରିୟ କରିନି ।

 

ଏଆର ଇଣ୍ଡିଆ କମ୍ପାନୀର ରାତ୍ରି ଭୋଜନ ଅତି ପ୍ରସିଦ୍ଧ । ରାତ୍ରିଭୋଜନ ଭାରତୀୟ ରୀତିରେ ଦିଆଯାଏ । ପଲାଉ, ତରକାରୀ, ମାଂସଝୋଳ, ଭଜା, ଚୁଡ଼ଚୁଡ଼ା ଭାରତୀୟ ରୀତିରେ ତିଆରି । ଆମ ଦେଶଭଳି ଏଥିରେ ବିଶେଷ ମସଲା ଆଦି ଦିଆଯାଇ ନଥିଲେ ହେଁ ବାସନା ବେଶ୍‌ ମହକି ଉଠୁଥାଏ । ଆମେ ସମସ୍ତେ ଉଠି ବସି ମୁହଁ ହାତ ଗାଧୁଆ ଘରକୁ ଯାଇ ଧୋଇ ଆସିଲୁଁ । ଗୋଟିଏ ଗୋଟିଏ କାଗଜ ତିଆରି ପ୍ଲେଟ୍‌ରେ ଏହି ସବୁ ଗରମା ଗରମ ଖାଦ୍ୟପଦାର୍ଥ ବଢ଼ା ଯାଇଥାଏ । ଆମ ସାମନା ଟେବୁଲ ଉପରେ ଏୟାରହୋଷ୍ଟେସ୍‌ମାନେ ବାଢ଼ି ଦେଇଗଲେ । ଟେବୁଲ ଉପରେ ଭାରତୀୟ ଖାଦ୍ୟ ବିଶେଷତଃ ସରୁ ଚାଉଳର ପଲାଉ, ମାଂସ ଝୋଳ ଆଦି ବଢ଼ା ହେବା ଦେଖି ପିଲାଙ୍କ ଆନନ୍ଦ କହିଲେ ନ ସରେ । ପୁଣି ସେଗୁଡ଼ିକ ଗରମ୍‌, ଗରମ୍‌, ସତେ ଯେମିତି ସେହି ବିରାଟ ଉଡ଼ାଜାହାଜର କେଉଁ ଅଭ୍ୟନ୍ତରରେ ଭାରତୀୟ ପୁଝାରୀ ବସି ସେ ସବୁ ରାନ୍ଧୁଛି । ସେ ଗୁଡ଼ିଏ ସଙ୍ଗେ ସଙ୍ଗେ ରନ୍ଧା ହେଲା ଭଳି ମନେ ହେଉଥିଲେହେଁ, ସେ ଗୁଡ଼ିକ ଯେ ପ୍ରଶାନ୍ତ ମହାସାଗରର ମଧ୍ୟ ସ୍ଥଳରେ ଆକାଶର ୪୦,୦୦୦ ଫୁଟ ଉଚ୍ଚରେ ରନ୍ଧା ହୋଇନି, ଏ କଥା ପିଲାମାନେ ଧାରଣା କରି ପାରୁଥାନ୍ତି କୁଆଡ଼ୁ ? ଏଗୁଡ଼ିକ ନିଉୟର୍କରେ ରନ୍ଧା ହୋଇ ଉଡ଼ାଜାହାଜର ଖାଦ୍ୟସଂରକ୍ଷକ ଆଲମାରୀରେ ଥୁଆ ହୋଇଥାଏ । ଠିକ୍‌ ଖାଇବା ପୂର୍ବରୁ ଗରମ କରି ଖାଇବାକୁ ଦିଆଯାଏ ।

 

ପିଲାମାନେ, ସ୍ତ୍ରୀ, ବଡ଼ ଆନନ୍ଦରେ ଖାଇଲେ, ମୁଁ ମଧ୍ୟ । ଲକ୍ଷ୍ୟ କଲୁଁ, ଆମ ପାଖରେ ବସିଥିବା ଇଉରୋପୀୟମାନେ ମଧ୍ୟ ଖୁବ୍‌ ଆନନ୍ଦରେ ସେଗୁଡ଼ିକୁ ଉଦରସାତ କରୁଥାନ୍ତି । କେତେକେ ମଧ୍ୟ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏକାଧିକ ଥର ମଗାଇ ଖାଉଥାନ୍ତି । ନିଜ ନିଜ ମଧ୍ୟରେ ଖାଦ୍ୟର ସୁସ୍ଵାଦୁ ନେଇ ନାନା ଆଲୋଚନା । ଉଡ଼ାଜାହାଜ ଭିତରେ ଏ ସବୁ ଖିଅପିଆ ଦେଖିଲେ ଯେ କେହି ଲୋକ ଭାବିବ, ଏହି ଜେଟ୍‌ ଜାହାଜରେ ସତେ ଯେମିତି ବିରାଟ ଭୋଜିଭାତ ଚାଲିଛି । କାହାର ବିଭାଘର କି ଜନ୍ମଦିନ ପାଳିତ ହେଉଛି ଭାରତୀୟ ରୀତିରେ ଏହି ଉଡ଼ାଜାହାଜ ଭିତରେ ।

 

ଖାଇବାପରେ ପୁଣି ବରଫ ଭଳି ଥଣ୍ଡାପାଣି ପିଇବାକୁ ଦିଆଗଲା । ବଡ଼ ମନଖୁସିରେ ଖିଆପିଆ ସରିଲାବେଳକୁ ରାତି ପ୍ରାୟ ଗୋଟାଏ କି ଦୁଇଟା । ଖାଇସାରି କିଏ କେତେ ପ୍ରକାର ମେଗାଜିନ୍‌ ଏୟାର୍‌ ହୋଷ୍ଟେସ୍‌ଙ୍କ ପାଖରୁ ଆଣି ପଢ଼ିଲେ । କିନ୍ତୁ ପିଲାଏ ଆମର ଖାଇସାରି ପୁଣି ଶୋଇଗଲେ ନିଜ ନିଜ ସିଟ୍‌ରେ । ଆମଠାରୁ ଅଳ୍ପ ଦୂରରେ କେତୋଟି ସିଟ୍‌ ଖାଲିଥିବାରୁ ଏୟାର୍‌ ହୋଷ୍ଟେସ୍‌ ସିଟ୍‌ରେ ଲାଗିଥିବା ହାତ ରଖିବା ସ୍ଥାନଗୁଡ଼ିକ ଖୋଲିଦେଇ ପିଲା ଦୁଇଟିଙ୍କ ଶୋଇବା ପାଇଁ ବ୍ୟବସ୍ଥା କରିଦେଇ ପିଲାମାନଙ୍କୁ ନେଇ ଶୁଆଇଦେଲେ । ପିଲାମାନେ ବେଶ୍‌ ଆରାମରେ ଶୋଇ ପଡ଼ିଲେ । ସେହି ଭୀମ ବେଗରେ ଗତି କରୁଥିବା ଜେଟ୍‌ ଉଡ଼ାଜାହାଜରେ । କ୍ଷଣକ ପାଇଁ ସେମାନକୁ ଜଣା ପଡ଼ିଲାନି ଏହି ବିରାଟ ଯାନଟି ପ୍ରଶାନ୍ତ ମହାସାଗର ଉପରେ ଘଣ୍ଟାକୁ ୬୦୦ମାଇଲ ବେଗରେ ଆଗଉଛି ବୋଲି । ପିଲାମାନେ ଶୋଇପଡ଼ିଲା ପରେ ଆମେ ସେହି ସିଟ୍‌ରେ ବସି କଥାବାର୍ତ୍ତା ହେଉଁ ହେଉଁ କେତେବେଳୁ ଆଖି ଲାଗିଗଲାଣି ଖିଆଲ ନାହିଁ ।

 

ଉଡ଼ାଜାହାଜରେ ଲୋକ କୋଳାହଳରେ ହଠାତ୍‌ ଆମ ନିଦ ଭାଙ୍ଗିଗଲା । ଦେଖିଲୁ ଚାରିପାଖରେ ଦିନଭଳି ଆଲୁଅ । କେତେବେଳୁଁ ସୂର୍ଯ୍ୟ ଉଦିତ ହୋଇ ଯାଇଥିଲେ ହେଁ, ଆମେ ଗାଢ଼ ନିଦ୍ରାରେ ଶୋଇ ପଡ଼ି ଥିବାରୁ ଜାଣି ପାରି ନଥାଉଁ । ତଳକୁ ଅନାଇଲା ବେଳକୁ ଆମ ତଳ ଘନ କୃଷ୍ଣ ମେଘମାଳାରେ ଆବୃତ । ଉଡ଼ାଜାହାଜ କର୍ତ୍ତୃପକ୍ଷ ଆମକୁ ଜଣାଇଦେଲେ ଆଉ ଅଧଘଣ୍ଟାକ ପରେ ଆମ ଉଡ଼ାଜାହାଜ ଲଣ୍ଡନ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିରେ ଅବତରଣ କରିବ । ଏୟାର ହୋଷ୍ଟେସଙ୍କୁ ପଚାରି ଲଣ୍ଡନର ସମୟ ଅନୁସାରେ ଆମ ଘଡ଼ିର ସମୟ ଠିକ୍‌ କରିନେଲୁଁ । ଏଥର ଆମ ଘଡ଼ିର ସମୟ ପୂର୍ବଭଳି ପଛକୁ ନ କରି ଆଗକୁ କରିବାକୁ ହେଲା । ଲଣ୍ଡନରୁ ଆମେରିକା ଗଲାବେଳେ ଆମେ ପୂର୍ବରୁ ପଶ୍ଚିମକୁ ଯାଉଥିବାରୁ ଆମର ସମୟ ଅର୍ଜ୍ଜିତ ହେଉଥିଲା । ଲଣ୍ଡନ୍‌ ଘଣ୍ଟା ଅନୁସାରେ ଆମଘଣ୍ଟା ଚାଲୁଥିବାରୁ ଆମେ ଆମେରିକାରେ ଯାଇ ପହଞ୍ଚି ଦେଖିଲୁ; ଆମ ଘଣ୍ଟା ଢେର ଆଗେଇ ଯାଇଛି, ତେଣୁ ପଛକୁ ବୁଲାଇ ଆମେରିକା ସମୟ ଅନୁସାରେ ଠିକ୍‌ କରିଥିଲୁଁ । ଏଥର ଲଣ୍ଡନ ସମୟ ଅନୁସାରେ ଘଣ୍ଟାକୁ ଠିକ୍‌ କରିବା ପାଇଁ ଇଚ୍ଛା କଲାରୁ ଘଣ୍ଟାକୁ ଆଗକୁ ବୁଲାଇ ସମୟ ଠିକ୍‌ କରିବାକୁ ପଡ଼ିଲା । କାରଣ ଆମେ ପଶ୍ଚିମରୁ ପୂର୍ବକୁ ଯାଉଥିବାରୁ ଆମର ସମୟ ବ୍ୟୟତ ହୋଇ ଯାଉଥିଲା । ଲଣ୍ଡନରେ ଯେତେବେଳେ ଉଡ଼ାଜାହାଜ ଓହ୍ଲାଇ ଥାଆନ୍ତା, ଲଣ୍ଡନ ଘଣ୍ଟା ଅନୁସାରେ ଆଠଟା ବାଜିଥିଲେ ହେଁ ଆମ ଘଣ୍ଟାରେ ବାଜିଥାନ୍ତା ସାଢେ ତିନିଟା କି ଚାରିଟା । ଲଣ୍ଡନରେ ପହଞ୍ଚିସମୟ ବଦଳାଇବା ଠିକ୍‌କରିବା ଅପେକ୍ଷା ଏହିଠାରୁ ଲଣ୍ଡନ ସମୟ ଅନୁସାରେ ଘଣ୍ଟାକୁ ଠିକ୍‌ କରିନେଲେ ଭଲ ।

 

ସକାଳ ହୋଇଯାଇଥିବାରୁ ପିଲାମାନଙ୍କୁ ନିଦରୁ ଉଠାଇଲୁଁ । ଆମେ ସମସ୍ତେ ଦାନ୍ତ ଘଷିବା ପାଇଁ ଗାଧୁଆ ଘରକୁ ଗଲୁଁ । ଆମ ଭଳି ଆଉ କେତେଜଣ ଭାରତୀୟ ଦାନ୍ତ ଘଷିବାର ଯୋଗାଡ଼ କଲେ । କିନ୍ତୁ ଇଉରୋପୀୟମାନେ ସେମିତି ବସିଥାନ୍ତି । ଦାନ୍ତପତ୍ର ଘଷିବା ନାଁ ଧରୁ ନଥାନ୍ତି । ଦାନ୍ତ ଘଷି ସିଟ ପାଖକୁ ଫେରି ଆସିଲା ବେଳକୁ ଏୟାର ହୋଷ୍ଟେସ୍‌ମାନେ ପ୍ରତ୍ୟେକ ସିଟ୍‌ରେ କାଗଜ ତିଆରି ଗିଲାସରେ ଫଳରସ ପିଇବାପାଇଁ ଥୋଇଦେଇ ଗଲେଣି । ତେଣୁ ବିଳମ୍ବ ନ କରି ଫଳରସ ପିଇ ସିଟ୍‌ରେ ବସିଲୁଁ । ଇଉରୋପୀୟମାନେ ଦାନ୍ତ ଆଦି ନଘଷି ସେହିଭଳି ଫଳରସ ପିଇ କାଗଜ ତିଆରି ଗିଲାସଗୁଡ଼ିକୁ ଅଳିଆ ବେଗ୍‌ରେ ପକାଇଦେଲେ ।

 

ପ୍ରାତଃକାଳୀନ ଫଳରସ ପିଆ ଶେଷ ହୋଇଛି କି ନାହିଁ, ଲାଉଡ୍‌ସ୍ପିକରରେ ଶୁଭିଲା, ଆମ ଜାହାଜ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିରେ ଓହ୍ଲାଇବାକୁ ଯାଉଛି । ଯାତ୍ରୀମାନେ ନିଜ ନିଜ ଦେହକୁ ସିଟ୍‌ର ବେଲ୍‌ଟରେ ବାନ୍ଧିବା ଦରକାର । ଲାଉଡ୍‌ସ୍ପିକରରେ ଶୁଭିବା ସଙ୍ଗେ ସଙ୍ଗେ ଆମ ସାମନାପଟ ଛାତ ଉପରେ ମଧ୍ୟ ସେମିତି ନିର୍ଦ୍ଦେଶ ଲେଖା ହୋଇଗଲା । ଆମେମାନେ କାଳବିଳମ୍ବ ନ କରି ନିଜ ନିଜ ଦେହ ସିଟ୍‌ରେ ଥିବା ବେଲଟରେ ବାନ୍ଧିଦେଲୁଁ । ଏୟାର ହୋଷ୍ଟେସ୍‌ ଯୁବତୀଟି ଆସି ପୁଅ ବାବୁଲିର ବେଲ୍‌ଟ ବାନ୍ଧିଦେଇ ଗଲେ ।

 

ଅନାଉଁ ଅନାଉଁ ଆମ ବିରାଟ ବୋଇଙ୍ଗ୍‌ ଜେଟ୍‌ ଜାହାଜଟି ତଳ ମୁହାଁ ହୋଇ ଲଣ୍ଡନ ଉଡ଼ାଜାହାଜ ଘାଟି ଅଭିମୁଖେ ଧାବମାନ ହେଲା । ଜେଟ୍‌ ଜାହାଜର ଉଠିଲାବେଳେ ଓ ଓହ୍ଲାଇଲାବେଳେ ବିପଦର ଆଶଙ୍କା ଅପେକ୍ଷାକୃତ ବେଶି । ଜେଟ୍‌ ଜାହାଜର ବେଶି ଦୁର୍ଘଟଣା ଏହି ସମୟରେ ହିଁ ଘଟିଥାଏ । ଲକ୍ଷ୍ୟ କଲି, ସେହି ଭୟରେ ସ୍ତ୍ରୀଙ୍କ ମନ ଟିକିଏ ଦବିଯାଇ ମୁହଁ ବିମର୍ଷ ହେଲାଭଳି ଜଣା ପଡ଼ୁଥାଏ । କିନ୍ତୁ ପିଲାମାନଙ୍କର କିଛି ଭୟ ନଥାଏ । ସେମାନେ ତ ବିପଦ ଆପଦ ବେଳ କେତେବେଳେ ଜାଣିପାରୁ ନଥାନ୍ତି, ଭୟ କରିବେ କାହିଁକି ? ଯାହାହେଉ ଆମ ଜାହାଜଟି ସୁରଖୁର ଭାବରେ ଲଣ୍ଡନ ଆକାଶକୁ ଆଚ୍ଛାଦନ କରିଥିବା ମେଘମାଳାକୁ କାଟି ଲଣ୍ଡନ ଉଡ଼ାଜାହାଜ ଘାଟିରେ ଓହ୍ଲାଇଲା । ଜାହାଜ ଯେତେବେଳେ ରନ୍‌ୱେରେ ଲାଗିଗଲା, ସ୍ତ୍ରୀଙ୍କର କି ଆନନ୍ଦ । ତାଙ୍କ ପାଟିରୁ ବାହାରିପଡ଼ିଲା, ଯା’ହେଉ ଆଉ ବିପଦ ଆପଦର ସମ୍ଭାବନା ନାହିଁ । ଆମେ ଏଥର ଲଣ୍ଡନ ଉଡ଼ାଜାହାଜ ଘାଟିରେ ପହଞ୍ଚିଗଲେ ।’’

 

ଜାହାଜ ରନୱେରେ କିଛିଦୂର ଭୀମ ବେଗରେ ଗତି କଲାପରେ ଏହାର ଗତି ଧୀରେ ଧୀରେ କମି ଆସିଲା । ଏହା ଧୀରେ ଧୀରେ ଆସି ଅଫିସ ପାଖ ଏକ ସ୍ଥାନରେ ରହିଲା । ଯାତ୍ରୀମାନେ ଦେହର ବେଲ୍‌ଟ ଆଦି ଫିଟାଇ ଓହ୍ଲାଇବାର ଉପକ୍ରମ କଲେ । ଆମେ ମଧ୍ୟ ଆମ ହେଣ୍ଡବେଗ୍‌ ଆଦି ଧରି ଧୀରେ ଧୀରେ ଓହ୍ଲାଇବା ପାଇଁ ବାହାରିଲୁଁ ।

 

ବୋଇଙ୍ଗ୍‌ ଜାହାଜର ଟୁରିଷ୍ଟ କ୍ଲାସର ବାହାରିବା ବାଟ ଉଡ଼ାଜାହାଜର ପଛ ପାଖ ଲଞ୍ଜ ନିକଟରେ । ପ୍ରଥମଶ୍ରେଣୀ ଯାତ୍ରୀଙ୍କ ଯିବା ଆସିବା ବାଟ ସାମନା ପଟରେ । ଆମ ଜାହାଜ ରହିଗଲା କ୍ଷଣି ପଛପାଖ ଦୁଆର ନିକଟରେ ଉଡ଼ାଜାହାଜ ଘାଟିର ଏକ ପାହାଚ ଆସି ଲାଗିଗଲା । ପାହାଚ ଲାଗିଯିବା କ୍ଷଣି ଦୁଆର ଫିଟିଗଲା । ଆମେ ସବୁ ଜଣ ଜଣ କରି ଓହ୍ଲାଇବା ଉପକ୍ରମ କଲୁଁ-। ଆମ ଜାହାଜ ଠାରୁ ଅଦୂରରେ ଉଡ଼ାଜାହାଜ ଘାଟି ଅଫିସ ଆଦିର ଛାତ ଉପରେ ବହୁଲୋକ ଠିଆ ହୋଇ ଆମକୁ ଦେଖି ରୁମାଲ ଉଡ଼ାଉଥାନ୍ତି । ଆମ ଭିତରୁ କେତେଜଣ ଯାତ୍ରୀ ସେମାନଙ୍କ ପରିଚିତ ଲୋକଙ୍କୁ ସେହି ଛାତ ଉପରେ ଦେଖି ନିଜ ଟୋପି ମୁଣ୍ଡରୁ କାଢ଼ି ସେମାନଙ୍କୁ ଦେଖାଉଥାନ୍ତି । ସେହି ଲୋକମାନେ ସେମାନଙ୍କ ବହୁ ବନ୍ଧୁଙ୍କୁ ସଙ୍ଖୋଳିବାକୁ ଯେ ଆସିଛନ୍ତି ଦେଖି ସେମାନଙ୍କ ବନ୍ଧୁ ମାନେ ଭାରି ଖୁସି । ଲଣ୍ଡନରେ ଆମ ପରିଚିତ ହରିବାବୁ ସାକ୍ଷାତ ପାଇଁ ସେହି ଛାତ ଉପରେ ଅପେକ୍ଷା କରିଛନ୍ତି କି କଅଣ ସ୍ତ୍ରୀ ପଚାରନ୍ତେ, ମୁଁ ମନାକଲି । କାରଣ ହରିବାବୁ ପତ୍ରଦ୍ଵାରା ଜଣାଇ ଦେଇଥାନ୍ତି ଯେ ସେ ଉଡ଼ାଜାହାଜ ଘାଟିରେ ଆମକୁ ଅପେକ୍ଷା କରି ନଥିବେ, ସେ ଆମକୁ ଅପେକ୍ଷା କରିଥିବେ B.O.A.C.କୋମ୍ପାନୀର ସହର ଭିତରେ ଥିବା ଏୟାର୍‌ଟାର୍‌ ମିନସ୍‌ରେ । କାରଣ ଉଡ଼ାଜାହାଜ ଘାଟିରୁ ଆମକୁ ଏହି B.O.A.C.କୋମ୍ପାନୀ ଟାଉନ୍‌ ଭିତର ଟାରମିନସ୍‌ ପର୍ଯ୍ୟନ୍ତ ଆଣିବ । ଲଣ୍ଡନ ଉଡ଼ାଜାହାଜ ଘାଟିରେ ଏୟାର ଇଣ୍ଡିଆ କୋମ୍ପାନୀର ଯାତ୍ରୀମାନଙ୍କ ନେବା ଆଣିବା ପାଇଁ ଯାନ ବାହାନ ନ ଥିବାରୁ B.O.A.C କୋମ୍ପାନୀର ଯାନବାହାନ ଏୟାର ଇଣ୍ଡିଆ’ ଯାତ୍ରୀଙ୍କୁ ଉଡ଼ାଜାହାଜ ଘାଟିରୁ ସହର ଭିତରକୁ ନେବା ଆଣିବା କରେ । ତେଣୁ ଆମକୁ ସେହି କୋମ୍ପାନୀର ଗାଡ଼ି ସହର ଭିତରକୁ ନେବ ।

 

ଓହ୍ଲାଇବାପାଇଁ ବୋଇଙ୍ଗ ଜାହାଜର ଦୁଆର ମୁହଁରେ ହୋଇଛୁ, ଦେଖିଲୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଗଲାଣି । ଉଡ଼ାଜାହାଜରେ ଆସିଲାବେଳେ ମେଘର ବହୁଉପରେ ଆମେ ଉଡ଼ି ଉଡ଼ି ଆସୁଥିବାରୁ ବର୍ଷାର ନାମଗନ୍ଧ ନ ଥାଏ । କିନ୍ତୁ ଜାହାଜ ଘାଟିରେ ଓହ୍ଲାଇଲାବେଳକୁ କଳାହାଣ୍ଡିଆ ମେଘର ଭୀମ ଭୈରବ ଦୃଶ୍ୟ ଦେଖି ଭୟଭୀତ ହୋଇ ପଡ଼ିଲୁଁ । ଭୟ ହେଲା ଆମେ ଉଡ଼ାଜାହାଜରୁ ଓହ୍ଲାଇ ଅଫିସରେ ପହଞ୍ଚିଲା ଭିତରେ ହୁଏତ ମେଘ କାଚି ଦେଇଯାଇପାରେ । ଲଣ୍ଡନରେ ପହଞ୍ଚୁ ପହଞ୍ଚୁ ମେଘର ଏତାଦୃଶ ପ୍ରକୋପ ଦେଖି ଲଣ୍ଡନ ଭ୍ରମଣରେ ଏହି ମେଘ ଯେ ଢେର ବାଧା ଦବ, ଏଥିରେ ଆମର ସନ୍ଦେହ ରହିଲାନି ।

 

କୌଣସି ପ୍ରକାରେ ତରତର ହୋଇ ଉଡ଼ାଜାହାଜ ରୁ ଓହ୍ଲାଇ ଉଡ଼ାଜାହାଜ ଘାଟିର ଅଫିସ କକ୍ଷରେ ଆସି ପହଞ୍ଚିଗଲୁଁ । ଦୈବକ୍ରମେ ବର୍ଷାର ମାଡ଼ ଆମ ଉପରେ ପଡ଼ିଲା ନି । ବର୍ଷା ଆରମ୍ଭ ହେଲାବେଳକୁ ଆମେ ଆସି ଅଫିସ ଭିତରେ । ଅଫିସରେ କଷ୍ଟମ୍‌ସ୍ ବିଭାଗ ତରଫରୁ ଆମ ସୁଟ୍‌କେଶ୍‌ ଆଦି ଚେକ୍‌ ହେଲା । ସେଠାରେ କିଛି ସମୟ ଅପେକ୍ଷା କରିବା ପରେ ଆମେ ଛୁଟି ପାଇଲୁ । ଏଥର ଆମକୁ ନିର୍ଦ୍ଦେଶ ଦିଆଗଲା B.O.A.C.କୋମ୍ପାନୀର ବସ୍‌ଠାକୁ ଯିବା ପାଇଁ । ସେହି ବସ୍‌ରେ ଆମେ ସହର ଭିତରେ ଥିବା ଏୟାର ଟାର୍‌ମିନାସ୍‌କୁ ଯିବୁଁ । ପୋଟର ହାତରେ ଆମ ସୁଟ୍‌କେଶ୍‌ଗୁଡ଼ିକୁ ବସ୍‌ ପାଖକୁ ନେଇ ଯିବା ପାଇଁ ନିର୍ଦ୍ଦେଶ ଦେଇ ଆମେ ବସ୍‌ ଅଭିମୁଖେ ରମାନା ହେଲୁଁ ।

 

ବସ୍‌ରେ ବସିଛୁଁ, ହଠାତ୍‌ ଖିଆଲ ପଶିଲା ଆମେ ଆମ ପାଖରେ ଥିବା ଆମେରିକାନ୍‌ ମୁଦ୍ରା ଡଲାରକୁ ନ ଭଙ୍ଗାଇ ସେମିତି ଚାଲି ଆସିଛୁଁ । ଆମେରିକାନ ମୁଦ୍ରାକୁ ବ୍ରିଟିଶ୍‌ ମୁଦ୍ରାରେ ପରିଣତ ନ କଲେ, ଏଠି ଏହାକୁ ନେବ ବା କିଏ ? ପୁଣି ଆମେ ଯାଉଥିବା ବସ୍‌କୁ ସହର ପର୍ଯ୍ୟନ୍ତଯିବା ଭଡ଼ା ଦେବାକୁ ପଡ଼ିବ । ଆମ ପାଖରେ ମୋଟେ ବ୍ରିଟିଶ୍‌ ମୁଦ୍ରା ନାହିଁ । କ’ଣ କରିବୁ, ଫେରି ଯିବୁ ନାଁ କ’ଣ ? ଅଳ୍ପ ସମୟ ଭିତରେ ବସ୍‌ ପୁଣି ଛାଡ଼ିଦେବ । ସେ ଭୟ ବି ଥାଏ କ’ଣ କରିବୁ, ଏମିତି ଦୋ ଦୋ ପାଞ୍ଚ ହୋଇ ବସ୍‌ର ଡ୍ରାଇଭରକୁ ଆମ ଅସୁବିଧା କଥା ଜଣାଇଲୁ । ସେ ହସି ହସି କହିଲା, “ଏଥିପାଇଁ ଭୟ କରିବାର କିଛି କାରଣ ନାହିଁ । ବସ୍‌ରେ ଯିବା ଭଡ଼ାଟା ଆମେରିକାନ୍‌ ମୁଦ୍ରାରେ ନେବାକୁ ଆମେ କୁଣ୍ଠିତ ନୋହୁଁ । ବସ୍‌ ଡ୍ରାଇଭର ନିକଟରୁ ଏତକ ଶୁଣି ଆଶ୍ଵସ୍ତିରେ ନିଶ୍ଵାସ ମାରିଲୁ । ଯାହା ହେଉ ବ୍ରିଟିଶ୍‌ ମୁଦ୍ରା ନେଇ ଯେଉଁ ଚିନ୍ତା ମୁଣ୍ଡରେ ଖେଳୁଥିଲା ସେତକ ଗଲା ।

 

ଆନ୍ତର୍ଜାତିକ ଅର୍ଥନୀତି ଉପରେ ମାର୍କିନ ମୁଦ୍ରା ଡଲାରର ଯେଉଁ ପ୍ରଭାବ, ତାହା ଏତିକିରୁ ଜଣା ପଡ଼ିଲା । ପରେ ଆମ ଅନୁଭୂତିରୁ ଜାଣିଲୁ ଇଂଲଣ୍ଡର କି ଇଉରୋପର ଯେ କୌଣସି ଦୋକାନରେ ମାର୍କିନ ମୁଦ୍ରା ଡଲାର ଦେଲେ ତାହା ଦୋକାନୀ ବ୍ୟବସାୟୀମାନେ ମନ ଖୁସିରେ ଗ୍ରହଣ କରନ୍ତି । ମାର୍କିନ ମୁଦ୍ରାର ଉଚିତ ମୂଲ୍ୟ ସେମାନେ ଦିଅନ୍ତି, ବେଳେ ବେଳେ କିଛି ଅଧିକ ଦେବାକୁ ମଧ୍ୟ ଭୁଲନ୍ତିନି । କିନ୍ତୁ ବ୍ରିଟିଶ୍‌ ମୁଦ୍ରା ଆମେରିକାକୁ ନିଅ କେହି ନେବେନି କି ପଚାରିବେନି-। ସେହିଭଳି ଫରାସୀ ମୁଦ୍ରା ଫ୍ରାଙ୍କ୍‌, ଜର୍ମ୍ମାନୀ ମୁଦ୍ରା ମାର୍କ, ଇଟାଲୀ ମୁଦ୍ରା ଲୀରାକୁ କେହି ଆମେରିକାରେ ପଚାରନ୍ତି ନାହିଁ । ମାର୍କିନ ମୁଦ୍ରା ଡଲାର କଷ୍ଟାର୍ଜିତ ମୁଦ୍ରା (Hard Currency) ହୋଇଥିବାରୁ ଏହାର ଲୋକପ୍ରିୟତା ଏତେ ଅଧିକ । ରୁଷୀୟ ମୁଦ୍ରା ରୁବଲ୍‌ର ଆଦର ପୂର୍ବ ଇଉରୋପରେ ଅଛି କି ନାହିଁ ଜାଣିନୁଁ, ପଶ୍ଚିମ ଇଉରୋପରେ ମୋଟେ ନାହିଁ । ଇଉରୋପର ଯେ କୌଣସି ଦୋକାନରେ ଡଲାର ଦେଇ ଯେମିତି କିଣା କିଣି କରି ହେବ, ରୁବଲ, ଦେଇ କେଉଁଠି କିଛି କରି ହେବନି । ଆମ ପାଖରେ ଡଲାର ଥିବାରୁ ଆମର ଚିନ୍ତା ନ ଥାଏ । ଏହି ଦେଣ ନେଣ ଆମେ କେବେ ବାଟରେ ହଇରାଣ ହେବୁଁ ଏଭୟ ଆମର ନ ଥାଏ ।

 

ଉଡ଼ାଜାହାଜ ଘାଟିରୁ ବସ୍‌ ଛାଡ଼ିଲା ବେଳକୁ ଆହୁରି ଦଶ ପନ୍ଦର ମିନିଟ ବାକି । ଆମବସଟି ଉଡ଼ାଜାହାଜ ଘାଟିକୁ ମୁହଁ କରି ଠିଆ ହୋଇଥାଏ । ଲଣ୍ଡନ ଉଡ଼ାଜାହାଜ ଘାଟି କି ବିରାଟ । ଭାରତରୁ ଆମେରିକା ଗଲାବେଳେ ଏହି ଉଡ଼ାଜାହାଜ ଘାଟି ଦେଇ ଯାଇଥିଲୁଁ । ପୃଥିବୀର ଯେତେ ବଡ଼ ବଡ଼ ଉଡ଼ାଜାହାଜ ଘାଟି ରହିଛି, ଲଣ୍ଡନ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟି ସେଥିଭିତରୁ ଗୋଟିଏ । ଲଣ୍ଡନ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିର ଜନ୍ମ ବେଶି ଦିନ ପୁରୁଣା ନୁହେଁ । ୧୯୪୬ ମସିହା ମାର୍ଚ୍ଚ ମାସ ତା୨୫ରିଖ ଦିନ ଲଣ୍ଡନ ସହରର କେନ୍ଦ୍ରଠାରୁ ପଶ୍ଚିମ ଆଡ଼କୁ ୧୪ ମାଇଲ ଦୂରରେ ଥିବା ହିଥ୍‌ରୋ ଉଡ଼ାଜାହାଜ ଘାଟି ଲଣ୍ଡନ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟି ଭାବରେ ନାମିତ ହେଲା । ଏହା ବ୍ରିଟିଶ ସରକାରଙ୍କ ଆକାଶଯାତ୍ରା ବିଭାଗ କର୍ତ୍ତୃତ୍ଵରେ ଉନ୍‌ମୁକ୍ତ ହେଲା । ଏହା ମିଡଲ୍‌ ସେକ୍‌ସ କାଉଣ୍ଟିସ୍ଥ ହିଥ୍‌ରୋ ଜିଲ୍ଲାରେ ଅବସ୍ଥିତ । ମିଡଲ ସେକ୍‌ସ କାଉଣ୍ଟିସ୍ଥ ବାଥ୍‌ ଓ ଗ୍ରେଟ୍‌ ସାଉଥ୍‌ୱେଷ୍ଟ ରାସ୍ତା ଦ୍ୱୟର ମଧ୍ୟରେ ଏହି ବିରାଟ ଉଡ଼ାଜାହାଜ ଘାଟିଟି ରହିଛି । ଏହି ଉଡ଼ାଜାହାଜ ଘାଟିରେ ନଅ ଗୋଟି ରନୱେ ଅଛି । ଏହି ରନୱେ ଗୁଡ଼ିକ ଖୁବ୍‌ ବିରାଟ କାହାର ଲମ୍ବ ୩୦୦୦ ଗଜ ତ କାହାର ଲମ୍ବ ୨୦୦୦ ଗଜ । ୧୯୪୫ ମସିହା ନଭେମ୍ବର ମାସ ପହିଲାଠାରୁ ଏକ ଆଇନ ବଳରେ ଇଂଲଣ୍ଡର ସମସ୍ତ ଉଡ଼ାଜାହାଜ ଘାଟି ବ୍ରିଟିଶ ସରକାରଙ୍କ ଆକାଶ ବିଭାଗ ଅଧୀନକୁ ଆସିଲା । ବର୍ତ୍ତମାନ ଲଣ୍ଡନ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିର ପରିଚାଳନା ସରକାରଙ୍କ ଆକାଶ ଯାତ୍ରା ବିଭାଗ ଅଧୀନରେ । ଏହି ଉଡ଼ାଜାହାଜ ଘାଟିରେ ପ୍ରତି ମିନିଟରେ ଉଡ଼ାଜାହାଜ ଓହ୍ଲାଉଛି ଓ ଛାଡ଼ୁଛି । ଦିନରାତି ଚବିଶ ଘଣ୍ଟା ଉଡ଼ାଜାହାଜର ଘୋର ଘର୍ଘର ଶବ୍ଦରେ ଏହାରପାଖଆଖ ଅଞ୍ଚଳ ସଦାସର୍ବଦା କମ୍ପିତ ହେଉଛି, ଫଳରେ ପାଖଆଖରେ ଥିବା ଘରମାନଙ୍କରେ ରହୁଥିବା ବାସିନ୍ଦାମାନଙ୍କର ବହୁ ଅସୁବିଧା ହେବାରୁ ସେମାନେ ଉଡ଼ାଜାହାଜ ଘାଟିର କର୍ମକର୍ତ୍ତାମାନଙ୍କଠାରେ କ୍ଷତିପୂରଣ ଦାବୀ କରିଅଛନ୍ତି । ସେମାନେ କହନ୍ତି ଦିନରାତି ଉଡ଼ାଜାହାଜର ଘୋର ଘର୍ଘର ଶବ୍ଦ ସେମାନଙ୍କ ଘରର ଶାନ୍ତି ଭଙ୍ଗ କରୁଛି, ଫଳରେ ସେମାନଙ୍କ ଶାନ୍ତି ବ୍ୟାହତ ହେଉଛି । ସେଥିପାଇଁ କର୍ତ୍ତୃପକ୍ଷ ସେମାନଙ୍କୁ କ୍ଷତିପୂରଣ ଦେବା ଦରକାର ବଡ଼ ବିଚିତ୍ର ସେମାନଙ୍କ ଅଭିଯୋଗ ।

 

କିଛି ସମୟ ପରେ ଲଣ୍ଡନ ଉଡ଼ାଜାହାଜ ଘାଟିରୁ ଆମ ବସ୍‌ ଛାଡ଼ିଲା ସହର ମଧ୍ୟସ୍ଥ ଟାରମିନା୍‌ସ୍‌ ଅଭିମୁଖେ । ଭଲ ରକମର ଅସରାଏ ବର୍ଷା ହୋଇ ରାସ୍ତାରେ ପାଣି ସୁଅ ଛୁଟିଲାଣି । ସେହି ଘନ ବର୍ଷା ଭିତରେ ଆମ ବସ୍‌ ଉଡ଼ାଜାହାଜ ଘାଟି ଛାଡ଼ିଲା । ବସ୍‌ କଣ୍ଡକ୍ଟର ଆମ ପାଖରୁ ମାର୍କିନ ମୁଦ୍ରା ନେଇ ଟିକଟ ଦେଲେ ଓ ବାକି ପଇସା ବ୍ରିଟିଶ ମୁଦ୍ରାରେ ଫେରସ୍ତ ଦେଲେ ।

 

ଟାରମିନସ୍‌ରେ ପହଞ୍ଚୁ ପହଞ୍ଚୁ ପ୍ରାୟ ଦିନ ଦଶଟା । ବାଟରେ ଗଲାବେଳେ ପୁଅ ବାବୁଲିର ମନ୍ତବ୍ୟ ବଡ଼ ଚିତ୍ତାକର୍ଷକ ହେଉଥାଏ । “ଏ ଦେଶରେ ଖାଲି ବର୍ଷା, ମଟରଗୁଡ଼ାକ ଛୋଟ ଛୋଟ, ଗାଡ଼ିଗୁଡ଼ାକ ରାସ୍ତାର ବାଁ ପଟରେ ଚାଲୁଛି । ମଟର ଗାଡ଼ିଗୁଡ଼ିକ ପୁରୁଣା କାଳିଆ, ଆମେରିକା ଭଳି ଚକ୍ ଚାକ୍‌, ସୁନ୍ଦର ନୁହେଁ । ଏ ଦେଶଟା ମୋଟେ ଭଲ ନୁହେଁ, ଆମେ ଏଠି ରହିବା ନହିଁ ।’’ ଏମିତି କେତେପ୍ରକାର ମନ୍ତବ୍ୟ ଆମ ବସ୍‌ ଯାତ୍ରାକୁ ଆନନ୍ଦ ମୁଖରିତ କରୁଥାଏ ।

 

ସେହି ଘନ ବର୍ଷା ଭିତରେ ଆମ ବସ୍‌ ଯାଇ ଲଣ୍ଡନ ସହରସ୍ଥ ବି.ଓ.ଏ.-ସି. ଟାରମିନସ୍‌ରେ ପହଞ୍ଚିଲା । ବସ୍‌ ଉପରୁ ଥାଇ ଦେଖିଲୁଁ, ଆମ ବନ୍ଧୁ ଶ୍ରୀଯୁକ୍ତ ହରିହର ପଟ୍ଟନାୟକ ଆମକୁ ଅପେକ୍ଷା କରି ଟାରମିନସ୍‌ରେ ବସିଛନ୍ତି । ହରିବାବୁଙ୍କ ସହିତ ବହୁଦିନ ପରେ ଦେଖା । ଆମେ ୧୯୬୧ ମସିହାରେ ଭାରତ ଛାଡ଼ିଲାବେଳେ ତାଙ୍କ ସହିତ ଯାହା ଦେଖା ହୋଇଥିଲା । ଆମ ଆସିବା ପ୍ରାୟ ବର୍ଷେ ପରେ ସେ ଇଂଲଣ୍ଡ ଆସିଥାନ୍ତି ଉଦ୍ଭିଦ ବିଜ୍ଞାନରେ ପି.ଏଇଚ୍‌.ଡି. କରିବା ପାଇଁ । ଏତେଦିନ ପରେ ହରିବାବୁଙ୍କୁ ଦେଖି ମନ ଭାରି ଖୁସି ହୋଇଗଲା । ଯାହା ହେଉ, ଏତେଦିନେ ପରେ ପୁଣି ଆମର ସଙ୍ଗୀ ଜଣେ ମିଳିଗଲେ ଏ ବିଦେଶରେ । ହରିବାବୁ ଲଣ୍ଡନରେ ବେଶ୍‌ ପୁରୁଣା ହୋଇଗଲେଣି । ଲଣ୍ଡନର ସବୁ ଯାଗା ତାଙ୍କର ବେଶ ଜଣାଶୁଣା । ତେଣୁ ଆମର ବୁଲାବୁଲିରେ ସେ ପୁରୀ ପଣ୍ଡା ସାଜି ବୁଲାବୁଲିର ସବୁ ଦାୟିତ୍ଵ ନେବାକୁ ତିଆର୍‌ ।

 

ରସେଲ ସ୍କୋୟାର

 

ବସ୍‍ରୁ ଓହ୍ଲାଇବା କ୍ଷଣି ହରିବାବୁ ଆସି ଆମଠାରେ ହାଜର । ସୁଟକେଶ୍‌ ଆଦି ବସ୍‌ରୁ ଆମଠାକୁ ଚାଲି ଆସିଲା କ୍ଷଣି ହରିବାବୁ ଗୋଟିଏ ଭଡ଼ା ଟେକ୍‌ସି ଡାକି ଆଣିଲେ । ଆମ ସୁଟକେଶ ଆଦି ଉଠାଇ ଆମେ ସମସ୍ତେ ଟେକ୍‌ସି ଭିତରେ ବସିଲୁଁ । ରସେଲ ସ୍କୋୟାରରେ ଆମ ପାଇଁ ରିଜର୍ଭ ହୋଇଥିବା ହୋଟେଲକୁ ନେବା ପାଇଁ ହରିବାବୁ ଟେକ୍‍ସିବାଲାକୁ ନିର୍ଦ୍ଦେଶ ଦେଲେ ।

 

ରସେଲ ସ୍କୋୟାର ଅଞ୍ଚଳଟି ଲଣ୍ଡନ ସହରର କେନ୍ଦ୍ର ଅଂଶରେ ଅବସ୍ଥିତ । ଏହି ଅଞ୍ଚଳଟି ଲଣ୍ଡନ ବିଶ୍ୱବିଦ୍ୟାଳୟର ଖୁବ ପାଖରେ । ରସେଲ ସ୍କୋୟାରକୁ ଲାଗି ସୁବିଖ୍ୟାତ ବ୍ରିଟିଶ ମିଉଜିୟମ । ଏହି ଅଞ୍ଚଳର ହୋଟେଲଗୁଡ଼ିକ ମଧ୍ୟମ ଧରଣର ବୋଲି ହରିବାବୁ ଲଣ୍ଡନର ଏହି ଅଂଶଟିକୁ ଆମ ପାଇଁ ବାଛିଥାନ୍ତି । ତା’ଛଡ଼ା ଏ ଯାଗାର ଆଉ ଏକ ବିଶେଷତ୍ଵଃ ହେଉଛି ଯେ ଏହି ଅଞ୍ଚଳରେ ଭାରତୀୟ ହୋଟେଲ ଓ ଭାରତୀୟ ଢଙ୍ଗରେ ଖାଦ୍ୟ ଦେଉଥିବା ହୋଟେଲ ସଂଖ୍ୟା ଅନେକ ।

 

ପୃଥିବୀର ପୂରାତନ ସହର ଭିତରୁ ଲଣ୍ଡନ ଗୋଟିଏ । ଏହା ପାରିସ୍‍ ଭଳି ଏକ ପୁରୁଣା ସହର । ରୋମାନମାନଙ୍କ ଅମଳରୁ ଏହି ସହରଟି ରହିଛି । ସେତେବେଳେ ଏହା ଅବଶ୍ୟ ଏକ ଅତି ଛୋଟ ସହର ଥିଲା । ଏହାର ଆକାର ଥିଲା ମୋଟେ ୬୭୫ଏକର ଓ ଲୋକସଂଖ୍ୟା ମୋଟେ ପାଞ୍ଚ ହଜାର । ଉତ୍ତରରେ ଅଲଡର ଗେଟ, ଦକ୍ଷିଣରେ ଟେମ୍‍ସ୍ନଦୀ, ପଶ୍ଚିମରେ ଲଡଗେଟ ଓ ପୂର୍ବରେ ଅଲଡଗେଟ ହେଉଛି ଏହି ରୋମାନ ଅମଳର ସହରର ଚତୁଃସୀମା । ରୋମାନମାନଙ୍କ ଅମଳରୁ ଏହି ସହରଟି ବେଶ୍‌ ପ୍ରସିଦ୍ଧି ଲାଭ କରି ଆସିଛି । ପରେ ଏହା ସହ ୱେଷ୍ଟମିନିଷ୍ଟର ସହର ଯୋଗ କରାଯାଇ ଏ ଦୁଇଟି ଅଂଶକୁ ମିଶାଇ କୁହାଗଲା ଲଣ୍ଡନ । ଏହି ଦୁଇଟି ଅଂଶରୁ ପ୍ରଥମ ଅଂଶଟି ବ୍ୟବସାୟ କେନ୍ଦ୍ର ଓ ଦ୍ଵିତୀୟଟି ହେଉଛି ଶାସନ କେନ୍ଦ୍ର । ବିଭିନ୍ନ ରାଜାମାନଙ୍କ ଶାସନ ସମୟରେ ଏହାର ଅଭିବୃଦ୍ଧି ଘଟି ଏହା ଆଧୁନିକ ଆକାରକୁ ଆସିଛି । ଲଣ୍ଡନ କହିଲେ ଆଜିକାଲି ଏହା ଏକ ବିରାଟ ସହରକୁ ବୁଝାଏ । ଯେଉଁ ସହରର ଲୋକସଂଖ୍ୟା ପ୍ରାୟ ୪ ଲକ୍ଷ ଓ କ୍ଷେତ୍ରଫଳ ୧୧୮ ବର୍ଗମାଇଲ । ପ୍ରକୃତ ପକ୍ଷେ ବୃହତ୍ତର ଲଣ୍ଡନ ଏହାଠାରୁ ଆହୁରି ବଡ଼, ଏହାର ଲୋକ ସଂଖ୍ୟା ୮୪ ଲକ୍ଷ ଓ କ୍ଷେତ୍ରଫଳ ପ୍ରାୟ ୭୦୦ ବର୍ଗମାଇଲ । ଆଧୁନିକ ଲଣ୍ଡନ ସହର ୪୩ ଗୋଟି ବରୋ ନେଇ ଗଠିତ । ସେଥି ଭିତରୁ ଲଣ୍ଡନ ସହର ଗୋଟିଏ, ୱେଷ୍ଟ ମିନିଷ୍ଟର ସହର ଗୋଟିଏ ଓ ଇନର ଓ ମିଡ଼ଲ ଟେମ୍‌ପଲ୍‌ ଗୋଟିଏ ଗୋଟିଏ ।

 

ପ୍ରକୃତ ଲଣ୍ଡନ ସହରଟି ଆଠଗୋଟି ଜିଲାରେ ବିଭକ୍ତ । ଲଣ୍ଡନ ସହରର କରପୋରେସନ ପୃଥିବୀର ସବୁଠାରୁ ପୁରୁଣା କର୍‌ପୋରେସନ । ୧୯୯୧ ମସିହାରୁ ଏହି କର୍‌ପୋରେସନର ଅଫିସ ଓ ଏହାର ମେୟର କାର୍ଯ୍ୟ କରି ଆସୁଛନ୍ତି । ସେହି ଦିନରୁ ଲଣ୍ଡନ ସହର ଅଧିବାସୀଙ୍କ ଦ୍ଵାରା ଏହାର ମେୟର ନିର୍ବାଚିତ ହୋଇ ଆସୁଛି । ୧୦୪ ମସିହାରେ ଲଣ୍ଡନ ମେୟରଙ୍କୁ ଲର୍ଡ ମେୟର ଆଖ୍ୟା ଦିଆଗଲା ।

 

ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଓ ବିଂଶ ଶତାବ୍ଦୀରେ ଲଣ୍ଡନ ଥିଲା ପୃଥିବୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହର । ସାରା ବ୍ରିଟିଶ ସାମ୍ରାଜ୍ୟର ରାଜଧାନୀ ତଥା ବ୍ରିଟିଶ ଶିକ୍ଷା, ସଭ୍ୟତା ଶାସନର କେନ୍ଦ୍ରସ୍ଥଳୀ ଥିଲା ଏହି ଲଣ୍ଡନ । ଇଂରେଜ ସଭ୍ୟତା ସହିତ ଏହି ସହରଟିଓତଃପ୍ରୋତ ଭାବରେ ଜଡିତ । କେତେ ରାଜା ରାଜୁଡ଼ା, ସମ୍ରାଟ, ସାମ୍ରାଜ୍ଞୀଙ୍କର ଶାସନର ଝଡ଼ ଏହି ଲଣ୍ଡନ ସହର ଉପରେ ଯେ ବହିଯାଇଛି ତା’ର କଳନା ନାହିଁ । ବହୁ ପାଶ୍ଚାତ୍ୟ ଶକ୍ତିଙ୍କର ଆକ୍ରମଣ ସତ୍ତ୍ୱେ ଏହି ନଗରୀ ଯେ ଆଜି ଗଢ଼ି ଉଠିଛି, ତାହା ଭୁଲିଯିବା ଉଚିତ ନୁହେଁ ।

 

ବ୍ରିଟିଶ ସାମ୍ରାଜ୍ୟର ହୃତ୍‌ପିଣ୍ଡ ଲଣ୍ଡନ ସହର ଏକ ସମୟରେ ପୃଥିବୀର ବୃହତ୍ତମ ନଗରୀ ଥିଲା । କିନ୍ତୁ ସମୟର ପରିବର୍ତ୍ତନ ନେଇ ଏହା ଯଦିଚ ଆଜି ପୃଥିବୀର ବୃହତ୍ତମ ନଗରୀ ହୋଇ ରହିନି, ତଥାପି ବୃହତ୍ତମ ନଗରୀର ବହୁ ଛାପ ସହରର ବହୁ ସ୍ଥାନରେ ରହିଯାଇଛି ।

 

ଲଣ୍ଡନ ସହର ଏକ ଶିଳ୍ପସମୃଦ୍ଧ ନଗରୀ । ବହୁ ପ୍ରକାର ଶିଲ୍ପ ବାଣିଜ୍ୟ ଏହି ନଗରୀରେ ଚଳେ । ନଗରୀ ଭିତରେ ନାନା ଜାତିର କଳ କାରଖାନା ରହିଛି । ବାଣିଜ୍ୟ ବ୍ୟବସାୟ ଏ ସହରର ଏକ ପ୍ରଧାନ ଜୀବିକା । ପୃଥିବୀର ଏକ ପ୍ରଧାନ ବନ୍ଦର ଭାବରେ ଲଣ୍ଡନର ଏକ ଅପୂର୍ବ ଖ୍ୟାତି ରହିଛି । ଏହିଠାରୁ ପୃଥିବୀର ସବୁ ବଡ଼ ବଡ଼ ସ୍ଥାନକୁ ନୌବାଣିଜ୍ୟ ଚଳେ । ବ୍ରିଟିଶ ଜାତି ଏକ ସମୟରେ ନୌବାଣିଜ୍ୟରେ ସାରା ପୃଥିବୀରେ ପରାକାଷ୍ଠା ଲଭିଥିଲା । ଇଂଲଣ୍ଡର ସେଇ ଅପୂର୍ବ କୀର୍ତ୍ତି ଆଜି ନଥିଲେ ହେଁ ଲଣ୍ଡନର ବନ୍ଦର ନୌଚାଳଚଳ ଦେଖିଲେ ଏହାର ଅତୀତ ଗୌରବ କଥା ଭୁଲି ହୁଏନି । ଦିନ ଥିଲା, ଏହି ଲଣ୍ଡନ ସହର ସାରା ପୃଥିବୀକୁ ଶାସନ କରୁଥିଲା । ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ାଠାରୁ ଆରମ୍ଭ କରି ଭାରତ, ପାକିସ୍ଥାନ, ସିଂହଳ, ବର୍ମା, ଯାଭା, ସୁମାତ୍ରା, ଅଷ୍ଟ୍ରେଲିଆ, ଆଦି ବ୍ରିଟିଶ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି ବିରାଟ ସାମ୍ରାଜ୍ୟର ମଉଡ଼ମଣି ଥିଲା ଲଣ୍ଡନ ସହର । କର୍ପୁର ଉଡ଼ିଯାଇ କନା ରହିଗଲା ଭଳି ଆଜି ସାମ୍ରାଜ୍ୟ ଯାଇ ସାମ୍ରାଜ୍ୟର ଛାପ ରହି ଯାଇଛି ଏହି ସହରର ପ୍ରତ୍ୟେକ ଧୂଳିକଣାରେ ।

 

ପାରିସ୍‍ ଭଳି ଲଣ୍ଡନ ଚିତ୍ରକଳା ସୂକ୍ଷ୍ମ କାରୁକାର୍ଯ୍ୟର ପୂଝାରୀ । ତହିଁର ପ୍ରମାଣ ଲଣ୍ଡନସ୍ଥ ବହୁ ଯାଦୂକୋଠୀ ଓ ଆର୍ଟ ଗେଲେରୀରୁ ମିଳେ । ଲଣ୍ଡନର ପ୍ରସିଦ୍ଧ ଆର୍ଟ ଗେଲେରୀ ଭିତରେ ଟ୍ରାଫାଲ୍‌ଗାର ସ୍କୋୟାରରେ ନ୍ୟାସନାଲ ଆର୍ଟ ଓ ପ୍ରୋର୍ଟ୍ରେଟ୍‌ ଗେଲେରୀ ପୃଥିବୀ ପ୍ରସିଦ୍ଧ । ସେଥିସହ ଟାଟେ ଗେଲେରୀ ମଧ୍ୟ ପ୍ରସିଦ୍ଧ । ଲଣ୍ଡନ ନାନା ପ୍ରକାର ଉଦ୍ୟାନ ଓ ପାର୍କରେ ପୂର୍ଣ୍ଣ ।ଲଣ୍ଡନର ବଡ଼ ବଡ଼ ପାର୍କ ଭିତରେ ହାଇଡ଼୍‍ ପାର୍କ, ସେଣ୍ଟ ଜେମସ୍‌ପାର୍କ, ରିଜେଣ୍ଟ ପାର୍କ, ଗ୍ରିନ୍‌ପାର୍କ, କେନସିଙ୍ଗଟନ ଉଦ୍ୟାନ ଆଦି ପ୍ରସିଦ୍ଧ ।ରିଜେଣ୍ଟ୍‌ ପାର୍କର ଗୋଲାପ ଫୁଲ ଉଦ୍ୟାନ ମୁକ୍ତାକାଶ ଥିଏଟର ଓ ହ୍ରଦ ବହୁ ଦର୍ଶକଙ୍କୁ ଆକର୍ଷଣ କରେ ।

 

ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଲଣ୍ଡନ ସହରକୁ ବୁଲି ଆସନ୍ତି । ଏଠାକାର ନାନପ୍ରକାର ଖେଳ ଦେଖିବା ପାଇଁ ଲୋକେ ପାଗଳ । ଲର୍ଡ ଓ ୱେଭେଲଠାରେ କ୍ରିକେଟ ଖେଳ, ଉଇମ୍‌ ବ୍ଲିଡନ୍‌ରେ ଟେନିସ୍‌ ଖେଳ, ଟୁଇକେନ୍‌ହାମ୍‌ ଓ ୱେମବ୍ଳେରେ ଫୁଟବଲ୍‌ ଖେଳ ପୃଥିବୀ ପ୍ରସିଦ୍ଧ । ୱେମ୍‌ବ୍ଳେ ଷ୍ଟେଡିୟମ୍‌, ହ୍ଵାଇଟ୍‌ସିଟି ଓ କ୍ରିଷ୍ଟାଲ୍‌ ପ୍ରାସାଦ ପଡ଼ିଆ ଅନ୍ୟାନ୍ୟ ଖେଳ ପାଇଁ ପ୍ରସିଦ୍ଧ ।

 

ଲଣ୍ଡନର ବଡ଼ ବଡ଼ ଦୋକାନ ବଜାର ରିଜେଣ୍ଟ ଷ୍ଟ୍ରୀଟ୍‌, ପିକାଡେଲି ସାର୍‌କାସ୍‌, ବଣ୍ଡ ଷ୍ଟ୍ରୀଟ ଓ ଅକ୍‌ସଫୋର୍ଡ଼ ଷ୍ଟ୍ରିଟରେ ଅବସ୍ଥିତ । ବଡ଼ ବଡ଼ ବହି ଦୋକାନ ପାଇଁ ଚେରିଙ୍ଗ୍‌ କ୍ରସ ରୋଡ଼ ଓ ମୋଟରକାର୍‌ ପାଇଁ ପୋର୍ଟଲେଣ୍ଡ ଷ୍ଟ୍ରୀଟ୍‌ ପ୍ରସିଦ୍ଧ ।

 

ଲଣ୍ଡନର ବିଭିନ୍ନ ଦର୍ଶନୀୟ ଗିର୍ଜା ଭିତରେ ୱେଷ୍ଟମିନିଷ୍ଟର ଆବେ, ସେଣ୍ଟ୍‌ପାଲ, କେଥିଡ୍ରେଲ, ସାଉଥ୍‌ୱାକ୍‌ କେଥିଡ୍ରେଲ ଅତି ପ୍ରସିଦ୍ଧ ।

 

ଲଣ୍ଡନର ଯାତାୟାତ ପାଇଁ ବ୍ୟବସ୍ଥା ଅତି ଉତ୍ତମ । ଲଣ୍ଡନ ସହରର ବଡ଼ ବଡ଼ ରେଳ ଷ୍ଟେସନ ଭିତରେ ଭିକ୍ଟୋରିଆ ଷ୍ଟେସନ, ଇଉଷ୍ଟନ୍‌ ଓ ୱାଟର୍‌ଲୁ ଷ୍ଟେସନ ପ୍ରସିଦ୍ଧ । ଏହିଠାରୁ ଟ୍ରେନ୍‌ଗୁଡ଼ିକ ସହର ବାହାରକୁ ଯାଏ । ରେଳଗାଡ଼ି ଭିତରୁ କେତେଗୁଡ଼ିଏ ଭୂଇଁ ଉପରେ ଯାଏ ତ କେତେଗୁଡ଼ିଏ ଭୂଇଁ ତଳେ (ଅଳ୍ପ ତଳେ)ଯାଏ ।ତା’ଛଡ଼ା ଲଣ୍ଡନର ଟିଉବ୍‌ ବା ଭୂଇଁ ତଳ ରେଳଗାଡ଼ି ଅତି ପ୍ରସିଦ୍ଧ । ଏହା ଭୂଇଁର ବହୁ ତଳେ ଯାଇଛି । ସହରର ପ୍ରତ୍ୟେକ ଅଂଶକୁ ଏହି ଟିଉବ୍‌ ଲାଇନ୍‌ ଯାଇଛି । ଲଣ୍ଡନ ଟିଉବର ପ୍ରସାର ଅତି ବେଶି । ତା’ଛଡ଼ା ଲଣ୍ଡନର ବସ୍‌ଗୁଡ଼ିକ ଅତି ଭଲ । ଏକତଳ, ଦୁଇତଳ ଏମିତି ଦୁଇ ପ୍ରକାର ବସ୍‌ । ୧୮୬୧ ମସିହାଠାରୁ ଲଣ୍ଡନରେ ଟ୍ରାମଗାଡ଼ି ଚାଲିଥିଲା; କିନ୍ତୁ ନାନା ଅସୁବିଧା ହେବାରୁ ୧୯୫୨ ମସିହା ବେଳକୁ ସବୁ ଟ୍ରାମ ଉଠାଇ ଦିଆଯାଇଥିଲା ।

 

ଲଣ୍ଡନ ସହର ମଧ୍ୟ ଦେଇ ଟେମ୍‍ସ୍ ନଦୀ ପ୍ରବାହିତ । ଏହି ନଦୀ ଅତି ସୁନାବ୍ୟା । ଏଥିରେ ମଧ୍ୟ ନାନା ପ୍ରକାର ବୋଟ୍‌ ଆଦି ଯା’ଆସ କରି ମାଲ ସରବରାହ କରେ । ପ୍ରାୟ ଚଉଦ ଗୋଟି ପୋଲ ଦ୍ଵାରା ଟେମ୍‍ସ୍ ନଦୀର ଦୁଇପାଖ ଅଂଶ ପରସ୍ପର ସହିତ ସଂଯୁକ୍ତ । ତା’ଛଡ଼ା ଏହା ଉପରେ ଛ’ଗୋଟି ରେଳ ପୋଲ ଅଛି । ଟେମ୍‍ସ୍ ନଦୀ ତଳେ ଯିବାପାଇଁ ଦୁଇଟି ସୁଡ଼ଙ୍ଗ ଅଛି, ଗୋଟିଏ ଉଲ୍‌ଉଇଚ୍‌ଠାରେ, ଅନ୍ୟଟି ଗ୍ରିନ୍‌ଉଇଚ ଠାରେ । ଭୂମିତଳ ରେଳଗାଡ଼ି ପାଇଁ ସେହିଭଳି କେତେଗୁଡ଼ିଏ ସୁଡ଼ଙ୍ଗ ରହିଛି ।

 

ଲଣ୍ଡନରେ ଆମ ରହଣି ହେଉଛି ଚାରିଦିନ, ସେପ୍‌ଟେମ୍ବର ମାସ ଚାରି ତାରିଖଠାରୁ ଆଠ ତାରିଖ ସକାଳ ପର୍ଯ୍ୟନ୍ତ । ଏଥି ଭିତରୁ ଗୋଟିଏ ଓଳି କେମ୍ବ୍ରିଜ୍‌ ବିଶ୍ଵବିଦ୍ୟାଳୟ ଓ ସହର ପାଇଁ ଯିବ । ବାକି ସାଢ଼େ ତିନିଦିନ ଭିତରେ ଲଣ୍ଡନର ଯାବତୀୟ ଦର୍ଶନୀୟ ସ୍ଥାନ ଦେଖିବା କଥା । ଏତେ ଅଳ୍ପଦିନ ଭିତରେ ଲଣ୍ଡନର କ’ଣ ଯେ ଦେଖି ହେବ, ସେଇ ଥାଏ ଆମର ପ୍ରଧାନ ଚିନ୍ତା । ଆମେରିକା ଗଲାବେଳେ ଲଣ୍ଡନ ସହରରେ ଆମେ ଦିନଟାଏ ରହି ବୁଲିଥିଲୁଁ । ତେଣୁ ଲଣ୍ଡନର କିଛି ଅଂଶ ଦେଖିଯାଇଥିଲୁଁ । ବର୍ତ୍ତମାନ ସେହି ସବୁ ଦେଖିଥିବା ସ୍ଥାନକୁ ବାଦ୍‌ଦେଲେ ଚଳିବ ।

 

ବନ୍ଧୁ ହରିବାବୁ ଆମ ଲଣ୍ଡନ ପରିକ୍ରମାର ଏକ ପ୍ରୋଗ୍ରାମ କରିଥାନ୍ତି । କେଉଁଦିନ ଲଣ୍ଡନର କେଉଁ କେଉଁ ଅଂଶ ସୁବିଧାରେ ଦେଖିହେବ, କାହା ପରେ କାହାକୁ ଦେଖିଲେ ସୁବିଧା ହେବ, ବହୁ ଭାବି ଚିନ୍ତି ସେ ଠିକ୍‌ କରିଥାନ୍ତି । ତେଣୁ ଆମର ସେଥିପାଇଁ ଚିନ୍ତା ନ ଥାଏ । ଲଣ୍ଡନ ସହରର ଯେଉଁ ସବୁ ଅଂଶ ଦର୍ଶନ ଯୋଗ୍ୟ, ହରିବାବୁ ସେଗୁଡ଼ିକ ବାଦ ଦେଇ ନ ଥାନ୍ତି ।

 

ହୋଟେଲରେ ପହଞ୍ଚି ନିତ୍ୟକର୍ମ ଶେଷ କରି ବାହାରି ପଡ଼ିଲୁ ରେଷ୍ଟୁରାଣ୍ଟ ଅଭିମୁଖେ । ରେଷ୍ଟୁରାଣ୍ଟରେ ଭଲ ରକମର ଭାରତୀୟ ଖାଦ୍ୟ ଖାଇ ପୂରାପୂରି ବାହାରି ପଡ଼ିଲୁ ସହର ପରିକ୍ରମା ଉଦ୍ଦେଶ୍ୟରେ । ବଡ଼ ଦୁର୍ଭାଗ୍ୟ ସେଦିନ, ହୋଟେଲରୁ ବାହାରିବା ପର୍ଯ୍ୟନ୍ତ ବର୍ଷାକମି ନ ଥାଏ । ମନେ ମନେ ଭାବୁଥାଉଁ ଆଜି ଦିନଟା ବୋଧହୁଏ ସେମିତି ସେମିତି ଯିବ ।

 

ଭାରତୀୟ ରେଷ୍ଟୁରାଣ୍ଟରେ ପେଟେ ଲେଖାଏଁ ଭାତ, ଡାଲି, କୁକୁଡ଼ା ମାଂସ ଝୋଳ ଖାଇଲୁଁ । ଖାଇବାରେ ବଡ଼ ସନ୍ତୋଷ । ଠିକ୍‌ ଆମ ଦେଶ ହୋଟେଲ ଢଙ୍ଗରେ ରନ୍ଧାଯାଇଛି । ମସଲା ମସଲି ତରକାରୀରେ ଢେର । ମାଂସ ଝୋଳରେ ନାଲି ରଙ୍ଗ ଭାସୁଛି । ଦେଖିଲେ ଲୋଭ ସମ୍ଭରଣ କରି ହେବନି । ମଧ୍ୟାହ୍ନ ଭୋଜନ ଶେଷ କରିସାରି ବାହାରୁଛୁଁ, ହରିବାବୁ କହିଲେ— “ଆପଣମାନେ ଲଣ୍ଡନ ଆସିଲେ, ପାନ ଖଣ୍ଡେ କଣ ଖାଇବେନି ?”

 

“ଆଁ, ପାନ, ତାକୁ କ’ଣ ଛାଡ଼ିବା କଥା ? ଓଡ଼ିଆ ଘରର ତ ସେତିକି ବିଶେଷତ୍ଵ । ପାନ ନହେଲେ ଲଣ୍ଡନ ପରିକ୍ରମା ହେଉଛି କେଉଁଠି ?”ରେଷ୍ଟୁରାଣ୍ଟଠାରୁ ଅଳ୍ପ ଦୂରରେ ଗୋଟିଏ ଭାରତୀୟ ପାନ ଦୋକାନ । ପାନ ଖଣ୍ଡିକ ଆଠ ଅଣା । ହେଲେ ଖଣ୍ଡିଏ ଖଣ୍ଡିଏ ଖାଇ ବହୁଦିନର ବାସନା ତୃପ୍ତି କଲୁଁ ।

 

ଲଣ୍ଡନ ପ୍ଲେନିଟେରିୟମ୍‌

 

ହରିବାବୁଙ୍କ ତିଆରି ପ୍ରୋଗ୍ରାମ ଅନୁଯାୟୀ ଟେକ୍‌ସିଟିଏ ଧରି ସିଧା ଚାଲିଲୁଁ ଲଣ୍ଡନ ପ୍ଲେନିଟେରିୟମ୍‌ ଓ ୱାକ୍‌ସ ମିଉଜିୟମ୍‌ ଦେଖି । ଲଣ୍ଡନ ପ୍ଲେନିଟୋରିୟମ୍‌ ପୃଥିବୀ ପ୍ରସିଦ୍ଧ । ଆମେରିକାରେ ବହୁ ପ୍ଲେନିଟୋରିୟମ୍‌ ଓ ତହିଁର ନାନା ପ୍ରକାର ସୋ ଦେଖିଥିଲେ ହେଁ ଲଣ୍ଡନ ପ୍ଲେନିଟେରିୟମ୍‌ଟା ଶେଷଥର ପାଇଁ ଦେଖିନେବା ଉଚିତ । ଏହାପରେ ହୁଏତ ପ୍ଲେନିଟୋରିୟମ ଦେଖିବାକୁ ଆଉ ସୁଯୋଗ ଜୁଟି ନ ପାରେ । ଆମେ ସମସ୍ତେ ପ୍ଲେନିଟେରିୟମ୍‌ରେ ଗୋଟାଏ ସୋ ଦେଖିବାପାଇଁ ଟିକଟ କାଟି ଭିତରକୁ ପଶିଲୁଁ । ସେ ଦିନର ସୋ’ଟି ବେଶ୍‌ ଚିତ୍ତାକର୍ଷକ ଥିଲା ।

 

ୱାକ୍‌ସ୍‌ମିଉଜିୟମ୍‌

 

ପ୍ଲେନିଟେରିୟମ୍‌ ଦେଖିସାରି ପ୍ଲେନିଟେରିୟମ୍‌କୁ ଲାଗି ୱାକ୍‌ସ ମିଉଜିୟମ୍‌ ଦେଖି ଗଲୁଁ । ପ୍ଲେନିଟେରିୟମ୍‌ ଓ ୱାକ୍‌ସ ମିରିଜିୟମ୍‌ଏ ଦୁଇଟିକୁ ଦେଖିବା ପାଇଁ ଗୋଟିଏ ଟିକଟର ବନ୍ଦୋବସ୍ତ ଥାଏ । ଆମେ ସମସ୍ତେ ଗୋଟାଏ ଲେଖାଏଁ ଟିକଟ କରିଥାଉଁ । ତେଣୁ ପ୍ଲେନିଟୋରିୟମ୍‌ର ସୋ ସରିଯିବା ପରେ ସିଧା ଚାଲିଲୁଁ ୱାକ୍‌ସ ମିଉଜିୟମ୍‌ । ଆମେରିକାରେ ୱାକ୍‌ସ ମିଉଜିୟମ୍‌ ଭଳି ଲଣ୍ଡନ ୱାକ୍‌ସ ମିଉଜିୟମ ପୃଥିବୀ ପ୍ରସିଦ୍ଧ । ଏଠାରେ ଏତେ ଲୋକଙ୍କର ୱାକ୍‌ସ ବା ମହମରୁ ତିଆରି ମୂର୍ତ୍ତି ରହିଛି ଯେ ସେହି ମୂର୍ତ୍ତି ଜୀବନ୍ତ କି ନିର୍ଜୀବ ଜାଣିବା କଷ୍ଟକର । ପୃଥିବୀର ବଡ଼ ବଡ଼ ନେତା, ରାଜନୀତିଜ୍ଞ, ଶାସକ, ପ୍ରଧାନମନ୍ତ୍ରୀ, ପ୍ରେସିଡେଣ୍ଟ ଆଦିଙ୍କ ପ୍ରତିମୂର୍ତ୍ତି ମହମରୁ ତିଆରି ହୋଇ ରହିଛି । ଦେଖିଲେ ଯେ କେହି ଲୋକ କହିବ ମୂର୍ତ୍ତିଗୁଡ଼ିକ ଜୀବନ୍ତ, ସତେ ଯେମିତି କଥା କହି ପକାଇବେ । ଆମ ଦେଶର ମହାତ୍ମାଗାନ୍ଧି, ଜବାହରଲାଲ ନେହେରୁଙ୍କ ମହମ ପ୍ରତିକୃତି ଦେଖିଲୁଁ । ବଡ଼ ଚମତ୍କାର ଲାଗିଲା ଆମକୁ । ବହୁ ବଞ୍ଚିଥିବା ଲୋକଙ୍କର ପ୍ରତିକୃତି ମଧ୍ୟ ସେଠି ରହିଛି । ପ୍ରକୃତ ଲୋକ ଓ ପ୍ରତିମୂର୍ତ୍ତି ଏହି ଦୁଇଟି ଭିତରେ ପାର୍ଥକ୍ୟ ବାରିବା ଅତୀବ କଷ୍ଟକର । ଭାରି ଭଲଲାଗିଲା ଏହି ମିଉଜିୟମ୍‌ଟି ଆମକୁ । ହରିବାବୁ ପୁରୀ ପଣ୍ଡାଙ୍କ ଭଳି ଆମକୁ ସବୁ ବୁଝାଇ ଚାଲିଥାନ୍ତି ।

 

ପିକାଡ଼ିଲି ସାର୍‌କାସ

 

ମିଉଜିୟମ୍‌ ଦେଖି ସାରିଲା ବେଳକୁ ପ୍ରାୟ ସନ୍ଧ୍ୟା । ସନ୍ଧ୍ୟାବେଳେ ପାଖର ଏକ ରେଷ୍ଟୁରାଣ୍ଟରୁ ସାମାନ୍ୟ ଚା’ ଜଳଖିଆ ଖାଇ ରାତିରେ ଲଣ୍ଡନ ସହର ଦେଖି ଉପଭୋଗ କରିବା ଉଦ୍ଦେଶ୍ୟରେ ବାହାରି ପଡ଼ିଲୁଁ । ସନ୍ଧ୍ୟାବେଳେ ଲଣ୍ଡନର ସବୁଠାରୁ ଆନନ୍ଦଦାୟକ ସ୍ଥାନ ହେଉଛି ପିକାଡ଼ିଲି ସାରକାସ୍‌, ଲଣ୍ଡନ ନଗରୀର ଏକ ବିଶିଷ୍ଟ ଛକ । ତେଣୁ ସେଇଠାରୁ ଟିଉବ୍‌ ଦେଇ ପିକାଡ଼ିଲି ସାରକାସ୍‌କୁ ଯିବା ଠିକ୍‌ କଲୁଁ । ଅବଶ୍ୟ ଦୁଇ ତିନୋଟି ଯାଗାରେ ଟିଉବ୍‌ଟ୍ରେନ ବଦଳାଇବାକୁ ପଡ଼ିଲା । ହରିବାବୁଙ୍କୁ ସେ ସବୁ ରାସ୍ତା ମୁଖସ୍ତ ଥିଲାଭଳି ଜଣା ପଡ଼ୁଥାଏ । ତେଣୁ ପିକାଡ଼ିଲି ସାର୍‌କାସ୍‌ରେ ପହଞ୍ଚିବାକୁ ବେଶି ଡେରି ଲାଗିଲାନି ।

 

ଆମେ ଆମେରିକାର ବହୁ ଭୂମିତଳ ରେଳଗାଡ଼ିରେ ଯା’ଆସ କରିଛୁଁ । ଲଣ୍ଡନର ଭୂମିତଳ ରେଳଗାଡ଼ି ଭାରି ଭଲ ଲାଗିଲା । ଷ୍ଟେସନଗୁଡ଼ିକ ବେଶ୍‌ ପ୍ରଶସ୍ଥ, ଭିତରକୁ ଯିବାପାଇଁ ଗତିଶୀଳ ପାହାଚଗୁଡ଼ିକ ବେଶ୍‌ ସକ୍ରିୟ । ଖୁବ୍‌ବେଗରେ ଟ୍ରେନଗୁଡ଼ିକ ଗତିକରେ । ଟ୍ରେନ ଭିତରେ ବସିବା ସିଟ୍‌ଗୁଡ଼ିକ ବେଶ୍‌ ସୁନ୍ଦର ଓ ଆରାମଦାୟକ ।

 

ପିକାଡ଼ିଲି ସାରକାସ ତଳେ ଟିଉବ ଷ୍ଟେସନ । ଲଣ୍ଡନର ବଡ଼ ଓ କାର୍ଯ୍ୟକ୍ଷମ ଭୂମିତଳ ଷ୍ଟେସନ ଭିତରୁ ଏହା ଗୋଟିଏ । ତେଣୁ ଟିଉବ୍‌ ଷ୍ଟେସନରେ ପହଞ୍ଚିବା କ୍ଷଣି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲୁଁ-। ସେଠାରୁ ଗତିଶୀଳ ପାହାଚ ଦେଇ ଉପରକୁ ଆସିଲୁଁ । ଉପରକୁ ଆସିବା କ୍ଷଣି ପଡ଼ିଲା ପିକାଡ଼ିଲି ସାରକାସ୍‌, ଅସଂଖ୍ୟ ପ୍ରକାର ଆଲୋକ ମାଳାରେ ଛକଟି ଦିନ ଭଳି ଆଲୋକିତ-। ସାରା ରାଜ୍ୟଗୋଷ୍ଠୀର ଫେସନ, ଆଭିଜାତ୍ୟର କେନ୍ଦ୍ର ହେଲା ଏହି ସାରକାସ୍‌ । ଏହି ସ୍ଥାନର ମଧ୍ୟ ସ୍ଥଳରେ ଏକ ସୁନ୍ଦର ଝରଣା ଓ ସେଥି ସହ ଗ୍ରୀକ୍‌ଦେବତା ଏରସ୍‌ଙ୍କର ନ’ଫୁଟ୍‌ ଉଚ୍ଚା ଏକ ପ୍ରତିମୂର୍ତ୍ତି ରହିଛି-। ଲଣ୍ଡନର ସବୁଠାରୁ ବଡ଼ ଜନହିତୈଷୀ ସପ୍ତମ ଆର୍ଲ ଅଫ୍‌ସାଫ୍‌ଟସ୍‌ବରୀଙ୍କ ଅମର ସ୍ମୃତି ଉଦ୍ଦେଶ୍ୟରେ ଏହା ତିଆରି ହୋଇଥିଲା ୧୮୯୩ ମସିହାରେ ଆଲ୍‌ଫେଡ୍‌ଗିଲବର୍ଟଙ୍କ ଦ୍ଵାରା-। ବହୁବର୍ଷ ଧରି ଏଠାରେ ଫୁଲବିକାଳୀ,ଯୋତା ରଙ୍ଗକଲାବାଲାମାନେ ଏଠାରେ ଗହଳି କରି ଆସୁଥିଲେ, ଏବେ ଅବଶ୍ୟ ଢେର କମି ଗଲାଣି । ପିକାଡ଼ିଲି, ରିଜ୍‌, ଆଦି ଅତି ବଡ଼ ବଡ଼ ହୋଟେଲରେ ଏହି ସ୍ଥାନଟି ଭରା । ଏହି ସ୍ଥାନର କ୍ରାଇଟେରିୟନ ଥିଏଟର, ବଡ଼ ବଡ଼ ରେଷ୍ଟୁରାଣ୍ଟ ଓ ନାଇଟ୍‌ କ୍ଲବ୍‌ ଅତି ପ୍ରସିଦ୍ଧ ।

 

ପିକାଡ଼ିଲି ସାରକାସଠାରୁ ହାଇଡ଼୍‍ ପାର୍କ କୋଣ ପର୍ଯ୍ୟନ୍ତ ଅତ୍ୟନ୍ତ ବିଳାସପୂର୍ଣ୍ଣ ଆଭିଜାତ୍ୟ ଭରା ରାସ୍ତା । ଏହି ରାସ୍ତାର ଉତ୍ତରଦିଗକୁ ବରଲିଙ୍ଗଟନ୍‌ ହାଉସ, ରୟେଲ ସୋସାଇଟି, ରୟାଲ ଏକାଡ଼େମି ଆଦିର ପ୍ରଧାନ କାର୍ଯ୍ୟାଳୟ ମଧ୍ୟ ଏଇଠି । ପିକାଡ଼ିଲି ସାରକାସ୍‌ଠାରୁ ଅକ୍‍ସଫୋର୍ଡ଼ ଷ୍ଟ୍ରୀଟ୍‌କୁ ଯୋଗ କରୁଥିବା ବଣ୍ଡ ଷ୍ଟ୍ରୀଟ୍‌ ବଡ଼ ବଡ଼ ଦୋକାନରେ ପୂର୍ଣ୍ଣ । ଲଣ୍ଡନର ବଡ଼ ବଡ଼ ଗହଣା ଗାଣ୍ଠି ଦୋକାନ ଓ ଡିପାର୍ଟମେଣ୍ଟାଲ ଷ୍ଟୋର ଏହି ଷ୍ଟ୍ରୀଟରେ । ପିକାଡ଼ିଲି ସାର୍‌କାସ୍‌ଠାରୁ ରିଜେଣ୍ଟ୍‌ଷ୍ଟ୍ରୀଟ୍‌ ଆରମ୍ଭ ହୋଇ ଅକ୍‍ସଫୋର୍ଡ଼ ଷ୍ଟ୍ରୀଟ୍‌ଆଡ଼କୁ ଯାଇଛି । ଏହାକୁ ଲାଗି ଠିଆହୋଇଛି B.B.C.ର ବାର୍ତ୍ତାପ୍ରେରକ ଅଫିସ୍‌ । ଲଣ୍ଡନର ସବୁଠାରୁ ଲୋକପ୍ରିୟ ବଜାର ହେଲା ଅକ୍‍ସଫୋର୍ଡ଼ ଷ୍ଟ୍ରୀଟ୍‌ । ସବୁଠାରୁ ବଡ଼ ବଡ଼ ଡିପାର୍ଟମେଣ୍ଟାଲ୍‌ ଷ୍ଟୋରସ୍‌ ଏହି ଷ୍ଟ୍ରୀଟରେ । ଏହାର ପଶ୍ଚିମ ପାଖରେ ରହିଛି ମାର୍ବଲ ଅର୍ଚ୍ଚ, ରୋମ୍‌ର ଅର୍ଚ୍ଚ ଅଫ୍‌କନ୍‌ଷ୍ଟାନ୍‌ଟିନ୍‌ର ଅନୁକରଣରେ ତିଆରି । ଏହା ଆଗରୁ ବକିଙ୍ଗହାମ୍‌ ରାଜପ୍ରସାଦ ସମ୍ମୁଖରେ ଥିଲା । ସେଠାରୁ ଏହା ୧୮୫୦ ମସିହାରେ ସ୍ଥାନାନ୍ତରିତ ହୋଇ ଏଠାକୁ ଆସିଛି । ମାର୍ବଲ ଅର୍ଚ୍ଚକୁ ଲାଗି ପୃଥିବୀ ପ୍ରସିଦ୍ଧ ହାଇଡ଼୍‍ ପାର୍କ ।

 

ପିକାଡ଼ିଲିର ଦକ୍ଷିଣକୁ ପଲମଲ ଓ ମଲ୍‌ ରାସ୍ତାଦ୍ୱୟ ମଧ୍ୟରେ କ୍ଳବଲେଣ୍ଡ୍‌ ଅବସ୍ଥିତ । ମଲ୍‌ରାସ୍ତାଟି ଅତି ପ୍ରଶସ୍ଥ, ଏହା ଟ୍ରାଫାଲଗାର ସ୍କୋୟାରକୁ ବକିଙ୍ଗହମ ରାଜପ୍ରାସାଦ ସହିତ ସଂଯୋଗ କରୁଛି । ଏହି ରାସ୍ତାଟି ମହାରାଣୀ ଭିକ୍ଟୋରିଆଙ୍କ ସମୟରେ ତିଆରି ହୋଇଥିଲା । ଏହି ମଲ୍‌ରାସ୍ତାର ଉତ୍ତର ଦିଗରେ ସେଣ୍ଟ୍‌ଜେମସ୍‌ ରାଜପ୍ରସାଦ ଅବସ୍ଥିତ । ସେଣ୍ଟ୍‌ଜେମସ୍‌ ରାଜପ୍ରାସାଦ ଆଜି ଯେଉଁଠି ଅବସ୍ଥିତ, ଦ୍ଵାଦଶ ଶତାବ୍ଦୀରେ ସେଠି କୁଷ୍ଠରୋଗୀମାନଙ୍କ ପାଇଁ ଏକ ହସପିଟାଲ ଥିଲା । ଅଷ୍ଟମ ହେନେରୀଙ୍କ ସମୟରେ ଏହି ହସପିଟାଲ ଭଙ୍ଗାଯାଇ ତା’ ସ୍ଥାନରେ ଏହି ପ୍ରାସାଦ ତିଆରି ହେଲା । ସମ୍ରାଟ୍‌ ଚତୁର୍ଥ ଉଇଲିୟମ୍‌ ଏଠି ବସବାସ୍‌ କରୁଥିଲେ । ଏହା ନିକଟରେ ଥିବା ମାଲର୍ବରୋ ହାଉସ୍‌ସାର କ୍ରିଷ୍ଟୋଫର ରେନ୍‌ଙ୍କ ଦ୍ଵାରା ନକ୍‌ସା କରାହୋଇ ତିଆରି ହୋଇଥିଲା, ଡିଉକ୍‌ ଅଫ୍‌ ମାର୍ଲବରୋଙ୍କ ରହିବା ପାଇଁ । ସେହିଦିନରୁ ବହୁ ବର୍ଷ ପର୍ଯ୍ୟନ୍ତ ଏହି ପ୍ରାସାଦରେ ବହୁ ରାଜା ରହି ଆସିଛନ୍ତି ।ଅଷ୍ଟମ ହେନେରୀ ଯେତେବେଳେ ଏହି ହସ୍‌ପିଟାଲକୁ ନିଜ ଦଖଲକୁ ଆଣିଲେ, ହସ୍‌ପିଟାଲକୁ ଲାଗି ରହିଥିବା ପଡ଼ିଆକୁ ସେ ଏକ ଉଦ୍ୟାନରେ ପରିଣତ କଲେ । ତାହା ହିଁ ହେଉଛି ଆଜି କାଲିକାର ସେଣ୍ଟ୍‌ ଜେମସ୍‌ ପାର୍କ ।

 

ପିକାଡ଼ିଲି ସାରକାସ୍‌ରେ ବହୁ ସମୟ ବୁଲାବୁଲି କରି ନାନା ଦୋକାନ ପତ୍ରର ବାହାର ସାଜସଜ୍ଜା ଦେଖିଲୁଁ । ସେତେବଳକୁ ସବୁ ବଡ଼ ବଡ଼ ଦୋକାନ ପ୍ରାୟ ବନ୍ଦ ହୋଇଗଲାଣି । ପିକାଡ଼ିଲି ସାରକାସ୍‌ବଡ଼ ବଡ଼ ପ୍ରସିଦ୍ଧ ନାଇଟ୍‌କ୍ଲବ, ନାଚ ଘର, ସିନେମା ଘର, ସିନେମା ଘର, ଥିଏଟର ଆଦି ପାଇଁ ପ୍ରସିଦ୍ଧ । କିଛି ସମୟ ବୁଲାବୁଲି କରି ସେଇ ରାତିରେ ପିକାଡ଼ିଲି ସାରକାସ୍‌ର କେତୋଟି ଫଟୋ ଉଠାଇ ହୋଟେଲକୁ ଫେରିଲୁ ।

 

ତହିଁ ପରଦିନ । ସେପ୍‌ଟେମ୍ବର ମାସ ୫ ତାରିଖ । ହରିବାବୁ ଖୁବ୍‌ ସକାଳୁ ଆସି ଆମ ହୋଟେଲରେ ହାଜର । ସେ ଦିନର ପ୍ରୋଗ୍ରାମ ଆଗରୁ ଠିକ୍‌ ହୋଇଥାଏ । ସକାଳ ପ୍ରାତଃକର୍ମ ଶେଷ କରି ହୋଟେଲରୁ ଜଳଖିଆ ଖାଇ ସହର ପରିକ୍ରମା ପାଇଁ ବାହାରି ପଡ଼ିଲୁ । ସବୁଦିନ ଭଳି ସେ ଦିନର ପ୍ରୋଗ୍ରାମ ବେଶ୍‌ ଭିଡ଼ । ସେ ଦିନ ଆମେ ହୋଟେଲରୁ ବାହାରି ପ୍ରଥମେ ଚାଲିଲୁଁ ସିଧା ବକିଙ୍ଗ ହାମ୍‌ ରାଜପ୍ରାସାଦ ଦେଖି ।

 

ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ

 

ବ୍ରିଟିଶ ସାମ୍ରାଜ୍ୟର ସମ୍ରାଟ ଓ ସାମ୍ରାଜ୍ଞୀମାନଙ୍କର ଲଣ୍ଡନସ୍ଥ ବାସଭବନ ଭାବରେଅତି ପ୍ରସିଦ୍ଧିଲାଭ କରିଛି । ଏହି ପ୍ରାସାଦଟି ପ୍ରାୟ ଅଢ଼େଇ ଶହ ବର୍ଷ ତଳେ ତିଆରି ହୋଇଥିଲା ଜଣେ ଓଲନ୍ଦାଜ ଇଞ୍ଜିନିୟରଙ୍କ ଦ୍ଵାରା ବକିଙ୍ଗହାମ୍‌ର ଡିଉକ୍‌ ଜନ୍‌ସେଫିଲ୍‌ଡଙ୍କ ପାଇଁ । ଇଂଲଣ୍ଡର ରାଜା ତୃତୀୟଜର୍ଜ ଏହାକୁ ୧୭୬୨ ମସିହାରେ ସାଢ଼େ ପାଞ୍ଚଲକ୍ଷ ଟଙ୍କାରେ କ୍ରୟ କରିଥିଲେ । କିଣିସାରି ଏହାକୁ ୧୮୨୫-୩୬ ମସିହା ଭିତରେ ପାଲଡିଏନ୍‌ ଷ୍ଟାଇଲରେ ତିଆରି କରାଇଥିଲେ । ଏହି ନୂତନ ଷ୍ଟାଇଲରେ ତିଆରି କରିବାର ଦାୟିତ୍ୱ ଥିଲା ନାସ୍‌ଙ୍କ ଉପରେ । ୧୮୪୬-୪୭ ମସିହା ଭିତରେ ଏଥିରେ କେତେଗୁଡ଼ିଏ ନୂଆଘର ତିଆରିହୋଇ ଯୋଗ ହୋଇଥିଲା । ଏହି ତିଆରି ଦାୟିତ୍ଵରେ ଥିଲେ ଜେମସ୍‌ବ୍ଲୋର୍‌ । ୧୮୫୬ ମସିହାରେ ଏଥିସହିତ ଏକ ପ୍ରକାଣ୍ଡ ନାଚଘର (Ballroom) ତିଆରି ହୋଇ ସଂଯୁକ୍ତ ହୋଇଥିଲା । ଏହି ଘରର ଲମ୍ବ ପ୍ରାୟ ୧୧୧ ଫୁଟ, ଓସାର ୬୦ ଫୁଟ । ୧୯୧୩ ମସିହାରେ ଏହାର ସମ୍ମୁଖ ଅଂଶ ବଦଳାଯାଇ ନୂଆ ଭାବରେ ନିର୍ମିତ ହୋଇଥିଲା । ସାର୍‌ ଏଷ୍ଟନ୍‌ୱେବ୍‌ ଏହା ଦାୟିତ୍ଵରେ ଥିଲେ । ପୋର୍ଟଲେଣ୍ଡ ପଥର ଦ୍ଵାରା ଏହା ରିନାଇସେନସ୍‌ ଷ୍ଟାଇଲରେ ତିଆରି ହୋଇଥିଲା ।

 

ଏହି ପ୍ରାସାଦର ସିଂହାସନ କକ୍ଷ, ଡ୍ରଇଁ ରୁମ, ପିକ୍‌ଚର ଗ୍ୟାଲେରୀ ଆଦି ଦର୍ଶନୀୟ ସ୍ଥାନ-। ଏହି ବିରାଟ ପିକଚର ଗ୍ୟାଲେରୀର ଲମ୍ବା ୧୮୦ଫୁଟ, ଓସାର ପ୍ରାୟ ୨୬ ଫୁଟ । ଇଂରେଜ, ଓଲନ୍ଦାଜ, ଫରାସୀ କଳାକାରମାନଙ୍କର ବହୁ ଦୁର୍ମୂଲ୍ୟ ଚିତ୍ର ଏଥିରେ ରହିଛି । ରେନୋଲ୍‌ଡ, ଉଇଲକି, ଲେଲି, ରେମ୍‌ ବ୍ରାନଡଟ, ରୁବେନ୍‌ସ, କ୍ଲଡଗେଲିଓ ୱାଟିଆ ଓ ଆଦି ପୃଥିବୀର ବିଶିଷ୍ଟ କଳାକାରମାନଙ୍କର ବହୁ ଦୁର୍ମୂଲ୍ୟ ଚିତ୍ର ଏଠାରେ ଦେଖିବାକୁ ମିଳେ । ଏହି ସବୁ ଚିତ୍ର ଚତୁର୍ଥ ଜର୍ଜ ସଂଗ୍ରହ କରିଥିଲେ ।

 

ମହାରାଣୀ ଭିକ୍ଟୋରିଆଙ୍କ ଅମଳରୁ ଏହା ଇଂରେଜ ରାଜା ଓ ସମ୍ରାଟମାନଙ୍କର ଲଣ୍ଡନ ବାସଭବନ ଭାବରେ ବ୍ୟବହୃତ ହେଉଛି । ଏହି ରାଜପ୍ରାସାଦରେ ସପ୍ତମ ଏଡୱାର୍ଡ ୧୮୪୧ ମସିହାରେ ଜନ୍ମଲାଭ କରିଥିଲେ ଓ ୧୯୧୦ ମସିହାରେ ଦେହତ୍ୟାଗ କରିଥିଲେ ।

 

ଦ୍ଵିତୀୟ ମହାସମର ବେଳେ ଏହି ରାଜପ୍ରାସାଦରେ ନଅ ଥର ବୋମା ପଡ଼ିଥିଲା । ଏହି ବୋମା ପଡ଼ି ବା ଫଳରେ ଏହାର ବହୁ ଅଂଶ ଓ ସନ୍ତରଣ ପୁଷ୍କରିଣୀଟି ଧ୍ଵସ୍ତବିଧ୍ଵସ୍ତ ହୋଇ ଯାଇଥିଲା ।

 

ବିଲାତର ବଡ଼ ବଡ଼ ପର୍ବପର୍ବାଣୀରେ ରାଜା, ରାଣୀ ଓ ରାଜପରିବାରର ଲୋକେ ଏହାର ଉପର ବାଲକୋନିରେ ଦେଖା ଦିଅନ୍ତି । ରାଜପ୍ରାସାଦକୁ ଲାଗି ପ୍ରାୟ ଚାଳିଶ ଏକର ଆୟତନ ଯାଗାରେ ଏକ ବିରାଟ ବଗିଚା ଅଛି । ଏହା ଭିତରେ ଛୋଟ ହ୍ରଦଟିଏ ଅଛି । ରାଜାଙ୍କ ଦ୍ଵାରା ପ୍ରଦତ୍ତ ଗାର୍ଡନ ପାର୍ଟି ଆଦି ସାଧାରଣତଃ ଏହିଠାରେ ହୁଏ ।

 

ଏହି ବିରାଟ ତ୍ରିତଳ ପ୍ରାସାଦ ଓ ଏହା ସମ୍ମୁଖସ୍ଥ ମହାରାଣୀ ଭିକ୍ଟୋରିଆଙ୍କର ଏକ ସୁନ୍ଦର ବିରାଟ ମାର୍ବଲ ପଥର ମୂର୍ତ୍ତି ସ୍ଥାନର ସୌନ୍ଦର୍ଯ୍ୟକୁ ଅତୀବ ମନୋହର କରିଥାଏ । ସାର ଏଷ୍ଟନ ୱେବଙ୍କ ନକସାରୁ ଏହାକୁ କରାଇଥିଲେ । ସାର୍‌ ଟମାସ୍‌ବ୍ରକ । ଆମେ ଗୋଟିଏ ଟେକ୍‌ସିରେ ଯାଇ ଏହି ମୂର୍ତ୍ତି ପାଖରେ ପହଞ୍ଚି ଟେକ୍‌ସିକୁ ବିଦାୟ କରିଦେଲୁ । ଭିକ୍ଟୋରିଆଙ୍କ ମୂର୍ତ୍ତି ଚାରିପାଖରେ ସୁନ୍ଦର ସୁନ୍ଦର ଫୁଲ ବଗିଚା । ନାନା ରଙ୍ଗର ଋତୁକିଆ ଫୁଲରେ ଚାରିପାଖ ଭରି ଯାଇଛି । ପ୍ରାସାଦର ଠିକ ସାମନା ସାମନି ରହିଛି ଏହି ବିରାଟ ମୂର୍ତ୍ତିଟି । ଆମେ ଭିକ୍ଟୋରିଆଙ୍କ ମୂର୍ତ୍ତି ଚାରିପାଖରେ କିଛି ସମୟ ବୁଲାବୁଲି କରି ଏହାର କେତେଗୁଡ଼ିଏ ଫଟୋ ନେଲୁଁ । ଏହିଠାରୁ ବକିଙ୍ଗହାମ୍‌ ପ୍ରାସାଦ ଅତି ସୁନ୍ଦର ଦିଶେ । ବକିଙ୍ଗହାମ୍‌ ପ୍ରାସାଦ ଭିତରକୁ ସାଧାରଣଙ୍କୁ ଛାଡ଼ି ଦିଆଯାଏନି । ପ୍ରତିଦିନ ସକାଳ ଏଗାରଟାବେଳେ ଏଠାରେ ଗାର୍ଡ଼ମାନଙ୍କର ଯେଉଁ ପରିବର୍ତ୍ତନ ପର୍ବ ପାଳିତ ହୁଏ, ତାହା ଦେଖିବାର କଥା । ଏହି ପର୍ବ ଦେଖିବା ପାଇଁ ଲଣ୍ଡନର ନାନା ଆଡ଼ୁ ବହୁଲୋକ ପ୍ରତିଦିନ ଏଠାକୁ ଆସନ୍ତି । ଆମେ ମଧ୍ୟ ସେହି ପର୍ବ ଦେଖିବା ପାଇଁ ସଅଳ ସଅଳ ଆସିଥିଲୁଁ; କିନ୍ତୁ ବାଟରେ ଡେରି ହୋଇଗଲାରୁ ଆମେ ପହଞ୍ଚିଲା ବେଳକୁ ଏହି ପର୍ବ ସରିଗଲାଣି । ଆମେ ଯେତେବେଳେ ଟ୍ରାଫାଲଗାର ସ୍କୋୟାରରୁ ଏହି ପ୍ରାସାଦ ଅଭିମୁଖେ ଆସୁଥିଲୁ, ଦେଖିଲୁ ଏହି ଗାର୍ଡମାନେ ଏଠି ବଦଳ ଶେଷ କରି ଫେରି ଯାଉଛନ୍ତି । ପ୍ରାସାଦ ପାଖରେ ପହଞ୍ଚିଲା ବେଳକୁ ବଦଳି ସମୟର ଗହଳି ମଧ୍ୟ ଭାଙ୍ଗିଗଲାଣି । ରାଜା କି ରାଣୀ ଯେତେବେଳେ ବକିଙ୍ଗହାମ୍‌ ପ୍ରାସାଦରେ ଥାଆନ୍ତି, ସେତେବେଳେ ଏହି ବଦଳ ଏଠି ହୁଏ, ଯେତେବେଳେ ସେମାନେ ଲଣ୍ଡନ ବାହାରେ ଥାନ୍ତି, ଏହି ଅଦଳ ବଦଳ ଏଠି ନ ହୋଇ ସେଣ୍ଟ ଜେମସ୍‌ ପ୍ରାସାଦ ସମ୍ମୁଖରେ ହୁଏ । ବକିଙ୍ଗହାମ୍‌ ପ୍ରାସାଦ ତିଆରି ହେବା ପୂର୍ବରୁ ଇଂଲଣ୍ଡର ରାଜା, ରାଣୀ ଓ ତାଙ୍କ ପରିବାର ଯଥାକ୍ରମେ ୱେଷ୍ଟ ମିନିଷ୍ଟର ପ୍ରାସାଦ, ହ୍ୱାଇଟ୍‌ ହଲ ପ୍ରାସାଦ ଓ ସେଣ୍ଟ ଜେମସ୍‌ ପ୍ରାସାଦରେ ରହୁଥିଲେ ।

 

ଲଣ୍ଡନର ନନ୍ଦନକାନନ-ସେଣ୍ଟଜେମସ୍‌ପାର୍କ

 

ବକିଙ୍ଗହାମ୍‌ ପ୍ରାସାଦର କେତୋଟି ସ୍ଥିର ରଙ୍ଗୀନ ଚିତ୍ର ଓ କିଛି ଚଳଚିତ୍ର ଉଠାଇ ଏଠାରୁ ଆମେ ଚାଲିଲୁ ନିକଟବର୍ତ୍ତୀ ସେଣ୍ଟ ଜେମ୍‌ସ ପାର୍କ ଆଡ଼େ । ଲଣ୍ଡନର ସୁନ୍ଦର ସୁନ୍ଦର ପାର୍କ ଭିତରୁ ଏହା ଗୋଟିଏ । ଏହା ଏକ ପ୍ରକାଣ୍ଡ ପାର୍କ, ଆକାରରେ ପ୍ରାୟ ୯୩ ଏକରହେବ ଓ ଏଥିଭିତରେ ଥିବା କୃତ୍ରିମ ହ୍ରଦଟି ପ୍ରାୟ ୫ ଏକର ପରିମିତ ସ୍ଥାନ ଦଖଲ କରି ରହିଛି । ଏହି ହ୍ରଦ ଉପରେ ଗୋଟିଏ ଅତି ସୁନ୍ଦର ପୋଲ ଅଛି । ଏହା ୧୮୫୭ ମସିହାରେ ତିଆରି ହୋଇଥିଲା । ଅସଂଖ୍ୟ ପ୍ରକାର ଫୁଲରେ ପାର୍କଟି ଛାଇହୋଇ ଯାଇଥାଏ । ପାର୍କର ମଝିରେ କୃତ୍ରିମ ହ୍ରଦଟି । ହ୍ରଦ କୂଳ ଓ ଏଥିରେ ଥିବା ରାସ୍ତାର ଦୁଇପାଖ ନାନାପ୍ରକାର ଫୁଲରେ ଭରି ଯାଇଥାଏ, ମନେ ହେଉଥାଏ ସତେ ଯେମିତି ଏହା ଏକ ସ୍ଵପ୍ନପୁରୀ । ଏହି ପାର୍କଟି ଏତେ ମନୋରମ ଯେ ପାର୍କ ଭିତରେ କିଛି ସମୟ ବୁଲିଲେ ମନ ଖୁସି ହୋଇଯାଏ । ସେଣ୍ଟ ଜେମସ୍‌ପାର୍କ ଭିତରୁ ଓ ହ୍ରଦ କୂଳରୁ ମହାରାଣୀ ଭିକ୍ଟୋରିଆଙ୍କ ସ୍ମୃତିସ୍ତମ୍ଭ ଅତି ସୁନ୍ଦର ଦିଶେ । ସେଥି ସହ ବକିଙ୍ଗହାମ୍‌ ରାଜପ୍ରାସାଦ ବି । ସ୍ଥିର ଓ ଚଳଚିତ୍ର କେମେରା ସାହାଯ୍ୟରେ ଏହି ସ୍ଥାନଗୁଡ଼ିକର ସୁନ୍ଦର ସୁନ୍ଦର ଦୃଶ୍ୟର ଫଟୋ ନ ନେଇ ରହି ପାରିଲୁନି ।

 

ଇତିହାସ ପ୍ରସିଦ୍ଧ ଟ୍ରାଫାଲଗାର ସ୍କୋୟାର

 

ସେଣ୍ଟ ଜେମସ୍‌ପାର୍କରୁ ବାହାରି ଆମେ ଆସିଲୁ ଟ୍ରାଫାଲଗାର ସ୍କୋୟାର ଆଡ଼େ ‘ମଲ’ ରାସ୍ତା ଦେଇ । ଟ୍ରାଫାଲଗାର ସ୍କୋୟାରଲଣ୍ଡନ ସହରର ଏକ ପ୍ରସିଦ୍ଧ ଯାଗା । ପିକାଡ଼ିଲି ସାରକାସ୍‌ରୁ ଟ୍ରାଫାଲଗାର୍‌ ସ୍କୋୟାରକୁ ଆସିବାକୁ ହେଲେ ସୁପ୍ରସିଦ୍ଧ ରିଜେଣ୍ଟ ଷ୍ଟ୍ରୀଟ୍‌ ଦେଇ ଆସିହୁଏ । ପିକାଡ଼ିଲି ସାରକାସ୍‌ଠାରୁ ଟ୍ରାଫାଲ୍‌ଗାର୍‌ ସ୍କୋୟର ବେଶି ଦୂର ନୁହେଁ । ସୁପ୍ରସିଦ୍ଧ ଚେରିଙ୍ଗ କ୍ରସ୍‌ର ଦକ୍ଷିଣକୁ ଏହା ଅବସ୍ଥିତ ।

 

ଟ୍ରାଫାଲଗାର ସ୍କୋୟାର ଲଣ୍ଡନ ସହରଭିତରେ ଏକ ପ୍ରସିଦ୍ଧ ଯାଗା । ବ୍ରିଟିଶ ସରକାର ବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଯଦି କିଛି ମିଟିଂ କରିବା ଦରକାର ପଡ଼େ, ତେବେ ତାହା ସାଧାରଣତଃ ଏହିଠାରେ ହୋଇଥାଏ । ଏଠାକାର ହଜାର ହଜାର ପାରାପାଇଁ ଏହି ସ୍ଥାନଟି ପ୍ରସିଦ୍ଧ । ଦିନବେଳେ ଯେତେବେଳେ ଯିବ, ଏଠି ଅସଂଖ୍ୟ ପାରା ଦେଖିବ । ପାରାଗୁଡ଼ିକ ମଣିଷର ଏତେ ଦେହଘଷା ହୋଇଗଲେଣି ଯେ, ସେମାନେ ଭୟକରି ପଳେଇଯିବେନି । ଖାଇବା ପଦାର୍ଥ ହାତରେ ଧରି ଦେଖାଅ, ସେମାନେ ହାତ ଉପରେ ବସି ଖାଦ୍ୟ ପଦାର୍ଥ ଖାଇବେ । ଗୋଟିଏ ପାରା ଆସି ତୁମ ହାତରେ ବସିଲେ, ଆଉ କେତୋଟି ପାରା ଖାଇବା ଆଶାରେ ତୁମ ମୁଣ୍ଡ, କାନ୍ଧ, ଦେହ ଉପରେ ବସିଯିବେ । ପ୍ରତିଦିନ ଶହ ଶହ ଲୋକ ଖାଦ୍ୟ ଦେଇ ପାରାମାନଙ୍କ ସହିତ ଏମିତି ଖେଳିବାକୁ ଏଠାକୁ ଆସନ୍ତି ।

 

୧୮୨୫ ମସିହାରୁ ୧୮୪୧ ମସିହା ଭିତରେ ଏହି ସ୍ଥାନଟି ତିଆରି ହୋଇଥିଲା । ପ୍ରବଳ ପ୍ରତାପୀ ନେପୋଲିୟନଙ୍କୁ ଟ୍ରାଫାଲଗାର୍‌ ଯୁଦ୍ଧରେ ହରାଇଥିବା ଏଡମିରାଲ୍ ନେଲ୍‌ସନ୍‌ଙ୍କ ଅମର ସ୍ମୃତି ପାଇଁ ଏଠାରେ ଏକ ବିରାଟ ଖମ୍ବ କରାଯାଇଛି । ଏହାର ନାମ ହେଉଛି ନେଲସନ୍‌ ଖମ୍ବ । ଏହାର ସ୍ରଷ୍ଟା ରାଇଲ୍‌ଟନ୍‌ । ଏହି ଖମ୍ବ ଉପରେ ରହିଛି ନେଲସନଙ୍କ ବିରାଟ ମୂର୍ତ୍ତି । ଏହାର ସ୍ରଷ୍ଟା ହେଉଛନ୍ତି ବେଲେ । ସ୍ତମ୍ଭଟିର ଉଚ୍ଚତା ପ୍ରାୟ ୧୮୫ ଫୁଟ ଓ ଏହା ଉପରେ ଥିବା ନେଲ୍‌ସନ୍‌ଙ୍କ ମୂର୍ତ୍ତିର ଉଚ୍ଚତା ୧୮ ଫୁଟ ପାଖାପାଖି । ଏହି ସ୍ତମ୍ଭର ପାଦ ଦେଶରେ ଚାରୋଟି ସିଂହ ମୂର୍ତ୍ତି ଚାରି ଦିଗକୁ ମୁହଁ କରି ରହିଛି । ଖମ୍ବର ତଳ ଅଂଶରେ ନେଲସନ୍‌ଙ୍କ ଟ୍ରାଫାଲଗାର୍‌ ଯୁଦ୍ଧର ବିଭିନ୍ନ ଦୃଶ୍ୟ ତମ୍ବା ଫଳକ ଉପରେ ଅଙ୍କା ଯାଇଛି । ଟ୍ରାଫାଲଗାର ସ୍କୋୟାରର କୋଣରେ ସୁନ୍ଦର ସୁନ୍ଦର କୃତ୍ରିମ ଝରଣା ରହିଛି । ଏହି ଝରଣାଗୁଡ଼ିକ ଆର୍ଟିସେନ୍‌ୱେଲ୍‌ ଦ୍ଵାରା ଜଳପାଏ । ରାତିରେ ସେଗୁଡ଼ିକ ଉପରେ ଆଲୋକ ପକା ଯାଇ ସୁନ୍ଦର କରାଯାଏ । ଏହି ଝରଣା ପାଖରେ ସୁନ୍ଦର ସୁନ୍ଦର ମୂର୍ତ୍ତି ସବୁ ରହିଛି । ଏହି ସବୁ ମୂର୍ତ୍ତି ମଧ୍ୟରେ ସମ୍ରାଟ ଚତୁର୍ଥ ଜର୍ଜ୍ଜ, ହେଭଲକ୍‌, ସାର ନେପିୟର୍‌ଙ୍କ ପ୍ରତିମୂର୍ତ୍ତି ଅତି ପ୍ରସିଦ୍ଧ । ଏହାର ଉତ୍ତର ପଟେ ଲମ୍ବ ମାପିବା ପାଇଁ ସରକାରୀ ମାପକାଠିର ଏକ ନିର୍ଦ୍ଦିଷ୍ଟ ମାପ ରହିଛି ।

 

ନେସନାଲ ଆର୍ଟ ଗେଲେରୀ

 

ଟ୍ରାଫାଲଗାର ସ୍କୋୟାରର ଉତ୍ତର ଅଂଶଟି ପୂରାପୂରି ଲଣ୍ଡନର ବିଖ୍ୟାତ ନେସନ୍ୟାଲ ଆର୍ଟ ଗେଲେରୀ ଦ୍ଵାରା ଘେରି ହୋଇ ରହିଛି । ଏହି ଆର୍ଟ ଗେଲେରୀର କେନ୍ଦ୍ର ଅଂଶ ୧୮୩୮ ମସିହାରେ ତିଆରି ହୋଇଥିଲା ଓ ଏହାର ନକ୍‌ସା ତିଆରି କରିଥିଲେ ଉଇଲିୟମ୍ ଉଇଲ୍‌କିନସ୍ । ଏହି ଗେଲେରୀରେ ଅତି ଚମତ୍କାର ସୂକ୍ଷ୍ମକଳାର ଚିତ୍ରମାନ ରହିଛି । ଏଥିରେ ଇଂରେଜ କାରିଗରଙ୍କ କଳା ବ୍ୟତୀତ ଇଟାଲୀର କାରିଗରଙ୍କ କଳା ମଧ୍ୟ ରହିଛି । ଲଣ୍ଡନର ଅନ୍ୟତମ ଟାଟେ ଗେଲେରୀରେ ବେଶି ଇଂରେଜ କଳାର ନମୁନା ପାଇବ । ଏହି ନେସନ୍ୟାଲ ଆର୍ଟ ଗେଲେରୀକୁ ଲାଗି ନେସନ୍ୟାଲ ପୋର୍‌ଟରେଟ୍‌ ଗେଲେରୀ । ଏଥିରେ ବିଭିନ୍ନ ପ୍ରକାର ଛବି, ଫଟୋ, ମୂର୍ତ୍ତିମାନ ଦେଖିବାକୁ ମିଳେ । ଏହି ସବୁଫଟୋ, ମୂର୍ତ୍ତିର ସ୍ରଷ୍ଟା ଇଂରେଜ କଳାବିତ୍‌ମାନେ । ଏମାନେ ଷୋଡ଼ଶ ଶତାବ୍ଦୀଠାରୁ ବିଂଶଶତାବ୍ଦୀ ମଧ୍ୟରେ ପ୍ରସିଦ୍ଧି ଲାଭ କରିଥିଲେ । ଏହି ସ୍କୋୟାରର ଉତ୍ତର ପୂର୍ବ କୋଣରେ ସେଣ୍ଟ ମାର୍ଟିନ ଇନ ଦି ଫିଲ୍‌ଡସ ଗିର୍ଜା ରହିଛି । ଏହି ପ୍ରସିଦ୍ଧ ଗିର୍ଜାର ନକ୍‌ସା ଅଙ୍କନ କରିଥିଲେ ଜେମ୍‌ସ ଗିବ୍‌, ଯା’ଙ୍କ ଆଉ ଏକ ଅକ୍ଷୟ କୀର୍ତ୍ତି ହେଉଛି କେମ୍ବ୍ରିଜର କିଙ୍ଗସ କଲେଜ । ଏଠାରେ ଆଗରୁ ଆଉ ଗୋଟିଏ ଚର୍ଚ୍ଚ ଥିଲା, ଯେଉଁଠି ଫ୍ରାନ୍‌ସିସ ବେକନ ଓ ବ୍ରିଟିଶ ରାଜା ଦ୍ଵିତୀୟ ଚାର୍ଲସ୍‌ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ।

 

ନେଲସନ୍‌ ସ୍ତମ୍ଭ ନିକଟରେ କିଛି ସମୟ ଠିଆ ହୋଇ ସ୍କୋୟାରରେ ପାରାମାନଙ୍କୁ ନାନା ପ୍ରକାର ଖାଦ୍ୟ ଖୁଆଇଲୁଁ । ସ୍ତ୍ରୀ ହାତରେ ଧରି ପାରାକୁ ଖାଇବାକୁ ଦେଉଥିଲାବେଳେ ତାଙ୍କ ମୁଣ୍ଡ, ହାତ, କାନ୍ଧ ଉପରେ ପାରାମାନେ ବସିବା ବେଳର ମୁଁ ଯେଉଁ ଫଟୋ ଉଠାଇଥିଲି ସେହି ଫଟୋଟି ଅତି ଚମତ୍କାର ହୋଇଥିଲା । ନେଲସନ୍‌ ସ୍ମୃତି ସ୍ତମ୍ଭର ଗୁଡ଼ିଏ ଫଟୋ ଉଠାଇ ନେସନ୍ୟାଲ ଆର୍ଟ ଗେଲେରୀ ଦେଖିବାକୁ ଗଲୁଁ ।ଏହି ଆର୍ଟ ଗେଲେରୀ ଦେଖି ସାରିଲେ ସନ୍ଧ୍ୟା ହୋଇଯିବ, ସନ୍ଧ୍ୟାପରେ ଏହି ସ୍କୋୟାରର ଝରଣା ଉପରେ ଆଲୋକ ପଡ଼ିଲେ ବଡ଼ ସୁନ୍ଦର ଦୃଶ୍ୟ ସୃଷ୍ଟିକରିବ । ସେହି ଦୃଶ୍ୟକୁ ନ ଦେଖି ଆମେ ସେଠୁଁ ଯାଉଛୁଁ ବା କେମିତି ? ତେଣୁ ଆମେ ବେଶି ଡେରି ନ କରି ନେସନ୍ୟାଲ ଆର୍ଟ ଗେଲେରୀ ଦେଖିବାକୁ ଗଲୁ । ବଡ଼ ବିଚିତ୍ର ନିୟମ ସେଠି, ଗେଲେରୀ ଭିତରକୁ କେମେରା ଆଦି କିଛି ଯିବନି । ତେଣୁ ସେଗୁଡ଼ିକୁ ଗେଟ୍‌ପାଖରେ ଥିବା ଅଫିସରେ ଜମା ଦେଇ ଟିକଟ ନେଇ ଭିତରକୁ ପଶିଲୁଁ ।

 

ପିଲାମାନେ ଆମେରିକାର ବହୁ ଆର୍ଟ ମିଉଜିୟମ ଦେଖି ଦେଖି ବିରକ୍ତହୋଇ ଯାଇଥିବାରୁ ଏହି ଗେଲେରୀ ସେମାନଙ୍କୁ ବିଶେଷ ଆକର୍ଷିତ କଲାନି । ହେଲେ ମୁଁ ଆଉ ହରିବାବୁ ଏଗୁଡ଼ିକୁ ଦେଖି ବେଶ୍‌ ଆନନ୍ଦ ପାଉଥାଉଁ । ଗୋଟିଏ ଗୋଟିଏ ଚିତ୍ର ପାଖରେ ଠିଆ ହୋଇ ସ୍ତ୍ରୀ ବେଶ୍‌ ନିରୀକ୍ଷଣ କରୁଥାନ୍ତି । ଲଣ୍ଡନରେ ନେସନ୍ୟାଲ ଆର୍ଟ ଓ ପୋର୍ଟ୍ରେଟ ଗେଲେରୀ ନ ଦେଖିଲେ ଲଣ୍ଡନ ପରିକ୍ରମା ଅସମାପ୍ତ ରହିଯାଏ । ଲୋକେ କହନ୍ତି, ଲଣ୍ଡନକୁ ଯିଏ ଯାଇଛି, ସିଏ ଯଦି ଏହି ଆର୍ଟ ଗେଲେରୀ ନ ଦେଖିଛି ତେବେ ସେ ସାକ୍ଷାତ୍‌ ପଶୁ, ପୁଚ୍ଛ ବିଷାଣ ହୀନ ।

 

ଏହି ଗେଲେରୀରେ ବୁଲୁଁ ବୁଲୁଁ ପ୍ରାୟ ଦୁଇ ତିନି ଘଣ୍ଟା ଲାଗିଗଲା । ଶୁଣାଯାଏ ନେସନ୍ୟାଲ ଆର୍ଟ ଗେଲେରୀକୁ କେହି ସପ୍ତାହ ସପ୍ତାହ ଦେଖି ମଧ୍ୟ ଶେଷ କରି ପାରି ନାହାନ୍ତି । ଆମେ ଦୁଇ ତିନି ଘଣ୍ଟା ଭିତରେ କ’ଣ ଯେ ଶେଷ କଲୁଁ ତାହା ବିଚାରିବା କଥା । କଳାକୁ କଳାକାର ଚିହ୍ନେ, ଆମେ କ’ଣ ଚିହ୍ନିବୁ ? ତେବେ ସେଗୁଡ଼ିକୁ ଦେଖି ଯା’ କିଛି ଆନନ୍ଦ ପାଇବା କଥା ।

 

ନେସନ୍ୟାଲ ଆର୍ଟ ଗେଲେରୀରୁ ବାହାରିଲା ବେଳକୁ ସନ୍ଧ୍ୟା ଆଗତ ପ୍ରାୟ । ତେଣୁ ଆଉ କିଛି ସମୟ ଅପେକ୍ଷା କଲେ ଟ୍ରାଫାଲଗାର ସ୍କୋୟାରର ସେହି ଆଲୋକିତ ଝରଣା ଦେଖି ପାରିବୁ । ସେହି ଆଶାରେ ସ୍କୋୟାରରେ କିଛି ସମୟ ଅପେକ୍ଷା କଲୁଁ । ଧୀରେ ଧୀରେ ସନ୍ଧ୍ୟା ଆସୁଥିଲେହେଁ ଏହି ପାରାମାନେ ସ୍କୋୟାରରୁ ଯିବାକୁ ନାହାନ୍ତି ।

 

କିଛି ସମୟପରେ ଝରଣା ଆଲୋକିତ ହେଲା । ଅତି ସୁନ୍ଦର ସେ ଦୃଶ୍ୟ । ଝରଣାଟି ଆର୍ଟିସେନ କୂଅ ଦ୍ଵାରା ଜଳପାଏ । ବୈଜ୍ଞାନିକ ବୁଦ୍ଧିମତାର ଏ ଆଉ ଏକ ନିଦର୍ଶନ । ଟ୍ରାଫାଲଗାର ସ୍କୋୟାର ଦେଖି ସାରି ଆମେ ବାହାରିଲୁଁ ସନ୍ଧ୍ୟାବେଳେ ପିକାଡ଼ିଲି ସାରକାସ୍‌ ଆଉ ଥରେ ଦେଖିବା ପାଇଁ । ପିକାଡ଼ିଲି ସାରକସରୁ ଚେରିଙ୍ଗ କ୍ରସ୍‌ ଦେଇ ସେଠାର ଟିଉବ ଟ୍ରେନରେ ରସେଲ ସ୍କୋୟାରକୁ ଫେରିଯିବା କଥା ।

 

ଟ୍ରାଫାଲଗାର ସ୍କୋୟାରରୁ ମଲ୍‌ରୋଡ ଦେଇ ବାହାରିଲୁ । ମଲ୍‌ରୋଡରୁ ରିଜେଣ୍ଟ ଷ୍ଟ୍ରିଟ ଦେଇ ପିକାଡ଼ିଲି ସାରକାସ୍‌ ଯାଇପାରିଥାନ୍ତୁ, କିନ୍ତୁ ଆମେ ସେବାଟେ ନଯାଇ ବୁଲି ବୁଲି ସେଣ୍ଟ ଜେମ୍‌ସ ଷ୍ଟ୍ରୀଟ ଦେଇ ପିକାଡ଼ିଲି ଷ୍ଟ୍ରୀଟକୁ ଗଲୁଁ । ପିକାଡ଼ିଲି ଷ୍ଟ୍ରୀଟରୁ ପିକାଡ଼ିଲି ସାରକାସ ଯିବା କଥା-। ଏହି ବାଟ ଦେଇ ଯିବାର ଅସଲ ଉଦ୍ଦେଶ୍ୟ ହେଉଛି ସେଣ୍ଟ୍‌ଜେମ୍‌ସ ରାଜ ପ୍ରାସାଦକୁ ରାତିରେ ଦେଖିଯିବା ।

 

ବକିଙ୍ଗହମ୍‌ ରାଜପ୍ରସାଦ ଭଳି ସେଣ୍ଟ ଜେମ୍‌ସ ରାଜପ୍ରାସାଦ ଅତୀବ ବିଖ୍ୟାତ । ବକିଙ୍ଗହାମପ୍ରାସାଦରେ ଇଂଲଣ୍ଡର ରାଜା ଅବସ୍ଥାନ କରିବା ପୂର୍ବରୁ ଏହା ଇଂଲଣ୍ଡର ରାଜାରାଣୀମାନଙ୍କର ବାସସ୍ଥାନ ଥିଲା । ଏଠି ମଧ୍ୟ ରାଜାମାନେ ସବୁଦିନେ ରହୁ ନଥିଲେ । ହ୍ଵାଇଟ ହଲ୍‌ ପ୍ରାସାଦ ପୋଡ଼ିଯିବା ପରେ ଏଠାକୁ ରାଜ ପରିବାର ଆସିଲେ । ଏହା ଏକ କୁଷ୍ଠ ଚିକିତ୍ସାଳୟ ଉପରେ କେମିତି ତିଆରି ହୋଇଥିଲା ସେ କଥା ପୂର୍ବରୁ କହିଛି । ସେଣ୍ଟ୍‌ଜେମସ ପ୍ରାସାଦର ବିରାଟତା କିଛି କମ ନୁହେଁ । ଏହାର ଉପର ଭାଗରେ ଥିବା ବିରାଟ ଘଡ଼ିଟି ଅତି ସୁନ୍ଦର । ସେଣ୍ଟ୍‌ଜେମ୍‌ସ ପ୍ରାସାଦ ଦେଖି ସାରି ସେଠାରୁ ଚାଲିଲୁଁ ପିକାଡ଼ିଲି ଷ୍ଟ୍ରୀଟକୁ, ସେଠାରୁ ପିକାଡ଼ିଲି ସାରକସ୍‌କୁ । ଗଲାବେଳେ ରାସ୍ତାରେ ଲୋକ ଗହଳି ବେଶ୍‌ ଜଣା ପଡ଼ୁଥାଏ । କାରଣ ସନ୍ଧ୍ୟାବେଳେ ପିକାଡ଼ିଲି ସାରକାସରେ ବହୁ ଲୋକ ଜମା ହୁଅନ୍ତି, ବଜାର ଆଦିରେ ବୁଲାବୁଲି କରି ଆନନ୍ଦ ଉପଭୋଗ କରିବା ପାଇଁ ।

 

ପିକାଡ଼ିଲି ସାରକାସ୍‌କୁ ନିଉୟର୍କର ବ୍ରଡୱେର ହ୍ଵାଇଟ୍‌ ଡିଷ୍ଟ୍ରିକ୍ଟ ସହିତ ତୁଳନା କରାଯାଇପାରେ । ସବୁଠାରୁ ନାମଜାଦା ସିନେମା ଘର, ବଡ଼ ବଡ଼ ଦୋକାନ, ନାଚଘର, ନାଇଟ୍‌ କ୍ଲବ୍‌ ଆଦି ଏହି ଅଞ୍ଚଳରେ । ଏହି ଅଞ୍ଚଳ ରାତିରେ ଏତେ ଆଲୋକିତ ହୋଇଥାଏ ଯେ ସେଗୁଡ଼ିକୁ ଦେଖିଲେ ଆଖି ଝଲସିଯାଏ । ଏଠା ଦୋକାନ ବଜାର ସାଜସଜ୍ଜା ବିଶେଷତଃ ଆଲୋକ ସଜ୍ଜା ଅତି ଚମତ୍କାର । କିଛି ସମୟ ଏଠି ଠିଆହେଲେ ମନ ଆନନ୍ଦରେ ପୂରିଯାଏ । ପିକାଡ଼ିଲି ସାରକାସ୍‌ରେ କିଛି ସମୟ ବୁଲାବୁଲି କରିଜଳଖିଆ ଖାଇବା ପାଇଁ ଗୋଟିଏ ରେଷ୍ଟୁରାଣ୍ଟରେ ପଶିଲୁ । ଅବଶ୍ୟ ଭାରତୀୟ ରେଷ୍ଟୁରାଣ୍ଟ ନୁହେଁ । ସାମାନ୍ୟ କିଛି ଜଳଖିଆ ଓ କଫି ଖାଇ ବାହାରି ଆସିଲୁଁ ।

 

ପିକାଡ଼ିଲି ସାରକାସ୍‌ରେ କିଛି ସମୟ ରହିବା ପରେ ସେଠାରୁ ଗଲୁଁ ଚେରିଙ୍ଗ କ୍ରସ୍‌ଛକକୁ-। ସେଠାରୁ ଭୂଇଁତଳ ଟିଉବ୍‌ଦେଇ ଗଲୁଁ ରସେଲ ସ୍କୋୟାର ଷ୍ଟେସନ । ରସେଲ ସ୍କୋୟାର ଷ୍ଟେସନ ସମ୍ମୁଖରେ ଆମ ହୋଟେଲ ।

 

ହୋଟେଲରେ ପୋଷାକ ପତ୍ର ବଦଳାଇ ନିକଟବର୍ତ୍ତୀ ରେଷ୍ଟୁରାଣ୍ଟକୁ ଗଲୁ, ରାତ୍ରିଭୋଜନ ପାଇଁ । ହରିବାବୁ ବି ଆମ ସହିତ ଗଲେ । ଭାରତୀୟ ହୋଟେଲରେ ଆମର ଖାଇବାରେ ସନ୍ତୋଷ ହେଉଥାଏ । ବେଳେ ବେଳେ ତରକାରୀରେ ମସଲାର ଆଧିକ୍ୟ ପେଟ ଟିକିଏ ଟିକିଏ ଖରାପ କଲା ଭଳି ଜଣା ପଡ଼ୁଥାଏ । ଲଣ୍ଡନ ଛାଡ଼ିଲେ ପୁଣି ଭାରତୀୟ ଖାଦ୍ୟ ମିଳିବନି ବୋଲି ମନ ସନ୍ତୋଷ କରି ଖାଇ ନେଉଥାଉଁ ।

 

କେମ୍ବ୍ରିଜ ପରିକ୍ରମା

 

ପରଦିନ ସକାଳ । ସେପ୍‌ଟେମ୍ବର ମାସ ଛଅ ତାରିଖ ଭୋର୍‌ଭୋର୍‌ ଆମେ ଉଠିଲା ବେଳକୁ ହରିବାବୁ ଆସି ହାଜର । ହରିବାବୁ ଏକା ଆସି ନଥାନ୍ତି, ତାଙ୍କ ସହିତ ଆସିଥାଏ କମଳାକାନ୍ତ । କମଳାକାନ୍ତ ସହିତ ଆମର ବିଦେଶରେ ପ୍ରଥମ ଦେଖା, ଏ ଲଣ୍ଡନରେ ନୁହେଁ, ପ୍ରଥମ ଦେଖାହୁଏ ଆମେରିକାରେ । ଆମେ ଯେଉଁ ବର୍ଷ ଆମେରିକାରେ ପହଞ୍ଚିଲୁ; ଆମେ ପହଞ୍ଚିବାର ଚାରିମାସ ପରେ କମଳାକାନ୍ତ ନୃତତ୍ତ୍ଵ ବିଜ୍ଞାନରେ ପି.ଏଇଚ.ଡି କରିବା ପାଇଁ ହାରଭାର୍ଡ ବିଶ୍ଵବିଦ୍ୟାଳୟରେ ପହଞ୍ଚିଥିଲା । ସେଠାରେ ବର୍ଷେ ଗବେଷଣା କରି ହାରଭାର୍ଡ ଛାଡ଼ି ଚାଲିଆସିଲା ଇଉରୋପ । ସୁଇଜରଲାଣ୍ଡର ଜୁରିଗ୍‌ ବିଶ୍ଵବିଦ୍ୟାଳୟରେ ପି.ଏଚ୍‌.ଡି. ପାଇଁ ଗବେଷଣା କରୁଥାଏ ସେ । ଲଣ୍ଡନ ବୁଲିଆସି ହରିବାବୁଙ୍କଠାରେ ଅତିଥି ହୋଇଥାଏ । ହରିବାବୁ ଆମ୍ଭମାନଙ୍କ ଆସିବା କଥା କହି ତାକୁ ସଙ୍ଗରେ ନେଇ ଆସିଥାନ୍ତି ଆମ ହୋଟେଲକୁ । କମଳାକାନ୍ତ ସହିତ ନାନା କଥାବାର୍ତ୍ତା ହେଲା । ହାରଭାର୍ଡ ଏମ. ଆଇ.ଟି. ଓ କେମ୍ବ୍ରିଜ ସହରର କେତେ ଲୋକଙ୍କ ସଂପର୍କରେ ସେ କେତେ କଅଣ ଖବର ଜାଣିବାକୁ ଚାହିଁଲା ।

 

କମଳାକାନ୍ତ ସହିତ କିଛି ସମୟ କଥାବାର୍ତ୍ତା ହେଲା ପରେ ସେ ଆମ ଠାରୁ ବିଦାୟ ନେଲା । ତାକୁ ବିଦାୟ ଦେଇ ଆମେ ପ୍ରାତଃକର୍ମ ଶେଷ କରି ବାହାରି ପଡ଼ିଲୁ କେମ୍ବ୍ରିଜ ସହର ଅଭିମୁଖେ । ଇଂଲଣ୍ଡର ରହଣୀ ଭିତରେ କେମ୍ବ୍ରିଜ ନ ଦେଖିଲେ ନହୁଏ । କେମ୍ବ୍ରିଜକୁ ଯିବାକୁ ହେଲେ ରେଳରେ ଯିବା ଭଲ । ପୁଣି ବିଲାତର ରେଳଗାଡ଼ିର ଅଭିଜ୍ଞତା ଅର୍ଜ୍ଜନ କରିବାକୁ ପଡ଼ିବ । ଉପର ଓଳି କେମ୍ବ୍ରିଜରୁ ଫେରି ଆସିଲେ ଲଣ୍ଡନରେ ଆହୁରି କେତେ କ’ଣ ଦେଖିବା କଥା । ତେଣୁ ଶୀଘ୍ର ବାହାରି ପଡ଼ିଲୁଁ ।

 

ଲଣ୍ଡନରୁ କେମ୍ବ୍ରିଜକୁ ଯେଉଁ ରେଳଗାଡ଼ି ଯାଏ, ତାର ବ୍ୟବସ୍ଥା ଦେଖି ଆମେ ତାଟଙ୍ଗା । ରେଳଗାଡ଼ି ଭିତରେ ପଡ଼ି ଥିବା ସିଟଗୁଡ଼ିକ ଦେଖିଲେ କେହି ଏହାକୁ ରେଳଡ଼ବା କହିବନି । ଡବା ଭିତରେ ଟେବୁଲ ଗୁଡ଼ିଏ ପଡ଼ିଥାଏ ଠିକ୍‌ ହୋଟେଲରେ ପଡ଼ିଲା ଭଳି । ଟେବୁଲ ଚାରି ପାଖରେ ଚେୟାର ପଡ଼ିଛି । ଆମେ ପ୍ରଥମେ ଏ ଡବା ସବୁ ଦେଖି ଭାବିଲୁ ଏହା ବୋଧହୁଏ ଡାଇନିଙ୍ଗ୍‌ କାର୍‌ ଡବା । ପ୍ରଥମେ ପ୍ରଥମେ ଏ ଡବାରେ ଚଢ଼ିବା କୁ ଅମଙ୍ଗ ହେଉଥିଲୁ । ଡାଇନିଙ୍ଗ୍‌ କାରରେ ବସି କିଏ କାହିଁକି କେଉଁଠାକୁ ଯିବ ? ହରିବାବୁ ଆମ ଅମଙ୍ଗ ଦେଖି କହିଲେ, “ଏହା ଡାଇନିଙ୍ଗ କାର ନୁହେଁ । ଏଗୁଡାକ ବସିବା ପାଇଁ ସାଧାରଣ ଡବା । ଇଂଲଣ୍ଡର ବହୁ ଟ୍ରେନରେ ଡବା ଓ ସିଟ୍‌ଗୁଡ଼ିକ ଏହି ଧରଣର ।”

 

କେମ୍ବ୍ରିଜକୁ ଯାଉଥିବା ରେଳଗାଡ଼ିରେ ଯାତ୍ରୀ ସଂଖ୍ୟା ବେଶି ନ ଥିଲା । ତେଣୁ ଭିଡ଼ ମୋଟେନଥାଏ । ଖୁବ୍‌ ଆରାମରେ ବସି ଯାଇ ହେଲା । ଲଣ୍ଡନ ଓ କେମ୍ବ୍ରିଜ ଭିତରେ ପଡ଼ିଲା ଗ୍ରାମାଞ୍ଚଳ । ଇଂଲଣ୍ଡର ଚାଷଜମି, ଗାଁ ଆଦି ଦେଖି ଭାରି ଭଲ ଲାଗିଲା । ଲଣ୍ଡନ ସହରରୁ କିଛିଦୂର ବାହାରି ଗଲା ପରେ ଏହି ଚାଷ କ୍ଷେତ ଓ ଗ୍ରାମ ସବୁ ପଡ଼ିଲା । କେଉଁଠି ପଲ ପଲ ମେଣ୍ଢା ଚରୁଛନ୍ତି ତ କେଉଁଠି କ୍ଷେତରେ କୃଷକମାନେ କାର୍ଯ୍ୟରତ । ବାଟରେ ଗଲାବେଳେ କୌଣସି କ୍ଷେତ, କି ପଡ଼ିଆ ବ୍ୟବହୃତ ନ ହୋଇ ପଡ଼ିଆ ପଡ଼ିବାର ଦେଖିଲୁନି ।

 

କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟ

 

ଯଥା ସମୟରେ ଷ୍ଟେସନରେ ପହଞ୍ଚି ସେଠାରୁ ବସ୍‌ ଧରି କେମ୍ବ୍ରିଜ ସହରରେ ଯାଇ ପହଞ୍ଚିଲୁ । ଆମେରିକାରେ ଯେମିତି କେମ୍ବ୍ରିଜ୍‌ ସହର ପ୍ରସିଦ୍ଧ, ଇଂଲଣ୍ଡରେ ସେମିତି ପ୍ରସିଦ୍ଧ ଆଉ ଏକ କେମ୍ବ୍ରିଜ ସହର ଅଛି । ଦୁଇଟିଯାକ ଦୁଇ ଦେଶର ପ୍ରଧାନ ଶିକ୍ଷାକେନ୍ଦ୍ର ଭାବରେ ପରିଚିତ । ଦୁଇଟି ଯାକରେ ପୂରାତନ ବିଶ୍ଵବିଦ୍ୟାଳୟ ରହିଛି, ଯେଉଁଗୁଡ଼ିକ ପୃଥିବୀ ପ୍ରସିଦ୍ଧ । ତେବେ ତଫାତ ହେଉଛି, ଇଂଲଣ୍ଡର କେମ୍ବ୍ରିଜ ସହରର ପ୍ରଧାନ ବିଶ୍ଵବିଦ୍ୟାଳୟ ହେଲା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ, କିନ୍ତୁ ଆମେରିକାର କେମ୍ବ୍ରିଜ୍‌ ସହରର ପ୍ରଧାନ ବିଶ୍ୱବିଦ୍ୟାଳୟ ହେଲା ହାରଭାର୍ଡ ବିଶ୍ଵବିଦ୍ୟାଳୟ । ଦୁଇଟିଯାକ ବିଶ୍ଵବିଦ୍ୟାଳୟ ପୃଥିବୀ ପ୍ରସିଦ୍ଧ ।

 

ବ୍ରିଟିଶ ଦ୍ଵୀପପୁଞ୍ଜର ଏହି କେମ୍ବ୍ରିଜ ସହର ଲଣ୍ଡନଠାରୁ ୫୬ ମାଇଲ ଦୂରରେ ଉତ୍ତର ପୂର୍ବ କୋଣରେ ଅବସ୍ଥିତ । ଏହି ସହର ପ୍ରସିଦ୍ଧି ଏହାର ବିଶ୍ଵବିଦ୍ୟାଳୟ ଓ କଲେଜ ପାଇଁ । ଇଂଲଣ୍ଡ, ଇଉରୋପ ତଥା ପୃଥିବୀର ଏକ ବିଶିଷ୍ଟ ଶିକ୍ଷା କେନ୍ଦ୍ର ଭାବରେ ପରିଚିତ, ବିଶେଷତଃ ବିଜ୍ଞାନ ଶିକ୍ଷାରେ । ଏତଦ୍ ବ୍ୟତୀତ ଏହା କୃଷିଜାତ ଦ୍ରବ୍ୟର ବିକ୍ରୟ କେନ୍ଦ୍ର ଭାବରେ ପରିଚିତ । ତା’ଛଡ଼ା ଇଲୋକ୍‌ଟ୍ରନିକସ ବୈଜ୍ଞାନିକ ଯନ୍ତ୍ରପାତି କାରଖାନା ପାଇଁ ଏହା ଅତି ପ୍ରସିଦ୍ଧ । ଏହି ସହରର କଲେଜ, ଯାଦୁଘର, ପୁସ୍ତକାଗାର, ଗବେଷଣାଗାର ଅତି ନାମଜାଦା । ବିଶ୍ଵବିଦ୍ୟାଳୟ ହତା ଭିତରେ ଅତି ପ୍ରସିଦ୍ଧ ସେଣ୍ଟ୍‌ମାର୍ଟିନ ଗିର୍ଜା ଅବସ୍ଥିତ । ଇଂଲଣ୍ଡର ଯେଉଁ ଦୁଇଟି ପୁରୁଣା ବିଶ୍ଵବିଦ୍ୟାଳୟ ଖ୍ୟାତି ଲଭିଛି, ସେଥି ଭିତରୁ ଏହା ଗୋଟିଏ । ଅନ୍ୟଟି ହେଉଛି ଅକ୍‍ସଫୋର୍ଡ଼ ବିଶ୍ଵବିଦ୍ୟାଳୟ । ଆମେ କେମ୍ବ୍ରିଜ ଯାଇଥାଉଁ ଏହି ବିଶ୍ୱବିଦ୍ୟାଳୟ ଓ ଏହାର ବିଭିନ୍ନ କଲେଜ, ଗବେଷଣାଗାର, ପୁସ୍ତକାଗାର ଆଦି ଦେଖିବା ପାଇଁ ।

 

କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ ଠିକ୍‌ କେବେ ପ୍ରତିଷ୍ଠିତ ହେଲା ଜଣାଯାଇ ନଥିଲେ ହେଁ ଏହାଏକାଦଶ କିମ୍ବା ଦ୍ଵାଦଶ ଶତାବ୍ଦୀରେ ପ୍ରତିଷ୍ଠିତ ହେଇଥିବାର ସମ୍ଭାବନା । ତେବେ ଏହା ଚତୁର୍ଦ୍ଦଶ ଶତାବ୍ଦୀରୁ ଏକ ଭଲ ବିଶ୍ଵବିଦ୍ୟାଳୟ ଭାବରେ ପ୍ରସିଦ୍ଧି ଲାଭ କରିଥିଲା । ଊନବିଂଶ ଶତାବ୍ଦୀରେ ଏହାର ସବୁଠାରୁ ଅଧିକ ପ୍ରସାର ହୋଇଥିଲା । ବହୁ କଲେଜ ଏହି ସମୟରେ ଏହା ସହିତ ଯୋଗ କରାଯାଇଥିଲା । ସେହି ସବୁ କଲେଜ ମଧ୍ୟରେ ପିଟର ହାଉସ୍‌, କ୍ଳେଆର୍‌, ପେମବ୍ରୋକ୍‌, ଟ୍ରିନିଟିହଲ୍‌, କୁଇନ୍‌ସ କଲେଜ, ତ୍ରାଏଷ୍ଟ କଲେଜ, ଜିସସ କଲେଜ, ସେଣ୍ଟ୍‌ ଜେମସ୍‌ କଲେଜ, ଟ୍ରିନ୍‌ଟି କଲେଜ, ଇମାନୁଏଲ କଲେଜ ଆଦି ପ୍ରଧାନ । ଏଗୁଡ଼ିକ ତ୍ରୟୋଦଶ ଶତାବ୍ଦୀଠାରୁ ଅଷ୍ଟାଦଶ ଶତାବ୍ଦୀ ଭିତରେ ବିଭିନ୍ନ ସମୟରେ ପ୍ରତିଷ୍ଠିତ ହୋଇଥିଲା । ତା’ଛଡ଼ା ବିଶ୍ଵବିଦ୍ୟାଳୟ ଅଧୀନରେ ବିଭିନ୍ନ ଗବେଷଣାଗାର ରହିଛି, ଯେଉଁ ଗୁଡ଼ିକରେ ଉଚ୍ଚ ଶିକ୍ଷା ମଧ୍ୟ ଦିଆଯାଏ । ଏହି କଲେଜଗୁଡ଼ିକ ଗୋଟିଏ ବିଶ୍ଵବିଦ୍ୟାଳୟ ଅଧୀନରେ ହେଲେ କ’ଣ ହେଲା ଶାସନ ଦୃଷ୍ଟିରୁ ପରସ୍ପର ଠାରୁ ଅଲଗା ।

 

ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା କେଭେଣ୍ଡିଜ୍‌ ବିଜ୍ଞାନାଗାର ଅତି ପ୍ରସିଦ୍ଧ । ସାର୍‌ଜେ: ଜେ: ଥମସନ୍‌, ସାର୍‌ ରଥରଫୋର୍ଡ଼ ଆଦି ପୃଥିବୀ ପ୍ରସିଦ୍ଧ ବୈଜ୍ଞାନିକମାନେ ନାନା ଗବେଷଣା କରି ଏହି ଗବେଷଣାଗାରର ସୁନାମକୁ ବହୁ ଉପରକୁ ଟେକି ଦେଇ ଯାଇଅଛନ୍ତି ।

 

ଏହି ପୃଥିବୀ ପ୍ରସିଦ୍ଧ ଗବେଷଣାଗାରର ପ୍ରସିଦ୍ଧି ଆମକୁ ଟାଣି ଆଣିଥିଲା ଏହି କେମ୍ବ୍ରିଜ ସହର ଅଭିମୁଖେ । ପୃଥିବୀର ବୈଜ୍ଞାନିକ ଶିକ୍ଷାର ଏହି କେନ୍ଦ୍ରକୁ ନ ଦେଖି ଆମର ଇଉରୋପ୍‌ ଭ୍ରମଣ ପୂର୍ଣ୍ଣ ହେଉଛି ବା କେମିତି ?

 

ବସ୍‌ରୁ ଓହ୍ଲାଇ ଆମେ ଚାଲି ଚାଲି କେମ୍ବ୍ରିଜ ସହର ବୁଲିବାରେ ଲାଗିଲୁ । କାରଣ ଛୋଟ ସହରଟିଏ ଚାଲି ଚାଲି ବୁଲିଲେ ଅନେକ କିଛି ଦେଖି ହେବ । ସହରଟି ପୂରାପୂରି ଏକ ଆଦର୍ଶ ଶିକ୍ଷାକେନ୍ଦ୍ର । ବାଣିଜ୍ୟ ବ୍ୟବସାୟ ପୂର୍ଣ୍ଣ ସହର ଭଳି ଏଠି ଗୋଳମାଳ, କୋଳାହଳ ନାହିଁ । ଏକ ଶିକ୍ଷାକେନ୍ଦ୍ର ଭାବରେ ଅଧ୍ୟୟନ ପାଇଁ ଯେଉଁ ଶାନ୍ତ ବାତାବରଣ ଦରକାର, ତାହା ଆମେ ଏଠି ଦେଖିବାକୁ ପାଇଲୁଁ । କଲେଜ ପର କଲେଜ ବୁଲି ବୁଲି ଶେଷରେ ଯାଇ ପହଞ୍ଚିଲୁ, ଟ୍ରିନିଟି କଲେଜରେ । ଏହିଠାରେ ଆମ ଦେଶର ପ୍ରସିଦ୍ଧ ନେତା ପଣ୍ଡିତ ଜବାହାରଲାଲ ନେହେରୁ ତାଙ୍କ ବିଜ୍ଞାନ ଶିକ୍ଷା ପାଇଥିଲେ । ଆମ ଦେଶର ପ୍ରିୟ ନେତା ଏହି ଅନୁଷ୍ଠାନରେ ପଢ଼ିଥିବାରୁ ଆମର ଏହି କଲେଜ ପ୍ରତି କେମିତି ଟିକିଏ ମମତା ଲାଗି ଆସିଲା । ଏହାର ସମୁଖସ୍ଥ ସୁନ୍ଦର ପଡ଼ିଆରେ କିଛି ସମୟ ବୁଲା ବୁଲି କରି ସବୁଜ ପଡ଼ିଆର ଘାସରେ କିଛି ସମୟ ବସିଲୁ । ଟ୍ରିନିଟି କଲେଜର କେତେଗୁଡ଼ିଏ ଫଟୋ ଉଠାଇ ଚାଲିଲୁ କଲେଜ ପରେ କଲେଜ ଦେଖି । ଶେଷରେ ଯାଇ ସୁବିଖ୍ୟାନ କେଭେଣ୍ଡିଜ ଗବେଷଣାଗାରରେ ପହଞ୍ଚିଲୁ । କେଭେଣ୍ଡିଜ ଗବେଷଣାଗାରର ନାମ ଯେମିତି ଖୁବ୍‌ ଉପରେ, ଗବେଷଣାଗାରର ଆକାର କି ରୂପ ସେମିତି ଲାଗିଲାନି ।ଏହି ଗବେଷଣାଗାରଟି ଅତି ପୁରୁଣାକାଳିଆ, ଦେଖିଲେ ସହଜରେ ମନେ ହେବନି, ଏହାର ପ୍ରସିଦ୍ଧି ଏତେ ବେଶି । ଗବେଷଣାଗାରର ନାନା ଅଂଶ ବୁଲାବୁଲି କରି ଗବେଷଣାଗାରର କେତୋଟି ଫଟୋ ଉଠାଇ ପୁଣି ଫେରି ଆସିଲୁ, ଲଣ୍ଡନ ସହରକୁ । ଯେଉଁ ବାଟରେ ଯାଇଥିଲୁ, ଠିକ୍‌ ସେହି ବାଟରେ ଫେରିଲୁ ।

 

କେମ୍ବ୍ରିଜ୍‌ରୁ ଫେରି ଲଣ୍ଡନରେ ପହଞ୍ଚିଲା ବେଳକୁ ପ୍ରାୟ ଦିନ ଦୁଇଟା । ଷ୍ଟେସନରୁ ହୋଟେଲକୁ ନ ଫେରି ଫେରିଲୁଁ ଏକ ଭାରତୀୟ ରେଷ୍ଟୁରାଣ୍ଟକୁ । ସେଠାରେ ମଧ୍ୟାହ୍ନ ଭୋଜନ ଖାଇ ବାହାରି ପଡ଼ିଲୁଁ ଲଣ୍ଡନ ପରିକ୍ରମା ଉଦ୍ଦେଶ୍ୟରେ । ଲଣ୍ଡନ ପାଇଁ ସେ ଓଳିର ପ୍ରୋଗ୍ରାମ ଖୁବ୍‌ ଭିଡ଼ । ରେଷ୍ଟୁରାଣ୍ଟଠାରୁ ଗୋଟିଏ ଟେକ୍‌ସି କରି ଆମେ ଯାଇ ପହଞ୍ଚିଲୁଁ ହାଇଡ଼୍‍ ପାର୍କରେ । ସେ ଦିନର ପ୍ରୋଗ୍ରାମ୍‌ ଭିତରେ ହାଇଡ଼୍‍ ପାର୍କରେ ବୁଲା ପ୍ରଥମ ସ୍ଥାନ ପାଇଥାଏ ।

 

ହାଇଡ଼୍‍ ପାର୍କ

 

ଲଣ୍ଡନ ସହର ଭିତରେ ସବୁଠାରୁ ବଡ଼ ଖୋଲାଯାଗା ହେଲା ଏହି ହାଇଡ଼୍‍ ପାର୍କ । ଏହାର ଆକାର ପ୍ରାୟ ସାଢ଼େ ତିନିଶହ ଏକର ପରିମିତ ସ୍ଥାନଠାରୁ ବେଶି । ଏହାକୁ ଲାଗି କେନସିଙ୍ଗଟନ୍‌ ଉଦ୍ୟାନ । ବକିଙ୍ଗହାମ୍‌ ପ୍ରାସାଦର ପଛଆଡ଼କୁ ରହିଛି ହାଇଡ଼୍‍ ପାର୍କ । ବକିଙ୍ଗହାମ୍‌ ପ୍ରାସାଦକୁ ଲାଗି ଯେଉଁ ଇନ୍‌ଷ୍ଟଟିଉସନ୍‌ ହିଲ ରାସ୍ତା ଅଛି, ତା’ର ଆର ପାଖରେ ରହିଛି ଗ୍ରିନ୍‌ପାର୍କ । ଏହା ଲଣ୍ଡନର ଆଉ ଏକ ପ୍ରସିଦ୍ଧ ପାର୍କ, ଏହାକୁ ଲୋକେ ସେଣ୍ଟ ଜେମସ୍‌ ପାର୍କର ଏକ ଅଂଶ ବୋଲି ଭାବନ୍ତି । ସେହି ପାର୍କକୁ ଲାଗିଥିବା କେନ୍‌ସିଙ୍ଗଟନ୍‌ ରାସ୍ତାକୁ ଲାଗି ଆରମ୍ଭ ହୋଇଛି ହାଇଡ଼୍‍ ପାର୍କ । ସେଣ୍ଟ୍‌ଜେମସ୍‌ ପାର୍କଠାରୁ ହାଇଡ଼୍‍ ପାର୍କ ଅଧିକ ଦୂର ନୁହେଁ, ଦୁଇଟି ଭିତରେ ରହିଛି ଗ୍ରିନ୍‌ପାର୍କ ।

 

ହାଇଡ଼୍‍ ପାର୍କ ଯଦିଚ ଗ୍ରୀନ୍‌ ପାର୍କଠାରୁ ଅଳ୍ପ ଦୂରରେ, ଅକ୍‌ସଫୋର୍ଡ଼ ଷ୍ଟ୍ରୀଟ ଦେଇ । ସେଇ ବାଟ ଦେଇ ଆମେ ପ୍ରଥମେ ପହଞ୍ଚିଲୁ ଆମେ ହାଇଡ଼୍‍ ପାର୍କକୁ ପ୍ରବେଶ କଲୁଁ ହାଇଡ଼୍‍ ପାର୍କର ସୁବିଖ୍ୟାତ ସ୍ଥାନ ‘Speaker’s Corner’ରେ । ବଡ଼ ବିଚିତ୍ର ଏ ସ୍ଥାନଟି । ଏହି ସ୍ଥାନଟିରେ ବକ୍ତାର ଯେଉଁ କହିବା ସ୍ଵାଧୀନତା ଅଛି, ତାହା ଆଉ କେଉଁଠି ନାହିଁ । ବ୍ରିଟିଶ ସରକାରକୁ ଯା’ର ଯା’ ଗାଳି ଦେବାକୁ, ଇଚ୍ଛା ତାହା ସେ ଏଠାରେ ମନଇଚ୍ଛା କରିପାରେ । ବ୍ରିଟିଶ ସରକାର ତା ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ କରିପାରିବେନି । ପ୍ରତିଦିନ ସନ୍ଧ୍ୟାବେଳେ ସେଠି ବହୁ ଲୋକ ଜମା ହୁଅନ୍ତି । ବେଳେ ବେଳେ ଜଣେ ଜଣେ ବକ୍ତା ଉଠି ବ୍ରିଟିଶ୍‌ ସରକାରକୁ ମନଇଚ୍ଛା ଯା’ ପାରି ତାହା ଗାଳି ଦିଅନ୍ତି । ଆବହମାନ କାଳରୁ ପ୍ରତିଦିନ ଏମିତି କେତେ ଲୋକ ଯେ ଗାଳି ଦେଇ ଆସୁଛନ୍ତି, ତା’ର କଳନା ନାହିଁ । ଆମ ଦେଶର ଜନୈକ ନେତା ସ୍ଵାଧୀନତା ପୂର୍ବରୁ ଏହି Speaker’s Cornerରେ ବ୍ରିଟିଶ ସରକାରକୁ ଗାଳି ଦେଇ ଦେଇ ଭାରତୀୟ ରାଜନୀତିରେ ଅତି ଉଚ୍ଚ ସ୍ଥାନକୁ ଉଠିଥିଲେ ।

 

ସ୍ପିକରସ୍‌ କର୍‌ନର୍‌ଠାରୁ ହାଇଡ଼୍‍ ପାର୍କର ଆରମ୍ଭ । ଆମେ ସେଠି ପହଞ୍ଚିଲାବେଳକୁ କେହି ଲୋକ ନ ଥାନ୍ତି । ଦିନ ଦି’ପହରେ ସେଠି କାହିଁକି ବା କିଏ ରହିବ ? ସନ୍ଧ୍ୟା ହେଲେ ସେଠିକି ସିନା ଲୋକ ଗଡ଼ିବେ । ଦିନେ ଦିନେ ଏଠି ଏତେ ଗହଳି ଏତେ ହୁଏ ଯେ, ସେକଥା କହି ହେବନି । ବେଳେ ବେଳେ ଏହି ସରକାର ବିରୋଧୀ ବକ୍ତୃତା ଅତି ସୁନ୍ଦର ଓ ଉଚ୍ଚକୋଟୀର ହୁଏ । ବକ୍ତୃତା ଦେଲାବେଳେ ସମସ୍ତଙ୍କୁ ଗାଳି ଦେଇ ହେବ, ଇଂଲଣ୍ଡର ରାଜା ବା ରାଣୀଙ୍କୁ ଗାଳି ଦେଇ ହେବନି । ରାଜା ବା ରାଣୀଙ୍କ ପିଲାମାନଙ୍କୁ ଗାଳି ଦେଇ ହେବ; କିନ୍ତୁ ବ୍ରିଟିଶ ମୁକୁଟକୁ ନୁହେଁ । ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଶଳା ଚୋର ବୋଲ, ବା ତା’ଠାରୁ ଆଉ କିଛି ଖରାପ ଗାଳି ଦିଅ, ବ୍ରିଟିଶ ମନ୍ତ୍ରୀ ପରିଷଦକୁ ଯା’ଇଚ୍ଛା ତାହା ଗାଳିଦିଅ, କେହି କିଛି କହିବେନି ।

 

ସ୍ପିକରସ୍‌ କରନର୍‌ରେ କିଛି ସମୟ ବୁଲାବୁଲି କରି ହାଇଡ଼୍‍ ପାର୍କ ଭିତରକୁ ପଶିଲୁଁ । ମୁଁ ଆଉ ହରିବାବୁ ଆଗେ ଆଗେ ଚାଲିଥାଉଁ, ପିଲାମାନେ ପଛରେ ଆସୁଥାନ୍ତି । ଆମେ ସମସ୍ତେ ଯାଉଥାଉଁ ହାଇଡ଼୍‍ ପାର୍କର ମଝିରେ ଥିବା ସାର୍‌ପେନ୍‌ଟାଇନ୍‌ ହ୍ରଦ କୂଳକୁ । ପଛକୁ ଅନାଇ ଦେଖିଲୁଁ, ସ୍ତ୍ରୀ ଓ ପିଲାମାନେ ଢେର ପଛରେ ରହିଗଲେଣି । କ’ଣ ହେଲା ଜାଣିବା ପାଇଁ ପୁଣି ପଛକୁ ଫେରିଲୁ । ଦେଖିଲାବେଳକୁ ପିଲାମାନେ ହାଇଡ଼୍‍ ପାର୍କର ଏକ ଆଇସ୍‌କ୍ରିମ୍‌ ବିକ୍ରୟ କଲାବାଲାଠାରୁ ଆଇସକ୍ରିମ୍‌ କିଣି ଖାଉଛନ୍ତି । ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ପଇସା ସବୁ ତ ମୋ ପାଖରେ, ଏମାନେ ଆଇସ୍‌କ୍ରିମ୍‌ ଖାଇଲେ କେଉଁଠୁ ? ଯାହା କିଛି ବ୍ରିଟିଶ୍‌ ମୁଦ୍ରା ସବୁତ ମୋଠାରେ । ସ୍ତ୍ରୀଙ୍କ ପାଖରେ ବା ପିଲାମାନଙ୍କଠାରେ ତ ବ୍ରିଟିଶ୍‌ ମୁଦ୍ରା ନାହିଁ । ଏପରି ଅବସ୍ଥାରେ ସେମାନେ ଆଇସ୍‌କ୍ରିମ୍‌ କିଣିଲେ କେମିତି ? ଆମେ ଯାଇ ସେଠାରେ ପହଞ୍ଚିଲା ବେଳକୁ ସ୍ତ୍ରୀ ଆମ ଦୁଇଜଣଙ୍କୁ ହାତକୁ ଦୁଇଟି ଆଇସ୍‌କ୍ରିମ୍‌ ବଢ଼ାଇଦେଲେ । ଏସବୁ ଦେଖି ମୁ ତାଟଙ୍ଗା । ସ୍ତ୍ରୀଙ୍କୁ ପଚାରିଲି, “ତୁମେ କେମିତି ଆଇସ୍‌କ୍ରିମ୍‌ କିଣିଲ ?”

 

“କାହିଁକି, ଉତ୍ତର ଦେଲେ, ‘‘ମୋ ପାଖରେ ତ ମୁଦ୍ରା ଅଛି ।”

 

“ତୁମ ପାଖରେ ତ ବ୍ରିଟିଶ ମୁଦ୍ରା ନାହିଁ ?’’ ପଚାରିଲି ।

 

“ନ ହେଲେ କ’ଣ ହେଲା । ମୋ ପାଖରେ ଯେଉଁ ଡଲାର ନୋଟ ଅଛି, ତାକୁ ଦେଇ କିଣିଲି ।”

 

ଆଁ, ଡଲାର ନୋଟ୍‌ ? “କେମିତି ଜାଣିଲ, ଆଇସକ୍ରିମ୍‌ ବିକିଲାବାଲା ଡଲାର ନେବ ବୋଲି ?’’

 

ସ୍ତ୍ରୀ ହସିଲେ, କହିଲେ, “ଆଇସ୍‌କ୍ରିମ୍‌ ଖାଇବା ପାଇଁ ପୁଅ ବାବୁଲି ଭାରି ଝୁଙ୍କ ଲଗାଇଲା-। ମୁଁ କହିଲି ମୋଠାରେ ଏ ଦେଶର ମୁଦ୍ରା ନାହିଁ । ଏ ଦେଶର ମୁଦ୍ରା ସବୁ ତ ତୁମ ପାଖରେ-। କ’ଣ କରିବି, ପୁଅ ତ ଛାଡ଼ୁ ନ ଥାଏ । ଆଇସ୍‌କ୍ରିମ୍‌ବାଲାକୁ ପଚାରିଲି, “ଆମେରିକାନ୍‌ ମୁଦ୍ରା ଡଲାର ନେଇ ସେ ଆଇସ୍‌କ୍ରିମ୍‌ ଦେବକି କଅଣ ? ସେ ହଁ କଲାରୁ ମୁଁ ତାକୁ ଡଲାରକିଆ ନୋଟ୍‌ଟାଏ ବଢ଼ାଇ ଦେଲି । ସେ ଆମ ପାଞ୍ଚଜଣଙ୍କ ପାଇଁ ଆଇସ୍‌କ୍ରିମ୍‌ ଦେଇ ଏତକ ବ୍ରିଟିଶ୍‌ମୁଦ୍ରା ଫେରାଇ ଦେଇଛି ।”

 

ଏତକ କହି ଫେରସ୍ତ ଆଣିଥିବା ମୁଦ୍ରାତକ ମୋ ହାତରେ ଦେଲେ । ହିସାବ କରି ଦେଖିଲି, ଆଇସ୍‌କ୍ରିମ୍‌ବାଲା ଆମକୁ ଡଲାରେ ଯେଉଁ ମୂଲ୍ୟ ଦେଇଛି, ତାହା ପ୍ରଚଳିତ ବେଙ୍କ୍‌ ମୂଲ୍ୟଠାରୁ କିଛି ଅଧିକ । ଆମେରିକା ବାହାରେ ଆମେରିକା ମୁଦ୍ରାର ଏମିତି ପ୍ରଚଳନ ଦେଖି ଆଶ୍ଚର୍ଯ୍ୟ ହେଲି । ହାଇଡ଼୍‍ ପାର୍କର ସାଧାରଣ ଦୋକାନୀଟିଏ, ସେ ବି ଡଲାର ନେଇ ଉଚିତ୍‌ ମୂଲ୍ୟଠାରୁ କିଛି ଅଧିକ ଦେଇ ପାରୁଛି । ଏଥିରୁ ଆମେ ଉପଲବ୍‌ଧି କଲୁଁ ଆମେରିକାନ୍‌ ମୁଦ୍ରାର ଲୋକପ୍ରିୟତା କେତେ । ଲୋକେ ଏହାକୁ ପାଇବା ପାଇଁ ଏତେ ପାଗଳ କାହିଁକି ? ଏଭଳି ସ୍ଥଳେ ଡଲାରକୁ ଲୋକେ Hard Currency ବା କଷ୍ଟାର୍ଜ୍ଜିତ ମୁଦ୍ରା ନ କହିବେ କାହିଁକି ?

 

ଆଇସ୍‌କ୍ରିମ୍‌ ଖାଇ ଖାଇ ହାଇଡ଼୍‍ ପାର୍କ ମଝିରେ ଥିବା ସାର୍‌ପେନଟାଇନ୍‌ ହ୍ରଦ ଆଡ଼େ ଆଗେଇଲୁଁ । ହାଇଡ଼୍‍ ପାର୍କ ଭିତରେ ଏହି କୃତ୍ରିମ ହ୍ରଦଟି ଅତି ପ୍ରସିଦ୍ଧ । ଆଗରୁ ଏଠାରେ ଗୋଟିଏ ଛୋଟ ପୋଖରୀ ଥିଲା । ୧୭୩୦ ମସିହାରେ ସାମ୍ରାଜ୍ଞୀ କେରୋଲିନ୍‌ ଏଠାରେ ଗୋଟିଏ କୃତ୍ରିମ ହ୍ରଦ ସୃଷ୍ଟି କରିବାର କାମନା କଲେ, ଫଳରେ ତାଙ୍କରି କାମନାକୁ ଚରିତାର୍ଥ କରିବା ପାଇଁ ଏଠାରେ ଏହି ଲମ୍ବାଳିଆ କୃତ୍ରିମ ହ୍ରଦଟି ଖୋଳାଗଲା । ଖରାଦିନେ ନୌକାଚାଳନ, ସନ୍ତରଣ ଓ ଶୀତଦିନେ ବରଫ ଉପରେ ସ୍କେଟିଂ ଖେଳ ପାଇଁ ଏହି ହ୍ରଦଟି ପ୍ରସିଦ୍ଧ । ସୁବିଖ୍ୟାତ ଇଂରେଜ ଲେଖକ ସେଲିଙ୍କ ପ୍ରଥମ ସ୍ତ୍ରୀ ହେରିୟେଟ ୱେଷ୍ଟବ୍ରୁକ୍‌ ଏହି ହ୍ରଦରେ ବୁଡ଼ିମରି ଆତ୍ମହତ୍ୟା କରିଥିଲେ । ହାଇଡ଼୍‍ ପାର୍କ ଯାଗାଟି ମୂଳରୁ ୱେଷ୍ଟ ମିନିଷ୍ଟର ଆବେ ଅଧୀନରେ ଥିଲା । ପରେ ଏହା ହାଇଡ଼୍‍ଙ୍କ ଅଧୀନକୁ ଆସିଲା । ହାଇଡ଼୍‍ଙ୍କ ଅଧୀନସ୍ଥ ପାର୍କ ବୋଲି ପରେ ଏହା ହାଇଡ଼୍‍ ପାର୍କରେ ନାମିତ ହୋଇଥିବା ସମ୍ଭବ ! ରାଜା ଅଷ୍ଟମ ହେନେରୀ ଏହାକୁ ପ୍ରଥମେ ଏକ ଉଦ୍ୟାନରେ ପରିଣତ କରି ଏଠାରେ ହରିଣ ଛାଡ଼ିଥିଲେ । ପ୍ରଥମ ଚାର୍ଲସଙ୍କ ସମୟରେ ଏଠାରେ ନାନା ସୁନ୍ଦର ସୁନ୍ଦର ଗଛଲତା ପୂର୍ଣ୍ଣ ପାର୍କ କରାଗଲା । ସର୍ବ ପ୍ରଥମ ଆନ୍ତର୍ଜାତିକ ପ୍ରଦର୍ଶନୀ ୧୮୫୧ ମସିହାରେ ଏହି ପାର୍କରେ ଅନୁଷ୍ଠିତ ହୋଇଥିଲା । ସାର୍‌ପେନ୍‌ଟାଇନ୍‌ ହ୍ରଦ ଉପରେ ଗୋଟିଏ ଛୋଟିଆ ସୁନ୍ଦର ପୋଲ ଅଛି । ପାର୍କ ଭିତରେ ଯା’ଆସ କରିବା ପାଇଁ ବହୁ ରାସ୍ତା ଜାଲ ଘେରିଲା ଭଳି ରହିଛି । ପାର୍କର ସ୍ଥାନେ ସ୍ଥାନେ ଗଛବୁଦା ଆଦି ରହିଛି । ଏହି ଗଛବୁଦା ଆଢ଼ୁଆଳରେ ନାନା ଯୌନବ୍ୟଭିଚାର ଚାଲେ ବୋଲି ଏହି ପାର୍କର ଏକ କୁଖ୍ୟାତି ଅଛି । ଅବଶ୍ୟ ସେ ସବୁ ହାଇଡ଼୍‍ ପାର୍କର ଏହି ପାଖରେ ବିଶେଷ ଦେଖାଯାଏନି । କାରଣ ଏହି ପାଖଟି ସ୍ପିକର୍‌ସ କର୍‌ନର୍‌ ପାଖରେ ଥିବାରୁ ଏଠାରେ ଲୋକ ଗହଳି ଟିକିଏ ବେଶି । ଲୋକ ଗହଳିଠାରୁ ଟିକିଏ ଦୂର ଗଛବୁଦା ଆଢ଼ୁଆଳରେ ଇଂରେଜ ଯୁବକ ଯୁବତୀ ଏହାକୁ ଅବୈଧ ପ୍ରେମ ମିଳନର ଏକ ତୀର୍ଥଭୂମି କରି ଦେଇଥାଆନ୍ତି । ତା’ଛଡ଼ା ରୂପଜୀବି ଲଳନାମାନେ ଏହି ପାର୍କରେ ବୁଲୁ ବୁଲୁ ନିଜ ନିଜ ଶିକାର ଖୋଜିବାରେ ବ୍ୟସ୍ତଥାନ୍ତି । ଯେଉଁ ପାର୍କର ଏତେ ଦୁର୍ନାମ ସେହି ପାର୍କ ଭିତରକୁ ଯିବାକୁ ଇଚ୍ଛା ହେଲାନି; କିନ୍ତୁ ଯେତେବେଳେ ଆସିଛୁଁ, ଏହାର କିଛି ଅଂଶ ଦେଖିବା ଦରକାର ।

 

ଆମେ ସାର୍‌ପେନ୍‌ଟାଇନ୍‌ ହ୍ରଦ କୂଳରେ ପହଞ୍ଚିଲା ବେଳକୁ ବହୁ ଯୁବକ ଯୁବତୀ ଏହା କୂଳରେ ପଡ଼ିଥିବା ଚେୟାରରେ ଆସ୍ଥାନ ଜମାଇ ଦେଇଥାନ୍ତି । ଆମେ କିଛି ସମୟ ସେହି କୃତ୍ରିମ ହ୍ରଦ କୂଳରେ ବୁଲାବୁଲି କରି କୂଳରେ ପଡ଼ିଥିବା କେତୋଟି ଚେୟାରରେ ବସିଲୁ । ହାଇଡ଼୍‍ ପାର୍କ ଭିତରକୁ ଆସିବାର ପ୍ରଧାନ ରାସ୍ତା ହେଉଛି ମାର୍ବଲ ଆର୍ଚ୍ଚ ଦେଇ । ଏହା ଅକ୍‌ସଫୋର୍ଡ଼ ଷ୍ଟ୍ରୀଟରୁ ହାଇଡ଼୍‍ ପାର୍କ ଭିତରକୁ ଆସିଲାବେଳେ ପଡ଼େ । ହାଇଡ଼୍‍ ପାର୍କର ଏହି ଅଞ୍ଚଳରେ ଓ ଅକ୍‌ସଫୋର୍ଡ଼ ଷ୍ଟ୍ରୀଟରେ ଖୁବ୍‌ ଲୋକ ଗହଳି ।

 

ହାଇଡ଼୍‍ ପାର୍କକୁ ଲାଗି କେନସିଙ୍ଗଟନ୍‌ ଉଦ୍ୟାନ । ଏହି ଉଦ୍ୟାନଟି ପ୍ରଥମେ ପ୍ରଥମେ କେନସିଙ୍ଗଟନ୍‌ ପ୍ରାସାଦର ଘରୋଇ ଉଦ୍ୟାନ ଥିଲା । ଦ୍ଵିତୀୟ ଜର୍ଜଙ୍କ ସ୍ତ୍ରୀ ମହାରାଣୀ କେରୋଲିନ୍‌ଙ୍କ ଅମଳରେ ଏହା ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରି ଦିଆଯାଇଥିଲା । କେନ୍‌ସିଙ୍ଗଟନ୍‌ ଉଦ୍ୟାନ ଭିତରେ କେନ୍‌ସିଙ୍ଗଟନ୍‌ ପ୍ରାସାଦ । ଏହି ପ୍ରାସାଦକୁ ପ୍ରଥମେ ଖରିଦ କରିଥିଲେ ତୃତୀୟ ଉଇଲିୟମ ଓ ସେହିଦିନଠାରୁ ଏଥିରେ ରାଜ ପରିବାର ବସବାସ କରି ଆସୁଥିଲେ । ଦ୍ଵିତୀୟ ଜର୍ଜଙ୍କ କାର୍ଯ୍ୟକାଳ ପର୍ଯ୍ୟନ୍ତ ଏହା ଇଂଲଣ୍ଡ ରାଜାଙ୍କ ପ୍ରଧାନ ବାସସ୍ଥାନ ଥିଲା-। ଅବଶ୍ୟ ଏଥିରେ ବର୍ତ୍ତମାନ ରାଜପରିବାର ରହୁନାହାନ୍ତି । ଏଠାରେ ଲଣ୍ଡନ ମିଉଜିୟମର ଏକ ଅଂଶ ରହିଛି । ଲଣ୍ଡନର ଅଭିବୃଦ୍ଧି କେମିତି ହୋଇଛି, ତାହା ଏହି ଯାଦୁଘରେ ବର୍ଣ୍ଣିତ ତଥା ଦର୍ଶିତ ହୋଇଛି । ସେଣ୍ଟ୍‌ଜେମସ୍‌ ପାର୍କ, ଗ୍ରୀନ ପାର୍କ, ହାଇଡ଼୍‍ ପାର୍କ, କେନସିଙ୍ଗଟନ୍‌ ଉଦ୍ୟାନ ଏସବୁ ଲଣ୍ଡନ ସହରର ମଝିରେ ଏକ ଖୋଲା ଯାଗାର ଧାଡ଼ି ।

 

ହାଇଡ଼୍‍ ପାର୍କଠାରୁ କିଛି ଦୂରରେ ରିଜେଣ୍ଟ ପାର୍କ ଅବସ୍ଥିତ । ଏଥି ଭିତରେ ମଧ୍ୟ ଗୋଟିଏ କୃତ୍ରିତ ହ୍ରଦ ରହିଛି । ଏଠାରେ ଲଣ୍ଡନର ଚିଡ଼ିଆଖାନା ରହିଥିବାରୁ ଏହି ପାର୍କଟି ଅତି ପ୍ରସିଦ୍ଧ । ଏଠାରେ ଲୋକ ସମାଗମ ବେଶି ।

 

ଟାୱାର୍‌ବ୍ରିଜ୍‌

 

ହାଇଡ଼୍‍ ପାର୍କ ବୁଲିସାରି ପୁଣି ଆମେ ମାର୍ବଲ ଆର୍ଚ୍ଚଠାକୁ ଫେରି ଆସିଲୁ । ସେଠାରୁ ଗୋଟିଏ ଟେକ୍‌ସି କରି ଚାଲି ଆସିଲୁ ଲଣ୍ଡନର ସୁବିଖ୍ୟାତ ପୋଲ ଟାୱାର୍‌ ବ୍ରିଜ ନିକଟକୁ । ଲଣ୍ଡନ ନଗରୀର ସଙ୍କେତ ସ୍ୱରୂପ ଟାୱାର ବ୍ରିଜ୍‌ ପୃଥିବୀ ପ୍ରସିଦ୍ଧ । ଟେମ୍‍ସ୍ନଦୀ ଉପରେ ଯେଉଁ ଦଶଗୋଟି ପୋଲ ଗୋଟିକ ପରେ ଗୋଟିଏ ନଦୀର ମୁହାଣ ଆଡ଼କୁ ତିଆରି ହୋଇଛି, ସେହି କ୍ରମରେ ଟାୱାର ବ୍ରିଜ୍‌ ହେଉଛି ସବା ଶେଷ ପୋଲ । ଏହା ପରେ ଟେମ୍‍ସ୍ନଦୀ ଉପରେ ଆଉ ପୋଲ ନାହିଁ । ଏହି ପୋଲଟି ଗତ ଶତାବ୍ଦୀର ଶେଷ ଆଡ଼କୁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ଏହି ବ୍ରିଜ୍‌ର ଦୁଇଟି ଗମ୍ବୁଜ ଇଷ୍ପାତ ଛାଞ୍ଚ ଦେହରେ ଗ୍ରେନାଇଟ୍‌ ଓ ପୋର୍ଟଲେଣ୍ଡ ପଥର ଯୋଡ଼ା ଯାଇ ଅତି ସୁଦୃଢ଼ ଭାବରେ ତିଆରି ହୋଇଛି । ଏଥିରେ ଏମିତି ଯନ୍ତ୍ର ବସିଛି ଯାହାକି ପୋଲକୁ ଖୋଲି ରାସ୍ତା ଦୁଇଟିକୁ ଦୁଇ ପାଖକୁ ନେଇ ନିଏ । ଯେତେବେଳେ ବଡ଼ ବଡ଼ ଜାହାଜ ଟେମ୍‌ସ ନଦୀ ଦେଇ ପୋଲ ଆରପାରିକୁ ଯିବାକୁ ବସେ ସେତେବେଳେ ଏହି ପୋଲର ରାସ୍ତା ଦୁଇଟି ମଝିରୁ ଭାଗ ଭାଗ ହୋଇ ଉପରକୁ ଉଠି ଯାଏ, ଫଳରେ ରାସ୍ତାରେ ଯିବା ଆସିବା ବନ୍ଦ ହୁଏ । ଜାହାଜ ଅକ୍ଳେଶରେ ପୋଲକୁ ଅତିକ୍ରମ କରି ପୋଲ ଆରପଟରେ ଥିବା ଡକ୍‌କୁ ଯାଏ-। ରାସ୍ତାଠାରୁ ଶହେ ଫୁଟ ଉପରେ ଦୁଇଟି ଗମ୍ବୁଜ ଗୋଟିଏ ଛୋଟ ରାସ୍ତା ଦ୍ୱାରା ସଂଯୁକ୍ତ ହୋଇଛି-। ପୋଲ ଖୋଲା ଥିବାବେଳେ ଯଦି କେହି ନଦୀକୁ ଅତିକ୍ରମ କରିବାକୁ ଚାହେଁ ତେବେ ସେ ଗମ୍ବୁଜ ଭିତର ଦେଇ ଓପରକୁ ଉଠି ଗମ୍ବୁଜ ଉପର ରାସ୍ତା ଅତିକ୍ରମ କରି ଆରପଟକୁ ଯାଇପାରେ । ଆଜିକାଲି ଅବଶ୍ୟ କେହି ଏହି ବାଟରେ ପୋଲକୁ ଅତିକ୍ରମ କରିବା ଦେଖାଯାଏ ନାହିଁ । ପୋଲର ରାସ୍ତାକୁ ଉଠାଇବା କାମ ଏଡ଼େ ବିରାଟ ହେଲେ ହେଁ ଏହା କରିବାକୁ ମୋଟେ ଦୁଇମିନିଟ ସମୟ ଲାଗେ ।

 

ଟାୱାର ଅଫ୍‌ ଲଣ୍ଡନ

 

ଟାୱାର ବ୍ରିଜ୍‌ର ନାମକରଣ ହୋଇଛି ଟାୱାର ଅଫ୍‌ ଲଣ୍ଡନ ଯୋଗୁଁ । ଏହା ସେଠାରେ ଅବସ୍ଥିତ ଥିବାରୁ ଏହାର ଏଭଳି ନାମକରଣ ହୋଇଛି । ଲଣ୍ଡନ ସହରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାସାଦ ହେଉଛି ଏହି ଟାୱାର ପ୍ରାସାଦ । ସେକ୍‌ସନ୍‌ ଓ ରୋମାନମାନଙ୍କ ସମୟରୁ ଏହା ଖୁବ୍‌ ଦୃଢ଼ ଭାବରେ ତିଆରି ହୋଇଥିଲା । ଉଇଲିୟମ୍‌ ଦି କଙ୍କରର୍‌ଲଣ୍ଡନକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଲଣ୍ଡନ ସହରର ଏହି ପୂର୍ବ ପଟରେ ଟାୱାରଟିକୁ ତିଆରି କରିଥିଲେ । ରାଣୀ ଏଲିଜାବେଥ୍‌ ପ୍ରଥମଙ୍କ ପର୍ଯ୍ୟନ୍ତ ଏଠାରେ ରାଜ ପରିବାର ରହୁଥିଲେ । ଏହି ଟାୱାରର ବାହାର ପାଖ ସୁପ୍ରସିଦ୍ଧ ଆର୍କିଟେକ୍ଟ ସାର୍‌ କ୍ରିଷ୍ଟୋପର ରେନ୍‌ ନୂଆ ଢଙ୍ଗିରେ ଗଢ଼ାଇଥିଲେ । ବହୁ ପ୍ରକାର ସାଞ୍ଜୁ ଓ ଅସ୍ତ୍ରଶସ୍ତ୍ର ଏଠି ସଂଗୃହିତ ହୋଇ ରହିଛି । ଟାୱର ପ୍ରାସାଦ ଭିତରେ ଓ ଏହାକୁ ଲାଗି ବହୁତ ଗୁଡ଼ିଏ ପ୍ରାସାଦ ରହିଛି । ସେ ସବୁର ପ୍ରସିଦ୍ଧି କିଛି କମ୍‌ ନୁହେଁ । ସେ ସବୁ ଭିତରେ ଲାୟନ ଟାୱାର, ଶ୍ଵେତ ଟାୱାର, ୱେକଫିଲ୍‌ଡ଼ ଟାୱାର, ବେଲ୍‌ଟାୱାର, ମିଡଲ ଟାୱାରୁ, ଟମାସ ଟାୱାର, ବିଉକମ ଟାୱାର ଅତି ପ୍ରସିଦ୍ଧ ।

 

ଶ୍ଵେତ ଟାୱାରରେ ସେଣ୍ଟ୍‌ଜନ୍‌ ଗିର୍ଜା ଅବସ୍ଥିତ । ଟାୱାର ଗ୍ରୀନ୍‌ ହେଉଛି ଏକ କୁଖ୍ୟାତ ଯାଗା, ଯେଉଁଠାରେ ବହୁ ବିଖ୍ୟାତ ଲୋକଙ୍କୁ ହଣା ଯାଇଥିଲା । ସେମାନଙ୍କ ମଧ୍ୟରୁ ଅଷ୍ଟମ ହେନେରୀଙ୍କ ଦୁଇଟି ସ୍ତ୍ରୀ ଆନେବୋଲେନ୍‌, କେଥେରାଇନ୍‌ ହାୱାର୍ଡ, ଜେନ୍‌ଗ୍ରେ ଆଦି ପ୍ରଧାନ । ଏହା ନିକଟରେ ଥିବା ସେଣ୍ଟ ପିଟର ଗିର୍ଜାଠାରେ ସେମାନଙ୍କ ମୃତଦେହ ପୋତା ଯାଇଥିଲା । ଇଂଲଣ୍ଡର ବହୁ ବିଶିଷ୍ଟ ଲୋକ ଏଠାରେ ବନ୍ଦୀହୋଇ ରହିଥିଲେ । ରେଲେ, ଆର୍ଲ ଅଫ୍‌ ଏସେକ୍‌ସ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ।

 

ୱେକ୍‌ଫିଲ୍‌ଡ଼ ଟାୱାରରେ ରାଜାଙ୍କର ସମସ୍ତ ହୀରା, ନୀଳା, ମୋତି, ମାଣିକ୍ୟ ରଖାଯାଇଛି । ଏହାକୁ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଜଗି ରହିଛନ୍ତି । ଏଠାରେ ଯେଉଁ ମୂଲ୍ୟବାନ ରତ୍ନ ଆଦି ସଞ୍ଚିତ ହୋଇ ରଖା ହୋଇଛି, ଅନ୍ୟ କେଉଁଠି ସେ ସବୁ ଦେଖିବା ଅସମ୍ଭବ । ବ୍ରିଟିଶ ସମ୍ରାଟଙ୍କ ମୁକୁଟ ଓ ମୁକୁଟରେ ଥିବା ପୃଥିବୀ ପ୍ରସିଦ୍ଧ କୋହିନୂର ହୀରା ଏହି ଟାୱାରରେ ଅବସ୍ଥିତ । ସର୍ବସାଧାରଣଙ୍କୁ ଏହି ଟାୱାର ଓ ଏଥି ଭିତରେ ଥିବା ଧନ ସମ୍ପଦଗୁଡ଼ିକୁ ଦେଖିବାକୁ ଅନୁମତି ଦିଆଯାଏ ।

 

ଟାୱାରବ୍ରିଜ ଦେଖି ସାରି ଟାୱାର ଅଫ୍‌ ଲଣ୍ଡନ ଦେଖିବାକୁ ଗଲୁଁ । ଟାୱାର ଭିତରକୁ ଯିବା ସେଦିନ ସମ୍ଭବପର ହେଲାନି, ତେଣୁ ଏହାର ସମ୍ମୁଖ ପାଖ ଦେଖି ଫେରି ଆସିଲୁ । ଟେମ୍‍ସ୍ ନଦୀର ବାମ ପାର୍ଶ୍ଵରେ ଏହି ପ୍ରସିଦ୍ଧ ପ୍ରାସାଦମାଳା ଅବସ୍ଥିତ । କି ବିରାଟ ଏହାର ଆକାର, ପ୍ରାୟ ୧୩ ଏକର ଜମି ଉପରେ ଏହା ତିଆରି ହୋଇଛି । ଏହି ଟାୱାରର କାନ୍ଥ ବି ଖୁବ୍‌ ମୋଟା, ପ୍ରାୟ ୧୫ ଫୁଟ ପାଖାପାଖି ହେବ । ଗତ ଯୁଦ୍ଧ ସମୟରେ ଏହା ଉପରେ ବହୁତ ବଡ଼ ବଡ଼ ବୋମା ପଡ଼ିଥିଲେ ହେଁ ଏହାର ବିଶେଷ କିଛି କ୍ଷତି ହୋଇ ନ ଥିଲା ।

 

ଟାୱାର ଓ ଟାୱାରବ୍ରିଜ୍‌ ଦେଖିସାରି ଆମେ ସୁବିଖ୍ୟାତ ଲଣ୍ଡନ ବ୍ରିଜ୍‌ ଦେଇ ବେଙ୍କ ଅଫ୍‍ ଇଂଲଣ୍ଡ ଓ ରୟେଲ ଏକ୍‌ସଚେଞ୍ଜଠାକୁ ଚାଲି ଆସିଲୁ । ଏହି ଅଞ୍ଚଳ ହେଲା ଲଣ୍ଡନର ପ୍ରଧାନ ବ୍ୟବସାୟ ଅଞ୍ଚଳ । ଏହାକୁ ଲଣ୍ଡନ ବ୍ୟବସାୟୀଙ୍କର ହୃତ୍‌ପିଣ୍ଡ କହିଲେ ଚଳେ । ବେଙ୍କ୍‌ଅଫ୍‌ ଇଂଲଣ୍ଡ ଓ ତା ପାଖକୁ ରୟେଲ୍‌ ଏକସ୍‌ଚେଞ୍ଜ, ଷ୍ଟକ୍‌ ଏକ୍‌ସଚେଞ୍ଜ, ବହୁ ବଡ଼ ବଡ଼ ବେଙ୍କ୍‌ର ହେଡ ଅଫିସ ଓ ରପ୍ତାନୀ, ଆମଦାନୀ କରୁଥିବା କୋମ୍ପାନୀଙ୍କର ଅଫିସ ଆଦି ରହିଥିବାରୁ ଏହି ଅଂଶଟି ଲଣ୍ଡନର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ଏହି ସ୍ଥାନରେ ଦିନବେଳା ବହୁ ବ୍ୟବସାୟୀ ଓ ପୁଞ୍ଜିପତିମାନଙ୍କର ଗହଳି ହୁଏ-। ଏହାକୁ ନିଉୟର୍କର ୱାଲଷ୍ଟ୍ରୀଟ୍‌ ସହିତ ତୁଳନା କରାଯାଇପାରେ ।

 

ସେଣ୍ଟ୍‌ ପଲସ୍‌ କେଥେଡ୍ରେଲ

 

ରୟେଲ ଏକ୍‌ସଚେଞ୍ଜଠାରୁ ଆମେ ସିଧା ଚାଲିଲୁ କୁଇନ୍‌ ଭିକ୍ଟୋରିଆ ଷ୍ଟ୍ରୀଟ୍‌ଦେଇ କେନନ ଷ୍ଟ୍ରୀଟକୁ । କେନନ୍‌ ଷ୍ଟ୍ରୀଟକୁ ଲାଗି ପୃଥିବୀ ପ୍ରସିଦ୍ଧ ଗିର୍ଜା ସେଣ୍ଟ ପଲ୍‌ସ୍‌ କେଥେଡ୍ରେଲ । ଆଜି ଯେଉଁଠି ସେଣ୍ଟ ପଲ୍‌ସ୍‌ କେଥେଡ୍ରେଲ ରହିଛି, ସେଠି ପ୍ରଥମେ ଥିଲା ସେକ୍‌ସନମାନଙ୍କର ଏକ ଗିର୍ଜା । ପରେ ଏଠାରେ ରୋମାନମାନଙ୍କର ଗିର୍ଜା ଗଢ଼ି ଉଠିଲା । ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଗିର୍ଜା ନାନା ଉତ୍‌ଥାନ ଓ ପତନ ଭିତରେ ଗତି କରିଥିଲା । ଧୀରେ ଧୀରେ ଏହାର କଳେବର ବୃଦ୍ଧି ପାଇଲା । ୧୬୬୬ ମସିହାରେ ଏହା ଲଣ୍ଡନ ଦହନ ଫଳରେ ଭସ୍ମସାତ ହୋଇ ଯାଇଥିଲା । ଏହି ଭସ୍ମସ୍ତୂପ ଭିତରୁ ଗଢ଼ି ଉଠିଲା ଏହି ନୂତନ ଗିର୍ଜା । ଏହାର ନକ୍‌ସା ଆଙ୍କିଥିଲେ ସେ କାଳର ପୃଥିବୀ ବିଖ୍ୟାତ ଆର୍କିଟେକ୍‌ସ ଠାରୁ କ୍ରିଷ୍ଟୋଫରେନ୍‌ ଯାହାଙ୍କ ଅଶେଷ ନକ୍‌ସାରୁ ଲଣ୍ଡନର ବହୁ ଖ୍ୟାତ ବିଖ୍ୟାତ ସୃଷ୍ଟି ଜନ୍ମି ପାଇଛି । ଗୋଥିକ ଷ୍ଟାଇଲ୍‌ ଓ ରିନାଇସେନ୍‌ସ ଷ୍ଟାଇଲର ସମ୍ମିଶ୍ରଣରେ ଏହା ତିଆରି କରାଯାଇଛି । ଏହାର ଡୋମ୍‌ ଅତି ପ୍ରକାଣ୍ଡ ୩୬୫ ଫୁଟ ଉଚ୍ଚା । ଇଂଲଣ୍ଡର, ସର୍ବ ବୃହତ୍‌ ପ୍ରୋଟେଷ୍ଟାଣ୍ଟ ଗିର୍ଜା ଭାବରେ ଏହା ଖ୍ୟାତ । ଲର୍ଡ ନେଲସନ୍‌, ଡିଉକ୍‌ ଅଫ୍‍ ୱେଲିଙ୍ଗଡନ୍‌ ଓ ଏହାର ନିର୍ମାତା ରେନ୍‌ ଆଦିଙ୍କର ସମାଧି ଏହି ଗିର୍ଜା ତଳେ ରହିଛି । ଏହାର ଆରମ୍ଭ ହୋଇଥିଲା ୧୬୭୫ ମସିହାରେ, ୧୭୧୦ ମସିହାରେ ଏହା ଶେଷ ହୋଇଥିଲା । ଏହାକୁ ରେନ୍‌ଙ୍କର ଶ୍ରେଷ୍ଠ କୃତିତ୍ଵ ବୋଲି କହନ୍ତି । ସେ ଏହାର ଶେଷ ଦେଖିବା ପର୍ଯ୍ୟନ୍ତ ବଞ୍ଚି ରହିଥିଲେ । ଏହି ଗିର୍ଜାକୁ କରିବା ପାଇଁ ସେ ଯୁଗରେ ଷୋଳ କୋଟି ଟଙ୍କା ବ୍ୟୟିତ ହୋଇଥିଲା ।

 

ସେଣ୍ଟ୍‌ପଲ୍‌ କେଥେଡ୍ରେଲର ବାହାର ସୌନ୍ଦର୍ଯ୍ୟ ଅତ୍ୟନ୍ତ କମନୀୟ । ପୃଥିବୀର ବିଖ୍ୟାତ ଗିର୍ଜା ଭିତରୁ ଏହା ଗୋଟିଏ । ଟେମ୍‍ସ୍ ନଦୀରୁ ଏହି ଗିର୍ଜାଟି ଅତୀବ ସୁନ୍ଦର ଦିଶେ ।

 

ସେଣ୍ଟ୍‌ପଲ କେଥେଡ୍ରେଲଠାରୁ ଅଳ୍ପ ଦୂରରେ ଗିଲଡ୍‌ ହଲ୍‌ ଅବସ୍ଥିତ । ଏହା ହେଉଛି ଲଣ୍ଡନ କର୍‌ପୋରେସନ୍‌ର ହେଡ୍‌ଅଫିସ । ଆମେ ସେଣ୍ଟ୍‌ପଲ୍‌ କେଥେଡ୍ରେଲରୁ ଫେରିଗଲାବେଳେ ରୟେଲ୍‌ ଏକ୍‌ସଚେଞ୍ଜ ଓ ଗିଲଡ୍‌ହଲ ଦେଇ ରସେଲ ସ୍କୋୟାରକୁ ଫେରି ଆସିଲୁ । ସେଦିନର ବୁଲାବୁଲି ଓ ଦର୍ଶନୀୟ ସ୍ଥାନ ଦେଖା ପୂର୍ବ ଦୁଇ ଦିନକୁ ବଳିଗଲା । ଆମେ ହୋଟେଲରେ ପହଞ୍ଚିଲା ବେଳକୁ ଏତେ ହାଲିଆ ହୋଇପଡ଼ି ଲୁଣି ଯେ ସେ କଥା କହି ହେବନି ।

 

ସେପ୍‌ଟେମ୍ବର ମାସ ସାତ ତାରିଖ ଶନିବାର । ଲଣ୍ଡନ ଛାଡ଼ିବାର ପୂର୍ବ ଦିନ । ଲଣ୍ଡନରେ ଆମର ଶେଷ ଦିନ ବୋଲି ବହୁତ ସ୍ଥାନ ଦେଖିବାର ଥାଏ ଓ ଲଣ୍ଡନ ବଜାରରୁ ଅନେକ କିଛି କିଣିବାର ଥାଏ । ଗୋଟାଏ ଦିନରେ ସେ ସବୁ କେମିତି ସରିବ, ସେଇ ଥାଏ ଆମର ପ୍ରଧାନ ଚିନ୍ତା । ସେ ଦିନ ବୁଲାବୁଲିରେ ଯୋଗଦେବା ପାଇଁ ଖାଲି ହରିବାବୁ ଆସି ନଥାନ୍ତି, ଆମ ପରିବାରର ଅନ୍ୟତମ ବଂଧୁ ଅଧ୍ୟାପିକା ଶ୍ରୀମତୀ ଶାନ୍ତିଲତା କାନୁନଗୋ ଓ ନାୟକବାବୁ ମଧ୍ୟ ଆସିଥାନ୍ତି । ଅଧ୍ୟାପିକା କାନୁନଗୋ ଇମ୍ପେରିଆଲ୍‌ କଲେଜରେ ପ୍ରାଣୀବିଜ୍ଞାନରେ ଏମ୍‌.ଏସ୍‌. କରୁଥାନ୍ତି । କଟକରୁ ଆମ ପରିବାର ସହ ଭଲ ଜଣାଶୁଣା । ବଂଧୁ ଦେବେନ୍ଦ୍ରନାଥ କାନୁନଗୋଙ୍କ ପତ୍ନୀ ବୋଲି ବନ୍ଧୁପତ୍ନୀ ଭାବରେ ସମ୍ପର୍କ ଥିବାରୁ ଆମକୁ କିଣାକିଣିରେ ସାହାଯ୍ୟ କରିବାକୁ ଆସିଥାନ୍ତି । ଆମେ ସକାଳର ପ୍ରାତଃକର୍ମ ଶେଷ କରି ସାରିଲାବେଳକୁ ହରିବାବୁ ସେ ସମସ୍ତଙ୍କୁ ଧରି ଆସି ପହଞ୍ଚିଗଲେ । ଏତେ ଗୁଡ଼ିଏ ଓଡ଼ିଆ ଲୋକଙ୍କୁ ଦେଖି ମନ ଭାରି ଖୁସି ହୋଇଗଲା । ଶନିବାର ଦିନଟା ସାରା ସେମାନେ ଆମ ସହିତ ବୁଲିବେ ବୋଲି ପହଞ୍ଚୁ ପହଞ୍ଚୁ ଜଣାଇ ଦେଲେ ।

 

ଲଣ୍ଡନରେ ବଜାର ବୁଲା

 

ହୋଟେଲରୁ ବାହାରି ଆମେ ଆଗେ ଚାଲିଲୁଁ ବଜାର କରି । ସେଦିନ ଶନିବାର ହୋଇଥିବାରୁ ସଅଳ ସଅଳ ବଜାର କାମ ନ ସାରିଲେ ଦିନ ଦୁଇଟାବେଳକୁ ସବୁ ଦୋକାନ ବଜାର ବନ୍ଦ ହୋଇଯିବ । ଆମେରିକାରୁ ଆମେ ସବୁ ପ୍ରକାର ଜିନିଷ କିଣିଥିଲେ ହେଁ ଗୋଟିଏ ଜିନିଷ ଲଣ୍ଡନରେ କିଣିବା ପାଇଁ ବାକି ରଖିଥାଉଁ । ସେଇଟି ହେଉଛି ଇଲେକଟ୍ରିକ କୁକିଙ୍ଗ୍‌ରେଞ୍ଜ ଓ ଓଭନ୍‌-। ଆମେରିକାରୁ ଆମେ ରେଫ୍ରିଜେରେଟର ଆଦି ନିତ୍ୟ ବ୍ୟବହାର୍ଯ୍ୟ ବହୁତଗୁଡ଼ିଏ ଜିନିଷ କିଣିଥିଲୁ ସତ, କିନ୍ତୁ କୁକିଙ୍ଗ୍‌ରେଞ୍ଜ କିଣି ନଥିଲୁ କାହିଁକି ନା ଆମେରିକାରେ ଏହି କୁକିଙ୍ଗ୍‌ ରେଞ୍ଜଗୁଡ଼ିକ ଅପେକ୍ଷାକୃତ ବଡ଼ ଧରଣର । ଯେଉଁ ଦେଶରେ କାଠ, ଘସି, କୋଇଲା ହେଲା ଚୁଲି ଜାଳିବାରେ ଏକମାତ୍ର ସମ୍ବଳ ଓ ବିଜୁଳିଶକ୍ତି ଯେଉଁ ଦେଶରେ ଅତି ଦୁର୍ମୂଲ୍ୟ, ସେଠି ଆମେରିକାରେ ବ୍ୟବହୃତ ସାଧାରଣ କୁକିଙ୍ଗରେଞ୍ଜ ଭଳି ବଡ଼ କୁକିଙ୍ଗ୍‌ରେଞ୍ଜ ଆବଶ୍ୟକତା କଅଣ ? ଯେଉଁ ଦେଶରେ ବିଦ୍ୟୁତଶକ୍ତି ପାଣି ଭଳି ଶସ୍ତା, ସେଠି ହୁଏତ ଏହା ବ୍ୟବହାର କଲେ କିଛି ଅସୁବିଧା ହେବନି, କିନ୍ତୁ ଯେଉଁ ଦେଶରେ ବିଦ୍ୟୁତ୍‌ଶକ୍ତି ଏକ ଦୁର୍ମୂଲ୍ୟ ଶକ୍ତି ଭାବରେ ପରିଚିତ ହୁଏ, ସେଠି ବଡ଼ ବଡ଼ କୁକିଙ୍ଗରେଞ୍ଜ ବ୍ୟବହାର କଲେ ଦେବାଳିଆ ହେବାକୁ ବେଶି ଡେରି ଲାଗିବନି-? ଶୁଣିଥିଲୁ ଲଣ୍ଡନରେ ଛୋଟ ଛୋଟ କୁକିଙ୍ଗରେଞ୍ଜ ବିକ୍ରୟ ହୁଏ । ତେଣୁ ଆମେ ଏହି କୁକିଙ୍ଗରେଞ୍ଜ ଲଣ୍ଡନରୁ କିଣିବୁ ବୋଲି ଠିକ୍‌ କରିଥାଉଁ । ତା’ଛଡ଼ା ଆଉ କେତେଗୁଡ଼ିଏ ଜିନିଷ କିଣିବାରେ ଥାଏ । ମିସେସ୍‌ କାନୁନଗୋଙ୍କର ସ୍ତ୍ରୀଲୋକମାନଙ୍କ ଆବଶ୍ୟକୀୟ ଏହି ସବୁ ଜିନିଷପାତି କିଣିବାରେ ଯଥେଷ୍ଟ ଅଭିଜ୍ଞତା ଥାଏ । ସେଥିପାଇଁ ହରିବାବୁଙ୍କ ସାହାଯ୍ୟ ସହିତ ଆମେ ତାଙ୍କ ସାହାଯ୍ୟ ମଧ୍ୟ ଲୋଡ଼ିଥିଲୁଁ-

 

ସଅଳ ସଅଳ ଆମେ ସମସ୍ତେ ଟେକ୍‌ସିଟିଏ କରି ବାହାରି ପଡ଼ିଲୁଁ । ଭଲ ଭଲ କୁକିଙ୍ଗରେଞ୍ଜ ମିଳୁଥିବା ବଜାର ହେଉଛି ଅକ୍‌ସଫୋର୍ଡ଼ ଷ୍ଟ୍ରୀଟରେ । ତେଣୁ ଅକ୍‌ସଫୋର୍ଡ଼ ଷ୍ଟ୍ରୀଟରେ ପହଞ୍ଚିବାକୁ ବେଶି ଡେରି ଲାଗିଲାନି । ଅକ୍‌ସଫୋର୍ଡ଼ ଷ୍ଟ୍ରୀଟରେ ବହୁ ବଡ଼ ବଡ଼ ଦୋକାନ ରହିଛି । କୁକିଙ୍ଗରେଞ୍ଜ, ରେଫ୍ରିଜେରେଟର ଠାରୁ ଆରମ୍ଭ କରି ଇଲେକଟ୍ରିକ୍‌ ଟୋଷ୍ଟର୍‌, ବ୍ଲେଣ୍ଡର ପର୍ଯ୍ୟନ୍ତ ସବୁ କିଛି ଜିନିଷରେ ଦୋକାନଗୁଡ଼ିକ ଭରା । ଏହି ଷ୍ଟ୍ରୀଟରେ ଯଦିଚ ବଡ଼ ଦୋକାନଗୁଡ଼ିଏ ଦେଖିଲୁଁ କିନ୍ତୁ ଆମେରିକାର ଦୋକାନ ସହିତ ତୁଳନା କଲେ ହତାଶ ହେବାକୁ ପଡ଼େ । ଆମେରିକାରେ ଗୋଟିଏ ଗୋଟିଏ ସାଧାରଣ ଦୋକାନରେ ଯେତିକି ଟଙ୍କାର, ଯେତିକି ପ୍ରକାରର ଜିନିଷ ଥୁଆ ହୋଇଛି, ଲଣ୍ଡନର ବଡ଼ ବଡ଼ ଦୋକାନାରେ ତା ବି ନାହିଁ । ଦୋକାନ ଭିତରକୁ ପଶିଗଲେ ଦୋକାନ ଭିତରେ ଜିନିଷପତ୍ରର ସ୍ୱଳ୍ପତା ସୂଚାଇ ଦିଏ, ଲଣ୍ଡନର ଦୈନ୍ୟବସ୍ଥା । ଆମେରିକାର ସାଧାରଣଦୋକାନ ଛାଡ଼ି ବଡ଼ ବଡ଼ ଦୋକାନତ ରହିଛି । ଆମେରିକାର ଗୋଟିଏ ଗୋଟିଏ ଡିପାର୍ଟମେଣ୍ଟାଲ ଷ୍ଟୋରରେ ଯାହା ଅଛି, ଲଣ୍ଡନର ଗୁଡ଼ିଏ ଡିପାର୍ଟମେଣ୍ଟାଲ ଷ୍ଟୋରକୁ ଏକାଠି କରିଦେଲେ ବି ସେତେ ନଥିବ । ଆମେରିକାରେ ଲୋକପ୍ରିୟ ହୋଇଥିବା କେତୋଟି ଡିପାର୍ଟମେଣ୍ଟାଲ ଷ୍ଟୋର ଇଂଲଣ୍ଡ ତଥା ଇଉରୋପରେ ଲୋକପ୍ରିୟ ହୋଇଛି, ସେଥିଭିତରୁ ଉଲ୍‌ୱାର୍ଥ ଗୋଟିଏ । ଲଣ୍ଡନରେ ସେମିତି ଗୋଟିଏ ଉଲ୍‌ୱାର୍ଥ ଦୋକାନ ଦେଖି ଆମେ ଖୁସି ହୋଇଗଲୁଁ । ପୁଅ ବାବୁଲି, “ଆମ ଉଲ୍‌ୱାର୍ଥ, ଆମ ଉଲ୍‌ୱାର୍ଥ” କହି ସେଠି ନାଚିଗଲା ।

 

ବହୁ ପ୍ରକାର କୁକିଙ୍ଗରେଞ୍ଜ ଦେଖି ସାରିଲା ପରେ ଆମ ମନ ମୁତାବକ ଗୋଟିଏ କୁକିଙ୍ଗରେଞ୍ଜ, ଖରିଦ କଲୁଁ । ଏହାକୁ ଦୋକାନୀ ଭରତକୁ ପଠାଇ ଆମକୁ କଲିକତାରେ ଡେଲିଭରି ଦେବାର ଦାୟିତ୍ଵ ନେଲେ । ପଠାଇଲାବେଳେ ଭଲଭାବରେ ପେକିଂ ଓ ଇନ୍‌ସିଅର୍‌ କରି ଭାରତକୁ ପଠାଇ ଦେବାପାଇଁ ତାଗିଦ୍‌କରି ସେଠାରୁ ବାହୁଡ଼ିଲୁଁ ।

 

ଅକ୍‍ସଫୋର୍ଡ଼ ଷ୍ଟ୍ରିଟର ଦୋକାନ ପର ଦୋକାନ ବୁଲୁ ବୁଲୁ ରିଜେଣ୍ଟ ଷ୍ଟ୍ରୀଟକୁ ଚାଲି ଆସିଲୁ । ଅକ୍‌ସଫୋର୍ଡ଼ ଷ୍ଟ୍ରୀଟକୁ ପିକାଡ଼ିଲି ସର୍କସ ସହିତ ସଂଯୋଗ କରେ ଏହି ରିଜେଣ୍ଟ ଷ୍ଟ୍ରୀଟ । ଏହି ରାସ୍ତାଟି ମଧ୍ୟ ଦୋକାନ ଓ ଡିପାର୍ଟମେଣ୍ଟାଲ ଷ୍ଟୋରରେ ପୂର୍ଣ୍ଣ । ଆମେ ଦୋକାନ ପର ଦୋକାନ ବୁଲି ଚାଲିଛୁ, ଗୋଟିଏ ବଡ଼ ଡିପାର୍ଟମେଣ୍ଟାଲ ଷ୍ଟୋରରେ ବିକ୍ରି ହେଉଥିବା ଏକ ଯନ୍ତ୍ର ଉପରେ ସ୍ତ୍ରୀଙ୍କର ଆଖି ପଡ଼ିଗଲା । ଏହି ଯନ୍ତ୍ରଟି ହେଉଛି ବିଭିନ୍ନ ପ୍ରକାର ବିସ୍କୁଟ ତିଆରି କରିବାର ଏକ ଯାନ୍ତ୍ରିକ ଛାଞ୍ଚ । ନାନା ପ୍ରକାର କେକ୍‌ ବିସ୍କୁଟ କରିବାରେ ସ୍ତ୍ରୀଙ୍କର ତ ଭାରି ଝୁଙ୍କ୍‌ । ତେଣୁ ଏଭଳି ସୁନ୍ଦର ଯନ୍ତ୍ରଟିଏ ଯେତେବେଳେ ମିଳୁଛି ଓ ଏହି ଯନ୍ତ୍ର ସାହାଯ୍ୟରେ ନାନା ଆକାର ପ୍ରକାରର ବିସ୍କୁଟ ଯେତେବେଳେ ତିଆରି ହୋଇ ପାରୁଛି, ତାକୁ ସ୍ତ୍ରୀ ଛାଡ଼ି କରି ଯାଉଛନ୍ତି ବା କେମିତି ? ସେହି ଯନ୍ତ୍ର ପାଖରେ ଆମେ ସମସ୍ତେ ଅଟକିଲୁ । ସେଲସ୍‌ ଗର୍ଲ ଯନ୍ତ୍ରଟିରେ ବିଭିନ୍ନ ପ୍ରକାର ବିସ୍କୁଟ କେମିତି ତିଆରି ହୁଏ, କରାଇ ଦେଖାଇ ଦେଲେ । ଯନ୍ତ୍ରଟିଏ କିଣି ଓ ସେଥି ସହ ବହୁ ପ୍ରକାରର ଛାଞ୍ଚ ଧରି ଦୋକାନରୁ ଫେରିଲୁ ।

 

ପୋଷାକ ପତ୍ର ଖରିଦ କରିବାର ମଧ୍ୟ ସେମିତି ବହୁତ ଗୁଡ଼ିଏ ସମୟ ଲାଗିଗଲା । ଏ ଦୋକାନରୁ ସେ ଦୋକାନ, ସେ ଦୋକାନରୁ ଆଉ ଏକ ଦୋକାନ, ଏମିତି ଲଣ୍ଡନର ସେ ଅଞ୍ଚଳରେ ବିଂଶାଧିକ ଦୋକାନ ଖୋଜି ପକାଇଲୁଁ । ଶେଷରେ ଲଣ୍ଡନର ସୁବିଖ୍ୟାତ ‘ବର୍ଟନ୍‌’ ପୋଷାକ ନିର୍ମାତା ଦୋକାନରୁ ଗୋଟିଏ ଗରମ ସୁଟ୍‌ ଖରିଦ କରି ଫେରିଲୁ । ଏମିତି କିଣାକିଣି କରୁଁ କରୁଁ ବାରଟା ବାଜିଗଲା । ମଧ୍ୟାହ୍ନ ଭୋଜନ ବେଳ ହୋଇଗଲା । କିଣାକିଣି ପରେ ଲଣ୍ଡନର ବିଭିନ୍ନ ଅଂଶ ଦେଖିବା ପ୍ରୋଗ୍ରାମ୍‌ ଏତେ ଭିଡ଼ ଯେ ଭାତ, ଡାଲି, ତରକାରୀ ସହ ପେଟପୂରା ମଧ୍ୟାହ୍ନ ଭୋଜନ ନ କରି ହାଲ୍‌କା ମଧ୍ୟାହ୍ନ ଭୋଜନ କରିବା ଠିକ୍‌କଲୁ । କାରଣ ପେଟେ ଭାତ ଖାଇଦେଲେ ବୁଲାବୁଲିରେ ବ୍ୟାଘାତ ଘଟିବାର ଆଶଙ୍କା ଥିବାରୁ ହାଲୁକା ମଧ୍ୟାହ୍ନ ଭୋଜନ ଛଡ଼ା ଅନ୍ୟବାଟ ନ ଥିଲା । ଖାଇବା ପାଇଁ ଅକ୍‌ସଫୋର୍ଡ଼ ଷ୍ଟ୍ରୀଟରେ ଥିବା ଗୋଟିଏ ଭାରତୀୟ ଜଳଖିଆ ଦୋକାନକୁ ଗଲୁଁ ।

 

ଦୋକାନଟିର ତଳ ମହଲାରେ ଗୋଟିଏ ସେଉ, ଗାଣ୍ଠିଆ, ଚୁଡାଭୁଜା ଦୋକାନ, ଠିକ ଆମ କଟକରେ ଗୁଜୁରାଟି ଦୋକାନ ଭଳି । ଦ୍ଵିତୀୟ ମହଲାରେ ଜଳଖିଆ ଦୋକାନ । ସବୁ ପ୍ରକାର ଭାରତୀୟ ଜଳଖିଆ ମିଳେ । ନିମିକି, ସିଙ୍ଗଡ଼ାଠାରୁ ଆରମ୍ବ କରି, ଗୋଲପଜାମୁନ, ରସଗୋଲା, ପାନତୁୱା ପର୍ଯ୍ୟନ୍ତ । ବିରିବରା, ଦହିବରା ତ ଅଛି । ଦୋଷା ବି ମିଳେ । ଏହି ହୋଟେଲଟିର ମାଲିକ ଜଣେ ଯୁବକ । ଦୋକାନରେ ଯେ ଜଳଖିଆ ତିଆରି କରିବା ଦାୟିତ୍ଵରେ ଥାନ୍ତି, ସେ ଜଣେ ଯୁବତୀ । ଲଣ୍ଡନ ବିଶ୍ୱବିଦ୍ୟାଳୟରେ ବି. ଏ.କ୍ଲାସରେ ଅଧ୍ୟୟନ କରନ୍ତି । ଅବସର ସମୟରେ ଏଠାରେ ହୋଟେଲ ମାଲିକଙ୍କୁ ନାନା ପ୍ରକାର ସାହାଯ୍ୟ କରନ୍ତି । ହୋଟେଲ ମାଲିକଙ୍କ ସହିତ ତାଙ୍କର ଅଳ୍ପଦିନ ଭିତରେ ବିଭାଘର ହେବା ଠିକ୍‌ ହୋଇଯାଇଥାଏ । ଉଭୟେ ମିଳିମିଶି ଏହି ହୋଟେଲଟିକୁ ଚଳାନ୍ତି । ହୋଟେଲର ଯାବତୀୟ କାମ ଏ ଦୁହେଁ ମିଳି କରନ୍ତି । ଯୁବକ ଯୁବତୀ ଦୁଇଜଣ ଗୁଜୁରାଟୀ । ଦୋକାନରେ ଗରମ ଗରମ ମସଲା ଦିଆ ସିଙ୍ଗଡା ବେଶ୍‌ ଭଲ ଲାଗିଲା । ସିଙ୍ଗଡ଼ା, ଆଳୁଚପ୍‌, ଦୋଷା ଓ ଗୋଟିଏ ଗୋଟିଏ ମିଠା ଖାଇଲୁ । ତା’ପରେ କଫି ପିଇ ଦେବାରୁ ହାଲୁକା ମଧ୍ୟାହ୍ନ ଭୋଜନଠାରୁ ଟିକିଏ ବଳିଗଲା ଭଳି ଜଣା ପଡ଼ିଲା । ଖିଆପିଆ ସାରି ହୋଟେଲରୁ ବାହାରି ପଡ଼ିଲୁଁ । ଏଥର ଆମେ ଚାଲିଲୁ ପାର୍ଲିଆମେଣ୍ଟ ଭବନ ଦେଖି । ଅକ୍‍ସଫୋର୍ଡ଼ ଷ୍ଟ୍ରୀଟରୁ, ପିକାଡ଼ିଲି ସାର୍କସ, ଟ୍ରାଫାଲଗାର ସ୍କୋୟାର ଦେଇ ହ୍ଵାଇଟ୍‌ ହଲ ରାସ୍ତାରେ ଆସି ପାର୍ଲିଆମେଣ୍ଟ ଠାରେ ପହଞ୍ଚିଗଲୁଁ ।

 

ପାର୍ଲିଆମେଣ୍ଟ ଭବନ

 

ବ୍ରିଟିଶ ଗଣତନ୍ତ୍ରର ନୀରବ ସାକ୍ଷୀରୂପେ ଠିଆ ହୋଇଛି ଏହି ବିରାଟ ପ୍ରାସାଦଟି । ଟେମ୍‌ସ ନଦୀ କୂଳେ କୂଳେ ଲମ୍ବି ଯାଇଛି ପ୍ରାୟ ୯୪୦ ଫୁଟ । ପାର୍ଲିଆମେଣ୍ଟ ଭବନ ଆରମ୍ଭ ହୋଇଛି ୱେଷ୍ଟମିନିଷ୍ଟର ପୋଲଠାରୁ, ଲମ୍ବି ଯାଇଛି ନଦୀର କୂଳେ କୂଳେ ଲେମ୍‌ବେଥ୍‌ ପୋଲଆଡ଼କୁ , ୱେଷ୍ଟମିନିଷ୍ଟର ପୋଲ ଓ ଲେମ୍‌ବେଥ୍ ପୋଲ ଭିତରେ ଦୂରତାର ଅଧ ପର୍ଯ୍ୟନ୍ତ । ଏହି ଲେମ୍‌ବେଥ୍‌ ପୋଲ ଉପରୁ ପାର୍ଲିଆମେଣ୍ଟ ଭବନର ଦୃଶ୍ୟ ଅତୀବ ଚମତ୍କାର । ପୃଥିବୀର ବିଭିନ୍ନ ଫଟୋରେ ଥିବା ପାର୍ଲିଆମେଣ୍ଟ ଭବନର ଦୃଶ୍ୟ ସାଧାରଣତଃ ଏହି ଲେମ୍‌ବେଥ୍ ପୋଲ ଉପରୁ ନିଆ ହୋଇଥାଏ । ଯଦିଚ ପାର୍ଲିଆମେଣ୍ଟର ସୃଷ୍ଟି ବହୁ ପୂର୍ବରୁ, କିନ୍ତୁ ବର୍ତ୍ତମାନର ପାର୍ଲିଆମେଣ୍ଟ ଭବନରେ ତିଆରି ହୋଇଛି ୧୮୩୬ ମସିହାରେ । ଏହାର ତିଆରି ଶେଷ ହେଲା ୧୮୫୩ ମସିହାରେ । ୧୮୩୪ ମସିହାର ବିଖ୍ୟାତ ଲଣ୍ଡନ ଅଗ୍ନିଦାହ ଫଳରେ ପୂର୍ବ ପାର୍ଲିଆମେଣ୍ଟ ଭବନଟି ପୋଡ଼ିଯିବାରୁ ଏହା ପୁଣି ନୂଆ ହୋଇ ତିଆରି ହୋଇଥିଲା । ବର୍ତ୍ତମାନର ଏହି ଭବନର ନକ୍‌ସା କରିଥିଲେ ସାର୍‌ ଚାର୍ଲସବେରୀ । ଏହା ଉନବିଂଶ ଶତାବ୍ଦୀର ଗୋଥିକ ଷ୍ଟାଇଲରେ ତିଆରି-। ପ୍ରାୟ ଆଠ ଏକର ପରିମିତ ସ୍ଥାନ ଉପରେ ଏହି ବିରାଟ ପ୍ରସାଦଟି ଗଢ଼ା ଯାଇଛି । ଏଥିରେ ୧୧ ଗୋଟି କୋର୍ଟ, ଶହେଟି ସିଢ଼ି, ୧୧୦୦ଟି ଏପାର୍ଟମେଣ୍ଟ ରହିଛି । ତା ଛଡ଼ା ହାଉସ୍ ଅଫ୍ କମନ୍‌ସ, ହାଉସ ଅଫ୍ ଲଡ୍‌ସ ଏଥି ଭିତରେ ପ୍ରସିଦ୍ଧ ପ୍ରାସାଦ । ହାଉସ୍ ଅଫ୍‍ ଲଡ୍‌ସ ଏକ ପ୍ରକାଣ୍ଡ ହଲ, ଏହାର ଲମ୍ବ ପ୍ରାୟ ୬୮ ଫୁଟ, ଓସାର ୪୫ ଫୁଟ ଅଟେ । ପାର୍ଲିଆମେଣ୍ଟ ଭିତରେ ରାଜା ବା ରାଣୀଙ୍କ ବ୍ୟବହାର ପାଇଁ ରୟେଲକୋର୍ଟ ରହିଛି । ବିଭିନ୍ନ ଉତ୍ସବରେ ରାଜା ବା ରାଣୀ ପାର୍ଲିଆମେଣ୍ଟକୁ ଆସିଲେ ଏହିଠାରେ ଅବସ୍ଥାନ କରନ୍ତି । ଏଥି ସହିତ ରୟେଲ ଗେଲେରୀ ଏକ ଦର୍ଶନୀୟ ସ୍ଥାନ ।

 

ପାର୍ଲିଆମେଣ୍ଟ ଭିତରେ ୱେଷ୍ଟ ମିନିଷ୍ଟର ହଲ ଅତି ପ୍ରସିଦ୍ଧ । ବ୍ରିଟିଶ ପାର୍ଲିଆମେଣ୍ଟ ଭବନ ଯଦିଚ ନୂଆ, ୱେଷ୍ଟମିନିଷ୍ଟର ହଲଟି ଖୁବ୍ ପୁରୁଣା । ୧୮୩୪ ମସିହା ଅଗ୍ନି ଦାହରେ ପାର୍ଲିଆମେଣ୍ଟ ଭବନର ସବୁ କିଛି ପୋଡ଼ିଗଲା ସତ, କିନ୍ତୁ ଦଗ୍‌ଧ ନ ହୋଇ ରହିଗଲା, ଏହି ୱେଷ୍ଟ ମିନିଷ୍ଟର ହଲ୍‍ଟି । ପାର୍ଲିଆମେଣ୍ଟ ଭବନ ଭିତରକୁ ଗଲାବେଳେ ଏହି ଭବନ ଦେଇ ସାଧାରଣତଃ ଯିବାକୁ ପଡ଼େ ।

 

ପାର୍ଲିଆମେଣ୍ଟର ହାଉସ ଅଫ୍‍ କମନ୍‍ସ ଏକ ବିରାଟ ହଲ । ଏଥିରେ ୬୨୫ ଜଣ ମେମ୍ବର ବସିବାର ସ୍ଥାନ ରହିଛି । ଏହି ମେମ୍ବରମାନେ ସାରା ବ୍ରିଟିଶ ଦ୍ଵୀପପୁଞ୍ଜରୁ ଭୋଟ ପାଇ ଆସନ୍ତି । ଏହା ହେଲା ପାର୍ଲାମେଣ୍ଟର ଲୋଅର ହାଉସ୍ । ହାଉସ୍ ଅଫ୍‍ ଲର୍ଡ଼ସ୍ ହେଲା ପାର୍ଲାମେଣ୍ଟର ଅପର୍ ହାଉସ୍ । ଏଠାକାର ସଭ୍ୟଙ୍କ ଭିତରୁ ଅନେକ ବଂଶାନୁକ୍ରମିକ ଓ ଆଉ କେତେକ ଏହି ସଭାକୁ ମନୋନୀତ ହୁଅନ୍ତି । ତା ଛଡ଼ା ସରକାରୀ କଲରେ ନିଜ ପଦବୀ ନେଇ ଏଥିରେ କେତେକ ସଭ୍ୟ ହୋଇ ପାରନ୍ତି । ବ୍ରିଟିଶ ଶାସନର ଆଇନ କାନୁନ୍ ପ୍ରଣୟନଠାରୁ ଆରମ୍ଭ କରି ଦେଶ ଶାସନର ସମସ୍ତ କ୍ଷମତା ହାଉସ୍ ଅଫ୍‍ କମନ୍‌ସ ହାତରେ ରହିଛି । ଦ୍ଵିତୀୟ ମହାସମରବେଳେ ଜର୍ମାନୀର ଆମନ୍ତ୍ରଣରୁ ଏହି କମନ୍‌ସ ଗୃହଟି ଚୁରମାର ହୋଇ ଯାଇଥିଲା । ଯୁଦ୍ଧ ପରେ ଏହା ପୁନଃ ପ୍ରତିଷ୍ଠିତ ହୋଇ ବର୍ତ୍ତମାନ ଅବସ୍ଥାକୁ ଆସିଅଛି । କମନ୍‌ସର ଏଇ ନୂତନ ଗୃହଟି ତିଆରି ହୋଇ ୧୯୫୦ ମସିହାରେ ଉନ୍ମୁକ୍ତ ହୋଇଥିଲା ।

 

ପାର୍ଲାମେଣ୍ଟ ଭବନର ଉତ୍ତରରେ ଥିବା କ୍ଲକ୍‌ଟାୱାର ହେଉଛି ଏହି ଭବନର ଏକି ପ୍ରଧାନ ଅଂଶ । ଏହି ଟାୱାରଟି ୩୪୦ଫୁଟ ଉଚ୍ଚା । ଏହି ଟାୱାର ଉପରେ ରହିଛି ପୃଥିବୀ ପ୍ରସିଦ୍ଧ ବିଗ୍‌ବେନ୍ ଘଣ୍ଟା । ଏହି ଘଣ୍ଟାଟି ଅତି ବିରାଟ । ଏହା ଯେତେବେଳେ ପ୍ରଥମେ ତିଆରି ହେଲା, ଏହାର ଓଜନ ଥିଲା ପ୍ରାୟ ୪୧୦ ମହଣ । ପରେ ଏହାର ଓଜନକୁ କମାଇ ସାଢ଼େ ତିନିଶହ ମହଣରେ ରଖାଗଲା । ଏହି ଘଣ୍ଟାଟି ପ୍ରତିଷ୍ଠିତ ହୋଇଥିଲା ୧୮୫୮ ମସିହାରେ । ଏହାକୁ ସେ ଯୁଗରେ ତିଆରି କରିବା ପାଇଁ ପ୍ରାୟ ଆଠ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

 

ବିଗବେନ୍ ଘଣ୍ଟାର ସମୟ ନିର୍ଦ୍ଦେଶ ସାରା ଲଣ୍ଡନ ସହର ମାନି ଚଳେ । ବିଗ୍‌ବେନ୍‌ର ସମମୟ ନିର୍ଦ୍ଦେଶ ବି.ବି.ସି.ରେଡ଼ିଓ ସାହାଯ୍ୟରେ ଚାରିଆଡ଼େ ପ୍ରଚାର କରି ଦିଆଯାଏ ଓ ଲୋକମାନେ ସେହି ଅନୁସାରେ ନିଜ ନିଜ ଘଣ୍ଟାକୁ ମିଳାନ୍ତି । ରେଡ଼ିଓରେ ବିଗବେନ୍ ଘଣ୍ଟାର ବାଜିବା ଶବ୍ଦ ୧୯୨୩ ମସିହା ନବବର୍ଷର ପୂର୍ବ ଦିବସ ଠାରୁ ରୀତିମତ ପ୍ରଚାର କରାହୋଇ ଆସୁଛି-। ଏହି ଘଣ୍ଟା ନିକଟରେ ଏକ ମାଇକ୍ରୋଫୋନ୍‍ ସର୍ବଦା ବସିଛି । ଘଣ୍ଟା ବାଜିଲେ ଏହା ଘଣ୍ଟା ଶବ୍ଦକୁ ରେଡ଼ିଓ ପ୍ରେରକ ଷ୍ଟେସନକୁ ପଠାଇ ଦିଏ, ସେଠାରୁ ଏହା ପ୍ରଚାରିତ ହୁଏ ।

 

ଏହି କ୍ଲକ୍ ଟାୱାରକୁ ଛାଡ଼ି ପାର୍ଲାମେଣ୍ଟ ଭବନରେ ଆଉ ଦୁଇଟି ଟାୱାର ହେଲା ସେଣ୍ଟ୍ରାଲ ଟାୱାର ଓ ଭିକ୍ଟୋରିଅ ଟାୱାର । ପ୍ରଥମଟି ୩୦୦ ଫୁଟ ଉଚ୍ଚ, ଦ୍ଵିତୀୟଟିର ଉଚ୍ଚତା ୩୪୦ ଫୁଟ । ଯେତେବେଳେ ପାର୍ଲାମେଣ୍ଟ ଅଧିବେଶନ ଚାଲୁଥାଏ ଭିକ୍ଟୋରିଆ ଟାୱାର ଉପରେ ଇଂରେଜମାନଙ୍କର ଜାତୀୟ ପତାକା ୟୁନିୟନ ଜାକ୍ ଉଡ଼େ ଓ କ୍ଲକ୍ ଟାୱାର ଉପରେ ଏକ ଆଲୋକ ଜଳେ । ପାର୍ଲାମେଣ୍ଟ ଭବନ ଓ ନଦୀ କୂଳ ଏହା ଭିତରେ ନଦୀ କୂଳେ କୂଳେ ବ୍ରିଟିଶ ରାଜାମାନଙ୍କର ବଡ଼ ବଡ଼ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରା ଯାଇଛି । ପାର୍ଲାମେଣ୍ଟ ଭବନର କାନ୍ଥମାନଙ୍କରେ ବିଭିନ୍ନ ଯୁଦ୍ଧ, ବିଭିନ୍ନ ବଡ଼ ବଡ଼ ଐତିହାସିକ ଘଟଣାର ଫ୍ରେସକୋ ଚିତ୍ର ରହିଛି ।

 

ପାର୍ଲାମେଣ୍ଟ ଭବନ ବୁଲିସାରି ଏହାର ବହୁତ ଗୁଡ଼ିଏ ସ୍ଥିର ଓ ଚଳଚିତ୍ର ଉଠାଇଲୁଁ । ସେଠାରୁ ଯାଇ ଟେମ୍‌ସ୍ ନଦୀ କୂଳରେ କିଛି ସମୟ ପାଇଁ ବସିଲୁଁ । ଯାଗାଟି ଅତି ମନୋରମ । ଏଠାରୁ ଗୋଟିଏ ପାଖରେ ଲେମବେଥ୍‌ ପୋଲ ଓ ଅନ୍ୟ ପାଖରେ ୱେଷ୍ଟମିନିଷ୍ଟର ପୋଲ ଅତି ସୁନ୍ଦର ଦିଶୁଥାଏ । ଟେମ୍‌ସ୍ ନଦୀ ଉପରେ ଏ ଦୁଇଟି ଅତି ବିଖ୍ୟାତ ପୋଲ-। ଟେମ୍‍ସ୍ ନଦୀ ଉପରେ ଲଣ୍ଡନ ସହରର ଦୁଇ ଭାଗକୁ ସଂଯୁକ୍ତ କରିବା ପାଇଁ ହାରାହାରି ଦଶଗୋଟି ପୋଲ ରହିଛି-

 

ଏହି ସବୁ ପୋଲ ମଧ୍ୟରେ ଟାୱାର ବ୍ରିଜ୍‌, ଲଣ୍ଡନ ବ୍ରିଜ୍‌ ସାଉଥୱାକ ବ୍ରିଜ, ବ୍ଲେକ୍ ପ୍ଲେୟାର୍‌ସ୍ ବ୍ରିଜ୍, ୱାଟାରଲୁ ବ୍ରିଜ୍, ୱେଷ୍ଟମିନିଷ୍ଟର ବ୍ରିଜ୍, ଲେମ୍ବଥ୍ ବ୍ରିଜ୍, ଭକ୍‌ସହଲ ବ୍ରିଜ୍, ଆଲବର୍ଟ ବ୍ରିଜ୍ ଆଦି ପ୍ରଧାନ । ଏହି ପୋଲଗୁଡ଼ିକରେ ଯାନ ଚଳାଚଳ ଯୋଗୁ ଭିଡ଼ ସର୍ବଦା ଲାଗି ରହିଥାଏ ।

 

ୱେଷ୍ଟମିନିଷ୍ଟର ଆବେ

 

ପାର୍ଲାମେଣ୍ଟ ଭବନ ଦେଖିସାରି ଆମେ ଚାଲିଲୁଁ ୱେଷ୍ଟମିନିଷ୍ଟର ଆବେ ଦେଖି । ପାର୍ଲାମେଣ୍ଟ ଭବନ ଓ ୱେଷ୍ଟମିନିଷ୍ଟର ଆବେ ହାଇଟ୍ ହଲ ରାସ୍ତାର ଦୁଇ ପାଖରେ ଅବସ୍ଥିତ । ହାଇଟ ହଲ ରାସ୍ତା ଅତିକ୍ରମ କଲେ ୱେଷ୍ଟମିନିଷ୍ଟର ଆବେ ପଡ଼େ । ଟ୍ରଫାଲଗାର ସ୍କୋୟାରରୁ ଏହି ରାସ୍ତାଟି ବାହାର ପାର୍ଲାମେଣ୍ଟ ଭବନ ଓ ୱେଷ୍ଟମିନିଷ୍ଟର ଆବେ ଦେଇଁ ଲେମ୍ବେଥ୍ ରୋଡ଼ ପର୍ଯ୍ୟନ୍ତ ଯାଇଛି ।

 

ୱେଷ୍ଟମିନିଷ୍ଟର ଆବେର ଆରମ୍ଭ ତୃତୀୟ ହେନେରୀଙ୍କ ସମୟରୁ । ଏହା ସେ ଯୁଗର ସ୍ଥାପତ୍ୟ କଳାର ବେଶ୍ ପରିଚୟ ଦିଏ । ଏହି ଆବେକୁ ପ୍ରକୃତରେ ପ୍ରତିଷ୍ଟା କରିଥିଲେ ଏଡୱାର୍ଡ ଦି କନ୍‌ଫେସର ୧୦୫୦-୬୫ ମସିହା ଭିତରେ । ଏହି ଗିର୍ଜାରେ ଉଇଲିୟମ ଦି କଙ୍କ୍‌ରର୍‌ ଇଂଲଣ୍ଡର ରାଜା ଭାବରେ ଅଭିଷିକ୍ତ ହୋଇଥିଲେ । ସେହି ଦିନଠାରୁ ଇଂଲଣ୍ଡର ରାଜାମାନେ ଏହିଠାରେ ହିଁ ଅଭିଷିକ୍ତ ହୁଅନ୍ତି । ଏଥିପୂର୍ବରୁ ଏଠାରେ ଯେଉଁ ଗିର୍ଜା ଥିଲା, ତାକୁ ବହୁ ପୂବରୁ ସେଣ୍ଟ ପିଟର ପ୍ରତିଷ୍ଠା କରିଥିଲେ, ତାର କିଛି ଇତିହାସ ମିଳେନି । ପରେ ଅଷ୍ଟମ ଶତାବ୍ଦୀରେ ଏହାକୁ ପୁନଃପ୍ରତିଷ୍ଠା କରି ଏଠାରେ ସେଣ୍ଟ ପିଟରଙ୍କ ଉତ୍ସବ କରଯାଇଥିଲା । ଏହା ବହୁ ଥର ବହୁ ରାଜାଙ୍କ ଦ୍ଵାରା ମରାମତି ହୋଇଛି । ୧୯୧୩ ମସିହାରେ ଏହି ଆବେ ବିଜୁଳି ଆଲୋକ ଦ୍ଵାରା ଆଲୋକିତ ହେଉଥିଲା । ଏହି ଗିର୍ଜାର ଲମ୍ବ ପ୍ରାୟ ୫୩୦ ଫୁଟ । ଭିତର କେନ୍ଦ୍ର ଭାଗର ଲମ୍ବ ୧୬୬ ଫୁଟ, ଓସାର ୩୮ ଫୁଟ ଓ ଉଚ୍ଚତା ୧୦୨ ଫୁଟ । ଦୁଇଟି ଯେଉଁ ଗମ୍ବୁଜ ଏହା ସାମନା ପାଖରେ ରହିଛି ତହିଁର ଉଚ୍ଚତା ପ୍ରାୟ ୨୭୫ ଫୁଟ । ପଶ୍ଚିମ ଦିଗକୁ ଏହାର ପ୍ରଧାନ ପ୍ରବେଶ ହାର । ଏହା ପୁରୁଣା ଇଂରେଜି ସ୍ଥାପତ୍ୟରେ ତିଆରି ।

 

ଏଠାରେ ସୁବିଖ୍ୟାତ ଇଂରେଜ ଲୋକଙ୍କ ସମାଧି ରହିଛି । ଇଂରେଜ ଇତିହାସର ଏକ ଗନ୍ତାଘର ଭାବରେ ଏହା ପରିଚିତ । ଏଠି ଖାଲି କେବଳ ରାଜା ମହାରାଜାଙ୍କର ସମାଧି ନାହିଁ, ଇଂରେଜ ଜାତିର ବଡ଼ ବଡ଼ ଲୋକଙ୍କର ପ୍ରତିମୂର୍ତ୍ତି, ସ୍ମୃତିଚିହ୍ନ ଆଦି ରହିଛି । ଯେଉଁମାନେ ଇଂରେଜ ଜାତିର ଟେକ ରଖିଛନ୍ତି, ସେମାନଙ୍କ ମଧ୍ୟରେ ଚସର, ଡକ୍ଟର ଜନ୍‌ସନ୍ ଡିକାନ୍‌ସ, ଲର୍ଡ ଟେନିସନ୍‌, ହାଣ୍ଡେଲ, ସ୍ପେନସର, ଆଇଜକ ନିଉଟନ, ରବର୍ଟ ଷ୍ଟିଫେନସନ୍‌, ଡାର୍‌ଉଇନ୍, ଲିଭିଙ୍ଗଷ୍ଟୋନ୍‌, ଓଡ୍‌ସ୍‌ୱର୍ଥ, ସ୍କଟ୍ ଆଦି ଅଗ୍ରଗଣ୍ୟ ହେଲେହେଁ ଏମାନଙ୍କ ଭିତରୁ ସମସ୍ତେ ଏଠି ସମାଧି ପାଇ ନାହାନ୍ତି, କିନ୍ତୁ ଏଠାରେ ସେମାନଙ୍କୁ ଯଥାବିଧି ସମ୍ମାନିତି କରାଯାଇଛି ।

 

ଆବେର ପ୍ରଧାନ ପ୍ରଧାନ ସମ୍ପତ୍ତି ଭିତରେ ଅଭିଷେକ ଚୌକି ପ୍ରଧାନ । ଏହା ପ୍ରଥମେ ଏଡୱାର୍ଡ୍‌ କନଫେସରଙ୍କ ପାଇଁ ତିଆରି ହୋଇଥିଲା । ଏଥିସହ ଆଉ ଗୋଟିଏ ହେଉଛି ଷ୍ଟୋନ ଅଫ୍ ସ୍କୋନ୍ । ଏହାଉପରେ ସ୍କଟି୍‌ସ ରାଜାମାନେ ଅଭିଷିକ୍ତ ହୁଅନ୍ତି । ଏଠାରେ ଆଉ ଗୋଟିଏ ପ୍ରସିଦ୍ଧ ସମାଧି ରହିଛି, ତାହା ହେଲା ଅଜଣା ଯୋଦ୍ଧାର ସମାଧି । ପୃଥିବୀର ପ୍ରଥମ ମହା ଯୁଦ୍ଧ ସମୟରେ ଯେଉଁମାନେ ଯୁଦ୍ଧରେ ମରିଥିଲେ, ସେମାନଙ୍କ ପାଇଁ ଏହା ଉଦ୍ଧିଷ୍ଟ ।

 

ୱେଷ୍ଟମିନିଷ୍ଟର ଆବେକୁ ଏଥିପୂର୍ବରୁ ଆମେରିକା ଗଲା ବାଟରେ ଦେଖିଥିଲୁ, ତେଣୁ ଆଉ ବିଶେଷ ଦେଖିବା ଦରକାର ପଡ଼ିଲାନି । ତେବେ ଏହା ଭିତର ବାହାର ଆଉଥରେ ବୁଲିଆସି ସେଠୁ ବାହାରିଲୁ ।

Unknown

 

ଡାଉନିଙ୍ଗ୍ ଷ୍ଟ୍ରିଟ

 

ଆବେରୁ ବାହାରି ଟ୍ରାଫାଲ ଗାର ସ୍କୋୟାର ଆଡ଼କୁ କିଛି ଦୂର ଗଲାପରେ ପଡ଼ିଲା ସୁବିଖ୍ୟାତ ଡାଉନିଂ ଷ୍ଟ୍ରୀଟ । ଡାଉନିଂ ଷ୍ଟ୍ରୀଟର ଦଶ ଓ ଏଗାର ନମ୍ବର ଘର ପୃଥିବୀ ପ୍ରସିଦ୍ଧ । ଦଶ ନମ୍ବର ଘରେ ବ୍ରିଟିଶ ପ୍ରଧାନ ମନ୍ତ୍ରୀ ଓ ଏଗାର ନମ୍ବର ଘରେ ଚାଲସେଲର ଅଫ୍ ଏକ୍‌ସଚେକର ରହନ୍ତି । ଯେଉଁ ହ୍ଵାଇଟ ହଲ୍ ଷ୍ଟ୍ରୀଟରୁ ଡାଉନିଂ ଷ୍ଟ୍ରୀଟର ଆରମ୍ଭ ତାର ନାମକରଣ ହୋଇଛି, ଏଠାରେ ଥିବା ହ୍ଵାଇଟ୍ ହଲ ପ୍ରାସାଦର ନାମରୁ । ଏହି ରାସ୍ତାର ପଶ୍ଚିମ ପାଖକୁ ଏହି ପ୍ରାସାଦଟି ଅବସ୍ଥିତ । ଏହି ପ୍ରାସାଦଟି ଥିଲା ୧୫୩୯ଠାରୁ ୧୬୯୧ ପର୍ଯ୍ୟନ୍ତ ରାଜଭବନ । ବ୍ରିଟିଶ ରାଜ ପରିବାର ଏହି ପ୍ରସାଦରେ ରହୁଥୁଲେ । ଅବଶ୍ୟ ବର୍ତ୍ତମାନ ଏଠାରେ ରାଜ ପରିବାର ରହୁ ନାହାନ୍ତି । ୟୁନିୟନ ସର୍ଭିସେସ୍ ଯାଦୁ ଘର ବର୍ତ୍ତମାନ ଏଠାରେ ହୋଇଛି ।

 

ସ୍କଟ୍‍ଲାଣ୍ଡ ୟାର୍ଡ଼

 

ଡାଉନିଂ ଷ୍ଟ୍ରୀଟଠାରୁ ଅଳ୍ପ ଦୂରରେ ଟେମସ୍ ନଦୀକୁ ଲାଗି ଭିକ୍ଟୋରିଆ ଏମବେକ୍‌ମେଣ୍ଟ୍ ଉପରେ ସୁପ୍ରସିଦ୍ଧ ନିଉ ସ୍କଟ୍‍ଲାଣ୍ଡ ୟାର୍ଡ଼ ଅବସ୍ଥିତ । ଗୋଇନ୍ଦାଗିରି ଶିଖିବା ପାଇଁ ଯେଉଁମାନେ ବିଲାତ ଯାନ୍ତି, ସେମାନେ ଏହି ସ୍କଟଲେଣ୍ଡ ୟାର୍ଡ଼ରେ ଟ୍ରେନିଂ ପାଆନ୍ତି । ଅନେକଙ୍କ ଧାରଣା ସ୍କଟଲେଣ୍ଡ ୟାର୍ଡ଼ ହେଉଛି ସ୍କଟଲେଣ୍ଡରେ । ପ୍ରକୃତରେ ତା ନୁହେଁ । ସ୍କଟଲେଣ୍ଡ ୟାର୍ଡ଼ ହେଉଛି ଲଣ୍ଡନର ଟେମସ୍ ନଦୀକୂଳରେ । ବଡ଼ ବଡ଼ ଅପରାଧ ଧରିବା ପାଇଁ ସାରା ପୃଥିବୀରେ ଏହାକୁ ଏକ ବିଖ୍ୟାତ ଟ୍ରେନିଂ ଅନୁଷ୍ଠାନ ବୋଲି ଧରାଯାଏ ।

 

୧୦ ନମ୍ବର ଓ ୧୧ ନମ୍ବର ଡାଉନିଂ ଷ୍ଟ୍ରିଟ ସ୍ଥିତ ଘର ଷ୍ଟ୍ରୀଟ ଦେଖି ଆମେ ଫେରିଲୁ ଟ୍ରାଫାଲଗାର ସ୍କୋୟାରଆଡ଼େ । ବାଁ ପଟରେ ପଡ଼ୁଥାଏ ସେଣ୍ଟ ଜେମସ ପାର୍କ ଓ ସେଥିଭିତରେ ଥିବା ହାଉସ୍ ଗାର୍ଡ଼ସ ଅଫିସ । ଟ୍ରାଫାଲଗାର ସ୍କୋୟାର ଅତିକ୍ରମ କରି ସିଧା ଚାଲିଲୁ ରିଜେଣ୍ଟ ଷ୍ଟ୍ରୀଟ ଦେଇ ପିକାଡ଼ିଲି ସର୍କସ । ପିକାଡ଼ିଲି ସର୍କସର ଭୂମିତଳ ଷ୍ଟେସନକୁ ଯାଇ ସେଠାରୁ ଟିଉବ ଦେଇ ରସେଲ ସ୍କୋୟାର ଆସିଲୁ । ରସେଲ ସ୍କୋୟାର ନିକଟରେ ଲଣ୍ଡନ ସହରର ଦୁଇଟି ପ୍ରସିଦ୍ଧ ଅନୁଷ୍ଠାନ ରହିଛି । ଗୋଟିଏ ହେଉଛି ବ୍ରିଟିଶ ମିଉଜିୟମ ଓ ଅନ୍ୟଟି ଲଣ୍ଡନ ବିଶ୍ଵବିଦ୍ୟାଳୟ ।

 

ବ୍ରିଟିଶ ମିଉଜିୟମ୍

 

ଲଣ୍ଡନର ବହୁତଗୁଡ଼ିଏ ଦର୍ଶନୀୟ ବସ୍ତୁ ଦେଖି ସାରିଲା ପରେ ଆମର କେତୋଟି ଜିନିଷ ବାକି ରହିଲା । ସେଥି ମଧ୍ୟରୁ ବ୍ରିଟିଶ ମିଉଜିୟମ ଲଣ୍ଡନ ବିଶ୍ୱବିଦ୍ୟାଳୟ, କୋଭେଣ୍ଟ ଗାର୍ଡନ ରୟେଲ ଅପେରା ହାଉସ୍ ଓ ଦେଶର ଦର୍ଶନୀୟ ସଂପଦ ଭାବରେ ପୂଜା ପାଉଥିବା ଜନ୍‌ସନ, ଡିକେନ୍‌ସ ମିଲ୍‌ଟନ୍‌, କିଟ୍‌ସଆଦିଙ୍କ ବାସଭବନ । କୋଭେଣ୍ଟଗାର୍ଡନ ରୟେଲ ଅପେରା ହାଉସରେ ଲଣ୍ଡନର ସୁପ୍ରସିଦ୍ଧ ରୟେଲ ବେଲେ ନୃତ୍ୟ ଅତି ଆକର୍ଷଣୀୟ । ତା ଛଡ଼ା ଲଣ୍ଡନର ସୁପ୍ରସିଦ୍ଧ ଫିଲ୍ ହାରମୋନିକ ଅକେଷ୍ପ୍ରା ଓ ସେଥିସହ ପୂରାତନ ଓ ଆଧୁନିକ ପେରା ଯେ କେହି ଲୋକକୁ ମୁଗ୍‌ଧ କରିବ । କିନ୍ତୁ ଆମଠାରେ ସମୟର ଏତାଦୃଶ ଅଭାବ ଯେ ଆମେ ଏହି ବିଖ୍ୟାତ ଦର୍ଶନୀୟ ସ୍ଥାନଟି ଦେଖିବାର ସୁଯୋଗରୁ ବଞ୍ଚିତ ହେବା ଛଡ଼ା ଅନ୍ୟ ଉପାୟ ନ ଥିଲା ।

 

କିନ୍ତୁ ଆମଠାରେ ସବୁଠାରୁ ବଡ଼ ଦର୍ଶନୀୟ ପଦାର୍ଥ ହେଉଛି ବ୍ରିଟିଶ ମିଉଜିୟମ । ଲଣ୍ଡନରେ ଏହି ମିଉଜିୟମଟିକୁ ଛାଡ଼ି ଆହୁରି କେତେଗୁଡ଼ିଏ ମିଉଜିୟମ୍ ଅଛି ସତ, କିନ୍ତୁ ସେସବୁ ମଧ୍ୟରେ ବ୍ରିଟିଶ ମିଉଜିୟମ ଅତି ବିଖ୍ୟାତ ଓ ପୃଥିବୀ ପ୍ରସିଦ୍ଧ । ବ୍ରିଟିଶ ମିଉଜିୟମ ପୃଥିବୀର ସବୁଠାରୁ ପୂରାତନ ମିଉଜିୟମ ନହେଲେହେଁ ଏହା ଯେ ପୃଥିବୀର ବୃହତ୍ତମ ମିଉଜିୟମ, ଏହା କେହି ଅସ୍ଵୀକାର କରିବେନି । ପୃଥିବୀର ସର୍ବପ୍ରଥମ ମିଉଜିୟମ ପ୍ରତିଷ୍ଠିତ ହୋଇଥିଲା ଇଂଲଣ୍ଡନର ଅକ୍‍ସଫୋର୍ଡ଼୍‍ ସହରରେ ଏହାର ବହୁ ପୂର୍ବରୁ । ବେକନ୍ ପ୍ରଥମେ ଏହି ମିଉଜିୟମ ବିଶେଷତଃ କଳା ଓ ବିଜ୍ଞାନ ମିଉଜିୟମର ଆବଶ୍ୟକତା ଦର୍ଶାଇଥିଲେ । ବ୍ରିଟିଶ ମିଉଜିୟମର ସର୍ବପ୍ରଥମ ଆରମ୍ଭ ହୋଇଥିଲା ୧୭୫୩ ମସିହାରେ, ଯଦିଚ ଏହା ଭିତରସ୍ଥ କେତେକ ଦର୍ଶନୀୟ ବସ୍ତୁ ଏକ ମିଉଜିୟମ ଭିତରେ ରଖିବାର କଳ୍ପନା ନେଇ ସଂଗ୍ରହ କରାଯାଇଥିଲା ୧୭୫୨ ମସିହାରୁ । ତେଣୁ ବ୍ରିଟିଶ ମିଉଜିୟମ ସେହି ଦିନରୁ ଆରମ୍ଭ ହେଇଥିଲା କହିଲେ ଅତ୍ୟୁକ୍ତି ହେବନି । ପ୍ରଥମେ ସାର୍ ହାନ୍‌ସ ସ୍ନୋଥାନ ବ୍ୟକ୍ତିଗତ ଭାବରେ କେତେ ଜିନିଷ ସଂଗ୍ରହ କରିଥିଲେ, ସେହି ସଂଗ୍ରହରୁ ଜନ୍ମ ହୋଇଛି, ଆଜିକାର ବିରାଟ ବ୍ରିଟିଶ ମିଉଜିୟମ । ତାଙ୍କ ସଂଗ୍ରହ ଭିତରେ ଥିଲା ୫୦,୦୦୦ ପୁସ୍ତକ ଓ ପାଣ୍ଡୁଲିପି, ୨୩,୦୦୦ ମୁଦ୍ରା ଓ ପଦକ ଓ ୨୦,୦୦୦ ନାନା ଜାତିର ପ୍ରାକୃତିକ ବସ୍ତୁ ।

ବ୍ରିଟିଶ ମିଉଜିୟମର ମୂଳ ହେଉଛି ରସେଲ ସ୍କୋୟାର ନିକଟସ୍ଥ ଲଣ୍ଡନ ବିଶ୍ଵବିଦ୍ୟାଳୟଠାରୁ ଅଳ୍ପ ଦୂରରେ ଥିବା ବ୍ଲୁମସବେରୀରେ । ଏହା ବର୍ତ୍ତମାନ ଲଣ୍ଡନର ତିନିଗୋଟି ଯାଗାରେ ଖଣ୍ଡ ବିଖଣ୍ଡିତ ହୋଇ ରହିଛି । ବ୍ରିଟିଶ ମିଉଜିୟମର ଗୋଟିଏ ପ୍ରଧାନ ଅଂଶ ହେଉଛି ନେଚୁରାଲ ହିଷ୍ଟ୍ରି ମିଉଜିୟମ୍‌ । ଏହା ହାଇର୍ଡ ପାର୍କ ଠାରୁ ଅଳ୍ପ ଦୂରରେ ସାଉଥ୍ କେନ୍ ସିଙ୍ଗଟନ ଅଞ୍ଚଳରେ ଥିବା କ୍ରମୱେଲ ରୋଡ଼ ଉପରେ ଅବସ୍ଥିତ । ଏହା ଏକ ଅତିସୁନ୍ଦର ପ୍ରାସାଦରେ ରହିଛି । ଏହି ପ୍ରାସାଦର ସର୍ବପ୍ରଥମ ନକ୍‌ସା କରିଥିଲେ ଆଲ୍‌ଫ୍ରେଡ ୱାଟର ହାଉସ । ଏଠାରେ ଥିବା ସଂଗୃହିତ ପଦାର୍ଥଗୁଡ଼ିକ ଅତି ବିରାଟ ଓ ଏଗୁଡ଼ିକ ଆଧୁନିକ ବୈଜ୍ଞାନିକ ରୀତିରେ ସଜା ହୋଇରଖା ଯାଇଛି ।

 

ନେଚୁରାଲ ହିଷ୍ଟ୍ରି ମିଉଜିୟମ ପାଖରେ ରହିଛି ସାଏନ୍‌ସ ମିଉଜିୟମ । ଆଧୁନିକ ବିଜ୍ଞାନର ପ୍ରସାର କେମିତି ହୋଇଛି ଲୋକମାନଙ୍କୁ ଦେଖାଇବା ପାଇଁ ଏଥିରେ ନାନାଦି ଜିନିଷ ଯେମିତି ସଜାହୋଇ ରହିଛି, ତାହା ସମସ୍ତଙ୍କର ଦେଖିବା ଉଚିତ ।

 

ବ୍ରିଟିଶ ମିଉଜିୟମର ପ୍ରଧାନ ଅଂଶ ରହିଲା ଲଣ୍ଡନ ବିଶ୍ଵବିଦ୍ୟାଳୟ ନିକଟବର୍ତ୍ତୀ ବ୍ଲୁମସବେରୀରେ । ବ୍ରିଟିଶ ମିଉଜିୟମ୍‌ର ଏହି ମୁଖ୍ୟ ପ୍ରାସାଦଟି ଅତି ବିରାଟ ଓ ଏହା ସର୍ବ ପ୍ରଥମେ ତିଆରି ହୋଇଥିଲା ୧୮୫୫ ମସିହାରେ । ବ୍ରିଟିଶ ମିଉଜିୟମର ଅସଂଖ୍ୟ ଦର୍ଶନୀୟ ବସ୍ତୁଗୁଡ଼ିକୁ କେମିତି ଦେଖିବୁ ସେହିଥାଏ ଆମର ଚିନ୍ତା । ତେବେ ହରି ବାବୁ, ମିସେସ କାନୁନ୍‌ଗୋ ଆଦିଙ୍କ ସହଯୋଗରେ ଏହି ମିଉଜିୟମର ଯେଉଁ ସବୁ ଦେଖିବା ଜିନିଷ ସେଗୁଡ଼ିକ ଟାଉଟାଉ କରି ଗୋଟିଏ ପରେ ଗୋଟିଏ ଦେଖି ନେଲୁ । ମିଉଜିୟମର କୌଣସି ଜିନିଷ ଟାଉଟାଉ କରି ଦେଖିନେବା କଥା ନୁହେଁ;ମିଉଜିୟମଗୁଡ଼ିକ ସେହି ଦୃଷ୍ଟିରୁ କେବେ ତିଆରି ହୋଇନି, ଏ କଥା ଆମେ ଭଲ ଭାବରେ ଜାଣିଥିଲେ ମଧ୍ୟ ଆମର ଅନ୍ୟ ଉପାୟ ନ ଥିଲା । ବ୍ରିଟିଶ ମିଉଜିୟମକୁ ଦେଖିବା ପାଇଁ ଯେଉଠି ଲୋକେ ବର୍ଷ ବର୍ଷ ସମୟ ବିତାଇ ଦେଇଛନ୍ତି, ଗୋଟିଏ ଗୋଟିଏ ଜିନିଷକୁ ଦେଖିବା ପାଇଁ ଦିନ ଦିନ ବିତି ଯାଇଛି, ସେଠି ଆମେ ଘଣ୍ଟାଏ ଦୁଇ ଘଣ୍ଟା ଭିତରେ କେତେ ମନବୋଧ କରି ଓ ଶିଖିପାରିଲା ଭଳି ଯେ ଦେଖିପାରିବୁ ସେଥିରେ ଆମର ଯଥେଷ୍ଟ ସନ୍ଦେହ ଥାଏ-। ସ୍ତ୍ରୀ ଓ ପିଲାମାନେ ଆମେରିକାରେ ଏହି ମିଉଜିୟମ ଦେଖି ଦେଖି ଏତେ ବିରକ୍ତ ହୋଇ ପଡ଼ିଥାନ୍ତି ଯେ ପୃଥିବୀର ସର୍ବବୃହତ ଓ ସବୁଠାରୁ ଶିକ୍ଷଣୀୟ ଏହି ବ୍ରିଟିଶ ମିଉଜିୟମ ସେମାନଙ୍କୁ ବେଶେଷ ଆକୃଷ୍ଟ କରି ପାରିଲାନି । ବ୍ରିଟିଶ ମିଉଜିୟମ୍ ନାଁ କହିଲେ ଆମ ଦେଶର ବହୁ ବିଶେଷଜ୍ଞଙ୍କ ଶରୀରରେ ଯେଉଁ ଚମକ ଖେଳିଯାଏ, ସେ ଚମକ ଆମ ଦେହରେ ଖେଳୁ ନ ଥିଲେହେଁ ଏହାର ସୁବିଖ୍ୟାତ ଅଂଶଗୁଡ଼ିକୁ ନ ଦେଖି ଆମେ ଏଠାରୁ ଚାଲିଯାଉଛୁଁ ବା କେମିତି ? ବ୍ରିଟିଶ ମିଉଜିୟମର ବିରାଟ ଗୋଲକାର ପଢ଼ିବା ଘରଟି ଆମକୁ ଅତିଶୟ ଆକୃଷ୍ଟ କରିଥିଲା । ଆମେ ଏଠାରେ କିଛି ସମୟ କଟାଇଥିଲୁ ।

 

ବ୍ରିଟିଶ ମିଉଜିୟମର ବିଭିନ୍ନ ଅଂଶ ବୁଲି ଆମେ ଯେତେବେଳେ ପ୍ରତ୍ନତାତ୍ତ୍ୱିକ ଅଂଶକୁ ଆସିଲୁ, ଆମ ଭାରତ ତଥା ଓଡ଼ିଶାର କେତେକ ପ୍ରାଚୀନ ପ୍ରସ୍ତର ମୂର୍ତ୍ତି ଦେଖି ଚମତ୍କୃତ ହୋଇ ପଡ଼ିଲୁ । ଆମ ଓଡ଼ିଶାର ବହୁ ପ୍ରାଚୀନ ମୂର୍ତ୍ତି ଇଂରେଜମାନେ ନେଇଯାଇ ଏଇ ଯାଦୁଘରେ ରଖିଛନ୍ତି-। ଆମ ଦେଶର ଐତିହାସିକ ଗବେଷଣାରେ ଆମେ ବ୍ରିଟିଶ ମିଉଜିୟମ୍‌ରେ ଥିବା ଆମର ନାନା ଐତିହାସିକ ମୂର୍ତ୍ତିର ଛାଞ୍ଚ ଆଣି, ସେହି ଛାଞ୍ଚରୁ ନାନା ତଥ୍ୟ ସଂଗ୍ରହ କରି ଗବେଷଣା କରୁଛୁ । ଏଇ ହେଉଛି ଆମ ଦେଶର ଅବସ୍ଥା । ଏହିଭଳି ଇଂରେଜମାନେ ଆମର କେତେ ମୂଲ୍ୟବାନ ପ୍ରତ୍ନତାତ୍ତ୍ୱିକ ସମ୍ପତି ନେଇଯାଇ ଏଠାରେ ଓ ଅନ୍ୟଠାରେ ଯେ ରଖିଛନ୍ତି, ତାର କଳନା ନାହିଁ । ଗତ ଦ୍ଵିତୀୟ ମହାସମର ବେଳେ ନାଜିମାନଙ୍କ ଆକ୍ରମଣରୁ ଏହି ମିଉଜିୟମର ବହୁତ କ୍ଷତି ହୋଇଥିଲା-। ଏହି ମିଉଜିୟମର ବହୁ ଅମୂଲ୍ୟ ସମ୍ପଦ ଆକାଶ ଆକ୍ରମଣବେଳେ ଲଣ୍ଡନ ଭୂଇଁତଳ ରେଲଲାଇନର ସ୍ଥାନେ ସ୍ଥାନେ ଲୁଚାଇ ରଖାଯାଇଥିଲା ।

 

ମିୟୁଜିୟମଟି ଦେଖି ସାରିଲାବେଳକୁ ସନ୍ଧ୍ୟା ପ୍ରାୟ ଆଗ୍ରତପ୍ରାୟ । ଏତେ ସମୟ ଧରି ବୁଲାବୁଲି କରି ଆମେ ସମସ୍ତେ ପ୍ରାୟ ଥକି ପଡ଼ିଲୁଣି । ପିଲାମାନେ ବି ଆମଠାରୁ ଅଧିକ ହାଲିଆ ହୋଇ ପଡ଼ିଲେଣି । ତେଣୁ କିଛି କିଛି ଚା ଜଳଖିଆ ଖାଇ ଶକ୍ତି ଆହରଣ କରିବା ପାଇଁ ବ୍ରିଟିଶ ମିଉଜିୟମଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ କେଫିଟେରିଆରେ ପ୍ରବେଶ କଲୁ ।

 

ବିଟ୍ରିଶ ମିଉଜିୟମକୁ ଛାଡ଼ି ଲଣ୍ଡନର ବଡ଼ ବଡ଼ ବିଖ୍ୟାତ ମିଉଜିୟମ ହେଉଛି ହ୍ଵାଇଟ ହଲରେ ଥିଲା ଇଉନାଇଟେଡ୍ ସରଭିସେସ୍ ମିଉଜିୟମ, କ୍ରମୱେଲ ରୋଡ଼ରେ ଥିବା ଭିକ୍ଟୋରିଆ ଓ ଆଲବର୍ଟ ମିଉଜିୟମ, କେନସିଙ୍ଗଟନ ଗାର୍ଡ଼ନସ୍ଥ କେନସିଙ୍ଗଟନ ପ୍ରାସାଦରେ ଥିବା ଲଣ୍ଡନ ମିଉଜିୟମ, ଇମ୍ପେରିୟାଲାଲ ଇନ୍‌ଷ୍ଟିଚିଉଟରେ ଥିବା ଭୂତାତ୍ଵିକ ମିଉଜିୟମ ଆଦି ପ୍ରସିଦ୍ଧ । ଭିକ୍ଟୋରିଆ ଓ ଆଲବର୍ଟ ମିଉଜିୟମ ଯଦିଚ ୧୮୫୭ ମସିହାରେ ତିଆରି ହୋଇଥିଲା, ଏହାର ବର୍ତ୍ତମାନ ଗୃହ ତିଆରି ହୋଇଥିଲା ୧୯୦୯ ମସିହାରେ । ପୃଥିବୀରେ ଯେତେ ଯେଉଁଠି ସଂଗ୍ରହାଳୟ ରହିଛି, ସବୁଠାରୁ ଉଚ୍ଚକୋଟୀର ସଂଗ୍ରହାଳୟ ହେଲା ଏହି ମିଉଜିୟମଟି ।

 

ଲଣ୍ଡନ ବିଶ୍ୱବିଦ୍ୟାଳୟ

 

ନିକଟବର୍ତ୍ତୀ କାଫେରୁ ଚା ଜଳଖିଆ ଖାଇ ସାରିଲା ପରେ ଆମେ ଚାଲିଲୁ ଲଣ୍ଡନ ସହରର ଶିକ୍ଷାକେନ୍ଦ୍ର ‘ଲଣ୍ଡନ ବିଶ୍ୱବିଦ୍ୟାଳୟ ପରିକ୍ରମା ଉଦ୍ଦେଶ୍ୟରେ । ଇଂଲଣ୍ଡର ଶିକ୍ଷା କ୍ଷେତ୍ରରେ ଏହି ବିଶ୍ଵବିଦ୍ୟାଳୟର ପ୍ରସିଦ୍ଧି ଖୁବ ବେଶି । ଆମ ଭାରତୀୟ ଶିକ୍ଷା କ୍ଷେତ୍ରରେ ଯେଉଁମାନେ କର୍ଣ୍ଣଧାର ଅଛନ୍ତି, କି କେନ୍ଦ୍ର ଜି ପ୍ରାଦେଶିକ ସରକାର ଅଧୀନରେ ଥିବା ବଡ଼ ବଡ଼ ଶିକ୍ଷାକେନ୍ଦ୍ର, ଗବେଷଣାଗାର, ବଡ଼ ବଡ଼ କଲେଜ ଓ ବିଶ୍ଵବିଦ୍ୟାଳୟରେ ଉଚ୍ଚ ପଦବୀରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଡିଗ୍ରୀ ପ୍ରାପ୍ତ । ସେମାନଙ୍କ ମଧ୍ୟରୁ କେତେକ ବିଭିନ୍ନ ପ୍ରଦେଶର ବିଶ୍ଵବିଦ୍ୟାଳୟର ଶିକ୍ଷା ନୀତିକୁ ନିୟନ୍ତ୍ରଣ କରିଥିବାରୁ ଭାରତୀୟ ଶିକ୍ଷା ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରଭାବ କିଛି କମ ନୁହେଁ । ଆମର ଭାରତୀୟ ବୈଜ୍ଞାନିକମାନଙ୍କ ମଧ୍ୟରୁ ଅଧିକାଂଶ ଏହି ବିଶ୍ଵବିଦ୍ୟାଳୟରୁ ଗବେଷଣାରେ ତାଲିମପ୍ରାପ୍ତ । ବ୍ରିଟିଶ ମିଉଜିୟମଠାରୁ ଅଳ୍ପ ଦୂରରେ ଏହି ସୁବିଖ୍ୟାତ ବିଶ୍ୱବିଦ୍ୟାଳୟଟି ଅବସ୍ଥିତ, ରୟେଲ ସ୍କୋୟାରକୁ ଲାଗି ଏହା ଗଡ଼ି ଉଠିଛି-। ଲଣ୍ଡନ ବିଶ୍ୱବିଦ୍ୟାଳୟ କେମ୍ପସ୍ ଓ ବ୍ରିଟିଶ ମିଉଜିୟମ ଏ ଦୁଇଟିକୁ ତଫାତ୍ କରୁଛି ମଣ୍ଟେଗ୍ୟୁ ପ୍ଲେ ସରାସ୍ତା । ଏହି ରାସ୍ତାରୁ ବାହାରିଥିବା ଗେଲେଟଷ୍ଟ୍ରୀଟକୁ ଲାଗି ଏହି ପୃଥିବୀ ପ୍ରସିଦ୍ଧ ଅନୁଷ୍ଠାନଟି ଅବସ୍ଥିତ ।

 

ଲଣ୍ଡନ ବିଶ୍ଵବିଦ୍ୟାଳୟ ପୃଥିବୀର ବୃହତ୍ତମ ବିଶ୍ୱବିଦ୍ୟାଳୟ ଭାବରେ ପରିଗଣିତ ହୁଏ । ପୃଥିବୀରେ ଯେତେ ବିଶ୍ଵବିଦ୍ୟାଳୟ ଅଛି, ସମସ୍ତଙ୍କଠାରୁଏହି ବିଶ୍ଵବିଦ୍ୟାଳୟର ଛାତ୍ରୀସଂଖ୍ୟା ଅଧିକ-। ୧୯୪୭-୪୮ ମସିହାରେ, ଏହି ବିଶ୍ଵବିଦ୍ୟାଳୟରେ ଡିଗ୍ରୀ ଶ୍ରେଣୀରେ ପଢ଼ୁଥିଲେ ୫୦,୦୦୦ ଛାତ୍ରୀ । ବର୍ତ୍ତମାନ ଯେ ଏହି ଛାତ୍ରଛାତ୍ରୀ ସଂଖ୍ୟା ଢେର ବଢ଼ି ଯାଇଥିବ, ଏଥିରେ ସନ୍ଦେହ ନାହିଁ-। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ୧୮୩୬ ମସିହାରେ, ଏକ ପରୀକ୍ଷକ ଓ ଡିଗ୍ରୀ ପ୍ରଦାନକାରୀ ବିଶ୍ଵବିଦ୍ୟାଳୟ ଭାବରେ । ଲଣ୍ଡନ ବିଶ୍ଵବିଦ୍ୟାଳୟର ପ୍ରଧାନ କଲେଜ ହେଲା ଇଉନିଭରସିଟି କଲେଜ । ଏହା ୧୮୨୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହାକୁ ବିଶ୍ଵବିଦ୍ୟାଳୟର ଏକମାତ୍ର କଲେଜ କରିବା ପାଇଁ ଯେତେବେଳେ ଚେଷ୍ଟା ଚାଲିଲା, ଚାରିଆଢ଼ୁ ଆସିଲା ନାନା ପ୍ରକାର ପ୍ରତିବାଦ, ଫଳରେ ଇଉନିଭରସିଟି କଲେଜ ବିଶ୍ୱବିଦ୍ୟାଳୟ ଅଧୀନରେ ଏକ ଶିକ୍ଷାଦାମୀ କଲେଜ ଭାବରେ ରହିଲା । ୧୯୦୦ ମସିହାରେ ଏହା ପୂରାପୂରି ଲଣ୍ଡନ ବିଶ୍ୱବିଦ୍ୟାଳୟ ଭିତରକୁ ଚାଲି ଆସିଲା ।

 

୧୮୫୪ ମସିହାରେ ଲଣ୍ଡନ ବିଶ୍ଵବିଦ୍ୟାଳୟର ଚିକିତ୍ସା ବିଜ୍ଞାନରେ ଡିଗ୍ରୀ ଦେବା ଆରମ୍ଭ ହେଲା । ୧୮୬୮ ମସିହାଠାରୁ ଲଣ୍ଡନ ବିଶ୍ୱବିଦ୍ୟାଳୟ ପାର୍ଲିଆମେଣ୍ଟକୁ ଜଣେ ପ୍ରତିନିଧି ନିର୍ବାଚନ କରିବାର ଅଧିକାର ଲାଭକଲା । ୧୮୮୦ ମସିହାଠାରୁ ଏହି ବିଶ୍ୱବିଦ୍ୟାଳୟରେ ସ୍ତ୍ରୀଲୋକମାନେ ଶିକ୍ଷା ପାଇବା ତଥା ପରୀକ୍ଷା ଦେଇ ଡିଗ୍ରୀହାସଲ କରିବାର ଅଧିକାର ପାଇଲେ ।

 

ଲଣ୍ଡନ ବିଶ୍ଵବିଦ୍ୟାଳୟର ଶିକ୍ଷାନୀତିକୁ ପର୍ଯ୍ୟାଲୋଚନା କରିବାପାଇଁ ୧୯୧୩ ମସିହାରେ ଏକ ରୟେଲ କମିସନ ବସିଥିଲା । ଏଥିରେ ଲଣ୍ଡନର ବିଭିନ୍ନ କଲେଜରୁ ଶିକ୍ଷାଦାନ ପ୍ରଣାଳୀରେ ପରସ୍ପରର ନିକଟତର ହେବା ପାଇଁ ନିର୍ଦ୍ଦେଶ ଦିଆଗଲା । ଏହି ସମୟରେ ଲଣ୍ଡନ ବିଶ୍ଵବିଦ୍ୟାଳୟ ପାଇଁ ଏକ ଗୃହର ଆବଶ୍ୟକତା ଉପଲବ୍‌ଧି କରାଗଲା । ୧୯୨୦ ମସିହାରେ ଇଂରେଜ ସରକାର ବିଶ୍ୱବିଦ୍ୟାଳୟ ଗୃହପାଇଁ ବ୍ଲୁ ମସବରୀରେ ଥିବା ବିରାଟ ଖୋଲା ଯାଗା ପ୍ରଦାନ କଲେ, ଫଳରେ ୧୯୩୫ ମସିହାରେ ପଞ୍ଚମଜର୍ଜଙ୍କ ଦ୍ଵାରା ବିଶ୍ୱବିଦ୍ୟାଳୟ ଗୃହର ଭିତ୍ତି ସ୍ଥାପିତ ହେଲା । ଲଣ୍ଡନ ବିଶ୍ଵବିଦ୍ୟାଳୟର ପ୍ରଧାନ କାର୍ଯ୍ୟାଳୟ ଅଫିସ, ଏହାର ପ୍ରକାଣ୍ଡ କେନ୍ଦ୍ର ଟାୱାର ୧୯୩୮ ମସିହା ସୁଦ୍ଧା ତିଆରି ହୋଇ ଯାଇଥିଲା ।

 

ଲଣ୍ଡନ ବିଶ୍ୱବିଦ୍ୟାଳୟ ଅଧୀନରେ ବର୍ତ୍ତମାନ ବହୁତଗୁଡ଼ିଏ କଲେଜ ରହିଛି । ତା ଛଡ଼ା ବିଭିନ୍ନ ସ୍କୁଲ ଓ ଇନ୍‌ଷ୍ଟିଚିଉଟମାନ ରହିଛି । ଲଣ୍ଡନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକ ହେଲା ଇମ୍ପେରିୟାଲ୍ କଲେଜ ଅଫ୍ ସାଏନ୍‍ସ ଏଣ୍ଡ ଟେକ୍‌ନୋଲୋଜି, କୁଇନ୍ ମେରୀ କଲେଜ, ଗୋଲଡ଼ସ୍ମିଥ କଲେଜ, ବରକ୍‌ବେକ୍‌ କଲେଜ, ଲଣ୍ଡନ ସ୍କୁଲ ଅଫ୍ ଇକନମିକ୍‌ସ, ସାଉଥ୍ ଇଷ୍ଟର୍ନ ଏଗ୍ରିକଲଚରେଲ୍ କଲେଜ, ସ୍କୁଲ ଅଫ୍ ଓରିୟେଣ୍ଟାଲ ଆଣ୍ଡ ଆଫ୍ରିକାନ୍ ଷ୍ଟଡିଜ୍, ଇଉନିଭରସିଟି କଲେଜ, କିଙ୍ଗସ୍ କଲେଜ ଓ ସ୍ତ୍ରୀ ଲୋକଙ୍କମାନଙ୍କ ପାଇଁ ଥିବା ତିନୋଟି କଲେଜ ଯଥା ବେଡ଼ଫୋର୍ଡ଼, ରୟେଲ ହଲେୱେ ଓ ୱେଷ୍ଟ ଫିଲଡ଼ କଲେଜ ।

 

ଲଣ୍ଡନ ବିଶ୍ୱବିଦ୍ୟାଳୟରେ ବହୁତଗୁଡ଼ିଏ ଫେକଲଟି ରହିଛି । ସେହି ସବୁ ଫେକଲଟି ହେଲା ଥିଓଲଜି, ଆର୍ଟସ୍, ଲ, ମିଉଜିକ୍, ମେଡିସିନ୍, ସାଏନ୍‌ସ, ଇଞ୍ଜିନିୟରିଂ ଓ ଇକନମିକ୍‌ସ । କମର୍ସ, ଇଣ୍ଡଷ୍ଟ୍ରି, ପଲଟିକାଲ ସାଏନ୍‌ସ ଓ ସୋସାଲ ସାଏନ୍‌ସ ଇକନମିକ୍‌ସ ଫେକଲଟି ଅଧୀନରେ ରହିଛି । ଲଣ୍ଡନ ବିଶ୍ୱବିଦ୍ୟାଳୟ ଏକ ସିନେଟ୍ ଓ କନ୍‌ଭେନସ୍‌ର ଦ୍ଵାରା ଶାସିତ ହୁଏ । ସିନେଟର କାର୍ଯ୍ୟକୁ ସାହାଯ୍ୟ କରିବା ପାଇଁ ତିନୋଟି କାଉନ୍‌ସିଲ ଅଛି । ଏକାଡେମିକ କାଉନସିଲ;ଏକ୍‌ସଟରନେଲ କାଉନସିଲ ଓ ଏକ୍‌ଷ୍ଟେନ୍‌ସନ କାଉନସିଲ । ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକରେ ପରିଚାଳନା ଅଲଗା ଅଲଗା ଭାବରେ ହୁଏ ।

 

ବ୍ରିଟିଶ ମିଉଜିୟମ ଓ ଲଣ୍ଡନ ବିଶ୍ୱବିଦ୍ୟାଳୟ ଦେଖି ସାରିଲା ବେଳକୁ ଅନ୍ଧାର ହୋଇଗଲାଣି । ବନ୍ଧୁ ଶ୍ରୀମତୀ କାନୁନ୍‌ଗୋ, ହରିବାବୁ ଓ ନାୟକବାବୁଙ୍କୁ ବିଦାୟ ଦେଇ ହୋଟେଲକୁ ଫେରିଲୁଁ । ତହିଁ ପରଦିନ ଆମର ଲଣ୍ଡନ ଛାଡ଼ିବା କଥା । ମିସେସ୍ କାନୁନଗୋ ଓ ମିଷ୍ଟର ନାୟକଙ୍କ ସହିତ ଆଉ ଦେଖା ହେବନି ବୋଲି ସେମାନଙ୍କଠାରୁ ଶେଷ ବିଦାୟ ନେବାକୁ ଭୁଲିଲୁନି ।

 

ଲଣ୍ଡନ ସହର ଭିତରେ ଯେତେ ଯାହା ଦେଖିବାର ଅଛି ତା ଛଡ଼ା ଲଣ୍ଡନଠାରୁ ଅଳ୍ପ ଦୂରରେ ଦେଖିଲା ଜିନିଷ ମଧ୍ୟ ଢେର ଅଛି । ଟେମ୍‌ସ୍ ନଦୀର କିଛି ଉପରକୁ ଗଲେ ପଡ଼ିବ ପୃଥିବୀ ବିଖ୍ୟାତ୍ କିଭ ରୟେଲ ବୋଟାନିକାଲ ଗାର୍ଡନ । ପ୍ରାୟ ୩୦୦ ଏକର ଜମିଉପରେ ଏହି ବିରାଟ ଉଦ୍ୟାନଟି ଅବସ୍ଥିତ । ଏହାଠାରୁ ଆଉ ଅଧିକ ଉପରକୁ ଗଲେ ପଡ଼ିବ, ଉଇଣ୍ଡସର କାସଲ । ଏହାକୁ ଉଇଲିୟମ ଦି-କଙ୍କରର ପ୍ରତିଷ୍ଠା କରିଥିଲେ । ହେନେରୀ ପ୍ରଥମଙ୍କ ଅମଳରୁ ଏହି ପ୍ରାସାଦଟି ଖ୍ୟାତି ଲଭିଛି । ଏହା ଭିତରେ ଇଂଲଣ୍ଡର ସୁନ୍ଦର, ସେଣ୍ଟ୍ ଜର୍ଜ୍ଜ ଗିର୍ଜା ଅବସ୍ଥିତ । ଏଠାରେ ରାଜ ପରିବାର ଅନେକ ସମୟରେ ଅବସ୍ଥାନ କରନ୍ତି । ନାନା ପ୍ରକାର ଚିତ୍ର କଳାରେ ଏହି ପ୍ରାସାଦଟି ପୁରି ରହିଛି । ଏହାର ନିକଟରେ ଥିବା ଉଦ୍ୟାନରେ ମହରାଣୀ ଭିକ୍ଟୋରିଆଙ୍କ ସ୍ଵାମୀ ପ୍ରିନସ ଆଲବର୍ଟଙ୍କ ସମାଧି ମନ୍ଦିର ରହିଛି ।

 

ଟେମ୍‍ସ୍‍ ନଦୀର ଆରପାଖରେ ରହିଛି ଇଟନ । ଷଷ୍ଟ ହେନେରୀ ଏଠାରେ ଗୋଟିଏ ସ୍କୁଲ ପ୍ରତିଷ୍ଠା କରିଥିଲେ ଯେଉଁ ସ୍କୁଲ ବର୍ତ୍ତମାନ ଲଣ୍ଡନର ସବୁଠାରୁ ବିଖ୍ୟାତ ପବ୍ଲିକ ସ୍କୁଲ । ଇଂରେଜ ରାଜନୀତିଜ୍ଞ ଭିତରୁ ଅଧିକାଂସ ଇଟନ୍ ବା ହାରୋ ସ୍କୁଲରେ ପଢ଼ିଥାନ୍ତି । ହାରୋ ଲଣ୍ଡନଠାରୁ ଦଶମାଇଲ ଦୂରରେ ଉତ୍ତର-ପଶ୍ଚିମ ଦିଗକୁ ଅବସ୍ଥିତ । କବି ବାଇରନ୍ ସେଲଡନ, ରାଜନୀତୀଜ୍ଞା ପିଲା, ପାମରଷ୍ଟନ, ଉଇନଷ୍ଟନ୍ ଚର୍ଚ୍ଚିଲ ଓ ଆମର ପୂଜ୍ୟନେତା ପଣ୍ଡିତ ଜବାହରଲାଲ ନେହେରୁ ଆଦି ଏହି ହାରୋ ସ୍କୁଲରୁ ଶିକ୍ଷା ପାଇଛନ୍ତି । ସେଇ ସବୁ ଦର୍ଶନୀୟ ସ୍ଥାନ ଦେଖିବାକୁ ପ୍ରବଳ ଇଛା ଥିଲେହେଁ ସମୟ ଅଭାବରୁ ଦେଖି ପାରିଲୁନି ।

 

ପାରିସ୍ ଅଭିମୁଖେ

 

ଲୋକେ କହନ୍ତି ପୃଥିବୀର ସୁନ୍ଦରତମ ନଗରୀ ହେଲା ପାରିସ୍‍ ସହର, ଫ୍ରାନ୍‌ସର ରାଜଧାନୀ । ଇଉରୋପର ଯେତେ ସହର ଅଛି, ସୌନ୍ଦର୍ଯ୍ୟା ଦୃଷ୍ଟିରୁ ପାରିସ୍‍ ସହରର ସମକକ୍ଷ ହେଲା ଭଳି କୌଣସି ସହର ନାହିଁ । ପଶ୍ଚିମ ଇଉରୋପରେ ଯେତେ ରାଜ୍ୟ ଅଛି ଫ୍ରାନ୍‌ସ ସେ ସବୁ ଭିତରେ ବୃହତ୍ତମ ରାଜ୍ୟ ଓ ଏହାର ପ୍ରାକୃତିକ ସମ୍ପଦ ସମସ୍ତଙ୍କଠାରୁ ବେଶି ବୋଲି ଖ୍ୟାତ । ଏହି ରାଜ୍ୟର କ୍ଷେତ୍ରଫଳ ୨୧୧, ୭୩୭ ବର୍ଗମାଇଲ ଓ ପ୍ରଥମ ମହାସମରବେଳେ ଜର୍ମାନୀକୁ ପରାସ୍ତ କରି ଏହା ଆହୁରି ପାଞ୍ଚ ହଜାର ବର୍ଗ ମାଇଲ ଅଞ୍ଚଳ ନିଜ ଅଧୀନକୁ ଆଣିଥିଲା । ଇଂଲଣ୍ଡ ଓ ଫ୍ରାନ୍‌ସ ଏ ଦୁଇଟି ରାଜ୍ୟକୁ ପୃଥକ କରୁଛି ଇଂଲିଶ ପ୍ରଣାଳୀ । ଫ୍ରାନ୍‌ସ ଆଧୁନିକ ବିଜ୍ଞାନରେ ବେଶ ଉନ୍ନତ ହେଲେହେଁ ଏହା ମୋଟାମୋଟି ଏକ କୃଷି ପ୍ରଧାନ ଦେଶ ।

 

ରାସ୍ତାଘାଟ, ନଦୀ, ନାଳରେ ଫ୍ରାନ୍‌ସ ବେଶ୍‌ ଉନ୍ନତ । ନୋପୋଲିଅନ୍‌ଙ୍କ ସମୟରୁ ଏ ଦେଶରେ ଖୁବ୍‌ଭଲ ଭଲ ରାସ୍ତା, ପୋଲ, ଘାଟ ସବୁ ତିଆରି ହୋଇଛି । ସହରର ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଯିବା ପାଇଁ ଆମେରିକା ଭଳି ବହୁ ରାସ୍ତା ରହିଛି । ଯଦିଚ ରାସ୍ତାଗୁଡ଼ିକ ଆମେରିକାର ହାଇୱେ, ସୁପର ହାଇୱେ, ପାର୍କୱେ ବୋଲଭାର୍ଡ଼ ଭଳି ପ୍ରଶସ୍ତ, କଂକ୍ରିଟ ତିଆରି ନୁହେଁ, ତଥାପି ଗୋଟିଏ ଅଞ୍ଚଳରୁ ଆଉ ଏକ ଅଞ୍ଚଳକୁ ଯିବା ପାଇଁ ଆମ ଦେଶ ଭଳି ରାସ୍ତାର ଦୈନ୍ୟ ଅନୁଭବ କରିବାକୁ ପଡ଼େ ନାହିଁ ।

 

ଫ୍ରାନ୍‌ସର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଅଂଶରେ ସମୁଦ୍ର ବିଦ୍ୟମାନ । ଶହ ଶହ ଛୋଟ ବଡ଼ ବନ୍ଦର, ସହର, ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ଏହାର ହଜାରେ ମାଇଲ ଲମ୍ବ ସମୁଦ୍ର ଉପକୂଳରେ ଥିବାରୁ ନୌବାଣିଜ୍ୟ, ମତ୍ସ୍ୟଧରଣ ଆଦି କାମରେ ବେଶ ସହାୟକ । ଫ୍ରାନ୍‌ସର ବହୁ ସମୁଦ୍ର ଉପକୂଳ ସହର ଅବସର ବିନୋଦନ କେନ୍ଦ୍ର ଭାବରେ ବ୍ୟବହୃତ ହୁଏ । ଫ୍ରାନ୍‌ସର ଦକ୍ଷିଣ ଉପକୂଳରେ ଥିବା ରିଭିୟେରାର ପ୍ରସିଦ୍ଧି ସାରା ପୃଥିବୀରେ କମ୍‌ ନୁହେଁ । ଚାଷ ସହିତ ପଶୁପାଳନ ଓ ପଶୁ ଉତ୍ପାଦନ ଫ୍ରାନ୍‌ସର ପ୍ରଧାନ ବ୍ୟବସାୟ । ଏହାର ଉତ୍ତରାଞ୍ଚଳରେ ମେଷ ପାଳନ, ଘୋଡ଼ା ପାଳନ, ପାର୍ବତୀୟ ଅଞ୍ଚଳରେ ଛେଳିପାଳନ, ଯୋଗୁଁ ଫ୍ରାନ୍‌ସରେ ଛେଳି ଦୁଧ, ଛେଳି ଛେନା ଓ ଛେଳି ମାଂସ ବେଶ ମିଳେ ।

 

ଫ୍ରାନ୍‌ସ କୃଷି ପ୍ରଧାନ ଦେଶ ହେଲେହେଁ ଏଠାରେ ଫାର୍ମଗୁଡ଼ିକ ବିଶେଷ ବଡ଼ ନୁହେଁ । ଶତକଡ଼ା ଚାଳିଶ ଭାଗ ଫାର୍ମର ଆକାର ମୋଟେ ଅଢ଼େଇ ଏକର । ଶତକରା ୪୫ ଭାଗର ଆକାର ୧୫ ଏକରରୁ କମ୍‌ । ଆମେରିକା ଭଳି ବଡ଼ ବଡ଼ ଫାର୍ମ ଏ ଦେଶରେ ଖୁବ୍‌ କମ୍‌ । ଫାର୍ମଗୁଡ଼ିକ ଭିତରୁ ଶତକରା ୮୦ ଭାଗ ଫାର୍ମରେ ଏହାର ମାଲିକମାନେ ନିଜେ କାମ କରନ୍ତି, ଶତକରା ୧୩ ଭାଗରେ ଭାଗ ଚାଷୀମାନେ କାମ କରନ୍ତି ।

 

ଫ୍ରାନ୍‌ସର ଶତକରା ୨୫ ଭାଗ ଲୋକ କୃଷି ଆୟ ଉପରେ ନିର୍ଭର କରି ଚଳନ୍ତି । ଶତକରା ୪୦ ଭାଗ ଲୋକ ଶିଳ୍ପ ଓ ଯାନବାହନ ଚଳାଚଳରେ ନିଯୁକ୍ତ ହୋଇ ଜୀବିକା ଅର୍ଜନ କରନ୍ତି ।

 

ଫ୍ରାନ୍‌ସରେ ଗହମ ପ୍ରଧାନ କୃଷିଜାତ ପଦାର୍ଥ ହେଲେହେଁ, ସୁଗାର ବିଟ ହେଲା ପ୍ରଧାନ ଅର୍ଥକରୀ ଫସଲ । ତା ତଳକୁ ହେଉଛି ବିଲାତି ଆଳୁ । ଫ୍ରାନ୍‌ସର ବିଲାତି ଆଳୁ ଉତ୍ପାଦନ ହେଉଛି ଖୁବ୍‌ ବେଶି । ହାରାହାରି ବର୍ଷକୁ ଦେଢ଼କୋଟି ଟନ୍‌ ବିଲାତି ଆଳୁ ଉତ୍ପାଦିତ ହୁଏ, ଗହମ ଓ ସୁଗାର ବିଟ୍‌ ଉତ୍ପାଦନ କୋଟିଏ ଟନ୍‌ ଲେଖାଏଁ ବି ନୁହେଁ । ଅଙ୍ଗୁର ଉତ୍ପାଦନ ଫ୍ରାନ୍‌ସର ଆଉ ଏକ ଅର୍ଥକରୀ ଫସଲ । ଫ୍ରାନ୍‌ସ ଅଙ୍ଗୁର ଉତ୍ପାଦନ ପାଇଁ ପୃଥିବୀ ପ୍ରସିଦ୍ଧ । ଏହାର ବରଗେଣ୍ଡି, ଗିରୋଣ୍ଡ, ସେମପେନ୍‌ ଆଦି ଅଞ୍ଚରେ ଯେଉଁ ବିରାଟ ବିରାଟ ଅଙ୍ଗୁର ବଗିଚା ଅଛି, ତାହା ଦେଖିଲେ ଆଖି ଖୋସି ହୋଇଯାଏ । ଏହି ଅଙ୍ଗୁର ରସରୁ ମଦ ଉତ୍ପାଦନ କରିବା ହେଲା ଫରାସୀ ଲୋକଙ୍କ ପ୍ରଧାନ ବ୍ୟବସାୟ । ସେମାନେ ହାରାହାରି ବର୍ଷକୁ ଦୁଇ ଶହ କୋଟି ଗ୍ୟାଲନ ମଦ ଉତ୍ପାଦନ କରନ୍ତି । ଏଥି ଭିତରୁ ଫ୍ରାନ୍‌ସ ଦେଶର ଲୋକଙ୍କ ଦ୍ଵାରା ଶତକଡ଼ା ୯୫ ଭାଗ ବ୍ୟବହୃତ ହୁଏ, ବାକି ଶତକରା ମାତ୍ର ୫ଭାଗ ମାତ୍ର ଦେଶ ବାହାରକୁ ରପ୍ତାନୀ ହୁଏ । ଫଳ ଉତ୍ପାଦନ ଫ୍ରାନ୍‌ସର ଆଉ ଏକ ବ୍ୟବସାୟ ।

 

ଫ୍ରାନ୍‌ସରେ କୃଷି ପ୍ରଧାନ ଜୀବିକା ହେଲେହେଁ ନାନା ପ୍ରକାର ଶିଳ୍ପ କାରଖାନା ରାଜ୍ୟରେ ଦେଖିବାକୁ ମିଳେ । ଶିଳ୍ପ ଉତ୍ପାଦନ ପାଇଁ ଯେଉଁ ସବୁ କଞ୍ଚାମାଲ ଦରକାର, ସେଥିରେ ଫ୍ରାନ୍‌ସ ଭରପୁର । ତେଣୁ ଏଠାରେ ଶିଳ୍ପର ଉନ୍ନତି ଘଟିବା ସ୍ଵାଭାବିକ । ଫ୍ରାନ୍‌ସରେ ଲୁହା ଏକ ପ୍ରଧାନଶିଳ୍ପ-। ଏହାର ଉତ୍ପାଦନ ବର୍ଷକୁ ଗୋଟିଏ ଟନ୍‌ରୁ ଦୁଇକୋଟି ଟନ୍‌ ଭିତରେ । ଲୌହ ଉତ୍ପାଦନରେ ଏହା ପୃଥିବୀରେ ପଞ୍ଚମ ସ୍ଥାନ ଅଧିକାର କରିଅଛି । ଯୁକ୍ତରାଷ୍ଟ୍ର, ରୁଷିଆ, ଇଂଲଣ୍ଡ, ଜର୍ମାନୀ ତଳକୁ ଫ୍ରାନ୍‌ସର ସ୍ଥାନ । କୋଇଲା ଉତ୍ପାଦନରେ ଏ ଦେଶ ବହୁ ପଛରେ । ଏଠାରେ ସେମିତି ବେଶି କୋଇଲା ଖଣି ନାହିଁ ।

 

ଫ୍ରାନ୍‌ସର ମଟରଗାଡ଼ି ଶିଳ୍ପ ଖୁବ୍‍ ଉନ୍ନତ । ଇଲେକଟ୍ରିକ ଯନ୍ତ୍ରପାତି ଉତ୍ପାଦନରେ ଏ ଦେଶ ବହୁ ଉଚ୍ଚରେ ।

 

ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଖଚିତ ପଦାର୍ଥ ଉତ୍ପାଦନରେ ଏ ଦେଶ ଅଗ୍ରଗଣ୍ୟ । ଏହି ସବୁ ହାତ ତିଆରି ସୁନ୍ଦର ସୁନ୍ଦର ଜିନିଷ ତିଆରି ପାଇଁ ଏ ଦେଶରେ ନାନା ପ୍ରକାର କୁଟୀର ଶିଳ୍ପ ଅଛି । ସୁନ୍ଦର ସୁନ୍ଦର ରେଶମ, ସରୁ କାର୍ପାସ କନାରେ ଫ୍ରାନ୍‌ସକୁ ହରାଇଲା ଭଳି ଦେଶ ଖୁବ୍‌କମ୍‌ । ସ୍ତ୍ରୀ ଲୋକମାନଙ୍କର ସୁନ୍ଦର ସୁନ୍ଦର ପୋଷାକ, ଟୋପି, ଜୋତା, ମୋଜା, ତିଆରିରେ ଫ୍ରାନ୍‌ସକୁ ସମକକ୍ଷ ହେଲା ଭଳି ଦେଶ ପୃଥିବୀରେ ବିରଳ । ଫ୍ରାନ୍‌ସର ଲିଅନ୍‌ସ ଉଚ୍ଚକୋଟୀର ରେଶମ ଉତ୍ପାଦନର କେନ୍ଦ୍ରସ୍ଥଳୀ, ନୂଆ ନୂଆ ପ୍ରକାର ଫେଶନ ସୃଷ୍ଟିର କେନ୍ଦ୍ରସ୍ଥଳୀ ହେଲା ପାରିସ୍ । କଥାରେ ଅଛି ନୂଆ ନୂଆ ଫେସନ ଦେଖିବ ତ ଯାଅ ପାରିସ୍, ଅସଂଖ୍ୟ ପ୍ରକାର ଫେସନ ଭିତରେ ନିଜକୁ ହଜାଇ ଦେଇ ବସିବ । ଭଲ ଭଲ ଅତର ଉତ୍ପାଦନ ପାଇଁ ପାରିସ୍‍ ପୃଥିବୀ ପ୍ରସିଦ୍ଧ । ଅସଂଖ୍ୟ ପ୍ରକାର ଅତରର ନାମ ସୃଷ୍ଟି ହେଇଛି, ଏହି ପାରିସ୍‍ରୁ । ପାରିସ୍ ତଥା ଫ୍ରାନ୍‌ସର ରାସ୍ତାଘାଟ ସହର ନାଁ ନେଇ ଅତରର ନାମକରଣ । ପାରିସ୍‍ରେ ତିଆରି ହେଉଥିବା ଅତର ସାଧାରଣତଃ ପ୍ରୋଭେନ୍‌ସ ଅନ୍ତର୍ଗତ ଗ୍ରାସେ ସହରରୁ ଆସେ, ଏଠାରେ ବିଭିନ୍ନ ପ୍ରକାର ଫୁଲ ଉତ୍ପାଦନ ଖୁବ୍ ବେଶି । ଏଠାରେ ଫୁଲରୁ ନାନା ପ୍ରକାର ପାତନ ପ୍ରକ୍ରିୟା ସାହାଯ୍ୟରେ ନିର୍ଯ୍ୟାସ ବାହାର କରିବାର ଯେଉଁ ସବୁ ବ୍ୟବସ୍ଥା ରହିଛି ତାହା ବେଶ୍ ପୂରାତନ । ସୁନ୍ଦର ସୁନ୍ଦର କାଚ ଦ୍ରବ୍ୟ ଉତ୍ପାଦନରେ ଫ୍ରାନ୍‌ସ ଅଗ୍ରଗଣ୍ୟ । ଫ୍ରାନ୍‌ସ ଦେଶର କାର୍ପେଟ ପୃଥିବୀ ପ୍ରସିଦ୍ଧ । ତା ଛଡ଼ା ନାନାପ୍ରକାର ଗହଣାଗାଣ୍ଠି, ସୌଖୀନ ଦ୍ରବ୍ୟ ପାଇଁ ଲୋକେ ଫ୍ରାନ୍‌ସକୁ ଅନୁସରଣ କରନ୍ତି । ସୁଇଜରଲାଣ୍ଡକୁ ଲାଗି ଫ୍ରାନ୍‌ସରେ ଯେଉଁ ପାର୍ବତୀୟ ଅଞ୍ଚଳ ରହିଛି, ତାହା ଘଡ଼ି ତିଆରିର କେନ୍ଦ୍ରସ୍ଥଳୀ । ଏଠାକାର ବହୁ ଘଡ଼ି ନିର୍ମାତା ବେଶ୍ ସୁଖ୍ୟାତ ଅର୍ଜନ କରିଛନ୍ତି ।

 

ପୃଥିବୀର ବହୁ ଦେଶର ଜନସଂଖ୍ୟା ଆଶାତୀତ ଭାବରେ ବଢ଼ୁଥିବା ସ୍ଥଳେ ଫ୍ରାନ୍‌ସର ଲୋକ ସଂଖ୍ୟା ବିଶେଷ ବଢ଼ୁନି । ୧୯୦୦ ମସିହାରୁ ଏହାର ଲୋକ ସଂଖ୍ୟା ସେହି ଚାରିକୋଟି ପାଖରେ ରହିଛି । ଏହା ବିଶେଷ ବଢ଼ିବାକୁ ନାହିଁ କି କମିବାକୁ ନାହିଁ ।

 

ସାରା ଫ୍ରାନ୍‌ସ ରାଜ୍ୟଟି ଅସଂଖ୍ୟ ପ୍ରକର ଦର୍ଶନୀୟ ସ୍ଥାନରେ ପୁରି ରହିଛି । ସେଥି ଭିତରୁ ଫ୍ରାନ୍‌ସର ରାଜଧାନୀ ପାରିସ୍‍ ଯେ ଅନ୍ୟତମ ଏହା କେହି ଅସ୍ଵୀକାର କରିବେନି । ତା ଛଡ଼ା ଲିଅନ୍‌ସା, ବର୍ଦୋ, କେନସ୍‌, କେଲେ, ମାର୍ସେନାଇସ ଆଦି ସହର ପ୍ରସିଦ୍ଧ । ଭୂମଧ୍ୟ ସାଗରର ନିକଟବର୍ତୀ କେନସ୍ ନାନାପ୍ରକାର ଆନ୍ତର୍ଜାତିକ ଚଳଚିତ୍ର ଉତ୍ସବ ପାଇଁ ପ୍ରସିଦ୍ଧ । ଏହିସବୁ ସହର ପାଇଁ ଫ୍ରାନ୍‌ସ ଭ୍ରମଣ ଅତ୍ୟନ୍ତ ଆନନ୍ଦ ଦାୟକ । ଅସଂଖ୍ୟ ଦର୍ଶନୀୟ ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯକୁ ବର୍ଣ୍ଣନା କରିବା ପାଇଁ ଫ୍ରାନସରୁ ବହୁ ଲେଖକ ଓ କଳାକାର ବାହାରିଛନ୍ତି, କିନ୍ତୁ କେହି ଫ୍ରାନ୍‌ସର ସୌନ୍ଦର୍ଯ୍ୟକୁ ପୂରାଭାବରେ ପୃଥିବୀ ଆଗରେ ଥୋଇ ପାରି ନାହାନ୍ତି । ପାରିସ୍‌କୁ ଛାଡ଼ି ଫ୍ରାନ୍‌ସର ବିଭିନ୍ନ ଦର୍ଶନୀୟ ସ୍ଥାନ ହେଉଛି ଆଲପ୍‌ସ, ବ୍ରିଟାନୀ, ବରଗେଣ୍ଡି, ନରମେଣ୍ଡି, ରିଭିୟେରା ଆଦି ଅଞ୍ଚଳ ।

 

ଆଲପ୍‌ସ ପର୍ବତମାଳାର ସୌନ୍ଦର୍ଯ୍ୟ ଅନିର୍ବଚନୀୟ । ସାରା ଇଉରୋପରେ ଆଲପ୍‌ସର ସୌନ୍ଦର୍ଯ୍ୟ ସହିତ ତୁଳନା କଲା ଭଲି ଆଉ କୋଣସି ପର୍ବତ ନାହିଁ । ଆଲପ୍‌ସର ଏହି ସୌନ୍ଦର୍ଯ୍ୟ ପାଇଁ ଏଠାକୁ ଇଉରୋପ ତଥା ଇଉରୋପ ବାହାରୁ ଶତ ଶତ ଦର୍ଶକ ଆସନ୍ତି । କି ଗ୍ରୀଷ୍ମ କି ଶୀତ ଋତୁରେ ଏଠାରେ ଦର୍ଶକମାନଙ୍କ ଧାଡ଼ି ଲାଗିଥାଏ । ଶୀତଦିନେ ବରଫ ଉପରେ ସ୍କେଟିଙ୍ଗ ଓ ସ୍କିଇଙ୍ଗ କରିବା ପାଇଁ ଲୋକେ ପାଗଳ ହୋଇ ଉଠନ୍ତି । ସ୍କିଇଙ୍ଗ କରିବା ପାଇଁ ଯେତେ ଖେଳାଳୀ ଆସନ୍ତି, ତା ଠାରୁ ଅଧିକ ଆସନ୍ତି ସ୍କିଇଙ୍ଗ ଦେଖିବା ପାଇଁ । ଖରାଦିନେ ପର୍ବତ ଉପରେ ଆରୋହଣ କରିବା, ଏ ଶୃଙ୍ଗରୁ ସେ ଶୃଙ୍ଗକୁ ଚଢ଼ି ବୁଲିବା ଏକ ପ୍ରଧାନ ଆମୋଦ ପ୍ରମୋଦ । ଆଲ୍‌ପସ ପର୍ବତମାଳରେ ଅସଂଖ୍ୟ ଛୋଟ ବଡ଼ ହ୍ରଦ ରହିଛି, ସେଥିରେ ସନ୍ତରଣ କରିବା, ଜଳ ସ୍କିଇଙ୍ଗ କରିବା, ତା କୂଳରେ ବଣଭୋଜି ଆଦି କରିବା ଇଉରୋପୀୟମାନଙ୍କର ଆଉ ଏକ ଆମୋଦ ପ୍ରମୋଦ । ଆଲପ୍‌ସ ପର୍ବତମାଳର ଠାଏ ଠାଏ ଯେଉଁ ଝରଣା, ଜଳପ୍ରପାତ ଆଦି ରହିଛି, ତାର ଦୃଶ୍ୟ ଅତୀବ ମନୋରମ । ଖରାଦିନେ ସେହି ସବୁ ସ୍ଥାନରେ ସେଥିପାଇଁ ଅସଂଖ୍ୟ ହୋଟେଲ ମୋଟେଲ ଆଦି ଗଢ଼ିଉଠେ ।

 

ଆଲପ୍‌ସ ପର୍ବତମାଳା ଭଳି ଫ୍ରାନ୍‌ସର ବ୍ରିଟାନି ଉପକୂଳ ଅତୀବ ମନୋରମ । ଏଠାରେ ସମୁଦ୍ରର ସୌନ୍ଦର୍ଯ୍ୟ ଅତୀବ ସୁନ୍ଦର । ଏଠାରେ ପାର୍ବତୀୟ ଉପକୂଳ ଓ ବାଲିଆ ବିଚ୍‌ ଅତୀବ ମନମୁଗ୍‌ଧକର । ଏହି ବ୍ରିଟାନି ବିଚରେ ବିଚ୍‌ ଜୀବନ ବିତାଇବା ପାଇଁ କେତେ ଯୁବକ ଯୁବତୀ ଯେ ଇଉରୋପର ବିଭିନ୍ନ ଆଡ଼ୁ ଆସନ୍ତି, ତାର ଇୟତ୍ତା ନାହିଁ । ବ୍ରିଟାନି ଉପକୂଳରେ ଥିବା ଛୋଟ ଛୋଟ ସହର ଗ୍ରୀଷ୍ମ ଦିନେ ଲୋକ ଗହଳି ହୋଇ ଉଠେ । ବ୍ରିଟାନି ଭଳି ବରଗେଣ୍ଡି ମଧ୍ୟ ଫ୍ରାନ୍‌ସର ଏକ ମନୋରମ ଅଞ୍ଚଳ । ପୃଥିବୀ ପ୍ରସିଦ୍ଧ ଫରାସୀ ମଦର ଉତ୍ପତ୍ତି ଏହିଠାରେ । ଫ୍ରାନ୍‌ସର ଯେତେ ନାମଜାଦା ମଦ କାରଖାନା ଅଛି ସେ ସବୁ ଏହି ଅଞ୍ଚଳରେ ଅବସ୍ଥିତ । ‘ମଦ ପିଇବ ତ ବରଗେଣ୍ଡି ଚାଲ’ ହେଉଛି ଇଉରୋପୀୟମାନଙ୍କର ସ୍ଲୋଗାନ । ବହୁ ଦର୍ଶକ ଏହି ମଦ ପାଇଁ ଏହି ଅଞ୍ଚଳକୁ ଆସନ୍ତି ଓ ଏଠାକାର ଖାଦ୍ୟ ଓ ମଦ ସେମାନଙ୍କୁ ମାସ ମାସ ଧରି ଅଟକାଇ ନିଏ । ସେପ୍‌ଟେମ୍ବର ଓ ଅକ୍ଟୋବର ହେଉଛି ଆମଦାନୀ ବେଳ, ଏହି ସମୟରେ ଭିଡ଼ ଏଠି ବେଶୀ । ମେ ମାସ ପାଖରୁ ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଞ୍ଚଳରେ ନାଚ ଗୀତ, ମଦ ପ୍ରଦର୍ଶନୀ ଓ ନାନା ପ୍ରକାର କଳା ପ୍ରଦର୍ଶନୀ ଏ ସ୍ଥାନର ମହତ୍ତ୍ଵ ବଢ଼ାଇ ଦିଏ ।

 

ସେମ୍‌ପେନ୍‌ ସହର ଏହାର ପ୍ରସିଦ୍ଧ ମଦ ପାଇଁ ପୃଥିବୀ ବିଖ୍ୟାତ । ସେପ୍‌ଟେମ୍ବର ଓ ଅକେ୍‌ଟୋବର ମାସରେ ଏଠାକୁ ଆସିବା କଥା । ଏହାର ମଦ କାରଖାନା ବର୍ଷ ସାରା ଦର୍ଶକମାନଙ୍କୁ ଦେଖାଇବା ପାଇଁ ଖୋଲାଥାଏ । ତା ଛଡ଼ା ଏଠାକାର ନାନା ପ୍ରକାର ଦର୍ଶନୀୟ ବସ୍ତୁ ଓ ଦୃଶ୍ୟ ଦର୍ଶକମାନଙ୍କର ନୟନ ତୃପ୍ତି କରାଏ ।

 

ଇଲି-ଡି-ଫ୍ରାନ୍‌ସ, ଲଇର୍‌ ଉପତ୍ୟକା, ବାସକ୍‌କାଉଣ୍ଟି ନାନା ପ୍ରକାର ପ୍ରାକୃତିକ ଦୃଶ୍ୟ ପାଇଁ ଅତି ପ୍ରସିଦ୍ଧ । ସେହିପରି ଫ୍ରାନ୍‌ସର ଉତ୍ତର ପଶ୍ଚିମ ପାଖରେ ଥିବା ନର୍‌ମେଣ୍ଡି ଉପକୂଳ ଉନ୍ନତ କୃଷି ଆଞ୍ଚଲ ପାଇଁ ପ୍ରସିଦ୍ଧ । ଏହାର ସମୁଦ୍ର ବିଚ୍‌ ଅତୀବ ମନୋରାମ । ଗ୍ରୀଷ୍ମ ଦିନେ ଏଠି ଲୋକ ଗହଳି ଖୁବ୍‌ବେଶି । ଡିଉଭିଲେ ଏହି ନରମେଣ୍ଡି ପ୍ରଦେଶରେ ନାନା ପ୍ରକାର ଫେସନ ପାଇଁ ଅତି ପ୍ରସିଦ୍ଧ ।

 

ଫ୍ରାନ୍‌ସର ଦକ୍ଷିଣ ଅଂଶରେ ଥିବା ଭୂମଧ୍ୟ ସାଗର ଉପକୂଳବର୍ତ୍ତୀ ରିଭିୟେରା ପୃଥିବୀ ପ୍ରସିଦ୍ଧ । କଥାରେ ଅଛି । ଅବସର ବିନୋଦନ କରିବ ତ, ରିଭିୟେରା ବିଚ୍‌ରେ କରିବ, ନୋହିଲେ ନାହିଁ । ପୃଥିବୀର ବହୁ ଧନୀ ଲୋକଙ୍କ ଆଡ଼ା ଏଠି ବେଶି । ଫ୍ରାନ୍‌ସର ମାର୍ସେ ବନ୍ଦରଠାରୁ ମେଣ୍ଟନ୍‌ ପର୍ଯ୍ୟନ୍ତ ସୁଦୀର୍ଘ ସମୁଦ୍ର ଉପକୂଳ ଅବସର ବିନୋଦନ କେନ୍ଦ୍ର ଭାବରେ ପୃଥିବୀ ପ୍ରସିଦ୍ଧ । ଏହି ବିରାଟ ଉପକୂଳଟି ରିଭିୟେରା ନାମରେ ପରିଚିତ । Wine Women Wealt ଅର୍ଥାତ୍‌ ମଦ, ମାଇକିନିଆ, ମୁଦ୍ରାର ଅସରନ୍ତି ସ୍ରୋତ ଛୁଟେ ଏହି ଉପକୂଳରେ ବର୍ଷ ସାରା । ସେ ସବୁର ଉପଭୋଗ ପାଇଁ ଏହି ଅଞ୍ଚଳ ପ୍ରସିଦ୍ଧ । ଏହି ଅଞ୍ଚଳରେ ଥିବା ସର୍ବଜନ ବିଦିତ କଟେ ଡି ଆଜୁର ଖେଳ ପଡ଼ିଆ ପୃଥିବୀ ପ୍ରସିଦ୍ଧ । ଭୂମଧ୍ୟସାଗରର ଉଷ୍ମ ଜଳକୁ ଘେରି ରହିଥିବା ରିଭିୟେରା ବିଚ୍‌ ଖାଲି ମାଛ ଧରାଳୀଙ୍କ ପାଇଁ ପ୍ରସିଦ୍ଧ ନୁହେଁ, ଶତ ଶତ ଯୁବକ ଯୁବତୀ ବିଚିତ୍ର ବର୍ଣ୍ଣ । ରୂପରେ ଏହି ଅଞ୍ଚଳକୁ ମୁଖରିତ କରି ଏହାର ଆକର୍ଷଣତାକୁ ଆହୁରି ବଢ଼ାଇ ଦିଅନ୍ତି । ବିଚ୍‍କୁ ଲାଗି ସୁନ୍ଦର ସୁନ୍ଦର ଗାଁ ଓ ସେହି ଗାଁର ଗାଉଁଲି ଫରାସୀ ଲଳନାର ମଧୁର ଆଳାପ, ମନମତାଣିଆ ଚାହାଣୀ ଆହୁରି ମନମୁଗ୍‌ଧକର, ଯେ କୌଣସି ଲୋକକୁ ପାଗଳ କରି ପକାଇବ । ଭୂମଧ୍ୟ ସାଗରର ସୌନ୍ଦର୍ଯ୍ୟ ଏହି ରିଭିୟେରା ଉପକୂଳରୁ ଅତୀବ ସୁନ୍ଦର । ଏହାର ନୀଳ ଜଳରାସି ଏହି ଉପକୂଳରେ ଆହୁରି ଅଧିକ ନୀଳ ଦିଶେ । ଏହି ଅଞ୍ଚଳରେ ଜୁଆଖେଳ, ନାଚ, ନାଇଟ୍‌, କ୍ଲବ ଆଦି ଅତି ପ୍ରସିଦ୍ଧ । ଏହି ଅଞ୍ଚଳରେ ଏକ ପାର୍ବତୀୟ ଉପକୂଳରେ ଜନଗହଳି ସ୍ଥାନଠାରୁ ଦୂରରେ ଫ୍ରାନ୍‌ସ ଉଲଗ୍ନ ସମାଜର ସଭ୍ୟମାନେ ଲଙ୍ଗଳା ହୋଇ ସ୍ତ୍ରୀ ପୁରୁଷ ଏକାଠି ମିଶି ରହିବାର ଯେଉଁ ବ୍ୟବସ୍ଥା ଅଛି, ତାହା ଆହୁରି ବିଚିତ୍ର । ପୃଥିବୀର ବିଭିନ୍ନ ଉଲଗ୍ନ ସମାଜ (Nude Society) ସହିତ ଏମାନଙ୍କର ଘନିଷ୍ଠ ସମ୍ପର୍କ ରହିଛି ।

 

ରିଭିୟେରଠାରୁ ଆହୁରି ସୁନ୍ଦର କର୍ସିକା ଦ୍ଵୀପ । ଏଠାର ବନ୍ୟ ସୌନ୍ଦର୍ଯ୍ୟ ଓ ପ୍ରକୃତିର ହସ ହସ ମୁଖ ଭିତରେ ଦର୍ଶକ ନିଜକୁ ହଜାଇ ଦେଇ ବସେ । କର୍ସିକା ଦ୍ୱୀପର ପଥୁରିଆ ଉପକୂଳ ଓ ବିଚ୍‌ସ୍ନାନ ଓ ଜଳବିହାର ପାଇଁ ଉତ୍କୃଷ୍ଟ ସ୍ଥାନ । ଫରାସୀ ଯୁବତୀର ସାନ୍ନିଧ୍ୟ ଏ ସ୍ଥାନର ବିଶେଷତ୍ଵ ।

 

ରିଭିୟେରାଠାରୁ ଅଳ୍ପ ଦୂରରେ ପୃଥିବୀର କ୍ଷୁଦ୍ରତମ ରାଷ୍ଟ୍ର ମନାକ୍‌କୋ, ଭୂମଧ୍ୟ ସାଗର ଭିତରେ ଏକ ଦ୍ୱୀପ ଭାବରେ ଅବସ୍ଥିତ । ଏହି ରାଷ୍ଟ୍ରର ଆକାର ମୋଟେ ଅଧବର୍ଗ ମାଇଲ ଓ ଏହାର ଅଧିବାସୀ ସଂଖ୍ୟା କୋଡ଼ିଏ ହଜାର । ଏହି ରାଜ୍ୟର ରାଜଧାନୀ ମଣ୍ଟେକାର୍ଲୋ, ଭୂମଧ୍ୟ ସାଗରସ୍ଥ ସୁନ୍ଦର ସହର ଭିତରୁ ଗୋଟିଏ । ବର୍ଷ ସାରା ନାନା ପ୍ରକାର ଆମୋଦ ପ୍ରମୋଦ ପାଇଁ ଏହି ସ୍ଥାନଟି ବିଖ୍ୟାତ । ନାଚ, ଗାନ, ଖେଳ, କସରତର ଅସରନ୍ତି ସୁଅ ଛୁଟିଥାଏ ବର୍ଷସାର ଏହି ଦ୍ୱୀପଟିରେ । ପୃଥିବୀର ଅତି ଆଧୁନିକ ଧରଣର ନାଇଟ୍‌କ୍ଳବ ଏହି ସହରରେ ଅବସ୍ଥିତ । ଏହି ରାଜ୍ୟଟି ଏହାର ରାଜାଙ୍କ ଦ୍ଵାରା ଶାସିତ । ସୁବିଖ୍ୟାତ ମାର୍କିନ ଚିତ୍ରତାରକା ଗ୍ରେସକେଲି ଏଠାକାର ରାଜାଙ୍କ ହୃଦୟକୁ ମଣ୍ଡନ କରି ଏଠାକାର ରାଣୀ । ଏହି ଦେଶରେ ସ୍ଵତନ୍ତ୍ର ଷ୍ଟାମ୍ପ, ଶାସନ ବିଧି ଆଦି ରହିଛି । ଏଠା ଲୋକଙ୍କ ଭାଷା ଫରାସୀ ଭାଷା ଓ ପ୍ରଚଳିତ ମୁଦ୍ରା ହେଉଛି ଫରାସୀ ମୁଦ୍ରା ଫାଙ୍କ୍‌ । ଗୋଟିଏ ମାର୍କିନ ମୁଦ୍ରା ଡଲାର ପାଞ୍ଚଗୋଟି ଫରାସୀ ମୁଦ୍ରା ଫ୍ରାଙ୍କ୍‌ ସହିତ ସମାନ । ତେଣୁ ଆମେରିକାନମାନେ ଫ୍ରାନ୍‌ସ ତଥା ଏହି ରିଭିୟେରା ବିଚ୍‌ରେ ଅବସର ବିନୋଦନ ପାଇଁ ବେଶି ଆସନ୍ତି, କାରଣ ଏହା ସେମାନଙ୍କୁ ଖୁବ ଶସ୍ତା ଜଣାପଡ଼େ ।

 

ଫ୍ରାନ୍‌ସର ପ୍ରସିଦ୍ଧିରେ ଆମେ ଏତେ ମୁଗ୍‌ଧ ହୋଇ ଯାଇଥାଉଁ କେମିତି ଶୀଘ୍ର ଯାଇ ପାରିସ୍‍ରେ ପହଞ୍ଚିବୁ, ସେଇଥାଏ ଆମର ଚିନ୍ତା ।

 

ସେପ୍‌ଟେମ୍ବର ମାସ ୮ ତାରିଖ ସକାଳେ ଆମେ ଲଣ୍ଡନ ଛାଡ଼ିବା କଥା । ଲଣ୍ଡନ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିରୁ ଆମେ ଉଡ଼ାଜାହାଜରେ ଯିବୁ ପାରିସ୍‍ । ହୋଟେଲରୁ କାର୍‌ରେ ସହରସ୍ଥିତ ଭଡ଼ାଜାହାଜ ଟରମିନସକୁ ଯିବା କଥା । ସେଠାରୁ ଏୟାରୱେଜ କମ୍ପାନୀର ବସ ଆମକୁ ଲଣ୍ଡନ ଉଡ଼ାଜାହାଜ ଘାଟି ଅଭିମୁଖେ ଘେନିଯିବ । ଉଡ଼ାଜାହାଜ ଘାଟି ଅଭିମୁଖେ ବସ ଖୁବ ସଅଳ ସଅଳ ଛାଡ଼ିବ । ତେଣୁ ରାତି ପାଞ୍ଚଟାବେଳକୁ ଉଠିବ । ଦରକାର । ଦିନସାରା ଲଣ୍ଡନରେ ବୁଲି ବୁଲି ଆମେ କାଳେ ହାଲିଆ ହୋଇ ଶୋଇପଡ଼ିବୁ, ସେଥିପାଇ ହରିବାବୁ ଅନ୍ଧାରିଆ ବେଳୁ ଆସି ଆମକୁ ଉଠାଇବେ ବୋଲି ଠିକ୍‌ ହୋଇଥାଏ । ତହିଁ ପୂର୍ବଦିନ ରାତିରେ ଆମ ସକାଳ ଯିବା କଥା ସବୁ ଠିକ୍‌ଠାକ କରି ହରିବାବୁଙ୍କୁ ବିଦାୟ ଦେଲୁ । ସେ କହି ଦେଇଗଲେ, ଖୁବ ଶୀଘ୍ର ଆସି ଆମକୁ ଉଠାଇବେ ଓ ଆମ ସହିତ ଏୟାର୍ ଟାରମିନସ ପର୍ଯ୍ୟନ୍ତ ଯିବେ ।

 

ସେପଟେମ୍ବର ମାସ ୮ ତାରିଖ ସକାଳ ଚାରିଟା ବେଳକୁ ହରିବାବୁ ଆସି ଆମ ଦୁଆର ଠକ୍ ଠକ୍ କଲେ । ଆମେ ସେତେବେଳକୁ ଉଠି ପ୍ରାତଃକର୍ମ ଶେଷ କରି ବାହାରିବା ଉପରେ । ହୋଟେଲର ଭଡ଼ା ଆଦି ପୂର୍ବଦିନ ରାତିରୁ ଦିଆ ସରିଥାଏ । ତେଣୁ ସେ ସବୁ ଗୋଳମାଳ କିଛି ନ ଥାଏ । ହୋଟେଲ ଜଗୁଆଳକୁ କହି ଘର ଖାଲି କରିଦେଇ ଆମ ସୁଟକେଶ ଆଦି ଧରି ହୋଟେଲରୁ ବାହାରି ପଡ଼ିଲୁ । ହରିବାବୁ ସଙ୍ଗେ ସଙ୍ଗେ ଯାଇ ରସେଲ ସ୍କୋୟାର ଛକଠାରୁ ଟେକ୍‌ସିଟିଏ ଡାକି ଆଣିଲେ । ଆମେ ଆମ ସୁଟକେଶ ଆଦି ଟେକ୍‌ସିରେ ଥୋଇ ଏୟାର ଟାରମିନସ୍ ଅଭିମୁଖେ ଆଗେଇଲୁ ।

 

ଗଲାବେଳେ ବାଟରେ ଇମ୍ପେରିୟାଲ କଲେଜ ପଡ଼ିଲା । ହରିବାବୁ ଆମକୁ ଦେଖାଇ ଦେଇ କହିଲେ, ଏହି କଲେଜରେ ଆମ ପରିବାରର ଅନ୍ୟତମ ବନ୍ଧୁ ଅଧ୍ୟାପିକା ଶ୍ରୀମତୀ ଶାନ୍ତିଲତା କାନୁନଗୋ ଅଧ୍ୟୟନ କରନ୍ତି । ଦୂରରୁ ଇମ୍ପେରିୟାଲ୍‌ କଲେଜର ବିରାଟତାରେ ମୃଗ୍‌ଧ ହେଉଥାଉଁ । ମୋ ଲିଖିତ “ସୁନାର ଓଡିଶା” ଉପନ୍ୟାସରେ ଏହି ଇମ୍ପେରିୟାଲ କଲେଜର ଭୂମିକା କିୟତ୍ ପରିମାଣରେ ଥିବାରୁ ମୁଁ ଏହାକୁ ଟିକିଏ ଭଲ ଭାବରେ ନିରୀକ୍ଷଣ କଲି । ସୁନାର ଓଡ଼ିଶାର ବିଷୟବସ୍ତୁ ବୋଲି ସ୍ତ୍ରୀ ଆହୁରି ଟିକିଏ ଉତ୍ସୁକ ହୋଇ ଅନାଇଲେ । ସ୍ଥାନଟି ଅତି ଚମତ୍କାର ଲାଗିଲା-। ଆମ ହାତରେ ଲଣ୍ଡନରେ ରହଣୀ ପାଇଁ ଆଉ ଦିନେ ଦୁଇ ଦିନ ଅଧିକା ଥିଲେ ଏହି କଲେଜକୁ ଆସି ଏହାକୁ ଟିକିଏ ଭଲକରି ଦେଖିଥାନ୍ତୁ ।

 

ଚାହୁଁ ଚାହୁଁ ଏୟାର ଟାରମିନସରେ ଆମ କାର୍ ପହଞ୍ଚିଗଲା । ବ୍ରିଟିଶ ଇଉରୋପିଆନ୍ ଏୟାରୱେଜ କୋମ୍ପାନୀର ଏକ ଉଡ଼ାଜାହାଜରେ ଆମ ପାଇଁ ସିଟ୍ ରିଜର୍ଭ ହୋଇଥାଏ । ଏଣେ ଆମେ ଯାଇ ବି ଇ.ଏ. କୋମ୍ପାନୀର ଅଫିସରେ ପହଞ୍ଚିଲୁ । ଆମ ଟିକଟ ଆଦି ଦେଖାଇ ଛିନିଷ ପତ୍ରାଦିର ଓଜନ ହେଲା । ସଙ୍ଗେ ସଙ୍ଗେ ଏହିଠାରୁ ସେମାନେ ଆମ ସୁଟକେଶ ଆଦିର ଦାୟିତ୍ଵ ବୁଝିନେଲେ । କହି ଦିଆଗଲା ଆମ ସୁଟ୍‌କେଶ ଆଦି ପୁଣି ଆମକୁ ମିଳିବ ପାରିସ୍‌ର ଓରଲି ଏୟାର ପୋର୍ଟଠାରେ । ଆମେ ମାତ୍ର ଖଣ୍ଡିଏ ଖଣ୍ଡିଏ ହେଣ୍ଡ୍ ବେଗ୍ ଯାହା ପାଖରେ ରଖିଲୁଁ ।

 

ଏୟାର ଟାରମିନସ୍ ଛାଡ଼ିବାବେଳେ ହେଲା । ବଡ଼ ଦୁଃଖ ଓ ମନ କଷ୍ଟରେ ହରିବାବୁଙ୍କଠାରୁ ବିଦାୟ ନେଲୁଁ । ଗତ ଚାରିଦିନ ଧରି ହରିବାବୁ ଆମ ପରିବାର ସହିତ ଏକ ପ୍ରକାର ମିଶି ଯାଇଥିଲେ । ବଡ଼ି ସକାଳୁ ସେ ତାଙ୍କର ଲଣ୍ଡନସ୍ଥ ବସା ଛାଡ଼ି ଆସନ୍ତି, ଫେରନ୍ତି ରାତି ଦଶଟା, ଏଗାରଟା ବେଳକୁ । ଆମେ ରେଷ୍ଟୁରାଣ୍ଟରୁ ଖାଇପିଇ ସାରି ହୋଟେଲକୁ ଫେରିଲେ ସେ ଆମକୁ ହୋଟେଲରେ ପହଞ୍ଚାଇ ଦେଇ ନିଜ ବସାକୁ ଫେରନ୍ତି । ଗତ ଚାରିଦିନ ଧରି ଲଣ୍ଡନ ସହରରେ ସେ ଆମ ପାଇଁ ଯେଉଁ ପରିଶ୍ରମ କରି ଅଛନ୍ତି, ତାହା କଳ୍ପନାତୀତ । ତାଙ୍କୁ ବିଦାୟ ଦେଲା ବେଳକୁ ବଡ଼ ଦୁଃଖ ଲାଗୁଥୁଲା । ଆମେ ଘର ଅଭିମୁଖେ ଫେରୁଛୁ ବୋଲି ଆମ ମନ ଯେତେ ଖୁସି, ସେ ଘରକୁ ଫେରି ନ ପାରୁଛନ୍ତି ବୋଲି ତାଙ୍କ ମନ ସେତେ ଦୁଃଖ । ଲକ୍ଷ୍ୟ କଲୁ ଆମେ ହରିବାବୁଙ୍କଠାରୁ ବିଦାୟ ନେଇ ଏୟାରୱେଜ କୋମ୍ପାନୀର ବସକୁ ଗଲାବେଳକୁ ହରିବାବୁଙ୍କ ଚକ୍ଷୁ ଛଳଛଳ । ଆମ ଆଖି ମଧ୍ୟ ଛଳ ଛଳ ହୋଇ ଆସିଲା । ଗତ ଚାରିଦିନର ଘନିଷ୍ଠତା ବନ୍ଧନ କାଟି ଆମେ ଲଣ୍ଡନରୁ ବିଦାୟ ନେଲୁଁ ପାରିସ୍‍ ଅଭିମୁଖେ । ଚାହୁଁ ଚାହୁଁ ଆମର ବସ ଏୟାରୱେଜ୍ ଟାରମିନସ୍ ଛାଡ଼ିଦେଲା ଲଣ୍ଡନ ଉଡ଼ାଜାହାଜ ଘାଟି ଅଭିମୁଖେ । ଲକ୍ଷ୍ୟ କଲୁ ଆମ ବସ୍ ଛାଡ଼ିଲା ପର୍ଯ୍ୟନ୍ତ ଆମ ବସକୁ ଅନାଇ ହରିବାବୁ ସେମିତି ଠିଆହୋଇଥାନ୍ତି ।

 

ଯେଉଁ ପଥରେ ଲଣ୍ଡନ ଉଡ଼ାଜାହାଜ ଘାଟିରୁ ଆସିଥିଲୁଁ, ଠିକ୍ ସେହି ପଥରେ ଆମେ ଫେରିଗଲୁ ଲଣ୍ଡନ ଉଡାଜାହଜ ଘାଟିକୁ । ସକାଳ ସାତଟା ବେଳେ ଆମ ଉଡ଼ାଜାହାଜ ଛାଡ଼ିବ ପାରିସ୍ ଅଭିମୁଖେ । ଉଡ଼ାଜାହାଜ ଘାଟିରେ ପହଞ୍ଚିଲାବେଳକୁ ବି.ଇ.ଏ କୋମ୍ପାନୀର ଉଡ଼ାଜାହାଜ ଠିଆ ହୋଇଥାଏ ପାରିସ୍‍ ଅଭିମୁଖେ ଯିବା ପାଇଁ । ଆମେ ଏଥର ବସରୁ ଓହ୍ଲାଇ ଚାଲିଲୁ ଉଡ଼ାଜାହାଜ ଘାଟିର ଲବିକୁ ।

 

ସେଠାରେ କିଛି ସମୟ ଅପେକ୍ଷା କରିବା ପରେ ଆମକୁ ନିର୍ଦ୍ଦେଶ ଦିଆଗଲା ଉଡ଼ାଜାହାଜ ଭିତରକୁ ଯିବା ପାଇଁ । ବି, ଇ, ଏ କୋମ୍ପାନୀର ଏହି ଉଡ଼ାଜାହାଜଟି ବୋଇଙ୍ଗ୍‌ଜେଟ୍ ଜାହାଜ ଭଳି ସେତେ ବଡ଼ ନୁହେଁ । ତେବେ ଏହା ଟର୍ବୋପ୍ରପ୍‍ ଚ।ଳିତ । ଏଥିରୁ ସତୁରୀ ଅଶୀରୁ କମ୍ ଯାତ୍ରୀ ଧରନ୍ତିନି । ଜାହାଜଟି ବ୍ରିଟିଶ ଉଡ଼ାଜାହାଜ କୋମ୍ପାନୀ ଦ୍ଵାରା ତିଆରି ହେଲାଭଳି ଜଣାପଡ଼ୁଥାଏ । ଭିତରର ସାଜସଜା ଅନେକାଂଶରେ ବୋଇଙ୍ଗ୍‌ଜେଟ ଜାହାଜ ଭଳି । ବୋଇଙ୍ଗ ଓ ଡୋଗଲାସ୍ କୋମ୍ପାନୀ ଛଡ଼ା ଅନ୍ୟ କୋମ୍ପାନୀର ଉଡ଼ାଜାହାଜରେ ଚଢ଼ିବା ଆମର ଏହି ପ୍ରଥମ ।

 

ବି, ଇ, ଏ କୋମ୍ପାନୀର ଏୟାର ହୋଷ୍ଟେସମାନେ ଆମକୁ ଅତି ଆଦର ଅଭ୍ୟର୍ଥନା କରି ଆମମାନଙ୍କ ସିଟ୍‌ରେ ବସାଇଲେ । ବସିବାକ୍ଷଣି ସଙ୍ଗେ ସଙ୍ଗେ ପିଇବା ପାଇଁ ଫଳରସ । ପିଲାମାନଙ୍କୁ ନାନାପ୍ରକାର ଖେଳନା ଓ ଛବି ବହି ଉପହାର ଦିଆଗଲା । ଅନାଉଁ ଅନାଉଁ ଜାହାଜ ଛାଡ଼ିଲା ଲଣ୍ଡନ ଉଡ଼ାଜାହାଜ ଘାଟି । ଲଣ୍ଡନ ଉଡ଼ାଜାହାଜ ଘାଟିଠାରୁ ଫ୍ରାନ୍‌ସର ଓର୍‌ଲି ଉଡ଼ାଜାହାଜ ଘାଟି ବେଶୀ ଦୂର ନୁହେଁ । ପ୍ରାୟ ଘଣ୍ଟାକ ଭିତରେ ଆମ ଜାହାଜ ପାରିସ୍‍ରେ ପହଞ୍ଚିଯିବ ବୋଲି ଏୟାର ହୋଷ୍ଟେସମାନେ ଆମକୁ ଜଣାଇଦେଲେ ।

 

ଇଂଲିଶ ପ୍ରଣାଳୀ ଉପରେ ଉଡ଼ି ଉଡ଼ି ଆମ ଜାହାଜ ଚାଲିଲା ପାରିସ୍‍ ଅଭିମୁଖେ । ପାରିସ୍‍ର ସୁବିଖ୍ୟାତ ଓରଲି ଉଡ଼ାଜାହାଜ ଘାଟିରେ ଏହା ଓହ୍ଲାଇବ ଅଳ୍ପ ସମୟ ଭିତରେ । ଆମେ ଜାହାଜର ଝରକା ଦେଇ ବାହାରକୁ ଅନାଉଥାଉଁ । ଆମ ତଳେ ଇଂଲିଶ ଚାନେଲ୍‌ର ନୀଳ ଜଳରାଶି ପଡ଼ି ରହିଥାଏ । ଉଡ଼ାଜାହାଜର ଯାତ୍ରୀ ବେଶୀ ନ ଥାନ୍ତି । ୪୦/୫୦ ଜଣ ଭିତରେ ହେବ । ଆମେ ହେଉଛୁଁ ମାତ୍ର ଏକମାତ୍ର ଭାରତୀୟ ପରିବାର । ବାକି ସମସ୍ତେ ଇଉରୋପ ଅଧିବାସୀ । କିଏ କେତେ ପ୍ରକାର କାମ ଉଦ୍ଦେଶ୍ୟରେ ପାରିସ୍‍ ଯାଉଥାନ୍ତି । ଆମଭଳି ଦର୍ଶକ ଭାବରେ କେହି ପାରିସ୍‍କୁ ଗଲାଭଳି ଜଣାପଡ଼ୁ ନ ଥାନ୍ତି ।

 

ଆମେ ଝରକା ଦେଇ ବାହାରକୁ ଅନାଇଛୁଁ, ଜାହାଜ ଭିତରେ ଖଡ୍‌ଖାଡ୍ ଶବ୍ଦରେ ଚମକି ପଡ଼ିଲୁଁ । ଦେଖିଲୁଁ ଜାହାଜ ଭିତରେ ଏୟାର୍ ହୋଷ୍ଟେସମାନେ ଯାତ୍ରୀଙ୍କୁ ଚା ଜଳଖିଆ ଦେବାରେ ବ୍ୟସ୍ତ । ଚା ଜଳଖିଆ ଦେଖି ପିଲାମାନେ ଖେଳନା ଓ ବହି ଆଦି ଥୋଇଦେଇ ଟେବୁଲ ସଜାଡ଼ି ବସିଲେ । ଜଣ ପରେ ଜଣ ସବୁ ଯାତ୍ରୀଙ୍କ ଟେବୁଲ ଉପରେ ଥୋଇଦେଲେ । ସେମାନେ ଜଳଖିଆ ଥାଳିଆ । ଯାତ୍ରୀକୁ ପଚାରି ଯା’ର ଚା କି କଫି ଦରକାର ସେହି ଅନୁସାରେ ଉଷ୍ମ ପାନୀୟ ପରଶି ଦେଇଗଲେ । ଜଳଖିଆଗୁଡ଼ିକ ସାଧାରଣ ପ୍ରକାରର । କେକ୍, ବିସ୍କୁଟ ଗୋଟାଏ ଦୁଇଟା ମିଠା ଜଳଖିଆ ଥାଳିଆର କଳେବର ମଣ୍ଡନ କରିଥାଏ । ଅଙ୍ଗୁର ଆଦି କେତୋଟି ଫଳ ଜଳଖିଆ ଥାଳିଆର ଶ୍ରୀ ବୃଦ୍ଧି କରିବାରେ ପଛାଇ ନ ଥାଏ । ପିଲାମାନେ ଅତି ଖୁସି ହୋଇ ଜଳଖିଆଗୁଡ଼ିକର ସଦ୍‌ବ୍ୟବହାର କଲେ ।

 

ଜଳଖିଆ ପର୍ବ ସାରିବାର କିଛି ସମୟ ପରେ ଏୟାର ହୋଷ୍ଟେସ୍‌ମାନେ ବିଭିନ୍ନ ପ୍ରକାର ମଦର ବରାତ୍ ନେଇ ଯାତ୍ରୀମାନଙ୍କୁ ପରଶିବାରେ ଲାଗିଲେ । ଯା’ର ଯେଉଁ ମଦ ଦରକାର, ତା’କୁ ସେଇ ମଦ ଦିଆଗଲା । ମଦ ଦେଉଁ ଦେଉଁ ପଇସା ମଧ୍ୟ ସଂଗ୍ରହ କରୁଥାନ୍ତି । ଭାବିଲି ଏ କ’ଣ, ବୀନା ପଇସାରେ ଜଳଖିଆ ଦେଲେ, ଚା ଦେଲେ, କଫି ଦେଲେ, ଫଳରସ ଦେଲେ, କିନ୍ତୁ ମଦ ଦେଲାବେଳକୁ ପଇସା ଲୋଡ଼ା । ପଚାରି ବୁଝିଲି, ମଦ ଉଡ଼ାଜାହାଜ ଭିତରେ ଚା ଜଳଖିଆ ଭଳି ମାଗଣା ଦିଆଯାଏନି । ଯେଉଁମାନଙ୍କର ମଦ ଦରକାର ସେମାନେ ଆବଶ୍ୟକୀୟ ମୁଦ୍ରା ଦେଲେ ଏୟାର ହୋଷ୍ଟେସ୍‌ମାନେ ମଦ ଯୋଗାଇ ଦେବେ । ଉଡ଼ାଜାହାଜ ଭିତରେ ମଦ କେତେ ପ୍ରକାର ଟିକସରୁ ରକ୍ଷା ପାଇଥାଏ । ତେଣୁ ବଜାର ଅପେକ୍ଷା ଶସ୍ତା ହେବ ସ୍ୱାଭାବିକ । ସିଗାର ଓ ସିଗାରେଟ ଅବସ୍ଥା ଠିକ୍ ସେଇଆ । ଉଡ଼ାଜାହାଜ ଭିତରେ ସିଗାରେଟ ବଜାର ଅପେକ୍ଷା ଶସ୍ତା । ସେହିଭଳି ପଇସା ଦେଲେ, ଏୟାର ହୋଷ୍ଟେସ୍‌ମାନେ ସିଗାରେଟ ଯୋଗାଇ ଦିଅନ୍ତି ।

 

ପିଲାଙ୍କୁ ଦେଇଥିବା ଛବି ବହିଟିଏ ଆଣି ଓଲଟାଉଛି, ହଠାତ୍ ଲାଉଡ୍ ସ୍ପିକରରେ ଶୁଭିଲା, ଓରଲି ଉଡ଼ାଜାହାଜ ଘାଟିରେ ପହଞ୍ଚିବାକୁ ଆଉ ବେଶୀ ଡେରି ନାହିଁ । ସଙ୍ଗେ ସଙ୍ଗେ ଆମ ସିଟ୍ ସାମନାରେ ଲେଖି ହୋଇଗଲା, ନିଜ ନିଜର ଦେହକୁ ସିଟ୍‌ରେ ବେଲ୍‌ଟରେ ବାନ୍ଧ, ଉଡ଼ାଜାହାଜ ଓର୍‌ଲି ଉଡ଼ାଜାହାଜ ଘାଟିରେ ଓହ୍ଲାଇବାକୁ ଯାଉଛି ।

 

ସଙ୍ଗେ ସଙ୍ଗେ ଆମେ ନିଜ ନିଜ ଦେହକୁ ସିଟ ବେଲଟ ଦେହରେ ବାନ୍ଧି ଦେଲୁ । ଆମ ଜାହାଜଟି ତଳକୁ ମୁହଁକରି ଓହ୍ଲାଇବାକୁ ଉପକ୍ରମ କଲା । ଠିକ ପୂର୍ବ ଭଳି ଅନୁଭୂତି । ଏ ପୁଣି ଅଲଗା ପ୍ରକାରର ଉଡ଼ାଜାହାଜ ହୋଇଥିବାରୁ, ଓହ୍ଲାଇବାବେଳେ ମନରେ ଭୟରେ କେମିତି କଅଣ ହୋଇ ଯାଉଥାଏ । ଯାହା ହେଉ ସୁରୁଖୁରୁରେ ଆମ ଜାହାଜ ଓରଲି ଉଡ଼ାଜାହାଜ ଘାଟିର ରନୱେରେ ଲାଗି ଆଗକୁ ଧାଇଁବାକୁ ଲାଗିଲା । କିଛି ଦୂର ଗଲାପରେ ଏହା ବେଗ କମାଇ ଧୀରେ ଧୀରେ ଆସି ଅଫିସ ପାଖରେ ରହିଲା । ଚାରିଆଡ଼କୁ ଅନାଇ ଦେଖିଲୁ ଓରଲି ଉଡ଼ାଜାହାଜ ଘାଟି ବେଶ ପ୍ରକାଣ୍ଡ । ବହୁ ଉଡ଼ାଜାହାଜ ଘାଟିର ସ୍ଥାନେ ସ୍ଥାନେ ଠିଆ ହୋଇଛି । କିଏ ଯିବାକୁ ଉପକ୍ରମ କରୁଛି ତ କିଏ ଓହ୍ଲାଇ ଆସି ରହିଛି ।

 

ଉଡ଼ାଜାହାଜ ଠିଆ ହେବାକ୍ଷଣି ଆମେ ସମସ୍ତେ ଓହ୍ଲାଇବାକୁ ଆରମ୍ଭ କଲୁ । ଆମ ହ୍ୟାଣ୍ଡବେଗ ଧରି ଉଡ଼ାଜାହାଜର ଦରଜା ପାଖକୁ ଆସିଲୁ । ଧୀରେ ଧୀରେ ଓହ୍ଲାଇ ଉଡ଼ାଜାହାଜ ଅଫିସ ଭିତରକୁ ପଶି ବି. ଇ. ଏ. କୋମ୍ପାନିର କାଉଣ୍ଟର ନିକଟରେ ପହଞ୍ଚିଗଲୁ । ଉଡ଼ାଜାହାଜରୁ ଆମ ସୁଟକେଶ ଅଣାଯାଇ ଏଠାରେ ଆମକୁ ଦିଆଯିବା କଥା ।

 

କିଛି ସମୟ ପରେ ସୁଟକେଶମାନ ଆସି ପହଞ୍ଚିଗଲା । ଆମେ ଆମ ସୁଟକେଶ ବାଛି କାର୍ଡ଼ ସହ ମିଳାଇ ନେଇନେଲୁ । ଆମର ଛଅ ଗୋଟି ସୁଟକେଶ ଭିତରୁ ପାଞ୍ଚୋଟିକୁ ଧରି ଷଷ୍ଠ ସୁଟକେସ ଅପେକ୍ଷାରେ ସେଠି ଠିଆ ହୋଇ ରହିଲୁ । ଉଡ଼ାଜାହାଜରୁ ସବୁ ସୁଟକେଶ ଆସିଗଲା । ତଥାପି ଆମ ସୁଟକେଶର ଦେଖନାହିଁ । ଯେତେଆଡ଼େ ଖୋଜିଲୁ କେଉଁଠି ପାଇଲୁ ନାହିଁ । ବଡ଼ ଭୟ ହେଲା, ଆମ ସୁଟକେଶ ଗଲା କୁଆଡ଼େ ? ଏୟାରପୋର୍ଟର କର୍ମକର୍ତ୍ତାମାନଙ୍କୁ ଆମ ସୁଟକେଶ କଥା ଜଣାଇଲୁ । ସେମାନେ ଚାରିଆଡ଼େ ଖୋଜାଖୋଜି କଲେ, କିନ୍ତୁ କେଉଁଠି ସନ୍ଧାନ ମିଳିଲାନି । ବଡ଼ ଭୟ ହେଲା, କେଉଁଆଡ଼େ କ’ଣ ଚାଲିଗଲା, ନା କିଏ ଭୁଲରେ ନେଇଗଲା ? ଭୁଲରେ ନେବା ତ ସେତେ ସୁବିଧା ନୁହେଁ । ନିଜ ରସିଦ ସହିତ ମିଳାଇ ନେବା କଥା । ଥରକୁଥର ତ ଚେକ ହେଉଛି । ଆମ ସୁଟକେଶ ସମ୍ବନ୍ଧରେ କେହି କିଛି କହିପାରୁ ନାହାନ୍ତି । ଆମ ବ୍ୟସ୍ତତା ଦେଖି ଏୟାରୱେଜ କୋମ୍ପାନୀର ଜେନ ଅଫିସର କହିଲେ, “ଆପଣମାନେ ବ୍ୟସ୍ତ ହୁଅନ୍ତୁନି; ଆପଣମାନଙ୍କ ସୁଟକେଶ ମିଳିଯିବା । ମୋର ଆଶଙ୍କା ହେଉଛି ଏହା ଭୁଲରେ ଅନ୍ୟ କୌଣସି ଉଡ଼ାଜାହାଜ ଘାଟିକୁ ଚାଲି ଯାଇଥିବ । ଅଳ୍ପ ସମୟ ମଧ୍ୟରେ ଆମେ ତହିଁର ଖବର ପାଇଯିବୁ । ଆପଣମାନେ ତ ପାରିସ୍‍ରେ ତିନିଦିନ ରହିବେ, ଆମେ ନିଶ୍ଚୟ ଖୋଜି ଆପଣଙ୍କ ରହିବା ହୋଟେଲରେ ପହଞ୍ଚାଇ ଦେବୁ । ଆପଣମାନେ ଚିନ୍ତା ନ କରି ହୋଟେଲକୁ ଯାଅନ୍ତୁ । ଆପଣମାନେ ହୋଟେଲର ଠିକଣା ଦେଇ ଯାଅନ୍ତୁ, ଆମେ ସୁଟକେଶ ମିଳିଗଲା କ୍ଷଣି ଫୋନରେ ଜଣାଇ ଦେବୁ । ଆପଣମାନେ କିଛି ଣ ଭାବି, ଆପଣଙ୍କର ସୁଟକେଶର ଚାବି ମଧ୍ୟ ଆମ ଜିମାରେ ଦେଇ ଯାଅନ୍ତୁ । କଷ୍ଟମ୍‍ସ୍‍ ଯଦି ସୁଟକେଶକୁ ଖୋଲିବାକୁ ଚାହିଁବା, ତେବେ ଆମେ ଖୋଲି ଦେଖାଇ ଦେବୁ ।” କ’ଣ କରିବୁ, ବାଧ୍ୟ ହୋଇ ଚାବି କାଠିଟି ବାହାର କରି ଅଫିସରଙ୍କ ହାତରେ ଦେଲୁ । ତାଙ୍କୁ ପାରିସ୍‍ରେ ଆମ ରହିବା ହୋଟେଲର ଠିକଣା ଦେଇ ଉଡ଼ାଜାହାଜ ଘଟିଉ ଛାଡ଼ିଲୁ । ବାଟରେ ଆସିଲାବେଳେ ଆମ କାହାରି ମନ ଭଲ ନ ଥାଏ । ଆଉ ଜା’ ହେଉ ସ୍ତ୍ରୀ ଙ୍କ ମନ ଭାରି ଖରାପ । ତାଙ୍କର ବହୁତଗୁଡ଼ିଏ ନାଇଲନ ଓ ତେରେଲିନ ଶାଢ଼ି ସେହି ସୁଟକେଶରେ ରାହିଯାଇଥାଏ । ହରିବାବୁ ତାଙ୍କ ସ୍ତ୍ରୀଙ୍କ ପାଇଁ ଆମ ହାତରେ ପଠାଇଥିବା ଦୁଇ ଖଣ୍ଡ ଶାଢ଼ି ମଧ୍ୟ ସେହି ସୁଟକେଶରେ ଥାଏ । ତା ଛଡ଼ା ଆଉ କେତେକ ଯନ୍ତ୍ରପାତି ସେଥିରେ ଥିବାରୁ ସୁଟକେଶଟି ହଜିଗଲେ, ଆମର ବିଶେଷ କ୍ଷତି ହେବ ବୋଲି ଆଶଙ୍କା କରିଥାଉ ।

 

ଉଡ଼ାଜାହାଜ ଘାଟୀର ବସରେ ପାରିସ୍‍ ସହରସ୍ଥ ଏୟାର ଟାରମିନସ ଆସିଲୁ । ଓରଲି ଏୟାରପୋର୍ଟ ପାରିସ୍‍ ସହରଠାରୁ ପ୍ରାୟ ୧୪/୧୫ ମାଇଲ ଦୂର । ଏୟାର ଟାରମିନସ ପାରିସ୍‍ ସହର ଭିତରେ । ବସରେ ପାରିସ୍‍ ସହର ଭିତରକୁ ପଶିଳା କ୍ଷଣି ମନ ଆନନ୍ଦରେ ନାଚି ଉଠୁଥାଏ । ପୃଥିବୀର ନଗରୀରାଣୀ ପାରିସ୍‍ ସହର, ଯେଉଁ ସହରର ନାଁ ଧଇଲେ ଲୋକେ ସ୍ଵର୍ଗକୁ ଚାଲିଗଲା ଭଲି ମଣନ୍ତି, ସେହି ସହରର ରାଜପଥରେ ଯାଉଥିବାରୁ, ମନ କୁଣ୍ଢେମୋଟ ହୋଇ ଯାଉଥାଏ ।

 

ଏୟାର୍‌ ଟାରମିନସରୁ ଆମ ଜିନିଷପତ୍ର ନେଇ ଟେକ୍‌ସିଟିଏ କରି ଆମ ପାଇଁ ରିଜର୍ଭ ଥିବା ହୋଟେଲକୁ ଆସିଲୁଁ । ଆମ ହୋଟେଲର ନାଁ ହେଉଛି “ହୋଟେଲ୍‌ କାମ୍ବରାଇ” । ଏହା ପାରିସ୍‌ର ଏକ ଜନଗହଳି ସ୍ଥାନରେ ଅବସ୍ଥିତ ।

 

ହୋଟେଲରେ ପହଞ୍ଚିଲାବେଳକୁ ପ୍ରାୟ ଦିନ ଦଶଟା । ହୋଟେଲରେ ପହଞ୍ଚିବା କ୍ଷଣି ହୋଟେଲ ମାଲିକ ଆମକୁ ପାଛୋଟି ନେଇଗଲେ, ସତେ ଯେମିତି ଆମେ ତାଙ୍କର ଅତି ପୁରୁଣା ଗରାଖ । ଆଗରୁ ବହୁଥର ଏହି ହୋଟେଲରେ ରହିଛୁଁ । ହୋଟେଲ ମେନେଜର ଓ ତାଙ୍କ ସ୍ତ୍ରୀ ଆମକୁ ଆଦର ଅଭ୍ୟର୍ଥନା କଲେ କ’ଣ ହେବ, ସେ ଫରାସୀ ଭାଷାରେ କହୁଥିବାରୁ ଆମେ କିଛି ବୁଝୁ ନଥାଉଁ । ଆମ ଇଂରାଜୀ ଭାଷା ସେ ବୁଝୁଥାନ୍ତି କି କ’ଣ ଜଣାପଡ଼ୁ ନଥାଏ । ପାରିସ୍‌ ଯିବା ପୂର୍ବରୁ ଆମର ଧାରଣା ଥିଲା ଇଂରାଜୀ ଭାଷା ଆନ୍ତର୍ଜାତୀୟ ଭାଷା, ଯେଉଁଠିକି ଯିବ ଲୋକେ ସେଠି ବୁଝିବେ । କିନ୍ତୁ ଏହିଠାରେ ଆମ ଅନୁଭୂତି ହେଲା ସେଇ କଥାଟି ମୋଟେ ସତ ନୁହେଁ । ବ୍ରିଟିଶ୍‌, ଆମେରିକା ଓ ସେମାନଙ୍କ ଅଧୀନସ୍ଥ ଦେଶ ଛଡ଼ା ଇଂରାଜୀ ଭାଷାକୁ ପ୍ରାୟ ଆଉ କେଉଁଠି ବୁଝନ୍ତି ନାହିଁ । ବିଶେଷତଃ ଇଉରୋପର ରାଜ୍ୟଗୁଡ଼ିକରେ ଇଂରାଜୀର ପ୍ରଚଳନ ସେତେ ନାହିଁ । ଇଉରୋପରେ ବେଶି ଲୋକ ବୁଝନ୍ତି ଫରାସୀ କିମ୍ବା ଜର୍ମାନୀ ଭାଷା । ବ୍ରିଟିଶ୍‌ ଦ୍ଵୀପପୁଞ୍ଜକୁ ଛାଡ଼ିଦେଲେ ଆଉ କେଉଁଠି କେହି ଇଂରାଜୀ ବୁଝୁନାହାନ୍ତି । ଲଣ୍ଡନ ଠାରୁ ସ୍କଟ୍‌ଲାଣ୍ଡ୍‌ ଯେତିକି ଦୂର, ତା’ଠାରୁ କମ୍‌ ଦୂରରେ ଥିବା ଫ୍ରାନ୍‌ସ ଦେଶର ଲୋକେ ଇଂରାଜୀ ବୁଝୁ ନାହାନ୍ତି ଦେଖି ଆମେ ତାଜୁବ୍‌ । ଟିକିଏ ବଢ଼ାଇ କହିଲେ ଇଂଲଣ୍ଡ ହେଉଛି ଫ୍ରାନ୍‌ସଠାରୁ ଡାକକର ବାଟ, ତଥାପି ଲୋକେ ଇଂରାଜୀ ବୁଝିବାକୁ ଅକ୍ଷମ । ବଡ଼ ବିଚିତ୍ର । ଏହିଠାରୁ ଜଣାପଡ଼ିଲା ଇଂରାଜୀ ଭାଷାର ଆନ୍ତର୍ଜାତିୟ ସୁଖ୍ୟାତି କେତେ । ତୁମ ପଡ଼ିଶାର ଲୋକେ ଯଦି ତୁମ କଥା ନ ବୁଝିଲେ, ତେବେ ତୁମ ଭାଷାକୁ ଆନ୍ତର୍ଜାତୀୟ ଭାଷା କହି ଆନ୍ତର୍ଜାତିକ ଶବ୍ଦଟିର ମାନକୁ ତଳକୁ ଘେନି ଆସିବା ଉଚିତ ନୁହେଁ । ଆମର ଭୟ ହେଲା ପାରିସ୍‍ରେ ତିନିଦିନ ରହିବୁ ସତ, କିନ୍ତୁ ଭାଷାର ଏତାଦୃଶ ଅବସ୍ଥା ଯୋଗୁଁ ଚଳିବୁଁ କେମିତି ? ଅବଶ୍ୟ ଯେଉଁଦିନ ପହଞ୍ଚିଲୁ, ସେ ଦିନପାଇଁ ବିଶେଷ ଅସୁବିଧା ହେଲାନି, କାହିଁକିନା ଆମେ ଯେତେବେଳ ସେଠି ଜଣେ ଇଟାଲୀୟ ଯୁବକ ବସିଥିଲେ, ସେ ଇଉରୋପର ବିଭିନ୍ନ ଦେଶର ଭାଷା ଜାଣନ୍ତି । ସେ ଆମ କଥାବାର୍ତ୍ତାକୁ ଫରାସୀ ଭାଷାରେ ଅନୁବାଦ କରି ମେନେଜରଙ୍କୁ ବୁଝାଇଦେଲେ ଓ ମେନେଜରଙ୍କ ଫରାସୀ ଭାଷାକୁ ତର୍ଜ୍ଜମା କରି ଆମକୁ ବୁଝାଇ ଦେଲେ । ଆହୁରି ସୁଖର କଥା ସେ ଯୁବକ ସେହି ହୋଟେଲରେ ଆହୁରି ଚାରି ପାଞ୍ଚଦିନ ପାଇଁ ରହିବେ, ଯେତେବେଳେ କଥାବାର୍ତ୍ତାରେ ଅସୁବିଧା ହେବ, ତାଙ୍କୁ ଡକାଇ ଆଣିଲେ ଆଉ ଅସୁବିଧା ହେବନି । ହୋଟେଲରେ ପହଞ୍ଚିବା ସଙ୍ଗେ ସଙ୍ଗେ ଆମେ ସେହି ଯୁବକ ଓ ମେନେଜରଙ୍କ ସହାୟତାରେ ଆମ ପାରିସ୍‌ ଭ୍ରମଣର ଏକ ପ୍ରୋଗ୍ରାମ ତିଆରି କରି ପକାଇଲୁଁ । ତିନିଦିନ ଭିତରେ ପାରିସ୍‍ର କେଉଁ କେଉଁ ଦର୍ଶନୀୟ ସ୍ଥାନ କେମିତି ଭାବରେ ଦେଖିବୁ, ଠିକ୍‌ ହୋଇଯିବା ପରେ ଆମେ ସ୍ନାନାଦି ଓ ଭୋଜନ ପାଇଁ ହୋଟେଲ ଭିତରକୁ ପଶିଲୁଁ ।

 

ପାରିସ୍‍ରେ ଆମେ ଯେଉଁ ହୋଟେଲରେ ଥିଲୁଁ, ସେହି ହୋଟେଲଟି ପାରିସ୍‍ର ସୁବିଖ୍ୟାତ ନର୍ଡ ରେଳଷ୍ଟେସନ ନିକଟରେ ଅବସ୍ଥିତ । ହୋଟେଲଟି ମଧ୍ୟମ ଧରଣର । ଆମ ପରିବାରକୁ ଦୁଇଟି କୋଠରୀ ଦିଆଯାଇଥିଲା । ଆମ ସ୍ଵାମୀ ସ୍ତ୍ରୀଙ୍କ ପାଇଁ ଗୋଟିଏ, ପିଲା ଦୁଇଟିଙ୍କ ପାଇଁ ଆଉ ଗୋଟିଏ । ଦୁଇଟିଯାକ କୋଠରୀ ଗୋଟିଏ କୋଠରୀର ଦୁଇଟି ଅଂଶ କହିଲେ ଚଳେ । ଆମ କୋଠରୀଟି ଚାରିତାଲାରେ । ଆମେରିକାର ଚାରିଆଡ଼େ ଲିଫ୍‌ଟର ପ୍ରଚଳନ ଥିବା ସତ୍ଵେ, ଏଠି ଏତେବଡ଼ ହୋଟେଲରେ ଲିଫଟଟିଏ ନ ଥିବାରୁ ଓ ଆମକୁ ପାହାଚରେ ଉଠିବାକୁ ଓ ଓହ୍ଲାଇବାକୁ ପଡ଼ୁଥିବାରୁ ବଡ଼ ଅସୁବିଧା ଲାଗୁଥାଏ । ହୋଟେଲଟି ଆକାରରେ ବେଶ ବଡ଼ ଓ ପାରିସ୍‍ର ଏକ ଜନଗହଳି ଅଞ୍ଚଳରେ ଅବସ୍ଥିତ ହେଲେ ହେଁ ଆମେରିକାର ଏକ ତୃତୀୟ ଶ୍ରେଣୀ ହୋଟେଲକୁ ଏହା ସମକକ୍ଷ ନୁହେଁ । ପାରିସ୍‍ର ସୁବିଖ୍ୟାତ ରାସ୍ତା ବୋଲଭାର୍ଡ-ଡି-ମେଜେଣ୍ଟା ଉପରେ ଏହି ହୋଟେଲଟି ଅବସ୍ଥିତ । ପାରିସ୍‍ର ବଡ଼ ବଡ଼ ଅଧିକାଂଶ ରାସ୍ତା ବୋଲଭାର୍ଡ଼ ଭାବରେ ନାମିତ । ସମ୍ଭବତଃ ଏହି ପାରିସ୍‍ର ବୋଲଭାର୍ଡ ନାମକରଣରୁ ଆମେରିକାରେ ଆଜିକାଲି ବଡ଼ ବଡ଼ ରାସ୍ତାର ବୋଲଭାର୍ଡ ନାମକରଣ କରାଯାଉଛି ।

 

ପାରିସ୍‌ରେ ଦର୍ଶନୀୟ ସ୍ଥାନ ଅନେକ । ତେବେ ତିନିଦିନ ଭିତରେ ଯେତେ ଦେଖିହେବ, ସେହି ଅନୁସାରେ ପ୍ରୋଗ୍ରାମ ହୋଇଥାଏ । ଶୀଘ୍ର ଶୀଘ୍ର ଗାଧୁଆ ପାଧୁଆ ଶେଷକରି ପାରିସ୍‍ ସହର ପରିକ୍ରମା ଉଦ୍ଦେଶ୍ୟରେ ବାହାରି ପଡ଼ିଲୁଁ ।

 

ଫ୍ରାନ୍‌ସର ରାଜଧାନୀ ପାରିସ୍‍ ଫ୍ରାନ୍‌ସର ପ୍ରଧାନ ନଦୀ ସାଇନ୍‌ କୂଳରେ ଅବସ୍ଥିତ । ପାରିସ୍‍ ସହରର ବୁକୁ ଚିରି କଳକଳ ନାଦରେ ବହି ଯାଉଛି ଏହି ସୌନ୍ଦର୍ଯ୍ୟଭରା ନଦୀଟି । ପାରିସ୍‍ ସହରର କ୍ଷେତ୍ରଫଳ ୪୦ ବର୍ଗମାଇଲ ପାଖାପାଖି, ଲୋକସଂଖ୍ୟା ପ୍ରାୟ ୩୦ ଲକ୍ଷ ଓ ବୃହତ୍ତର ପାରିସ୍‍ରେ ପ୍ରାୟ ୫୦ଲକ୍ଷ ଲୋକ ବସବାସ କରନ୍ତି । ଇଉରୋପର ବିଭିନ୍ନ ରାଜ୍ୟର ରାଜଧାନୀଗୁଡ଼ିକ ପାରିସ୍‍ ଭଳି ଏତେ ଜନଗହଳି ନୁହେଁ ।

 

ସାଇନ୍‌ ନଦୀ ପାରିସ୍‍ ସହରକୁ ଦୁଇଭାଗ କରି ଏହାର ମଧ୍ୟ ଭାଗରେ ବହି ଯାଉଛି । ଏହି ନଦୀ ଉପରେ ପ୍ରାୟ ୩୭ ଗୋଟି ପୋଲଦ୍ୱାରା ଦୁଇପାଖର ସହରକୁ ସଂଯୋଗ କରାଯାଇଛି-। ସହରର ଦୁଇ କଡ଼ରେ ପାହାଡ଼ମାନ ରହିଛି, ଯଦିଚ ସେଗୁଡ଼ିକ ବେଶୀ ଉଚ୍ଚ ନୁହେଁ, କିନ୍ତୁ ବେଶ୍‌ ନାମଜାଦା ଓ ସହରର ସୌନ୍ଦର୍ଯ୍ୟ ବଢ଼ାଇବା ଦିଗରେ ବେଶ୍‌ ସହାୟକ । ଏହି ପାହାଡ଼ ଭିତରୁ ନାମଜାଦା ହେଉଛି ମଣ୍ଟ୍‌ମାର୍‌ଟ୍ରେ । ଏହା ମୋଟେ ୪୧୦ ଫୁଟ ଉଚ୍ଚା । ପାରିସ୍‍ ସହର ଭିତରେ ଥିବାରୁ ଏହାର ଖ୍ୟାତି ଏତେ ବେଶି, ଆମ ଦେଶ ହୋଇଥିଲେ ଏଭଳି ପାହାଡ଼କୁ ମୁଣ୍ଡିଆ କହି କେହି ପଚାରନ୍ତେ ନାହିଁ ।

 

ପାରିସ୍‌ର ସବୁଠାରୁ ପୁରୁଣା ଅଂଶ ହେଲା, Ile de la Cite. ଏହି ଅଂଶଟି ସାଇନ୍‌ ନଦୀ ଭିତରେ ଏକ ଦ୍ଵୀପ ଉପରେ ଅବସ୍ଥିତ । ଏହିଠାରେ ଗୋଥିକ ଷ୍ଟାଇଲରେ ତିଆରି ଦୁଇଟି ସୁନ୍ଦର ସୁନ୍ଦର ମୋନୁମେଣ୍ଟ ରହିଛି । ସେଥି ଭିତରୁ ଗୋଟିଏ ହେଉଛି କେଥେଡ୍ରେଲ୍‌ଅଫ୍‍ ନଟର୍‌ଡାମ୍‌ଓ ଅନ୍ୟଟି ହେଉଛି ଲା ସେଣ୍ଟ୍‌ ଚାପେଲି । ପ୍ରଥମଟି ଦ୍ଵାଦଶ ଶତାବ୍ଦୀରେ ଓ ଦ୍ଵିତୀୟଟି ତ୍ରୟୋଦଶ ଶତାଦ୍ଦୀରେ ତିଆରି । ଏତଦ୍‌ବ୍ୟତୀତ ପେଲେସ୍‌ଡି ଜଷ୍ଟିସ୍‌ ଆଉ ଏକ ପ୍ରସିଦ୍ଧ ପ୍ରସାଦ, ଏହା ହେଉଛି ପାରିସ୍‍ର ଆଇନ ଅଦାଲତ । ଏଥିରେ ଊନବିଂଶ ଶତାଦ୍ଦୀର ଗଠନ ଚାତୁରୀ ପ୍ରତିଫଳିତ ।

 

ପାରିସ୍‍ ସହର ଏହାର ବଡ଼ ବଡ଼ ରାସ୍ତା ଦ୍ଵାରା ଦୁଇ ବିଭାଗରେ ବିଭକ୍ତ । ଏହି ରାସ୍ତାଗୁଡ଼ିକ ପେଲେସ୍‌-ଡି-ଚାଟଲେଟ୍‌ଠାରେ ମିଳିତ ହୋଇ ଅଛନ୍ତି । ଏହି ସ୍ଥାନଟି ଇଲି ଡି-ଲା-ସାଇଟ୍‌ର ଉତ୍ତର ପଟକୁ ଅବସ୍ଥିତ । ପାରିସ୍‍ ସହରର ଅବସ୍ଥିତି ବଡ଼ ବିଚିତ୍ର ଧରଣର । ସହରର କେନ୍ଦ୍ର ଅଂଶ ଉତ୍ତର ଦକ୍ଷିଣରେ ବଡ଼ ବଡ଼ ରାସ୍ତା ଦ୍ଵାରା ଘେରି ହୋଇ ଏକ ଉପବୃତ୍ତାକାର ଭାବରେ ରହିଛି । ଏହାର ଗୋଟିଏ ମୁଣ୍ଡରେ ରହିଛି Palace de la Bastille, ଏକ ବିରାଟ ସ୍ମୃତିସ୍ତମ୍ଭ ଫ୍ରାନ୍‌ସ ବିପ୍ଳବର ଅତୀତ ସ୍ମୃତି ନେଇ ଠିଆ ହୋଇଛି । ଏଠାରୁ ଅଳ୍ପ ଦୂରରେ ଅବସ୍ଥିତ ଗ୍ରେଣ୍ଡସ୍‌ ବୋଲଭାର୍ଡ । ଏହା ହେଉଛି ପାରିସ୍‍ର ବ୍ୟାବସାୟିକ ତଥା ଆମୋଦପ୍ରମୋଦ କେନ୍ଦ୍ର । ଏହିଠାରେ ଊନବିଂଶ ଶତାଦ୍ଦୀର ଏକ ପ୍ରଧାନ ଗିର୍ଜା ‘ଲା-ମେଣ୍ଡେଲାଇନ୍‌’ ଅବସ୍ଥିତ ।

 

ଯଦିଚ ସାଇନ୍‌ନଦୀ ପାରିସ୍‍କୁ ଦୁଇ ଭାଗରେ ବିଭକ୍ତ କରୁଛି, ଉତ୍ତର ପାଖ ଅଂଶରେ ପାରିସ୍‍ ସହରର ଦୁଇ ତୃତୀୟାଂଶ ଅବସ୍ଥିତ । ଏହାର ପୂର୍ବ ଓ ପଶ୍ଚିମ ପାଖରେ ଥିବା ଦୁଇଟି ବଡ଼ ବଡ଼ ପାର୍କ, ବଇସ୍‌-ଡି-ବଲୋନ୍‌ ଓ ଭିନ୍‌ସେନସ୍‌ ଖୁବ୍‌ ପ୍ରସିଦ୍ଧ ଅର୍ଜ୍ଜନ କରିଛି ।

 

ପେଲେସ୍‌ ଡି ଲା-କନ୍‌କର୍ଡ଼ର ପଶ୍ଚିମ ପାଖରେ ଧନୀ ଲୋକମାନଙ୍କର ବାସଗୃହ ଓ ବଡ଼ ବଡ଼ ଆଭିଜାତ୍ୟପୂର୍ଣ୍ଣ ହୋଟେଲମାନ ଅବସ୍ଥିତ । ବଡ଼ ବଡ଼ ନାଚଘର, ନାଇଟ୍‌କ୍ଲବ,ଥିଏଟର, ଅପେରା ଆଦି ଏହି ଅଂଶରେ ଅବସ୍ଥିତ । ପାରିସ୍‍ର ବଡ଼ ବଡ଼ ପୁରୁଣା ଯାଦୁଘର ଏହି ଅଂଶରେ ଦେଖିବାକୁ ମିଳେ ।

 

ପାରିସ୍‍ର ଅପୂର୍ବ ଖ୍ୟାତି ପଛଆଡ଼େ ପୂତିଗନ୍ଧମୟ ଯେଉଁ କୁଖ୍ୟାତି, ଦୁର୍ନାମ ରହିଛି, ତାହା ଖାଲି ପାରିସ୍‍ର କଳଙ୍କ ନୁହେଁ, ଆଧୁନିକ ଦୁନିଆର ବଡ଼ ବଡ଼ ନଗରୀର ଏହା ଅଲିଭା କଳଙ୍କ-। ଇଉରୋପର ବିଭିନ୍ନ ସହରରେ ଯେତେ ଅପରାଧ କୁକର୍ମ ହୁଏ, ପାରିସ୍‍ରେ ତହିଁର ସଂଖ୍ୟା ସର୍ବାଧିକ । ପାରିସ୍‍ ନଗରୀର ଅପୂର୍ବ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଦେଶ ବାହାରୁ ହାରାହାରି କୋଡ଼ିଏ ଲକ୍ଷ ପର୍ଯ୍ୟଟକ ଆସନ୍ତି । କିନ୍ତୁ ଏହା ସତ୍ଵେ ପୃଥିବୀର ବହୁ ଆନ୍ତର୍ଜାତିକ ଦୁଷ୍କର୍ମର କେନ୍ଦ୍ର ଭାବରେ ପାରିସ୍‍ର କୁଖ୍ୟାତ ସର୍ବଜନ ବିଦିତ । ଏଠି କେଉଁ କୁକର୍ମ ଯେ ନ ହୁଏ, ତା’କୁ ଖୋଜି ପାଇବା କଷ୍ଟକର । ପାରିସ୍‍ର ଅପରୂପ ସୌନ୍ଦର୍ଯ୍ୟର ଆଢ଼ୁଆଳରେ ଏମିତି କୌଣସି ଦୁଷ୍କର୍ମ ନାହିଁ, ଯା’କି ପାରିସ୍‍ରେ କରାଯାଏନି । ପାରିସ୍‍ର ସେହି ଦୁଷ୍କର୍ମ ଭରା, ପାପ, ଅପରାଧର କଳଙ୍କ କାଳିମାମୟ କାହାଣୀ ଶୁଣିଲେ ଯେ କୌଣସି ପର୍ଯ୍ୟଟକର ଧୈର୍ଯ୍ୟହାନୀ ଘଟିବ । ବଡ଼ ବିଚିତ୍ର, ପୋଲିସର ତୀବ୍ର ଦୃଷ୍ଟିସତ୍ତ୍ୱେ, ଏହି ସହରରେ ଅପରାଧ ସଂଖ୍ୟା ଦିନକୁଦିନ ବଢ଼ିଚାଲିଛି । ପ୍ରତିବର୍ଷ ହାରାହାରି ଦୁଇଶହ ପର୍ଯ୍ୟନ୍ତ ନରହତ୍ୟା ଏହି ସହରରେ ସଙ୍ଘଟିତ ହୁଏ, ଏହାର ଏକ ଷଷ୍ଠାଂଶ ବି ହୁଏନି ଲଣ୍ଡନ ସହରରେ । ପ୍ରତିବର୍ଷ ପ୍ରାୟ କୋଡ଼ିଏ ହଜାର ମଟରଗାଡ଼ି ଚୋରୀ ଘଟଣା ପୋଲିସ ନିକଟକୁ ଆସେ । ଚୋର ଓ ଡକାୟତ ସଂଖ୍ୟା ହାରାହାରି ବର୍ଷକୁ ବାର ହଜାରରୁ ଚଉଦ ହଜାର-। ପାରିସ୍‍ ସହରରେ ଅନ୍ୟୁନ୍ୟ ୨୦୦୦ ସରିକି ରୂପଜୀବି ବେଶ୍ୟା ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ରାସ୍ତାଘାଟରେ, ମଦ ଦୋକାନରେ, ନାଚଘରେ ଓ ନାଇଟ କ୍ଲବମାନଙ୍କରେ ଗରାଖ ଖୋଜିବାରେ ବ୍ୟସ୍ତ । ତା ଛଡ଼ା ପାରିସ୍‍ ସହରର ବହୁ ଧନୀଲୋକ ଯୁବତୀ ଲଳନାମାନଙ୍କୁ ରଖି ହଜାର ହଜାର ଘରୋଇ ବେଶ୍ୟାଳୟ ଚଳାନ୍ତି । ଗୋଟିଏ ଗୋଟିଏ ବେଶ୍ୟାଳୟରେ ଚାଳିଶରୁ ପଚାଶ ପର୍ଯ୍ୟନ୍ତ ରୂପଜୀବି ଲଳନା ରହିଥାନ୍ତି । ଅଫିମ, ମଦର କଳାବଜାର ପାରିସ୍‍ରେ ଅପର୍ଯ୍ୟାପ୍ତ-। ନାନାପ୍ରକାର ଯୌନ ଅପରାଧର କଳଙ୍କମୟ କାହାଣୀ ଶୁଣିଲେ ଲୋମମୂଳ ଶିହରି ଉଠେ-। ଯୌନ ବ୍ୟଭିଚାର ପାଇଁ ଯୁବକମାନେ ଯେମିତି ସୁନ୍ଦରୀଯୁବତୀ ଖୋଜିବାରେ ବ୍ୟସ୍ତ, ଯୁବତୀମାନେ ସେହିଭଳି ସୁଶ୍ରୀ ଯୁବକ ଖୋଜିବାରେ ବ୍ୟସ୍ତ । ବିଭତ୍ସ କାର୍ଯ୍ୟପାଇଁ ପାରିସ୍‍ର କେତେଟି ଗଳି, ରାସ୍ତା, ଷ୍ଟ୍ରୀଟ୍‌କୁ ଖ୍ୟାତି ଅର୍ଜ୍ଜନ କରିଛି । ପାରିସ୍‍ର ଅସଂଖ୍ୟ ନାଇଟ୍‌କ୍ଲବ, ନାଚଘର ବେଶ୍ୟାଳୟରେ ରାତ୍ରିଜୀବନ ଅତ୍ୟନ୍ତ ବିପଦଜନକ ଓ କଳଙ୍କମୟ-। ତଥାପି ବହୁ ପର୍ଯ୍ୟଟକ ଏଭଳି ଜୀବନଯାପନ ପାଇଁ ବାହାରୁ ପ୍ରତିବର୍ଷ ଧାଇଁ ଆସନ୍ତି-

 

ପାରିସ୍‍ ସହରର ଉତ୍ତର ଅଂଶ କଳକାରଖାନା ଶିଳ୍ପରେ ପୂର୍ଣ୍ଣ । ବିଶେଷତଃ ଉତ୍ତର-ପୂର୍ବ ଅଞ୍ଚଳ ଶହ ଶହ ପ୍ରକାର କଳକାରଖାନାରେ ପୂରିରହିଛି । ଏହି ଅଞ୍ଚଳର ଶ୍ରମିକମାନଙ୍କ ବସତି ସ୍ଥାପନ ପାଇଁ ଯେଉଁସବୁ ଅନୁନ୍ନତ ଅଞ୍ଚଳ (Slum) ରହିଛି, ସେ ସବୁର ଦୂରବସ୍ଥା ଦେଖିଲେ ଦୁଃଖ ଆସେ । ସେହି ସବୁ ଅନୁନ୍ନତ ଅଞ୍ଚଳ ଭିତରେ ଆମ୍‌ବେରଭିଲରସ୍‌ ଓ ସେଣ୍ଟ ଡେନିସ୍‌ ପ୍ରଧାନ ।

 

ନଦୀର ଦକ୍ଷିଣ ଭାଗରେ ଥିବା ଅଞ୍ଚଳ ଭିତରେ ପୂର୍ବଆଡ଼ଟି ଅଧିକ ଜନବସତି ଓ ନାନାପ୍ରକାର କଳକାରଖାନାରେ ପୂର୍ଣ୍ଣ । ଏହି ପାଖରେ ପାରିସ୍‍ର ଦୁଇଟି ସୁପ୍ରସିଦ୍ଧ ପାର୍କ ଅଛି । ପାର୍କ ଦୁଇଟି ହେଉଛି ଜାର୍ଡିନ-ଡ଼େସ-ପ୍ଲେଣ୍ଟସ୍‌ ଓ ଜାର୍ଡିନ-ଡି-ଲକ୍‌ସେମ୍‌ବର୍ଗ । ପ୍ରଥମଟିରେ ପାରିସ୍‍ର ପ୍ରସିଦ୍ଧ ଚିଡ଼ିଆଖାନା ଅବସ୍ଥିତ । ସାଇନ୍‌ନଦୀ ଓ ଲକ୍‌ସସେସ୍‌ବର୍ଗ ପାର୍କ ମଧ୍ୟ ସ୍ଥଳରେ ରହିଛି ପାରିସ୍‍ର ବିଶ୍ୱବିଦ୍ୟାଳୟ ଓ ଛାତ୍ରମାନଙ୍କର ହଷ୍ଟେଲ ଆଦି ।

 

ଏହିଠାରୁ ଅଳ୍ପ ଦୂରରେ ନେପୋଲିଅନ୍‌ଙ୍କ ସମାଧି ମନ୍ଦିର ଇନ୍‌ଭେଲିଡ୍‌ସ୍‌ । ପାରିସ୍‍ ସହର ବଡ଼ ବଡ଼ ଲାଇବ୍ରେରୀରେ ପୂର୍ଣ୍ଣ । ସେଥି ମଧ୍ୟରେ ବିବ୍‌ଲିଓଥିକେ ନେସନ୍ୟାଲ, ବିବ୍‌ଲିଓଥିକେ ମିଉଜିମିପାଲେ, ବିବ୍‌ଲିଓଥିକେ ମାଜାରିନେ ପ୍ରଧାନ । ପାରିସ୍‍ର ବଡ଼ ବଡ଼ ଯାଦୁଘର ଭିତରେ ଲଉଭ୍ରା, ମିଉଜେ ଗୁଇମେଟ୍‌, କ୍ଳେନି, କାର୍‌ନାଭେଲେଟ୍‌ ଆଦି ପ୍ରଧାନ ।

 

ପାରିସ୍‍ ସହର ପୃଥିବୀର ବିଭିନ୍ନ ପୁରୁଣା ସହର ଭିତରୁ ଗୋଟିଏ । ଖ୍ରୀଷ୍ଟପୂର୍ବ ୫୩ ମସିହାରେ ଜୁଲିୟସ୍‌ ସିଜର୍‌ ଏହାକୁ ଆକ୍ରମଣ କରିଥିଲେ । ସେତେବେଳେ ଏହା ଗଲିସ୍‌ ଜାତିମାନଙ୍କର ଛୋଟ ରାଜଧାନୀ ଥିଲା । ଏହା ପରେ ଏହା ରୋମାନ ସାମ୍ରାଜ୍ୟର ଅନ୍ତର୍ଗତ ହୋଇ ପ୍ରସାର ଲାଭ କରିବାକୁ ଲାଗିଲା ।

 

ନବମ ଶତାଦ୍ଦୀରେ ଯେତେବେଳେ ପାରିସ୍‍ର ଜମିଦାର ଫ୍ରାନ୍‌ସର ରାଜା ହେଲେ, ପାରିସ୍‍ର ପ୍ରାଧାନ୍ୟ ଢେର ବଢ଼ିଗଲା । ଏହା ସେତେବେଳେ ଏକ ବାଣିଜ୍ୟ କେନ୍ଦ୍ର ଭାବରେ ପ୍ରସାର ଲାଭ କଲା ।

 

ଫ୍ରାନ୍‌ସର ରାଜା ଷଷ୍ଠ ଲୁଇ ଫିଲିପ୍‌ ଅଗଷ୍ଟାସଙ୍କ ସମୟରେ ଓ ନବମ ଲୁଇଙ୍କ ସମୟରେ ପାରିସ୍‍ରେ ଗୋଥିକ କଳାର ପରାକାଷ୍ଠା ଦେଖାଇ ନାନା ଉପାସନା ମନ୍ଦିର, ରାଜ ପ୍ରାସାଦ ଆଦି ଗଢ଼ି ଉଠିଲା । ତ୍ରୟୋଦଶ ଶତାଦ୍ଦୀରେ ପାରିସ୍‍ ବିଶ୍ଵବିଦ୍ୟାଳୟ ପୂରାତନ ବିଶ୍ୱବିଦ୍ୟାଳୟ ଭିତରେ ଖୁବ୍‌ ପ୍ରସିଦ୍ଧି ଅର୍ଜ୍ଜନ କରିଥିଲା ଓ ଏଥିରେ ଛାତ୍ର ସଂଖ୍ୟା ଥିଲା ୨୦,୦୦୦-। ଏହା ସେତେବେଳେ ପଶ୍ଚିମ ଇଉରୋପର ପ୍ରଧାନ ଶିକ୍ଷା କେନ୍ଦ୍ର ଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ ଏହା ବାରମ୍ବାର ଇଂରେଜମାନଙ୍କ ଦ୍ଵାରା ଆକ୍ରାନ୍ତ ହେବା ଓ ଗୃହ ଯୁଦ୍ଧ ଲାଗିବା ସତ୍ଵେ ପାରିସ୍‍ ଉତ୍ତରୋତ୍ତର ବୃଦ୍ଧି ପାଇବାକୁ ଲାଗିଲା । ପଞ୍ଚଦଶ ଶତାଦ୍ଦୀରେ ପାରିସ୍‍ ଯୁଦ୍ଧ ଓ ପ୍ଲେଗ ଦ୍ଵାରା ଆକ୍ରାନ୍ତ ହୋଇ ଧ୍ଵସ୍ତବିଧ୍ଵସ୍ତ ହୋଇଗଲା । ସପ୍ତଦଶ ଶତାଦ୍ଦୀରେ ଇଉରୋପର ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ରାଜଧାନୀ ଥିଲା ପାରିସ୍‍ । ଏହି ସମୟରେ ଖୁବ୍‌ ଜାକଜମକରେ ଲୋଭରୋ, ଇନ୍‌ଭେଲିଡସ ତିଆରି ହୋଇ ପାରିସ୍‍ର ଅପୂର୍ବ କଳା ସ୍ଥାପତ୍ୟର ପ୍ରଶଂସାଗାନ କଲା । ତା’ ଛଡ଼ା ଅସଂଖ୍ୟ ଗିର୍ଜା, ସମାଧି ମନ୍ଦିର, ସ୍ମୃତିସ୍ତମ୍ଭ, ତୋରଣ, ଚିକିତ୍ସାଳୟ, ମଠ, ଆଦି ତିଆରି ହୋଇ ପାରିସ୍‍ର ଶ୍ରୀବୃଦ୍ଧି କରିବାରେ ଲାଗିଲା ।

 

ଉନବିଂଶ ଶତାଦ୍ଦୀରେ ପାରିସ୍‍ ଏକ ଶିଳ୍ପ ନଗରୀ ଭାବରେ ଗଢ଼ି ଉଠିଲା । ଏହି ସମୟରେ ପାରିସ୍‍ର ସୁପ୍ରସିଦ୍ଧ ଚଉଡ଼ା ଚଉଡ଼ା ରାସ୍ତା, ଏଭନିଉ, ବୋଲ୍‌ଭିର୍ଡ ଆଦି ତିଆରି ହେଲା । ଏହି ରାସ୍ତା ଚାରି ପାଖରେ ସୁନ୍ଦର ସୁନ୍ଦର ଗଛ ଲଗା ହୋଇ ସହରର ସୌନ୍ଦର୍ଯ୍ୟ ଅଶାତୀତ ଭାବରେ ବୃଦ୍ଧି କରାଗଲା ।

 

ପାରିସ୍‍ ଯଦିଚ କଳା ଓ ଚିନ୍ତା ଜଗତର ଅପରାଜିତ ରାଜଧାନୀ ହୋଇ ରହିନି, ଏହା ଫେସନ ଜଗତର ଅପରାଜିତ ରାଜଧାନୀ ହୋଇ ରହିଛି । ସୁନ୍ଦରତମ ନଗରୀ ଭାବରେ ଏବେ ବି ବହୁ ଦର୍ଶକ ଏଠାକୁ ଆସୁଛନ୍ତି । ପାରିସ୍‍ର ସବୁ କିଛି ସୁନ୍ଦର, ରାସ୍ତାଘାଟ, ପୋଲ, ଘରଦ୍ଵାର, ଗିର୍ଜା, ଦୋକାନବଜାର, ସବୁ କିଛି ସୁନ୍ଦର । ପାରିସ୍‍ର ରାସ୍ତାଭଳି ଏହାର ଭୂମିତଳ ରେଳ ଅତି ପ୍ରସିଦ୍ଧ । ନିଯୁୟର୍କର ଭୂମିତଳ ରେଳକୁ ଯେମିତି ସବ୍‌ୱେ, ଲଣ୍ଡନର ଭୂମିତଳ ରେଳକୁ ଟିଉବ୍‌ କହନ୍ତି, ସେହିଭଳି ପାରିସ୍‍ର ଭୂମିତଳ ରେଳକୁ ମେଟ୍ରୋ କୁହାଯାଏ । ଏହା ଲଣ୍ଡନ ଓ ନିଉୟର୍କ ସହରଭଳି ସହର ସାରା ଚାରିଆଡ଼କୁ ଖେଳି ହୋଇ ରହିଛି । ପାରିସ୍‍ର ଭୂମିତଳ ରେଳ ଓ ରେଳଷ୍ଟେସନ ଅତୀବ ସୁନ୍ଦର ।

 

ପାରିସ୍‍ର ଅସଂଖ୍ୟ ଦର୍ଶନୀୟ ସ୍ଥାନ ଭିତରୁ ଆମେ ଆଇଫେଲ ଟାୱାର, ପେଲେସ-ଡି-ଚେଇଲଟ୍‌, ନେପୋଲିଅନ୍‌ଙ୍କ ସମାଧି ମନ୍ଦିର ଇନ୍‌ଭେଲିଡସ୍‌, କେଥେଡେଲ୍‌ ଅଫ୍‌ ନଟର୍‌ଡାମ୍‌ । ପ୍ଲେସ୍‌ଡି-ଲା କନକର୍ଡ, ଗାର୍ଡିନ୍‌ ଅଫ୍‌ ଦି ଟୁଲେରିଜ୍‌, ପେଲେସ୍‌ଦି ଲୋଭର, ଲା ସେଣ୍ଟ ଚାପେଲ୍‌ମନୁମେଣ୍ଟ ପ୍ଲେସ, ରିପବ୍ଲିକେ, ପୋର୍ଟେ ସେଣ୍ଟ୍‌ଡେନିସ୍‌, ପୋର୍ଟେ ସେଣ୍ଟ ମାର୍ଟିନ, ପେଲେସ ଡି ଲକ୍‌ସେମ୍‌ବର୍ଗ, ଜାର୍ଡିନ୍‌-ଡି-ଲକସେମ୍‌ବର୍ଗ, ପେଲେସ ଡି ଜଷ୍ଟିସ୍‌ଆଦି ସ୍ଥାନ ଦେଖିବା ଠିକ୍‌ କରିଥାଉଁ । ପାରିସ୍‍ ସହରର ଏକ ମାନଚିତ୍ର ଆଣି ଆଗେ କେଉଁଠାକୁ, ପଛେ କେଉଁଠାକୁ ଯିବୁଁ ଠିକଣା କରିନେଲୁଁ ।

 

ପାରିସ୍‌ ସହର ବୁଲି ଯିବାକୁ ବାହାରିଲାରୁ ହଠାତ୍‌ ଦରକାର ପଡ଼ିଲା ଫରାସୀ ମୁଦ୍ରା । ଉଡ଼ାଜାହାଜ ଷ୍ଟେସନରୁ ଆସିଲାବେଳେ ଆମ ପାଖରେ ଲଣ୍ଡନରୁ ଫେରିଥିବା ପାଉଣ୍ଡ୍‌, ସିଲିଙ୍ଗ୍‌ ଆଦି ଯାହାଥିଲା ବଦଳାଇ ଫରାସୀ ମୁଦ୍ରା ଘେନି ଆସିଥିଲୁ । ଅନ୍ଦାଜ କରି ଦେଖିଲୁଁ ଆମ ପାଖରେ ଯାହା ଫରାସୀ ମୁଦ୍ରା ଅଛି, ତାହା ସେହି ଦିନର ଖର୍ଚ୍ଚ ତୁଲାଇ ପାରେ । ପାଖରେ ଡଲାର ଚେକ୍‌ ଥାଏ ଦରକାର ପଡ଼ିଲେ କେଉଁଠି ଭଙ୍ଗାଇ ନେବୁଁ । ତେଣୁ ଏହି ଭରସାରେ ଆମେ ହୋଟେଲରୁ ବାହାରି ପଡ଼ିଲୁ । ଆମେ ରହୁଥିବା ହୋଟେଲ କାମ୍ବରାଇ ଏକ ପ୍ରସିଦ୍ଧ ଛକ ଯାଗା ନିକଟରେ । ନର୍ଡ ଷ୍ଟେସନ ହୋଟେଲକୁ ଦିଶୁଥାଏ । ନିକଟସ୍ଥ ଛକ ଉପରକୁ ଯାଇ ଗୋଟିଏ ଟେକ୍‌ସି ଡାକିଲୁ ।

 

ପୃଥିବୀ ପ୍ରସିଦ୍ଧ ଆଇଫେଲ୍‌ ଟାୱାର

 

ଆମ ଭାଗ୍ୟକୁ ଏକ ଟେକ୍‌ସି ଜୁଟିଲା, ଯେଉଁ ଟେକ୍‌ସିଟିର ଚାଳକ ପୁରୁଷ ନୁହେଁ ଜଣେ ଫରାସୀ ମହିଳା । ମହିଳା ଟେକ୍‌ସି ଡ୍ରାଇଭର୍‌ ଦେଖି ଚମକିବାର କିଛି କାରଣ ନଥିଲା । କାରଣ ପୃଥିବୀର ବିଭିନ୍ନ ଦେଶରେ ସ୍ତ୍ରୀ ଟେକ୍‌ସି ଡ୍ରାଇଭର ଅଛନ୍ତି, ଏକଥା ଆମେ ଜାଣିଥିଲୁଁ । ଆମେରିକାରେ ଥିଲାବେଳେ ୱାସିଙ୍ଗ୍‌ଟନ୍‌ ସହରରେ ଦିନେ ବୁଲୁଁ ବୁଲୁଁ ଆମେ ଏହିଭଳି ଜଣେ ମହିଳା ଟେକସି ଡ୍ରାଇଭର ପାଇଥିଲୁଁ । ଅବଶ୍ୟ ସେ ମହିଳା ଜଣକ ଥିଲେ ଜଣେ ନିଗ୍ରୋ ସ୍ତ୍ରୀଲୋକ-। କିନ୍ତୁ ଏଠି ଆମେ ଯାଙ୍କୁ ପାଇଲୁ ସେ ଜଣେ ଫରାସୀ ମହିଳା, ପୁଣି ବିଗତ ଯୌବନା-। ପ୍ରୌଢ଼ତ୍ୱର ଶେଷ ପାଦରେ ପହଞ୍ଚି ନଥିଲେ ହେଁ ପ୍ରଥମ ପାଦ ଯେ ଅତିକ୍ରମ କରି ଯାଇଛନ୍ତି, ଏହା ନିଃସନ୍ଦେହରେ କୁହା ଯାଇପାରେ । ଆମେ ହାତ ଦେଖାଇଲା କ୍ଷଣି ସେ ଆମଠାରେ ଆସି ହାଜର୍‌-। ଆମର ପ୍ରଥମ ବରାତ୍‌ ଆମକୁ ଆଇଫେଲ୍‌ ଟାୱାର ନିକଟକୁ ନେଇ ପାରିବ କି କଅଣ-? ସୌଭାଗ୍ୟବଶତଃ ସେହି ଟେକ୍‌ସି ଚାଳିକା ବେଶ୍‌ ଇଂରାଜୀ ବୁଝିପାରନ୍ତି । ଖଣ୍ଡ ଖଣ୍ଡ ଭାଷାରେ କହି ପାରନ୍ତି ମଧ୍ୟ । ସେ ଆମକୁ ଆଇଫେଲ ଟାୱାର ପାଖରେ ପହଞ୍ଚାଇ ଦେବେ ବୋଲି କହିଲେ-। ଭଡ଼ା ଆଦିର ଜବାବ କିଛି ଦରକାର ପଡ଼ିଲା ନାହିଁ । ଗାଡ଼ିରେ ଭଡ଼ା ଉଠିବା ମିଟର ଲାଗିଛି-। ମିଟରରେ ଯାହା ପଇସା ଉଠିବ ତାହା ଦେଇଦେବା କଥା । ଆମ୍ଭେମାନେ କାଳବିଳମ୍ବ ନକରି ଟେକ୍‌ସିରେ ବସିଲୁଁ । ଟେକ୍‌ସିଟି ସଙ୍ଗେ ସଙ୍ଗେ ପାରିସ୍‍ର ସୁପ୍ରସିଦ୍ଧ ରାସ୍ତାରୁ-ଲା-ଲାଫାୟେଟି ଦେଇ ଆଇଫେଲ୍‌ ଟାୱାର ଅଭିମୁଖେ ଧାବମାନ ହେଲା । ଆମ ହୋଟେଲର ପଶ୍ଚିମ ଦିଗକୁ ଯାଇ ସାଇନ୍‌ନଦୀ ପାରହେଲେ ଆଇଫେଲ୍‌ ଟାୱାର ପଡ଼ିବ । ଟେକ୍‌ସି ଚାଳିକା ଆମକୁ ପାରିସ୍‍ର ଯେଉଁ ଯେଉଁ ଅଂଶ ଦେଇ ନେଇଗଲେ, ସେହି ଅଂଶଗୁଡ଼ିକ ଅତି ଆଧୁନିକ ଅଞ୍ଚଳ । ଚତୁଃପାର୍ଶ୍ଵର ଘର, ପ୍ରାସାଦ, ଦୋକାନ, ବଜାର ସବୁକିଛି ସୁନ୍ଦର ଦିଶୁଥାଏ । ବାଟରେ ଆସିଲାବେଳେ ପାରିସ୍‍ର ପ୍ରସିଦ୍ଧ ଗେଲେରୀ ଲାଫାୟେଟି, ଲା ମେଡେଲିନ୍‌ ଆଦି ପଡ଼ିଲା । ସେସବୁ ପାରହୋଇ ଏକ ଅତି କାରୁକାର୍ଯ୍ୟ ପୂର୍ଣ୍ଣ ପୋଲ ଉପରେ ସାଇନ୍‌ନଦୀକୁ ପାରହେଲୁ । ବାମ ପାଖରେ ପେଲେସ୍‌ ବୋରବୋନ୍‌କୁ ରଖି ନଦୀ କୂଳେକୂଳେ ଆସି ଆମେ ଆଇଫେଲ୍‌ ଟାୱାର ନିକଟରେ ପହଞ୍ଚିଲୁଁ-। ଟେକ୍‌ସି ଚାଳକଟି ଅତି ସୁନ୍ଦର ଲୋକ । ଆସିଲାବେଳେ ଆମକୁ ନାନା ଦର୍ଶନୀୟ ସ୍ଥାନ ବାଟରେ ଚିହ୍ନାଇ ଦେଉଥାନ୍ତି । ଆମେ ଭାରତର ଲୋକ ବୋଲି ସ୍ତ୍ରୀଙ୍କ ଲୁଗା ପିନ୍ଧାରୁ ଜାଣି ଯାଇଥାନ୍ତି । ଆସିଲାବେଳେ ଖଣ୍ଡ ଖଣ୍ଡ ଇଂରାଜୀ ଭାଷାରେ ଭାରତ ବିଷୟରେ କେତେ କଥା ପଚାରୁଥାନ୍ତି । ଏଡ଼େ ସୁନ୍ଦର ବ୍ୟବହାର ! ଆମେ ତାଙ୍କୁ ବିଦାୟ ଦେଲାବେଳେ ତାଙ୍କ ନ୍ୟାଯ୍ୟ ପାଉଣା ସହିତ କିଛି ବକ୍‌ସିସ୍‌ ଦେଇ ବିଦାୟ ଦେଲୁଁ । ଅତି ମନ ଖୁସିରେ ଆମକୁ ଧନ୍ୟବାଦ ଜଣାଇ ସେ ବିଦାୟ ନେଲେ ।

 

ଟେକ୍‍ସି ଚାଳିକାକୁ ବିଦାୟ ଦେଇ ଆମେ ପଛକୁ ବୁଲି ପଡ଼ିବାରୁ ଆମ ଆଗରେ ରହିଗଲା ଆକାଶଚୁମ୍ବୀ ବିରାଟ ଲୌହ ସ୍ତମ୍ଭ ପୃଥିବୀ ପ୍ରସିଦ୍ଧ ଆଇଫେଲ୍‌ ଟାୱାର । ନିଉୟର୍କ ନଗରୀର ଷ୍ଟାଚ୍ୟୁ ଅଫ୍‌ଲିବର୍ଟି ଯେମିତି ସଙ୍କେତ, ସେହିଭଳି ପାରିସ୍‌ର ସଙ୍କେତ ଆଇଫେଲ୍‌ ଟାୱାର ବୋଲି ଧରାଯାଏ । ନିଉୟର୍କ ଓ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଯେମିତି ପରସ୍ପରର ଅବିଚ୍ଛେଦ୍ୟ ଅଙ୍ଗ, ପାରିସ୍‌ଓ ଆଇଫେଲ୍‌ ଟାୱାର ସେହିଭଳି ପରସ୍ପର ଠାରୁ ଅଲଗା ନୁହେଁ । ବଡ଼ ବିଚିତ୍ର ଏ ଦୁଇଟିର ମେଳ । ପୃଥିବୀର ଦୁଇଟି ବିଶିଷ୍ଟ ସହର ନିଉୟର୍କ ଓ ପାରିସ୍‌ର ସଙ୍କେତ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଓ ଆଇଫେଲ୍‌ ଟାୱାର ସ୍ରଷ୍ଟା ଜଣେ, ତାଙ୍କ ନା ହେଉଛି ଗୁଷ୍ଟବ୍‌ ଆଇଫେଲ୍‌, ବିଶ୍ଵବିଖ୍ୟାତ ଫରାସୀ ଇଞ୍ଜିନିୟର । ଲୁହା କଡ଼ିକୁ ପରସ୍ପର ସହିତ ଯୋଡ଼ି ବିରାଟ ଖମ୍ବ ତିଆରି କରିବାରେ ସେ ଧୁରନ୍ଦର ଥିଲେ । ନିଉୟର୍କର ପ୍ରତୀକ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ପୃଥିବୀର ବୃହତ୍ତମ ମୂର୍ତ୍ତି, ଫରାସୀ ଦେଶର ଲୋକେ ଏହାକୁ ତିଆରି କରି ଆମେରିକାନ୍‌ମାନଙ୍କୁ ଉପହାର ଦେଇଥିଲେ । ଏହା ଫ୍ରାନ୍‌ସରେ ତିଆରି ହୋଇଥିଲା ଗୁଷ୍ଟବ ଆଇଫେଲ୍‌ଙ୍କ ତତ୍ତ୍ୱାବଧାନରେ । ସେତେବେଳ ଗୁଷ୍ଟଭ୍‌ ଆଇଫେଲ୍‌ଏହି ଲୌହ ଟାୱାର ତିଆରି କରି ପ୍ରସିଦ୍ଧି ଲାଭ କରିଥାନ୍ତି । ପୃଥିବୀର ସବୁଠାରୁ ଉଚ୍ଚ ଟାୱାର ତିଆରି କରି କୃତକାର୍ଯ୍ୟ ହୋଇଥିବାରୁ ପୃଥିବୀର ବୃହତ୍ତମ ମୂର୍ତ୍ତି ତିଆରି କରିବା ଦାୟିତ୍ଵ ତାଙ୍କୁ ଦିଆଯାଇଥିଲା । ଏ ଦୁଇଟି ତିଆରି କରି ସେ ଅମର ହୋଇ ଯାଇଛନ୍ତି ।

 

ଏହି ବିଶ୍ଵବିଖ୍ୟାତ ଇଞ୍ଜିନିୟର ଆଲେକଜାଣ୍ଡାର୍‌ ଗୁଷ୍ଟଭ୍‌ ଆଇଫେଲ୍‌ ଜନ୍ମଲାଭ କରନ୍ତି ୧୮୩୨ ମସିହାରେ ଫ୍ରାନ୍‌ସର ଡିଜନ୍‌ ସହରରେ । ସେ ତାଙ୍କର ଇଞ୍ଜିନିୟରିଂ ଶିକ୍ଷା ଲାଭ କରିଥିଲେ Ecole Contrale ଠାରେ । ତାଙ୍କର ସର୍ବ ପ୍ରଥମ ଇଞ୍ଜିନିୟରିଂ କୌଶଳ ହେଉଛି ବୋର୍ଦୋଠାରେ ଗେରୋନ୍‌ନଦୀ ଉପରେ ଏକ ପୋଲ । ସେ ଏହାକୁ ୧୮୫୮ ମସିହାରେ ତିଆରି କରି ଖ୍ୟାତି ଲଭିଥିଲେ । ୧୮୬୫ ମସିହାରେ ସେ ଫ୍ରାନ୍‌ସରେ ଏକ ଲୁହା କାରଖାନା ପ୍ରତିଷ୍ଠା କରିଥିଲେ । ସେ ଫ୍ରାନ୍‌ସର ବହୁ ସୁନାମଧନ୍ୟ ପୋଲ, ପ୍ରାସାଦ, ଟାୱାର ତିଆରି କରି ଅମର ହୋଇ ଯାଇଛନ୍ତି । ତାଙ୍କ ଜୀବନରେ ସବୁଠାରୁ ବଡ଼ କୃତିତ୍ଵ ହେଉଛି ଆଇଫେଲ୍‌ ଟାୱାର ଓ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି । ୧୮୮୯ ମସିହାରେ ପାରିସ୍‌ ସହରରେ ଅନୁଷ୍ଠିତ ହେଉଥିବା ପାରିସ୍‌ ଇଣ୍ଟରନେସନାଲ ଏକସ୍‌ଜିବିସନ୍‌ ପାଇଁ ସେ ଏହି ଲୌହ ଟାୱାରଟି ତିଆରି କରିଥିଲେ । ଏହି ଟାୱାରଟି ୯୮୪ ଫୁଟ ଉଚ୍ଚା । ଏହା ଗୋଟାସାରା ଇସ୍ପାତରୁ ତିଆରି । ଏଥିରେ ହାରାହାରି ୭୦୦୦ ଟନ୍‌ ଇସ୍ପାତ ରହିଛି । ଏହାର ଆକାର ଏକ ବକ୍ର ପିରାମିଡ଼୍‌ ଭଳି । ଏହାକୁ ତିଆରି କରିବା ପାଇଁ ତାଙ୍କୁ ଦୁଇବର୍ଷ ଲାଗିଥିଲା । ଆମେରିକାର ଦୁଇଟି ସ୍କାଏ ସ୍କ୍ରେପର୍‌କୁ ଛାଡ଼ି ଅନ୍ୟଗୁଡ଼ିକ ଉଚ୍ଚାରେ ଆଇଫେଲ୍‌ ଟାୱାରଠାରୁ କମ୍‌ । କେବଳ ଏମ୍‌ପାୟାର ଷ୍ଟେଟ୍‌ ବିଲଡ଼ିଂ ଓ କ୍ରାଏସଲର୍‌ ବିଲଡ଼ିଂ ଉଚ୍ଚତାରେ ଏହାଠାରୁ ଅଧିକ । ବାକି ନିଉୟର୍କର ଶହ ଶହ ସ୍କାଏସ୍କ୍ରେପର୍‌ ଉଚ୍ଚତାରେ ଏହା ତଳକୁ । ଆଇଫେଲ୍‌ ଟାୱାର ପରେ ତାଙ୍କର ଅମର କୀର୍ତ୍ତି ହେଉଛି ଷ୍ଟାଚ୍ୟୁ ଅଫ୍‌ଲିବର୍ଟି । ଆଇଫେଲ୍‌୧୯୨୩ ମସିହାରେ ଏହିଭଳି ଅପୂର୍ବ କୀର୍ତ୍ତି ଅର୍ଜ୍ଜନ କରି ପାରିସ୍‌ରେ ଦେହତ୍ୟାଗ କରିଥିଲେ । ପୃଥିବୀର ସପ୍ତମ ଆଶ୍ଚର୍ଯ୍ୟ ଭିତରୁ ଅନ୍ୟତମ ଇଜିପ୍‌ଟର ଗିଜାଠାରେ ଥିବା ପିରାମିଡ ଅଫ୍‌ଚେପସ୍‌ର ଉଚ୍ଚତା ଏହି ଆଇଫେଲ୍‌ ଟାୱାର ଉଚ୍ଚତାର ଅଧକରୁ କମ୍‌ । ଏହି ପୃଥିବୀ ବିଖ୍ୟାତ ପିରାମିଡ୍‌ର ଉଚ୍ଚତା ମୋଟେ ୪୫୦ ଫୁଟ୍‌ ।

 

ଆଇଫେଲ୍‌ ଟାୱାର ଉପରେ ତିନୋଟି ଷ୍ଟେଜ୍‌ ଅଛି । ଆଇଫେଲ୍‌ ଟାୱାର ପ୍ରଥମ ଷ୍ଟେଜ୍‌, ଦ୍ଵିତୀୟ ଷ୍ଟେଜ୍‌ ଓ ତୃତୀୟ ଷ୍ଟେଜ୍‌ । ଆଇଫେଲ୍‌ ଟାୱାର ଯେଉଁ ଚାରୋଟି ଗୋଡ଼ରେ ଠିଆ ହୋଇଛି, ସେହି ଚାରୋଟି ଗୋଡ଼ରୁ ଟାୱାର ଉପରକୁ ଯିବାପାଇଁ ଗୋଟିଏ ଗୋଟିଏ ଲିଫଟ୍‌ ଲାଗିଛି । ଏହି ଲିଫ୍‌ଟ ସାହାଯ୍ୟରେ ଲୋକମାନେ ଏହାର ତିନୋଟି ଷ୍ଟେଜ୍‌ ପର୍ଯ୍ୟନ୍ତ ଯାନ୍ତି । ଆଇଫେଲ୍‌ ଟାୱାରକୁ ଅନାଇଲେ ପ୍ରଥମ ଷ୍ଟେଜ୍‌, ମଝି ଷ୍ଟେଜ୍‌ ଓ ଶେଷ ଷ୍ଟେଜ୍‌ ଏପରି ତିନୋଟି ଷ୍ଟେଜ୍‌ ବାରିହୁଏ । ପ୍ରଥମ ଷ୍ଟେଜ୍‌ଟି ବେଶି ଉଚ୍ଚରେ ନୁହେଁ । ଏହି ସ୍ଥାନଟି ବେଶ୍‌ ପ୍ରଶସ୍ଥ । ଏଠାରେ ଦୋକାନ ରେଷ୍ଟୁରାଣ୍ଟ ଆଦି ରହିଛି । ଦ୍ଵିତୀୟ ଷ୍ଟେଜ୍‌ ଆଉ ଟିକିଏ ଉଚ୍ଚରେ ଓ ଶେଷ ଷ୍ଟେଜ୍‌ଟି ସବା ଉପରେ । ବର୍ତ୍ତମାନ ଏହି ଶେଷ ଷ୍ଟେଜ୍‌ଟି ପାରିସ୍‌ର ବେତାର ଚିତ୍ର ଓ ଟେଲିଭିଜନ ଚିତ୍ର ପ୍ରେରଣା ଦିଗରେ ବ୍ୟବହୃତ ହେଉଛି ।

 

ଆଇଫେଲ୍‌ ଟାୱାର ଉପରକୁ ଯିବାକୁ ହେଲେ ଟିକଟ କରିବାକୁ ପଡ଼େ । ପୁଣି ବିଭିନ୍ନ ଷ୍ଟେଜ୍‌ପାଇଁ ଅଲଗା ଅଲଗା ଟିକଟ । ଆମେ ସମସ୍ତେ ଆଇଫେଲ୍‌ ଟାୱାରର ଶେଷ ଷ୍ଟେଜ୍‌କୁ ଯିବାପାଇଁ ପଇସା ଦେଇ ଟିକଟ କାଟିଲୁ । ବଡ଼ ବିଚିତ୍ର ପଦ୍ଧତି ଏଠି, ଟିକଟ କାଟିଲେ ଆଇଫେଲ୍‌ ଟାୱାରର ଏକ ରଙ୍ଗୀନ ଚିତ୍ର ଉପହାର ମିଳେ । ଟିକଟ କାଟି ଲିଫ୍‌ଟ ପାଇଁ ଲାଇନ୍‌ଦେବାକୁ ପଡ଼ିବ-। ସବୁବେଳେ ଏଠି ଦେଖଣାହାରୀ ଲାଗି ରହିଛନ୍ତି । ତେଣୁ ଲାଇନ ନ ଦେଲେ ନ ହୁଏ-। ଲିଫ୍‌ଟ ସହିତ ଟାୱାର ଉପରକୁ ଯିବାପାଇଁ ପାହାଚ ମଧ୍ୟ ଅଛି । କିନ୍ତୁ ଏହା ବିରାଟ ଟାୱାର ଉପରକୁ ଯିବାପାଇଁ ସହସ୍ରାଧିକ ପାହାଚରେ କିଏ ବା ଯିବ ? ତେଣୁ ସବା ଉପରକୁ ଯିବାପାଇଁ ଲିଫ୍‌ଟ ଛଡ଼ା ଅନ୍ୟ ଉପାୟ ନାହିଁ । କିନ୍ତୁ ଟାୱାରର ପ୍ରଥମ ସ୍ତରକୁ ପାହାଚରେ ଯିବା ବିଶେଷ କଷ୍ଟ ନୁହେଁ-। ବହୁଲୋକ ପାହାଚରେ ପ୍ରଥମ ସ୍ତର ପର୍ଯ୍ୟନ୍ତ ଉଠି ଯାଉଥିବା ଦେଖିଲୁ । ପାହାଚରେ ଗଲେ ପଇସା ଦେଇ ଟିକଟ କାଟିବା ଦରକାର ନାହିଁ । ଅନେକେ ଲିଫ୍‌ଟରେ ଯାଇ ଓହ୍ଲାଇଲାବେଳେ ଲିଫ୍‌ଟ ପାଇଁ ଲାଇନ ନ ଦେଇ ଏହି ପାହାଚରେ ତଳକୁ ଓହ୍ଲାଇ ଆସନ୍ତି । କେତେ ପିଲା ଯୁବକ ଯୁବତୀ ପାହାଚରେ ପ୍ରଥମ ଷ୍ଟେଜ୍‌ରୁ ଓହ୍ଲାଇ ଆସିବାର ଆମେ ଦେଖିଲୁ ।

 

କିଛି ସମୟ ଅପେକ୍ଷା କରିବା ପରେ ଆମେ ଲିଫ୍‌ଟରେ ଉପରକୁ ଯିବାପାଇଁ ସିଟ୍‌ ପାଇଗଲୁ । କି ବିରାଟ ଲିଫ୍‌ଟମାନ ଲାଗିଛି ନେବାପାଇଁ ଓ ଆଣିବା ପାଇଁ ? ସଙ୍ଗେ ସଙ୍ଗେ ଲିଫ୍‌ଟ କକ୍ଷଟି ଦର୍ଶକମାନଙ୍କ ଦ୍ଵାରା ପୂର୍ଣ୍ଣ ହୋଇଗଲାରୁ ଆମ ଲିଫ୍‌ଟ ଉପରକୁ ଉଠିବାକୁ ଲାଗିଲା । ଏହା ସାଧାରଣ ଲିଫ୍‌ଟ ଭଳି ଏକ ଆବଦ୍ଧ କକ୍ଷ ଭିତର ଦେଇ ନଯାଇ ଖୋଲା ଉନ୍ମୁକ୍ତ କକ୍ଷ ଭିତରେ ଉପରକୁ ଉଠେ । ଉଠିଲାବେଳେ ଚତୁର୍ଦ୍ଦିଗର ପାରିସ୍‌ ସହର ଅତୀବ ସୁନ୍ଦର ଦିଶୁଥାଏ । ପ୍ରଥମ ଲିଫ୍‌ଟଟି ସଙ୍ଗେ ସଙ୍ଗେ ଆମକୁ ପ୍ରଥମ ଷ୍ଟେଜ୍‌ରେ ପହଞ୍ଚାଇ ଦେଲା । ଏଠାରେ ବିରାଟ ପ୍ଲାଟଫର୍ମ । ଚାରିଆଡ଼କୁ ବୁଲି ଦେଖିବାର ବନ୍ଦୋବସ୍ତ ଅଛି । ଏଠାରେ ପାରିସ୍‌ ସହର ଅତୀବ ସୁନ୍ଦର ଦିଶେ । ଏଠାରେ ଦୋକାନ ବଜାର, ରେଷ୍ଟୁରାଣ୍ଟ ଆଦି ସବୁକିଛି ରହିଛି । ଏଠି ଲୋକଗହଳି ବେଶ୍‌ ଅଧିକ । ପିଲାମାନେ ଏହି ସ୍ଥାନଟି ଦେଖି ଅତି ଖୁସି ହୋଇଗଲେ । ଯା’ ବା ଖୁସି ହୁଅନ୍ତେ ନ ହୁଅନ୍ତେ, ଆଇସକ୍ରିମ୍‌ ଦୋକାନ ଦେଖିଲେ କିଏ ବା ଖୁସି ନ ହେବ ? ସମସ୍ତଙ୍କର ଝୁଙ୍କ ଆଇସ୍‌କ୍ରିମ୍‌ ଖାଇବେ, ପୁଣି ଏହି ଟାୱାର ଉପରେ ଥାଇ । ପାରିସ୍‌ ସହର ଭିତରେ ଆଇସ୍‌କ୍ରିମ୍‌ର ଯେଉଁ ଦର, ଏହି ଟାୱାର ଉପରେ ଦର ଟିକେ ଅଧିକ । ହେଲେ ଏହାର ବିଶେଷତ୍ଵ ଅଛି । ପିଲାମାନଙ୍କୁ ଆଇସ୍‌କ୍ରିମ୍‌ ଧରାଇ ଦେଇ ମୁଁ ମୋ କେମେରା ଓ ସିନେମା କେମେରା ସାହାଯ୍ୟରେ ଆଇଫେଲ୍‌ ଟାୱାର ଉପର, ତଳ ଓ ଚତୁର୍ଦ୍ଦିଗର ଦୃଶ୍ୟର ସ୍ଥିର ଓ ଗତିଶୀଳ ଚିତ୍ର ଉଠାଇଲା । ପିଲାମାନେ ଆଇସ୍‌କ୍ରିମ୍‌ ଖାଇସାରି ଏହିଠାରୁ ଚତୁର୍ଦ୍ଦିଗର ସୁନ୍ଦର ସୁନ୍ଦର ଦୃଶ୍ୟ ଉପଭୋଗ କରିବାକୁ ଲାଗିଲେ । ପରେ ଆମେ ପୁଣି ଆଉ ଏକ ଲିଫ୍‌ଟରେ ଦ୍ଵିତୀୟ ଷ୍ଟେଜ୍‌କୁ ଉଠିଲୁ । ଦ୍ୱିତୀୟ ଷ୍ଟେଜ୍‌ରୁ ନିକଟବର୍ତ୍ତୀ ସାଇନ୍‌ନଦୀର ସୌନ୍ଦର୍ଯ୍ୟ ଅତୀବ ଚମତ୍କାର । ନଦୀରେ ଯାଉଥିବା ନୌକାଗୁଡ଼ିକର ସୌନ୍ଦର୍ଯ୍ୟ ଅନୁର୍ବଚନୀୟ । ଦ୍ଵିତୀୟ ଷ୍ଟେଜ୍‌ରୁ ଥାଇ ଆମେ ପୁଣି ଚାରିଆଡ଼କୁ ଅନାଇଲୁ । ଏଠାରେ ପାରିସ୍‌ ସହର ଆହୁରି ସୁନ୍ଦର ଦିଶୁଥାଏ । ତୃତୀୟ ଷ୍ଟେଜ୍‌କୁ ଗଲାରୁ ପାରିସ୍‌ ସହର ଆହୁରି ପ୍ରଶସ୍ଥ ଦିଶିଲା-। ଏଠାରୁ ନଦୀ ଓ ନିକଟସ୍ଥ ଝରଣା ଓ ତଳର ଫୁଲବଗିଚା ଏକ ରଙ୍ଗୀନ ଗାଲିଚା ଭଳି ଦିଶୁଥାଏ-। ପିଲାମାନେ ଏହି ଆଇଫେଲ୍‌ ଟାୱାର ଉପରୁ ପାରିସ୍‌ ସହରର ସୌନ୍ଦର୍ଯ୍ୟରେ ଏତେ ମୁଗ୍‍ଧ ହୋଇପଡ଼ିଲେ ଯେ ତଳକୁ ଆସିବା ପାଇଁ ନାରାଜ । କ’ଣ ନା ଏଠି ଆହୁରି ଅଧିକ ସମୟ ବସି ଏଠାକାର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ଆଇଫେଲ୍‌ ଟାୱାରର ଏହି ଶେଷ ଷ୍ଟେଜ୍‌ର କୁଖ୍ୟାତ କିଛି କମ୍‌ ନୁହେଁ । ବହୁଲୋକ ଏହିଠାରୁ ତଳକୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି-। କେତେ ହତାଶ ପ୍ରେମିକ ପ୍ରେମିକା ଏହି ଜଗତ୍‌ ବିଖ୍ୟାତ ଟାୱାରର ସୁଖ୍ୟାତିରେ କଳଙ୍କ ଲିପିବା ପାଇଁ ଏହି ସୁପ୍ରସିଦ୍ଧ ଶେଷ ଷ୍ଟେଜ୍‌କୁ ଆତ୍ମହତ୍ୟା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ଭାବରେ ବ୍ୟବହାର ନକରି ଛାଡ଼ି ନାହାନ୍ତି । ଏକଥା ଶୁଣନ୍ତେ ପିଲାମାନେ ଶୀର୍ଷ ସ୍ଥାନରେ ଅଧିକ ସମୟ ନ ରହି ତଳକୁ ଓହ୍ଲାଇ ଆସିବାପାଇଁ ବ୍ୟଗ୍ର ହୋଇ ପଡ଼ିଲେ । ଆମେ ସବା ତଳକୁ ଓହ୍ଲାଇ ନ ଆସି ପ୍ରଥମ ଷ୍ଟେଜ୍‌ରେ ଆଉ କିଛି ସମୟ ରହି ନଦୀ ଆରପାରିରେ ଥିବା ଉଦ୍ୟାନ ଓ ଝରଣାର ସୌନ୍ଦର୍ଯ୍ୟ ଉପଭୋଗ କଲୁ-। ଏଠାରୁ ଅଦୂରବର୍ତ୍ତୀ ନେପୋଲିଅନ୍‌ଙ୍କ ସମାଧି ମନ୍ଦିର ଓ ପେଲେସ୍‌-ଡି-ଚେଲିୟଟ୍‌ ବେଶ୍‌ ସୁସ୍ପଷ୍ଟ ଦିଶେ । ଆଇଫେଲ୍‌ ଟାୱାର ଉପରେ ଦୁଇ ତିନିଘଣ୍ଟା ଅତିବାହିତ କଲାପରେ ଆମେ ଲିଫ୍‌ଟରେ ତଳକୁ ଓହ୍ଲାଇ ଆସିଲୁ ।

 

ମର୍ତ୍ତ୍ୟର ଅପ୍‌ସରା ପୁରୀ ପେଲେସ-ଡି-ଚେଲିୟଟ୍‌

 

ତଳେ ଓହ୍ଲାଇ କିଛି ଚିନାବାଦାମ କଣି ପକେଟରେ ପୂରାଇ ନିକଟବର୍ତ୍ତୀ ନଦୀ ଆରପାରିରେ ଥିବା ପେଲେସ-ଡି-ଚେଲିୟଟ୍‌ ଦେଖିବା ପାଇଁ ଗଲୁ । ଏହାର ସମ୍ମୁଖରେ ଥିବା ଉଦ୍ୟାନ ପାହାଡ଼ ଝରଣାଗୁଡ଼ାକ ଆଇଫେଲ୍‌ ଟାୱାର ଉପରକୁ ଉଠି ଅତୀବ ସୁନ୍ଦର ଦେଖାଯାଉଥାନ୍ତି । ଏହି ଉଦ୍ୟାନରେ ଠିଆ ହୋଇ ଆଇଫେଲ୍‌ ଟାୱାରକୁ ଅନାଇଲେ ଏହା ଆହୁରି ସୁନ୍ଦର ଦିଶେ । ଆଇଫେଲ୍‌ ଟାୱାରଠାରୁ ଏହି ଉଦ୍ୟାନକୁ ଆସିବାକୁ ହେଲେ ଏକ ଅତି କାରୁକାର୍ଯ୍ୟପୂର୍ଣ୍ଣ ପୋଲ ଦେଇ ସାଇନ୍‌ନଦୀକୁ ଅତିକ୍ରମ କରିବାକୁ ପଡ଼େ । ସାଇନ୍‌ନଦୀର ପୋଲଗୁଡ଼ାକ ଅତୀବ ଚମତ୍କାର । ପୋଲର ପ୍ରତ୍ୟକ ଅଂଶରେ ସୂକ୍ଷ୍ମ ଚାରୁକଳାର ଅସଂଖ୍ୟ କାମ । ପାରିସ୍‌ର ଦୁଇଟି ପ୍ରସିଦ୍ଧ ଅନୁଷ୍ଠାନକୁ ସଂଯୋଗ କରୁଥିବା ଏହି ପୋଲଟି ଅତୀବ ଚମତ୍କାର । ଆମେରିକା, ଇଂଲଣ୍ଡର ଏତେ ସହର ଆମେ ବୁଲିଛୁ, କୌଣସି ସ୍ଥାନରେ ଏମିତି କାରୁକାର୍ଯ୍ୟ ଖଚିତ ପୋଲ ଦେଖିନୁ । ଫରାସୀମାନଙ୍କର ସୂକ୍ଷ୍ମ ଚାରୁକଳା ପ୍ରୀତି କେତେ ତାହା ଏଇଥିରୁ ଜଣାପଡ଼େ । ପେଲେସ-ଡି-ଚେଲିୟଟ୍‌ରେ କିଛି ସମୟ ବୁଲାବୁଲି କରି ସେହି ଉଦ୍ୟାନ ଓ ଝରଣାର ରଙ୍ଗୀନ ଚିତ୍ର ଓ ଚଳଚିତ୍ର ଉଠାଇ ସେଠାରୁ ଗଲୁ ସାଇନ୍‌ନଦୀ କୂଳେ କୂଳେ ମୁସେ-ଡି ଆର୍ଟ-ମଡର୍ଣ୍ଣ । ସାଇନ୍‌ନଦୀକୂଳରେ ଏହି ଯାଦୁଘରଟି ଅତି ସୁନ୍ଦର ଶୋଭା ନେଇ ଗଢ଼ି ଉଠିଛି । ପାରିସ୍‌ର ଯାଦୁକୋଠିଗୁଡ଼ିକ ଅତି ପ୍ରସିଦ୍ଧ ହେଲେ ହେଁ ଆମେ ଏ ଭିତରେ ଆମେରିକାଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ଏତେ ଯାଦୁକୋଠି ଦେଖି ସାରିଲୁଣି ଯେ ଆଉ ଏ ଯାଦୁକୋଠିକୁ ଦେଖିବାକୁ ଇଚ୍ଛା ହେଲାନି । ପିଲାମାନେ ଯାଦୁକୋଠି ନାଁ ଧରିଲାବେଳକୁ ନାସିକା କୁଞ୍ଚନ କରୁଥାନ୍ତି । ଆମେ ଗତ ଛ’ ମାସ ଭିତରେ ଇଂଲଣ୍ଡ ଓ ଆମେରିକାର ଅସଂଖ୍ୟ ଯାଦୁକୋଠି ଦେଖି ଦେଖି ବିରକ୍ତ ହୋଇ ଗଲୁଣି । ଅନବରତ ରସଗୋଲା ଖାଇ ଖାଇ ରସଗୋଲା ପ୍ରତି ଯେମିତି ଅରୁଚି ଆସି ଯାଇଥାଏ, ରସଗୋଲା ଦେଖିଲେ ବାନ୍ତି ଉଠାଏ, ଏହି ଯାଦୁକୋଠି ଦେଖିଲାବେଳକୁ ଆମର ଠିକ୍‌ ସେହି ଅବସ୍ଥା ।

 

ସାଇନ୍‌ ନଦୀ କୂଳେ କୂଳେ ବୁଲିବାକୁ ଭାରି ଭଲ ଲାଗୁଥାଏ । ଆମଭଳି ବହୁଲୋକ ଏହି ନଦୀ କୂଳେ କୂଳେ ବୁଲୁଥାନ୍ତି । ଆମେ ବୁଲି ବୁଲି ଗୋଟିଏ ଛକଠାରେ ଆସି ପହଞ୍ଚିଲୁ । ଭାବିଲୁ ସେଠାରୁ ବସ୍‌ ଚଢ଼ି ପାରିସ୍‌ର ବିଭିନ୍ନ ରାସ୍ତା ଦେଇ ଆମ ହୋଟେଲ କାମ୍‌ବରାଇକୁ ଫେରି ଆସିବୁ । ବସରେ ଯିବୁ ତ ଠିକ୍‌, କିନ୍ତୁ ଆମ ହୋଟେଲ ଆଡ଼କୁ ଯାଉଥିବା ବସ୍‌ସିନା ଧରିପାରିଲେ ହେବ । ନୋହିଲେ ଯେ କୌଣସି ବସ୍‌ରେ ଚଢ଼ିଲେ ଆମେ ଯୁଆଡ଼େ ସିଆଡ଼େ ଚାଲିଯିବୁ । ଆମର ଚିନ୍ତା ହେଲା ଆମେ କେଉଁ ବସ୍‌ରେ ଚଢ଼ିଲେ ଆମର ସୁବିଧା ହେବ ସେଇଟା ଆମକୁ କହିବ କିଏ-? ପାରିସ୍‌ର ବସ୍‌ ବିଷୟରେ ତ ଆମେ ପୂରାପୂରି ଅନଭିଜ୍ଞ । ଭାବି ଭାବି ଠିକ୍‌କଲୁ ଆମ ପାଖଦେଇ ଯାଉଥିବା କୌଣସି ଭଦ୍ରଲୋକଙ୍କୁ ପଚାରିଲେ ସେମାନେ ହୁଏତ ଆମକୁ ବତାଇ ଦେଇ ପାରିବେ । କିନ୍ତୁ ଯାହାକୁ ପଚାରିଲାରୁ ସେମାନେ ଆମ କଥା କିଛି ବୁଝି ପାରୁ ନ ଥାନ୍ତି-। ଆମର ଇଂରାଜୀ ଭାଷାରେ ପ୍ରଶ୍ନ ସେମାନଙ୍କର ଫରାସୀ ଭାଷାରେ ଉତ୍ତର । କେହି କାହାକୁ ବୁଝିବାକୁ କ୍ଷମ ନୁହନ୍ତି । ଠିକ୍‌ ଯେମିତି କାଲ ଆଗରେ ମୂଳା ଚୋବାଇବା ଭଳି । ବହୁତ କଷ୍ଟରେ ଆମେ ଜଣେ ଭଦ୍ରଲୋକ ପାଇଲୁ, ଯେ କି ସାମାନ୍ୟ ଇଂରାଜୀ ବୁଝିପାରନ୍ତି । ତାଙ୍କୁ ଆମ ରହିବା ସ୍ଥାନ ପାରିସ୍‌ ସହର ମାନଚିତ୍ରରେ ଦେଖାଇ ଦେଇ ସେଆଡ଼କୁ ସେଠାରୁ ଯାଉଥିବା ବସ୍‌ ନମ୍ବର କହିବା ପାଇଁ ଅନୁରୋଧ କଲୁ । ଭଦ୍ରଲୋକ ଜଣକ ଆମ କଥା ବୁଝିପାରିଲେ । ଖଣ୍ଡ ଖଣ୍ଡ ଇଂରାଜୀ ଭାଷା କହି ଆମକୁ ପାରିସ୍‌ ସହରର ବିଭିନ୍ନ ସ୍ଥାନ ବୁଲି ବୁଲି ଶେଷରେ ଆମ ହୋଟେଲରେ ପହଞ୍ଚିବା ବାଟ ବତାଇ ଦେଲେ । ତାଙ୍କରିଠାରୁ ବସ୍‌ ନମ୍ବର ଓ ବସ୍‌ରେ ଲେଖା ହୋଇଥିବା ସ୍ଥାନର ନାମ ନେଇ ଆମେ ଗୋଟିଏ ବସ୍‌ରେ ଚଢ଼ିଲୁ । ଆମେ ଚେଷ୍ଟା କରିଥିଲେ ଟେକ୍‌ସିରେ ଆସି ପାରିଥାନ୍ତୁ । ଏସବୁ ଅସୁବିଧା କିଛି ହୋଇ ନ ଥାନ୍ତା । କିନ୍ତୁ ପାରିସ୍‌ ସହରର ବସ୍‌ କେମିତି ସେ ଅଭିଜ୍ଞତା ଟିକକ ଅର୍ଜ୍ଜନ କରିବା ପାଇଁ ଆମକୁ ଏପଟ ସେପଟ ହୋଇ ବସ୍‌ରେ ଚଢ଼ିବାକୁ ହେଲା । ଏହି ବସ୍‌ ପାରିସ୍‌ର ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଇ ଶେଷରେ ନର୍ଡ ଷ୍ଟେସନଠାରେ ପହଞ୍ଚେ । ତେଣୁ ପାରିସ୍‌ରେ ରାସ୍ତା ଗୋଳମାଳ ହେବାର ଆମର ଆଉ ଭୟ ନ ଥାଏ । ବସ୍‌ କଣ୍ଡକ୍ଟରକୁ କହିଦେଇଥାଉଁ ଆମକୁ ଠିକ୍‌ ନର୍ଡ ଷ୍ଟେସନଠାରେ ପହଞ୍ଚାଇ ଦେବ-। ବସ୍‌ରେ ଗଲାବେଳେ ବାଟରେ ବହୁ ବଜାର, ଦୋକାନ, ଗିର୍ଜା ସ୍ମୃତିସ୍ତମ୍ଭ ଆଦି ପଡ଼ିଲା । ସବୁଗୁଡ଼ିକ କାରୁକାର୍ଯ୍ୟ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ । ଏ ସବୁ ଦେଖିଲେ ଯେ କେହି ଲୋକ କହିବ ସୌନ୍ଦର୍ଯ୍ୟ ଯେମିତି ଫରାସୀ ଜାତିର ରକ୍ତରେ ଏକ ପ୍ରକାର ରକ୍ତ କଣିକା ହୋଇ ରହି ଯାଇଛି । ଯେଉଁଠି ଦେଖିବ କାରୁକାର୍ଯ୍ୟ, ସୂକ୍ଷ୍ମ ଚାରୁକଳା, ସବୁଆଡ଼େ ସୌନ୍ଦର୍ଯ୍ୟର ଉପାସନା । ଫରାସୀ ଜାତି ଯେମିତି ସୌନ୍ଦର୍ଯ୍ୟର ଉପାସନା ଛଡ଼ା ଆଉ କିଛି ଜାଣେନା ।

 

ପାରିସ୍‌ର ବିଭିନ୍ନ ରାସ୍ତା ଦେଇ ଘୁରି ଘୁରି ଆମେ ହୋଟେଲ ନିକଟରେ ଆସି ପହଞ୍ଚିଲାବେଳକୁ ପ୍ରାୟ ଦିନ ପାଞ୍ଚଟା । ସଙ୍ଗେ ସଙ୍ଗେ ଆମ କୋଠରୀକୁ ଯାଇ ମୁହଁ ହାତ ଧୋଇ କିଛି ସମୟ ବିଶ୍ରାମ ନେଲୁ । ବିଭିନ୍ନ ସ୍ଥାନ ବୁଲି ବୁଲି ଆମେ ଏତେ ହାଲିଆ ହୋଇଯାଇ ଥାଉଁ ଯେ, ଖଟ ଉପରେ ପଡ଼ିଗଲାବେଳକୁ ଆଖି ମନକୁ ମନ ବୁଜି ହୋଇ ଆସୁଥାଏ ।

 

ପାରିସ୍‌ର ବିଚିତ୍ର ରେଷ୍ଟୁରାଣ୍ଟ

 

ପିଲାମାନେ କାଳେ ଥକକାରେ ଶୋଇ ପଡ଼ି ବେ, ଏହି ଭୟରେ ସେମାନଙ୍କୁ ରେଷ୍ଟୁରାଣ୍ଟରୁ ଖୋଇ ଆଣିବା ଓ ଆମେ ମଧ୍ୟ ନିଜେ ଖାଇ ଆସିବା ଠିକ୍‌କଲୁ । ଇଂଲଣ୍ଡର ହୋଟେଲ ଭଳି ଇଉରୋପର ହୋଟେଲଗୁଡ଼ିକ ସକାଳ ଜଳଖିଆ ଛଡ଼ା ମଧ୍ୟାହ୍ନ ଭୋଜନ କି ରାତ୍ରି ଭୋଜନ ଦିଅନ୍ତିନି । ସକାଳ ଜଳଖିଆ ବେଶ୍‌ ଭଲଭାବରେ ଦିଅନ୍ତି । ହୋଟେଲର ଦୈନିକ ଭଡ଼ା ସହିତ ଏହା ଜଳଖିଆ ପଇସାଟି ସାମିଲ ହୋଇଥାଏ । ବାକି ମଧ୍ୟାହ୍ନ ଓ ରାତ୍ରି ଭୋଜନପାଇଁ ହୋଟେଲରେ କିଛି ବ୍ୟବସ୍ଥା ନାହିଁ । ଯେଉଁମାନେ ହୋଟେଲରେ ରହିବେ, ସେମାନେ ହୋଟେଲ ବାହାରେ ଥିବା କୌଣସି ରେଷ୍ଟୁରାଣ୍ଟରେ ନିଜ ନିଜ ଭୋଜନ ବ୍ୟବସ୍ଥା କରିବେ । ତେଣୁ ଆମେ ନିକଟବର୍ତ୍ତୀ କୌଣସି ଏକ ରେଷ୍ଟୁରାଣ୍ଟକୁ ଯାଇ ସାନ୍ଧ୍ୟଭୋଜନ ସମାପ୍ତ କରିବା ଠିକ୍‌କଲୁ ।

 

ତେଣୁ ସଙ୍ଗେ ସଙ୍ଗେ ସାନ୍ଧ୍ୟଭୋଜନ ପାଇଁ ବାହାରି ପଡ଼ିଲୁ । ପାରିସ୍‌ ସହରରେ ରେଷ୍ଟୁରାଣ୍ଟ ଅସଂଖ୍ୟ । ପାରିସ୍‌ରେ ବହୁଲୋକ ରେଷ୍ଟୁରାଣ୍ଟରେ ଖାଆନ୍ତି । ଏମିତିକି ସ୍ଵାମୀ ସ୍ତ୍ରୀ ରହିବା କ୍ଵାର୍ଟର ନେଇଥିଲେ ବି ହେଲା ବଶତଃ ରାନ୍ଧିବାକୁ ଇଚ୍ଛା କରନ୍ତିନି । ରେଷ୍ଟୁରାଣ୍ଟରୁ ଖାଇଦେଇ ଆସି ଘରେ ଶୋଇ ପଡ଼ନ୍ତି । ଏଥିପାଇଁ ପାରିସ୍‌ର ରେଷ୍ଟୁରାଣ୍ଟଗୁଡ଼ିକ ବେଶ୍‌ ଭିଡ଼ । ପାରିସ୍‌ର ରେଷ୍ଟୁରାଣ୍ଟର ଗୋଟିଏ ବିଶେଷତଃ ହେଉଛି ଯେ ରେଷ୍ଟୁରାଣ୍ଟଟି ଫୁଟପାଥ ଉପରକୁ ମାଡ଼ି ଆସିଥାଏ । ପାରିସ୍‌ର ଫୁଟ୍‌ପାଥଗୁଡ଼ିକ ଖୁବ୍‌ ଚଉଡ଼ା, ରାସ୍ତାଗୁଡ଼ିକ ସରଳରେଖା ଭଳି ସିଧା । ଫୁଟ୍‌ପାଥଗୁଡ଼ିକ ବେଶ୍‌ଖୋଲା ଥିଲେ ହେଁ ଯେଉଁଠି ରେଷ୍ଟୁରାଣ୍ଟ ଥାଏ, ଏହା ରାସ୍ତା ଉପରକୁ ମାଡ଼ି ଆସିଥାଏ । ଫୁଟ୍‌ପାଥ ଉପରେ ଚେୟାର ଟେବୁଲ ଆଦି ପଡ଼ି ଯାଇଥାଏ । ଲୋକେ ସେହି ଚେୟାର ଟେବୁଲରେ ବସି ଚା, ଜଳଖିଆ ଆଦି ସବୁ ଖାଉଥାନ୍ତି । ଫୁଟ୍‌ପାଥ ଉପରେ ଚେୟାର ଟେବୁଲ ଆଦି ଏମିତି ଧାଡ଼ି ଧାଡ଼ି ହୋଇ ପଡ଼ିଥାଏ, ଯେ କେହି ଲୋକ ଦେଖି ଭାବିବ ସତେ ଯେମିତି ଫୁଟ୍‌ପାଥର ସେହି ଅଂଶଟା ରେସୁରାଣ୍ଟର । ପାରିସ୍‌ର ଯେଉଁ ରେଷ୍ଟୁରାଣ୍ଟ ଦେଖିବ, ସେ ରେଷ୍ଟୁରାଣ୍ଟ ନିଶ୍ଚୟ ରାସ୍ତା ଉପରକୁ ମାଡ଼ି ଆସିଥିବ । ଫୁଟ୍‌ପାଥରେ ଯାଉ ଯାଉ ଦୂରକୁ ଯଦି ଦେଖିଲ ଗୁଡ଼ାଏ ଚେୟାର ଟେବୁଲ ରାସ୍ତା ଉପରକୁ ମାଡ଼ି ଆସିଛି, ଏହା ନିଶ୍ଚୟ ରେଷ୍ଟୁରାଣ୍ଟ ହୋଇଥିବ ବୋଲି ଧରି ନିଆଗଲେ କିଛି କ୍ଷତି ନାହିଁ । ନିକଟକୁ ଯାଇ ଦେଖିବ, ଏହା ପ୍ରକୃତରେ ଏକ ରେଷ୍ଟୁରାଣ୍ଟ । ରାସ୍ତା ଉପରେ ବସି ଯାତ୍ରୀମାନଙ୍କୁ ଦେଖୁଁ ଦେଖୁଁ ଚା, ଜଳଖିଆ, ମଧ୍ୟାହ୍ନ ଓ ସାନ୍ଧ୍ୟଭୋଜନ କରିବାକୁ ଫରାସୀ ଜାତି ଭଲପାଏ । ତେଣୁ ଏଭଳି ବ୍ୟବସ୍ଥା । ସେମାନେ ଇଂରେଜମାନଙ୍କ ଭଳି ଏ ଖାଇବା କାମ ଆଢ଼ୁଆଳରେ କରିବାକୁ ଭଲ ପାଆନ୍ତିନି । ପାରିସ୍‌ର ସ୍ଥାନେ ସ୍ଥାନେ ଏମିତି ହୋଇଛି, ଆମେ ବେଳେ ବେଳେ ଏହି ଚେୟାର ଟେବୁଲ ଭିତରେ ପଶି ଫୁଟ୍‌ପାଥର ଗୋଟିଏ ପାଖରୁ ଆରପାଖକୁ ଯାଇଛୁ ।

 

ପାରିସ୍‌ରେ ରେଷ୍ଟୁରାଣ୍ଟମାନଙ୍କରେ ଏସବୁ ବ୍ୟବସ୍ଥା ଦେଖି ଆମେ ତାଟଙ୍ଗା । ଉଚ୍ଚ ଶିକ୍ଷିତ ଫରାସୀ ଜାତି, ସଭ୍ୟତାର ଚରମ ସୀମାରେ ପହଞ୍ଚିଛନ୍ତି ବୋଲି ଗର୍ବ କରନ୍ତି, ଅଥଚ ଖାଇଲା ପିଇଲାବେଳେ ଏମିତି ଅବ୍ୟବସ୍ଥା । ସଡ଼କରେ ଥିବା ମଳିଧୂଳି ପବନରେ ଉଡ଼ିଆସି ଖାଇବା ଜିନିଷରେ ପଡ଼ିବାର ସମ୍ଭାବନା, ତଥାପି ସେ ଆଡ଼କୁ ଦୃଷ୍ଟି ନ ଦେଇ ଫୁଟ୍‌ପାଥ ଉପରେ ବସି ଖାଇ ଚାଲିଛନ୍ତି । ରେଷ୍ଟୁରାଣ୍ଟର ଘର ଭିତରେ ଖାଇବା ବ୍ୟବସ୍ଥା ଯେ ନାହିଁ, ତା ନୁହେଁ । ଯେଉଁମାନେ ଇଚ୍ଛା କରିବେ, ଘର ଭିତରେ ଖାଇ ପାରିବେ । କିନ୍ତୁ ଅଧିକାଂଶ ଲୋକ ଏହି ବାହାରେ ବସି ଖାଇବାକୁ ପସନ୍ଦ କରୁଥିବାରୁ ଏ ବ୍ୟବସ୍ଥା ।

 

ଦୁଇ ଚାରୋଟି ରେଷ୍ଟୁରାଣ୍ଟ ବୁଲିସାରି ଗୋଟିଏ ରେଷ୍ଟୁରାଣ୍ଟରେ ଖାଇବା ଠିକ୍‌କଲୁ । ପକେଟ ଅଣ୍ଡାଳି ପକାଇ ଦେଖିଲି ଆମଠାରେ ଆମ ସମସ୍ତଙ୍କ ଖାଇବା ପାଇଁ ଯଥେଷ୍ଟ ଫରାସୀ ମୁଦ୍ରା ନାହିଁ । କ’ଣ କରାଯିବ ତା’ ହେଲେ ? ଆମେରିକାନ ଏକ୍‌ସପ୍ରେସ୍‌ କୋମ୍ପାନୀର ଡଲାର ଚେକ୍‌ପକେଟରେ ପଡ଼ିଥାଏ । ଶୁଣିଥିଲି ପାରିସ୍‌ର ବହୁ ହୋଟେଲ, ରେଷ୍ଟୁରାଣ୍ଟ ଡଲାର ଚେକ୍‌ନେବାକୁ କୁଣ୍ଠାବୋଧ କରନ୍ତିନି । ରେଷ୍ଟୁରାଣ୍ଟ ଭିତରକୁ ପଶିଯାଇ ରେଷ୍ଟୁରାଣ୍ଟର ମାଲିକଙ୍କୁ ଆଗେ ପଚାରିବା ଦରକାର, ସେ ଡଲାର ଚେକ ନେଇ ଆମକୁ ଖାଇବାକୁ ଦେବେ କି କଅଣ ? ଭିତରକୁ ପଶିଯାଇ ପଚାରିଲାରୁ ରେଷ୍ଟୁରାଣ୍ଟ ମାଲିକ ଚେକ୍‌ନେବାକୁ ନାରାଜ । ଫରାସୀ ମୁଦ୍ରା ନ ଦେଲେ ଖାଇବାକୁ ଦେଇ ପାରିବେନି ବୋଲି କହିଲେ ।

 

ବଡ଼ ହଇରାଣରେ ପଡ଼ିଲୁ । ଆମ ପାଖରେ ଯେତେ ଫରାସୀ ମୁଦ୍ରା ଥାଏ ସେଥିରେ ଆମ ସାନ୍ଧ୍ୟଭୋଜନ ହୋଇ ପାରିବନି । ବଡ଼ ଅଡ଼ୁଆ ହେଲା । ସେ ରେଷ୍ଟୁରାଣ୍ଟ ପରିତ୍ୟାଗ କରି ଆଉ ଗୋଟିଏ ରେଷ୍ଟୁରାଣ୍ଟକୁ ଗଲୁ, ସେଠି ମଧ୍ୟ ସେଇ ଅସୁବିଧା । କେହି ଡଲାର ଚେକ୍‌ ନେବାକୁ ରାଜି ନୁହଁନ୍ତି । ସମସ୍ତଙ୍କର ତଟକା ମୁଦ୍ରା ଦରକାର । ଆମ ପାଖରେ ଏତେ ମୁଦ୍ରା କାହିଁ ? ବଡ଼ ଅସୁବିଧା ହେଲା । ନିକଟରେ ଆମେରିକାନ ଏକ୍‍ସପ୍ରେସ୍‍ କୋମ୍ପାନୀର ଚେକ୍‌ନେଇ ଆମକୁ ଫରାସୀ ମୁଦ୍ରା ଦେବାର କିଛି ବ୍ୟବସ୍ଥା ନାହିଁ । ଆମେରିକାନ ଏକ୍‌ସପ୍ରେସ୍‌ କମ୍ପାନୀର ଅଫିସ ସେଠୁ ବହୁତ ଦୂର । ପୁଣି ପାଞ୍ଚଟା ବାଜି ଗଲାଣି । ଅଫିସ ବନ୍ଦ ହୋଇ ସାରିବଣି । ନର୍ଡ ଷ୍ଟେସନରେ ଚେକ୍‌ ଭଙ୍ଗାଇବାର ବ୍ୟବସ୍ଥା ଥାଏ, କିନ୍ତୁ ସେତେବେଳକୁ ସେ ଅଫିସ ମଧ୍ୟ ବନ୍ଦହୋଇ ଗଲାଣି । ମନରେ ବଡ଼ ଚିନ୍ତା ପଶିଲା । ତା’ହେଲେ କ’ଣ ରାତିରେ ଓପାସ ରହିବାକୁ ପଡ଼ିବ ? ଏୟାର୍‌ପୋର୍ଟଠାକୁ ଗଲେ ଭଙ୍ଗାଇ ଆଣି ହୁଅନ୍ତା । ଏତେ ବାଟ କ’ଣ ବର୍ତ୍ତମାନ ଯାଇ ହେବ ?

 

ଏମିତି ଭାବି ଭାବି ଆଉ ଗୋଟିଏ ରେଷ୍ଟୁରାଣ୍ଟକୁ ପଶିଲୁ । ପଶୁ ପଶୁ ଅନ୍ୟମନସ୍କ ଭାବରେ ପଚାରି ପକାଇଲି, “ଆମ ପାଖରେ ଡଲାର ଅଛି, ତୁମେ ଡଲାର ନେଇ ଆମକୁ ଖାଇବାକୁ ଦେଇପାରିବ କି ?” ଭୁଲରେ ଡଲାର ଚେକ୍‌ ପରିବର୍ତ୍ତରେ ଡଲାର କହି ପକାଇଲି । ହୋଟେଲର ମାଲିକାଣୀ ମହିଳା ଜଣକ କହି ପକାଇଲେ, “ତୁମ ପାଖରେ ଯଦି ଡଲାର ଅଛି ନେବୁ, ଡଲାର ଚେକ୍‌ ଯଦି ଅଛି ନେବୁନି ।”

 

ହଠାତ୍‌ ମୋ ଖିଆଲ ପଶିଗଲା, ଆରେ ମୁଁ କହିଦେଲି କଅଣ ? ମୋ ପାଖରେ ତ ଡଲାର ନାହିଁ, ମାତ୍ର ଚେକ୍‌ ଅଛି । ଏତିକିବେଳେ ସ୍ତ୍ରୀ କହି ପକାଇଲେ, “ଆଁ, ସେମାନେ ଡଲାର ନେବେ ? ଆଉ ଚିନ୍ତା କାହିଁକି ? ମୋ ବେଗରେ ତ କିଛି ଆମେରିକାନ୍‌ ଡଲାର ଅଛି । ସେଥିରେ ଆମର ଭଲ ରକମର ସାନ୍ଧ୍ୟଭୋଜନ ହୋଇଯାଇ ପାରିବ । ଆଉଥରେ ପଚାରିଲ ସେ ଆମେରିକାନ ଡଲାର ନେବଟି ?”

 

ମୁଁ ପୁଣି ଯାଇ ପଚାରିଲି । ମହିଳାଟି ଉତ୍ତର ଦେଲେ, “ଆପଣମାନଙ୍କ ପାଖରେ ଯଦି ଆମେରିକାନ ଡଲାର ଅଛି, ଆମେ ଅତ୍ୟନ୍ତ ଖୁସି ହୋଇ ନେବୁ । ଆପଣମାନେ ଜାଣନ୍ତିନି ଆମ ଦେଶରେ ଆମେ ଫରାସୀ ମୁଦ୍ରାକୁ ଯେତେ ଗୁରୁତ୍ଵ ଦେଉନି, ତା’ଠୁଁ ବେଶି ଦେଉଁ ଆମେରିକାନ ମୁଦ୍ରାକୁ । ଖାଲି ସେତିକି ନୁହେଁ, ଆପଣମାନଙ୍କ ଡଲାର ପାଇଁ ବେଙ୍କ ଯେଉଁ ଫରାସୀ ମୁଦ୍ରା ଦେବ, ଆମେ ତା’ଠାରୁ କିଛି ଅଧିକ ଦେବୁ । ଆପଣମାନେ ଡେରି ନ କରି ନିର୍ଭୟରେ ଖାଇବା ଟେବୁଲ ନିକଟରେ ବସନ୍ତୁ ।” ଏତକ କହି ଆମ ଚାରିଜଣଙ୍କୁ ଗୋଟିଏ ଭଲ ଟେବୁଲ ପାଖରେ ବସାଇ ଦେଲେ ।

 

ଯା’ ହେଉ ମସ୍ତବଡ଼ ଚିନ୍ତାଟିଏ ଗଲା । ସ୍ତ୍ରୀଙ୍କ ହେଣ୍ଡ୍‌ବେଗରେ କେତୋଟି ଆମେରିକାନ ଡଲାର୍‌ ନୋଟ ପଡ଼ିଥିବାରୁ କେତେ ଉପକାରରେ ଆସିଲା ସତେ ? ମୋ ପକେଟରେ ଶହ ଶହ ଡଲାରର ଚେକ ଥାଇ ଲାଭ କଅଣ ? ଅବସ୍ଥା ଏମିତି ହୋଇଥିଲା, ମୋ ଚେକର କିଛି ମୂଲ୍ୟ ନଥିଲା ସେତେବେଳେ ।

 

ସଙ୍ଗେ ସଙ୍ଗେ ଆମ ଟେବୁଲ ଉପରକୁ ମେନୁ ଚାଲି ଆସିଲା । ମେନୁ ଫରାସୀ ଭାଷାରେ । ମେନୁଟି ଦେଖି ବୁଝି ନପାରି ଫେରାଇ ଦେଲୁ । ଭଦ୍ରମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଆମ ପାଖକୁ ଚାଲି ଆସିଲେ । ଆମେ କ’ଣ କ’ଣ ଖାଇବୁ ତାଙ୍କୁ ଇଂରାଜୀରେ ବୁଝାଇ ଦେଲୁ । ସେ ସେହି ଅନୁସାରେ ବରାତ କରିଦେଲେ । କିଛି ଅସୁବିଧା ହେଲାନି ।

 

ପାରିସ୍‌ରେ ପାଉଁରୋଟି ଏକ ବିଚିତ୍ର ଧରଣର । ଏମିତି ପାଉଁରୋଟି ଆମେ କେବେ ଦେଖି ନଥିଲୁ । ହାତେ ଦେଢ଼ହାତ ଲମ୍ବର ଏକ ରୋଲବାଡ଼ି ମୋଟାର ପାଉଁରୋଟି । କାଠ ବିଡ଼ା ଭଳି ବିଡ଼ା ବିଡ଼ା ବନ୍ଧାହୋଇ ବିକ୍ରି ହେଉଥାଏ । ହୋଟେଲମାନଙ୍କରେ ସେଗୁଡ଼ିକୁ ଚେକା ଚେକା କରି କାଟି ଖାଇବାକୁ ଦିଅନ୍ତି । ପାରିସ୍‌ର ଯେଉଁ ରେଷ୍ଟୁରାଣ୍ଟକୁ ଯାଅ, ସେହି ଗୋଟିଏ ପ୍ରକାର ପାଉଁରୋଟି । ହୋଟେଲମାନଙ୍କରେ ଜଳଖିଆରେ ଯେଉଁ ପାଉଁରୋଟି ଦିଅନ୍ତି, ସିଏ ମଧ୍ୟ ଏହି ପାଉଁରୋଟି । ପାଉଁରୋଟି ଆମେରିକା ପାଉଁରୋଟି ଭଳି ନରମ ନୁହେଁ । ଆମ ପୋଡ଼ପିଠାର ଉପର ବକଡ଼ା ଅଂଶ ଯେମିତି ଟାଣ ଏ ପାଉଁରୋଟିର ଉପର ସେମିତି ଟାଣ । ଖାଇଲେ ଚୋବାଇବାକୁ ପଡ଼େ । ରେଷ୍ଟୁରାଣ୍ଟରେ ଯେଉଁ ଯେଉଁ ପ୍ଲେଟ ଖାଇବ, ସେହି ସେହି ପ୍ଲେଟ ପାଇଁ ପଇସା ପଡ଼ିବ , କିନ୍ତୁ ପାଉଁରୋଟି ପାଇଁ ପଇସା ପଡ଼େନି । ପାଉଁରୋଟି ମାଗଣା । ଯିଏ ଯେତେ ପାଉଁରୋଟି ଖାଉଥିବ, ସେମାନେ ଦେଉଥିବେ । ସେଥିପାଇଁ ସେମାନଙ୍କର କୁଣ୍ଠା ନାହିଁ । ପାଉଁରୋଟି ଯାଗା ପ୍ରତ୍ୟେକ ଟେବୁଲ ଉପରେ ସର୍ବଦା ପୂର୍ଣ୍ଣ ହୋଇ ରହିଥାଏ । ପାରିସ୍‌ର ବିଭିନ୍ନ ପ୍ରକାର ଖାଦ୍ୟ ସହିତ ଅଭ୍ୟସ୍ତ ନଥିବାରୁ ଆମେ କାଳେ ଭୁଲରେ କେଉଁ ମାଂସ ଖାଇପକାଇବୁ, ସେହି ଭୟରେ ଖାଲି ଅଣ୍ଡା ଅମଲେଟ, ଫ୍ରେଞ୍ଚ ଫ୍ରାଏଡ୍‌ପଟାଟୋ, କୁକୁଡ଼ା ରୋଷ୍ଟ, ପରିବା ସିଝା, କିଛି ଫଳ ଓ କେକ, ବିସ୍କୁଟ ହିଁ ଖାଇ ଆମ ସାନ୍ଧ୍ୟଭୋଜନ ସମାପ୍ତ କଲୁ । ଖାଇସାରି ପିଇବା ପାଣି ମାଗିବାରୁ ସମସ୍ତେ ଆମକୁ ଅନାଉଥାନ୍ତି । ସତେ ଯେମିତି ପାଣି ପିଇବା ଏକ ଅପରାଧ । ଅନାଉଥାଉଁ, ସେଠି ପାଣି କେହି ପିଉ ନଥାନ୍ତି । ରେଷ୍ଟୁରାଣ୍ଟମାନଙ୍କରେ ମଦ ବିକ୍ରି ହେଉଥିବାରୁ ଅନେକେ ଖାଇସାରି ମଦ ପିଉଥାନ୍ତି । ଆମେରିକାରେ ମଦ କେବେ ରେଷ୍ଟୁରାଣ୍ଟମାନଙ୍କରେ ଦିଆଯାଏନି । ମଦ ବିକ୍ରି ପାଇଁ ସ୍ଥାନ ଅଲଗା । ମଦ ବାରରେ ହିଁ ମଦ ବିନ୍ତ୍ରି ହୁଏ, ଲୋକେ ବାରରେ ହିଁ ମଦ ପିଅନ୍ତି । ଏମିତି ରେଷ୍ଟୁରାଣ୍ଟମାନଙ୍କରେ କେହି ମଦ ପିଏନି । କିନ୍ତୁ ମଦ ଫରାସୀ ଜାତିର ଜୀବନ ହୋଇଥିବାରୁ ଏଠାରେ ବୋଧହୁଏ ସେମିତି ବାଦ ବିଚାର ନାହିଁ ।

 

ଆମ ଚାରି ପାଖରେ ନାଲି ନାଲି ମଦ ପିଉ ଥିବାର ଦେଖି ଆମକୁ ଭଲ ଲାଗୁ ନଥାଏ । ତେଣୁ ଥଣ୍ଡା ପାଣି ଗିଲାସେ ଲେଖାଁଏଁ ପିଇ ସେଠୁଁ ବିଦାୟ ନେଲୁ । ପଇସା ପତ୍ର ହିସାବ ନିକାଶ ବେଳେ ଡଲାର ନେଉଁ ନେଉଁ ମାଲିକାଣୀ ପଚାରିଲେ, “ଆପଣମାନେ କଣ ଆମେରିକାର ଲୋକ-?”

 

ମୁଣ୍ଡ ହଲାଇ ମନା କଲି, “ନା, ଆମେରିକାର ଲୋକ ନୋହୁଁ । ଆମେ ଭାରତୀୟ । ଗତ ଦୁଇବର୍ଷ ଧରି ଆମେରିକାରେ ରହି ଭାରତ ଫେରିବା ବାଟରେ ପୃଥିବୀର ସୁନ୍ଦରତମ ନଗରୀ ପାରିସ୍‌ ଦେଖିବାକୁ ଆସିଛୁ ।”

 

“ହଁ, ଆମ ସହର ପୃଥିବୀର ସୁନ୍ଦରତମ ସହର ? ଆମ ସହରର ପ୍ରଶଂସା ପାଇଁ ଆପଣମାନଙ୍କୁ ଧନ୍ୟବାଦ ।” ହସ ହସ ମୁହଁରେ ସ୍ତ୍ରୀଲୋକଟି ଧନ୍ୟବାଦ ଜଣାଇ ବିଦାୟ ଦେଲେ । ଆମେ ପେଟେ ଲେଖାଏଁ ଚାରିଜଣ ଏତେ ଜିନିଷ ଖାଇଲୁ, କିନ୍ତୁ ଆମ ସମସ୍ତଙ୍କର ଚାରି ଡଲାର ମଧ୍ୟ ଖରଚ ହେଲାନି । କେମିତିବା ହେବ, ଆମେରିକାର ଗୋଟିଏ ଡଲାର ପାଞ୍ଚୋଟି ନୂଆ ଫରାସୀ ଫ୍ରାଙ୍କ୍‌ ସହିତ ସମାନ । ତେଣୁ ଆମର ଚାରି ଡଲାର ପ୍ରାୟ କୋଡ଼ିଏ ନୂଆ ଫ୍ରାଙ୍କ୍‌ ସହିତ ସମାନ । ଫରାସୀ ନୂଆ ଫ୍ରାଙ୍କ୍‌ର ମୂଲ୍ୟ ଫ୍ରାନ୍‌ସ ବଜାରରେ ଖୁବ୍‌ ବେଶି । ତେଣୁ ଆମେ ଚାରିଜଣ ଯେତେ ଖାଇଲେ ମଧ୍ୟ କୋଡ଼ିଏ ଫ୍ରାଙ୍କ୍‌ର ଖାଦ୍ୟ ଖାଉଛୁ କେଉଁଠି ?

 

ପାରିସ୍‌ର ଭୂମିତଳ ରେଳ-ମେଟ୍ରୋ

 

ଖାଇସାରି ହୋଟେଲକୁ ଫେରିବା ଠିକ୍‌ କଲୁ । ଫେରୁ ଫେରୁ ରାସ୍ତାରେ ଦେଖିଲୁ, ଭୂମି ଭିତରକୁ ପାହାଚ ଅଛି । ଜାଣିଲୁ ଏ ନିଶ୍ଚୟ ଭୂମିତଳ ରେଳଗାଡ଼ିର ଷ୍ଟେସନ । ଅଦୂରରେ ଲେଖାଥିଲା ମେଟ୍ରୋ ଷ୍ଟେସନ । ତେଣୁ ତଳକୁ ଗଲୁ ପାରିସ୍‌ର ଏହି ମେଟ୍ରୋ କେମିତି ଦେଖିବା ପାଇଁ । ଦେଖିଲୁ ତଳେ ଏକ ବିରାଟ ଷ୍ଟେସନ, ବେଶ୍‌ ଆଲୋକିତ । ବେଶ୍‌ ପ୍ରଶସ୍ଥ ଷ୍ଟେସନ ଫ୍ଲାଟଫର୍ମଟି । ଆମ ସାମନାରେ ଗୋଟିଏ ଦୁଇଟା ଗାଡ଼ି ଏ ଆଡ଼ରୁ ସେ ଆଡ଼କୁ ଚାଲିଗଲା । ଆମରତ ଆଉ କୁଆଡ଼େ ଯିବାର ପ୍ରୋଗ୍ରାମ ସେତେବେଳେ ନ ଥାଏ । ପେଟ ତେଣେ ଭାରୀ ହୋଇଗଲାଣି । ଶୀଘ୍ର ଶୀଘ୍ର କେମିତି ହୋଟେଲକୁ ଆସି ବିଶ୍ରାମ ନେବୁ ସେହିଥାଏ ଚିନ୍ତା । ପିଲାମାନେ ଏତେ ହାଲିଆ ହୋଇ ଗଲେଣି, ଆଉ ପାଦେ ଆଗକୁ ଯିବାକୁ ଅନିଚ୍ଛୁକ । କୌଣସି ପ୍ରକାରେ ସେମାନଙ୍କୁ ନେଇ ହୋଟେଲକୁ ଫେରି ଆସିଲୁ । ପିଲାମାନେ ଖଟ ଉପରେ ଶୋଉଁ ଶୋଉଁ ଗାଢ଼ ନିଦ୍ରାରେ ଶୋଇ ପଡ଼ିଲେ । ଦିନସାରା ଆମର ଯେଉଁ ବୁଲା, ଦିନକଭିତରେ ଗୁଡ଼ାଏ ଜିନିଷ ଦେଖିବାର ଯେଉଁ ଭିଡ଼ ପ୍ରୋଗ୍ରାମ ଆମର ଏ ହାଲିଆ ପାଇଁ ଏକାନ୍ତ ଦାୟୀ ।

 

ପୃଥିବୀର ସୁବିଖ୍ୟାତ ଯାଦୁକୋଠୀ-ପେଲେସ-ଡ଼ି-ଲୋଓଭ୍ର

 

ତହିଁ ପରଦିନ । ସେପଟେମ୍ବର ମାସ ୯ ତାରିଖ ୧୯୬୩ ମସିହା । ସକାଳୁ ଉଠିଲାବେଳକୁ ଆମଠାରେ ପୂର୍ବ ଦିନର ଅବସାଦ ନଥାଏ । ମନ ବେଶ୍‌ ସ୍ଫୁର୍ତ୍ତି, ଦେହ ବେଶ୍‌ ଚଞ୍ଚଳ-। ସେ ଦିନର ପ୍ରୋଗାମ ମଧ୍ୟ କିଛି କମ୍‌ ନୁହେଁ । ଏହି ଦିନଟିରେ ପାରିସ୍‌ର ଅନେକ କିଛି ଦେଖିବାକୁ ପଡ଼ିବ । ସଅଳ ସଅଳ ନିତ୍ୟ କର୍ମ୍ମ ଶେଷକରି ପାରିସ୍‌ ଭ୍ରମଣ ଉଦ୍ଦେଶ୍ୟରେ ବାହାରି ପଡ଼ିଲୁ । ସେ ଦିନ ଆମର ପାରିସ୍‌ର ସାଇନ୍‌ନଦୀ କୂଳରେ ଥିବା ସୁବିଖ୍ୟାତ ପେଲେସ-ଡ଼ି-ଲୋଭ୍ରେ (Palais di Louvre) ଦେଖିବା କଥା । ପୃଥିବୀର ସୁନ୍ଦରତମ ଦାଦ ଭିତରୁ ଏହା ଗୋଟିଏ । ମହା ପ୍ରତାପୀ ନେପୋଲିୟନଙ୍କ ସମୟରେ ଏକା ଏକ କଳା ମିଉଜିୟମ୍‌ରେ ପରିଣତ ହୋଇଥିଲା । ବହୁ ଚିତ୍ରକଳାର ସମାବେଶ ଦେଖିବ ଏହି ପ୍ରାସାଦରେ ।

 

ପୃଥିବୀର ଶ୍ରେଷ୍ଠ ଚିତ୍ରକଳା-ମନାଲିସା

 

ପୃଥିବୀ ପ୍ରସିଦ୍ଧ ‘ମନାଲିସା’ ଚିତ୍ର ରଖାଯାଇଛି ଏହି ପ୍ରାସାଦରେ । ମନାଲିସା ଚିତ୍ର ଜଗତରେ ଏକ ଅଭିନବ ସୃଷ୍ଟି । ଏଭଳି ଚିତ୍ର ଚିତ୍ରକଳା ଇତିହାସରେ କେବେସୃଷ୍ଟି ହୋଇଛି କି ନାହିଁ ସନ୍ଦେହ । ଚିତ୍ରଟି ଅପୂର୍ବ; ଏକ ସ୍ୱଳ୍ପ ହାସ୍ୟମୟୀ ନାରୀର ଏକ ଚିତ୍ର । ଚିତ୍ରଟି ପୁଣି ପୂରା ନୁହେଁ । ମୁହଁଠାରୁ ଛାତି ପର୍ଯ୍ୟନ୍ତ ଚିତ୍ରରେ ଅଛି । ଚିତ୍ରର ଏହି ନାରୀର ଗଠନ, ସୌନ୍ଦର୍ଯ୍ୟ, ତାର ହସ ଉପରେ କେତେ କଳାକାର କେତେ ବର୍ଷର ଗବେଷଣା ଯେ ଢଳି ଦେଇଛନ୍ତି ଲୋଭ୍ରୋ ପ୍ରାସାଦହିଁ ତା’ର ମୂକସାକ୍ଷୀ । ଏ ଚିତ୍ରର ସ୍ରଷ୍ଠା ଜଣେ ଇଟାଲୀୟ ବୈଜ୍ଞାନିକ, ନାଁ ହେଉଛି ଲିଓନାର୍ଡ ଡା-ଭିନସି-। କଳାକାରମାନେ ତାଙ୍କୁ କଳାବିତ୍‌ଭାବରେ ଦାବୀ କରନ୍ତି, ବୈଜ୍ଞାନିକମାନେ ତାଙ୍କୁ ବିଜ୍ଞାନୀ ବୋଲି ଦାବୀ କରନ୍ତି, ସଙ୍ଗୀତଜ୍ଞମାନେ ତାଙ୍କୁ ସଙ୍ଗୀତ ବିଶାରଦ ବୋଲି ଦାବୀ କରନ୍ତି । ଏକାଧାରରେ ସେ ସବୁ କିଛି । ପଞ୍ଚଦଶ ଶତାବ୍ଦୀର ଏହାଙ୍କର ଜନ୍ମ ଇଟାଲୀ ଦେଶରେ । ଫ୍ଲେରେନସ ସହରର ଜଣେ ମହିଳା, ତାଙ୍କ ନାଁ ହେଉଛି ଲିଜା-ଡି-ଆଣ୍ଟନ ମେରିଆ-ନଲଡୋ-ଘେରାର ତିନି । ଏହି ଚିତ୍ରଟି ହେଉଛି ପ୍ରକୃତରେ ତାଙ୍କର ପ୍ରତିଛବି । ସେ ୧୦୯୫ ମସିହାରେ ଫ୍ରାନସିସୋ ଡି ବାରଟଲିମିଓ ଡେଲଗିଓକଣ୍ଡ୍ରୋଙ୍କୁ ବିବାହ କରିଥିଲେ । ସେଥିପାଇଁ ଏହି ଚିତ୍ରଟିର ପ୍ରକୃତ ନାମ ହେଉଛି ଲ ଗିଓକଣ୍ଡୋ । କିନ୍ତୁ ଏହା ମନଲିସା ଭାବରେ ଚାରିଆଡ଼େ ପରିଚିତ । ଲିଓନାର୍ଡ୍‌ ଡା ଭିନସି ସେହି ମହିଳାଙ୍କ ପ୍ରତିକୃତି ବରାତ୍‌ନେଇ ଆଙ୍କିଥିଲେ । ଏହି ଛବିଟିର ଆକାର ବିଶେଷ ବଡ଼ ନୁହେଁ, ଲମ୍ବ ଅଢ଼େଇ ଫୁଟ, ଓସାର ୨୧ ଇଞ୍ଚ । ଏହା ୧୫୦୩-୬ ମସିହା ଭିତରେ ଅଙ୍କା ହୋଇଥିଲା । କଳାକାର ଏହି ଚିତ୍ରଟିକୁ ଶେଷ କରି ପାରି ନଥିଲେ । କିନ୍ତୁ ତଥାପି ବି ଏହା ଏତେ ସୁନ୍ଦର । ଫ୍ରାନ୍‌ସର ରାଜା ଫ୍ରାନ୍‍ସିସ୍‍ ପ୍ରଥମ ଏହାକୁ ୪୦୦୦ ସ୍ଵର୍ଣ୍ଣମୁଦ୍ରା ଦେଇ ଇଟାଲୀରୁ କ୍ରୟ କରିଥିଲେ । ୧୯୧୮ ମସିହାରେ ଏହା ଲୋଭ୍ରେରୁ ଚୋରି ହୋଇ ଯାଇଥିଲା । ଏହା ପୁଣି ଫ୍ଲୋରେନସରୁ ଉଦ୍ଧାର କରାଯାଇ ୧୯୨୩ ମସିହାରେ ଲୋଭ୍ରେରେ ରଖା ଯାଇଥିଲା । ଏହି ଚିତ୍ରଟିର ଅପୂର୍ବ କଳାଚାତୁରୀ ପୃଥିବୀ ପ୍ରସିଦ୍ଧ । ଆମେରିକାର ଲୋକମାନେ ଦେଖିବା ପାଇଁ ଏହି ଚିତ୍ରଟିକୁ ଆମେରିକାକୁ ପଠାଇବା ଲାଗି ଫ୍ରାନ୍‌ସକୁ ଅନୁରୋଧ କରାଯାଇଥିଲା । ବହୁତ କଷ୍ଟରେ ଫ୍ରାନ୍‌ସ ସରକାର ରାଜି ହେଲେ । କଥା ହେଲା ଏକ ସ୍ଵତନ୍ତ୍ର ପାଣି ଜାହାଜ ଯୋଗେ ଏହା ଆମେରିକା ଯିବ-। ସେହି ଜାହାଜର ବେଗ ସୀମାବଦ୍ଧ ହେବ, ଏହାର ଭିତର ଶୀତତାପ ନିୟନ୍ତ୍ରିତ ହେବ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ୟବସ୍ଥା କରାଗଲା । ଶେଷରେ ଏହି ଚାରିବର୍ଗ ଫୁଟର ଚିତ୍ରଟି ଏକ ସମ୍ରାଟଠାରୁ ଅଧିକ ସମ୍ମାନ ସହ ପାରିସ୍‌ରୁ ୱାସିଙ୍ଗଟନ ଅଭିମୁଖେ ଯାତ୍ରାକଲା ।

 

ଆମେ ସେତେବେଳେ ଆମେରିକାରରେ ଥାଉଁ । ମନାଲିସାକୁ ଦେଖିବା ପାଇଁ ମାର୍କିନ ଲୋକେ ପାଗଳ ହୋଇ ୱାଶିଙ୍ଗଟନ ଦୌଡ଼ିଲେ । କି ଟେଲିଭିଜନ, କି ରେଡ଼ିଓ ସବୁଥିରେ ଏହି ମନାଲିସା ଖବର । ସାରା ଆମେରିକା ପାଗଳ ହୋଇ ଉଠିଲା ଏ ଚିତ୍ରକୁ ଦେଖିବା ପାଇଁ । ଲୋକେ ଦିନ ରାତି ଧାଡ଼ି ଛୁଟିଲେ ଦେଶର ଚାରିଆଡ଼ୁ ରାଜଧାନୀ ୱାଶିଙ୍ଗ୍‌ଟନକୁ । ୱାଶିଙ୍ଗ୍‍ଟନରୁ କିଛି ଦିନ ପାଇଁ ଏହି ଚିତ୍ର ନିଉୟର୍କ ଆସିଲା । ସେଠାରେ ୟଲାକ ଭିଡ଼ ହେଲା ୱାଶିଙ୍ଗ୍‍ଟନଠାରୁ ବେଶି । ସାମାନ୍ୟ ଚିତ୍ରଟିଏ ପାଇଁ ପୃଥିବୀର ଇତିହାସରେ କେବେ ଏଭଳି ଚାଞ୍ଚଲ୍ୟ ଖେଳି ନାହିଁ । ଏହି ଚିତ୍ରଟି ଯେ ସାମାନ୍ୟ ନୁହେଁ, ତାହା ଏହିଥିରୁ ପ୍ରମାଣିତ ହୁଏ । ପାଞ୍ଚ ଶହ ବର୍ଷ ତଳେ ଏହି ଚିତ୍ରଟି ଅଙ୍କା ଯାଇଥିଲେହେଁ ଏହା ଆଜିକାଲିକାର ଅଙ୍କା ଭଳି ଦିଶେ । ଲୋକେ କହନ୍ତି ଚିତ୍ରଟି ଏଡ଼େ ଜୀବନ୍ତ, କିଛି ସମୟ ନିରୀକ୍ଷଣ କରି ଚାହିଁଲେ ଜଣା ପଡ଼ିବ ସତେ ଯେମିତି ଏହା ତୁମ ସହିତ କଥା କହିବ । ଏଭଳି ଐନ୍ଦ୍ରଜାଲିକ ଶକ୍ତି ସମ୍ପନ୍ନ କଳାସୃଷ୍ଟି ଇତିହାସରେ ବିରଳ । ପୃଥିବୀ ପ୍ରସିଦ୍ଧ ଏହି ଚିତ୍ରଟି ସ୍ଥାନ ପାଇଛି ସାଇନ ନଦୀ କୂଳସ୍ଥ ଏକ ପୂରାତନ ରାଜପ୍ରାସାଦ ଲୋଭ୍ରେରେ । ଅପୂର୍ବ ସମ ବେଶ୍‌ । ପାରିସ୍‌ଭଳି ସୁନ୍ଦର ନବୀ, ସାଇନ ଭଳି ସୁନ୍ଦର ନଦୀ କୂଳରେ ଲୋଭ୍ରେ ଭଳି ସୁନ୍ଦର ପ୍ରାସାଦରେ ସୁନ୍ଦର ଚିତ୍ର ମନାଲିସା ଶୋଭା ପାଇବ ନାହିଁ ତ ଆଉ କିଏ ଶୋଭାଇବ ?

 

କେଥେଡ୍ରେଲ ଅଫ୍‌ ନଟ୍ରଡାମ୍‌

 

ଲୋଭ୍ରେରୁ ବାହାରି ଆମେ ଚାଲିଲୁ ସାଇନ ନଦୀ କୂଳେ କୂଳେ କିଛି ଦୂର । ଦେଖିଲୁ ସାଇନ୍‌ନଦୀ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି, ମଝିରେ ଗୋଟିଏ ସୌନ୍ଦର୍ଯ୍ୟପୂର୍ଣ୍ଣ ଦ୍ଵୀପ ସୃଷ୍ଟି କରି । କିଛି ଦୂର ପରେ ସାଇନ ନଦୀ ଦ୍ୱୟ ପୁଣି ମିଳିଯାଇ ଗୋଟିଏ ନଦୀ ହୋଇ ଯାଇଛି । ଏହି ଦ୍ଵୀପ ଭିତରେ ବହୁ କଳା ଚାତୁରୀର ଅପୂର୍ବ ଗୌରବ ନେଇ ଶୋଭା ପାଉଛି କେଥେଡ୍ରେଲ ଅଫ୍‌ ନଟ୍ରଡାମ୍‌ । ପୂରାତନ ଗୋଥିକ ପ୍ରଣାଳୀରେ ତିଆରି ଏହି ବିରାଟ ଗୀର୍ଜାଟି ଦେଖିଲେ ଆଖି ଖୋସି ହୋଇଯାଏ । ଲୋକେ କହନ୍ତି ଭିକ୍ଟର ହ୍ୟୁଗା ନଟ୍ରଡାମକୁ ଦେଖି ତାଙ୍କ ଅନବାଦ୍ୟ ଉପନ୍ୟାସ ନଟ୍ରଡାମ୍‌ଡି-ପାରିସ୍‌ ଲେଖିଥିଲେ । ଏକ ବିରାଟ ଗୀର୍ଜା, ନବମ ଶତାଦ୍ଦୀରୁ ତିଆରି, ଲମ୍ବ ପ୍ରାୟ ୩୯୦ ଫୁଟ । ଏହାର ସାମନାର ଗମ୍ବୁଜ ଦୁଇଟି ଅତି ବିରାଟ, ୨୨୬ ଫୁଟ ଲେଖାଏ ଉଚ୍ଚା । ପାରିସ୍‌ ନଗରୀର କେନ୍ଦ୍ର ଇଲି-ଡି-ଲା-ସାଇଟ ଦ୍ଵୀପର ପ୍ରଧାନ ଅଂଶ ଭାବରେ ଏହି ଅଞ୍ଚଳଟି ପ୍ରସିଦ୍ଧ । ଏଠାରୁ ନଦୀ ଆରପାରିରେ ଥିବା ପାରିସ୍‌ର ପୃଥିବୀ ବିଖ୍ୟାତ ହୋଟେଲ-ଡି-ଭିଲ ଦିଶୁଛି-। କି ସୁନ୍ଦର କାରୁକାର୍ଯ୍ୟ ଖଚିତ, ମନେ ହେବ ମଣିଷ ଭାସୁଛି ସ୍ଵପ୍ନ ପୁରୀରେ । ଚତୁର୍ଦ୍ଦିଗର ଏ ସମସ୍ତ ସୌନ୍ଦର୍ଯ୍ୟ ମଣିଷକୁ ପାଗଳ କରିଦିଏ । ନଟ୍ରଡାମର ଚିତ୍ରଗୁଡ଼ିକ ଉଠାଇ ସେଠାରୁ ବିଦାୟ ହେଲୁ । ଯେଉଁ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବା ପାଇଁ ମଣିଷର ଭାଷା ହାର ମାନିଛି, ସେହି ସୌନ୍ଦର୍ଯ୍ୟ ପୁରୀକୁ ମଣିଷ ଅଲେଖ୍ୟ ଭିତରେ ବନ୍ଦ କରି କ’ଣ କେବେ ଆନନ୍ଦ ପାଇ ପାରିବ ? ତେବେ ସନ୍ତୋଷ ଏତିକି ସ୍ମୃତିପଟରୁ ଲିଭିବାକୁ ଆରମ୍ଭ କଲେ ଏହି ଅଲେଖ୍ୟ ହିଁ ପୁଣି ଜାଗରୁକ କରିବ ଏହି ସୁନ୍ଦରପୁରୀର ସ୍ମୃତି ।

 

ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ସାନ ଭଉଣୀ-ମନୁମେଣ୍ଟ ରିପବ୍ଲିକେ

 

କେଥେଡ୍ରେଲ ଅଫ୍‌ ନଟ୍ରଡାମଠାରୁ ଆମେ ଗୋଟିଏ ଟେକ୍‌ସି ଧରି ହୋଟେଲ ଡି-ଭିଲିର କଡ଼ ଦେଇ ସିଧା ଗଲୁ ମନୁମେଣ୍ଟ ରିପବ୍ଲିକେ ଦେଖି । ସ୍ଥାନଟି ଅତି ସୁନ୍ଦର । ଏକ ବିରାଟ ଛକ ଉପରେ ଏହି ପ୍ରତିମୂର୍ତ୍ତିଟି ଠିଆ ହୋଇଛି । ଅବିକଳ ଆମେରିକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଭଳି । ଆମେରିକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଏହାରି ଛାଞ୍ଚରେ ତିଆରି । ମୂର୍ତ୍ତିଟି ଅତି ସୁନ୍ଦର, ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଭଳି ଏକ ନାରିମୂର୍ତ୍ତି । ଭଳି, କିନ୍ତୁ ଆକାରରେ ଅପେକ୍ଷାକୃତ ଢେର ଛୋଟ । ଏହାକୁ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ସାନ ଭଉଣୀ କହିଲେ ଅତ୍ୟୁକ୍ତି ହେବନି । ମୂର୍ତ୍ତିଟିର ଭିତର ପୋଲା, ଲୁହା ଫ୍ରେମ ଉପରେ ତମ୍ବା ଚାଦର ଦିଆଯାଇ ମୂର୍ତ୍ତିଟି ଗଢ଼ା ଯାଇଛି । ମୂର୍ତ୍ତିଟି ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଭଳି ଗୋଟିଏ ହାତ ଉପରକୁ ଟେକିଛି । ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ତିଆରି କରିବା ପୂର୍ବରୁ ଏହାକୁ ଏକ ମଡେଲ ଭାବରେ ସର୍ବପ୍ରଥମ ତିଆରି କରା ଯାଇଥିଲା ।

 

‘ମନୁମେଣ୍ଟ ରିପବ୍ଲିକେ’ର କେତୋଟି ଫଟୋ ଉଠାଇ ସେଠାରୁ ବିଦାୟ ନେଲୁ । ସେଠାରୁ ସିଧା ଆସିଲୁ ପାରିସ୍‌ର ସୁବିଖ୍ୟାତ ପାର୍କ ଜାର୍ଡିନ-ଡେସ-ପ୍ଳେଣ୍ଟସ୍‌ । ସାଇନ୍‌ନଦୀ କୂଳରେ ଏହି ପାର୍କକୁ ଆସିଲାବେଳେ ବାଟରେ ପଡ଼ିଲା ଏକ ବିରାଟ ସ୍ମୂର୍ତିସ୍ତମ୍ବ କଲୋନି-ଡି-ଜୁଇଲେଟ । ସ୍ତମ୍ଭଟି ଅତୀବ କାରୁକାର୍ଯ୍ୟରେ ଭରା । ପାର୍କଟି ଦେଖିସାରି ସାଇନ ନଦୀ କୂଳେ କୂଳେ କିଛି ଦୂର ଚାଲି ଚାଲି ଗଲୁଁ ଚାଲିବାକୁ ଖୁସି ଲାଗୁଥାଏ । ଅତୀବ ମନୋରମ ଯାଗା । ବାଟରେ ବହୁ କାରୁକାର୍ଯ୍ୟ ଖଚିତ ଗୀର୍ଜା, ମୋନୁମେଣ୍ଟ ଆଦି ପଡ଼ିଲା । ସବୁ ତ ଚିତ୍ରକଳାରେ ପୂର୍ଣ୍ଣ । କାହାକୁ କେତେ ଦେଖିବୁଁ ?

 

କିଛି ଦୂର ଚାଲିଲା ପରେ ଥକି ପଡ଼ିଲୁଁ । ମଧ୍ୟାହ୍ନ ଭୋଜନ ଖାଇଲାବେଳ ହୋଇ ଗଲାଣି । ତେଣୁ ଗୋଟିଏ ରେଷ୍ଟୁରାଣ୍ଟରେ ପଶିଲୁ । ରେଷ୍ଟୁରାଣ୍ଟକୁ ଫ୍ରାନ୍‌ସରେ କାଫେ କହନ୍ତି । କାଫେରେ ବେଶି ପରିମାଣରେ ଖାଦ୍ୟ ଖାଇ ପେଟକୁ ଭାରି କରିବାକୁ ଇଛା କଲୁନି । ପେଟ ଭାରି ହୋଇଗଲେ, ଆଉ ବୁଲି ହେବନି । ଖାଇସାରି ନିକଟସ୍ଥ ଏକ ପାର୍କର ବେଞ୍ଚରେ କିଛି ସମୟ ବିଶ୍ରାମ ନେଲୁ । ପାର୍କଟି ଅତୀବ ମନୋରମ । ନିକଟବର୍ତ୍ତୀ କାରଖାନା, ବ୍ୟବସାୟ ଅନୁଷ୍ଠାନରେ ଖାଇବା ଛୁଟି ହୋଇଥାଏ । ବହୁ ଲୋକ, ଶ୍ରମିକ ସାଙ୍ଗରେ ନେଇଥିବା ଲାଞ୍ଚ ଆଣି ପାର୍କର ଚେୟାରରେ ବସି ମଧ୍ୟାହ୍ନ ଭୋଜନ କରୁଥାନ୍ତି । ଫରାସୀ ଶ୍ରମିକର ଖାଇବା ଦେଖି ଦୁଃଖ ଲାଗିଲା । କିଛି ନାହିଁ, ଖାଲି ବାଡ଼ି ଭଳି ପାଉଁରୋଟିଟାଏ ଓ ମଦ ଗିଲାସେ । ଅଣ୍ଡା ନାହିଁ, ମାଂସ ନାହିଁ, କି ସେଣ୍ଡଉଇଚ୍‌ ନାହିଁ । ଖାଲି ବାଡ଼ି ଭଳି ପାଉରୋଟି ଖାଇ ପେଟ ପୂରାଇବା କଥା । ପିଇବା ପାଣି ପରିବର୍ତ୍ତରେ ଗିଲାସେ ମଦ । ଧନ୍ୟ ଏ ଜାତି, ମଦ ଖାଇ ବଞ୍ଚିଛି ମାତ୍ର ।

 

ପାରିସ୍‌ର ପାର୍କରେ ପ୍ରେମର ନାଟ୍ୟ ଯେ ନ ହୁଏ ତା ନୁହେଁ । ପାର୍କ ଭିତରେ ଯୁବକ ଯୁବତୀ ଦୁଇଜଣ ପରସ୍ପରକୁ ଚୁମ୍ବନ ଦେବା କିଛି ନୂଆ କଥା ନୁହେଁ । ପାର୍କତ ଏଥିପାଇଁ ପ୍ରକୃଷ୍ଟ ଯାଗା । ପାରିସ୍‌ର ରାସ୍ତାରେ, ରେଷ୍ଟୁରାଣ୍ଟରେ ଏମିତି ପରସ୍ପରକୁ ଚୁମ୍ବନ ଦେଉଥିବା ବହୁ ଯୁବକ ଯୁବତୀ ଦେଖିବାକୁ ପାଇବ । ଦୁହେଁ ପରସ୍ପରକୁ ଏମିତି ଭାବରେ ଚୁମ୍ବନ ଦେବାରେ ଲାଗି ଯାଇଥିବେ, ଦେଖିବା ଲୋକକୁ ଲାଜ ଲାଗିବ, ଅବଶ୍ୟ ସେମାନେ ଯଦି ଭାରତୀୟ ହୋଇଥାନ୍ତି । ଫରାସୀ ଲୋକମାନଙ୍କର ସେ ଆଡ଼କୁ ଖିଆଲ ନଥାଏ । ରେଷ୍ଟୁରାଣ୍ଟରେ ଚା ଖାଉ ଖାଉ ପରସ୍ପରକୁ ଦୁହେଁ ଏମିତି ଭାବରେ ଲାଖି ଯାଇଥିବେ ଯେ ମିନିଟ୍‌ ମିନିଟ୍‌ ଧରି କେହି କାହାକୁ ଛାଡ଼ୁ ନ ଥିବେ । ଦୁହେଁ ଦୁହିଙ୍କୁ ଚୁମ୍ବନ ଦେଉଁ ଦେଉଁ ସମ୍ଭବତଃ ଭୁଲି ଯାଇଥାନ୍ତି, ସେମାନେ ରେଷ୍ଟୁରାଣ୍ଟରେ ପରସ୍ପରକୁ ଚୁମ୍ବନ ଦେଉଛନ୍ତି କି ଆବଦ୍ଧ ଗୃହର ସୁସଜ୍ଜିତ ପଲଙ୍କ ଉପରେ ସେମାନଙ୍କର ଏହି ଚୁମ୍ବନ ଦିଆନିଆ ଚାଲିଛି । ବାଟରେ ଘାଟରେ ଦେଖିବ, ଯୁବକ ଯୁବତୀ ଦୁଇଜଣ ବାଟରେ ଯାଉଁ ଯାଉଁ ହଠାତ ରାସ୍ତାର ଗୋଟିଏ ପାଖରେ ଅଟକି ଯାଇ ଚୁମ୍ବନ ଦିଆନିଆରେ ଲାଗି ଗଲେଣି । ପାର୍କ ଆଦି କଥା ତ ଛାଡ଼ । ଏଭଳି ଚୁମ୍ବନ ଦିଆନିଆ ପାରିସ୍‌ର ବିଶେଷତ୍ଵ । ଆମେରିକାରେ ଚୁମ୍ବନ ଦିଆନିଆ ଏକ ମାମୁଲି ଘଟଣା ସତ, କିନ୍ତୁ ପାରିସ୍‌ ଭଳି ତାର ଏପରି ବିଶେଷତ୍ଵ ନାହିଁ ।

 

ନେପୋଲିୟନଙ୍କ ସମାଧି ମନ୍ଦିର-ଇନଭେଲିଡ୍‌ସ

 

ସେହି ପାର୍କରୁ ସିଧା ଗୋଟିଏ ଟେକ୍‌ସି କଲୁ ନେପୋଲିୟନ୍‌ଙ୍କ ସମାଧି ମନ୍ଦିର ଦେଖି ଯିବା ପାଇଁ । ଟେକ୍‌ସି ଡ୍ରାଇଭରକୁ ନିର୍ଦ୍ଦେଶ ଦେଲୁ ସାଇନ୍‌ନଦୀ କୂଳେ କୂଳେ ଆମକୁ ନେବାକୁ । ସାଇନ୍‌ନଦୀର କୂଳେ କୂଳେ ବହୁପ୍ରକାର କାରୁକାର୍ଯ୍ୟ ଖଚିତ ସୌଧରାଜି । ନଦୀର କୂଳେ କୂଳେ କିଛି ଦୂର ଯାଇଁ ବାଁ ଆଡ଼କୁ ଭାଙ୍ଗି ଇନ୍‌ଭେଲିଡସ୍‌ଠାରେ ଆସି ପହଞ୍ଚିଲୁଁ । ଇନ୍‌ଭେଲିଡସ୍‌ ହେଉଛି ନେପୋଲିୟନ୍‌ଙ୍କ ସମାଧି ମନ୍ଦିର ।

 

ଫରାସୀ ଜାତିର ପୂଜ୍ୟ ନେତା ନେପୋଲିୟନ୍‌ ବୋନାପାର୍ଟଙ୍କ ମୃତ ଶରୀର ଏହି ବିରାଟ ସମାଧି ମନ୍ଦିରରେ ରଖାଯାଇ ପୂଜା ପାଉଛି । ଫରାସୀ ଜାତିର ଯେତେ କାରୁକାର୍ଯ୍ୟ, ସୂକ୍ଷ୍ମ ଗୁରୁକଳା, ସୂକ୍ଷ୍ମ ସ୍ଥାପତ୍ୟ ସବୁ କିଛି ଅଜାଡ଼ି ଦିଆଯାଇଛି ଏହି ସମାଧି ମନ୍ଦିରରେ । ସମାଧି ମନ୍ଦିର ଭିତରକୁ ପଶିଲାବେଳକୁ ଦେହ ଭିତରେ ଅପୂର୍ବ ଶିହରଣ ଖେଳି ଯାଉଥାଏ । ବିଶ୍ଵବିଖ୍ୟାତ ବୀର ନେପୋଲିୟନଙ୍କ ମୃତ ଶରୀର ଏଠି ପୂଜା ପାଉଛି । ଅପରାଜେୟ ଫରାସୀ ଯୋଦ୍ଧା, ନ୍ୟାୟ ବା ଅନ୍ୟାୟ ଯୁଦ୍ଧରେ ପରାଜିତ ହେଲେବି ଫରାସୀ ଜାତିର ପିତା ଭାବରେ ପୂଜା ପାଉଛନ୍ତି ଏଠି । ଯେଉଁ ବୀରର ଗର୍ବ ଫରାସୀ ଜାତି, ଫରାସୀ ଜାତି ଆଜି ଯା’ ପାଇଁ ଗର୍ବକରେ, ଦେଶର ସେଇ ବୀର ସନ୍ତାନ ଏଠି ଯାଇଛି ମହାନିଦ୍ରା । ନେପୋଲିୟନ୍‌ଙ୍କ ମୃତ୍ୟୁ ଇତିହାସ ରହସ୍ୟପୂର୍ଣ୍ଣ । ନେପୋଲିୟନ୍‌ ସେଣ୍ଟ୍‌ହେଲେନା ଦ୍ଵିପରେ ବନ୍ଦୀ ହୋଇ ସାଧାରଣ ରୀତିରେ ମୃତ୍ୟୁବରଣ କଲେ କି ତାଙ୍କୁ ବିଷ ଦେଇ ଇଂରେଜମାନେ ମାରିଦେଲେ, ଏବେ ବି ରହସ୍ୟ ପୂର୍ଣ୍ଣ । ଆଧୁନିକ ବୈଜ୍ଞାନିକମାନେ ଏହି ମୃତ ନେପୋଲିୟନଙ୍କ ମୁଣ୍ଡର ବାଳକୁ ପରୀକ୍ଷା କରି ମତ ଦିଅନ୍ତି ଆର୍ସେନିକ ଅକ୍‌ସାଇଡ୍‌ ନାମକ ଏକ ବିଷକୁ ଅଳ୍ପ ମାତ୍ରାରେ ତାଙ୍କୁ ଖାଇବାକୁ ଦେଇ ଧୀର ବିଷ କ୍ରିୟା ପ୍ରଭାବରେ ତାଙ୍କୁ ମରଣ ମୁଖକୁ ଠେଲି ଦିଆ ଯାଇଥିଲା । ଏବେ ବି ଏହାର ସନ୍ଦେହ ମୋଚନ ହେବା ବାକି ରହିଛି, ଇଂରେଜ ଜାତି ବନ୍ଦୀ ନେପୋଲିୟନଙ୍କୁ ହତ୍ୟା କରିଛି କି ନାହିଁ ।

 

ଆମକୁ ଯେତେବେଳେ ନେପୋଲିୟନ୍‌ଙ୍କ ମୃତ ଶରୀର ଥିବା ବାକ୍‌ସଟିକୁ ଦେଖାଇ ଦିଆଗଲା, ମୋ ମନରେ ଅନେକ ପ୍ରଶ୍ନ ଉଙ୍କିମାରି ଉଠୁଥାଏ । ଦିନେ ଯେ ପ୍ରବଳ ପ୍ରତାପୀ ଥିଲା, ଯା’ର ଯୁଦ୍ଧ ହୁଙ୍କାର ପୃଥିବୀକୁ ଚହଲାଇ ଦେଇଥିଲା, ଆଜି ସେହି ବୀର ଶାନ୍ତଭାବରେ ବିଶ୍ରାମ ନେଇଛି ଏହି ନିର୍ଜୀବ ବାକ୍‌ସଟି ଭିତରେ । ନେପୋଲିୟନ୍‌ଙ୍କ ଏହି ସମାଧି ଦେଖୁ ଦେଖୁ ମନେ ପଡ଼ିଗଲା ଲଣ୍ଡନସ୍ଥ ଟ୍ରାଫାଲ୍‌ଗାର ସ୍କୋୟାରରେ ଥିବା ନେଲସନଙ୍କ ସ୍ମୃତି ସ୍ତମ୍ଭ କଥା । ସେଠି ଦେଖିଥିଲୁ ନେଲସନଙ୍କ ସ୍ମୃତି ଏଠି ନେପୋଲିୟନଙ୍କ ସମାଧି । ପ୍ରଥମ ଜଣକ ବିଜେତା । ଏ ବିଜେତା, କିନ୍ତୁ ନେପୋଲିୟନଙ୍କ ସମାଧି ଆଗରେ ନେଲସନଙ୍କ ସ୍ମୃତି ସ୍ତମ୍ବ କିଛି ନୁହେଁ । ଫରାସୀ ଜାତିର ବୀର ପୂଜା ଅଦ୍ଵିତୀୟ ।

 

ସମାଧି ମନ୍ଦିରର ବିଭିନ୍ନ ଅଂଶ ବୁଲି ଦେଖିଲୁ । କ’ଣ ଦେଖିବୁ ଚାରିଆଡ଼େ ତ ସୂକ୍ଷ୍ମକଳା-। କଳାପ୍ରେମୀ ହୋଇଥିଲେ ଆମଠାରୁ ଅଧିକ ଖୁସି ହୋଇଥାନ୍ତେ ଏହାକୁ ଦେଖି । ଏହି ସ୍ମୃତି ମନ୍ଦିରର ଗୋଟିଏ ପାଖରେ ନେପୋଲିୟନଙ୍କ ବ୍ୟବହୃତ ପୋଷାକପତ୍ର ଆଦିର ଏକ ଯାଦୁଘର ଅଛି । ସେଠାକୁ ଯିବାପାଇଁ ଟିକଟ କରିବାକୁ ପଡ଼େ । ଯେତେବେଳେ ସମାଧି ମନ୍ଦିର ବୁଲି ଆସିଛୁ, ଏହାକୁ ନ ଦେଖିବୁ ବା କେମିତି ? ଟିକଟ କରି ଭିତରକୁ ପଶିଲୁ । ନେପୋଲିୟନଙ୍କ ବ୍ୟବହୃତ ସବୁକିଛି ପଦାର୍ଥ ଏଠି ସାଇତା ହୋଇ ରଖାହୋଇଛି । ବଡ଼ ଅପୂର୍ବ ବୀର ପୂଜକ ଫରାସୀଜାତି-। ସାମାନ୍ୟ ଜଣେ ଯୋଦ୍ଧାର ସମାଧି ମନ୍ଦିରକୁ ସେମାନେ କରି ଦେଇଛନ୍ତି ଆମ ଦେଶର ଶ୍ରୀକ୍ଷେତ୍ର-। ପ୍ରତିଦିନ ହଜାର ହଜାର ଯାତ୍ରୀ ଆସୁଛନ୍ତି, ଆମ ଶ୍ରୀକ୍ଷେତ୍ରଭଳି । ଜାତିର ସମ୍ମାନ, ଜାତିର ଅର୍ଘ୍ୟ ସବୁକିଛି ଟେକୁଛନ୍ତି ପ୍ରତିଦିନ ଏହି ବୀରର ଚରଣ ତଳେ ।

 

ନେପୋଲିୟନଙ୍କ ସମାଧି ମନ୍ଦିର ଦେଖିସାରି ସେଠାରୁ ବାହରିଲୁ । ସେଠାରୁ ପେଲେସ ବୋବୋର୍ଣ୍ଣ ଦେଖି ପାରିସ୍‍ର ସୁବିଖ୍ୟାତ ପେସଚିୟର ଇନ୍‌ଷ୍ଟିଚିଉଟ ଦେଖିଯିବା କଥା । ପୁଅ ବାବୁଲି ଚାଲି ଚାଲି ସମାଧି ମନ୍ଦିରର ଫାଟକ ପର୍ଯ୍ୟନ୍ତ ଆମ ସହିତ ଆସୁଥିଲା, ହଠାତ୍‌ ହାମୁଡ଼ିପଡ଼ି ତଳେ ପଡ଼ିଗଲା । ପଡ଼ିଯିବା ସଙ୍ଗେ ସଙ୍ଗେ ତା’ ମୁଣ୍ଡ ତଳେ ବାଜି ସେଥିରୁ ରକ୍ତ ବୋହିବାକୁ ଲାଗିଲା । ତା’ର ରକ୍ତ ବୋହିବାକୁ ଲାଗିଲା । ତା’ର ରକ୍ତ ବୋହିବା ଦେଖି ଆମେ ସମସ୍ତେ ତାଟଙ୍ଗା-। କ’ଣ କରିବୁ, ଭାବି ପାରିଲୁନି । ସୌଭାଗ୍ୟ ବଶତଃ ସ୍ତ୍ରୀ ତାଙ୍କ ହେଣ୍ଡ୍‌ ବେଗରେ କେତେଗୁଡ଼ିଏ ଫାର୍ଷ୍ଟଏଡ଼୍‍ ଜିନିଷ ରଖିଥିଲେ । ତେଣୁ ସେ ବୋହୁଥିବା ରକ୍ତ ପୋଛିଦେଇ ଏଣ୍ଟିସେପଟିକ ଟେପ୍‌ଟିଏ ସେଠାରେ ଲଗାଇ ଦେଲେ । ପଡ଼ିଗଲା ପରେ ଭାରି ଜୋରରେ କାନ୍ଦୁଥିଲା, କିନ୍ତୁ ଟେପ୍‌ ଲଗାଇଦେଲା ପରେ ପୁଣି ହସ । ତା’ମନରେ ଆନନ୍ଦ, ଆଉ ତା’ର ଘା ହେବନି । ଆଗକୁ ଭାବି ଏସବୁ ଜିନିଷ ସ୍ତ୍ରୀ ଯଦି ସଙ୍ଗରେ ନେଇ ନ ଥାନ୍ତେ, ଆମେ ସେଦିନ କେତେ ଯେ ହଇରାଣ ହୋଇଥାନ୍ତୁ, ତା’ର ଇୟତ୍ତା ନାହିଁ ।

 

ପୁଅର ଏମିତି ଦୁର୍ଘଟଣା ହେବାରୁ ଆଉ ପେସ୍‌ଚିୟର ଇନ୍‌ଷ୍ଟିଚିଉ୍‌ଟକୁ ଯିବାକୁ ଇଛା କଲୁନି । ବୁଲି ବୁଲି ଏଡ଼େ ହାଲିଆ ଲାଗିଲାଣି ଯେ ହୋଟେଲକୁ ଫେରିବା ମନସ୍ଥ କଲୁ । ଯଦି ପରଦିନ ବେଳହୁଏ, ତେବେ ପେସ୍‌ଚିୟର୍‌ ଇନଷ୍ଟିଚିଉଟ ଅଭିମୁଖେ ଯିବୁ ।

 

ପେସ୍‌ଚିୟର ଇନଷ୍ଟିଚିଉଟ

 

ପାରିସ୍‌ ସହରରେ ପ୍ରଧାନ ଆନ୍ତର୍ଜାତିକ ବୈଜ୍ଞାନିକ ଅନୁଷ୍ଠାନ ହେଉଛି ଏହି ପେସ୍‌ଚିୟର ଇନଷ୍ଟିଚିଉଟ । ପୃଥିବୀ ବିଖ୍ୟାତ ଏହି ଅନୁଷ୍ଠାନଟି ଫରାସୀ ବୈଜ୍ଞାନିକ ଲୁଇ ପେସ୍‌ଚିୟରଙ୍କ ନାମ ଅନୁସାରେ ନାମିତ । ଏହା ପ୍ରତିଷ୍ଠିତ ହୋଇଥିଲା ୧୮୮୮ ମସିହାରେ । ଜଳାତଙ୍କ ରୋଗ ଆଦି ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏହି ଅନୁଷ୍ଠାନଟି ଫ୍ରାନ୍‌ସର ଜନସାଧାରଣଙ୍କ ଚାନ୍ଦାରେ ତିଆରି ହୋଇଛି । ପେସ୍‌ଚିୟର ୧୮୯୫ ମସିହାରେ ମରିବା ପୂର୍ବରୁ ଏହି ଅନୁଷ୍ଠାନଟି ସହିତ ସଂପୃକ୍ତଥିଲେ । ବିଭିନ୍ନ ରୋଗ ସମ୍ବନ୍ଧୀୟ ଅତି ଉନ୍ନତ ଧରଣର ଗବେଷଣା ପାଇଁ ଏହି ଅନୁଷ୍ଠାନଟି ପୃଥିବୀ ପ୍ରସିଦ୍ଧ । ଏହା ନେପୋଲିୟନଙ୍କ ସମାଧି ମନ୍ଦିରଠାରୁ ବେଶି ଦୂର ନୁହେଁ । ଟେକ୍‌ସିରେ ଗଲେ ପନ୍ଦର ମିନିଟ ବି ଲାଗିବନି । ପରଦିନ ସକାଳେ ଏଠାକୁ ଯିବା ଠିକ୍‌କରି ହୋଟେଲ ଅଭିମୁଖେ ଫେରିଲୁ ।

 

ହୋଟେଲକୁ ଫେରି ଆମେ ଏକ ଶୁଭ ଖବର ପାଇଲୁ । ଓର୍‌ଲି ଉଡ଼ାଜାହାଜ ଘାଟିରେ ଥିବା ବି. ଇ. ଏ. କୋମ୍ପାନୀର କର୍ମକର୍ତ୍ତାମାନେ ଆମ ହୋଟେଲକୁ ଫୋନ କରିଥାନ୍ତି ଯେ ଆମ ହଜି ଯାଇଥିବା ସୁଟକେଶ୍‌ଟି ମିଳି ଯାଇଛି । ଏହା ଭୁଲରେ ଅନ୍ୟ ଏକ ଉଡ଼ାଜାହାଜ ଘାଟିକୁ ଚାଲି ଯାଇଥିଲା । ସେମାନେ ଆସନ୍ତା କାଲି ଆମ ସୁଟକେଶ୍‍ଟି ହୋଟେଲରେ ଆଣି ପହଞ୍ଚାଇ ଦେବେ । ଆମର ସେଥିପାଇଁ ଆଉ ଚିନ୍ତା କରିବା ଦରକାର ନାହିଁ ।

 

ଖବରଟି ଶୁଣି ମନ ଖୁସି ହୋଇଗଲା । ଯାହାହେଉ, ସୁଟକେଶଟି ଆମର ହଜିନାହିଁ । ମନେ ମନେ ବି. ଇ. ଏ. କୋମ୍ପାନୀର କର୍ମକର୍ତ୍ତାମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଲୁ । ଯାହା ହେଉ, ଚାରିଆଡ଼େ ଖୋଜାଖୋଜି କରି ଜିନିଷଟି ପାଇଲେ । ସୁଟକେଶ୍‍ଟି ନପାଇଲା ପର୍ଯ୍ୟନ୍ତ ଆମ ମନ ଥୟ ଧରୁ ନ ଥାଏ । ଯେତେବେଳେ ସେମାନେ କହିଛନ୍ତି ନିଶ୍ଚୟ ପହଞ୍ଚାଇ ଦେବେ । ଆମର ଆଉ ବ୍ୟସ୍ତ ହୋଇ ଲାଭ ନାହିଁ ।

 

ତହିଁ ପରଦିନ ସେପ୍‌ଟେମ୍ବର ମାସ ଦଶ ତାରିଖ । ପାରିସ୍‌ ବୁଲିବା ପାଇଁ ଏହି ଦିନଟି ପୂରା ଆମ ହାତରେ ଥାଏ । ପାରିସ୍‌ର ଯାହା ଯାହା ଦର୍ଶନୀୟ ସ୍ଥାନ ଥିଲା, ପ୍ରାୟ ଦେଖି ସାରିଲୁଣି-। ତେବେ ପାରିସ୍‍ର ବଜାର ବୁଲା ଓ ଥିଏଟର୍‌ ଅପେରା ଆଦି ଦେଖା ବାକିଥାଏ-। ତେଣୁ ପ୍ରାତଃକର୍ମ ସାରି ବଜାର ବୁଲିବା ଉଦ୍ଦେଶ୍ୟରେ ବାହାରି ପଡ଼ିଲୁଁ ।

 

ପାରିସ୍‌ରେ ବଜାର ବୁଲା

 

ପାରିସ୍‌ର ରାସ୍ତାଗୁଡ଼ିକ ଯେମିତି ସୁନ୍ଦର, ବଜାରଗୁଡ଼ିକ ତା’ଠାରୁ ଅଧିକ ସୁନ୍ଦର । ପାରିସ୍‌ ସହରରୁ କିଛି ଗୋଟାଏ ନ କିଣିଲେ ହେବନି । ପାରିସ୍‌ର ଦୋକାନଗୁଡ଼ିକର ସାଜସଜ୍ଜା ଅତୀବ ମନୋରମ । ଗୋଟିଏ ଗୋଟିଏ ଦୋକାନକୁ ପଶିଲାବେଳକୁ ବାହାରିବାକୁ ମନ ହେଉ ନଥାଏ । ପଶିଗଲା କ୍ଷଣି ଦେଖାଇବା ପାଇଁ ଦୋକାନୀ ଓ ସେଲ୍‌ସ ଗାର୍ଲମାନେ ଘେରି ଆସୁଥାନ୍ତି । ପାରିସ୍‌ର କ’ଣ ବା ଦେଖିବ । ପୋଷାକ ଦୋକାନକୁ ପଶିଗଲେ ପୋଷାକପତ୍ରର ଫେସନ ଦେଖୁଁ ଦେଖୁଁ ଦିନ ଚାଲିଯିବ । ଯେଉଁ ସହର ପୃଥିବୀର ସବୁପ୍ରକାର ଫେସନର ସ୍ରଷ୍ଟା, ସେହି ସହରର ଫେସନ ଆମେ କ’ଣ ବା ଦେଖିବୁଁ ? ପୋଷାକପତ୍ରର ଫେସନ ଯେମିତି ଉଚ୍ଚକୋଟୀର, ଦାମ ମଧ୍ୟ ସେମିତି ଅଧିକ । ଗୋଟିଏ ଗୋଟିଏ ଦୋକାନରେ କୋଟି କୋଟି ଟଙ୍କାର ପୋଷାକ ରହିଛି । ଦୋକାନ ଭିତରକୁ ଗଲାବେଳକୁ ଆଖି ଝଲସି ଯାଉଥାଏ । ଆମେ ତ ପୋଷାକପତ୍ର କିଛି କିଣିବା ମତଲବରେ ନଥାଉ, ପୋଷାକପତ୍ରର ଦାମ ଓ ଫେସନ ଦେଖି ନିଜ ଅଭିଜ୍ଞତାକୁ ବଢ଼ାଇବା କଥା ।

 

ପୋଷାକପତ୍ର ଦୋକାନରୁ ଯାଇ ଆମେ ଯେତେବେଳେ ଗୋଟିଏ ଅତର ଦୋକାନରେ ପଶୁଁ, ଆମେ ପୋଷାକପତ୍ର ଦେହ ହାତ ନାନାପ୍ରକାର ବାସନାରେ ମହକି ଉଠିଲା । ଶହ ଶହ ପ୍ରକାର ଅତର ବିଭିନ୍ନ ମୂଲ୍ୟର । ଶିଶି କୋଡ଼ିଏ ପଚିଶି ଟଙ୍କାଠାରୁ ହଜାର ହଜାର ଟଙ୍କା ମୂଲ୍ୟର ଦାମିକା ଦାମିକା ଅତର ଅଛି । କିଛି ତ ଗୋଟିଏ କିଣିବାକୁ ହେବ, ଦେଖି ଦେଖି ‘Evening in Paris’ ଅତରଟିଏ କିଣିଲୁଁ । ଏହି ଅତରଟି କିଣିବାର ଉଦ୍ଧେଶ୍ୟ ହେଉଛି ପାରିସ୍‌କୁ ମନେ ରଖିବା-। ପାରିସ୍‌ର ସବୁଠାରୁ ଦେଖିବା ଜିନିଷ ହେଉଛି ଥିଏଟର, ଅପେରା ଆଦି । କଥାରେ ଅଛି ଜୀବନକୁ ଉପଭୋଗ କରିବ ତ ପାରିସ୍‌କୁ ଆସ । ପାରିସ୍‌ ସହରର ଅସଂଖ୍ୟ ନାଚଘର ଓ ନାଇଟ କ୍ଲବରେ ଗୀତ, ନାଚର ଅସରନ୍ତି ସ୍ରୋତ ଛୁଟିଛି । ଥରେ ସେ ସବୁର ପାଖ ମାଡ଼ିଲେ, ମତୁଆଲା ହେବାକୁ ବେଶି ଡେରି ଲାଗିବନି । କଳା ଓ କୃଷ୍ଟିର ଅପରୂପ ଚାତୁରୀ ନେଇ ପାରିସ୍‌ର ଥିଏଟର ଗଢ଼ି ଉଠିଛି । ଫରାସୀ ଭାଷା ନ ବୁଝିଲେହେଁ ପୃଥିବୀର ଚାରିଆଡ଼ୁ ବହୁ ଲୋକ ଏହି ଥିଏଟର ଦେଖିବାକୁ ଆସନ୍ତି । ବର୍ଷର ସବୁଦିନେ ଏହି ଥିଏଟର ଅତି ବିଖ୍ୟାତ । ପାରିସ୍‍ର ଥିଏଟର ଦେଖିବାକୁ ଇଛା ଥିଲେ ହେଁ ପିଲାମାନେ ଥିଏଟରରେ କାଳେ ଶୋଇ ପଡ଼ିବେ, ଏହି ଭୟରେ ଆମେ ପାରିସ୍‌ ଥିଏଟର ଦେଖିଗଲୁନି । ତା’ଛଡ଼ା ଫରାସୀ ଭାଷା ତ ଆମକୁ ଜଣା ନାହିଁ-। ଥିଏଟରର କ’ଣ ଯେ ଆମେ ଉପଭୋଗ କରିବୁ, ସେଥିରେ ଯଥେଷ୍ଟ ସନ୍ଦେହ ଥାଏ-। ତେଣୁ ପାରିସ୍‌ର ବଡ଼ ବଡ଼ ଦୋକାନ, ବଜାର ନାମଜାଦା ରାସ୍ତା, ସଡ଼କରେ ବୁଲାବୁଲି ଶେଷ କରି ହୋଟେଲକୁ ଫେରି ଆସିବାକୁ ମନସ୍ଥ କଲୁ । ତେଣେ ମନ ଉଚ୍ଛନ୍ନ ହେଉଥାଏ, ଏୟାରପୋର୍ଟରୁ ଆମ ସୁଟକେଶ୍‌ଟି ଚାଲିଆସିଥିଲା କି କଅଣ ? ସୁଟକେଶ୍‌ ଭିତରେ ଆମ ଜିନିଷପତ୍ର ସବୁ ଠିକ୍‌ଠାକ୍‌ ଅଛି କି କଅଣ ନ ଦେଖିବା ପର୍ଯ୍ୟନ୍ତ ମନ ସ୍ଥିର ହେଉ ନ ଥାଏ । ତେଣୁ ଆଉ କାଳବିଳମ୍ବ ନ କରି ହୋଟେଲ ଅଭିମୁଖେ ଫେରି ଆସିଲୁ ।

Image

 

Unknown

ପାରିସ୍‌ର ରାତ୍ରି ଜୀବନ

 

ପାରିସ୍‌ର ରାତ୍ରି ଜୀବନ, ରାତ୍ରି ବିହାର ଅତୀବ ଚମତ୍କାର ବୋଲି ଅନୁଭବିମାନେ କହନ୍ତି-। ଜୀବନ ଅଶାନ୍ତି ଲାଗୁଛି, ରାତ୍ରିରେ ପାରିସ୍‌ର ରାସ୍ତାରେ ଘେରାଏ ବୁଲି ଆସ, ଦେଖିବ ଅଶାନ୍ତି ନାହିଁ । ଅଶାନ୍ତି ମନ ଶାନ୍ତ ଲାଗିବ । କଥାରେ କହନ୍ତି ଜଣେ ଯଦି ଆତ୍ମହତ୍ୟା କରିବାକୁ ସାଇନ୍‌ ନଦୀକୁ ଯାଏ, ତେବେ ସାଇନ ନଦୀ ଓ ପାରିସ୍‌ରେ ସୌନ୍ଦର୍ଯ୍ୟରେ ମୋହିତ ହୋଇ ସେ ଆତ୍ମହତ୍ୟା ନ କରି ଫେରି ଆସିବ । କିଛି କାମ ନାହିଁ, ଘେରାଏ ବୁଲି ଆସ ପାରିସ୍‌ର ଏଭିନିଉମାନଙ୍କରେ, ମନେ ହେବ, ସେମପେନ୍‌ଠାରୁ ଅଧିକ ମନୋରମ ।

 

ପାରିସ୍‌ରେ ରାତି କେମିତି କଟେ, ଏ କଥା ମନେ ପକାଇଲାକ୍ଷଣି କେତେ ଲୋକଙ୍କ ଦେହରେ କେତେ ପ୍ରକାର ଶିହରଣ ଖେଳିଯାଏ । ଯେଉଁମାନେ ପାରିସ୍‌ ଭ୍ରମଣର ସୁବିଧା ପାଇଛନ୍ତି, ସେମାନେ ଯେତେ ଚଞ୍ଚଳ ହୋଇ ନ ଉଠନ୍ତି, ସେମାନଙ୍କଠାରୁ ଅଧିକ ଚଞ୍ଚଳ ହୋଇ ଉଠନ୍ତି, ଯେଉମାନେ ପାରିସ୍‌ ଜୀବନର ପାଖ କେବେ ମାଡ଼ି ନାହାନ୍ତି, ଖାଲି ୟା’ ଠାରୁ ତା’ଠାରୁ କେଇପଦ କଥା ଶୁଣି ବା କେଉଁଠି ଏଣୁତେଣୁ କ’ଣ କେତେଟା ପଢ଼ି, ପାରିସ୍‌କୁ ସ୍ଵର୍ଗର ଅମରାବତୀ ସହିତ ତୁଳନା କରି ପାରିସ୍‌ର ରାତ୍ରି ସୋନ୍ଦ୍ରର୍ଯ୍ୟର ପସରା ମେଲି ନୟନର ନୀରବ ଭାଷାରେ ପଥଶ୍ରାନ୍ତ ଭ୍ରମଣକାରୀକୁ ଆମନ୍ତ୍ରଣ କରେ, ତା’ର ନୀଡ଼କୁ, ସୁଖର ଅମରାବତୀରେ ସନ୍ତରଣ କରିବାପାଇଁ । ସ୍ଵପ୍ନରେ ସର୍ବଦା ବିଭୋର ପାରିସ୍‌ ଅଧିବାସୀ ଜୀବନରେ ଆଉ କିଛି ଜାଣେନା, ଜାଣେ ମାତ୍ର, ଜୀବନର ଉପଭୋଗ, ମଦ, ମାଂସ, ଯୌନଚର୍ଯ୍ୟ । ପୃଥିବୀର ସର୍ବତ୍ର ରୂପଜୀବି ଲଳନା ପରିବର୍ତ୍ତରେ ପାରିସ୍‌ରେ ଦେଖାଦିଅନ୍ତି, ରୂପଜୀବି ଯୁବକ । ଯୌନ କ୍ଷୁଧା ମେଣ୍ଟାଇବା ପାଇଁ ପରିସର ଲଳନା ବେଶ୍ୟାଳୟକୁ ଯାଏ, ବେଶ୍ୟାଳୟରେ ବେଶ୍ୟା ନୁହେଁ ନାରୀ, ବେଶ୍ୟା ହେଉଛି ପୁରୁଷ । ପାରିସ୍‌ର ପ୍ରକୃତ ଜୀବନ ଆରମ୍ଭ ହୁଏ, ଦିନାନ୍ତରେ, ସୂର୍ଯ୍ୟାସ୍ତ ପରେ, ଏମିତି ଅସଂଖ୍ୟ କଳ୍ପନା ବହୁଲୋକଙ୍କ ମନକୁ ଆଲୋଡ଼ିତ କରିଥାଏ । ପାରିସ୍‌ର ବୁକୁ ଉପରେ ରାତ୍ରି ଯେତେ ଘନେଇ ଆସୁଥାଏ, ପାରିସ୍‌ ଜୀବନ ସେତେ ଚଞ୍ଚଳ, ସେତେ ମଧୁମୟ, ସେତେ ବେସୁରା ଜୀବନର ଜୀବନ ତନ୍ତ୍ରୀରେ ସଙ୍ଗୀତର କେତେ ଅସରନ୍ତି ମୂର୍ଚ୍ଛନା ଯେ ବହିଯାଏ, ତା’ର କଳନା ନାହିଁ । ପାରିସ୍‌ରେ ରାତ୍ରି ଜୀବନ କହିଲେ, ବୁଝାଏ ଏହିଭଳି କେତୋଟି ରସାଳ କଳ୍ପନାର ସୁନେଲି ତରଙ୍ଗ-। ପାଠକ ମନେକରେ, ଏହି ତରଙ୍ଗରେ ଝାସ ଦେବାହିଁ ଅଧିକ ଆନନ୍ଦଦାୟକ, ଯଦି ଜୀବନରେ କେବେ ପାରିସ୍‌ରେ ରାତ୍ରି ଜୀବନ ଉପଭୋଗ କରିବାର ସୁବିଧା ନ ଜୁଟେ ।

 

ପାରିସ୍‌ ସ୍ଵର୍ଗର ଅମରାବତୀ ହେଉ, ବା କଳ୍ପନାର ଅପ୍‌ସରାପୁରୀ ହେଉ, ପୃଥିବୀର ବଡ଼ ବଡ଼ ସହରଭଳି ଏହା ଏକ ମାମୁଲି ସହର । ସହରଟି କାରୁକାର୍ଯ୍ୟ, ଚାରୁକଳା, ସ୍ଥାପତ୍ୟରେ ପୃଥିବୀର ବହୁ ସହରକୁ ପରାସ୍ତ କରୁଥିଲେହେଁ, ସହର ସମ୍ପର୍କରେ ସ୍ଵପ୍ନବିଳାସୀ ବା କଳ୍ପନା ବିଳାସୀ ହେବାର ଅବଶ୍ୟକତା କିଛି ନାହିଁ । ପାରିସ୍‌ର ରାତ୍ରି ସୌନ୍ଦର୍ଯ୍ୟ ମନ ମୃଗଧକର, କାରଣ ଆଲୋକର ସାଜସଜ୍ଜା ଏତେ ବେଶି ଯେ, ଯେ କେହି ଲୋକକୁ ଏହା ମୃଗ୍‌ଧ କରିବ । ସାଇନ୍‌ ନଦୀଠାରୁ ଆରମ୍ଭ କରି ପାରିସ୍‌ର ଅସଂଖ୍ୟ ଦର୍ଶନୀୟ ବସ୍ତୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ ହୋଇ ଉଠେ, କୃତ୍ରିମ ଆଲୋକର ଅତ୍ୟଧିକ ସାଜସଜ୍ଜା ହେତୁ । ପାରିସ୍‌ରେ ରାତ୍ରି କହିଲେ, ସାଧାରଣ ଲୋକଠାରୁ ଅଧିକ କିଛି ଶୁଣିବା ସମ୍ବବପର ନୁହେଁ । ପାରିସ୍‌ର ପ୍ରକୃତ ରାତ୍ରି ଜୀବନ ଏଇଥିପାଇଁ ପ୍ରସିଦ୍ଧ ନୁହେଁ । ଏହା ପଛରେ ରହିଛି, କଳଙ୍କ କାଳିମାର ଇତିହାସ, ଯା’କୁ କି କଳା, କୃଷ୍ଟି, ନାମ ଦେଇ କେତେକ ଲୋକ ଏହାର ଗୁଣଗାନ କରିବାକୁ ପଛାନ୍ତି ନାହିଁ । ସେଇ ହେଉଛି ପ୍ରକୃତରେ ପାରିସ୍‌ର ରାତ୍ରି ଜୀବନ । ଉପରକୁ ବେଶ୍‌ ଲୋଭନୀୟ ଦିଶିଲେ ହେଁ ନୈତିକତା ଦୃଷ୍ଟିରୁ ଏହାକୁ ଘୃଣା ଚକ୍ଷୁରେ ନ ଦେଖି ରହି ହେବନି ।

 

ପାରିସ୍‌ ଯେଉଁମାନେ ଯାଆନ୍ତି, ସେମାନେ ଏହି ରାତ୍ରି ଜୀବନ ପ୍ରତି ଆକୃଷ୍ଟ ନ ହୋଇ ରହିପାରନ୍ତି ନାହିଁ । ପାରିସ୍‌ରେ ଜୀବନ ଉପଭୋଗର ଯେଉଁ ହୀନ ଲାଳସା ଥାଏ, ତାହା କେବଳ ଏହି ରାତ୍ରି ଜୀବନର ଉପଭୋଗ ଚରିତାର୍ଥ କରିବା ପାଇଁ । ଏଥିପାଇଁ ପୃଥିବୀର କେତେଆଡ଼ୁ, କେତେ ଧନୀ, କେତେ ରଜା, ମହାରାଜା, ଯେ ଏହି ନଗରୀକୁ ବର୍ଷର କେତୋଟି ଦିନରେ ଧାଇଁ ଆସନ୍ତି ତାର କଳନା ନାହିଁ । ସେମାନେ ଆସନ୍ତି କେବଳ ଏକ ନିର୍ଲଜ୍ଜ, ନୈତିକତାହୀନ, ଜୀବନର ଉପଭୋଗ ପାଇଁ । କିନ୍ତୁ ଆମର ଯେଉଁ ତିନୋଟି ରାତ୍ରି ପାରିସ୍‌ରେ କଟିଥିଲା, ତାହାର ଧାରା ଥିଲା ସ୍ଵତନ୍ତ୍ର । ପାରିସ୍‌ର ରାସ୍ତାରେ ବୁଲି, ଅପରୂପ ଆଲୋକ ସଜ୍ଜାର ରୂପସମ୍ଭାର ଦେଖିବା ହିଁ ଥିଲା ଆମର ପାରିସ୍‌ର ରାତ୍ରି ଅନୁଭୂତି ।

 

ପାରିସ୍‌ର ପ୍ରକୃତ ଲୋମହର୍ଷଣ ରାତ୍ରି ଅନୁଭୂତି କଥା ଶୁଣିଲେ, ମନ ଘୃଣାରେ ଯେପରି ଭାବରେ ପୁରିଯାଏ, ଆଧୁନିକ ସଭ୍ୟତାପ୍ରତି ଘୃଣା ଆସେ । ଯୌନ ବ୍ୟଭିଚାର ଯଦି ଆଧୁନିକ ସଭ୍ୟତାର ମୂଳପିଣ୍ଡ ବୋଲି ଧରାଯାଏ, ତେବେ ସେଭଳି ସଭ୍ୟତା ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବାହିଁ ଶତ ଗୁଣ ଶ୍ରେୟସ୍କର ।

 

ପାରିସ୍‌ ତା’ର ଅସଂଖ୍ୟ ନାଇଟ୍‌କ୍ଲବ ପାଇଁ ପୃଥିବୀ ପ୍ରସିଦ୍ଧ । ପାରିସ୍‌ର ବିଭିନ୍ନ ଅଂଶରେ ଅସଂଖ୍ୟ ପ୍ରକାର ନାଇଟ୍‌କ୍ଲବ ଅଛି, ଯେଉଁଠି ରୀତିନୀତି, ଆବ୍‌ହାୱା । ପରସ୍ପର ଠାରୁ ଅଲଗା । ନାଇଟ୍‌କ୍ଲବ୍‌ରେ ନାଚ, ଗୀତ, ମଦର ଅସରନ୍ତି ସ୍ରୋତ ଛୁଟେ, ସମୟ ସ୍ରୋତର ଗତିଠାରୁ ଆହୁରି ଚଞ୍ଚଳ, ଆହୁରି ଆବେଗଯୁକ୍ତ ଭାବରେ । ପାରିସ୍‌ରେ ନାଇଟ୍‌କ୍ଳବର ଯଦି ଉପଯୁକ୍ତ ଧାରଣା ଅର୍ଜ୍ଜନ କରିବାକୁ ହୁଏ, ତେବେ ‘ମଲିନ ରଉଜେ’ ହେଉଛି ପ୍ରସିଦ୍ଧତମ ଯାଗା । ଏଠି କ’ଣ ନାହିଁ, ସବୁ ଅଛି-। କଳ୍ପନାରେ ଯା’ ଦେଖି ନୟନ ତୃପ୍ତି କରିପାରିବ ନାହିଁ, ସେ ସବୁ ଏଠି ଦେଖିହୁଏ-। ତା’ଠାରୁ ଆହୁରି ମଧୁର, ପାରିସ୍‍ର ସୁବିଖ୍ୟାତ ଲାଟିନ୍‌ କ୍ଵାଟର୍‌ସ (Latin Quarters) । ସେଠିକାର ଜୀବନ ଆହୁରି ଛନ୍ଦଯୁକ୍ତ । ପାରିସ୍‌ର ଯୁବକ ଯୁବତୀମାନେ ମଦ ଖାଇ ଜୀବନ ଉପଭୋଗ କରନ୍ତି ସେଠି । ମଦ୍ୟପାନ ଭିତରେ ଦେଖାଦିଅନ୍ତି, ଥରକୁ ଥର ନୃତ୍ୟ ବାଳିକା, ଅପରୂପ ଯୌନାକର୍ଷୀ ପୋଷାକରେ । ସୁମଧୁର ବାଦ୍ୟଯନ୍ତ୍ରର ମଧୁର ମୂର୍ଚ୍ଛନା ଭିତରେ ଏହି ପାରିସ୍‌ ଲଳନାମାନେ ଯେତେବେଳେ ନୃତ୍ୟ ଗୀତରେ ଅସରନ୍ତି ସ୍ରୋତ ଛୁଟାଇ ଦିଅନ୍ତି, ସେତେବେଳେ ନୃତ୍ୟ ଉପଭୋଗକାରୀ ଦର୍ଶକର ଆତ୍ମବିସ୍ମୃତି ଘଟେ । ଜଣେ ପରେ ଜଣେ ହୋଇ ଏହି ନୃତ୍ୟରତା ଲଳନାମାନେ ଆସି ଏହି ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଧରାଦିଅନ୍ତି ଓ ସଙ୍ଗେ ସଙ୍ଗେ ନୃତ୍ୟର ଅପରୂପ ତରଙ୍ଗ ଖେଳାଇ ମୃଗ୍‌ଧ କରନ୍ତି ଦର୍ଶକଙ୍କୁ । ସେମାନଙ୍କ ସହିତ ବେଳେ ବେଳେ ଦର୍ଶକମାନଙ୍କ ଭିତରୁ ଆତ୍ମବିସ୍ମୃତି କେତୋଟି ଯୁବକ ଯୋଗ ନ ଦେଇ ରହିପାରନ୍ତି ନାହିଁ-। ସୁପ୍ରସିଦ୍ଧ କନ୍‌କନ୍‌ ନାଚ (Kan Kan Dance) ଠାରୁ ଆରମ୍ଭ କରି ଯୌନାକର୍ଷୀ ନାଚ ପର୍ଯ୍ୟନ୍ତ କେତେ କ’ଣ ଯେ ଚାଲେ, ତା’ର କଳନା ନାହିଁ । ଉନ୍ନୁକ୍ତ ଦେହରେ ଦେହାଭରଣର କଦର୍ଯ୍ୟ ଅଭାବ ଭିତରେ, ଉନ୍ମୁକ୍ତ ବକ୍ଷରେ ଉରଜର ବିନମ୍ର ନିବେଦନ, ଦର୍ଶକକୁ ପାଗଳ କରିପକାଏ । ସେତିକିରେ ଲାଟିନ୍‌ କ୍ଵାଟର୍‌ସର ଶ୍ରୀ ପୂର୍ଣ୍ଣ ହୁଏନି । ନାଚୁ ନାଚୁ, ସେହି ଅର୍ଦ୍ଧ ଉଲଗ୍ନ ଲାଳନମାନେ ଧୀରେ ଧୀରେ ନିଜ ଦେହରେ ଯା’ କିଛି ସ୍ୱଳ୍ପ ଆଭରଣ ଥାଏ, ତାକୁ ଗୋଟି ଗୋଟି କରି ନାଚ ଭିତରେ ବାହାର କରି ନିଜର ଉଲଗ୍ନ, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖାଇବାକୁ କୁଣ୍ଠାବୋଧ କରେନି-। ସାରା ରାତ୍ରି ଏହି ଧରଣର ନାଚ ଜଣେ ପରେ ଜଣେ କରି ନୃତ୍ୟ ଲଳନାମାନେ ପରିବେଷଣ କରନ୍ତି-। ଦର୍ଶକ କି ନର୍ତ୍ତକୀ କାହାକୁ ଲଜ୍ଜା ଲାଗେନି ଏହି ଅଭିନୟ ପାଇଁ ।

 

ମଉଲିନ୍‌ରାଉଜେ ଏହାଠାରୁ କିଛି କମ୍‌ ନୁହେଁ । ପାରିସ୍‍ର ସୁବିଖ୍ୟାତ ନାଚ ହଲ ଭାବରେ ପୃଥିବୀ ପ୍ରସିଦ୍ଧ । ଏହି ନାଚ ହଲରେ ଶହ ଶହ ଦର୍ଶକ ଏକ ସଙ୍ଗରେ ବସନ୍ତି । ମଦ୍ୟପାନ ପାଇଁ କିଛି ବାଧାବିଘ୍ନ ନାହିଁ । ଯିଏ ଯେତେ ପିଲାପାରେ । ସବୁ ମାଗଣା । ମଦ ପଇସାଟି ଟିକଟ ସହିତ ଦିଆଯାଇଥାଏ । ଏହି ହଲ ଭିତରେ ଏକ ପ୍ରକାଣ୍ଟ ଷ୍ଟେଜ୍‌ । କିଛି ସମୟ ପରେ ଯେତେବେଳେ ଷ୍ଟେଜ୍‌ର ପରଦା ଉଠେ, କି ଦୃଶ୍ୟ ! ବହୁ ସଂଖ୍ୟକ ସୁନ୍ଦରୀ କଳନା ଉଲଗ୍ନ ବେଶରେ ନୃତ୍ୟରତା । ସେମାନଙ୍କ ବକ୍ଷ ଉନ୍ମୁକ୍ତ, ଅଣ୍ଟାରେ ଯା ମାତ୍ର ସାମାନ୍ୟ ଆବରଣ ଅଛି । ସେ ବି କିଛି ନୁହେଁ । ଦର୍ଶକଙ୍କ ମଧ୍ୟରେ ଯୌନକ୍ଷୁଧାକୁ ପ୍ରବଳତର କରିବା ପାଇଁ ଏକ ଘୂଣ୍ୟ ଚେଷ୍ଟା-। ପରେ ପରେ ସେମାନଙ୍କ ସହିତ ନୃତ୍ୟରତ ଯୁବକଗୁଡ଼ିଏ ଯୋଗ ଦିଅନ୍ତି । ବେଳେ ବେଳେ ଏହି ନୃତ୍ୟ ଇଡେନଙ୍କ ଉଦ୍ୟାନ, ବା ମିସରୀୟ ରାଜାଙ୍କ ଦରବାରରେ ହେବାର ଦୃଶ୍ୟ ଦେଖାଯାଏ-। କେଉଁଠି ନୃତ୍ୟରତା ଲଳନାମାନେ ଅତି ଚାକଚକ୍ୟ ପୋଷାକ ପରିଧାନ କରି ନାଚନ୍ତି ତ କେଉଁଠି ଉଲଗ୍ନ ନୃତ୍ୟ କରି ଦର୍ଶକମାନଙ୍କୁ ମୃଗ୍‌ଧ କରନ୍ତି । ବେଳେ ବେଳେ ସୁନ୍ଦରୀ ତରୁଣୀମାନଙ୍କର ଉଲଗ୍ନ ଅବସ୍ଥାରେ ଅଙ୍ଗଚାଳନା ଦର୍ଶକମାନଙ୍କୁ ପାଗଳ କରି ପକାଏ । ନାଚ ପୁଣି କେତେ ବିଭିନ୍ନ ପ୍ରକାରର । ନାଚ ଭିତରେ ଭିତରେ ଇନ୍ଦ୍ରଜାଲ କୁହୁକର ନାନାପ୍ରକାର ମେଜିକ୍‌ଖେଳ ମଧ୍ୟ ଦେଖା ଚାଲିଥାଏ ।

 

ବହୁତଗୁଡ଼ିଏ ଦୃଶ୍ୟ ଓ ନାଚ ପରେ ଆରମ୍ଭ ହୁଏ, ଫରାସୀ ଲଳନାର ସନ୍ତରଣ ନୃତ୍ୟ । ଚାହୁଁ ଚାହୁଁ ଷ୍ଟେଜ୍‌ ବୁଲିଯାଏ, ଷ୍ଟେଜ୍‌ର ଆଉ ଏକ ପାଖରେ ଦେଖାଦିଏ ଏକ ବିରାଟ କାଚଘର ଭିତରେ ସୁନ୍ଦର ଝରଣା । ଝରଣାର ଜଳ ଏହି କାଚଘରକୁ ପୂର୍ଣ୍ଣ କରେ । ନାନା ପ୍ରକାର ରଙ୍ଗିନ୍‌ ଆଲୋକ ପକାଯାଇ ଏହି କାଚଘରର ସନ୍ତରଣ ପୁଷ୍ପରିଣୀକୁ ଏକ ସ୍ଵପ୍ନପୁରୀର ରୂପ ଦିଆଯାଏ । ଧୀରେ ଧୀରେ ପାରିସ୍‌ ଲଳନାମାନେ ଏହି ଜଳ ଭିତରେ ବୁଡ଼ି ବୁଡ଼ି ନୃତ୍ୟ କରିବାକୁ ଆରମ୍ଭ କରନ୍ତି-। ଉଲଗ୍ନ ଯୁବତୀଗୁଡ଼ିଏ, ଯୌନାଙ୍ଗର ସବୁ କିଛି ଉନ୍ମୁକ୍ତ ଅବସ୍ଥାରେ ଦୃଶ୍ୟମାନ । ଏହି କାଚ କୁଣ୍ଡ ଭିତରେ ନୃତ୍ୟ କରୁଥିଲାବେଳେ ଦର୍ଶକମାନଙ୍କୁ ସେମାନଙ୍କର ପ୍ରତ୍ୟେକ ଅଙ୍ଗ ସୁସ୍ପଷ୍ଟ ଦିଶୁଥାଏ-। ସେଥିରେ ବିଭୋର ହୋଇ ଉଠନ୍ତି, ସୌନ୍ଦର୍ଯ୍ୟ ଉପଭୋଗକାରୀ କଳାକୃଷ୍ଟିର ଉପାସକମାନେ-। ପାରିସ୍‌ ରାତି ଜୀବନର ଏଇଠି ହେଉଛି ଉତ୍କର୍ଷ । କଳ୍ପନା ଆଗରେ ବାସ୍ତବ ହାର ମାନିଯାଏ ଏଠି-। ଥୋଡ଼େ କହନ୍ତି ପାରିସ୍‌ ଯଦି ଯିବ, ୟାକୁ ନ ଦେଖିବ ତ ଆଉ କ’ଣ ଦେଖିବ । ଏଇତ ହେଉଛି ପାରିସ୍‍ର ରାତ୍ରି ଜୀବନ । ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ଏହା ଚାଲେ ।

 

କି ଘୂଣ୍ୟ, କି ନିର୍ଲଜ୍ଜ ଏହି ଉପଭୋଗ । କଳା କୃଷ୍ଟି, ସଭ୍ୟତା ନାଁ ରେ କି କଳଙ୍କ ! ପାରିସ୍‌ର ଇତିହାସକୁ ଏହାତ ଗୌରବମୟ କରୁନି, କରୁଛି କଳଙ୍କିତ । ସେଥିପ୍ରତି ଦୃଷ୍ଟି ନ ଦେଇ ଉପଭୋଗକାରୀମାନେ ଉପଭୋଗରେ ହିଁ ବ୍ୟସ୍ତ । ଜୀବନର ସ୍ଵାର୍ଥକତା ନେଇ କି ଅପୂର୍ବ ସନ୍ତୋଷ ସେମାନଙ୍କର ।

 

ସେପ୍‌ଟେମ୍ବର ମାସ ତା ୧୧ ରିଖ । ସେଦିନ ସକାଳୁ ଆମର ଓର୍‌ଲି ଏୟାରପୋର୍ଟରୁ ଫ୍ରାନ୍‌ସ ଛାଡ଼ି ସୁଇଜରଲାଣ୍ଡର ଜେନିଭା ଅଭମୁଖେ ଯିବା କଥା । ଆମ ଯିବାପାଇଁ ସୁଇସ୍‌ଏୟାର କୋମ୍ପାନିରେ ଏକ ଉଡ଼ାଜାହାଜରେ ସିଟ ରିଜର୍ବ ହୋଇଥାଏ । ତେଣୁ ସକାଳ ହେଲାକ୍ଷଣି ଆମେ ପ୍ରାତଃ କର୍ମ ଶେଷ କରି ସଅଳ ସଅଳ ହୋଟେଲରୁ ଟେକ୍‌ସି କରି ସିଧାସଳଖ ଓର୍‌ଲି ଏୟାରପୋର୍ଟ ଅଭିମୁଖରେ ବାହାରି ପଡ଼ିଲୁ । ତିନିଦିନ ଧରି ପାରିସ୍‍ରେ ବୁଲାବୁଲି କରି ପାରିସ୍‍ର ଯେଉଁ ଅବିସ୍ମରଣୀୟ ସ୍ମୃତି ଆମ ମନରେ ରହିଥାଏ, ସେହି ସ୍ମୃତିଟିକକ ହିଁ ଆମର ଅସଲ ସମ୍ପଦ । ଆଉ ଘଣ୍ଟାଏ ଦୁଇଘଣ୍ଟା ପରେ ପାରିସ୍‌ ତା’ ସ୍ଥାନରେ ପଡ଼ି ରହିଥିବ, ଆମେ ଯାଇଁ ଆଉ କେଉଁଠି । ଏହି ସ୍ମୃତି ଟିକକ ହିଁ ଆମର କେବଳ ସମ୍ପଦ । ଅବଶ୍ୟ ପାରିସ୍‌ର ଅସୁମାରି ସୌନ୍ଦର୍ଯ୍ୟକୁ ଆମେ ଆମ ସ୍ଥିର ଓ ଚଳଚିତ୍ର କେମେରାରେ ଲିପିବଦ୍ଧ ନ କରି ଛାଡ଼ି ନ ଥାଉଁ । ଭବିଷ୍ୟତରେ ଏହି ଚଳଚିତ୍ର ହିଁ ଆମ ମନରେ ପାରିସ୍‍ର ଅପୂର୍ବ ସ୍ମୃତିକୁ ଜାଗରୁକ କରିପାରିବ ।

Image

 

ଇଉରୋପର ଶ୍ରେଷ୍ଠ ଅବସର ବିନୋଦନ କେନ୍ଦ୍ର-ଜେନିଭା

 

ପାରିସ୍‌ର କାମ୍ବରାଇ ହୋଟେଲ ଛାଡ଼ି ଓର୍‌ଲି ଏୟାରପୋର୍ଟ ଅଭିମୁଖେ ରମାନା ହେଲାବେଳେ ହକିଥିବା ସୁଟକେଶ୍‌ଟି ମିଳିଯାଇଥିବାରୁ ମନ ବେଶ୍‌ ଆନନ୍ଦ । ଠିକ୍‌ ତିନି ଦିନ ତଳେ ଓର୍‌ଲି ଏୟାରପୋର୍ଟରୁ କାମ୍ବରାଇ ହୋଟେଲକୁ ଗଲାବେଳେ କି ମନ ଦୁଃଖ । ସୁଟକେଶ୍‌ଟି ପାଇଁ ଆମ ମନ ଏତେ ଦୁଃଖ ହୋଇଥାଏ ଯେ, ପାରିସ୍‌ ସହରକୁ ଆସିଲାବେଳେ ଆମେ ଚାରିପାଖର ସୁନ୍ଦର ଦୃଶ୍ୟ ଆମ ଆଖିରେ ପଡ଼ିନି । ବି. ଇ. ଏ. ଉଡ଼ାଜାହାଜ କୋମ୍ପାନୀ ଉପରେ ଆମର ଯେଉଁ ରାଗ ହେଉଥିଲା ତା’ ଆଉ ନ ଥାଏ । ଅବଶ୍ୟ ଆମର ଜେନିଭା ଯାତ୍ରାପାଇଁ ସିଟ୍‌ ରିଜର୍ବ ହୋଇଥାଏ । ସୁଇସ୍‌ଏୟାର କୋମ୍ପାନୀରେ । ଏହି କୋମ୍ପାନୀର ଏକ ଜାହାଜରେ ଆମେ ଫ୍ରାନ୍‌ସରୁ ସୁଇଜରଲାଣ୍ଡ ଯିବୁଁ । ଲୋକେ କହନ୍ତି, You have not seen Europe, if you have not seen Switzerland. ଅର୍ଥାତ “ତୁମେ ଯଦି ସୁଇଜରଲାଣ୍ଡ ଦେଖିନାହଁ, ତେବେ ଇଉରୋପ ଦେଖିନାହିଁ ।” ତେଣୁ ଯେଉଁ ଇଉରୋପରେ ସୁଇଜରଲଣ୍ଡର ଖ୍ୟାତି ଏଡ଼େ, ତାକୁ ନ ଦେଖିବ ବା କିଏ ?

 

ସୁଇଜରଲାଣ୍ଡ ଇଉରୋପରେ ଏକ ଛୋଟ ରାଜ୍ୟ ହେଲେ ହେଁ ସୌନ୍ଦର୍ଯ୍ୟ, ଆଧୁନିକତା, ଶିକ୍ଷା ସଭ୍ୟତାରେ ପୃଥିବୀର ବହୁ ରାଜ୍ୟକୁ ଏହା ବଳି ଯାଇଛି । ଇଉରୋପର ବହୁ ରାଜ୍ୟଭଳି ଏହା ଏକ ସ୍ଵାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର । ଏହା ଆମ ଦେଶ ଭାରତବର୍ଷଭଳି ଏକ ନିରପେକ୍ଷରାଷ୍ଟ୍ର ଭାବରେ ପରିଗଣିତ ହୁଏ । ଏହାର ଲୋକ ସଂଖ୍ୟା ମୋଟେ ୫୧ ଲକ୍ଷ, ନିଉୟର୍କ ସହରର ଲୋକସଂଖ୍ୟାଠାରୁ ବି କମ୍‌ । ଏହି ରାଜ୍ୟର ଆକାର ମୋଟେ ପନ୍ଦର ହଜାର ବର୍ଗମାଇଲ-। ଏହି ଦେଶର ମୁଦ୍ରା ହେଉଛି ସୁଇସ୍‌ଫ୍ରାଙ୍କ୍‌ । ଗୋଟିଏ ସୁଇସ୍‌ଫ୍ରାଙ୍କ୍‌ ଆମେରିକାର ୨୩ ସେଣ୍ଟ୍‌ ସହିତ ସମାନ । ଗୋଟିଏ ଡଲାର ଚାରୋଟି ସୁଇସ୍‌ଫ୍ରାଙ୍କ୍‌ଠାରୁ ଟିକିଏ ବେଶି ।

 

ସୁଇଜରଲାଣ୍ଡ ଏହାର ତୁଷାର ମଣ୍ଡିତ ପର୍ବତମାଳା ପାଇଁ ପ୍ରସିଦ୍ଧ । ଏହି ରାଜ୍ୟରେ ପାହାଡ଼ ଶ୍ରେଣୀ ଭିତରେ ଯେଉଁ ଅସଂଖ୍ୟ ହ୍ରଦ ଅଛି, ଏହି ରାଜ୍ୟର ସୌନ୍ଦର୍ଯ୍ୟ ବୃଦ୍ଧିରେ ଏଗୁଡ଼ିକ କମ୍‌ ସାହାଯ୍ୟ କରୁନି । ଏହି ରାଜ୍ୟଟି ଫ୍ରାନ୍‌ସକୁ ଲାଗିଛି । ଏହି ରାଜ୍ୟରେ ଆଲପସ୍‌ ପର୍ବତମାଳର ଦୃଶ୍ୟ ଅତୀବ ମନୋରମ । ଆଲପସ୍‌ ପର୍ବତମାଳର ସବୁଠାରୁ ସୁନ୍ଦର ଗିରିଶୃଙ୍ଗ ହେଉଛି, ମାଉଣ୍ଟ ବ୍ଲେଙ୍କ । ଏହା ପ୍ରାୟ ଷୋଳ ହଜାର ଫୁଟ ଉଚ୍ଚା । ଏହା ଫ୍ରାନ୍‌ସ, ସୁଇଜରଲାଣ୍ଡ ଓ ଇଟାଲୀର ମିଳନ ସ୍ଥାନଠାରୁ ଅଳ୍ପ ଦୂରରେ ଫ୍ରାନ୍‌ସ ରାଜ୍ୟ ଭିତରେ ଅବସ୍ଥିତ । ଏହି ଗିରିଶୃଙ୍ଗଟି ଜେନିଭାଠାରୁ ବେଶି ଦୂର ନୁହେଁ । ତେଣୁ ଗିରିଶୃଙ୍ଗଟି ଦେଖିବାକୁ ହେଲେ ଜେନିଭା ପାଖରୁ ଯିବା କଥା ।

 

ସୁଇଜରଲାଣ୍ଡର ବିଭିନ୍ନ ସୁନ୍ଦର ସୁନ୍ଦର ସହର ଦେଖ ବା ନ ଦେଖ, ଏହା ଭିତରେ ଥିବା ପୃଥିବୀର ଉଚ୍ଚତମ ରେଲୱେରେ ବସି ଦେଖିବାକୁ ଯେମିତି ନ ଭୁଲ । ଏହି ରେଳଗାଡ଼ିରେ ବସି ବୁଲିବା କମ୍‌ ଆନନ୍ଦଦାୟକ ନୁହେଁ । ପୃଥିବୀର ସବୁଠାରୁ ଉଚ୍ଚତମ ସ୍ଥାନରେ ଯଦି ରେଳ ଲାଇନ ଅଛି, ତେବେ ଏହା ହେଉଛି ସୁଇଜରଲାଣ୍ଡରେ । ଜଙ୍ଗଫ୍ରାଓ ଉପରକୁ ରେଳ ଲାଇନ ଯେମିତି ଭାବରେ ଯାଇଛି, ତାହା ଅତ୍ୟନ୍ତ ଆକର୍ଷଣୀୟ । ସୁଇଜରଲାଣ୍ଡର ମାଉଣ୍ଟ ପିଲଟସ୍‌ ଉପରକୁ ଯେଉଁ ରେଳ ଲାଇନ ଯାଇଛି, ଏହା ଯେମିତି ଭାବରେ ଯାଇଛି ଦେଖିବା କଥା । ପର୍ବତ ଉପରକୁ ସିଧା ସଳଖ ଚାଲି ଯାଇଛି ରେଳ ଲାଇନ । ଉପରକୁ ମୁହଁ କରି ଇଞ୍ଜିନ ଡବାଗୁଡ଼ିକୁ ଉଠାଇ ନିଏ । ଏହାର ଚକଗୁଡ଼ିକ ଅଲଗା ପ୍ରକାରର । ଏଥିରେ ଦାନ୍ତ ଥାଏ, ରେଳ ଲାଇନ ମଧ୍ୟ ସେଇ ଅନୁସାରେ ତିଆରି । ଏହି ରେଳ ଲାଇନରେ ଗଲେ, ଯା’ ଅନୁଭୂତି ହୁଏ, ସେମିତି ଅନୁଭୂତି ପୃଥିବୀର ଅନ୍ୟତ୍ର ଅତ୍ୟନ୍ତ ବିରଳ । ନିଉୟର୍କର ଏମ୍ପାୟାର୍‌ ଷ୍ଟେଟ୍‌ ବିଲଡିଂ ଉପରକୁ ଗଲେ ଯେମିତି ଚମକ ଖେଳିଯାଏ, ତା’ଠାରୁ ଆହୁରି ଅଧିକ ଚମକ ଖେଳିଯାଏ ଏହି ରେଳରେ ଗଲେ ।

 

ସୁଇଜରଲାଣ୍ଡ ବଡ଼ ବଡ଼ ହ୍ରଦରେ ପୂର୍ଣ୍ଣ । ଜେନିଭା ହ୍ରଦ ଓ କନ୍‌ଷ୍ଟାନସ ହ୍ରଦ ରାଜ୍ୟର ଦୁଇ ମୁଣ୍ଡରେ ଅଛି । ଥୁନ୍‌, ବ୍ରିୟେଞ୍ଜ, ଜୁରିଖ୍‌, ୱାଲେନ୍‌ଷ୍ଟାଡ୍‌ଟ ଆଦି ହ୍ରଦମାନଙ୍କ ଭିତରେ ଅଗ୍ରଗଣ୍ୟ-। ରାଜ୍ୟର ବହୁ ଅଂଶର ଉଚ୍ଚତା ଆଠ ହଜାର ଫୁଟ ନଅହଜାର ଫୁଟ ହୋଇଥିବାରୁ ଏଥିରେ ବରଫ ଅନେକ ସମୟରେ ପଡ଼େ । ରାଜ୍ୟଟି ପାର୍ବତୀୟ ଅଞ୍ଚଳ ହେଲେହେଁ ଏଠାରେ ସାଢ଼େ ତିନି ହଜାର ଫୁଟ ଉଚ୍ଚ ପର୍ଯ୍ୟନ୍ତ ଥିବା ସ୍ଥାନରେ ଚାଷ କରାଯାଏ । ଦେଶର ଶତକଡ଼ା ୨୨ ଭାଗ ଜମିରେ ବଣ ରହିଛି, ୨୫ ଭାଗ ଗୋଚର ଓ ୨୫ ଭାଗ ଚାଷ ଜମି । ଚାଷୀଙ୍କ ସଂଖ୍ୟା ପ୍ରାୟ ତିନି ଲକ୍ଷ-। ଗହମ, ରାଏ, ଓଟସ୍‌, ଓ ଆଳୁ ପ୍ରଧାନ ଫସଲ । ଫଳ ଉତ୍ପାଦନ ଏ ରାଜ୍ୟରେ ଏକ ପ୍ରଧାନ ବ୍ୟବସାୟ । ଏଠାରେ ଫଳୁଥିବା ଅଙ୍ଗୁର ଓ ଚେର ଫଳରୁ ମଦ ତିଆରି ହୁଏ । ଘନୀଭୂତ ଦୁଧ ଓ ଛେନା ଏ ଦେଶର ପ୍ରଧାନ ରପ୍ତାନୀ ଦ୍ରବ୍ୟ । ଗୋପାଳନ, ମେଷପାଳନ ଏ ଦେଶରେ ପ୍ରଧାନ ବ୍ୟବସାୟ ।

 

ସୁଇଜରଲ୍ୟାଣ୍ଡ ଯେ ଖାଲି ଏକ କୃଷି ପ୍ରଧାନ ଦେଶ ତା ନୁହେଁ । ଏଠାରେ ମଧ୍ୟ କେତେକ ଶିଳ୍ପ କାରଖାନା ରହିଛି । ଏଠାରେ ଜଳ ବିଦ୍ୟୁତ୍‌ ଉତ୍ପାଦନ ବେଶ୍‌ ଅଧିକ । ତେଣୁ ଅଧିକ କାରଖାନା ବିଦ୍ୟୁତ୍‌ ଦ୍ଵାରା ପରିଚାଳିତ । ଏଠାକାର ପ୍ରଧାନ ବ୍ୟବସାୟ ହେଲା ଘଡ଼ି ବ୍ୟବସାୟ । ଏହା ପ୍ରାୟ ସୁଇଜରଲାଣ୍ଡର ଦେଢ଼ଲକ୍ଷ ଲୋକଙ୍କର ବ୍ୟବସାୟ । ପୃଥିବୀରେ ଯେଉଁ ଦେଶରେ ଯେତେ ଘଣ୍ଟା ତିଆରି ହେଲେ ମଧ୍ୟ ସବୁ ଘଣ୍ଟାର ମାନ ସୁଇଜରଲ୍ୟାଣ୍ଡ ଘଡ଼ିର ମାନଠାରୁ ତଳେ । ବହୁ ବିଜ୍ଞାନୋନ୍ନତ ଦେଶ ଯଥା;-ଆମେରକା, ଇଂଲଣ୍ଡ, ଜର୍ମାନ, ଜାପାନ ଆଦି ଦେଶ ଖୁବ୍‌ଉନ୍ନତ ଧରଣର ଘଡ଼ି ଉତ୍ପାଦନ କରିବାକୁ ଚେଷ୍ଟା କରିଛନ୍ତି ସତ, କିନ୍ତୁ ସୁଇଜରଲ୍ୟାଣ୍ଡରେ ତିଆରି ହେଉଥିବା ଘଡ଼ିର ସମକକ୍ଷ ସେଗୁଡ଼ିକ ହୋଇ ପାରିନି । ସୁଜରଲାଣ୍ଡର ଘଡ଼ି ବ୍ୟବସାୟର କେନ୍ଦ୍ରସ୍ଥଳୀ ହେଲା କେତୋଟି ଫରାସୀ ଟାଉନ । ସେହିସବୁ ସହର ମଧ୍ୟରେ ଜେନିଭା, ଲ-ଚଉକ୍‌ସ-ଡି-ଫଣ୍ଡସ୍‌ ଓ ଲେ ଲୋକଲୋ ପ୍ରଧାନ । ସୁଜରଲାଣ୍ଡର ଶତକଡ଼ା ଅଶୀ ଭାଗ ଘଡ଼ି ଏହି ତିନୋଟି ସହରରୁ ତିଆରି ହୁଅ । ଜେନିଭା ସହରର ରୋଲେକ୍‌ସ, ଓମେଗା ଆଦି ପୃଥିବୀ ପ୍ରସିଦ୍ଧ କୋମ୍ପାନୀ ନିର୍ମିତ ଘଡ଼ି ସହିତ ସମକକ୍ଷ ହେବା ପାଇଁ ପୃଥିବୀରେ ଖୁବ୍‌ କମ୍‌ ଘଡ଼ି ଅଛି । ଘଡ଼ି ବ୍ୟବସାୟ ତଳକୁ ସୁଜରଲାଣ୍ଡର ଚକୋଲେଟ୍‌ ବ୍ୟବସାୟ ପୃଥିବୀ ପ୍ରସିଦ୍ଧ । ଏ ସବୁକୁ ଛାଡ଼ି ଆଲୁମିନିୟମ୍‌ ପଦାର୍ଥ ଉତ୍ପାଦନ ଓ ନାନା ପ୍ରକାର ରାସାୟନିକ ପଦାର୍ଥ ଉତ୍ପାଦନରେ ଏହା ବେଶ୍‌ ଅଗ୍ରଣୀ । ତା ଛଡ଼ା ଗିଗି ଆଦି ବହୁ ପ୍ରତିଷ୍ଠିତ ପୃଥିବୀ ବିଖ୍ୟାତ ଔଷଧ କମ୍ପାନୀ ବାସଲ ଆଦି ସହରରେ ନାନା ପ୍ରକାର ଔଷଧ ଉତ୍ପାଦନ କରି ପୃଥିବୀର ବିଭିନ୍ନ ଦେଶକୁ ପଠାନ୍ତି ।

 

ପାର୍ବତୀୟ ଦେଶ ହେଲେହେଁ ରେଳଗାଡ଼ିର ପ୍ରସାର ବେଶ୍‌ ଦେଖିବାକୁ ମିଳେ । ସୁଜରଲାଣ୍ଡରୁ ଏହାର ଚାରିପାଖରେ ଥିବା ବଡ଼ ବଡ଼ ସହରକୁ ଯିବା ପାଇଁ ରେଳ ଲାଇନ ରହିଛି । ବଡ଼ ବଡ଼ ସୁଡ଼ଙ୍ଗ ପାହାଡ଼ ପର୍ବତ ତଳେ କରାହୋଇ ବହୁ ପାର୍ବତୀୟ ଅଞ୍ଚଳକୁ ସଂଯୋଗ କରାଇଛି-। ଦେଶ ଭିତରେ ପ୍ରଧାନ ନଦୀ ହେଲା ରାଇନ ଓ ରୋନ ନଦୀ । ଏହି ନଦୀ ଦ୍ୱୟର ଖୁବ୍‌ କମ୍‌ ଅଂଶ ସୁନାବ୍ୟା ଓ ଏଥିରେ ନୌକା ଚଳାଚଳ ହୁଏ । ଗତ ଦୁଈ ମହାସମର ବେଳେ ସୁଜରଲାଣ୍ଡ ଏକ ନିରପେକ୍ଷ ଦେଶ ଭାବରେ ପ୍ରସିଦ୍ଧ ଲାଭ କରିଥିଲା । ତେଣୁ ଲିଗ୍‌ ଅଫ୍‌ ନେସନ୍‌ସ୍‍ ଏଠାରେ ପ୍ରତିଷ୍ଠିତ ହୋଇଥିଲା ପ୍ରଥମ ମହାସମର ପରେ । ଦ୍ଵିତୀୟ ମହାସମର ପରେ ମିଳିତ ଜାତିସଂଘର ଇଉରୋପୀର ଅଫିସ ଏହି ଦେଶରେ ରହିଛି । ପୃଥିବୀର ବିବାଦରତ ଦେଶମାନଙ୍କ ଭିତରେ ଯେତେବେଳେ ସମାଧାନ ପାଇଁ କଥାବାର୍ତ୍ତା ଚାଲେ, ସେତେବେଳେ ଉଭୟ ପକ୍ଷ ଏହି ନିରପେକ୍ଷ ରାଜ୍ୟରେ ଆଲୋଚନା କରିବା ପାଇଁ ସାଧାରଣତଃ ରାଜି ହୁଅନ୍ତି ।

 

ଦେଶ ଭିତରେ ସାଧାରଣତଃ ତିନୋଟି ଭାଷା ବେଶି ପରିମାଣରେ ପ୍ରଚଳିତ । ଶତକଡ଼ା ୬୮ଭାଗ ଲୋକ ଜର୍ମାନ ଭାଷା ଶତକଡ଼ା ୨୩ ଭାଗ ଫରାସୀ ଭାଷା ଓ ୭ ଭାଗ ଇଟାଲୀୟ ଭାଷା କହନ୍ତି । ଏହି ତିନୋଟି ଭାଷା ହେଲା ଦେଶର ସରକାରୀ ଭାଷା ।

 

ସୁଇଜରଲାଣ୍ଡ ରାଜ୍ୟଟି କେତେଗୁଡ଼ିଏ ଶିଳ୍ପ ପ୍ରଧାନ, ଅବସର ବିନୋଦନ ସହର ପାଇଁ ପ୍ରସିଦ୍ଧ । ସେହି ସବୁ ସହର ଭିତରେ ଜୁରିଖ, ଜେନିଭା, ବାସ୍‌ଲ, ଫ୍ରାଇବର୍ଣ୍ଣ, ବର୍ଣ୍ଣ ଆଦି ଅଗ୍ରଗଣ୍ୟ । ବର୍ଣ୍ଣ ହେଉଛି ଏହି ରାଜ୍ୟର ରାଜଧାନୀ, ଜୁରିଖ ହେଉଛି ବୃହତ୍ତମ ସହର । ଏହାର ବହୁ ସହରକୁ ବର୍ଷର ବିଭିନ୍ନ ଦିନରେ ନାନା ପର୍ବ ପର୍ବାଣୀ ଦେଖିବା ପାଇଁ ପୃଥିବୀର ବହୁ ଦେଶରୁ ଦର୍ଶକ ଆସନ୍ତି-

 

ଏହି ରାଜ୍ୟର ଜେନିଭା ହେଉଛି ସବୁଠାରୁ ପ୍ରସିଦ୍ଧ ସହର । ଲୋକସଂଖ୍ୟା ଦୃଷ୍ଟିରୁ ସୁରଜରଲାଣ୍ଡର ବୃହତ୍ତମ ନଗରୀ ହେଲା ଜୁରିଖ୍‌, ତା’ ତଳକୁ ବାସ୍‌ଲ୍‌, ତା’ ତଳକୁ ଜେନିଭା, ତା ତଳକୁ ହେଉଛି ରାଜଧାନୀ ବର୍ଣ୍ଣ ।

 

ଇଉରୋପର ଏଡ଼େ ଗୁରୁତ୍ଵପୂର୍ଣ୍ଣ ରାଷ୍ଟ୍ରକୁ ଆମେ ନଦେଖିବୁ କେମିତି ? ଜେନିଭା ଦେଖିବାର ଆକଙ୍‌କ୍ଷା ମନ ଭିତରେ ବେଳକୁବେଳ ପ୍ରବଳ ହେଉଥାଏ । ତେଣୁ ଆମେ ତର ତର ହୋଇ ଯାଇ ପାରିସ୍‌ର ଓରଲି ଉଡ଼ାଜାହାଜ ଘାଟିରେ ପହଞ୍ଚିଲାବେଳକୁ ଉଡ଼ାଜାହାଜ ଛାଡ଼ିବା ଘଣ୍ଟାଏ ବାକି । ତେଣୁ ପୂର୍ବ ଭଳି ଟିକଟ ଦେଖା, ଜିନିଷପତ୍ର ଓଜନ ଆଦି ସାରି ଆମେ ଉପର ଲବିରେ ଉଡ଼ାଜାହାଜ ଅପେକ୍ଷାରେ ବସି ରହିଲୁ । ଓରଲି ପାରିସ୍‌ର ଏକ ବଡ଼ ଉଡ଼ାଜାହାଜ ଘାଟି । ପ୍ରତି ମୁହୂର୍ତ୍ତରେ ଉଡ଼ାଜାହାଜ ଆସି ପହଞ୍ଚୁଛି ତ, ଏଠାରୁ ବିଭିନ୍ନ ସହର ଓ ଦେଶ ଅଭିମୁଖେ ଛାଡ଼ିଛି-। କିଛି ସମୟ ପରେ ଆମକୁ ନିର୍ଦ୍ଦେଶ ଆସିଲା, ଉଡ଼ାଜାହାଜ ଭିତରକୁ ଯିବା ପାଇଁ । ସୁଇସ୍‌ଏୟାର କମ୍ପାନୀର ବିରାଟ ଟର୍ବୋପ୍ରପ୍‌ ଜେଟ୍‌ ଲାଇନର ଆମକୁ ନେବା ପାଇଁ ଉଡ଼ାଜାହାଜ ପଡ଼ିଆରେ ଅପେକ୍ଷା କରିଥାଏ । ଆମେ ସମସ୍ତେ ତର ତର ହୋଇ ଉଡ଼ାଜାହାଜ ଅଭିମୁଖେରେ ଚାଲିଲୁଁ-

 

ସୁଇସ୍‌ଏୟାର କମ୍ପାନୀର ଆମକୁ ନେଉଥିବା ଜାହାଜଟି ବେଶ୍‌ ବିରାଟ । ପ୍ରାୟ ଶହେ ଜଣ ପର୍ଯ୍ୟନ୍ତ ଯାତ୍ରୀ ଏଥିରେ ଯାଇ ପାରିବେ । ଏହି ଜେଟ୍‌ ଜାହାଜଟି ବେଶ୍‌ ବେଗରେ ଯାଏ । ଉଡ଼ାଜାହାଜରେ ଆମେ ବସିଥିବାର କିଛି ସମୟ ପରେ ଉଡ଼ାଜାହାଜ ଛାଡ଼ିଲା । ଉଡ଼ାଜାହାଜ ଛାଡ଼ିବା ପୂର୍ବରୁ ଆମକୁ ଜଣାଇ ଦିଆଗଲା, ଏହା ଓରଲିରୁ ସିଧାସଳଖ ଜେନିଭା ଏୟାରପୋର୍ଟକୁ ଯିବନି । ଏହା ବାଟରେ ଅବତରଣ କରିବ ବାସ୍‌ଲ୍‌ ଏୟାରପୋର୍ଟରେ । ବାସଲ୍‌ରେ ଘଣ୍ଟାଏ ଖଣ୍ଡେ ରହି ସେଠାରେ ଜେନିଭା ଯିବ । ପାରିସ୍‌ରୁ ବାସ୍‌ଲ୍‌ ପ୍ରାୟ ଅଢ଼େଇ ଶହ ମାଇଲ । ବାସ୍‌ଲ୍‌ରୁ ଜେନିଭା ପ୍ରାୟ ଦେଢ଼ସହ ମାଇଲ ।

 

ଏୟାରପୋର୍ଟରୁ ଯଥା ସମୟରେ ଜାହାଜ ଛାଡ଼ିଲା । ସୁଇସ୍‌ଏୟାର କମ୍ପାନୀର ଏୟାର୍‌ ହୋଷ୍ଟେସମାନେ ବେଶ୍‌ ମେଳାପୀ । ଜଣେ ଜଣେ ଏୟାର୍‌ହୋଷ୍ଟେସ୍‌ଇଉରୋପର ବହୁ ଭାଷା ଜାଣନ୍ତି । ପିଲାମାନଙ୍କ ତତ୍ତ୍ଵ ନେବା ପାଇଁ ଭାରି ଆଗଭର । ଉଡ଼ାଜାହାଜ ଛାଡ଼ିବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ କେତେ ପ୍ରକାର ଖେଳନା ଓ ଛବିବହି ଉପହାର ଦେଲେ । ପିଲାମାନଙ୍କ ସହିତ କେତେ ପ୍ରକାର କଥା । ସେଦିନ ଆମ ଉଡ଼ାଜାହାଜରେ ବେଶି ଲୋକ ନଥିଲେ । ଆମେ ଥାଉଁ ଏକମାତ୍ର ଭାରତୀୟ ପରିବାର । ଭାରତୀୟ ସ୍ତ୍ରୀ ଲୋକଙ୍କୁ ଦେଖିଲେ, ପାଶ୍ଚାତ୍ୟ ମହିଳାମାନେ ସେଭଳି କୌତହଳୀ ହୋଇ ଉଠନ୍ତି, ସେହିଭଳି କୌତହଳୀ ହୋଇ ଉଠିଥିଲେ ଏହି ଯୁବତୀଗୁଡ଼ିକ-। ସ୍ତ୍ରୀଙ୍କ ସହିତ ନାନା ପ୍ରକାର କଥାବାର୍ତ୍ତାରେ ଲାଗି ଯାଇଥାନ୍ତି । ବିଶେଷତଃ ବେଶି ପ୍ରଶ୍ନ ଭାରତୀୟ ସ୍ତ୍ରୀ ଲୋକମାନଙ୍କର ପୋଷାକ ନେଇ, ଶାଢ଼ିକୁ ସେମାନେ କେମିତି ପିନ୍ଧୁଛନ୍ତି; ଏହା ଗୋଟିଏ ପୋଷାକ ନା ଆଉ କଣ, କପାଳରେ ସିନ୍ଦୁର ଟୋପା ଲଗାନ୍ତି କାହିଁକି ମୁଣ୍ଡ ସିନ୍ଥାରେ ସିନ୍ଦୁର ଗାରର ଅର୍ଥ କଣ, ଟିକିନିଖି ପଚାରିବାକୁ ସେମାନେ ଭୁଲି ନ ଥାନ୍ତି ।

 

ଉଡ଼ାଜାହାଜ କିଛି ସମୟ ଉଡ଼ିଲାପରେ ସବୁ ଯାତ୍ରୀଙ୍କୁ ଦିଆଗଲା କମଳାଲେମ୍ବୁ ରସ ପିଇବା ପାଇଁ । ତା’ର କିଛି ସମୟ ପରେ ଜଳଖିଆ ଓ କଫି । ଯୁବତୀଗୁଡ଼ିକ ଆମ ପରିବାର ପ୍ରତି ଟିକିଏ ଅଧିକ ଯତ୍ନଶୀଳା ଥିବାଭଳି ମନେ ହେଉଥାଏ । ପିଲାମାନଙ୍କୁ ଥରକୁଥର ପଚାରି ନାନା ପ୍ରକାର କେକ୍‌, ବିସ୍କୁଟ, ଟଫିଜ୍‌ ଆଦି ଦେଉଥାନ୍ତି । ପ୍ରାତଃଭୋଜନ ଯା’ ଦେଲେ ତାହା ବେଶ୍‌ ପରିମାଣର । ହୋଟେଲ ଛାଡ଼ିଲାବେଳେ ଆମକୁ ଏତେ ବେଲୁସୁଁ ଛାଡ଼ିଥିଲୁ ଯେ ହୋଟେଲରେ ବିଶେଷ କିଛି ଖାଇପାରି ନଥିଲୁ । ତା’ ଛଡ଼ା ଏୟାରପୋର୍ଟରେ ଯା’ ବା କିଛି ଖାଇଥାନ୍ତି । ଏୟାର୍‌ପୋର୍ଟର ନାନା ଜିନିଷ ଦେଖିବାରେ ଆମର ଏତେ ସମୟ ବିତିଗଲା ଯେ ଖାଇବାକୁ ବେଳ ପାଇଲୁନି । ଉଡ଼ାଜାହାଜରେ ଯା’ ମିଳିଲା, ତାହା ଆମ କ୍ଷୁଧା ପୂରାପୂରି ଦୂର କରି ପାରିଥିଲା । ଜେନିଭା ପହଞ୍ଚି ମଧ୍ୟାହ୍ନ ଭୋଜନ କରିବୁ ବୋଲି ଠିକ୍‌ କରିନେଲୁଁ । ତେଣୁ ଆଉ କିଛି ଚିନ୍ତା ରହିଲାନି ଆମର ।

 

ଶିଳ୍ପକେନ୍ଦ୍ର-ବାସ୍‌ଲ୍‌

 

ପ୍ରାୟ ପଇଁଚାଳିଶ ମିନିଟ ପରେ ବାସ୍‌ଲ୍‌ ଉଡ଼ାଜାହାଜ ଘାଟିରେ ପହଞ୍ଚିଗଲୁ । ବାସ୍‌ଲ୍‌ ଉଡ଼ାଜାହାଜ ଘାଟିଟି ପାରିସ୍‌ର ଓରଲି ଉଡ଼ାଜାହାଜ ଘଟିଭଳି ବଡ଼ ନ ହେଲେ ହେଁ ବେଶ୍‌ବଡ଼ । ବହୁତଗୁଡ଼ିଏ ଉଡ଼ାଜାହାଜ ଘାଟିର ଏଠି ସେଠି ଠିଆ ହୋଇଥାଏ । ତେବେ ଘଟିଟି ବିଶେଷ ଜନଗହଳି ବୋଲି ଜଣାପଡ଼ିଲାନି । ଉଡ଼ାଜାହାଜ ବାସଲ୍‌ରେ ଓହ୍ଲାଇଲା କ୍ଷଣି ଆମେ ସବୁ ଜାହାଜରୁ ବାହାରି ଉଡ଼ାଜାହାଜ ଘାଟିର ଲବିକୁ ଗଲୁଁ । ଯେହେତୁ ଏଠି ଉଡ଼ାଜାହାଜ ଘଣ୍ଟାଏ କାଳ ରହିବ, ଉଡ଼ାଜାହାଜ ଭିତରେ ବସି ରହିବୁ କାହିଁକି ? ବରଂ ଯାଇ ଉଡ଼ାଜାହାଜ ଘାଟିର ଲବି ଭିତରେ ବୁଲି ଆସିଲେ ଭଲ । ହେଣ୍ଡ୍‌ବେଗ୍‌ ଆଦିକୁ ସିଟ୍‌ରେ ଥୋଇଦେଇ ତଳକୁ ଓହ୍ଲାଇଲୁଁ । ବାସ୍‌ଲ୍‌ ହେଉଛି ସୁଇଜରଲାଣ୍ଡର ଦ୍ଵିତୀୟ ବୃହତ୍ତମ ସହର । ଏହି ସହରଟି ଫ୍ରାନ୍‌ସ, ଜର୍ମାନୀ ଓ ସୁଇଜରଲାଣ୍ଡ ଏହି ତିନୋଟି ରାଜ୍ୟର ମିଳନସ୍ଥଳୀରେ ଅବସ୍ଥିତ । ଏହାର ଲୋକସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ । ଇଉରୋପର ସୁବିଖ୍ୟାତ ରାଇନ ନଦୀ କୂଳରେ ଏହି ସହରଟି ଗଢ଼ିଉଠିଛି । ରାଇନ୍‌ ନଦୀ ଏହି ସହରଟିକୁ ଦୁଇ ଭାଗରେ ବିଭକ୍ତ କରୁଛି । ଏହା ସୁଇଜରଲାଣ୍ଡର ଏକ ଶିଳ୍ପ ସମୃଦ୍ଧ ସହର । ମଶାମରା ଡି.ଡି.ଟି. ଔଷଧର ସର୍ବପ୍ରଥମ ଉତ୍ପାଦନକାରୀ ଗିଗି କମ୍ପାନୀର ପ୍ରକାଣ୍ଡ ଔଷଧ ତିଆରି କାରଖାନା ଏହି ସହରରେ ଅବସ୍ଥିତ । ତା’ ଛଡ଼ା ବହୁ ଔଷଧ କମ୍ପାନୀର କାରଖାନା, କେନ୍ଦ୍ର ଅଫିସ ଏହି ସହରରେ ରହିଛି । ଏଠାରେ କେତେଗୁଡ଼ିଏ ଐତିହାସିକ ମନୁମେଣ୍ଟ ରହିଛି, ଯା’ ପାଇଁ କି ଏହା ପ୍ରସିଦ୍ଧ । ଆନ୍ତର୍ଜାତୀୟ ବେଙ୍କିଙ୍ଗ୍‌ର ଏହା ଏକ ପିଠସ୍ଥଳୀ । ଶୁଣିଲୁ ବାସଲ୍‌ ସହର ଏଠାରେ ପ୍ରାୟ ୧୦/୧୨ ମାଇଲ ଦୂର ।

 

ବାସଲ୍‌ରେ ପ୍ରାୟ ଘଣ୍ଟାଏ ରହିବା ପରେ ଆମ ଜାହାଜ ଛାଡ଼ିଲା ବାସଲ୍‌ ଉଡ଼ାଜାହାଜ ଘାଟି । ଏହା ଏଥର ସିଧାସଳଖ ଯିବ ଜେନିଭା । ଫ୍ରାନ୍‌ସରେ ଜେନିଭା ନାମର ଉଚ୍ଚାରଣ ଜେନିଭା ନୁହେଁ । ଆମେ ଜେନିଭା ଯିବୁଁ କହିଲେ ସେଠି କେହି କିଛି ବୁଝନ୍ତିନି । ସେମାନେ ସମସ୍ତେ କହନ୍ତି ଜେନିବ୍‌ । ସୁଇଜରଲାଣ୍ଡରେ ଜେନିଭାର ଉଚ୍ଚାରଣ ମଧ୍ୟ ଜେନିବ୍‌ । ଜେନିବ୍‌ କହିଲେ, ସମସ୍ତେ ଜେନିଭାକୁ ବୁଝନ୍ତି । ଜେନିଭାରେ ପହଞ୍ଚିବାକୁ ପ୍ରାୟ ଅଧ ଘଣ୍ଟାଏ ଲାଗିବ ବୋଲି ଆକାଶ ସତ୍କାରିକା (ଏୟାର୍‌ହୋଷ୍ଟେସ୍‌) ମାନେ ଆମକୁ ଜଣାଇ ଦେଲେ ।

 

ବାସଲ୍‌ରୁ ଜେନିଭା ଆସିଲେ ଉଡ଼ାଜାହାଜରୁ ଥାଇ ତଳକୁ ଦୃଶ୍ୟ ବେଶ୍‌ ମନୋରମ । କେତେ ନଦୀ, ନାଳ, ହ୍ରଦ, ପର୍ବତ, ପାହାଡ, ଗାଁ ସହର ଯେ ଆମ ତଳେ ରହି ଯାଉଥାଏ, ତା’ର କଳନା ନାହିଁ । ସେସବୁ ଦେଖି ମନ ଆନନ୍ଦରେ ନାଚି ଉଠୁଥାଏ । ଚାହୁଁ ଚାହୁଁ ଆମ ଜାହାଜ ଜେନିଭା ପାଖେଇ ଆସିଲା । ଆକାଶ ସତ୍କାରୀକାମାନେ ହସ ହସ ମୁହଁରେ ଜଣାଇଦେଲେ ଜେନିଭାରେ ପହଞ୍ଚିବାକୁ ଆଉ ବେଶି ଡେରି ନାହିଁ । ସଙ୍ଗେ ସଙ୍ଗେ ଦେହକୁ ସିଟ୍‌ର ବେଲ୍‌ଟରେ ବାନ୍ଧି ରଖିବା ପାଇଁ ନିର୍ଦ୍ଦେଶ ଚାଲି ଆସିଲା । କିଛି ସମୟ ପରେ ଜାହାଜ ଅବତରଣ କଲା ଜେନିଭାର ପ୍ରସିଦ୍ଧ ଉଡ଼ାଜାହାଜ ଘାଟିରେ । ଆମେ ସମସ୍ତେ ହେଣ୍ଡ୍‌ବେଗ୍‌ ଆଦି ଧରି ଉଡ଼ାଜାହାଜରୁ ଓହ୍ଲାଇଲୁଁ । ଜେନିଭା ଉଡ଼ାଜାହାଜ ଘାଟିଟି ବେଶ୍‌ ବିରାଟ । ଚାରିଆଡୁ ଉଡ଼ାଜାହାଜ ଏଠାକୁ ଆସୁଥିବାର ଜଣା ପଡ଼ୁଥାଏ ।

 

ଉଡ଼ାଜାହାଜ ଘାଟିରେ କଷ୍ଟମସ୍‌ ବିଭାଗର ପୂର୍ବଭଳି ପରୀକ୍ଷା । ହେଣ୍ଡବେଗ୍‌, ସୁଟକେଶ୍‌ ଆଦି ନ ଖୋଲି ସାମାନ୍ୟ କେତୋଟି ପ୍ରଶ୍ନ ପଚାରି ଛାଡ଼ିଦେଲେ । ଜେନିଭା ଏୟାର୍‌ପୋର୍ଟ ବାହାରେ ଆମକୁ ଜେନିଭା ସହର ଭିତରସ୍ଥ ଟାରମିନସ୍‌କୁ ନେବା ପାଇଁ ପ୍ରକାଣ୍ଡ ବସ୍‌ଅପେକ୍ଷା କରିଥାଏ । ଆମେ ଯାତ୍ରୀମାନେ ଜଣ ପର ଜଣ କରି ସେହି ବସ୍‌ରେ ବସିଲୁଁ । ଜିନିଷପତ୍ର ବସ୍‌ର ଉପରକୁ ଉଠାଇ ଦିଆଗଲା ।

 

ବସ୍‌ ଛାଡ଼ିଲା ଉଡ଼ାଜାହାଜ ଘାଟିରୁ ଜେନିଭା ସହର ଅଭିମୁଖେ । ସହରଟି ପ୍ରାୟ ୧୦/୧୨ ମାଇଲ ଦୂର । ଟାରମିନସ୍‌ରେ ପହଞ୍ଚି ଆମେ ଆମ ପାଇଁ ରିଜର୍ଭ ହୋଇଥିବା ଏକ ମଧ୍ୟମ ଧରଣର ହୋଟେଲ ଡ ସର୍କଲ ବ୍ରାସେରିକୁ ଗଲୁ । ହୋଟେଲଟି ଏୟାରମିନସ୍‌ର ସାମନା ସାମନି ସୁପ୍ରସିଦ୍ଧ ଜେନିଭା ହ୍ରଦଠାରୁ ଅଳ୍ପ ଦୂରରେ ଜେନିଭାର ଏକ ପ୍ରଧାନ ରାସ୍ତା ଉପରେ ଅବସ୍ଥିତ । ଜେନିଭାର ଘଡ଼ି ବ୍ୟବସାୟର ପ୍ରଧାନ କେନ୍ଦ୍ର ହେଲା ସେଇ ଅଂଶଟା । ଆମ ହୋଟେଲ ଚାରିପାଖରେ ଶହ ଶହ ପ୍ରକାଣ୍ଡ ପ୍ରକାଣ୍ଡ ଘଡ଼ି ଦୋକାନ । ମନେ ହେଉଥାଏ, ସତେ ଯେମିତି ସେ ଯେମିତି ସେ ଅଞ୍ଚଳରେ ଘଡ଼ି ବ୍ୟବସାୟ ଛଡ଼ା ଅନ୍ୟ କିଛି ବ୍ୟବସାୟ ନାହିଁ ।

 

ହୋଟେଲରେ ସ୍ନାନାଦି ନିତ୍ୟକର୍ମ ଶେଷ କରି ବାହାରି ପଡ଼ିଲୁଁ ରେଷ୍ଟୁରାଣ୍ଟକୁ ମଧ୍ୟାହ୍ନ ଭୋଜନ ପାଇଁ । ଜେନିଭାରେ ଆମ ରହଣୀ ଦୁଇ ଦିନ ପାଇଁ । ଏହି ଦୁଇଦିନ ଭିତରେ ଏହି ପୃଥିବୀ ପ୍ରସିଦ୍ଧ ସହରର ସବୁ କିଛି ଦର୍ଶନୀୟ ସ୍ଥାନ ଦେଖିବାକୁ ପଡ଼ିବ ।

 

ସୁଇଜରଲାଣ୍ଡର ସବୁଠାରୁ ବିଖ୍ୟାତ ସହର ହେଉଛି ଏହି ଜେନିଭା ସହର । ଏହାର ଲୋକସଂଖ୍ୟା ପ୍ରାୟ ଦୁଇଲକ୍ଷ । ସୁପ୍ରସିଦ୍ଧ ଜେନିଭା ହ୍ରଦ କୂଳରେ ଏହି ପ୍ରସିଦ୍ଧ ସହରଟି ଗଢ଼ିଉଠୁଛି-। କେନ୍ଦ୍ର ଇଉରୋପରେ ଏହି ଜେନିଭା ହ୍ରଦଟି ହେଉଛି ବୃହତ୍ତମ ହ୍ରଦ । ଜେନିଭା ହ୍ରଦର ଗୋଟିଏ ପାଖ ସୁଇଜରଲାଣ୍ଡ୍‌ ଦେଶ ଓ ଆରପାଖଟି ଫ୍ରାନ୍‌ସ ଦେଶ । ଫରାସୀ ଲୋକେ ଏହି ହ୍ରଦକୁ କହନ୍ତି ଲେମାନ । ଆରଭ୍‌ ନଦୀ, ରୋନ୍‌ନଦୀ ସହିତ ଯେଉଠିଁ ମିଶିଛି, ସେହିଠାରେ ଏହି ହ୍ରଦଟି-। ଏହି ହ୍ରଦରୁ ବାହାରି ଜେନିଭା ସହର ମଧ୍ୟରେ ରୋନ୍‌ ନଦୀ ବହି ଯାଉଛି । ସହରର ବ୍ୟବସାୟ କେନ୍ଦ୍ର ନଦୀର ବାମ ପାଖରେ ଅବସ୍ଥିତ । ଜେନିଭା ସହରକୁ ରୋନ୍‌ନଦୀ ଦୁଇ ଭାଗରେ ବିଭକ୍ତ କରୁଛି-। ଇଉରୋପର ଏକ ଧର୍ମ କେନ୍ଦ୍ର ଭାବରେ ଏହାର ମଧ୍ୟ ଖ୍ୟାତି ଅଛି । ଦଶମ ଶତାଦ୍ଦୀରେ ପ୍ରତିଷ୍ଠିତ ପ୍ରୋଟେଷ୍ଟାଣ୍ଡ ଗ୍ରାର୍ଜା ଏଠାରେ ଅତି ପ୍ରସିଦ୍ଧ । ଏଠାରେ ମଧ୍ୟ ବହୁତଗୁଡ଼ିଏ ରୋମାନ କ୍ୟାଥଲିକ ଗୀର୍ଜା ରହିଛି । ଜେନିଭାର ଟାଉନ ହଲ ଅତି ପୁରୁଣା, ଷୋଡଶ ଶତାଦ୍ଦୀରୁ ଏହା ତିଆରି ।

 

ଜେନିଭା ଏହାର ସୁନ୍ଦର ସୁନ୍ଦର ଥିଏଟର ପାଇଁ ପ୍ରସିଦ୍ଧ । ତା’ ଛଡ଼ା ଏଥିରେ ବହୁ ଯାଦୁଘର ଓ ପିକ୍‌ଚର୍‌ ଗାଲେରୀ ଅଛି । ଏହାର ନେଚୁରାଲ୍‌ ହିଷ୍ଟ୍ରି, ଇଣ୍ଡଷ୍ଟ୍ରିଆଲ ଓ ପ୍ରତ୍ନତାତ୍ଵିକ ଯାଦୁଘର ଅତି ପ୍ରସିଦ୍ଧ । ଜେନିଭାର ପର୍ଯ୍ୟବେକ୍ଷଣଗାର ଆକାରରେ ଛୋଟ ହେଲେ ହେଁ ଇଉରୋପରେ ଖୁବ୍‌ ପ୍ରସିଦ୍ଧ ।

 

ସହରଟି ଘଡ଼ି ତିଆରି, ବଡ଼ ବଡ଼ ଘଣ୍ଟା ବା ଟାଇମ୍‌ପିସ୍‌ ଓ କାନ୍ଥ ଘଣ୍ଟା ତିଆରି ପାଇଁ ପୃଥିବୀ ପ୍ରସିଦ୍ଧ । ରୋଲେକ୍‌ସା, ଓମେଗା, ଫେବର୍‌ ଲିଉବା ଆଦି ବଡ଼ ବଡ଼ ଘଡ଼ି ନିର୍ମାତାମାନଙ୍କର ବିରାଟ ବିରାଟ କାରଖାନା ଏହି ସହରରେ ଅବସ୍ଥିତ । ନାନା ପ୍ରକାର ବୈଜ୍ଞାନିକ ଯନ୍ତ୍ରପାତି, ସଙ୍ଗୀତ ଉତ୍ପାଦକ ବାକସ, ମୂଲ୍ୟବାନ ପଥରବସା ଅଳଙ୍କାର ଓ ହୀରାକଟା ପାଇଁ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ସୁଜରଲାଣ୍ଡର ହିରାବସା ଘଡ଼ି ପୃଥିବୀ ପ୍ରସିଦ୍ଧ । ଗୋଟିଏ ଗୋଟିଏ ଘଡ଼ି ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ବରାତ ଦେଇ ସେଭଳି ମୂଲ୍ୟବାନ ଘଡ଼ି ତିଆରି କରାଯାଏ ।

 

ଜୁଲିୟସ୍‌ ସିଜରଙ୍କ ଅମଳରେ ଜେନିଭା ସହର ରୋମାନ୍‌ମାନଙ୍କ ଅଧୀନକୁ ଆସିଲା । ସେହି ଦିନରୁ ଏହି ସହର ଖ୍ୟାତି ଲଭିଲାଣି । ଏହି ସହରଟି ବହୁଥର ଫରାସୀମାନଙ୍କ ଅଧୀନକୁ ଆସି ଶେଷରେ ଏହା ସୁଇଜରଲାଣ୍ଡ୍‌ ରାଜ୍ୟ ଅନ୍ତର୍ଭୁକ୍ତ ହୋଇଛି । ପ୍ରଥମ ମହାଯୁଦ୍ଧ ପରେ ଲିଗ୍‌ ଅଫ୍‌ ନେସନ୍‌ସ୍‍ର ପ୍ରଧାନ କାର୍ଯ୍ୟାଳୟ ଏହି ସହରରେ ସ୍ଥାପିତ ହୋଇଥିଲା । ଏଠି ଲିଗ୍‌ ଅଫ୍‌ ନେସନ୍‌ସ୍‍ର ସମ୍ମିଳନୀ ୧୯୨୦ ମସିହାଠାରୁ ବସି ଆସୁଥିଲା । ଦ୍ଵିତୀୟ ମହାଯୁଦ୍ଧ ପୂର୍ବରୁ ଲିଗ୍‌ ଅଫ୍‌ ନେସନ୍‍ସ୍‍ ଭାଙ୍ଗିଯିବାରୁ ଏହାର ଅଫିସ ଆଦି ସେମିତି ପଡ଼ି ରହିଥିଲା । ୧୯୪୭ ମସିହାରେ ଯେତେବେଳେ ମିଳିତ ଜାତିସଂଘ ଗଢ଼ାଗଲା, ଏହାର ଇରୋପୀୟ ଅଫିସ ହେଲା ଏହି ଜେନିଭା ଓ ଲିଗ ଅଫ୍‌ ନେସନ୍‌ସ୍‍ର ସେହି ପ୍ରାସାଦରେ ମିଳିତ ଜାତିସଂଘର ଅଫିସ ବସିଲା । ସହରଟି ଅବସର ବିନୋଦନ କେନ୍ଦ୍ର ଭାବରେ ପୃଥିବୀ ପ୍ରସିଦ୍ଧ । ପୃଥିବୀର ବଡ଼ ବହୁ ଧନୀ, ରାଜା, ମହାରାଜାମାନେ ଅବସର ବିନୋଦନ ପାଇଁ ଇଉରୋପ ଭିତରେ ଏହି ସହରଟିକୁ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ଏହି ସହରରେ ଧନୀ ଲୋକମାନଙ୍କ ସମାବେଶ ବେଶି । ପୃଥିବୀର ବହୁ ଧନୀ ବ୍ୟକ୍ତି ଓ ରାଜାମହାରାଜମାନଙ୍କ ଏହି ସହରରେ ସେମାନଙ୍କ ବାସଭବନ ତିଆରି କରିଛନ୍ତି । ଇଉରୋପୀୟ ଜୀବନର ଆବଶ୍ୟକୀୟ ନୃତ୍ୟ ଗୀତ ପାଇଁ ନାଇଟ୍‌କ୍ଲବ୍‌, ନାଚଘର ଆଦି ଯଥେଷ୍ଟ ପରିମାଣରେ ଦେଖାଯାଏ । ତା’ ଛଡ଼ା ଖୁବ୍‍, ଉନ୍ନତ ଧରଣର ଆଭିଜାତ୍ୟ ଭାଗ ଓ ବିଳାସପୂର୍ଣ୍ଣ ବହୁ ହୋଟେଲ, ଥିଏଟର, ଅପେରା ଆଦି ଏହି ସହରରେ ଅଛି । ଟଙ୍କା ପଇସା ରଖିବା ପାଇଁ ଆନ୍ତଜାର୍ତିକ ଖ୍ୟାତି ସମ୍ପନ ବହୁ ବେଙ୍କ୍‌ ଏହି ସହରରେ ଦେଖାଯାଏ ।

 

ଜେନିଭା ସହର ଏତେ ସୁନ୍ଦର, ଏହାର ସୌନ୍ଦର୍ଯ୍ୟ ମୂଳରେ ରହିଛି, ଏହି ସହରକୁ ଲାଗିଥିବା ବିରାଟ ଜେନିଭା ହ୍ରଦଟି । ଏହି ହ୍ରଦଟିର ଆୟତନ ୨୨୫ ବର୍ଗ ମାଇଲ । ଏହାର ଲମ୍ବା ପ୍ରାୟ ୪୫ ମାଇଲ, ଓସାର ଉତ୍ତର-ଦକ୍ଷିଣ ୪/୫ ମାଇଲ । ଏହାର ଦକ୍ଷିଣ ଉପକୂଳ ଫ୍ରାନ୍‌ସ ଅଧୀନରେ ତ ଉତ୍ତର ଓ ଅନ୍ୟ ବାକି ଅଂଶ ସୁଜରଲାଣ୍ଡ ଅଧୀନରେ । ଏହି ହ୍ରଦଟି ସମୁଦ୍ର ପତନଠାରୁ ୧୨୨୦ ଫୁଟ ଉଚ୍ଚରେ ଅବସ୍ଥିତ । ରୋନ୍‌ନଦୀ ଏହି ହ୍ରଦର ଗୋଟିଏ ମୁଣ୍ଡରେ ପଶୁଛି, ଅନ୍ୟ ମୁଣ୍ଡରେ ବାହାରି ଯାଉଛି । ଜେନିଭା ସହର ଏହି ହ୍ରଦର ପଶ୍ଚିମ ପାଖରେ ଅବସ୍ଥିତ ଓ ଏହା ହ୍ରଦର ଦକ୍ଷିଣକୁ ଥିବା ଅଣଓସାରିଆ ଅଂଶକୁ ଘେରିକି ରହିଛି । ସହରଟିର ସୌନ୍ଦର୍ଯ୍ୟ ଯେ ଏହି ବିଚିତ୍ର ଅବସ୍ଥିତି ଯୋଗୁଁ ଯେ କେହି ଲୋକ ଦେଖିଲେ ଧାରଣ କରିପାରିବ । ଜେନିଭା ହ୍ରଦର ଜଳ ବଡ଼ ସ୍ଵଚ୍ଛ, ଦୂରକୁ ବେଶ୍‌ ନୀଳ ଦେଖାଯାଏ । ଜଳର ଗଭୀରତା ସ୍ଥାନେ ସ୍ଥାନେ ଅଢ଼େଇଶହ ଫୁଟ ତ ଆଉ ସ୍ଥାନେ ସ୍ଥାନେ ହଜାର ଫୁଟ । ଏହି ହ୍ରଦରେ ସେତେ ମାଛ ମିଳନ୍ତି ନାହିଁ । ତେବେ ଯାହା କିଛି ମିଳନ୍ତି, ତାହା ଜେନିଭା ସହରକୁ ଯୋଗାଯାଏ । ଜେନିଭାକୁ ଛାଡ଼ି ଏହି ହ୍ରଦ କୂଳରେ ବହୁତଗୁଡ଼ିଏ ଛୋଟ ବଡ଼ ସହର ରହିଛି । ଜଳ ବିହାର, ନୌକା ଭ୍ରମଣ, ଜଳ ସ୍କିଇଙ୍ଗ ପାଇଁ ଏହି ହ୍ରଦ ପୃଥିବୀ ପ୍ରସିଦ୍ଧ । କଥିତ ଅଛି ଇଂରେଜ କବି ବାଇରନ୍‌ ଏହି ହ୍ରଦର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ଚାଇଲ୍‌ଡ ହେରାଲ୍‌ଡସ୍‌ ପିଲ୍‌ଗ୍ରିମେଜ୍‌ କବିତା ରଚନା କରିଥିଲେ । ଜେନିଭା ସହର ଉପକୂଳରେ ଏକ ବିରାଟ କୁତ୍ରିମ ଝରଣା ହ୍ରଦର ଜଳକୁ ଶହଶହ ଫୁଟ ଇଚ୍ଚକୁ ନିକ୍ଷେପ କରି ଉପକୂଳର ଏକ ଦର୍ଶନୀୟ ବସ୍ତୁଭାବରେ ରହିଛି । ଜେନିଭା ହ୍ରଦ କୂଳରେ ଲିଗ୍‌ ଅଫ୍‌ ନେସନ୍‌ସ୍‍ର ବିରାଟ ପ୍ରସାଦ ଅବସ୍ଥିତ । ସେହି ପ୍ରାସାଦରୁ ଜେନିଭା ହ୍ରଦର ନୀଳ ଜଳ ଓ ଚତୁର୍ଦ୍ଦିଗର ସବୁଜ ବନାନୀ ପରିବେଷ୍ଟିତ ଉପକୂଳ ଅତ୍ୟନ୍ତ ସୁନ୍ଦର ଦିଶେ । ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନର କେନ୍ଦ୍ର ହେଉଛି ଜେନିଭା, ଏହି ପ୍ରାସାଦର ଏକ ଅଂଶରେ ଏହାର କେନ୍ଦ୍ର ଅଫିସ ଅବସ୍ଥିତ ।

 

ହୋଟେଲରୁ ସ୍ନାନାଦି କାମ ଶେଷ କରି ନିକଟବର୍ତ୍ତୀ ଏକ ରେଷ୍ଟୁରାଣ୍ଟ୍‌ରେ ମଧ୍ୟାହ୍ନ ଭୋଜନ ସମାପ୍ତ କଲୁଁ । ବଡ଼ ବିଚିତ୍ର ବ୍ୟବସ୍ଥା ହୋଟେଲରେ । ଗାଧୋଇବାକୁ ହେଲେ ପଇସା ଦେବାକୁ ପଡ଼େ । ପାରିସ୍‌ରେ ମଧ୍ୟ ସେହି ବ୍ୟବସ୍ଥା ଆମକୁ ନୁଆ ଲାଗିଥାଏ; ଜେନିଭାର ରେଷ୍ଟୁରାଣ୍ଟ ଓ ପାରିସ୍‌ର ରେଷ୍ଟୁରାଣ୍ଟ ଭିତରେ ଗୋଟିଏ ଆଖି ଦିରିଣିଆ ତଫାତ୍‌ ହେଉଛି, ଏଠାକାର ପରଶା ପରଶି କରୁଥିବା ଝିଅମାନେ ବେଶ୍‌ ଇଂରାଜୀ ବୁଝିପାରନ୍ତି, କଥାବାର୍ତ୍ତା ମଧ୍ୟ କରିପାରନ୍ତି । ପାରିସ୍‌ରେ ଖାଇବାରେ ଯେଉଁ ଅସୁବିଧା, ଏଠି ତା ନାହିଁ । ଦ୍ଵିତୀୟରେ ଏହି ରେଷ୍ଟୁରାଣ୍ଟମାନଙ୍କରେ ମଦ କାରବାର ପାରିସ୍‌ ଭଳି ନାହିଁ । ଦୁଧ, ଦୁଧଜାତ ପଦାର୍ଥର ପ୍ରଚଳନ ଏଠି ବେଶ୍‌ ଅଧିକ । ପାରିସ୍‌ ଭଳି ଅଙ୍ଗୁର ଆଦି ଫଳ ଏଠାରେ ବେଶୀ ମିଳେନି । ଯା’ ହେଉ ଖୁବ୍‌ ଆନନ୍ଦରେ ପେଟେ ଲେଖାଏଁ ଖାଇ ଉଠିଲୁଁ ।

 

ବର୍ତ୍ତମାନ ପ୍ରଶ୍ନ ହେଲା କେଉଁଆଡ଼େ ଯିବା । ଜେନିଭାରେ ଆମର ଦୁଇଦିନ ରହଣି । ପ୍ରଥମ ଦିନରେ ଜେନିଭା ହ୍ରଦରେ ନୌକା ବିହାର ଓ ଆଖପାଖ ପାର୍କ, ଗିର୍ଜା, ମିଉଜିୟମ୍‌ ଆଦି ପରିକ୍ରମା । ସନ୍ଧ୍ୟାବେଳେ ବଜାର ବୁଲା । ଦ୍ଵିତୀୟ ଦିନ ଲିଗ୍‌ ଅଫ୍‌ ନେସନ୍‌ସ୍‍ର ପ୍ରାସାଦ ଓ ଜେନିଭାର ଅନ୍ୟ ସବୁ ଦର୍ଶନୀୟ ସ୍ଥାନ ଦେଖା ।

 

ପୃଥିବୀ ପ୍ରସିଦ୍ଧ-ଜେନିଭା ହ୍ରଦ

 

ଆମେ ରେଷ୍ଟୁରାଣ୍ଟରୁ ବାହାରି ପ୍ରୋଗ୍ରାମ ଅନୁଯାୟୀ ସିଧା ସଳଖ ଚାଲିଲୁଁ ଜେନିଭା ହ୍ରଦ ଅଭିମୁଖେ । ଆମେ ଯେଉଁ ରାସ୍ତାରେ ଜେନିଭା ହ୍ରଦ ନିକଟକୁ ଗଲୁଁ, ସେହି ରାସ୍ତାରେ ଦୁଇ ପାଖରେ ପ୍ରକାଣ୍ଡ ପ୍ରକାଣ୍ଡ ଘଡ଼ି ଦୋକାନ । ରୋଲେକ୍‌ସ, ଓମେଗା, ଫେବର, ଲିଉବା କମ୍ପାନୀର ବଡ଼ ବଡ଼ ଦୋକାନ । ତା’ ଛଡ଼ା ଅସଂଖ୍ୟ ଘଡ଼ି ଦୋକାନୀ ସେମାନଙ୍କ ବ୍ୟବସାୟ ପସରା ଖୋଲି ବସିଥାନ୍ତି ।

 

ହ୍ରଦ କୂଳରେ ପହଞ୍ଚିବାକୁ କିଛି ଦୂର ଅଛି, ଦୂରରୁ ହ୍ରଦ ବେଶ୍‌ ଭଲ ଭାବରେ ଦିଶୁଥାଏ, ଦେଖିଲୁଁ ହ୍ରଦ ଭିତରୁ ଏକ ପ୍ରକାଣ୍ଡ ଜଳଶିଖା ଉଠିଛି ଉପରକୁ । ଶହେଫୁଟରୁ ଅଧିକ ଉଚ୍ଚ ପର୍ଯ୍ୟନ୍ତ ଏହି କୃତ୍ରିମ ଜଳଶିଖା ଉଠିଲା ଭଳି ଦିଶୁଥାଏ । ଦୂରକୁ ଏକ ଶ୍ଵେତ ଜଳସ୍ତମ୍ଭ ଭଳି, ଏହି ଜଳଶିଖା କୃତ୍ରିମ ଉପାୟରେ ଜେନିଭା ହ୍ରଦ ଭିତରେ ସୃଷ୍ଟି କରାଯାଇଛି । ପ୍ରକୃତରେ ଏହା ଚାରିଶହ ଫୁଟ ପର୍ଯ୍ୟନ୍ତ ଉଚ୍ଚକୁ ଉଠେ । ହ୍ରଦ କୂଳରେ ଆମେ ଯେମିତି ପହଞ୍ଚିଛୁ, ସେହି କୃତ୍ରିମ ଜଳଶିଖା ଓ ହ୍ରଦ କୂଳର ସୌନ୍ଦର୍ଯ୍ୟରେ ମୋହିତ ହୋଇ ପଡ଼ିଲୁ । ଜେନିଭା ହ୍ରଦ କୂଳେ କୂଳେ ଉଦ୍ୟାନମାନ ରହିଛି । ଶହ ଶହ ପ୍ରକାର ନାଲି, ନେଳି, ହଳଦିଆ ଫୁଲରେ ଉଦ୍ୟାନଗୁଡ଼ାକ ଭରା । ଉଦ୍ୟାନ ଭିତରେ ସ୍ଥାନେ ସ୍ଥାନେ ଅତି ଆଧୁନିକ ଧରଣର ପ୍ରସ୍ତର ମୂର୍ତ୍ତି । ଜେନିଭା ହ୍ରଦର ନୀଳ ଜଳ, ଚତୁର୍ଦ୍ଦିଗର ଏ ସୁନ୍ଦର ପରିବେଶ, ଜେନିଭା କୁଳକୁ ଏକ ଅପ୍‌ସରା ପୁରୀରେ ପରିଣତ କରିଥାଏ । କୂଳେ କୂଳେ ଦର୍ଶକମାନେ ରୁଣ୍ଡ ହୋଇ ବୁଲିବାରେ ବ୍ୟସ୍ତ । ହ୍ରଦ ଭିତରେ ନୌକା ବିହାର କରିବା ପାଇଁ ଛୋଟ ବଡ଼ କେତେ ପ୍ରକାର ନୌକା । ବାସ୍ତବିକ ଜେନିଭାର ଏ ସୌନ୍ଦର୍ଯ୍ୟ ଦେଖିଲେ ଯେ କେହି ଲୋକ କହିବ, ଜେନିଭାର ସୌନ୍ଦର୍ଯ୍ୟକୁ ପରହିତ କଲାଭଳି ଆଉ କୌଣସି ସହର ନଥିବ ଏ ଧରା ପୃଷ୍ଠରେ । ଜେନିଭା ହ୍ରଦ କୂଳେ କୂଳେ ସେହି ଉଦ୍ୟାନ ଭିତରେ ଦେଖି ଦେଖି ଅନେକ ଦୂର ପର୍ଯ୍ୟନ୍ତ ଚାଲିଗଲୁଁ । ତା’ ପରେ ହ୍ରଦ ଭିତରେ ବିହାର କରିବା ପାଇଁ ଏକ ନୌକା କିମ୍ବା ଷ୍ଟିମର ବନ୍ଦୋବସ୍ତ କରିବା ପାଇଁ ଠିକ୍‌ କଲୁଁ । ଜେନିଭା ହ୍ରଦରେ ବହୁତଗୁଡ଼ିଏ ଷ୍ଟିମର ଯାତ୍ରୀମାନଙ୍କୁ ନେଇ ହ୍ରଦର ଚାରିପାଖରେ ଘୂରାଇ ଆଣିବାର ବ୍ୟବସ୍ଥା ଅଛି । ସେଭଳି ଗୋଟିଏ ଷ୍ଟିମରର ସନ୍ଧାନ ନେବା ଉଦ୍ଦେଶ୍ୟରେ ସେହି କୂଳେ କୂଳେ ଆଉ କିଛି ଦୂର ଗଲୁଁ । ଗୋଟିଏ ସ୍ଥାନରେ ଏମିତି ଏକ ଷ୍ଟିମର ହ୍ରଦ ଭିତରକୁ ଯିବାପାଇଁ ଠିଆ ହୋଇଥିଲା । ଷ୍ଟିମରଟିର ନାମ ହେଉଛି ‘ଷ୍ଟାର ଅଫ୍‌ ଜେନିଭା’ । ଆମେ ସମସ୍ତେ ଟିକଟ କାଟି ସେହି ଷ୍ଟିମରରେ ବସିଲୁଁ । ଷ୍ଟିମରଟି ପ୍ରଥମେ ଉତ୍‌ଥିତ ଜଳଶିଖା ନିକଟକୁ ଯାଇ ସେହିଠାରୁ ହ୍ରଦ ବିହାର ଆରମ୍ଭ କଲା । ହ୍ରଦର କୂଳେ କୂଳେ ମନ୍ଥର ଗତିରେ ହ୍ରଦ ପରିକ୍ରମା କରିବାକୁ ଆରମ୍ଭ କଲା ସେହି ଷ୍ଟିମରଟି । ହ୍ରଦର ଏହି ମୁଣ୍ଡରୁ କିଛି ଦୂର ଯିବା ପର୍ଯ୍ୟନ୍ତ ଜେନିଭା ସହରର ପ୍ରାସାଦ ରାଜି ହ୍ରଦ କୂଳେ କୂଳେ ସୁନ୍ଦର ଦିଶୁଥାଏ । କିଛିଦୂର ଗଲାପରେ ଆଉ ସେ ସବୁ ଦୃଷ୍ଟିଗୋଚର ହେଲାନି । ନାନପ୍ରକାର ବଗିଚା, ଉଦ୍ୟାନ ଓ ଉଦ୍ୟାନ ଭିତରେ ଗୋଟିକିଆ ପ୍ରାସାଦ ପଡ଼ିଲା । ପୃଥିବୀର ବହୁ ଧନୀଲୋକ ହ୍ରଦ କୂଳରେ ଏହିସବୁ ପ୍ରାସାଦ ତିଆରି କରିଛନ୍ତି, ଅବସର ବିନୋଦନ ପାଇଁ । ହ୍ରଦ ଚାରିପାଖରେ ସେହି ଉଦ୍ୟାନ ପଛକୁ ରହୁଛି ଉଚ୍ଚ ଉଚ୍ଚ ପର୍ବତ ରାଜି । ପର୍ବତର ଶିଖର ତୁଷାର ଧବଳିତ । ହ୍ରଦରୁ ସେଆଡ଼କୁ ଅନାଇଲା ବେଳକୁ ମନ ଆନନ୍ଦରେ ପୁଲକିତ ହୋଇ ଉଠୁଥାଏ । ଆମେ ଯେଉଁ ଷ୍ଟିମରରେ ଯାଇଥିଲୁ, ତାହା ଥିଲା ଏକ ବିରାଟ ଷ୍ଟିମର । ଏଥିରେ ଏକ ସଙ୍ଗେ ଶତାଧିକ ଯାତ୍ରୀ ଯାଉଥିଲେ । ଆମର ସେହି ଷ୍ଟିମରରେ ଛୋଟ ପିଲା ଥିଲେ ମାତ୍ର ଆମର ଦୁଇଜଣ । ଷ୍ଟିମର ଚଲାଉଁ ଚଲାଉଁ ଷ୍ଟିମରର କେପ୍‌ଟେନ୍‌ ଝିଅ ଓ ପୁଅକୁ ଡାକି କେପ୍‌ଟେନ୍‌ କକ୍ଷକୁ ନେଇ ଷ୍ଟିମରର ଷ୍ଟିଅରିଂ ଧରିବାକୁ କହିଲେ । ପ୍ରଥମେ ସେ ସେମାନଙ୍କୁ କିପରି ଷ୍ଟିମର୍‌ ଚଳାଇବାକୁ ହୁଏ ଶିଖାଇଦେଲେ । କେପ୍‌ଟେନ୍‌ଙ୍କର ଏଭଳି କାମ ଦେଖି ଆମେ ସମସ୍ତେ କୌତୁହଳୀ ହୋଇ ପଡ଼ିଲୁଁ । କିଛି ସମୟ ଷ୍ଟିଅରିଂ ଧରିବା ଶିଖାଇଦେଇ କେପ୍‌ଟେନ୍‌ ପୂରା ଷ୍ଟିଅରିଂର ଦାୟିତ୍ଵ ଝିଅ ଟୁନୁ ଉପରକୁ ଛାଡ଼ିଦେଇ ଅଲଗା ହୋଇଗଲେ । ଝିଅ ପୂରା ଷ୍ଟିଅରିଂଟି ଧରି ସେହି ଜେନିଭା ହ୍ରଦରେ ଆମ ଷ୍ଟିମରକୁ ପ୍ରାୟ ମାଇଲିଏ ପର୍ଯ୍ୟନ୍ତ ଘେନିଗଲା । ତାପରେ କେପ୍‌ଟେନ୍‌ ଝିଅ ହାତରୁ ଷ୍ଟିଅରିଂ ନେଇ ଗୋଟିଏ ବିରାଟ ସାର୍ଟିଫିକେଟ୍‌ ଦେଲେ ତା’ର ଏଇ କୃତିତ୍ଵ ପାଇଁ । ସେଥିରେ ଲେଖାଥିଲା—

 

STAR OF GENEVA

GENEVA

CERTIFICATE OF NAVIGATION

 

By virtue of the authority, we have been awarded by Neptune, we Captain of the “STAR OF GENEVA”, here by certify that Miss jyoshna Mahapatra, has attended our Cruise and navigated over a sea mile.

 

Board of ‘Star of Geneva’

The Captain

 

ସାର୍ଟିଫିକେଟ୍‌କୁ ଦେଖି ଝିଅ ଟୁନୁ ଭାରି ଖୁସି ହୋଇଗଲା । ତା’ ହାତରୁ ନେଇ ଷ୍ଟିମରରେ ଥିବା ଯାତ୍ରୀମାନେ ଜଣକ ପରେ ଜଣେ ପଢ଼ିଲେ । ପିଲାମାନଙ୍କୁ ଖୁସି କରିବା ପାଇଁ ଏ ଏକପ୍ରକାର କାରସାଦି । ‘Star of Geneva’ ଷ୍ଟିମରରେ ଏହିଭଳି ବ୍ୟବସ୍ଥା ଥିବାରୁ ଏଥିରେ ପିଲାମାନଙ୍କ ଭିଡ଼ ସାଧାରଣତଃ ବେଶି ହୁଏ । ଷ୍ଟିମରରେ ବେଶିଗୁଡ଼ାଏ ପିଲା ଥିଲେ କେପ୍‌ଟେନ୍‌ ପିଲାଙ୍କ ଭିତରୁ ଗୋଟିଏ ଦୁଇଟି ବାଛି, ଏଭଳି ସାର୍ଟିଫିକେଟ ଦିଅନ୍ତି ।

 

ଜେନିଭା ଗୋଟାସାର ହ୍ରଦ ବୁଲିବା ତ ସମ୍ଭବପର ନୁହେଁ । ପ୍ରାୟ ଅଢ଼େଇ ଘଣ୍ଟା ଭିତରେ ଯେତେକ ହେବା ସମ୍ଭବପର, ସେତେକ ବୁଲି ଆରପାଖ ଉପକୂଳ ଦେଇ ଫେରି ଆସିଲୁ । ଯେଉଁ ଘାଟିରୁ ଯାଇଥିଲୁଁ, ଠିକ୍‌ ପୁଣି ସେହିଠାକୁ । ଝିଅ ମନ ଭାରି ଖୁସି, ସାର୍ଟିଫିକେଟ ପାଇଛି । ତାକୁ ସେ ଖୁବ୍‌ ଯତ୍ନରେ ସାଇତି ରଖିଥାଏ । ପୁଅ ବାବୁଲିର ମନ ଖରାପ, କେପ୍‌ଟେନ୍‌ ତାକୁ ଡାକି ଷ୍ଟିମର ଚଳାଇବା ପାଇଁ କହିଲାନି । ନହେଲେ ସେ ବି ଗୋଟାଏ ସାର୍ଟିଫିକେଟ ପାଇଥାନ୍ତା । କହିଥାଏ, ଆମେରିକାରେ କୋଚିଚ୍‌ଏଟ୍‌ ହ୍ରଦରେ ସେ ତ ମଟର ବୋଟ ଚଳାଇଛି, କେପଟେନ୍‌ ତା’ ଯଦି ଜାଣିଥାନ୍ତା, ତେବେ ତାକୁ ନିଶ୍ଚୟ ଡାକିଥାନ୍ତା ଷ୍ଟିମର ଚଳାଇବା ପାଇଁ । ବାଟରେ ଆସିଲାବେଳେ ମନ ଦୁଖଃରେ ଖାଲି କହୁଥାଏ, ତାକୁ କାହିଁକି କେପ୍‌ଟେନ୍‌ ଡାକିଲାନି । ସେ ଚଳାଇଥିଲେ ଅପା ଅପେକ୍ଷା ଭଲ ଚଳାଇଥାନ୍ତା । ଆଉ ବଡ଼ ସାର୍ଟିଫିକେଟ୍‌ ପାଇଥାନ୍ତା ।

 

ଜେନିଭା ହ୍ରଦ ଯେଉଁ ଅଂଶରୁ ରୋନ୍‌ନଦୀ ବାହାରିଛି, ରୋନ୍‌ନଦୀ ଉପରେ ଓ ହ୍ରଦର ସେଇ ଅଣଓସାରିଆ ଅଂଶ ଉପରେ ଏଣେ ତେଣେ ହୋଇ କେତେଗୁଡ଼ିଏ ପୋଲ ରହିଛି । ଆମେ ସେହି ପୋଲଦେଇ ହ୍ରଦକୁ ଅତିକ୍ରମ କରି ଆର ପାରିକୁ ଗଲୁଁ । ଆର ପାରିରେ ଖୁବ୍‌ ଭଲ ଭଲ ପାର୍କ । ପାର୍କ ଭିତରେ ଖୁବ୍‌ ସୁନ୍ଦର ସୁନ୍ଦର ଝରଣା । ହ୍ରଦକୁଳକୁ ଲାଗି ଗୋଟିଏ ଉଦ୍ୟାନ ଭିତରେ ଯେଉଁ ଝରଣାଗୁଡ଼ିଏ ରହିଛି, ସେଗୁଡ଼ିକର ସୌନ୍ଦର୍ଯ୍ୟ ଅପରିସୀମ । ଏହାର ନାମ ହେଉଛି ଜାର୍ଡିନ ଏନଗଲେଇସ । ଅତି ଚମତ୍କାର ଯାଗା । ସ୍ତ୍ରୀ, ଝିଅ, ପୁଅକୁ ଠିଆ କରାଇ ସେଠାରେ ଏକ ଗ୍ରୁପ୍‌ ଫଟୋ ଉଠାଇଲି । ନିକଟରେ ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ାଏ । ମୂର୍ତ୍ତିଗୁଡ଼ିକ ଏଡ଼େ ସୁନ୍ଦର ଯେ ଛାଡ଼ି ଚାଲିଯିବା ପାଇଁ ମନ ହେଉନଥାଏ । ସେହି ପାର୍କରେ କିଛି ସମୟ ବସିଲୁଁ । ପିଲାମାନଙ୍କ ଖେଳିବା ପାଇଁ ନାନା ପ୍ରକାର ସୁବିଧା ଅଛି । ଆଇସ୍‌କ୍ରିମ୍‌ ମଧ୍ୟ ବିକ୍ରି ହେଉଥାଏ । ପିଲାମାନଙ୍କୁ ଆଇସ୍‌କ୍ରିମ୍‌ କିଣି ଖାଇବାକୁ ଦେଇ ଆମେ ମଧ୍ୟ ଗୋଟାଏ ଲେଖାଏଁ ଖାଇଲୁ । ଖାଇସାରି ସେଠାରୁ ଚାଲିଲୁଁ ବଜାର ପରିକ୍ରମା ଉଦ୍ଦେଶ୍ୟରେ ।

 

ହାତପିନ୍ଧା ଏଲାରାମ୍‌ ଘଣ୍ଟା

 

ଜେନିଭାରୁ ଆମର କିଣିବା କଥା କେତୋଟି ଭଲ ଘଣ୍ଟା । ରୋଲେକ୍‌ସ କିମ୍ବା ଓମେଗା କମ୍ପାନୀ ତିଆରି ଘଣ୍ଟା ଭିତରୁ ଗୋଟିଏ ନିଜପାଇଁ କିଣିବା ଏକାନ୍ତ ଇଚ୍ଛା । ତେଣୁ ଆମେ ଗୋଟିଏ ବଡ଼ ଓମେଗା କମ୍ପାନୀ ଘଡ଼ି ଦୋକାନକୁ ପଶିଲୁ । କି ବିରାଟ ଘଡ଼ି ଦୋକାନ । ଆମେ ବିଭିନ୍ନ କିସମର ଘଡ଼ି ଦେଖିବାକୁ ମାଗିବାରୁ ଦୋକାନର ‘ସୋ ଗାର୍ଲ’ ଆମଠାରେ ଆଣି ପାଛିଆ ପାଛିଆ ଘଡ଼ି ଥୋଇଦେଲେ । ଆଞ୍ଜୁଳା ଆଞ୍ଜୁଳା ଘଡ଼ି ବାହାର କରି ଆଣି ଟେବୁଲ ଉପରେ ଥୋଇ ଦେଉଥାନ୍ତି । ବିଭିନ୍ନ କିସମର ଘଡ଼ି, କିଏ ଅଟୋମେଟିକ, କିଏ ଚାବି ଦେଲେ ଚାଲେ, କେଉଁଥିରେ ତାରିଖ ଅଛି ତ କେଉଁଥିରେ ତାରିଖ ନାହିଁ । ସିମାଷ୍ଟର ଠାରୁ ଆରମ୍ଭ କରି ବହୁ କିସମର ଘଡ଼ି ଅଛି-। ସିମାଷ୍ଟର ଭିତରେ ପୁଣି କେତେ ପ୍ରକାରର । ଏ ସବୁ ଘଡ଼ି ଏତେ ଦାମିକା, ଆମ ଭାରତ ବଜାରରେ କା ଦାମ ହଜାରେ ତ କା ଦାମ ପନ୍ଦରଶହ ଟଙ୍କା । ତା’ଛଡ଼ା ଆମେ ଏକ ନୂଆ ପ୍ରକାରର ଘଡ଼ି ଦେଖିଲୁଁ । ଏହାକୁ କହନ୍ତି ହାତବନ୍ଧା ଏଲାର୍ମ ଘଡ଼ି । ଏ ଘଡ଼ି ପ୍ରଚଳନ ଆମ ଦେଶରେ ହୋଇନି । ଏଥିରେ ଦୁଇଟି ଚାବିଥାଏ । ଗୋଟିଏ ଚାବିରେ ଘଡ଼ି ଚାଲିବ, ଅନ୍ୟ ଚାବିରେ ଏଲାର୍ମ ବାଜିବ । ମନେକର; ତୁମେ ହାତରେ ଘଡ଼ି ପିନ୍ଧିଛ । ଅଫିସରେ କାମ କରୁଛ । ତୁମର ତିନିଟାବେଳେ ଗୋଟିଏ ସ୍ଥାନକୁ ଯିବା ଦରକାର । ତୁମେ ଯଦି କାମ ଭିତରେ ମଜ୍ଜି ଯାଇଛ, ହୁଅତ ତିନିଟାବେଳେ ସେ ଯାଗାକୁ ଯିବା କଥାଟା ଭୁଲି ଯାଇପାର । କିନ୍ତୁ ହାତ ଘଣ୍ଟାରେ ଯଦି ତିନିଟା ବେଳକୁ ଏଲାର୍ମ ହୋଇଥିବ, ତେବେ ଠିକ୍‌ ତିନିଟା ବେଳକୁ ହାତ ଘଣ୍ଟାଟି ବଜ୍‌ବଜ୍‌ ହୋଇ ବାଜି ଉଠିବ ଓ ସେହି ବାଜଣକୁ ତୁମେ ଶୁଣି ପାରିବ । ହଠାତ୍‌ ତୁମର ସେ ଯାଗାକୁ ଯିବା-କଥାଟା ମନେ ପଡ଼ିଯିବ । ହାତବନ୍ଧା ଏଲାର୍ମ ଘଣ୍ଟା ଦେଖିବାକୁ ବେଶ୍‌ ଖୁସି ଲାଗୁଥାଏ । ଖାଲି ଓମେଗା କମ୍ପାନୀ ଏ ଘଣ୍ଟା ତିଆରି କରେନି, ରୋଲେକ୍‌ସ ଆଦି ସବୁ ବଡ଼ ବଡ଼ କମ୍ପାନୀ ଏଭଳି ଘଡ଼ି ତିଆରି କରନ୍ତି-। ଆମ ଦେଶ ରେ ଏଭଳି ଘଣ୍ଟାର ପ୍ରଚଳନ ହୋଇ ନ ଥିଲେହେଁ ଇଉରୋପରେ ଏହାର ଢେର ପ୍ରଚଳନ ହେଲାଣି ।

 

ବେଟେରୀ ଚଳିତ ହାତଘଣ୍ଟା

 

ଏଥି ପୂର୍ବରୁ ଆମେରିକାରେ ଆମେ ଆମେରିକା ସୁବିଖ୍ୟାତ ଟାଇମେକ୍‌ସ କମ୍ପାନୀ ଦ୍ଵାରା ତିଆରି ଆଉ ଏକ ପ୍ରକାର ହାତ ପିନ୍ଧା ଘଣ୍ଟା ଦେଖିଥିଲୁ । ଏହି ଘଣ୍ଟାରେ ଚାବି ଦେବାକୁ ପଡ଼େନି । ଏହି ଘଣ୍ଟାଟି ଗୋଟିଏ ପ୍ରକାର ଶୁଷ୍କ ବେଟେରୀ ଦ୍ଵାରା ଚାଲେ । ଏହି ହାତବନ୍ଧା ଘଣ୍ଟାପାଇଁ ବେଟେରୀ ଖୁବ୍‌ ଛୋଟ, ଗୋଟିଏ ମୁଢ଼ି ଆକାରର ହେବ । ଗୋଟିଏ ବେଟେରୀ ଘଣ୍ଟାରେ ଦେଇଦେଲେ ଘଣ୍ଟାଟି ବିନା ଚାବିରେ ପୂରା ବର୍ଷଟିଏ ଚାଲିବ । ଏମିତି ଘଡ଼ିଟିଏ ଆମର କିଣିବାକୁ ଭାରି ଇଚ୍ଛା ଥିଲା, କିନ୍ତୁ ଭାରତରେ ଏମିତି ଘଣ୍ଟାର ବେଟେରୀ ମିଳିବନି ବୋଲି ସେମିତି ଘଣ୍ଟା କିଣିବାରୁ କ୍ଷାନ୍ତ ହେଲୁଁ । ଜେନିଭାରେ ମଧ୍ୟ ସେଭଳି ବେଟେରୀ ଚାଳିତ ହାତଘଣ୍ଟା ଦେଖିବାକୁ ପାଇଲୁ ।

 

ଓମେଗା କୋମ୍ପାନୀର ଘଣ୍ଟା ସବୁ ଦେଖିସାରି ରୋଲେକ୍‌ସ କୋମ୍ପାନୀ ଘଣ୍ଟା ଦେଖିବାକୁ ଗଲୁଁ । ଘଡ଼ି ତିଆରିରେ ସବୁଠାରୁ ବିଖ୍ୟାତ କୋମ୍ପାନୀ ହେଲା, ରୋଲେକ୍‌ସ, ତ।’ତଳକୁ ଓମେଗା । ରୋଲେକ୍‌ସ ଅୟଷ୍ଟର ଘଣ୍ଟା ସମୟ ରଖିବାରେ ପ୍ରସିଦ୍ଧ । ଓମେଗା କୋମ୍ପାନୀ ଭଳି ରୋଲେକ୍‌ସ କୋମ୍ପାନୀର ବହୁ ପ୍ରକାର ଘଣ୍ଟା ଅଛି । ହଜାରେ ଦେଢହଜାର, ଦୁଇହଜାର ଲେଖାଏଁ ଦାମ ହେବ ଆମ ଦେଶରେ । ସେଲସ୍‌ ଗାର୍ଲମାନେ ଆଞ୍ଜୁଳା ଆଞ୍ଜୁଳା ଆଣି ଟେବୁଲ୍‌ ଉପରେ ଅଜାଡ଼ି ପକାଉଥାନ୍ତି । ଦେଖିଲେ ମନେ ହେବ, ସତେ ଯେମିତି କଲିକତା ବଜାରର କୋଡ଼ିଏ ତିରିଶ ଟଙ୍କିଆ ଘଡ଼ି । ଦୁଇଟି ଦୋକାନ ଦେଖିସାରିଲା ପରେ, ଆମେ ଏକ ଦ୍ଵନ୍ଦରେ ପଡ଼ିଗଲୁଁ । ରୋଲେକ୍‌ସ ଘଣ୍ଟା କିଣିବୁ ନାଓମେଗା ଘଣ୍ଟା କିଣିବୁ ? ପୁଣି ଆମଘଣ୍ଟା ଅଟୋମେଟିକ ହୋଇଥିବ ଓ ସେଥିରେ ପ୍ରତିଦିନ ତାରିଖ ବାହାରୁଥିବ । ଏମିତି ଘଣ୍ଟାକୁ କହନ୍ତି ଡେଟୋମେଟିକ, ଆମେରିକାରେ ବ୍ରେକ୍‌ଫାଷ୍ଟ ଓ ଲଞ୍ଚକୁ ମିଶାଇ ବ୍ରଞ୍ଚ୍‌ ଖାଇଲା ଭଳି । ଡେଟୋମେଟିକ ଘଣ୍ଟାରେ ମଧ୍ୟ ବିଭିନ୍ନ ପ୍ରକାରର କିସମ୍‌ । ତା ଛଡ଼ା ପୁଣି ସୁନା ତିଆରି ଘଣ୍ଟା ବି ଅଛି । ଏତେ ପ୍ରକାର ଘଣ୍ଟା ଦେଖି ଆମେ ଆଖୁ ବାଡ଼ିରେ ପଶିଲା ଭଳି ଅନୁଭବ କରୁଥାଉଁ । କେଉଁ ଘଣ୍ଟା କିଣିବୁଁ, ଆମେ ସ୍ଵାମୀ ସ୍ତ୍ରୀ ଦୁହେଁ ଠିକ୍‌ କରି ପାରିଲୁନି । ମୁଁ ଯଦି କହିଲି ଏହି ଘଣ୍ଟା ନେବା, ସ୍ତ୍ରୀ କହିଲେଣି, ନାଁ, ଏ ଘଣ୍ଟା ନେବାନି, ସେ ଘଣ୍ଟା ନେବା । ବଡ଼ ଅଡ଼ୁଆରେ ପଡ଼ିବ ଦେଖି ଠିକ୍‌ କଲୁଁ ସେ ଦିନ ଘଣ୍ଟା କିଣିବୁନି । ଏହି ସବୁ ଘଡ଼ି ବିଭିନ୍ନ ପ୍ରକାର କେଟେଲଗ୍‌ ନେଇ ହୋଟେଲକୁ ଯିବୁ, ରାତିରେ ବିଭିନ୍ନ ଦୃଷ୍ଟିରୁ ଆଲୋଚନା କରି, କେଉଁ ଘଣ୍ଟାକୁ ନେଲେ ଠିକ୍‌ହେବ ବିଚାର କରିବୁ । ତା’ପରେ ପରଦିନ ଆସି ସେହି ଘଣ୍ଟା କିଣିବୁଁ ।

 

ହୋଟେଲକୁ ଫେରିଲାବେଳେ ଛୋଟ ଛୋଟ ଘଡ଼ି ଦୋକାନ ଦେଇ ଆସିଲୁଁ, ଘଡ଼ି ଦୋକାନୀମାନେ ଘଡ଼ି ସବୁ ଦେଖିବା ପାଇଁ ଡାକୁଥିଲେ । ଠିକ୍‌ ଗାଁ ହାଟର ଶୁଖୁଆ ବାଲି ବା ଶସ୍ତା ପରିବାବାଲା ଭଳି । ଜେନିଭା ବୁଲା ବହୁତ ଦିନ ପୁରୁଣା ହୋଇ ଯାଇଥିଲେ ହେଁ, ଏବେ ବି ସ୍ତ୍ରୀ ସେହି ଜେନିଭା କଥା ମନେ ପକାଇ କହନ୍ତି, ଯେଉଁଠି ଯାହା ହେଉ ପଛକେ, ଜେନିଭାର ଦୋକାନୀଙ୍କ ଭଳି କେହି ଘଡ଼ି ଦେଖାଇ ପାରିବେନି । ଚାହୁଁ ଚାହୁଁ ଲକ୍ଷ ଲକ୍ଷ ଟଙ୍କାର ଘଡ଼ି ଗ୍ରାହକ ବାଛିବା ପାଇଁ ଆଗରେ ଅଜାଡ଼ିଦେବେ । ଏହି ହେଲା ପୃଥିବୀର ସର୍ବ ବୃହତ୍‌ ଘଡ଼ି ବ୍ୟବସାୟ କେନ୍ଦ୍ରର କାହାଣୀ ।

 

ତହିଁ ପରଦିନ । ସେପ୍‌ଟେମ୍ବର ମାସ ତା ୧୨ ରିଖ । ପୂର୍ବଦିନ ରାତିରେ ଆମେ ଆଲୋଚନା କରି ଓମେଗା କୋମ୍ପାନୀର ଏକ ସୁନ୍ଦରିଆ ‘ଡେଟୋମେଟିକ ସିମାଷ୍ଟର ଡି ଭିଲେ’ ଘଡ଼ି କିଣିବାପାଇଁ ଠିକ୍‌ କରିଥାଉଁ । ସେଦିନ ସହର ପରିକ୍ରମା କରି ଫେରିଲାବେଳେ ସେହି ଘଡ଼ିଟି କିଣି ଆଣିବୁଁ ବୋଲି ଠିକ୍‌ କରି ସହର ପରିକ୍ରମା ଉଦ୍ଦେଶ୍ୟରେ ବାହାରି ପଡ଼ିଲୁଁ । ସେ ଦିନର ପ୍ରୋଗ୍ରାମ ମଧ୍ୟ ବେଶ୍‌ ଭିଡ଼ । ଜେନିଭା କୂଳରେ ଥିବା ଲିଗ୍‌ ଅଫ୍‍ ନେସନ୍‌ସ୍‌ର ବିରାଟପ୍ରାସାଦ ଦେଖିଯିବା କଥା । ଗୋଟିଏ ଟେକ୍‌ସି କରି ହୋଟେଲରୁ ସେହି ଉଦ୍ଦେଶ୍ୟରେ ବାହାରିଲୁଁ ।

 

ପେଲେସ ଅଫ୍‌ ନେସନ୍‌ସ୍‌

 

ଲିଗ୍‌ ଅଫ୍‌ ନେସନ୍‍ସ୍‍ କିଛି ବର୍ଷ ତଳେ ଆଜି କାଲିକାର ମିଳିତ ଜାତି ସଂଘ ଭଳି ଏକ ବିରାଟ ଅନୁଷ୍ଟାନ ଥିଲା । ଏଥିରେ ପୃଥିବୀର ବହୁ ସ୍ଵାଧୀନ ରାଷ୍ଟ୍ର ସଭ୍ୟ ଥିଲେ । ପ୍ରଥମ ମହାସମର ପରେ ପରେ ଏହାର ସୃଷ୍ଟି । ଦେଶ ଦେଶ ଭିତରେ କଳିକଜିଆ ଲାଗିଲେ ଯୁଦ୍ଧର ସାହାଯ୍ୟ ନିଆ ନ ଯାଇ ସେମାନଙ୍କ ବିବାଦ ମେଣ୍ଟାଇବା ପାଇଁ ଏହା ଏକ ମିଳିତ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନି-। ଏହାର ଗଠନମୂଳରେ ଥିଲେ ଆମେରିକାର ତତ୍କାଳୀନ ସଭାପତି ଉଡ୍ର ଇଉଲ୍‌ସନ, ବିଲାତର ମନ୍ତ୍ରୀ ଲର୍ଡ ରବର୍ଟ ସେସିଲ୍‌ ଓ ଜେନେରାଲ୍‌ ସ୍କଟସ । ୧୯୨୦ ମସିହା ଜାନୁୟାରୀ ମାସ ତା ୧୦ରିଖ ଦିନ ଏହାର ଶୁଭାରମ୍ଭ । କିନ୍ତୁ ଏହା ବିଶେଷ ଦକ୍ଷତାର ସହ କାମ କରି ପାରିଲାନି-। ଏହାର ବାରଣ ସତ୍ଵେ ଦ୍ଵିତୀୟ ମହାସମର ହେଲା । ଲିଗ୍‌ ଅଫ୍‌ ନେସ୍‌ନସର ତାତ୍ପର୍ଯ୍ୟ ରହିଲାନି-। ଯୁଦ୍ଧପରେ ଏହାକୁ ଭାଙ୍ଗି ଦେଇ ଏହା ସ୍ଥାନରେ ମିଳିତ ଜାତିସଂଘ ଗଢ଼ାଗଲା ନିଉୟର୍କରେ-। ୧୯୪୬ ମସିହା ଏପ୍ରିଲ ମାସ ୧୮ତାରିଖରେ ଏହାର ଶେଷ ଅଧିବେଶନ କରାଯାଇ ଏହାକୁ ଭାଙ୍ଗି ଦିଆଗଲା । ଏହାର ଘର, ପ୍ରାସାଦ ଅନ୍ୟାନ୍ୟ ସମ୍ପତ୍ତି ଓ ଆସବାବ୍‌ ପତ୍ର ଏହାର ଅନୁରୂପ ମିଳିତ ଜାତିସଂଘ ହାତରେ ସମର୍ପି ଦିଆଗଲା । ଗୋଟିଏ ବିରାଟ ଅନୁଷ୍ଠାନର ଜନ୍ମ ହୋଇ ମୃତ୍ୟୁ ଘଟିବାକୁ ତିରିଶ ବର୍ଷ ବି ଲାଗିଲାନି ।

 

ଲିଗ୍‌ ଅଫ୍‍ ନେସନ୍‌ସ୍‍ର ସମ୍ପତ୍ତି ଅନେକ । ଜେନିଭା ହ୍ରଦ କୂଳରେ ସାଢ଼େ ଚାରି ଏକର ଜମି ଉପରେ ରାଜନଅରୋପମ ଯେଉଁ ଅଫିସ ଗୃହ, ତା’ର ମୂଲ୍ୟ କେତେ ଯେ ହେବ କହି ହେବନି । ବିରାଟ ପ୍ରସାଦ, ସୁନ୍ଦର ସୁନ୍ଦର ଉଦ୍ୟାନ ଏହି ଅନୁଷ୍ଠାନର ସୌନ୍ଦର୍ଯ୍ୟ ବଢ଼ାଇବାରେ ଲାଗିଛି । ପ୍ରାସାଦଗୁଡ଼ିକ ଭିତରେ କଳା, ସ୍ଥାପତ୍ୟର କି ଅପୂର୍ବ କାରିଗରୀ ? ବିଭିନ୍ନ ଦେଶ ଏହି ଅନୁଷ୍ଠାନକୁ ଯେଉଁ ସବୁ ସୁନ୍ଦର ସୁନ୍ଦର ଜିନିଷ ଉପହାର ଦେଇଛନ୍ତି, ସେଗୁଡ଼ିକ ପ୍ରାସାଦର ଶୋଭା କମ୍‌ ବଢ଼ାଉ ନାହାନ୍ତି । ପୃଥିବୀର କେଉଁ ଦେଶ ଶଙ୍ଗମଲ ପଥର ଦେଇଛି ତ କେଉଁ ଦେଶ ଭଲ ଭଲ କାଠ ଦେଇଛି, କେଉଁ ଦେଶ ଗାଲିଚା ଦେଇଛି । ସବୁ ଦେଶର ପ୍ରଚେଷ୍ଟା ଏହି ମିଳିତ ଅନୁଷ୍ଠାନଟିକୁ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ।

 

ଏହି ଅନୁଷ୍ଠାନର ଆଲୋଚନାରେ ଏଥିରେ ସଭ୍ୟ ଥିବା ସବୁ ଦେଶମାନେ ଭାଗ ନିଅନ୍ତି-। କୌଣସି ଗୋଟିଏ ସମସ୍ୟା ଉପରେ ବର୍ତ୍ତମାନର ମିଳିତ ଜାତିସଂଘରେ ଆଲୋଚନା କଲା ଭଳି ସଭ୍ୟ ଦେଶମାନେ ନାନା ତର୍କ ବିତର୍କ ଭିତରଦେଇ ଆଲୋଚନା କରନ୍ତି । ମିଳିତ ଜାତିସଂଘର ଏହା ହେଉଛି ଇଉରୋପୀୟ ଅଫିସ । ନାନା ଆନ୍ତର୍ଜାତିକ ଆଲୋଚନା ଏଥିରେ ଆଜିକାଲି ଚାଲେ । ପାଞ୍ଚୋଟି ଭାଷାରେ ସାଧାରଣତଃ ଆଲୋଚନା କରାଯାଏ । ପାଞ୍ଚୋଟି ଭାଷାରେ କହିବାକୁ ଏହି ସଭ୍ୟମାନଙ୍କୁ ଅନୁମତି ଦିଆଯାଏ । ସେହି ପାଞ୍ଚୋଟି ଭାଷା ହେଲା ଇଂରାଜି, ଫରାସୀ, ସ୍ପେନିସ୍‌, ରୁଷ୍‌ ଓ ଚାଇନିଜ୍‌ । ଯେଉଁ ଦେଶର କଥିତ ଓ ସରକାରୀ ଭାଷା ଯାହା ହେଉ ପଛକେ, ସେମାନେ ଏହି ପାଞ୍ଚୋଟି ଭାଷାରୁ କୌଣସି ଗୋଟିଏ ଭାଷାରେ କହିବାକୁ ବାଧ୍ୟ । ପ୍ରତ୍ୟେକ ସଭ୍ୟଙ୍କ ସିଟ୍‌ରେ ଗୋଟିଏ ମାଇକ୍ରୋଫୋନ୍‌ ଓ ହେଡ-ଫୋନ୍‍ ଲାଗିଛି । ସେମାନେ ଯାହା ବକ୍ତୃତା ଦେବେ, ଏହି ମାଇକ୍ରୋଫୋନ୍‌ରେ କହିବେ । ଯା ଶୁଣିବେ, ହେଡ-ଫୋନ୍‌ରେ ଶୁଣିବେ । ମାଇକ୍ରୋଫୋନ୍‍ରୁ ସେମାନଙ୍କ କଥା ହଲକୁ ଲାଗି ରହିଥିବା ବିଭିନ୍ନ କୋଠରୀର ଇଣ୍ଟରପ୍ରିଟରମାନଙ୍କଠାକୁ ଯାଏ-। ସେଠି ଅନ୍ୟ ଚାରି ଭାଷାର ଇଣ୍ଟର୍‌ପ୍ରିଟରମାନେ ବସିଥାନ୍ତି । ସେମାନେ ଯେଉଁ ଭାଷାରେ ଶୁଣିବେ, ସଙ୍ଗେ ସଙ୍ଗେ ଶୁଣିଲା କ୍ଷଣି ତାକୁ ନିଜ ନିଜ ଭାଷାକୁ ଅନୁବାଦ କରି ସଙ୍ଗେ ସଙ୍ଗେ ଯୋଗାଇ ଦିଅନ୍ତି ସଭ୍ୟମାନଙ୍କଠାକୁ ଯେଉଁମାନେ ସେହି ସେହି ଭାଷାରେ କଥାବାର୍ତ୍ତା କରିବା ବା ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଏହି ଇଣ୍ଟରପ୍ରିଟରମାନେ ଏଡ଼େ କ୍ଷୀପ୍ର ଯେ ସେମାନେ ବକ୍ତାର ବକ୍ତୃତା ଶୁଣୁ ଶୁଣୁ ସଙ୍ଗେସଙ୍ଗେ ଅନୁବାଦ କରି ପକାନ୍ତି, ଟିକିଏ ବି ଡେରି ହୁଏନି । ବକ୍ତାର ବକ୍ତୃତା ସଙ୍ଗେ ସଙ୍ଗେ ଏହାର ଅନୁବାଦ ଚାଳିଥାଏ । ମନେକର ଜଣେ ବକ୍ତା ଇଂରାଜିରେ ବକ୍ତୃତା ଦେଲେ-। ଇଂରାଜି ଭାଷା ବୁଝୁଥିବା ଲୋକଙ୍କ ଇଅରଫୋନ୍‌ ପାଖକୁ ଏହି ବକ୍ତୃତା ସିଧାସଳଖ ଗଲା-। ଇଂରାଜି ବକ୍ତୃତା ଶୁଣି ଫରାସୀ ଇଣ୍ଟରପ୍ରିଟର ଫରାସୀ ଭାଷାକୁ ଏହାର ଅନୁବାଦ କରି ପକାଏ-। ଫଳରେ ଫରାସୀ ଭାଷା ବୁଝୁଥିବା ଲୋକଙ୍କ ଇୟର ଫୋନକୁ ଏହି ଫରାସୀ ଅନୁବାଦହିଁ ଗଲା-। ତେଣୁ ବକ୍ତା ଇଂରାଜିରେ ବକ୍ତୃତା ଦେଉଥିଲେ ହେଁ ଫରାସୀ ଭାଷା ବୁଝିବା ଲୋକ ଫରାସୀ ଭାଷାରେ ଶୁଣିପାରେ । ସେହିଭଳି ସ୍ପେନିସ୍‌ ଭାଷାଭାଷୀ ଲୋକ ତାହାକୁ ସ୍ପେନିସ୍‌ ଭାଷାରେ ଶୁଣିପାରେ । ବଡ଼ ବିଚିତ୍ର ପ୍ରକାର ଏ ବନ୍ଦୋବସ୍ତ । ମିଳିତ ଜାତିସଂଘର ଜେନିଭା ଓ ନିଉୟର୍କ ଦୁଇଟି ଯାକ ସ୍ଥାନରେ ଏହି ବନ୍ଦୋବସ୍ତ ବର୍ତ୍ତମାନ ବ୍ୟବହୃତ ହେଉଛି ।

 

ଲିଗ୍‌ ଅଫ୍‌ ନେସନ୍‌ସ୍‍ର ପ୍ରାସାଦ ବର୍ତ୍ତମାନ ମିଳିତ ଜାତିସଂଘର ଇଉରୋପୀୟ ଅଫିସ-। ଏଠାରେ ମଧ୍ୟ ବହୁ ଆନ୍ତର୍ଜାତିକ ମିଟିଂ ଆଦି ହୁଏ । ସେତେବେଳେ ଏହି ଯାନ୍ତ୍ରିକୀରଣ ଅନୁବାଦର ସାହାଯ୍ୟ ନିଆଯାଏ, ସଭ୍ୟମାନେ ବିଷୟ ଭଲଭାବରେ ବୁଝି ଆଲୋଚନା କରିବେ ବୋଲି-

 

ଲିଗ ଅଫ୍‌ ନେସନ୍‌ସ୍‍ର ପ୍ରାସାଦ ବୁଲୁଁ ବୁଲୁଁ ପ୍ରାୟ ଦୁଇ ତିନି ଘଣ୍ଟା ଚାଲିଗଲା । ଆମକୁ ବୁଲାଇ ଦେଖାଇବା ପାଇଁ ଗାଇଡ଼୍‍ମାନେ ଥାନ୍ତି । ଏହାକୁ ଦେଖିବା ପାଇଁ ଟିକଟ କରିବାକୁ ପଡ଼େ । ଗୋଟିଏ ଗୋଟିଏ ଗାଇଡ଼୍‍ଅଧୀନରେ ଦଳେ ଲେଖାଏଁ ଦର୍ଶକଙ୍କୁ ବୁଲିବା ପାଇଁ ଛଡ଼ା ଯାଏ । ଲିଗ୍‌ ଅଫ୍‌ ନେସନ୍‌ସ ପ୍ରାସାଦ ଭିତରେ ରକେଫଲର ଦେଇଥିବା ବିରାଟ ଗ୍ଲୋବ ଓ ଗ୍ଲୋବ ତଳେ ଥିବା ପାଣିକୁଣ୍ଡରେ ନାନା ଦେଶର ମୁଦ୍ରା ପଡ଼ିଥିବାର ଦେଖିଲେ ଭାରି ଖୁସି ଲାଗେ । ପିଲାମାନେ ଏହାକୁ ଦେଖି ଭାରି ଖୁସି । କେତେ ଦେଶର ମୁଦ୍ରା ଏଠି ପଡ଼ିଛି । ସେମାନଙ୍କ ଜିଦ୍‌ ସେମାନେ ଭାରତୀୟ ପଇସା ଏଠି ପକାଇବେ । ଆମ ପାଖରେ ଭାରତୀୟ ପଇସା ମୋଟେ ନ ଥାଏ । ତେଣୁ କେତୋଟି ଆମେରିକାନ ମୁଦ୍ରା ପକାଇ ସେଠାରୁ ବିଦାୟ ନେଲୁଁ ।

 

ଏମିତି ଭାବରେ ବୁଲୁଁ ବୁଲୁଁ ପ୍ରାୟ ଦିନ ଦୁଇଟା ହୋଇଗଲା । ମଧ୍ୟାହ୍ନ ଭୋଜନ ପାଇ ଯିବାକୁ ଲିଗ୍‌ ଅଫ୍‌ ନେସନ୍‍ସ ପ୍ରାସାଦରୁ ବିଦାୟ ନେଇ ରେଷ୍ଟୁରାଣ୍ଟ ଅଭିମୁଖେ ଚାଲିଲୁଁ । ଏଠାରୁ ଫେରିଲାବେଳେ ଫେରିଲୁଁ ଏକ ବସ୍‌ରେ । ଏ ସହରର ବସ୍‌ ଅନୁଭୂତିଟା କାହିଁକି ବା ବାଦ ପଡ଼ିଯିବ-?

 

ଜେନିଭା ବିଶ୍ୱବିଦ୍ୟାଳୟ

 

ମଧ୍ୟାହ୍ନ ଭୋଜନ ସାରି ବାହାରି ପଡ଼ିଲୁ ସହରର ଅନ୍ୟ ସବୁ ଦର୍ଶନୀୟ ସ୍ଥାନ ଦେଖି । ପେଲେସ ଅଫ୍‌ ନେସନ୍‍ସଠାରୁ ଅଳ୍ପ ଦୂରରେ ବୋଟାନିକାଲ ଗାର୍ଡନ । ଅତି ସୁନ୍ଦର ଊଦ୍ୟାନ । ତା’ଛଡ଼ା କେଥେଡ୍ରେଲ ଅଫ୍‍ ସେଣ୍ଟପିରେ, ଏରିଆନା ଯାଦୁଘର, ଟାଉନ ହଲ୍‌, ଜେନିଭା ବିଶ୍ୱବିଦ୍ୟାଳୟ ଆଦି କେତେ ଦେଖିବା ସ୍ଥାନ ରହିଛି । କେଥେଡ୍ରେଲ ଅଫ୍‍ ପିରେଠାରୁ ଅଳ୍ପ ଦୂରରେ ଜେନିଭା ବିଶ୍ୱବିଦ୍ୟାଳୟ ଅବସ୍ଥିତ । ଆର୍ଟ ଓ ହିଷ୍ଟ୍ରି ମିଉଜିୟମ୍‌ ମଧ୍ୟ ତାରିଠାରେ । ଏହାରି ନିକଟରେ ଜେନିଭାର ସୁବିଖ୍ୟାତ ଗ୍ରେଣ୍ଡ ଥିଏଟରର ପ୍ରେକ୍ଷାଳୟ ଅବସ୍ଥିତ । ସେହି ସବୁ ଦେଖା ଦେଖି କରି ଜେନିଭାର ବ୍ୟବସାୟ କେନ୍ଦ୍ର ଭିତରକୁ ଫେରି ଆସିଲୁ ।

 

ମାଉଣ୍ଟ ବ୍ଳେଙ୍କ

 

ଜେନିଭାରୁ ମାଉଣ୍ଟ ବ୍ଲେଙ୍କ ଦେଖିଯିବାର ଇଚ୍ଛା ଥିଲା । ଆମେ ଏତେ ଥକ୍‌କି ପଡ଼ିଥିଲୁ ଯେ ଜେନିଭାରୁ ପ୍ରାୟ ୩୦ । ୪୦ ମାଇଲ ଦୂର ମାଉଣ୍ଟ ବ୍ଲେଙ୍କ ଯିବାକୁ ଇଛା ହେଲାନି । ଜେନିଭାରେ ଆଉ ଦିନଟାଏ ରହିଥିଲେ ନିଶ୍ଚୟ ଯାଇଥାନ୍ତୁ । ମନରେ ଦୁଃଖ ରହିଗଲା, ଇଉରୋପର ଏହି ସୁନ୍ଦର ସ୍ଥାନଟିକୁ ଦେଖି ପାରିଲୁନି । ମାଉଣ୍ଟ ବ୍ଲେଙ୍କ ଯିବା ପାଇଁ ଜେନିଭାରୁ ବହୁ ପ୍ରକାର ବନ୍ଦୋବସ୍ତ ଅଛି । ଅତି ରମଣୀୟ ଯାଗା । ମାଉଣ୍ଟ ବ୍ଲେଙ୍କ ଯଦିଚ ଜେନିଭାରୁ ଯିବାକୁ ହୁଏ, ଏହା ହେଉଛି ଫ୍ରାନ୍‌ସରାଜ୍ୟ ମଧ୍ୟରେ ।

 

ଜେନିଭା ବିଶ୍ଵବିଦ୍ୟାଳୟରୁ ସିଧା ଚାଲିଲୁଁ ବଜାରକୁ । ବଜାରରେ ବହୁତ କିଛି କିଣିବାକୁ ଥିଲା । ଘଡ଼ି, ବ୍ଲେଡ ଧାର କରିବା ଯନ୍ତ୍ର, ଚକୋଲେଟ୍‌ । ଚକୋଲେଟ୍‌ ପାଇଁ ସୁଇଜରଲାଣ୍ଡ ପୃଥିବୀ ବିଖ୍ୟାତ । ଭାରତକୁ ଏଠାକାର ଚକୋଲେଟ କିଛି ନ ନେଲେ ନ ହୁଏ । ତେଣୁ ସେ ସବୁ ଖରିଦ କରି ହୋଟେଲକୁ ଫେରିଆସିଲୁ ।

 

ତହିଁ ପରଦିନ ଆମର ଜେନିଭା ଛାଡ଼ିବା କଥା । ଜେନିଭାରୁ ଏଥର ଆମେ ଯିବୁ ପଶ୍ଚିମ ଜର୍ମାନୀର ବିଖ୍ୟାତ ଶିଳ୍ପ ନଗରୀ ମିଉନିକ୍‌ । ତହିଁ ପର ଦିନ ସକାଳୁ ଆମର ରମାନା ହେବାର କଥା ମିଉନିକ୍‌ ଅଭିମୁଖେ ।

Image

 

Unknown

ଇଉରୋପର ଏକ ଶ୍ରେଷ୍ଠ ଶିଳ୍ପନଗରୀ ମିଉନିକ୍‌

 

ସେପ୍‌ଟେମ୍ବର ମାସ ୧୩ ତାରିଖ । ସକାଳ ସାତଟାରେ ଆମକୁ ନେଇ ସୁଇସ୍‌ଏୟାର କୋମ୍ପାନୀର ଏକ ଜେଟ୍‌ବିମାନ ଜେନିଭା ଏୟାର ପୋର୍ଟରୁ ଛୁଟି ଚାଲିଲା ଜର୍ମାନୀର ବିଖ୍ୟାତ ସହର ମିଉନିକ୍‍ ଅଭିମୁଖେ । ଜେନିଭାରୁ ମିଉନିକ୍‍ ପ୍ରାୟ ଦୁଇଶହ ମାଇଲରୁ ଅଧିକ ଦୂର । ଗଲାବେଳେ ତୁଷାର ମଣ୍ଡିତ ଆଲପସ ପର୍ବତମାଳା ଉପରେ ଉଡ଼ି ଉଡ଼ିଯିବାର କଥା ।

 

ଇଉରୋପ ମହାଦେଶରେ ସବୁଠାରୁ ବଡ଼ ଶିଳ୍ପ ପ୍ରଧାନ ଦେଶ ହେଲା ଜର୍ମାନୀ । ଶିଳ୍ପ କାରଖାନା, ବୈଜ୍ଞାନିକ ଯନ୍ତ୍ରପାତି ଉତ୍ପାଦନରେ ପୃଥିବୀର ବହୁଦେଶ ଆଗରେ ଏହା ରହିଛି । ଆଧୁନିକ ପାଶ୍ଚାତ୍ୟ ବିଜ୍ଞାନର ପ୍ରସାର ସର୍ବ ପ୍ରଥମେ ଆରମ୍ଭ ହୁଏ ଜର୍ମାନୀରେ । ବିଜ୍ଞାନର ପ୍ରସାର ସଙ୍ଗେ ସଙ୍ଗେ ଏହି ରାଜ୍ୟଟି ଶିଳ୍ପ କାରଖାନାରେ ପୁରି ଉଠେ । ବିଜ୍ଞାନ ଶିକ୍ଷାର ବିଧିବଦ୍ଧ ଆରମ୍ଭ ପୃଥିବୀର କୌଣସି ଦେଶରେ ଯେତେବେଳେ ହୋଇ ନଥିଲା, ସେତେବେଳେ ଶିଳ୍ପ ବିଜ୍ଞାନରେ ଜର୍ମାନୀ ଥିଲା ଅଗ୍ରଗଣ୍ୟ । ସେ ଯୁଗରେ ବିଜ୍ଞାନ ସାହିତ୍ୟ କି ଶିଳ୍ପ ସାହିତ୍ୟ କେବଳ ଜର୍ମାନୀ ଭାଷାରେ ହିଁ ଲେଖା ହେଉଥିଲା । ଇଂରେଜି ସାହିତ୍ୟ କି ଫରାସୀ ସାହିତ୍ୟରେ ବିଜ୍ଞାନ ସାହିତ୍ୟର ନାମ ଗନ୍ଧ ନଥିଲା । ସେ ଯୁଗରେ ଉଚ୍ଚ ଶ୍ରେଣୀର ବୈଜ୍ଞାନିକ କହିଲେ ହିଁ ଜର୍ମାନୀଦେଶର ବୈଜ୍ଞାନିକମାନଙ୍କୁ ହିଁ ବୁଝାଉ ଥିଲା । ଇଉରୋପର ବିଭିନ୍ନ ଦେଶରେ ଯେଉଁ ବୈଜ୍ଞାନିକମାନେ ଗବେଷଣ କରୁଥିଲେ, ସେମାନଙ୍କ ଗବେଷଣା ଲବ୍‌ଧ ଜ୍ଞାନକୁ ପ୍ରକାଶ କରୁଥିଲେ ଜର୍ମାନ ଭାଷାରେ, ଜର୍ମାନ ଦେଶର ପତ୍ରପତ୍ରିକାରେ । କୌଣସି ଗୋଟିଏ ନୂଆ ଜିନିଷ ଯଦି ଉଦ୍ଭାବିତ ହେଉଥିଲା, ତେବେ ତାହା ହେଉଥିଲା ଜର୍ମାନୀରେ । ଇଉରୋପର ଅନ୍ୟନ୍ୟ ଦେଶରେ ଯଦି ବୈଜ୍ଞାନିକମାନେ କିଛି ଗୋଟାଏ ଉଦ୍ଭାବନ କରୁଥିଲେ, ସେହି ଉଦ୍ଭାବନକୁ ସେମାନଙ୍କ ପାଖକୁ ଆଣୁଥିଲେ ଜର୍ମାନ ଦେଶର ଶିଳ୍ପପତିମାନେ । ସେ ଯୁଗରେ ସାମାନ୍ୟ କେତୋଟିକୁ ଛାଡ଼ି ଦେଲେ, ଶିଳ୍ପଜାତ ଦ୍ରବ୍ୟ ବୋଇଲେ ଜର୍ମାନ ଦେଶର ଶିଳ୍ପଜାତ ଦ୍ରବ୍ୟକୁ ହିଁ ବୁଝାଉଥିଲା । ସାଧାରଣ ପଦାର୍ଥଟିଠାରୁ ଖୁବ୍‌ ବଡ଼ ବଡ଼ ଯନ୍ତ୍ରପାତି ପର୍ଯ୍ୟନ୍ତ ଜର୍ମାନୀ ଦେଶର ପଦାର୍ଥର ଉପାଦେୟତା ଅତି ଉଚ୍ଚକୋଟୀର ଥିଲା । ତେଣୁ ଜର୍ମାନୀ ଜିନିଷ ସାରା ପୃଥିବୀରେ ଲୋକପ୍ରିୟ ହେଉଥିଲା । ଶିଳ୍ପବିଜ୍ଞାନ ଦୃଷ୍ଟିରୁ ଇଉରୋପର କୌଣସି ଦେଶ ଯଦି ବର୍ତ୍ତମାନ ଯୁକ୍ତରାଷ୍ଟ ଆମେରିକାର ସମକକ୍ଷ ହୋଇ ପାରିବ, ତେବେ ସେ ଦେଶ ହେଉଛି ଜର୍ମାନୀ । କେତେ ପ୍ରକାର ଶିଳ୍ପରେ ବି ଜର୍ମାନୀ ଦେଶ ପୃଥିବରେ ଅପ୍ରତିଦ୍ଵନ୍ଦୀ ।

 

ଦ୍ଵିତୀୟ ମହାସମର ପୂର୍ବରୁ ଯେଉଁ ଜର୍ମାନୀ ଏକ ସମ୍ମିଳିତ ରାଷ୍ଟ୍ର ଥିଲା, ଯୁଦ୍ଧ ପରେ ଜର୍ମାନୀର ପତନ ହେବାରୁ ଏହା ମୋଟାମୋଟି ଦୁଇ ଭାଗରେ ବିରକ୍ତ ହୋଇ ରହିଲା । ଗୋଟିଏ ହେଲା ପଶ୍ଚିମ ଜର୍ମାନୀ, ଅନ୍ୟଟି ପୂର୍ବ ଜର୍ମାନୀ । ପୂର୍ବ ଇଉରୋପୀୟ ରାଜ୍ୟମାନଙ୍କ ଭଳି ପୂର୍ବ ଜର୍ମାନୀ ସାମ୍ୟବାଦୀ ଶାସନ ଦ୍ଵାରା ପରିଚାଳିତ, ପଶ୍ଚିମ ଜର୍ମାନୀ ପଶ୍ଚିମ ଇଉରୋପର ରାଜ୍ୟମାନଙ୍କ ଭଳି ଗଣତନ୍ତ୍ର ଶାସନ ଦ୍ଵାରା ପରିଚାଳିତ । ପୂର୍ବଜର୍ମାନୀ ରୁଷିଆର ବନ୍ଧୁ, ପଶ୍ଚିମ ଜର୍ମାନୀ ଇଂଲଣ୍ଡ, ଆମେରିକା, ତଥା ଫ୍ରାନ୍‌ସର ବନ୍ଧୁ ରାଷ୍ଟ୍ର ।

 

ଜର୍ମାନୀ ଭାଗ ଭାଗ ହୋଇଯିବା ପରେ ଜର୍ମାନୀ ଦେଶର ପୂର୍ବତନ ରାଜଧାନୀ ବର୍ଲିନ ତାର ପ୍ରାଧାନ୍ୟ ବହୁ ପରିମାଣରେ ହରାଇଲା । ବର୍ଲିନ ପୂର୍ବ ଜର୍ମାନୀର ସୀମା ଭିତରେ ଥିବାରୁ ଏହା ହେଲା ପୂର୍ବ ଜର୍ମାନୀର ରାଜଧାନୀ । ବର୍ଲିନ ସହର ପୂର୍ବ ଜର୍ମାନୀର ସୀମା ଭିତରେ ଥିଲେ ହେଁ ଏହା ମଧ୍ୟ ଦୁଇ ଭାଗରେ ବିଭକ୍ତ, ପୂର୍ବ ବର୍ଲିନ ଓ ପଶ୍ଚିମ ବର୍ଲିନ । ପୂର୍ବ ବର୍ଲିନ ପୂର୍ବ ଜର୍ମାନୀର ରାଜଧାନୀ । ପଶ୍ଚିମ ବର୍ଲିନ ପଶ୍ଚିମ ଜର୍ମାନୀଠାରୁ ବହୁ ଦୂରରେ ଥିଲେ ହେଁ ପଶ୍ଚିମ ଜର୍ମାନୀର ଅଧୀନସ୍ଥ ଏକ ବଡ଼ ସହର । ପୂର୍ବ ଓ ପଶ୍ଚିମ ବର୍ଲିନ ଭିତରେ ଯିବା ଆସିବା କରିବାକୁ ଅବରୋଧ ପାଇଁ ସୁପ୍ରସିଦ୍ଧ ବର୍ଲିନ କାନ୍ଥ (Berlin Wall) ପ୍ରତିଷ୍ଠା କରାଯାଇଛି, ଯାହାକି ପୂର୍ବ ଓ ପଶ୍ଚିମ ବର୍ଲିନର କେବଳ ଏକ ପ୍ରାଚୀର ହୋଇ ରହିନି, ଏହା ଏକ ପ୍ରକାଣ୍ଡ ପ୍ରାଚୀର ଭଳି ହୋଇ ରହିଛି ସାମ୍ୟବାଦ ଓ ପୁଞ୍ଜିବାଦ ଭିତରେ ।

 

ଜର୍ମାନୀ ଭାଗ ଭାଗ ହୋଇ ଯାଇଥିଲେ ହେଁ ଲୋକସଂଖ୍ୟା ଦୃଷ୍ଟିରୁ ପଶ୍ଚିମ ଜର୍ମାନୀ ବେଶ ବିରାଟ । ପଶ୍ଚିମ ଜର୍ମାନୀର ଲୋକ ସଂଖ୍ୟା ସାଢ଼େ ପଞ୍ଚକୋଟି ଥିବା ସ୍ଥଳେ ପୂର୍ବ ଜର୍ମାନୀରେ ଏହା ମୋଟେ ଦୁଇକୋଟିରୁ ଅଧିକ ନୁହେଁ । ପଶ୍ଚିମ ଜର୍ମାନୀର ପ୍ରଚଳିତ ମୁଦ୍ରା ହେଉଛି ଜର୍ମାନ ଫ୍ରାଙ୍କ୍‌ । ଚାରୋଟି ଜର୍ମାନ ଫ୍ରାଙ୍କ ହେଲେ ଗୋଟିଏ ଆମେରିକାନ ଡଲାର ସହିତ ସମାନ । ସେତେବେଳେ ଆମର ପାଞ୍ଚ ସଉକା ସହିତ ଗୋଟିଏ ଜର୍ମାନ ମାର୍କ ସମାନ ଥିଲା ।

 

ଏହି ବିରାଟ ଜର୍ମାନ ଦେଶର ଇତିହାସ ବଡ଼ କୌତୁହଳପ୍ରଦ । ହଜାର ହାଜର ବର୍ଷ ତଳେ ଟିଉଟୋନିକ ଜାତି ବର୍ତ୍ତମାନ କୁହାଯାଉଥିବା ଜର୍ମାନୀ ଅଞ୍ଚଳରେ ବସବାସ କରୁଥିଲେ । ଏହି ଜାତି ଭିତରେ ଫ୍ରାଙ୍କ୍‌ସ ଓ ଗୋଥସ୍‌ନାମକ ଉପଜାତି ଦ୍ଵୟ ମଧ୍ୟ ଥିଲେ । ଖ୍ରୀଷ୍ଟାଦ୍ଦ ୮୦୦ ମସିହାରେ ଚାର୍ଲମେଗ୍‌ନେ ଯେତେବେଳେ ପବିତ୍ର ରୋମାନ ସାମ୍ରାଜ୍ୟ ପ୍ରତିଷ୍ଠା କଲେ, ସେତେବେଳକୁ ଏହି ଫ୍ରାଙ୍କ୍‌ସ ଉପଜାତି ବେଶ ବକଶାଳୀ ହୋଇ ଉଠିଥିଲେ ଓ ଜର୍ମାନୀର ସବୁ ଜାତି ସେମାନଙ୍କ ଅନୁଗତ ଥିଲେ । ଚାଲ୍‌ମେଗ୍‌ନେଙ୍କ ମୃତ୍ୟୁ ପରେ ତାଙ୍କର ବିରାଟ ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମଧ୍ୟ ଯୁଗରେ ଏହା ସେହିଭଳି ଖଣ୍ଡି ଖଣ୍ଡିକିଆ ରାଜ୍ୟ ହୋଇରହିଲା । ରିଫର୍ମେସନ୍‌ ସମୟରେ ଏହି ରାଜ୍ୟଗୁଡ଼ିକ ଆହୁରି ଭାଗ ଭାଗ ହୋଇ ପତନ ଆଡ଼କୁ ଗତି କଲା । ଜର୍ମାନୀରେ ଯେତେବେଳେ ତିରିଶି ବର୍ଷିଆ ଯୁଦ୍ଧ ଚାଲିଲା ଓ ମହା-ପ୍ରତାପୀ ନେପୋଲିୟନଙ୍କ କ୍ରୁର ଆଖି ଏହା ଉପରେ ପଡ଼ିଲା, ଏହି ରାଜ୍ୟ ଆହୁରି ବିଭକ୍ତ ହେଲା । କିନ୍ତୁ ୧୮୭୧ ମସିହାରେ ଜର୍ମାନୀର ଲୌହ ଶାସକ Iron Chancellor ବିସମାର୍କ ଜର୍ମାନୀର ଏହି ସବୁ ଛୋଟ ଛୋଟ ରାଜ୍ୟକୁ ଏକାଠି କରି ଗୋଟିଏ ବଡ଼ ସାମ୍ରାଜ୍ୟରେ ପରିଣତ କଲେ । ସେହୁ ବର୍ଷଠାରୁ ପୃଥିବୀ ଇତିହାସରେ ଜର୍ମାନୀ ଏକ ବଡ଼ ଦେଶ ଓ ଜାତି ଭାବରେ ମୁଣ୍ଡ ଟେକିଲା, ପୃଥିବୀର ରାଜନୀତି ଓ କୂଟନୀତିରେ ଯଥାଯଥ ଅଂଶ ଗ୍ରହଣ କଲା । ପ୍ରଥମ ମହାସମର ପୂର୍ବରୁ ଜର୍ମାନୀ ଅନ୍ତର୍ଗତ ପ୍ରୁସିଆର ରାଜା ପ୍ରଥମ ଉଇଲ୍‌ହେଲମ୍‌ସ ଦ୍ଵିତୀୟ ରାଇଖ୍‌ର ପ୍ରଥମ କାଇଜର (First Kaiser of the Second Reich) ଆଖ୍ୟା ନେଇ ଜର୍ମାନୀର ହର୍ତ୍ତାକର୍ତ୍ତା ହେଲେ । ତାଙ୍କରି ସମୟରେ ପ୍ରଥମ ମହାସମର ଆରମ୍ଭ ହେଲା, ଏଥିରେ ଜର୍ମାନୀ ପରାସ୍ତ ହୋଇ ୧୯୧୮ ମସିହାରେ ଆମ୍ମସମର୍ପଣ କଲା । ଏହାର ତତ୍‌କାଳୀନ ସମ୍ରାଟ ଉଇଲ ହେଲମ୍‌ ଦ୍ଵିତୀୟ ଜର୍ମାନୀ ଛାଡ଼ି ପଳାଇଲେ ।

 

ଭାରସେଲିସ ଚୁକ୍ତି ପତ୍ର ସ୍ଵାକ୍ଷର ହେବା ପରେ ଜର୍ମାନୀ ପୁଣି ଏକ ସ୍ଵାଧୀନ ରାଷ୍ଟ୍ର ଭାବରେ ଆଗେଇଲା । ଏହି ସମୟରେ ଜର୍ମାନୀର ଭାଗ୍ୟ ଆକାଶରେ ଦେଖା ଦେଲେ ହିଟଲର, ଯେ କି ଭାର୍‌ସେଲିସ୍‌ ସନ୍ଧିପତ୍ରର ଅସନ୍ତୋଷ, ଅଶାନ୍ତିର ବୀଜ ସାରା ଜର୍ମାନୀରେ ବିଛାଡ଼ି ଦେଲେ । ସେତେବେଳେ ସାରା ଇଉରୋପରେ ଅର୍ଥନୈତିକ ସଙ୍କଟ ମଧ୍ୟ ଦେଖା ଦେଇ ଥାଏ । ୧୯୩୩ ମସିହାରେ ହିଟଲର୍‌ ପ୍ରେସିଡେଣ୍ଟ ଭନ୍‌ହିଣ୍ଡେନବର୍ଗଙ୍କ ଦ୍ଵାରା ଜର୍ମାନୀର ହର୍ତ୍ତାକର୍ତ୍ତା ଭାବରେ ଅଭିଷିକ୍ତ ହୋଇ ଜର୍ମାନୀ ଦେଶର ଭାଗ୍ୟ ଡୋରିକୁ ନିଜ ହାତକୁ ନେଲେ । ସେ ସାମ୍ରାଜ୍ୟ ପ୍ରତିଷ୍ଠା ମନୋବୃତ୍ତି ନେଇ ଦେଶ ଚଳାଇବା ଫଳରେ ଆରମ୍ଭ ହେଲା ଦ୍ଵିତୀୟ ମହାସମର ୧୯୩୯ ମସିହାରେ । ହିଟଲର ସେତେବେଳେ ଜର୍ମାନୀର ତୃତୀୟ ରାଇଖ୍‌ ସାମ୍ରାଜ୍ୟ (Third Reich) ପ୍ରତିଷ୍ଠା କରିବାର ଶପଥ ନେଇଥିଲେ । ଜର୍ମାନୀର ଭାଗ୍ୟକୁ ସେତେବେଳେ ହିଟଲରଙ୍କ ସାଙ୍ଗରେ ଜୁଟିଲେ ଦଳେ ନରହନ୍ତା ନେତା, ଯେଉଁମାନେ ଏହି ଯୁଦ୍ଧକୁ ସାରା ପୃଥିବୀରେ ବ୍ୟାପକ କରାଇ ଦେଇ ସାରା ମଣିଷ ସମାଜକୁ ମୃତ୍ୟୁ ମୁଖକୁ ଟାଣି ଆଣିଥିଲେ । ଏହି ସବୁ ନେତାଙ୍କ ମଧ୍ୟରେ ହିମ୍‌ଲର, ଗୋବେଲ ରିବେନଟ୍ରପ୍‌, ରୋଜେନ୍‌ବର୍ଗ, ମାର୍ସେଲ ଗୋରିଙ୍ଗ ଆଦି ନେତାମାନେ ଅଗ୍ରଗଣ୍ୟ ଥିଲେ । ଛଅ ବର୍ଷ ଧରି ଏହି ଯୁଦ୍ଧ ଚାଲିଲା । ହିଟଲର୍‌ଙ୍କ ସାଙ୍ଗଙ୍କୁ ସହଯୋଗୀମାନେ ଯୁଦ୍ଧରେ ଯୋଗଦେଲେ ଇଟାଲିର ଏକଛତ୍ରବାଦୀ ନେତା ମୂସୋଲିନି ଓ ଯୁଦ୍ଧଖୋର ଯାପାନ । ଏହି ତିନୋଟି ରାଜ୍ୟ ଗୋଟିଏ ପକ୍ଷ, ଅନ୍ୟ ପକ୍ଷରେ ବିଟ୍ରିଶ୍‌, ଆମେରିକା, ଫ୍ରାନ୍‌ସ ଆଦି ଗଣତାନ୍ତ୍ରିକ ରାଷ୍ଟ୍ର ରହି ଯୁଦ୍ଧ ଚଳାଇଲେ । ଶେଷରେ ଜର୍ମାନୀର ପତନ ହେଲା । ହିଟଲର୍‌ ତାଙ୍କ ପ୍ରେୟସୀ ଇଭାବ୍ରନଙ୍କୁ ମୃତ୍ୟୁ ପୂର୍ବରୁ ବିବାହ କରି ଆତ୍ମହତ୍ୟା କଲେ । ହିମଲର ଧରା ହେବା ପରେ ଆତ୍ମହତ୍ୟା କଲେ । ଗୋବେଲ ଓ ତାଙ୍କ ସ୍ତ୍ରୀ ରୁଷୀୟମାନଙ୍କ ହାତରେ ପଡ଼ିବାକୁ ଆତ୍ମହତ୍ୟା କଲେ ଓ ବାକି ସମସ୍ତେ ବନ୍ଦୀହେଲେ । ଗୋରିଙ୍ଗ୍‌, ରିବେନ୍‌ଟ୍ରପ୍‌, ହେସ୍‌, ଲେ ଆଦି ନେତାମାନେ ଧରାହୋଇ ୧୯୪୬ ମସିହାରେ ସେମାନଙ୍କ ବିଚାର ପୃଥିବୀ ପ୍ରସିଦ୍ଧ ନ୍ୟୁରେମ୍‌ବର୍ଗ ଠାରେ ଚାଲିଲା । ଏହା ନ୍ୟୁରେମବର୍ଗ ବିଚାର ଭାବରେ ଖ୍ୟାତ । ଏଥିରେ ଗୋରିଙ୍ଗ୍‌, ରିବେନ୍‌ଟ୍ର-ପ୍‌ଓ ଅନ୍ୟ ନଅ ଜଣଙ୍କୁ ଫାସି ଦିଆଗଲା, ହେସ୍‌ଆଦିଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା । ରୋଜେନବର୍ଗ ସେତେବେଳେ ଧରା ପଡ଼ି ନ ଥିଲେ । ଏହି ଅଳ୍ପ କେଇ ବର୍ଷ ତଳେ ସେ ଧରା ହୋଇ ତାଙ୍କ ବିଚାର ଇଜ୍ରାଏଲରେ ଚାଲିଲା, ସେ ମଧ୍ୟ ଫାସୀ ପାଇଲେ ।

 

ଯୁଦ୍ଧ ପରେ ଜର୍ମାନୀ ବିଭକ୍ତ ହୋଇ ଚାରୋଟି ଜାତି ଆମେରିକା, ଇଂଲଣ୍ଡ, ଫ୍ରାନ୍‌ସ ଓ ରୁଷିଆ ଅଧୀନରେ ରହିଲା । ଫାନ୍‌ସ, ଆମେରିକା ଓ ଇଂଲଣ୍ଡ ଅଧିକୃତ ରାଜ୍ୟ ମିଳିତ ହୋଇ ୧୯୪୯ ମସିହାରେ ପଶ୍ଚିମ ଜର୍ମାନୀ ନାମ ଦେଇ ଏକ ରାଜ୍ୟ ପ୍ରତିଷ୍ଠା କଲେ, ରୁଷୀୟ ଅଧିକୃତ ରାଜ୍ୟ ପୂର୍ବ ଜର୍ମାନୀ ନାମ ନେଇ ରହିଲା । ୧୯୫୫ ମସିହାରେ ପଶ୍ଚିମ ଜର୍ମାନୀ ଫ୍ରାନ୍‌ସ ଆମେରିକା ଇଂଲଣ୍ଡର ଅଧୀନରୁ ମୁକ୍ତି ପାଇ ଏକ ସ୍ଵାଧୀନ ରାଷ୍ଟ୍ର ହେଲା । ପୂର୍ବ ଜର୍ମାନୀ, “ଜର୍ମାନ ଡେମୋତ୍ରା-ଟିକ ରିପବ୍ଲିକ୍‌” ଭାବରେ ଅନ୍ୟ ଏକ ସ୍ଵାଧୀନ ରାଷ୍ଟ୍ର ହେଲା । ପଶ୍ଚିମ ଜର୍ମାନୀ ପୁଞ୍ଜିପତି ରାଷ୍ଟ୍ର ପକ୍ଷରେ ଓ ପୂର୍ବ ଜର୍ମାନୀ ସାମ୍ୟବାଦୀ ରାଷ୍ଟ୍ର ପକ୍ଷରେ ରହି ବିରାଟ ଜର୍ମାନୀ ଦେଶ ହି ଖଣ୍ଡିତ ହୋଇ ରହିଲା ।

 

ଜର୍ମାନୀ ଦେଶର ଏହି ହେଲା ଇତିହାସ । ଜର୍ମାନୀ ଜାତି ଜୀବନ ସାରା ଖାଲି ଯୁଦ୍ଧ କରି ଆସିଛି । ସେଥିପାଇଁ ଲୋକେ କହନ୍ତି ଜର୍ମାନୀ ଜାତିର ରକ୍ତରେ ଯୁଦ୍ଧର କଣିକା ପ୍ରବାହିତ । କେତେକ କହନ୍ତି, ଆଜି ଦୁଇ ଜର୍ମାନୀକୁ ଏକାଠି କରିଦିଅ, ଦେଖିବ, ତୃତୀୟ ମହାସମର ଆରମ୍ଭ କରିଦେବାକୁ ସେମାନେ ବେଶି ସମୟ ନେବେନି ।

 

କିନ୍ତୁ ଏସବୁ ସତ୍ୱେ,ଜର୍ମାନୀ ଇଉରୋପ ତଥା ପୃଥିବୀ ଭିତରେ ଏକ ବିଜ୍ଞାନୋନ୍ନତ ଦେଶ । ବିଜ୍ଞାନ ଶିକ୍ଷା ଓ ଗବେଷଣାରେ ଦ୍ଵିତୀୟ ମହାସମର ପୂର୍ବରୁ ଜର୍ମାନୀର ସମକ୍ଷକ କେହି ନଥିଲେ । ବିଭିନ୍ନ ଶିକ୍ଷା କି ଗବେଷଣା ଟ୍ରେନିଂ ପାଇବାକୁ ହେଲେ ଲୋକେ ଜର୍ମାନୀ ଆଡ଼କୁ ଅନାଉଥିଲେ, ଆଜି ଯେମିତି ଲୋକେ ଆମେରିକା କି ରୁଷିଆ ଆଡ଼କୁ ଅନାଉଛନ୍ତି । ବିଜ୍ଞାନ ଜଗତରେ ଯେତେ ସବୁ ବଡ଼ ବଡ଼ ବୈଜ୍ଞାନିକ ନୋବେଲ୍‌ ପ୍ରାଇଜ୍‌ ବିଜେତା ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଜର୍ମାନ ଦେଶର । ପୃଥିବୀର ସବୁପ୍ରକାର କଳ କାରଖାନା, ଶିଳ୍ପ ଜର୍ମାନୀ ଦେଶରେ ଗଢ଼ି ଉଠିଥିଲା । ବୈଜ୍ଞାନିକ ଶିଳ୍ପରେ କିଛି ଗୋଟିଏ ନୂଆ କଥା ଦେଖା ଦେଲେ, ତାହା ସଙ୍ଗେ ସଙ୍ଗେ ଜର୍ମାନୀରେ କରାଯାଉଥିଲା । କିନ୍ତୁ ଦ୍ଵିତୀୟ ମହାସମର ପରେ ସେ ପ୍ରାଧାନ୍ୟ ଆଉ ରହିଲାନି । ଜର୍ମାନୀର ବଡ଼ ବଡ଼ ବୈଜ୍ଞାନିକମାନେ ଦେଶ ଛାଡ଼ି, ଆମେରିକା ରୁଷିଆକୁ ଚାଲିଗଲେ-। ଶିଳ୍ପ ଗବେଷଣାରେ ଜର୍ମାନୀ ବହୁତ ତଳକୁ ଖସି ଆସିଲା । ପୃଥିବୀର ଦୁଇଟି ରାଷ୍ଟ୍ର ଆମେରିକା ଓ ରୁଷିଆ ଜର୍ମାନୀର ସ୍ଥାନ ଗ୍ରହଣ କଲେ । ତଥାପି ଜର୍ମାନୀ ବର୍ତ୍ତମାନ ପୃଥିବୀର ଏକ ଉନ୍ନତ ଶିଳ୍ପ ପ୍ରଧାନ ଦେଶ ଭାବରେ ଖ୍ୟାତି ଲଭିଛି । ଜର୍ମାନୀ ଶିଳ୍ପଜାତ ପଦାର୍ଥର ଚାହିଦା ଓ ଉତ୍କୃଷ୍ଟତା ଏବେ ବି ପୃଥିବୀରେ ଅପ୍ରତିହତ ।

 

ଜର୍ମାନୀର ଏହି ଅପୂର୍ବ ଖ୍ୟାତି ଯୋଗୁଁ ଇଉରୋପ ଭ୍ରମଣବେଳେ ଆମେ ଏହି ରାଜ୍ୟକୁ ତ୍ରମ ଭ୍ରମଣ ପ୍ରୋଗ୍ରାମ୍‌ରୁ ବାଦ ଦେଇ ପାରିଲୁନି । ପଶ୍ଚିମ ଜର୍ମାନୀ ହେଉ ବା ପୂର୍ବ ଜର୍ମାନୀ ହେଉ କୌଣସି ଏକ ଜର୍ମାନ୍‌ ରାଷ୍ଟ୍ରକୁ ଆମେ ଦେଖିବା ପାଇଁ ଠିକ୍‌ କଲୁଁ । ପଶ୍ଚିମ ଜର୍ମାନୀରେ କଲୋନ୍‌, ବନ୍‌, ଫ୍ରାଙ୍କ୍‌ଫର୍ଟ, ଫ୍ରାଇବର୍ଗ, ହେମବର୍ଗ, ହାଇଡେଲବର୍ଗ, ମିଉନିକ୍‍, ନ୍ୟୁରେମ୍‌ବର୍ଗ, ଷ୍ଟୁଟ୍‌ଗାର୍ଟ ଆଦି ବଡ଼ ବଡ଼ ସହର ଥିଲେ ହେଁ ଆମେ ଏଥିଭିତରୁ ମିଉନିକ୍‍ ସହରଟିକୁ ଦେଖିବା ପାଇଁ ମନସ୍ଥ କରିଥାଉଁ । ଜର୍ମାନୀର ବଡ଼ ବଡ଼ ଓ ସୁବିଖ୍ୟାତ ସହର ଭିତରୁ ଏହା ଗୋଟିଏ ହୋଇଥିବାରୁ ମିଉନିକ୍‌କୁ ଆମ ଇଉରୋପ ଭ୍ରମଣ ପ୍ରୋଗ୍ରାମରେ ସ୍ଥାନ ଦେଇଥାଉଁ ।

 

ସୁଇସ୍‌ଏୟାର କୋମ୍ପାନୀ ଆମ ପରିବାରକୁ ଆକାଶର କୋଡ଼ିଏ ହଜାର ଫୁଟ ଉଚ୍ଚତାରେ ବହନକରି ଚାଲିଥାଏ ମିଉନିକ୍‌ ସହର ଅଭିମୁଖେ । ଦିନ ନଅଟାରେ ଆମ ଉଡ଼ାଜାହାଜ ମିଉନିକ୍‌ ଉଡ଼ାଜାହାଜ ଘାଟିରେ ପହଞ୍ଚିବ ବୋଲି ଏୟାର ହୋଷ୍ଟେସ୍‌ମାନେ ଜଣାଇ ଦେଇଥାନ୍ତି । ଜାହାଜ ଉଡ଼ାଜାହାଜ ଘାଟିରେ ପହଞ୍ଚିବା ପୂର୍ବରୁ ଜନୈକ ଜର୍ମାନ ଭଦ୍ରଲୋକଙ୍କ ସହିତ ସାକ୍ଷାତ ହେଲା ଉଡ଼ାଜାହାଜ ଭିତରେ । କଥା ପ୍ରସଙ୍ଗରେ ସେ ଆମକୁ ପଚାରିଲେ ଆମେ କେଉଁଠାକୁ ଯାଉଛୁଁ ବୋଲି । ଆମେ ଯେତେବେଳେ ଉତ୍ତର ଦେଲୁଁ, ଆମେ ମିଉନିକ୍‌ ଅଭିମୁଖେ ଯାଉଛୁଁ, ସେ ଆମ କଥାରୁ କିଛି ବୁଝି ପାରିଲେନି । ମିଉନିକ୍‌ ସହରଟି କେଉଁଠି ତାଙ୍କୁ ଅଜଣା । ଜର୍ମାନ୍‌ ଭଦ୍ରବ୍ୟକ୍ତି ଜଣକ ଇଂରେଜୀ ବିଶେଷ ଜାଣନ୍ତିନି, ଖାଲି ଅଳ୍ପ ଅଳ୍ପ କଥାବାର୍ତ୍ତା କରି ଜାଣନ୍ତି । ସେ ନ ବୁଝି ପାରିବା ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁଁ । ତାଙ୍କ ନିକଟରେ ଜଣେ ଭାରତୀୟ ଭଦ୍ରଲୋକ ବସିଥିଲେ । ସେ ଜର୍ମାନୀରେ କାମ କରନ୍ତି । ସେ ମୋତେ ପଚାରିଲେ “ଆପଣ ମିଉନିକ୍‌ ଯିବେ ? ତା ହେଲେ ଆପଣ ତାଙ୍କୁ ମିଉନିକ୍‌ ନ କହି ମୁନ୍‌ଚେନ୍‌ କହନ୍ତୁ ।” ତେଣୁ ମୁଁ ସଙ୍ଗେ ସଙ୍ଗେ ମୋ ଭ୍ରମ ସଂଶୋଧନ କରି ମୁନଚେନ୍‌ ଯିବା କଥା କହିଲି, ସେ ଭଦ୍ରଲୋକ ଜଣକ ସଙ୍ଗେ ସଙ୍ଗେ ବୁଝିଗଲେ-। “ଓଃ ଆପଣମାନେ ମୁନଚେନ୍‌ ଯିବେ ? ବାଃ, ବେଶ୍‌ ଭଲ । ମୁଁ ମଧ୍ୟ ମୁନଚେନ୍‌ ଯାଉଛି-।” ବଡ଼ ବିଚିତ୍ର, ମୁଁ ଜାଣି ନଥିଲି, ମିଉନିକ୍‌କୁ କହନ୍ତି ଜର୍ମାନୀରେ ମୁନଚେନ୍ । ଜର୍ମାନୀରେ ମୁନଚେନ୍‌ ନାଁ କହିଲେ ଲୋକେ ବୁଝିବେ, ମିଉନିକ୍‌ ନା କହିଲେ କେହି ବୁଝିବେନି । କଥାରେ ଅଛି, “ଯେ ଦେଶେ ଯାଇ, ସେ ଫଳ ଖାଇ” ନୁହେଁ, “ଯେ ଦେଶେ ଯାଇ ସେ ଭାଷା କହି ।” ଯାହା ହେଉ ନୂଆ କଥାଟାଏ ଶିଖିଲୁଁ । ବିଦେଶୀ ଲୋକଙ୍କ ନାଁ, ଗାଁ ନାଁ, ସହର ନାଁ ଉଚ୍ଚାରଣ ନେଇ ଆମ ଭାରତୀୟଙ୍କର ଢେର ଭ୍ରମ ହୁଏ । ତେଣୁ ସେଥିପ୍ରତି ଆମର କଡ଼ା ନଜର ଦେବା କଥା । ଯେଉଁ ସ୍ଥାନକୁ ଆମେ ଯାଉଥାଇଁ, ସେହି ସ୍ଥାନର ନାଁକୁ ଯଦି ଶୁଦ୍ଧ ଉଚ୍ଚାରଣ କରି ନ ପାରିଲେ, ବାସ୍ତବିକ୍‌ ଲୋକେ ଭାବିବେ କଅଣ ? ଇଉରୋପର ବିଭିନ୍ନ ସହର ପରିଭ୍ରମଣ ବେଳେ ଆମେ ଏହିଭଳି କେତେ କ’ଣ ଶିଖିଛୁଁ ।

 

ଆମେ ଉଡ଼ାଜାହାଜରେ ବସି କଥାବାର୍ତ୍ତା ହେଉଛୁଁ, ଆମକୁ ସଙ୍କେତ ଦିଆଗଲା ଯେ ଆମ ଉଡ଼ାଜାହାଜ ଏଥର ମୁନଚେନ୍‌ ଉଡ଼ାଜାହାଜ ଘାଟିରେ ଅବତରଣ କରିବାକୁ ଯାଉଛି । ଆମେ ସମସ୍ତେ ତରତର ହୋଇ ନିଜ ନିଜ ଦେହକୁ ସିଟ୍‌ବେଲ୍‌ଟରେ ବାନ୍ଧି ପକାଇଲୁଁ । ଉଡ଼ାଜାହାଜ ତଳ ମୁହାଁ ହୋଇ ଧାଇଁଲା ଉଡ଼ାଜାହାଜ ଘାଟିରେ ଅବତରଣ କରିବା ପାଇଁ । ଉଡ଼ାଜାହାଜରୁ ମିଉନିକ୍‌ ସହର ଚିତ୍ରପ୍ରତିମା ପ୍ରାୟେ ଅତି ସୁନ୍ଦର ଦିଶୁଥାଏ । ଚାହୁଁ ଚାହୁଁ ଆମେ ଯାଇଁ ଉଡ଼ାଜାହାଜ ଘାଟିରେ ପହଞ୍ଚିଗଲୁଁ । ଖୁବ୍‌ ସୁର ଖୁରରେ ଜାହାଜ ଭୂମି ଉପରକୁ ଓହ୍ଲାଇ ଉଡ଼ାଜାହାଜ ଘାଟିର ଅଫିସ ଦ୍ଵାର ମୁହଁରେ ଆସି ରହିଲା । ଜେନିଭାରୁ ମିଉନିକ୍‌ ଆମ ଆକାଶଯାତ୍ରା ଶେଷ ହେଲା । ଏଥର ଆମେ ଓହ୍ଲାଇବା ପାଇଁ ଉପକ୍ରମ କଲୁଁ ।

 

ମିଉନିକ୍‌ ଉଡ଼ାଜାହାଜ ଘାଟି ବେଶ୍‌ ବିରାଟ । ବହୁ ସ୍ଥାନରୁ ଆସୁଥିବା ବିଭିନ୍ନ କୋମ୍ପାନୀର ବହୁ ଜାହାଜ ଉଡ଼ାଜାହାଜ ଘାଟିର ବିଭିନ୍ନ ସ୍ଥାନରେ ଠିଆ ହୋଇଥାଏ । ପାନ୍‌ ଆମେରିକାନ, ଟି: ଡବ୍‌ଲିଉ: ଏ; ଏସ୍‌: ଏ. ଏସ; ବି: ଇ. ଏ:; ବି ଓ ଏ. ସି; ଏୟାର ଫ୍ରାନ୍‌ସ, ସୁଇସ୍‌ଏୟାର, କେ: ଏଲ୍‌. ଏମ୍‌:, ଆଲିଟାଲିଆ, ଲୁଫ୍‌ଟାନ୍‌ସା ଆଦି ବହୁ କୋମ୍ପାନୀର ଜାହାଜ ଏପାଖ ସେପାଖ ହୋଇ ଠିଆ ହୋଇଥାଏ । ସେଥି ଭିତରୁ ଅଧିକାଂଶ ଜେଟ୍‌ଚାଳିତ ଓ ଆକାରରେ ବେଶ୍‌ ବିରାଟ ।

 

ଉଡ଼ାଜାହାଜରୁ ଓହ୍ଲାଇ କଷ୍ଟମସ୍‌ ଅଫିସ ଜରିଆରେ ଆମ ଜିନିଷପତ୍ର ଚେକ୍‌ କରାଇ ନେଇ ଉଡ଼ାଜାହାଜ ଘାଟିରୁ ବାହାରିଆସିଲୁଁ ସହର ଭିତରସ୍ଥ ଏୟାର ଟାରୁମିନସ୍‌ ଅଭିମୁଖେ । ଏକ ବିରାଟ ବସ୍‌ ଆମକୁ ଓ ଅନ୍ୟାନ୍ୟ ଯାତ୍ରୀମାନଙ୍କୁ ନେଇ ଉଡ଼ାଜାହାଜ ଘାଟି ଛାଡ଼ିଲା ମିଉନିକ୍‍ ସହର ଅଭିମୁଖେ । ମିଉନିକ୍‍ ସହର ଉଡ଼ାଜାହାଜ ଘାଟିରୁ ପ୍ରାୟ ୧୨ ।୧୩ ମାଇଲ ଦୂର ।

 

ମିଉନିକ୍‍ ବା ମୁନଚେନ୍‌ ଜର୍ମାନୀର ତୃତୀୟ ବୃହତ୍ତମ ସହର । ଏହା ପଶ୍ଚିମ ଜର୍ମାନୀର ଦକ୍ଷିଣ ଭାଗରେ ଥିବା ସମୃଦ୍ଧିଶାଳୀ ବେଭେରିଆ ରାଜ୍ୟର ରାଜଧାନୀ । ଜର୍ମାନୀ ରାଜ୍ୟର ତୃତୀୟ ବୃହତ୍ତମ ରାଷ୍ଟ୍ର ଭାବରେ ଏହା ଖ୍ୟାତ । ଏହାର ଲୋକସଂଖ୍ୟା ପ୍ରାୟ ଦଶ ଲକ୍ଷରୁ କିଛି ଅଧିକ । ଜର୍ମାନୀର ସୁବିଖ୍ୟାତ ଇସାର୍‌ ନଦୀ କୂଳରେ ମିଉନିକ୍‍ ସହର ଅବସ୍ଥିତ । ଏହି ସହରଟି ଏକ ସମତଳ ଅଞ୍ଚଳରେ ଅବସ୍ଥିତ ହେଲା ଭଳି ଜଣା ପଡ଼ୁଥିଲେ ହେଁ ଏହା ପ୍ରକୃତରେ ଦୁଇହଜାର ଫୁଟ ଉଚ୍ଚ ଏକ ମାଳଭୂମି ଉପରେ ଅବସ୍ଥିତ । ଆଲ୍‌ପସ ପର୍ବତମାଳାକୁ ଲାଗି ଏହି ମାଳଭୂମିଟି ବିସ୍ତାରିତ-। ଏହି ହେତୁରୁ ମିଉନିକ୍‌କୁ ଜର୍ମାନୀର ଉଚ୍ଚତମ ନଗରୀ ବୋଲି କୁହାଯାଏ । ମିଉନିକ୍‌ ଜର୍ମାନୀ ରାଜ୍ୟର ଯାନବାହାନ ଚଳାଚଳର ଏକ ପ୍ରଧାନ କେନ୍ଦ୍ର ଭାବରେ ପରିଗଗଣିତ ହୁଏ-। ବର୍ଲ୍ଲିନରୁ ରୋମ୍‌, ପାରିସ୍‍ରୁ ଇସ୍ତାନବୁଲ୍‌ ଯିବା ପ୍ରସିଦ୍ଧ ରାସ୍ତା ଓ ରେଳପଥଗୁଡ଼ିକ ଏହି ସହର ଦେଇ ଯାଇଛି-। ମଧ୍ୟ ଇଉରୋପର ଏକ ପ୍ରଧାନ ଉଡ଼ାଜାହାଜ ଘାଟି ହେଉଛି ଏହି ମିଉନିକ୍‍ ଉଡ଼ାଜାହାଜ ଘାଟି-

 

ଜର୍ମାନୀ ରାଜ୍ୟର ପ୍ରଧାନ ପ୍ରଧାନ ଶିଳ୍ପନଗରୀ ଭିତରୁ ମିଉନିକ୍‍ ଗୋଟିଏ । ମିଉନିକ୍‌ ସହରର ମିଉନିକ୍‍ ବିଶ୍ଵବିଦ୍ୟାଳୟ ଇଉରୋପରେ ଏକ ପ୍ରସିଦ୍ଧ ବିଶ୍ଵବିଦ୍ୟାଳୟ । ଗତ ଦ୍ଵିତୀୟ ମହାସମର ପୂର୍ବରୁ ଏହା ଜର୍ମାନୀର ଥିଲା ଦ୍ଵିତୀୟ ବୃହତ୍ତମ ବିଶ୍ଵବିଦ୍ୟାଳୟ । ବର୍ଲ୍ଲିନ ବିଶ୍ୱବିଦ୍ୟାଳୟ ତଳକୁ ଏହାର ସ୍ଥାନ ଥିଲା । ଏହାର ଛାତ୍ର ସଂଖ୍ୟା ଥିଲା ପନ୍ଦର ହଜାରରୁ ଅଧିକ ।

 

ଜର୍ମାନୀର ବିଖ୍ୟାତ ଓ ପୂରାତନ ସହର ଭାବରେ ମିଉନିକ୍‌ର ପ୍ରସିଦ୍ଧି ସୁଦୂର ପ୍ରସାରୀ । ମିଉନିକ୍‍ ନଗରୀର ପ୍ରତିଷ୍ଠା ଅଷ୍ଟମ ଶତାବ୍ଦୀ ଠାରୁ । ମିଉନିକ୍‍ ସହରଟି ପୂର୍ବରୁ ମହନ୍ତମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଏକ ସହର ଥିଲା, ସେହି ମହନ୍ତମାନଙ୍କ ସହର ନାମରୁ ମିଉନିକ୍‍ ନାମର ସୃଷ୍ଟି । ଦ୍ଵାଦଶ ଶତାବ୍ଦୀରେ ହେନେରୀ ଦିଲାୟନ୍‌ଙ୍କ ଶାସନ ବେଳେ ଏହା ଏକ ସମୃଦ୍ଧିଶାଳୀ ସହରରେ ପରିଣତ ହେଲା । ପଞ୍ଚଦଶ ଶତାଦ୍ଦୀରେ ଏହା ବିଭିନ୍ନ କଳା ଶିକ୍ଷାର କେନ୍ଦ୍ର ଭାବରେ ପ୍ରସିଦ୍ଧି ଲାଭ କରିଥିଲା-। ଷୋଡ଼ଶ ଶତାଦ୍ଦୀରେ ଏହା ପର୍ଯ୍ୟଟକମାନଙ୍କ କେନ୍ଦ୍ର ଭାବରେ ଓ ଅଷ୍ଟାଦଶ ଓ ଉନବିଂଶ ଶତାଦ୍ଦୀରେ ଏକ ଶିଳ୍ପ ନଗରୀ ଭାବରେ ପ୍ରସିଦ୍ଧି ଲାଭ କରିଥିଲା । ମଦ ଉତ୍ପାଦନ, ଛାପାକଳ ଉତ୍ପାଦନ, ରେଳଗାଡ଼ି, ମଟରଗାଡ଼ି ଉତ୍ପାଦନ, କାର୍ପାସ ଦ୍ରବ୍ୟ, ବୈଜ୍ଞାନିକ ଯନ୍ତ୍ରପାତି ଉତ୍ପାଦନରେ ଏହି ସହର ଅତି ପ୍ରସିଦ୍ଧ ହୋଇ ପଡ଼ିଲା । ପୃଥିବୀର ପ୍ରସିଦ୍ଧ ନିମ୍‌ଫେନବର୍ଗ ଚିନାମାଟି ବାସନ ପାଇଁ ମିଉନିକ୍‍ ପୃଥିବୀ ପ୍ରସିଦ୍ଧ ।

 

୧୯୩୩ ମସିହାରେ ହିଟଲର୍‌ ଏହାକୁ ନାଜି ଦଳର ମୁଖ୍ୟ ଅଫିସ କେନ୍ଦ୍ର କରିଥିଲେ । ମିଉନିକ୍‍ ଖଣିଜ ଲୁଣ ବ୍ୟବସାୟର କେନ୍ଦ୍ର ହୋଇଥିଲା । ଏହା ନିକଟରେ ଥିବା ବଡ଼ ବଡ଼ ଲୁଣଖଣି ଯଥା-ରାଇବୋନ୍‌ ହଲ୍‌ ହାଲେଇନ୍‌ ଆଦିରୁ ଖଣି ଲୁଣ ଏହି ସହର ଦେଇ ରପ୍ତାନୀ ହେଉଥିଲା । ତେଣୁ ତ୍ରୟୋଦଶ ଶତାଦ୍ଦୀର ଶେଷ ଆଡ଼କୁ ଏହା ଏକ ସହରରେ ପରିଣତ ହୋଇଥିଲା । ବେଭେରିଆର ରାଜା ଲୁଇ ଦି ବେଭେରିଆନ୍‌ ଚତୁର୍ଦ୍ଦଶ ଶତାଦ୍ଦୀରେ ଏହାର ଢେର ଉନ୍ନତି କରାଇଥିଲେ । ଇଉରୋପର ବହୁ ଅଞ୍ଚଳର କଳାକାରମାନେ ଆସି ଏଠାରେ ବସବାସ କରିବାକୁ ଲାଗିଲେ । ୧୭୫୯ ମସିହାରେ ଏଠାରେ ବିଜ୍ଞାନ ଏକାଡେମୀ ଓ ୧୮୦୯ ମସିହାରେ ଏଠାରେ କଳା ଏକାଡେମୀ ପ୍ରତିଷ୍ଠିତ ହେଲା । ପୃଥିବୀ ବିଖ୍ୟାତ କଳାକାରଙ୍କ ଯୋଗୁଁ ଏହା ବିଖ୍ୟାତ ଚାରୁକଳା ଶିକ୍ଷାକେନ୍ଦ୍ର ଭାବରେ ଖ୍ୟାତି ଲଭିଥିଲା ।

 

ମିଉନିକ୍‍ ଖାଲି ଏକ ପୂରାତନ ସହର ନୁହେଁ, ନାନା ପ୍ରକାର ପୂରାତନ ଦର୍ଶନୀୟ ବସ୍ତୁରେ ପୂର୍ଣ୍ଣ । ମିଉନିକ୍‍ ସହରର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଭିତରେ ନିମ୍‌ଫେନ୍‌ ବର୍ଗ କାସଲ୍‌, ନିଉଟାଉନ ହଲ୍‌, ଫ୍ରଏନକିର୍‌ଚି, ଡୟେସ୍‌ ମିଉଜିୟମ, ହାଉସ୍‌ଡର କୁନ୍‌ଷ୍ଟ, ଆସାମ ଗିର୍ଜା, ସେଣ୍ଟପିଟର ଚର୍ଚ୍ଚ, ଚିଡ଼ିଆଖାନା ଆଦି ପ୍ରସିଦ୍ଧ । ନିମ୍‌ଫେନ୍‌ବର୍ଗ କାସଲ୍‌ ସପ୍ତଦଶ ଶତାଦ୍ଦୀରେ ତିଆରି ହୋଇଥିଲା । ଏହି ପ୍ରାସାଦରେ ଗ୍ରୀଷ୍ମଋତୁରେ ଅତି ପ୍ରସିଦ୍ଧ କନ୍‌ସାର୍ଟମାନ ହୁଏ, ଯାହାକୁ ଉପଭୋଗ କରିବା ପାଇଁ ମିଉନିକ୍‍ ବାହାରୁ ବହୁଲୋକ ଆସନ୍ତି । ଏହି ପ୍ରାସାଦକୁ ଘେରି ମଉନିକ୍‍ର ସୁପ୍ରସିଦ୍ଧ ବୋଟାନିକାଲ୍‌ ଗାର୍ଡନ ରହିଛି ।

 

ମଉନିକ୍‍ରେ ନିଉଟାଉନ ହଲ୍‌ ଏକ ଦର୍ଶନୀୟ ସ୍ଥାନ । ଏଥିରେ ଥିବା ଦୁଇଟି ଯନ୍ତ୍ର ମଣିଷ ନାନାପ୍ରକାର କାର୍ଯ୍ୟ କରିବାର ଦେଖାଇ ଦିଆଯାଏ ।

 

ଫ୍ରଏନ୍‌କିରଚି ଗିର୍ଜା ମଉନିକ୍‍ରେ ଅତି ପ୍ରସିଦ୍ଧ । ଏହାର ଦୁଇଟି ଅତି ପ୍ରସିଦ୍ଧ ଗମ୍ବୁଜ ହେଉଛି ମିଉନିକ୍‍ ସହରର ସଙ୍କେତ । ମିଉନିକ୍‍ ସହରର ବହୁ ଫଟୋରେ ଏହି ଗୀର୍ଜ୍ଜାର ଗମ୍ବୁଜ ଦ୍ଵୟର ଚିତ୍ର ଦେଖିବାକୁ ମିଳେ । ମଉନିକ୍‍ର ଡୟେସେସ ମିଉଜିୟମ ପୃଥିବୀ ପ୍ରସିଦ୍ଧ । ଏହା ଉଉରୋପର ବୃହତ୍ତମ ବିଜ୍ଞାନ ଓ ଟେକ୍‌ନୋଲଜି ମିଉଜିଅମ୍‌ ଭାବରେ ପରିଚିତ । ମିଉନିକ୍‍ ନଗର ଭିତରେ ବହି ଯାଉଥିବା ଇସାର ନଦୀ କୂଳରେ ଏହା ଅବସ୍ଥିତ । ବିଭିନ୍ନ ଚାରୁକଳା, ଚିତ୍ରକଳାର ଅମୂଲ୍ୟ ଗନ୍ତାଘର ଭାବରେ ହାଉସ ଡ଼ିର-କାନ୍‌ଷ୍ଟ ପ୍ରସିଦ୍ଧ ।

 

ଯେଉଁ ମିଉନିକ୍‍ ସହର ଏତେ ପ୍ରସିଦ୍ଧ, ଅସଂଖ୍ୟ ଦର୍ଶନୀୟ ବସ୍ତୁରେ ପୂରି ରହିଥିବାରୁ ଆମେ କେମିତି ଏହି ସହରରେ ପହଞ୍ଚି ଏହି ସହର ପରିକ୍ରମା କରିବୁଁ, ସେଥିପାଇଁ ଆମେ ଉତ୍ସୁକ ହୋଇ ପଡ଼ିଥାଉଁ । ଯଥା ସମୟରେ ଯାଇ ଆମେ ସହର ଭିତରେ ଥିବା ଏୟାର ଟାରମିନସ୍‌ରେ ପହଞ୍ଚିଲୁଁ । ସେଠାରୁ ଆମେ ଗୋଟିଏ ଟେକ୍‌ସି କରି ଆମ ପାଇଁ ସିଟ୍‌ ରିଜର୍ଭ ହୋଇଥିବା ହୋଟେଲ ଡେନିୟେଲକୁ ଗଲୁଁ । ହୋଟେଲଟି ମିଉନିକ୍‍ ସହରର ଏକ ବ୍ୟବସାୟ କେନ୍ଦ୍ର ଅଞ୍ଚଳରେ ଥିବା କାର୍ଲପ୍ଲାଟଜ ରାସ୍ତା ଉପରେ ଅବସ୍ଥିତ । ଚାରିପାଖରେ ଅସଂଖ୍ୟ ଡିପାର୍ଟମେଣ୍ଟାଲ ଷ୍ଟୋର ଓ ବଡ଼ ବଡ଼ ଦୋକାନ । ହୋଟେଲ ସାମନାରେ ଅସଂଖ୍ୟ ଫୁଲ ପତ୍ରରେ ଶୋଭିତ ବିରାଟ ଉଦ୍ୟାନମାନ । ମଉନିକ୍‍ର ଏକ ପ୍ରଧାନ ଅଞ୍ଚଳ ଭଳି ଆମ ହୋଟେଲ ଅଞ୍ଚଳଟି ଜଣାପଡ଼ୁଥାଏ ।

 

ଆମପାଇଁ ରିଜର୍ଭ ହୋଇଥିବା ହୋଟେଲ ଡେନିୟେଲ ଅତି ଆଧୁନିକ ଧରଣର । ଏହି ହୋଟେଲ ଶାଖା ଜର୍ମାନୀର ବହୁତ ବଡ଼ ବଡ଼ ସହରରେ ରହିଛି । ହୋଟେଲଟି ନୂଆ ହୋଇ ଅଳ୍ପଦିନ ତଳେ ତିଆରି ହେଲା ଭଳି ଦିଶୁଥାଏ । ଇଉରୋପର ଆମେ ଏତେ ହୋଟେଲ ଦେଖିଛୁ, ମଉନିକ୍‍ର ଏହି ହୋଟେଲ ଆଧୁନିକତାରେ ଇଉରୋପର ବହୁ ହୋଟେଲକୁ ପରାସ୍ତ କରିପାରିବ । ସାଜସଜ୍ଜା, ଆଧୁନିକତାର ଏହି ହୋଟେଲଟି ଆମେରିକାର ହୋଟେଲ ସହିତ ତୁଳନୀୟ । ଆମ ପରିବାର ପାଇଁ ଦୁଇଟି କୋଠରୀଯୁକ୍ତ ଏପାର୍ଟମେଣ୍ଟଟିଏ, ବିଭିନ୍ନ ପ୍ରକାର ଆଲୋକବତୀ, ଅତ୍ୟାଧୁନିକ ସ୍କ୍ରୀନ, କୁସୁମ କୋମଳ ଗଦିଯୁକ୍ତ ଶୟନ ପଲଙ୍କ ଓ ସର୍ବୋପରି ରୁମ୍‌ ଭିତରେ ଟେଲିଫୋନର ବ୍ୟବସ୍ଥା ଅତି ସୁନ୍ଦର ସାଜୁଥାଏ । ଅନୁଚରମାନଙ୍କୁ ଡାକିବା ପାଇଁ କଲିଙ୍ଗ୍‌ବେଲ, ଆମ ଚଳାଚଳିରେ ବେଶ୍‌ ସୁବିଧା କରାଇ ଥାଏ । କୋଠରୀଗୁଡ଼ିକ କେନ୍ଦ୍ରତାପ ନିୟନ୍ତ୍ରିତ । ଏତେ ସୁବିଧା ଥାଇ ମଧ୍ୟ ହୋଟେଲଟିର ଭଡ଼ା ବେଶି ନୁହେଁ । ଆମ ପରିବାର ପାଇଁ ଦିନକୁ ପଡ଼ୁଥାଏ ମୋଟେ ସତୁରି ଟଙ୍କା । ଏହା ଖାଲି ରହିବା ଖର୍ଚ୍ଚ । ଖାଇବା ଖର୍ଚ୍ଚ ଅଲଗା । ତଥାପି ବି ଆମେରିକା ତୁଳନାରେ ଶସ୍ତା । ମିଉନିକ୍‌ରେ ଆମେ ଯଦିଚ ସେପ୍‌ଟେମ୍ବର ମାସ ଅଧାଅଧିରେ ପହଞ୍ଚିଲୁ, ତଥାପି ବେଶ୍‌ ଶୀତ ଲାଗୁଥାଏ । କୋଠରୀଗୁଡ଼ିକ ଗରମ କରା ହୋଇ ନଥିଲେ ହୁଅତ ଆମ ଚଳାଚଳିରେ ବିଶେଷ ଅସୁବିଧା ହୋଇଥାନ୍ତା ।

 

ହୋଟେଲରେ ପହଞ୍ଚି ସ୍ନାନାଦି ପ୍ରାତଃକର୍ମ ଶେଷକରି ନିକଟବର୍ତ୍ତୀ ଏକ ରେଷ୍ଟୁରାଣ୍ଟକୁ ଗଲୁ ଖାଇବାପାଇଁ । ସେତେବେଳକୁ ମଧ୍ୟାହ୍ନ ଭୋଜନ ପାଇଁ ସମୟ ହୋଇ ନଥିଲେ ହେଁ ରେଷ୍ଟରାଣ୍ଟରୁ ମଧ୍ୟାହ୍ନ ଭୋଜନ ସମାପନ କରି ସହର ପରିକ୍ରମା ଉଦ୍ଦେଶ୍ୟରେ ବାହାରି ପଡ଼ିଲୁଁ । ମିଉନିକ୍‍ ସହରର କଅଣ କଅଣ ଦେଖିବୁଁ ଓ କାହାପରେ କାହାକୁ ଦେଖିବୁଁ ତହିଁର ଏକ ପ୍ରୋଗ୍ରାମ ହୋଟେଲରେ ଥାଇଁ କରିନେଇଥିଲୁଁ । ତେଣୁ ସେହି ପ୍ରୋଗ୍ରାମ ଅନୁସାରେ ସେଗୁଡ଼ିକ ଦେଖିସାରି ଆମର ବଜାରବୁଲା ଓ କେତେ ଜିନିଷ କିଣାକିଣି କରିବା ଠିକ୍‌ କରିଥାଉଁ ।

 

ପୃଥିବୀ ପ୍ରସିଦ୍ଧ ଡୟେସ ମିଉଜିୟମ୍‌

 

ଆମେ ଯେଉଁ ହୋଟେଲରେ ଥାଉଁ, ସେଠାରୁ ଫ୍ରଏନ୍‌କିରଚି ଗିର୍ଜା ଅଳ୍ପ ଦୂର । କାରଣ ଗିର୍ଜାର ଗମ୍ବୁଜ ଦୁଇଟି ଆମ ହୋଟେଲକୁ ଦିଶୁଥାଏ । ତେଣୁ ସେହି ଗମ୍ବୁଜ ଦୁଇଟିକୁ ଲକ୍ଷ୍ୟ କରି ଆମେ ବିଭିନ୍ନ ରାସ୍ତା ଦେଇ ଚାଲିଚାଲି ପହଞ୍ଚିଗଲୁଁ ସେହି ସୁପ୍ରସିଦ୍ଧ ଗିର୍ଜାଠାରେ । ଗିର୍ଜାଟି ବେଶ୍‌ ପୂରାତନ, କିନ୍ତୁ ଅପୂର୍ବ ସ୍ଥାପତ୍ୟ କଳା ଗିର୍ଜାର ଅଙ୍ଗେ ଅଙ୍ଗେ ଫୁଟି ଉଠୁଥାଏ । ଆମଭଳି ବହୁ ଦର୍ଶକ ସେଠାରେ ରୁଣ୍ଡ ହୋଇଥାନ୍ତି । ସେମାନଙ୍କ ସହିତ ଗିର୍ଜା ଭିତରକୁ ଗଲୁଁ । ଗିର୍ଜାଟି ଅନ୍ଧାରିଆ ହେଲେ କଅଣ ହେବ ଭିତରର ଆକାର ଅତି ବିରାଟ ଓ ଭିତରେ ପଶିଗଲେ ଏକ ଗାମ୍ଭୀର୍ଯ୍ୟଭରା ବାୟୁମଣ୍ଡଳ ଥିଲା ଭଳି ମନେ ହୁଏ । ଗିର୍ଜାର ବାହାରକୁ ଆସି କେତୋଟି ଫଟୋ ଉଠାଇ ସେଠାରୁ ଚାଲିଲୁଁ, ଜର୍ମ୍ମାନୀର ଅତି ପ୍ରସିଦ୍ଧ ଡୟେସ୍‌ ମିଉଜିୟମ ଦେଖି । ମିଉନିକ୍‌ରେ ଏକ ଟ୍ରାମ ଗାଡ଼ିରେ ଚଢ଼ି ଆମେ ସେହି ମିଉଜିୟମ୍‌ ନିକଟ ଏକ ଛକକୁ ଗଲୁଁ । ବେଶି ଦୂର ନୁହେଁ । ପ୍ରାୟ ଦେଢ଼ ମାଇଲ, ଦୁଇମାଇଲ ଭିତରେ ହେବ । ଏହି ଛକଟି ମଉନିକ୍‍ର ପ୍ରଧାନ ନଦୀ ଇସାରକୂଳରେ । ଡୟେସ୍‌ ମିଉଜିୟମ୍‌ ଇସାର ନଦୀ ଭିତରେ ଥିବା ଏକ ଦ୍ୱୀପ ଉପରେ ଅବସ୍ଥିତ । ଟ୍ରାମରୁ ଓହ୍ଲାଇ ଆମେ ଗୋଟିଏ ପୋଲ ଦେଇ ଏହି ଦ୍ୱୀପ ଭିତରକୁ ଆସିଲୁଁ । ଇସାର ନଦୀଟି ଏକ ଛୋଟ ନଦୀ, ଦୁଇଭାଗ ହୋଇ ଏହି ଦ୍ଵୀପର ଦୁଇ ପାଖରେ ବହିଯାଉଛି । ପ୍ରତ୍ୟେକ ଭାଗ ଆମ କଟକ ତାଳଦଣ୍ଡା କେନାଲ ଭଳି କହିଲେ ଚଳେ । ନଦୀଟି ବେଶ ଗଭୀର ଓ ନଦୀର ଶଯ୍ୟା ବେଶ ତଳେ ଥିଲା ଭଳି ଜଣା ପଡ଼ୁଥାଏ । ମିଉନିକ୍‍ ସହର ଏକ ପାର୍ବତୀୟ ମାଳଭୂମି ଉପରେ ଅବସ୍ଥିତ ଥିବାରୁ ଏହି ନଦୀଟି ଏତେ ତଳେ ବହିଗଲା ଭଳି ଜଣା ପଡ଼ୁଥାଏ । ନଦୀଟି ସହର ମଧ୍ୟରେ ବହିଯାଉଥିବାରୁ ପ୍ରାୟ ୮ । ୧୦ ଗୋଟି ପୋଲ ଦ୍ଵାରା ନଦୀ ଦୁଇପାଖର ସହରକୁ ପରସ୍ପର ସହିତ ସଂଯୁକ୍ତ କରାଯାଇଛି । ନଦୀଟି ସହର ଭିତରେ ହେଲେ ହେଁ ଏହା ପାରିସ୍‍ର ସାଇନ୍‌ନଦୀ ଭଳି ସୌନ୍ଦର୍ଯ୍ୟର ଅପରୂପ ସମ୍ଭାର ଘେନି ଠିଆ ହୋଇନି । ମିଉନିକ୍‌ର ଏହି ପୋଲଗୁଡ଼ିକ ପାରିସ୍‍ ଭଳି କାରୁକାର୍ଯ୍ୟ ଭରା ନୁହେଁ । ମିଉନିକ୍‍ ସହର ଯଦିଚ ଜର୍ମାନୀର କଳାକେନ୍ଦ୍ର ଭାବର ପରିଚିତ, ତଥାପି ପାରିସ୍‍ ଭଳି ସ୍ଥାପତ୍ୟ, କଳା, କାରୁକାର୍ଯ୍ୟ, ଚାରୁକଳାର ବିଶେଷ କିଛି ନମୁନା ପାଇଲୁନି ମିଉନିକ୍‌ର ପୋଲ ବା ଅନ୍ୟାନ୍ୟ ସ୍ଥାନରେ । ଇସାର୍‌ ନଦୀଟି ପାରିସ୍‍ରେ ହୋଇଥିଲେ ସୌନ୍ଦର୍ଯ୍ୟର କେତେ ଜୀବନ୍ତ ପ୍ରବାହ ଛୁଟି ଯାଇଥାନ୍ତା ଏହି ନଦୀ ବଷରେ । ପାରିସ୍‍ ଜୀବନର କେତେ ତୃପ୍ତ, ଅତୃପ୍ତ ଆତ୍ମା ଏହି ନଦୀ କୂଳକୁ ଛୁଟି ଆସିଥାନ୍ତା କିଏ କେତେ ଉଦ୍ଦେଶ୍ୟ ଘେନି । ନଦୀକୂଳ ଜୀବନ୍ତ ହୋଇ ଉଠିଥାନ୍ତା, ପାରିସ୍‍ ଅଧିବାସୀଙ୍କ ଜୀବନ ଭଳି । କିନ୍ତୁ ମଉନିକ୍‍ର ସେହି ଇସାର୍‌ ନଦୀଟି ସେସବୁ ଠାରୁ ବହ୍ମ ଦୂରରେ, ଶାନ୍ତ ସାପଟିଏ ପଡ଼ିଲା ଭଳି ପଡ଼ି ରହିଛି ସହରର ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ।

 

ନଦୀ କୂଳରେ ଅଳ୍ପବାଟ ଗଲା ପରେ ପଡ଼ିଲା ଡୟେସ ମିଉଜିୟମ । ଏହା ଏକ ବିରାଟ ପ୍ରସାଦରେ ଅବସ୍ଥିତ । ବିଭିନ୍ନ ପ୍ରକାର କଳକାରଖାନାର, ଓ ଶିଳ୍ପର କେମିତି କ୍ରମୋନ୍ନତି ହୋଇ ଆଧୁନିକ ଅବସ୍ଥାକୁ ଆସିଲା, ସେ ସବୁର ଜୀବନ୍ତ ମଡେଲ ଦର୍ଶକର ଜ୍ଞାନର ସୀମା ଯଥେଷ୍ଟ ବଢ଼ାଇଦିଏ । ଟିକଟ ଚାରୋଟି କରି ଭିତରକୁ ପଶିଲୁଁ । ଏହି ମିଉଜିୟମଟି ଗତାନୁଗତିକ ମିଉଜିୟମ ନୁହେ ବୋଲି ପିଲାମାନଙ୍କୁ କହି ଦେଇଥିବାରୁ ସେମାନେ ଏହାକୁ ଦେଖିବାକୁ ବେଶ ଆଗ୍ରହ ପ୍ରକାଶ କରୁଥାନ୍ତି । ପୃଥିବୀରେ ଯେତେ ବଡ଼ ବଡ଼ ଶିଳ୍ପ ଅଛି, ରେଳଗାଡ଼ିଠାରୁ ଆରମ୍ଭ କରି କୋଇଲା ଖଣି ପର୍ଯ୍ୟନ୍ତ ସବୁର ସୁନ୍ଦର ସୁନ୍ଦର ମଡେଲ ଦିଆଯାଇ ସେମାନଙ୍କର କ୍ରମୋନ୍ନତି ଏଭଳି ଭାବରେ ଦର୍ଶାଯାଇଛି, ଯେ କେହି ଲୋକ ଦେଖିଲେ ସେଗୁଡ଼ିକର କ୍ରମୋନ୍ନତି ବୁଝି ପାରିବ । ମିଉଜିୟମଟି ଆମ ସମସ୍ତକୁ ଭଲ ଲାଗିଲା । ନାନା ଶିଖିବାର କଥା ଅଛି ଏଠି । ମିଉଜିୟମ୍‌ର ସବା ଉପର ମହଲାରେ ରହିଛି, ଜାଇସ୍‌ ପ୍ଲେନିଟେରିୟମ୍‍ । କାର୍ଲ ଜାଇସ୍‌କୋମ୍ପାନୀ ତିଆରି ସର୍ବପ୍ରଥମ ପ୍ଲେନିଟେରିୟମ୍‍ ଏହିଠାରେ ବସିଥିଲା । ଇଂଲଣ୍ଡ, ଆମେରିକା ଓ ପୃଥିବୀର ବଡ଼ ବଡ଼ ସହରରେ ଜାଇସ୍‌କୋମ୍ପାନୀ ତିଆରି ଯେତେ ପ୍ଲେନିଟେରିୟମ୍‍ ବସିଛି, ସେଗୁଡ଼ିକ ଏହାପରେ ତିଆରି । ଏହି ପ୍ଲେନିଟେରିୟମଟି ହେଉଛି ପ୍ଲେନିଟେରିୟମ୍‌ ବ୍ୟବସାୟର ପଥ ପ୍ରଦର୍ଶକ । ମିଉଜିୟମଟି ବେଶ୍‌ ପୁରୁଣା । ଗତ ଦ୍ୱିତୀୟ ମହାସମର ବେଳେ ମିଉନିକ୍‌ ସହର ଯେଭଳି ଭାବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା, ସେଥିରୁ ରକ୍ଷା ପାଇ ନଥିଲା ଏହି ମିଉଜିୟମଟି । ଏବେ ବି ମିଉଜିୟମର କେତେକ ସ୍ଥାନରେ ସେହି ଧ୍ଵଂସାବଶେଷ ରହିଛି ।

 

ଡୟେସ ମିଉଜିୟମ ବୁଲି ସାରି ମିଉନିକ୍‌ର ଅନ୍ୟତମ ନେସନ୍ୟାଲ ମିଉଜିୟମ୍‌ ଦେଖିବା ପାଇଁଯିବାକୁ ଭାବିଥିଲୁଁ । କିନ୍ତୁ ପିଲାଏ ମିଉଜିୟମ୍‌ ପ୍ରତି ଆକୃଷ୍ଟ ନ ହେବାରୁ ଆମେ ଆମ ପ୍ରୋଗ୍ରାମ ବଦଳାଇ ସୁପ୍ରସିଦ୍ଧ ମିଉନିକ୍‍ ବିଶ୍ଵବିଦ୍ୟାଳୟ ଅଭିମୁଖେ ଯିବା ଠିକ୍‌ କଲୁଁ । ସେଠାରୁ ଗୋଟିଏ ଟେକ୍‌ସି କରି ମିଉନିକ୍‌ ବିଶ୍ୱବିଦ୍ୟାଳୟ ଅଭିମୁଖେ ରମାନା ହେଲୁ ।

 

ମିଉନିକ୍‍ ବିଶ୍ୱବିଦ୍ୟାଳୟ

 

ଇଉରୋପର ପୂରାତନ ବିଶ୍ୱବିଦ୍ୟାଳୟ ଭିତରୁ ଏହି ବିଶ୍ୱବିଦ୍ୟାଳୟଟି ଗୋଟିଏ । ଜର୍ମାନୀ ତଥା ଇଉରୋପର ବହୁ ବଡ଼ ବଡ଼ ବୈଜ୍ଞାନିକ ଏହି ବିଶ୍ଵବିଦ୍ୟାଳୟରେ ଶିକ୍ଷାଗ୍ରହଣ ତଥା ଅଧ୍ୟାପନା ଓ ଗବେଷଣା କରି ଏହାର ମାନ ଖୁବ୍‌ ଉପରକୁ ଉଠାଇ ଦେଇ ଯାଇଛନ୍ତି । ଦ୍ଵିତୀୟ ମହାସମର ପୂର୍ବରୁ ଏହାର ବିଜ୍ଞାନ ଶିକ୍ଷା ଓ ଗବେଷଣାଗାରର ଅପୂର୍ବ ଖ୍ୟାତି ଥିଲା । ଦ୍ଵିତୀୟ ମହାସମର ପରେ ଏହାର ସେ ପୂର୍ବ ଗୌରବ ଆଉ ଫେରି ଆସି ପାରିଲାନି । ବିଶ୍ଵବିଦ୍ୟାଳୟରେ ପହଞ୍ଚି ଏହାର ବିଭିନ୍ନ ପ୍ରାସାଦ, ହଲ୍‌, ଗବେଷଣାଗାର, ଉଦ୍ୟାନ ଆଦି ବୁଲି ଦେଖିଲୁ । ସୂର୍ଯ୍ୟାସ୍ତ ହୋଇଯାଇ ଥିବାରୁ ଗବେଷଣାଗାର ଭିତରେ ବେଶି ଲୋକ ନଥାନ୍ତି । ବିଶ୍ୱବିଦ୍ୟାଳୟର ଉଦ୍ୟାନ, ପାର୍କ, ଜର୍ମାନ ଯୁବକ ଯୁବତୀଙ୍କ ଗହଳିରେ ପୂରି ଉଠୁଥାଏ । ବିଶ୍ୱବିଦ୍ୟାଳୟର ଉଦ୍ୟାନ ବେଶ ସୁନ୍ଦର, ତାଠାରୁ ସୁନ୍ଦର ପ୍ରଜାପତି ଭଳି ଘୁରି ବୁଲୁଥିବା ଜର୍ମାନ ଯୁବକ ଯୁବତୀଗୁଡ଼ିକ । ବିଶ୍ୱବିଦ୍ୟାଳୟର ଯୁବକଯୁବତୀଙ୍କ ଭିତରେ ଅବାଧ ମିଳାମିଶା, ଯେ କେହି ଭାରତୀୟଙ୍କ ଦୃଷ୍ଟିରେ ଦୃଷ୍ଟି କଟୁ ହେଲେ ହେଁ, ପାଶ୍ଚାତ୍ୟ ଆଖିରେ ଏହା କିଛି ନୁହେଁ । ଆମେରିକାରେ ଯାହା, ଇଉରୋପରେ ବିଭିନ୍ନ ଦେଶରେ ଠିକ୍‌ ସେଇଆ । ସତେ ଯେମିତି ଏସବୁ ଲୋକଙ୍କ ସମାଜ ଗୋଟିଏ ପ୍ରକାରର ଓ ଆମ ପ୍ରାଚ୍ୟ ସମାଜଠାରୁ ଢେର ଅଲଗା ।

 

ମିଉନିକ୍‌ ବିଶ୍ୱବିଦ୍ୟାଳୟ ପରିକ୍ରମା ଶେଷ ହେଲାବେଳକୁ ସନ୍ଧ୍ୟା ଆସି ଯାଇଥାଏ । ଆମେ ଆଉ ଅଧିକ ସମୟ ବ୍ୟୟ ନକରି ଟ୍ରାମରେ ଫେରି ଆସିଲୁ ଆମ ହୋଟେଲ ନିକଟକୁ । ଆମ ହୋଟେଲ ମିଉନିକ୍‌ର କେନ୍ଦ୍ରସ୍ଥଳରେ ଥିବାରୁ ସେଠାକୁ ଯିବାଆସିବା କରିବା ସୁବିଧାଜନକ ।

 

ଆମ ହୋଟେଲ ସାମନାରେ ଏକ ଅତି ସୁନ୍ଦର ପାର୍କ । ଅସଂଖ୍ୟ ପ୍ରକାର ପତ୍ର ପୁଷ୍ପରେ ଭରି ଉଠିଥାଏ । ଟ୍ରାମ୍‌ରୁ ଓହ୍ଲାଇ ସେଠାରେ କିଛି ସମୟ ବିଶ୍ରାମ କଲୁଁ । ସେଠାରୁ ଉଠି ଆମେ ରେଷ୍ଟୁରାଣ୍ଟରୁ ରାତ୍ରିଭୋଜନ କରି ହୋଟେଲକୁ ଫେରିବା କଥା । ପାର୍କରେ ବସି ଆମେ ଠିକ୍‌କଲୁଁ କେଉଁଭଳି ରେଷ୍ଟୁରାଣ୍ଟକୁ ଖାଇବାକୁ ଯିବା । ବହୁଦିନ ହେଲା ଭାତ ଖାଇ ନ ଥିବାରୁ ଶେଷରେ ଠିକ୍‌କଲୁ ଏକ ଚାଇନିଜ୍‌ ରେଷ୍ଟୁରାଣ୍ଟକୁ ଯିବୁ ଓ ସେଠାରେ ଫ୍ରାଏଡ ରାଇସ୍‌, କୁକୁଡ଼ା ରୋଷ୍ଟ ଆଦି ଖାଇବୁଁ । ଚାଇନିଜ୍‌ ଫ୍ରାଇଡ୍‌ରାଇସ୍‌ ପିଲାଏ ଖାଇଛନ୍ତି, ଭାରି ଭଲ ଲାଗେ, ତେଣୁ ସେଥିପ୍ରତି ଆମର ଆକର୍ଷଣ ବଢ଼ି ଯାଇଥାଏ । ଆମେ ବସିଥିବା ପାର୍କଠାରୁ ଚାଇନିଜ୍‌ ରେଷ୍ଟୁରାଣ୍ଟ ବେଶି ଦୂର ନୁହେଁ, ପାର୍କକୁ ଦିଶୁଥାଏ । ପାର୍କରେ କିଛି ସମୟ ବସି ରେଷ୍ଟୁରାଣ୍ଟ ଅଭିମୁଖେ ବାହାରିଲୁଁ ।

 

ଚାଇନିଜ୍‌ ରେଷ୍ଟୁରାଣ୍ଟରେ ପହଞ୍ଚିବା କ୍ଷଣି ଆମଠାକୁ ମେନୁ ଚାଲି ଆସିଲା । ଇଂରେଜିରେ ଲେଖା । ବୁଝିବାରେ କଷ୍ଟ ହେଲାନି । ପାଶ୍ଚାତ୍ୟ ଦେଶର ମାଂସଯୁକ୍ତ ଖାଦ୍ୟ ପଦାର୍ଥଗୁଡ଼ିକ କେଉଁ ମାଂସରୁ ତିଆରି ଲେଖା ନ ଥାଏ । ସେଗୁଡ଼ିକର ନାମ ଦେଖି ଜାଣି ହେବ କେଉଁ ମାଂସ । ଆମେ ଫ୍ରାଏଡରାଇସ୍‌ ବରାତ କରି ମାଂସର ଗୋଟିଏ ଦୁଇଟା ପ୍ରକାର ବରାତ କଲୁଁ କିନ୍ତୁ ଯେତେବେଳେ ଖାଦ୍ୟ ପଦାର୍ଥଗୁଡ଼ିକ ଟେବୁଲ ଉପରକୁ ଚାଲି ଆସିଲା, ବୁଝିଲାରୁ ସେଗୁଡ଼ିକ ଗୋରୁ ମାଂସ । ସଙ୍ଗେ ସଙ୍ଗେ ଫେରାଇ ଦିଆଗଲା । କାଳେ ଆଉ କିଛି ବରାତ ଦେଲେ ସେହିଭଳି ଆଉ କିଛି ମାଂସ ଚାଲି ଆସିବ, ଗୋଳମାଳରେ ନ ପଶିବା ପାଇଁ ରୋଷ୍ଟେଡ ଚିକନ, ବରାତ ଦେଲୁଁ-। ରୋଷ୍ଟୋଡ ଚିକନ୍‌ ମୋତେ ବେଶି ଭଲ ଳାଗେନି, ହେଲେ ସ୍ତ୍ରୀଙ୍କୁ ଭାରି ଭଲ ଲାଗେ-। ତେଣୁ ଆମ ସମସ୍ତଙ୍କ ପାଇଁ ସେହି ରୋଷ୍ଟେଡ ଚିକନ୍‌ ହିଁ ଆସିଲା । ତା ସହିତ କେତେ ପ୍ରକାର ପରିବା ସିଝା ଓ ଝୋଳ । ସେ ଦିନର ସାନ୍ଧ୍ୟ ଭୋଜନଟି କିଛି ଖରାପ ହେଲାନି ! ବେଶ୍‌ ଭଲ ଲାଗିଲା-। ପେଟେ ଲେଖାଁଏ ଖାଇ ହୋଟେଲକୁ ଫେରି ଆସିଲୁଁ । ପେଟ ଟିକିଏ ଭାରି ହୋଇ ଯାଇ ଥିବାରୁ ଖାଇ ସାରି ଆଉ ବୁଲିବାକୁ ଇଚ୍ଛା ହେଲାନି ।

 

ତହିଁ ପରଦିନ । ସେପ୍‌ଟେମ୍ବର ମାସ ଚଉଦ ତାରିଖ । ସେଦିନର ପ୍ରୋଗ୍ରାମ ବେଶ୍‌ ଭିଡ଼-। ପ୍ରୋଗ୍ରାମ ଭିତରେ ବଜାରବୁଲା ଓ ଜିନିଷ ପତ୍ର କିଣା କିଣି ମୁଖ୍ୟ ଥାଏ । ବଜାରବୁଲା ସ୍ତ୍ରୀଙ୍କର ଓ ପିଲାମାନଙ୍କର ହେଲା ସବୁଠାରୁ ଆକର୍ଷଣୀୟ । ବଜାର ବୁଲି, ଦୋକାନ ପରେ ଦୋକାନ ଦେଖା ଭିତରେ ସ୍ତ୍ରୀ ପିଲାଏ ଖାଇବା କଥା ଭୁଲିଯାନ୍ତି । ମିଉଜିୟମ କି ଆର୍ଟ ଗେଲେରୀ ଦେଖା କଥା ହେଲେ ପ୍ରତି ଘଣ୍ଟାରେ କହିବେ, ଭୋକ ହେଲାଣି, କେଉଁ ରେଷ୍ଟୁରେଣ୍ଟକୁ ଯିବା । କିଛି ନ ମିଳିଲେ ଆଇସ୍‌କ୍ରିମ୍‌ କି ଚକୋଲେଟ୍‌ ଦରକାର । ତେଣୁ ସଅଳ ସଅଳ ଉଠି ପ୍ରାତଃ କର୍ମ ଶେଷ କରି ପ୍ରାତଃ ଭୋଜନ ପାଇଁ ନିକଟବର୍ତ୍ତୀ ଏକ ରେଷ୍ଟୁରାଣ୍ଟକୁ ଗଲୁଁ ।

 

ରେଷ୍ଟୁରାଣ୍ଟରେ ଆମେ ଖାଉଛୁ, ଅଦୂରରେ ଦେଖିଲୁ ଟେଲିଭିଜନ ଭଳି ଏକ ଯନ୍ତ୍ର । ଯନ୍ତ୍ରଟି ଯେ ଟେଲିଭିଜନ ନୁହେଁ ଏହା ଜଣା ପଡ଼ୁଥାଏ । ଟେଲିଭିଜନ ଭଳି ସେହି ଯନ୍ତ୍ରରେ ଚାଲିଥାଏ ଏକ ନୃତ୍ୟ । ତା’ ପୁଣି ରଙ୍ଗୀନ । ନୃତ୍ୟର ଅପୂର୍ବ ଧ୍ୱନିରେ ଡାଇନିଂ ହଲଟି ପୁରି ଉଠୁଥାଏ । ଆମେ ଖାଉଁ ଖାଉଁ ସେହି ଯନ୍ତ୍ରଟି ଆଡ଼କୁ ଅନାଉଁ ଥାଉଁ । କିଛି ସମୟ ନାଚ ପରେ ନାଚଟି ବନ୍ଦ ହୋଇଗଲା । ଯନ୍ତ୍ରର ଟେଲିଭିଜନ ପରଦା ଭଳି ପରଦାଟି ଦପ୍‌କରି ଲିଭିଗଲା । କିଛି ସମୟ ପରେ ଆଉ ଜଣେ ଲୋକ ଆସିଲେ । ସେ ଯନ୍ତ୍ରଟିକୁ ମୋଡ଼ି ଦେଲେ, ଏହା ସଙ୍ଗେ ସଙ୍ଗେ ପୁଣି ଚାଲିଲା । ଏଥର ଆଉ ଏକ ପ୍ରକାର ନାଚ, ବିଭିନ ରଙ୍ଗଯୁକ୍ତ ଚିତ୍ର । ନାଚଟି ଏତେ ମନମତାଣିଆ, ଜର୍ମାନ ଯୁବକମାନେ ସ୍ଥିର ହୋଇ ଟେବୁଲ ଉପରେ ଖାଇ ପାରିଲେନି । କାହାର ଗୋଡ଼ ହଲିଲା ତ କାହାର ଦେହ ହଲିଲା । ଚାହୁଁ ଚାହୁଁ ଖାଇବାକୁ ଆସି ଥିବା କେତେଜଣ ଯୁବକ ଯୁବତୀ ହୋଟେଲର ସେହି ଯନ୍ତ୍ର ପାଖରେ ଠିଆ ହୋଇ କୁଣ୍ଢାକୁଣ୍ଢି ହୋଇ ନାଚିବାକୁ ଆରମ୍ଭ କରିଦେଲେ । କିଛିସମୟ ପରେ ପୁଣି ସେଇ ନାଚ ବନ୍ଦ ହୋଇଗଲା ଓ ତା ସ୍ଥାନରେଆରମ୍ବ ହେଲା ଆଉ ଏକ ନାଚ ।

 

ପଚାରି ବୁଝିଲୁଁ ଏ ଗୋଟିଏ ପ୍ରକାର ଯନ୍ତ୍ର, ଟେଲିଭିଜନ୍‌ ନୁହେଁ । ଏହା ଗ୍ରାମଫୋନ ଭଳି ଏକ ଯନ୍ତ୍ର । ଏଥିରେ ରେକର୍ଡ ପୂରାଇ ବଜାଇଲେ ନାନାପ୍ରକାର ଗୀତ ବାଜିଉଠେ । ଏହି ଯନ୍ତ୍ର ଓ ଗ୍ରାମଫୋନ୍‌ ଭୀତରେ ତଫାତ ହେଉଛି ଗ୍ରାମଫୋନରୁ ଆମେ ଖାଲି ଗୀତ ଶୁଣୁ, ଏହି ଯନ୍ତ୍ରରେ ଗୀତ ସଙ୍ଗେ ସଙ୍ଗେ ଗାଇଲା ବା ନାଚିଲା ବାଲାକୁ ଦେଖି ହୁଏ । ଏହି ଯନ୍ତ୍ରକୁ ଫୋନୋଭିଜନ କହିଲେ ଚଳିବ । ଏଥିର ବ୍ୟବହୃତ ରେକର୍ଡରେ ଗୀତର ଛାପ ସଙ୍ଗେ ସଙ୍ଗେ ଫିଲ୍ମ ଭଳି ଦୃଶ୍ୟର ଛାପ ମଧ୍ୟ ଥାଏ । ଏହାକୁ ଯନ୍ତ୍ରରେ ପୂରାଇ ଚଳାଇଦେଲେ ଟେଲିଭିଜନ ଭଳି ପରଦା ଉପରେ ଗାୟକ ଗୀତଗାଏ ଓ ନୃତ୍ୟକାରୀ ନାଚକରେ ଓ ଏହା ତଳେ ଥିବା ଲାଉଡସ୍ପିକର୍‌ରୁ ଗୀତ ବାହାରି ଆସେ । “ପୃଥିବୀ ବାହାରେ ମଣିଷ” ଉପନ୍ୟାସ ରଚନା କଲାବେଳେ ମଙ୍ଗଳ ଗ୍ରହରେ ମୁଁ ଯେଉଁ ଏକ କାଳ୍ପନିକ ଯନ୍ତ୍ରର କଳ୍ପନା କରିଥିଲି, ସେଭଳି ଯନ୍ତ୍ରକୁ ଆଖି ଆଗରେ ଦେଖି ମୋ କଳ୍ପନାକୁ ଅଶେଷ ଧନ୍ୟବାଦ ନ ଦେଇ ରହି ପାରିଲିନି । ଆଜିକୁ ପ୍ରାୟ ପନ୍ଦର ବର୍ଷ ତଳେ କରାଯାଇଥିବା କଳ୍ପନାକୁ ଯଦି ବାସ୍ତବତାର ରୂପ ନେଇ ଜଣେ ଦେଖେ, ତେବେ ସେ କେତେ ଖୁସି ନ ହେବ ? ଆମେ ଖାଇବା ସହିତ ଏହି ଯନ୍ତ୍ରକୁ ଦେଖି ସେଥି ଭିତରର ନାଚ ଓ ଦୃଶ୍ୟକୁ ଖୁବ୍‌ ଆନନ୍ଦର ସହିତ ଉପଭୋଗ କରୁଥିଲୁଁ ।

 

ସେହି ଯନ୍ତ୍ରରେ ନାଚ ପରେ ନାଚ ଚାଲିଥାଏ । ଆମେ ଉଠି ବାହାରିଲୁଁ ବଜାର ପରିକ୍ରମା ଉଦ୍ଦେଶ୍ୟରେ । ନାନା ପ୍ରକାର ବୈଜ୍ଞାନିକ ଯନ୍ତ୍ରପାତିରେ ଜର୍ମାନ ବଜାର ଭରପୁର ଥିବ ବୋଲି ଆମର ଏଠି ଢେର କିଛି ନୂଆ ନୂଆ ଜିନିଷ ଦେଖିହେବ, ଏହି ବିଶ୍ଵାସ ଥାଏ । ଆମେରିକାରୁ ଆସିଲାବେଳେ ଆମେ ଭୁଲ ବଶତଃ କେତୋଟି ଜିନିଷ କିଣି ନ ପାରି ଚାଲି ଆସିଥିଲୁଁ । ବାଟରେ ସେଗୁଡ଼ାକ କଥା ଯେତେବେଳେ ମନେ ପଡ଼ିଲା, ଭାବିଲୁଁ ସେଗୁଡ଼ାକ ଇଉରୋପର କୌଣସି ଏକ ଦେଶରୁ କିଣି ନେବୁଁ ବୋଲି । କିନ୍ତୁ ଲଣ୍ଡନରେ ଆସି ଯାହା ଦେଖିଲୁଁ, ସେଥିରେ ନିରାଶହେବା ହିଁ ସାର ହେଲା । ଇଂଲଣ୍ଡ, ଫ୍ରାନସ, ଆଦି ଦେଶ ବିଜ୍ଞାନରେ ବେଶ୍‌ ଉନ୍ନତ ହେଲେହେଁ ନାନାପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଯାନ୍ତ୍ରିକ ବସ୍ତୁ ଉତ୍ପାଦନରେ ଆମେରିକାର ଢେର ପଛରେ । ଆମେରିକାରେ ଗୋଟିଏ ଗୋଟିଏ ଜିନିଷ ବିଭିନ୍ନ ପ୍ରକାର କୋମ୍ପାନୀ ଦ୍ଵାରା ଏତେ ପ୍ରକାରରେ ତିଆରି ହେଉଛି, ଜଣେ ଲୋକ ମନକୁ ମାନିଲାଭଳି ପ୍ରକାର ଢେର ରହିଛି । କିନ୍ତୁ ଇଂଲଣ୍ଡ, ଫ୍ରାନ୍‌ସରେ ତହିଁର ବିରାଟ ଅଭାବ । ବିଭିନ୍ନ ଯନ୍ତ୍ରପାତି ଓ ପଦାର୍ଥ ଉତ୍ପାଦନ କରୁଥିବା କୋମ୍ପାନୀମାନଙ୍କର ସଂଖ୍ୟା ଏତେ କମ୍‌ ଯେ ଗୋଟିଏ ଜିନିଷ ବିଭିନ୍ନ ପ୍ରକାରରେ ପାଇବା ସମ୍ଭବ ନୁହେଁ । ତେଣୁ ମନକୁ ପାଇଲାଭଳି ଜିନିଷଟିଏ ଖରିଦ କରିବା କଷ୍ଟକର । କିନ୍ତୁ ଜର୍ମାନୀରେ ଆସି ଦେଖୁଁ ଅବସ୍ଥା ଇଂଲଣ୍ଡ ଓ ଫ୍ରାନ୍‌ସଠାରୁ ଢେର ଉନ୍ନତ । ଭଲ ଭଲ କୋମ୍ପାନୀଦ୍ଵାରା ନାନାପ୍ରକାର ଜିନିଷ ତିଆରି ହେଉଥିବାରୁ ସେଗୁଡ଼ିକ ବେଶ୍‌ ଉନ୍ନତ ଧରଣର-। ଅବଶ୍ୟ ଆମେରିକା ଭଳି ସେତେ ପ୍ରକାରର ନାହିଁ । ତେଣୁ ଯେଉଁ କେତୋଟି ଜିନିଷ ଖୋଜି ଖୋଜି ମନ ମୁତାବକ ଇଂଲଣ୍ଡ କିମ୍ବା ଫ୍ରାନ୍‌ସ ବଜାରରେ ପାଇଲୁନି, ସେଇ କେତୋଟି ଜିନିଷ ପାଇଲୁଁ ମିଉନିକ୍‍ ବଜାରରେ । ଆମେରିକାରେ କିଣିଥିଲେ ଆମେ ଯେତେ ପ୍ରକାର ପାଇଥାନ୍ତୁ, ଏଠି ଅବଶ୍ୟ ସେତେ ପ୍ରକାର ମିଳିଲାନି । ତା’ଛଡ଼ା ଆମର ଧାରଣା ଥିଲା, ଯେ କୌଣସି ଯାନ୍ତ୍ରିକ ଜିନିଷ, ସମାନ ମାନର ହୋଇଥିଲେ, ଜର୍ମାନୀରେ ଶସ୍ତା ହେବ । କାରଣ ଜର୍ମାନୀରେ ଶ୍ରମ ଶକ୍ତି ଶସ୍ତା । କିନ୍ତୁ ଅବସ୍ଥା ପ୍ରକୃତରେ ତା’ନୁହେଁ । ଦେଖିଲୁଁ ଆମେରିକା ଅପେକ୍ଷା ଦାମ ଅଧିକ, ଯଦିଚ ଦୁଇଟିଯାକ ଏକା ମାନର ଜଣା ପଡ଼ୁଥାଏ । ଆମେରିକାର କୋମ୍ପାନୀମାନେ ଏକ ସଙ୍ଗରେ ଅଧିକ ସଂଖ୍ୟକ ପଦାର୍ଥ ଉତ୍ପାଦନ କରୁଥିବାରୁ ଆମେରିକାରେ ଏସବୁ ଜିନିଷ ଅପେକ୍ଷାକୃତ ଶସ୍ତା ହୋଇଥିବା ସ୍ଵାଭାବିକ ।

 

ଇଲେକ୍‌ଟ୍ରିକ୍‌ ଷ୍ଟାରର୍‌, କଇଞ୍ଚି, ବେଟେରୀ ଚାଳିତ କାନ୍ଥଘଣ୍ଟା ଆଦି ଗୋଟିକ ପରେ ଗୋଟିଏ ଜିନିଷ କିଣି ଚାଲିଛୁଁ, ହଠାତ୍‌ ଗୋଟିଏ ଦୋକାନରେ ଆମ ଦୃଷ୍ଟି ପଡ଼ିଲା ଏକ ଲୁଗା ଇସ୍ତ୍ରୀକରା ଯନ୍ତ୍ର ଉପରେ । ଆମେରିକାରେ ଆମେ ଲୁଗା ସଫାକରା ଯନ୍ତ୍ର, ଲୁଗା ଶୁଖାଇବା ଯନ୍ତ୍ର ଦେଖିଥିଲୁଁ କିନ୍ତୁ କେଉଁଠି ଇସ୍ତ୍ରୀ କରିବା ଯନ୍ତ୍ର ଦେଖି ନ ଥିଲୁଁ । ଜର୍ମାନୀରେ ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲୁନି । ଏ ଯନ୍ତ୍ର ବିଦ୍ୟୁତ ଶକ୍ତିଦ୍ଵାରା ଚାଳିତ । ଦେଖିବାକୁ ଲୁଗା ସିଲାଇ କଳ ଭଳି-। ଏଥିରେ ଦୁଇଟି ଉତ୍ତପ୍ତ ସିଲିଣ୍ଡର ଅଛି । ଲୁଗା ବା ଜାମାର ଯେଉଁ ଅଂଶକୁ ଇସ୍ତ୍ରୀ କରିବାକୁ ଚାହିଁବ, ସେହି ସିଲିଣ୍ଡର ମୁହଁରେ ଦେଖାଇ ଦେଲେ, ଏହା ଲୁଗା କି ଜାମାକୁ ଆରପଟକୁ ଟାଣିନେବ, ଆରପଟରେ ଏହା ଇସ୍ତ୍ରୀ ହୋଇ ବାହାରି ଆସିବ । ଏହି ଯନ୍ତ୍ର ସାହାଯ୍ୟରେ ଇସ୍ତ୍ରୀ କରିବା ସହଜ । ଘଣ୍ଟାକ ଭିତରେ ଶହ ଶହ ଲୁଗା, ଜାମା, ପେଣ୍ଟ, ଇସ୍ତ୍ରୀ କରି ହେବ-। ଏହି ଯନ୍ତ୍ରଟିର ଦାମ ବେଶି ନୁହେଁ । ଆମ ଟଙ୍କାରେ ପ୍ରାୟ ଆଠଶହ ଟଙ୍କା । ଏହି ଯନ୍ତ୍ରଟିକୁ କିଣିବାକୁ ସ୍ତ୍ରୀଙ୍କର ଭାରି ଇଛା ଥିଲା । କିନ୍ତୁ ଏହାକୁ ସଙ୍ଗରେ ନେବା ସେତେ ସହଜ ନୁହେଁ । ଏହା ଓଜନ ଓ ଆକାରରେ ଏତେ ବେଶୀ ଯେ ଉଡ଼ାଜାହାଜରେ ଭାରତକୁ ନେଲେ ଆମେ ଦେଉଳିଆ ହୋଇଯିବୁ-। ତା’ ଛଡ଼ା ଏତେ କଷ୍ଟମସ୍‌ଟିକସ ଆମ ଦେଶରେ ପଡ଼ିବ ଯେ, ଆମକୁ ଦେଉଳିଆ ଅବସ୍ଥାକୁ ଟାଣି ନେବା ଅଧିକ ସୁବିଧାଜନକ ହେବ । ତେଣୁ ସେହି ଯନ୍ତ୍ରଟିକୁ ନ କିଣି ଫେରି ଆସିଲୁ, ଲକ୍ଷ୍ୟ କଲି କିଣା ନ ହେବାରୁ ସ୍ତ୍ରୀଙ୍କ ମନ ଟିକିଏ ଖରାପ ହେଲା ଭଳି ଜଣାଗଲା ।

 

ବଜାର ବୁଲା ସରିବା ପରେ ମିଉନିକ୍‌ର ଆହୁରି କେତେକ ସ୍ଥାନ ବୁଲିଲୁଁ‌ । ନିମ୍‌ଫେନବର୍ଗ ପ୍ରାସାଦ, ତା ଚାରିପାଖରେ ଥିବା ବୋଟାନିକାଲ ଗାର୍ଡନ, ନିଉଟାଉନ ହଲ, ହାଉସ୍‌ଡର୍‌କାନଷ୍ଟ, ଆଦି ଦେଖି ସହରର ବିଭିନ୍ନ ରାସ୍ତା ପରିକ୍ରମା କଲୁଁ । ମିଉନିକ୍‌ର ବାୟର ଷ୍ଟ୍ରୀଟ୍‌, ବିଥୋଭେନ ଷ୍ଟ୍ରୀଟ୍‌, ନଦୀକୂଳରେ ରିଭର୍‌ ସାଇଡ୍‌ ଡ୍ରାଇଭ୍‌, ଏରହାର୍ଡ ଷ୍ଟ୍ରୀଟ୍‌ ଆଦି ବୁଲି ସନ୍ଧ୍ୟାବେଳକୁ ହୋଟେଲକୁ ଫେରିଆସିଲୁଁ । ତହିଁ ପରଦିନ ସକାଳୁ ଆମର ମିଉନିକ୍‌ ପରିତ୍ୟାଗ କରି ଇଟାଲିର ସୁବିଖ୍ୟାତ ନଗରୀ ରୋମ୍‌ ଅଭିମୁଖେ ରମାନା ହେବାର କଥା । ମିଉନିକ୍‌ ଉଡ଼ାଜାହାଜ ଘାଟିରୁ ସକାଳ ସାତଟାରେ ଆମ ଉଡ଼ାଜାହାଜ ଛାଡ଼ିବା ରୋମ୍‌ ଅଭିମୁଖେ ।

 

ମିକନିକରୁ ରୋମ୍‌ ଯାତ୍ରା

 

ସେପ୍‌ଟେମ୍ବର ମାସ ପନ୍ଦର ତାରିଖ । ସକାଳ ହେଲାକ୍ଷଣି ଆମେ ତରତର ହୋଇ ଏକ ଟେକ୍‌ସି ଧରି ମିଉନିକ୍‌ ଉଡ଼ାଜାହାଜ ଘାଟି ଅଭିମୁଖେ ବାହାରି ପଡ଼ିଲୁଁ । ହୋଟେଲର ମାଲିକ ଆମ ପାଇଁ ଏକ ଟେକ୍‌ସି ମଗାଇ ଦେଲେ । ବଡ଼ ବିଚିତ୍ର, ଟେକ୍‌ସିଟି ଭଡ଼ା ଟେକ୍‌ସି ନୁହେଁ, ଜଣେ ଭଦ୍ରଲୋକଙ୍କର ନିଜ ଟେକ୍‌ସି । ସକାଳେ ସନ୍ଧ୍ୟାରେ ସେ ଏହାକୁ ଭଡ଼ା ଟେକ୍‌ସି ଭାବରେ ବ୍ୟବହାର କରି କିଛି ଅଧିକା ଅର୍ଥ ରୋଜଗାର କରନ୍ତି । ଦିନବେଳେ ଅଫିସକୁ ଯାନ୍ତି । ବାସ୍ତବିକ ଏ ଏକ ବିଚିତ୍ର ଅନୁଭୂତି । କେତେକାଂଶରେ ଆମଦେଶ ଭଳି । ଆମ ଦେଶରେ ଯେମିତି ନିଜ ଗାଡ଼ିକୁ ଅନେକେ ଭଡ଼ା ଲଗାଇ କିଛି କିଛି ଅର୍ଥ ଉପାର୍ଜ୍ଜନ କରନ୍ତି ଏ ଠିକ୍‌ ସେଇଆ । ଆମେ ହୋଟେଲରୁ ମିଉନିକ୍‌ ଉଡ଼ାଜାହାଜ ଘାଟିକୁ ଟେକ୍‌ସିବାଲାମାନେ ଯେଉଁ ଭଡ଼ା ନିଅନ୍ତି ୟାଙ୍କ ଭଡ଼ା ତା’ଠାରୁ କିଛି ଅଧିକ ନୁହେଁ । ଭଦ୍ରଲୋକ ଆମକୁ ଖୁବ ସଅଳ ସମଳ ଉଡ଼ାଜାହାଜ ଘାଟିରେ ପହଞ୍ଚାଇ ଦେଲେ । ଆମର ଏଠାରୁ ଜର୍ମାନୀ ଉଡ଼ାଜାହାଜ କୋମ୍ପାନୀ ‘ଲୁଫ୍‌ଟାନସା’ର ଏକ ଜେଟ୍‌ ବିମାନରେ ଇଟାଲୀ ରାଜ୍ୟର ରାଜଧାନୀ ରୋମ୍‌ ଯିବା ଠିକ୍‌ ହୋଇଥାଏ । ତେଣୁ ଆମେ ଯାଇ ଲୁଫ୍‌ଟାନସା ଉଡ଼ାଜାହାଜ କୋମ୍ପାନୀର ଅଫିସରେ ପହଞ୍ଚିଲୁଁ । ଅଫିସରେ ପହଞ୍ଚି ଶୁଣିଲୁଁ ଉଡ଼ାଜାହାଜ ଛାଡ଼ିବା ଡେରି ଅଛି । କାରଣ ଚାରିଆଡ଼େ ଘନ କୁହୁଡ଼ି ଛାଇ ହୋଇଛି । କୁହୁଡ଼ି ନ ଛାଡ଼ିଲା ପର୍ଯ୍ୟନ୍ତ ଉଡ଼ାଜାହାଜ ଯାଉନି । ବଡ଼ ବିପଦ ତା’ ହେଲେ । କେତେ ଡେରି ହେବ କହି ହେଉନି । ତେବେ ସମସ୍ତ ଆଶା କରୁଛନ୍ତି ଘଣ୍ଟାଏ ଭିତରେ କୁହୁଡ଼ି ଦୂର ହୋଇଯାଇ ପାରେ । ତା’ ପରେ ଉଡ଼ାଜାହାଜ ଛାଡ଼ିବ । କୁହୁଡ଼ି ଭିତରେ ଉଡ଼ାଜାହାଜ ଉଠିବା ଓ ଓହ୍ଲାଇବା ଅତ୍ୟନ୍ତ ବିପଦଜନକ । ତେଣୁ ଆମେ ସମସ୍ତ ଜିନିଷ ପତ୍ର ଆଦି ଚେକିଙ୍ଗ୍‌ କରାଇ ଉଡ଼ାଜାହାଜ ଘାଟିର ଲବିରେ ବସି ଉଡ଼ାଜାହାଜ ପଡ଼ିଆ ଆଡ଼କୁ ଅନାଇ ବସିଲୁଁ । ଓଃ କି ଘନ କୁହୁଡ଼ି ! ଉଡ଼ାଜାହାଜ ଘାଟିର କିଛି ଦିଶୁ ନ ଥାଏ । କିଏ ଜାଣେ ଏ ବିପଦ ଆପଦ ବେଳରେ କ’ଣ ହେବ ।

Image

 

ଇତିହାସ ପ୍ରସିଦ୍ଧ ନଗରୀ ରୋମ୍‌

 

ଆମେ ଯେଉଁ ରୋମ ସହରକୁ ଯିବା ପାଇଁ ମିଉନିକ୍‍ ଉଡ଼ାଜାହାଜ ଘାଟିରେ ଅପେକ୍ଷା କରିଥିଲୁ, ସେହି ରୋମ ହେଉଛି ଇଟାଲୀ ରାଜ୍ୟର ରାଜଧାନୀ । ଇଟାଲୀ ଦେଶ ଇଉରୋପର ପ୍ରଧାନ ପ୍ରଧାନ ରାଷ୍ଟ୍ର ଭିତରୁ ଗୋଟିଏ । ଇଟାଲୀର ଭୌଗଳିକ ଅବସ୍ଥିତି ଅତି ବିଚିତ୍ର ଧରଣର । ଏହି ରାଜ୍ୟର ତିନି ପାଖରେ ଭୂମଧ୍ୟସାଗର ବେଢିକରି ରହିଛି । ଗୋଟିଏ ପାଖରେ ରହିଛି ଆଲପସ୍‌ ପର୍ବତମାଳା । ଇଉରୋପ ମହାଦେଶର ଦକ୍ଷିଣ ଭାଗରେ ରହି ଏହି ରାଜ୍ୟଟି ଭୂମଧ୍ୟସାଗର ଭିତରକୁ ଲମ୍ବି ଆସିଛି । ଏହି ବିରାଟ ଭୂଖଣ୍ଡ ଦକ୍ଷିଣକୁ ସିସିଲ ଦ୍ଵୀପ ଅବସ୍ଥିତ । ଏହି ଦ୍ୱୀପଟି ଇଟାଲୀ ଅଧୀନରେ । ଇଟାଲୀ ଆକାରରେ ବେଶି ବଡ଼ ନୁହେଁ, ଏହାର କ୍ଷେତ୍ରଫଳ ଲକ୍ଷେ ସତର ହଜାର ବର୍ଗମାଇଲରୁ କିଛି ବେଶି । ଲୋକସଂଖ୍ୟା ପାଞ୍ଚ କୋଟି ପାଖାପାଖି । ଲୋକମାନଙ୍କର ଭାଷା ହେଉଛି ଇଟାଲୀୟ ଭାଷା । ଏହି ଭାଷାଟି ବେଶ୍‌ ଉନ୍ନତ । ଇଟାଲୀର ମୁଦ୍ରା ହେଉଛି ଲୀରା । ହଜାରେ ଲୀରା ହେଲେ ମାର୍କିନ୍‌ମୁଦ୍ରା ପ୍ରାୟ ଦେଢ ଡଲାର ହେବ । ଅମର ଟଙ୍କାଟିକୁ ଇଟାଲୀରେ ପ୍ରାୟ ଶହେ ଲୀରା । ଏହି ହେଉଛି ଆମର ଇଟାଲୀ ସହିତ ମୁଦ୍ରା ବିନିମୟ ହାର । ଆମର ପଇସାଟିଏ ଯାହା, ସେ ଦେଶର ଲୀରାଟିଏ ସେଇଆ ।

 

ଇଟାଲୀର ଜଳବାୟୁ ଇଉରୋପର ବହୁ ଦେଶର ଜଳବାୟୁଠାରୁ ଢେର ଭିନ୍ନ । ଇଟାଲୀର ଦକ୍ଷିଣ ଭାଗର ଜଳବାୟୁ ବେଶ୍‌ ଉଷ୍ଣ । ଉତ୍ତର ଭାଗର ଜଳବାୟୁ ନାତିଶୀତୋଷ୍ଣ । ଏହି ରାଜ୍ୟରେ ହାରାହାରି ବୃଷ୍ଟି ପରିମାଣ ପ୍ରାୟ ୩୦ ଇଞ୍ଚ । ଇଟାଲୀର ଉତ୍ତର ଭାଗରେ ପାର୍ବତୀୟ ଅଞ୍ଚଳ ଓ ପର୍ବତଶ୍ରେଣୀ ଥିବାରୁ ବୃଷ୍ଟିର ପରିମାଣ ଟିକିଏ ବେଶି । ଉତ୍ତରରେ ଆଲପସ୍‌ ପର୍ବତମାଳା ବର୍ଷର ସବୁଦିନେ ତୁଷାରାଚ୍ଛାଦିତ ।

 

ଇଟାଲୀ ମୋଟାମୋଟି ଏକ କୃଷିପ୍ରଧାନ ଦେଶ । ଦେଶର ଶତକରା ୪୦ଭାଗ କୃଷିପାଇଁ ନିୟୋଜିତ, ଶତକରା ୨୦ ଭାଗ ଗୋଚର ଓ ହାରାହରି ୧୮ ଭାଗ ଜମି ଉପରେ ବଣଜଜଙ୍ଗଲ ରହିଛି । ଦେଶର କୋଟିଏ ଲୋକ ହାରାହାରି କୃଷି କର୍ମରେ ନିଯୁକ୍ତ । ଦେଶର ପ୍ରଧାନ ପ୍ରଧାନ ଫସଲ ହେଲା ଗହମ, ବାଜରା, ତୁଳା, ତମାଖୁ ଓ ଧାନ । ତା’ଛଡ଼ା ଦେଶରେ ବହୁ ଅଙ୍ଗୁର ବଗିଚା ଥିବାରୁ ଅଙ୍ଗୁରରୁ ମଦ ଉତ୍ପାଦନ କରିବା ଏକ ପ୍ରଧାନ ବ୍ୟବସାୟ ।

 

ଗନ୍ଧକ ହେଲା ଦେଶର ପ୍ରଧାନ ଖଣିଜ ସମ୍ପଦ । ଇଟାଲୀ ବର୍ଷକୁ ହାରାହାରି ଅଢ଼େଇ ଲକ୍ଷ ଟନ୍‌ ଗନ୍ଧକ ଦେଶ ବାହାରକୁ ରପ୍ତାନୀ କରେ । ଗନ୍ଧକ ତଳକୁ ପାରଦର ସ୍ଥାନ । ପୃଥିବୀର ବୃହତ୍ତମ ପାରଦ ଉତ୍ପାଦନକାରୀ ଭାବରେ ଇଟାଲୀ ପ୍ରସିଦ୍ଧ । ଏସବୁ ଛଡ଼ା ଗ୍ରାଫାଇଟ୍‌, ଶଙ୍ଖମଲ ପଥର, ଖଣିଜ ଲବଣ ଉତ୍ପାଦନ ପାଇଁ ଇଟାଲୀ ପ୍ରସିଦ୍ଧ । ଇଟାଲୀର ଶଙ୍ଖମଲ ପଥର ପୃଥିବୀ ପ୍ରସିଦ୍ଧ । ଧଳା ଶଙ୍ଖମଲ ପଥର ଠାରୁ ବିଭିନ୍ନ ରଙ୍ଗର ଶଙ୍ଖମଲ ପଥର ଏଠାରେ ମିଳେ । ଘର, ପ୍ରାସାଦ ଆଦି ସୁନ୍ଦର ଭାବରେ ତିଆରି କରିବା ପାଇଁ ଇଟାଲୀ ଶଙ୍ଖମଲ ପଥରର ଚାହିଦା ବେଶି ।

 

ଇଟାଲୀ ପ୍ରଧାନତଃ ଏକ କୃଷିପ୍ରଧାନ ଦେଶ ହେଲେହେଁ ଏଠାରେ ଶିଳ୍ପ ଯେ ନାହିଁ ତା ନୁହେଁ । ୧୯୨୦ ମସିହା ପରଠାରୁ ଇଟାଲୀ ଏକ ଶିଳ୍ପଉନ୍ନତ ରାଷ୍ଟ୍ର ଭାବରେ ପ୍ରସିଦ୍ଧି ଅର୍ଜ୍ଜନ କରିଛି-। ଇଟାଲୀ ଜଳଜାହାଜ, ଉଡ଼ାଜାହାଜ ଓ ମଟରଗାଡ଼ି ଶିଳ୍ପ ପାଇଁ ପୃଥିବୀ ପ୍ରସିଦ୍ଧ । ଲୌହ ଓ ଇଷ୍ପାତ ଉତ୍ପାଦନ ଦୃଷ୍ଟିରୁ ଇଟାଲୀ ପୃଥିବୀର ବହୁ ଦେଶର ଆଗରେ ।

 

ସାରା ଇଟାଲୀ ରାଜ୍ୟରେ ହାରାହାରି ସାଢ଼େ ସାତହଜାର ସହର ରହିଛି । ସେଥି ଭିତରୁ ଦଶଲକ୍ଷରୁ ଅଧିକ ଲୋକ ଥିବା ସହର ହେଲା ତିନୋଟି, ଯଥା-ରୋମ୍‌, ମିଲାନ୍‌ ଓ ନେପ୍‌ଲସ୍‌ ।

 

ଇଟାଲୀ ଏକ ସ୍ଵାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର । ଗତ ଦ୍ଵିତୀୟ ମହାସମରର ପୂର୍ବ ଅର୍ଥାତ୍‌୧୯୨୦ ମସିହା ପର୍ଯ୍ୟନ୍ତ ଇଟାଲୀ ରାଜତନ୍ତ୍ର ଶାସନ ଦ୍ଵାରା ଶାସିତ ହେଉଥିଲା । ୧୯୨୮ ମସିହା ଠାରୁ ଦ୍ଵିତୀୟ ମହାସମର ଶେଷ ପର୍ଯ୍ୟନ୍ତ ଏହା ଏକଛତ୍ରବାଦୀଙ୍କ ହାତରେ ପଡ଼ିଲା । ଦ୍ଵିତୀୟ ମହାସମରର ଅବସାନ ସଙ୍ଗେ ସଙ୍ଗେ ଏହି ଏକଛତ୍ରବାଦୀମାନେ ଲୋପ ପାଇଗଲେ । ଏହି ଏକଛତ୍ରବାଦୀଙ୍କ ନେତା ଥିଲେ ମୁସୋଲିନି, ନାଜିନେତା ହିଟ୍‌ଲର୍‌ଙ୍କ ପରମ ବନ୍ଧୁ । ସାଧାରଣ ଶିକ୍ଷାଦୃଷ୍ଟିରୁ ଇଟାଲୀ ବେଶ୍‌ ଉନ୍ନତ, ହେଲେହେଁ ଏ ଦେଶରେ ନିରକ୍ଷର ଲୋକ ଯେ ନାହାନ୍ତି, ତା’ ନୁହେଁ । ସାରା ଇଟାଲୀରେ ଏକୋଇଶରୁ ଉର୍ଦ୍ଧ୍ଵ ବିଶ୍ୱବିଦ୍ୟାଳୟ ରହିଛି ।

 

ଇଟାଲୀରେ ପରିଭ୍ରମଣ କରିବା ପାଇଁ ଭଲ ଭଲ ରାସ୍ତା, ରେଳ ରାସ୍ତା ଆଦି ରହିଛି, ଇଉରୋପରୁ ଇଟାଲୀକୁ ଆସିବା ପାଇଁ ଆଲପସ୍‌ ପର୍ବତମାଳା ତଳେ ଥିବା ସୁଡ଼ଙ୍ଗ ଦେଇ ଆସନ୍ତି-। ଆଲପସ୍‌ ପର୍ବତମାଳା ତଳେ ଏକାଧିକ ସୁଡ଼ଙ୍ଗ ରହିଛି । ସେଥି ଭିତରୁ ଗୋଟିଏ ହେଉଛି ସେଣ୍ଟ୍‌ବାରନାର୍ଡ ସୁଡ଼ଙ୍ଗ । ଏହା ୧୯୬୩ ମସିହାରେ ସଂପୂର୍ଣ୍ଣ ହୋଇଥିଲା । ଏହି ସୁଡ଼ଙ୍ଗ ଯୋଗୁଁ ସୁଇଜରଲାଣ୍ଡ ଓ ଇଟାଲୀ ଭିତରେ ଯିବା ଆସିବା ସହଜସାଧ୍ୟ ହୋଇଛି । ମାଉଣ୍ଟ ବ୍ଲେଙ୍କ ତଳେ ଆଉ ଗୋଟିଏ ସୁଡ଼ଙ୍ଗ ଏବେ ତିଆରି ହୋଇଛି । ଏହା ଇଟାଲୀକୁ ଫ୍ରାନ୍‌ସ ସହିତ ଯୋଗ କରୁଛି-। ଏହି ସୁଡ଼ଙ୍ଗ ଯୋଗୁଁ ପାରିସ୍‌କୁ ରୋମର ଦୂରତ୍ୱ ୧୨୫ମାଇଲ କମି ଯାଇଛି । ଜେନିଭା ଓ ଟୁରିନ୍‌ର ଦୂରତ୍ଵ ୫୦୦ ମାଇଲରୁ ୧୭୦ ମାଇଲକୁ କମି ଆସିଛି । ଏହି ସୁଡ଼ଙ୍ଗର ଲମ୍ବା ପ୍ରାୟ ସାତ ମାଇଲ-। ପୃଥିବୀର ବୃହତ୍ତମ ରାଜପଥ ସୁଡ଼ଙ୍ଗ (HighwayTunnel) ଭାବରେ ଏହା ପରିଚିତ-

 

ଇଟାଲୀରେ ବହୁତ ଗୁଡ଼ିଏ ସୁଦୀର୍ଘ ବିସ୍ତୀର୍ଣ୍ଣ ରାଜପଥ ରହିଛି । ଇଟାଲୀର ସବୁ ଛୋଟ ବଡ଼ ସହର ପରସ୍ପର ସହିତ ବଡ଼ ବଡ଼ ରାସ୍ତା ଓ ରାଜପଥ ଦ୍ଵାରା ସଂଯୁକ୍ତ । ଇଟାଲୀର ବଡ଼ ବଡ଼ ବିଖ୍ୟାତ ସହର ଭିତରେ ଦେଶର ରାଜଧାନୀ ରୋମ, ବଲୋନା, ଫ୍ଲୋରେନ୍‌ସ, ଜେନୋଆ, ମିଲାନ, ନେପ୍‌ଲସ, ସିରାକ୍ୟୁଜ, ଟୁରିନ, ଭେନିସ ଆଦି ସହର ଅଗ୍ରଗଣ୍ୟ । ଜେନେଆର ଇଟାଲୀୟ ଉଚ୍ଚାରଣ ହେଉଛି ଜେନେଭା । ଏ ଇଟାଲୀର ଏକ ପ୍ରଧାନ ବନ୍ଦର ଭାବେ ଖ୍ୟାତ । ଏଠାରୁ ଏସିଆ ଓ ଆମେରିକାର ବହୁ ବନ୍ଦରରୁ ଜଳଜାହାଜ ଯିବାଆସିବା କରେ । ଇତିହାସ ପ୍ରସିଦ୍ଧ ଆବିଷ୍କାରକ କ୍ରିଷ୍ଟୋଫର କଲମ୍ବସ ଥିଲେ ଏହି ଜେନୋଆ ସହରର ଅଧିବାସୀ । ଭାରତରୁ ଇଉରୋପକୁ ଯାଉଥିବା ବହୁ ଜାହାଜ ଏହି ଜେନୋଆ ବନ୍ଦରରେ ସେମାନଙ୍କ ଜଳଯାତ୍ରା ଶେଷ କରନ୍ତି । ତେଣୁ ଭାରତରୁ ଯାଉଥିବା ବହୁଯାତ୍ରୀ ଏହି ଜୋନୋଆରୁ ଓହ୍ଲାଇ ସ୍ଥଳପଥରେ ଲଣ୍ଡନ, ପାରିସ୍‍ ଆଦି ସ୍ଥାନକୁ ଯାଆନ୍ତି ।

 

ଆମେ ଯାହାକୁ ମିଲନ କହୁ, ଇଟାଲୀୟମାନେ ତାକୁ କହନ୍ତି ମିଲନେ । ଇଟାଲୀର ଉତ୍ତରାଞ୍ଚଳରେ ଏହି ପ୍ରସିଦ୍ଧ ସହରଟି ଅବସ୍ଥିତ । ଏକ ଶିଳ୍ପ ପ୍ରଧାନ ଓ କଳକାରଖାନା ପୂର୍ଣ୍ଣ ସହର ଭାବରେ ଏହା ଖ୍ୟାତ । ନାଚ, ଗାନ, ଥିଏଟର, ନାଇଟ୍‌କ୍ଲବ୍‌, ନାଚ ଘର ପାଇଁ ଏହି ସହରଟି ପ୍ରସିଦ୍ଧ-

 

ମିଲାନଠାରୁ ଅଳ୍ପ ଦୂରରେ ଫ୍ରାନ୍‌ସ ସୀମା ଆଡ଼କୁ ଇଟାଲୀର ସୁପ୍ରସିଦ୍ଧ ସହର ଟୁରିନ୍‌ ଅବସ୍ଥିତ । ଟୁରିନ୍‍କୁ ଇଟାଲୀୟମାନେ କହନ୍ତି ‘ଟୋରିନୋ’ । ଏହା ଏକ ସୁନ୍ଦର, ଆଧୁନିକ ସହର । ଲୋକସଂଖ୍ୟା ଦଶଲକ୍ଷ ପାଖାପାଖି । ଇଟାଲୀର ସୁବିଖ୍ୟାତ ମଟରଗାଡ଼ି ନିର୍ମାତା ଫିଏଟ୍‌ ମଟରଗାଡ଼ି କୋମ୍ପାନୀର ପ୍ରକାଣ୍ଡ କାରଖାନା ଏହି ସହରରେ ଅବସ୍ଥିତ । ଟୁରିନ୍‌ର ମୋଟରଗାଡ଼ି ମିଉଜିୟମ ପୃଥିବୀ ପ୍ରସିଦ୍ଧ । ମୋଟରଗାଡ଼ିର ଜନ୍ମବୃତ୍ତାନ୍ତ ଓ ଇତିହାସ ସାଧାରଣ ବୁଝି ପାରିଲା ଭଳି ଏଥିରେ ଦର୍ଶାଯାଇଛି ।

 

ଇଟାଲୀର ଏକ ସୁନ୍ଦର ସହର ହେଲା ଭେନିସ୍‌ । ଏହା କେତେଗୁଡ଼ିଏ ଛୋଟ ଛୋଟ ଦ୍ଵୀପପୁଞ୍ଜ ଉପରେ ଅବସ୍ଥିତ । ଏଗୁଡ଼ିକର ସଂଖ୍ୟା ପ୍ରାୟ୧୧୮ । ଏହି ଦ୍ୱୀପପୁଞ୍ଜଗୁଡ଼ିକ ପରସ୍ପରର ପାଖକୁ ପାଖ ଲଗା ହୋଇ ରହିଛି । ପରସ୍ପରଠାରୁ ବିଭିନ୍ନ ଜଳଭାଗ ଦ୍ଵାରା ବିଚ୍ଛିନ୍ନ । ଇଟାଲୀର ପୂର୍ବ ପଟରେ ଥିବା ଆଡ୍ରିଆଟିକ ଉପସାଗର କୂଳରେ ଏଇ ସହରଟି ଅବସ୍ଥିତ ।

 

ଫ୍ଲୋରେନ୍‌ସ ଇଟାଲୀର ଏକ ପୁରୁଣା ସହର । ମଧ୍ୟ ଯୁଗରେ ଇଉରୋପର ଏକ ବଡ଼ ସହର ଭାବରେ ପ୍ରସିଦ୍ଧି ଲାଭ କରିଥିଲା । ଲିଓନାର୍ଡ ଡା-ଭିନସି, ମିଚ୍‌ଲଆନ୍‌ଗେଲେ, ଦାନ୍ତେ; ଆଦି କଳାକାର ନାନା ଜ୍ଞାନୀଲୋକେ ଏହି ସହର ସହିତ ସଂପୃକ୍ତ ଥିଲେ ।

 

ନେପଲସ ଇଟାଲୀର ଦକ୍ଷିଣ ଅଞ୍ଚଳରେ ଏକ ବିଶିଷ୍ଟ ବନ୍ଦର । ପୃଥିବୀ ପ୍ରସିଦ୍ଧ ଆଗ୍ନେୟଗିରି ଭିସୁଭୟସ ଏହାଠାରୁ ଅଳ୍ପ ଦୂରରେ । ଏଠାରୁ ଇଲେକ୍‌ଟ୍ରିକ ରେଲଲାଇନ ଭିସୁଭିୟସର ମୁଖ ପର୍ଯ୍ୟନ୍ତ ଯାଇଛି । ଦର୍ଶକମାନେ ଏହାର ମୁଖ ପର୍ଯ୍ୟନ୍ତ ଦେଖିବା ପାଇଁ ଯାଇ ପାରନ୍ତି ।

 

ଇଟାଲୀ ଦେଶର ଲୋକମାନଙ୍କର ଖାଦ୍ୟ ବିଚିତ୍ର, ଅନେକାଂଶରେ ଇଉରୋପର ଅନ୍ୟାନ୍ୟ ଜାତିଙ୍କ ଖାଦ୍ୟଠାରୁ ଅଲଗା । ଇଟାଲୀୟମାନେ ତରକାରୀରେ ହଳଦୀ ଓ ମସଲା ଆଦି ପକାଇ ଖାଆନ୍ତି । ଲଙ୍କା ନ ପକାଇଲେ ସେମାନଙ୍କ ତରକାରୀ ସୁଆଦ ହୁଏନି । ସେମାନେ ଆମ ଭଳି ଭାତ ଖାଆନ୍ତି । ଭାତରେ ଛତୁ, ଲଙ୍କା, ପିଆଜ, କୁକୁଡ଼ା ମାଂସ, ବିଲାତି ବାଇଗଣ ଆଦି ପକାଇ ରାନ୍ଧନ୍ତି । ଏହା ଖାଇବାକୁ ଖୁବ୍‍ ଭଲ ଲାଗେ । ଭାତ ଛଡ଼ା ସେମାନଙ୍କର ଅନ୍ୟାନ୍ୟ ଖାଦ୍ୟ ହେଲା ମାକାରୋନି, ସ୍ପେଗାଟି । ତା ଛଡ଼ା ପିଜା ଇଟାଲୀର ଏକ ପ୍ରସିଦ୍ଧ ଖାଦ୍ୟ । ଇଟାଲୀୟମାନେ ପୃଥିବୀର ଯେଉଁ ଯେଉଁ ଅଞ୍ଚଳରେ ରହିଛନ୍ତି, ସେସବୁ ଅଞ୍ଚଳରେ ଏହି ସବୁ ଖାଦ୍ୟମିଳେ ।

 

ଯା ହେଉ ସୌଭାଗ୍ୟବଶତଃ ଦିନ ନ’ଟା ବେଳକୁ କୁହୁଡ଼ି ଅପସରି ଗଲା । ଆମକୁ ଲାଉଡ ସ୍ପିକରରେ ଜଣାଇ ଦିଆଗଲା, ଯିବା ପାଇଁ ପ୍ରସ୍ତୃତ ହୋଇ ରହିବାକୁ । ଆମେ ସେହି ଲବିରେ ବସି ଉଡ଼ାଜାହାଜ ପଡ଼ିଆକୁ ଅନାଇ ଏହି କୁହୁଡ଼ି ଦୂର ହେବାକୁ ଅନାଇ ବସିଥାଉଁ । ଆମକୁ ଲାଉଡ ସ୍ପିକରରେ କହିଲାବେଳକୁ ଚାରିଆଡ଼େ ବେଶ୍‌ବେଶ୍‌ ପରିଷ୍କାର ଦିଶିଲାଣି । ଏଥର ଆଉ ଭୟ ନାହିଁ ! ଲୁଫ୍‌ଟାନସା କୋମ୍ପାନୀର ନିର୍ଦ୍ଦେଶ ଅନୁସାରେ ଆମକୁ ନେବା ପାଇଁ ଅପେକ୍ଷା କରୁଥିବା ଏକ ବିରାଟ ଜେଟ୍‌ଜାହାଜ ନିକଟକୁ ଗଲୁଁ । ଏହି ଜାହାଜ ମିଉନିକ୍‌ରୁ ଯିବ ରୋମ ଆଲ୍‌ପସ ପର୍ବତମାଳା ଉପର ଦେଇ ।

 

ଉଡ଼ାଜାହାଜରେ ଆମ ପାଇଁ ନିର୍ଦ୍ଦିଷ୍ଟ ଥିବା ସିଟ୍‌ରେ କିଛି ସମୟ ବସିବା ପରେ ଜାହାଜ ଛାଡ଼ିବାର ନିର୍ଦ୍ଦେଶ ଆସିଲା । ସେହି ଅନୁସାରେ ଆମେ ଆମ ନିଜ ନିଜ ଦେହକୁ ସିଟର ବେଲ୍‌ଟ୍‌ରେ ବାନ୍ଧି ଦେଲୁଁ । ଜାହାଜ ଠିକ୍‌ ସମୟରେ ମିଉନିକ୍‍ ଛାଡ଼ିଲା । ପୂର୍ବଭଳି ଅନୁଭୂତି । ଆଖି ପିଛୁଳାକେ ମିଉନିକ୍‍ ଉଡ଼ାଜାହାଜ ଘାଟି ଛାଡ଼ି ଆମ ଜେଟ୍‌ଜାହାଜ ଆକାଶର ବହୁ ଉପରକୁ ଉଠିଗଲା, ଆମର ଢେର ତଳେ ପଡ଼ି ରହିଲା, ଜର୍ମାନ ଦେଶ ଏବଂ ଶିଳ୍ପନଗରୀ ମିଉନିକ୍‌ ଓ ତାର ଉଡ଼ାଜାହାଜ ଘାଟି ।

 

ମିଉନିକ୍‌ରୁ ରୋମ ପ୍ରାୟ ପାଞ୍ଚ ଶହ ମାଇଲ ଦୂର । ଦେଢ଼ ଘଣ୍ଟା ଭିତରେ ପହଞ୍ଚି ଯିବାର ସମ୍ଭାବନା । ବାଟରେ ଆଉ ଓହ୍ଲାଇବାର ଆବଶ୍ୟକତା ନାହିଁ । ମଉନିକ୍‍ରୁ ଆମେ ସିଧାସଳଖ ରୋମର ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିରେ ଓହ୍ଲାଇବୁଁ ।

 

ଲୁଫ୍‌ଟାନସା କୋମ୍ପାନୀର ଜାହାଜ ଓ ତାର ଏୟାର ହୋଷ୍ଟେସମାନେ ଅତି ଚମତ୍କାର । ଜାହାଜ ଛାଡ଼ିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଯାତ୍ରୀଙ୍କୁ ଫଳରସ ଦିଆଗଲା । ପରେ ପରେ ଚା ଜଳଖିଆ । ପିଲାମାନଙ୍କୁ କେତେ ପ୍ରକାର ଖେଳନା ଉପହାର । ପ୍ରତ୍ୟେକଟି ଉପରେ ଲୁଫଟାନ୍‌ସ କୋମ୍ପାନୀର ନାଁ ଓ ଛାପ ଦିଆଯାଇଛି ।

 

ଜାହାଜ ଛାଡ଼ିବାର ଅଳ୍ପ କିଛି ସମୟ ପରେ ଆରମ୍ଭ ହେଲା ଚା ଜଳଖିଆ ପର୍ବ । ଜର୍ମାନ କୋମ୍ପାନୀର ଅତିଥି ସତ୍କାରତା ପ୍ରତି ବେଶ୍‌ ଦୃଷ୍ଟି । ଏୟାର୍‌ହୋଷ୍ଟେସମାନେ ବେଶ୍‌ ମିଷ୍ଟଭାଷିଣୀ, କ୍ଷିପ୍ର । ସଙ୍ଗେ ସଙ୍ଗେ ଉଡ଼ାଜାହାଜର ଗୋଟିଏ ମୁଣ୍ଡରୁ ଆର ମୁଣ୍ଡକୁ ଚାଲି ଯାଉଥାନ୍ତି । ମନେହେବ ସତେ ଏମାନେ ଦୌଡ଼ୁଛନ୍ତି କି ଉଡ଼ୁଛନ୍ତି । କୌଣସି ଗୋଟିଏ କଥା ପଚାରିଲାବେଳକୁ ଅତି ନିଜର ଭାବରେ ପାଖକୁ ଆସି ଉତ୍ତର ଦେଇ ଯାଆନ୍ତି । ସେଦିନ ଆମ ଜାହାଜରେ ଯାତ୍ରୀ ସଂଖ୍ୟା ଅପେକ୍ଷାକୃତ କମ୍‌ଥିଲା । ପ୍ରାୟ ଶତାଧିକ ସିଟ୍‌ ଭିତରୁ ଚାଳିଶ ଖଣ୍ଡେ ସିଟ୍‌ ଫାଙ୍କା । ତେଣୁ ଏୟାର ହୋଷ୍ଟେସ୍‌ ଯୁବତୀମାନଙ୍କର କାମ ଟିକିଏ ହାଲୁକା ପଡ଼ିଲା ଭଳି ଜଣା ପଡ଼ୁଥାଏ । ଏୟାର ହୋଷ୍ଟେସ ମେରିଆ ଆମ ପରିବାର ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲା ଭଳି ଜଣା ପଡ଼ୁଥାଏ । ପିଲାମାନଙ୍କୁ ନାନାପ୍ରକାର ଖେଳନା ଛବି ବହି ଦେବା; ପିଠିରେ ହାତ ଥାପୁଡ଼ାଇବା ସବୁ କିଛି କରୁଥାଏ । ସଙ୍ଗେ ସଙ୍ଗେ ନାନା ପ୍ରକାର ମିଠାଇ (ସ୍ନେକ୍‌ସ), ଚକ୍‌ଲେଟ ଆଣି ପିଲାଙ୍କୁ ଦେଇ ଯାଉଥାଏ । ଆମର କିଛି ଦରକାର ପଡ଼ିଲେ, ଖାଲି ସାମାନ୍ୟ ଇସାରା ଦେଲେହିଁ ସେ କରିଦେବ । ମେରିଆର ଏତାଦୃଶ ବ୍ୟବହାର ଦେଖିଲେ ଯେ କେହି ତା’ଆଡ଼କୁ ଆକୃଷ୍ଟ ହବ । ମେରିଆ ଯୁବତୀ, ସୁନ୍ଦର ଚେହେରା, ବୟସ ଉଣେଇଶ କୋଡ଼ିଏ ଭିତରେ । ଏଡ଼େ ଚଞ୍ଚଳ, ତା’ର ଗୋଟା ସାରା ଦେହରେ ଚଞ୍ଚଳତାର ସ୍ପଷ୍ଟ ଭାବ ଫୁଟି ଉଠୁଥାଏ । ଭଲ ଇଂରାଜି କହିପାରେ । ଆମ ସାମନା ସିଟ୍‌ଗୁଡ଼ାକ ଖାଲି ଥିଲା । କିଛି ସମୟ ପରେ ମେରିଆ ଆସି ସେଠି ବସିଲା । ସେହି ଉଡ଼ାଜାହାଜରେ ଆମେ ଥିଲୁଁ ଏକମାତ୍ର ଭାରତୀୟ ପରିବାର । ମେରିଆର ଭାରତୀୟଙ୍କ ପ୍ରତି ଅପେକ୍ଷାକୃତ ଅଧିକ ଆକର୍ଷଣ ଥିଲାଭଳି ମନେ ହେଉଥାଏ ।

 

ଆମ ସହିତ ବେଶ୍‌ ମନ ଖୋଲି କଥାବାର୍ତ୍ତା କଲା ମେରିଆ । ମାତ୍ର ବର୍ଷେ ହେବ ଚାକିରି କରିଛି । ପଚାରିଲି, ‘କେମିତି ଲାଗୁଛି ଏ ଚାକିରି’ ? ‘ଅତି ଭଲ, ବେଶ୍‌ ଆନନ୍ଦ ମିଳୁଛି ଏ ଚାକିରିରେ ।’ ମେରିଆ ଅବିବାଡ଼ିତା ଅହିବାହିତା ହେଲେହେଁ ବିବାହ ଜୀବନ ପ୍ରତି ତା’ର ଆଗ୍ରହ ଭାରି ବେଶି । ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ତା’ର ଜନ୍ମ । ଗସ ଦ୍ଵିତୀୟ ମହାସମରରେ ତାର ପିତା ପ୍ରାଣ ହରାନ୍ତି । ବାପାଙ୍କର ଏକମାତ୍ର ସନ୍ତାନ । ପିତାଙ୍କର ମୃତ୍ୟୁପରେ ମା ଅତି କଷ୍ଟରେ ଲାଳନ ପାଳନ କରି ତାକୁ ଏତେ ବଡ଼ କରିଛନ୍ତି । ମିଉନିକ୍‌ ସହର ବିଶ୍ଵବିଦ୍ୟାଳୟରୁ ବି.ଏ: ପାସ । ମା’କୁ ଅତି ଭଲପାଏ ମେରିଆ । ମିଉନିକ୍‌ ସହର ଉପକଣ୍ଠରେ ଏକ ଛୋଟ ଘର ଅଛି । ମା ଝିଅ ଦୁହେଁ ସେଇ ଘରେ ରହନ୍ତି । ମେରିଆର କାହାଣୀ ବେଶ୍‌ ଦରଦପୂର୍ଣ୍ଣ । କହୁ କହୁ ତା ଆଖି ଛଳ ଛଳ ହୋଇ ଆସୁଥାଏ ।

 

ମେରିଆର ଭାରତ ଆସିବାକୁ ଭାରି ଇଛା । ଭାରତୀୟଙ୍କ ପ୍ରତି ବେଶ୍‌ ମୋହ । ତାର ଏକ ସଙ୍ଗିନୀ ଜନୈକ ଭାରତୀୟ ଯୁବକକୁ ବିବାହ କରି ଭାରତରେ ଖୁବ୍‌ ସୁଖରେ ଅଛି । ସେ ମେରିଆ, ପାଖକୁ ଚିଠି ଲେଖେ, ସ୍ଵାମୀ ତାର ତା’ପ୍ରତି ଅତ୍ୟନ୍ତ ଅନୁରକ୍ତ । ଚାକର, ଚାକରାଣୀ, ପୁଝାରୀ ଘରେ ଢେର । ସେମାନେ ରନ୍ଧାବଢ଼ାଠାରୁ ଘରର ଯାବତୀୟ କାମ କରନ୍ତି । ସ୍ଵାମୀଙ୍କର ଦୁଇ ଦୁଇଟା ମଟର ଗାଡ଼ି । ସନ୍ଧ୍ୟା ସମୟରେ ଅବସର ବିନୋଦନ ପାଇଁ କ୍ଲବ, ନାଚଘର ଆଦି ରହିଛି । ସଙ୍ଗିନୀ ତା’ର ରହେ ବୋମ୍ବେରେ । ବେଶ୍‌ ସୁନ୍ଦର ଅଛି ସେ । ମେରିଆ ଏହି କଥା କେଇପଦ କହିଲାବେଳେ ବେଶ୍‌ ଆହ୍ଲାଦିତ ହେଲା ଭଳି ଜଣା ପଡ଼ୁଥାଏ, ସତେ ଯେମିତି ତା’ର ଚଞ୍ଚଳତା ଭରା ଆଖି ସେମିତି ଏକ ଭାରତୀୟ ଯୁବକ ସନ୍ଧାନରେ ବ୍ୟଗ୍ର । ସେମିତି ଏକ ସୁଯୋଗ ପାଇଲେ ସେ ଜର୍ମ୍ମାନ ଯୁବକ ଛାଡ଼ି ଭାରତୀୟ ଯୁବକକୁ ଜୀବନର ସଙ୍ଗୀ ଭାବରେ ବାଛି ନେଇପାରିବ । ଏହି ଉଡ଼ାଜାହାଜରେ ସେ ବହୁ ଭାରତୀୟ ଯୁବକଙ୍କୁ ଦେଖେ, କିନ୍ତୁ କେଜାଣି କାହିଁକି ସେମାନଙ୍କ ସହିତ ମନଖୋଲି କଥା କହି ପାରେନି ।

 

ଆମେ ଏମିତି କଥାବାର୍ତ୍ତା ହେଉଛୁଁ ସ୍ତ୍ରୀ ଓ ପିଲାମାନେ ସେମାନଙ୍କ ସିଟ୍‌ରେ ଢୁଳାଇ ପଡ଼ିଲେଣି ଆମ ଖିଆଲ ନାହିଁ । ହଠାତ୍‌ ଉଡ଼ାଜାହାଜର ଗବାକ୍ଷରେ ଦିଶିଲା ଆଲ୍‌ପସ୍‌ ପର୍ବତମାଳାର ତୁଷାରମଣ୍ଡିତ ଶିର । ପଚାରିଲି ପମରିଆକୁ, “ଆମେ କ’ଣ ଆଲ୍‌ପସ୍‌ ପର୍ବତମାଳା ଉପରେ ଗତି କରୁଛନ୍ତି ନା କ’ଣ ମେରିଆ ?”

 

“ହଁ”, ତା’ର ମୃଗାକ୍ଷି ଦୁଇଟିକୁ ନଚାଇ ଉତ୍ତର ଦେଲା ମେରିଆ ।

 

“ବାଃ, ଅତି ଚମତ୍କାର ଦିଶୁଛି ସତେ ? ଯା କୁହ ମେରିଆ ଆଲ୍‌ପସ୍‌ର ସୌନ୍ଦର୍ଯ୍ୟ ତୁମ ଇଉରୋପର ଗୌରବ । ଆଲ୍‌ପସ୍‌ର ସୌନ୍ଦର୍ଯ୍ୟରେ ମୁଁ ଅତ୍ୟନ୍ତ ମୁଗ୍‌ଧ ହୋଇ ପଡ଼ିଛି ।” ପିଲାମାନଙ୍କୁ ହଲାଇ ଦେଇ ସେହି ପର୍ବତମାଳା ଓ ତାର ତୁଷାର ମଣ୍ଡିତ ଶିଖରକୁ ଦେଖାଇଦେଲି । ଭାରି ଖୁସି ହୋଇଗଲେ ପିଲାମାନେ । ନିଜ ସିନେମା କେମେରା ବାହାର କରି ଉଡ଼ାଜାହାଜରୁ ଆଲ୍‌ପସ୍‌ ପର୍ବତମାଳାର ସେହି ଅପରୂପ ସୌନ୍ଦର୍ଯ୍ୟକୁ ବାନ୍ଧି ରଖିବାକୁ ଚେଷ୍ଟା କଲି । ମୋତେ ସିନେମା କେମେରାରେ ଫଟୋ ନେବା ଦେଖି ମେରିଆ କହିଲା “ଆପଣ ଏଠାରୁ ଭଲ ଫଟୋ ନେଇ ପାରିବେନି ଡକ୍ଟର ମହାପାତ୍ର । ଆପଣ ମୋ ସହିତ ଆସନ୍ତୁ, ମୁଁ ଆପଣଙ୍କ ପାଇଁ ଭଲ ସ୍ଥାନ ଠିକ୍‌ କରିଦେବି ।”

 

ମେରିଆ ମୋତେ ଡାକି ନେଇଗଲା ପ୍ରଥମଶ୍ରେଣୀ କମ୍ପାର୍ଟମେଣ୍ଟକୁ । ସେଠାରେ ସିଟ୍‌ଗୁଡ଼ିକ ଫାଙ୍କା, କେହି ନାହାନ୍ତି । ଜାହାଜର ଜନୈକ ଚାଳକ ବେଶ୍‌ ଆରାମରେ ଶୋଇଥାନ୍ତି । ପ୍ରଥମଶ୍ରେଣୀ କମ୍ପାର୍ଟମେଣ୍ଟ ଦେଇ ମେରିଆ ମୋତେ ନେଲା ଇନ୍‌ଜିନ୍‌ ରୁମକୁ । ଇନ୍‌ଜିନ୍‌ ରୁମରେ୍ ‌ଦୁଇଜଣ ଚାଳକ ଉଡ଼ାଜାହାଜ ଚଳାଉଥାନ୍ତି । ସେ ସେମାନଙ୍କୁ ଜର୍ମାନ ଭାଷାରେ କଣ କହିଲା କେଜାଣି, ସେମାନେ ମୋତେ ଇନ୍‌ଜିନ୍‌ ରୁମରୁ ଥାଇ ସମ୍ମୁଖସ୍ଥ ବିରାଟ ଆଲ୍‌ପସ୍‌ ପର୍ବତମାଳାର ତୁଷାର ମଣ୍ଡିତ କଳେବରର ଚଳଚିତ୍ର ଉଠାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରିଦେଲେ । ଚଳଚିତ୍ର ଉଠାଇସାରି ସେମାନଙ୍କୁ ଧନ୍ୟବାଦ ଦେଇ ମୋ ସିଟ୍‌ ନିକଟକୁ ଫେରି ଆସିଲି । ମୋ ପଛେ ପଛେ ଫେରି ଆସିଲା ମେରିଆ । ମେରିଆର ଏତାଦୃଶ ସାହାଯ୍ୟରେ ତା’ ପ୍ରତି ଅନୁରକ୍ତ ହୋଇ ପଡ଼ିଲି, ପଡ଼ିବା ମଧ୍ୟ ସ୍ଵାଭାବିକ । ଆଜି ତାରି ଯୋଗୁଁ ସିନା ଏଡ଼େ ସୁନ୍ଦର ଚଳଚିତ୍ର ଉଠାଇବାର ସୁଯୋଗ ପାଇଲି । ଚଳଚିତ୍ର ଯେ ଅତି ସୁନ୍ଦର ଉଠିଥିବ, ଏଥିରେ ମୋର କି ମେରିଆର କାହାରି ସନ୍ଦେହ ନ ଥିଲା ।

 

ଆମ ଉଡ଼ାଜାହାଜ ରୋମ୍‌ ଇଣ୍ଟରନେସ୍‌ନାଲ ଏୟାର ପୋର୍ଟରେ ଓହ୍ଲାଇବାର ସଙ୍କେତ ଦେଲା । ସିଟ୍‌ବେଲ୍‌ଟ ସହିତ ନିଜ ନିଜ ଦେହକୁ ବାନ୍ଧି ରଖିବା ପାଇଁ ନିର୍ଦ୍ଦେଶ । ମେରିଆ କେଉଁଠି ଥିଲା ଆମଠାରେ ଆସି ହାଜର । ଛୋଟ ପୁଅ ଓ ଝିଅର ସିଟ୍‌ବେଲ୍‌ଟକୁ ସେମାନଙ୍କ ଦେହରେ ବାନ୍ଧିଦେଲା । ଚାହୁଁ ଚାହୁଁ ଆମ ଉଡ଼ାଜାହାଜ ତଳମୁହାଁ ହୋଇ ରୋମର ବିରାଟ ଇଣ୍ଟରନ୍ୟାସନାଲ ଏୟାର୍‌ପୋର୍ଟରେ ଓହ୍ଲାଇବା ଉପକ୍ରମ କଲା । ମେରିଆ ସେହିଭଳି ଆମ ସିଟ୍‌କୁ ଧରି ଠିଆ ହୋଇଥାଏ । ଉଡ଼ାଜାହାଜର ଗବାକ୍ଷରୁ ରୋମ୍‌ ସହର ଅତି ଚମତ୍କାର ଦିଶୁଥାଏ । ସଙ୍ଗେ ସଙ୍ଗେ ଆମ ଜାହାଜ ଯାଇ ଉଡ଼ାଜାହାଜ ଘାଟିର ରନ୍‌ୱେରେ ଲାଗିଗଲା । ଅନ୍ୟାନ୍ୟ ଯାତ୍ରୀଙ୍କ ଭଳି ଆମେ ଉଡ଼ାଜାହାଜରୁ ଓହ୍ଲାଇବାର ଉପକ୍ରମ କଲୁଁ । ମେରିଆ ଆମ ଓହ୍ଲାଇବା ଉପକ୍ରମ ଦେଖି ଆମ ଓହ୍ଲାଇବାରେ ସାହାଯ୍ୟ ନ କରି ରହି ପାରିଲାନି । ଧୀରେ ଧୀରେ ଆମ ସହିତ ଆସିଲା ଉଡ଼ାଜାହାଜର ଦରଜା ପର୍ଯ୍ୟନ୍ତ । ମେରିଆ ଏହି ଏୟାର୍‌ପୋର୍ଟରେ କିଛି ସମୟ ବିଶ୍ରାମ କରିବା ପରେ ପୁଣି ଫେରିଯିବ ମିଉନିକ୍‌ । ବଡ଼ ଦରଦଭରା ଭଙ୍ଗୀରେ ବିଦାୟ ନେଲା ସେ । ସାମାନ୍ୟ କେଇ ଘଣ୍ଟାର ପରିଚୟ ମାତ୍ର । କେହି କାହାରି ପୂର୍ବାଭାଷ ଜାଣନ୍ତି ନାହିଁ । ତଥାପି ବି ଦରଦ, ତଥାପି ବି ଆକର୍ଷଣ । ପିଲାମାନଙ୍କୁ କୋଳକୁ ନେଇ ଆଲିଙ୍ଗନର ଆବେଷ୍ଟନୀ ଭିତରେ ଗୋଟିଏ ଗୋଟିଏ ବିଦାୟ କାଳୀନ ଚୁମ୍ବନ ଦେଇ ବିଦାୟ ନେଲା ଆମଠାରୁ । ଲକ୍ଷ୍ୟ କଲି କିଛି ସମୟ ତଳେ ସତେଜ ଥିବା ତା’ର ମୁହଁଟି ମଳିନ ପଡ଼ି ଯାଇଛି । ମେରିଆ ଅଟକିଗଲା ଦରଜା ପାଖରେ । ଆମେ ଚାଲି ଆସିଲୁ ତଳକୁ । ପଛକୁ ହାତ ହଲାଇ ପୁଣି ଥରେ ତା’ଠାରୁ ବିଦାୟ ନେଲୁଁ । ସେ ଉଡ଼ାଜାହାଜର ଦୁଆର ମୁହଁରେ ଠିଆ ହୋଇ ତା’ର ରୁମାଲକୁ ହଲାଉଥିଲା ।

 

ଆମେ ଆସି ଉଡ଼ାଜାହାଜ ଘାଟିର ଲବିରେ ପହଞ୍ଚିଲୁଁ । ତାପରେ କଷ୍ଟମସ୍‌ ବିଭାଗ ଚେକ୍‌ ପୋଷ୍ଟ । କଷ୍ଟମସ୍‌ ଅଫିସରମାନେ ଚେକ୍‌ ପୋଷ୍ଟରେ ଠିଆହୋଇ ସୁଟ୍‌କେଶ ଆଦି ଚେକ୍‌ କରୁଥାନ୍ତି । ଆମ ସୁଟକେଶ ଆଦି ନ ଖୋଲି ସାମାନ୍ୟ କେତୋଟି କଥା ପାକହରୀ ଆମକୁ ବିଦାୟ କରିଦେଲେ । କଷ୍ଟମସ୍‌ ଗେଟ୍‌ରୁ ବାହାରିଲାବେଳକୁ ବସ୍‌ ଠିଆ ହୋଇଥାଏ, ଆମକୁ ରୋମ୍‌ ସହର ମଧ୍ୟସ୍ଥ ଟାରମିନସ୍‌କୁ ନେବା ପାଇଁ । ବିରାଟ ବସ୍‌ । ଆମେ ବସିବା ପୂର୍ବରୁ ବହୁ ଯାତ୍ରୀ ବସିଗଲେଣି-। ସମସ୍ତେ ସେହି ଟାର୍‌ମିନସ୍‍କୁ ଯିବେ ।

 

ଟାର୍‌ମିନସରେ ପହଞ୍ଚିଲାବେଳକୁ ପ୍ରାୟ ଦିନ ଗୋଟାଏ । ସେଠାରୁ ଟେକ୍‌ସିଟିଏ କରି ଚାଲିଲୁ ଆମ ପାଇଁ ରିଜର୍ଭ ଥିବା ହୋଟେଲ ଅଭିମୁଖେ । ରୋମର ସୁବିଖ୍ୟାତ ରାସ୍ତା ସେପ୍‌ଟେମବ୍ରେ ସ୍ଥିତ ଏସ୍‌ଏଣ୍ଡ୍ରିଆ ପେନ୍‌ସନ୍‌ ହେଉଛି ଆମ ହୋଟେଲ । ସେଥିରେ ଆମ ପରିବାର ପାଇଁ ଦୁଇଟି କୋଠରି ରିଜର୍ଭ ହୋଇଥିଲା ।

 

ରୋମ୍‌ ଖାଲି ଇଟାଲୀ ରାଜ୍ୟର ରାଜଧାନୀ ନୁହେଁ, ଏହା ଏକ ସମୟରେ ଥିଲା ସାରା ରୋମାନ ସାମ୍ରାଜ୍ୟର ରାଜଧାନୀ । ରୋମ ଇଟାଲିର ପ୍ରସିଦ୍ଧ ଟାଇବାର ନଦୀ କୂଳରେ ଅବସ୍ଥିତ । ଏହି ନଦୀଟି ରୋମ ସହରକୁ ଦୁଇ ଭାଗରେ ବିଭକ୍ତ କରୁଛି । ରୋମ୍‌ ସହର ଇଉରୋପର ବଡ଼ ବଡ଼ ସହର ଭିତରୁ ଗୋଟିଏ । ଏହାର ଲୋକସଂଖ୍ୟା ୧୯୫୧ ମସିହାରେ ଥିଲା ପ୍ରାୟ ସତର ଲକ୍ଷ, ଏବେ ଏହା କୋଡ଼ିଏ ଲକ୍ଷରୁ କିଛି ବେଶି ।

 

ରୋମ୍‌ ସହରର ଇତିହାସ ଅତି ପ୍ରାଚୀନ । ରୋମ୍‌ଭଳି ପ୍ରାଚୀନ ସହର ଖୁବ୍‌ କମ୍‌ ଅଛି-। ଏହି ସହରର ସର୍ବ ପ୍ରଥମ ଆରମ୍ଭ ହୁଏ ଖ୍ରୀ: ପୂ: ୭୫୩ ମସିହାରେ । ସେତେବେଳେ ରୋମ୍‌ ସହର, ସହର ମଧ୍ୟରେ ଥିବା ପାଲଟାଇନ ପାହାଡ଼ ନିକଟରେ ଗଢ଼ି ଉଠିଥିଲା । ଧୀରେ ଧୀରେ ଏହି ପାହାଡ ଚାରି ପାଖରେ ଆହୁରି ଲୋକ ବସତି ଗଢ଼ି ଉଠିଲା । ଖ୍ରୀ: ପୂ: ଷଷ୍ଠ ଶତାବ୍ଦୀରେ ଏହି ସବୁ ଜନବସତି ଗୋଟିଏ ବଡ଼ ସହରରେ ପରିଣତ ହେଲା । ରୋମାନ ସାମ୍ରାଜର ଶାସକ ଜୁଲିୟସ୍‌ସିଜର ରୋମ୍‌ ସହରର ଉନ୍ନତି ପାଇଁ ନାନା ପ୍ରକାର ଗଠନମୂଳକ କାମ କରିଥିଲେ-। ରୋମ୍‌ ସହରର ରାସ୍ତାଘାଟ ଆଦି ନିର୍ମାଣରେ ତାଙ୍କ ଦାନ ଥିଲା ଅସୀମ । ଟାଇବର୍‌ ନଦୀ ଦୁଇପାଖରେ ଥିବା ବନ୍ଧ ତାଙ୍କରି ସମୟରେ ନିର୍ମିତ ହୋଇଥିଲା ।

 

ଜୁଲିୟସ୍‌ ସିଜର୍‌ ଯେଉଁ ସବୁର ତିଆରି କାମ ହାତକୁ ନେଇଥିଲେ, ସେ ସବୁର ସମାପ୍ତି କାଲେ ଅଗଷ୍ଟସ୍‌ । ସେଥିପାଇଁ ଅଗଷ୍ଟାସ୍‌ ଗର୍ବ କରୁଥିଲେ ଯେ ସେ ରୋମର ଶାସନ ହାତକୁ ନେଲାବେଳେ ରୋମ ଇଟାରୁ ତିଆରି ଥିଲା । ସେ ତାକୁ ଶଙ୍ଖମଲ୍‌ ପଥରରେ ତିଆରି କରିଥିଲେ । ସେ ସମୟରେ ୮୨ ଗୋଟି ମନ୍ଦିର ଓ ବହୁ ବଡ଼ ବଡ଼ ପ୍ରସାଦ, ସୌଧ ନିର୍ମ୍ମାଣ କରିଥିଲେ । ଅଗଷ୍ଟାସଙ୍କ ବଂଶଧରମାନେ ଏହି ପାଲଟାଇନ ପାହାଡ଼ ଉପରେ ବଡ଼ ବଡ଼ ପ୍ରସାଦମାନ ନିର୍ମ୍ମାଣ କରିଥିଲେ । ନିରୋ ଯେତେବେଳେ ରୋମ ସାମ୍ରାଜ୍ୟର ଶାସକ ଥିଲେ, ପାଲଟାଇନଠାରୁ ଏସକୁଇଲିନ ଏପର୍ଯ୍ୟନ୍ତ ସବୁସ୍ଥାନ ଦଖଲ କରି ନିଜର ସୁର୍ଣ୍ଣପୁରୀ ପ୍ରାସାଦଦ୍ଵାର ଛାଇଦେଇଥିଲେ । ସେତେବେଳେ ଏହି ପ୍ରାସାଦ ଏବକାର ଭାଟିକାନ ପ୍ରାସାଦଠାରୁ ଢେର ବଡ଼ଥିଲା । ରୋମ ସହର ଯେତେବେଳେ ଦଗ୍‌ଧ ହୋଇଗଲା, ସେହି ଦହନ ମୂଳରେ ନିରୋଙ୍କ ହାତ ଥିଲା କି କଅଣ ଜଣାନାହିଁ ତେବେ ରୋମ୍‌ ଦହନ ପରେ ନିରୋ ସହରର ଅଧିବାସୀମାନଙ୍କୁ ଭଲ ଭାବରେ ଘର କରିବା ପାଇଁ ଓ ରାସ୍ତା ଉପରକୁ ଘର ମଡ଼ାଇ ନ ନେବା ପାଇଁ ଉପଦେଶ ଦେଇ ରୋମକୁ ନୂଆକରି ତିଆରି କରାଇଥିଲେ । କଥାରେ ଅଛି ରୋମ ଯେତେବେଳେ ପୋଡ଼ି ଯାଉଥାଏ ନିରୋ ତାଙ୍କ ପ୍ରାସାଦରେ ହସି ହସି ଗଡ଼ି ଯାଉଥାନ୍ତି, କାରଣ ନିରୋ ରୋମ ଦଗ୍‌ଧ ହେବାରେ ଭାରି ଖୁସି ଥିଲେ । ତାଙ୍କ ଇଚ୍ଛା ଥିଲା, ତା’ପରେ ରୋମକୁ ସେ ଭଲ ଭାବରେ ତିଆରି କରାଇବେ । କେତେକ କହନ୍ତି ରୋମକୁ ପୋଡ଼ିବା ପଛରେ ଥିଲେ ନିଜେ ନିରୋ ।

 

ନିରୋଙ୍କ ପରେ ଭେସ୍‌ପେସିଆନ୍‌ ନିରୋ ଯେଉଁଠି ଏକ କୃତ୍ରିମ ହ୍ରଦ କରାଇଥିଲେ, ସେଠି ଏକ ପ୍ରକାଣ୍ଡ ଏମ୍‌ଫି ଥିଏଟର୍‌ ନିର୍ମ୍ମାଣ କରାଇ ଥିଲେ । ଏହାକୁ ସେତେବେଳେ କୁହାଯାଉଥିଲା କଲୋସିୟମ । ଏବେ ମଧ୍ୟ ଏହାର ସେଇ ନାମ ରହିଛି । ପାଲଟାଇନ୍‌ ପାହାଡ଼ ଉପରେ ତାଙ୍କ ପୁଅ ଏକ ବଡ଼ ପ୍ରାସାଦ ତିଆରି କରାଇଥିଲେ ।

 

ଇଂରେଜରେ ଗୋଟିଏ କଥାଅଛି, Rome was built not in a day “ଅର୍ଥାତ୍‌ ରୋମ, ଗୋଟିଏ ଦିନରେ ତିଆରି ହୋଇନି । ଏହି କଥାଟି ଅକ୍ଷରେ ଅକ୍ଷରେ ସତ । କେତେ ଶାସକ, ରାଜା, ମହାରାଜା ହଜାର ହଜାର ବର୍ଷ ଧରି ରୋମ ସହରକୁ ଗଢ଼ିଥିଲେ । ରୋମ ସହରର ଇତିହାସ ଏଡ଼େ ବିରାଟ ଯେ ସେହି ଇତିହାସକୁ ବଖାଣି ବସିଲେ ପ୍ରକାଣ୍ଡ ବହିଟାଏ ହୋଇଯିବ । ଏହି ସହରର ଏତେ ପ୍ରସିଦ୍ଧ ଓ ଦର୍ଶନୀୟ ସ୍ଥାନ ରହିଛି ଯେ ତାକୁ ପୂରା ଭାବରେ ଦେଖିବା ପାଇଁ ବର୍ଷ ବର୍ଷ ବିତିଯିବ । ରୋମ ସହର କେତେ ଉତ୍‌ଥାନ ପତନ ଦେଇ ଗତି କରିଛି, ରୋମ ସହରକୁ ଦେଖିଲେ ଯେ କେହି ଲୋକ ଧାରଣା କରି ପାରିବ । କଥାରେ ଅଛି, ରୋମ ସହରର ରାସ୍ତାକଡ଼ରେ ପଡ଼ିଥିବା ଇଟାଟାଏ ଗୋଟାଇ ଆଣ, ଦେଖିବ, ଏହା ହଜାର ହଜାର ବର୍ଷର ପୁରୁଣା, ଏହା ପଛଆଡ଼େ ରହିଛି ବିରାଟ ଇତିହାସ । ପୃଥିବୀର ଖୁବ୍‌ କମ୍‌ ସହରର ଏଡ଼େ ପ୍ରକାଶ ଇତିହାସ ରହିଛି । ଏହି ସହର ଭିତରେ ଯୁଗ ପରେ ଯୁଗର କେତେ ଯୁଗର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟର ପରକାଷ୍ଠା ଦେଖାଇ ଦିଆଯାଇଛି ଯେ ତା’ର କଳନା ନାହିଁ । ପୃଥିବୀର ବହୁ ଯୁଗର କଳାର ଏକତ୍ର ସମାବେଶ ପାଇବ ଏହି ସହରରେ ।

 

ରୋମ୍‌ର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ହେଲା, ପୋପ୍‌ଙ୍କ ବାସଭବନ ଥିବା ଭାଟିକାନସିଟି, କଲୋସିୟମ, ରୋମାନ ଫୋରମରେ ସେଟର୍ଣ୍ଣ ଓ ରୋମାନ ଦେବତାଙ୍କ ଅସଂଖ୍ୟ ମନ୍ଦିର, ଭେଷ୍ଟାଙ୍କ ମନ୍ଦିର, ଜୁଲିୟସ୍‌ସିଜରଙ୍କ ପ୍ରତିଷ୍ଠିତ ବାସିଲକା ଜୁଲିୟା, ଅଗଷ୍ଟାସ୍‌ଙ୍କ ନିର୍ମିତ ରେଷ୍ଟ୍ରୋ, ଆର୍ଚ୍ଚ ଅଫ୍‌ କନ୍‌ଷ୍ଟାନଟିନ୍‌ ପାଲଟାଇନ ପର୍ବତ ଉପରେ ପ୍ରତିଷ୍ଠିତ ରାଜପ୍ରସାଦ ଇମ୍ପେରିୟାଲ ଫୋରମରେ ଟାର୍ଜାନ ଫୋରମ, ସିଜର ଫୋରମ ଅଗଷ୍ଟାସ୍‌ ଫୋରମ୍‌ଲ ମାନୁଏଲ ଦ୍ଵିତୀୟଙ୍କ ମନୁମେଣ୍ଟ, ଫାଉଣ୍ଟେନ୍‌ ଅଫ୍‌ ଟ୍ରେଭି, ପେନ୍‌ଥିଅନ୍‌ ଆଦି ପ୍ରଧାନ । ତା’ଛଡ଼ା ରୋମରେ ଏତେ ଦର୍ଶନୀୟ ସ୍ଥାନ ରହିଛି ଯେ ଖାଲି ଆଖି ବୁଲାଇବାକୁ ଚାହିଁଲେ ସପ୍ତାହେ ବି ଅଣ୍ଟିବନି । ରୋମ୍‌ରେ ଯେତେ ମିଉଜିୟମ୍‌ ଓ ଆର୍ଟ ଗେଲେରୀ ରହିଛି, ଇଉରୋପର କୌଣସି ସହରରେ ସେତେ ନାହିଁ ।

 

ଆମେରିକାରେ ଆମେ ରହୁଥିଲୁ ଏକ ଇଟାଲୀୟ ପଡ଼ାରେ । ଆମ ପଡ଼ାରେ ଇଟାଲୀୟଙ୍କ ସଂଖ୍ୟା ବେଶି । ଆମ ଘରର ମାଲିକାଣୀ ଇଟାଲୀୟ । ଆମେ ଯେତେବେଳେ ଫେରିବା ବାଟରେ ରୋମ ପରିଦର୍ଶନ କରିବାର ଆକାଂକ୍ଷା ପ୍ରକାଶ କଲୁଁ ସେମାନେ ଭାରି ଖୁସି ହୋଇଗଲେ ଓ ରୋମରେ ଅନ୍ତତଃ ପକ୍ଷେ ସାତ ଦିନ ରହିବାର ପ୍ରୋଗ୍ରାମ କରିବା ପାଇଁ ଅନୁରୋଧ କଲେ । ସାତଦିନ ଲାଗିବ ଖାଲି ରୋମ ଭିତରେ ଆଖି ବୁଲାଇ ଆଣିବା ପାଇଁ । ଭଲକରି ଦେଖିବାକୁ ହେଲେ ବର୍ଷ ବର୍ଷ ବିତିଯିବ । ଇଉରୋପର କୌଣସି ସହର ଐତିହାସିକ ଦୃଷ୍ଟି କୋଣରୁ ଏତେ ପ୍ରସିଦ୍ଧ ନୁହେଁ ।

 

ହୋଟେଲରେ ସ୍ନାନ ଓ ମଧ୍ୟାହ୍ନ ଭୋଜନ ଶେଷ କରି ସାରି ବାହାରିଲୁଁ ସହର ପରିକ୍ରମା ଉଦ୍ଦେଶ୍ୟରେ । ରୋମର ହୋଟେଲଗୁଡ଼ିକ ଏହି ଦୃଷ୍ଟିରୁ ଅଲଗା । ଇଉରୋପର ଅନ୍ୟ ହୋଟେଲ ଭଳି ଏଠାକାର ହୋଟେଲଗୁଡ଼ିକ ଖାଲି ପ୍ରାତଃଭୋଜନ ନ ଦେଇ ମଧ୍ୟାହ୍ନ ଭୋଜନ ଦିଅନ୍ତି । ଏହି ଦୃଷ୍ଟିରୁ ଆମେରିକାଠାରୁ ଭାରତ ଭିତରେ ଥିବ ସହରର ହୋଟେଲଗୁଡ଼ିକର ପାର୍ଥକ୍ୟ ଭିତରେ ଏକ ବିଚିତ୍ର ତୁଳନାତ୍ମକ ସମ୍ବନ୍ଧ ଥିଲା ଭଳି ମନେ ହୁଏ । ଆମେରିକାର ହୋଟେଲମାନଙ୍କରେ ଖାଲି ରହିବାକୁ ଦିଆଯାଏ ଖାଇବାକୁ ଦିଆଯାଏନି । ଆମେରିକାର ଟିକିଏ ପୂର୍ବକୁ ଆସ, ଇଂଲଣ୍ଡ, ଫ୍ରାନ୍‌ସ, ଆଦି ଦେଶକୁ । ସେଠି ହୋଟେଲରେ ମାତ୍ର ସକାଳ ଭୋଜନଟି ଦେବେ । ଏହାର ଆଉ ଟିକିଏ ପୂର୍ବ ଇଟାଲୀକୁ ଆସ ଏମାନେ ଦେବେ, ପ୍ରାତଃଭୋଜନ ଓ ମଧ୍ୟାହ୍ନ ଭୋଜନ । ଏହାର ଆହୁରି ପୂର୍ବକୁ ଆସ, ଭାରତର ହୋଟେଲ ସବୁ ଦେବ ପ୍ରାତଃ, ମଧ୍ୟାହ୍ନ ଓ ରାତ୍ରିଭୋଜନ । ଆମେରିକାରରୁ ଭାରତକୁ ପୂର୍ବକୁ ମୁହଁ କରି ଯେତେ ଆସିବ ଦିନ ଭିତରେ ଏହି ଭୋଜନର ସଂଖ୍ୟା କ୍ରମାନ୍ଵୟରେ ବଢ଼ି ବଢ଼ି ଯାଉଥିବ ।

 

ହୋଟେଲକୁ ବାହାରିବା ପୂର୍ବରୁ ରୋମ୍‌ନଗରୀର ଏକ ବିରାଟ ମାନଚିତ୍ର ଆଣି, ତିନିଦିନର ଏକ ପ୍ରୋଗ୍ରାମ ତିଆରି କରି ପକାଇଲୁଁ । ପ୍ରଥମ ଦିନ ପୂରା ଦିନଟିଏ ଆମ ହାତରେ ନ ଥିବାରୁ ସେଦିନ ପାଇଁ ଭିଡ଼ ପ୍ରୋଗ୍ରାମ ନ କରି ଟିକିଏ ହାଲୁକା ପ୍ରୋଗ୍ରାମ କରିଥାଉଁ । ପ୍ରଥମ ଦିନ ପାଇଁ ରଖିଥାଉଁ କଲୋସିୟମ, ଫୋରମ୍‌ ଅଫ୍‌ ଜୁଲିୟସ୍‌ ସିଜର, ଟ୍ରାଜନ କଲମ ନ୍‌, ଟେମ୍ପଲ ଅଫ୍‌ ଭେନସ୍‌ ଓ ରୋମା, ଯା’ର ବର୍ତ୍ତମାନ ନାମ ହେଉଛି, ଏସ୍‌ଫ୍ରାନ୍‌ସିସା ରୋମାନା ।

 

ଇତିହାସ ପ୍ରସିଦ୍ଧ କଲୋସିୟମ୍‌ ଦର୍ଶନ

 

ହୋଟେଲରୁ ସଅଳ ସଅଳ ବାହାରି ପଡ଼ିଲୁଁ କଲୋସିୟମ୍‌ ଅଭିମୁଖେ । ଆମ ହୋଟେଲଠାରୁ କଲୋସିୟମ୍‌ ବହୁତ ଦୂର ନୁହେଁ । ଖୁବ୍‌ ଶ୍ରୀଘ୍ର ପହଞ୍ଚିଗଲୁଁ । କଲୋସିୟମର ଆକର୍ଷଣ ଆମଠାରେ ଏତେ ଅଧିକ ଥିଲା ଯେ ଆମେ ଏହାକୁ ଦେଖିବା ପାଇଁ ଅସ୍ଥିର ହୋଇ ପଡ଼ିଥିଲୁଁ ।

 

କଲୋସିୟମ୍‌ ଶବ୍ଦଟି Colosseus ରୁ ସୃଷ୍ଟି, ଯା’ର ଅର୍ଥ ହେଉଛି ବିରାଟ । ରୋମ୍‌ରେ ଥିବା ଦୁଇଟି ଏମ୍‌ଫି ଥିଏଟର ଭିତରୁ ଏହା ଗୋଟିଏ । ଏହା ଭାଙ୍ଗିଯାଇ ଏହାର ଧ୍ଵଂସାବଶେଷ ମାତ ରହିଛି । ଅନ୍ୟଟି ହେଉଛି ଏମ୍‌ଫି ଥିଏଟ୍ରସ କାଷ୍ଟରେନ୍‌ଜ୍‌ । ଏହା ନୋଟରନ୍‌ଠାରେ ଅବସ୍ଥିତ । ଏହାର ମଧ୍ୟ ସେହିଭଳି ଧ୍ଵଂସାବଶେଷ ରହିଛି ।

 

ଏହି କଲୋସିୟମ୍‌କୁ ମୂଳରୁ ଫ୍ଲେଭିୟାନ୍‌ ଏମ୍‌ଫି ଥିଏଟର କୁହାଯାଉଥିଲା । ଏହା ରୋମ୍‌ ଶାସକ ନିରୋଙ୍କ ସ୍ଵର୍ଣ୍ଣମୟୀ ପ୍ରସାଦକୁ ଲାଗି ରହିଥିବା ଉଦ୍ୟାନର ଏକ ଅଂଶ ଉପରେ ତିଆରି । ଏହାକୁ ତିଆରି କରିଥିଲେ ରୋମ୍‌ ଶାସକ ଭେସପେସିଆନ୍‌, ଖୀଷ୍ଟାବ୍ଦ ୭୨ ମସିହାରେ । ଏହାର ନିର୍ମାଣ ଶେଷ ହେବା ପାଇଁ ଆଠବର୍ଷ ଲାଗିଥିଲା । ଏହି କଲୋସିୟମ୍‌ ସମ୍ମୁଖରେ ନିରୋଙ୍କର ବିରାଟ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ଥିଲା । ଏହି ବିରାଟ ମୂର୍ତ୍ତିଟିର ଉଚ୍ଚତା ଥିଲା ୧୦୦ଫୁଟରୁ ଅଧିକ । କିନ୍ତୁ କାଳର ଗତିରେ ଏହା ଭାଙ୍ଗି ଯାଇ ବର୍ତ୍ତମାନ ଏହାର ଚିହ୍ନବର୍ଣ୍ଣ ବି ନାହିଁ ।

 

କଲୋସିୟମ୍‌ର ଆକାର ଦୂରକୁ ଗୋଲାକାର ଦିଶିଲେ ହେଁ ଏହା ପ୍ରକୃତରେ ଗୋଲାକାର ନୁହେଁ, ଡିମ୍ବାକାର । କଲୋସିୟମ୍‌ ଯେଉଁ ସବୁ ପଥରରୁ ତିଆରି ହୋଇଥିଲା, ଏହା ଭାଙ୍ଗିଗଲା ପରେ ଏହାର ପଥର ସବୁ ଠିକ୍‌ ଯେମିତି ଆମ ପୂରାତନ କାଠଯୋଡ଼ି ବନ୍ଧ ଓ ବାରବାଟୀ ଦୁର୍ଗର ପଥର ନିଆଯାଇ କଟକ ସହରର କେତେ ପୋଲ ତିଆରି କରାଯାଇଛି । ବାହାର ପାଖରୁ ଦେଖିବାକୁ ଏହି ଏମ୍‌ଫି ଥିଏଟରଟି ଚାରିତାଲା । ଏହା ଭିତରେ ବିରାଟ ଅଣ୍ଡାକର ଖେଳପଡ଼ିଆ, ତାର ଚାରିପାଖ ସ୍ଥାନର ଲମ୍ବ ୭୮୦ ଫୁଟ, ଓସାର ୪୮୦ଫୁଟ । ପ୍ରକୃତ ଖେଳ ମଇଦାନର ଲମ୍ବ ୨୬୬ ଫୁଟ, ଓସାର ୧୬୭ ଫୁଟ । ଏହି ବିରାଟ ଏମ୍‌ଫି ଥିଏଟର ୮୦, ୦୦୦ ଲୋକ ଏକକାଳୀନ ବସି ଖେଳ ଦେଖୁଥିଲେ । ରୋମାନମାନେ ଜେରୁଜେଲମ୍‌ ଆକ୍ରମଣ କରି ଯେଉଁ ଇହୁଦୀମାନଙ୍କୁ ବନ୍ଦୀ କରି ଆଣିଥିଲେ ସେହିମାନଙ୍କ ଶ୍ରମରେ ଏହି ବିରାଟ ଏମ୍‌ଫି ଥିଏଟରଟି ତିଆରି ହୋଇଥିଲା । ପୂରାକାଳରେ ଏହି ସ୍ଥାନଟିରେ ଗ୍ଲେଡୟେଟର୍‌ମାନଙ୍କ ଯୁଦ୍ଧ ରୋମ୍‌ ବାସୀଙ୍କୁ ଖୁବ୍‌ ଆମୋଦ ଦେଉଥିଲା । ଲୋକମାନେ ଏହି ଏମ୍‌ଫି ଥିଏଟରରେ ବସି ସେହି ଖେଳସବୁ ଦେଖୁଥିଲେ । ବହୁ ପାଶ୍ଚାତ୍ୟ ଚଳଚିତ୍ରମାନଙ୍କରେ ଏହି ଗ୍ଲେଡିୟେଟର ଯୁଦ୍ଧ ଦେଖିବାକୁ ମିଳେ । ଦୁଇଜଣ ଗ୍ଲେଡିୟେଟର ମୁଖା ପିନ୍ଧି ପରସ୍ପର ସହିତ ଯୁଦ୍ଧ କରନ୍ତି, କେହି କାହାରିକୁ ଦେଖିପାରନ୍ତି ନାହିଁ । ତା’ରି ଭିତରେ ଯେ ଯାହାକୁ ମାରି ପାରିଲା । ଏହି ଖେଳ ଅତି ଅମାନୁଷିକ ହେଉଥିଲା । କଥିତ ଅଛି, ରୋମାନମାନେ ଏହି ଅମାନୁଷିକ ଖେଳ ଦେଖି ବହୁତ ଆନନ୍ଦ ପାଉଥିଲେ । ତା ଛଡ଼ା ଏହାର ଖେଳ ମଇଦାନରେ ଦୁର୍ଦ୍ଧଷ ବନ୍ୟଜନ୍ତୁ ବାଘ, ସିଂହ ଆଦିଙ୍କ ସହିତ ମଣିଷମାନଙ୍କୁ ଯୁଦ୍ଧ କରିବା ପାଇଁ ଛାଡ଼ି ଦିଆଯାଉଥିଲା । ମଣିଷ ପରାସ୍ତ ହେଲେ ବ୍ୟାଘ୍ର, ସିଂହ ଆଦି ପରାଜିତ ମଣିଷକୁ ସେହି ପଡ଼ିଆରେ ଖଣ୍ଡ ବିଖଣ୍ଡ କରି ସମସ୍ତଙ୍କ ସାମନାରେ ଖାଇ ଯାଉଥିଲେ । ପ୍ରଥମେ ପ୍ରଥମେ ରୋମାନମାନେ ଯେତେବେଳେ ଖ୍ରୀଷ୍ଟ ଧର୍ମ ବିରୋଧୀ ଥିଲେ, ଖ୍ରୀଷ୍ଟଧର୍ମରେ ବିଶ୍ୱାସକାରୀମାନଙ୍କୁ ଆଣି ଏଠି ଏମିତି ଭାବରେ ହତ୍ୟା କରାଉଥିଲେ । କଥିତ ଅଛି, ସମ୍ରାଟ ହନୋରିୟସ୍‌ ଖ୍ରୀ: ଅ: ୪୦୫ ମସିହାରେ ଏହି ଗ୍ଲେଡ଼ିୟଟର୍‌ମାନଙ୍କ ଯୁଦ୍ଧକୁ ବନ୍ଦ କରି ଦେଇଥିଲେ, କିନ୍ତୁ ଦୁର୍ଦ୍ଦଷ ବନ୍ୟଜନ୍ତୁ ସହ ମଣିଷର ଯୁଦ୍ଧ ଏହାର କିଛି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ।

 

କଲେସିୟମ୍‍ରେ ପହଞ୍ଚି ଏହାର ଚାରିପାଖ ବୁଲିଲୁଁ । କି ବିରାଟ ଏହି ସୌଧଟି । ପ୍ରାଚୀନ କାଳରେ ଲୋକମାନଙ୍କ ନିର୍ମାଣ କୌଶଳ ପଦ୍ଧତିକୁ ଦେଖି ଆଶ୍ଚର୍ଯ୍ୟ ହେବା ଛଡ଼ା ଅନ୍ୟକିଛି ନାହିଁ । ଆମଭଳି ବହୁ ଦର୍ଶକ ଆସି ଏହାକୁ ଦେଖୁଥାନ୍ତି । ଦର୍ଶକମାନଙ୍କୁ ବୁଲାଇ ଦେଖାଇବା ପାଇଁ ବ୍ୟବସ୍ଥା ରହିଛି । ଏହାର ଇତିହାସକୁ ଗାଇଡ୍‌ମାନେ ଏମିତିଭାବରେ ପର୍ଯ୍ୟାଲୋଚନା କରି ବୁଝାନ୍ତି ଯେ ସେ ସବୁର କାହାଣୀ ଶୁଣିଲେ ଲୋମ ମୂଳ ଟାଙ୍କୁରି ଉଠିବ । ଏହି ବିରାଟ ଅନୁଷ୍ଠାନ ସହିତ କେତେ ନିରୀହ ଲୋକଙ୍କ ଜୀବନକୁ ମାଟିଗୋଡ଼ି ଭଳି ସେ ଖେଳା ଯାଇଛି, ତାର ଇୟତ୍ତା ନାହିଁ । ସେଠାରେ କିଛି ସମୟ ବୁଲାବୁଲି କରି କଲୋସିୟମ୍‌ର କେତେଗୁଡ଼ିଏ ସ୍ଥିର ଓ ଚଳଚିତ୍ର ଉଠାଇ ଫେରିଲୁଁ । ନାନାପ୍ରକାର ସ୍ମୃତିଚିହ୍ନ ଓ ଛବି କାର୍ଡ, ଏଠି ସବୁ ବିକ୍ରୟ ହେଉଥାଏ ଟୁରିଷ୍ଟମାନଙ୍କ ପାଇଁ । ଆମେ ସେଥିରୁ କେତେଗୁଡ଼ିଏ ନ କିଣି ରହି ପାରିଲୁନି ।

 

କଲୋସିୟମ୍‌ରୁ ବାହାରି ଆମେ ସୁବିଖ୍ୟାତ ରାସ୍ତା ଭାୟା ଡେୟି ଫୋରି ଏମ୍‌ପେରିୟା ଦେଇ ଏହି ରାସ୍ତାର ଆର ମୁଣ୍ଡରେ ଥିବା ପ୍ରସିଦ୍ଧ ଛକ ଫୋରମ୍‌ ଅଫ୍‌ ଜୁଲିୟସ୍‌ ସିଜରଠାକୁ ଆସିଲୁ-। ଏହି ଛକର କେନ୍ଦ୍ରରେ ଅବସ୍ଥିତ ଟ୍ରାଜନ୍‌ଙ୍କ ବିରାଟ ସ୍ତମ୍ଭ । ଏହି ରାସ୍ତାକୁ ପୂର୍ବେ ଡେଲ ଇମ୍‌ପେରୋ କୁହା ଯାଉଥିଲା । ଏହି ରାସ୍ତାଟି ଦ୍ଵିତୀୟ ମହାସମର ବେଳେ ଇଟାଲିର ଏକଛତ୍ରବାଦୀ ଶାସକ ମୁସୋଲିନୀଙ୍କ ଦ୍ଵାରା ତିଆରି ହୋଇଥିଲା । ସେ ଏହି ଅଞ୍ଚଳର ବହୁ ଐତିହାସିକ ଦର୍ଶନଯୋଗ୍ୟ ସ୍ଥାନକୁ ଧ୍ଵଂସ କରି ଏହି ରାସ୍ତାଟି ତିଆରି କରିଥିଲେ । ମୁସୋଲିନି ବହୁ ପୁରୁଣାକାଳିଆ ଇତିହାସ ପ୍ରସିଦ୍ଧ ସୌଧମାନଙ୍କୁ ଧ୍ଵଂସ କରି ଦେଇଥିଲେ ଭୂମିତଳର ପୂରାତନ ସହରର ଖନନ ଉଦ୍ଦେଶ୍ୟରେ । ଏହି ସ୍ଥାନରେ ଥିବା ଏକ ପ୍ରାସାଦରେ ଥାଇ ଗତ ମହାଯୁଦ୍ଧବେଳେ ମୁସୋଲିନୀ ରୋମ୍‌ ଜନତାକୁ ଉଦ୍‌ବୋଧନ ଦେଉଥିଲେ । କଲୋସିୟମ୍‌ଠାରୁ ଅଳ୍ପଦୂରରେ କ୍ଳଡିୟସ୍‌ଙ୍କ ମନ୍ଦିର, ଅତି ସୁନ୍ଦର କଳା ସ୍ଥାପତ୍ୟ ଭାସ୍କର୍ଯ୍ୟର ଅସୁମାରି ରତ୍ନ ନେଇ ଗଢ଼ି ଉଠିଛି-। ଏହି ମନ୍ଦିର ଦେଖିଲେ ରୋମାନମାନଙ୍କ ଉଚ୍ଚ କଳାକୁ ପ୍ରଶଂସା ନ କରି ରହି ହୁଏନି-। ସେସବୁ ଦେଖା ସରିଲା ବେଳକୁ ସଂଧ୍ୟା ଆଗତ ପ୍ରାୟ । ରୋମ୍‌ର ଆଲୋକ ସାଜସଜ୍ଜା ଥିବା ଅଞ୍ଚଳ ଦେଇ ହୋଟେଲକୁ ଫେରିଆସିବା ପାଇଁ ଗୋଟିଏ ଟେକ୍‌ସି ଧରିଲୁଁ ।

 

ହୋଟେଲରେ ପହଞ୍ଚିଲାବେଳକୁ ବିଚିତ୍ର ଅନୁଭୁତି । ଆମେ ଯେଉଁ ହୋଟେଲରେ ଥିଲୁ, ସେଠି ଲୋକସଂଖ୍ୟା ବେଶି ନୁହେଁ । ଏହି ହୋଟେଲରେ ପରିବାର ଥିବା ଲୋକମାନଙ୍କୁ ରହିବା ପାଇଁ ଦିଆଯାଏ । ପରିବାର ଆଣି ନଥିବା ଏକା ଏକା ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ଯେ ସ୍ଥାନ ଦିଆ ନ ଯାଏ ତା ନୁହେଁ । ଆମେ ହୋଟେଲରେ ପହଞ୍ଚିଲା ବେଳକୁ ହୋଟେଲ ଦୁଆର ମୁହଁରେ ଦୁଇ ତିନି ଜଣ ପାଶ୍ଚାତ୍ୟ ପର୍ଯ୍ୟଟକ ଭଲ ଭଲ ପୋଷାକ ପିନ୍ଧି ଠିଆ ହୋଇଥାନ୍ତି କାହାର ଅପେକ୍ଷାରେ । ଆମେ ସେ ଆଡ଼କୁ ନଜର ନ ଦେଇ ହୋଟେଲ ଭିତରକୁ ପଶି ଆସିଲୁଁ ଆମ କୋଠରୀକୁ ଆସିବା ଉଦ୍ଦେଶ୍ୟରେ । ହୋଟେଲର ଏଟେଣ୍ଡଣ୍ଟ ଅଳ୍ପ ବର୍ଷର ପିଲାଟିଏ । ସେ ଆମ ସହିତ ଆସିଲା । ସେ ଟିକିଏ ଖୁସି ଥିଲା ଭଳି ଜଣା ପଡ଼ୁଥାଏ । ସମ୍ବବତଃ ଠିଆ ହୋଇଥିବା ପର୍ଯ୍ୟଟକଙ୍କଠାରୁ ସେ କିଛି ବକ୍‌ସିସ ପାଇଲା ଭଳି ମନେ ହେଉଥାଏ । କାରଣ ଏହି ବକ୍‌ସିସ ଦେବା ଓ ନେବା ରୋମର ଚାକରବାକରମାନଙ୍କର ଏକ ବଡ଼ ରୋଜଗାର । ବିଭିନ୍ନ ପର୍ଯ୍ୟଟକଙ୍କୁ ଶେଷ ମୁହୂର୍ତ୍ତ ରେ କିଛି ସୁବିଧା କରାଇଦେଲେ ଭଲ ରକମର ବକ୍‌ସିସ ପାଆନ୍ତି । ଆମ ସାଙ୍ଗରେ ଆସୁ ଆସୁ ପିଲାଟି କହିଲା, ‘‘ସାର୍‌, ଆପଣ ଜାଣନ୍ତି, ମୁଁ ସେହି ପର୍ଯ୍ୟଟକ ଦୁଇ ଜଣଙ୍କୁ ଗୋଟିଏ ନାଇଟ୍‌ ଟୁର୍‌ (Night Tour) ଯୋଗାଡ଼ କରାଇ ଦେଇଛି । ସେଥିପାଇଁ ସେମାନେ ମୋତେ ବକ୍‌ସିସ୍‌ ଦେଇଛନ୍ତି ୫୦୦୦ ଲିରା ।’’

 

‘‘ନାଇଟ୍‌ଟୁର ? ସେ ପୁଣି କଅଣ ?’’ ପଚାରିଲେ ।

 

‘‘ଆପଣ ଜାଣି ନାହାନ୍ତି । ଯେଉଁମାନେ ରୋମକୁ ପରିବାର ନ ନେଇ ଆସନ୍ତି, ସେମାନେ ସାଧାରଣତଃ ଏହି ନାଇଟ୍‌ ଟୁର୍‌ (ରାତ୍ରିଭ୍ରମଣ) ଆଗ୍ରହର ସହିତ ଗ୍ରହଣ କରନ୍ତି । ଏହି ନାଇଟ୍‌ ଟୁର୍‌ବାଲାଙ୍କ ଏଜେଣ୍ଟ ପ୍ରତି ହୋଟେଲରେ ବୁଲନ୍ତି । ଯେଉଁମାନଙ୍କୁ ଦେଖନ୍ତି ଏକୁଟିଆ, ସେମାନଙ୍କ ସହିତ ସାକ୍ଷାତ କରି ଏହି ରାତ୍ରି ଭ୍ରମଣ ପାଇଁ ଡାକନ୍ତି । ଆପଣମାନେ ସପରିବାରରେ ଆସିଥିବାରୁ ଏଜେଣ୍ଟମାନେ ଆପଣଙ୍କ ପାଖ ମାଡୁ ନାହାନ୍ତି । ନୋହିଲେ ଦେଖନ୍ତେ ଏଜେଣ୍ଟମାନେ ଆପଣଙ୍କୁ ।’’

 

‘‘ଏ ନାଇଟ୍‌ ଟୁର୍‌ରେ କ’ଣ ହୁଏ ?’’

 

ପିଲାଟି ହସିଲା । କହିଲା, ‘‘ନାଇଟ ଟୁର୍‍ ତିନି ପ୍ରକାର । ପ୍ରଥମରେ ସେମାନଙ୍କ ବସ୍‌ ଆସି ହୋଟେଲରୁ ଗ୍ରାହକମାନଙ୍କୁ ରାତି ନ’ଟାରେ ନେଇଯାଏ । ଏହି ବସ୍‌ସହରର ରାତ୍ରି ଦୃଶ୍ୟ ବୁଲାଇ ଦେଖାଇଆଣେ । ଏହାକୁ କହନ୍ତି ଶୁଖିଲା ନାଇଟ୍‌ ଟୁର୍‌ । ଦ୍ଵିତୀୟ ଟୁର୍‌ରେ ଏହା ବିଭିନ୍ନ ନାଇଟ୍‌ ସ୍ପଟ୍‌ (ରାତ୍ରିସ୍ଥାନ) ମାନଙ୍କୁ ନେଇଯାଏ । ସେଠାରେ ମଦ, ସେମ୍‌ସନ୍‌ ଆଦି ପିଇବାକୁ ଦିଆଯାଏ । ନାଚ ଇତ୍ୟାଦି ହୁଏ । ରାତ୍ରିର ଶେଷ ପ୍ରହରକୁ ଫେରି ଆସନ୍ତି । ତୃତୀୟ ପ୍ରକାରର ଟୁରରେ ତିନୋଟି ଭଲ ଭଲ ରାତ୍ରି ସ୍ଥାନ (Night Spot)କୁ ନିଅନ୍ତି । ମଦ ଓ ନାଚର ଅସରନ୍ତି ସ୍ରୋତ ଛୁଟେ । ରୂପଜୀବି ଲଳନାଙ୍କ ମେଳରେ ରାତି କଟାଇ ସକାଳୁ ଫେରି ଆସନ୍ତି-। କିନ୍ତୁ ସ୍ପେଶାଲ ଡିଲକ୍‌ସ ଟୁରରେ ସେମାନେ ହୋଟେଲ ଛାଡ଼ନ୍ତି ରାତି ଆଠଟାରେ । ସହରର ଆଲୋକ ସାଜସଜ୍ଜା ଦେଖି ସହରର କୁଖ୍ୟାତ ରାତ୍ରିସ୍ଥାନ (Night Spot) ଦେଖନ୍ତି । ତା’ପରେ ଚାଲେ ମଦ, ନାଚର ସୁଅ । ରୂପଜୀବୀ ଲଳନାମାନଙ୍କର ନୃତ୍ୟ, କଳହାସ୍ୟ, ସାନ୍ନିଧ୍ୟରେ ରାତ୍ରିଟି କଟିଯାଏ-। ସକାଳକୁ ସେମାନେ କ୍ଳାନ୍ତ ହୋଇ ହୋଟେଲକୁ ଫେରି ଆସନ୍ତି । ଅତି ଉଚ୍ଚ ଶ୍ରେଣୀର ବେଶ୍ୟାଳୟରେ ରାତି କଟାଇବାକୁ ଦିଆଯାଏ । ଏହି ଟୁରରେ ସେମାନଙ୍କୁ ପଇସା ଦେବାକୁ ପଡ଼େ ଜଣକା ଶହେ ଟଙ୍କାରୁ ବେଶି ।’’

 

ନାଇଟ୍‌ ଟୁର୍‌ର ବେଶ୍‌ଧାରଣା ପାଇଲି ହୋଟେଲର ସେହି ଅନୁଚର ଠାରୁ । କି ଘୃଣ୍ୟ ଏହି ପାଶ୍ଚାତ୍ୟ ଯୁବକଙ୍କର ପ୍ରକୃତ ! ଶୁଣିବାକୁ ପାଇଲି କି ଭାରତୀୟ, କି ପାଶ୍ଚାତ୍ୟ ଅଧିବାସୀ ଯେଉଁମାନେ ଏକା ଏକା ରୋମକୁ ଆସନ୍ତି, ରୋମର ଏହି ଘୃଣ୍ୟ ଜୀବନ ରାତିକ ପାଇଁ ଉଏଭୋଗ ନ କରି ଯାଆନ୍ତି ନି । ପୁଣି ସେଇମାନେ ନିଜ ନିଜ ଦେଶକୁ ଫେରି ବାହୁସ୍ଫୋଟନ କରି କହନ୍ତି, ଯେଉଁମାନେ ରୋମର ରାତ୍ରିଜୀବନ ଉପଭୋଗ କରି ନାହାନ୍ତି, ସେମାନେ କିଛି ଦେଖି ନାହାନ୍ତି । ଏକ ଘୃଣ୍ୟ ଜୀବନକୁ ଉପଭୋଗ କରି ଦେଶରେ ଆସି ବାହାଦୁରୀ ନେବା କି ଲଜ୍ଜାର କଥା, ସେମାନେ ଉପଲବ୍‌ଧି କରିବା ଉଚିତ ।

 

ସେପ୍‌ଟେମ୍ବର ମାସ ୧୬ ତାରିଖ । ରୋମ୍‌ରେ ଆମ ରହଣୀର ଦ୍ୱିତୀୟ ଦିନସଅଳ ପ୍ରତଃ କର୍ମ୍ମ ଶେଷ କଲୁଁ । ସେ ଦିନର ପ୍ରୋଗ୍ରାମ ବି ଭାରି ଭିଡ଼ । ସେ ଦିନର ସକାଳଓଳି ଆମର ଥାଏ ଭାଟିକାନ୍‌ ସିଟି ପରିଦର୍ଶନ । ସକାଳଓଳିଟା ସାରା ସେଠି କଟାଇବା ସ୍ଥିର ହୋଇଥାଏ । ଟେକ୍‌ସିଟାଏ କରି ବାହାରି ପଡ଼ିଲୁଁ ଭାଟିକାନ୍‌ ସିଟି ଅଭିମୁଖେ । ରୋମ ନଗରୀର ଆମେ ଯେଉଁ ପାଖରେ ରହିଥାଉଁ, ତା’ର ଆର ପାଖରେ ହେଉଛି ଭାଟିକାନ୍‌ ସିଟି । ଗଲାବେଳେ ଟାଇବର ନଦୀକୁ ଅତିକ୍ରମ କରିବାକୁ ପଡ଼ିଲା । ଟାଇବର ନଦୀଟି ବିଶେଷ ବଡ଼ ନୁହେଁ । ଏହି ନଦୀର ଦୁଇ ପାଖରେ ରୋମ ନଗରୀ ଭାଗ ଭାଗ ହୋଇ ରହିଛି । ପ୍ରାୟ ସତର ଗୋଟି ପୋଲଦ୍ଵାରା ନଦୀ ଦୁଇ ପାଖ ସହରର ଅଂଶଦ୍ୱୟ ପରସ୍ପର ସହିତ ସଂଯୁକ୍ତ ହୋଇଛି । ଆମେ ସେଥିଭିତରୁ ପୋଣ୍ଟେ ଭିଟୋରି ଓ ପୋଲ ଦେଇ ନଦୀକୁ ଅତିକ୍ରମ କଲୁଁ । ନଦୀ ଠିକ୍‌ ଅତିକ୍ରମ କରି କିଛି ଦୂର ଆସିଛୁ ପଡ଼ିଲା ପିଆଜ୍ଜା ସେଣ୍ଟ ପିଟ୍ରୋ । ଏହିଠାରୁ ଭାଟିକାନ ସିଟି ଆରମ୍ଭ । ଟେକ୍‌ସିରୁ ଓହ୍ଲାଇ ଟେକ୍‌ସିକୁ ସେଠାରୁ ବିଦାୟ କରିଦେଲୁ ।

 

ଭାଟିକାନ୍‌ ସିଟି

 

ଯଦିଚ୍‌ ଭାଟିକାନ୍‌ ସିଟି ନଗରୀ ଭିତରେ, ଏହା ରୋମ୍‌କି ଇଟାଲୀ ରାଜ୍ୟ ଅନ୍ତର୍ଗତ ନୁହେଁ । ରୋମ୍‌ ଭିତରେ ଥାଇ ଏହାଏକ ସ୍ଵତନ୍ତ୍ର ରାଜ୍ୟ । ଏହାର ଶାସନ ରୋମ୍‌ଠାରୁ ପୂରାପୂରି ଅଲଗା । ରୋମ୍‌ର କି ଇଟାଲୀ ସରକାରଙ୍କର କିଛି କର୍ତ୍ତୁତ୍ୱ ଏହା ଉପରେ ନାହିଁ । ଭାଟିକାନ ସିଟି ହେଉଛି ଖ୍ରୀଷ୍ଟାନ ଧର୍ମ୍ମର ରୋମାନ କାଥଲିକ୍‌ ସଂପ୍ରଦାୟର ଧର୍ମ୍ମଗୁରୁ ପୋପ୍‌ଙ୍କ ବାସସ୍ଥଳୀ । ଏହି ସହରଟି ଗୋଟିଏ ଛୋଟ ପାହାଡ଼ ଉପରେ ଅବସ୍ଥିତ । ଏହି ପାହାଡ଼ର ନାଁ ହେଉଛି ମନସ ଭାଟିକାନ୍‌ସ୍‌ । ରୋମ୍‌ ସହରର ପଶ୍ଚିମ ପାଖରେ ଏହା ଅବସ୍ଥିତ । ଟାଇବର୍‌ନଦୀ କୂଳରୁ ବେଶି ଦୂର ନୁହେଁ । ଭାଟିକାନ୍‌ସିଟିର ଆକାର ବେଶି ବଡ଼ ନୁହେଁ, ମୋଟେ ୧୦୯ ଏକର । ୧୯୪୭ ମସିହାରେ ଏହି ସହରର ଲୋକସଂଖ୍ୟା ଥିଲା ହଜାରକରୁ କମ୍‌ । ଏହି ସହରର ନିଜର ସରକାର, ନିଜର ଶାସନ ସଂସ୍ଥା, ନିଜର ପୋଲିସ, ନିଜର ରେଳ ଷ୍ଟେସନ, ନିଜର ପୋଷ୍ଟ ଅଫିସ ଷ୍ଟାମ୍ପ ଆଦି ରହିଛି ।

 

ପୋପ୍‌ସି ମାଚସ୍‌୫୦୦ ଖ୍ରୀଷ୍ଟାବ୍ଦରେ ଏଠାରେ ନିଜ ରହିବା ପାଇଁ ଗୋଟିଏ ଛୋଟ ବସାଘର ତୋଳିଥିଲେ । ଖୀଷ୍ଟାବ୍ଦ ୧୨୦୦ ମସିହାରେ ଏହା ପୁଣି ଥରେ ତିଆରି ହୋଇଥିଲା । ଏହାପରେ ପୋପ୍‌ଙ୍କର ବାସସ୍ଥାନ ଲେଟ୍‌ରନ୍‌ ରାଜପ୍ରସାଦକୁ ବଦଳିଲା । ସେଠାରୁ ସେମାନେ ଅଭିଗ୍‌ନନକୁ ସ୍ଥାନାନ୍ତରିତ ହେଲେ । ପୋପ୍‌ ଏକାଦଶ ଗ୍ରୀରି ୧୩୭୭ ମସିହାରେ ପୋପଙ୍କ ବାସସ୍ଥାନ ପୁଣି ରୋମକୁ ଫେରାଇ ଆଣିଲେ ଓ ଭାଟିକାନ୍‌ ସିଟିକୁ କଲେ ତାଙ୍କ ସବୁଦିନିଆ ବାସସ୍ଥାନ । ତାଙ୍କ ପରେ ଅନ୍ୟାନ୍ୟ ପୋପ୍‌ମାନେ କୁଇରିନାଲ୍‌ପ୍ରାସାଦରେ ବସବାସ କରୁଥିଲେ । ଅବଶ୍ୟ ପରେ ଏହି ପ୍ରାସାଦ ପୋପ୍‌ମାନଙ୍କର ଗ୍ରୀଷ୍ମକାଳୀନ ପ୍ରାସାଦ ଭାବରେ ବ୍ୟବହୃତ ହେଲା ।

 

ଭାଟିକାନ୍‌ ସିଟିରେ ଯେଉଁସବୁ ପ୍ରାସାଦ ବର୍ତ୍ତମାନ ରହିଛି, ସେଗୁଡ଼ିକର ତିଆରି ପୋପ୍‌ ପଞ୍ଚମ ନିକୋଲାସଙ୍କ ଅମଳରେ ହୋଇଥିଲା ୧୪୫୦ ମସିହାରେ । ସେ ଏହି ପ୍ରାସାଦକୁ ଅତି ବିଳାସପୂର୍ଣ୍ଣ ଓ ଆଭିଜାତ୍ୟଭରା ରାତିରେ ତିଆରି କରିଥିଲେ । ପରେ ପରେ ଏଥିରେ ବହୁପ୍ରାସାଦ ଯୋଗ କରାହୋଇଥିଲା । ବର୍ତ୍ତମାନ ଭାଟିକାନ୍‌ ପ୍ରାସାଦରେ ୭୦୦୦ ଗୋଟି କୋଠରି ଓ ହଲ୍‌ ରହିଛି । ଏଥି ଭିତରୁ ଅଧିକାଂଶ କୋଠରୀଗୁଡ଼ିକ ଅତି ଆଧୁନିକ ଧରଣରେ ସଜ୍ଜିତ, ଉଚ୍ଚକୋଟୀର ଚିତ୍ରକଳା କୋଠରୀମାନଙ୍କର କାନ୍ଥରେ ଫୁଟି ଉଠୁଛି ।

 

୧୮୭୦ ମସିହାଠାରୁ ପୋପ୍‌ଏଠାରେ ନିରବିଚ୍ଛିନ୍ନ ଭାବରେ ରହି ଆସୁଛନ୍ତି । ୧୯୨୯ ମସିହା ପର୍ଯ୍ୟନ୍ତ ପୋପ୍‌ମାନେ ଭାବୁଥିଲେ ସେମାନେ ଏହି ପ୍ରାସାଦ ଭିତରେ ବନ୍ଦୀ ହୋଇ ରହିଲା ଭଳି; କାରଣ ଭାଟିକାନ୍‌ ସିଟି ସେତେବେଳେ ଇଟାଲୀ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ସେତେବେଳେ ପୋପ୍‌ ଓ ଇଟାଲୀ ସରକାର ଭିତରେ ତିନୋଟି ସନ୍ଧି ସ୍ଵାକ୍ଷରିତ ହେଲା । ଫଳରେ ଭାଟିକାନସିଟି ଏକ ସ୍ଵାଧୀନ ରାଷ୍ଟ୍ରଭାବରେ ସମ୍ମାନ ପାଇଲା । ଏହାର ଶାସନ ଆଦି ପୂରାପୂରି ଅଲଗା ହେଲା । ଏମିତି କି ଏହାର ପୋଷ୍ଟ ଅଫିସ ମଧ୍ୟ ଅଲଗା । ଭାଟିକାନ୍‌ ସିଟି ଭିତରେ ଇଟାଲୀ ଡାକ ଟିକେଟ ଚଳେ ନାହିଁ । ଭାଟିକାନ ଭିତରେ ଭାଟିକାନ ଡାକ ଟିକେଟ ହିଁ ଚଳେ । ମିଳିତ ରାଷ୍ଟ୍ର ସଂଘରେ ଭାଟିକାନ୍‌ ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବରେ ସ୍ଥାନ ପାଇଛି ଓ ଏହାର ରାଷ୍ଟ୍ରଦୂତ ବିଭିନ୍ନ ସ୍ଵାଧୀନ ରାଷ୍ଟ୍ରରେ ଅଛନ୍ତି ।

 

ଭାଟିକାନ୍‌ ସିଟି ଭିତରେ ବହୁ ପ୍ରାସାଦ, ଗିର୍ଜା, କୋର୍ଟ କଚେରୀ ଓ ଅନ୍ୟାନ୍ୟ ବହୁ ଅଫିସ, ମିଉଜିଅମ୍‌ ଓ ଉଦ୍ୟାନ ଆଦି ରହିଛି । ସେଣ୍ଟ ପିଟର ସ୍କୋୟାର, ଯେଉଁଠାରେ ଭାଟିକାନ୍‌ ସିଟି ଆରମ୍ଭ ହୋଇଛି, ଭାଟିକାନ୍‌ ସିଟି ଅଧୀନରେ ।

 

ଭାଟିକାନ୍‌ ଭିତରେ ଏକ ପ୍ରକାଣ୍ଡ ପୁସ୍ତକାଗାର ରହିଛି । ଏଥିରେ ୩୪,୦୦୦ ପାଣ୍ଡୁଲିପି ଓ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ପୁସ୍ତକ ରହିଛି । ଏହା ଭିତରେ ଥିବା ଭାଟିକାନ ମିଉଜିୟମ୍‌ ଅତି ବିରାଟ ଓ ପୃଥିବୀର ବଡ଼ ବଡ଼ ମିଉଜିୟମ ଭିତରୁ ଗୋଟିଏ । ଏହି ମିଉଜିୟମ୍‌ରେ ରୋମାନ୍‌, ଗ୍ରୀକ୍‌, ଏଟ୍ରୁସ୍‌କାନ୍‌ ଓ ମିଶରୀୟ ସଂଗ୍ରହ ମାନ ରହିଛି ।

 

ଭାଟିକାନ୍‌ର ଏହି ଅପୂର୍ବ ପ୍ରସିଦ୍ଧି ଆଗରୁ ଜାଣିଥିଲୁ । ଆମେ ଟେକ୍‌ସିରୁ ଓହ୍ଲାଇ ଯେତେବେଳେ ସେଣ୍ଟ୍‌ପିଟର ସ୍କୋୟାରରେ ପହଞ୍ଚିଲୁଁ, ଆମ ମନରେ ଅପୂର୍ବ ପୁଲକ ଖେଳିଗଲା । ସେଣ୍ଟ୍‌ପିଟର ସ୍କୋୟାର ସାମନାରେ ଠିଆ ହୋଇଛି ପୃଥିବୀ ବିଖ୍ୟାତ ସେଣ୍ଟ୍‌ପିଟର ଗିର୍ଜା । ଏହା ପୃଥିବୀର ବୃହତ୍ତମ ଗିର୍ଜାଭାବରେ ଖ୍ୟାତ । ପଞ୍ଚମ ନିକୋଲାସ୍‌ଙ୍କ ଅମଳରେ ଏହି ଗିର୍ଜାର ଆରମ୍ଭ ହେଲା ୧୪୫୫ ମସିହାରେ ଓ ଏହାର ନକ୍‌ସା କରିଥିଲେ ବିଖ୍ୟାତ ଇଟାଲୀୟ ନକ୍‌ସାକାରୀ ରୋଜାଲିନି । ଏହି ଗିର୍ଜାଟି ବହୁ ଉତ୍‌ଥାନ ପତନ ଭିତରେ ଗତିକରି ୧୬୬୦ ମସିହାରେ ଏହାର ମୁଣ୍ଡି ମରିଲା । ପ୍ରାୟ ଦୁଇ ଶହ ବର୍ଷ ବିତିଗଲା ଏହାର ତିଆରିରେ । ଏହି ସମୟ ଭିତରେ ଏଥିରେ ନାନା ଯୁଗର ଓ ନାନା ପ୍ରକାରର କଳା, ସ୍ଥାପତ୍ୟ ଭାସ୍କର୍ଯ୍ୟର ସନ୍ନିବେଶ ହୋଇଛି ।

 

ସେଣ୍ଟ୍‌ପିଟରସ୍‌ ସ୍କୋୟାରରେ କିଛି ସମୟ ବୁଲାବୁଲି କରି ଏହାର ଅପୂର୍ବ ଝରଣା ଓ ବିଭିନ୍ନ ଖମ୍ବ ଉପରେ ସନ୍ନିବିଷ୍ଟ ବିଭିନ୍ନ ମୂର୍ତ୍ତି ଆଦି ଦେଖି ସେଣ୍ଟ ପିଟର ଗିର୍ଜା ଭିତରକୁ ପଶିବାକୁ ଆରମ୍ଭ କଲୁ । ଗିର୍ଜା ଭିତରକୁ ପଶିବାକୁ ହେଲେ ସଙ୍ଗରେ କେମେରା ଆଦି ନେବା ମନା । ତେଣୁ ସେଗୁଡ଼ିକୁ ଗିର୍ଜାର ପ୍ରଧାନ ଫାଟକ ନିକଟରେ ଜମାଦେଲୁ । ତାପରେ ଏହା ଭିତରକୁ ପଶିଲୁ । ସାରା ରୋମାନ୍‌ କାଥଲିକ୍‌ ସଂପ୍ରଦାୟର ସବୁଠାରୁ ବଡ଼ ଗିର୍ଜା । ରୋମାନ୍‌ କାଥଲିକ୍‌ ଖ୍ରୀଷ୍ଟାନ୍‌ ହୋଇଥିଲେ ଆମ ଦେହରେ ଅପୂର୍ବ ପୁଲକ ଖେଳି ଯାଇ ଥାଆନ୍ତା । ପୁରୀ, ବନାରସ, ଗୟା, ପ୍ରୟାଗ ଆଦି ତୀର୍ଥସ୍ଥାନ ହିନ୍ଦୁମାନଙ୍କର ଯାହା, ଏହା ତା’ ଠାରୁ ଅଧିକ ରୋମାନ୍‌ କାଥଲିକ୍‌ମାନଙ୍କ ପାଇଁ । ଗିର୍ଜାର ଅଭ୍ୟନ୍ତର କି ବିରାଟ । ଏହିଠାରେ ନୂଆ ପୋପମାନେ ଅଭିଷକ୍ତ ହୁଅନ୍ତି ।

 

ଏହାର ଡୋମ୍‌ଟି ଅତି ବିରାଟ । ଡୋମ୍‌ର ଉପରକୁ ଯିବା ପାଇଁ ଲିଫ୍‌ଟ ଲାଗିଛି । ଏହି ଡୋମ୍‌କୁ କରାଇଥିଲେ ଇଟାଲୀୟ ନକ୍‌ସାକାରୀ ମିଚେଲଂଗେଲେ । ଏହି ଡୋମରୁ ଗିର୍ଜାଭିତର ଦୃଶ୍ୟ ଅତ୍ୟନ୍ତ ମନୋରମ । ଗିର୍ଜାର କାନ୍ଥ, ଛାତ ସବୁଆଡ଼େ ଅତି ଉଚ୍ଚକୋଟିର ଚିତ୍ରକଳା, ସ୍ଥାପତ୍ୟ ପୁରି ରହିଛି । ପୃଥିବୀର କୌଣସି ଗିର୍ଜା ଭିତରେ ଏତେ ସଜ୍ଜାସଜ୍ଜି ହୋଇଛି କି ନାହିଁ ସନ୍ଦେହ । ଲ ପିଏଟୋ ଏକ ଅଦ୍ଭୁତ ସୃଷ୍ଟି ଏହା ଭିତରେ ରହିଛି । ଷ୍ଟାଚ୍ୟୁ ଅଫ୍‌ ସେଣ୍ଟ ପିଟର ଅତି ସୁନ୍ଦର । ଯେଉଁଠି ପୋପ୍‌ ପୂଜା କରନ୍ତି, ତା’ଉପରେ ଯେଉଁ ରନ୍ଦୁଆ ରହିଛି, ତା’ର ସୌନ୍ଦର୍ଯ୍ୟ ଅପରିସୀମ । ଏସବୁ ଦେଖୁଁ ଦେଖୁଁ ଆମେ ଏତେ ଆତ୍ମବିସ୍ମୁକ ହୋଇପଡ଼ିଲୁଁ, ହଠାତ୍‌ ଆମେ ଭାବି ପାରିଲୁନି ଆମେ କେଉଁଠି ଅଛୁ, କଣ ଦେଖୁଛୁ ଇତ୍ୟାଦି । ସମୟଗୁଡ଼ାକ କେତେବେଳେ ଯେ ଚାଲିଗଲା ଆମେ ଜାଣି ପାରିଲୁନି । ଏହି ଗିର୍ଜାଟି ଓ ଏହାର ଅସରନ୍ତି ଅପୂର୍ବ କଳାକୁ ଖାଲି ଦେଖି ବସିଲେ ମାସ ମାସ ବିତିଯିବ; ତଥାପି ବି ସରିବ ନାହିଁ ।

 

ତରତର ହୋଇ ସେଣ୍ଟ ପିଟର ଗିର୍ଜା ଦେଖିସାରି ଗଲୁ ଭାଟିକାନ୍‌ ମିଉଜିୟମ ଦେଖି । ଏହା ମଧ୍ୟ ଅତି ବିରାଟ । ଏହା ଭିତରେ ଏତେ ସଂଗ୍ରହ ଥିଲା ଯେ ମାସ ମାସ ବିତିଗଲେ ବି ଦେଖା ସରିବ ନାହିଁ । ପୃଥିବୀର ବିଭିନ୍ନ ସଭ୍ୟତା କାଳର ନାନା ସଂଗ୍ରହ ଏଠି ସ୍ଥାନ ପାଇଛି । ଭାଟିକାନ୍‌ ମିଉଜିୟମର ନାଁ ହେଉଛି ପିନକୋଟିକ ଭାଟିକାନ । ଏହା ଭିତରେ ଇଜିପ୍‌ସିଆନ ମିଉଜିୟମ୍‌, ଚିରମନଟି ମିଉଜିୟମ୍‌, ଲପିଡେରି ଗ୍ୟାଲେରୀ, ବାମିଓ ନୁଭେ ଅତି ପ୍ରସିଦ୍ଧ । ଭାଟିକାନରେ ଯେତେ ଚିତ୍ରକଳା; କଳା, ସ୍ଥାପତ୍ୟର ନମୁନା ରହିଛି, ପୃଥିବୀର ଅନ୍ୟ କୌଣସି ରାଜପ୍ରାସାଦରେ ସେତେ ନାହିଁ । ଭାଟିକାନ ପ୍ରାସାଦ ଖାଲି ପୃଥିବୀର ବୃହତ୍ତମ ପ୍ରାସାଦ ନୁହେଁ, ପୃଥିବୀର ଶ୍ରେଷ୍ଠ ସୂକ୍ଷ୍ମକଳା ପୂର୍ଣ୍ଣ ପ୍ରାସାଦ ।

 

ଭାଟିକାନ ଭିତରେ ବୁଲୁଁ ବୁଲୁଁ ଏହାର କେନ୍ଦ୍ର ଶାସନ ଅଫିସ ପଡ଼ିଲା । ଏହି ପ୍ରାସାଦରୁ ଭାଟିକାନ ସିଟି ଶାସିତ ହୁଏ । ପୋପ୍‌ ହେଉଛନ୍ତି ଶାସନର ମୁଖ୍ୟ । ସେ ବିଭିନ୍ନ କାର୍ଡିନାଲମାନଙ୍କ ସାହାଯ୍ୟରେ ଭାଟିକାନ ସିଟିର ଶାସନ ଚଳାନ୍ତି । ଭାଟିକାନ ସିଟି ଚାରି ପାଖରେ ଉଚ୍ଚ ଉଚ୍ଚ ପ୍ରାଚୀର ଦ୍ଵାରା ନଗରୀ ଠାରୁ ବିଚ୍ଛିନ୍ନ ।

 

କେପିଟଲ

 

ଭାଟିକାନ୍‌ ଦେଖା ସରୁ ସରୁ ଦିନ ତିନିଟା । ଭାଟିକାନ୍‌ରେ ଏତେ ଗୁଡ଼ିଏ ସମୟ ଦେଇ ଦେବାରୁ ଅନ୍ୟଗୁଡ଼ିକ ପାଇଁ କମ୍‌ ସମୟ ଦେବାକୁ ପଡ଼ିବ । ଭାଟିକାନରୁ ବାହାରି ଆମେ ଗୋଟିଏ ଟେକ୍‍ସି କରି ଚାଲିଲୁ କେପିଟଲ ଅଭିମୁଖେ । ଏହା ହେଉଛି ପୂରାତନ ରୋମର ଏକ ପବିତ୍ର ପାହାଡ଼ । ଏଠାରେ ପିଆଜ ଡେଲ୍‌ କମ୍‌ପିଡ଼୍‌ଗଲିଓ ରହିଛି । ଏହାର କାରିଗର ହେଉଛନ୍ତି ମିଚେଲନ୍‌ ଗେଲେ । ଏହାକୁ ଘେରି ବହୁ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ନାନା କୀର୍ତ୍ତିମାନ ରହିଛି ।

 

ପେନ୍‌ଥିଅନ

 

ସେଠାରୁ ଫେରି ଆମେ ଚାଲିଲୁ ପେନ୍‌ଥିଅନ ଅଭିମୁଖେ । ପୂରାତନ ରୋମ୍‌ର ଏକ ଅପୂର୍ବ କୀର୍ତ୍ତି ଏଠି ରହିଛି । ଏହା ଖ୍ରୀ: ପୂ: ୨୭ ମସିହାରେ ଏଗ୍ରିପାଙ୍କ ଦ୍ଵାରା ତିଆରି ହୋଇଥିଲା । ଇଟାଲୀର ରାଜାମାନଙ୍କର ସମାଧି ଏଠି ରହିଛି । ସେଠାରୁ ରୋମ୍‌ର ଏକ ସୁନ୍ଦରତମ ଝରଣା ‘ଫାଉଣ୍ଟେନ୍‌ ଅଫ୍‌ ଟ୍ରେଭି’ ଦେଖି ହୋଟେଲକୁ ଫେରିଲୁଁ । ହୋଟେଲରେ ପହଞ୍ଚିଲା ବେଳକୁ ସଂଧ୍ୟା ହୋଇଗଲାଣି ।

ତହିଁ ପରଦିନ । ସେପ୍‌ଟେମ୍ବର ମାସ ୧୭ ତାରିଖ, ୧୯୬୩ ମସିହା । ସେହିଦିନ ଆମର ରୋମ ପରିତ୍ୟାଗ କରି ଆମ ଦେଶର ବୋମ୍ବେ ଅଭିମୁଖେ ରମାନା ହେବା କଥା । ଉଡ଼ାଜାହାଜ ଛାଡ଼ିବ ରୋମ୍‌ ଅନ୍ତର୍ଜାତିକ ଉଡ଼ାଜାହାଜ ଘାଟୀରୁ ଇଟାଲୀୟ ଉଡ଼ାଜାହାଜ କୋମ୍ପାନୀ ଆଲିଟାଲିଆର ଏକ ଜେଟ୍‌ ବିମାନରେ । ତେଣୁ ଉପରଓଳି ଦିନ ତିନି ଘଣ୍ଟା ସୁଦ୍ଧା ଆମକୁ ରୋମ ଉଡ଼ାଜାହାଜ ଘାଟିରେ ପହଞ୍ଚିବାକୁ ପଡ଼ିବ ।

ତେଣୁ ସେଦିନ ସକାଳଓଳି ରୋମ୍‌ର ବାକି ଯାହାସବୁ ଦର୍ଶନୀୟ ସ୍ଥାନ ଥିଲା, ସେଗୁଡ଼ାକ ଦେଖିଦେବା କଥା । ତେଣୁ ଟେକ୍‌ସିଟିଏ କରି ବାହାରି ପଡ଼ିଲୁଁ ସାଣ୍ଟା ମେରିଆ ମାଗିଓର୍‌ ଅଭିମୁଖେ । ଏହା ରୋମର ଏକ ଅତି ପୂରାତନ ସୃଷ୍ଟି ପଞ୍ଚମ ଶତାବ୍ଦୀର । ଚିତ୍ରକଳାର ଅପୂର୍ବ ନମୁନା ଏଠି ରହିଛି ।

ଆମେ ଯେଉଁ ଟେକ୍‌ସିରେ ଗଲୁଁ, ସେଇଟା ହେଉଛି ଗୋଟିଏ ଫିଏଟ୍‌କାର, ଫିଏଟ୍‌ ୬୦୦/ଡ଼ି, ଏକ ଚକଚକିଆ ନୂଆଗାଡ଼ି । ଆମଦେଶରେ ଏହି ଫିଏଟ୍‌କୋମ୍ପାନୀର ଗାଡ଼ି ଖୁବ୍‌ ଚଳପ୍ରଚଳ । କିନ୍ତୁ ଆମ ଦେଶରେ ଆମେ ମାତ୍ର ଗୋଟିଏ ଫିଏଟ୍‍ ଗାଡ଼ି ଜାଣୁଁ । ସେଇଟା ହେଉଛି ଫିଏଟ୍‍ ୧୧୦୦ । କିନ୍ତୁ ଫିଏଟ୍‍ କୋମ୍ପାନୀର ଅସଲ କାରଖାନା ହେଲା ଇଟାଲିର ଟୁରୀନ୍‌ ସହରରେ । ଏହା ଏକ ପୃଥିବୀ ପ୍ରସିଦ୍ଧ ଇଟାଲୀୟ ମୋଟରଗାଡ଼ି କୋମ୍ପାନୀ । ଏହି କୋମ୍ପାନୀର ବହୁ ପ୍ରକାର ଗାଡ଼ି ଅଛି । ସେଥି ଭିତରୁ ଫିଏଟ୍‌-୫୦୦, ସିଡ଼ାନ ଓ କନଭରଟିବଲ, ଫିଏଟ ୬୦୦ ସିଡ଼ାନ୍‌ ଓ କନ୍‌ଭର୍‍ଟିବଲ ଫିଏଟ-୧୧୦୦ ସିଡ଼ାନ, ଫିଏଟ୍‌୧୩୦୦ ସିଡ଼ାନ ଓ ସ୍ଲାଇଡିଂ ରୁଫ୍‌ ଆଦି ପ୍ରଧାନ । ଫିଏଟ କୋମ୍ପାନୀର ଏହିସବୁ ଗାଡ଼ି ଆମେରିକାରେ ମଧ୍ୟ କ୍ରୟ ବିକ୍ରୟ ହୁଏ; କିନ୍ତୁ ଇଉରୋପରେ ଭାରି ଲୋକପ୍ରିୟ । ନିଉୟର୍କର ଫିଫଥ୍‌ ଏଭିନିଉରେ ଫିଏଟ କୋମ୍ପାନୀର ଏକ ବଡ଼ ଦୋକାନ ରହିଛି । ଇଟାଲିର ରୋମଠାରୁ ଆମେରିକାର ଛୋଟବଡ଼ ବହୁ ସହରରେ ଏହି କୋମ୍ପାନୀର ବିଭିନ୍ନ ପ୍ରକାର ଗାଡ଼ିର ବ୍ୟବହାର ଦେଖାଯାଏ ।

 

ସାଣ୍ଟା ମେରିଆ ଦେଖିସାରି ବାହାରିଲୁଁ କେଥେଡ୍ରେଲ ଅଫ୍‌ ସେଣ୍ଟ ଜନ ଲେଟରନଖ ଦେଖି । ଏହାକୁ ଲାଗି ଲେଟ୍‌ରନ ପ୍ରାସାଦ । ଏହି ପ୍ରାସାଦ ଭିତରେ ଅଛି ଲେଟ୍‌ରନ ମିଉଜିୟମ । ଏହାର ସମ୍ମୁଖରେୁ ରହିଛି ଇତିହାସ ପ୍ରସିଦ୍ଧ ସ୍ୱାଲା ସାଣ୍ଟା, ସିଡ଼ି, ଯାହାକି ଜେରୁଜେଲମର ପୋଣ୍ଟିୟସ ପିଲେଟ୍‌ଙ୍କ ଘରୁ ଆନୀତ ହୋଇଥିଲା । ଏହା ଏକ ପବିତ୍ର ସିଡ଼ି ଭାବରେ ପରିଗଣିତ ହୁଏ ।

 

ସେଣ୍ଟ ପଲ୍‌ଙ୍କ ସମାଧି ଉପରେ ନିର୍ମିତ ହୋଇଛି ‘‘ସେଣ୍ଟ ପଲସ ଆଉଟ୍‌ସାଇଡ ଦି ୱାଲ୍‌ସ’’ । ଏହି ଗିର୍ଜା ଓ ଉପର ଦୁଇଟି ଗିର୍ଜା ଓ ଭାଟିକାନର ସୁପ୍ରସିଦ୍ଧ ସେଣ୍ଟପିଟର ଗିର୍ଜାକୁ ଲଗାଇ ବାସିଲିକା । ଏହି ଚାରୋଟି ହେଉଛି ପୃଥିବୀ ପ୍ରସିଦ୍ଧ ପେଟ୍ରି ଆରଚାଲ ।

 

ଏହି ଗିର୍ଜାଗୁଡ଼ିକ ଦେଖିସାରି ଚାଲିଲୁ ରୋମାନ ଫୋରମ୍‌ ଦେଖି । ପୂରାତନ ରୋମର ସର୍ବସାଧାରଣଙ୍କ ଏହା ଏକ ମିଳନ ସ୍ଥାନ । ଏଠାରେ ବହୁ ସ୍ମୃତି ସ୍ତମ୍ଭ ରହିଛି । ଏଠାକାର ସ୍ମୃତିସ୍ତମ୍ଭ, ଗିର୍ଜା, ବାସିଲିକା, ମନ୍ଦିର, ଆଦି ପ୍ରସିଦ୍ଧ । ସେହି ସବୁ ମଧ୍ୟରେ ରୋମୁଲାସ୍‌ଙ୍କ ସମାଧି, ଆର୍ଚ୍ଚ ଅଫ୍‌ ସେପ୍‌ଟିସିଆସ୍‌, ସେଜିରସ୍‌, ଶନିଙ୍କ ମନ୍ଦିର, କେଷ୍ଟର୍‌, ପୋଲକ୍‌ସଙ୍କ ମନ୍ଦିର, ଜୁଲିୟସ ସିଜରଙ୍କ ମନ୍ଦିର ଆଦି ଅତି ପ୍ରସିଦ୍ଧ । ଫ୍ଲେଭିଆନ୍‌ଙ୍କ ପ୍ରାସାଦ ଏଠାରେ ଏକ ଅତି ଆକର୍ଷଣୀୟ କୀର୍ତ୍ତି ।

 

ଇମ୍‌ପେରିଆଲ ଫୋରମ, ଟ୍ରାଜନ ଫୋରମ, ଫୋରମ ଅଫ୍‌ ଅଗଷ୍ଟାସ୍‌ ଗୋଟିଏ ଉଚ୍ଚକୋଟୀର ଦର୍ଶନୀୟ ସ୍ଥାନ ।

 

ଏହିଠାରୁ ଅଳ୍ପ ଦୂରରେ ଥିଏଟର ଅଫ୍‌ ମାର୍ସିଲେସ୍‌ ଅବସ୍ଥିତ । ଏହା ଜୁଲିୟସ୍‌ ସିଜରଙ୍କ ଅମଳରେ ଆରମ୍ଭ ହୋଇଥିଲା ଓ ଅଗଷ୍ଟସ୍‌ ସିଜରଙ୍କ ସମୟରେ ଶେଷ ହୋଇଥିଲା ।

 

ରୋମ୍‌ ସହର ସାରା ଏତେ ଐତିହାସିକ ଦର୍ଶନୀୟ ସ୍ଥାନରେ ଭର୍ତ୍ତି ହୋଇଛି ଯେ, ଯେତେ ଦେଖିଲେ ମଧ୍ୟ ସରିବାକୁ ନାହିଁ । ପିଲାଏ ଦେଖି ଦେଖି ଢେର ବିରକ୍ତ ହୋଇ ପଡ଼ିଲେଣି । କେତେ ବା ଦେଖିବେ ? ସେମାନଙ୍କର ଧୈର୍ଯ୍ୟ ବା କେତେ ? ତେବେ ଯା’ ହେଉ ଦେଖା ଚାଲିଥିଲା ଗୋଟାକ ପରେ ଗୋଟାଏ । ଦିନ ଗୋଟାକ ବେଳକୁ ସ୍ତ୍ରୀଙ୍କର ଆଉ ଦେଖିବାକୁ ଧୈର୍ଯ୍ୟ ରହିଲାନି । ତେଣୁ ଭାବିଲି ଆଉ ଦେଖି ହେବନାହିଁ । ବାଧ୍ୟ ହୋଇ ଗୋଟିଏ ଟେକ୍‌ସି କରି ହୋଟେଲକୁ ଫେରିଲୁଁ । ହୋଟେଲରୁ ମଧ୍ୟାହ୍ନ ଭୋଜନ ଶେଷ କରି ଜିନିଷ ପତ୍ର ବନ୍ଧା ବନ୍ଧି କରି ଉଡ଼ାଜାହାଜ ଘାଟିରେ ଦିନ ତିନିଟା ସୁଦ୍ଧା ପହଞ୍ଚିବାକୁ ପଡ଼ିବ ।

Image

 

ରୋମରୁ ବମ୍ବେ

 

ରୋମ୍ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟିରେ ପହଞ୍ଚିଲାବେଳକୁ ପ୍ରାୟ ଦିନ ତିନିଟା । ଆମେ ସିଧାସଳଖ ଯାଇ ଆଲିଟାଲିଆ କୋମ୍ପାନୀର ଅଫିସରେ ପହଞ୍ଚିଲୁଁ । ଆଲିଟାଲିଆ କୋମ୍ପାନୀର ଉଡ଼ାଜାହାଜରେ ଆମ ଯିବା ପାଇଁ ସିଟ୍‌ ରିଜର୍ଭ ହୋଇଥାଏ । ଆମେ ଆମ ଟିକଟ ଆଦି ଦେଖାଇ ଜିନିଷ ପତ୍ର ଓଜନ କରାଇନେଲୁଁ । ତା’ପରେ ଜିନିଷ ପତ୍ର ଦାୟିତ୍ଵ କୋମ୍ପାନୀ ହାତରେ ଦେଇ ହାତରେ ଖଣ୍ଡିଏ ଖଣ୍ଡିଏ ହେଣ୍ଡ୍‌ବେଗ ଧରି ଉଡ଼ାଜାହାଜ ଘାଟିର ଲବିରେ ପହଞ୍ଚିଲୁଁ-। ଏଠାରେ ଆମର ଉଡ଼ାଜାହାଜ ସମୟକୁ ଅପେକ୍ଷା କରିବା କଥା । ଉଡ଼ାଜାହାଜ ଭିତରକୁ ଯିବା ସମୟ ହେଲେ ଆମକୁ ଲାଉଡ଼୍‌ସ୍ପିକର ଯୋଗେ ଏହିଠାରେ ଜଣାଇ ଦିଆଯିବ ।

 

ରୋମ୍ ଉଡ଼ାଜାହାଜ ଘାଟିର ଲବି ଖୁବ୍‌ ବିରାଟ । ବହୁ ଦୋକାନରେ ଲବିଟି ପୁରି ଯାଇଛି । ନାନା ପ୍ରକାର କାର୍ଡ଼, ସ୍ମୃତି ଚିହ୍ନ, ଦୋକାନ ଆଦିରେ ଭରା । ଆମେ ସେହିଠାରୁ କେତୋଟି ରଙ୍ଗୀନ ଚିତ୍ର କିଣିଲୁ । ଚିତ୍ରଗୁଡ଼ିକ ରୋମର ବିଭିନ୍ନ ସ୍ଥାନର । ସେହି କାଗଜ ଉପରେ ଛପା ହୋଇଥିବା ଚିତ୍ରରେ ଇଟାଲୀୟ ସଙ୍ଗୀତର ଏକ ଛାପ ରହିଥାଏ । ଏହି କାର୍ଡ଼କୁ ରେକର୍ଡ଼ ଭଳି ଗୋଟିଏ ଗ୍ରାମଫୋନରେ ପୂରାଇ ବଜାଇଲେ ଏଥିରୁ ସୁନ୍ଦର ଇଟାଲୀୟ ସଙ୍ଗୀତ ବାହାରେ । ଗୋଟିଏ ଚିତ୍ରରେ ଇଟାଲୀୟ ଚିତ୍ର ଓ ସଙ୍ଗୀତ । ଆମେ ଏମିତି ଚିତ୍ର ମଉନିକ୍‍ରେ ମଧ୍ୟ କିଣିଥିଲୁଁ । ସେଥିରେ ଥିଲା ମିଉନକର ବିଭିନ୍ନ ଦୃଶ୍ୟ ସହିତ ଜର୍ମାନ ସଙ୍ଗୀତ । ଏଥର ଇଟାଲୀ ସଙ୍ଗୀତର କାର୍ଡ଼ ମିଳିଯିବାରୁ ମନ ଖୁସି ହୋଇଗଲା । ଆମେରିକାରୁ ଆମେ କେତେଗୁଡ଼ିଏ ଇହୁଦୀ ଗୀତର ସେହିଭଳି ଛବିଥିବା ରେକର୍ଡ଼ ଆଣିଥିଲୁଁ । ଏହି ସବୁ ଛବି କାର୍ଡ଼ ଯେ ପକୃତରେ ଗୋଟିଏ ଗୋଟିଏ ରେକର୍ଡ଼, ଦେଖିଲେ କାହାରି ମନକୁ ବିଶ୍ଵାସ ଆସିବନି । କିନ୍ତୁ ଆଜିକାଲି ଯୁଗରେ ବିଜ୍ଞାନ କ’ଣ ନ କରୁଛି ସବୁ ଅସମ୍ଭବ ଯାକ ସମ୍ଭବ ହେଲାଣି । ଏହା ତା’ର ଆଉ ଗୋଟିଏ ନମୁନା ।

 

ଆଲିଟାଲିଆ କୋମ୍ପାନୀର ବିରାଟ ଡ଼ି ସି. ଏଇଟି ଜେଟ ବିମାନ ଭିତରକୁ ଯିବାପାଇଁ ନିର୍ଦ୍ଦେଶ ଆସିଲା । ଏହି ଜେଟଜାହାଜ ଆମକୁ ନେବ ରୋମ୍‌ରୁ ବୋମ୍ବେ । ବାଟରେ କେଉଁଠି ଅଟକ ରହିବ ନାହିଁ । କିଛି ସମୟ ପାଇଁ ଅଟକିବ ମାତ୍ର କରାଚୀରେ । ରୋମ୍‌ରୁ କରାଚୀ ନନ୍‌ଷ୍ଟପ୍‌ ଫ୍ଲାଇଟ୍ । ଧୀରେ ଧୀରେ ଲବିରୁ ବାହାରିଲୁଁ ଆମ ଉଡ଼ାଜାହାଜ ଅଭିମୁଖେ । ଆମ ପାଶ୍ଚାତ୍ୟ ଭ୍ରମଣର ଶେଷ ପର୍ବଟି ଏହାପରେ ସମାପ୍ତ ହେବାକୁ ଯାଉଛି । ଏହିଠାରୁ ମଧ୍ୟ ଶେଷ ହେବ, ଆମ ଆକାଶଯାତ୍ରା ପର୍ବ । ବୋମ୍ବେରେ ପହଞ୍ଚି ସେଠାରୁ ଆମ ଘର ଅଭିମୁଖେ ଯିବୁନି ଆଉ ଉଡ଼ାଜାହାଜରେ ।

 

ରୋମର ଉଡ଼ାଜାହାଜ ଘାଟିଟି କେଡ଼େ ବିରାଟ ! ଏହା ଏକ ଆନ୍ତର୍ଜାତିକ ଉଡ଼ାଜାହାଜ ଘାଟି । ବିଭିନ୍ନ କୋମ୍ପାନୀମାନଙ୍କର ଶହ ଶହ ଉଡ଼ାଜାହାଜ ଏଠି ଓହ୍ଲାଉଛି ତ ଏଠୁଁ ଛାଡ଼ୁଛି । ଲଣ୍ଡନ ଉଡ଼ାଜାହାଜ ଘାଟିଭଳି ଏହି ଘାଟି ସର୍ବଦା କାର୍ଯ୍ୟ ବ୍ୟସ୍ତ । ରୋମ୍‌ ନଗରୀଠାରୁ ୧୪/୧୫ ମାଇଲ ଦୂରରେ, ଭୂମଧ୍ୟ ସାଗର ଉପକୂଳରେ ଏହା ବିଦ୍ୟମାନ । ଉଡ଼ାଜାହାଜ ଉପରକୁ ଉଠିଲେଇଁ ଭୂମଧ୍ୟ ସାଗର ଆଖିରେ ପଡ଼େ ।

 

ଆମେ ଡ଼ି. ସି.-ଏଇଟ୍‌ ଜେଟ୍‌ ଉଡ଼ାଜାହାଜ ଭିତରକୁ ଗଲାବେଳକୁ ସ୍ଵଦେଶକୁ ଫେରୁଛୁଁ ବୋଲି ମନ ଯେତିକି ଆନନ୍ଦିତ ହେଲା, ସେତିକି ଦୁଃଖ ହେଲା, ଆମର ଆମେରିକା ଓ ଇଉରୋପର ଭ୍ରମଣର ସମାପ୍ତି ଏଇଠୁ ହେଲା ବୋଲି । ଏହିଠାରୁ ଖାଲି ଯେ ଇଉରୋପରୁ ବିଦାୟ ନେବାକୁ ପଡ଼ିବ, ତା ନୁହେଁ, ଗତ ଦୁଇବର୍ଷରୁ ଉର୍ଦ୍ଧ୍ୱକାଳ ଆମେ ପୃଥବୀର ବହୁ ଅଂଶ ଯେ ଭ୍ରମଣ କରି ପାରଲୁଁ, ତହିଁର ହେବ ପରିସମାପ୍ତ ।

 

ସିଟ୍‌ରେ କିଛି ସମୟ ବସିଲା ପରେ ନିର୍ଦ୍ଦେଶ ଆସିଲା, ନିଜ ନିଜ ଦେହକୁ ସିଟ ବେଲ୍‌ଟରେ ବାନ୍ଧି ଦେବାପାଇଁ, ଅଳ୍ପ ସମୟ ପରେ ଉଡ଼ାଜାହାଜ ଛାଡ଼ିବ । ଏହା ରୋମ୍‌ରୁ ସିଧା ସଳଖ ଯିବ, କରାଚୀ ଅଭିମୁଖରେ, ସେଠାରୁ ବୋମ୍ବେ । ସକାଳ ସାତଟା ସୁଦ୍ଧା ବୋମ୍ବେରେ ପହଞ୍ଚି ଯିବୁ ବୋଲି ଆମକୁ ଜଣାଇ ଦିଆଗଲା । ରୋମ୍‌ଠାରୁ ବୋମ୍ବେର ଦୂରତ୍ଵ ପ୍ରାୟ ୪୦୦୦ ମାଇଲ । ଏହି ଜେଟ୍ କାହାଜରେ ଆମକୁ ପ୍ରକୃତରେ ୭/୮ ଘଣ୍ଟା ଲାଗିବା କଥା । କିନ୍ତୁ ଆମେ ପଶ୍ଚିମରୁ ପୂର୍ବକୁ ପାଉ ଥିବାରୁ ଆମର ସମୟ ନଷ୍ଟ ହୋଇ ଯାଉଥାଏ । କାରଣ ରୋମ୍ ଓ ବୋମ୍ବେ ଭିତରେ ପ୍ରାୟ ଛ ଘଣ୍ଟା ସମୟ ବ୍ୟବଧାନ । ତେଣୁ ଆମକୁ ବୋମ୍ବେରେ ପହଞ୍ଚିବାକୁ ସାତ ଆଠ ଘଞ୍ଚା ଲାଗିବା ସ୍ଥଳେ ଚଉଦ ପନ୍ଦର ଘଣ୍ଟା ଲାଗି ଯିବାର ସମ୍ଭାବନା ।

 

ଉଡ଼ାଜାହାଜ ଠିକ୍ ସମୟରେ ରୋମ୍ ଉଡ଼ାଜାହାଜ ଘାଟି ଛାଡ଼ିଲା । ଭୂମଧ୍ୟସାଗର ଉପରେ ଉଡ଼ି ଉଡ଼ି ଏହା ମୁହାଁଇଲା ଭାରତ ଉପମହାଦେଶ ଆଡ଼େ, ଘଣ୍ଟାକୁ ହାରାହାରି ୬୦୦ ମାଇଲ୍ ବେଗରେ ସେ ଦିନର ପାଗ ଭାରି ଖରାପ ଥାଏ । ତେଣୁ ପ୍ରତି ମୁହୂର୍ତ୍ତରେ ଉଡ଼ାଜାହାଜ ଭିତରେ ସତର୍କ ଘଣ୍ଟି ବାଜୁଥାଏ ଓ ଦେହକୁ ବେଲ୍‌ଟରେ ବାନ୍ଧି ରଖିବା ପାଇଁ ଥରକୁ ଥର ନିର୍ଦ୍ଦେଶ ଆସୁଥାଏ । ଆମେ ଏତେ ଉଡ଼ାଜାହାଜ ଭ୍ରମଣ କରି ସାରିଲୁଣି, କେବେ ପାଗ ଗୋଳମାଳ ହେତୁ ଉଡ଼ାଜାହାଜରେ ଏମିତି ସତର୍କ ବିପଦ ଘଣ୍ଟି ବାଜିବାର ଶୁଣି ନଥିଲୁ । ଉଡ଼ାଜାହାଜ ବେଳେ ବେଳେ କେମିତି ଦୋହଲିଲା ଭଳି ଜଣାପଡ଼ୁଥାଏ । ଏକ ପ୍ରକାର ଶବ୍ଦ ସର୍ବଦା ଗୁଞ୍ଜରି ରହିଥାଏ ଉଡ଼ାଜାହାଜ ଭିତରେ । ଏସବୁ କାରବାର ଦେଖି ସ୍ତ୍ରୀ ଭୟରେ ଛାନିଆଁ । ତାଙ୍କ ଆଶଙ୍କା ଆମେ ଆକାଶର ଏତେ ବିପଦଜନକ ଅବସ୍ଥା ଭିତରେ ଯିବା ଉଚିତ ନୁହେଁ । କେତେବେଳେ କଣ ହୋଇପାରେ ? ଏହି ଅବସ୍ଥା ବହୁ ସମୟ ଧରି ରହିଲା । ରାତ୍ରି ପ୍ରାୟ ଏଗାରଟା ବେଳେ ଆମକୁ ରାତ୍ରିଭୋଜନ ଦିଆଗଲା । ସ୍ତ୍ରୀଙ୍କ ମନ ଆଶଙ୍କା ଓ ଉଦ୍‌ବେଗରେ ଏତେପୂର୍ଣ୍ଣ ଯେ ସେ କିଛି ଖାଇ ପାରୁନଥାନ୍ତି । ପିଲାମାନେ ଖାଇସାରିବା କ୍ଷଣି ଏୟାର ହୋଷ୍ଟେସ୍‌ମାନେ ପିଲାମାନଙ୍କୁ ନେଇ ପାଖରେ ଥିବା ସିଟ୍‌ଗୁଡ଼ିକରୁ ହେଣ୍ଡେଲ୍ ବାହାର କରି ଶୋଇବାର ବନ୍ଦୋବସ୍ତ କରିଦେଲେ । ସେ ଦିନ ବିରାଟ ଜେଟ୍ ଉଡ଼ାଜାହାଜ ଖାଲି ଥାଏ । ଆମକୁ ମଧ୍ୟ ଶୋଇଯିବା ପାଇଁ କୁହାଗଲା । ମୁଁ ଯାଇ ନିକଟସ୍ଥ ଏକ ସିଟ୍‌ରେ ଶୋଇଲି । କିନ୍ତୁ ସ୍ତ୍ରୀ ମୋଟେ ଶୋଇବାକୁ ନାରାଜ । ଉଡ଼ାଜାହାଜର ଏ ଅବସ୍ଥା ଦେଖି, ତାଙ୍କୁ ନିଦ କୁଆଡ଼େ ଛାଡ଼ି ଗଲାଣି । ସେ ସର୍ବଦା ଉଡ଼ାଜାହାଜର ବିପଦ ମୁଖରିତ ଶବ୍ଦ ଓ ଥରକୁ ଥର ସତର୍କ ଘଣ୍ଟିକୁ କାନ ଦେଇ ତାଙ୍କ ସିଟ୍‌ରେ ବସି ରହିଥାନ୍ତି ।

 

ଆମ ଜାହାଜ କରାଚୀ ଉଡ଼ାଜାହାଜ ଘାଟୀରେ ପହଞ୍ଚିଲା ବେଳକୁ ପ୍ରାୟୁ ଭୋର୍ ହୋଇଗଲାଣି । ଆମ ଜାହାଜରୁ ଅଳ୍ପ କେତେଜଣ ଯାତ୍ରୀ ଓହ୍ଲାଇଗଲେ । ବହୁ ଯାତ୍ରୀ ଗାଢ଼ ନିଦରେ ଶୋଇଥାନ୍ତି । ଆମେ କେହି ବାହାରକୁ ଯିବାକୁ ଇଚ୍ଛା କଲୁନି । ପ୍ରାୟ ଘଣ୍ଟାକ ପରେ ଜାହାଜ ଛାଡ଼ିଲା କରାଚୀ । ଠିକ୍ ସାତଟାବେଳକୁ ବୋମ୍ବେର ସାନ୍ତାକ୍ରୁଜ୍‌ ଉଡ଼ାଜାହାଜ ଘାଟିରେ ପହଞ୍ଚିବ ।

 

ଉଡ଼ାଜାହାଜ ସାନ୍ତାକ୍ରୁଜ୍‌ ଉଡ଼ାଜାହାଜ ଘାଟିରେ ପହଞ୍ଚିବା ପୂବରୁ ଉଡ଼ାଜାହାଜ କର୍ମକର୍ତ୍ତାମାନେ ଆମକୁ ନାନା କାଗଜପତ୍ର ଦେଲେ । ସେଥିରେ ଆମର କ’ଣ କ’ଣ ଜିନିଷ ପତ୍ର ଅଛି, କେଉଁ କେଉଁ ଜିନିଷର ମୂଲ୍ୟ କେତେ ସେସବୁ ଲେଖି ଦେବାକୁ ପଡ଼ିଲା । କଷ୍ଟମସ୍‌ ବିଭାଗ ସେହି ଅନୁସାରେ ଆମ କନିଷପତ୍ର ଚେକ୍ କରି ଟିକସ ଆଦାୟ କରିବେ । ଆମେ ସେହି ଉଡ଼ାଜାହାଜରେ ବସି ସବୁ ଜିନିଷ ପାତିରେ ଏକ ଟିକିନିଖି ତାଲିକା କଲୁଁ ।

 

ସାନ୍ତାକ୍ରୁଜ୍ ଉଡ଼ାଜାହାଜ ଘାଟିରେ ପହଞ୍ଚିଲା ବେଳକୁ ଅଜସ୍ରମେଘ ଚାରିଆଡ଼େ ଘୋଟି ରହିଥାଏ । ଉଚ୍ଚ ଆକାଶରେ ଥିଲାବେଳେ ମେଘର ନାଁ ଗନ୍ଧ ନ ଥିଲା, ଯେତେବେଳେ ଜାହାଜ ଘାଟିରେ ଅବତରଣ କଲା ମେଘ ମଧ୍ୟ ଦେଇ ତଳକୁ ଆସିଲା । ଉଡ଼ାଜାହାଜ ସେହି ଘନକୃଷ୍ଣ ମେଘକୁ ଭେଦ କରି ସାନ୍ତାକ୍ରୁଜ୍‌ରେ ଅବତରଣ କରି ଆମର ହଜାର ହଜାରମାଇଲ ଆକାଶ ଯାତ୍ରାର ଅବସାନ କଲା । ଆମେ ଭାରତ ଛାଡ଼ିଥିଲୁଁ କଲିକତାର ଦମ୍‌ଦମ୍ ଉଡ଼ାଜାହାଜ ଘାଟିରୁ, ବର୍ତ୍ତମାନ ପୁଣି ଭାରତର ପ୍ରବେଶ କଲୁଁ ବୋମ୍ବେର ସାନ୍ତାକ୍ରୁଜ୍‌ ଉଡ଼ାଜାହାଜ ଘାଟିରେ । ଗୋଟିଏ ହେଲା ଭାରତର ପୂର୍ବ ପାଖର, ଅନ୍ୟ ଭାରତର ପଶ୍ଚିମ ପାଖର । ଏ ଦୁଇଟି ଉଡ଼ାଜାହାଜ ଘାଟି ହେଲା ଭାରତର ବୃହତ୍ତମ ଉଡ଼ାଜାହାଜ ଘାଟି ।

 

କଷ୍ଟମ୍‌ସ୍‌ ଅଫିସରେ ସବୁ ଗୋଳମାଳ ତୁଟାଇ ଟିକସ୍ ଆଦି ଦେଇ ଉଡ଼ାଜାହାଜ ଘାଟିରୁ ବାହାରିଲା ବେଳକୁ ଦିନ ନ’ଟା । ଆଲିଟାଲିଆ କୋମ୍ପାନୀର ବସ୍ ଆମକୁ ପହଞ୍ଚାଇ ଦେବ ବୋମ୍ବେ ସହର ଭିତରସ୍ଥ ଟାର୍‌ମିନାସ୍‌ରେ । ସେହି ଘନ ବର୍ଷା ଭିତରେ ଆମେ ବସ୍‌ରେ ବସିଲୁଁ । ବସ୍‌ ସାନ୍ତାକ୍ରୁଜ୍‌ ଉଡ଼ାଜାହାଜ ଘାଟି ଛାଡ଼ି ମୁହାଁଇଲା ବୋମ୍ବେ ସହର ଅଭିମୁଖେ ।

 

ବୋମ୍ବେରେ ଆମ ରହଣୀ ଚାରିଦିନ । ଯେହେତୁ ଆମେ ବୋମ୍ବେ ହୋଇ ଘରକୁ ଫେରୁଛୁ, ପିଲାମାନଙ୍କର ବୋମ୍ବେ ଦେଖିନେବା ଉଚିତ, ସେଥିପାଇଁ ମୁଁ ଆମ ପ୍ରୋଗ୍ରାମରେ ବୋମ୍ବେରେ ଚାରିଦିନ ରହଣି ରଖି ଦେଇଥିଲି । ଯେହେତୁ ବୋମ୍ବେ ଭାରତର ସୁନ୍ଦରତମ ସହର, ତେଣୁ ଏହାକୁ ନ ଦେଖି ଚାଲିଯିବା ଉଚିତ ନୁହେଁ । ହୁଏତ ଭବିଷ୍ୟତରେ ପିଲାଛୁଆ ଧରି ଏଠାକୁ ଆସିବା ସୁବିଧା ଜୁଟି ନ ପାରେ । ତେଣୁ ଗଲାବେଳେ କିଛିଦିନ ରହି ବୁଲାବୁଲି କରାଯିବା ଭଲ ।

 

ଆଲିଟାଲିଆ କମ୍ପାନୀର ଏୟାର୍ ଟାରମିନାସ୍‌ରେ ବର୍ଷା ଛାଡ଼ିଲା ପର୍ଯ୍ୟନ୍ତ ଅପେକ୍ଷା କଲୁଁ-। ବର୍ଷା ଛାଡ଼ିଲା ପରେ ଟେକ୍‌ସିଟିଏ କରି ଗଲୁଁ ଆମ ପାଇଁ ରିଜର୍ଭ ହୋଇଥିବା ବୋମ୍ବେର ସୁପ୍ରସିଦ୍ଧ ଓଡ଼ିଆ ହୋଟେଲ ସିପ୍‌ ହୋଟେଲକୁ । ସିପ୍ ହୋଟେଲର ମାଲିକଙ୍କ ସହିତ ପୂର୍ବରୁ ଜଣାଶୁଣା-। ୧୯୫୫ ମସିହାରେ ବରୋଦାର ବିଜ୍ଞାନକଂଗ୍ରେସ ଅଧିବେଶନରେ ଯୋଗଦେବା ପାଇଁ ବୋମ୍ବେ ଆସିଥିଲାବେଳେ ଏଇ ହୋଟେଲରେ ଥିଲି । ତେଣୁ ବୋମ୍ବେର ଆଉ କେଉଁଠି ନ ରହି ତାଙ୍କର ହୋଟେଲରେ ରହିବା ପାଇଁ ଆଗରୁ ଠିକ୍ କରିଥିଲୁଁ । ବୋମ୍ବେରୁ କଲିକତା ଓ କଲିକତାରୁ ଆମ ଘର ଭଦ୍ରକରୁ ପିବାପାଇଁ ଆମେରିକାରୁ ଆମ ଏଜେଣ୍ଟ ଆମେରିକନ୍‌ ଏକ୍‌ସପ୍ରେସ ଏଠା ରେଳଗାଡ଼ିରେ ରିଜର୍ଭେସନ କରି ଦେଇଥାଏ । ତେଣୁ ସଅଳ ସଅଳଯାଇ ଟିକଟ ଓ ରିଜର୍ଭେସନ କାର୍ଡ଼ ଆଦି ଘେନି ଆସିବା ଥକା ।

 

ହୋଟେଲରେ ବସି ବୋମ୍ବେ ବୁଲା ପାଇଁ ଗୋଟିଏ ପ୍ରୋଗ୍ରାମ କର ପକାଇଲୁଁ । ବୋମ୍ବେରେ ଯେତେବେଳେ ଆମ ରହଣି ଚାରିଦିନ, ତା ଭିତରେ ବୋମ୍ବେର ଅନେକ କିଛି ଦେଖି ହେବ ।

 

ପ୍ରୋଗ୍ରାମ ଅନୁଯାୟୀ ହୋଟେଲରୁ ଖାଇ ପିଇ ଟେକ୍‌ସିଟିଏ କରି ବାହାରିଲୁଁ ବୋମ୍ବେର ସୁବିଖ୍ୟାତ ଏକୁଆରିଆମ୍ ଦେଖି । ଏହା ବୋମ୍ବେର ସବୁଠାରୁ ସୁନ୍ଦର ସ୍ଥାନ ମେରାଇନ୍ ଡ୍ରାଇଭ୍ ଉପରେ ଅବସ୍ଥିତ । ଏକୁଆରିୟମ୍ ନିକଟରେ ଓହ୍ଲାଇ ଚାରିଆଡ଼କୁ ଅନାଇଲାବେଳକୁ ବୋମ୍ବେ ନଗରୀଟି ଆମକୁ ସୁନ୍ଦର ଦିଶିଲାନି । ୧୯୫୫ ମସିହାରେ ମୁଁ ଯେତେବେଳେ ବୋମ୍ବେ ଆସିଥିଲି, ବୋମ୍ବେର ସବୁ କିଛି ମୋତେ ସୁନ୍ଦର ଓ ମନୋହର ଦିଶୁଥିଲା । ମେରାଇନ୍‌ଡ୍ରାଇଭ୍‌ରେ ଘଣ୍ଟା ଘଣ୍ଟା ଓପାସ ରହି ବସିବାକୁ ମନ ହେଉଥିଲା । କିନ୍ତୁ ବର୍ତ୍ତମାନ ମେରାଇନ୍‌ଡ୍ରାଇଭକୁ ଅନାଇଲା ବେଳକୁ ଅନାଇଁବାକୁ ଇଚ୍ଛା ହେଉ ନ ଥାଏ । ଯେଉଁ ରାସ୍ତାକୁ ଏକ ସମୟରେ ଅତି ସୁନ୍ଦର ବୋଲି ଭାବୁଥିଲି ସେହି ରାସ୍ତାକୁ ରାସ୍ତାବୋଲି କହିବାକୁ ସଙ୍କୋଚ ଲାଗୁଥାଏ । ମୋତେ ତ ଖାଲି ଭଲ ଲାଗିଲାନି, ସେଥିସହ ପିଲାମାନଙ୍କୁ ବି । ଯେଉଁମାନେ ନିଉୟର୍କର ରିଭର ସାଇଡ୍‌ ଡ୍ରାଇଭରେ ବୁଲିଛନ୍ତି, ଆଟଲାଣ୍ଟିକ୍‌, ସିଟିର ବ୍ରଡୱାକ୍‌ରେ ଯେଉଁମାନେ ବୁଲାବୁଲି କର ଫେରି ଆସିଛନ୍ତି, ଚିକାଗୋର ମିଚିଗାନ୍ କୂଳରେ ଯେଉଁମାନେ ଘଣ୍ଟା ଘଣ୍ଟା ବିତାଇଛନ୍ତି, ସେମାନଙ୍କ ଆଖିରେ ମେରାଇନ୍‌ଡ୍ରାଇଭ୍‌ର ସୌନ୍ଦର୍ଯ୍ୟ ବା କେତେ ? ଏକୁଆରିୟମ୍ ଭିତରକୁ ଟିକଟ କରି ପଶିଲୁଁ । ସେଠି ମଧ୍ୟ ସେହି ଦଶା । ନିଉୟର୍କ, ଚିକାଗୋ ଆଦି ସହରରେ ପୃଥିବୀ ବିଖ୍ୟାତ ଆକୁଆରିୟମ୍ ଯେଉଁମାନେ ଦେଖିଛନ୍ତି, ସେମାନଙ୍କୁ ଏହି ଏକୁଆରିୟମ୍, ପିଲାମାନଙ୍କ ଖେଳ ଭଳି ଜଣା ପଡ଼ୁଥାଏ-। ଏସବୁ ଦେଖୁଁ ଦେଖୁଁ ମନ ଖରାପ ହୋଇଗଲା । ପିଲାମାନେ ବମ୍ବେର ସବୁ କିଛି ଖାଲି ତୁଳନା କରି ପକାଉଥାନ୍ତି, ଅମେରିକା ଓ ଇଉରୋପ୍‌ର ସହର ସହିତ । ତେଣୁ କୌଣସି ସେମାନଙ୍କୁ ଭଲ ଲାଗୁ ନ ଥାଏ ।

 

ଏକୁଆରିୟମ୍‌ ଦେଖିସାରି ବାହାରିଲୁ ମାଲବାର୍‌ହିଲ୍ ଉପରେ ଥିବା କମଳା ନେହେରୁ ପାର୍କ ଓ ହେଙ୍ଗିଙ୍ଗ୍‌ଗାର୍ଡ଼ନ ଦେଖି । ମନେ ମନେ ଅନୁମାନ କଲି ସେ ଦୁଇଟି ବୋଧହୁଏ ଭଲ ଲାଗିବ । ହେଙ୍ଗିଙ୍ଗ ଗାର୍ଡ଼ନ୍‌ ବୋମ୍ବେର ଏକ ପ୍ରସିଦ୍ଧ ଉଦ୍ୟାନ, ବୋମ୍ବେ ସହରକୁ ଜଳ ଯୋଗାଉଥିବା ଜଳଭଣ୍ଡାର ଉପରେ ଏହା ପ୍ରତିଷ୍ଠା କରା ଯାଇଛି । ଉପରେ ଦେଖିବାକୁ ଗୋଟିଏ ଭଲ ଉଦ୍ୟାନ, ତଳେ ରହିଲା ବମ୍ବେ ସହରର ପ୍ରକାଣ୍ଡ ଜଳଭଣ୍ଡାର । ଏହି ଜଳ ଭଣ୍ଡାରରୁ ପାଇପ୍ ସାହାଯ୍ୟରେ ବୋମ୍ବେର ପ୍ରତ୍ୟେକ ଗୃହକୁ ଜଳ ଯୋଗାଇ ଦିଆ ଯାଉଛି । ଜଳ ଭଣ୍ଡାରକୁ ଜଳ ପମ୍ପ୍‌ ସାହାଯ୍ୟରେ ଆସୁଛି, ଏକ ନଦୀରୁ । ଭାବିଲି ଏସବୁ ଦେଖି ପିଲାମାନେ ଖୁସି ହେବେ, ମୁଁ ମଧ୍ୟ ଖୁସି ହେବି । ଅବଶ୍ୟ ସେ ଦିନ ହେଙ୍ଗିଙ୍ଗ ଗାର୍ଡ଼ନ ଓ କମଳା ନେହେରୁ ପାର୍କରେ ବହୁତଗୁଡ଼ିଏ ଫୁଲ ଫୁଟିଥିଲା । ଜଣେ ସାଧାରଣ ଲୋକ ଆଖିକୁ ସୁନ୍ଦର ଦେଖାଯିବା କଥା । କିନ୍ତୁ ଆମେ ଲଣ୍ଡନର ସେଣ୍ଟ୍ ଜେମ୍‌ସ୍‌ ପାର୍କ, ବକିଙ୍ଗ୍‌ହାମ୍‌ ରାଜ ପ୍ରାସାଦର ଉଦ୍ୟାନ, ପାରିସ୍‌ର ବହୁ ଉଦ୍ୟାନରେ ଯେଉଁ ସବୁ ଫୁଲ ଦେଖି ଆସିଛୁ, ସେଥିରେ ଆମ ଅଖିକୁ ଏହା ମୋଟେ ସୁନ୍ଦର ଦଶିଲାନି, ନ ଦିଶିବା ମଧ୍ୟ ସ୍ଵାଭାବିକ୍‌ ।

 

କମଳା ନେହେରୁ ପାର୍କରେ ବୁଟ୍ ହାଉସଟି ପିଲମାନଙ୍କୁ ଭଲ ଲଗିଲା । ସେଠାରୁ ବୋମ୍ବେ ନଗରୀ ଖୁବ୍ ସୁନ୍ଦର ଦିଶେ । କିନ୍ତୁ ଆମକୁ ବିଶେଷ ଭଲ ଲାଗିଲାନି । ଆମ ଆଖି ପାଶ୍ଚାତ୍ୟ ନଗରୀଗୁଡ଼ିକ ସହିତ ଏରେ ଅଭ୍ୟସ୍ତ ହୋଇ ଯାଇଥାଏ ଯେ, ସେଗୁଡ଼ିକର ସ୍ମୃତି ଆମ ସ୍ମୃତିରେ ଏତେ ସ୍ପଷ୍ଟ ଥାଏ ଯେ ଏଡ଼େ ସୁନ୍ଦର ଏହି ଭାରତୀୟ ନଗରୀର ସୌନ୍ଦର୍ଯ୍ୟ ଉପଭୋଗ କରିବାରେ ସବୁବେଳେ ବାଧା ଜନ୍ମାଉ ଥାଏ ।

 

କମଳାନେହେରୁ ପାର୍କରୁ ଫେରୁ ଫେରୁ ସନ୍ଧ୍ୟା । ସେଦିନ ବି ଆମେ ବେଶ୍ ଥକି ପଡ଼ିଥାଉଁ । ବିଶ୍ରାମ ନେବା ଉଦ୍ଦେଶ୍ୟରେ ହୋଟେଲକୁ ଫେରି ଆସିଲୁଁ ।

 

ତହିଁ ପରଦିନ ଆମେ ଗଲୁଁ ଇଣ୍ଡିଆ ଗେଟ୍ ଅଡ଼େ । ଇଣ୍ଡିଆ ଗେଟ୍ ପାଖରେ ଭାରତ ପ୍ରସିଦ୍ଧ ବୋମ୍ବେର ସବୁଠାରୁ ଶ୍ରେଷ୍ଠ ଓ ଆଭିଜାତ୍ୟ ଭରା ତାଜମହଲ ହୋଟେଲ । ଆମକୁ ଆମେରିକାର ଏକ ତୃତୀୟ ଶ୍ରେଣୀ ହୋଟେଲ ଭଳି ଲଗିଲା । ଯେଉଁମାନେ ନିଉୟର୍କର ପ୍ରକାଣ୍ଡ ପଚାଶ ତାଲା ବିଶିଷ୍ଟ ହୋଟେଲ ଆମେରିକାନ, ୪୬ ତାଲା ବିଶିଷ୍ଟ ପୃଥିବୀ ପ୍ରସିଦ୍ଧ ୱାଲ୍‌ଡର୍ଫ୍‌ ଏଷ୍ଟୋରିଆ ହୋଟେଲ ଦେଖିଛନ୍ତି, ସେମାନଙ୍କ ଆଖିରେ ତାଜମହଲ ହୋଟେଲେ କ’ଣ ବା ଦିଶିବ-? ମନେ ମନେ ଭାବିଲି, ଏଠାକୁ ନ ଆସିଥିଲେ ଭଲ ହୋଇଥାନ୍ତା । କିନ୍ତୁ କିଏ ଜାଣିଥିଲା ଏଗୁଡ଼ିକ ଆଖିକୁ ମୋଟେ ଭଲ ଲାଗିବନି ବୋଲି ।

 

ଇଣ୍ଡିଆ ଗେଟ୍ ପାଖରୁ ଟେକ୍‌ସିଟାଏ କରି ଗଲୁଁ ସିନେମା ଦେଖି । ବହୁତ ଦିନ ହେଲା ହିନ୍ଦୀ ସିନେମା ଦେଖା ହୋଇ ନଥାଏ । ତେଣୁ ଗୋଟାଏ ଦୁଇଟା ସିନେମା ବୋମ୍ବେରେ ଦେଖିନେବା ଉଚିତ । ଟେକ୍‌ସି ବାଲାକୁ ଲିବର୍ଟି ସିନେମା ଅଭିମୁଖେ ଗାଡ଼ି ଚଳେଇବା ପାଇଁ କହିଲି-। ଲିବର୍ଟି ସିନେମା ବୋମ୍ବେର ଏକ ବଡ଼ ଓ ସୁନ୍ଦର ସିନେମା ହଲ୍ । ୧୯୫୫ ମସିହାରେ ମୋତେ ଭାରି ଭଲ ଲାଗିଥିଲା । କିନ୍ତୁ ଲିବର୍ଟି ସିନେମା ହଲ୍ ପାଖରେ ଓହ୍ଲାଇଲାବେଳକୁ ମନଟା ଖରାପ ହୋଇଗଲା । ଆମକୁ ଏହା ଅତି ଛୋଟ ସିନେମା ହଲ୍ ବୋଲି ଜଣା ପଡ଼ିଲା । ମନେ ପଡ଼ିଗଲା, ଆମେ ଯେତେବେଳେ ପୃଥିବୀର ବୃହତ୍ତମ ସିନେମା ଗୃହ ରେଡ଼ିଡ ସିଟି ମିଉଜିକ୍ ହଲ ଦେଖି ଆସିଛୁଁ ଆମ ଆଖିରେ କ’ଣ ପଡ଼ିବ ଏହି ଲିବର୍ଟି ସିନେମା ଗୃହ, ଆମେରିକାର ଏକ ଛୋଟ ସିନେମାହଲ ସହିତ ଯାହା ତୁଳନୀୟ ହେବ କି ନାହିଁ ସନ୍ଦେହ ।

 

ଟିକଟ କାଟି ସିନେମା ହଲ୍ ଭିତରକୁ ଗଲୁଁ । ଏହାର ଅଭ୍ୟନ୍ତର ଅତିଛୋଟ ଜଣା ପଡ଼ିଲା । ହଲ୍‌ରେ ଚାଲୁଥିବା ଫିଲ୍ମଟି ହେଉଛି ‘ବ୍ଲଫ୍‌ମାଷ୍ଟର’ ମୋଟେ ଭଲ ଲାଗିଲାନି । ଯେଉଁ ଆଖିରୁ ସିନେରାମାର ଛାପ କି କ୍ଲିଓପେଟ୍ରାର ଝଲକ ଯାଇନି, ସେହି ଆଖିକୁ କେମିତି ଭଲ ଲାଗିବ ବ୍ଲଫ୍‌ମାଷ୍ଟର । ସିନେମାରୁ ପେରୁଫେରୁ ରାତି ନ’ଟା । ହୋଟେଲକୁ ଫେରିଆସିଲୁଁ ।

 

ବୋମ୍ବେରେ ସାହା ଦେଖିଲୁ ମନକୁ କିଛି ପାଇଲା ନାହିଁ । ମନ ବଡ଼ ଖରାପ ହେଉଥାଏ, ଆମେ ଏଠି ଏତେଦିନ ପାଇଁ ସିଟ୍ ରିଜର୍ଭ କଲୁ କାହିଁକି ? ବୋମ୍ବୋ ଛାଡ଼ିବାକୁ ଯେତେ ଇଚ୍ଛା ହେଉଥିଲେ ମଧ୍ୟ ଏକୋଇଶ ତାରିଖ ପୂର୍ବରୁ ଆମେ ବୋମ୍ବେ ଛାଡ଼ି ପାରୁନଥାଉ, କାହିଁକି ନା ଟ୍ରେନରେ ରିଜର୍ଭେସନ ମିଳିବ ନାହିଁ । ଏକୋଇଶ ତାରିଖ ପାଇଁ ଆମେ ରେଲୱେରେ ରିଜର୍ଭେସନ କରି ସାରିଛୁ । ତେଣୁ ଭଲ ଲାଗୁ ବା ନ ଲାଗୁ ଏକୋଇଶ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ସେ ଦୃଷ୍ଟିରୁ ବୋମ୍ବେର ସବୁ ଯାଗା ବୁଲି ବୁଲି ଦେଖିନେବାକୁ ହେବ ।

 

ତୃତୀୟ ଦିନ ସନ୍ଧ୍ୟାରେ ଆମେ ଗଲୁଁ ବୋମ୍ବେର ଆଉ ଏକ ସିନେମା ଗୃହ ମରହଟ୍ଟା ମନ୍ଦିରରେ ଫିଲ୍ମ ଦେଖିବା ପାଇଁ । ଏଡ଼େ ସୁନ୍ଦର ଏହି ସିନେମା ଗୃହଟି ଆଖିକୁ ମୋଟେ ଭଲ ଲାଗିଲାନି । ସେଥିଭିତରେ ଫିଲ୍ମ ଚାଲୁଥାଏ ‘‘ଦିଲ୍‌ ଏକ ମନ୍ଦିର ହୈ’’ । ସେ ବି ଭଲ ଲାଗିଲାନି । ଏଡ଼େ ବଡ଼ ସହର ବୋମ୍ବେ, ଭାରତର ନଗରୀ ରାଣୀ ବୋଲି ପରିଚିତ, ତଥାପି ବି କିଛି, ଭଲ ଲାଗିଲାନି ଆମକୁ । ବୋମ୍ବର ରାସ୍ତା, ଘାଟ, ବସ୍, ଟ୍ରାମ, ମେରାଇନ ଡ୍ରାଇଭ୍‌, ମାଲବାର ହିଲ, ଏକୁଆରିୟମ୍, ସିନେମାଗୃହ ସବୁ କିଛି ଦେଖିଲୁ ସତ, କିନ୍ତୁ କୌଣସି ମନକୁ ପାଇଲାନି । ମନ ଖରାପ ହୋଇଗଲା । ଭାବିଲି, ବୋମ୍ବେରେ ରହିବା ଆମର ଉଚିତ ହୋଇନି ।

 

ମନେ ମନେ ଭାବିଲି ବାସ୍ତବିକ ଠିକ୍ କଥା । ଯେଉଁମାନେ ପାଶ୍ଚାତ୍ୟ ଦେଶରେ ଏତେଦିନ କଟାଇ ଫେରୁଛନ୍ତି, ସେମାନଙ୍କର ଫେରିବା ବାଟରେ ବୋମ୍ବେରେ ରହିବା ଉଚିତ ନୁହେଁ-। ସେତେବେଳେ ସେମାନେ ବୋମ୍ବେର ସୌନ୍ଦର୍ଯ୍ୟ ଉପଭୋଗ କରି ପାରିବେନି । ସେମାନେ ସବୁବେଳେ ଇଉରୋପ ଆମେରିକାର ସୁନ୍ଦର ସୁନ୍ଦର ସହର ସହିତ ବୋମ୍ବେକୁ ତୁଳନା କରିପକାଇବେ । ଫଳରେ ଉପଭୋଗରେ ବ୍ୟାଘାତ ଘଟିବ । ସ୍ତ୍ରୀ କହିଲେ, ବୋମ୍ବେ ଯଦି ଆମକୁ ଭଲ ଲାଗୁନି, ଆମ କଟକ କି ଭଦ୍ରକ ସେ ପ୍ରଥମ କେଇଦନ କେମିତ ଲଗିବ ଲକ୍ଷ୍ୟ କରିବା କଥା ।

 

ସେପ୍‌ଟେମ୍ବର ମାସ ୨୧ ତାରିଖ ଦିନ ସନ୍ଧ୍ୟାବେଳେ ଆମେ ବୋମ୍ବେ ଛାଡ଼ିଲୁଁ ଆମ ଘର ଅଭିମୁଖେ । ବୋମ୍ବେର ସୁପ୍ରସିଦ୍ଧ ଭିକ୍ଟୋରିଆ ଟାରମିନସ୍‌ରୁ ଆମ ବୋମ୍ବେ ମେଲ ଛାଡ଼ିବ ବୋମ୍ବେ । ପୃଥିବୀର ବୃହତ୍ତମ ରେଲଷ୍ଟେସନ ନିଉୟର୍କର ଗ୍ରେଣ୍ଡ ସେଣ୍ଟ୍ରାଲ ଟାରମିନସ୍‌, ପେନ୍‌ସିଲ ଭେନିଆ ଟାରମିନସ୍‌ ଆଦି ଷ୍ଟେସନର ଦୃଶ୍ୟ ଆଖି ସାମନାରେ ଝଲସି ଉଠିଲା । ସେ ସବୁ ଟାରମିନାସ ଭଳି ଏ ବି ଗୋଟାଏ ଟାରମିନସ୍‌ କିନ୍ତୁ ଆକାଶ ପାତାଳ ପ୍ରଭେଦ । ଏହି ହେଉଛି ଆମ ଦେଶର ଟାରମିନସ୍‌ । ଏହାକୁ ହଁ ନେଇ ଆମେ ଆମର ସେହି ବଡ଼ ବଡ଼ ଷ୍ଟେସନର ସ୍ମୃତିକୁ ଜାଗରୁକ କରିବୁଁ । ପାଶ୍ଚାତ୍ୟ ଅଭିଜ୍ଞତା ଓ ବୋମ୍ବେ ଅଭିଜ୍ଞତା ଏ ଦୁଇଟି ମନରେ ଧରି ଆମେ ଛାଡ଼ିଲୁଁ ବୋମ୍ବେ ।

Image

 

ଆମ ପାଶ୍ଚାତ୍ୟ ଭ୍ରମଣର ପରିସମାପ୍ତି

 

ସେପଟେମ୍ବର ମାସ ତା ୨୩ ରିଖ ସନ୍ଧ୍ୟା ନ’ଟା ବେଳେ ମାନ୍ଦ୍ରାଜ ମେଲ ଆମ ପରିବାରକୁ କଲିକତାରୁ ନେଇ ଭଦ୍ରକ ଷ୍ଟେସନରେ ପହଞ୍ଚିଲା । ଆମ ପରିବାରକୁ ସ୍ଵାଗତ କରିବା ପାଇଁ ଭଦ୍ରକ ଷ୍ଟେସନ ଲୋକାରଣ୍ୟ । ଗାଡ଼ି ଷ୍ଟେସନ ଭିତରକୁ ପଶୁଁ ପଶୁଁ ଏତେ ଲୋକ ଷ୍ଟେସନରେ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ଭାବିଲି ଷ୍ଟେସନରେ କଣ ଗୋଟାଏ ଦୁର୍ଘଟଣା ଘଟିଥିବାରୁ ଏତେ ଲୋକ । କିନ୍ତୁ ଗାଡ଼ି ଯେତେବେଳେ ସେମାନଙ୍କ ପାଖ ଦେଇ ଗଲା, ଦେଖିଲି, ସେହ ବହୁ ଲୋକଙ୍କ ଭିତରେ ପ୍ରତ୍ୟେକ ଲୋକ ମୋର ଜଣାଶୁଣା । ଜଣକୁ ସୁଦ୍ଧା ନ ଚିହ୍ନିଲା ଭଳି ମନେ ହେଲାନି । ତା’ ଛଡ଼ା ମୋର ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ଵଜନ, ଢେର । ମୋର ମାନ୍ୟାସ୍ପଦ ଗୁରୁଜନମାନେ ମଧ୍ୟ ଆସିଥାନ୍ତି । ହଠାତ୍ ମୋର ଖିଆଲ ପଶିଗଲା, ଏମାନେ ବୋଧହୁଏ ଆମକୁ ସ୍ଵାଗତ କରିବା ପାଇଁ ଆସିଛନ୍ତି । ଗାଡ଼ି ଯେମିତି ଷ୍ଟେସନରେ ରହିଲା; ସେମାନେ ଆମ କମ୍ପାର୍ଟମେଣ୍ଟ ଭିତରକୁ ଚଢ଼ି ଆସିଲେ । ଧୀରେ ଧୀରେ ଆମେ ସେମାନଙ୍କ ସହିତ ତଳକୁ ଓହ୍ଲାଇଗଲୁଁ । ଷ୍ଟେସନରେ ସମବେତ ଆମ ବନ୍ଧୁ ବାନ୍ଧବ ମେଳରେ ଆମେ ନିଜକୁ ଭୁଲିଗଲୁଁ । ଦୁଇ ବର୍ଷରୁ ଊର୍ଦ୍ଧ୍ଵକାଳ ପରେ ପୁଣି ସେମାନଙ୍କ ସହିତ ଦେଖା । ଏହି ଭଦ୍ରକ ଦେଇ ଆମେ ଆରମ୍ଭ କରିଥିଲୁଁ ଆମ ପାଶ୍ଚାତ୍ୟ ଯାତ୍ରା, ଆଜି ସେହି ଭଦ୍ରକରେ ହେଲ ତା’ର ପରିସମାପ୍ତି । ଆମର ଯେଉଁ ଭ୍ରମଣ କାହାଣୀ ‘‘ନୀଳଚକ୍ର ବାଳ ସେପାରେ” ପୁସ୍ତକଟିର ଭଦ୍ରକରୁ ଆରମ୍ଭ ହୋଇଥିଲା; ସେହି ଭ୍ରମଣ କାହାଣୀ ପରିସମାପ୍ତି ହେଲା, ସେଇ ଭଦ୍ରକରେ ଆମର ଅନ୍ୟ ଏକ ପୁସ୍ତକ ଏହି “ପାଶ୍ଚାତ୍ୟ ସ୍ମୃତି” ରେ ।

Image